Unknown

 

 

 

 

 

 

 

 

 

 

ଶ୍ରୀ ଗୀତଗୋବିନ୍ଦ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ସୂଚୀପତ୍ର

 

୧।

ସାଧୁ-ସାବଧାନ !

୨୭।

ଉତ୍କଳରେ ରାଧାବାଦ

୨।

ଏ ସାବଧାନୀ ବାଣୀ କାହିଁକି ?

୨୮।

ଜୟଦେବୀ ରାଧା

୩।

କବି-ଜୟଦେବ

୨୯।

ଗୋପୀ-ଗୌରବ

୪।

ନୃତ୍ୟବିତ୍‌ ଓ ନୃତ୍ୟଗୁରୁ

୩୦।

ଜୟଦେବୀ ଗୋବିନ୍ଦ

୫।

ଯୁଗସ୍ରଷ୍ଟା ଜୟଦେବ

୩୧।

ରାଧାରସ

୬।

ମହାକାବ୍ୟ

୩୨।

ଦେବଦାସୀ ପଦ୍ମାବତୀ

୭।

ଶୃଙ୍ଗାରୀ ରଚନା

୩୩।

ଅପାଶୋରା ଶ୍ରୀଗୀତଗୋବିନ୍ଦ

୮।

ରୁଚି-ସଂସ୍କାର

୩୪।

ସ୍ମୃତି

୯।

ଗୀତିକାବ୍ୟ

୩୫।

ଅନୁକୃତି

୧୦।

ଗୀତିନାଟ୍ୟ

୩୬।

ଅନୂସୃତି

୧୧।

ପ୍ରସ୍ତାବନା

୩୭।

ଗୀତ ଭେଦ

୧୨।

ଶ୍ରୀବାସୁଦେବ-ରତିକେଳି-କଥା

୩୮।

ସଂଗୀତ ଧାରା

୧୩।

ରତି-କେଳି

୩୯।

ସଙ୍ଗୀତ ଓ ରଚନା

୧୪।

ଲୀଳା-ଚିତ୍ର

୪୦।

ଅନୁପ୍ରାସ ଏବଂ ଶବ୍ଦ

୧୫।

ରତି-ରୀତି

୪୧।

ସଙ୍ଗୀତ ଓ ଶୈଳୀ

୧୬।

ସର୍ଜନା

୪୨।

ଛନ୍ଦ-ବୃତ୍ତ-ସଙ୍ଗୀତ

୧୭।

ଶକ୍ତି ଏବଂ ଶକ୍ତିମାନ୍‌

୪୩।

ରାଗ

୧୮।

ରସରାଜ

୪୪।

ରସ-ରାଗ

୧୯।

ମହାଭାବ

୪୫।

ତାଳ-ସଂପାଦନା

୨୦।

ଗ୍ରନ୍ଥପାଠ

୪୬।

ରସନୃତ୍ୟ

୨୧।

ଦଶାବତାର

୪୭।

ବାଚଃ ପଲ୍ଲବୟତି

୨୨।

ରାସ-ରସ

୪୮।

ପଦାବଳୀ

୨୩।

ବସନ୍ତେ ବାସନ୍ତୀ-କୁସୁମ

୪୯।

ମାଧବ-ବିନୋଦ (ବିଚାର)

୨୪।

ପ୍ରଚାର-ପ୍ରସାର

୫୦।

ପଦ୍ମାବତୀ-ପରିଣୟ

୨୫।

ସ୍ୱକୀୟା-ପରକୀୟା

୫୧।

ନାନା ମତ

୨୬।

ରାଧାବାଦ ପ୍ରତିଷ୍ଠା

୫୨।

ସଙ୍ଗୀତରେ ଶ୍ରୀଗୀତଗୋବିନ୍ଦ

 

 

୫୩।

କେବେ ଆଉ କାହିଁକି ଏଭଳି ଅନୁବାଦ ?

 

 

 

 

 

ସାଧୁ, ସାବଧାନ !

 

ଶ୍ରୀଗୀତଗୋବିନ୍ଦ ସମ୍ବନ୍ଧେ ଯତ୍‌କିଞ୍ଚିତ୍ ଆଲୋଚନା କରିବା ପୂର୍ବରୁ ମନେ ପଡ଼ିଯାଏ ମହାକବିଙ୍କର ସାବଧାନୀ ବାଣୀ:-

 

‘‘ଯଦି ହରିସ୍ମରଣେ ସରସଂ ମନୋ

ଯଦି ବିଳାସ-କଳାସୁ କୁତୂହଳମ୍ ।

ମଧୁର-କୋମଳ-କାନ୍ତ-ପଦାବଳୀଂ

ଶୃଣୁ ତଦା ଜୟଦେବ ସରସ୍ୱତୀମ୍ ।’’

 

-ଯଦି ହରିସ୍ମରଣରେ ମନ ସରସ, ଯଦି ବିଳାସ* କଳାରେ ଚିତ୍ତ କୌତୂହଳୀ, ତେବେ ମଧୁର-କୋମଳ-କାନ୍ତ-ପଦାବଳୀବିମଣ୍ଡିତ ଜୟଦେବଙ୍କ କାବ୍ୟ ଶ୍ରବଣ କର ।

 

*ବିଳାସ-‘‘ଯାନସ୍ଥାନାସନାଦୀନାଂ ମୁଖନେତ୍ରାଦି କର୍ମଣାମ୍

ବିଶେଷସ୍ତୁ ବିଳାସଃ ସ୍ୟାଦିଷୁ ସଂଦର୍ଶନା ଦିବା ।’’

(ସା: ଦି: ୩-୯୯)

 

ଅର୍ଥାତ୍‌ ପ୍ରିୟବସ୍ତୁର ଦର୍ଶନ ଗତି, ସ୍ଥିତି, ଆସନ ତଥା ମୁଖ, ନେତ୍ର ଆଦି ବ୍ୟାପାରର ବୈଶିଷ୍ଟ୍ୟକୁ ବିଳାସ କହନ୍ତି ।

 

‘ବିଳାସ’ ଶବ୍ଦ ଅନ୍ୟ ଏକ ଅର୍ଥରେ ମଧ୍ୟ ପ୍ରଯୁଜ୍ୟ ହୁଏ; ଯଥା:-‘ବିଳାସଗଣ’ । ଏହି ‘ଗଣ’ ଭଗବାନଙ୍କ ଅବତାରମଧ୍ୟରେ ପରିଗଣିତ । ଏହା ଦୁଇ ପ୍ରକାର - ପ୍ରାଭବ ଓ ପ୍ରକାଶ । ଏକ କାଳରେ, ଏକ ରୂପରେ ପ୍ରକଟ ହିଁ ‘ପ୍ରକାଶ’। ସ୍ୱୟଂ-ପ୍ରକାଶ ଏବଂ ସ୍ୱରୂପ-ପ୍ରକାଶମଧ୍ୟରେ କୌଣସି ଭିନ୍ନତା ନାହିଁ । ରାସଳୀଳା ଓ ରାଜମହିଷୀଙ୍କ ବିବାହ ପ୍ରଭୃତି ବହୁରୂପଗ୍ରହଣତ୍ୱ ଭଗବାନଙ୍କ ପ୍ରକାଶରୂପେ ଗଣ୍ୟ ।

 

ଏ ସ୍ଥଳରେ ‘ବିଳାସ’-‘କଳା’ ଶବ୍ଦ ଦୁଇଟିର ଏକତ୍ର ବ୍ୟବହାରର ବିଶେଷତ୍ୱ ପୂର୍ବୋକ୍ତ ‘ବିଳାସ’ ଶବ୍ଦର ଅର୍ଥ-ଗ୍ରହଣପକ୍ଷେ ସମୀଚୀନ ବୋଧ ହୁଏ ନାହିଁ ।

 

ଆହୁରି ବିଳାସ ଶବ୍ଦାର୍ଥ ସମ୍ବନ୍ଧେ ମହାମୁନି ଭରତ କହିଛନ୍ତି-

‘‘ସ୍ଥାନେ ଯାନାସନେର୍ବାପି ନେତ୍ରବକ୍‌ତ୍ରାଦି କର୍ମ୍ମଣା

ଉତ୍ପାଦ୍ୟତେ ବିକାଶୋ ଯଃ ସ ବିଳାସଃ ପ୍ରକୀର୍ତ୍ତିତଃ ।’’

 

କବି ଏଇ ସାବଧାନୀ ବାଣୀରେ ଦୁଇଟି ବିଷୟ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି:-

ଗୋଟିଏ ହେଲା ‘ସ୍ମରଣ’ - ଅନ୍ୟଟି ‘ଶ୍ରବଣ’ । ସହୃଦୟଙ୍କ ପ୍ରତି କବିଙ୍କର ଏହା ‘ନିବେଦନ’ ବୋଲାଯାଇପାରେ ମଧ୍ୟ । ପୁଣି ଜୟଦେବ ଶ୍ରୀଗୀତଗୋବିନ୍ଦରେ ଅନ୍ୟତ୍ର କହିଛନ୍ତି-

            X            X            X      X

‘‘ଭକ୍ତ-କଣ୍ଠ-କମନୀୟମ୍’’

ଆଉ,

            X            X            X      X

‘‘ପରାଶରାଦି ପ୍ରିୟବନ୍ଧୁ-କଣ୍ଠେ

ଶ୍ରୀଗୀତଗୋବିନ୍ଦ-କବିତ୍ୱମସ୍ତୁ ।’’

 

ଅର୍ଥାତ୍ କବି କହନ୍ତି, ଗାୟନ ବା କୀର୍ତ୍ତନରେ ମଧ୍ୟ ଚିତ୍ତ ବଳିଥିବା ଆବଶ୍ୟକ । ସ୍ଥୁଳତଃ ସ୍ମରଣ, ଶ୍ରବଣ ଓ କୀର୍ତ୍ତନ - ଏହି ତିନୋଟି ବିଷୟପ୍ରତି କବି ବିଶେଷ ଲକ୍ଷ୍ୟ ଦେଇଛନ୍ତି ଶ୍ରୀଗୀତଗୋବିନ୍ଦରେ ।

 

ଗ୍ରନ୍ଥ ନାମ ଶ୍ରୀଗୀତଗୋବିନ୍ଦ । ‘ଗୀତ’ ଏବଂ ‘ଗୋବିନ୍ଦ’ କାବ୍ୟଟିରେ ଅଙ୍ଗାଙ୍ଗୀଭାବେ ବିଜଡ଼ିତ ।

‘‘ମଦ୍‌ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ ।’’

(ଗୀତା)

 

ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନାତ୍ମକ ମହାକାବ୍ୟ ଏଇ ଗୀତ ଏବଂ ଗୋବିନ୍ଦ -ଯାହା ‘ଗୀତଗୋବିନ୍ଦ’ ନାମରେ ପ୍ରଖ୍ୟାତ ।

ସରସ, ସରଳ ଓ ସୁମଧୁର ସଙ୍ଗୀତ ଶ୍ରବଣଜନିତ ଆନନ୍ଦ ବିତରଣ ସଙ୍ଗେସଙ୍ଗେ କବିରାଜ ‘ନବଧା’ ଭକ୍ତିର ପ୍ରଥମ ତିନିଗୋଟି ବିଭାଗ ଉପରେ ବିଶେଷ ଗୁରୁତ୍ୱ ଦେଇ ତାଙ୍କର ମହାକାବ୍ୟଟି ରଚନା କରିଛନ୍ତି ।

 

‘‘ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋସ୍ମରଣଂ ପାଦସେବନଂ

ଅର୍ଚ୍ଚନଂ ବନ୍ଦନଂ ଦାସ୍ୟଂ ସଖ୍ୟମାତ୍ମନିବେଦନମ୍ ।

ଇତି ପୁଂସାର୍ପିତା ବିଷ୍ଣୌର୍ଭକ୍ତିଶ୍ଚେନ୍ନବଲକ୍ଷଣମ୍ ।’’

(ଭାଗବତ - ୬।୫।୨୩।୨୪)

 

ନବଧା-ଭକ୍ତି; ଯଥା:- ଶ୍ରବଣ, କୀର୍ତ୍ତନ, ସ୍ମରଣ, ପଦସେବା, ଅର୍ଚ୍ଚନା, ବନ୍ଦନା, ସେବକଭାବ, ସଖାଭାବ ଓ  ଆତ୍ମ-ନିବେଦନ । ଏଥିମଧ୍ୟରୁ ପ୍ରଥମ ତିନିଗୋଟି ଅର୍ଥାତ୍ ଶ୍ରବଣ, କୀର୍ତ୍ତନ ଓ ସ୍ମରଣ ହେଉଛି ‘‘ଶ୍ରୀଗୀତଗୋବିନ୍ଦ’’ର ମୁଖ୍ୟ ଉଦ୍ଦେଶ୍ୟ ।

 

ଅପ୍ରାକୃତ ରସ-କୀର୍ତ୍ତନଭିନ୍ନ ଅନ୍ୟ ଅର୍ଥରେ ଗ୍ରହଣ କରିବାଭଳି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଗ୍ରନ୍ଥଟି ରଚିତ ନୁହେଁ - ଏହା ହିଁ କବିଙ୍କର ନିର୍ଦ୍ଦେଶ ।

 

ଭକ୍ତ ଜୟଦେବ ‘ସହୃଦୟ’ଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି-‘‘ଯଦି ହରିସ୍ମରଣେ..’’ ଇତ୍ୟାଦି-। ସହୃଦୟ ଶବ୍ଦର ଅର୍ଥ, ‘ହୃଦୟ ସହିତ ବର୍ତ୍ତମାନ’ ବା ହୃଦୟ ଯାହାର ଅଛି, ଏହା ନୁହେଁ । ‘ସହୃଦୟ’ର ଅର୍ଥ-‘‘ସମାନଂ ହୃଦୟଂ ଯସ୍ୟ ସ ସହୃଦୟ ।’’

 

କବି-ବର୍ଣ୍ଣିତ କାବ୍ୟର ହୃଦୟ ଏବଂ ତାହାର ରସଗ୍ରାହକ ରସିକର ହୃଦୟ ଯେତେବେଳେ ‘ଏକ’ ହୁଏ, ସେତେବେଳେ ସେହି ରସିକ ପୁରୁଷଙ୍କୁ କୁହାଯାଏ ‘‘ସହୃଦୟ’’ । ସହୃଦୟ - ସମାନଧର୍ମୀ । ଧର୍ମ ସମାନ ନୋହିଲେ ଏକାତ୍ମତା ସମ୍ଭବ ନୁହେଁ । ସମଧର୍ମୀର ହୃଦୟ ସ୍ୱଚ୍ଛ ଦର୍ପଣପରି । କବିର କାବ୍ୟାତ୍ମା ପ୍ରତିବିମ୍ୱିତ ହେବାର ସମ୍ଭାବନା କେବଳ ଏହି ସ୍ୱଚ୍ଛ ଦର୍ପଣ-ଫଳକରେ । ସ୍ୱଚ୍ଛ ଜଳ ହିଁ ଶଶୀ-ତାରକାର ଛାୟା ଅଙ୍କରେ ଖେଳାଇପାରେ ସିନା, ପଙ୍କିଳ ଜଳପକ୍ଷେ ଏହା କି ସମ୍ଭବ ହୋଇପାରେ ? କବି ଜୟଦେବଙ୍କ କାବ୍ୟ-ପ୍ରତିମା-ପ୍ରତିବିମ୍ବର ପ୍ରତିଫଳନ ସମ୍ଭବ ଏକା ତାଙ୍କର ସହୃଦୟଙ୍କ ମାନସ-ମୁକୁରରେ ।

 

‘ସହୃଦୟ’ ସଂଜ୍ଞା ସମ୍ବନ୍ଧେ ଧ୍ୱନ୍ୟାଲୋକ ଲେଖିଛନ୍ତି:-

 

‘‘ଯେଷାଂ କାବ୍ୟାନୁଶୀଳନାଭ୍ୟାସବଶାଦ୍ ବିଶଦୀଭୂତେ ମନୋ-ମୁକୁରେ ବର୍ଣ୍ଣନୀୟ - ତନ୍ମୟୀଭବନ ଯୋଗ୍ୟତା, ତେ ହୃଦୟ ସଂବାଦ-ରାଜଃ ସହୃଦୟାଃ ।’’

 

ସହୃଦୟ କିଏ ? -କାବ୍ୟାନୁଶୀଳନ-ଅଭ୍ୟାସହେତୁ ମନୋ-ଦର୍ପଣ ସ୍ୱଚ୍ଛ (ନିର୍ମଳ) ହୋଇଥିବାରୁ କାବ୍ୟ-ବର୍ଣ୍ଣିତ ବିଷୟବସ୍ତୁ-ଜ୍ଞାନରେ ଯେ ତନ୍ମୟତା ଲାଭ କରିପାରନ୍ତି, ସେ ହୃଦୟ-ସଂବାଦବିତ୍ । ତାହାଙ୍କୁ ହିଁ ସହୃଦୟ କୁହାଯିବ ।

 

ଜୟଦେବ ତାହାଙ୍କୁ ବା ସେମାନଙ୍କୁ ଲକ୍ଷ୍ୟ କରି ବିଷୟବସ୍ତୁର ପ୍ରାରମ୍ଭରୁ ଏ ଶ୍ଳୋକଟିରେ ସ୍ୱୀୟ ମନୋଭାବ ପ୍ରକାଶ କରିଅଛନ୍ତି । ତେଣୁ ସେହିପରି ରସିକଜନଙ୍କୁ ହିଁ ସେ କହିଛନ୍ତି-

 

‘‘ଶୃଣୁ ତଦା ଜୟଦେବ ସରସ୍ୱତୀଂ ।’’

 

ଏହିଭଳି ପରମ୍ପରାର ଲକ୍ଷଣ ଆମ ଭାରତରେ ଅଭାବ ନାହିଁ । କବି ଭବଭୂତି କହିଛନ୍ତି:-

‘‘ଉତ୍ପତ୍ସ୍ୟତେଽସ୍ତି ମମ କୋଽପି ସମାନଧର୍ମା ।’’

 

-ସେହିପରି କବିରାଜ ଜୟଦେବ ‘ସମାନାଧର୍ମା’ଙ୍କ ଅପେକ୍ଷାରେ କାବ୍ୟାରମ୍ଭର ପ୍ରଥମରୁ ସାବଧାନୀ ବାଣୀ ଶୁଣାଇ କହିଛନ୍ତି-‘ଯଦି ହରିସ୍ମରଣେ ଚିତ୍ତ ସରସ....ଇତ୍ୟାଦି ।’’ ଏଥିରୁ ବୁଝାଯାଉଛି, ସହୃଦୟଙ୍କ ଅପେକ୍ଷାରେ ଶ୍ରୀରାଧାଗୋବିନ୍ଦ-ଲୀଳାବର୍ଣ୍ଣିତ ଗୀତି-କାବ୍ୟଟି ଲେଖା ।

 

ପରମ୍ପରାକ୍ରମେ ଉତ୍କଳୀୟ କବି, କାବ୍ୟକାରମାନେ ମଧ୍ୟ ଏହିପରି ‘ସାବଧାନୀ’ ବାଣୀ ବା ନିବେଦନ ଶୁଣାଇଛନ୍ତି ।

 

କବିସମ୍ରାଟ ଉପେନ୍ଦ୍ରଭଞ୍ଜ କହିଛନ୍ତି:-

‘‘ରସିକ-ଭ୍ରମରେ ହେବେ ରସ ଘେନି ବଶ,

ନିର୍ଗୁଣେ ଘେନିଲେ ନ ଘେନିଲେ ଅଛି କିସ ହେ ।’’

(କୋଟିବ୍ରହ୍ମାଣ୍ଡସୁନ୍ଦରୀ-୧ । ୬୨)

 

ଆହୁରି ମଧ୍ୟ ସେହି କାବ୍ୟରେ ଅନ୍ୟତ୍ର କହିଛନ୍ତି:-

‘‘ନାନା ଶବ୍ଦ ଅର୍ଥେ ଯେ ବିଚକ୍ଷଣ

ଯେହୁ ଜାଣେ ଅଳଙ୍କାର-ଲକ୍ଷଣ

ସେହି କରୁ ଏ ଛାନ୍ଦ ବିବେଚନ ।’’

 

କବି ସାମନ୍ତସିଂହାର କହିଛନ୍ତି:-

‘‘ଗୁଣ-ଗ୍ରାହକେ ପାଇବେ ଚିନ୍ତିଲା ସୁପ୍ରେମ ।’’-(୧୯)

x x x x x

‘‘ଝଳି ମାର୍ଗ ପାଇବେ ପଥିକେ ହେଲେ ଶ୍ରମୀ

ଝଗଡ଼ାବାଟେ ପଶିଲେ ମୂର୍ଖେ ହେବେ ଭ୍ରମି ହେ ।’’-(୨୫)

 

ସେହିପରି ଶ୍ରୀ ଜୀବଗୋସ୍ୱାମୀ କହିଛନ୍ତି:-

‘‘ଯଃ ଶ୍ରୀକୃଷ୍ଣପଦାମ୍ଭୋଜ-ଭଜନୈକବିଳାସବାନ୍

ତେନୈବ ଦୃଶ୍ୟତାମେତଦନ୍ୟସ୍ମୈ ଶପଥୋଽର୍ପିତଃ ।’’

(ଷଟ୍ ସନ୍ଦର୍ଭ)

 

ଏ ସାବଧାନୀ ବାଣୀ କାହିଁକି ?

 

ଶ୍ରୀମନ୍ ଜଗନ୍ନାଥଙ୍କୁ (କୌଣସି ନିର୍ଦ୍ଦିଷ୍ଟ ଖଣ୍ଡର ନାଥ ନୁହଁନ୍ତି) ଯେଉଁ ଦେଶର ପାଣି-ପବନ ମନାଇପାରିଛି, ଜୟଦେବ ସେଇ ଦେଶର ଭକ୍ତପ୍ରବର କବିଗୁରୁ । ତାଙ୍କର ଚିରନ୍ତନୀ କାବ୍ୟ ଧ୍ରୁବା ସ୍ତୁତିରେ ହିଁ ଧ୍ୟାନ-ମୁଖର । ଏହା ସର୍ବକାଳୀନ, ସାର୍ବଜନୀନ ଜଗଜ୍ଜନର ଅଭିବନ୍ଦନୀୟ ଏବଂ ମାଧୁର୍ଯ୍ୟରସାପ୍ଳୁତ କାବ୍ୟ । କୁହାଯାଇଛି:-

‘‘ଯା ଗୋବିନ୍ଦ-ରସ ପ୍ରମୋଦମଧୁରା ସା ମାଧୁରୀ ମାଧୁରୀ ।’’

 

କୃଷ୍ଣଲୀଳା-ରସ ବର୍ଣ୍ଣନା ନୂତନ ନୁହେଁ । ଜୟଦେବ ଯେ ଏ ରସ ପ୍ରଥମ କରି ପରିବେଷଣ କଲେ ତାହା ମଧ୍ୟ ନୁହେଁ । ଶ୍ରୀଗୀତଗୋବିନ୍ଦର ବହୁ ପୂର୍ବରୁ ଶ୍ରୀକୃଷ୍ଣଲୀଳାର ବିଭିନ୍ନ ବିଭାଗମାନ ରଚିତ ଓ ପ୍ରଚାରିତ ହେବାର ଭୂରିଭୂରି ପୁରାଣ-ପ୍ରମାଣ ବିଦ୍ୟମାନ । ବିଷୟବସ୍ତୁ ବା ଭାବ ଉପସ୍ଥାପନା ଦିଗରୁ ବିଚାରିବାକୁ ଗଲେ ଗୀତଗୋବିନ୍ଦରେ କିଛି ହେଲେ ନୂତନତ୍ୱ ନାହିଁ; କିନ୍ତୁ ମାଳାକାରଙ୍କ ସ୍ୱର-ତାଳସୁଗନ୍ଧିତ ମାଳାରଚନା-କୌଶଳ ? ଏହିଠାରେ ଯୁଗ-ଯୁଗ ଧରି ରସିକ, ଭାବୁକ, ଶିଳ୍ପୀ - ସବୁରି ମଥା ନଇଁଯାଏ ଭକ୍ତକବି ଜୟଦେବଙ୍କ ଶ୍ରୀଚରଣତଳେ ।

 

ଶ୍ରୀ ଗୀତଗୋବିନ୍ଦର ପ୍ରାଧାନ୍ୟ ଏହିଠାରେ । ଏହାର ବିଷୟବସ୍ତୁ ପ୍ରାଚୀନ କବି, ପୁରାଣକାରଙ୍କ ଗ୍ରନ୍ଥରୁ ଆହୃତ ସତ୍ୟ; କିନ୍ତୁ ଏହାର ସର୍ବଜନପ୍ରିୟ ସାବଲୀଳ ସରସ ସୁନ୍ଦର ରୂପରଚନା ଏକା ଶ୍ରୀଜୟଦେବଙ୍କ ପକ୍ଷେ ସମ୍ଭବ ହୋଇପାରିଛି । ବାସନ୍ତୀ-ଉଦ୍ୟାନବିକଶିତ ମଲ୍ଲୀ, ଯୂଥିକା, ସେବତୀ ପ୍ରଭୃତି ବିବିଧ ସୁମନ-ସମ୍ଭାର ଭେଟି ଯେଉଁ ରସିକ ମୂର୍ଖ-ପଣ୍ଡିତ, ଧନୀ-ଦରିଦ୍ର ବା ସୁଖୀ-ଦୁଃଖୀ ସମାଜର ସମାନ ଶ୍ରଦ୍ଧା-ଆଦରର ପାତ୍ର ହୋଇପାରିଛନ୍ତି, ଏ ସେହି କୃତୀ ମହାଜନ ଜୟଦେବ।

 

ଗୀତଗୋବିନ୍ଦର ରଚନା-ଶିଳ୍ପଚମତ୍କାରିତା ପ୍ରଥମେ ପାଠକର ଶ୍ରବଣ-ମନନରେ ମଧୁମଳୟର ଅଜଣା ପୁଲକ ଲେପିଦିଏ ।

 

କେଉଁ ସୁମନର ଗନ୍ଧ-ମଦିରସ୍ପର୍ଶରେ ମଳୟ ସମୃଦ୍ଧିଶାଳୀ, ସେ ଆଲୋଚନାର ଆଦୌ ଅବସର ନ ଥିବାଭଳି ଲଳିତ ମଧୁର ଗୀତଗୋବିନ୍ଦ ପଠନ-ଶ୍ରବଣରେ ମୁଗ୍‌ଧ ମନ ଗ୍ରନ୍ଥାର୍ଥବୋଧର ଅପେକ୍ଷା ମଧ୍ୟ କରିପାରେ ନାହିଁ ।

 

ରଚନା-ଚାତୁରୀର ବହିରଙ୍ଗ ଏବଂ ରସର ଅନ୍ତରଙ୍ଗ ବିଭବ, ଏ ଦୁଇଟିର ସମାବେଶ ହିଁ କାବ୍ୟ- ଯାହା ଦିଏ କବିର ପରିଚୟ । ଗୀତ-ଗୋବିନ୍ଦ ରୂପ ଓ ରସର ସୁରୁଚି-ସମନ୍ୱୟ । ଏହା ହିଁ ଗ୍ରନ୍ଥକର୍ତ୍ତାଙ୍କ ସ୍ୱରୂପ-ପ୍ରକାଶ । ସେ ପ୍ରାଚୁର୍ଯ୍ୟରେ ପରିପୂରିତ, ପ୍ରତିଭାସମ୍ପନ୍ନ, ଯୋଗଜନ୍ମା ଏବଂ ସାର୍ଥକ ଶିଳ୍ପୀ; କିନ୍ତୁ ପ୍ରାଚୁର୍ଯ୍ୟ ସତ୍ତ୍ୱେ ସେ ସୁସଂଯତ - ଅଧିକାର ଥାଇ ମଧ୍ୟ ସେ ବିଚାରବାନ୍ ।

 

ରଚନା-ଶିଳ୍ପରେ ତାଙ୍କର ଶବ୍ଦ-ଗୁମ୍ଫନ, ଧ୍ୱନି-ମାଧୁର୍ଯ୍ୟ, ପଦ-ଲାଳିତ୍ୟ, ରସାନୁସାରୀ ସ୍ୱର, ଛନ୍ଦ-ସଂଯୋଜନା ଏବଂ ଭାବ-କଳ୍ପନାର ସାର୍ଥକତା କାବ୍ୟକୁ ଅପରୂପ ଶିରୀ-ସଂପଦର ଯେଉଁ ଅମର ମନ୍ଦିର କରି ତୋଳିଦେଇଛି, ତାହାର ପ୍ରତିଶିଳାଖଣ୍ଡର ସଂସ୍ଥାନ ଏଭଳି ‘ଅଙ୍ଗଲଗା’-ଭାବେ ରସାଣିତ ଯେ କାହାକୁ କାହାରିଠାରୁ ପୃଥକ୍ ବୋଲି ବାରିହେବ ନାହିଁ; ବରଂ ପ୍ରତ୍ୟେକ ପ୍ରତ୍ୟେକର ଅନୁଷଂଗୀ ଓ ରସପରିପୂରକ । ‘ଗୀତଗୋବିନ୍ଦ’ର ଶବ୍ଦ-ମାଧୁରୀ ଓ ଛନ୍ଦଲାଳିତ୍ୟମଧ୍ୟରୁ ଅର୍ଥ-ଗୌରବ  ପୃଥକ୍ ନୁହେଁ ।

 

ପରମ୍ପରା ରୀତି ପ୍ରଚଳିତ କେବଳ ପ୍ରାକୃତ ପ୍ରେମ ଚିତ୍ରାଙ୍କନଠାରୁ ସମ୍ପୂର୍ଣ୍ଣ ପୃଥକ୍ । ଗୀତଗୋବିନ୍ଦ-ପାଠ ଅଜ୍ଞାତରେ ମନରେ ଯେ ମୂର୍ତ୍ତି ଆଙ୍କିଦିଏ, ତାହା ଅନୁଭୂତ ରୂପ-ରସର ଜନକ - ବିସ୍ମୃତିର ସ୍ମୃତି । ଏହା କେବଳ ସେଇ କବି-ନୟନର ଦୃଶ୍ୟମାନ ମୂର୍ତ୍ତି, ସ୍ୱପ୍ନ ଓ ରୂପ ଗଢ଼ିଛି । କଳ୍ପନା ଏହାର ଶୃଙ୍ଗାରୀ । ଉଭୟର ମଧୁର ସମନ୍ୱୟରେ ରୂପରସିକ ଜୟଦେବ ଫୁଟାଇଛନ୍ତି ସ୍ୱର-ଛନ୍ଦ-ଶବ୍ଦ-ତୁଳିକାରଞ୍ଜନଜନିତ ଅନବଦ୍ୟ କାବ୍ୟ । ସେଇ ତାଙ୍କର ଗୀତ - ସେଇ ତାଙ୍କର ଗୋବିନ୍ଦ-। ଏହିଠାରେ ଗୀତ ଓ ଗୋବିନ୍ଦଙ୍କର ଅପରୂପ ଭକ୍ତି-ପ୍ରୀତି-ସ୍ମୃତିର ପ୍ରତିମା ରୁଚିର କଳକଲ୍ଲୋଳନିନାଦିତ ମନ୍ଦ-ମଳୟଚର୍ଚ୍ଚିତ ତ୍ରିବେଣୀ-ସଙ୍ଗମ-ସ୍ଥଳୀର ଆବାହନୀ ମଣ୍ଡପରେ ବିରାଜମାନ ।

 

ଦେବ-ମାନବ ଓ ଦେବୀ-ମାନବମଧ୍ୟରେ ତିଳେହେଲେ ପାର୍ଥକ୍ୟ ନ ରଖି କବି ଶ୍ରୀପତି-ଶ୍ରୀମତୀଙ୍କ ଆତ୍ମାନୁଭୂତ ମୂର୍ତ୍ତି ସ୍ଥାପନା କରିଛନ୍ତି । ତେଣୁ ସିନା ଶ୍ରୀଗୀତଗୋବିନ୍ଦ ଭକ୍ତ ତଥା କାବ୍ୟରସ-ରସିକ ଉଭୟ ଗୋଷ୍ଠୀର ହୃଦୟକୁ ସମାନ ରସରେ ଆପ୍ଳୁତ କରେ । ଅଧିକନ୍ତୁ ରସ ଓ ଭାବବୋଧଭିନ୍ନ କେବଳ ଗୀତଗୋବିନ୍ଦର ସଙ୍ଗୀତ-ମାଧୁରୀ ମହାସାଗରତୁଲ୍ୟ  ଅସୀମ-ଅଥଳ । ଏକନିର୍ଝରପ୍ରସୂତ ହେଲେ ମଧ୍ୟ ଗୀତଗୋବିନ୍ଦର ସ୍ରୋତ ଦ୍ୱିମୁଖୀ ।

 

ମର-ଜଗତର ସ୍ତ୍ରୀ-ପୁରୁଷ ଯୁଗଳର ପ୍ରୀତି ବା ରତି ସଂପର୍କରେ ଏହାର ଚରମ ରସବର୍ଣ୍ଣନାର ସାଧାରଣ ଦିଗଟି ପ୍ରାକୃତ ପ୍ରେମ । ଅନ୍ୟ ଦିଗଟି ହେଲା ଶକ୍ତି ଏବଂ ଶକ୍ତିମାନ୍‌ର ନିତ୍ୟ-ସିଦ୍ଧ ମିଳନର ନିଦର୍ଶନ - ଅପ୍ରାକୃତ ପ୍ରେମ ।

 

‘ଗୀତଗୋବିନ୍ଦ’ରେ ଶ୍ରୀମତୀ-ଶ୍ରୀକୃଷ୍ଣଙ୍କ ନିତ୍ୟପ୍ରେମ ବା ଅପ୍ରାକୃତ ପ୍ରେମ ବର୍ଣ୍ଣିତ ହୋଇଛି-। ନନ୍ଦଦୁଲାଳ ଶ୍ରୀକୃଷ୍ଣ ନୁହଁନ୍ତି-ସେ କେବଳ କୃଷ୍ଣ । ଶ୍ରୀକୃଷ୍ଣ ବୋଲାଇବେ ସେତିକିବେଳେ, ଯେତେବେଳେ ଶ୍ରୀ ବା ରାଧିକାଙ୍କ ସହ ଅଭିନ୍ନଭାବେ ମିଳିତାଙ୍ଗ ହେବେ । ଶ୍ରୀକୃଷ୍ଣ ଶକ୍ତିମାନ୍; ଶ୍ରୀମତୀ ଶକ୍ତି - ତେଣୁ ଏକ ଆତ୍ମା । କୁହାଯାଇଅଛି-‘‘ଏକାତ୍ମାନାବପି ଭୁବି ପୁରା ଦେହ-ଭେଦଂ ଗତଂ ତୌ ।’’ ଏକ ଆତ୍ମା ବା ଏକ ଦେହ ହେଲେ ମଧ୍ୟ ଏକଦା ସେ ଦୁହିଁଙ୍କର ଅଙ୍ଗଭେଦପ୍ରାପ୍ତି ହୋଇଥିଲା।

 

‘‘ଆଗେ ରାଧା ପଛେ ମୁହିଁ ଲମ୍ପଟଭାବରେ

ଏକ ବୀଜ ବେନି ଫାଳ ଯୁଗଳ ଅଙ୍ଗରେ ।’’ (ରହସ୍ୟମଞ୍ଜରୀ)

 

ତେଣୁ ଭକ୍ତକବିଙ୍କର ସାବଧାନୀ ବାଣୀ ସ୍ମରଣ ରଖି ସାଧକ ଗୀତଗୋବିନ୍ଦ-ପାଠରେ ମନ ବଳାଇବେ ବୋଲି ତାଙ୍କର ନିର୍ଦ୍ଦେଶ । ତାଙ୍କ ଗ୍ରନ୍ଥର ଶ୍ରୀକୃଷ୍ଣ - ରସରାଜ ଓ ଶ୍ରୀମତୀ - ମହାଭାବ । ଶ୍ରୀକୃଷ୍ଣ ଶକ୍ତିମାନ - ଶ୍ରୀମତୀ ଶକ୍ତି । ଏହା ଅପ୍ରାକୃତ ଅଲୌକିକ ପ୍ରେମର ଭୁବନଭୁଲା ଚିତ୍ରରୂପ ।

 

‘‘ଆଲୌକିକାଶ୍ଚ ଯେ ଭାବାଃ ନ ତାସ୍ତର୍କେଣ ଯୋଜୟେତ୍ ।’’

(ଅଳଙ୍କାର-କୌତୁକ-୫।୭୨)

 

ପ୍ରଥମରୁ ବୁଝିବାକୁ ହେବ ଯେ ଶ୍ରୀଗୀତଗୋବିନ୍ଦର ବିଷୟବସ୍ତୁ ରସରାଜ ଓ ମହାଭାବଙ୍କର ପ୍ରେମଲୀଳା-ବର୍ଣ୍ଣନ।

‘‘ରସୋ ବୈ ସଃ । ରସଂ ହ୍ୟେବାୟଂ ଲବ୍‌ଧ୍ୱାନନ୍ଦୀ ଭବତି ।’’

(ତୈତିରୀୟୋପନିଷଦ୍)

 

ରସ କଅଣ ? - ରସ ହିଁ ପରମାନନ୍ଦ । ଭଟ୍ଟନାୟକ କହନ୍ତି- ଯାହାର ପ୍ରତୀତି, ଉତ୍ପତ୍ତି, ଅଭିବ୍ୟକ୍ତି ନାହିଁ । ରସ ଅଲୌକିକ । ଆନନ୍ଦ ସର୍ବଥା ଅଲୌକିକ । ଏହା ଦିବ୍ୟ । ଦିବ୍ୟର ସତ୍ତା କେବଳ ଆସ୍ୱାଦନ ଆନନ୍ଦ । କାବ୍ୟାଦି ପାଠ-ପଠନକାଳରେ ଆନନ୍ଦମୟ ଭଗବତ୍‌ସ୍ୱରୂପ ଫୁଟିଉଠେ । କାବ୍ୟଗତ ବିଭାବାଦିଦ୍ୱାରା ପ୍ରସ୍ଫୁଟିତ ରସ ଆନନ୍ଦର ସ୍ୱରୂପ । ଲୌକିକ ରସବୋଧରେ ‘ଆନନ୍ଦ’-‘ନିରାନନ୍ଦ’ ଦୁଇଟି କଥାର ଅନୁଭୂତି ଅଛି; କିନ୍ତୁ ଅଲୌକିକ ରସାସ୍ୱାଦନରେ କେବଳ  ଆନନ୍ଦ ହିଁ ବିଦ୍ୟମାନ ।

 

‘‘ଆନନ୍ଦୋବ୍ରହ୍ମେତି ବ୍ୟଜାନାତ୍ । ଆନନ୍ଦାଦ୍ଧ୍ୟେବ ଖଲ୍ୱିମାନି ଭୂତାନି ଜାୟନ୍ତେ । ଆନନ୍ଦେନ ଜାତାନି ଜୀବନ୍ତି । ଆନନ୍ଦଂ ପ୍ରଜନ୍ତ୍ୟଭି ସଂବିଶନ୍ତୀତି ।’’ (ତୈତିରୀୟ ଉପନିଷଦ୍)

 

ଆନନ୍ଦ ହିଁ ବ୍ରହ୍ମ । ଭୂତ-ଜଗତ ଆନନ୍ଦ-ସଂଜାତ । ତାହା ଆନନ୍ଦଦ୍ୱାରା ବିବୃତ ଏବଂ ଆନନ୍ଦରେ ହିଁ ଲୟପ୍ରାପ୍ତ ହୁଏ । ଏଇ ଆନନ୍ଦର ମୂଳାଧାର ରସରାଜ ଶ୍ରୀକୃଷ୍ଣ । ଭାଗବତକାରଙ୍କ ବାଣୀରେ, ‘‘xxକୃଷ୍ଣସ୍ତୁ ଭଗବାନ୍ ସ୍ୱୟମ୍’’-ଶ୍ରୀକୃଷ୍ଣ ହିଁ ଭଗବାନ୍ ।

 

ଶ୍ରୀଗୀତଗୋବିନ୍ଦ ରାଧାକୃଷ୍ଣ-କେଳିକଳାପ ବର୍ଣ୍ଣନରେ ସମୁଜ୍ଜ୍ୱଳ । ରାଧା ସ୍ୱୟଂ ଭଗବାନ୍ ଶ୍ରୀକୃଷ୍ଣଙ୍କର ହ୍ଲାଦିନୀ-ଶକ୍ତି ଅର୍ଥାତ୍ ପ୍ରେମମୟଙ୍କର ହ୍ଲାଦିନୀ-ଶକ୍ତି ହିଁ ବ୍ରଜେଶ୍ୱରୀ ରାଧିକାରୂପରେ ଅବତୀର୍ଣ୍ଣା । କେବଳ ଲୀଳା-ପ୍ରକଟ ଅର୍ଥରେ ରାଧା ଏବଂ କୃଷ୍ଣରୂପେ ଦ୍ୱିଧା ଭେଦ । କୁହାଯାଇଛି-

 

‘‘ରାଧାକୃଷ୍ଣ–ପ୍ରଣୟ–ବିକୃତିର୍ହ୍ଲାଦିନୀ ଶକ୍ତିରସ୍ତା-

ଦେକାତ୍ମାନାବପି ଭୁବି ପୁରା ହେଦଭେଦଂ ଗତୌ ତୌ ।’’

 

ରାଧା-କୃଷ୍ଣଙ୍କର ପ୍ରଣୟ ବିକୃତ । ପ୍ରଣୟର ଅନ୍ୟ ନାମ ‘ପ୍ରେମ’ । କୃଷ୍ଣ ପ୍ରେମିକପ୍ରବର - ପ୍ରେମର ପ୍ରକୃତି । ପ୍ରେମର ଶକ୍ତିବିଶେଷ ‘ରାଧା’; ତେଣୁ ସେ ପ୍ରକୃତିର ପରିପାକ ବା ବିକୃତି । ବିକୃତି ପ୍ରକୃତିର ଅବସ୍ଥା-ବିଶେଷ । ପ୍ରକୃତି=ପ୍ରକୃଷ୍ଟ କୃତି ବା କରଣ । ବିକୃତି=ବି-କୃତି=ବିଶେଷ କରଣ । ନିର୍ବିଶେଷରେ ସବିଶେଷତ୍ୱ ପ୍ରକାଶ ହିଁ କୃଷ୍ଣ ଏବଂ ରାଧା - ଦୁହେଁ ଏକାତ୍ମା ।

 

ଶ୍ରୀକୃଷ୍ଣ ଯେପରି ରସରାଜ, ଶ୍ରୀରାଧା ସେହିପରି ମହାଭାବ । ରସରାଜ ଓ ମହାଭାବଙ୍କ ରତିକେଳି ବର୍ଣ୍ଣନା କରି ମହାକବି ଲେଖିଛନ୍ତି-

‘‘ଶ୍ରୀବାସୁଦେବ-ରତିକେଳି-କଥାସମେତ-

ମେତଂ କରୋତି ଜୟଦେବ କବିଃ ପ୍ରବନ୍ଧମ୍ ।’’

 

କବି-ଜୟଦେବ

 

‘‘ଅପାରେ କାବ୍ୟ-ସଂସାରେ କବିରେବ ପ୍ରଜାପତିଃ

ଯଥା ବୈ ରୋଚତେ ବିଶ୍ୱଂ ତଦେବ ପରିବର୍ତ୍ତତେ ।।’’

(ବିଷ୍ଣୁପୁରାଣ)

କବି ହିଁ କଳାକାର; କବି ଶିଳ୍ପୀ ।

 

ଶିଳ୍ପୀର ବ୍ୟକ୍ତିଗତ ଅଭିଜ୍ଞତାରୁ ଜାତ ହେବା ଅନୁଭୂତି ରଙ୍ଗ, ରେଖା, ଶବ୍ଦ ବା ସ୍ୱର ମୂର୍ଚ୍ଛିତ ହୋଇ ଦର୍ଶକ, ପାଠକ ବା ଶ୍ରୋତାର ମନ-ମୁକୁରରେ ପ୍ରତିଫଳିତ ହୁଏ । ଏ ଦୃଷ୍ଟିରୁ କଳା ବା ଶିଳ୍ପର ଉଦ୍ଦେଶ୍ୟ ହେଲା ଅନୁଭୂତି-ସଂଚାର; କିନ୍ତୁ କେବଳ ଏହି ଅନୁଭୂତିର ସଞ୍ଚାର ତାହାର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । କଳାରେ ରଙ୍ଗାୟିତ ହୋଇ ଅନୁଭୂତି ଏଭଳି ଭାବରେ ଫୁଟିଉଠେ ଯେ ତାହାରି ଓଢ଼ଣିତଳେ ଲୁଚିରହିଥିବା କଳାକାରର ମନସହିତ ଦ୍ରଷ୍ଟା, ଶ୍ରୋତା ବା ପାଠକ ଏକ ନିବିଡ଼ ସହୃଦୟତା-ବନ୍ଧନରେ ଘନିଷ୍ଠଭାବେ ସମ୍ବନ୍ଧିତ ହୋଇପଡ଼େ । ଏଇ ହେତୁରୁ ଅନୁଭୂତି-ସଂଚାର ନ କହି ବରଂ ରସ ବା ଭାବ-ସଂଚାର ଏହାର ଉଦ୍ଦେଶ୍ୟ ବୋଲି କହିଲେ ସମୀଚୀନ ହେବ ।

 

ଶିଳ୍ପୀର ପାରିଭାଷିକ ଶବ୍ଦ- କଳାକାର, କବି ।

‘ଅନନ୍ତଂ ଅବ୍ୟୟଂ କବିଃ’ - କବି ପରମେଶ୍ୱରଙ୍କର ଅନନ୍ତ ଏବଂ ଅବ୍ୟୟ ।

(ମ: ନି: ଉପନିଷଦ୍)

 

ମଳୟର ମନ୍ଦ ହିଲ୍ଲୋଳ, କୋଇଲିର କୁହୁ, ସୁମନର ସୁବାସ, ପ୍ରଭାତର ଅରୁଣିମା, ସନ୍ଧ୍ୟାର ସ୍ନିଗ୍‌ଧତା, ଚନ୍ଦ୍ରର ଶୀତଳତା ଇତ୍ୟାଦି ଜଗତର ତାବତୀୟ ମାଧୁର୍ଯ୍ୟକୁ, ଗାମ୍ଭୀର୍ଯ୍ୟକୁ ବନ୍ଦି କରି ରଖିଛନ୍ତି କବି ଜୟଦେବ । ଏଥିରେ ତାଙ୍କର ଅନୁକରଣପ୍ରିୟତାର ସତ୍ତା ନାହିଁ - ଯାନ୍ତ୍ରିକ ବୁଦ୍ଧିର ପରିପ୍ରକାଶ ନାହିଁ । ସ୍ୱକୀୟ କବି-ମାନସ-ଦୃଷ୍ଟିରେ ପ୍ରତ୍ୟକ୍ଷ ସମ୍ବନ୍ଧ ଘେନି ସେ ଏମାନଙ୍କୁ କରିଛନ୍ତି କାୟାକଳ୍ପ ।

 

ଅସୀମକୁ ସେ କରିଛନ୍ତି ସସୀମ, ଚଞ୍ଚଳକୁ ସ୍ଥାଣୁ; କଳ୍ପନାକୁ ସେ ଦେଇଛନ୍ତି ବାସ୍ତବ ରୂପ । ବିଶ୍ୱ-ପ୍ରକୃତିକୁ ବନ୍ଦି କରି ସେ ପ୍ରାୟଶ୍ଚିତ୍ତ କରିଛନ୍ତି ନିଜର ଅନ୍ତରକୁ ତା ସହିତ ଅଚ୍ଛେଦ୍ୟ ବନ୍ଧନରେ ଛନ୍ଦି । ବାହାରକୁ ସେ ଯେତିକି ଭିତରକୁ ନେଇଛନ୍ତି, ଭିତରକୁ ମଧ୍ୟ ସେ ସେତିକି ବାହାରେ ବାଢ଼ିଛନ୍ତି । ଚିରଚଞ୍ଚଳ ମାନବ-ମନକୁ ଚିରସୁନ୍ଦରଙ୍କ ମାଧୁର୍ଯ୍ୟ-ଗରିମାମଧ୍ୟରେ ଯେ କରିପାରେ ବନ୍ଦି, ସେହି ଏକା ଶିଳ୍ପୀ, କଳାକାର, କବି । ତାହାରି କଳାଧର୍ମୀ ସ୍ୱପ୍ନିଳ ଚଞ୍ଚଳତା କଳାର ସ୍ଥିରତାମଧ୍ୟରେ ବାସ୍ତବ ସ୍ଥାଣୁରୂପେ ଆବଦ୍ଧ । କବି-କଳାକାର ସହିତ ଯୁଗ ରୁଚିର ସମ୍ବନ୍ଧ ନିବିଡ଼ । ପରିବେଶ, ସଂସ୍କାର ଏବଂ ଐତିହ୍ୟ ଶିଳ୍ପୀକୁ ଗଭୀରଭାବରେ ପ୍ରଭାବିତ କରେ - ଏକଥା ସତ୍ୟ ହେଲେ ମଧ୍ୟ ଶିଳ୍ପୀର ବ୍ୟକ୍ତିଚରିତ୍ର ତା’ର ପ୍ରଧାନ ସଂପଦ । ତଥାପି ବିଷୟବସ୍ତୁ, ପରିବେଶ ବା ଜାତୀୟ ସଂସ୍କୃତି ନିକଟରୁ ଶିଳ୍ପୀ ଦୂରରେ ରହିପାରେ ନାହିଁ ।

 

କବି ଜୟଦେବ ଦୈନନ୍ଦିନ ଜଗତର ପ୍ରାକୃତ ନରନାରୀ ବା ପତିପତ୍ନୀର ସ୍ୱାଭାବିକ ଜୀବନ-ଚିତ୍ରର ପ୍ରେମରୂପାୟନ ମାଧ୍ୟମରେ ଅପ୍ରାକୃତ ରତିର ଅପୂର୍ବ ସମ୍ମେଳନ ଘଟାଇ ସାର୍ବଜନୀନ ସମ୍ମାନ-ସମାଦର-ପ୍ରାପ୍ତିର କାରଣ ହୋଇଛନ୍ତି ଏବଂ ଏହା ତାଙ୍କୁ କରିଛି ଅବିସ୍ମରଣୀୟ । ଗୀତଗୋବିନ୍ଦ କବିଙ୍କର ନିପୁଣ ଲେଖନୀର କୃତି । ଏହାର ରଚନା ପୂର୍ବରୁ ତାଙ୍କର କବିତ୍ୱ-ଖ୍ୟାତି ନ ଥିଲେ ସେ ନିଜକୁ କବିନୃପ ଓ କବିରାଜରାଜରୂପେ ଘୋଷିତ କରାଇ ନ ଥାନ୍ତେ ।

(ଗୀ. ଗୋ: ୧ମ ସର୍ଗ ୩ୟ ଗୀତ ଦେଖ)     

 

ମନରେ ପ୍ରଶ୍ନ ଉଠେ, ଜୟଦେବ ପରମ ଭଗବଦ୍ଭଭକ୍ତ । ପଦ୍ମାବତୀ ତାଙ୍କର ସ୍ୱକୀୟା ପତ୍ନୀରୂପେ ପ୍ରତିଷ୍ଠିତା । କିନ୍ତୁ କବି ତାଙ୍କ ଜୀବନରେ ଯେଉଁ ରାଧାକୃଷ୍ଣ ପ୍ରେମର ଅପୂର୍ବ ଲୀଳାଚିତ୍ର ଅଙ୍କନ କରି ଜନପ୍ରିୟ, ତାହା ତ ସ୍ୱକୀୟା-ରସଚିତ୍ର ନୁହେଁ । ତାହା ଯେ ପରକୀୟା ରୀତି-ବର୍ଣ୍ଣାଢ଼୍ୟ !

 

ଅନୁଭବ ବିନା କେବଳ ବାହ୍ୟ କଳ୍ପନାରେ ରସ-ଉଦ୍ଦୀପନା ଅସମ୍ଭବ । କବି କହିଛନ୍ତି:-

‘‘ଅନୁଭବ ବିନେ-

 

ଦୁଃଖ-ସୁଖ କହି ନୁହେଁ ବଚନେ ।’’

 

-ଏହା ତ ଅତି ସତ୍ୟ କଥା । ଅନୁଭୂତି ହିଁ ରସସଞ୍ଚାରକର୍ତ୍ତା । ଏଇ ଅନୁଭୂତି ଓ ରସବର୍ଣ୍ଣନ ସଂପର୍କରେ ଗୋଟିଏ କଥା ମନେ ପଡ଼େ:-

 

ଏକଦା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱମତ ପ୍ରତିଷ୍ଠା ଉଦ୍ଦେଶ୍ୟରେ ମହୀଷ୍ମତୀ ନଗରର ସ୍ୱନାମଧନ୍ୟ ସାଧକ ପଣ୍ଡିତ ମଣ୍ଡନ ମିଶ୍ରଙ୍କ ସହିତ ସାକ୍ଷାତ୍ କରି ତାଙ୍କୁ ସ୍ୱଧର୍ମ ଓ ସ୍ୱମତାବଲମ୍ବୀ କରାଇବାର ପ୍ରଚେଷ୍ଟା କଲେ । କଥା ହେଲା, ପଣ୍ଡିତ ମଣ୍ଡନ ଯୁକ୍ତିଦ୍ୱାରା ପରାଜିତ ହେଲେ ଜଗତ୍‌ଗୁରୁଙ୍କ ଦୀକ୍ଷା ଗ୍ରହଣ କରିବେ । ଧର୍ମସମ୍ବନ୍ଧେ ବହୁ ବାଦବିସଂବାଦ ଓ ଯୁକ୍ତତର୍କ ପରେ ପଣ୍ଡିତବର ପରାଜିତ ହେଲେ । ଫଳରେ ତାଙ୍କୁ ଜଗଦ୍‌ଗୁରୁଙ୍କର ଶିଷ୍ୟତ୍ୱ ଗ୍ରହଣ କରିବାର ପ୍ରସ୍ତାବ ଆଗତ ହେଲା । ଏତିକିବେଳେ ମଣ୍ଡନଙ୍କ ଅର୍ଦ୍ଧାଙ୍ଗିନୀ ସରସ୍ୱତୀ ଦେବୀ ଜଗଦ୍‌ଗୁରୁଙ୍କୁ କହିଲେ-‘‘ମହାଭାଗ ! ମୁଁ ପତିଙ୍କର ଅର୍ଦ୍ଧାଙ୍ଗିନୀ । ଆପଣ ଅର୍ଦ୍ଧାଙ୍ଗଙ୍କୁ ଯୁକ୍ତିରେ ପରାସ୍ତ କଲେ ସିନା, ଅପର ଅର୍ଦ୍ଧାଙ୍ଗ ପରାଜିତ ନ ହେବାପର୍ଯ୍ୟନ୍ତ ମୋର ସ୍ୱାମୀ କିପରି ଆପଣଙ୍କ ଶିଷ୍ୟତ୍ୱ ସ୍ୱୀକାରପୂର୍ବକ ସନ୍ନ୍ୟାସ ଗହଣ କରିବେ ?’’ ଫଳରେ ସରସ୍ୱତୀ ଦେବୀଙ୍କ ସହିତ ଜଗଦ୍‌ଗୁରୁଙ୍କର ଶାସ୍ତ୍ରଚର୍ଚ୍ଚା ଆରମ୍ଭ ହେଲା । ସରସ୍ୱତୀ ଦେବୀ ଯତିରାଜଙ୍କୁ ପଚାରିଲେ- କହନ୍ତୁ, କାମର ଲକ୍ଷଣ କ’ଣ ? କାମକଳାର ସଂଖ୍ୟା ଓ ତାହାର ମଧ୍ୟ ଲକ୍ଷଣ କଅଣ ?

 

ଯତିରାଜ ଶଙ୍କରାଚାର୍ଯ୍ୟଙ୍କ ମସ୍ତକରେ ବଜ୍ରାଘାତ ହେଲା । ସେ ଏଥିର ଉତ୍ତର ଦେବାକୁ ସମୟ ମାଗି ଶିକାରକୁ ଆସି ଦେହାନ୍ତ ହୋଇଥିବା ରାଜା ଅମରୁକଙ୍କ ଶବରେ କାୟାପ୍ରବେଶ କଲେ ଏବଂ ଅମରୁକରୂପେ ଅନ୍ତଃପୁରସ୍ଥା ରାଣୀମାନଙ୍କ ସହିତ କାଳଯାପନ କରି କାମକଳା ଲିପିବଦ୍ଧ କଲେ ନିଜର ଅନୁଭୂତି ପରେ । ଅନୁଭୂତି ବ୍ୟତିରେକେ ରସ ଆସ୍ୱାଦନ ସମ୍ଭବ ନୁହେଁ । ଏହି ଘଟଣାଟି ତାହାର ଜ୍ୱଳନ୍ତ ପ୍ରମାଣ । ତେଣୁ କବି-ଜୀବନରେ ଅନୁଭୂତି ବିନା ରସାସ୍ୱାଦନ ବା ରସ-ପରିବେଷଣ କିପରି ସମ୍ଭବ ହୋଇପାରେ ?

 

ତେଣୁ ଏକଥା ମନକୁ ଆସେ ଯେ ସ୍ୱକୀୟ ଅନୁଭୂତି ଘେନି କବି ପରକୀୟା-ଶୃଙ୍ଗାର-ରସାନ୍ୱିତ ଗୀତିକାବ୍ୟ ରଚନା କରିଛନ୍ତି ଏବଂ ତାହା ହିଁ ବସନ୍ତରାସୋତ୍ସବ-ଆଧାରିତ ଭାଷା ଓ ସଂଗୀତ-ମାଧୁରୀଭରା ରାଧାଗୋବିନ୍ଦ-ଲୀଳାବର୍ଣ୍ଣିତ ଗୀତଗୋବିନ୍ଦ । ପୁଣି ସରଳ ସହଜ ଭାବରେ ସବୁରି ମନଘେନା ହେବାଲାଗି ଚତୁର ଭକ୍ତକବି ପାରମ୍ପରିକ ସଂସ୍କୃତ ଛନ୍ଦରେ ସ୍ୱର-ତାଳ-ମୁର୍ଚ୍ଛନା ଦେଇ ଏଭଳି ‘ଶିଶୁପଶୁ-ଫଣୀର୍ବେତି’ ସଙ୍ଗୀତସୃଷ୍ଟିର ଆଦ୍ୟ ସ୍ରଷ୍ଟା ମଧ୍ୟ କବି ଜୟଦେବ । ଗୋବିନ୍ଦ-ରସାପ୍ଳୁତ ଗୀତି-କାବ୍ୟ ସୃଷ୍ଟି ପରେ-

 

‘‘କୃଷ୍ଣାୟ ଗୋବିନ୍ଦାୟ ଗୋପିଜନବଲ୍ଲଭାୟ ସ୍ୱାହା ।’’ ମନ୍ତ୍ରାନୁସରଣରେ ଶ୍ରୀମନ୍‌ଜଗନ୍ନାଥଙ୍କ ଶ୍ରୀଚରଣତଳେ ସେ ତାହା ନିବେଦନ କରିଛନ୍ତି ।

 

‘‘ଓଁ କ୍ଳୀଂ କୃଷ୍ଣାୟ ଗୋବିନ୍ଦାୟ ଗୋପିଜନବଲ୍ଲଭାୟ ସ୍ୱାହା’’- ଏହି ମନ୍ତ୍ର ପାଠ କରି ଶ୍ରୀମନ୍‌ଜଗନ୍ନାଥଙ୍କ ଛାମୁରେ ପୂଜକ ବଢ଼ା ‘ଅମଣିଆ’ରେ ଚଳୁ ଛଡ଼ାନ୍ତି । ତେଣୁ ଶ୍ରୀଜଗନ୍ନାଥଦେବ ଗୋପିଜନବଲ୍ଲଭ, ଗୋବିନ୍ଦ, ଶ୍ରୀକୃଷ୍ଣଙ୍କ ରୂପକଳ୍ପନାରୂପେ ହିଁ ବିରାଜମାନ ।

 

ଗିରିଧାରୀ, ଗୋବର୍ଦ୍ଧନଧାରୀ ବା ଗୋଷ୍ଠବିହାରୀ ଗୋବିନ୍ଦରୂପେ ଶ୍ରୀକୃଷ୍ଣ ଶ୍ରୀମନ୍ଦିରରେ ଆରାଧିତ ନୁହଁନ୍ତି । ଏଠାରେ ଭକ୍ତକବି ଗୋପିଜନବଲ୍ଲଭ, ନଟରାଜ-ନଟବର ରାସୋତ୍ସବକାରୀ ସସ୍ମିତ-ହାସ-ଶୋଭନ-ରାଈବାଂଛିତ-ବେଣୁଧର ଗୋବିନ୍ଦଙ୍କୁ ଅନ୍ତରର ପ୍ରେମଭକ୍ତି-ନୈବେଦ୍ୟ ନିବେଦନ କରି ତାଙ୍କରି ରସଗୀତି ଗାୟନମୁଖର ।

 

କବି ଏହି ଭକ୍ତିସୁମନ ନିବେଦନଟିର ଯଥାର୍ଥ ନାମ ରଖିଛନ୍ତି-‘ଗୀତ-ଗୋବିନ୍ଦ’ । ପୁଣି କେବଳ ଗାୟନ ନୁହେଁ, ନର୍ତ୍ତନ-କ୍ରିୟାସମଭିବ୍ୟାହାରରେ ସ୍ୱୀୟ ଇଷ୍ଟଦେବଗୋବିନ୍ଦପ୍ରୀତ୍ୟର୍ଥେ ପ୍ରତିନିତ୍ୟ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜଗନ୍ନାଥଙ୍କ ଶ୍ରୀଛାମୁରେ ଗୀତଗୋବିନ୍ଦ ପରିବେଷଣ କରୁଥିଲେ ଭକ୍ତପ୍ରାଣ ପ୍ରଣୟୀ-ଯୁଗଳ । ସ୍ୱୟଂ କବି ଆପଣାକୁ କହିଛନ୍ତି:-‘ପଦ୍ମାବତୀ-ଚରଣ-ଚାରଣଚକ୍ରବର୍ତ୍ତୀ’ ଅର୍ଥାତ୍‌ ଜୟଦେବ ଦେବୀଙ୍କର ନୃତ୍ୟଗୁରୁ । ପାଦଟିର ଏହିପରି ଅର୍ଥ ବହୁ ପଣ୍ଡିତ ଟୀକାକାରଙ୍କଦ୍ୱାରା ସମ୍ମତ ।

 

ନୃତ୍ୟବିତ୍‌ ଓ ନୃତ୍ୟଗୁରୁ

 

କେବଳ ଅବସର-ବିନୋଦନ ନୃତ୍ୟର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ଦେବତାର ତୃପ୍ତି, ଇଷ୍ଟତୁଷ୍ଟି ଓ ଦେବାର୍ଚ୍ଚନା ଏହାର ପ୍ରଧାନ ଲକ୍ଷ୍ୟ ।

‘‘ନବନୀରଦ-ଜାଲ ନୀଲକାନ୍ତି-

ସ୍ତୁପନୀୟ ଦ୍ୟୁତି ଗୋପିକାପରିତଃ

ବପୁଷାଭିନୟନ୍‌ ସ ନାଟ୍ୟଭେଦା-

ନ୍ନବରାସେ ନଟନାଗରଃ ଶ୍ରିୟେଽସୁ ।’’

            (ଅଭିନୟ ଦର୍ପଣ ପ୍ରକାଶ)

 

-ସଂଗୀତଜ୍ଞ ନବୀନ ରାସୋତ୍ସବରେ ସମୁଜ୍ଜ୍ୱଳ, କନକ-ଗୌରାଙ୍ଗୀ ଗୋପିକାମାନଙ୍କଦ୍ୱାରା ପରିବୃତ ନବଘନ ଶ୍ୟାମକାନ୍ତି ନଟନାଗର (ଶ୍ରୀକୃଷ୍ଣ) ସ୍ୱବପୁଦ୍ୱାରା ନାଟ୍ୟଭେଦଗୁଡ଼ିକର ଅଭିନୟ କରି ମଙ୍ଗଳବିଧାନ କରନ୍ତୁ ବୋଲି କହିଛନ୍ତି । ଏତଦ୍ଦ୍ୱାରା ନଟବରଙ୍କୁ ହିଁ ନଟଗୁରୁରୂପେ ପ୍ରାର୍ଥନା କରାଯାଇଅଛି । ଏହି ଭଙ୍ଗିତ୍ରିବଙ୍କିମ ନଟବରଙ୍କ କମ ଠାଣି ଅନୁସରଣରେ ତ୍ରିଭଙ୍ଗ ନୃତ୍ୟର ପରମ୍ପରା ଉତ୍କଳରେ ପ୍ରଚଳିତ ଏବଂ ଏହି ଭଙ୍ଗି ହିଁ ‘ଓଡ଼ିଶୀ ନୃତ୍ୟ’ର ବିଶେଷତ୍ୱ ଏବଂ ସ୍ୱତନ୍ତ୍ରତାର ପ୍ରତୀକ ।

 

ସଂଗୀତ-ଗୀତ, ବାଦ୍ୟ ଓ ନୃତ୍ୟରେ ଭଗବାନ୍‌ ତୁଷ୍ଟ ହୁଅନ୍ତି । ତେଣୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଛାମୁରେ ସଂଗୀତଜ୍ଞ ଭକ୍ତକବି ଭାବ-ରସପୂର ସୁଲଳିତ କଣ୍ଠରେ ଗୀତଗୋବିନ୍ଦ ଗାୟନ କରୁଥିଲେ ଏବଂ ପିତାମାତାଙ୍କକର୍ତ୍ତୃକ ଦେବଦାସୀରୂପେ ସମର୍ପିତା ଭକ୍ତିମତୀ ପଦ୍ମାବତୀ ନୃତ୍ୟପାତ୍ରୀରୂପେ ସୁବେଶସଜ୍ଜିତା ହୋଇ ସେହି ଗୀତମାନଙ୍କର ଭାବରସାନୁସାରୀ ଅଭିନୟ ସହ ଅପୂର୍ବ ନୃତ୍ୟ ପରିବେଷଣ କରୁଥିଲେ ।

 

ଏହି କଥା ଘେନି କୁଚବିହାରର କବି ରାମସରସ୍ୱତୀ ପଞ୍ଚଦଶ ଶତାବ୍ଦୀରେ କହିଅଛନ୍ତି:-

‘‘ଜୟଦେବ ମାଧବେର୍‌ ସ୍ତୁତିକ ବର୍ଣ୍ଣାବେ

ପଦ୍ମାବତୀ ଆଗନ୍ତ ନାଚତ ଭଙ୍ଗିଭାବେ ।

କୃଷ୍ଣର ଗୀତକ ଜୟଦେବ ନିଗଦତି

ରୂପକ ତାଲେର୍‌ ଚେବେ ନାଚେ ପଦ୍ମାବତୀ ।।’’

 

ଶାସ୍ତ୍ରାନୁମୋଦନକ୍ରମେ ଆଙ୍ଗିକ, ବାଚିକ, ଆହାର୍ଯ୍ୟ ଏବଂ ସାତ୍ତ୍ୱିକ ପ୍ରଭୃତି ବିଭାଗମାନଙ୍କର ପୂର୍ଣ୍ଣ ଉପଯୋଗରେ ଏହା ଲାସ୍ୟନୃତ୍ୟରୂପେ ପ୍ରଖ୍ୟାତ । ଏହି ପରମ୍ପରାର ବିଶ୍ୱସ୍ତ ଅନୁକରଣ ହିଁ ଓଡ଼ିଶୀ ନୃତ୍ୟର ସ୍ୱତନ୍ତ୍ରତା ।

କୁହାଯାଇଛି-

‘‘ନାଟ୍ୟଂ ଯତ୍‌ ପରମାନନ୍ଦଦାୟୀ ପୁଷ୍ଟିମତାଂ ନୃଣାମ୍‌

ନ କେବଳମିଦଂ ନେତ୍ର-ମନଃ-କର୍ଣ୍ଣ-ସୁଖାବହମ୍‌ ।।

କିନ୍ତୁ ମୁକ୍ତିକରଂ ଜାତଂ ସେବିତଂ ପାପନାଶନମ୍‌ ।

ଅପି ବ୍ରହ୍ମାନନ୍ଦସୁଖାଦିଦମତ୍ୟଧିକଂ ମତମ୍‌ ।।’’

(ଅଭିନୟ ଦର୍ପଣ ପ୍ରକାଶ)

 

ପୁଷ୍ଟିମାନ୍‌ ଲୋକମାନଙ୍କର ପରମ ଆନନ୍ଦଦାୟୀ ନୃତ୍ୟ କେବଳ ଆଖି, ମନ ଓ କାନର ସୁଖାବହ ନୁହେଁ; ପରନ୍ତୁ ତାହା ଜ୍ଞାନରେ ମୁକ୍ତିବିଧାୟକ, ଆଚରଣରେ ପାପବିନାଶକ ଏବଂ ବ୍ରହ୍ମାନନ୍ଦଠାରୁ ମଧ୍ୟ ଅଧିକ ।      ଏହି ରୀତିରେ ଏକା ଜୟଦେବ ନୁହନ୍ତି, ଭକ୍ତଦମ୍ପତି ଶ୍ରୀକୃଷ୍ଣ-ପ୍ରୀତ୍ୟର୍ଥ ଭକ୍ତି-ମୁକ୍ତି-କାମନାରେ ତାଙ୍କର ଲୀଳାରସ ନୀତି-ନିୟମରେ ଭଗବତ୍‌ଚରଣରେ ନିବେଦନ କରୁଥିଲେ । ତେଣୁ କବି କହିଛନ୍ତି:-

 

‘ତବ ଚରଣେ ପ୍ରଣତାବୟମ୍‌’      (୧ମ ସର୍ଗ-୨ୟ ଗୀତ)

 

ରସାନୁଭୂତିଭିନ୍ନ ଗୁରୁର ନୃତ୍ୟଶିକ୍ଷା-ବିଧାନ କିଂବା ଶିଳ୍ପୀର ନୃତ୍ୟାଚରଣ ‘‘କାଷ୍ଠକୁଡ଼୍ୟାଦି’’ ତୁଲ୍ୟ ନୀରସ-ନିର୍ଜୀବବତ୍‌ । ରସସିଦ୍ଧିର ସମ୍ଭାବନା ନ ଥିବାଦୃଷ୍ଟେ ନୃତ୍ୟସମ୍ବନ୍ଧେ କୁହାଯାଇଅଛି:-

 

‘‘ବାଳଞ୍ଚ ବୁଦ୍ଧି ହୀନତ୍ୱାତ୍‌ ନ ପାତ୍ର ଜନରଞ୍ଜନମ୍‌ ।’’ (ସଂ-ନାରାୟଣ)

 

ଗୀତଗୋବିନ୍ଦ ଆମୂଳାନ୍ତ ରସପୂର କାବ୍ୟ । ଶୃଙ୍ଗାର ଏହାର ମୁଖ୍ୟ ରସ । ପୁଣି ଶୃଙ୍ଗାରୀ କବି ପରକୀୟା-ରସନିର୍ଭରରେ କାବ୍ୟଟି ରଚନା କରିଅଛନ୍ତି । ଏହି ରସବର୍ଣ୍ଣନା ମାନବୀୟ ମିଳନ-ବିରହ ଚିତ୍ରରେ ପରିକଳ୍ପିତ । ସାଧାରଣ ଲୋକଜୀବନ ସହିତ ଏକାନ୍ତ ସ୍ୱାଭାବିକ ଏକାତ୍ମତାସୂଚକ ବରବର୍ଣ୍ଣନା ଗୀତଗୋବିନ୍ଦକୁ ପାଠକ, ଶ୍ରୋତା, ବକ୍ତା ମନରେ ଅତି ଆପଣାର କରି ସାଇତି ରଖିଛି-

 

ଶ୍ରୀମନ୍ଦିରରେ ଶ୍ରୀମନ୍‌ଜଗନ୍ନାଥଙ୍କ ଶ୍ରୀଛାମୁରେ ଯେଉଁ ନୃତ୍ୟ ପରିବେଷିତ ତାହା ନିଶ୍ଚୟ ଉଡ୍ର ପ୍ରବୃତ୍ତିର ନୃତ୍ୟ, ସରଳ ଭାଷାରେ ଯାହା ‘ଓଡ଼ିଶୀ’ ନୃତ୍ୟରୂପେ ପ୍ରଖ୍ୟାତ । ଏହି ନୃତ୍ୟ ଭାବାଭିନୟ ପ୍ରଧାନ ।

 

‘‘ନାଟ୍ୟେ ନାଟ୍ୟାଙ୍ଗ-ଗୀତାନାଂ ତାଳାନାଂ ରଙ୍ଗବର୍ତ୍ତିନାମ୍‌ ।

ରସାନାଂ ବ୍ୟଞ୍ଜକୋ ଯଃ ସୋଽଭିନୟସ୍ୟ କ୍ରମାଦିତଃ ।’’

(ଅ: ଦର୍ପଣ ପ୍ରକାଶ)

 

ନାଟ୍ୟ (ନୃତ୍ୟ)ରେ ରଙ୍ଗାନ୍ତର୍ଗତ ନାଟ୍ୟାଙ୍ଗ, ଗୀତ, ତାଳ ଓ ରସମାନ ଯାହାଦ୍ୱାରା ବ୍ୟଞ୍ଜିତ ହୁଏ, ତାହାକୁ କୁହାଯାଏ ଅଭିନୟର କ୍ରମ ।

ରସବ୍ୟଞ୍ଜନା କରିବ କିଏ ?

 

ବ୍ୟଞ୍ଜନା, ଅଭିନୟରଚନା ବା ନୃତ୍ୟଶିକ୍ଷାପ୍ରଦାନ ରସାନୁଭବୀଭିନ୍ନ ଅପର ବ୍ୟକ୍ତି ପକ୍ଷେ ବିଡ଼ମ୍ବନା । ଏହି ସମସ୍ତ ବିଷୟ ବିଚାରକୁ ଆଣିବାବେଳେ ମିଳନ-ବିରହ-ମାନ-ଅଭିମାନ-ଆତ୍ମୋତ୍ସର୍ଗ ଇତ୍ୟାଦି ଇତ୍ୟାଦି ଯେଭଳି ରସପୂର୍ଣ୍ଣ ନିପୁଣ ନିଖୁଣ ଆଲେଖ୍ୟ ଯେଉଁ କବି, ସଂଗୀତଜ୍ଞ ଅଙ୍କନ ଓ ପରିବେଷଣ କରିପାରିଛନ୍ତି, ତାହା କଦାପି ତାଙ୍କର ଅନୁଭୂତିଭିନ୍ନ କେବଳ ଉଦ୍ଭଟ କଳ୍ପନାପ୍ରସୂତ ବୋଲି କୁହାଯାଇ ପାରିବ କି ? ମଧୁ ମଧୁର । ଜୀବନରେ ଯେ ମଧୁରସ ଆସ୍ୱାଦନ କରି ନାହିଁ, ସେ କିପରି ମଧୁଗୁଣ ପ୍ରଚାର କରିପାରିବ ? ଅନ୍ଧ ହସ୍ତୀ ଦର୍ଶନ ନ୍ୟାୟରେ ଏହା ଅସମ୍ଭବ ଏବଂ ହାସ୍ୟାସ୍ପଦ ବ୍ୟାପାର ସିନା !

 

ସତ୍ୟ କଥା କହିଛନ୍ତି ଆମର ରସିକକବି କବିସୂର୍ଯ୍ୟେ:-

‘‘ମିତ, ତୁନି ହୋ ଲୋ, ତୁ ତ ଅନୁଭବି ନୋହୁ

ସ୍ନେହଜାତ ସୁଖ - ତା ବିଚ୍ଛେଦେ ଦୁଃଖ

ଯେ ଜାଣେ ସେ ଆସି କହୁ ।’’

 

ଯେ ବୁଡ଼ିନାହିଁ ସେ ବୁଡ଼ାଇବ ? ଯେ ମଜ୍ଜି ନାହିଁ ସେ ମଜ୍ଜାଇବ ? ସନ୍ତରଣ ନ ଜାଣି ସନ୍ତରଣ ଶିଖାଇବ କିଏ ? କେଉଁ ସାହସରେ ? ସେହିପରି ପରକୀୟା ରସାନୁଭୂତି ନ ଥାଇ ଗୀତଗୋବିନ୍ଦ-କବି ପରକୀୟା ରତିରସର ଟିକିନିଖି ରୂପରେଖ ଥାପିଦେଲେ କିପରି ?

 

ଜୟଦେବ ଯେପରି ଏକ ଦିଗରେ ପଦ୍ମାବତୀଙ୍କର ରସଭାବ ନୃତ୍ୟାଭିନୟ ଶିକ୍ଷକ, ପଦ୍ମାବତୀ ମଧ୍ୟ ସେହିପରି ଅନ୍ୟ ଦିଗରେ ତାଙ୍କର ପରକୀୟା-ତତ୍ତ୍ୱର ଶିକ୍ଷୟିତ୍ରୀ । ଦୁହେଁ ଦୁହିଁଙ୍କର ଗୁରୁ । ତା ନ ହୋଇଥିଲେ ଗୀତଗୋବିନ୍ଦ-ରଚନା ସ୍ୱଭାବ-ରସମାଧୁରୀରେ ପ୍ରୋଜ୍ଜ୍ୱଳ ହୋଇପାରି ନ ଥାନ୍ତା କିଂବା ଉତ୍-କଳା ନାମ ସାର୍ଥକକାରୀ କଳାପ୍ରାଣ ଛପନଭୋଗୀ ଘରର ସନ୍ତାନ ଏ ଓଡ଼ିଆ ଜାତି ବିରାଟ ନଗରୀଠାରୁ ନିରାଟ ପଲ୍ଲୀର ଘରେ ଘରେ ଅଙ୍ଗେଲିଭା ମଣି, କଣ୍ଠମଣି କରି ସାଇତି ରଖି ନ ଥାନ୍ତେ ଗୀତଗୋବିନ୍ଦକୁ ।

 

ଜୟଦେବଙ୍କ ମଧୁର-କୋମଳ-କାନ୍ତ-ପଦାବଳୀ ବା ତାଙ୍କର ମଧୁସଙ୍ଗୀତ-ମୁର୍ଚ୍ଛନା ବ୍ୟକ୍ତିବିଶେଷର ନୁହେଁ, ରଚୟିତାର ନୁହେଁ - ତାହା ଦୈବବାଣୀ, ଦୈବୀ ନିର୍ଦ୍ଦେଶ । ପ୍ରମାଣ ତାର ରସରାଜଙ୍କ ଶ୍ରୀକର ଲିଖିତ ‘ଦେହି ପଦପଲ୍ଲବମୁଦାରମ୍ ।’

 

ପଦ୍ମାବତୀ ହିଁ ପରକୀୟା-ରସପ୍ରେରଣା ଦେବାଲାଗି ଜୟଦେବଙ୍କ କରରେ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛାରେ ଶ୍ରୀ ଜଗନ୍ନାଥଙ୍କ କର୍ତ୍ତୃକ ସମର୍ପିତା । କବିହୃଦୟରେ ପ୍ରୀତି-ପ୍ରବାହର ତରଙ୍ଗ-ସଞ୍ଚାରଲାଗି ଏକମାତ୍ର ପଦ୍ମାବତୀ ହିଁ ପୌର୍ଣ୍ଣମାସୀ ଚନ୍ଦ୍ରମା । ତାଙ୍କରି ସହାୟତାଭିନ୍ନ ଜୟଦେବ ସୁରସିକ ବୋଲାଇ ଜନମନ-ବନ୍ଦନ ହେବାର ସମ୍ଭାବନା ସୁଦୂରପରାହତ ।

 

‘ପଦ୍ମାବତୀ-ଚରଣଚାରଣ-ଚକ୍ରବର୍ତ୍ତୀ’ ରସିକ ଜୟଦେବଙ୍କୁ ପଦ୍ମାବତୀଙ୍କର ନୃତ୍ୟଗୁରୁ ବୋଲି ସ୍ୱୀକାର କରିବା ସଙ୍ଗେ ସଙ୍ଗେ ଏ କଥା ମଧ୍ୟ ସ୍ୱୀକାର କରିବାକୁ ହେବ ଯେ ତାଙ୍କର ରସ-ପ୍ରେରଣାଦାୟିନୀ ଭାବମୟୀ ରସିକା ପଦ୍ମାବତୀ ।

 

ଯୁଗସ୍ରଷ୍ଟା ଜୟଦେବ

 

ଦ୍ୱାଦଶ ଶତାବ୍ଦୀର ବହୁ ପୂର୍ବରୁ ଭାରତରେ ମହାକବି କାଳିଦାସ, ଭବଭୂତି, ମାଘ, ଶ୍ରୀହର୍ଷ ପ୍ରଭୃତି ସଂସ୍କୃତ-କାବ୍ୟରଚୟିତା ମାନଙ୍କର ଆବିର୍ଭାବ ଘଟୁଛି । ଜୟଦେବ ହିଁ ଏହି ବଂଶଧାରାର ଶେଷ ଉର୍ଜ୍ଜସ୍ୱଳ ଦୀପଶିଖା ।

 

ଏକାଦଶ ଓ ଦ୍ୱାଦଶ ଶତାଦ୍ଦୀ ସଂସ୍କୃତ ଏବଂ ପ୍ରାକୃତ ବା ଉଡ଼୍ର-ପ୍ରାକୃତ ଭାଷାର ସଂଘର୍ଷକାଳ । ଏହି ବିଷମ ଘଡ଼ିସନ୍ଧିବେଳେ କବି ଜୟଦେବଙ୍କ ଅଭ୍ୟୁଦୟ । ଏହି ବିଚାରରୁ ଗୀତଗୋବିନ୍ଦ ଦ୍ୱିମୁଖୀ ଧାରାର ଏକ ବିରାଟ ସଙ୍ଗମସ୍ଥଳ ।

 

କବି,କଳାକାର ବା ଶିଳ୍ପୀ କାଳର ଗତି ଓ ପ୍ରଭାବରୁ କେହି ମୁକ୍ତ ନୁହନ୍ତି । ଜୟଦେବଙ୍କ ରଚନା ଏଇ ରୀତିରେ କାଳୋଚିତ ହେବା ସ୍ୱାଭାବିକ । ସେ ଅପ୍ରାକୃତ ବା ଅପାର୍ଥିବକୁ ପ୍ରାକୃତ ବା ପାର୍ଥିବ ଅନୁଭୂତିର ରୂପ ଦେଇଛନ୍ତି, ତାଙ୍କର ସ୍ୱଭାବ-କବି ସୁଲଭ ନିପୁଣ ତୂଳିକାରେ ।

 

ସେ ହିଁ ବାସ୍ତବ କବି, ଯେ ଅନୁଭବ କରେ ଜନ-ଜଗତର ଇନ୍ଦ୍ରିୟ ଗୋଚରୀଭୂତ କ୍ଷୁଦ୍ରାଦପି କ୍ଷୁଦ୍ର ତାବତୀୟ ସୌନ୍ଦର୍ଯ୍ୟ-କଳ୍ପନା-ଅନୁଭୂତି ଅତୀନ୍ଦ୍ରିୟତାର ବିରାଟ ବିଗ୍ରହ ସତ୍ତାଠାରୁ ପୃଥକ୍‌ ନୁହେଁ-। କବି ଜୟଦେବଙ୍କ ମାନସୀ ପ୍ରତିମାର କଳ୍ପନା ଗୀତଗୋବିନ୍ଦରେ ଏଇ ରୂପ ରସ ଘେନି ସୁପ୍ରତିଷ୍ଠିତ ।

 

ଜୟଦେବଙ୍କ ପୂର୍ବତନ କବି, କାବ୍ୟକାରମାନଙ୍କ ରଚନାସହିତ ଗୀତଗୋବିନ୍ଦ ସମାସୀନ ବୋଲି କହିହେବ ନାହିଁ । ଏହା ସୁପ୍ରାଚୀନ ସଂସ୍କୃତ-କାବ୍ୟରୀତିର ସଂପୂର୍ଣ୍ଣ ଅନୁଗାମୀ ମଧ୍ୟ ନୁହେଁ । ସେ ପ୍ରାଚୀନ ମୂର୍ତ୍ତିରେ ଅଭିନବ ବନକ ବୋଳି ରୂପ ରଙ୍ଗ ବଦଳାଇଦେଇ ତାହାକୁ ଯୁଗରୁଚିସଂପନ୍ନ କରିଦେଇଛନ୍ତି । ଜୟଦେବ ସଂସ୍କୃତପଣ୍ଡିତ; କିନ୍ତୁ ତାଙ୍କର ପୂର୍ବତନ ପଣ୍ଡିତମାନଙ୍କ ନିର୍ଦ୍ଦେଶିତ ପନ୍ଥାରୁ ସେ ଦୂରେଇ ଯାଇଛନ୍ତି । ତେଣୁ ଜୟଦେବ ଯୁଗାବତାରୀ କବି-ଏହା ଅନସ୍ୱୀକାର୍ଯ୍ୟ ।

 

କଳା କାଳର ନୁହେଁ-କାଳ, କଳାର । ଯୁଗଠାରୁ ଦୂରେଇ ରହି ଯୁଗ-କାବ୍ୟର ରସାସ୍ୱାଦନ ସମ୍ଭବପର ନୁହେଁ । ତେଣୁ ସେଯୁଗର ପରିବେଶ, ଜୀବନ-ଦର୍ଶନ, ଦୃଷ୍ଟିଭଙ୍ଗି, ସାମାଜିକ ସମାଦାର, କାବ୍ୟ-ରଚନାର ପ୍ରେରଣା, କାବ୍ୟକାରର ରସସୃଷ୍ଟି ଇତ୍ୟାଦି ଇତ୍ୟାଦି ସହିତ ସମ୍ୟକ୍‌ ପରିଚୟ ପ୍ରୟୋଜନ ।

 

ରସ ଯୁଗର ନୁହେଁ-ଯୁଗ ଯୁଗର । କବି, କାବ୍ୟକାର ଯୁଗର ରୁଚି ଘେନି କାବ୍ୟ ରଚନା କରନ୍ତି, ସତ୍ୟ; କିନ୍ତୁ ତାଙ୍କର ଅପୂର୍ବ ରସ-ସୃଷ୍ଟି ଯୁଗୋତ୍ତୀର୍ଣ୍ଣ । ତେଣୁ ଜୟଦେବଙ୍କ ରଚନାର ଆସ୍ୱାଦନଲାଗି ସେହି ଯୁଗୀୟ ସଂସ୍କାରସହିତ ଦୃଷ୍ଟି ଓ ମନର ମିଳନ ପ୍ରୟୋଜନ ।

 

କବି ଜୟଦେବଙ୍କ ଦିବ୍ୟ ଦୂରଦୃଷ୍ଟି ସେତେବେଳେ ପାର୍ଥିବ ମର-ମାନବର ପ୍ରୀତିଦର୍ପଣରେ ଅମର୍ତ୍ତ୍ୟ-କଳ୍ପନାସଂଭୂତ ପ୍ରେମମୟ ମୂର୍ତ୍ତିର ଶୁଭସାକ୍ଷାତ ଲାଭ କରିଥିଲା । ଏ ଦର୍ଶନ, ଏ ରସଗ୍ରହଣ କେବଳ ଗୋବିନ୍ଦ-ରସାମୃତପାୟୀ ଭକ୍ତଜନର ନୁହେଁ-କାବ୍ୟରସ ରସିକ ଜନର ପରମ ସମାଦୃତ ମଧ୍ୟ । ଭକ୍ତିସହିତ ପ୍ରୀତିର ରଙ୍ଗ ଓ ରସ, କଳ୍ପନା ଏବଂ ଅନୁଭୂତିର ଏ ଗୋବିନ୍ଦ-ବିଗ୍ରହରେ ଅପ୍ରାକୃତ-ପ୍ରାକୃତର ପ୍ରାଚୁର୍ଯ୍ୟସହିତ ସଂଯମ ଶିଳ୍ପୀର ସୁମଧୁର ସମନ୍ୱୟ ଘଟିଛି । ଆତ୍ମଗତ ସୌନ୍ଦର୍ଯ୍ୟ-ଅନୁଭୂତିସହିତ ପ୍ରୀତିର ମଧୁର ରସ-ରଙ୍ଗ ମିଳନରେ ସ୍ୱର-ଛନ୍ଦର ଲାଳିତ୍ୟ ଏଥିରେ ପ୍ରତିଭାତ । ନାହିଁ ସ୍ୱେଚ୍ଛାଚାର-ନାହିଁ ନିରର୍ଥକ ବାଗାଡ଼ମ୍ବର । କାବ୍ୟବର୍ଣ୍ଣିତ ବିଭାବାଦି ଯୁଗାପେକ୍ଷୀ ଏବଂ ରସମାଧୁର୍ଯ୍ୟ ଯୁଗୋତ୍ତର ।

 

ଦ୍ୱାଦଶ ଶତାଦ୍ଦୀର କଥା ।

 

ଜୟଦେବୀ ରଚନା ଚିରାଚରିତ ପାରମ୍ପରିକ ରୀତିଠାରୁ ପୃଥକ୍‌ । ଏଥିରେ ଏକ ଅଭିନବ ପଦ୍ଧତିର ପ୍ରବର୍ତ୍ତନ ଘଟିଅଛି ।

 

ଗୀତଗୋବିନ୍ଦ ସଙ୍ଗୀତବହୁଳ କାବ୍ୟ । ଗୀତିମାଧୁର୍ଯ୍ୟ ଏହାର ବିଶେଷତ୍ୱ । ସାଧାରଣ ଦୃଷ୍ଟିରୁ ସାର୍ବଜନୀନ ଚିତ୍ତବିନୋଦନନିମିତ୍ତ ଗୀତ ହେଲେ ହେଁ ରସାନୁସାରୀ ରାଗସଂଯୋଜନାରେ ନିପୁଣ-ସଙ୍ଗୀତ-ସାହିତ୍ୟ-ଶିଳ୍ପୀ-ପ୍ରତିଭାର କୁଶଳତାରେ ଏହା ସୁସମୃଦ୍ଧ ।

 

ଗୀତ ରଚନାର କୃତିସହିତ ସୁନିର୍ଦ୍ଦିଷ୍ଟ ଆଖ୍ୟାନ ବସ୍ତୁ-ବର୍ଣ୍ଣନା ଏବଂ ଗୋଟିକପରେ ପରବର୍ତ୍ତୀ ଘଟଣାର ବିଷୟାନୁବୃତ୍ତିଲାଗି ରଚିତ ସଂସ୍କୃତ ଛନ୍ଦାନୁସାରୀ ଶ୍ଳୋକାବଳୀ ଏହାର ଯୋଗସୂତ୍ର । ଏହି ରୀତି ତଦାନୀନ୍ତନ ଯୁଗର ପରମ୍ପରା ।

 

ଏଦିଗରୁ ଜୟଦେବ ସଂସ୍କୃତରେ ଗୀତିକବିତାର ପ୍ରଥମ ପ୍ରବର୍ତ୍ତକ । ଏଥିରେ ସଂସ୍କୃତ-ପରମ୍ପରା-ସମ୍ମତ ଯମକ, ଅନୁପ୍ରାସାଦି ଅଳଙ୍କାର ଓ ଶଦ୍ଦଗୁମ୍ଫନର ଗୌରବ ସର୍ବତୋଭାବେ ସଂରକ୍ଷିତ ହୋଇଥିଲେହେଁ ଗ୍ରନ୍ଥର ‘ମଧୁର-କୋମଳ-କାନ୍ତ-ପଦାବଳୀ’ ରଚନା ସର୍ବସ୍ଥଳରେ ସଂପୂର୍ଣ୍ଣ ସଂସ୍କୃତ ନିୟମ ବା ଭାଷାର ଅନୁସାରୀ ନୁହେଁ । ଏହା ଛଡ଼ା ଭାବ ଓ ରସ-ରୂପ ଉଭୟ ବିଷୟ-ବିଚାରରୁ ଏହା ଯୁଗୋତ୍ତର ଅଭିନବ ପଦ୍ଧତିର ପ୍ରବର୍ତ୍ତନରୂପେ ସ୍ୱୀକାର୍ଯ୍ୟ ।

 

ସଂସ୍କୃତ ଓ ଉଡ୍ର ପ୍ରାକୃତର ଉଦୟାସ୍ତ ସନ୍ଧିକାଳୀନ ରଙ୍ଗ ରବିର ରକ୍ତିମ କିରଣଚ୍ଛଟା ଦ୍ୱାଦଶ ଶତାଦ୍ଦୀ-ବେଳକୁ ଉତ୍କଳ ପ୍ରକୃତିକୁ ଆବୋରି ରହିଥିଲା । ଏହି ଘଡ଼ିସନ୍ଧିକାଳରେ ଘଟିଛି ମହାକବି ଜୟଦେବଙ୍କ ଅଭ୍ୟୁଦୟ । ସଂସ୍କୃତ ତଥା ପ୍ରାକୃତ ଉଭୟ ଭାଷାରେ ଥିଲା ତାଙ୍କର ସମାନ ଅଧିକାର । ତେଣୁ ଏତେ ସୁଲଳିତ ସରଳ ସହଜ ସଂସ୍କୃତ କାବ୍ୟ ରଚନା ତାଙ୍କପକ୍ଷେ ସମ୍ଭବ ହୋଇପାରିଛି । ଶ୍ରୀଗୀତଗୋବିନ୍ଦ ପାଠ କଲେ ଧାରଣା ଜନ୍ମେ ଯେ କାବ୍ୟର ଅର୍ଥଗୌରବ ଛାଏଁ ଛାଏଁ ରଚନାର ସ୍ୱର, ଛନ୍ଦ ଓ ଶଦ୍ଦମାଧୁର୍ଯ୍ୟମଧ୍ୟରେ ସମୁଜ୍ଜ୍ୱଳ । ଏହା ସଙ୍ଗୀତ ଏବଂ ସାହିତ୍ୟର ଅପୂର୍ବ ସଂଗମସ୍ଥଳ ।

 

ଏସମସ୍ତ ସମ୍ଭବ କରିଛି ସଂସ୍କୃତରୀତିର ଛନ୍ଦସହିତ ପ୍ରାକୃତ-ରୀତିର ସ୍ୱରତାଳର ରୁଚିର ସହାବସ୍ଥାନ । ତେଣୁ ସଂସ୍କୃତ-ଛନ୍ଦରେ ରଚିତ ଶ୍ଳୋକଗୁଡ଼ିକ ଭିନ୍ନ ରାଗମୂଳକ ସଂଗୀତଗୁଡ଼ିକ ପଦାବଳୀର ପରମ ସଂପଦ । ଏଗୁଡ଼ିକର ଭାଷା ନାମ ମାତ୍ର ସଂସ୍କୃତ ହେଲେ ମଧ୍ୟ ବାସ୍ତବରେ ଏହାର ଶବ୍ଦଯୋଜନା ଓ ଛନ୍ଦଭଙ୍ଗୀ ସଂସ୍କୃତରୀତି ପରମ୍ପରା ଅପେକ୍ଷା ବରଂ ଅଧିକ ପ୍ରାକୃତମୁଖୀ । ଗୀତ ବା ପଦାବଳୀର ରଚନାରେ ସଂସ୍କୃତ କାବ୍ୟ-ପଦ୍ଧତି ସଂରକ୍ଷିତ ହୋଇଥିଲେ ହେଁ ରଚନା-ରୀତି ସଂସ୍କୃତ କାବ୍ୟର ଅନୁରୂପୀ ନୁହେଁ । ଏଗୁଡ଼ିକରେ ପ୍ରାକୃତ ବା ଦେଶୀ ଗୀତ-ରଚନାରୀତି ଅଧିକାଂଶରେ ଅନୁସୃତ ହୋଇଅଛି । କେହି ଭାଷା-ସ୍ୱର-କୋବିଦ କିଞ୍ଚିତ୍‌ ଶ୍ରମ ସ୍ୱୀକାର କଲେ ପଦାବଳୀର ବହୁ ଶବ୍ଦ ସହଜରେ ଉଡ୍ର ପ୍ରାକୃତରେ ରୂପାନ୍ତରିତ କରିପାରନ୍ତି ।

 

ପ୍ରାଚୀନତମ କାବ୍ୟକାରମାନଙ୍କ ରଚିତ ସଂସ୍କୃତ ଛନ୍ଦରେ ଯତି, ଯମକ, ଅନ୍ତ୍ୟାନୁପ୍ରାସ ପ୍ରକୃତି ବିଦ୍ୟମାନ । କିନ୍ତୁ ପଦାନ୍ତ ଅକ୍ଷରର ମିଳନ-ରୀତି ଦୃଷ୍ଟ ହୁଏ ନାହିଁ । ଏଠାରେ ସଂସ୍କୃତ କାବ୍ୟର ରୀତିଠାରୁ ଶ୍ରୀ ଗୀତଗୋବିନ୍ଦ ପୃଥକ୍‌ । ସଂସ୍କୃତ ଶ୍ଳୋକ ବା କବିତା ସାଧାରଣତଃ ଚତୁଷ୍ପଦୀ-ଭାବ ପ୍ରାୟତଃ l ଏହି ପଦସଂଖ୍ୟା ମଧ୍ୟରେ ସ୍ୱୟଂସଂପୂର୍ଣ୍ଣ ।

 

ଚାରିଚରଣ ବିଶିଷ୍ଟ ଗୋଟିଏ ଶ୍ଳୋକର ଭାବ ବା ଅର୍ଥ ତତ୍‌ପରବର୍ତ୍ତୀ ଶ୍ଳୋକାର୍ଥର ପ୍ରାୟ ଅପେକ୍ଷା କରେ ନାହିଁ । କିନ୍ତୁ ଜୟଦେବୀ ପଦାବଳୀରେ ରଚନାର ଉଦ୍ଦେଶ୍ୟଗତ ଭାବବୋଧଲାଗି ପରବର୍ତ୍ତୀ ଚରଣଗୁଡ଼ିକର ସମଷ୍ଟିଗତ ବିଚାର ଆବଶ୍ୟକ । ତହିଁରେ ପୁଣି ଏଥିରେ ଧ୍ରୁବପଦ ବା ‘ଘୋଷା’ ର ସଂଯୋଜନା ରହିଛି, ଯାହା ଭାବ-ପ୍ରକାଶର ଯୋଗସୂତ୍ର ।

 

ଏହି ରୀତିରେ ଗୀତିକାବ୍ୟ ଗୀତଗୋବିନ୍ଦର ପଦାବଳୀ ସଂସ୍କୃତ-ପରମ୍ପରାକୁ ଏଡ଼ିଦେଇ ଦେଶୀ ପ୍ରାକୃତ ବା ଅପଭ୍ରଂଶ-ରୀତିପ୍ରବର୍ତ୍ତନା ଯୁଗ ସୃଷ୍ଟି କରିପାରିଛି ।

 

ସଂସ୍କୃତ ଭାଷା ଅପେକ୍ଷା ଦେଶୀୟ ଭାଷାପ୍ରତି ସାଧାରଣ ଜନତାର ଆଦର ବଢ଼ୁଥିବା କାଳରେ ଯୁଗପ୍ରବର୍ତ୍ତକ ମହାକବି ଜୟଦେବଙ୍କର ସଂସ୍କୃତ ଏବଂ ଓଡ଼ିଆ ଉଭୟ ଭାଷାର ମଧୁର ସମନ୍ୱୟ ସଂଘଟନର ପ୍ରଚେଷ୍ଟାସ୍ୱରୂପ ଏବଂବିଧ ସାହସିକ ପଦକ୍ଷେପ ଘେନି ଗୀତଗୋବିନ୍ଦ ଗୀତିକାବ୍ୟ-ରଚନା ପରବର୍ତ୍ତୀ ଉତ୍କଳୀୟ ସଂଗୀତ-ପରମ୍ପରାର ମୌଳିକ ପଥପ୍ରଦର୍ଶକ ।

 

ଏକ କଥାରେ କବି ଜୟଦେବ ଦ୍ୱାଦଶ ଶତାବ୍ଦୀର ସର୍ବପ୍ରଥମ ଏବଂ ସର୍ବଶେଷ ବିପ୍ଳବୀ ଗୀତି-କାବ୍ୟକାର ।

 

ସେ ପୂର୍ବାଚାର୍ଯ୍ୟମାନଙ୍କ ସଂସ୍କୃତକାବ୍ୟ-ରଚନାର ଶେଷ ଏବଂ ଗୀତିକାବ୍ୟ-ପ୍ରଚଳନର ପ୍ରଥମ କବି । କେବଳ ସେତିକି ନୁହେଁ, କବିରାଜ ଜୟଦେବ ରାଧା-ଗୋବିନ୍ଦ-ଲୀଳାରସକୁ ଘେନି ଗୋବିନ୍ଦ-ଗୀତି ରଚନା କରି ବୈଷ୍ଣବ-ଧର୍ମରାଜ୍ୟରେ ଏକ ଅଭିନବତ୍ୱ ଆଣିଦେଲେ । ଯାହା ଭକ୍ତିର ପରମ ତତ୍ତ୍ୱରୂପେ ପୁରାଣସମ୍ମାନିତ ଥିଲା, ତାହା ଗୀତ-କାବ୍ୟକାରଙ୍କ ରଚନାଗୌରବରେ ମଦନ-ଧର୍ମ ମହୋତ୍ସବରୂପେ ପ୍ରତିଭାତ ହେଲା ।

 

ମହାକାବ୍ୟ

 

‘‘କେବେଃ କୃତିଃ କାବ୍ୟମ୍ ।’’

 

ଶ୍ରୀଗୀତଗୋବିନ୍ଦ କାବ୍ୟ ନୁହେଁ-ମହାକାବ୍ୟ । ମହାକାବ୍ୟର ଲକ୍ଷଣ ସମ୍ବନ୍ଧେ ସାହିତ୍ୟ-ଦର୍ପଣକାର କହିଛନ୍ତି:-

 

‘‘ସର୍ଗବନ୍ଧୋ ମହାକାବ୍ୟଂ ତତ୍ରୈକୋ ନାୟକଃ ସୁରଃ ।। ୩୧୫ ।।

ସଦ୍‌ବଂଶଃ କ୍ଷତ୍ରିୟୋ ବାପି ଧୀରୋଦାତ୍ତଗୁଣାନ୍ୱିତଃ ।

ଏକବଂଶଭବା ଭୂପାଃ କୁଳଜା ବହବୋଽପି ବା ।। ୩୧୬ ।।

ଶୃଙ୍ଗାର-ବୀର-ଶାନ୍ତାନାମେକୋଽଙ୍ଗୀରସ ଇଷ୍ୟତେ ।

 

ଅଙ୍ଗାନି ସର୍ବୋଽପି ରସାଃ ସର୍ବେ ନାଟକସନ୍ଧୟଃ ।। ୩୧୭ ।।

ଇତିହାସୋଦ୍‌ଭବଂ ବୃତ୍ତମନ୍ୟଦ୍‌ବା ସଜ୍ଜନାଶ୍ରୟମ୍ ।

ଚତ୍ୱାରସ୍ତସ୍ୟ ବର୍ଗାଃ ସ୍ୟୁସ୍ତେଷ୍ୱେକଂ ଚ ଫଳଂ ଭବେତ୍‌ ।। ୩୧୮ ।।

ଆଦୌ ନମସ୍କ୍ରିୟାଶୀର୍ବା ବସ୍ତୁନିର୍ଦ୍ଦେଶ ଏବ ବା ।

 

କ୍ୱଚିନ୍ନିନ୍ଦା ଖଳାଦୀନାଂ ସତାଂ ଚ ଗୁଣକୀର୍ତ୍ତନମ୍ ।। ୩୧୯ ।।

ଏକବୃତ୍ତମୟୈଃ ପଦୈରବସାନେଽନ୍ୟ ବୃତ୍ତକୈଃ ।

ନାତିସ୍ୱଳ୍ପାଃ ନାତିଦୀର୍ଘାଃ ସର୍ଗା ଅଷ୍ଟାଧିକା ଇହ ।। ୩୨୦ ।।

ନାନାବୃତ୍ତମୟଃ କ୍ୱାପି ସର୍ଗଃ କଶ୍ଚନ ଦୃଶ୍ୟତେ ।

 

ସର୍ଗାନ୍ତେ ଭାବିସର୍ଗସ୍ୟ କଥାୟା ସୂଚନଂ ଭବେତ୍ ।। ୩୨୧ ।।

ସନ୍ଧ୍ୟାସୂର୍ଯ୍ୟେନ୍ଦୂ ରଜନୀପ୍ରଦୋଷଧ୍ୱାନ୍ତବାସରାଃ ।

ପ୍ରାତର୍ମଧ୍ୟାହ୍ନ ମୃଗୟାଶୈଳର୍ତୁ ବନସାଗରଃ ।। ୩୨୨ ।।

ସଂଭୋଗବିପ୍ରଲମ୍ଭୌ ଚ ମୁନିସ୍ୱର୍ଗପୁରାଧ୍ୱରାଃ ।

 

ରଣପ୍ରୟାଣୋପୟମମନ୍ତ୍ରପୁତ୍ରୋଦୟାଦୟଃ ।। ୩୨୩ ।।

ବର୍ଣ୍ଣନୀୟା ଯଥାଯୋଗଂ ସାଂଗୋପାଙ୍ଗା ଅମୀ ଇହ ।

କବେର୍ପୁତ୍ରସ୍ୟ ବା ନାମ୍ନା ନାୟକସ୍ୟେତରସ୍ୟ ବା ।। ୩୨୪ ।।

X      X      X      X      X      X

 

ଏହି ନିର୍ଦ୍ଦେଶରେ ବିଚାର କରିବାକୁ ଯାଇ ଦେଖାଯାଏ ଯେ:-

ସର୍ଗବନ୍ଧ-ଶ୍ରୀଗୀତଗୋବିନ୍ଦରେ ସର୍ଗ-ନିବନ୍ଧନ ରହିଛି ଏବଂ ତାହା ଆଠ ସଂଖ୍ୟାରୁ ଅଧିକ-। ଗ୍ରନ୍ଥଟି ଦ୍ୱାଦଶ ସର୍ଗରେ ସଂପୂର୍ଣ୍ଣ ।

 

ବସ୍ତୁନିର୍ଦ୍ଦେଶ-ପ୍ରାରମ୍ଭରେ ନମସ୍କାର ବା ଆଶୀର୍ବାଦାତ୍ମକ ରଚନା ନ ଥିଲେ ହେଁ ବସ୍ତୁନିର୍ଦ୍ଦେଶନା ସ୍ପଷ୍ଟ ।

 

ପ୍ରଥମ ଶ୍ଳୋକର ଚରଣରେ-

 

‘‘ଇତ୍‌ଥଂ ନନ୍ଦନିଦେଶତଃ ଚଳିତୟୋ...’’ ଇତ୍ୟାଦି ପାଠ ବସ୍ତୁ ନିର୍ଦ୍ଦେଶ ।

 

ମାଘ-କାବ୍ୟରେ ମଧ୍ୟ ଏହିପରି ଶ୍ରୀକୃଷ୍ଣ ନାରଦଙ୍କୁ ସ୍ୱର୍ଗରୁ ଓହ୍ଲାଉ-ଥିବା ଦେଖିବାର ବର୍ଣ୍ଣନା ରହିଛି । ଏହା ବସ୍ତୁନିର୍ଦ୍ଦେଶ ଅଟେ; ଯଥା:-

 

‘‘ଶ୍ରିୟଃ ପତିଃ ଶ୍ରୀମତୀ ଶାସିତୁଂ ଜଗତ୍

ଜଗନ୍ନି ବାସୋ ବସୁଦେବଃ ସଦ୍ମନି ।

ବସନ୍ ଦଦର୍ଶାବତରନ୍ତ ସମ୍ବରାଦ୍

ହିରଣ୍ୟଗର୍ଭାଙ୍ଗ ଭୁବଂ ମୁନିଂ ହରିଃ ।’’

 

ପୁନଶ୍ଚ-

‘ମହାକାବ୍ୟ’-ଗୁଣସଂବନ୍ଧେ ‘ସର୍ବ୍ବାଙ୍ଗ ସୁନ୍ଦରୀ’ ନାମକ ଶ୍ରୀଗୀତଗୋବିନ୍ଦର ଟୀକାରେ କବିରାଜ ନାରାୟଣ ଦାଶ (Orissa State Museum-Manuscript) ଲେଖିଛନ୍ତି-

 

‘‘X X X ମହାକାବ୍ୟୋପକ୍ରମେ ଆଶୀର୍ନମସ୍କ୍ରିୟାବସ୍ତୁନିର୍ଦ୍ଦେଶୋ ବା ତ୍ରିୟତେ ଇତି କବିସଂପ୍ରଦାୟଃ । ତ୍ରିବିଧମଙ୍ଗଳ ନିରୂପଣଂ ତତଃ ପ୍ରାୟ ଈପ୍‌ସିତଃ ଗ୍ରନ୍ଥସ୍ୟ ନିର୍ବିଘ୍ନେ ପରିସମାପ୍ତେଃ ପ୍ରଚ୍ଚୟପରିପନ୍ଥି-କଳୁଷନିବୃତ୍ତୟେ ଚ ଶ୍ରୀକୃଷ୍ଣାଖ୍ୟଂ ବସ୍ତୁନିର୍ଦ୍ଦେଶଲକ୍ଷଣମ୍ ।

 

ସର୍ଗବନ୍ଧୋ ମହାକାବ୍ୟେ ମୁଚ୍ୟତେ ତସ୍ୟ ଲକ୍ଷଣମ୍

‘‘ଆଶୀର୍ନମସ୍କ୍ରିୟାବସ୍ତୁନିର୍ଦ୍ଦେଶୋ ବାପିତନ୍ମୁ ଖମ୍ ।।’’

                        -ଇତି କାବ୍ୟାଦର୍ଶେ ।

 

ଅତଏବ ଜୟଦେବୋଽପି ତଥୈବ ନିବଦ୍ଧଂ ବିଧିତ୍ସୁ ଗୁହ-

‘‘ମେଘୈର୍ମେଦୂରମ୍ବରଂ...            ...ରହଃ କେଳୟଃ ।। ’’

 

ପକ୍ଷତ୍ରୟମତ୍ର ସଂଭାବ୍ୟତେ । ତତ୍ର ଜୟତୀତି ପଦୋପନ୍ୟାସାତ୍‌ ଆଶୀର୍ଜ୍ଞେୟା । ଲୋଟୋ ବିଧାନାତ୍‌ । ଜୟତୀତ୍ୟନେନ ଚ ନମସ୍କାର ଆକ୍ଷିପ୍ୟତେ । ଇତି କାବ୍ୟପ୍ରକାଶୋକ୍ତେର୍ନମସ୍କ୍ରିୟା । ଅତ୍ର ଗ୍ରନ୍ଥେ ବିଷ୍ଣୁରେବ ନାୟକ ଉପଲକ୍ଷ୍ୟତେ । ପ୍ରାଗୁପନ୍ୟାସାତ୍‌ । ଯସ୍ତୁ ନିର୍ଦ୍ଦେଶାତ୍ ପ୍ରତିପଷୟୋ ପ୍ରତିପାଦିତଂ ।’’

 

୰ ପିଣ୍ଡିକ ଶ୍ରୀଚନ୍ଦନଙ୍କ ବସନ୍ତ ରାସ ଏକାଧାରରେ ଶ୍ରୀଗୀତ-ଗୋବିନ୍ଦର ଅପୂର୍ବ ଅନୁସରଣ ଏବଂ ଅନୁବାଦ । ସେ ଗୀତଗୋବିନ୍ଦର ପ୍ରଥମ ଶ୍ଳୋକ ସମ୍ବନ୍ଧେ ଲେଖିଛନ୍ତି:-

 

‘‘ମଙ୍ଗଳା ଚରଣେ ହୁଏ ତ୍ରିବିଧ ପ୍ରମାଣ

ନମସ୍କାର ଆଶୀର୍ବାଦ ବସ୍ତୁ ନିବେଦନ ହେ ।

ସମର୍ଥ ଶ୍ରୀଜୟଦେବ ସକଲି ବର୍ଣ୍ଣିଛେ,

ନମସ୍କାର ଆଶୀର୍ବାଦ ଗ୍ରନ୍ଥସୂତ୍ରେ ଆଛେ ହେ ।।’’

 

କଳେବର-ଅତ୍ୟଧିକ ବା ଅତ୍ୟଳ୍ପ ନୁହେଁ-। ଆଠଗୋଟି ସର୍ଗରୁ ଅଧିକ ଅର୍ଥାତ୍ ଦ୍ୱାଦଶ ସର୍ଗରେ କାବ୍ୟଟି ସମ୍ପୂର୍ଣ୍ଣ ହୋଇଅଛି । ପ୍ରତି ସର୍ଗାରମ୍ଭ ପୂର୍ବରୁ ବିଷୟ ବସ୍ତୁର ସୂଚନା ଦିଆଯାଇଅଛି-

 

ପ୍ରକୃତି ଓ କାଳର ବର୍ଣ୍ଣନାରେ କାବ୍ୟଟି ମନୋଜ୍ଞ । ଏହିପରି ନାନାଦିଗ ବିଚାରରୁ ଗୀତଗୋବିନ୍ଦର ମହାକାବ୍ୟ ଆଖ୍ୟା ସାର୍ଥକ । ରସାତ୍ମକ କାବ୍ୟରୂପେ ଶ୍ରୀଗୀତଗୋବିନ୍ଦର ସମତୁଲ ରଚନା ଦୁର୍ଲ୍ଲଭ । କଳ୍ପଣା ରସରଞ୍ଜିତ ହୋଇ ଜୀବନ ଓ ବିଶ୍ୱ ପ୍ରକୃତିର ଗଭୀରତତ୍ତ୍ୱ ଏବଂ ନିଖିଳ ସୌନ୍ଦର୍ଯ୍ୟର ଅପୂର୍ବ ପ୍ରକାଶ ଘେନି କାବ୍ୟ ସୌଷ୍ଠବାନ୍ୱିତ ହେଲେ ଜନମନର ପ୍ରୀତିଦାୟକ ହୋଇଥାଏ । ସାଧାରଣ ଆନନ୍ଦ ବିତରଣ ସଙ୍ଗେ ସଙ୍ଗେ ଆତ୍ମପ୍ରକାଶ ହିଁ କାବ୍ୟର ମହତ୍ତ୍ୱ । କାବ୍ୟ ରସାସ୍ୱାଦନ କାଳରେ କାବ୍ୟେତର ବସ୍ତୁଜ୍ଞାନ ସହୃଦୟଙ୍କର ରହିପାରେ ନାହିଁ । ଏହି ମହତ୍ତ୍ୱ ଗୀତାଗୋବିନ୍ଦରେ ନିହିତ ।

 

କବି ଜୟଦେବ ତାଙ୍କ ମହାକାବ୍ୟରେ କେତେବେଳେ ତାଙ୍କର ଅନ୍ତର୍ନିହିତ ପୁରୁଷକୁ ପ୍ରକାଶ କରିଛନ୍ତି, ପୁଣି କେତେବେଳେ ଆତ୍ମାନୁ-ଭୂତ ରଙ୍ଗରସ ଘେନି ଅନନ୍ତର ରୂପ, ରସ-ଗନ୍ଧ ଗୌରବର ସାର୍ଥକ-ପ୍ରକାଶରେ ସହୃଦୟକୁ ପୁଲକ ବିତରଣ କରି, ଜାତିସ୍ମର ।

 

ଗୀତଗୋବିନ୍ଦର ରସସୃଷ୍ଟି ଅପୂର୍ବ । ରସ ସାଧାରଣ ଉଚ୍ଛ୍ୱାସ (Emotion) ବୁଝାଏ ନାହିଁ । ଶିଳ୍ପର କୃତି-ପ୍ରତିଷ୍ଠା ଦ୍ୱାରା ଅଭିବ୍ୟକ୍ତ ଭାବକୁ କୁହାଯାଇଥାଏ-ରସ । ବିଭାବ, ଅନୁଭାବ ଏବଂ ବ୍ୟଭିଚାରୀ ସମୂହର ପାରସ୍ପରିକ ପୋଷକତାର ଯେତେବେଳେ ସମ୍ମେଳନ ଘଟେ, ସେତିକିବେଳେ ହୁଏ ରସୋତ୍ପତ୍ତି ।

 

ଔଚିତ୍ୟ ବିଚାର କାବ୍ୟର ପ୍ରଧାନ ଅଙ୍ଗ । ଭାମହ, ଦଣ୍ଡୀ, ବାମନ କ୍ଷେମେନ୍ଦ୍ର ଓ କୁମ୍ଭକ ପ୍ରଭୃତି ପ୍ରାଚୀନ ପ୍ରଥିତ ନାମା କାବ୍ୟଧର୍ମ-ନର୍ଦ୍ଦେଶକମାନେ ଔଚିତ୍ୟକୁ କାବ୍ୟର ପ୍ରଧାନ ଗୁଣରୂପେ ସମସ୍ୱରରେ ଘୋଷଣା କରି ଯାଇଅଛନ୍ତି ।

 

ଭାମହ କହନ୍ତି:-

‘‘ମାଳାକାରୋ ରଚୟତି ଯଥା ସାଧୁବିଜ୍ଞାୟ ମାଳାମ୍‌ ।

ଯୋଜ୍ୟଂ କାବ୍ୟେତ୍ୱବହିତଧିୟା-ତଦ୍‌ବୋଧେ ବାଭିଧାନମ୍ ।।’’

 

-ନିପୁଣ ଚିତ୍ରକରର ଚିତ୍ରରେ ବିଚିତ୍ର ବର୍ଣ୍ଣ ମିଳନ (Colour Combination) କଲା ଭଳି କେଉଁ ବର୍ଣ୍ଣସହିତ କେଉଁ ବର୍ଣ୍ଣର ମିଳନ ବା କେଉଁ ଶବ୍ଦ ସହ କେଉଁ ଶବ୍ଦର ଯୋଜନା ଆନନ୍ଦପ୍ରଦ, ସୁଖଶ୍ରାବ୍ୟ ଏବଂ ଭାବ ଓ ରସ ପ୍ରସାରକ ହୋଇପାରେ, ତାହାର ଯଥା ବିବେଚନା ଗୀତଗୋବିନ୍ଦରେ ସୁଚାରୁ ପ୍ରତିଭାତ ।

 

ଆହ୍ଲାଦ ସହିତ ଚମତ୍କାରିତା ଗୁଣ, ନବଘନ ଅଙ୍କଲୀଳାୟୀତା କ୍ଷଣପ୍ରଭା-ବିଦ୍ୟୁଲ୍ଲତାର ‘ଚଞ୍ଚଳା’ ଆଖ୍ୟାକୁ ସତେ ଯେପରି ଅଚଳା ଅଭିଧାରେ ଗୀତଗୋବିନ୍ଦର କାବ୍ୟ ସଂପୁଟରେ ଚିରବନ୍ଦିନୀ କରି ରଖି-ଦେଇଛନ୍ତି ଭକ୍ତକବି ଜୟଦେବ ।

 

ତେଣୁ ତାହା ମୂର୍ଖ-ପଣ୍ଡିତ ନିର୍ବିଶେଷରେ ସମାନ ଭାବେ ସମାଦୃତ ହୋଇ, ଅଜରତ୍ୱ-ଅମରତ୍ୱ ଲାଭ କରି ମହାକାବ୍ୟ ଗୌରବରେ ସମ୍ମାନିତ ।

 

ପ୍ରସଙ୍ଗ କ୍ରମେ ଆଉ ପଦେ ଅଦେ ଅଧେ କୁହାଯାଇ ପାରେ ଯେ, ମହାକାବ୍ୟର ସର୍ବଲକ୍ଷଣ ସଂପନ୍ନ ଶ୍ରୀ ଗୀତଗୋବିନ୍ଦ ଆଉ ଯେଉଁ ଅଧିକ ଗୁଣାନ୍ୱିତ ହୋଇଥିବା ହେତୁ ବିଶେଷ ଭାବରେ ସମାଦୃତ ଏବଂ ଚିର ସ୍ମରଣୀୟ ତାହା ଏହାର ସଙ୍ଗୀତ ବୈଭବ । ତେଣୁ ଗୀତଗୋବିନ୍ଦକୁ ଗୀତି-ମହାକାବ୍ୟ କହିବାରେ ଅସମୀଚୀନତା ନାହିଁ ।

 

ଅତଏବ ପଦଗତ, ବାକ୍ୟଗତ ତଥା ବାକ୍ୟାର୍ଥଗତ ବା ରସଗତ ଦୋଷ ବର୍ଜ୍ଜିତ ଗୀତି-ମହାକାବ୍ୟ ଶ୍ରୀ ଗୀତଗୋବିନ୍ଦ ।

 

ଶବ୍ଦ ଏବଂ ଅର୍ଥ-ଏ ଦୁହେଁ କାବ୍ୟର ଶରୀର । ରସ ଏହାର ପ୍ରାଣ । ତେଣୁ କୁହାଯାଇଅଛି:-

 

‘‘ରସାଦ୍ୟାଧିଷ୍ଠିତଂ କାବ୍ୟଂ ଜୀବଦ୍ରୂପତୟା ଯତଃ,

କଥ୍ୟତେ ତଦ୍ରସାଦୀନାଂ କାବ୍ୟାତ୍ମତ୍ୱଂ ବ୍ୟବସ୍ଥିତମ୍ ।’’

                        (ଉଦ୍‌ଭଟ)

 

ରସର ବର୍ତ୍ତମାନତା ଘେନି କାବ୍ୟକୁ ଜୀବିତ ବୋଲାଯାଏ । ଏହାହିଁ କାବ୍ୟର ଆତ୍ମା;-ଯାହା ଶ୍ରୀ ଗୀତଗୋବିନ୍ଦରେ ଚିର ଜାଗ୍ରତ ।

 

ଗୀତଗୋବିନ୍ଦ ମହାକାବ୍ୟରେ ଜୟଦେବ ଏକଧାରରେ କବି ଓ ସଂଗୀତଜ୍ଞ ଥିଲେ । ଏଥିରେ ସନ୍ଦେହ ନାହିଁ । ସେ ପ୍ରଥମେ ସଂଗୀତଜ୍ଞ-ପରେ କବି । ତେଣୁ ଧ୍ୱନିତତ୍ୱର ସର୍ବାଧିକାରୀ ରୂପେ ବନ୍ଦନୀୟ ।

 

ସଂଗୀତଜ୍ଞ ପୁଣି ସୁଗାୟକ-କବିଙ୍କ ଗୀତ ରଚନାହିଁ ସାର୍ଥକ ସଂଗୀତ-ରଚନା । ଅନ୍ୟଥା ତାହା କବିତା ବୋଲାଇ ପାରେ କିନ୍ତୁ ଗୀତ-ଗୁଣ ସଂପନ୍ନ ହେବାରେ ସେ ରଚନାରେ ଅନେକ କ୍ଷେତ୍ରରେ ନାନା ଅସୁବିଧା ଉପୁଜେ । ଗୀତ, ଗାୟନ ଏବଂ କବିତା, ଆବୃତ୍ତି ଲାଗି ଅଭିପ୍ରେତ । କବିରାଜ ଜୟଦେବ ଯେ ବୈଷ୍ଣବ ମହାକବି ଏବଂ ସୁଗାୟକ ଏ କଥାରେ ସନ୍ଦେହ ନାହିଁ । ଗ୍ରନ୍ଥର ନାମ ‘ଗୀତଗୋବିନ୍ଦ’ । ଗୋବିନ୍ଦ ଚରିତ ରସବର୍ଣ୍ଣନା ସହିତ ‘ଗୀତ’ ଶବ୍ଦର ସଂଯୋଗ ଏବଂ ଗୀତଗୁଣ-ସମୃଦ୍ଧ ସରସ ସୁନ୍ଦର ରଚନାବଳିର ସର୍ବଜନ ପ୍ରିୟତା ଏହାର ପ୍ରକୃଷ୍ଟ ପ୍ରମାଣ । ଏହି ଦୃଷ୍ଟିରୁ ଗୀତ-ଗୋବିନ୍ଦ ମହାକାବ୍ୟକୁ ଗୀତି-କବିତା ମଧ୍ୟ କୁହାଯାଇ ପାରେ । ଓଡ଼ିଶାରେ କାବ୍ୟର ସୃଷ୍ଟି ଘଟିଛି ଗୀତି-କବିତା ବା ଗୀତି-କାବ୍ୟରୁ । ଏ ପରମ୍ପରା ପ୍ରମାଣ ‘ଚର୍ଯ୍ୟାପଦ’ ଓ ତହିଁପରେ ଗୀତଗୋବିନ୍ଦ ।

 

କବିତା ଦିଗରୁ ଦେଖିବାକୁ, ଗଲେ ରଚନାର ଶବ୍ଦ ଗୁମ୍ପନ ବିଚିତ୍ରତାରେ ଏହା ଯେପରି ଋଦ୍ଧିମନ୍ତ, ସଂଗୀତ ପକ୍ଷରୁ ବିଚାରିଲେ ସେହିପରି ଧ୍ୱନି ସଂପଦରେ ମାଧୁର୍ଯ୍ୟପୂର୍ଣ୍ଣ ।

 

ଯୁଗଯୁଗାବଧି ଉତ୍କଳବାସୀଙ୍କର ସ୍ମୃତୀ ପଟରେ ତାଙ୍କ ଘରର ଗୀତଗୋବିନ୍ଦ ଅପାଶୋରା ହୋଇ ରହିବାର ମୁଖ୍ୟ କାରଣ ହେଉଛି ଯେ-ଏହାର ସରସ ସଙ୍ଗୀତ ମଧୁରେ ଏ ଜାତି ଏକାନ୍ତ ମତୁଆଳ । ଏଠାରେ ମହାକାବ୍ୟ ଗୀତଗୋବିନ୍ଦର ଗୀତି-କାବ୍ୟ ଆଖ୍ୟା ଏକାନ୍ତ ସାର୍ଥକ ।

 

Unknown

ଶୃଙ୍ଗାରୀ ରଚନା

 

ଭାରତୀୟ ବହୁ କାବ୍ୟ-କବିତା ରଚନା ଯେ ଶୃଙ୍ଗାର ରସ ସହିତ ଓତପ୍ରୋତ ଭାବେ ବିଜଡ଼ିତ, ଏହାର ପ୍ରମାଣ ଅଭାବ ନାହିଁ । ଅଷ୍ଟମ ଶତାବ୍ଦୀରେ ମଧ୍ୟ ଏହି ରୀତି ପ୍ରଚଳନ ଥିବାର ଦେଖାଯାଏ । ପ୍ରାଚୀନ କାବ୍ୟ-ସାହିତ୍ୟ ରଚନାରେ ରସତତ୍ତ୍ୱ ସହିତ ଅଙ୍ଗାଙ୍ଗିଭାବରେ ଜଡ଼ିତ ହୋଇରହିଛି ଦର୍ଶନ ଏବଂ ଅଳଙ୍କାର ଧାରା । ସ୍ଥୂଳତଃ କହିବାକୁ ଗଲେ ସାହିତ୍ୟ, ଦର୍ଶନ ଏବଂ ଅଳଙ୍କାରର ଏକ ମଧୁର ତ୍ରିବେଣୀ ସଙ୍ଗମ ହେଲା ଭାରତୀୟ କାବ୍ୟର ପରମ୍ପରା ‘ସଂସ୍କୃତି’ । ପ୍ରାଚୀନ ଅଳଙ୍କାରିକ ଭୋଜଦେବ କହନ୍ତି ଶୃଙ୍ଗାର ହିଁ ଏକମାତ୍ର ରସ । ତାଙ୍କ କଥାରେ-

 

‘ଶୃଙ୍ଗାରବୀରକରୁଣାଦ୍‌ଭୂତରୌଦ୍ରହାସ୍ୟ,

ଦୀଭତ୍ସବତ୍ସଲ ଭୟାନକଶାନ୍ତନାମ୍ନଃ ।

ଅମ୍ନାସିଷ୍ଣୁ ଦଶରସାନ୍‌ ସୁଧିୟୋବୟଂତୁ,

ଶୃଙ୍ଗାରମେବ ରସନାଦ୍ ରସମାମନାମଃ ।’’

 

‘‘ଶୃଙ୍ଗାର, ବୀର, କରୁଣ, ଅଦ୍‌ଭୂତ, ରୌଦ୍ରହାସ୍ୟ, ବୀଭତ୍ସ, ବାତ୍ସଲ୍ୟ, ଭୟାନକ ଓ ଶାନ୍ତ-ସୁଧୀଜନ ଏହିପରି ଦଶରସ ଗଣନା କରନ୍ତି । କିନ୍ତୁ ଆମ୍ଭେମାନେ ଶୃଙ୍ଗାରକୁ ହିଁ ଏକମାତ୍ର ରସ ବୋଲି ସ୍ୱୀକାର କରୁ ।’’

 

‘‘ସ ଶୃଙ୍ଗାରଃ ସୋଽଭିମାନଃ ସ ରସଃ ।’’

ଏହାକୁ ହିଁ ଶୃଙ୍ଗାର, ଅଭିମାନ ବା ରସ ବୋଲାଯାଏ ।

 

‘‘ଶୃଙ୍ଗାରୋହି ନାମ-ଆତ୍ମାନୋଽହଂକାର ବିଶେଷଃ ।’’

-ଆତ୍ମାର ଅଂହକାର ବିଶେଷ ହିଁ ଶୃଙ୍ଗାର ।

‘‘ନ ରତ୍ୟାଦିଭୂମା ରସଃ । କିଂ ତର୍ହି ? ଶୃଙ୍ଗାରଃ ।

 

ରତ୍ୟାଦିନାମୟମେବ ପ୍ରଭାବ ଇତି । ଶୃଙ୍ଗାରିଣୋହି ରତ୍ୟାଦୟୋ ଜାୟନ୍ତେ, ନ ଅଶୃଙ୍ଗାରିଣଃ । ଶୃଙ୍ଗାରୀ ହି ରମତେ, ସ୍ମୟତେ, ଉତ୍‌ସହତେ, ସ୍ନିହ୍ୟତୀତି ’’

 

‘‘ରତ୍ୟାଦି ଭୂମିରେ ରସ ନାହିଁ । ରସ ହେଲା ଶୃଙ୍ଗାର । ରତ୍ୟାଦି ଶୃଙ୍ଗାର ପ୍ରଭାବ । ଶୃଙ୍ଗାରୀ (ଅହଂକାରୀ) ଠାରେ ରତ୍ୟାଦି ସମ୍ଭବ । ଅଶୃଙ୍ଗାରୀ ପକ୍ଷେ ଏହାର ଅନୁଭବ ସମ୍ଭବ ନୁହେଁ-। ଶୃଙ୍ଗାରୀହିଁ ରମଣ କରେ, ହାସ୍ୟ କରେ, ଉତ୍ସାହିତ ହୁଏ ଏବଂ ସ୍ନେହଶୀଳ ହୁଏ ।’’

 

ମହାମୁନି ଭରତ କହନ୍ତି:-

‘‘ଶୃଙ୍ଗାରୋନାମ ରତଃ ସ୍ଥାୟି ଭାବ ପ୍ରଭାବ ଉଜ୍ୱଳବେଶାତ୍ମକଃ ।’’

 

-ରତି ଶବ୍ଦ ବିଶ୍ଳଷଣ କରି ଟୀକାକାର ଅଭିନବ ଗୁପ୍ତ କହିଛନ୍ତ:-

 

‘‘ସ୍ତ୍ରୀ ପୁରୁଷଙ୍କର ପରସ୍ପର ଅଭିଳାଷ ରୂପ କାମ ପ୍ରବୃତିକୁ ହିଁ ଶୃଙ୍ଗାର ବା ରତି କୁହାଯାଏ-। ଏହା ଶୃଙ୍ଗାରର ସ୍ଥାୟୀଭାବ ।

 

‘‘ଏକୈବ ହ୍ୟସୌ ତାବତୀରତିଃ ଯନ୍ତ୍ର ଅନ୍ୟୋନ୍ୟସଂବିଦୈକ ବିୟୋଗ ନ ଭବତି ।’’

 

ଅର୍ଥାତ୍:-

ଏହା ପରସ୍ପର ଜ୍ଞାନ, ଚିନ୍ତା, ଧ୍ୟାନ ବା ସମାଧି ରୂପେ ପରସ୍ପରର ଅବସ୍ଥିତି । ବାହ୍ୟିକ ମିଳନର ଇଚ୍ଛା ରତି ନୁହେଁ ।

 

ଉଜ୍ଜଳ ବେଶାତ୍ମକ-ଉଜ୍ଜଳ ଶବ୍ଦର ଅର୍ଥ ପରସ୍ପରର ସାନିଧ୍ୟ-ଜନିତ ମଧୁର ଆସ୍ୱାଦ । ବେଶ ଶବ୍ଦର ଅର୍ଥ ବ୍ୟାପ୍ତି,-ପରସ୍ପର ମଧ୍ୟରେ ସନ୍ନିକର୍ଷର ପରିବ୍ୟାପ୍ତି ।

 

ଶୃଙ୍ଗାରହିଁ ଏକମାତ୍ର ରସ । ତେଣୁ ପ୍ରାଚୀନମାନେ କହିଛନ୍ତି, ‘‘ଶୃଙ୍ଗାରୀ ଚେତ୍ କବିଃ’’ । ଶୃଙ୍ଗାର ରସର ଅନ୍ୟନାମ ‘ଉଜ୍ଜଳ’ ରସ, -ଯାହା ବୋଲାଏ ‘ପ୍ରେମ’ ।

 

‘‘ସର୍ବଥା ଧ୍ୱଂସରହିତଂ ସତ୍ୟପି ଧ୍ୱଂସ କାରଣେ’’

ଯଦ୍‌ଭାବ ବନ୍ଧନଂଯୂନୋଃ ସ ପ୍ରେମା ପରକୀର୍ତ୍ତିତଃ

(ଉ: ନୀ:)

 

ଧ୍ୱଂସ ହେବାର କାରଣ ବର୍ତ୍ତମାନ ଥିବା ସତ୍ତ୍ୱେ ପ୍ରେମ ସର୍ବଥା ଧ୍ୱଂସ ରହିତ । ରତି ଦୃଢ଼ ବା ପୌଢ଼ ହେଲେ ତାହା ପ୍ରେମ ବୋଲାଏ ।

 

‘‘ସ୍ୟାଦ୍ଦୃ ଢ଼େୟଂ ରତିଃ ପ୍ରେମାପ୍ରୋଦ୍ୟନ୍‌ ସ୍ନେହଃ କ୍ରମାଦୟନ’’

(ଉଜ୍ଜଳନୀଳମଣି)

 

କୃଷ୍ଣେନ୍ଦ୍ରିୟ ପ୍ରୀତିଇଚ୍ଛାର ନାମ ପ୍ରେମ । ପ୍ରୀତିର କାର୍ଯ୍ୟ କଅଣ ? ପ୍ରୀତି ସଂନ୍ଦର୍ଭରେ କୁହାଯାଇଅଛି:-

‘‘ପ୍ରୀତିଽ ଖଳୁ ଭକ୍ତଚିତ୍ତମୁଲ୍ଲାସୟତି,

 

ମମତାୟା ଯୋଜୟତି, ବିସ୍ରମ୍ଭୟତି ପ୍ରିୟତ୍ୱାତିଶୟନୋଭିନୟତି, ଦ୍ରାବୟତି, ସ୍ୱବିଷୟଂ ପ୍ରତ୍ୟାଭିଳାଷାତିଶୟେନ ଯୋଜୟତି, ପ୍ରତିକ୍ଷଣମେବ ସ୍ୱବିଷୟଂ ନବନବତ୍ୱୋନାନୁଭାବୟତି, ଅସମୋର୍ଦ୍ଧ୍ୱ ଚମତ୍କାରେଣୋନ୍ମାଦୟତି ।।

 

ପ୍ରୀତି ଭକ୍ତଚିତ୍ତରେ ବିବିଧ କ୍ରିୟାର ରୂପଗ୍ରହଣ କରେ, ଆଶ୍ୱାସନା ଦିଏ, ଚିତ୍ତକୁ ଉଲ୍ଲସାଏ, ମମତାଯୁକ୍ତ କରେ, ଗାଢ଼ ପ୍ରିୟଭାବ ଘେନି ଅଭିମାନୀ କରାଏ, ଚିତ୍ତ ଦ୍ରବ କରାଏ, ପ୍ରତ୍ୟାଭିଳାଷଦ୍ୱାରା ସ୍ୱବିଷୟ ସଂଯୁକ୍ତ କରାଏ, କ୍ଷଣ କ୍ଷଣ ନବନବତ୍ୱ ପ୍ରକାଶଦ୍ୱାରା ସ୍ୱବିଷୟକୁ ଅନୁଭବ କରାଏ, ପୁଣି ଅସମୋର୍ଦ୍ଧ୍ୱ ଚମତ୍କାରିତା ଦ୍ୱାରା ଉନ୍ମାଦ କରାଏ ।

‘‘ତତ୍ରୋଲ୍ଲାସ ମାତ୍ରାଧିକ୍ୟବ୍ୟଞ୍ଜକା ପ୍ରୀତିଃ ରତି ।

 

ଅତିମାତ୍ରାରେ ଉଲ୍ଲାସ ବ୍ୟଞ୍ଜକ ପ୍ରୀତି ହିଁ ‘ରତି’ ଆଖ୍ୟା ଧରେ । ରତି ଏବଂ ପ୍ରୀତିର ସମ୍ବନ୍ଧ ଅଭେଦ୍ୟ । ସାମନ୍ତ ସିଂହାରଙ୍କ ଭାଷାରେ:-

‘‘ରତି ସଙ୍ଗୀ ପ୍ରୀତି

ପ୍ରୀତି ନ ଥିଲେ ନ ଶୋଭଇ ରତି ।।

ପୁଣି,- (ବି. ଚି.)

 

‘‘ନାରୀରେ ନାରୀ ପୁରୁଷେ ପୁରୁଷ

ରତିହୀନେ ପ୍ରୀତି ଦିଶେ ନିରସ ।

ନାରୀ ପୁରୁଷେ ରତି ପ୍ରୀତି ଜାତ

ସ୍ୱାଦୁ ସମ୍ବନ୍ଧ ମଧୁର ଆଖ୍ୟାତ

ଦୁଇ ମତ ସେହି

ସ୍ୱକୀୟ ପରକୀୟ ଭେଦ ତହିଁ ।।’’

 

ପ୍ରୀତିରୁ ରତି, ରତିରୁ ପ୍ରେମ, ପ୍ରେମରୁ ପ୍ରଣୟ, ପ୍ରଣୟରୁ ଘଟେ ମାନ ଏବଂ ମାନର ଆତିଶଯ୍ୟରୁ ଆସେ ଅଭିମାନ । ମନୁଷ୍ୟ ତ ଛାର, ସ୍ୱୟଂ ଭଗବାନ ବାସୁଦେବ ମଧ୍ୟ ଏହି ମାନ ଜନିତ ପ୍ରଣୟ କୋପରେ ଭୟାତୁର ।

 

ଅଭିମାନରୁ ଜାତହୁଏ ପ୍ରଣୟର କୁଟୀଳତା, ସଂଭୋଗରେ ବିଚିତ୍ରତା । ଭକ୍ତକବି ସାମନ୍ତସିଂହାରେ ଗାଇଛନ୍ତି:-

 

‘‘ସଂଭୋଗେ ରୀତିମାନ ଆନ ଆନ

ଭିତରେ ଆନନ୍ଦ ବାହାରେ ମାନ

ତ୍ରପା କୃପା ବେନି ଅକ୍ଷ ପଲକେ

ହାସ ରୋଷ ଓଷ୍ଠେ ଜାତ ଲବକେ

ନୁହଇ ସେ କଳି

ରାଗ ସରାଗ ଲୀଳା ବଳାବଳି ।।’’

 

କ୍ରମେ ରାଗ, ସରାଗ ଓ ସ୍ନେହ-ଏ ସମସ୍ତରୁ ଜାତ ହୁଏ ଅନୁରାଗ । ପ୍ରତିନିୟତ ପ୍ରିୟଜନ ପ୍ରତି ସଂଜାତ ନବନବ ରୂପ ପ୍ରେମର ପରିପାକ ‘ଅନୁରାଗ’ ଆଖ୍ୟା ଧରେ । ଏହି ଅନୁରାଗ ହିଁ ଅସମୋର୍ଦ୍ଧ୍ୱ ଚମତ୍କାର ଦ୍ୱାରା ଯେତେବେଳେ ଉନ୍ମାଦିତ ହୁଏ, ସେତେବେଳେ ତାହା ବୋଲାଯାଏ ‘ମହାଭାବ’ । ପ୍ରୀତି ସଂନ୍ଦର୍ଭକାର କହନ୍ତି:-

 

‘‘ଅନୁରାଗଏବା ସମୋର୍ଦ୍ଧ୍ୱ ଚମୋତ୍କାରେଣାନ୍ମାଦକୋ ମହାଭାବଃ ।’’

 

ଏହି କଥାକୁ ଉଜ୍ଜଳ ନୀଳମଣି ଗ୍ରନ୍ଥକାର ମଧ୍ୟ କହିଅଛନ୍ତି ତାଙ୍କ ଭାଷାରେ:-

‘‘ଅନୁରାଗଃ ସ୍ୱୟଂବେଦ୍ୟଦଶାଂ ପ୍ରାପ୍ୟ ପ୍ରକାଶିତଃ

ଯାବଦାଶ୍ରୟବୃତ୍ତିଶ୍ଚେଦ୍‌ ଭାବ ଇତ୍ୟଭିଧୀୟତେ ।।

ମୁକୁନ୍ଦ ମହୀଷୀବୃନ୍ଦୈରପ୍ୟସାବତି ଦୁର୍ଲ୍ଲଭଃ ।

ବ୍ରହ୍ମଦେବ୍ୟେକ ସଂବେଦ୍ୟୋମହାଭାବାଖ୍ୟୟୋଚ୍ୟତେ ।।’’

 

କୌଣସି କାରଣ-ନିର୍ଭରଶୀଳ ନ ହୋଇ ଯେତେବେଳେ ଅନୁରାଗର ସ୍ୱୟଂ ପ୍ରକାଶ ଘଟେ, ସେତେବେଳେ ଅନୁରାଗବତୀମାନଙ୍କର ସେହି ରତି ବୋଲାଏ ‘ଭାବ’,-ଯାହା ଶ୍ରୀକୃଷ୍ଣ ମହିଷୀମାନଙ୍କ ପକ୍ଷେ ମଧ୍ୟ ଦୁର୍ଲ୍ଲଭ । କେବଳ କୃଷ୍ଣପ୍ରିୟା ବ୍ରଜଦେବୀଗଣ ଏହି ମହାଭାବ ଆଖ୍ୟା ଗ୍ରହଣର ଉପଯୁକ୍ତା । ପ୍ରେମର ଚରମ ପରିଣତି ‘ମହାଭାବ’ । ଗୋପୀ ପ୍ରେମର ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି ସମର୍ଥା-ରତି-ସମ୍ଭବାରୂପେ ସଂପୂଜିତା ଏକମାତ୍ର ଶ୍ରୀରାଧା ।

(ରହସ୍ୟମଞ୍ଜରୀ-ପ୍ରାଚୀ)

 

ଶ୍ରୀଗୀତଗୋବିନ୍ଦ ଏହି ମହାଭାବମୟୀ ଶ୍ରୀରାଧା ଏବଂ ପରମ ପୁରୁଷ ରସରାଜଙ୍କର କେଳିଲୀଳା ବର୍ଣ୍ଣିତ ମହାକାବ୍ୟ । ଲୀଳା, ଶୃଙ୍ଗାର ରସର ଅନ୍ତର୍ଭୁକ୍ତ । ତେଣୁ ଶୃଙ୍ଗାର ହିଁ ରସୋତ୍ତମ-ରସ ଶ୍ରେଷ୍ଠ-ଆଦିରସ ।

 

ଗୀତଗୋବିନ୍ଦରେ ଶୃଙ୍ଗାର ରସୋତ୍ତୀର୍ଣ୍ଣତା ଦୁଇଟି କାରଣରୁ ଘଟିଅଛି । ଗୋଟିଏ ହେଲା ତତ୍ୱଦୃଷ୍ଟିର ପ୍ରତ୍ୟକ୍ଷ ପ୍ରଭାବ, ଅନ୍ୟଟି ହେଲା ପ୍ରାକୃତିକ ସ୍ୱରୂପ ବିରହକୁ ଆଧାରକରି ଅପ୍ରାକୃତ-ଅରୂପ ଧାମକୁ ପ୍ରେମ ନିଃଶ୍ରେଣୀରେ ସୁଗମ ଯାତ୍ରା-ପଥ ପ୍ରଦର୍ଶକ ।

 

ଭାରତୀୟ ପ୍ରାଚୀନ କବି କାବ୍ୟକାରମାନଙ୍କ ଗ୍ରନ୍ଥ ଶୃଙ୍ଗାର ରସାନ୍ୱିତ । ଏହା କିନ୍ତୁ ଅଶ୍ଳୀଳ ନୁହେଁ । ସଂସ୍କାର ଏବଂ ରୁଚିବୋଧ ହିଁ ଶ୍ଳୀଳା-ଶ୍ଳୀଳ ବିଚାରର ଜନକ । କିଏ ମଜ୍ଜେ ବା କିଏ ଭଜେ-ଏଇ ହେଲା ମାନବ ସୃଷ୍ଟିର ଧର୍ମ ।

 

ଶୃଙ୍ଗାର ରସ-ଋକ୍‌ବେଦ ନାରଦୀୟ ଶୁକ୍ତାନୁସାରେ-

‘‘କାମସ୍ତଦଗ୍ରେ ସମବର୍ତ୍ତତାଧି ।’’

 

ଛନ୍ଦୋଗ୍ୟ ଉପନିଷଦମତେ ଏହା-ସ୍ତ୍ରୀପୁରୁଷଙ୍କର ଗାଢ଼ ଆଲିଙ୍ଗନ ।

 

ଅଥର୍ବ ବେଦାନୁସାରେ କାମ ବା ପ୍ରେମ (Life) ବା କାମନା (Desire) । ପ୍ରତ୍ୟେକେ ସ୍ୱତନ୍ତ୍ର (Absolute itself)

 

ପ୍ରାକୃତ ଲୋକ-ସମାଜ ମଧ୍ୟରେ ଶୃଙ୍ଗାର (ଆଦି) ରସ ବର୍ଣ୍ଣନାର ଅର୍ଥ ହେଉଛି ପ୍ରାକୃତ ରସାସ୍ୱାଦନ । ରାଧାକୃଷ୍ଣନିଷ୍ଠ ରସ ବର୍ଣ୍ଣନ ଅପ୍ରାକୃତ ପରକୀୟା ରତି (ପରୋଢ଼ାରମଣୀ ରତି) ବର୍ଣ୍ଣନାକୁ ପ୍ରାକୃତ ରସରେ କୁହାଯାଏ ‘ରସାଭାସ’ । ତାହା କିନ୍ତୁ ଅପ୍ରାକୃତ ରସ ବିଚାରରେ ପ୍ରକୃଷ୍ଟ ରସ । ଆଲମ୍ବନ ପ୍ରଭୃତି ଏହାର ସମସ୍ତ ବିଭାଗ ଅଲୌକିକ ।

ଶୃଙ୍ଗାର ରସ ଘେନି ଆମର କବିକାବ୍ୟକାରମାନେ ସମ୍ମାନ ଦିଅନ୍ତି ରସଶାସ୍ତ୍ରକାରଙ୍କ ଆପ୍ତ ବଚନକୁ-। ଯଥା:-

‘‘ଶୃଙ୍ଗହିଁ ମନ୍‌ମଥୋଦ୍‌ଭେଦସ୍ତଦାଗମନହେତୁକଃ

ଉତ୍ତମ ପ୍ରକୃତି ପ୍ରାୟୋ ରସଃ ଶୃଙ୍ଗାର ଇଷ୍ୟତେ ।’’

 

ଶୃଙ୍ଗ ଶଦ୍ଦ ସମ୍ଭୋଗ ଇଚ୍ଛାର ଭେଦାର୍ଥ ବୁଝାଏ । ଶୃଙ୍ଗାର ରସ ଏହି ଇଚ୍ଛାର ସାର୍ଥକତା ।

 

ଅଷ୍ଟମ-ନବମ ଶତାବ୍ଦୀଠାରୁ ଭାରତୀୟ କାବ୍ୟ-କବିତାରେ ଶୃଙ୍ଗାର ରସ ରଚନାର ଆନୁକୁଲ୍ୟ ସ୍ପଷ୍ଟ । ଏବଂ ଅବଧି ମଧ୍ୟ ସେହି ପରମ୍ପରା ଧାରାକୁ ଆମର ଶ୍ରେଷ୍ଠ କାବ୍ୟ-କବିତା ବିସୋରି ନାହିଁ ।

 

ସାଧାରଣୀ ବା ପ୍ରାକୃତ ନାୟିକା ଭାବ ଚିତ୍ରଣ-ପଟ୍ଟଭୂମି ଉପରେ ଅପ୍ରାକୃତ ରାଧାପ୍ରେମ ପରିସ୍ଫୁଟିତ । କେବଳ ପ୍ରାଚୀନ ଚିତ୍ରଫଳକ ଉପରେ ଅଧ୍ୟାତ୍ମ୍ୟତତ୍ତ୍ୱର ଏକ ବିଶିଷ୍ଟ ବର୍ଣ୍ଣାଢ଼୍ୟ ଦୀପ୍ତି ଅନୁରଞ୍ଜିତ ହୋଇ ତାହା ସମ୍ମୁଜ୍ଜ୍ୱଳ ମହିମାରେ ଉଦ୍‌ଭାଷିତ ହୋଇଅଛି । ଗୀତଗୋବିନ୍ଦ ମହାକାବ୍ୟପକ୍ଷେ ଏହା କହିଲେ ବୋଧହୁଏ ଅପ୍ରାସଙ୍ଗୀକ ହେବ ନାହିଁ ଯେ ରାଧା-କୃଷ୍ଣ ଲୀଳା ବର୍ଣ୍ଣନାତ୍ମକ ପ୍ରେମ-କବିତା କି ଭାବ, କି ରସ ଅଥବା ପ୍ରକାଶ ରୀତି ଦିଗରୁ ଆମ ପରମ୍ପରା ରସ-ରଚନାର ପଦାଙ୍କ ଅନୁସରଣ କରି ଚାଲିଛି ।

 

ସାଧାରଣ ପ୍ରେମ କବିତାର ରଚନା ଉପରେ ସତେ ଯେପରି ରାଧାକୃଷ୍ଣ ପ୍ରେମ ତୁଳସୀ ମଞ୍ଜରୀ ସ୍ଥାପନକଲେ ତାହା ମହାପ୍ରସାଦ ଆଖ୍ୟାରେ ନିର୍ଦ୍ଦୋଷ ବା ପବିତ୍ରଭାବେ ଗ୍ରହଣୀୟ ହେବ-ଏହି ରୀତିର ପ୍ରଭାବ ପ୍ରାୟ ମୂଳରୁ ଚୂଳ ପର୍ଯ୍ୟନ୍ତ ଚଳିଆସୁଥିବାର ଦେଖାଯାଏ । ଉତ୍କଳୀୟ ଛାନ୍ଦ, ଚଉପଦୀ, ଚଉତିଶା ବା ଗୀତ-କବିମାନଙ୍କ ରଚନା ଦେଖିଲେ ଏହାର ସ୍ପଷ୍ଟ ପ୍ରମାଣ ମିଳିବ । ଏହାହିଁ ଭାରତୀୟ କାବ୍ୟ-ସାହିତ୍ୟର ପରମ୍ପରା । କବି ଜୟଦେବଙ୍କର ବହୁ ପୂର୍ବରୁ ରାଧାଭାବ ଘେନି ଏହିପରି କାବ୍ୟକବିତାମାନ ରଚିତ ହୋଇ ଆସୁଛି । ତେଣୁ ରାଧାଗୋବିନ୍ଦ ରତିକେଳି ବର୍ଣ୍ଣନା ଯେ କେବଳ ଗୀତଗୋବିନ୍ଦକାରଙ୍କ ପ୍ରଥମ ସୃଷ୍ଟି, ତାହା ନୁହେଁ । ପ୍ରାକୃତ ନାୟିକା ସହିତ ଅପ୍ରାକୃତିକ ପ୍ରେମାରୂଡ଼ା ରାଧିକାଙ୍କ ପ୍ରେମର ସଂଯୋଗ ବିଚାର ଲାଗି ଅଷ୍ଟମ ଶତାବ୍ଦୀର ପ୍ରାଚୀନ ଶୃଙ୍ଗାର ରସାତ୍ମକ ଅଗଣିତ ରଚନା ମଧ୍ୟରୁ ଗାଥାସତ୍ତସଇ (ଗାଥା ସପ୍ତସତୀ)ର ଦୁଇଟି ଗୋଟିଏ ରଚନା ଦେଖାଯାଉ ।

 

‘‘ପେଚ୍ଛଇ ଅଲନ୍ଧଲକ୍‌ଥଂ ଦୀହଂ

ଣୀସସଇ ଶୁଣଣଅଂ ହସଇ

ଜହ ଜପ୍‌ପଇ ଅଫୁଡ଼ଥଥଂ

ତହ ସେ ହିଅ ଅଟ୍‌ଟଠିଅଂ କିଂପି ।।’’

(୩୯୬)

 

ବିରହୋତ୍‌କଣ୍ଠିତା ନାୟିକାର ଦଶା ବର୍ଣ୍ଣନା କରି କେହି ସହଚରୀ କହୁଅଛି:-

 

ସେ (ନାୟିକା) ଶୂନ୍ୟ ଦୃଷ୍ଟିରେ ଏଣେ ତେଣେ ଚାହୁଁଛି, ଦୀର୍ଘ ନିଃଶ୍ୱାସ ତ୍ୟାଗ କରୁଛି; ଶୂନ୍ୟକୁ ଚାହିଁ ହସୁଛି । କଥା ତା’ର ବାରି ହେଉ ନାହିଁ । ଏ ସବୁ ଦେଖି ତାହାର ହୃଦୟରେ କିଛି ଭାବନା ଛପି ରହିଛି ବୋଲି ଜଣା ପଡ଼ୁଛି ।

ଏହି ରଚନାର ଭାବ ସାମଞ୍ଜସ୍ୟ ଗୀତଗୋବିନ୍ଦର ସଙ୍ଗୀତ:-

 

‘‘ପଶ୍ୟତି ଦିଶିଦିଶି ରହସି ଭବନ୍ତଂ

ତଦଧର ମଧୁର ମଧୁନି ପିବନ୍ତଂ

ନାଥହରେ ! ସୀଦତି ରାଧା ବାସ ଗୃହେ ।’’ ଇତ୍ୟାଦି

-ଏବଂ ତତ୍ ପରବର୍ତ୍ତୀ ଗୀତପଂନ୍ତି ସହିତ ତୁଳନୀୟ ।

 

(ଓଡ଼ିଆ)

‘‘ତା ମଧୁରାଧର ଚୁମ୍ବନ ରଙ୍ଗ

ହେରଇ ଗଉଳିତ ସେ ତବ ସଙ୍ଗ

ନାଗର ହେ ! ବାସ ଘରେ ଝୁରି କାତର ସେ ।’’

 

ସେହିପରି:-

‘‘ପାଅ ପଡ଼ିଓଣ ଗଣିଓ ପିଅଂ

ଭଣନ୍ତୋ ବି ଅପ୍‌ପିଅଂ ଭଣିଓ

ବଚ୍ଚନ୍ତୋ ବିଣ ରୁଦ୍ଧୋଭଣ କସ୍‌ମ୍‌

କଏ କଓ ମାଣୋ ।।’’

 

ଦୁର୍ଜ୍ଜୟମାନ ବହି ନାୟକଙ୍କ ଅନୁନୟ ପ୍ରତ୍ୟାଖ୍ୟାନ କରିବାପରେ ନାୟିକାର ଅନୁତାପ ଦେଖି ସହଚରୀ କହୁଛନ୍ତି:-

 

‘‘(ନାୟକ) ତୋ’ର ପାଦତଳେ ପଡ଼ିଲେ ମଧ୍ୟ ତାହା ପ୍ରତି ତୁ ନିର୍ଦ୍ଦୟ ହେଲୁ । ତା’ର ପ୍ରିୟ ବଚନକୁ ଅପ୍ରିୟ କରି ଘେନିଲୁ । ସେ ବାହୁଡ଼ିଗଲେ ମଧ୍ୟ ତାର ପଥ ଆଗୁଳିଲୁ ନାହିଁ । ଏ ମାନ କାହିଁକି ?’’

 

ଏହା ସହିତ ଗୀତଗୋବିନ୍ଦରେ ଶ୍ରୀମତୀଙ୍କ ଦୁର୍ଜ୍ଜୟମାନ ପରିବର୍ତ୍ତ ଶ୍ଳୋକ (୯ମସର୍ଗ) ତୁଳନୀୟ ।

 

‘‘ସ୍ନିଗଧେ ଯତ୍ ପରୁଷାସି ଯତ୍ ପ୍ରଣମତି

ସ୍ତବ୍‌ଧାସି ଯଦ୍‌ରାଗିଣି ।

ଦ୍ୱେଷସ୍ଥାସି ଯଦୁନ୍ମୁଖେ ବିମୂଖତାଂ ଯାତାସି ତସ୍ମିନ୍‌ପ୍ରିୟୋ

ତଦ୍‌ଯୁକ୍ତଂ ବିପରୀତକାରିଣି ତବ ଶ୍ରୀଖଣ୍ଡଚର୍ଚ୍ଚାଂ ବିଷଂ

ଶୀତାଂଶୁସ୍ତପନୋ ହିମଂ ହୁତବହଂ କ୍ରିଡ଼ାମୁଦୋ ଯାତନାଃ ।।’’

 

-ଏହାରି ଉତ୍କଳାନୁବାଦ:-

‘‘ରାଧେ ନିଷ୍ଠୁରତା ସରାଗ ବଦଳେ, ନମ୍ରେ ଉଦାସୀନତା

ପ୍ରେମାର୍ଥୀ ପ୍ରତି ବାମତା, ତୁ ଅନୁରାଗୀରେ ତ ଦ୍ୱେଷେ ରଚୁ,

ଶୀତାଂଶୁ ଖର ଚନ୍ଦନେ ବିଷ ସତେ କାମାଦିତୋ ଯାତନା,

ଶାସ୍ତି ଏ ବିପରୀତମାର୍ଗଗମନା, ତୋ କର୍ମ୍ମ ତୋରେ ଫଳେ ।।’’

 

ପ୍ରାଚୀନ ଶୃଙ୍ଗାର ରସାତ୍ମକ କାବ୍ୟ କବିତା ମଧ୍ୟରୁ ଆଉ ଗୋଟିଏ ଦୃଷ୍ଟାନ୍ତ ଉପସ୍ଥାପିତ କରାଯାଉଅଛି:-

‘‘ବିଷଂ ଚନ୍ଦ୍ରାଲୋକଃ କୁମୁଦବନ ବାଣେ ହୁତବହଃ

କ୍ଷତକ୍ଷାରୋ ହାରଃ ସ ଖଳୁ ପଟୁପାକୋ ମଳୟଜଃ ।

ଅୟେ କିଞ୍ଚିତ୍‌ବକ୍ରେ ତ୍ୱୟି ସୁଭଗ ସର୍ବେ କଥୟସି

ସମଂ ଜାତାସ୍ତସ୍ୟାମହ ବିପରୀତ ପ୍ରକୃତୟଃ ।।’’

 

ଚନ୍ଦ୍ର କିରଣ ବିଷ, କୁମୁଦ ବନର ପବନ ହୁତାଶନ, ହାର କ୍ଷତ କ୍ଷାର, ଚନ୍ଦନ ପୁଟ-ପାକ ପରି ମଣୁଛି, ହେ ସୁଭଗ, ତମରି ବିମୁଖତା ବା ଅନୁକୂଳତା ହେତୁ ତା ପକ୍ଷେ ସମସ୍ତ ବିଷୟ ବିପରୀତ ଫଳଦାୟକ ହୋଇ ପଡ଼ିଛି ।

ଠିକ୍‌ ଏଇ ରୀତିର ରଚନା ଗୀତଗୋବିନ୍ଦରେ ତୁଳନୀୟ ।

 

ନିନ୍ଦତି ଚନ୍ଦନମିନ୍ଦୁ କିରଣମନୁବିନ୍ଦତି

ଖେଦମଧୀରଂ

ବ୍ୟାଳନିଳୟମିଳଳେନ ଗରଳମିବ

କଳୟିତି ମଳୟସମୀରମ୍‌

ସା ବିରହେ ତବ ଦୀନା....ଇତ୍ୟାଦି ।

 

ଓଡ଼ିଆ ଭାଷାରେ ଆମ କବି ଲେଖିଛନ୍ତି:-

ସରିଯିବନିଟି ଜୀବନେ କିଶୋରୀ,

ହେ ବଂଶୀଧାରୀ ।୦।

ବିରହରେ ସଖୀ ହୋଇଛି କାତର

ସରୁ ସରିଲାନି ସରୋଜ ପତର

ଦେଖିଲି ସଖୀର କଣ୍ଠରେ ମାତର

ଜୀବନକୁ ଅଛି ଧରି-ହେ ବଂଶୀଧାରୀ ।।୧।

 

‘‘ବିକ୍ରମୋର୍ବଶୀ ’’ ନାଟକରେ ମହାକବି କାଳିଦାସ ଲେଖିଛନ୍ତି:-

‘‘ନବଜଳଧରଃ ସନ୍ନିଧୋଽୟଂ ନ ଦୃପ୍ତ ନିଶାଚରଃ

ସୁରଧନୁ ବିଦଂ ଦୂରାକୃଷ୍ଟଂ ନ ତସ୍ୟ ଶରାସନମ୍‌ ।

ଅୟମମି ପଟୁଧାରାସାରୋ ନ ବାଣ ପରମ୍ପରା

କନକନିକଷସ୍ନିଗ୍‌ଧା ବିଦ୍ୟୁତ୍‌ ପ୍ରିୟା ନ ମମୋର୍ବଶୀ ।’’

 

ଏହି ଶ୍ଳୋକର ଅନରୂପ ରଚନା ଦୃଷ୍ଟ ହୁଏ ଗୀତଗୋବିନ୍ଦରେ:-

‘‘ହୃଦି ବିସଲତାହାରୋ ନାୟଂ ଭୁଜଙ୍ଗମନାୟକଃ

କୁବଳୟଦଳଶ୍ରେଣୀ କଣ୍ଠେ ନ ସା ଗରଳଦ୍ୟୁତିଃ ।

ମଳୟଜରଜୋ ନେଦଂ ଭସ୍ମ ପ୍ରିୟାରହିତେ ମୟି

ପ୍ରହର ନହରଭ୍ରାନ୍ତ୍ୟାଽନଙ୍ଗ କ୍ରୁଧା କିମ୍ବା ଧାବସି ।।

            (୩ୟ ସର୍ଗ-ଗୀ:ଗୋ:)

 

ଅର୍ଥାତ୍‌

‘‘ହର ତ ମୁଁ ନୁହେଁ ରୋଷ ନ ମାର ଅନଙ୍ଗ ହେ !

ଗଳପରଚଳା ହାରେ ନ ଭାଳ ସର୍ପ, ମୃଣାଳ ସେ ।

କୁବଳୟ ଦଳେ ସାଜେ କଣ୍ଠେ, ନୁହେଁ ଗରଳ ଦ୍ୟୁତି

ମଳୟଜ ରଜେ ବୋଳା କାନ୍ତାବିନେ ଭ୍ରମ ଭଷ୍ମ ଏ ।’’

 

ଗୀତଗୋବିନ୍ଦର ସୁବିଖ୍ୟାତ ‘‘ପ୍ରିୟେ ଚାରୁଶୀଳେ’’ ଗୀତଟିରେ ରସରାଜ ଶ୍ରୀକୃଷ୍ଣ ପ୍ରେମମୟୀ ଗୁରୁମାନବତୀ ଶ୍ରୀମତୀଙ୍କ ଚରଣ-ଶରଣ ଭିକ୍ଷାର ଉଲ୍ଲେଖକୁ କେହି କେହି ଅଶ୍ଳୀଳତାର ପରିପାକ ବୋଲି କହିବାର ଶୁଣାଯାଏ । ଶୃଙ୍ଗାର ଓ ଅଶ୍ଳୀଳ-ଦୁଇଟି ସମ୍ପୂର୍ଣ୍ଣ ଅଲଗା କଥା । ଅପ୍ରାକୃତିକ ପ୍ରେମଲୀଳାର ଏହି ‘ପଦ ଧାରଣ’ ରୀତି ବର୍ଣ୍ଣନା ଜୟଦେବ ନୂଆକରି ଲେଖିନାହାନ୍ତି । ଏହା କବି ପରମ୍ପରା । ପୁଣି ଏ ଚିତ୍ର ସାଧାରଣ ନାୟକ ନାୟିକାଙ୍କ ପକ୍ଷରେ ସୁଦ୍ଧା ଅଙ୍କିତ ହୋଇଛି । ଗୀତଗୋବିନ୍ଦ ତ ପୁରୁଷ-ପ୍ରକୃତିଙ୍କର ପ୍ରେମଲୀଳା ।

 

‘ଅମରୂ’ଙ୍କର ଗୋଟିଏ ରଚନା ଦୃଷ୍ଟାନ୍ତ ରୂପେ ଉପସ୍ଥାପିତ କରାଯାଇପାରେ-

 

ଅମରୂ କବି ଅଭିମାନିନୀ ନାୟିକାର ମାନଭଞ୍ଜନ କଳ୍ପେ ନାୟକଙ୍କୁ କୁହାଇଛନ୍ତି:-ରେ ସୁତନୁ ! ମାନତ୍ୟାଗ କର । ପଦାନତ ମୁଁ ତୋ’ର । ଥରେ ଅନାଅ ମୋତେ । ଏଭଳି କୋପ ତୋ’ର ତ କେବେ ଦେଖି ନ ଥିଲି-‘‘ଦିନେ ନଥିବା ରୁଷା ଆଜ କାହିଁକି ?’’

 

ନାୟକଙ୍କ ମିନତି ଶୁଣି ଦର ମୁକୁଳିତାନୟନା ମାନିନୀ ଧାର ଧାର ଲୁହ ଝରାଇଲା । ମୁଖ ମୂକ ପାଲଟିଗଲା ତା’ର ।

‘‘ସୁତନୁ ଜହିହି ମୌନଂ ପଶ୍ୟପାଦାନତଂ ମାଂ

ନଖଳୁ ତବ କଦାଚିତ୍‌ କୋପ ଏବଂବିଧାଽଭୂତ୍‌ ।

ଇତି ନିଗଦତି ନାଥେ ତିର୍ଯ୍ୟଗାମୀଳିତାକ୍ଷ୍ୟ,

ନୟନଜଳମନଳ୍ପଂ ମୁକ୍ତମୁକ୍ତଂ ନ କିଞ୍ଚିତ୍‌ ।’’

 

‘‘ଜଗତପିତରୌବନ୍ଦେ ପାର୍ବତୀ-ପରମେଶ୍ୱରଃ’’ ବାକ୍ୟରେ ପ୍ରଣତି ନିବେଦନକାରୀ ମହାକବି କାଳିଦାସଙ୍କ କୁମାର ସମ୍ଭବରେ ପ୍ରାୟ ଏହି ମର୍ମର ଉଲ୍ଲେଖ ରହିଛି:-ଶୃଙ୍ଗାର ବା ସମ୍ଭୋଗ ବର୍ଣ୍ଣନା ବ୍ୟତିରେକେ କାବ୍ୟର ଅଙ୍ଗହାନି ଘଟେ । ଏପରି ସ୍ଥଳରେ କବିଙ୍କ ରଚନା ପ୍ରତି ଦୃଷ୍ଟି ନ ଦେଇ କବିଙ୍କର ଉଦ୍ଦେଶ୍ୟ ହିଁ ଗଭୀର ପ୍ରଣିଧାନ ଯୋଗ୍ୟ । ମହାକବି ଲେଖିଛନ୍ତି:-

 

‘‘ପତ୍ୟୁଃ ଶିରଶ୍ଚନ୍ଦ୍ର କଳାମନେନ

ସ୍ପୃଶେତି ସଖ୍ୟା ପରିହାସ ପୂର୍ବ୍ବମ୍ ।

ସା ରଞ୍ଜୟିତ୍ୱା ଚରଣୌ କୃତାଶୀ-

ମାଲ୍ୟେନ ତାଂ ନିର୍ଦ୍ଦଚନଂ ଜଘାନ ।

      (କୁ: ସ: ୭।୧୯)

 

ପରିହାସ ପ୍ରିୟା ସହଚରୀ ପାର୍ବତୀଙ୍କ ଚରଣ କମଳରେ ଅଳତା ଘେନାଇ ଦେଇ କହିଲେ-‘‘ଗୌରୀ, ଏଇ ଅଳତାମଖା ଚରଣ ତୋର ପତି (ହର)ଙ୍କ ମଥାର ଚନ୍ଦ୍ରକଳା ସ୍ପର୍ଶ କରିବ । ସଖୀ ମୁଖର ପରିହାସ ବାଣୀ ଶୁଣି ଲାଜ ମିଶା ଛଳ କୋପରେ କିଛି ନ କହି ହାତରେ ଧରିଥିବା ଫୁଲମାଳରେ ପାର୍ବତୀ ସଖୀଙ୍କୁ ପ୍ରହାର କଲେ ।

 

ଗୀତଗୋବିନ୍ଦର ଅଶ୍ଳୀଳତା ବିଚାର କରିବାକୁ ଗଲେ ତଦାନିନ୍ତନ ଦେଶକାଳପାତ୍ର ସର୍ବାଦୌ ବିଚାର୍ଯ୍ୟ । ଏ କଥା ମଧ୍ୟ ସ୍ମରଣ ରଖିବାକୁ ହେବ ଯେ କାବ୍ୟର ପ୍ରେରଣା ଅଶ୍ଳୀଳତା ଉପରେ ନିର୍ଭରଶୀଳ ନୁହେଁ ।

‘ମଧୁର କୋମଳକାନ୍ତ ପଦାବଳୀ’ ସମନ୍ୱିତ ଗୀତଗୋବିନ୍ଦ ଗୀତିକାବ୍ୟର ଦ୍ୱାଦଶ ସର୍ଗ ୨୩ଶ ଗୀତର ୪ର୍ଥ ପଦରେ ଦେବୀ ଓ ମାନବୀର ଆତ୍ମମିଳନ ଘଟାଇ ମହାକବି ଲେଖିଛନ୍ତି:-

 

‘‘ପ୍ରିୟ ପରିରମ୍ଭଣ ରଭସ ବଳିତମିବ ପୁଲକିତ ମତି ଦୂରବାପମ୍

ମଦୁରସି କୁଚକଳସଂ ବିନିବେଶୟ ଶେଷୟ ମନସିଜ ତାପମ୍ ।’’

 

ଅର୍ଥାତ୍

ଦୁର୍ଲ୍ଲଭ କୁଚ ଯୁଗ ଉନ୍ନତ ପୁଲକେ ପରିରମ୍ଭଣ କରି ଆଶ

ଥାପି କୁଚ କଳସ ବକ୍ଷ ପରେ ମମ, ନାଶ ତୁ କାମ ପରାଶ ।

 

-ମିଳନକାଳୀନ ଏହିପରି ବର୍ଣ୍ଣନାକୁ ଆହୁରି ବଳାଇ ଦେଇ ମହାନାଟକରେ ଲେଖାଅଛି:-

 

‘‘ନିଦ୍ରାଣ ସ୍ତ୍ରୀ ନିତମ୍ବାମ୍ବ ହରଣନ୍ମେଖଳାରାବଧାବତ୍

କନ୍ଦର୍ପାବଦ୍ଧ ବାଣବ୍ୟତିରେତରଳାଃ କାମିନୋ ଯାମିନୀଷୁ ।

ତାଟଙ୍କୋ ପାନ୍ତକାନ୍ତ ଗ୍ରଥିତମଣିଗଣୋରାଗଚ୍ଛଦଚ୍ଛଟାଭି-

ବ୍ୟକ୍ତଙ୍ଗାସ୍ତୁଙ୍ଗକମ୍ପା ଜଘନଗିରିଦରୀମାଶ୍ରୟନ୍ତେ ଶ୍ରୟନ୍ତୋ ।’’

                              (ମହାନାଟକ)

 

‘‘ସୀତା ନିଦ୍ରାଭିଭୂତା ଥିଲାବେଳେ ରାମ

ତାଙ୍କ ନିତମ୍ବରୁ ବସ୍ତ୍ର କରନ୍ତେ ହରଣ ।

ମେଖଳାର ରବେ କନ୍ଦର୍ପର ମୁକ୍ତବାଣ,

ଧାବିତ ହୋଇଲା ଶୀଘ୍ର ଗତି କରି ଜାଣ ।

ରାମଚନ୍ଦ୍ରଙ୍କର କର୍ଣ୍ଣ ଆଭରଣ ଛଟା,

ସୀତା ଜଘନ ଦରିରେ ହୋଇଲା ସମ୍ପଟା ।’’

 

-ରତାନ୍ତ ବର୍ଣ୍ଣନା କରିବାକୁ ଯାଇ ପୁଣି ମହାକବି କୁମାର ସମ୍ଭବରେ ଲେଖିଛନ୍ତି:-

ଶୂଳିନଃ କରତଳଦ୍ୱୟେନ ସା ସଂନିରୁଧ୍ୟ ନୟନେ ହୃତାଂଶୁକା

ତସ୍ୟ ପଶ୍ୟତି ଲଲାଟ ଲୋଚନେ ମୋଘଯତ୍ନ ବିଧୂରା ରହସ୍ୟଭୂତ୍ ।

                                    (୮। ୭)

 

ଦୂର ନିର୍ଜନରେ ପାର୍ବତୀଙ୍କ ବସନ ହରଣ କଲାବେଳେ, ଲଜ୍ଜାଶୀଳା ପାର୍ବତୀ, ହର ତାଙ୍କର ନଗ୍ନଶରୀର ଦେଖି ନ ପାରିବେ ବୋଲି ଆଖି ଦୁଇଟି ମୁଦି ଧରନ୍ତି । କିନ୍ତୁ ତ୍ରିଲୋଚନଙ୍କର କପାଳରେ ଯେ ଚକ୍ଷୁଟିଏ ଅଛି, ସେ କଥାକୁ ତାଙ୍କର ଲକ୍ଷ୍ୟ ନ ଥିବାରୁ, କପାଳ-ଲୋଚନ ବିବସନା ପାର୍ବତୀଙ୍କୁ ଚାହିଁ ରହନ୍ତି । ଲଜ୍ଜା ଏଡ଼ାଇବାର ସମସ୍ତ ଚେଷ୍ଟା ବ୍ୟର୍ଥ ହୁଏ ।

 

ଶୃଙ୍ଗାର ରସବର୍ଣ୍ଣନାର ଅସଂଖ୍ୟ ଦୃଷ୍ଟାନ୍ତ ଉପସ୍ଥାପିତ କରାଯାଇପାରେ । ଏହିପରି ପ୍ରାଚୀନ କାବ୍ୟ ପରମ୍ପରା ଅବଧି ସୁଦ୍ଧା ଭାରତୀୟ ସାହିତ୍ୟରେ ଅନୂସୃତ । ଜୟଦେବ ଅଲୌକିକ ପ୍ରେମଲୀଳାକୁ ଳୌକିକ ବା ମାନବିକ ପ୍ରେମର ରୂପରେଖ ଦେଇ ରାଧାକୃଷ୍ଣ କେଳିର ବିଚିତ୍ର ବର୍ଣ୍ଣନା କରିଅଛନ୍ତି । ଜୟଦେବ ଦେବତା ନୁହନ୍ତି-ମନୁଷ୍ୟ । ମାନବ-ସମ୍ଭବ ଭାବଧାରାରେ ପରିଚାଳିତ ହେବା ହିଁ ତାଙ୍କର ଜୀବନ-ଧର୍ମ ହେବା ଏକାନ୍ତ ସ୍ୱାଭାବିକ । ତେଣୁ ଅଳଙ୍କାର ଏବଂ କାମଶାସ୍ତ୍ରର ମଧୁର ସମନ୍ୱୟ ଘଟିଛି ଗୀତଗୋବିନ୍ଦରେ । ଏହାହିଁ କାବ୍ୟର ଶୃଙ୍ଗାରୀ ଧର୍ମ । ଅତି ସ୍ୱଚ୍ଛନ୍ଦ ଗତିରେ, ଶବ୍ଦ-ଛନ୍ଦର ଅପୂର୍ବ ଲାଳିତ୍ୟ ମଧ୍ୟରୁ ଅର୍ଥ ଗୌରବକୁ ଅଙ୍ଗଛଡ଼ା ନ କରି ସୌନ୍ଦର୍ଯ୍ୟ ବିଳାସୀ କବି ପ୍ରକୃତିର ଛତ୍ରେ ଛତ୍ରେ ଅନୁଭବ କରିଛନ୍ତି ‘ଶୃଙ୍ଗାର’ ରସୋଦ୍‌ଗମ । ପାନ କରିଛନ୍ତି ବିଶ୍ୱମୟ ସୌନ୍ଦର୍ଯ୍ୟ । ଏହି ସୌନ୍ଦର୍ଯ୍ୟ ଉପାୟନରେ ବନ୍ଦନା କରିଛନ୍ତି ମୂର୍ତ୍ତିମାନ ଶୃଙ୍ଗାର ରୂପୀ ‘ସାକ୍ଷାତ ମନ୍ମଥ ମନ୍ମଥଃ’ ବିଶ୍ୱେଶ୍ୱରଙ୍କ ଚରଣ ପଙ୍କଜ । ‘ଉଦୟତି ମଦନ ବିକାରଂ’ ସହିତ ‘ହରି ଚରଣ ସ୍ମୃତିସାରଂ’ କଥାଟି ଏକାବେଳେ ଅପାଶୋରା ତାଙ୍କର ।

 

ଗୀତ ଗୋବିନ୍ଦ ବର୍ଣ୍ଣିତ ରାଧାକୃଷ୍ଣ ରତି ଶୃଙ୍ଗାର ବା ଉଜ୍ଜ୍ୱଳରସ ନାମରେ ପ୍ରଖ୍ୟାତ । ଏହା ମଧୁର । ନରଦେହୀ ନାରାୟଣ, ମାନବୀ ରୂପିଣୀ ରାଧା । ମର୍ତ୍ତ୍ୟଭୂମି ସେମାନଙ୍କର ଲୀଳାସ୍ଥଳୀ । ତେଣୁ ମାନବୋଚିତ ଆଚାର ଧର୍ମ ଘେନି ସେମାନଙ୍କର ଲୀଳା ରଚନାରେ ଆସ୍ୱାଭାବିକତା ନାହିଁ, କିନ୍ତୁ ଏହି ମାନବ - ଧର୍ମୀ ଆଚରଣ ମଧ୍ୟରେ ଦେବତ୍ୱର ବିଶେଷତ୍ୱ ବିଚିତ୍ର ଭାବେ ଫୁଟି ରହିଛି, ବ୍ରଜଧାମର ରାସ ମହୋତ୍ସବରେ । ନନ୍ଦ ଗୋପପୁରର ନଟବର ଶ୍ୟାମ, କଂସ କଟକର ସିଂହାସନାଧିରୁଢ଼ ଶ୍ରୀକୃଷ୍ଣ ନୁହନ୍ତି । ରାଜମହିଷୀ ସତ୍ୟଭାମା କିମ୍ବା ଋକିୁଣୀ ଶ୍ରୀକୃଷ୍ଣ ପ୍ରେୟସୀ, କିନ୍ତୁ ସେମାନଙ୍କ ପ୍ରେମ ଗୋପୀ ପ୍ରେମ ସହିତ ତୁଳନା କରାଯାଇ ନ ପାରେ । ଗୋପପୁରରେ ଆଚରିତ ଶୃଙ୍ଗାର ଉଜ୍ଜ୍ୱଳ - ମଧୁର । ଏହା ଅପ୍ରାକୃତ ପ୍ରେମର ପରାକାଷ୍ଠା, - ପରକୀୟା ପ୍ରେମ ଯାହାର ନାମାନ୍ତର ।

 

ବହୁ ବଲ୍ଲଭ ପ୍ରେମକୁ ପରକିୟା ବା ପରୋଢ଼ା ରତି କୁହାଯାଏ । ଯାହା ଭାରତୀୟ ରୀତିର ଶ୍ରଦ୍ଧାଭାଜନ ନୁହେଁ । କିନ୍ତୁ ତାହାକୁ ଶ୍ରେଷ୍ଠ ପ୍ରେମର ଆସନ ଦେଇ ଆସିଛନ୍ତି ଅଳଙ୍କାର ତଥା ଦର୍ଶନ ଶାସ୍ତ୍ରବେତ୍ତାମାନେ । ଏହାର ବିଶେଷ ହେତୁ ନିର୍ଦ୍ଦେଶିତ କରାଯାଇପାରେ -

 

ସ୍ୱକୀୟା ପ୍ରେମ ବା ଦାମ୍ପତ୍ୟ ପ୍ରଣୟରେ ପ୍ରୀତିବତୀ ରହେ ପତିର କରଗତା, ଆୟତ୍ତା । ପତି ବା ପତ୍ନୀ ଉଭୟ ପକ୍ଷରୁ ମିଳନ ଲାଗି କାହାରି ଆତ୍ମଉତ୍ସର୍ଗର ପ୍ରଶ୍ନ ଉଠେ ନାହିଁ ଏ କ୍ଷେତ୍ରରେ । ତେଣୁ ଆଶା, ଆକାଙ୍‌କ୍ଷା ବା ଉତ୍କଣ୍ଠାରେ ନୂତନତ୍ୱ ଅନୁଭୂତିର କାରଣ ନଥାଏ । ଅନ୍ୟପକ୍ଷରେ ପରିକ୍ରିୟା ପ୍ରେୟସୀ ପରାୟତ୍ତା । ଏଥିଲାଗି ଆବଶ୍ୟକ ହୁଏ ଅସୀମ ତ୍ୟାଗ, ଆତ୍ମବିସର୍ଜନ ଓ ଧୈର୍ଯ୍ୟ । ତେଣୁ ଏହା ନିତ୍ୟ - ନୂତନ ରୂପେ ବରଣୀୟ ହୁଏ । ପରିକୀୟା ପ୍ରେମରେ ସ୍ୱାର୍ଥ - ବଳିଦାନର ପ୍ରସ୍ତୁତି ପ୍ରୟୋଜନ ହୁଏ । କୁଳ - ଶୀଳ ମାନ - ମହତ୍ୱକୁ ଜଳାଞ୍ଜଳି ଦେଇ ପ୍ରୀତି - ମିଳନର ପଥ ଲୋଡ଼ିବାକୁ ପଡ଼େ ।

 

ପ୍ରକୃତି ଏବଂ ପୁରୁଷ ରୂପୀ ରାଧା ଏବଂ ଶ୍ରୀକୃଷ୍ଣଙ୍କ ରତିଲୀଳା ମଧ୍ୟରେ ଜୀବାତ୍ମା ଏବଂ ପରମାତ୍ମାର ମୂର୍ତ୍ତି ବିଦ୍ୟମାନ । ପରମାତ୍ମା ସହ ମିଳନ ଲାଗି ଜୀବାତ୍ମା ସତତ ବ୍ୟାକୁଳ । କେକଳ ବ୍ୟାକୁଳତା ନୁହେଁ, ଲକ୍ଷ ଲାଭ ନିମିତ୍ତ ପ୍ରଗାଢ଼ ଆକୁତି ଏବଂ ନିଷ୍ଠା ଆବଶ୍ୟକ । ପୂର୍ଣ୍ଣ ସ୍ୱାର୍ଥତ୍ୟାଗ ତଥା ଆତ୍ମୋତ୍ସର୍ଗ ଭିନ୍ନ ଏହାର ପ୍ରାପ୍ତି ସମ୍ଭବ ନୁହେଁ । ପରକୀୟା ପ୍ରେମର ଏଗୁଡ଼ିକ ମୂଳମନ୍ତ୍ର । ଏଥିଲାଗି ହିଁ କାବ୍ୟ, ଅଳଙ୍କାର ବ୍ରଜଗୋପୀ ଏବଂ ଶ୍ରୀକୃଷ୍ଣଙ୍କ ପ୍ରେମର ପ୍ରଶସ୍ତି ମୁଖର । ଏହି ପରକୀୟା ପ୍ରେମକୁ ଶ୍ରୀକୃଷ୍ଣ ପତ୍ନୀମାନଙ୍କ ସ୍ୱକୀୟା ପ୍ରେମ ସହିତ ତୁଳନା କରାଯାଇ ନ ପାରେ । ବ୍ରଜଲୀଳା କାମଗନ୍ଧ ବର୍ଜିତ । ପ୍ରେମ ହିଁ ଏ ସ୍ଥଳରେ ସ୍ୱକୀୟ ବିଚିତ୍ରତା ଓ ବିଶିଷ୍ଟତା । ଏହା କାମ ନୁହେଁ - ପ୍ରେମ । ଦୁଇଟି ସ୍ୱତନ୍ତ୍ର ଚିତବୃତ୍ତି ।

 

ପ୍ରେମରେ ନାମାନ୍ତର ଶୃଙ୍ଗାର । ଗୀତଗୋବିନ୍ଦ ଏହି ପବିତ୍ର ଶୃଙ୍ଗାର ରସରେ ରସାଣିତ । ଯାହାକୁ ମହାକବି ‘ଶ୍ରୀବାସୁଦେବ ରତିକେଳି କଥା’ ବୋଲି ବର୍ଣ୍ଣନା କରି ଶ୍ରୀକୃଷ୍ଣଙ୍କୁ ମୂର୍ତ୍ତିମାନ ଶୃଙ୍ଗାର ରୂପେ ଧ୍ୟାନ ପୂର୍ବକ କହିଛନ୍ତି :-

 

‘‘ସ୍ୱଚ୍ଛନ୍ଦଂ ବ୍ରଜସୁନ୍ଦରୀଭିରଭିତଃ ପ୍ରତ୍ୟଙ୍ଗମାଲିଙ୍ଗିତଃ

ଶୃଙ୍ଗାରଃ ସଖି ମୂର୍ତ୍ତିମାନିବ ମଧୌ ମୁଗ୍‌ଧୋ ହରି କ୍ରୀଡ଼ତି ।।’

 

‘ବ୍ରଜ ବିହାର’ରେ କବି ଦାସରଥି ଦାସ ଲେଖିଛନ୍ତି :-

‘‘ଶୃଙ୍ଗାର ଉଜ୍ଜ୍ୱଳ ରସରେ ସାର

ଆଉ ଉୁତ୍କଣ୍ଠା ଅଛି କି ସାର ।

କୃଷ୍ଣ କହନ୍ତି ଶୁଣ ପ୍ରାଣପ୍ରିୟେ,

ଶୃଙ୍ଗାର ରସଲୀଳା ଅପ୍ରମେୟେ ।

 

ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ବେନି ପ୍ରକାର

ଅଇଶ୍ୱର୍ଯ୍ୟରେ ସ୍ୱକୀୟ ବିଚାର ।

ପରକୀୟାରେ ମାଧୁର୍ଯ୍ୟ ବିଶେଷ

ଉତ୍କଣ୍ଠା ପ୍ରେମଭାବ ଅଶେଷ ।’’

 

ସେହିପରି ଶୂନ୍ୟ ସଂହିତାରେ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି :-

‘‘ଆଗେ ରାଧା ପଛେ ମୁହିଁ ଲମ୍ପଟ ଭାବରେ

ଏକ ବୀଜ ବେନି ଫାଳ ଯୁଗଳ ଅଙ୍ଗରେ ।’’

X      X      X      X      X      X

‘‘ନବଧା ଭକ୍ତିରେ ଶତେ ସୂର୍ଯ୍ୟ ଅଛି ରହି

ମୋର ମନ ହରେ ରାଧା ପ୍ରୀତି ରସ ଦେଇ ।

ତାଙ୍କ ବିନୁ କ୍ଷଣୀ ହେଲା ଆମ୍ଭର ଶରୀର

କ୍ଷଣେ ନ ତେଜୁଁ ଯେ ଆମ୍ଭେ ରାଧା ପ୍ରେମ ଆଳ ।।’’

 

ଗୀତଗୋବିନ୍ଦ ବର୍ଣ୍ଣିତ ରାଧା ତଥା ଗୋପୀପ୍ରେମ ସମ୍ବନ୍ଧେ ଭାଗବତ ବାଣୀ ହେଲା :-

‘‘ବ୍ରଜପୁରବନିତାନାଂ ବର୍ଦ୍ଧୟନ୍‌ କାମଦେବମ୍‌ ।’’

 

କୁହାଯାଇଅଛି - ‘‘ଦ୍ୱେଷାତ୍‌ ଚୈଦ୍ୟଃ’’ । ଅର୍ଥାତ୍‌ ଚେଦୀଶ୍ୱର ଶିଶୁପାଳ ଦ୍ୱେଷ (ଅର୍ପଣ) କରି ଶ୍ରୀକୃଷ୍ଣଙ୍କର କୃପା ଲାଭ କରିଥିଲା । ସେହିପରି ‘‘କାମାତ୍‌ ଗୋପ୍ୟଃ ’’। - ଅର୍ଥାତ୍‌ ଗୋପୀମାନେ କମାର୍ପଣକରି ଶ୍ରୀକୃଷ୍ଣଙ୍କୁ ଲାଭ କରିଥିଲେ ।

 

‘‘କାମଂ କ୍ରୋଧଂ ଭୟଂ ସ୍ନେହଂ ଐକ୍ୟଂ ସୌହୃଦମେବଚ

ନିତ୍ୟଂ ହରୌ ବିଦଧତୋ ଯାନ୍ତି ତନ୍ମୟତାଂ ହି ତେ ।।’’

(ଭାଗବତ ୧୦ମ)

 

କାମ, କ୍ରୋଧ, ସ୍ନେହ, ଏକ୍ୟ ବା ସୌହାର୍ଦ୍ୟ - ଏଥିମଧ୍ୟରୁ ଯେ କୌଣସିଟିର ଅର୍ପଣଦ୍ୱାରା ତନ୍ମୟତା ପ୍ରାପ୍ତି ହୁଏ ।

ଗୀତଗୋବିନ୍ଦର ବର୍ଣ୍ଣନା କାମାୟନ ପ୍ରାଚୂର୍ଯ୍ୟ ବୋଲି ଧରାଯାଏ । ଗୋପୀପ୍ରେମ ପ୍ରସଂଗରେ କୁହାଯାଇଅଛି :-

‘‘ତମେବ ପରମାତ୍ମାନଂ ଜାରବୁଦ୍ଧ୍ୟାପି ସଂଗତା’’

(ଭାଗବତ ୧୦ମ)

 

ରାଧା ଏବଂ ବ୍ରଜାଙ୍ଗନାଗଣ ‘ଜାର’ ବା ଉପପତି ଭାବରେ ଶ୍ରୀକୃଷ୍ଣଙ୍କ ସହିତ ରାସ ରସରେ ପ୍ରମଦ୍ଭା ଥିଲେ । ଶ୍ରୀକୃଷ୍ଣ ପରମାତ୍ମା । ଗୋପୀମାନଙ୍କର ଜାର ବୁଦ୍ଧିରେ ତାଙ୍କ ସହିତ ମିଳନ ଘଟିଛି । ଗୋପାଙ୍ଗନାଗଣ ‘କୃଷ୍ଣସ୍ତୁ ଭଗବାନ୍‌ ସ୍ୱୟଂ’ଙ୍କଠାରେ କାମାର୍ପଣ କରିଛନ୍ତି । ତାହାଙ୍କୁ ପ୍ରିୟାଦପି ପ୍ରିୟ ବିଚାରିଛନ୍ତି –

 

‘‘ପେୟଃ ପୁତ୍ରାତ୍‌ ପ୍ରେୟୋବିତ୍ତାତ୍‌ ପ୍ରେୟଃ ଅନ୍ୟସ୍ମାତ୍‌ ସର୍ବସ୍ମାତ୍‌’’

- ଏହି ବିଚାରରେ ସେମାନେ କାନ୍ତଭାବରେ ଶ୍ରୀକୃଷ୍ଣାର୍ପିତା ହୋଇ ଅଛନ୍ତି ।

 

କୃଷ୍ଣ ପ୍ରେମିକା ରାଧିକା ଏବଂ ବ୍ରଜବାଳାଗଣ -

‘‘କୃଷ୍ଣଂ ବିଦୁଃ କାନ୍ତଂ ନତୁ ବ୍ରହ୍ମୟୋ ମୁନେ !’’

- ଶ୍ରୀକୃଷ୍ଣକୁ ସେମାନେ ସ୍ୱ - ରମଣଂ ବିଦୁଃ - ବ୍ରହ୍ମୟୋ ନିବିଦୁଃ ।

 

ସ୍ତୂଳତଃ ଶ୍ରୀ ଗୀତଗୋବିନ୍ଦର ଶୃଙ୍ଗାର ରସ ବର୍ଣ୍ଣନାରେ ମହାକବି ଏହି ଗୂଢ଼ତତ୍ତ୍ୱ ପ୍ରଚାର କରିଅଛନ୍ତି । କାନ୍ତାଭାବରେ ଆତ୍ମନିବେଦନ ପୂର୍ବକ ଗୋପାଙ୍ଗାନାମାନଙ୍କର ଶ୍ରୀକୃଷ୍ଣ ପ୍ରାପ୍ତି ଘଟିଅଛି; - ଯେଉଁ ଶ୍ରୀକୃଷ୍ଣ ମାନବ ଦେହଧାରୀ ସ୍ୱୟଂ ଭଗବାନ୍‌ ।

 

‘‘ଗୋପୀନାଂ ତତ୍‌ପତିନାଞ୍ଚ ସର୍ବେଷାମେବ ଦେହିନାଂ

ଯୋଽନ୍ତଶ୍ଚରତି ସୋଽଧ୍ୟକ୍ଷଂ କ୍ରୀଡ଼ନେନେହ ଦେହଭାକ୍‌ ।।’’

(ଭାଗବତ ୧୦ମ)

 

ଗୋପାଙ୍ଗନା, ସେମାନଙ୍କ ସ୍ୱାମୀ ଏମନ୍ତ କି ଦେହୀମାତ୍ରର ହୃଦୟରେ ନିରନ୍ତର ବିହାରକାରୀ, ନିତ୍ୟ ବିରାଜମାନ, ସର୍ବସାକ୍ଷ, ସର୍ବଧ୍ୟକ୍ଷ ଭଗବାନ୍‌ କ୍ରୀଡ଼ା ନିମିତ୍ତହିଁ ମରଲୋକରେ ମାନବରୂପେ ଅବତୀର୍ଣ୍ଣ ।

ଏହାର ଅଭିନବତ୍ୱ ଏବଂ ପାରିମାର୍ଥିକତ୍ୱ ସମନ୍ଧେ ଭଟ୍ଟ ନୃସିଂହ କହିଛନ୍ତି :-

 

‘‘ଯେନ ରମ୍ୟତେ, ଯେନ ଅନୁକୁଳ ବେଦନୀୟତୟା ଦୁଃଖମପି ସୁଖ ତ୍ୱେନ ଅଭିମନ୍ୟତେ, ଯେନ ରସିକୈରହଂ କ୍ରିୟତେ, ଯେନ ଶୃଙ୍ଗମ୍‌ ଉଚ୍ଛୃୟୋ ଷେୟତେ, ସଖଳୁ ତାଦୃଶୋଽସ୍ତି . . . . . . . . ’’

 

ସାକ୍ଷାତ୍‌ ଶୃଙ୍ଗାର ମୂର୍ତ୍ତି ଏହି କୃଷ୍ଣ ଭଗବାନ୍‌ଙ୍କ ଶୃଙ୍ଗାର ଲୀଳା ବର୍ଣ୍ଣନ- ପ୍ରୋଜ୍ଜ୍ୱଳ ଶ୍ରୀ ଗୀତଗୋବିନ୍ଦ ଭକ୍ତ ଜୟଦେବଙ୍କର ଅଭୂତପୂର୍ବ ସଫଳ ସାଧନା ।

 

ରୁଚି - ସଂସ୍କାର

 

ମାନବ ସମାଜ ଯୁଗ - ରୁଚିର ବାହନ । ଯୁଗର ପରିବେଶ, ପରିସ୍ଥିତି ବା ପରିପ୍ରେକ୍ଷୀ ଯୁଗ ସୃଷ୍ଟିରେ ଆଣିଦିଏ ବିଶିଷ୍ଟତା - ବିଚିତ୍ରତା । ଯୁଗ ରୁଚି, ସୃଷ୍ଟି କରେ ମାନବ - ପ୍ରକୃତିର ପ୍ରେରଣା । ତେଣୁ କବି, କାବ୍ୟକାରର ଲେଖନୀରେ ରସ ଢାଳିଦିଏ ଯେଉଁ ଯୁଗ–ରୁଚି, ରସ ଗ୍ରହଣ ପାଇଁ ରସିକ ମଧ୍ୟ ସୃଷ୍ଟି କରିଦିଏ ସେଇ ଯୁଗ–ରୁଚି । ରସିକ ମନ ତାହାର ପରମ୍ପରାର ସଂସ୍କାର ଏବଂ ଚଳନ୍ତିକାର ରୁଚି ମିଶାଇ କବି - ରଚନାର ରସ ଆସ୍ୱାଦନ କରେ, ଅତି ସରଳ ଭାବରେ । ସେତେବେଳେ ମାନବର ରୁଚି ଔଚିତ୍ୟ ବା ଅନୌଚିତ୍ୟର ବିଚାରଠାରୁ ଦୂରରେ ରହି କେବଳ ଆସ୍ୱାଦନ କରେ ‘ରସ’ । ଯେଉଁ ଯୁଗର ରଚନା ସେହି ଯୁଗକୁ ବାହୁଡ଼ି ନ ଗଲେ ଶ୍ରୋତା ପାଠକଙ୍କ ପକ୍ଷେ ପୁରାଣ କବିଙ୍କ ରଚନାର ରସବୋଧ ସମ୍ଭବ ହେବ ନାହିଁ । ଯେ ଯୁଗର କାବ୍ୟ, ତାହା ସେ ଯୁଗର ପାଠକ ମନରେ ଆନନ୍ଦ ଦେଇପାରିଛି । ଆଜି ଯୁଗର ରୁଚି ବଦଳି ଯାଇଛି । ଏ ରୁଚି ବଦଳରେ କୌଣସି ଅସ୍ୱାଭାବିକତା ନାହିଁ; ତେଣୁ ଗୀତଗୋବିନ୍ଦ କେତେକ ପାଠକଙ୍କ ଦୃଷ୍ଟିରେ ଅଶ୍ଳୀଳ ଏବଂ ଅପାଠ୍ୟ ବୋଲି ପ୍ରଚାରିତ । ଏମାନେ ତାଙ୍କର ପ୍ରଚଳିତ ଦୃଷ୍ଟି ବା ରୁଚି ଘେନି ଗ୍ରନ୍ଥ ପାଠ ଓ ବିଚାରରେ ଦକ୍ଷ । କିନ୍ତୁ ଗୀତଗୋବିନ୍ଦ ରଚୟିତାଙ୍କ ପ୍ରାଣର ସ୍ପନ୍ଦନ ପ୍ରତି ସମ୍ୟକ୍‌ ଧ୍ୟାନ ଦେବା ପ୍ରୟୋଜନ । ଏ ସମ୍ୱନ୍ଧେ ଆମର ସଂସ୍କାର ଏବଂ ରୁଚି ଏ ଦୁଇଟି ଦିଗପ୍ରତି ଲକ୍ଷ୍ୟ ରଖିବା ସମୁଚିତ ।

 

‘ଗୀତଗୋବିନ୍ଦ’ରେ ରାଧା - ଗୋବିନ୍ଦଙ୍କ ରତିଲୀଳା ବର୍ଣ୍ଣିତ ହୋଇଅଛି । ସମସ୍ତ ଶ୍ରେଣୀର ରତି ଚେଷ୍ଟା ଶୃଙ୍ଗାର ରସର ଅନୁଭାବ । ସୂଚନା ଅନୁସାରେ ଏହି ରତି ଚେଷ୍ଟା ବା ଶୃଙ୍ଗାରର ଭଲ ମନ୍ଦ ବିଚାର କରାଯାଏ । ରୂପସୀର କଟାକ୍ଷ ରଚନା କିମ୍ବା ଅବଗୁଣ୍ଠନର ଅପସାରଣ ଇତ୍ୟାଦି ସମ୍ୱନ୍ଧେ ‘ସୁ’ - ‘କୁ’ ର ବିଚାର ଉଠିପାରେ ନାହିଁ । ଏ ବିଚାର କେବଳ ସେତିକିବେଳେ ଉଠିବ, ଯେତେବେଳେ ପ୍ରୋକ୍ତ କର୍ମମାନ ସୂଚନାମୂଳକ ହେବ । ପ୍ରେମ ଏବଂ କାମ ଉଭୟର ମୂଳରେ ଏ ସୂଚନା ରହିଛି ଏବଂ ଏ ସୂଚନାର ସ୍ୱଭାବ-ଆନନ୍ଦ । ରସର ଆନନ୍ଦ ଅଂଶରେ କାମ ଏବଂ ପ୍ରେମର ବିଚାରଧାରା ଏକ, ସମାନ । କିନ୍ତୁ ଉପାଧି ଅଂଶରେ ତାହା ଭିନ୍ନ ଭିନ୍ନ । ପ୍ରେମର ବିଭାଗ ଅପାର୍ଥିବ, କାମର ବିଭାଗ ପାର୍ଥିବ ।

 

ଚନ୍ଦ୍ର ନିଜେ କିରଣହୀନ । ସେ ସୂର୍ଯ୍ୟର କିରଣ-ଋଣୀ । ହେଲେ ମଧ୍ୟ ସେ କିରଣକୁ ‘ଚନ୍ଦ୍ରକିରଣ’ ବୋଲି କହିବା । ତାର ବର୍ଣ୍ଣନା ରୂପ ସତ୍ୟଭାବରେ ଉଦ୍‌ଭାସିତ ନୁହେଁ । ଏ କଥା ମଧ୍ୟ ସତ୍ୟ, କିନ୍ତୁ ତଥାପି ସେ କିରଣ ନିଶ୍ଚୟ ଆନନ୍ଦଦାୟୀ । କାମ ଓ ପ୍ରେମ-ଉଭୟରେ ସେହିପରି ଆନନ୍ଦ ଅଛି, ସଗୋତ୍ରତା ଅଛି । କାମରେ ମଧ୍ୟ ପ୍ରେମର ସତ୍ତା ଅଛି । କାମାଚାର ବର୍ଣ୍ଣନାରେ ତେଣୁ ଅଶ୍ଳୀଳତା ନାହିଁ ବୋଲି କୁହାଯିବ-ଯଦି ତାହା ରସ ସୃଷ୍ଟିର ଅନୁକୂଳ ହୁଏ । ଶ୍ଳୀଳାଶ୍ଳୀଳତା ସଂବାଦ ଘେନି ରୁଚି ବିଚାର ହିଁ ମୁଖ୍ୟ । ପ୍ରେମ ବା କାମ ଉଭୟ କ୍ଷେତ୍ରରେ ଆନନ୍ଦ ବିଦ୍ୟମାନ । ଆନନ୍ଦ ରୂପ ନାହିଁ, ବିଭାଗ ନାହିଁ, ବର୍ଣ୍ଣ ନାହିଁ-ସେ କେବଳ ଆନନ୍ଦରୂପେ ପରିଚିତ । ଆନନ୍ଦ ଭିନ୍ନ ପୃଥିବୀର ସତ୍ତା ଥାଆନ୍ତା କାହିଁ ? ସୃଷ୍ଟି ବା ଥାଆନ୍ତା କେଉଁଠି ?

 

‘‘କଃ ପ୍ରାଣ୍ୟାତ୍‌ଯଦେବ ଆକାଶ ଆନନ୍ଦୋ ନସ୍ୟାତ୍‌ ।’’

 

ଆନନ୍ଦ ହିଁ ରସ-ରସ ହିଁ ଆନନ୍ଦ । ଦୁହେଁ ସମାନ ବସ୍ତୁ । ସେଇ ଆନନ୍ଦର ପରମାନନ୍ଦ ହେଲେ ଗୋବିନ୍ଦ । ପ୍ରେମ ମଧ୍ୟରେ, କାମ ମଧ୍ୟରେ ବିଦ୍ୟମାନ ସେହି ପରମାନନ୍ଦ ଗୋବିନ୍ଦ ।

 

‘‘ଆନନ୍ଦ ଚିନ୍ମୟ ରସାତ୍ମତୟା ମନଃ ସୁ

ଯଃ ପ୍ରାଣୀନାଂ ପ୍ରତିଫଳନ୍‌ସ୍ମରତାମୁପେତ୍ୟ ।

ଲୀଳାୟି ତେନ ଭୁବନାନି ଜୟତ୍ୟଜସ୍ତଂ

ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି ।’’

(ବ୍ରହ୍ମ ସଂହିତା)

 

ମହାକବି ଏଇ ଗୋବିନ୍ଦଙ୍କ ରତିକେଳି ‘ଲୀଳା’ ଗାୟନ କରିଛନ୍ତି ‘ଶ୍ରୀ ଗୀତଗୋବିନ୍ଦ’ରେ । ଲୀଳା କଅଣ ? ପରମାନନ୍ଦମୟ କ୍ରୀଡ଼ା ଲୀଳା । ସୌନ୍ଦର୍ଯ୍ୟମୟ ଭଗବତ୍‌ସମ୍ବନ୍ଧୀ ଯାବତ୍‌କ୍ରିୟାର ନାମ କ୍ରୀଡ଼ା ବା ଲୀଳା ।

 

‘‘ସର୍ବ୍ଦାଦ୍‌ଭୁତ-ଚମତ୍କାର-ଲୀଳା-କଲ୍ଲୋଳ-ବାରିଧିଃ !’’

(ହରିଭକ୍ତି ରସାମୃତ-ସିନ୍ଧୁ)

 

ତେଣୁ ଯଦି କୁହାଯାଏ, ‘ଗୀତଗୋବିନ୍ଦ’ କାମାଚାର ବର୍ଣ୍ଣନାରେ ପୂର୍ଣ୍ଣ, ତେବେ ଏ କଥା ବୁଝିବାକୁ ହେବ ଯେ, କାମ ମଧ୍ୟରେ ପ୍ରେମର ଅତୁଟ ସ୍ପର୍ଶ ବିଦ୍ୟମାନ । ରସ ସୃଷ୍ଟିର ଅନୁକୂଳତା ବ୍ୟଞ୍ଜକ କାମାଚାର ବର୍ଣ୍ଣନା ଅଶ୍ଳୀଳ ବୋଲାଇ ନପାରେ । ‘ଗୀତଗୋବିନ୍ଦ’ ପାଇଁ ସହୃଦୟ’’- ଏଇ ବିଚାରରେ ଗୀତଗୋବିନ୍ଦ ରସାନୁଭୂତିଶୀଳ ସହୃଦୟ ଜନରୁ ପାଠ୍ୟରୂପେ ନିର୍ଦ୍ଦେଶିତ ।

 

ଶ୍ଳୀଳ-ଅଶ୍ଳୀଳ ବିଚାର ରୁଚିବୋଧ ଉପରେ ନିର୍ଭର କରେ । ସଂସ୍କାର ଏବଂ ରୁଚି ମିଶାଇ ସହୃଦୟ ରସିକ କାବ୍ୟରସ ସହଜରେ ଆସ୍ୱାଦନ କରନ୍ତି । ସଂସ୍କାର ଏବଂ ରୁଚି ଦୁଇଟି ଏକ ବସ୍ତୁ ନୁହେଁ ।

 

ସଂସ୍କାର ହେଲା - ପରମ୍ପରାର ମୁଦ୍ରାଙ୍କ ।

ରୁଚି ହେଲା - ପ୍ରଚଳିତର ଛାପ ।

 

ଏହାର ଉଦ୍‌ଭବ ଘଟେ ଶିକ୍ଷାରୁ । ସଂସ୍କାର - ସହଜାତ, ସ୍ୱଭାବଜ । ପୂର୍ବ ଅନୁଭୂତି ସୃଷ୍ଟିକରେ ସଂସ୍କାର । ରୁଚି-ଶିକ୍ଷା ଏବଂ ସମାର୍ଜନାର ପରିପାକ । ସୁତରାଂ ରୁଚି ଏବଂ ସଂସ୍କାର ସମାନ ଅର୍ଥ ପ୍ରକାଶକ ନୁହେଁ । ଏଇ ବିଚାରରୁ ଏକ ବିସ୍ତୃତ ଯୁଗର ସମ୍ମାନିତ ଔଚିତ୍ୟ, ସମାର୍ଜିତ ରୁଚିର ସଂସ୍କାର ଘେନି ଅନ୍ୟ ଯୁଗର ସମାଦର ଲାଭ କରେ । ସୁନୀଳ ଆକାଶବକ୍ଷର ଶାରଦୀୟ ରାକାଶଶି ଜଳାଶୟରେ ନିଜର ପ୍ରତିବିମ୍ବ ପ୍ରତିଫଳିତ କରାଇପାରେ ସିନା ! ଅନ୍ୟଥା ପଙ୍କିଳ, ଚଞ୍ଚଳ ଜଳ ଅଙ୍କରେ ତାର ସ୍ଥିତି କାହୁଁ ସମ୍ଭବ ହେବ ? ରସ ସେହିପରି ନିଜର ଆତ୍ମପ୍ରକାଶର ଅବକାଶ ଲାଗି ଅପେକ୍ଷା କରେ ସହୃଦୟର ନିର୍ମ୍ମଳ ଚିତ୍ତାକାଶ ।

 

ପ୍ରତିବିମ୍ବିତ ଚନ୍ଦ୍ରର ଶୋଭା ହରଣ କରେ ରସିକର ଚିତ୍ତ । ଚନ୍ଦ୍ରର ପ୍ରଭା,-ଯାହା ପ୍ରତିବିମ୍ବିତ ଚନ୍ଦ୍ରର ଚତୁର୍ଦ୍ଦିଗ ଘେରି ରହିଥାଏ, ତାହାପ୍ରତି ଦୃଷ୍ଟି ପାତର ଅବକାଶ ନଥାଏ ରସିକର । ରସର ସ୍ୱୟଂ ପ୍ରକାଶ ସେହିପରି ସହୃଦୟ ଚିତ୍ତରେ ରସ-ସଂବେଦନ ସୃଷ୍ଟି କରେ । ବିଭାବ, ଅନୁଭାବ ବା ସଂଚାରୀଭାବ ଚନ୍ଦ୍ରବେଷ୍ଟିତ ଛାୟାଭଳି ଗୌଣ । କେବଳ ରସାନୁଭୂତିହିଁ ଏଠାରେ ମୁଖ୍ୟ । ଚନ୍ଦ୍ର ସୁନ୍ଦର, -ତା’ର ପ୍ରତିବିମ୍ବ ତେଣୁ ସୁନ୍ଦର । ଶ୍ଳୀଳତା-ଅଶ୍ଳୀଳତା ବିଚାର ଚନ୍ଦ୍ରର ଚତୁର୍ଦ୍ଦିଗରେ ବେଷ୍ଟିତ କିରଣମାଳା ଭଳି ଅନୁଭାବ ମାତ୍ର । ସୂଚନା ବା ନିର୍ଦ୍ଦେଶନା ଘେନି ଶ୍ଳୀଳ-ଅଶ୍ଳୀଳ ବିଚାର କରାଯାଏ । ମୁଖ୍ୟ ରସରେ ତାହାର ସ୍ଥାନ ନ ଥାଏ । ବସ୍ତୁର ‘ସୂଚକ’ ବିଚାର ହିଁ ଯଥେଷ୍ଟ ।

 

ଏହିଠାରେ ଉଠେ ‘ସଂସ୍କାର’ ଏବଂ ‘ରୁଚି’ ର ପ୍ରଶ୍ନ ।

 

ଗୀତିକାବ୍ୟ

 

ଗୀତଗୋବିନ୍ଦ ଗୀତିକାବ୍ୟ । କାବ୍ୟଧର୍ମୀ ରସାଳଚୂଳରେ ଗୀତଧର୍ମୀ ବାସନ୍ତୀକ ଜୀବନଭରା ସରସ ସ୍ପର୍ଶ, ମୁକୁଳାଇ ଦେଇଛି ରସିକ ମଧୁକର ମନଭୁଲା-ନବ ବକୁଳର ଭାବାତିରେକ ବିକାଶ । ଗୀତିଧର୍ମରେ ତତ୍ତ୍ୱର ସ୍ଥାନ ଅତି ନଗଣ୍ୟ । ଅଙ୍ଗଭାବ, ତତ୍ତ୍ୱହିଁ ଏହାର ଜୀବନ । ଭାବ ପ୍ରାଧାନ୍ୟ ସହିତ ଓତପ୍ରୋତ ଭାବେ ଅଙ୍ଗରେ ତା’ର ଜଡ଼ ରହିଛି ଗାୟନର ବର୍ଣ୍ଣାଢ଼୍ୟ ମାଧୁରୀ ।

 

କବି ସଙ୍ଗୀତଜ୍ଞର ବ୍ୟକ୍ତିଗତ ଅନୁଭୂତିରୁ ଅଭିବ୍ୟକ୍ତ ଭାବର ସୁସ୍ପଷ୍ଟ ରଚନା ନ ଥିଲେ, ପାଠକ ବା ଶ୍ରୋତା ହୃଦୟରେ ସେ ରଚନାର ବାସ୍ତବ ମର୍ମର ଛାୟାପାତ ଦୂରେ ଥାଉ, କବି ସେ ସ୍ଥଳରେ ହେବେ ପାଠକ-ଶ୍ରୋତାର ଏକାନ୍ତ ଉପହାସ ପାତ୍ର । ଏଥିପାଇଁ କୁହାଯାଇଛି :-

 

‘‘ଅବଧାନାତିଶୟବାନ୍‌ ରସେତତ୍ରୈବ ସତ୍‌କବିଃ

ଭବେତ୍ତସିନ୍‌ ପ୍ରମାଦୋହି ଝଟିତ୍ୟେବୋପଲକ୍ଷ୍ୟତେ ।’’

                  (କାବ୍ୟାଲୋକ- ୩ୟ ଉଦ୍ୟୋଗ ୨୯)

 

ରସବିଦଗ୍‌ଧ କବି ପରୋକ୍ଷନୁଭୂତିକୁ ପ୍ରତ୍ୟାକ୍ଷାନୁଭୁତିରୂପେ ମଧ୍ୟ ସଫଳତା ସହ ଅଙ୍କିତ କରି ପାରନ୍ତି- ଏହା ଅସମ୍ଭବ ନୁହେଁ । ମନୁଷ୍ୟ କୌଣସି ଅସାଧାରଣ କିମ୍ୱା ବିଚିତ୍ର ବସ୍ତୁ ବା କ୍ରିୟା ଦେଖିଲେ ତହିଁରୁ ଉପଲବ୍‌ଧ ଆନନ୍ଦ କେବଳ ନିଜେ ଭୋଗ କରି ସନ୍ତୁଷ୍ଟ ହୋଇ ରହିପାରେ ନାହିଁ, ଅନ୍ୟକୁ ସେ ଆନନ୍ଦ ବାଣ୍ଟି ସେ ସନ୍ତୋଷ ଲାଭ କରେ । ଏହାହିଁ ମାନବ ଧର୍ମ । ମାନବର ମନ, ତା’ର ଆତ୍ମାର ଭାବ ସହିତ ସମଧର୍ମୀ କୌଣସି ବସ୍ତୁକୁ ନିଜେ ଏକାଏକ ଉପଭୋଗ ନ କରି ସେହି ଭାବକୁ ଅପରର ହୃଦୟରେ ଭରିଦେବାଲାଗି ସତତ ଲାଳାୟିତ । ଆନନ୍ଦ ସଂଗ୍ରହରେ ନୁହେଁ, ଆନନ୍ଦ-ବିତରଣରେ । ଭାବର ପ୍ରକାଶନ, ଭାବ ଗୋପନରେ ନୁହେଁ- ଭାବର ବିଚ୍ଛୁରଣରେ । ସତ୍‌ ସାହିତ୍ୟ ବା ବାକ୍ୟର ଏହା ହିଁ ଧର୍ମ ।

 

ଲୋକଚିତ୍ତରେ ଗୀତିକାବ୍ୟ ସହଜରେ ଏହି ଧର୍ମ ପ୍ରଚାର ଲାଗି ସମର୍ଥ । ଭାବର ତୀବ୍ରତାରେ ଗଢ଼ା ଗୀତର ଆତ୍ମା । ଛନ୍ଦ ଓ ବାଣୀର ମଧୁର ସମନ୍ୱୟରେ ଭାବର ଅକ୍ଲେଶ ପ୍ରକାଶନ ହିଁ ଗୀତର ସ୍ୱାର୍ଥକତା ।

 

ଏହିରୂପ ଗୀତି ଏବଂ କାବ୍ୟର ଯୁଗଳ-ବନ୍ଧ ଆମର ଗୀତଗୋବିନ୍ଦ । ଗୀତଗୋବିନ୍ଦ ଗୀତିକାବ୍ୟଟି ରାଧା-କୃଷ୍ଣଙ୍କ ବିବିଧ ଲୀଳାର ଶୃଙ୍ଗାର ଚିତ୍ରରେ ପ୍ରୋଜ୍ଜ୍ୱଳ । ରାଧାଙ୍କର ବିପ୍ରଲମ୍ଭ ଓ ସମ୍ଭୋଗ ଶୃଙ୍ଗାରର ସୁନ୍ଦର ବର୍ଣ୍ଣନା କରି ଜୟଦେବଙ୍କ ଆବିର୍ଭାବର ପ୍ରାୟ ଏକ ଶତାବ୍ଦୀ ପୂର୍ବେ ମହାକବି କ୍ଷେମେନ୍ଦ୍ର ପ୍ରଣୀତ ଦଶାବତାର ଚରିତରେ ଦେଖିବାକୁ ମିଳେ । ଏ ଗ୍ରନ୍ଥରେ ରାଧାଙ୍କୁ ଶ୍ରୀକୃଷ୍ଣଙ୍କର ଶ୍ରେଷ୍ଠା ପ୍ରେୟସୀ ବୋଲି ବର୍ଣ୍ଣିତ ହୋଇଅଛି- ଯଥା:-

 

‘‘ପ୍ରୀତ୍ୟୈ ବଭୁବ କୃଷ୍ଣସ୍ୟ ଶ୍ୟାମାନିଚୟ ଚୁମ୍ବୀନଃ

ଜାତି ମଧୁକରସ୍ୟେବ ରାଧୈବାଧିକ ବଲ୍ଲଭା ।’’

 

ଫୁଲ ତ ଅନେକ ପ୍ରକାରର ଅଛି । ଥିଲେ ହେଲେ, ଭ୍ରମରର ଆଦର ଜାତୀ (ଜାଇ) ଫୁଲଠାରେ ଅଧିକ । ସେହିପରି ବହୁ ଗୋପବାଳା ମଧ୍ୟରେ ଥାଇ ସୁଦ୍ଧା ରାଧା ହିଁ ଶ୍ରୀକୃଷ୍ଣଙ୍କର ସମସ୍ତଙ୍କଠାରୁ ବଳି ପ୍ରିୟପାତ୍ରୀ ।

                                          (ଦଶାବତାର ଚରିତ)

 

ଏହିପରି ଶୃଙ୍ଗାର ରସସିକ୍ତ ବହୁ ସରସ ବର୍ଣ୍ଣନା କ୍ଷେମେନ୍ଦ୍ରଙ୍କ କାବ୍ୟରେ ଦୃଷ୍ଟହୁଏ । ରଚନା ମଧ୍ୟ ସରଳ, ସୁନ୍ଦର, କୋମଳ ପଦଯୁକ୍ତ । ତେଣୁ ଗୀତଗୋବିନ୍ଦକାରଙ୍କ ବହୁ ପୂର୍ବରୁ ରାଧା-କୃଷ୍ଣଲୀଳା-ମାଧୁାରୀରେ ରସାୟିତ କାବ୍ୟ ରଚିତ ହୋଇଥିବାର ପ୍ରଣାମ ମିଳେ । ମହାକବି କ୍ଷେମେନ୍ଦ୍ରଙ୍କ କାବ୍ୟ ପାଠକଲେ ମନରେ ଏପରି ଧାରଣା ଜନ୍ମେ; ଯେପରି ଭକ୍ତକବି ଜୟଦେବ ତାଙ୍କଦ୍ୱାରା ସଂପୂର୍ଣ୍ଣରୂପେ ନୋହିଲେହେଁ କେତେକାଂଶରେ ପ୍ରଭାବିତ ।

 

ବସନ୍ତ-ରାସ ବା ବୃନ୍ଦାବନରେ ଗୋପୀ ଏବଂ କୃଷ୍ଣଙ୍କର ବସନ୍ତୋତ୍ସବର ପୃଷ୍ଠଭୂମି ଉପରେ ଗୀତକାବ୍ୟଟି ରସାୟୀତ । କ୍ଷେମେନ୍ଦ୍ରଙ୍କର ‘‘ଉଷା-ଅନିରୁଦ୍ଧ’’ ପ୍ରେମବର୍ଣ୍ଣନାରେ ବସନ୍ତକାଳ ସମାଗମକୁ ମଧ୍ୟ ପ୍ରଥମ ଓ ପ୍ରଧାନ ସ୍ଥାନ ଦିଆ ଯାଇଅଛି । ରାସୋତ୍ସବରେ ପୁଣି କ୍ଷେମେନ୍ଦ୍ରଙ୍କ ପ୍ରସ୍ତୁତ ରୀତି ଗୀତଗୋବିନ୍ଦରେ ଦେଖାଯାଏ । ଶ୍ରୀମଦ୍‌ଭାଗବତରେ ଶରଦ୍‌ରାସଲୀଳା ବର୍ଣ୍ଣିତ । କ୍ଷେମେନ୍ଦ୍ର କିନ୍ତୁ ସରସ ବସନ୍ତ ଋତୁକୁ କାବ୍ୟରସର ପୃଷ୍ଠଭୂମି ରୂପେ ଗ୍ରହଣ କରିଅଛନ୍ତି । ଏହି ପରମ୍ପରା ଗୀତଗୋବିନ୍ଦରେ ସଂରକ୍ଷିତ । କ୍ଷେମେନ୍ଦ୍ରଙ୍କ କାବ୍ୟ-ମଧ୍ୟ-ସ୍ଥିତ ଏକ ବିଶିଷ୍ଟ ଅଷ୍ଟପଦ ସମ୍ବଳିତ ସଙ୍ଗୀତୋପଯୋଗୀ ଲଳିତ ପଦଯୁକ୍ତ ରଚନା ଦେଖାଯାଏ । କ୍ଷୁଦ୍ର କ୍ଷୁଦ୍ର ଚରଣମଣ୍ଡିତ ଏହି ମଧୁର ଶୃଙ୍ଗାରୀ ରଚନା ଦେଖିଲେ ଗୀତିକାବ୍ୟ ଗୀତଗୋବିନ୍ଦର ଅମର କବି ଯେ ଏହାର ରୂପ-ରସ-ଛନ୍ଦରେ ପ୍ରଭାବିତ ହୋଇ ନ ଥିବେ, ମନରେ ସ୍ୱତଃ ଏଭଳି ଦ୍ୱନ୍ଦ ଆସେ ।

 

ମହାକବି କ୍ଷେମେନ୍ଦ୍ରଙ୍କର ଏହିଭଳି ଏକ ରଚନାରୁ କେତୋଟି ପଦ ଦୃଷ୍ଟାନ୍ତ ସ୍ୱରୂପ ଉପସ୍ଥାପିତ କରାଯାଉଅଛି :-

 

‘‘ଲଳିତ-ବିଳାସ କଳା ସୁଖ ଖେଳନ

ଲଳନା ଲୋଭନ ଶୋଭନ ଯୌବନ

ମାନିତ ନବ ମଦନେ ।

ଅଳିକୁଳ କୋକିଳ କୁବଳୟ କଜ୍ଜ୍ୱଳ

କାଳକଳିନ୍ଦସୁତା ବିବଲଜ୍ଜଳ

କାଳୀୟକୁଳ ଦମନେ ।’’ ଇତ୍ୟାଦି ।

 

ରାଗ-ତାଳ ନିର୍ଦ୍ଦେଶ ନ ଥିଲେ ମଧ୍ୟ ଏ ରଚନାଟି ଗାୟନର ସଂପୂର୍ଣ୍ଣ ଉପଯୋଗୀ । ଏଥିରେ ଉପଧା ଓ ପଦାନ୍ତର ଅକ୍ଷର-ମିଳନ ରୀତି ସ୍ପଷ୍ଟ । ଗୀତଗୋବିନ୍ଦରେ ଏପରି ରଚନା ଅଧିକରୁ ଅଧିକ । କ୍ଷେମେନ୍ଦ୍ରଙ୍କ ଦଶାବତାର କାବ୍ୟରେ ଅନ୍ୟତ୍ର ମଧ୍ୟ ଏହିପରି ବହୁ କୋମଳକାନ୍ତ ପଦାବଳୀ ବିମଣ୍ଡିତ ଶୃଙ୍ଗାରରସାଶ୍ରିତ ରଚନା ଦୃଷ୍ଟ ହୁଏ । ମାତ୍ର ଏଗୁଡ଼ିକର ରସାନୁସାରେ ରାଗ-ତାଳ ନିର୍ଦ୍ଦେଶ କାବ୍ୟରେ ଲିଖିତ ନୁହେଁ;- ତଥାପି ଏହାକୁ ଗୀତିକାବ୍ୟ ଆଖ୍ୟା ଦିଆଯାଇପାରେ ।

 

ଜୟଦେବ ଗୀତଗୋବିନ୍ଦର ଗୀତଗୁଡ଼ିକରେ ରସାନୁସାରୀ ରାଗ ଏବଂ ଗାୟନର ଛନ୍ଦ ନିୟନ୍ତ୍ରଣ ଲାଗି ଯଥାବିହିତ ତାଳ-ନିର୍ଦ୍ଦେଶ କରିଦେଇଛନ୍ତି । ବସ୍ତୁତଃ ଗୀତିକାବ୍ୟର ଗାୟନ-ଅଙ୍ଗର ବିକାଶକଳ୍ପେ ଏପରି କରାଯାଇଅଛି ।

 

ମାନବ ମଧ୍ୟରେ ଦେବତାର ଦର୍ଶନ ମିଳିଛି ବାଲ୍ମୀକି-ଯୁଗରେ । ଦେବଲୀଳାରେ ମର-ମାନବ ସଂପର୍କର ସନ୍ଧାନ ମିଳିଛି କାଳିଦାସଙ୍କ ଯୁଗରେ । କିନ୍ତୁ ଦେବ-ମାନବର ଅଭେଦତ୍ୱର ଚିତ୍ରାଙ୍କର ଜୟଦେବ ପ୍ରଥମ । ପ୍ରାକୃତ ଏବଂ ଅପ୍ରାକୃତ ଲୀଳାବର୍ଣ୍ଣିତ, ସଂସ୍କୃତ ଛନ୍ଦ ଏବଂ ପ୍ରାକୃତ ଅପଭ୍ରଂଶ ରାଗ-ସମ୍ମୀଳନରେ ରଚିତ ସର୍ବପ୍ରଥମ, ସର୍ବଜନଦୃତ ଗୀତିକାବ୍ୟ ‘ଗୀତଗୋବିନ୍ଦ’ ଏହାର ପ୍ରକୃଷ୍ଟ ନିଦର୍ଶନ ।

 

ଗୀତିନାଟ୍ୟ

 

ଆଉ ଗୋଟିଏ ବିଶେଷ ଦିଗପ୍ରତି ଦୃଷ୍ଟି ଆକର୍ଷଣ କରାଯାଇପାରେ । ଗୀତଗୋବିନ୍ଦ ଗୀତିକାବ୍ୟ ମଧ୍ୟରେ ନାଟ୍ୟ-ଧର୍ମ-ପରିକଳ୍ପନାର ପ୍ରଚ୍ଛନ୍ନ ମଧୁର ସମ୍ବାଦ ମିଳେ । ନାଟ୍ୟ ହିଁ ନାଟକ । ଗୀତ ଯେଉଁ ନାଟକର ମୁଖ୍ୟ ଅଙ୍ଗ; ଅର୍ଥାତ୍ ଯାହା ଗୀତ-ବହୁଳ, ତାହାକୁ ଗୀତି-ନାଟ୍ୟ ବୋଲାଯାଏ । ନାଟକୀୟ ବୃତ୍ତି ରୀତି ଘେନି ଏହା ମଧ୍ୟ ପରିଚାଳିତ ।

 

ନାଟକ ବା ଗୀତନାଟ୍ୟ ‘ରୂପକ’ ଶ୍ରେଣୀର ଅନ୍ତର୍ଗତ ।

‘‘କାବ୍ୟେଷୁ ନାଟକଂ ରମ୍ୟମ୍‌ ।’’

 

ଗୀତନାଟ୍ୟ ପୁଣି ଆହୁରି ହୃଦୟସ୍ପର୍ଶୀ; କାରଣ ଏହା ଗୀତବହୁଳ । ସଙ୍ଗୀତ, ମନୁଷ୍ୟ ଜନ୍ମର ସହଚର । ମନୁଷ୍ୟ ସଙ୍ଗୀତ ସହିତ ପୃଥିବୀକୁ ଆସିଛି । ସ୍ୱର ଏବଂ ସାହିତ୍ୟ ଏକତ୍ର ମିଶି ଦୃଶ୍ୟ ଏବଂ ଶ୍ରାବ୍ୟରୂପେ ରଙ୍ଗମଣ୍ଡପରେ ମାନବର ଗତିମାନ ଜୀବନର ପ୍ରତିଚ୍ଛବିକୁ ମୁର୍ତ୍ତିମାନ କରି ସହୃଦୟ ରସିକଙ୍କ ନୟନ ସମ୍ମୁଖରେ ପ୍ରତିଷ୍ଠା କରାଇଦିଏ ।

 

ଗୀତିନାଟ୍ୟକୁ ଓଡ଼ିଶାରେ ଆମେ କହୁଁ ଲୀଳା, ଯାତ୍ରା ବା ସୁଆଙ୍ଗ । ସଙ୍ଗୀତ ବହୁଳତା ହେତୁ ସହଜରେ ଓ ବିନା ଆୟାସରେ ଏହା ଜନମନରେ ନିଜର ଆସନ ପାତିବସେ । ଏକେ ଚତୁର ଭକ୍ତକବି ଜୟଦେବ ଛନ୍ଦରେ ସ୍ୱର, ତାଳ ଯୋଗାଡ଼ି ରଚନାକୁ ମଧୁର କରିଛନ୍ତି;- ଯାହା ଏକ ଅଭିନବ ସର୍ଜନା, ତହିଁଉପରେ ପୁଣିଉପରେ ପୁଣି ଗୀତିକାବ୍ୟଟି ଗୀତିନାଟ୍ୟର ଛାଞ୍ଚରେ ଗଢ଼ି ଆଉ ଏକ ନବୀନ ରଙ୍ଗ ପ୍ରଲେପରେ ତାହାକୁ ମଧୁରତର କରିଦେଇଛନ୍ତି । ତେଣୁ କହିବାକୁ ହେବ ଯେ ଜୟଦେବ ଏକାଧାରରେ ରସିକ, ଭକ୍ତକବି, ଗୀତିକାର, ସଙ୍ଗୀତଜ୍ଞ ଏବଂ ନାଟ୍ୟକାର ମଧ୍ୟ । ଏ ଘେନି ତାଙ୍କୁ ଜାତିସ୍ୱର ଓ ଯୁଗସ୍ରଷ୍ଟା ବା ଯୁଗ-ପ୍ରବର୍ତ୍ତକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ସଂସ୍କୃତ ନାଟକମାନ ପୂର୍ବେ ରଙ୍ଗରୁ ଆରମ୍ଭ ହୁଏ । ଏହାକୁ ମଧ୍ୟ କୁହାଯାଏ, ମଙ୍ଗଳାଚରଣ । ଗୀତଗୋବିନ୍ଦର ପ୍ରଥମ ଶ୍ଳୋକ ‘ମେଘୈର୍ମେଦୁରମମ୍ବରଂ,.’ ହିଁ ଏହାର ପ୍ରସ୍ତାବନା-

 

ଗୀତିକାବ୍ୟଟିରେ ମୋଟ ଗୀତସଂଖ୍ୟା ଚବିଶ ଗୋଟି । ପ୍ରଥମ ଦୁଇଟି ଗୀତ ମଙ୍ଗଳାଚରଣ ରୂପେ ଗ୍ରହଣ କରାଯାଇପାରେ । ଏପରି ରୀତି ଓଡ଼ିଶାରେ ଗୀତନାଟ୍ୟ, ଲୀଳା ବା ରାସରେ ଅବଧି ସୁଦ୍ଧା ପ୍ରଚଳିତ । ଏହି ଲୀଳାରେ ପ୍ରଥମ ବୀଣାପାଣିଙ୍କର ଅନୁଗ୍ରହଲାଭ ଉଦ୍ଦଶ୍ୟରେ ନଟନଟୀଙ୍କର ସମବେତ ବା ବୃନ୍ଦସଂଗୀତ ଗାଇବାର ରୀତି ପ୍ରଚଳିତ । ଗୀତଗୋବିନ୍ଦରେ ଏହିପରି ବୃନ୍ଦ-ଗାୟନ ରୀତି ବିଦ୍ୟମାନ । ଅଳ୍ପ କେତେକ ବର୍ଷ ହେବ, ଏହି ବୃନ୍ଦ ଗାୟନର ରୀତି କ୍ରମେ ଊଣା ହୋଇ ଆସିଲାଣି ।

 

ଯୁଗ-ରୁଚିର ପ୍ରଗତି ଅନୁସାରେ ମଞ୍ଚକଳାର ପରିବର୍ତ୍ତନ ଅବଶମ୍ଭାବୀ । ଲୀଳାଯାତ୍ରାର ଆଦର ଓଡ଼ିଶାରେ ଊଣା ନୁହେଁ-ଅବଧି ମଧ୍ୟ ଏହା ଜନତାର ସମାଦର ହରାଇ ନାହିଁ । ଶତାବ୍ଦୀ ବା ତହିଁ ପୂର୍ବେ ରୀତି ସମ୍ବନ୍ଧେ କହି ନୋହିଲେ ହେଁ ପଚାଶ ଷାଠିଏ ବର୍ଷଠାରୁ ଅବଧି ଯେଉଁ ଲୀଳା-ଯାତ୍ରା ପ୍ରଦର୍ଶିତ ହେବାର ଦେଖାଯାଏ, ତହିଁରେ ମଧ୍ୟ ଭୂରିଭୂରି ପରିବର୍ତ୍ତନ ଲକ୍ଷଣୀୟ । ଆଜିର ଲୀଳାଯାତ୍ରାରେ ସେତେବେଳେର ମୁଖ୍ୟ ଭୂମିକାଗ୍ରହୀତା ‘ଦ୍ୱାରୀ’ ନାହିଁ, ସେ ମୁଦୁସୁଲୀ ଅପା’ ନାହିଁ, ସେ ‘ନାରଦ’ ନାହିଁ, ଏପରିକି ଗତ ଦୁଇଦଶକ ତଳର ସେ ‘ମୁଲକଫେରି‘ ବାସେ ‘ହାଡ଼ି-ହାଡ଼ିଆଣି’ ଭୂମିକା-ବର୍ତ୍ତମାନ ଅଚଳ । ଲୀଳା-ଯାତ୍ରା ବା ‘ଅପେରା’ ଆଧୁନିକ ରଙ୍ଗ ଅନୁସରଣ କରି ପରମ୍ପରା ରୀତିଠାରୁ ଦୂରେଇଲାଣି । ଏଥିରେ ନାଟକ ଏବଂ ଚଳଚିତ୍ରର ଛାଇ ପଡ଼ିଲାଣି । ଆମ୍ଭେମାନେ ଦେଖିଛୁଁ ଏବଂ ଶୁଣିଛୁଁ ଯେ ଲୀଳାର ବିଷୟ-ବସ୍ତୁ ପ୍ରଦର୍ଶନ ପୂର୍ବରୁ ସମବେତ କଣ୍ଠରେ ବାଣୀ-ବନ୍ଦନା ଏବଂ ଗଣପତି-ଆରାଧନା ଗୀତ ହେଉଥିଲା । ଏପରି ଗୀତ କାହାରି କାହାରି ସ୍ମରଣ ମଧ୍ୟ ଥାଇପାରେ । ଚଳଚିତ୍ରର ସେହିପରି ଗୀତରୁ ପଦେ ଉଦାହରଣ ସ୍ୱରୂପ ଲେଖା ଯାଇଅଛି-

 

‘‘ଅଇଲେ ସରସ୍ୱତୀ ନିର୍ମଳ ମନେ

ରତନ ବିଭୂଷିତା କୁଣ୍ଡଳ-କର୍ଣ୍ଣେ ।

ଗଳାରେ ଗଜମୋତି ମୁକୁତା ହାର

ଦିଅ ମା ସରସ୍ୱତୀ ବିଦ୍ୟାଭଣ୍ଡାର ।’’ ଇତ୍ୟାଦି......

ରାସଦଳରେ ମଧ୍ୟ ଏହିପରି ରୀତିରେ ପ୍ରଥମେ ଗୁରୁବନ୍ଦନା ଗୀତ ହେଉଥିଲା:-

‘‘ଅଜ୍ଞାନ-ତିମିରେ ଚକ୍ଷୁ ଅନ୍ଧକାର ଥିଲା

ଜ୍ଞାନାଞ୍ଜନ ଦେଇ ଯେହୁ ପ୍ରକାଶ କରିଲା ।’’ ଇତ୍ୟାଦି...

ଏହୀପରି ବହୁସ୍ଥଳରେ ମଧ୍ୟ ଗୀତ ହୁଏ:-

‘‘ଜୟ ଜୟ ବ୍ରଜସୁନ୍ଦର ମନ୍ଦରଧର

ମୁନିଜନରଞ୍ଜନୁଆ ।’’ ଇତ୍ୟାଦି...

ଏହାକୁ ‘ମଙ୍ଗଳାଚରଣଗୀତ’ ବୋଲି ମଧ୍ୟ କୁହାଯାଏ ।

 

ସେହିପରି ଗୀତଗୋବିନ୍ଦର ‘ପ୍ରଳୟ ପୟୋଧିଜଳେ’ ଏବଂ ‘ଶ୍ରିତ କମଳା କୁଚମଣ୍ଡଳ’ ଗୀତ ଦୁଇଟି ଗୀତିନାଟ୍ୟର ମଙ୍ଗଳାଚରଣ । ପୂର୍ବ-କଥିତ ବୃନ୍ଦଗାୟନ ରୀତି ମଧ୍ୟ ଏଥିରେ ଦେଖା ଯାଉଅଛି :-

 

‘‘ତବ ଚରଣେ ପ୍ରଣତାବୟ ମିତି ଭାବୟ......’’

 

ଏହାପରେ ଆସେ ‘ଲଳିତ ଲବଙ୍ଗଲତା’ ଗୀତଟି-ଯାହାର ପ୍ରଥମାଂଶ ଦୃଶ୍ୟସଜ୍ଜା ବର୍ଣ୍ଣନା ବୋଲି କୁହାଯାଇପାରେ । ଲୀଳାରେ କୌଣସି ନଟ ବା ନଟୀର ପରିଚୟ ଅବସ୍ଥା ବା ସ୍ଥଳ କାଳ ଏବଂ ଦୃଶ୍ୟ ବର୍ଣ୍ଣନାତ୍ମକ ଏପରି ଗୀତ ମଧ୍ୟ ପ୍ରଚଳିତ ଥିଲା । ଯେପରି କଂସ ଭୂମିକାର ନଟ ମଞ୍ଚ ପ୍ରବେଶ କରି ଗାଉଥିଲେ :-

 

‘‘କେଡ଼େ ଶୋଭାରେ, ମୋ ମଥୁରା କଟକ......’’ ଇତ୍ୟାଦି ।

 

ଆହୁରି ମଧ୍ୟ ପ୍ରୋକ୍ତ ଗୀତଟି ସଖୀର ଶ୍ରୀରାଧାଙ୍କ ପ୍ରତି ଉକ୍ତି । କାରଣ କବି ତତ୍‌ପୂର୍ବରୁ କହିଛନ୍ତି - ‘‘ସରସମିଦମୁଚେ ସହଚରୀ’... ।

 

ଶେଷ ଗୀତଟି ‘ନିଜଗାଦ ସା ଯଦୁନନ୍ଦନେ’ । ଏହା ନାୟିକାନଟୀର ତତ୍କାଳିନ କର୍ମ ଓ ଭାବ ସୂଚନା ବା Business ରୂପେ ଧରାଯାଇପାରେ ।

 

ଏହିପରି ପ୍ରଥମରେ ଦୁଇଟି ଏବଂ ଶେଷରେ ଗୋଟିଏ ଗୀତ ଛାଡ଼ିଦେଲେ ବାକୀ ଏକୋଇଶ ଗୋଟି ଗୀତ ନାଟନଟୀମାନଙ୍କର ସଂଳାପ ବା ବଚନିକା । ଏଥି ମଧ୍ୟରୁ ସର୍ବାଧିକ ଗୀତ ଦଶଗୋଟି ସଖୀମୁଖର, ଆଠ ଗୋଟି ଗୀତ ଶ୍ରୀରାଧାଙ୍କର ।

 

ଶ୍ଳୋକଗୁଡ଼ିକ ବିଷୟ ବସ୍ତୁର ସଂଯୋଗାଂଶ । ନାଟ୍ୟ ପାତ୍ରଙ୍କର ଅବସ୍ଥା ଏବଂ ସ୍ଥାନ ଓ କାଳ ବର୍ଣ୍ଣନା ଉତ୍ୟାଦି ଏଥିମଧ୍ୟରେ ବିବୃତ । ସଙ୍ଗୀତଗୁଡ଼ିକର ସହଯୋଗରେ ମୁଳରୁ ଶେଷ ଅବଧି ନାଟ୍ୟର ଗତିମୟ ଧର୍ମର ବର୍ତ୍ତମାନତା ହେତୁ ‘ଗୀତଗୋବିନ୍ଦ’କୁ ଗୀତିନାଟ୍ୟ ଆଖ୍ୟା ଦେବା ସଂଗତ ହେବ ।

 

ନାଟକ ତଥା ଗୀତି-ନାଟ୍ୟର ନାୟକ ଧୀରୋଦାତ୍ତ, ଧୀର ଲଳିତ, ଧୀର ପ୍ରଶାନ୍ତ ବା ଧୀରୋଦ୍ଧତ ହୋଇପାରନ୍ତି । ‘ଗୀତଗୋବିନ୍ଦ’ରେ ମଧ୍ୟ ଏହି ପ୍ରଥା ପ୍ରତିପାଳିତ । ନାଟକର ଅଙ୍ଗୀରୂପେ ବିଚାର୍ଯ୍ୟ ଶୃଙ୍ଗାର, ବୀର କିମ୍ବା ଶାନ୍ତ ରସ ମଧ୍ୟରୁ ଶୃଙ୍ଗାର ଓ ଶାନ୍ତରସ ଗୀତଗୋବିନ୍ଦରେ ପରିପୂର୍ଣ୍ଣ । ଏହା ବିୟୋଗାନ୍ତ ନୁହେଁ । ସର୍ଗଗୁଡ଼ିକ ଦୃଶ୍ୟ ବିଭକ୍ତି । କୁଶୀଲବଗଣଙ୍କ ମୁଖର ସଂଳାପ ଯେପରି ପାତ୍ର କାଳୋଚିତ, ସେହିପରି ମଧୁର । ମନେ ହୁଏ ଯେପରି ଗୀତ-କାବ୍ୟଟି ସେତେବେଳେ ଗୀତିନାଟ୍ୟ ଭିତ୍ତି ଉପରେ ରଚନା କରାଯାଇଥିଲା ଏବଂ ଏଭଳି ପ୍ରଚେଷ୍ଟାର ପ୍ରଥମ ପ୍ରବର୍ତ୍ତକ କବି ଜୟଦେବ । ଏହି ପରମ୍ପରା ଘେନି ଯୁଗ-ଯୁଗାଦଧି ଉତ୍କଳରେ ଆନୁଷ୍ଠାନିକଭାବେ ବସନ୍ତରାସୋତ୍ସବ ଏବଂ କୃଷ୍ଣଲୀଳା ଯାତ୍ରାର ପ୍ରଚଳନ ଦୃଷ୍ଟ ହୁଏ । ଏଣୁ ଦେଖାଯାଏ ଯେ; ଗୀତଗୋବିନ୍ଦର’ର ଗୀତକାବ୍ୟ ରଚନାର ଅନ୍ତରାଳରେ ଗୀତି-ନାଟ୍ୟ ଧର୍ମ ମଧ୍ୟ ଅଙ୍ଗାଙ୍ଗୀ ଭାବେ ବିଜଡ଼ିତ ।

 

ପ୍ରସ୍ତାବନା

 

‘‘ମେଘୈର୍ମେଦୁରମମ୍ବରଂ ବନଭୂବଃ ଶ୍ୟାମସ୍ତମାଳଦ୍ରୁମୈ-

ନକ୍ତଂଭୀରୁରୟଂ ତ୍ୱମେତ ତଦିମଂ ରାଧେ ଗୃହଂ ପ୍ରାପୟ ।

ଇତ୍‌ଥଂ ନନ୍ଦନିଦେଶତଶ୍ଚଳିତୟୋଃ ପ୍ରତ୍ୟଧ୍ୱକୁଞ୍ଜଦ୍ରୁମଂ

ରାଧାମାଧବୟୋର୍ଜୟନ୍ତି ଯମୁନାକୂଳେ ରହଃ କେଳୟଃ ।।’’

 

‘‘ମେଘଭରା ଆକାଶ । ଗହଳ ତମାଳ ଛାୟାରେ ସାରାବନ ଶ୍ୟାମାୟୀତ । ତହିଁରେ ପୁଣି ରାତ୍ରି କାଳ । ଭୀରୁ ବାଳକ ଶ୍ରୀକୃଷ୍ଣ । ରାଧେ ! ତାଙ୍କୁ ତୁମେ ଘରେ ନେଇ ପହୁଞ୍ଚାଇ ଦିଅ ।’’

 

-ନନ୍ଦଙ୍କର ଶ୍ରୀମତୀଙ୍କୁ ଏଇ ନିର୍ଦ୍ଦେଶ । ତହୁଁ ଶ୍ରୀମତୀ ଓ ଶ୍ରୀପତି ଯମୁନାତଟବାହୀ ପଥ ନିକଟସ୍ଥ କୁଞ୍ଜରେ ପ୍ରବେଶ କଲେ-ଏକାନ୍ତ ମିଳନ ଘଟିଲା । ସେହି ବିଜନ କେଳି ଜୟଯୁକ୍ତ ହେଉ ।

 

‘ଭୀରୁ’ ଶବ୍ଦରେ ଶ୍ରୀକୃଷ୍ଣଙ୍କୁ ଅଳ୍ପ ବୟସ୍କ ବାଳକ ବୋଲି ଘେନା ଯାଇଅଛି:- (ବାଳକତ୍ୱାତ୍‌ ଭୀରୁଃ) । ଏକେ ରାତ୍ରିକାଳ, ତହିଁରେ ତମାଳ ଗହଳରେ ବନସ୍ଥଳୀ ଅନ୍ଧାରିତ, ପୁଣି ଆକାଶ ମେଘମାଳା ସମାଚ୍ଛନ୍ନ । ଏପରି ସମୟରେ ନନ୍ଦ ଗୋଚାରଣରତ ଥିଲେ । ତାଙ୍କ ସହିତ ଯାଇଥିଲେ ବାଳକ ଶ୍ରୀକୃଷ୍ଣ । ଗୋଷ୍ଠ ଘେନି ସହସା ଘରକୁ ବାହୁଡ଼ିବା ସମ୍ଭବପର ହେଉନାହିଁ କିମ୍ବା କାର୍ଯ୍ୟାନ୍ତର ନିଯୋଗ ହେତୁ ହୁଏତ ସଙ୍ଗେ ସଙ୍ଗେ ନନ୍ଦ ଗୃହକୁ ଫେରି ପାରୁନାହାନ୍ତି । ପୁଣି ପ୍ରକୃତିର ଏ ଭୟଙ୍କର ପରିସ୍ଥିତିରେ ବାଳକ ଶ୍ରୀକୃଷ୍ଣ ଭୀତହେବା ସ୍ୱାଭାବିକ । ସେ ଅବା ଏକାକୀ କିପରି ଘରକୁ ଫେରିବେ? ବାତ୍ସଲ୍ୟ ମମତାବଦ୍ଧ ନନ୍ଦ ଏହିପରି ଚିନ୍ତାକୁଳ ଥିବାବେଳେ ଦୈବଯୋଗେ ସେହି ସ୍ଥାନରେ ଉପସ୍ଥିତା ଶ୍ରୀମତୀ । ଭୀରୁ ଶ୍ରୀକୃଷ୍ଣଙ୍କୁ ସଙ୍ଗରେ ଘେନି ଘରକୁ ଯିବାପାଇଁ ନନ୍ଦ ତାଙ୍କୁ ନିର୍ଦ୍ଦେଶ ଦେଲେ ।

 

-ସରଳ ସାଧାରଣଭାବେ ଗ୍ରନ୍ଥାରମ୍ଭର ଏ ଶ୍ଳୋକଟି (ଗୀତନାଟ୍ୟରେ ପ୍ରସ୍ତାବନା କୁହାଯାଇପାରେ)ର ଏହିପରି ଅର୍ଥ କରାଯାଇଥାଏ ।

 

ଗୀତଗୋବିନ୍ଦର ବହୁଳ ସମାଦର ଓଡ଼ିଶାରେ ଥିଲା, ଅଛି, ଥିବ ମଧ୍ୟ । ଗ୍ରନ୍ଥର ପ୍ରଥମ ଓଡ଼ିଆ ଟୀକାକାର’ଧରଣୀଧରଙ୍କ ଭିନ୍ନ ୰ଭକ୍ତକବି ପିଣ୍ଡିକ ଶ୍ରୀଚନ୍ଦନେ ପୟାର, ଦୀର୍ଘଛନ୍ଦ, ଡୁହା, ଚଉପଦୀ ଓ ସରଳ ସ୍ୱର ଛନ୍ଦରେ ଗୀତଗୋବିନ୍ଦର ଅନୁସରଣରେ ବସନ୍ତରାସ ଲେଖିଛନ୍ତି । ଏହା ଓଡ଼ିଶାର ପୁରପଲ୍ଲୀରେ ଆନୁଷ୍ଠାନିକ ଭାବେ ବହୁଳ ସମାଦୃତ । ତାଙ୍କ କୃତ ପ୍ରଥମ ଶ୍ଳୋକଟିର ଅନୁବାଦ ଦେଖନ୍ତୁ :-

 

‘‘ଏକ ଦିନେ ନନ୍ଦସନେ କୃଷ୍ଣ ଗୋଷ୍ଠେ ଛିଲ,

ଯମୁନାର କୂଲେ ନନ୍ଦ ରାଧାକେ ଦେଖିଲ ହେ ।

ନନ୍ଦ ବୋଲେ ଶୁନ ରାଧେ ବଚନ ଆମାର,

ଗଗନେ ଆଚ୍ଛାଦି ମେଘ କୈଲ ଅନ୍ଧକାର ହେ ।

 

ବନଭୁବି ତମାଲେର ବୃକ୍ଷ ଭୟଙ୍କର,

ରାତ୍ର ହୈଲେ ଭୟଲଭେ ଦୁଲାଲ ଆମାର ହେ ।

ଏ କୃଷ୍ଣକେ ଗୃହେ ଲୟା କର ହେ ପ୍ରବେଶ,

ଶୁନିଲେ ରାଧା ନନ୍ଦର ଏମନି ଆଦେଶ ହେ ।

 

ଚଲିଲ କୃଷ୍ଣକେ ଲୟା ଭାନୁର ଦୁଲାରୀ,

ପ୍ରତି ପଥେ ପ୍ରୀତି କୁଞ୍ଜେ ଦ୍ରୁମତଲାୟ ମିଲି ହେ ।

ଯମୁନାର କୂଲେ ରାଧାମାଧବ ଏକାନ୍ତେ,

ଆରମ୍ଭିଲେ ରାସକ୍ରୀଡ଼ା ଜୟ ଜୟ ଯୁକ୍ତେ ହେ !’’

 

ପୁଣି ଶ୍ରୀଚନ୍ଦନେ ଏହି ପୟାରରେ ପ୍ରଥମ ଶ୍ଳୋକଟିର ଦ୍ୱିବିଧାର୍ଥର ସୂଚନା ଦେଇଅଛନ୍ତି । ଶ୍ଳୋକଟିର ସାଧାରଣ ଅର୍ଥରେ ସେ ‘‘ଏକଦିନେ ନନ୍ଦସନେ...ରାସକ୍ରୀଡ଼ା ଜୟଜୟଯୁକ୍ତେ’’ ଲେଖି ପରେ ଅନ୍ୟାର୍ଥର ସୂଚନା ଦେଅଛନ୍ତି । ଯଥା -

 

‘‘ଏଇ ଅର୍ଥେ ଆଛେ ବହୁ ବିରୁଦ୍ଧ ଲକ୍ଷଣ

ମହାରସ କାବ୍ୟ କବିବରେର ବଚନ ହେ ।

X      X      X

ଗ୍ରନ୍ତ ସୂତ୍ର ସୂକ୍ଷ୍ମକରି କରିବ ବର୍ଣ୍ଣନ

ସବ ଭକ୍ତଜନ କର୍ଣ୍ଣମନ ଦିୟା ଶୁନ ହେ ।୧୪।

 

କାନ୍ତେ ଗାଢ଼ମାନ ରାଖିଛିଲ ଭାନୁ ସୁତା,

ସଖୀର ବଚନେ ହୈଲ ମନ ଆନନ୍ଦିତା ହେ ।୧୫।

ସଖୀବଲେ ତୁମାବିନେ କୃଷ୍ଣ ବଡ଼ ଦୁଖୀଃ,

କୁଞ୍ଜେ ଅଭିସାର ହୟ ପୂର୍ଣ୍ଣଚନ୍ଦ୍ରମୁଖୀ ହେ ।୧୬।

 

ମେଘ ସମ ଘୋଟିଆଛେ ବହୁଲ ଅନ୍ଧାର,

ବନଭୂବି ତମାଲେର ବୃକ୍ଷ ତମ ଘୋର ହେ ।୧୭।

ପୂର୍ବେରାତ୍ରେ କରିଆଛେ ଅପରାଧ ସେହି,

ଆସିତେ ନାପାରେ ପ୍ରାଣନାଥ ଡରେ ଏହି ହେ ।

 

ମନୋହର କୁଞ୍ଜ ଗୃହେ ଚଲ ବିନୋଦିନୀ,

ଭେଟାବ ତୋମାକେ ତବ ଶ୍ୟାମ ନୀଲମଣି ହେ ।

ଏଇ ବାନୀ ଶୁନି ରାଧାର ଆନନ୍ଦ ବାଢ଼ିଲ,

କୃଷ୍ଣ ଅଭିସାରେ ଧନୀ ନିକୁଞ୍ଜେ ଚଲିଲ ହେ ।

ଯମୁନାର କୂଲେ ରାଧାମାଧବ ରହସେ,

ଏକାନ୍ତେ ରଜନୀ ନିଲ ବହୁ କ୍ରୀଡ଼ା ରସେ ହେ ।’’

 

ସହଜେ ସାଧାରଣ ଅର୍ଥରେ (ନନ୍ଦ ନିଦେଶତଃ ଚଳିତୟୋ) ନନ୍ଦ (ଗୋପରାଜ)ଙ୍କ ନିର୍ଦ୍ଦେଶରେ - (ଶୁନିଲେ ରାଧଶ ନନ୍ଦେର ଏମନି ଆଦେଶ) ରାଧାମାଧବଙ୍କୁ ସଙ୍ଗରେ ଘେନିଗଲେ-। ଏହାପରେ ଶ୍ରୀଚନ୍ଦନେ ଅନ୍ୟାର୍ଥ ବା ଗୂଢ଼ାର୍ଥ ସୂଚନା ଦେଇ ଲେଖିଛନ୍ତି ଯେ :-

 

ଦକ୍ଷିଣ ନାୟକ ଶ୍ରୀକୃଷ୍ଣ ଗତ ରାତ୍ରରେ ରାସମଣ୍ଡଳୀରୁ ପଳାଇ ଆସିଥିବାରୁ ଶ୍ରୀମତି ଅଭିମାନିନୀ । ବର୍ତ୍ତମାନ ମେଘାଚ୍ଛନ୍ନ ଆକାଶ । ପୁଣି ରାତ୍ରିର ଆଗମକାଳ । ବନଭୂମି ତମାଳ ଛାୟାରେ ଅନ୍ଧାରିତ । ଏହା ମିଳନର ଅନୁକୂଳ ବେଳା । ଅତଏବ ରାଧେ, ଅଭିସାରିକା ବେଶରେ କୁଞ୍ଜକୁ ବିଜୟକର । ଶ୍ରୀକୃଷ୍ଣ ପୂର୍ବରାତ୍ରକୃତ ଅପରାଧ ସ୍ମରଣରେ ‘ଭୀରୁ’ । ସେ ତୁମ ନିକଟକୁ ଆସିବାକୁ ଭୟ କରୁଛନ୍ତି, କାରଣ (ସଂକେତ ଦେଇ ଅନୁପସ୍ଥିତ ହେତୁ) ତୁମେ ତାଙ୍କ ଉପରେ ରୋଷ ବହିଅଛ ।

 

‘‘ପୂର୍ବେ ରାତ୍ର କରିଆଚ୍ଛେ ଅପରାଧ ସେହି

ଆସିତେ ନା ପାରେ ପ୍ରାଣନାଥ ଡରେ ଏହି ।’’

-ସଖୀର ଏବଂ ବିଧ ବଚନରେ ଆନନ୍ଦିତା ହେଲେ ଶ୍ରୀମତୀ (ବସନ୍ତ ରାସ)

 

ଏ କ୍ଷେତ୍ରରେ ‘ନନ୍ଦ’ - ଗୋପରାଜଙ୍କ ପ୍ରଶ୍ନ ସୁଦ୍ଧା ଉଠୁନାହିଁ । ଶ୍ରୀ ଗୀତଗୋବିନ୍ଦ, ମୂଳଠାରୁ ଚୂଳପର୍ଯ୍ୟନ୍ତ ମାନିନୀ ରାଧିକାଙ୍କ ପ୍ରୀତିପ୍ରସଙ୍ଗ ଆଧାରିତ ଗୀତିକାବ୍ୟ । ତେଣୁ ଗ୍ରନ୍ଥର ଉପକ୍ରମ ଶ୍ଳୋକଟି ‘ମାନିନୀ’ଙ୍କର ମାନଜନିତ ବିଷୟବସ୍ତୁର ବର୍ଣ୍ଣନା ବୋଲି ଗ୍ରହଣ କଲେ ଏକପକ୍ଷ ଦୃଷ୍ଟିରେ ଅପ୍ରସଂଗୀକ ମନେହୁଏ ନାହିଁ ।

 

ପୁଣି ଶ୍ରୀଚନ୍ଦନେ ସାଧାରଣ ଅର୍ଥରେ ପ୍ରଥମରୁ ଯେପରି ଶ୍ଳୋକାର୍ଥ ଲେଖିଛନ୍ତି, ବିଶିଷ୍ଟ ଟୀକାକାର ଧରଣୀଧର ମଧ୍ୟ ସେହିପରି ଲେଖିଛନ୍ତି :-

 

‘‘ମାୟା ରଚିଲେ ଦେବ ମାୟାଧର,

ମେଘ ଆସି ଆଚ୍ଛାଦିଲା ଅମ୍ବର ।

ନିବିଡ଼ ନୀଳଘନ ପ୍ରକାଶିଲା,

ବିପିନ ଗିର ଶ୍ୟାମଳ ଦିଶିଲା ।

 

ନୀଳ ତମାଳତରୁ ଘନଲତା,

ଦେଖିଣ ନନ୍ଦ ପାଇଲେକ ଚିନ୍ତା ।

ରାଧାକୁ ବୋଲନ୍ତି ବରଜପତି,

ଗୋଡ଼ାଇ ଅଇଲା ତ ଏ ଶ୍ରୀପତି ।

 

ନିଶାରେ ଗୋଗୋଷ୍ଠେ କରିବ ଭୟ,

ଗୃହେ ପ୍ରବେଶ କରାଅ ତନୟ ।

ଏମନ୍ତେ ମନ୍ଦର ଆଦେଶ ଘେନି,

ଚଳିଗଲେ ରାଧାମାଧବ ବେନି ।

 

ଯମୁନା କୂଳେ ଘନ ତରୁବର,

ଲତା ନୀକୁଞ୍ଜ ଗୃହର ଆକାର ।

ନିର୍ଜନ ପ୍ରସର ଭୂମିରେ ମିଳି,

ନିକୁଞ୍ଜେ ନିକୁଞ୍ଜେ କରନ୍ତି କେଳି’’ ...... ଇତ୍ୟାଦି ।

 

ଶ୍ରୀକୃଷ୍ଣଙ୍କର ‘ମାୟାଧର’ ନାମର ସାର୍ଥକତାରେ ଧରଣୀଧର ଏଠାରେ ଶ୍ଳୋକବର୍ଣ୍ଣିତ ଘଟଣା ପରମ୍ପରାକୁ ବିଷ୍ଣୁ - ମାୟା ଗ୍ରହଣ କରିଛନ୍ତି । ତାଙ୍କ ବିଚାରରେ-

 

ଏତେଚାଂଶକଳାଃ ପୁଂସଃ କୃଷ୍ଣସ୍ତୁ ଭଗବାନ ସ୍ୱୟଂ’ - ଏହି ସୃତି ବଚନ ଅନୁସୃତ ହୋଇଅଛି ।

 

ଅର୍ଥାତ୍‌ ବିଷ୍ଣୁ ମାୟାବଳରେ ପ୍ରବଳ ଝଞ୍ଜା ବହିଲା, ମେଘ ଗର୍ଜି ଉଠିଲା, ଥରିଉଠିଲା ସାରାବନ । ଅଦିନ ବର୍ଷା-ଅନ୍ଧକାର ଦେଖି ନନ୍ଦ ମନେ ମନେ ପ୍ରମାଦ ଗଣିଲେ, ଧେନୁ, ବତ୍ସା ଘେନି କିପରି ସେ ଘରକୁ ଫେରିବେ ? କି ଅବସ୍ଥା ହେବ ପୁଣି ଏଇ ବାଳକ ଶ୍ରୀକୃଷ୍ଣର ? ମାୟାଧର ଏତିକିବେଳେ ପ୍ରକୃତିର ଭୀଷଣ ରୂପ ଦେଖି ଭୟରେ ରୋଦନ କଲେ । ଅସହାୟ ନନ୍ଦରାଜ । ଏହିପରି ସମୟରେ ଦୈବବଶରୁ ସେଠାରେ ଶ୍ରୀମତୀଙ୍କର ସାକ୍ଷାତ ମିଳିଲା । ନନ୍ଦ ଆଶ୍ୱସ୍ତ ହେଲେ-। ରୋଦନ-ପରାୟଣ ବାଳକ ଶ୍ରୀକୃଷ୍ଣଙ୍କୁ ଶ୍ରୀମତୀଙ୍କ ହସ୍ତରେ ସମର୍ପଣକରି ଗୃହକୁ ଘେନି ଯିବାର ନିର୍ଦ୍ଦେଶ ଦେଲେ । ଏପରି ଅର୍ଥ ସତ୍ୱେ -‘ମାୟା ରଚିଲେ ଦେବ ମାୟାଧର - ମେଘ ଆସି ଆଚ୍ଛାଦିଲା ଅମ୍ବର’ ଏଇ ଦୁଇଟି ଧାଡ଼ି ପାଠର ଗୂଢ଼ାର୍ଥ ଲକ୍ଷଣୀୟ । ଏ ପ୍ରସଙ୍ଗରେ ବ୍ରହ୍ମବୈବର୍ତ୍ତ ପୁରାଣର ଶ୍ରୀକୃଷ୍ଣ ଜନ୍ମଖଣ୍ଡ ପଞ୍ଚଦଶ ଅଧ୍ୟାୟର ବର୍ଣ୍ଣନା ପ୍ରତି ସହୃଦୟ ପାଠକଙ୍କ ଦୃଷ୍ଟି ଆକର୍ଷଣ କରାଯାଉଅଛି । କବି ଜୟଦେବ ଏହି ପୁରାଣର ପାଠକୁ ସ୍ମରଣ କରିଛନ୍ତି ଗୀତଗୋବିନ୍ଦରେ ।

 

ବସନ୍ତରାସକର୍ତ୍ତା ପିଣ୍ଡିକ ଶ୍ରୀଚନ୍ଦନେ ଏହି ଶ୍ଳୋକର ଗୂଢ଼ାର୍ଥ ସୂଚନା ଦେଇ (ପୂର୍ବରାତ୍ରେ କରିଅଛେ ଅପରାଧ ସେହି...) ଯେପରି ବର୍ଣ୍ଣନା କରିଅଛନ୍ତି, ବ୍ରହ୍ମ ବୈବର୍ତ୍ତ ପୁରାଣମତେ ତାହା ପୃଥକ୍‌ ବରଂ ଧରଣୀଧର ‘ମାୟାରଚିଲେ ଦେବ ମାୟାଧର’ ମାତ୍ର କହି ଜୟଦେବଙ୍କ ପଥ ଅନୁସରିଛନ୍ତି ଏବଂ ବ୍ରହ୍ମବୈବର୍ତ୍ତ ପୁରାଣ ମତ ଆଡ଼କୁ ଢଳିଛନ୍ତି ବୋଲି କହିବାକୁ ହେବ । ବ୍ରହ୍ମବୈବର୍ତ୍ତ ପୁରାଣ ମତେ :-

 

‘‘ଏକଦା କୃଷ୍ଣ ସହିତେ ନନ୍ଦୋ ବୃନ୍ଦାବନଂ ଯଯୌ,

ତତ୍ରୋପବନଭାଣ୍ଡୀରେ ଚାରୟାମାସ ଗୋକୁଳଂ ।

ସରଃସୁସ୍ୱାଦୁତୋୟଶ୍ଚ ପାୟୟାମାସତତ୍‌ ପପୌ,

ଉବାସ ବଟମୂଳେ ଚ ବାଳଂକୃତ୍ୟା ସ୍ୱକକ୍ଷସି ।

 

ଏତସ୍ମିନ୍ନନ୍ତରେ କୃଷ୍ଣୋ ମାୟାବାଳକ ବିଗ୍ରହଃ,

ଚକାର ମାୟୟା କସ୍ମାନ୍‌ ମେଘାଚ୍ଛନଂ ନଭୋ ମୁନେ ।

ମେଘାବୃତଂ ନଭୋ ଦୃଷ୍ଟ୍ୱା ଶ୍ୟାମଳଂ କାନନାନ୍ତରଂ,

ଝଞ୍ଜାବାତଂ ମେଘଶବ୍ଦଂ ବଜ୍ରଶବ୍ଦଂ ଚ ଦାରୁଣଂ ।

 

ବୃଷ୍ଟି ଧାରାମତିସ୍ଥୂଳାଂ କମ୍ପମାନାଶ୍ଚ ପାଦପାନ୍‌,

ଦୃର୍ଷ୍ଟ୍ୱେବଂ ପତିତସ୍କନ୍ଧାନ୍‌ ନନ୍ଦୋଭୟମବାପହ ।

କଥଂଯାସ୍ୟାମି ଗୋବତ୍ସଂ ବିହାୟ ସ୍ୱଶ୍ରମଂ ପ୍ରତି,

ଗୃହଂ ଯଦି ନ ଯାସ୍ୟାମି ଭବିତା ବାଳକସ୍ୟ କିମ୍‌ ।

 

ଏବଂ ନନ୍ଦେ ପ୍ରବଦତି ରୁରୋଦ ଶ୍ରୀହରିସ୍ତଦା,

ମାୟାଭୀୟା ଭୟେଭିଶ୍ଚ ପିତୁଃକଣ୍ଠଂ ଦଧାରସଃ ।

ଏତସ୍ମିନନ୍ତରେ ରାଧା ଜଗାମ କୃଷ୍ଣ ସନ୍ନିଧମ୍‌,

X      X      X      X      X

 

ଓଡ଼ିଆ ବ୍ରହ୍ମବୈବର୍ତ୍ତ ପୁରାଣରେ ଏହାର ଅର୍ଥ ଲେଖା ଯାଇଅଛି ।

‘‘ନାରାୟଣ ବୋଇଲେ ହେ ଶୁଣ ମହାମୁନି

ଦିନେ ନନ୍ଦ ଶ୍ରୀକୃଷ୍ଣଙ୍କୁ ସଙ୍ଗତରେ ଘେନି ।

ବୃନ୍ଦାବନ ମଧ୍ୟେ ଯାଇ ପ୍ରବେଶ ହୋଇଲେ

ଗୋଗୋଷ୍ଠକୁ ଚରାଇବା ପାଇଁ ଛାଡ଼ିଦେଲେ ।

 

ସରୋବର ସ୍ୱାଦୁ ନୀର ପିଆଇଲେ ନେଇ

ଜମାକଲେ ପୁଣି ବୃକ୍ଷ ମୂଳେ ଅଡ଼ିଆଇ

ସେ ଅନ୍ତରେ ଶ୍ରୀକୃଷ୍ଣଙ୍କୁ ବକ୍ଷରେ ବସାଇ,

ବଟ ବୃକ୍ଷକୁ ଆଉଜି ବସିଲେକ ଯାଇ ।

 

ଏହି ସମୟରେ କୃଷ୍ଣ ମାୟା ଭିଆଇଲେ

ମେଘରେ ଆକାଶ ମାର୍ଗ ପୂର୍ଣ୍ଣ କରିଦେଲେ ।

X      X      X      X

ତାହା ଦେଖି ବ୍ରଜରାଜ ମହାଭୟ କଲେ

କି ରୂପେ ଗୃହକୁ ଯିବା ବୋଲି ବିଚାରିଲେ ।

 

ପୁଣି ଭାବିଲେ କି ରୂପେ ଗୋଗୋଷ୍ଠକୁ ନେଇ

ଗ୍ରାମ ସମୀପରେ ଦେବି ପ୍ରବେଶ କରାଇ ।

ଯେବେ ଏହିଠାରୁ ଆଜି ନ ଯାଇ ରହିବି

ବାଳକକୁ ଯତନରେ କେମନ୍ତେ ରଖିବି ।

 

ଏ ରୂପେ ବହୁତ ଚିନ୍ତା କରୁଥିଲେ ନନ୍ଦ

ଶ୍ରୀକୃଷ୍ଣ ତାହାଙ୍କ କନ୍ଧେ ଦେଇ ହସ୍ତଛନ୍ଦ ।

ମାୟାରେ କ୍ରନ୍ଦନ କରି ଭୟ କଲା ପ୍ରାୟେ

ଆଲିଙ୍ଗନ ଯାଇ ତାଙ୍କୁ କଲେ ଅତିଶୟେ ।

 

ଏହି ସମୟରେ ରାଧା ଶ୍ରୀକୃଷ୍ଣଙ୍କ ପାଶେ

ଉପଗତ ହେଲେ ଆସି ସେ ନିର୍ଜନ ଦେଶେ ।

X      X      X      X

 

ଏହାର ପରବର୍ତ୍ତୀ ଘଟଣା ବର୍ଣ୍ଣନା କରି ଓଡ଼ିଆ ଟୀକାକାର ଲେଖିଛନ୍ତି -

ଏହି ରୂପେ ରାଧିକାଙ୍କୁ ନିର୍ଜନ ବନରେ

ବିସ୍ମିତ ହୋଇଲେ ଦେଖି ନନ୍ଦ ସେ କାଳରେ ।

ପୁଣି ଭକ୍ତିଭରେ ତାଙ୍କ ମୁଖକୁ ଅନାଇଁ

ବୋଇଲେ ଗୋ ଦେବୀ ତୁମ୍ଭେ ଅଟ ମହାମାୟୀ ।

 

ଗର୍ଗଙ୍କ ମୁଖରୁ ସବୁ ଶୁଣିଅଛି ମୁହିଁ

ତୁମ୍ଭେ ଯେ ଶ୍ରୀକୃଷ୍ଣଙ୍କର ପ୍ରାଣପ୍ରିୟା ସହୀ ।

ମୋହର ନନ୍ଦନ ନିଜେ ଶ୍ରୀକୃଷ୍ଣ ଅଟନ୍ତି

ମାୟା ମନୁଷ୍ୟ ରୂପରେ ଜନମି ଅଛନ୍ତି ।

 

ଏହାଙ୍କୁ ଉତ୍ତମ ରୂପେ ଜାଣିଅଛି ମୁହିଁ

ତଥାପି ବିଷ୍ଣୁ ମାୟାରେ ମୋହିତ ହୁଅଇ ।

‘‘ଗୃହାଣ ପ୍ରାଣନାଥଞ୍ଚ ଗଚ୍ଛ ଭଦ୍ରେ ! ଯଥା ସୁଖଂ

ପଶ୍ଚାତ୍‌ଦାସ୍ୟସି ମତ୍‌ପୁତ୍ରଂ କୃତ୍ୱା ପୂର୍ଣ୍ଣ ମନୋରଥମ୍‌ ।’’ (୧୫।୨୫)

 

ଏହାରି ଅର୍ଥରେ ଲେଖାଯାଇଅଛି :-

ତୁମ୍ଭର ପ୍ରାଣନାଥଙ୍କୁ ଯାଅ ଏବେ ଘେନି

ମନୋରଥ ପୂର୍ଣ୍ଣକରି ଦେବ ମୋତେ ଆଣି ।

ଏହି ରୂପେ କହି ନନ୍ଦ ଶ୍ରୀକୃଷ୍ଣଙ୍କୁ ଧରି

ରାଧିକାଙ୍କ ପାଶେ ଦେଲେ ସମର୍ପଣ କରି ।

 

ତାହା ଦେଖି ଶ୍ରୀମତୀ ଯେ ହରଷିତା ହେଲେ

ନନ୍ଦଙ୍କୁ ଅନାଇଁ ଅଳ୍ପ ହସିଣ କହିଲେ ।

ବୋଇଲେ ତୁମ୍ଭର ପୂର୍ବ ସୁକୃତ ଫଳରେ

ଦେଖିଲେ ଆମ୍ଭଙ୍କୁ ଆଜି ଏକାନ୍ତ ସ୍ଥାନରେ ।

 

ଗର୍ଗ ମୁନିଙ୍କ ବଚନେ ତୁମ୍ଭର ଯେ ଜ୍ଞାନ

ହୋଇଅଛି ତାହା ଲଭି ନ ପାରଇ ଆନ ।

ମାତ୍ର ଆମ୍ଭ ଦୁହିଙ୍କର ମିଳନ ବୃତ୍ତାନ୍ତ

ଅନ୍ୟ ଲୋକ ଆଗେ ନ କରିବ ପ୍ରକାଶିତ ।

X      X      X      X

 

ଏହା ପରେ -

‘ଜଗ୍ରାହ ବାଳକଂ ରାଧା ଜହାସ ମଧୁରଂ ସୁଖାତ୍‌’

 

-ମନ୍ଦ ମଧୁର ହସି ଶ୍ରୀମତୀ ଶ୍ରୀକୃଷ୍ଣଙ୍କୁ ବକ୍ଷରେ ଗ୍ରହଣ କଲେ । ଏବଂ ଶ୍ରୀକୃଷ୍ଣଙ୍କୁ ଏହିପରି ଭାବରେ ଘେନି -

‘ଗତ୍ୱା ଦୂରେ ତଂ ନିନୟ ବାହୁଭ୍ୟାଂ ଚ ଯଥେପ୍‌ସିତମ୍‌’

 

ତହୁଁ ଶ୍ରୀମତୀ ଶ୍ରୀକୃଷ୍ଣଙ୍କୁ ଘେନି ଦୂରକୁ ଗଲେ । ନନ୍ଦ କୋଳର ଗୋବିନ୍ଦ ବର୍ତ୍ତମାନ ଆଉ ଶିଶୁରୂପୀ କୃଷ୍ଣ ନୁହନ୍ତି । ମାୟାଧର କିଶୋର ରୂପେ ବିରାଜମାନ-

‘‘ପୁରୁଷଂ କମନୀୟଞ୍ଚ କିଶୋରଂ ଶ୍ୟାମସୁନ୍ଦରଂ

କୋଟି କନ୍ଦର୍ପ ଲୀଳାଭଂ ଚନ୍ଦନେନ ବିଭୂଷିତମ ।’’

 

ଶ୍ରୀମତୀଙ୍କ ବକ୍ଷସ୍ଥ ଶିଶୁ-କୃଷ୍ଣ ଅନ୍ତର୍ହିତ । ସେ କିଶୋର ଶ୍ୟାମସୁନ୍ଦର । ବିସ୍ମିତା ହେଲେ ଶ୍ରୀମତୀ । ଏହିଠାରେ ଆରମ୍ଭ ହୋଇଛି ଶ୍ରୀମତୀ ଶ୍ରୀକୃଷ୍ଣଙ୍କ ମର୍ତ୍ତ୍ୟମଣ୍ଡଳର ତଥାକଥିତ ପରକୀୟା ଲୀଳାର ପ୍ରକଟସୂତ୍ର । ମହାକବି ଜୟଦେବ ଏକାକୁ ହିଁ ‘‘ରହଃ କେଳୟଃ’’ ବୋଲି ଶ୍ରୀଗୀତଗୋବିନ୍ଦର ପ୍ରସ୍ତାବନାରେ ଉଲ୍ଲେଖ କରିଅଛନ୍ତି ।

 

ପଞ୍ଚମ ଶତକରେ ଏହି ରୂପକୁ ହିଁ ମେଘଦୂତ କାବ୍ୟରେ ମହାକବି କାଳିଦାସ କହିଛନ୍ତି -

‘‘ବର୍ହେଣେବ ସ୍ଫୁରିତରୁଚିନା ଗୋପବେଶସ୍ୟ ବିଷ୍ଣୋଃ’’ ।

 

ଗୋପବେଶ ବିଷ୍ଣୁ କିଶୋର ମୂର୍ତ୍ତି ଧରି କହିଲେ -‘‘ରାଧେ, ଗୋଲୋକର ସ୍ମୃତି ଯେବେ ତମ ମନରେ ଜାଗିଉଠୁଛି, ତେବେ ତମର ମନୋବାଞ୍ଛା ପୂରଣ କରିବି ।’’ ଏହା କହି ଦୁହେ ପ୍ରେମାଳାପରେ ମଗ୍ନ ହେଲେ । ଏତିକିବେଳେ ସହସା ବ୍ରହ୍ମା ସେଠାରେ ଉପସ୍ଥିତ । ସେ ଶ୍ରୀମତୀ ଓ ଶ୍ରୀପତିଙ୍କୁ ଅରଣ୍ୟମଧ୍ୟରେ ତଦବସ୍ଥ ଦର୍ଶନ କରି ସ୍ତୁତି କଲେ । ତହିଁ ପରବର୍ତ୍ତୀ ‘ବ୍ରହ୍ମବୈବର୍ତ୍ତ’ ପୁରାଣଲିଖିତ ବର୍ଣ୍ଣନାର ଉତ୍କଳାନୁବାଦ ଦେଖନ୍ତୁ ।

 

X      X      X      X

ଅନନ୍ତରେ ପ୍ରଜାପତି ଶ୍ରୀକୃଷ୍ଣ ରାଧାଙ୍କୁ

ପ୍ରଣାମ କଲେ ମନରେ ପ୍ରକାଶି ଭକ୍ତିକୁ ।

ପୁଣି ବେଗେ ଯାଇ ଶୁଷ୍କକାଷ୍ଠ ହୁତାଶନ

ଅଣାଇଁ ଦୁହିଁଙ୍କ ପାଶେ ଜାଳିଲେ ବହନ ।

 

ତା ଦେଖି ଶ୍ରୀକୃଷ୍ଣ ଶଯ୍ୟାପାଖରୁ ଉଠିଲେ

ରାଧାଙ୍କୁ ଘେନି ଅନଳ ପାଶରେ ବସିଲେ ।

ବେଦୋକ୍ତ ବିଧିପ୍ରକାରେ ତହୁଁ ପ୍ରଜାପତି

ତୃପତ କଲେ ବହ୍ନିଙ୍କୁ ଦେଇଣ ଆହୂତି ।

 

ସେ ଅନ୍ତେ ରାଧା କୃଷ୍ଣଙ୍କୁ ଉଠାଇଆଣିଲେ

ସାତ ଥର ପ୍ରଦକ୍ଷିଣ କରାଇଣଦେଲେ ।

ଆସନେ ବସାଇ ପୁଣି ଦୁହିଁଙ୍କ ହସ୍ତକୁ

ଏକତ୍ର ରଖି ବାନ୍ଧିଲେ ପଢ଼ିଣ ମନ୍ତ୍ରକୁ ।

 

ପାରିଜାତ ପୁଷ୍ପମାଳା ରାଧାଙ୍କ ହସ୍ତରେ

ଘେନାଇଁଦେଲେ ସେ ନେଇ ଶ୍ରୀକୃଷ୍ଣ-ଗଳାରେ ।

ସେହିପରି ଶ୍ରୀକୃଷ୍ଣଙ୍କ ହସ୍ତେ ଏକ ମାଳା

ଘେନାଇଁ ଭୂଷିତ କଲେ ରାଧାଙ୍କର ଗଳା ।

 

ପୁଣିନବ ପୀଠପରେ କୃଷ୍ଣଙ୍କୁ ବସାଇ

ରାଧାଙ୍କୁ ରଖିଲେ ତାଙ୍କ ବାମଭାଗେ ନେଇ ।

କୃତାଞ୍ଜଳି କରାଇଣ ସେ ବରକନ୍ୟାକୁ

ପଢ଼ାଇଲେ ବେଦବିଧିପ୍ରକାରେ ମନ୍ତ୍ରକୁ ।

 

ଭକ୍ତିଭରେ ପୁଣି ତାଙ୍କୁ ନିଜେ ପ୍ରଣମିଲେ

ରାଧାଙ୍କୁ ଶ୍ରୀକୃଷ୍ଣ ହସ୍ତେ ସମର୍ପଣ କଲେ ।

X      X      X      X

 

ବର-କନ୍ୟାଙ୍କର ମିଳନ ସଂଦର୍ଶନ କରି ବ୍ରହ୍ମା ଅନ୍ତର୍ହିତ ହେଲେ । ବ୍ରହ୍ମବୈବର୍ତ୍ତ ପୁରାଣର ଏବଂବିଧ ବର୍ଣ୍ଣନା ଅନ୍ୟ କୌଣସି ପୁରାଣ ବା ଶ୍ରୀମଦ୍‌ଭାଗବତରେ ଦୃଷ୍ଟ ହୁଏ ନାହିଁ । ଚନ୍ଦ୍ରଶେଣା ଯେ ଶ୍ରୀମତୀଙ୍କର ପତି ତାହାର କୌଣସି ଉଲ୍ଲେଖ ନାହିଁ । ବୈଷ୍ଣବ-ଧର୍ମଧାରଣାର ଏହା ସଂପୂର୍ଣ୍ଣ ଅଭିନବ ମତ ପ୍ରଚାର; କିନ୍ତୁ ଗୋପପତି ନନ୍ଦ ଶ୍ରୀକୃଷ୍ଣଙ୍କୁ ଶ୍ରୀମତୀଙ୍କ କରରେ ସମର୍ପଣ କରିବା ବର୍ଣ୍ଣନା ବ୍ରହ୍ମବୈବର୍ତ୍ତଭିନ୍ନ ଗର୍ଗ-ସାହିତ୍ୟରେ ମଧ୍ୟ ବର୍ଣ୍ଣିତ ।

 

ପ୍ରଥମ ଶ୍ଳୋକର ଆହୁରି ମଧ୍ୟ ବିଭିନ୍ନାର୍ଥ ଦୃଷ୍ଟ ହୁଏ ।

ମହାମହୋପାଧ୍ୟାୟ ଶଙ୍କର ମିଶ୍ରଙ୍କ ମତେ :-

 

ନନ୍ଦଙ୍କର ରାଧାଙ୍କପ୍ରତି ନିର୍ଦ୍ଦେଶକୋପୋକ୍ତି । ସେ ଲେଖିଛନ୍ତି- ‘ହେ ରାଧେ, ତତ୍ତ୍ୱସ୍ମାତ୍ୱମେବେମଂ କୃଷ୍ଣଂ ଗୃହଂ ପ୍ରାପୟ । ଅତ୍ରୈବକାରଃ କୋପୋକ୍ତୌ । ବାଲ୍ୟେଽୟଂ ଯତ୍ତ୍ୱୟୈତାବଦ୍ଦୂରମାନୀତସ୍ତସ୍ମାତ୍ତ୍ୱମେବ ଗୃହମପି ପ୍ରାପୟେତ୍ୟେବାଭିପ୍ରାୟାତ୍‌ ।......’’ ଇତ୍ୟାଦି ଅର୍ଥାତ୍‌ ରାଧେ, ଯେହେତୁ ତୁମେ ଏହାକୁ (ଶ୍ରୀକୃଷ୍ଣଙ୍କୁ) ଏତେ ବାଟ ଆଣିଛ, ତେଣୁ ତୁମେ ହିଁ ଘରକୁ ନେଇଯାଅ । କିନ୍ତୁ କାହିଁକି ବା କିପରି ଶ୍ରୀକୃଷ୍ଣଙ୍କୁ ସେ (ରାଧା) ଏତେ ବାଟ (ଗୋଗୋଷ୍ଠକୁ) ଆଣିଲେ ତାହାର କୌଣସି କାରଣ ଦେଖାଇ ନାହାନ୍ତି ।

 

ରାଣା କୁମ୍ଭଙ୍କ ମତରେ :-

 

‘‘ମେଘୈର୍ମେଦୂରଂ......ରାଧେ ଗୃହଂ ପ୍ରାପୟ’’ - ଇତ୍ୟାଦି ଦୁଇଟି ପାଦ-‘କୃଷ୍ଣୋକ୍ତି’ । ‘‘କୃଷ୍ଣୋକ୍ତେରନୁ ନନ୍ଦନିଦେଶତ ଇତି । ନନ୍ଦସମୀପାଚ୍ଚଳିତୟୋଃ । ତମେବ ପ୍ରକାରମାହ ‘‘ହେ ରାଧେ, ତତ୍ତସ୍ମାଦ୍ଧେତୋରିମଂ ମଲ୍ଲକ୍ଷଣଂ ଜନଂ ତ୍ୱମେବ ଗୃହଂ ପ୍ରାପୟ ।’’

 

‘‘ନନ୍ଦନିଦେଶତଃ’’ କଥାର ଅର୍ଥ ରାଣା କୁମ୍ଭ ତାଙ୍କ ଟୀକାରେ (ରସିକପ୍ରିୟା) କରିଛନ୍ତି - ନନ୍ଦସମୀପରୁ ବା ନନ୍ଦଙ୍କ ଗୃହରୁ । ‘ଭୀରୁ’ ଶବ୍ଦର ଅର୍ଥ ବୁଝାଇବାକୁ ଯାଇ ସେ ଲେଖିଛନ୍ତି -‘‘ଯତୋଽୟଂ ମଲ୍ଲକ୍ଷଣୋ ଜନୋ ଭୀରୁଃ । ଭୀରୁରିତି ଏଭିର୍ଭାବହେତୁଭିଃ ସ୍ମରୋହତୀଃ ସୋଢ଼ୁ ମସମର୍ଥଃ ।’’

 

ପୁଣି ସେ ଶ୍ରୀକୃଷ୍ଣଙ୍କ ‘ଭୀରୁତ୍ୱ’ ସମ୍ବନ୍ଧେ ଲେଖିଛନ୍ତି- ‘ହେ ରାଧେ, ଇମଂ ମମ ଶିଶୁଂ ରାତ୍ରୋ ଭୀରୁଂ ତ୍ୱମେବ ଗୃହଂ ପ୍ରାପୟ ତ୍ୱପ୍ୟେବ ମମ ବିଶ୍ୱାସ ଇତି ।’’ ଇତ୍ୟାଦି ।

 

ରାଣା କୁମ୍ଭ ଏବଂ ଶଙ୍କର ମିଶ୍ରଙ୍କ ପୂର୍ବବର୍ତ୍ତୀ ଗୀତଗୋବିନ୍ଦର ସର୍ବାଙ୍ଗସୁନ୍ଦରୀ ନାମକ ଟୀକାକାର କବିରାଜ ନାରାୟଣ ଦାଶ (ଖ୍ରୀ: ୧୨୭୮-୧୩୦୬- ଦ୍ୱିତୀୟ ନରସିଂହ ଦେବଙ୍କ କାଳ- ମହତାବ୍‌ ଇତିହାସ) ‘ନନ୍ଦନିଦେଶ’ ସମ୍ବନ୍ଧେ ଲେଖିଛନ୍ତି -

 

‘‘କଃ ପୁନରସୌ ନନ୍ଦନିଦେଶ ଇତ୍ୟାହ -ନକ୍ତଂ ଭୀରୁରୟଂ ତ୍ୱମେବ ତଦିମଂ ରାଧେ ଗୃହଂ ପ୍ରାପୟ ଇତି । ଏବକାରଃ କୋପାବିଷ୍କାରେ । ହେ ମୁଗ୍‌ଧେ, ଯତଃ କାର୍ଯ୍ୟାକାର୍ଯ୍ୟମବିଚାର୍ଯ୍ୟ ନକ୍ତଂ ଭୀରୁରୟଂ ତ୍ୱୟୈତାବତ୍‌ ଦୂରମାନୀତସ୍ତସ୍ମାତ୍‌ତ୍ତ୍ୱମେବ ଇମଂ କୃଷ୍ଣଂ ଗୃହଂ ପ୍ରାପୟେତି କୋପାବିଷ୍କାରୋଽର୍ଥଃ । କୋପାବିଷ୍କାରଶ୍ଚ ରାଧେ ଇତ୍ୟାକ୍ଷେପ ସମ୍ବୋଧନପଦେନୈବ ଲଭ୍ୟତେ । ନ ପୁନର୍ବତ୍ସ ପୁତ୍ରି ମାତରି ଇତ୍ୟାଦିନେତି ।’’

(O. M. Mss No L/129 (B))

 

ପରବର୍ତ୍ତୀ ରସମଞ୍ଜରୀ ଟୀକା ଏହାସହିତ ସମାନ ଅର୍ଥଜ୍ଞାପକ ।

ଆହୁରି ଏହି ପ୍ରଥମ ଶ୍ଳୋକର ଅନ୍ୟ ପ୍ରକାର ଅର୍ଥ ମଧ୍ୟ କରାଯାଇଥିବାର ଦେଖାଯାଏ, ଯଥା :-

 

‘‘ରାତ୍ରିକାଳ । ମେଘାଚ୍ଛନ୍ନ ଆକାଶ । ତମାଳ-ଛାୟାରେ ଅନ୍ଧାରିତ ବନଭୂମି - ସାରା ବୃନ୍ଦାବନ ପ୍ରକୃତିର ଏହି ପୁଞ୍ଜୀଭୂତ ଅନ୍ଧକାରରେ ଭରିରହିଛି । ରାଧେ, ଏଇ ତ ଅଭିସାରର ସମୁଚିତ କାଳ । ଆଉ ଭୟ କାହିଁକି ? ଶୀଘ୍ର ଆସ ।’’ ଶ୍ରୀମତୀଙ୍କ ସଙ୍ଗଲିପ୍‌ସୁ ଶ୍ରୀକୃଷ୍ଣ ‘ନନ୍ଦ’ ନାମକ ବଂଶୀରେ ଏଇ ନିର୍ଦ୍ଦେଶ ଦେଲେ । ସଂକେତ ଶ୍ରବଣରେ ଅଭିସାରିକା ରାଧା ମିଳନ ଆଶାରେ ଆସୁଥିବାବେଳେ ପଥମଧ୍ୟରେ ଶ୍ରୀକୃଷ୍ଣଙ୍କ ସାକ୍ଷାତ୍‌କାର ଏବଂ ସଂଗ ଲାଭ କଲେ । ଯମୁନାତୀରସ୍ଥ ପ୍ରତିକୁଞ୍ଜତରୁତଳେ ମଧୁର ମିଳନ ଘଟିଲା । ଏହି ଏକାନ୍ତ ମିଳନ ଜୟଯୁକ୍ତ ହେଉ ।

ଏପରି ଅର୍ଥ ସ୍ଥଳେ ‘ରୟଂ’ ଶବ୍ଦର ଅର୍ଥ ଶୀଘ୍ର, ତ୍ୱରିତ ।

 

ନନ୍ଦ ନିର୍ଦ୍ଦେର୍ଶନନ୍ଦ’ -ବଂଶୀର ପ୍ରକାରବିଶେଷ । ସଙ୍ଗୀତ ନାରାୟଣରେ କୁହାଯାଇଅଛି :-

‘‘ମହାନନ୍ଦସ୍ତଥା ନନ୍ଦୋ ବିଜୟେଽଥ ଜୟସ୍ତଥା

ଚତ୍ୱାର ଉତ୍ତମା ବଂଶା ମତଙ୍ଗ-ମୁନି-ସମ୍ମତାଃ ।’’

 

ଅର୍ଥାତ୍‌ ମତଙ୍ଗମୁନିଙ୍କ ମତାନୁସାରେ ମହାନନ୍ଦ, ନନ୍ଦ, ବିଜୟ ଏବଂ ଜୟ - ଏହି ଚାରିପ୍ରକାର ଉତ୍ତମ ବଂଶୀ । ଶ୍ରୀକୃଷ୍ଣ ନନ୍ଦାଖ୍ୟ ବଂଶୀବାଦନ କରି ଶ୍ରୀମତୀଙ୍କୁ ତ୍ୱରିତ ଆଗମନର ସଂକେତ ଦେଲେ ।

 

ନିତ୍ୟଲୀଳା ସମ୍ବନ୍ଧ ବିଚାର କରିବାକୁ ହେଲେ ନନ୍ଦାଖ୍ୟ ବଂଶୀର ସଙ୍କେତଭାବ ଗ୍ରହଣ ଏକାବେଳକେ ଅପ୍ରାସଙ୍ଗିକ ମନେ ହୁଏ ନାହିଁ । ଏପରି ବିଚାରିବାର ମଧ୍ୟ ଅନ୍ୟତମ କାରଣ ହେଉଛି ଯେ କବି ଏହି ପ୍ରଥମ ଶ୍ଳୋକରେ ଶ୍ରୀକୃଷ୍ଣଙ୍କର ନିତ୍ୟଲୀଳାର ସୂଚନା ଦେଇ କହିଛନ୍ତି - ‘‘ରାଧାମାଧବୟୋର୍ଜୟନ୍ତୀ’’ ।

 

ଏହି ଲୀଳାର ସଂଗତି ରକ୍ଷାଲାଗି କବି ତାଙ୍କର ମହାକାବ୍ୟରେ ଶୃଙ୍ଗାର-ରସକୁ ପ୍ରାଧାନ୍ୟ ଦେଇଅଛନ୍ତି । ମେଘମେଦୂର ଗଗନମଣ୍ଡଳକୁ ଉଦ୍ଦୀପନ ବିଭାବ, ରାଧା ଆଲମ୍ବନ ବିଭାବ ଓ ‘ଭୀରୁ’ ଏହାର ଅନୁଭାବରୂପେ କଳ୍ପନା କରିଛନ୍ତି ବୋଲି ‘ରସିକପ୍ରିୟା’ ଟୀକାର ମତ ।

 

ଗର୍ଗସଂହିତାର ଗୋଲୋକଖଣ୍ଡରେ ଠିକ୍‌ ଏହି ମର୍ମ୍ମର ଲେଖା ଦେଖିବାକୁ ମିଳେ ।

 

‘‘ଗାଂ ଶ୍ଚାରୟନ୍ନନ୍ଦନାମକଂ ଦେଶେ ସଂଳାପୟନ୍‌ ଦୂରତମାତ୍‌ ସକାଶାତ୍‌ କଳିନ୍ଦଜାତୀରସମୀରକମ୍ପିତଂ ନନ୍ଦୋଽପି ଭାଣ୍ଡୀରବନଂ ଜଗାମ ।’’

 

ନନ୍ଦ କୃଷ୍ଣ (ବାଳକ)ଙ୍କୁ କୋଳରେ ଧରି ଗୋଚାରଣ କରୁ-କରୁ ତାଙ୍କ ଘରଠାରୁ କିୟତ୍‌ ଦୂରବର୍ତ୍ତୀ ମନ୍ଦସମୀର-ଆନ୍ଦୋଳିତ ଯମୂନା-ତୀର ନିକଟସ୍ଥ ଭାଣ୍ଡୀର ବନକୁ ଚାଲିଗଲେ । ମାୟାଧର ଶ୍ରୀକୃଷ୍ଣଙ୍କ ମାୟା (ଇଚ୍ଛା)-ବଳରୁ ଆକାଶରେ ଘନ ଘୋର ମେଘ ଘୋଟିଗଲା । ବନର ତରୁଲତା ପ୍ରବଳ ପବନରେ ଉପୁଡ଼ିପଡ଼ିଲା । ପ୍ରକୃତି ପ୍ରଳୟଙ୍କରୀ ରୂପ ଧରିଲା । ବାଳକ ଶ୍ରୀକୃଷ୍ଣ ନନ୍ଦ କୋଳରେ କାନ୍ଦିଉଠିଲେ । ନନ୍ଦ ମଧ୍ୟ ଭୟଭୀତ ହୋଇ ହରିଶରଣାଗତ ହୁଅନ୍ତେ ରବିକରପରି ଗୋଟିଏ ସମୁଜ୍ଜ୍ୱଳ ତେଜରେ ସାରାବନ ଉଦ୍‌ଭାସିତ ହୋଇଉଠିଲା । ଏତିକିବେଳେ ସହସା ସେଠାରେ ଶ୍ରୀରାଧାଙ୍କ ଦର୍ଶନ ପାଇ ନନ୍ଦ ତାଙ୍କୁ ବନ୍ଦନା କରି କହିଲେ:- ମୁଁ ଜାଣେ ରାଧା, ତୁମେ ନିରତ ମୋର ଅଙ୍କସ୍ଥିତ ଏଇ ପୁରୁଷୋତ୍ତମ ନାରାୟଣଙ୍କର ପ୍ରିୟବତୀ । ମାୟାବଳରୁ ବାଳକରୂପୀ ଶ୍ରୀକୃଷ୍ଣ ମେଘଦର୍ଶନରେ ଭୀତ । ତୁମେ ତାକୁ ଘରକୁ ଘେନିଯାଅ । ମୁଁ ଗର୍ଗମୁନିଙ୍କ ମୁଖରୁ ସମସ୍ତ ଗୁପ୍ତବିଷୟ ଜାଣିପାରିଛି :-

 

‘‘ଗୁପ୍ତତ୍ୱିଦଂ ଗର୍ଗମୁଖେନ ବେଦ୍ମି ଗୃହାଣ ରାଧେ ନିଜନାଥମକାଂତ୍‌

ଏନଂ ଗୃହଂ ପ୍ରାପୟ ମେଘଭୀତଂ ବଦାମି ଚେତ୍‌ଥଂ ପ୍ରକୃତେର୍ଗୁଣାନାମ୍‌।’’

 

ଏହି ରୀତି ଗୀତିଗୋବିନ୍ଦର ପ୍ରଥମ ଶ୍ଳୋକରେ ମଧ୍ୟ ଫୁଟିଉଠିଛି । ଏହି ଶ୍ଳୋକଟି ନିତ୍ୟଲୀଳାର ପ୍ରାଥମିକ ସଙ୍କେତ ବର୍ଣ୍ଣନା ବୋଲି କେହିକେହି ଗ୍ରହଣ କରନ୍ତି ।

 

ଗୂଢାର୍ଥରେ ଏଇ ଶ୍ଳୋକଟି ନିମ୍ନରୂପେ ମଧ୍ୟ ଗ୍ରହଣ କରାଯାଇପାରେ । ସମ୍ପୂର୍ଣ୍ଣ ଗୀତଗୋବିନ୍ଦର କେବଳ ଥରେ ମାତ୍ର ଏଇ ଶ୍ଳୋକରେ ‘ନନ୍ଦ’ ଶବ୍ଦର ପ୍ରୟୋଗ ଦେଖିବାକୁ ମିଳେ । ଜଗତର ମୋହମାୟାଚ୍ଛନ୍ନ ଅନ୍ଧକାରମଧ୍ୟରେ ରାଧାକୃଷ୍ଣଙ୍କର ନିତ୍ୟଲୀଳାର ଅପୂର୍ବ ମିଳନ ସଂଜାତ ପୁଣ୍ୟ ତେଜ ସଂଦର୍ଶନହେତୁ ଯେପରି ନନ୍ଦଙ୍କ ପ୍ରତି ଏହା ନିର୍ଦ୍ଦେଶବାଣୀ ।

 

ପରିଶେଷରେ କୁହାଯାଇପାରେ ଯେ ବ୍ରହ୍ମବୈବର୍ତ୍ତ ପୁରାଣୋକ୍ତ କୃଷ୍ଣଚରିତ ବର୍ଣ୍ଣନାର କେତେକ ବିଶେଷ ଉପାଖ୍ୟାନକୁ ଭିତ୍ତି କରି କବିରାଜ ଜୟଦେବ ବୋଧ ହୁଏ ଏହି ପ୍ରଥମ ଶ୍ଳୋକଟି ରଚନା କରିଛନ୍ତି । ବ୍ରହ୍ମବୈବର୍ତ୍ତ ପୁରାଣବର୍ଣ୍ଣିତ ରାଧା ପ୍ରେମମୂର୍ତ୍ତି । ନାରଦ ପଞ୍ଚରାତ୍ର ଏବଂ ବ୍ରହ୍ମବୈବର୍ତ୍ତ ପୁରାଣ ଏହି ଉଭୟ ଗ୍ରନ୍ଥରେ ରାଧା ଶବ୍ଦର ବ୍ୟୁତ୍‌ପତ୍ତି ସମାନାର୍ଥବୋଧକ ବୋଲି ଜଣାଯାଏ । ବହୁ ପଣ୍ଡିତଙ୍କ ମତରେ ବ୍ରହ୍ମବୈବର୍ତ୍ତ ପୁରାଣର ରାଧାବିଷୟକ ବହୁତ ତଥ୍ୟ ବର୍ଣ୍ଣନା ପରବର୍ତ୍ତୀ କବିମାନଙ୍କ ପ୍ରକ୍ଷିପ୍ତ ରଚନା । ଏହି ପୁରାଣରେ ହିଁ ରାଧାକୃଷ୍ଣ ଲୀଳାର ଜନମନୋରଞ୍ଜକ ବର୍ଣ୍ଣନାମାନ ଦୃଷ୍ଟ ହୁଏ । ପୁରାଣବିଶେଷଜ୍ଞମାନେ ଅଧୁନା ପ୍ରଚଳିତ ବ୍ରହ୍ମବୈବର୍ତ୍ତ ପୁରାଣକୁ ଅର୍ବାଚୀନ ବୋଲି ଗ୍ରହଣ କରନ୍ତି । ପଦ୍ମପୁରାଣବର୍ଣ୍ଣିତ ବୃନ୍ଦାବନ-ଲୀଳା ଆଖ୍ୟାନରେ ‘ରାଧା’- ସମ୍ବନ୍ଧରେ ଏଭଳି ଉଲ୍ଲେଖ ନାହିଁ । ତେଣୁ କେତେକଙ୍କ ମତରେ ବୃନ୍ଦାବନଲୀଳାର ରାଧା-ପରିକଳ୍ପନା ପରବର୍ତ୍ତୀ ସୃଜନା ।

 

ଶ୍ରୀବାସୁଦେବ-ରତିକେଳି-କଥା

 

ଶ୍ରୀଗୀତଗୋବିନ୍ଦର ପ୍ରଥମ ଶ୍ଳୋକରେ ମହାକବି ରାଧାମାଧବଙ୍କର ନିଭୃତ କୁଞ୍ଜ-ମିଳନ ଜୟଯୁକ୍ତ ହେଉ ବୋଲି ଲେଖି ଗ୍ରନ୍ଥାରମ୍ଭ କରିଛନ୍ତି । ତୃତୀୟ ଶ୍ଳୋକରେ କେବଳ ହରିସ୍ମରଣରେ ସରସମନାଙ୍କଲାଗି ଗ୍ରନ୍ଥପାଠର ନିର୍ଦ୍ଦେଶନା ।

 

ଦ୍ୱିତୀୟ ଶ୍ଳୋକରେ ଗ୍ରନ୍ଥର କି ବିଷୟ ବର୍ଣ୍ଣିତ ହୋଇଅଛି ଏବଂ କାହିଁକି ହରିସ୍ମରଣରେ ସରସମନାଙ୍କ ଭିନ୍ନ ଅପର ପାଠକଙ୍କ ପଠନଲାଗି ସାବଧାନୀ ବାଣୀ ଶୁଣାଇଅଛନ୍ତି, ତାହାର ମର୍ମ ବା ମହତ୍ତ୍ୱ ଉଲ୍ଲେଖ କରି ମହାକବି କହିଅଛନ୍ତି ଯେ ସେ ଗ୍ରନ୍ଥରେ ‘‘ବାସୁଦେବ-ରତିକେଳି-କଥା’’ ବର୍ଣ୍ଣନା କରୁଅଛନ୍ତି । ଅତଏବ ବିଷୟଟିକୁ ସେହି ଦୃଷ୍ଟିରେ ଗ୍ରହଣ କରିବାକୁ ହେବ ଏବଂ ହରିନାମ-ରସପାନ-ରସିକମାନଙ୍କପାଇଁ ଏହା ଉଦ୍ଦିଷ୍ଟ ।

 

ସମଗ୍ର ଗ୍ରନ୍ଥରେ ‘ବାସୁଦେବ’ ଶବ୍ଦଟି ପ୍ରଥମ ଓ ଶେଷ ଥରପାଇଁ ଏହି ଏକମାତ୍ର ଶ୍ଳୋକରେ ବ୍ୟବହୃତ ହୋଇଅଛି । ଅନ୍ୟତ୍ର ମାଧବ, ଗୋବିନ୍ଦ ଓ ଶ୍ରୀକୃଷ୍ଣ ପ୍ରଭୃତି ନାମମାନ ଦୃଷ୍ଟ ହୁଏ । ମହାକବି ଗ୍ରନ୍ଥର ନାମକରଣ କଲେ ‘‘ଗୀତଗୋବିନ୍ଦ, ବର୍ଣ୍ଣନା କଲେ ରାଧା-କୃଷ୍ଣ କେଳି ରହସ୍ୟ । ତେବେ ‘ବାସୁଦେବ-ରତିକେଳି-କଥା’ଟି କହିଲେ କାହିଁକି ?

 

ବାସୁଦେବ

 

ମହାଭାରତର ଭୀଷ୍ମପର୍ବରେ ବ୍ରହ୍ମା ଶ୍ରୀକୃଷ୍ଣଙ୍କସମ୍ବନ୍ଧେ କହିଅଛନ୍ତି-

‘‘ତଂ ଯୋଗିନଂ ମହାତ୍ମାନଂ ପ୍ରବିଷ୍ଟଂ ମାନୁଷୀତନୁମ୍‌

ଅବମନ୍ୟେଦ୍‌ବାସୁଦେବଂ ତମାହୁଃ ତାମସଂ ଜନାଃ ।’’

 

ପୁରାଣରେ ପରମବ୍ରହ୍ମ ବ୍ୟୋମନାଥ ନାରାୟଣଙ୍କର ଚାରିଗୋଟି ବ୍ୟୂହ ବର୍ଣ୍ଣନା କରାଯାଇଛି, ଯଥା - ବାସୁଦେବ, ଶଙ୍କର୍ଷଣ, ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧ । ଏହି ଚାରିଗୋଟି ବ୍ୟୂହମଧ୍ୟରେ ବାସୁଦେବ ଶ୍ରେଷ୍ଠ । ଏହା ସ୍ତିମିତି ସ୍ୱରୂପସ୍ଥ ପ୍ରଥମ ବ୍ୟୂହର ଉନ୍ମେଷ ଅବସ୍ଥା । ଏହି ବାସୁଦେବତତ୍ତ୍ୱହିଁ ବିଷ୍ଣୁଶକ୍ତିର ପ୍ରଥମାବସ୍ଥା । କେତେକ ପୁରାଣକାରଙ୍କଦ୍ୱାରା ସେ କୃଷ୍ଣାବତାର ବୋଲି ଘୋଷିତ । ପ୍ରଥମ ବ୍ୟୂହ ବାସୁଦେବ ହେଉଛନ୍ତି ବସୁଦେବ ପୁତ୍ର ଶ୍ରୀକୃଷ୍ଣ । ତାଙ୍କର ଜ୍ୟେଷ୍ଠ ଭ୍ରାତା ବଳରାମ ହେଲେ ଶଙ୍କର୍ଷଣ । ଶ୍ରୀକୃଷ୍ଣଙ୍କର ପୁତ୍ର ପ୍ରଦ୍ୟୁମ୍ନ ଓ ପୌତ୍ର ଅନିରୁଦ୍ଧ ।

 

ଋଗ୍‌ବେଦୀୟ ପୁରୁଷସୂକ୍ତ ବର୍ଣ୍ଣନାନୁସାରେ ସେ ପରମପୁରୁଷ ବାସୁଦେବ -ବାଙ୍‌ମନ ଅଗୋଚରୀଭୂତ ଅନାଦି ପରମବ୍ରହ୍ମ । ସେ ଅଚିନ୍ତ୍ୟ, ଅବ୍ୟକ୍ତ, ଅକ୍ଷୟ, ଅଜର ଏବଂ ଅମର । ସେ ସତ୍ୟ, ନିତ୍ୟ, ସନାତନ ଭଗବତ୍‌ ପୁରୁଷ ।

 

ଅସ୍ତିତ୍ୱ ଏବଂ ନାସ୍ତିତ୍ୱ, ଦୃଶ୍ୟ ଏବଂ ଅଦୃଶ୍ୟ, ଆସ୍ୱାଦ୍ୟ ଏବଂ ଆସ୍ୱାଦକରୂପେ ସେ ‘‘ଅପ୍ରାକୃତଗୁଣସ୍ପର୍ଶମପ୍ରାକୃତଗୁଣାସ୍ପଦମ୍‌।’’ (ଅହିର୍ବୁଦ୍ଧା ସଂହିତା) ପ୍ରାକୃତ ଗୁଣ ତାଙ୍କୁ ସ୍ପର୍ଶ କରିପାରେ ନାହିଁ, ଅଥଚ ସେ ପୁଣି ଅପ୍ରାକୃତ ଗୁଣାସ୍ପଦ । ଏହିହେତୁରୁ ସେ ନିର୍ଗୁଣ ପରଂବ୍ରହ୍ମ । ତାଙ୍କର ପ୍ରଥମ ଏବଂ ପରମ ଅପ୍ରାକୃତ ଗୁଣ ହେଲା ‘ଜ୍ଞାନ’ । ଏହି ଜ୍ଞାନସହିତ ଶକ୍ତି, ଐଶ୍ୱର୍ଯ୍ୟ, ବଳ, ବିର୍ଯ୍ୟ ଏବଂ ତେଜ ସଂମିଶ୍ରଣ ଘେନି ସେ ଷଡ଼୍‌ଗୁଣଯୁକ୍ତ ଭଗବାନ୍‌ ବାସୁଦେବ ।

‘‘ସମସ୍ତଭୂତବାସିତ୍ୱାଦ୍‌ବାସୁଦେବଃ ପ୍ରକୀର୍ତ୍ତିତଃ ।’’

(ଅ: ବୁ: ସଂହିତା - ୨।୨୮)

 

      ସେ ‘‘ସର୍ବପ୍ରକୃତିଶକ୍ତିତ୍ୱାତ୍‌ସର୍ବପ୍ରକୃତିରୀରିତଃ’’ । ଊର୍ମ୍ମିମାଳାର ଜନ୍ମ ସାଗରଗର୍ଭରୁ, ପୁଣି ବିଲୟ ମଧ୍ୟ ସେଇ ସାଗରଗର୍ଭରେ । ସେହିଠାରେ ଯାହାଙ୍କଠାରୁ ‘ସମଗ୍ର’ର ଉଦ୍ଭବ, ପୁଣି ଯାହାଙ୍କଠାରେ ‘ସମଗ୍ର’ ବିଲୀନ, ସେ ହିଁ ଭଗବାନ୍‌ ବାସୁଦେବ । ସେ ଜଗତର କାରଣ, ଆଧାର ଏବଂ ଜଗତର ଏକମାତ୍ର ପ୍ରମାଣ । ସେଇ ସଚ୍ଚିଦାନନ୍ଦ ପରମପୁରୁଷ ପ୍ରଥମେ ନିଜକୁ ନିଜେ ଦର୍ଶନ କଲେ । ଏହି ‘ଦର୍ଶନ’ ବା ‘ଈକ୍ଷଣ’ରୁ ହିଁ ଜାତ ହେଲା ବିଶ୍ୱସୃଷ୍ଟିର ଇଚ୍ଛା ।

 

ବିଶ୍ୱ ସର୍ଜନା ଇଚ୍ଛାରେ ସେ ପ୍ରଥମେ ନିଜକୁ ଶକ୍ତି ଓ ଶକ୍ତିମାନ୍‌ରୂପେ ଦ୍ୱିଧା ବିଭକ୍ତ କଲେ-

 

‘‘ଶକ୍ତେଃ ଶକ୍ତିମତୋର୍ଭେଦାଦ୍‌ବାସୁଦେବ ଇତୀର୍ଯ୍ୟତେ ।’’

(ଅ: ବୁ: ସଂ:)

 

ବାସୁଦେବ ହିଁ ପରମା ପ୍ରକୃତି । ତେଣୁ କୁହାଯାଇଛି -‘‘ଭଗବାନ୍‌ ବାସୁଦେବଃ ସ ପରମା ପ୍ରକୃତି ଚ ସା ।’’ ସେହି ବାସୁଦେବଙ୍କର ବିଶ୍ୱସୃଷ୍ଟି - ଇଚ୍ଛାରେ ପୁରୁଷ ଓ ପ୍ରକୃତି ତଥା ଶକ୍ତିମାନ୍‌ ଓ ଶକ୍ତିରୂପେ ନିଜକୁ ଦ୍ୱିଧା ବିଭକ୍ତିକରଣର ନାମ ‘ବାସୁଦେବ-ତତ୍ତ୍ୱ’ ।

 

ବିଶ୍ୱସୃଷ୍ଟିପୂର୍ବରୁ ବାସୁଦେବ ଥିଲେ ଅଦ୍ୱିତୀୟ -‘‘ଆତ୍ମୈବ ଇଦମ୍‌ ଅଗ୍ର ଆସିତ ଏକ ଏବ’’-। କିନ୍ତୁ ରମଣବ୍ୟତିରେକେ ସୃଷ୍ଟି ଅସମ୍ଭବ । ତେଣୁ ସୃଷ୍ଟି - ମାନସରେ ସେହି ‘ଏକମେବାହିତୀୟଂ’ଙ୍କ ରମଣ ଇଚ୍ଛାରୁ ସେ ଜାୟା କାମନା କଲେ ।

 

‘‘ସଜୈନୈନ ବେଦେ - ତସ୍ମାତ୍‌ ଏକାକୀ ନ ରମତେ

ସ ଦ୍ୱିତୀୟମ୍‌ ଐଚ୍ଛେତ୍‌-ସ ଅକାମୟତ୍‌ ଜାୟା ମେ ସ୍ୟାତ୍‌।’’

(ବୃହଦାରଣ୍ୟକ -୧।୪।୩)

 

ଏହି ବିଧିରେ ଅକାମ, ଆପ୍ତକାମ ଏବଂ ଆତ୍ମାରାମ ପୁରୁଷଙ୍କମଧ୍ୟରେ ପ୍ରଥମେ ଉଦିତ ହେଲା ‘କାମ’ ଏବଂ ପରେପରେ ଆଦିପୁରୁଷ ନିଜକୁ ଦ୍ୱିଧା ବିଭକ୍ତ କଲେ । ସେ ହେଲେ ‘ପତି-ପତ୍ନୀ’ ।

 

‘‘ସ ହ ଏତାବାନ୍‌ ଆସ –ଯଥା

 

ସ୍ତ୍ରୀ-ପୁମାସୌ ସଂ ପରିଷ୍ୱକୌ । ସ ଇୟମେବ ଆତ୍ମାନଂ ଦ୍ୱେଧା ଅପାୟେଂ ତତଃ ପତିଶ୍ଚ ପତ୍ନୀଶ୍ଚ ଅଭବତାମ୍‌ ।’’ (ବୃହଦାରଣ୍ୟକ - ୧।୪।।୩)

 

ସୁତରାଂ ଆତ୍ମାରାମ ପୁରୁଷ ଆଦିବ୍ରହ୍ମ; ଯେ ଦିନେ ଥିଲେ ଏକ, ସେ ହେଲେ ଦୁଇ - ପତି ଓ ପତ୍ନୀ । ଏହି ପତି, ପତ୍ନୀ:- ପତି, ପରମପୁରୁଷ ଶ୍ରୀକୃଷ୍ଣ ଏବଂ ପତ୍ନୀ, ପରମା ପ୍ରକୃତି ଶ୍ରୀରାଧା । ତହୁଁ ସୃଷ୍ଟିହେଲା ପ୍ରଥମେ କାମ ।

‘‘କାମସ୍ତଦଗ୍ରେ ସମବର୍ତ୍ତତାଧି ।’’      (ଋକ୍‌)

 

ପ୍ରଥମେ କାମ ଅନାଦି ପୁରୁଷଙ୍କମଧ୍ୟରେ ଉଦିତ ହେଲା, ଯାହା ଫଳରେ ଆତ୍ମାରାମ ପୁରୁଷ ନିଜକୁ ଦ୍ୱିଧା ବିଭକ୍ତ କରି ହେଲେ ସ୍ତ୍ରୀ-ପୁରୁଷ । ଏହି ମହାମିଳନଫଳରୁ ଦୁଇଟି ଦିଗର ଉତ୍ପତ୍ତି; ଯଥା- ସୃଷ୍ଟି ଏବଂ ବିଳାସ । ବିଳାସରୁ ପ୍ରେମଭାବର ଉଦୟ ଘଟେ ।

 

ସୃଷ୍ଟିର ଫଳ - ରାଧା - କୃଷ୍ଣ ବା ପ୍ରକୃତି - ପୁରୁଷ ।

 

ତହୁଁ ପରମ ପୁରୁଷ ଆତ୍ମାରାମ (ଆତ୍ମା ରମଣୀଶୀଳ) ରାଧ - କୃଷ୍ଣ ବା ପ୍ରକୃତି - ପୁରୁଷରୂପେ ବିରାଜ କଲେ । ପରମ ପୁରୁଷଙ୍କର ଇଚ୍ଛାସୃଷ୍ଟି ଆତ୍ମା ହିଁ ରାଧିକା - ଏହା ଭକ୍ତିଶାସ୍ତ୍ରର ମତ । ରାଧିକାଙ୍କସହ ରମଣହେତୁ ସେ ଆତ୍ମାରାମ ବୋଲି କଥିତ । ‘ଆତ୍ମାରାମ’ ଅର୍ଥ ଯେ ଆତ୍ମାସହିତ ରମିତ ହୁଅନ୍ତି ଅର୍ଥାତ୍‌ ଆତ୍ମାସହିତ ରମଣ କରନ୍ତି ଯେ । ଏଣୁ ଶ୍ରୀରାଧାଙ୍କୁ କୁହାଯାଏ ‘ଆତ୍ମା’ । ଆତ୍ମା ଏବଂ ଆତ୍ମାରାମଙ୍କର ଯୁଗଳମିଳନ - ଶ୍ରୀବାସୁଦେବ - ରତିକେଳି - କଥା ।

 

‘‘ଆତ୍ମାତୁ ରାଧିକା ତସ୍ୟ ତୟୈବ ରମଣାତ୍‌ ଅସୌ ।’’

(ସ୍କନ୍ଦ ପୁରାଣ)

 

ଏହି ରୀତିରେ ଗୁଢ଼ତତ୍ତ୍ୱବାଦୀ ଜ୍ଞାନିଜନ ତାଙ୍କୁ କହନ୍ତି ‘ଆତ୍ମାରାମ ।’ ପୁରାଣବର୍ଣ୍ଣିତମତେ ବସୁଦେବପୁତ୍ର ବାସୁଦେବ ହିଁ ଶ୍ରୀକୃଷ୍ଣ - ସେ ମହାବିଷ୍ଣୁ ।

 

‘‘ତଥୈବ ଭୃଗୁଶାପାତ୍‌ବୈ

ଭଗବାନ୍‌ ବିଷ୍ଣୁ ରବ୍ୟୟଃ

ଅଶେଂନ ଭବିତା ତତ୍ର

ବସୁଦେବସୁତୋ ହରିଃ ।’’

 

(ଦେବୀ - ଭାଗବତ)

 

‘‘ବସୁଦେବ - ପତ୍ନୀ ଦେବତୋପମା ଦେବକୀଙ୍କ ଗର୍ଭରେ ମୋର ଏଇ କେଶ ଉତ୍ପନ୍ନ ହୋଇ ଭୂଭାର ହରଣ କରିବ ।’’ ବ୍ରହ୍ମାଙ୍କ ପ୍ରାର୍ଥନା ରକ୍ଷା କରି ଶ୍ରୀହରି ଏହା କହିଛନ୍ତି –

 

‘‘ବସୁଦେବସ୍ୟ ପତ୍ନୀ ଦେବକୀ ଦେବତୋପମା

ତସ୍ୟା ଗର୍ଭେଽଷମୋଽୟୀ ତୁ ମତ୍‌ଦେଶୋଭବିତା ସୁରାଃ ।’’

(ବ୍ରହ୍ମପୁରାଣ - ୧୮୧)

 

ଆହୁରି ବାସୁଦେବସମ୍ବନ୍ଧେ ମହାଭାରତର ସ୍ୱର୍ଗାରୋହଣ ପର୍ବରେ କୁହାଯାଇଛି -

‘‘ଯଃ ସ ନାରାୟଣେ ନାମ ଦେବଦେବଃ ସନାତନଃ

ତସ୍ୟାଂଶୋ ବାସୁଦେବସ୍ତୁ କର୍ମଣୋଽନ୍ତେ ବିବେଶ ଚ ।’’

 

ଯେ ଦେବଦେବ ନାରାୟଣ ତାହାଙ୍କ ଅଂଶରେ ମନୁଷ୍ୟମଧ୍ୟରେ ବୀର୍ଯ୍ୟବାନ୍‌ ବାସୁଦେବ ଦେହ ଧାରଣ କରିଥିଲେ, ସେ କର୍ମାବସାନରେ ପୁଣି ସେହି ନାରାୟଣଙ୍କ ଅଙ୍ଗରେ ପ୍ରବିଷ୍ଟ ହେଲେ ଅର୍ଥାତ୍‌ ଶ୍ରୀକୃଷ୍ଣ ହିଁ ମହାବିଷ୍ଣୁ ।

 

‘‘ତଂ ଯୋଗୀନଂ ମହାତ୍ମାନଂ ପ୍ରବିଷ୍ଟଂ ମାନୁଷୀତନୁମ୍‌

ଅବମନ୍ୟେଦ ବାସୁଦେବଂ ତମାହୁଃ ତମସଂ ଜନାଃ ।’’

(ଭୀଷ୍ମପର୍ବ - ମହାଭାରତ)

 

ଏହିରୂପେ ବାସୁଦେବ -

‘‘ଅନୁଗ୍ରହାୟ ଭୂତାନାଂ ମାନୁଷଂ ଦେହମାସ୍ଥିତଃ ।’’

(ଭାଗବତ)

 

ବାସୁଦେବଙ୍କୁ ତୈତିରୀୟ ସଂହିତାରେ ପୁଣି କୁହାଯାଇଅଛି - ‘ସୁକୃତି’ ।

‘‘ଅସହା ଇଦମଗ୍ରଂ ଆସୀତ୍‌ । ତତୋ ବୈ ସଦଜାୟତ ।

ତଦାତ୍ମାନଂ ସ୍ୱୟମକୁରୁତ । ତସ୍ମାତ୍‌ ତତ୍‌ ସୁକୃତମୁଚ୍ୟତେ ।’’

                        (ତୈ: ସଂ - ୨।୭)

 

ଜଗତ ସୃଷ୍ଟିପୂର୍ବରୁ ଥିଲେ ଏକମାତ୍ର ବ୍ରହ୍ମ । ସେହି ‘ଅବ୍ୟକ୍ତ’ ବ୍ରହ୍ମଙ୍କଠାରୁ ଏହି ‘ବ୍ୟକ୍ତି’ ଜଗତ ଉତ୍ପନ୍ନ ହୋଇଅଛି (ବ୍ୟକ୍ତଜଗତ ‘ବ୍ରହ୍ମ’ଙ୍କର ବହିରଙ୍ଗା ଶକ୍ତିର ପରିମାଣ) । ସେ ବ୍ରହ୍ମ ନିଜକୁ ‘ପୁରୁଷ’ - ରୂପେ ପ୍ରକାଶିତ କଲେ; - ତେଣୁ ତାଙ୍କୁ କୁହାଗଲା ‘ସୁକୃତି’ ।

 

ଏହି ‘ସୁକୃତି’ ବାସୁଦେବ ହିଁ ମହାବିଷ୍ଣୁ ଶ୍ରୀକୃଷ୍ଣ - ‘‘କୃଷ୍ଣସ୍ତୁ ଭଗବାନ୍‌ ସ୍ୱୟଂ’’ । ସେ ଅବତାରୀ; - ଅବତାର ନୁହନ୍ତି । ମହାକବି ଶ୍ରୀକୃଷ୍ଣଙ୍କୁ ‘ଦଶାକୃତି କୃତେ’ ରୂପେ ପ୍ରଣତି ନିବେଦନ କରିଛନ୍ତି । ଭାଗବତ - ବାଣୀ ମଧ୍ୟ ‘‘ଅବତାରା ହ୍ୟସଂକ୍ଷେୟା ହରେଃ ସତ୍ୱନିଧେର୍ଜ୍ଜିଜାଃ ।’’ ଅବତାରୀ ଶ୍ରୀକୃଷ୍ଣ ହିଁ ଜଗନ୍ନାଥ ।

 

‘‘କୃଷ୍ଣ ଏବ ହି ଲୋକାନାମ୍‌

ଉତ୍ପତ୍ତିରପି ଚାବ୍ୟୟଃ ।

କୃଷ୍ଣସ୍ୟ ହି କୃତେ ବିଶ୍ୱମିଦଂ

ଭୂତ ଚରାଚରମ୍‌ ।’’

(ମହାଭାରତ, ସଭାପର୍ବ - ୩୭।୭୧)

 

ଶ୍ରୀକୃଷ୍ଣ ସର୍ବଲୋକର ଅବ୍ୟୟ ଉତ୍ପତ୍ତି-ସ୍ଥାନ । ତାଙ୍କରିଠାରୁ ଚରାଚର ବିଶ୍ୱ ସୃଷ୍ଟି । ତେଣୁ ଯେ ବାସୁଦେବ, ସେ ଶ୍ରୀକୃଷ୍ଣ, - ସେ ବୈକୁଣ୍ଠପତି ଭଗବାନ୍‌ ପୁରୁଷୋତ୍ତମ, ନର-ନାରାୟଣ, ବୃନ୍ଦାବନବିହାରୀ ନନ୍ଦ-ନନ୍ଦନ ।

 

‘‘ଯୋ ବୈକୁଣ୍ଠେ ଚତୁର୍ବାହୁ ଭଗବାନ୍‌ ପୁରୁଷୋତ୍ତମଃ

ସ ଏବ ଶ୍ୱେତହୀପେ ଶୋ ନରନାରାୟଣଶ୍ଚ ଯଃ ।

ସ ଏବ ବନ୍ଦାବନ - ଭୂବିହାରୀ ନନ୍ଦ-ନନ୍ଦନଃ ।’’

(ବ୍ରହ୍ମାଣ୍ଡପୁରାଣ)

 

ବାସୁଦେବ ତତ୍ତ୍ୱ ପ୍ରତିଷ୍ଠିତ ବିଶ୍ୱ ସର୍ଜନାର ମୂଳାଧାର ଶକ୍ତିମାନ୍‌ ଏବଂ ଶକ୍ତିବିଗ୍ରହ ଶ୍ରୀକୃଷ୍ଣ ଏବଂ ଶ୍ରୀମତୀଙ୍କୁ ମଧୁର ବୃନ୍ଦାବନ - ଲୀଳାର ନାୟକ - ନାୟିକାରୂପେ ଅର୍ଚ୍ଚନା କରି ମହାକବି ରଚନା କରିଛନ୍ତି ଗୀତି - ମହାକାବ୍ୟ ଶ୍ରୀଗୀତଗୋବିନ୍ଦ, ଯାହା କି ଶ୍ରୀବାସୁଦେବ - ରତି କେଳି - କଥା ।

 

ରତି-କେଳି

 

ରତି ଶବ୍ଦ ‘ରମ୍‌’ ଧାତୁରୁ ନିଷ୍ପନ୍ନ । ରମ୍‌ ଧାତୁ ‘କ୍ରୀଡ଼’ ଅର୍ଥପ୍ରକାଶକ । ଶବ୍ଦଟି ସାଧାରଣତଃ ଗୋବିନ୍ଦ-ଲୀଳାରେ ବହୁଳ ବ୍ୟବହୃତ; ରତି ଶବ୍ଦକୁ କ୍ରୀଡ଼ା ଅର୍ଥରେ ଗ୍ରହଣ କରିଥିବାର ବହୁ ପ୍ରମାଣ ପୁରାଣଶାସ୍ତ୍ରରେ ସୁପ୍ରତିଷ୍ଠିତ । ‘ରମ୍‌’ ଧାତୁ ଯେ କ୍ରୀଡ଼ା ଅର୍ଥରେ ବ୍ୟବହୃତ, ଏହାର ଅନ୍ୟତମ ପ୍ରମାଣ ହରିବଂଶରୁ ମିଳେ; ଯଥା:-

 

‘‘ତଂ କ୍ରୀଡ଼ମାନଂ ଗୋପାଳାଃ କୃଷ୍ଣଂ ଭାଣ୍ଡୀରବାସିନମ୍‌

ରମୟନ୍ତୀ ସୁ ବହବୋ ବନୈଃ କ୍ରୀଡ଼ନକୈସ୍ତତା ।’’

 

ଏଠାରେ ଗୋପାଳମାନଙ୍କସମ୍ବନ୍ଧେ କୁହାଯାଇଅଛି ଏବଂ ‘ରମୟନ୍ତି’ ଶବ୍ଦଟି ଅର୍ଥରେ ପ୍ରଯୁଜ୍ୟ । ସେହିପରି ‘ରତିପ୍ରିୟ’ ଶବ୍ଦର ପ୍ରୟୋଗ ମଧ୍ୟ କ୍ରୀଡ଼ାର୍ଥରେ ବ୍ୟବହୃତ –

 

‘‘ଅନ୍ୟେ ସ୍ମ ପରିଗାୟନ୍ତି ଗୋପା ମୁଦିତମାନସାଃ

ଗୋପାଳାଃ କୃଷ୍ଣମେବାନ୍ୟେ ଗାୟନ୍ତିସ୍ମ ରତିପ୍ରିୟାଃ ।’’

 

ଗୋପାଳମାନଙ୍କସମ୍ବନ୍ଧେ ‘ରତିପ୍ରିୟ’ ଶବ୍ଦ-ବ୍ୟବହାର ମଧ୍ୟ ଦେଖାଯାଏ ।

 

ଶ୍ରୀମଦ୍‌ଭଗବତର ଟୀକାକାର ‘ଖାଡ଼ଙ୍ଗା’ ମହାଶୟ ମହାରାଜ ପରୀକ୍ଷିତଙ୍କ କଥା ଉଲ୍ଲେଖ କରି କହିଛନ୍ତି :-

କୃଷ୍ଣଙ୍କଠାରେ ନିତି ମୋର

ରତି ସମ୍ଭବୁ ନିରନ୍ତର ।

(୧-୨୧ ଅଧ୍ୟାୟ, ଶ୍ଳୋ ୧୬ କ)

 

ମହାମୁନି ଭରତ ଶୃଙ୍ଗାରକୁ ରତି ଆଖ୍ୟା ଦେଇଛନ୍ତି । ସେ କହିଛନ୍ତି - ‘‘ଶୃଙ୍ଗାରୋ ନାମ ରତିଃ’’ - ଏହା ‘‘ସ୍ଥାୟୀଭାବ ପ୍ରଭାବ - ଉଜ୍ଜ୍ୱଳ ବେଶାତ୍ମକ ।’’ ଟୀକାକାର ଅଭିନବ ଗୁପ୍ତ କହିଛନ୍ତି - ସ୍ତ୍ରୀ-ପୁରୁଷଙ୍କ କାମପ୍ରବୃତ୍ତିକୁ ରତି ବା ଶୃଙ୍ଗାର କୁହାଯାଏ ନାହିଁ । ରତିର ସଂଜ୍ଞା ହେଲା –

 

‘‘ଏକୈକ ହ୍ୟସୌ ତାବତୀ ରତିଃ ଯତ୍ର ଅନ୍ୟୋନ୍ୟ ସବିଦୈକ ବିୟୋଗୋ ନ ଭବତି ।’’

 

ଜ୍ଞାନ, ଧ୍ୟାନ ବା ଚିନ୍ତାମଧ୍ୟରେ ସୁଦ୍ଧା ନିରବଚ୍ଛିନ୍ନ ମିଳନ ବା ସ୍ଥିତି ହିଁ ରତି । ଅର୍ଥାତ୍‌ ପରସ୍ପରମଧ୍ୟରେ ‘ଦୁହେଁ’ - ଦୁଇ ନୁହନ୍ତି, ‘ଏକ’ ବୋଲି ବିଶ୍ୱାସ ବା ଭାବ - ଯାହାର ବ୍ୟାପ୍ତି, ବିଚ୍ଛେଦ ନାହିଁ; ତାହା ବୋଲାଏ ରତି । ରତି ହିଁ ଶୃଙ୍ଗାରର ସ୍ଥାୟୀ ଭାବ ।

 

‘‘ପରସ୍ପର ଜୀବିତ ସର୍ବସ୍ୱାଭିମାନରୂପୀ ବେଶୟତି ଚିତ୍ତବୃତ୍ତିମ୍‌ ଅନ୍ୟତ୍ର ଜ୍ଞାପନୟା ସଂକ୍ରାମୟତୀତି ବେଶୋ ବିଭାନୁଭାବାତ୍ମା ।’’ ଅର୍ଥାତ୍‌ ଜଣେ ଯେତେବେଳେ ଅନ୍ୟ ଜଣକୁ ଆପଣାର ପ୍ରାଣସ୍ୱରୂପ ଭାଳି ତତ୍ତତ୍‌ ଭାବ ଅନ୍ୟର ପ୍ରାଣର ମଧ୍ୟ ସଞ୍ଚାରିତ କରାଇଦିଅନ୍ତି; ସେତେବେଳେ ତାହା ଶୃଙ୍ଗାର-ରସର ସ୍ଥାୟୀ ଭାବ ରତି ନାମରେ ଆଖ୍ୟାତ ହୁଏ । ପରସ୍ପରକୁ ନିଜର ପ୍ରାଣସ୍ୱରୂପ ବିଚାରିବା ତଥା ପରସ୍ପରମଧ୍ୟରେ ଏହି ଭାବ ଜନ୍ମାଇବା ବୃତ୍ତିହିଁ ‘ରତି’ ।

 

‘‘ଉଜ୍ଜ୍ୱଳ ବେଶାତ୍ମକ’’ର ଟୀକାକରି ଅଭିନବ ଗୁପ୍ତ ପ୍ରକାଶ କରିଛନ୍ତି ଯେ ‘ଉଜ୍ଜ୍ୱଳ’ ଶବ୍ଦର ଅର୍ଥ - ପରସ୍ପରର ସମ୍ୟକ୍‌ ସାନ୍ନିଧ୍ୟଜନିତ ଆସ୍ୱାଦ ଏବଂ ‘ବେଶ’ ଶବ୍ଦର ଅର୍ଥ ପରସ୍ପରମଧ୍ୟରେ ଏହାର ବ୍ୟାପ୍ତି - ଏହା ହିଁ ରତିର ପ୍ରତୀକ ।

 

‘‘ଶୃଙ୍ଗାର ପ୍ରକାଶ’’ର ଗ୍ରନ୍ଥକାର ଏକାଦଶ ପ୍ରକାଶରେ ଲେଖିଛନ୍ତି:-

‘‘ସ ଶୃଙ୍ଗାରଃ ସୋଭିମାନଃ ସ ରସଃ

ତତଃ ଏତେ ରତ୍ୟାଦୟୋ ଜାୟନ୍ତେ ।’’

 

ଏହି ରତି ହିଁ ପ୍ରେମର ଜନକ । ତେଣୁ କୁହାଯାଇଅଛି - ‘‘ସ୍ୟାଦ୍ଦୃଢ଼େୟ ରତିଃ ପ୍ରେମା’’ - ଦୃଢ଼ତା ପ୍ରାପ୍ତ ହେଲେ ରତି ‘ପ୍ରେମ’ ବୋଲାଏ । ପ୍ରେମ ଓ ପ୍ରୀତିର ସମ୍ବନ୍ଧ ଅତୁଟ । ଚିତ୍ତର ପ୍ରସନ୍ନତାଭାବ ହିଁ ପ୍ରୀତି । ପ୍ରୀତିରୁ ଜାତ ହୁଏ ରତି । ସ୍ତ୍ରୀ ଓ ପୁରୁଷମଧ୍ୟରେ ଜାତ ପରସ୍ପରପ୍ରତି ଯେଉଁ ପ୍ରୀତି, ତାହା ରତି ବା ଶୃଙ୍ଗାର-ରତି । ଆମର ଭକ୍ତକବି ସାମନ୍ତସିଂହାରେ କହିଛନ୍ତି -

‘‘ରତି ସଙ୍ଗୀ ପ୍ରୀତି,

ପ୍ରୀତି ନ ଥିଲେ ନ ଶୋଭଇ ରତି ।’’

 

Unknown

ପ୍ରୀତି

 

ପ୍ରୀତିର କାର୍ଯ୍ୟ କଅଣ ? - ପ୍ରୀତି ଚିତ୍ତକୁ ଉଲ୍ଲସିତ କରେ, ଭକ୍ତଚିତ୍ତରେ ବିବିଧ ଭାବ ବା କ୍ରିୟା ସୃଷ୍ଟି କରେ । ପ୍ରୀତି, ମମତା-ବନ୍ଧନ, ଅଭିମାନ । ପ୍ରୀତି ହିଁ ନବ-ନବ ରସଭାବସ୍ରଷ୍ଟା । ଏହି ପ୍ରୀତି ଯେତେବେଳେ ଉଲ୍ଲାସର ମାତ୍ରାଧିକ୍ୟ ପ୍ରକାଶ କରେ, ସେତେବେଳେ ଏହା ‘ରତି’ ପଦବାଚ୍ୟ ହୁଏ । ଏସମ୍ବନ୍ଧରେ ପ୍ରୀତି-ସନ୍ଦର୍ଭକାର ତେଣୁ ଲେଖିଛନ୍ତି - ‘‘ପ୍ରୀତିଃ ଖଳୁ ଭକ୍ତଚିତ୍ତମୁଲ୍ଲସୟତି X X X ପ୍ରତିକ୍ଷଣମେବ ସ୍ୱବିଷୟଂ ନବନବତ୍ୱେନାନୁଭବରୟତି’’ ......ଇତ୍ୟାଦି । ପ୍ରୀତିର ଉଲ୍ଲାସଜନିତ ଏହି ରତିରେ କେବଳ ପ୍ରେମାସ୍ପଦର ମମତାବନ୍ଧନ ହିଁ ମୁଖ୍ୟ - ଅନ୍ୟ ସମସ୍ତ ବିଷୟ ହେୟ, ତୁଚ୍ଛ ବା ଗୌଣରୂପେ ପରିଗଣନୀୟ ।

 

‘‘ତତ୍ରୋଲ୍ଲାସ ମାତ୍ରାଧିକ୍ୟ ବ୍ୟଞ୍ଜିକା ପ୍ରୀତିଃ ରତିଃ ।’’

 

- ରତିଦୃଷ୍ଟିରେ ଏକମାତ୍ର ପ୍ରେମାସ୍ପଦ ହିଁ ସର୍ବସ୍ୱ; ସର୍ବଗୁଣାତ୍ମକ; ଏତଦ୍ଭିନ୍ନ ଅନ୍ୟସମସ୍ତ ତୁଚ୍ଛ ସର୍ଜନା ।

 

ରତିରୁ ଜାତ ହୁଏ ପ୍ରେମ । ଏହା ମମତାର ଦୃଢ଼ ବନ୍ଧନ-ବ୍ୟଞ୍ଜକ । ପ୍ରେମରୁ ଆସେ ପ୍ରଣୟ । ଜାଗତିକ ତାବତୀୟ ବାଧାବନ୍ଧନ ପ୍ରଣୟ-ସୃଷ୍ଟି ନିକଟରେ ପରାଜୟ ସ୍ୱୀକାର କରେ । ପ୍ରଣୟରୁ ଘଟେ ଅଭିମାନ - ଏହା ଭାବାତିଶଯ୍ୟର ପରାକାଷ୍ଠ । ଏହା ହିଁ ଭାବବୈଚିତ୍ର୍ୟପୂର୍ଣ୍ଣ ‘ମାନ’ରୂପେ ପରିଚିତ । ସ୍ୱୟଂ ବାସୁଦେବ ସୁଦ୍ଧା ଏହି ପ୍ରଣୟ-ବୈଚିତ୍ର୍ୟପୂର୍ଣ୍ଣ କୋପଜନିତ ମାନପ୍ରତି ଚିର-ସଚେତନ । ଏତିକିବେଳେ ହିଁ ଭଗବାନ୍‌ ବାସୁଦେବ ଏକାନ୍ତ ଭୀରୁ । ସେ ହୋଇପଡ଼ନ୍ତି ମାନୀପ୍ରତି ଅତ୍ୟନ୍ତ ସ୍ନେହଶୀଳ । ସ୍ନେହ ଯେତେବେଳେ ଦୃଢ଼ତାପ୍ରାପ୍ତ ହୋଇପଡ଼େ, ସେତେବେଳେ ନିୟତ ଦର୍ଶନ ବା ଅତୁଟ ମିଳନରେ ମଧ୍ୟ ଆଶା ରହେ ଅପୂର୍ଣ୍ଣ । ଆଶା ପଛେପଛେ ବୃଥା ବିଚ୍ଛେଦ-ବିରହ-କଳ୍ପନା ଜାତ କରେ ବିବିଧ ଆଶଙ୍କା । ଏହିପରି ନବନବ ଭାବୋନ୍ମେଷ ହେଲା ଅନୁରାଗ-ଲକ୍ଷଣ । ଏହାର ସଞ୍ଚାରରେ ପରସ୍ପରପ୍ରତି ପ୍ରେମାତିଶଯ୍ୟଜନିତ ବଶ୍ୟତାର ଆତିଶଯ୍ୟ ସୃଷ୍ଟି ହୁଏ ।

 

‘ପ୍ରୀତି ସନ୍ଦର୍ଭ’ ବାକ୍ୟରେ ‘‘ଅନୁରାଗଏବାସମର୍ଦ୍ଧ୍ୱେ ଚମତ୍କାରେଣ ଉନ୍ମାଦକୋ ମହାଭାବଃ ।’’

 

‘ଉଜ୍ଜ୍ୱଳ ନୀଳମଣି’କାର କହନ୍ତି - ‘‘ଇୟମେବ ରତି ପ୍ରୌଢ଼ା ମହାଭାବଦଶାଂ ବ୍ରଜେତ୍‌ ।’’

 

‘ମହାଭାବ’ ହିଁ ପ୍ରେମର ଚରମ ପରିଣତି - ପ୍ରେମର ନିର୍ଯ୍ୟାସ; ଯାହାର ଏକମାତ୍ର ପ୍ରତୀକ ବୃନ୍ଦାବନେଶ୍ୱରୀ ରାଧା । ‘ରାଧା’ ଶବ୍ଦର ତାତ୍ପର୍ଯ୍ୟ ଘେନି ଭକ୍ତକବି ସାମନ୍ତ ସିଂହାର ‘‘ବିଦଗ୍‌ଧ ଚିନ୍ତାମଣି’’ରେ କହିଲେ -

 

‘‘ର-ରଶ୍ମି ରସ ଅଗ୍ନି ବିଜୁଁ ଅଧିକା ବୋଲି ରାଧିକା ନାଁ ଦେଲେ ତ ।’’ ଶ୍ରୀଗୀତଗୋବିନ୍ଦବର୍ଣ୍ଣିତ ରତିକେଳିର ନାୟକ ରସରାଜ ଶ୍ରୀକୃଷ୍ଣ ଏବଂ ନାୟିକା ମହାଭାବମୟୀ ଶ୍ରୀମତୀ ରାଧା ।

 

ଏ ରତି କାମଜ ନୁହେଁ - ପ୍ରୀତିଜ । ଏଥିରେ ସ୍ୱୀୟାନୁକୂଳ ତାତ୍ପର୍ଯ୍ୟତାର ଗନ୍ଧ ନାହିଁ । ଏହା ପ୍ରିୟାନୁକୂଳ ତାତ୍ପର୍ଯ୍ୟତା ଶୁଦ୍ଧା ପ୍ରୀତିର ଲକ୍ଷଣ । ଶ୍ରୀରାଧାଙ୍କର ଏ ପ୍ରୀତି କୃଷ୍ଣମୟୀ ପ୍ରୀତି ।

 

ଅପ୍ରାକୃତ ବୃନ୍ଦାବନଧାମର ନିତ୍ୟ-ଲୀଳାକୁ ସ୍ୱର-ସାହିତ୍ୟ-ମାଧ୍ୟମରେ ରୂପ ଦାନ କରିବାକୁ ଯାଇ ସଧାରଣ ମାନବୀୟ ଦୃଷ୍ଟାନ୍ତ ଏବଂ ଲଳିତ ଭାଷାର ଆଶ୍ରୟ ନେଇଛନ୍ତି କବି ଜୟଦେବ । ଏହିହେତୁରୁ ଶ୍ରୀଗୀତଗୋବିନ୍ଦର ଶ୍ରୀବାସୁଦେବ - ରତିକେଳିବର୍ଣ୍ଣନା ପ୍ରାକୃତ ପ୍ରେମଲୀଳାର ବିବିଧ ବୈଚିତ୍ର୍ୟ ଓ ମାଧୁର୍ଯ୍ୟ ଘେନି ପରିପ୍ରକାଶିତ । ପୂର୍ବବର୍ତ୍ତୀ ଆଳଙ୍କାରିକମାନଙ୍କ ଗ୍ରନ୍ଥରେ ଯେତେବେଳେ ପ୍ରେମକୁ ରସମୂର୍ତ୍ତିରେ ଚିତ୍ରିତ କରାଯାଇଅଛି, ସେତେବେଳେ ରତିକୁ ସ୍ଥାୟୀ ଭାବର ମହତ୍ତ୍ୱ ଦିଆଯାଇଅଛି । ତେଣୁ ରସନାୟିକାଶ୍ରେଷ୍ଠା ଶ୍ରୀରାଧାଙ୍କପକ୍ଷେ ସ୍ଥାୟୀଭାବ ରତି ଏବଂ ତତ୍‌ସମ୍ପର୍କିତ ଅନୁଭାବ ଏବଂ ବ୍ୟଭିଚାରୀ ଭାବାଦିର ଯେ ବର୍ଣ୍ଣନା ଦିଆଯାଇଛି, ସେଥିରେ ଅଳଙ୍କାର-ଶାସ୍ତ୍ର ଏବଂ କାମଶାସ୍ତ୍ରର ମଧୁର ମିଳନ ଘଟିଅଛି ।

 

ପ୍ରକାରଭେଦରେ ରତି ତିନି ଶ୍ରେଣୀର; ଯଥା-ସାଧାରଣୀ, ସମଞ୍ଜସା ଏବଂ ସମର୍ଥା । ସାଧାରଣୀ ରତି ନିମ୍ନତମ ଶ୍ରେଣୀୟ । ଦର୍ଶନ-ଜନିତ ଏବଂ ସମ୍ଭୋଗ ଚେଷ୍ଟା ହିଁ ‘‘ସାଧାରଣୀ ରତି’’ର ଲକ୍ଷଣ । ଏ ରତି ଗୂଢ଼ତ୍ୱ ବା ଗାଢ଼ତ୍ୱବିହୀନ ।

 

ଗୁଣାଦି ଶ୍ରବଣରେ ମୁଗ୍‌ଧା, ସ୍ଥଳବିଶେଷରେ ସମ୍ଭୋଗେଛା ଏବଂ ସ୍ୱୀୟ ସୁଖ ବା ତୃପ୍ତି ବାସନାଜନିତ ରତି ହିଁ ‘‘ସମଞ୍ଜସା ରତି’’ ରୂପେ ଚିର ପ୍ରଖ୍ୟାତ ।

 

ଜାତି, କୁଳ, ମାନ, ଗୌରବ, ଅପବାଦ ବା ଲଜ୍ଜାପ୍ରତି ତିଳେ ହେଁ ଭ୍ରୂକ୍ଷେପ ନ କରି ଆତ୍ମସୁଖକୁ ଜଳାଞ୍ଜଳି ଦେଇ ଏକାତ୍ମଭାବ-ପ୍ରକାଶିତ ରତିର ନାମ ‘‘ସମର୍ଥା ରତି’’ । ଏହା ରାଗାନୁଗା ରତି, ରାଗାନୁଗା ରତି ଭକ୍ତିର ପାରିଭାଷିକ ଆଖ୍ୟା । ଶ୍ରୀକୃଷ୍ଣଙ୍କଠାରୁ ଭକ୍ତି ବା ରତି ପଞ୍ଚବିଧ; ଯଥା-ଶାନ୍ତି (ଅତ୍ମୀୟ ବୋଧ),ଦାସ୍ୟ (ଗୁରୁଭାବ),ସଖ୍ୟ (ସଖାଭାବ), ବାତ୍ସଲ୍ୟ (ସନ୍ତାନଭାବ) ଓ ମଧୁର (କାନ୍ତଭାବ)। ବ୍ରଜ ଗୋପୀମାନଙ୍କର ଶ୍ରୀକୃଷ୍ଣଙ୍କଠାରେ ଭକ୍ତି ଶାନ୍ତି-ରତି । ଏହା ରମାନୁଗା । ବ୍ରଜ-ଗୋପୀମାନଙ୍କ ମଧ୍ୟରେ ଶ୍ରେଷ୍ଠା ସମର୍ଥା-ରତିନାୟିକା ଏକା ଶ୍ରୀମତୀ କୃଷ୍ଣବଲ୍ଲଭା ରାଧିକା ।

 

ତେଣୁ ସେ ଶ୍ରୀକୃଷ୍ଣଙ୍କର ‘‘ପ୍ରାଣଭ୍ୟୋଽପି ଗରୀୟସୀ ।’’

 

‘‘ବିଦଗ୍‌ଧ ଚିନ୍ତାମଣି’’ ଭାଷାରେ-‘ପ୍ରାଣମୂର୍ଚ୍ଛା ରତି ହିଁ ସମର୍ଥା ରତି ।’ ଅଥ ସମର୍ଥା ପ୍ରଥମ ଦଶାୟାଂ ରତି ବୀଜବତ୍‌, ପ୍ରେମା ଇକ୍ଷୁବତ୍‌ ସ୍ନେହୋ ରସବତ୍‌, ତତୋମାନଂ ଗୁଡ଼ବତ୍‌, ତତଃ ପ୍ରଣୟଃ ଖଣ୍ଡବତ୍‌, ତତୋରାଗଃ ଶର୍କରାବତ୍‌ ତତୋଽନୁରାଗ ସିତାବତ୍‌, ତତଃ ମହାଭାବଃ ସିତୋପଳବତ୍‌ ।       (ଉଜ୍ଜଳ ନୀଳମଣି)

 

‘ରତି’ । -ପ୍ରେମ , ସ୍ନେହ, ମାନ, ପ୍ରଣୟ ରାଗ ଏବଂ ଅନୁରାଗର ସୀମା ବଳିଗଲେ ତାହା ମହାଭାବରେ ପରିଣତ ହୁଏ । ଭକ୍ତି ଯେତେ ବେଳେ ତାବତୀୟ ବିଧି ନିଷେଧର ବର୍ହିଭୁତ ହୁଏ, ସେତେବେଳେ ତାହା ବୋଲାଏ ‘ପ୍ରେମ’ । ପ୍ରେମର ମୂଳ ହେଲଶ ମମତା-। ‘ମମତା ପ୍ରେମସଂଗତା-।’

 

ଏହି ମମତା ‘ରତି’ ନାମ ଧରେ । ରତି ମମତାର ପରିଭାଷା ମମତାମୟୀ ରାଧିକାଙ୍କ ‘ରତି’- ଶରଣାଗତି । ରାଗାନୁଗା ଭକ୍ତିଭାବର ଏକାନ୍ତ ପ୍ରତୀକା ରାଧା ।

 

‘‘ନିସ୍ତ୍ରୈ ଗୁଣୋପଥି ବିଚରତଃ କୋବିଧିଃ କୋ ନିଷେଧଃ’’

(ଶଙ୍କରାଚାର୍ଯ୍ୟ)

 

କୌଣସି ବିଧି-ନିଷେଧ ନ ମାନି ସକଳ ପ୍ରକାର ଆତ୍ମେନ୍ଦ୍ରିୟ- ସୁଖବର୍ଜନପୂର୍ବକ କେବଳ କୃଷ୍ଣେଦ୍ରିୟ ତୃପ୍ତି ବାଞ୍ଚ୍ଥା ଯାହାଙ୍କର କାମ୍ୟ, ସେହି ‘ସମର୍ଥା-ରତି’ ପ୍ରତିମା ମହାଭାବମୟୀ ଶ୍ରୀମତୀ ଏବଂ ରସରାଜ ଶ୍ରୀକୃଷ୍ଣଙ୍କ ରତିକେଳି ମହିମାମୁଖର ଗୀତିକାବ୍ୟ ‘ଶ୍ରୀଗୀତଗୋବିନ୍ଦ ।’

 

ଲୀଳା-ଚିତ୍ର

 

କାଳକାଳାବଧି ଏହି ଶକ୍ତିମାନ୍‌ ଏବଂ ଶକ୍ତି ବା ରସରାଜ ଓ ମହାଭାବ ପ୍ରେମିକ-ଶିରୋମଣି ଏବଂ ପ୍ରେମିକା-ସୀମନ୍ତିନୀରୂପେ ଚିତ୍ରିତ ଓ ପରିବେଶିତ ହୋଇଆସିଥିବାରୁ ଦେଖାଯାଏ ।

 

ମହାକବି ଭକ୍ତ ଜୟଦେବ ସ୍ୱୀୟ ଆରାଧିତ ରଧାମାଧବଙ୍କୁ ପ୍ରେମିକ-ପ୍ରେମିକାରୂପେ ବରଣପୂର୍ବକ ତାଙ୍କର ଲୀଳା ଚିତ୍ରଣ କରିଅଛନ୍ତି । ଏହା କେବଳ ପରମ୍ପରା ରୀତିପ୍ରତି ତାଙ୍କର ସମ୍ମାନ ପ୍ରଦର୍ଶନର ନିଦର୍ଶନ । ପୁଣି ଭେଦାଭେଦ ଶକ୍ତିମାନ୍‌ଙ୍କ ଇଚ୍ଛାଶକ୍ତିହେତୁ ଘଟିଅଛି । ମହାକବି ତେଣୁ ଅଭେଦତ୍ମା ବାସୁଦେବ ଗୋବିନ୍ଦଲୀଳା-ପ୍ରଶସ୍ତି ଗୀତମାଧ୍ୟମରେ ଗାୟନ କରିଅଛନ୍ତି । ଏଣୁ ‘ଶ୍ରୀଗୀତଗୋବିନ୍ଦ’ ନାମକରଣର ସାର୍ଥକତା ପ୍ରଦିପାଦିତ ହୋଇଅଛି ।

 

ଶକ୍ତିମାନ୍‌ ଏବଂ ଶକ୍ତିମଧ୍ୟରେ ବିଶ୍ୱ ସର୍ଜନାଭିପ୍ରାୟରେ ଅନୁଷ୍ଠିତ କର୍ମ ହେଲା ଉଭୟଙ୍କର ସଂଯୋଜକ ବା ସୃଷ୍ଟି-ପ୍ରକାଶକ କ୍ରିୟା । ଶକ୍ତି ଯାହାର ଅଛି, ସେ ଶକ୍ତିମାନ୍‌ । ଶକ୍ତି ଥିବାର ପ୍ରମାଣ ଦିଏ କର୍ମ । ଏହି କର୍ମ ହିଁ ଲୀଳା-ରହସ୍ୟରୂପେ କଥିତ । କବି-କଳ୍ପନାଦ୍ୱାରା ଏହି ଲୀଳା ଯୁଗଯୁଗାବଧି ବିଭିନ୍ନ ରଙ୍ଗରେ ପ୍ରତିଫଳିତ ହୋଇଆସୁଥବା ପ୍ରମାଣର ଅଭାବ ନାହିଁ । ଶକ୍ତି ଏବଂ ଶକ୍ତିମାନ୍‌ସମ୍ୱନ୍ଧେ ପୁରାଣ ବା ସମାଜରେ ଯେଉଁ ଚିତ୍ର ସାଧାରଣତଃ ପରଷା ଯାଇଅଛି, ସେଦିଗରୁ ବିଚାରିଲେ ଦେଖାଯାଏ ଯେ ଯୁଗଯୁଗ ଧରି ଅଧ୍ୟାତ୍ମ ତତ୍ତ୍ୱବୋଧ, ସମାଜବୋଧ ଦ୍ୱାରା ତଥା ସମାଜବୋଧ ମଧ୍ୟ ଅଧ୍ୟାତ୍ମ ତତ୍ତ୍ୱବୋଧଦ୍ୱାରା ପ୍ରଭାବିତ ହୋଇଅଛି ।

 

କୌଣସି ଗୋଟିଏ ‘ବାଦ’ ଧର୍ମ-ଧାରଣାର ଅନ୍ତର୍ଭୁକ୍ତ ହୋଇ ଲୋକର ଦୀର୍ଘକାଳ ଭକ୍ତି-ବିାଶ୍ୱାସ ଜନ୍ମାଇବାର ଅଧିକାର ପ୍ରାପ୍ତ ହେଲେ, ତାହା ପରେପରେ ଏହା ଜାଗତିକ ରୀତ-ରୂପର ଚିତ୍ରରେ ସାଧାରଣତଃ ପ୍ରଚାରିତ ହୋଇପଡ଼େ ।

‘‘ଶକ୍ତୋଃ ଶକ୍ତିମତୋର୍ଭେଦାଃ

ବାସୁଦେବ ଇତୀର୍ଯ୍ୟତେ ।’’

(ଅହିର୍ବୁଧା ସଂହିତା)

 

ଏଇ ଯେ ବାସୁଦେବ-ତତ୍ତ୍ୱ, -ତାହାରି ଉପରେ ଆଧାରି ଶ୍ରୀଗତୀଗୋବିନ୍ଦରେ ରାଧାମାଧବଙ୍କୁ ନାୟକ-ନାୟିକାରୂପେ ଗ୍ରହଣ କରି ତାଙ୍କର ଲୀଳା ବର୍ଣ୍ଣିତ ହୋଇଅଛି । ଶ୍ତକ୍ତିମୟୀ ରାଧାଙ୍କୁ ଶ୍ରୀକୃଷ୍ଣ-ପ୍ରିୟାରୂପେ ବର୍ଣ୍ଣନା କରିଥିବାର ବହୁ ଦୃଷ୍ଟାନ୍ତ ଗୀତଗୋବିନ୍ଦ ରଚନା-ପୂର୍ବରୁ ଧର୍ମଶାସ୍ତ୍ର ଓ ପୁରାଣମାନଙ୍କରେ ଦୃଷ୍ଟ ହୁଏ ।

 

ପଦୁପୁରାଣର ରଚନାକାଳ ଷଷ୍ଠ ଶତକଠାରୁ ଅଷ୍ଟମ ଶତକ ମଧ୍ୟରେ ବୋଲି ଧରାଯାଇଥାଏ । ରାଧାକୃଷ୍ଣଙ୍କ ସମ୍ୱନ୍ଧେ ଏ ପୁରାଣର ବହୁ ସ୍ଥଳରେ ଉଲ୍ଲେଖ ପରିଦୃଷ୍ଟ ହୁଏ; ଯଥା –

 

‘‘ତତ୍‌ ପ୍ରିୟା ପ୍ରକୃତିସ୍ତ୍ୱାଦ୍ୟା ରାଧିକା କୃଷ୍ଣବଲ୍ଲଭା ।’’

(ଉତ୍ତର ଖଣ୍ଡ)

‘‘ପୁରୁଷ-ପ୍ରକୃତୀ ଚାଦୌ ରାଧା ବୃନ୍ଦାବନେଶ୍ୱରୀ ।’’

(ପାତାଳ ଖଣ୍ଡ)

 

ଆହୁରି –

‘‘ମର୍ତ୍ତ୍ୟଲକ୍ଷ୍ମୀଶ୍ଚ ସା ଦେବୀ ପତ୍ନୀ କ୍ଷୀରୋଦଶାୟିନଃ ।’’

‘‘ସ୍ୱୟଂ ଦେବୀ ମହାଲକ୍ଷ୍ମୀଃ ପତ୍ନୀ ବୈକୁଣ୍ଠଶାୟିନଃ ।’’

(ମାର୍କଣ୍ଡେୟ ଚଣ୍ଡୀ)

 

ଏପରି କି ବ୍ରାହ୍ମବୈବର୍ତ୍ତ ପୁରାଣରେ ସ୍ୱୟଂ ବ୍ରାହ୍ମାକର୍ତ୍ତୃକ ରାଧାକ୍ୟଷ୍ଣଙ୍କର ବିଧି-ପୂର୍ବକ ବିବାହ ମଧ୍ୟ ସଂଘଟିତ ହୋଇଥିବା ବର୍ଣ୍ଣନା ଦୃଷ୍ଟହୁଏ ।

 

‘ଶ୍ରୀଗୀତଗୋବିନ୍ଦ’ର ପ୍ରଥମ ଶ୍ଲୋକପ୍ରତି ଧ୍ୟାନ ଦେଲେ ମହାକବି ବ୍ରହ୍ମ-ବୈବର୍ତ୍ତ ପୁରାଣବର୍ଣ୍ଣିତ ରାଧାକୃଷ୍ଣ-ଲୀଳାପ୍ରତି ଲକ୍ଷ୍ୟ ଦେଇଥିବା ପରି ମନେହୁଏ ।

 

ଗାଥା-ସପ୍ତସତୀ (ରାହାସତ୍ତସଈରେ) ‘ରାଧା’ ନାମୋଲ୍ଲେଖ ରହିଅଛି । ଏ ଗ୍ରନ୍ଥର ରଚନାକାଳ ଖ୍ରୀଷ୍ଟୀୟ ପ୍ରଥମ ଶତକ ବୋଲି ଧରାଯାଏ । ସପ୍ତବାହନ ବା ସାତବାହନଙ୍କଦ୍ୱାରା ଏ ଗ୍ରନ୍ଥ ସଂକଳିତ । ତେଣୁ ଦେଖାଯାଏ ଯେ ରାଧାକୃଷ୍ଣ-ଲୀଳାଚିତ୍ର ଅର୍ବାଚୀନ ନୁହେଁ ।

 

ଧର୍ମ୍ମ ତତ୍ତ୍ୱକୁ ଛାଡ଼ି ଦେଇ ସାହିତ୍ୟଦୃଷ୍ଟିରୁ ବିଚାର କଲେ ମଧ୍ୟ ଜଣାଯାଏ ଯେ, ରାଧା ହେଉଛନ୍ତି ନାରୀ-ଜଗତର ଏକ ପ୍ରେମରସାପ୍ଳୁତ ଭାବମୟୀ କବି-ମାନସୀ ।

 

ଚୈତନ୍ୟର ସ୍ଥିରତା ଏବଂ ଶକ୍ତିର ଗତିଚଞ୍ଚଳତା ମିଶି ଛନ୍ଦୋମୟ ଶାସ୍ୱତ ଲୀଳା ପ୍ରକଟିତ ହୁଏ । ଦୁହେଁ ଏକ-ଦୁହେଁ ଅଭେଦ, ପୁଣି ଦୁହିଁଙ୍କମଧ୍ୟରେ ସୃଷ୍ଟିର ବିଚିତ୍ରତାହେତୁ ସଂଘଟିତ କ୍ରିୟା ହିଁ ‘ଲୀଳା ।’ ଲୀଳା ।’ ଏଇ ଲୀଳା ହିଁ ସୃଷ୍ଟିରେ ଚୂଡ଼ାନ୍ତ । ଲୀଳା ହିଁ ପୂଜନ-ଲୀଳା ହିଁ ଧର୍ମ । ସ୍ଥିର ଏବଂ ଅସ୍ଥିର କେହି କାହାରିଠାରୁ ଭିନ୍ନ ନୁହେଁ ଦୁହେଁ ବରୀୟାନ୍‌-ଦୂହେଁ ଗରୀୟାନ୍‌ । ଦୁହେଁ ଦୁହିଁଙ୍କର ଅପେକ୍ଷାସାପେକ୍ଷ ।

 

ଯୁଗଯୁଗାନ୍ତର ପରମଭକ୍ତ ଦାଦୁର୍‌ ଏଇ ମର୍ମରେ ଗାଇଛନ୍ତି-

‘‘ବାସ୍ କହେ ହମ୍ ଫୁଲ୍‌କୋ ପାଉଁ

ଫୁଲ୍‌ କହେ ହମ୍‌ ବାସ୍‌,

ଭାଷ୍‌ କହେ ହମ୍‌ ସତ୍‌କୋ ପାଉଁ

ସତ୍‌ କହେ ହମ୍‌ ଭାଷ୍‌ ।

ରୂପ୍‌ କହେ ହମ୍‌ ଭାବକୋ ପାଉଁ

ଭାବ୍‌ କହେ ହମ୍‌ ରୂପ୍‌,

ଆପସ୍‌ ମେଁ ଦଉଁ ପୂଜନ ଚାହେ

ପୂଜା ଅଗାଧ ଅନୁପ୍‌ ।’’

 

ଅର୍ଥାତ୍‌ ସୁଗନ୍ଧ କହେ, ‘‘ମୁଁ ଚାହେଁ ଫୁଲ, ଅନ୍ୟଥା ମୋର ପ୍ରକାଶର ଉପାୟ କାହିଁ ?’’ ଅନ୍ୟପକ୍ଷରେ ଫୁଲ କହେ, ‘‘ମୁଁ ତ ସ୍ଥୂଳବସ୍ତୁ, ସୁଗନ୍ଧି ବିନା ମୋ ଜୀବନର ସାର୍ଥକତା କାହିଁ ?’’ ଭାଷା କହେ, ‘‘ମୁଁ ସତ୍ୟର ଅପେକ୍ଷା କରେ । ସତ୍ୟ ବିନା ମୁଁ ଅବା କିଏ ?’’ ପୁଣି ସତ୍ୟ କହେ,‘‘ମୁଁ ଚାହେଁ ଭାଷାର ସଙ୍ଗ । ତା ବିନା ମୋର ଯେ ପ୍ରକାଶର ଉପାୟ ନାହିଁ ।’’ ରୂପ କହେ, ‘‘ମୁଁ ଭାବ ଚାହେଁ, ଭାବ ବିନା ମୁଁ ପ୍ରାଣହୀନ।’’ଭାବ କହେ, ରୂପର ସଙ୍ଗ ନ ପାଇଲେ ମୋର ଆନନ୍ଦ ଆସିବଅବା କାହୁଁ ?’’

 

ତେଣୁ ଆପୋଷରେ ଦୁଇ ପକ୍ଷ ପରସ୍ପରକୁ ପୂଜା କରିବାରେ ତପ୍ତର । ଏହି ପୂଜାର ରହସ୍ୟ ଅ-ଭାବନୀୟ, ଅତୁଳନୀୟ । ଉଭୟଙ୍କ ମଧ୍ୟରେ ଏହି ସଂପର୍କ-ଏହି ମିଳନ-ବାଞ୍ଚ୍ଥାକୁ ସରଳଭାବରେ କହିବାକୁ ହେବ ‘ଲୀଳା’ ।

 

ଭାବ ଓ ରସର ଏହିପରି ଅଙ୍ଗାଙ୍ଗୀ ସମ୍ମିଳନ ସର୍ବଥା ସିଦ୍ଧ । ଭାବ ଯେପରି ରସର ଅପେକ୍ଷା କରେ, ରସ ମଧ୍ୟ ସେହିପରି ଭାବର ଅପେକ୍ଷା କରେ ।

 

‘‘ରସ ଇତି କଃ ପଦାର୍ଥଃ ?

ଉଚ୍ୟତେ, ଆସ୍ୱାଦ୍ୟତ୍ୱାତ୍‌ ।’’

(ଭରତ)

 

ରସ କେବଳ ଆସ୍ୱାଦନ କରାଯାଏ ଏବଂ ତାହାଦ୍ୱାରା ଆନନ୍ଦ ଲାଭଘଟେ । ରସ ଆସ୍ୱାଦନ କପରି ସମ୍ୱବ ହୁଏ ? ଭାବର ଆଭିମୁଖ୍ୟରେ ରସ ଆସ୍ୱାଦିତ ହୁଏ । ରସ ଓ ଭାବସମନ୍ୱିତ ଏହି ଆସ୍ୱାଦନ-କ୍ରିୟା ହେଲା ରସଲୀଳା । ମହାକବି ସ୍ୱୀୟ ଗୀତମହାକାବ୍ୟକୁ ଅମୃତରସାୟିତ କରିଛନ୍ତି ରାସଲୀଳାର ନାୟକ ବେଦବର୍ଣ୍ଣିତ ‘ରସୋବୈ ସଃ’ ରସମୂର୍ତ୍ତି ଗୋବିନ୍ଦଙ୍କ ରସସଂଚାରରେ । ବ୍ରଜବିହାରୀଙ୍କର ଏଇ ମୂର୍ତ୍ତିରୂପ ମହିମା ନିମ୍ନରୂପେ ବର୍ଣ୍ଣିତ ହୋଇଅଛି :-

 

ଗୋପବେଶଂ ସତ୍‌ ପୁଣ୍ଡରିକନୟନଂ

ମେଘାଭଂ ବୈଦ୍ୟୁତ୍ୟମ୍ୱରମ୍‌,

ଦ୍ୱି ଭୁଜଂ ମୌନମୁଦ୍ରାଢ଼୍ୟଂ

ବନମାଳି ନମୀଶ୍ୱରମ୍‌ !’’

 

-ଗୋପଳବେଶୀ ନିର୍ମଳପଦ୍ମପଲାଶ ଲୋଚନ, ମେଘବର୍ଣ୍ଣ ଶ୍ୟାମଳ ଚିକ୍‌କଣ ଆଭାଯୁକ୍ତ ବିଦ୍ୟୁତ୍‌ସମ ଜ୍ୟୋତିର୍ମୟ (ପୀତା) ବସନପରିହିତ, ଦ୍ୱିଭୁଜ, ମୌନ-ମୁଦ୍ରାନ୍ୱିତ ବନମାଳାଧାରୀଙ୍କୁ (ପରମେଶ୍ୱର ଶ୍ରୀକୃଷ୍ଣ) ଯେ ଚିତ୍ତରେ ଧାରଣ କରେ, ସଂସାରରୁ ତାହାର ମୁକ୍ତି ଲାଭ ହୁଏ ।

 

(ଗୋପାଳ-ତାପିନୀ, ପର୍ବ-୧୭।୧)

 

ସହଜରେ ଲୋକରୁଚି ଏହି ଗୋପେଶ୍ୱରଙ୍କ ଗୂଢ଼ଲୀଳାପ୍ରତି ଆକୃଷ୍ଟ ହେବ-ଏହି କଲ୍ୟାଣ-କାମନା ପାଞ୍ଚି ମହାକବି ପ୍ରାକୃତ ବନକ ବୋଳି ଅପ୍ରାକୃତ ରସମୂର୍ତ୍ତି ଗଠନ କରିଛନ୍ତି । ଭକ୍ତକବି ସାମନ୍ତ ସିଂହାର ଏହି ଲକ୍ଷ୍ୟରେ ଗାଇଛନ୍ତି –

‘‘ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା-ହରି

ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କଲ ଅବତରି ।’’

 

ଅପ୍ରାକୃତ ପ୍ରେମମୂର୍ତ୍ତିଙ୍କର ବିରହ-ମିଳନଜନିତ ଅବ୍ୟକ୍ତ ଲୀଳା ହିଁ ‘‘ଶ୍ରୀବାସୁଦେବ-ରତିକେଳି-କଥା’’ । ମହାକବି ଜୟଦେବ ଏହାରି ‘‘ଲୀଳା-ଚିତ୍ର’’ ଅଙ୍କନ କରିଅଛନ୍ତି ପରମ ସାଧକର ତୁଳିକା ଚାଳନରେ ।

 

ରତି-ରୀତି

 

କୁହାଯାଇଅଛି, ରାସ ଶବ୍ଦର ମୂଳ ହେଲା ରସ । ରସମୟ ରସ ଲୀଳା କାମଲୀଳା ନୁହେଁ-ଏହା ପ୍ରେମଲୀଳା; ପ୍ରେମରସର ଆସ୍ୱାଦନ ଲୀଳା । ଭକ୍ତିମତୀ ଗୋପବାଳାମାନଙ୍କର କୃଷ୍ଣଭକ୍ତି ହେଲା ରସଲୀଳାର ଉତ୍ପାଦିକା । ରତିଭେଦରେ ଭକ୍ତି ପାଞ୍ଚ ପ୍ରକାର –ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଏବଂ ମଧୁର । ରାସ ସଖ୍ୟ ଏବଂ ଦାସ୍ୟ ରତିପ୍ରଧାନ । ଏ ଦୁହେଁ ସ୍ଥାୟୀ ଭାବର ଅନ୍ତର୍ଗତ । ବିଭାବ, ଅନୁଭାବ ଓ ସଞ୍ଚାରୀଭାବ ସହଯୋଗରେ ରତି ହୁଏ ରସରେ ପରିଣତ । କୁହାଯାଇଅଛି :-

 

‘‘ବିଭାବେନାନୁଭାବେନ ବ୍ୟକ୍ତି ସଞ୍ଚାରିଶା ତଥା,

ରସତାମ୍‌ ଏତି ରତ୍ୟାଦିଃ ସ୍ଥାୟିଭାବଃ ସଚେତସାସ୍‌’’

(ସା:ଦ:)

 

ସେହିପରି ଭକ୍ତି ସ୍ୱୟଂ ରସ ନୁହେଁ – ଏହା ସ୍ଥାୟୀ ଭାବ । ବିଭାବ, ଅନୁଭବ, ସତ୍ତ୍ୱ ବା ସାତ୍ତ୍ୱିକ ଭାବ, ବ୍ୟଭିଚାରୀ ବା ସଞ୍ଚାରୀଭାବର ସହଯୋଗରେ ଭକ୍ତି ହୁଏ ରସରେ ପରିଣତ । ଏହି ପରିଣତିରୁ ସୃଷ୍ଟି ହୁଏ ଆନନ୍ଦ-ପରମାନନ୍ଦ । ରସଲୀଳା ଏହି ଆନନ୍ଦର ମଦିର । ପରମାନନ୍ଦ ଏହାର ଦେବତା । ଉପାସିକା ଦେବଦାସୀ, ଗୋପାଙ୍ଗନାବୃନ୍ଦ ।

 

‘‘ଅଥାନ୍ୟାଃ କେଶବରତୈର୍ଲକ୍ଷିତାୟା ନିଗଦ୍ୟତେ

ସାମଗ୍ରି ପରିପୋଷେଣ ପରମା ରସରୂପତା ।

ମିଭାବୈରନୁଭାବେଶ୍ଚ ସାତ୍ତିକୈ ର୍ବ୍ୟଭିଚାରିଭିଃ

ସ୍ୱାଦ୍ୟତଂ ହୃଦିଭକ୍ତାନାମାନୀତା ଶ୍ରବଣାଦିଭିଃ ।

ଏଷା କୃଷ୍ଣରତିଃ ସ୍ଥାୟୀ ଭାବୋ ଭକ୍ତିରସୋ ଭବେତ୍‌ ।

(ଭକ୍ତିରସାମୃତ ସିନ୍ଧୁ)

 

ଏହିମତେ ଶ୍ରୀକୃଷ୍ଣ-ଭକ୍ତିରସ-ରସାୟିତମନା ବ୍ରଜବନିତାଗଣଙ୍କ ରସଲୀଳାରୁ ‘ରାସ’ ଆଚରିତ ।

 

ରାସର ରତି-ସନ୍ଦର୍ଭରେ ଶୀକୃଷ୍ଣ ରସନାୟକ । ଗୋପୀମାନଙ୍କ ଭୁଲରେ ତାଙ୍କର ମାଧୁର୍ଯ୍ୟ ପ୍ରକଟିତ । ବ୍ରଜରତି ମଧୁର । ଏଠାରେ ରତି-ଲୀଳାଭେଦରେ ଶ୍ରୀକୃଷ୍ଣ ଧୀରୋଦାତ୍ତ, ଧୀର ଲଳିତ ଏବଂ ଧୀର ଶାନ୍ତ ।

 

ଧୀରୋଦାତ୍ତଭାବେ ସେ ଗମ୍ଭୀର, ବିନୟେ, କ୍ଷମାଶୀଳ, କରୁଣ, ଆତ୍ମଶ୍ଳଘାଶୂନ୍ୟ ଏବଂ ଅପ୍ରକାଶିତଗର୍ବ ।

ଧୀର ଲଳିତଭାବେ ସେ ରସିକତା, ନବଯୌବନତ୍ୱ ଏବଂ ପରିହାସପଟୁତା ପ୍ରଭୃତି ଗୁଣହାର ଗୋପୀମାନଙ୍କର ବଶୀଭୁତ ।

 

ଧୀର ଶାନ୍ତଭାବେ ସେ ଶାନ୍ତ, ବିନୟୀ, ବିବେଚକ ଏବଂ କ୍ଳେଶସହିଷ୍ଣୁ ।

 

ଏହା ଛଡ଼ା ଧୀରୋଦ୍ଧତଭାବେ, ପୁଣି ସେ କୌଣସି କୌଣସି ଲୀଳା-ଭେଦରେ ମାତ୍ସର୍ଯ୍ୟଗୁଣଯୁକ୍ତ, ଅହଂକାରୀ କ୍ରୋଧପରାୟଣ, ଆତ୍ମଶ୍ଳାଘୀ ଚଞ୍ଚଳ ଓ ମାୟାବୀ ମାତ୍ର ବ୍ରଜଲୀଳାରେ ଏସବୁ ଗୁଣର ପରିଚୟ ନାହିଁ ।

 

ଶ୍ରୀକୃଷ୍ଣ ସ୍ୱଭାବତଃ ନିରୁଙ୍କୁଶ, ଐଶ୍ୱର୍ଯ୍ୟବାନ୍‌ । ତାଙ୍କର ଅଚିନ୍ତ୍ୟ ଶକ୍ତିହେତୁ ଏହି ବିରୋଧଗୁଣସମୁହର ସମଞ୍ଜସ ଉପସ୍ଥିତି ତାଙ୍କଠାରେ ସମ୍ଭବି ପାରିଛି ।

 

ଦ୍ୱାରକାରେ ସେ ପୂର୍ଣ୍ଣ । ମଥୁରାରେ ସେ ପୂର୍ଣ୍ଣତର ଏବଂ ବ୍ରଜରେ ସେ ପୂରର୍ଣ୍ଣତମ ।

ବ୍ରଜରେ ଶ୍ରୀକୃଷ୍ଣ ରତିର ଆଶ୍ରୟ; ଅର୍ଥାତ୍‌ ତାଙ୍କଠାରେ ରତି ବିଦ୍ୟମାନ । କୃଷ୍ଣଭକ୍ତର ହୃଦୟରେ ରତି ଅଧୀଷ୍ଠିତ; ତେଣୁ ଶ୍ରୀକୃଷ୍ଣ ରତିର ‘ଆଶ୍ରୟ’ ।

 

ଗୋପୀମାନେ ରତିର ‘ବିଷୟ’-ଅର୍ଥାତ୍‌ ସେମାନେ କୃଷ୍ଣପ୍ରତି ରତି କ୍ରିୟାବତୀ ।

ଏହି ରତି-ରୀତି ହିଁ ରସର ମୁଳ ।

 

ସ୍ଥାନ-ବୃନ୍ଦାବନ, କାଳ-ମଧୁମାସ ।

‘‘ଅଥ ସୁର ଗୁରୁବାରେ ଚୈତ୍ର ପୂର୍ଣ୍ଣ ଚ ଶୁକ୍ଳା ।’’

(ବସନ୍ତରାସ-ଶ୍ରୀଚନ୍ଦନ)

 

ନବବସନ୍ତ ସମାଗମ । ଚୈତ୍ର-ପୂର୍ଣ୍ଣିମାର ରଜତ-ଧବଳ ଚନ୍ଦ୍ରକର-ପରଶରେ ବୃନ୍ଦାବନର କୁସୁମମାଳିନୀ କୁଞ୍ଜଲତା ସମ୍ମୋହିତା । ମଦନର ପରମସଙ୍ଗୀ ମନ୍ଦମଳୟ ଏ ଅପରୂପ ଦୃଶ୍ୟସନ୍ଦର୍ଶନ-ସୌଭାଗ୍ୟର ଏକମାତ୍ର ସାଥୀ ।

‘‘ବୃନ୍ଦାରଣ୍ୟେ ପ୍ରବହମଦନେ ମଲ୍ଲି କାପୁଷ୍ପମୋଦେ

ଶ୍ରୀଶୁଭ୍ରଂଶୋଃ କିରଣରୁଚିରେ କେଳିକାଦମ୍ୱସଂସ୍ଥୋ ।

ରାତୌ ଚୈତ୍ରେ ପଶୁପଦବଳାଚିତ୍ତଦେହାପହାରୀ

କଂସାରାତେର୍ମଧୁର ମୁରଲୀନାଦ ରାଜୋରରାଜଃ ।’’

(ଶ୍ରୀଚନ୍ଦନ-ବସନ୍ତରାସ)

 

ବାସନ୍ତୀ ରଜନୀରେ ରସରାଜ ଗୋବିନ୍ଦଙ୍କ ଚିତ୍ତବୀମୋହନକାରୀ ମଧୁ ସଙ୍ଗୀତରେ ଆହ୍ୱାନ ଶୁଣି ଗଭୀର ଭବାବେଶରେ ବିପର୍ଯ୍ୟସ୍ତବସନ-ଭୁଷଣା ରତିନାୟିକା ରାସେଶ୍ୱରୀ ଏବଂ ବ୍ରଜକାମିନୀଗଣ ବିଷୟାବଲମ୍ୱନଙ୍କର ଶ୍ରୀଚରଣତଳେ ଆଶ୍ରୟାବଲମ୍ୱନ ଆଶାରେ ଅଭିସାରିକା । ପାଶୋରିଯାଇଛି କୁଳ-ମାନ-ପସରା ନାହିଁ କାହାରି ଗୁରୁତ୍ୱଗୌରବପ୍ରତି; ଅସରା ହେଉଛି ସତେ ସଙ୍କେତସ୍ଥଳୀ ପଥ ! ସଚେତନରେ ଚେତନହରା ହୋଇ ଅଭିସାରପଥରେ ଜଣେ କେବଳ ପ୍ରଶ୍ନ କରୁଛନ୍ତି –

 

‘‘କେ ମୁରଲୀ ବଜାଉଛି ବୃନ୍ଦାବନେ ଗୋ,

ତା’ପରି ନାଗର ଆଉ ନାହିଁ ଜଣେ ଗୋ । ଘୋଷା ।

ମୁରଲୀ ବଡ଼ ପ୍ରମାଦ -            କଲା ମୋତେ ଅବସାଦ

ପତିବ୍ରତ ଉଡ଼ାଇଲାପରି ମଣେ ଗୋ ।

X      x      x      x     

ବନମାଳୀ ଦାସ କହେ             ନନ୍ଦସୁତ ମନମୋହେ

ଭଜି ମଜ୍ଜି ରହିଥିବି ଶ୍ରୀଚରଣେ ଗୋ ।’’

ସବୁରି ମୁଖରେ କେବଳ ସେହି ଦୁଇଟି ଅକ୍ଷର ‘କୃଷ୍ଣ’ !

‘‘ ଯନ୍ନାମଧେୟ ଶ୍ରବଣାନୁକୀର୍ତ୍ତନାତ୍‌

ସ୍ୱାଦୋଽପି ସଦ୍ୟଃ ସଂ ବନାୟ କଳ୍ପତେ ।’’

(ଭାଗବତ - ୩।୩୩)

 

ଥରେ ମାତ୍ର ଯେଉଁ ନାମ ଶ୍ରବଣ ବା କୀର୍ତ୍ତନ - ସ୍ୱାଦରେ ଜୀବନ ଶୁଦ୍ଧପୂତ ହେବ - କାହାନ୍ତି, କାହାନ୍ତି ସେ ଶ୍ରୀକୃଷ୍ଣ ? ରତିରସରଞ୍ଜିତ ନୟନସମ୍ମୁଖରେ ଦିଶିଯାଉଛି ସେହି :-

 

‘‘X X ମୋହନ ନଟବର ଭଙ୍ଗିଆ

ଦଳିତ କଜ୍ୱଳ କାନ୍ତିମଞ୍ଜୁଳ

କୁଞ୍ଚିତ ଘନନୀଳ କୁନ୍ତଳ

 

ପୁଷ୍ପବେଷ୍ଟିତ ଚଳପରିମଳ, ବରହୀ - ଚନ୍ଦ୍ରକ - ଚୂଳିଆ ।’’ (ବନମାଳୀ)

 

ମଧୁର ବୃନ୍ଦାବନ, ମଧୁର ମାଦନ, ମଧୁର ମୋହନର ଅପୂର୍ବ ସମନ୍ୱୟରେ ଉଚ୍ଛନ୍ନ ମନୋପ୍ରାଣ । ନୟନ ଅଭିସାର - ପଥସାରା କେବଳ ଦେଖୁଛି -

 

‘‘ଅଧରଂ ମଧୁରଂ ବଦନଂ ମଧୁରଂ

ନୟନଂ ମଧୁରଂ ହସିତଂ ମଧୁରମ୍‌ ।

ହୃଦୟଂ ମଧୁରଂ ଗମନଂ ମଧୁରଂ

ମଧୁରାଧିପତେରଖିଳଂ ମଧୁରମ୍‌ ।

ବଚନଂ ମଧୁରଂ ଚରିତଂ ମଧୁରଂ

ବସନଂ ମଧୁରଂ ବଳିତଂ ମଧୁରମ୍‌ ।

ଚଳିତଂ ମଧୁରଂ ଭ୍ରମିତଂ ମଧୁରଂ

ମଧୁରାଧିପତେରଖିଳଂ ମଧୁରଂ ।

(ବଲ୍ଲଭାଚାର୍ଯ୍ୟ)

 

କୁଳବଧୂ ବ୍ରଜକାମିନୀଗଣଙ୍କୁ ଏ ରୂପ ଦେଖାଉଛି କିଏ ? ପ୍ରୀତିବତ୍ସଳା ଗୋପନାଗରୀମାନଙ୍କ ସରସହୃଦୟରେ ଏ ରତି ରିତୀର ଉନ୍ମାଦନା ଦେଲା କିଏ ?

 

‘‘ରମ୍ୟଂ ଗୀତଧ୍ୱନିଂ ଶୃତ୍ୱା ସନ୍ତ୍ୟଜ୍ୟାବସଥାଂସ୍ତଦା

ଆଜଗ୍ନୁ ସ୍ତ୍ୱରିତା ଗୋପ୍ୟା ଯତ୍ରାସ୍ତେ ମଧୁସୂଦନଃ ।’’

 

- ରମଣୀୟ ଗୀତଧ୍ୱନି ଶୁଣି ଗୃହ ତ୍ୟାଗ କରି ଚଞ୍ଚଳପଦରେ ଗୋପାଙ୍ଗନାଗଣ ଶ୍ରୀକୃଷ୍ଣଙ୍କନିକଟରେ ଉପସ୍ଥିତା ।

 

କୃଷ୍ଣରତି ସେମାନଙ୍କୁ ପରକୀୟା ନାମଧେୟା ଏ ମୋହନମନ୍ତ୍ର ପଢ଼ାଇଛି ସିନା ! ଲୋକଲୋଚନର ଅନ୍ତରାଳରେ ଥାଇ ଏ ରତି - ରସାମୃତ ଚଖାଇଲେ ସେମାନଙ୍କୁ ପ୍ରେମ ବା ଭକ୍ତିର ଚାରି ଜଣ ଅଭେଦାଙ୍ଗ ସଙ୍ଗୀ । ତହିଁମଧ୍ୟରୁ ପ୍ରଥମ ହେଲେ ‘ବିଭାବ’ ।

 

‘‘ବିଭ୍ୟାବତେ ହି ରତ୍ୟାଦିର୍ଯତ୍ର ଯେନ ବିଭାବ୍ୟତେ ।

ବିଭାବୋନାମ ସ ଦ୍ୱେଧାଲମ୍ୱନୋଦ୍ଦୀପନାତ୍ମକଃ ।’’      (ଅଗ୍ନିକାଣ୍ଡ)

 

ଭାବର ପ୍ରକୃତ ଉଧ୍‌ବୋଧନକାରୀ ‘ବିଭାବ’ । ସେ ଶୁପ୍ତକୁ ଜାଗ୍ରତ କରେ, ଲୁପ୍ତର ଉଦ୍ଧାର କରେ, ଗୁପ୍ତକୁ କରେ ପ୍ରକଟ - ସୂକ୍ଷ୍ମକୁ କରେ ପରିବ୍ୟାପ୍ତ ।

 

‘‘ବିଭାବୟନ୍ତୀତି ବିଭାବାଃ ।’’

 

ଈପ୍‌ସିତ ଫଳପ୍ରାପ୍ତି ଲାଗି ସମସ୍ତେ ଅନ୍ୟୋନ୍ୟମୁଖାପେକ୍ଷୀ । ବିଭାବର ଏ ରୀତିରେ ସାହାଯ୍ୟକାରୀ ଦୁଇଟି ସହଚର ହେଲେ ‘ଆଲମ୍ବନ’ ଓ ‘ଉଦ୍ଦୀପନ’ । ଏହିମାନଙ୍କ ସହାୟତାରେ ନିରାକାର ହୁଏ ପ୍ରତ୍ୟକ୍ଷସାକାର । ଏହିମାନେ ହିଁ ରସ - ଭାବର ଉପକରଣ ।

 

ରାସ-ରସରସିକିନୀ ବ୍ରଜତରୁଣୀଗଣ ଉତ୍କର୍ଣ୍ଣା ହୋଇ ଶୁଣିଲେ :- ‘ତ୍ରିଜଗନ୍ନମାନବାକର୍ଷି - ମୁରଲୀ - କଳକୂଜିତ’- ନୀରବ ନିଶିଥର ଦୂରାଗତ ବଂଶଧ୍ୱନୀ । ଚେତିଉଠିଛି ମନରେ ଶ୍ୟାମ - ସୋହାଗା ଆଖିଆଗରେ ତାଙ୍କର କୁହୁକର ଯାଦୁକରୀ ଖେଳାଇଦେଇଛି ନଟବରଙ୍କର ରୂପ, ବେଶ, ନୁପୂର, ହାସ୍ୟ ଇତ୍ୟାଦି । ଏ ସମସ୍ତ ‘ଉଦ୍ଦୀପନ ବିଭାବ’ ରହସ୍ୟ । ପୁଣି ନୀଳମେଘ ଜଗାଇଦେଇଛି ଶ୍ରୀକୃଷ୍ଣଙ୍କର ବର୍ଣ୍ଣଭାବନା । ତହିଁସହିତ ଚନ୍ଦ୍ରଜ୍ୟୋତ୍ସ୍ନା, ମନ୍ଦମଳୟ । ଏ ସମସ୍ତ ମିଶିଯାଇ ଦାଉସାଧିଛନ୍ତି ପ୍ରୀତିବିଭୋରା ଗୋପିକାମାନଙ୍କ ଉପରେ । ଭରିଉଠିଛି ଦେହ - ମନରେ ବ୍ୟାକୁଳତା, ତିନ୍ତିଯାଇଛି ଆଖିକୋଣ, ଚିତ୍ତରେ ଆସିଛି ବିସ୍ମୃତି, ଚଞ୍ଚଳ ହୋଇଉଠିଛି ସଂକେତ-କୁଞ୍ଜବାହୀ ଚରଣନୂପୁରର ଗତିବେଗ ।

 

ଏବେ ସମାଗତ ଅନୁଭାବର ଶାସନମୁହୂର୍ତ୍ତ । ଚିତ୍ତର ଭାବାନୁସାରୀ ତନୁ - ବିକାର ତା’ର ପରିଚୟ ।

 

‘‘ଅନୁଭାବାସ୍ତୁ ଚିତ୍ତସ୍ୟ ଭାବାନାମବବୋଧକଃ ।’’

(ଭାବରସାମୃତ)

 

ଚିତ୍ତସ୍ଥ ଭାବଗୁଡ଼ିକୁ ପ୍ରତ୍ୟକ୍ଷ ଗୋଚର କରାଇ ତାହାର ପ୍ରଭାବରେ ହାସ୍ୟ, କଟାକ୍ଷ ଏବଂ ବିବିଧ ନୃତ୍ୟଛନ୍ଦରେ ବିହ୍ୱଳିତ କରିଦେଲା ରାସରସରଙ୍ଗିନୀ ବ୍ରଜବାଳାମାନଙ୍କୁ ଏଇ ଅନୁଭାବ । ଜଗାଇଦେଲା ଦେହମନରେ, ଜୀବନ - ପ୍ରାଣରେ ଅପୂର୍ବ ସ୍ପନ୍ଦନ । ଅଙ୍ଗେ ଅଙ୍ଗେ ନାଚିଉଠିଲା ହୃଦୟାବେଗସମ୍ଭୁତ ତରଙ୍ଗାକୁଳିତ ମଧୁର ଅଭିବ୍ୟକ୍ତି । ଅଣାୟତ୍ତ ହେଲା ଲୀଳାୟିତ ଅବଳା - ମନ ବିଷୟାବଲମ୍ୱନର ଆାଶ୍ରୟାବଲମ୍ୱନ ଆଶାରେ । ଜାତହେଲା ଅଷ୍ଟବିଧ ସାତ୍ତ୍ୱିକ ବିଭାବ-

 

‘‘ତେ ସ୍ତମ୍ଭସ୍ୱେଦରୋମାଞ୍ଚାଃ ସ୍ୱରଭେଦୋଽଥ ବେପଥୁଃ

ବୈବର୍ଣ୍ଣ୍ୟମଶ୍ରୁ ପ୍ରଳୟ ଇତ୍ୟଷ୍ଟୌ ସାତ୍ତ୍ୱିକାଃ ସ୍ମୃତାଃ ।’’

 

ଅନୁଭାବ ସାକ୍ଷାତ୍‌ଭାବରେ ଦେହର ବିକାର ଜନ୍ମାଏ ସିନା, ସାତ୍ତ୍ୱିକ ତାହାକୁ ଚିତ୍ତର ବ୍ୟବହିତ ଭାବରେ ଜାତ କରାଏ । ତହୁଁ ଏକମାତ୍ର ସତ୍ତ୍ୱ ଭିନ୍ନ ଆଉ କିଛି ବାକି ରହିଲା ନାହିଁ । ଏହି ବିଭାବ ସମୂହର ଅନୁଶାସିତା ବ୍ରଜନାୟିକାଗଣ ସଙ୍କେତସ୍ଥଳରେ ମିଳିତା ହେଲେ ଭାବଗ୍ରାହୀ ବ୍ରଜସୁନ୍ଦରଙ୍କ ସହିତ ଗୂଢ଼ରତିର ପ୍ରଭାବରେ ସମାଜ - ବନ୍ଧନ - ବାଧା ଉପେକ୍ଷା କରି ।

 

ଏଇ ରତି - ରୀତିକୁ କୁହାଯାଉଛି - ପରକୀୟା । ଶ୍ରୀକୃଷ୍ଣଶ୍ରୀଚରଣାର୍ପିତ ମନ ଘେନି ଭାବମୟୀ ଗୋପାଙ୍ଗନାମାନଙ୍କସହିତ ‘ସଂସାରିରପି କଂସାରି-ଶୃଙ୍ଖଳାବଦ୍ଧ ମାନସ’ । ଭାବଗ୍ରାହୀ ଗୋବିନ୍ଦଙ୍କର ସଂସାରୀ - ରୀତି - ସୁଲଭ ଆଚରିତ ଏହି ରାସଲୀଳା ପ୍ରାକୃତ ଦୃଷ୍ଟିରେ ମଦନୋତ୍ସବରୂପେ ଚିତ୍ରିତ ହୋଇଅଛି; ମାତ୍ର ଭାବୁକ ରସିକ ଭକ୍ତ ଏହାର ଗୂଢ଼ତା ଅନୁଭବ କରି କହନ୍ତି :-

 

‘‘ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧାହରି ।’’

(ଅଭିମନ୍ୟୁ)

 

ଏ ପ୍ରେମ କାମ - ଭାବିତ ନୁହେଁ । ଏ ପ୍ରେମ - ‘ଆନନ୍ଦଂ ନନ୍ଦନାତୀତମ୍‌।’ ଏ ପ୍ରେମ ଆଧିଦୈହିକ ନୁହେଁ, ଆଧ୍ୟାତ୍ମିକ - ପ୍ରାକୃତ ନୁହେଁ, ଅପ୍ରାକୃତ ।

କେହି - କେହି ରସିକଜନ ଏହାକୁ ପରକୀୟା ପ୍ରସଙ୍ଗ ବୋଲି ସ୍ୱୀକୃତି ଦେବାରେ ପରାଙ୍‌ମୁଖ । ସେମାନଙ୍କ ମତରେ –

 

‘‘ଶ୍ରୀକୃଷ୍ଣେନ ତାସାଂ ନିତ୍ୟଦାମ୍ପତ୍ୟେ ସତି

ପରକୀୟାତ୍ୱେ ଚ ମାୟିକ ସତି ।’’

(ଲୋଚନରୋଚନୀ ଟୀକା)

 

ଅର୍ଥାତ୍‌ନଟବର ଶ୍ରୀକୃଷ୍ଣଙ୍କସହିତ ଗୋପାଙ୍ଗନାମାନଙ୍କର ପ୍ରେମ ନିତ୍ୟଦାମ୍ପତ୍ୟସିଦ୍ଧ; ପରକୀୟାତ୍ୱ ମାୟିକ ମାତ୍ର ।

ଏ ମତ ଖଣ୍ଡନ କରି ପୁଣି କୁହାଯାଇଅଛି :-

 

ଗୋପିନାଂ ପରକୀୟାତ୍ୱଦର୍ଶନାତ୍‌ ସର୍ବଗୋପୀଶିରୋମଣିଃ । ସାଽପି ପରକୀୟୈବ । ନ ତୁ ପ୍ରକଟାପ୍ରକଟଲୀଳୟୋଃ ସ୍ୱରୂପତଃ କିଞ୍ଚନ ବୈଲକ୍ଷ୍ୟମସ୍ତୀତି ।’’

 

ଯେହେତୁ ଗୋପୀଗଣଙ୍କର ପରକୀୟାତ୍ୱ ଅଛି, ସେହିହେତୁରୁ ସର୍ବଗୋପୀଶିରୋମଣି ରାଧିକା ପରକୀୟାତ୍ୱ ରତି - ସମ୍ପନ୍ନା । ପ୍ରକଟ ଏବଂ ଅପ୍ରକଟ ଲୀଳାର ପାର୍ଥକ୍ୟ ନାହିଁ । ଶ୍ରୀରାଧାଙ୍କର ଶ୍ରୀକୃଷ୍ଣଙ୍କସହିତ ନିତ୍ୟସିଦ୍ଧ ଭାବ ‘ରତି’ - ଯେପରି ଅଗ୍ନି ଏବଂ ତାର ଦାହିକାଗୁଣ । ଏହା ଶକ୍ତିମାନ୍‌ଙ୍କର ସର୍ବସମ୍ମତ ନିତ୍ୟସିଦ୍ଧଭାବ ।

ତେଣୁ ପରକୀୟାରେ ସ୍ୱକୀୟାଭାବ ସ୍ୱୀକୃତ । ପରକୀୟା ଭିନ୍ନ ସର୍ବତ୍ୟାଗୀ ଆତ୍ମୋତ୍ସର୍ଗ ସମ୍ଭବ ନୁହେଁ, ତନ୍ମୟତା ସମ୍ଭବ ନୁହେଁ ।

 

‘‘କାମଂ କ୍ରୋଧଂ ଭୟଂ ସ୍ନେହମ୍‌ ଐକ୍ୟଂ ସୌହୃଦମେବ ଚ

ନିତ୍ୟଂ ହରୌ ବିଦଧତୋ ଯାନ୍ତି ତନ୍ମୟତାଂ ହି ତେ ।’’

                              (ଭାଗବତ - ୧୦ମ)

 

କାମ, କ୍ରୋଧ, ଭୟ, ସ୍ନେହ, ଐକ୍ୟ ବା ସୌହାର୍ଦ୍ଦ୍ୟ - ଶ୍ରୀକୃଷ୍ଣଙ୍କଠାରେ ଏଥିମଧ୍ୟରୁ କୌଣସି ଗୋଟିକର ସମର୍ପଣରେ ତନ୍ମୟତାପ୍ରାପ୍ତି ଘଟେ । ପରକୀୟା ପ୍ରୀତିରେ ହିଁ ଏହା ସମ୍ଭବ ।

 

ଗୀତଗୋବିନ୍ଦବର୍ଣ୍ଣିତ ରାସର ରତି ମୁଗ୍‌ଧା ବ୍ରଜଗୋପିକାମାନଙ୍କର ସମର୍ଥାରତି ରୀତିର ଚାରୁଚିତ୍ର । ଏଇ ଗୋପୀମାନେ ରାସରେ ପ୍ରେମଲୀଳା ବିହାରବିସ୍ତାରକାରିଣୀ । ଏମାନଙ୍କ ରତିମୂଳରେ ଥିଲା ଚରମ ତ୍ୟାଗ । ଭାଗବତକାର କହିଛନ୍ତି –

 

‘‘ତା ମନ୍ମନସ୍କା ମତ୍‌ପ୍ରାଣା ମଦର୍ଥେ ତ୍ୟକ୍ତ-ଦୈହିକାଃ

ଯେ ତ୍ୟକ୍ତଲୋକଧର୍ମାଶ୍ଚ ମଦର୍ଥେ ତାନ୍‌ ବିଭର୍ମାହମ୍‌।’’

(ଭାଗବତ ୧୦ମ)

 

ଶ୍ରୀକୃଷ୍ଣ କହିଲେ - ସେମାନେ (ଗୋପୀମାନେ) ଦେହ, ଗୃହ, ଲୋକଧର୍ମ ଏବଂ ବେଦଧର୍ମ - ସମସ୍ତଙ୍କୁ ବିସର୍ଜନ ଦେଇ କେବଳ ମୋହରି ନିରତ ଅଙ୍ଗସଂଗିନୀ ।

ଆହୁରି କୁହାଯାଇଛି –

 

‘‘ନ ପାରୟେଽହଂ ନିରବଦ୍ୟସଂଯୁଜାଂ

ସ୍ୱ-ସାଧୁକୃତ୍ୟଂ ବିବୁଧାୟୁଷାପି ବାଃ ।

ଯା ମା ଭଜ୍ଜନ୍‌ ଦୁର୍ଜରଗେହଶୃଙ୍ଖଳାଃ

ସ ବୃଶ୍ଚ୍ୟ ତଦ୍‌ବଃ ପ୍ରତିଯାତୁ ସାଧୁନା’’ । (ଭାଗବତ- ଦଶମ)

 

ବ୍ରହ୍ମାଙ୍କ ପରମାୟୁ ପାଇଲେ ସୁଦ୍ଧା ତୁମ ଋଣ ମୁଁ ଶୁଝିପାରିବି ନାହିଁ ସଖୀଗଣ ! କାରଣ ମୋପ୍ରତି ଅନୁରାଗବତୀ ହୋଇ ତୁମେମାନେ ଲୋକଧର୍ମ, ବେଦଧର୍ମ, ଆତ୍ମୀୟ-ସ୍ୱଜନ ସମସ୍ତଙ୍କୁ ଉପେକ୍ଷା କରି ମୋଠାରେ ଆତ୍ମସମର୍ପଣ କରିଅଛ । ତୁମେମାନେ –

 

ତ୍ୟକ୍ତ-ଲୋକ-ବେଦ-ସ୍ୱା      (ଭାଗବତ)

 

‘‘ସର୍ବଧର୍ମାନ୍‌ ପରିତ୍ୟଜ୍ୟ ମାମେକ ଶରଣଂ ବ୍ରଜ’’ (ଗୀତ)

- ସକଳ ଧର୍ମ ପରିତ୍ୟାଗ କରି ତୁମେମାନେ ମୋତେ ହିଁ କେବଳ ଆଶ୍ରୟ କରିଛ ।

 

‘‘ଯା ଦୁସ୍ତଜ୍ୟଂ ସ୍ୱଜନମ୍‌ ଆର୍ଯ୍ୟପଥଂ ଚ ହିତ୍ୱା

ଭେଜୁର୍ମୁକୁନ୍ଦ-ପଦବୀଂ ଶୃତିଭିର୍ବିମୃଶ୍ୟାମ୍‌ ।’’ (ଭାଗବତ - ୧୦)

 

ଗୋପୀପ୍ରେମର ମୂଳ ହେଲା - ‘‘ତଦର୍ପିତାଖିଳାଚାରିତା, ତଦ୍‌ ବିସ୍ମରଣେ ପରମବ୍ୟାକୁଳତା’’ - ଏହାର ପ୍ରକୃଷ୍ଟ ଉଦାହରଣ ଗୋପୀ-ରତି ରୀତିରେ ପ୍ରଦର୍ଶିତ । ରାସର ରସନାୟକ ଶ୍ରୀକୃଷ୍ଣ, ରସପରିବେଶିକା ବ୍ରଜାଙ୍ଗନା, ରତି-ରୀତି ‘ସମର୍ଥା’ ।

 

ଗୋପୀରତି ବା ରାଧାରତି ‘ମଧୁରା’ । ଏହା ଗୋବିନ୍ଦ ଏବଂ ରସବତୀ ଶ୍ରୀରାଧାଦି ଗୋପାଙ୍ଗନାମାନଙ୍କ ସମ୍ଭୋଗର ଆଦିକାରଣୀଭୂତ ରତି । ଯେଉଁ ଭାଗ୍ୟବତୀମାନେ ଭକ୍ତବତ୍ସଳ ଭାବଗ୍ରାହୀ ଶ୍ରୀକୃଷ୍ଣଙ୍କର ଅନୁଗ୍ରହଲାଭରେ ସମର୍ଥା, କେବଳ ସେହିମାନଙ୍କ ଚିତ୍ତରେ ଏ ରତି ସଞ୍ଚାରିତ ହୁଏ । ପଞ୍ଚବିଧ ମୁଖ୍ୟ ରତି ହେଉଛି - ପ୍ରଭୁଜ୍ଞାନରେ ଶ୍ରୀକୃଷ୍ଣଙ୍କର ଅନୁଗ୍ରହାଭିଳାଷୀଙ୍କର ଚିତ୍ତରେ ଯେଉଁ ରତି ସଞ୍ଚାରିତ, ତାହା ଜ୍ଞାନରୂପା ‘ପ୍ରୀତି-ରତି’ (୧), ଶ୍ରୀକୃଷ୍ଣଙ୍କପ୍ରତି ସମ ବା ଐକ୍ୟଭାବସମ୍ପନ୍ନଚିତ୍ତର ରତି ନାମ ‘ସଖ୍ୟ-ରତି’ (୨), ଗୁରୁତ୍ୱ ଅଭିମାନଯୁକ୍ତ ବାତ୍ସଲ୍ୟଭାବମୟୀ ରତି ‘ବାତ୍ସଲ୍ୟ-ରତି’ (୩), ପରମାତ୍ମଜ୍ଞାନସଂପନ୍ନ ମମତାଗନ୍ଧହୀନ ପ୍ରୀତି ‘ଶାନ୍ତ-ରତି’ (୪) ଏବଂ ପୂର୍ବୋକ୍ତ ‘ମଧୁରା ରତି’ (୫) ।

 

ଏହା ହିଁ ଭକ୍ତିପଞ୍ଚକରୂପେ ପ୍ରଖ୍ୟାତ । ଗୋପୀରତି ‘କାନ୍ତ-ଭାବ’ ସେବା । ଗୋପୀ - ସେବାବାସୀ, କୃଷ୍ଣ - ଆରାଧ୍ୟ । ଗୋପୀ ପ୍ରିୟା - ଗୋବିନ୍ଦ ପ୍ରିୟ । ଏହି ମଧୁର ରତି-ରୀତି-ଆଶ୍ରୟରେ ନିହିତ ଭଗବନ୍ନିଷ୍ଠାଜନିତ ଶାନ୍ତଭାବ; ଦାସ୍ୟଭାବରେ ସେବା, ସଖୀଭାବରେ ମୈତ୍ରୀ, ବାତ୍ସଲ୍ୟଭାବରେ ମମତା । ସର୍ବୋପରି ଏହା କାନ୍ତାଭାବରେ ସେବନର ଅପ୍ରତୁଳ ମହତ୍ତ୍ୱରେ ମହିମାନ୍ୱିତ । ରାସର ଏହାହିଁ ‘ରତି-ରୀତି’ ।

 

ସର୍ଜନା

 

ପୁରୁଷ ଏବଂ ପ୍ରକୃତିର ଯୁଗଳ ମିଳନ ବ୍ୟତିରେକେ ସର୍ଜନା ସମ୍ଭବପର ନୁହେଁ । ସର୍ଜନାର ମୂଳରେ ସୃଷ୍ଟିର ରସପୃଷ୍ଟି ଅବଶ୍ୟ ସ୍ୱୀକାର୍ଯ୍ୟ । ରସଭିନ୍ନ ସୃଷ୍ଟି ନାହିଁ । ସର୍ଜନାମୂଳରେ ରସର ସଞ୍ଚରଣ ହିଁ ଭଗବଲ୍ଲୀଳା । ବେଦାନ୍ତ ଦର୍ଶନରେ ମହର୍ଷି ବାଦରାୟଣ କହିଛନ୍ତି :-

 

‘‘ଲୋକବତ୍‌ ତୁ ଲୀଳା - କୈବଲ୍ୟମ୍‌ ।’’

 

ନିଷ୍ପ୍ରୟୋଜନରେ ଲୋକ ଯେପରି ଖେଳା କରେ ବାସୁଦେବଙ୍କର ଏହି ସୃଷ୍ଟି ସର୍ଜନା ସେହିପରି ଏକ ଖେଳା, ଯାହା ଗୋବିନ୍ଦଲୀଳା ନାମରେ ପ୍ରଖ୍ୟାତ । ବାସୁଦେବତତ୍ତ୍ୱାନୁସାରୀ ମହାକବିଙ୍କ ଗୋବିନ୍ଦ-ଲୀଳା ସର୍ଜନାର ନାୟକ ବା ପୁରୁଷ ହେଲେ ଶକ୍ତିମାନ୍‌ପୁରୁଷତ୍ତମ ସଚ୍ଚିଦାନନ୍ଦ ରସରାଜ ଏବଂ ନାୟିକା ବା ପ୍ରକୃତି ହେଉଛନ୍ତି ହ୍ଲାଦିନୀ ଶକ୍ତିମୟୀ ମହାଭାବ । ବିଶ୍ୱସୃଷ୍ଟି ସର୍ଜନାକାରୀ ଅନନ୍ତ ଶକ୍ତିମୟ ବାସୁଦେବଙ୍କର ସର୍ବଶକ୍ତି ମଧ୍ୟରେ ସ୍ୱରୂପ ଶକ୍ତି ସର୍ବଶ୍ରେଷ୍ଠ । ଏହା ଚିତ୍‌ ବା ବିଷ୍ଣୁ ଶକ୍ତି ।

 

‘‘ବିଷ୍ଣୁ ଶକ୍ତି ପରା ପ୍ରୋକ୍ତା ।’’

(ବିଷ୍ଣୁ ପୁରାଣ)

 

ସ୍ୱରୂପ ଶକ୍ତି ତିନି ପ୍ରକାର - ସତ୍‌, ଚିତ୍‌, ଆନନ୍ଦ । ଆନନ୍ଦମୟଙ୍କ ସ୍ୱରୂପ ହିଁ ସତ୍‌, ଚିତ୍‌ ହେଲା ସଂବିତ୍‌ଶକ୍ତି ଏବଂ ଆନନ୍ଦ ତାଙ୍କର ହ୍ଲାଦିନୀ ଶକ୍ତି । ଏହି ତ୍ରିଶକ୍ତିର ସମନ୍ୱୟହେତୁ ଭଗବାନ୍‌ଙ୍କୁ ବୋଲାଯାଏ ସଚ୍ଚିଦାନନ୍ଦ ।

 

ସତ୍‌ବା ସନ୍ଧିନୀ ଶକ୍ତିହେତୁ ସେ ସର୍ବବ୍ୟାପୀ, ଚିତ୍‌ବା ସଂବିତ୍‌ଶକ୍ତହେତୁ ଅନ୍ତର୍ଯ୍ୟାମୀ, ଆନନ୍ଦ ବା ହ୍ଲାଦିନୀ ଶକ୍ତିହେତୁ ଆନନ୍ଦମୟ । ହ୍ଲାଦିନୀ ଶକ୍ତିଦ୍ୱାରା ଭଗବାନ୍‌ ଶ୍ରୀକୃଷ୍ଣ ସୁଖାନୁଭବ କରନ୍ତି ଏବଂ ଏହି ହ୍ଲାଦିନୀ ଶକ୍ତି ଭଗବାନ୍‌ଙ୍କୁ ଯେପରି ଆହ୍ଲାଦ ଦିଏ ରସିକ ଭକ୍ତକୁ ମଧ୍ୟ ସେହିପରି ଆନନ୍ଦ ଦିଏ ।

 

ପ୍ରେମ ହିଁ ଭଗବାନ୍‌ ପ୍ରେମ ହିଁ ଆନନ୍ଦ । ହ୍ଲାଦିନୀ ଶକ୍ତି ହେଲା ପ୍ରେମର ଉତ୍ସ । ଭଗବାନ୍‌ ଶ୍ରୀକୃଷ୍ଣଙ୍କର ଏକମାତ୍ର ହ୍ଲାଦିନୀ ଶକ୍ତି ରାଧିକା । ରାଧା ହିଁ ମଧୁର ରସର ଘନୀଭୂତ ବିଗ୍ରହ । ଶ୍ରୀକୃଷ୍ଣ ପ୍ରେମମୟ-ପେମମୟୀ ଶ୍ରୀରାଧା । ଶ୍ରୀକୃଷ୍ଣ ରସରାଜ-ଶ୍ରୀରାଧା ମହାଭାବ, ତାଙ୍କୁ ଘେନି ହିଁ ଲୀଳାବାଦର ଅପୂର୍ବ ବିକାଶ ଘଟିଛି ।

 

‘‘ରା - ଶଦ୍ଦୋଚାରଣାଦ୍‌ଭକ୍ତୋ ଭକ୍ତିଂ ମୁକ୍ତିଞ୍ଚ ଗତି ସଃ,

ଧା - ଶଦ୍ଦୋଚାରଣେନୈବ ଧବତ୍ୟେବ ହରେଃ ପଦମ୍‌ ।’’

(ନାରଦ ପଞ୍ଚରାତ୍ର)

 

ରାଧା ସତ୍‌, ଚିତ୍‌, ଆନନ୍ଦଙ୍କ ପୂର୍ଣ୍ଣାଙ୍ଗବିକାଶ, ତେଣୁ ଅଦ୍ୱିତୀୟା । ବ୍ରହ୍ମବୈବର୍ତ୍ତ ପୁରାଣର ଶ୍ରୀକୃଷ୍ଣ - ଜନ୍ମଖଣ୍ଡରେ କୁହାଯାଇଅଛି :-

 

‘‘ରା - ଶଦ୍ଦଂ କୁର୍ବତିସ୍ତ୍ରସ୍ତୋ ଦଦାମି ଭକ୍ତିମୁତ୍ତମାମ୍‌

ଧା - ଶଦ୍ଦଂ କୁର୍ବତଃ ପଶ୍ଚାଦ୍ୟାମି ଶ୍ରବଣଲୋଭତଃ ।

ଯେ ସେବନ୍ତେ ଚ ଦତ୍ତ୍ୱା ମାମୁପଚାରାଂଶ୍ଚ ଷୋଡ଼ଶ,

ଯାବଜ୍ଜୀବନପର୍ଯ୍ୟନ୍ତଂ ଯା - ପ୍ରୀତିର୍ଜାୟତେ ମମ ।

 

ସା ପ୍ରୀତିର୍ମମ ଜାୟତେ ରାଧା - ଶଦ୍ଦାତ୍ତତୋଽଧିକଃ ।

ପ୍ରିୟାନ୍‌ମେ ତଥା ରାଧେ ରାଧା ବକ୍ତା ତତୋଽଧିକଃ ।

ଲକ୍ଷ୍ମୀଃ ସରସ୍ୱତୀ ଦୁର୍ଗା ସାବିତ୍ରୀ ପ୍ରକୃତସ୍ତଥା

ମମ ପ୍ରିୟାଶ୍ଚ ଦେବାଶ୍ଚ ତାସ୍ତଥାପି ନ ତତ୍‌ସମଃ ।

 

ତେ ସର୍ବେ ପ୍ରାଣୁତୁଲ୍ୟା ମେ ତ୍ୱଂ ମେ ପ୍ରାଣାଧିକା ସତୀ

ଭିନ୍ନସ୍ଥାନ ସ୍ଥିତାସ୍ତେ ଚ ତ୍ୱଂ ଚ ବକ୍ଷଃସ୍ଥଳେ ସ୍ଥିତା ।’’

 

ପୁରୁଷ ଏବଂ ନାରୀର ମିଳନ ହିଁ ସର୍ଜନାର ମୂଳ । ଏହି ପୁରୁଷ ନାରୀତତ୍ତ୍ୱକୁ କୁହାଯାଇଅଛି ବିଷୟ-ଆଶ୍ରୟତତ୍ତ୍ୱ । କୃଷ୍ଣପ୍ରେମିକା ହେଲେ ପ୍ରେମର ଆଶ୍ରୟ ଏବଂ ଶ୍ରୀକୃଷ୍ଣ ହେଉଛନ୍ତି ପ୍ରେମର ବିଷୟ । ଆଶ୍ରୟ ଅର୍ଥାତ୍‌ ସେବାଶ୍ରୟ, ସେବକ ଭୋଗ୍ୟ-ଯାହା ରସରାଜ ଏବଂ ମହାଭାବଙ୍କ ଅଭେଦରେ ଭେଦ ସର୍ଜନାର ମୂଳକଥା ।’’

 

ଶକ୍ତି ଏବଂ ଶକ୍ତିମାନ୍‌

 

‘‘ଜଗତ୍‌-ପ୍ରକୃତି ଭାବୋ ଯଃ ସ ଶକ୍ତିପରିକୀର୍ତ୍ତିତା ।’’ (ଅ: ବୁ: ସଂ)

 

ପୂର୍ବରେ କୁହାଯାଇଛି ଯେ ଶକ୍ତି ଏବଂ ଶକ୍ତିମାନ୍‌ ବିଭେଦହୀନ । ଯାହାର ଶକ୍ତି ଅଛି, ସେ ଶକ୍ତିମାନ୍‌ । ଶକ୍ତିମାନ୍‌ ସେ, ଯାହାର ଶକ୍ତି ଅଛି ଅର୍ଥାତ୍‌ ଦୁହେଁ ଏକ ।

 

ଦୁଇଟି କଥାମଧ୍ୟରେ ଅଭେଦ ଏବଂ ଭେଦତତ୍ତ୍ୱ ବିଦ୍ୟମାନ । ଏକା କିନ୍ତୁ ଚିନ୍ତାର ଅତୀତ । ଏହା ଅଚିନ୍ତ୍ୟ ଭେଦାଭେଦ-ତତ୍ତ୍ୱ ହେଲା ବାସୁଦେବ-ତତ୍ତ୍ୱ ।

 

ଶକ୍ତି-ଶଦ୍ଦର ଅର୍ଥ ସାପେକ୍ଷ । ଶକ୍ତି କୌଣସି ବିଷୟ ବା କର୍ମର ଆଶ୍ରିତ ଅର୍ଥାତ୍‌ କାହାରି ଅପେକ୍ଷମାଣ । ଶକ୍ତି କହିଲେ ମନରେ ପ୍ରଶ୍ନ ଉଠେ-ଶକ୍ତି କାହାର ? -କାହାର ଆଶ୍ରିତ ? ଶକ୍ତି କେଉଁ ବିଷୟିକ ? ଏବଂ ସେ କେଉଁ କାର୍ଯ୍ୟକରଣରେ ସମର୍ଥ ?

 

ଶକ୍ତିମାନ୍‌ କିଏ ? -ଯାହାର ଶକ୍ତି ଅଛି ଅର୍ଥାତ୍‌ ଶକ୍ତିର ଯେ ଜନକ । ଶକ୍ତିମାନ୍‌ର ଧର୍ମ କ’ଣ ? = ଶକ୍ତି । ଏହି ଶକ୍ତିଦ୍ୱରା କାର୍ଯ୍ୟର ଉତ୍ପତ୍ତି ଘଟେ । ଶକ୍ତି ଏବଂ ଶକ୍ତିମାନ୍‌ ଉଭୟଙ୍କ ମଧ୍ୟରେ ପରିଚାରକ ବ୍ୟବଧାନ କ’ଣ ? -କାର୍ଯ୍ୟ । ତେଣୁ ଶକ୍ତି, ଶକ୍ତିମାନ୍‌ ଓ କର୍ମ ଏ ତିନିଗୋଟି ବିଷୟରେ ସମ୍ବନ୍ଧ ଅଭିନ୍ନ । ଶକ୍ତି ଏବଂ ଶକ୍ତିମାନ୍‌ର ସମ୍ପର୍କ ଅଭେଦ ଅର୍ଥାତ୍‌ ଦୁଇ ନୁହେଁ ଏକ ।

 

‘‘ଶକ୍ତି ଶକ୍ତିମତୋଶ୍ଚାପି ନ ବିଭେଦ କଥଞ୍ଚନ

ଅବିଭିନ୍ନୋଽପି ସ୍ୱେଚ୍ଛାଦି ଶଦ୍ଦୈ ରପି ବିଭାଷ୍ୟତେ ।’’

(ଭାଗବତ)

 

ଅଗ୍ନି ଏବଂ ଦହିକାଶକ୍ତି ଯେପରି ଅଭିନ୍ନ, ସେହିପରି ଶକ୍ତି ଏବଂ ଶକ୍ତିମାନ୍‌ କେହି କାହାରିଠାରୁ ଭିନ୍ନ ନୁହନ୍ତି । ଶକ୍ତି ହିଁ ବିଶ୍ୱ-ପ୍ରକୃତ ଏବଂ ପରମା ପ୍ରକୃତି । ଏହି ବିଧିରେ ଯେ ପରମପୁରୁଷ, ସେ ପରମା ପ୍ରକୃତ ମଧ୍ୟ, ଏକ ଆତ୍ମା ।

 

ଶକ୍ତିମାନ୍‌ ପୁରୁଷ ଏକ ବସ୍ତୁ, ଶକ୍ତି ତାର ଇଚ୍ଛାଧୀନ ଗୁଣ ବା ଧର୍ମ । ଶକ୍ତି କୌଣସି ନିର୍ଦ୍ଦିଷ୍ଟବସ୍ତୁ ନୁହେଁ-ଏହା ବସ୍ତୁର ଧର୍ମ । ଶକ୍ତି ଏହି ବସ୍ତୁରୁ ପୃଥକ୍‌ ରହି ନ ପାରେ । ଏସମ୍ବନ୍ଧେ କିଞ୍ଚିତ୍‌ ଆଲୋଚନାପୂର୍ବରୁ ପ୍ରଥମେ ଚୈତନ୍ୟସ୍ୱରୂପ କୌଣସି ବସ୍ତୁକୁ ସ୍ୱୀକାର କରିବା ଆବଶ୍ୟକ । ଶକ୍ତି ଶୁଦ୍ଧଚୈତନ୍ୟକୁ ଆଶ୍ରୟ କରି ନିଜ କାର୍ଯ୍ୟର ପରିଚୟ ଦେଉଥିବା ପର୍ଯ୍ୟନ୍ତ ସେ ଶକ୍ତିମାନ୍‌ଙ୍କଠାରୁ ଅଭେଦ ଚୈତନ୍ୟରୂପା, ଇଚ୍ଛାମୟୀ, ତ୍ରୀଗୁଣାତୀତା ବୋଲାଏ । ଇଛା ଏବଂ ଚୈତନ୍ୟ ପୁରୁଷାଶ୍ରିତଶକ୍ତି ନିକଟରେ ବା ଶକ୍ତିଠାରେ ଇଚ୍ଛାର ସ୍ୱତନ୍ତ୍ର ଠାବ ନାହିଁ । ଶକ୍ତି ପୁରୁଷର ଇଚ୍ଛାଧୀନ । ଯେପରି, ଆମର କଥା କହିବାର ବା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଯିବାର ଶକ୍ତିଅଛି; କିନ୍ତୁ ଇଛା ହେଲେ ତେବେ ସିନା ଆମେ କହିପାରିବା ଅବା ଚାଲିପାରିବା । ବାସୁଦେବ ଭଗବାନଙ୍କର ଏକମାତ୍ର ଶକ୍ତି ‘ଚିତ୍‌’ । କାର୍ଯ୍ୟକରଣରେ ତାହାର ନାମ ‘ଚିଚ୍ଛକ୍ତି’ ଏବଂ ଅଚିତ୍‌ ବା ଜଡ଼ କାର୍ଯ୍ୟକରଣରେ ତାହା ‘ଅଚିଚ୍ଛଛକ୍ତି ବୋଲାଏ । ଜଡ଼କାର୍ଯ୍ୟ ଅର୍ଥାତ୍‌ ଜଡ଼ଶକ୍ତି ବା ମାୟା । ଏହା ପୁଣି ତ୍ରି ଗୁଣଧାରିଣୀ । ବିଶ୍ୱର ସୃଷ୍ଟି ଏବଂ ବିନାଶ ଏହାର କାର୍ଯ୍ୟ । ପୁରାଣଶାସ୍ତ୍ର ଏହାକୁ କହେ ‘ବିଷ୍ଣୁ ମାୟା’ ବା ‘ମହାମାୟା’ ।

 

ଶ୍ରୀରାଧା ଚିଛକ୍ତିସ୍ୱରୂପା । ଶକ୍ତିମାନ୍‌ ବାସୁଦେବ ଶ୍ରୀକୃଷ୍ଣ ସନ୍ତତ ଏହାଙ୍କୁ ଧାରଣ କରିଥାଆନ୍ତି । ରାଧାକୃଷ୍ଣ - ଲୀଳାର ସେ ପରମା ସଙ୍ଗିନୀ ।

 

‘‘ତବ ବକ୍ଷସି ରାଧାଽହଂ ରାସେ ବୃନ୍ଦାବନେ ବନେ ।’’

(ନାରଦ ପଞ୍ଚରାତ୍ରରେ ଦୁର୍ଗାଦେବୀଙ୍କ ଉକ୍ତି)

 

ଶକ୍ତଭିନ୍ନ ଜୀବନର ଗତିମୁକ୍ତ ନାହିଁ । ଜୀବସୃଷ୍ଟି ଶକ୍ତିହେତୁ ଉତ୍‌ଥିତ, ଶକ୍ତିରେ ବିଲୀନ । ଶକ୍ତିସେବା ହିଁ ମୂଳ । ବାସୁଦେବ-ତତ୍ତ୍ୱରେ ଶକ୍ତିମାନ୍‌ ତେଣୁ ଶକ୍ତିସହ ମିଳିତ । ଶ୍ରୀଗୀତଗୋବିନ୍ଦକାର ଜୟଦେବଙ୍କୁ ଏ ଦୃଷ୍ଟିରୁ ପରମ ଶାକ୍ତ ବୋଲି କହିଲେ ମଧ୍ୟ ଅସମୀଚୀନ ହେବ ନାହିଁ ।

 

ଅତଏବ ବାସୁଦେବ-ତତ୍ତ୍ୱବିଚାରରୁ ଶକ୍ତିମାନ୍‌ ଭଗବାନ୍‌ ବାସୁଦେବଙ୍କର ‘ସୃଷ୍ଟି - ସର୍ଜନା’ ଇଚ୍ଛାର ସଫଳତାଲାଗି ପ୍ରୟୋଗ ହୋଇଛି ଶକ୍ତି ଅର୍ଥାତ୍‌ ଶକ୍ତିମାନ୍‌ ଏବଂ ଶକ୍ତି ଅଭିନ୍ନ, ଅଭେଦ । ହେଲେ ମଧ୍ୟ ଭେଦ ଘଟିଛି ସୃଷ୍ଟିର କଳ୍ପନାରୁ; କିନ୍ତୁ ଏହା ବାହ୍ୟ ଭେଦ ।

 

ଏହା ହିଁ ବାସୁଦେବ-ଲୀଳାବାଦର ତାତ୍ପର୍ଯ୍ୟ । ଏସମ୍ବନ୍ଧେ ପଞ୍ଚରାତ୍ର ଏବଂ ବୃହଦାରଣ୍ୟକ ଉପନିଷଦ୍‌ଗ୍ରନ୍ଥ - ଉଭୟେ ସହମତପ୍ରକାଶକ । ମହାପ୍ରଳୟକାଳରେ ସର୍ବଶକ୍ତିମୟୀ ବିଶ୍ୱପ୍ରକୃତି ପୁରୁଷ (ତାଙ୍କର ସ୍ୱାମୀ) ଅଙ୍ଗରେ ଲୀନା ହେଲେ । ପରଂବ୍ରହ୍ମଙ୍କପକ୍ଷେ ରମଣ ସମ୍ଭବହେଲା ନାହିଁ । ତେଣୁ ସେ ଆପଣାକୁ ସ୍ତ୍ରୀ ଏବଂ ପୁରୁଷ ଦ୍ୱିଧା ବିଭକ୍ତ କଲେ । ଅତଏବ ଶକ୍ତି ଏବଂ ଶକ୍ତିମାନ୍‌ ଉଭୟଙ୍କମଧ୍ୟରେ ଯେଉଁ ଭେଦକଳ୍ପନା, ତାହା ଅଳିକ - ଛଳ ମାତ୍ର । ପ୍ରକୃତି - ପୁରୁଷରୂପେ ଶକ୍ତି-ଶକ୍ତିମାନ୍‌ ସୃଷ୍ଟି - ସର୍ଜନାଲାଗି ଦ୍ୱିଧା ବିଭକ୍ତ । ଏହା ଅଭେଦ ସତ୍ତ୍ୱେ ଭେଦ ମାତ୍ର ।

 

‘‘ମମାର୍ଦ୍ଧାଂଶ - ସ୍ୱରୂପା ତ୍ୱଂ ମୂଳପ୍ରକୃତିରୀଶ୍ୱରୀ ।’’

 

ଯେପରି ଦୁଗ୍‌ଧରେ ଧବଳତା, ଅଗ୍ନିରେ ଦାହିକା, ପୃଥିବୀରେ ଗନ୍ଧ - ସେହିପରି ଏହା ନାମତଃ ଭେଦ ମାତ୍ର । ଏହି ଭେଦାଭେଦସମ୍ପର୍କରେ ବ୍ରହ୍ମବୈବର୍ତ୍ତ ପୁରାଣ ବଚନ :-

 

‘‘ଯଥା ତ୍ୱଞ୍ଚ ତଥାଽହଞ୍ଚ ଭେଦୋ ହି ନାବୟୋର୍ଧ୍ରୁବମ୍‌

ଯଥା କ୍ଷୀରେ ଚ ଧାବଲ୍ୟଂ ଯଧାଗ୍ନୈ ଦାହିକା ଶକ୍ତିଃ

ଯଥା ପୃଥିବ୍ୟାଂ ଗନ୍ଧଶ୍ଚ ତଥାଽହଂ ତ୍ୱୟି ସମ୍ଭବମ୍‌ ।’’

 

ଭଗବାନ୍‌ ଶ୍ରୀକୃଷ୍ଣ ଏସମ୍ବନ୍ଧରେ ପୁଣି କହିଛନ୍ତି - ‘ତୁମେ ସୃଷ୍ଟିର ଆଧାରୀଭୂତା, ମୁଁ ଅଚ୍ୟୁତ - ବୀଜରୂପୀ । ମୁଁ ତୁମପାଖରୁ ଅଲଗା ହୋଇ ରହିଲାବେଳେ କେବଳ କୃଷ୍ଣ ବୋଲାଏ ଏବଂ ତୁମସହିତ ମଳିତାବସ୍ଥାରେ ଲୋକେ ମୋତେ କହନ୍ତି ‘ଶ୍ରୀକୃଷ୍ଣ’ । ତୁମେ ସମସ୍ତଙ୍କର ତଥା ମୋର ସର୍ବଶକ୍ତିସ୍ୱରୂପା ।

 

‘‘ସୃଷ୍ଟେରାଧାରଭୂତା ତ୍ୱଂ ବୀଜରୂପୋଽହମଚ୍ୟୁତଃ

କୃଷ୍ଣଂ ବଦନ୍ତି ମାଂ ଲୋକାସ୍ତ୍ୱୟୈବ ରହିତଂ ଯଦା,

ଶ୍ରୀକୃଷ୍ଣଞ୍ଚ ତଦା ହି ତ୍ୱୟୈବ ସହିତଂ ପରମ୍‌,

ସର୍ବଶକ୍ତିସ୍ୱରୂପାସି ସର୍ବୋସାଞ୍ଚ ମମାପି ଚ ।’’

 

ଏହା ରୂପେ ଶ୍ରୀକୃଷ୍ଣ ହିଁ ବାସୁଦେବ - ତତ୍ତ୍ୱ । ଶ୍ରୀଗୀତଗୋବିନ୍ଦରେ ଏହି ଶ୍ରୀ-କୃଷ୍ଣ ବା ରାଧା-କୃଷ୍ଣଙ୍କର ‘ରତିକେଳି’ ବର୍ଣ୍ଣିତ । ବାସୁଦେବତତ୍ତ୍ୱ ନ ହୋଇ କେବଳ ବାସୁଦେବଙ୍କ ଚରିତ ବର୍ଣ୍ଣିତ ହୋଇଥିଲେ କାବ୍ୟରେ ଚତୁର୍ଭଜ ବାସୁଦେବଙ୍କ ବର୍ଣ୍ଣନା ସ୍ଥାନ ପାଇଥାଆନ୍ତା । ଏ ହେଉଛନ୍ତି :-

 

‘‘ଯସ୍ତୁ ନାରାୟଣୋ ନାମ ଦେବଦେବଃ ସନାତନଃ

ତସ୍ୟାଂଶୋ ମାନୁଷେଷ୍ୱାସିଦ୍‌ବାସୁଦେବଃ ପ୍ରତାପବାନ୍‌।’’

(ମହାଭାରତ - ଆଦି-୬୭ । ୫୧)

 

ଶକ୍ତିମାନ୍‌ ବାସୁଦେବ ଶ୍ରୀକୃଷ୍ଣଙ୍କର ସ୍ୱରୂପ ଶକ୍ତି ଚିତ୍‌ଶକ୍ତିରେ ପ୍ରକାଶିତ-ସ୍ୱରୂପ ଶକ୍ତିର ବିକୃତି ମାୟାଶକ୍ତିରେ ବିକଶିତ । ସ୍ୱରୂପ ଶକ୍ତିର ଅନ୍ୟ ତିନି ପ୍ରକାର ସ୍ୱଭାବ - ହ୍ଲାଦିନୀ, ସନ୍ଧିନୀ ଓ ସଂବିତ୍‌ ।

 

‘‘ସ ବୈ ହ୍ଲାଦିନ୍ୟାୟାଃ ପ୍ରଣୟବିକୃତେର୍ହ୍ଲାଦନରତଃ,

ତଥା ସଂବିଚ୍ଛକ୍ତି - ପ୍ରକଟିତରହୋଭାବ-ରସିତଃ

ତୟା ଶ୍ରୀସନ୍ଧିନ୍ୟା କୃତବିଶଦତଦ୍ଧାମନିଚୟେ

ରସାମ୍ଭୋଧୌ ମଗ୍ନୋ ବ୍ରଜରସବିଳାସୀ ବିଜୟତେ ।’’

(ଦଶମୂଳ)

 

ସ୍ୱରୂପ ଶକ୍ତି ତିନିଗୋଟି ବିଭାବଦ୍ୱାରା ପ୍ରକାଶିତ; ଯଥା:- ହ୍ଲାଦିନୀ, ସଂବିତ୍‌ ଓ ସନ୍ଧିନୀ । ଶ୍ରୀକୃଷ୍ଣ ସର୍ବଦା ହ୍ଲାଦିନୀର ପ୍ରଣୟବିକାରପ୍ରଭାବରେ ଅନୁରକ୍ତ ଏବଂ ସଂବିଚ୍ଛନକ୍ତିପ୍ରକଟିତ ଭାବଦ୍ୱାରା ସେ ସର୍ବଦା ରସିତ-ସ୍ୱଭାବ । ସନ୍ଧିନୀ ଶକ୍ତିର ପ୍ରକାଶସ୍ଥଳୀ ହେଲା ନିର୍ମଳ ବୃନ୍ଦାବନ । ଏଠରେ ବ୍ରଜବିଳାସୀ ଶ୍ରୀକୃଷ୍ଣ ସ୍ୱ-ଇଚ୍ଛାରେ ନିତ୍ୟ ରସସାଗର ନିମଗ୍ନ ।

 

ସ୍ୱରୂପ ଶକ୍ତିର ହ୍ଲାଦିନୀ-ବୃତ୍ତି ରାଧାରୂପେ ଶ୍ରୀକୃଷ୍ଣଙ୍କୁ ସର୍ବଦା ଆହ୍ଲାଦ ପ୍ରଦାନ କରେ । କୃଷ୍ଣପ୍ରିୟାରୂପେ ସେ ମହାଭାବସ୍ୱରୂପା । ନିଜର କାୟବ୍ୟୂହସ୍ୱରୂପେ ଅଷ୍ଟବିଧ ଭାବକୁ ସେ ଚାରି ପ୍ରକାର ସେବାଭାବରେ ଚାରି ପ୍ରକାର ସଖୀରୂପେ ପ୍ରକାଶ କରିଛନ୍ତି । ଏହି ଚାରି ପ୍ରକାର ସଖୀ ଯଥା:-ଅଷ୍ଟସଖୀ ବା ପ୍ରିୟସଖୀ, ନର୍ମ୍ମସଖୀ, ପ୍ରାଣସଖୀ ଓ ପରମଶ୍ରେଷ୍ଠ ସଖୀ । ଏମାନେ ଚିତ୍‌ ଜଗତ୍‌ରୂପେ ବ୍ରଜର ନିତ୍ୟସିଦ୍ଧା ସଖୀ ।

 

ସ୍ୱରୂପ ଶକ୍ତିର ‘ସଂବିତ୍‌’ ବ୍ରଜର ସକଳ ସମ୍ୱନ୍ଧଭାବପ୍ରକାଶକ । ସ୍ୱରୂପ ଶକ୍ତିର ‘ସନ୍ଧିନୀ’ ବ୍ରଜଭୂମି, ବ୍ରଜବନ, ଯମୁନା, କାଳିନ୍ଦୀ, ଗିରୀଗୋବର୍ଦ୍ଧନ ବ୍ରଜର ସଖାସଖୀ ତଥା ବିଳାସକୁଞ୍ଜ ଇତ୍ୟାଦିରେ ବିକଶିତ ।

 

ହ୍ଲାଦିନୀ ଶକ୍ତିର ପ୍ରଣୟବିକାରରେ ଶ୍ରୀକୃଷ୍ଣ ସତତ ପରମାନନ୍ଦମୁଗଧ୍‌ । ସଂବିତ୍‌ ଶକ୍ତିଦ୍ୱାରା ପ୍ରକଟିତ ରହସ୍ୟଜନିତ ଭାବନିଚୟସହିତ ସେ କ୍ରିୟାବାନ୍‌। ବଂଶୀବାଦନପୂର୍ବକ ଗୋପୀମନ ଆକର୍ଷଣ, ଗୋଚାରଣ ଏବଂ ରାସଲୀଳା ଇତ୍ୟାଦି ଶ୍ରୀକୃଷ୍ଣଙ୍କର ସଂବିତ୍‌ବୃତ୍ତି ବା ସଂବିତ୍‌ପ୍ରଭାବିତ କ୍ରିୟା । ସନ୍ଧିନୀକୃତ ଧାମରେ ବ୍ରଜବିଳାସୀ ଶ୍ରୀକୃଷ୍ଣ ସର୍ବଦା ରସମଗ୍ନ । ଲୀଳାଧାମମଧ୍ୟରେ ବ୍ରଜଧାମ ହିଁ ସର୍ବଶ୍ରେଷ୍ଠ । ଏହି ବୃନ୍ଦାବନ ବ୍ରଜଧାମରେ ପ୍ରାକୃତ ଲୀଳାଛଳରେ ଅପ୍ରାକୃତ ଲୀଳାବିଳାସୀ ପରମାନନ୍ଦମୟ ପରଂବ୍ରହ୍ମ ଶକ୍ତିମାନ୍‌ ଆଦିପୁରୁଷ ହିଁ ‘ଗୋବିନ୍ଦ’ ନାମରେ ସତତ ପରିପୂଜିତ ।

 

‘‘ଆନନ୍ଦ - ଚିନ୍ମୟ-ରସାତ୍ମତୟୋ ମନଃସୁ

ଯଃ ପ୍ରାଣିନାଂ ପ୍ରତିଫଳନ୍‌ ସ୍ମରଣମୁପେତ୍ୟ

ଲୀଳାୟିତେନ ଭୁବନାନି ଜୟତେ ଯସ୍ତଂ

ଗୋବିନ୍ଦମାଦିପୁରୁଷଂ ତମହଂ ଭଜାମି ।’’

(ବ୍ରହ୍ମସଂହିତା)

 

ଆଦିପୁରୁଷ ଗୋବିନ୍ଦ ହିଁ ଶକ୍ତିମାନ୍‌ । ଶକ୍ତି ଏବଂ ଶକ୍ତିମାନ୍‌ ହେଉଛନ୍ତି ଜୀବ ଏବଂ ଈଶ୍ୱର । ଭୋଗ ଘେନି ମୁକ୍ତଜୀବ ବ୍ରହ୍ମସମାନ ହେଲେ ସୁଦ୍ଧା ‘ସ୍ୱରୂପ’ ଏବଂ ‘ସାମର୍ଥ୍ୟ’ ଦୃଷ୍ଟିରେ ଦୁହେଁ ନିତ୍ୟ- ପୃଥକ; କିନ୍ତୁ କେହି ଜଣେ କାହାରିଠାରୁ ଅଲଗା ନୁହନ୍ତି ।

 

ଜଣେ ପ୍ରକୃତି, ଜଣେ ପୁରୁଷ । ପ୍ରକୃତି ସ୍ୱତନ୍ତ୍ରା ନୁହେଁ, ସେ ଈଶ୍ୱରସ୍ୱରୂପୀ ପୁରୁଷର ଆଶ୍ରିତା ।

 

ଏହି ରୀତିରେ ଶକ୍ତି ଏବଂ ଶକ୍ତିମାନ୍‌ ଦୁହେଁ ନିତ୍ୟସମ୍ବନ୍ଧିତ । ଗୋବିନ୍ଦ ହେଉଛନ୍ତି ଶକ୍ତିମାନ୍‌ ପରଂବ୍ରହ୍ମ । ଏହାଙ୍କର ଶକ୍ତି ତ୍ରିବିଧ; ଯଥା:- ପରାଶକ୍ତି; ‘ବିଷ୍ଣୁ’ ବା ‘ସ୍ୱରୂପ’ ଶକ୍ତି; ଅପରାଶକ୍ତି, ‘ଜୀବ’-ଶକ୍ତି ଏବଂ ଅବିଦ୍ୟାଶକ୍ତି, ‘କର୍ମ’, ‘ମାୟା’ ବା ‘ତମଃ’ ।

 

ଶ୍ରୀଗୀତଗୋବିନ୍ଦ ଏହି ଶକ୍ତି ଏବଂ ଶକ୍ତିମାନ୍‌ଙ୍କ ନିତ୍ୟ-ମିଳନଜନିତ ଅଭେଦତତ୍ତ୍ୱ-ବର୍ଣ୍ଣନାସଂବଳିତ ଅମର ରଚନା ।

 

ରସରାଜ

 

ମୟୂର କଣ୍ଠର ବର୍ଣ୍ଣ ନୀଳ; କିନ୍ତୁ ନୀଳକଣ୍ଠ କହିଲେ ମୟୁରକୁ ବୁଝାଏ ନାହିଁ । ଏ ଶଦ୍ଦ କେବଳ ମହାଦେବଙ୍କର ପ୍ରତି-ନାମ । ମହାଦେବ ହିଁ ନୀଳକଣ୍ଠ ।

 

ସେହିପରି ‘ରସରାଜ’ ଆଖ୍ୟାର ଏକମାତ୍ର ପରିଚିତି ଗୋବିନ୍ଦ ବା କୃଷ୍ଣ ।

‘‘x x x x ଦଶାକୃତି କୃତେ

କୃଷ୍ଣାୟ ତୁଭ୍ୟଂ ନମଃ ।’’

 

ଦଶାବତାରପ୍ରକାଶୀ ଅବତାରୀ କୃଷ୍ଣଙ୍କୁ ଏହି ଭାଷାରେ ମହାକବି ପ୍ରଣତି ନିବେଦନ କରିଅଛନ୍ତି ।

ଭାଗବତ-ବାଣୀ ମଧ୍ୟ ସେହିପରି-

 

‘‘ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ୍‌ ସ୍ୱୟଂ ।’’

 

ଇଚ୍ଛାମୟ କୃଷ୍ଣ ସୃଷ୍ଟି ବା ସର୍ଜନାମାନସରେ ଭେଦାଭେଦ-ଲୀଳାପ୍ରକାଶଲାଗି ଭିନ୍ନ-ଭିନ୍ନ ରୂପରେ ପ୍ରକଟିତ । କୃଷ୍ଣଙ୍କର ପ୍ରଣୟ-ବିକୃତି ରାଧା । ସେ ହ୍ଲାଦିନୀ ଶକ୍ତି ।

 

ଏହି ଶକ୍ତି ସନ୍ତତ ଶକ୍ତିମାନ୍‌ଙ୍କ ଶରୀରଲୀନା । କସ୍ତୂରୀକୁ ବସ୍ତ୍ରରେ ଲେପନ କଲେ କିଛି ସମୟପରେ ବସ୍ତ୍ରରୁ ସୁବାସ ଉଡ଼ିଯାଏ; କିନ୍ତୁ କସ୍ତୂରୀର ଗନ୍ଧ କସ୍ତୂରୀ ଅଙ୍ଗରୁ ନିରନ୍ତର ଅବିଚ୍ଛିନ୍ନ । ପ୍ରଥମ କ୍ଷେତ୍ରରେ ସୁଗନ୍ଧ ହେଲା ‘ଆଗନ୍ତୁକ’ ଏବଂ ଦ୍ୱିତୀୟ କ୍ଷେତ୍ରରେ ଏହା ‘ସ୍ୱାଭାବିକ’ । ଏହି ସ୍ୱାଭାବିକ ସଂଗତି ଅଭେଦ, ବାଙ୍‌ମନ ଅଗୋଚର । ଏହା ହିଁ ଅଚିନ୍ତ୍ୟଭେଦାଭାବ-ତତ୍ତ୍ୱ । ରସ ସେହିପରି ରସରାଜଙ୍କସହିତ ଅଭେଦ ଏବଂ ଏହି ରସ ହିଁ ରସିକିନୀ ଶ୍ରୀରାଧା ।

 

‘‘ରାଧୟା ସହ କୃଷ୍ଣଶ୍ଚ ପୂର୍ଣ୍ଣବ୍ରହ୍ମସନାତନଃ ।’’

 

ସ୍ଥୂଳତଃ କହିବାକୁ ଗଲେ ନିର୍ବିଶେଷରେ ସବିଶେଷତ୍ୱ ପ୍ରକାଶ ହିଁ ରାଧା ଏବଂ କୃଷ୍ଣ । ଦୁହେଁ ଏକାତ୍ମା ପୁଣି ଦୁହେଁ ଦ୍ୱିଧା। ଶକ୍ତିମାନ୍‌ଙ୍କସହିତ ତାଙ୍କର ଆହ୍ଲାଦଦାୟନୀ ହ୍ଲାଦିନୀ ଶକ୍ତିର ସମ୍ମିଳନ ଘଟିଛି ସୃଷ୍ଟି-କଳ୍ପନାହେତୁ । ରସ ଏହି ଆହ୍ଲାଦର ନାମାନ୍ତର ମାତ୍ର ଆଉ ସର୍ବରସ ଯାହାଙ୍କଠାରେ ଠୁଳ ସେ ରସରାଜ ।

 

କବି କର୍ଣ୍ଣପୁରଙ୍କ ଭାଷାରେ- ‘‘ହ୍ଲାଦିନୀଶକ୍ତି ହିଁ ଆନନ୍ଦାତ୍ମକବୃତ୍ତିରୂପ’’ । ସୃଷ୍ଟି-ସର୍ଜନା ଇଚ୍ଛାରେ ଏହି ହ୍ଲାଦିନୀଶକ୍ତି ଶ୍ରୀମତୀଙ୍କସହ କୃଷ୍ଣଙ୍କର ମିଳନ ହେବାପରେ ହିଁ ସେ (କୃଷ୍ଣ) ହେଲେ ‘ଶ୍ରୀ-ଯୁକ୍ତ’; ତହୁଁ ବୋଲାଇଲେ ଶ୍ରୀକୃଷ୍ଣ-ରସରାଜ ।

 

ପ୍ରେମ ହିଁ ମିଳନର ମୁଖ୍ୟ । ରସଭିନ୍ନ ପ୍ରେମର ଉଦ୍ଭବ ଅସମ୍ଭବ । ଭଟ୍ଟନାୟକଙ୍କ କଥାରେ ରସ ଅଲୌକିକ । ଏହାର ଉତ୍ପତ୍ତି, ପ୍ରତୀତି ବା ଅଭିବ୍ୟକ୍ତି ନାହିଁ । ଏହା କେବଳ ପରମାନନ୍ଦ, ଅଲୌକିକ ଦିବ୍ୟାଦିବ୍ୟର ସତ୍ତା; କେବଳ ଆସ୍ୱାଦନ-ଆନନ୍ଦ।

 

‘‘ଆନନ୍ଦୋ ବ୍ରାହ୍ମେତି ବ୍ୟଜାନାତ୍‌ ।

ଆନନ୍ଦାଧ୍ୟେବ ଖଲ୍ୱିମାନି ଭୂତାନି ଜାୟନ୍ତେ ।

ଆନନ୍ଦାନି ଜାତାନି ଭବନ୍ତି । ଆନନ୍ଦଂ ପ୍ରଜନ୍ତ୍ୟଭି ସମ୍ନିସନ୍ତୀ ଇତି ।’’

(ତୈତିରୀୟ ଉପନିଷଦ୍‌)

 

ଆନନ୍ଦ ହିଁ ବ୍ରହ୍ମ । ଭୂତ-ଜଗତ ଆନନ୍ଦ-ସଂଜାତ । ତାହା ଆନନ୍ଦ ଦ୍ୱାରା ବିକୃତ ଏବଂ ଆନନ୍ଦରେ ହିଁ ଲୟପ୍ରାପ୍ତ ହୁଏ । ଏହି ଆନନ୍ଦର ମୂଳାଧାର ସକଳ କଳାସମ୍ପନ୍ନ ପରମାନନ୍ଦମୟ ପରଂବ୍ରହ୍ମ ପ୍ରେମିକପ୍ରବର ରସରାଜ ଭଗବାନ୍‌ ଶ୍ରୀକୃଷ୍ଣ ।

 

‘‘ରସୋ ବୈ ସଃ ।

ରସଂ ହ୍ୟେବାୟଂ ଲବଧ୍ୱାନନ୍ଦୀଭବତି ।’’

(ତୈତିରୀୟ ଉପନିଷଦ୍‌)

 

ଭାବତନ୍ମୟ-ଚିତ୍ତରେ ଆନନ୍ଦର ଆସ୍ୱାଦ ହିଁ ରସ । ଏହା ସ୍ଥାୟୀଭାବର ପରିଣତି । ପ୍ରଥମ ରସ-ତତ୍ତ୍ୱର ଆଲୋଚକ ଭରତ ମୁନିଙ୍କ ମତରେ ରସସଂଖ୍ୟା ଆଠ:-

 

‘‘ଶୃଙ୍ଗାର-ହାସ୍ୟ-କରୁଣ-ରୌଦ୍ର-ବୀର-ଭୟାନକାଃ

ବୀଭତ୍ସାଦ୍‌ଭୁତ ସଂଜ୍ଞୌ ଚେତ୍ୟଷ୍ଟୌ ନାଟ୍ୟେ ରସାଃ ସ୍ମୃତାଃ ।’’

 

ତତ୍‌ପରବର୍ତ୍ତୀ ଭୋଜଦେବ ‘ଶୃଙ୍ଗାର ପ୍ରକାଶ’ ଗ୍ରନ୍ଥରେ କହିଲେ :-

‘‘ଶୃଙ୍ଗାର-ବୀର-କରୁଣାଦ୍‌ଭୁତ-ରୌଦ୍ରହାସ୍ୟ-

ବୀଭତ୍ସ-ବତ୍ସଲ-ଭୟାନକ-ଶାନ୍ତି ନାମଃ

ଆମ୍ନାସିଷୁଃ ଦଶରସାନ୍‌ସୁଧିୟୋ ବୟଂତୁ

ଶୃଙ୍ଗାରମେବ ରସନାଦ୍‌ରସମାମ ନାମଃ ।’’

 

ଅର୍ଥାତ୍‌ ଶୃଙ୍ଗାର, ବୀର, କରୁଣ, ଅଦ୍ଭୂତ, ରୌଦ୍ର, ହାସ୍ୟ, ବୀଭତ୍ସ, ବତ୍ସଳ, ଭୟାନକ ଏବଂ ଶାନ୍ତି-ଏହିପରି ଦଶ ରସ ବୋଲି କହିଲେ ହେଁ ଏକା ଶୃଙ୍ଗାର ରସକୁ ଆମେମାନେ ରସ ବୋଲି କହୁଁ ।

 

କବି କର୍ଣ୍ଣପୁର କହିଛନ୍ତି ‘ଅଳଙ୍କାର କୌସ୍ତୁଭ’ ଗ୍ରନ୍ଥରେ :-

(୫। ୭୪)

‘‘ପ୍ରେମରସେ ସର୍ବେ ରସାଃ ଅନ୍ତର୍ଭବନ୍ତି x x x’’

‘‘ଉନ୍ମଜ୍ଜନ୍ତି ନିମଜ୍ଜନ୍ତି ପ୍ରେମ୍ନା ଖଣ୍ଡରସତ୍ୱତଃ

ସର୍ବେ ରସାଶ୍ଚ ଭାବାଶ୍ଚ ତରଙ୍ଗା ଇବ ବାରିଧୌ ।’’

 

ସାଗର-ତରଙ୍ଗପରି ଅଖଣ୍ଡ ପ୍ରେମରସରେ ସକଳ ଭାବ, ରସର ଉଦୟ ଏବଂ ବିଲୟ ଘଟେ । ପ୍ରେମ ହିଁ ଶୃଙ୍ଗାର । ଶୃଙ୍ଗାର-ରସ ସର୍ବରସର ମୁଖ୍ୟ ବୋଲି ବିଜ୍ଞମଣ୍ଡଳୀଦ୍ୱାରା ସ୍ୱୀକୃତ । ସେହିପରି ‘ଶୃଙ୍ଗାର ପ୍ରକାଶ’ ଗ୍ରନ୍ଥରେ କୁହାଯାଇଅଛି :-

 

‘‘. . . ସ ଶୃଙ୍ଗାରଃ ସୋଽଭିମାନଃ ସ ରସଃ

ତତଃ ଏତେ ରତ୍ୟାଦୟୋ ଜାୟନ୍ତେ ।’’

 

ଏହିପରି ସର୍ବରସ ଯାହାଙ୍କଠାରେ ସମନ୍ୱିତ, ସେ ରସରାଜ; ସେ ଶୃଙ୍ଗାର-ମୂର୍ତ୍ତି ଶ୍ରୀକୃଷ୍ଣ-ଗୋବିନ୍ଦ ।

ମହାକବି ଜୟଦେବ ବାସୁଦେବ-ତତ୍ତ୍ୱ-ବ୍ୟାଖ୍ୟାନମଧ୍ୟରେ ଭଗବାନ୍‌ ଶ୍ରୀକୃଷ୍ଣଙ୍କୁ ରସରାଜରୂପେ ଦିବ୍ୟଦୃଷ୍ଟିରେ ଦେଖି ଗାଇଛନ୍ତି-

 

‘ଶୃଙ୍ଗାରଃ ସଖିମୂର୍ତ୍ତିମାନିବ ମଧୌ ମୁଗ୍‌ଧୋ ହରି କ୍ରୀଡ଼ତି ।’’

 

ମହାଭାବ

 

‘‘ସ୍ୟାଦ୍ଦୃଢ଼େୟଂ ରତିଃ ପ୍ରେମା ।’’

 

‘ରତି’ ଦୃଢ଼ତା ପ୍ରାପ୍ତ ହେଲେ ‘ପ୍ରେମ’ ବୋଲାଏ । ‘ମହାଭାବ’ ପ୍ରେମର ଚରମପରିପାକ । ଏହି ଚରମପରିପାକ-ଅବସ୍ଥା କେବଳ ‘ସମର୍ଥା ରତି’ରେ ହିଁ ସମ୍ଭବ । ସମର୍ଥା ରତି କଅଣ ? ସକଳପ୍ରକାର ଆତ୍ମସୁଖ ତାତ୍‌ପର୍ଯ୍ୟପ୍ରତି ଜଳାଞ୍ଜଳି ତୋଳିଦେଇ ଯେଉଁ ମଧୁ ରାତି ଏକମାତ୍ର ଶ୍ରୀକୃଷ୍ଣ-ସୁଖ-ତାତ୍ପର୍ଯ୍ୟରେ ପର୍ଯ୍ୟବସିତ ହୁଏ, ତାହାର ନାମ ‘ସମର୍ଥା ରତି’ । କ୍ରମବର୍ଦ୍ଧମାନ ସମର୍ଥା ରତି ପ୍ରେମ, ସ୍ନେହ, ମାନ, ପ୍ରଣୟ, ରାଗ ଏବଂ ଅନୁରାଗର ପରିଣତି-‘ମହାଭାବ’ । ‘ଉଜ୍ଜ୍ୱଳ ନୀଳମଣି’- ଗ୍ରନ୍ଥକାର କହନ୍ତି :-

 

‘‘ଇୟମେବ ରତିଃ ପ୍ରୌଢ଼ା ମହାଭାବ ଦଶାଂ ବ୍ରଜେତ୍‌ ।’’

- ପ୍ରୌଢ଼ା ରତିର ନାମ ‘ମହାଭାବ’ ।

 

‘‘ଅନୁରାଗଃ ସ୍ୱସଂବେଦ୍ୟଦଶାଂ ପ୍ରାଜ୍ୟ ପ୍ରକାଶିତଃ

ଯାବଦାଶ୍ରୟ ବୃତ୍ତିଶ୍ଚେତ୍‌ଭାବ ଇତ୍ୟଭିଧୀୟତେ ।

ମୁକୁନ୍ଦ-ମହଷୀବୃନ୍ଦୈରପ୍ୟସାବତି ଦୁର୍ଲ୍ଲଭଃ

ବ୍ରଜଦେବ୍ୟେକ ସଂବେଦ୍ୟୋ ମହାଭାବାଖ୍ୟୟୋଚ୍ୟତେ ।।’’

(ଉଜ୍ଜ୍ୱଳ ନୀଳମଣି)

 

ଯେତେବେଳେ ସ୍ୱତଃ ଅନୁରାଗର ପ୍ରକାଶ ଘଟେ ଏବଂ ତାହା ବାହାରର ଅନ୍ୟ କୌଣସି କାରଣଉପରେ ନିର୍ଭର କରେ ନାହିଁ, ସେତେବେଳେ ଅନୁରାଗବତୀମାନଙ୍କର ସେହି ରତିକୁ ‘ଭାବ’ କୁହାଯାଏ । ଏମନ୍ତ କି ଏହା ମୁକୁନ୍ଦ (ଶ୍ରୀକୃଷ୍ଣ) ମହିଷୀ (ରୁକ୍ମଣୀ, ସତ୍ୟଭାମା ଇତ୍ୟାଦି) ମାନଙ୍କପକ୍ଷରେ ମଧ୍ୟ ସୁଦୁର୍ଲ୍ଲଭ । କେବଳ ବ୍ରଜଦେବୀଗଣଙ୍କର ଏହି ‘ରତି’ ମହାଭାବ ନାମରେ କଥିତ ।

 

ଆହୁରି କୁହାଯାଇଅଛି ଯେ ହ୍ଲାଦିନୀର ସାର ହେଲା ‘ପ୍ରେମ’; ପ୍ରେମର ସାର-‘ଭାବ’; ଭାବର ସାର ହେଉଛି ‘ମହାଭାବ’ ।

 

‘ଉଜ୍ଜ୍ୱଳ ନୀଳମଣି’ରେ କୁହାଯାଇଅଛି ଯେ ବ୍ରଜଦେବୀଗଣଙ୍କର ରତି-ଭାବ ହିଁ ମହାଭାବ ।

କୁହାଯାଇଅଛି:-‘‘ମହାଭାବ-ସ୍ୱରୂପେୟଂ ଗୁଣୈରତି ବରୀୟସୀ ।’’

(ଉ: ନୀ:)

 

ବସ୍ତୁତଃ ଅନୁରାଗ ହିଁ ମହାଭାବର ଜନକ । ପ୍ରୀତିସନ୍ଦର୍ଭକାର କହନ୍ତି :-

 

‘‘ସ ଏବ ରାଗେଽନୁକ୍ଷଣଂ ସ୍ୱବିଷୟଂ ନବନବତ୍ୱେନାନୁଭାବୟନ୍‌ ସ୍ୱୟଂ ଚ ନବନବୀଭବନ୍ନନୁରାଗଃ ।’’

 

ଯାହା ନିରନ୍ତର ନବନବ ଭାବକୁ ଅନୁଭବ କରାଏ ଏବଂ ନିଜେ ମଧ୍ୟ ଅନୁକ୍ଷଣ ନବନବ ଭାବ ଧାରଣ କରେ, ତାହା ‘ଅନୁରାଗ’ ।

 

ଏହି ‘ଅନୁରାଗ’ର ସଂଚାରଦ୍ୱାରା ପରସ୍ପର ବଶ୍ୟତାଭାବର ଆତିଶଯ୍ୟ ଘଟେ । ଏତଦ୍ଦ୍ୱାରା ପ୍ରେମବୈଚିତ୍ର୍ୟ ଅର୍ଥାତ୍‌ ପ୍ରିୟସାନ୍ନିଧ୍ୟରେ ଥାଇ ମଧ୍ୟ ପ୍ରିୟ-ବିରହାନୁଭୂତି, ପ୍ରିୟହେତୁ ଅନ୍ୟାନ୍ୟ ପ୍ରାଣୀରୂପେ ଦେହପରିଗ୍ରହର ଆକାଙ୍‌କ୍ଷା ଏବଂ ବିପ୍ରଲମ୍ଭରେ ସ୍ଫୁର୍ତ୍ତିହୀନତା ପ୍ରଭୃତି ଘଟେ । ଏହି ଅନୁରାଗ ହିଁ ଅସମୋର୍ଦ୍ଧ୍ୱ-ଚମତ୍କାରିତାଦ୍ୱାରା ଉନ୍ମାଦକ ହେଲେ ତାହା ‘ମହାଭାବ’ରେ ପରିଣତ ହୁଏ ।

 

‘‘ଅନୁରାଗ ଏବାସମୋର୍ଦ୍ଧ୍ୱ ଚମତ୍କାରେଣୋନ୍ମାଦକୋ ମହାଭାବଃ ।’’

(ପ୍ରୀତିସନ୍ଦର୍ଭ)

 

ପୁଣି ବିଶିଷ୍ଟ ଶାସ୍ତ୍ରକାରମାନେ ‘ରତି’ ମଧୁରଭାବକୁ ସ୍ଥାୟୀଭାବରୂପେ ଗ୍ରହଣ କରିଅଛନ୍ତି । ଅଳଙ୍କାର-ଶାସ୍ତ୍ରବିଧିରେ ନାୟକ-ନାୟିକାଙ୍କର ବିବିଧ ଭେଦବିଚାରପୂର୍ବକ ଶ୍ରୀକୃଷ୍ଣ ଏବଂ ଶ୍ରୀରାଧା ସର୍ବଶ୍ରେଷ୍ଠ ନାୟକ ନାୟିକାରୂପେ ସମ୍ମାନିତ । ଏହି ଯୁଗଳ ହିଁ ରସରାଜ ଏବଂ ମହାଭାବ ।

 

ଶ୍ରୀଗୀତଗୋବିନ୍ଦରେ ‘ମହାଭାବ’-ମହତ୍ତ୍ୱର ଚରମବିକାଶ ପ୍ରକାଶ କରିଛନ୍ତି ଶ୍ରୀ ଜୟଦେବ । ପୁରାଣାନ୍ତରେ ବିରହପରେ ରାଧିକା କୃଷ୍ଣଙ୍କୁ ଦର୍ଶନ କରି ପରମାନନ୍ଦ ଲାଭ କରିଛନ୍ତି । ଶ୍ରୀଗୀତଗୋବିନ୍ଦର ରାଧିକା କିନ୍ତୁ ଶ୍ରୀକୃଷ୍ଣଙ୍କୁ କୁଞ୍ଜରୁ ନିରାଶ କରିଛନ୍ତି । ଶୃଙ୍ଗାର-ରସର ଏହା ଯେପରି ଚରମ ବିକାଶ, ମହାଭାବ-ତାତ୍ପର୍ଯ୍ୟର ସେହିପରି ଏକା ପରମ ନିଦର୍ଶନ ।

 

ଭାବ ହିଁ ରସପ୍ରବଣ ଚିତ୍ତର ଦ୍ରବ । ରସରାଜ ଭାବାଧୀନ-ଭାବ ବିମୋହିତ । ‘‘ଭାବଗମ୍ୟୋ ହି କେଶବଃ ।’’ ମହାଭାବ ପୁଣି ତ୍ରିଦିବଦୁର୍ଲ୍ଲଭ । ବ୍ରଜେଶ୍ୱରୀ ଶ୍ରୀରାଧିକାଙ୍କ ଭିନ୍ନ ଏହି ‘ମହାଭାବ’-ଆଖ୍ୟାର ଅଧିକାରିଣୀ ଅନ୍ୟ କେହି ନୁହନ୍ତି ।

 

ଗ୍ରନ୍ଥପାଠ

 

ଶ୍ରୀଗୀତଗୋବିନ୍ଦ ଗ୍ରନ୍ଥ ସର୍ଗବନ୍ଧ ମହାକାବ୍ୟରୂପେ ପ୍ରଖ୍ୟାତ । ଅଳଙ୍କାର-ଶାସ୍ତ୍ରବିଧିରେ ଏହାର ସର୍ଗବିଭାଗ କରାଯାଇଅଛି । ପ୍ରତିଗୀତର ପୂର୍ବେ ଏବଂ ପରେ ବିଷୟ ବର୍ଣ୍ଣନାତ୍ମକ ଶ୍ଳୋକ ସନ୍ନିବେଶିତ । ବ୍ୟାଖ୍ୟାନପରମ୍ପରାଦୃଷ୍ଟିରୁ ବିଷୟ-ବସ୍ତୁର କାଳ ଦୁଇଟି ରାତ୍ରି ଏବଂ ଗୋଟିଏ ଦିନମଧ୍ୟରେ ସଂଘଟିତ । ଏହା ମହାକାବ୍ୟର ଲକ୍ଷଣ ପୂରଣ କରିଅଛି । ଫଳତଃ ବିରହ-ମିଳନାତ୍ମକ ରାସଲୀଳାର ନାୟକ-ନାୟିକାଙ୍କ ସାନ୍ନିଧ୍ୟରେ ପ୍ରଭାତରୁ ସନ୍ଧ୍ୟା ଅବଧି ଅପେକ୍ଷା କରିଥିବାର ଦେଖାଇଦିଆଯାଇଅଛି । ଶୃଙ୍ଗାର-ରସାତ୍ମକ ରାସଲୀଳା ଦିବାକାଳରେ ମଧ୍ୟ ଘଟିଥିବାର ସୂଚନା ଗ୍ରନ୍ଥରେ ସ୍ଥାନ ପାଇଅଛି।

 

ମହାକାବ୍ୟ-ରୀତି-ରକ୍ଷା-ବିଚାରରୁ ଗ୍ରନ୍ଥରେ ପ୍ରଭାତ, ସନ୍ଧ୍ୟା, ଚନ୍ଦ୍ରୋଦୟ, ସୂର୍ଯ୍ୟ-ଚନ୍ଦ୍ରର ଅସ୍ତକାଳ ଇତ୍ୟାଦି ବର୍ଣ୍ଣିତ ହୋଇଅଛି । କିନ୍ତୁ ନିମ୍ନଲିଖିତ ବର୍ଣ୍ଣନା କାଳକଳନାସମ୍ୱନ୍ଧେ ଏକ ବିଚାର୍ଯ୍ୟ ବିଷୟ ବୋଲି ମନେ ହୁଏ ।

 

ପଞ୍ଚମ ସର୍ଗର ପ୍ରଥମ ଶ୍ଲୋକରେ ଶ୍ରୀକୃଷ୍ଣ କହିଛନ୍ତି :-

‘‘ଅହମିହ ନିବସାମି ଯାହା ରାଧାମନୁନୟ ମଦ୍‌ବଚନେନ ଚାନୟେଥା ।’’

 

(ମୁଁ ଏଇଠି ଅପେକ୍ଷା କରିଛି, ଯାଇ ଶ୍ରୀମତୀଙ୍କୁ ଜଣାଇ ଏଠାକୁ ଘେନିଆସ ।) ଶ୍ରୀକୃଷ୍ଣ-ନିଯୁକ୍ତା ସଂବାଦବାହିକା ସଖୀ ଶ୍ରୀମତୀଙ୍କ ନିକଟକୁ ଯାଇ କହିଛନ୍ତି-

 

‘‘ହରିରଭିମାନୀ             ରଜନିରିଦାନୀ-

ମିୟମପି ଯାତି ବିରାମମ୍‌ ।

କୁରୁ ମମ ବଚନମ୍‌            ସତ୍ୱର ରଚନଂ

ପୂରୟ ମଧୁରିପୁ-କାମମ୍‌ ।’’ (୧୧ଶ ଗୀତ)

 

-‘‘ହରି ଅତିଶୟଭାବରେ ତୁମର ଅନୁରାଗୀ । ରାତୀ ଆଉ ଅଳ୍ପ ବାକି ଅଛି । ମୋ କଥା ରଖ । ମଧୁରିପୁଙ୍କ କାମନା ପୂର୍ଣ୍ଣ କର ।’’

 

ପରବର୍ତ୍ତୀ ଦ୍ୱତୀୟ ଶ୍ଳୋକରେ ପୁଣି ସେହି ସଖୀ କହିଛନ୍ତି:-

‘‘ତ୍ୱଦ୍‌ବାମ୍ୟେନ ସମଂ ସମଗ୍ରମଧୁନା ତିଗାଂଶୁରସ୍ତ ଗତଃ ।’’

-ତମର ବାମତା (ପ୍ରତିକୂଳତା) ସଙ୍ଗରେ ସୂର୍ଯ୍ୟ ଅସ୍ତ ଗଲେ ।

 

ସ୍ଥାନ, ପାତ୍ର ଓ ସମୟର ବ୍ୟବଧାନ - ବିଚାରରେ କାଳ - ନିର୍ଦ୍ଦେଶ ସୁସଂଗତ ମନେ ହୁଏ ନାହିଁ । ସ୍ଥଳବିଶେଷରେ ପୁଣି ଜଣାଯାଏ ଶ୍ରୀମତୀ ବହୁସଖୀପରିବେଷ୍ଟିତା; କିନ୍ତୁ ସେମାନଙ୍କର ଉପସ୍ଥିତିର ପ୍ରମାଣ କିଛି ନାହିଁ । ଯେପରି ଏକାଦଶ ସର୍ଗର ବର୍ଣ୍ଣନାନୁସାରେ -

X      X      X      X

‘‘ରଚିତରୁଚିରଭୂଷାଂ ଦୃଷ୍ଟି ମୋଷେ ପ୍ରଦୋଷେ

ସ୍ଫୁରତି ନିରବସାଦାଂ କାପି ରାଧାଂ ଜଗାଦ୍‌ ।’’

 

ରୁଚିବେଶସଜ୍ଜିତା ତା ଶ୍ରୀମତୀଙ୍କୁ କେହି ଜଣେ ସଖୀ କହିଲେ:-

‘‘ମୁଗ୍‌ଧେ ମଧୁ ମଥନମନୁଗତମନୁସର ରାଧିକେ !’’

 

ଏ କ୍ଷେତ୍ରରେ ବହୁ ସହଚରୀଙ୍କ ଉପସ୍ଥିତିର କୌଣସି ସୂଚନା ନାହିଁ । କିନ୍ତୁ ଏହି ଗୀତର ସପ୍ତମ ପଦରେ କୁହାଯାଇଅଛି-

‘‘ଅଧିଗତମଖିଳସଖୀଭିରିଦଂ

ତବ ବପୁରପି ରତିରଣସଜ୍ଜମ୍‌।’’

 

ତୁମେ ଯେ ରତିରଣ-ସଜ୍ଜାରେ ଏକଥା ସଖୀବୃନ୍ଦ ଜାଣନ୍ତି । ଏଠାରେ ଶ୍ରୀମତୀ ବହୁସଖୀପରିବେଷ୍ଟିତା ।

 

ସର୍ଗାରମ୍ଭର ପ୍ରଥମ ଶ୍ଳୋକର ବର୍ଣ୍ଣନାସହିତ ସେହି ସର୍ଗର ପ୍ରଥମ ଗୀତର (ଗ୍ରନ୍ଥର ୨୦ଶ ଗୀତ) ୭ମ ଚରଣର ବର୍ଣ୍ଣନାନୁସାରେ ସମାନ ସ୍ଥଳକାଳରେ ପାତ୍ରସଂଖ୍ୟାର ଉପସ୍ଥିତ ବିଚାରଣୀୟ । ଗ୍ରନ୍ଥବର୍ଣ୍ଣିତ ଚରିତ୍ରଗୁଡ଼ିକର ଉପସ୍ଥାପନାଦିଗରୁ ଦେଖିବାକୁ ଗଲେ ମାତ୍ର ତିନିଗୋଟି ଚରିତ୍ର ସକ୍ରିୟ, ଯାହାଙ୍କୁ ଘେନି ଗୀତକାବ୍ୟଟି ରଚିତ ।

 

ଯଥା:- ଶ୍ରୀକୃଷ୍ଣ, ଶ୍ରୀମତୀ ଏବଂ ଜଣେ ମାତ୍ର ସଖୀ । ସଖୀଗଣଙ୍କୁ ଅନ୍ତରାଳରେ ରଖାଯାଇ କେବଳ ରସପୁଷ୍ଟିର ରସାୟକରୂପେ ଗ୍ରହଣ କରାଯାଇଅଛି । ସେମାନଙ୍କ ମୁଖରେ ଭାଷାସଂଯୋଗର କୌଣସି ସୂଚନା ବା ଅବକାଶ ଦିଆଯାଇ ନାହିଁ ।

 

ଚାରି ବୈଷ୍ଣବ - ସଂପ୍ରଦାୟଗତିସହିତ ଶ୍ରୀଗୀତଗୋବିନ୍ଦର ତତ୍ତ୍ୱଗତ ସାମ୍ୟ ନାହିଁ । ଜୟଦେବୀ କୃଷ୍ଣ ଅବତାର ନୁହନ୍ତି - ଅବତାରୀ । ଶ୍ରୀଗୀତଗୋବିନ୍ଦରେ ପ୍ରଥମ ଥରପାଇଁ ତାଙ୍କର ଲୀଳାକଥା ବର୍ଣ୍ଣନା କଲେ କବି ଜୟଦେବ ।

 

ସର୍ଗ-ବିଚାର

 

ଶ୍ରୀବାସୁଦେବ - ରତିକେଳି - କଥା କରି ମହାକବି ବାରଗୋଟି ସର୍ଗରେ ଗ୍ରନ୍ଥଟି ସମାପ୍ତ କରିଅଛନ୍ତି । ପ୍ରତିସର୍ଗର ବିଭିନ୍ନ ନାମକରଣ କରାଯାଇଅଛି ଏବଂ ଏହା ବିଷୟ - ବସ୍ତୁର ବର୍ଣ୍ଣନାସଂଗତି ଅନୁସାରେ ନାମିତ ।

 

ପ୍ରଥମ ସର୍ଗ

 

ସଂକେତାବସରେ ଚ୍ୟୁତେ ପ୍ରଣୟତଃ ସଂସଜ୍ଜୟା ରାଧୟା

ପ୍ରାରଭ୍ୟ ଭ୍ରୂକୁଟୀଂ ହିରଣ୍ୟରସନାଦାମ୍ନା ନିବଦ୍ଧୋଦରମ୍‌।

କାର୍ତ୍ତିକ୍ୟାଂ ଜନକୀକୃତୋତ୍ସବବରେ ପ୍ରସ୍ତାବନାପୂର୍ବକଂ

ଚାଟୂନି ପ୍ରଥମନ୍ତମାତ୍ମ ପୁଲକଂ ଧ୍ୟାୟେମ ଦାମୋଦରମ୍‌।’’

(ଭବିଷ୍ୟ ପୁରାଣ)

 

- ଦିନେ ଯେଉଁ ଦାମୋଦର ସାହାସ୍ୟବଦନରେ ଶ୍ରୀମତୀଙ୍କ ହିରଣ୍ୟରସନାଦାମର ବନ୍ଧନ ସହିଥିଲେ, ଆଜି ସେ ବୃନ୍ଦାବନର ଅନ୍ୟ ନାୟିକାଙ୍କ ସଙ୍ଗେ ଆମୋଦର ମାତିଛନ୍ତି ।

 

‘‘ଅମଦଂ କନ୍ଦର୍ପଜ୍ୱରଜନିତ ଚିନ୍ତାକୁଳତୟା

ବଳଦ୍‌ବାଧାଂ ରାଧାଂ............... ।’’

 

- ସହଚରୀ ଏ ଦୃଶ୍ୟ ଦେଖାଇଦିଅନ୍ତେ ଶ୍ରୀମତୀଙ୍କ ମନରେ ପୂର୍ବୋକ୍ତ ଘଟଣାର ସ୍ମୃତି ଜାଗିଉଠିଲା । ଦାମୋଦର ଶ୍ରୀକୃଷ୍ଣଙ୍କର ଏହି ଆମୋଦ ଘେନି ଚରିତ ପ୍ରଥମ ସର୍ଗର ନାମ କବି ରଖିଛନ୍ତି ‘ସାମୋଦ ଦାମୋଦର’

 

ରସ:- ବିପ୍ରଲମ୍ବ ଶୃଙ୍ଗାର । ଏହା ଚତୁର୍ଦ୍ଦିଧ; ଯଥା - ପୂର୍ବରାଗ, ମାନ, ପ୍ରେମ - ବୈଚିତ୍ର୍ୟ ଏବଂ ପ୍ରବାସ ।

ସାମୋଦ ଦାମୋଦରଙ୍କ ଦର୍ଶନରେ ବିରହୋତ୍‌କଣ୍ଠିତା ନାୟିକା ଶ୍ରୀମତୀଙ୍କର ବିପ୍ରଲମ୍ବ ଶୃଙ୍ଗାର ରସଶ୍ରେଣୀଭୁକ୍ତ ‘ମାନ’ର ସୃଷ୍ଟି ଘଟିଛି । ଏହା ପ୍ରଣୟଜନିତ ମାନ । ଅସୂୟା ଏହାର ହେତୁ ।

 

ନାୟକ - ନାୟିକା :- ଶ୍ରୀକୃଷ୍ଣ ଏଠାରେ ଦକ୍ଷିଣନାୟକ, ଶ୍ରୀମତି ବିରହୋତ୍‌କଣ୍ଠିତା ନାୟିକା । ଏହି ସର୍ଗର ପରବର୍ତ୍ତୀ ଶ୍ଳୋକ ଏବଂ ଗୀତମାନଙ୍କରେ ଶ୍ରୀକୃଷ୍ଣଙ୍କୁ ଅନୁକୂଳ ନାୟକ ଏବଂ ଶ୍ରୀମତୀଙ୍କୁ ପ୍ରୌଢ଼ା, ଉତ୍କଣ୍ଠିତା ଓ ପ୍ରଗଳ୍‌ଭା ନାୟିକାରୂପେ ଚିତ୍ରଣ କରିଛନ୍ତି ମହାକବି ।

 

୨ୟ ସର୍ଗ

 

ଶ୍ରୀକୃଷ୍ଣଙ୍କୁ ଅନ୍ୟନାୟିକାମାନଙ୍କର ପ୍ରଣୟାବଦ୍ଧ ଦେଖି ଅସୂୟା ପରବଶ ହୋଇ ଈର୍ଷାମାନବତୀ ଶ୍ରୀମତି ଅନ୍ୟ ଏକ କୁଞ୍ଜକୁ ଯାଇ ଦୁଃଖ ମନରେ ବସିଛନ୍ତି । ତଥାପି ଶ୍ରୀକୃଷ୍ଣଙ୍କପ୍ରତି ତାଙ୍କର ବିରାଗ ଦୂରେ ଥାଉ ସେ ସଖୀକୁ କହିଛନ୍ତି:-

 

‘‘ଗଣୟତି ଗୁଣଗ୍ରାମଂ ଭାମଂ ଭ୍ରମାଦପି ନେହତେ

ବହତି ଚ ପରିତୋଷଂ ଦୋଷଂ ବିମୁଞ୍ଚତି ଦୂରତଃ ।

ଯୁବତିଷୁ ବଳତ୍ତୃଷ୍ଣେ କୃଷ୍ଣେ ବିହାରିଣି ମାଂ ବିନା

ପୁନରପି ମନୋ ବାମଂ କାମଂ କରୋତି କରୋମି କିମ୍‌ ।।’’

 

- ଉପାୟ ନାହିଁ ସଖି ! କଣ କରିବି ? ସେ (ଶ୍ରୀକୃଷ୍ଣ) ମୋତେ ପରିତ୍ୟାଗ କରିଛନ୍ତି; ତେବେ ହେଲେ ମୁଁ ତାଙ୍କୁ ଝୁରିମରୁଛି । ମନ ମୋର ଏକା ତାଙ୍କରିଠାରେ ତୃପ୍ତ । ବଳବତୀ ତୃଷ୍ଣା । ତାଙ୍କର କିଛି ଦୋଷ ବାରିପାରୁ ନାହିଁ । ମୋ ମନ ତ ଆଉ ମୋର ହୋଇ ନାହିଁ !

 

ବଳିପଡ଼ିଛି ବ୍ୟାକୁଳତା । ମିଳନଲାଗି ଉତ୍କଣ୍ଠିତା ହୋଇପଡ଼ିଛନ୍ତି ସେ । ତାଙ୍କୁ ଅ-କ୍ଳେଶ କରିବାର ସାମର୍ଥ୍ୟ ଆଉ କାହାର ଅଛି ? ଅଛି କେବଳ ସେହି ଇଚ୍ଛାମୟ କେଶବଙ୍କର । ତେଣୁ କବି ଏହି ସର୍ଗର ନାମ ରଖିଛନ୍ତି - ‘‘ଅକ୍ଳେଶ କେଶବ’’ ।

 

ସର୍ଗବର୍ଣ୍ଣିତ ନାୟିକା ଯେପରି ପ୍ରିୟମିଳନଲାଗି ଉତ୍କଣ୍ଠିତା, ତେଣେ ନାୟକ ମଧ୍ୟ ସେହିପରି ସ୍ୱୀୟ କୃତକର୍ମର ଅନୁତାପରେ ବିଦଗ୍‌ଧ ।

 

୩ୟ ସର୍ଗ

ସଂସାର - ବାସନାବଦ୍ଧ କଂସାରି ଶ୍ରୀକୃଷ୍ଣ ରାସମଣ୍ଡଳ ପରିତ୍ୟାଗ କରି ଦୁଃଖ ମନରେ ଯମୁନାତଟରେ ବସିଛନ୍ତି । ମୁଗ୍ଧଚିତ୍ତ ନାୟକ ରାଧାପ୍ରୀତି ସ୍ମରଣ କରୁଛନ୍ତି । ସର୍ଗର ନାମ ତେଣୁ - ‘‘ମୁଗ୍‌ଧ - ମଧୁସୂଦନ’’ ।

 

୪ର୍ଥ ସର୍ଗ

ଶ୍ରୀମତୀଙ୍କନିକଟରୁ ଦୂତୀ (ସଖୀ) ଆସି ଶ୍ରୀକୃଷ୍ଣଙ୍କୁ କହିଛନ୍ତି :- ‘ସା ବିରହେ ତବ ଦୀନା’ - ମାଧବ ! ତମର ଅଙ୍ଗସଙ୍ଗ ହିଁ ରାଧା - ବିରହ - ବ୍ୟଧିର ଏକମାତ୍ର ରସାୟନ । ଏକାନ୍ତ ସ୍ମରାତୁରା ଉତ୍କଣ୍ଠିତା ସଖୀଙ୍କୁ ମୋର କେବଳ ସେହି ଅମୃତ - ରସାୟନ ହିଁ ସ୍ନିଗ୍‌ଧ କରିପାରେ ।

 

ଉତ୍କଣ୍ଠିତା ନାୟିକାଙ୍କ ଦଶା - ଶ୍ରବଣରେ ରସନାୟକ କୃଷ୍ଣଙ୍କର ଅନୁକୂଳ ଭାବ ପ୍ରକାଶ ପାଇଛି । ତେଣୁ ସର୍ଗର ନାମ - ‘‘ସ୍ନିଗ୍‌ଧ ମଧୁସୂଦନ’’ ।

 

୫ମ ସର୍ଗ

ଦୂତୀ ସଂବାଦ ଦେଲା । ଏଠାରେ ଦେବମାନବର ଅଭେଦତ୍ୱ ଫୁଟାଇ କବି ତାଙ୍କମୁଖରେ କୁହାଇଛନ୍ତି - ‘‘ସଖି, ବନମାଳୀ ତୁମରି ବିରହରେ ନିତାନ୍ତ ବ୍ୟାକୁଳ । ସେ ଧରଣି - ଶୟନରେ ଲୋଟୁଛନ୍ତି । ରାଧେ ! ରାଧେ !! ବୋଲି ବିଳାପ କରୁଛନ୍ତି । ଆଉ ସଖି, ‘ଧୀର ସମୀରେ, ଯମୁନାତୀରେ’ ବନମାଳୀ ତୁମର ଅଭିସାର - ଆଶାରେ ଏକାନ୍ତ ଆକାଂକ୍ଷିତ ହୋଇ

‘ରଚୟତି ଶୟନଂ            ସଚକିତ ନୟନଂ

ପଶ୍ୟତି ତବ ପନ୍ଥାନଂ ।’

 

-‘‘ଶେଜ ସଜାଇ ଚକିତ ନୟନରେ ତୁମ ପଥ ଚାହିଁ ରହିଛନ୍ତି । ତେଣୁ ସର୍ଗର ନାମ - ‘‘ସାକାଂକ୍ଷ ପୁଣ୍ଡରୀକାକ୍ଷ’’ 

 

୬ଷ୍ଠ ସର୍ଗ

ବିଷମ ବିରହାତୁରା ରାଧିକା । ତେଣେ ଶ୍ରୀକୃଷ୍ଣ ମଧ୍ୟ ତାଙ୍କ ଆଗମନୀ-ପଥ ଚାହିଁ ବସିଛନ୍ତି । ସଖୀଠାରୁ ସଙ୍କେତ ପାଇ ଇଚ୍ଛା ଥିଲେ ମଧ୍ୟ ଶ୍ରୀମତିଙ୍କର ଆଉ ପାହୁଣ୍ଡେ ଚାଲିବାଭଳି ଶକ୍ତି ନାହିଁ ।

 

ସଖୀ ଶ୍ରୀକୃଷ୍ଣକୁ ଭେଟି କହିଛନ୍ତି - ‘‘ତମ ବିରହରେ ରାଧା - ‘ଶ୍ଳିଷ୍ୟତି ଚୁମ୍ବତି ଜଳଧର କଳ୍ପମ୍‌ ।’ ଅନ୍ଧକାରକୁ କୃଷ୍ଣ ଭ୍ରମରେ ଚୁମ୍ବନ କରୁଚନ୍ତି । ପୁଣି ନିଜର ମଣ୍ଡନଲୀଳା ଦର୍ଶନ କରି ନିଜକୁ ‘ମୁ ମଧୁରିପୁ’ ବୋଲି ବିଚାରୁଛନ୍ତି । ଧୃଷ୍ଟ ! ତମରିଯୋଗୁଁ ସଖୀଙ୍କର ଆଜି ଏ ଦଶା ! କୁଞ୍ଜକୁ ବିଜେ କର । ବିରହଣୀ ତମରି ଅପେକ୍ଷାରେ ବାସକଶଜ୍ଜା ସଜାଇ ଟାକିରହିଛନ୍ତି । ଶଠ ! ତେବେ ହେଲେ ତମର ମନ ତରଳୁ ନାହିଁ ? ଏଡ଼େ ଧୃଷ୍ଟ !’’

ସର୍ଗଟିର ନାମ - ଧୃଷ୍ଟବୈକୁଣ୍ଠ

 

୭ମ ସର୍ଗ

ଆସିବେ ବୋଲି କଣ୍ଟ ଦେଇ କୁଞ୍ଜକୁ ଆସିଲେ ନାହିଁ ଶଠନାୟକ ଗୋବିନ୍ଦ । ମଉଳିଗଲା ଫୁଲଶେଜ । ନିଜର - ପଥ ଚାହିଁ - ଚାହିଁ ଆଖିକୋଣରେ ମରିଗଲା ଆଖିପାଣି । ବିପ୍ରଲବ୍‌ଧା ନାୟିକା ରାଧିକା ଦୁଃଖରେ କହିଲେ -‘‘ସଖୀ ! ବହୁବଲ୍ଲଭାତ ସେ ! ନିଶ୍ଚୟ ଅନ୍ୟ ନାୟିକାସଙ୍ଗରେ ବିହାର କରୁଥିବେ ନାଗର କରୁଥିବେ ନାଗରବର ।’’

ସର୍ଗର ଉପଯୁକ୍ତ ନାମକରଣ କରିଛନ୍ତି କବି - ‘‘ନାଗର - ନାରାୟଣ’’

 

୮ମ ସର୍ଗ

ଶଠନାୟକଙ୍କର ବ୍ୟବହାରରେ ନାୟିକା ଖଣ୍ଡିତା । ସେ ଦୁର୍ଜୟ ମାନବତୀ । ଅସମ୍ଭବ ଏ ଗୁରୁମାନ ! ରାଈ କୁଞ୍ଜଦ୍ୱାରରେ ଉପସ୍ଥିତ ଶ୍ରୀକୃଷ୍ଣ । ଏ ଗୁରୁମାନ ଦେଖି ତଟସ୍ଥ ସେ । ଲକ୍ଷ୍ମୀ ତାଙ୍କର ଗୃହିଣୀ; କିନ୍ତୁ ଲକ୍ଷ୍ମୀ କେବେ ହେଲେ ପ୍ରଣୟମାନବତୀ ହେବାର ଲକ୍ଷ କରି ନାହାନ୍ତି ଲକ୍ଷ୍ମୀପତି ନାରାୟଣ । ଶ୍ରୀମତୀଙ୍କ ପ୍ରେମର ଗାଢ଼ତା, ଉତ୍କର୍ଷତା ଦେଖି ଲକ୍ଷ୍ମୀପତି ଅତିମାତ୍ରାରେ ବିସ୍ମିତ ।

କବିଦତ୍ତ ସର୍ଗନାମ ତେଣୁ - ‘‘ବିଲକ୍ଷ୍ୟ ଲକ୍ଷ୍ମୀପତି’’ ।

 

୯ମ ସର୍ଗ

କଳାହାନ୍ତରିତା ରାଈଙ୍କର ମନ ଶ୍ରୀକୃଷ୍ଣଙ୍କପ୍ରତି ପ୍ରସନ୍ନ ହେବାଲାଗି ବହୁମତେ ଅନୁନୟ - ବିନୟ କରିଛନ୍ତି ମିଳନଦର୍ଶନାଭିଳାଷିଣୀ ସଖୀବୃନ୍ଦ । ମାନ - ଉପଶମ- ଚିନ୍ତାରେ ଧୂର୍ତ୍ତନାୟକ ମୁକୁନ୍ଦ ମୁଗ୍‌ଧ ।

ସର୍ଗର ନାମ - ‘‘ମୁଗ୍‌ଧ ମୁକୁନ୍ଦ’’ ।

 

୧୦ମ ସର୍ଗ

ପ୍ରଗଳ୍‌ଭ ନାୟକ ଶ୍ରୀକୃଷ୍ଣ । ପ୍ରୌଢ଼ା ମାନବତୀ ନାୟିକା ଶ୍ରୀମତୀଙ୍କର ଦୁର୍ଜ୍ଜୟ ମାନଭଂଜନଲାଗି ସବୁମତେ ଚେଷ୍ଟାରେ ବିଫଳମାନସ ହୋଇ ଶେଷରେ ପ୍ରାକୃତ ପ୍ରେମିକପରି ପ୍ରିୟାର ‘ଉଦାର ପଦପଲ୍ଲବ’ ଶିରମଣ୍ଡନ କରିବାକୁ ଆଦୌକୁଣ୍ଠା ବୋଧ କରି ନାହାନ୍ତି ।

 

ଏହିପରି ବହୁ ସାଧ୍ୟ ସାଧନାପରେ ଭାଙ୍ଗିଛି କଳାହାନ୍ତରିତା ନାୟିକା ଶ୍ରୀମତୀଙ୍କର ଦୁର୍ଜୟ ମାନ ଏବଂ ମାନଭଂଜନ ଅନ୍ତେ ମାଧବ ମୁଗ୍‌ଧ ।

ସର୍ଗର ନାମକାରଣ - ‘‘ମୁଗ୍‌ଧ ମାଧବ’’ ।

 

୧୧ଶ ସର୍ଗ

ବାସନ ପୂର୍ଣ୍ଣ । ମାନମୃଦୁ - ଅଭିସାରିକା ଶ୍ରୀମତୀଙ୍କ ମିଳନପ୍ରତ୍ୟାଶାରେ ଆନନ୍ଦ ଗୋବିନ୍ଦ ।

ତେଣୁ ସର୍ଗର ନାମ - ‘‘ସାନନ୍ଦ ଗୋବିନ୍ଦ’’ 

 

୧୨ଶ ସର୍ଗ

ନିଭୃତ ନିକୁଞ୍ଜମଧ୍ୟସ୍ଥିତ ନବପଲ୍ଲବ - ଦଳଶୋଭିତ ଶଯ୍ୟାରେ ଚରଣ - କମଳ ସ୍ଥାପନର ଅନୁନୟ କରି ଶ୍ରୀମତୀଙ୍କ କୁଞ୍ଜାଭିସାରଜନିତ ପଥଶ୍ରାନ୍ତ ଦୂର କରିବାଲାଗି ଚରଣ- ଚାରଣର ସୌଭାଗ୍ୟ ଭିକ୍ଷା କଲେ ନାଗର ନାରାୟଣ । ନାରୀମାନଙ୍କର ଆଶ୍ରୟସ୍ୱରୂପ ନାରାୟଣ ବହୁବଲ୍ଲଭ; କିନ୍ତୁ ସେ ଆତ୍ମସମର୍ପଣପୂର୍ବକ ଶ୍ରୀମତୀଙ୍କର ଏକନିଷ୍ଠ ପ୍ରୀତି - ଭିକ୍ଷୁ । ଶ୍ରୀମତୀଙ୍କର ସେବାନିରତ ସେହି ନାରାୟଣ ବହୁ ବିନୟ କରି ଜଣାଇଛନ୍ତି:-

 

‘‘କ୍ଷଣମୁପକୁରୁ ଶୟନୋପରି

ମାମିବ ନୂପୁରମନୁଗତିଶୂରମ୍‌ ।’’

 

- କ୍ଷଣକଲାଣି ଶ୍ରୀପଦଲଗ୍ନ ନୂପୁରପରି ପଦପ୍ରାନ୍ତରେ ମୋତେ ଗ୍ରହଣ କର । ପୀତାମ୍ବର ଗୋବିନ୍ଦ ଏଇ ସୁଯୋଗ ପାଇଲେ ତୃପ୍ତ । ଭାବଭୋଳା କବି ଏଇ ଶେଷ ସର୍ଗର ନାମ ରଖିଛନ୍ତି - ‘‘ସୁପ୍ରୀତ ପୀତାମ୍ବର’’ ।

 

ବିରହର ଯେପରି ଗୁରୁତା, ମିଳନର ସେହିପରି ମଧୁରତା । ଶ୍ରୀକୃଷ୍ଣଙ୍କର ଉତ୍ତମ ନାୟକ - ଗୁଣ ବିକାଶ କରାଇ କବି ଶ୍ରୀଗୀତଗୋବିନ୍ଦ ମହାକାବ୍ୟ ସମାପ୍ତ କରିଛନ୍ତି ଏହି ଦ୍ୱାଦଶ ସର୍ଗରେ ।

 

ଦଶାବତାର

 

ଶ୍ରୀଗୀତଗୋବିନ୍ଦରେ କବି ଜୟଦେବ ଐଶ୍ୱର୍ଯ୍ୟ ଏବଂ ତହିଁପରେ ମାଧୁର୍ଯ୍ୟ ରସ ବର୍ଣ୍ଣନା କରି ତାଙ୍କ ସାଧନାର ସିଦ୍ଧି ପ୍ରତିପାଦିତ କରିଅଛନ୍ତି ।

 

ଐଶ୍ୱର୍ଯ୍ୟ - ଯେପରି ଶ୍ରୀମନ୍ଦିରରେ ବିଜେ ଶ୍ରୀମନ୍‌ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ।

ମାଧୁର୍ଯ୍ୟ - ଯେପରି ବ୍ରଜଧାମ ବୃନ୍ଦାବନରେ ବିରାଜିତ ଶ୍ରୀମତି ଏବଂ ଶ୍ରୀପତି ।

 

ଈଶ୍ୱରୋପୋସନାର ଏହା ହେଉଛି ଦୁଇଟି ଶ୍ରେଷ୍ଠ ଦିଗ । ତେଣୁ କବି ପ୍ରଥମେ ଦାଶବତାର ବର୍ଣ୍ଣନାପରେ ସ୍ୱୀୟ ଗ୍ରନ୍ଥରେ ମଧୁର ରାଧାକୃଷ୍ଣଲୀଳାରସ ପରିବେଷଣ କରିଛନ୍ତି । ଏହା ମଙ୍ଗଳାଚରଣ ବୋଲାଇପାରେ ।

 

ଶ୍ରୀଗୀତଗୋବିନ୍ଦର ଶ୍ରୀକୃଷ୍ଣ ‘ରସରାଜ’ । ଦଶାବତାରରେ ତାଙ୍କର ଦଶବିଧ ରୂପ ଦଶ ରସପ୍ରସାରିଭାବେ ବର୍ଣ୍ଣିତ । ପରେ - ପରେ ଆଦି (ଶୃଙ୍ଗାର) ରସର ଉପସ୍ଥାପନା ଘଟିଛି । ‘‘ରସୋ ବୈ ସଃ - ରସଂ ହ୍ୟେବାୟଂ ଲବ୍‌ଧ୍ୱାନନ୍ଦୀଭବତି’’ - ରସର ଆଦି ଭଗବାନ୍‌ ଶ୍ରୀକୃଷ୍ଣ । ଏକମାତ୍ର ସେ ଆଦିରସର ଅଧିକାରୀ । ଏହା ହିଁ ତାଙ୍କର ପ୍ରଭୁତ୍ୱ - ଈଶ୍ୱରତ୍ୱ ।

 

ଭଗବାନ୍‌ଙ୍କୁ କିଏ କେଉଁ ଭାବ ବା କେଉଁ ରୂପରେ ଦେଖେ । ସେ ବହୁ ରୂପରେ ପ୍ରତୀକ । ଏସମ୍ବନ୍ଧେ ଶ୍ରୀମଦ୍ଭାଗବତ୍‌ର ଦଶମ ସ୍କନ୍ଧରେ କୁହାଯାଇଅଛି :-

 

‘‘ମଲ୍ଲାନାମଶନିର୍ନୃଣାଂ ନରବରଃ ସ୍ତ୍ରୀଣାଂ ସ୍ମରୋ ମୂର୍ତ୍ତିମାନ୍‌

ଗୋପାନାଂ ସ୍ୱଜନୋଽସତାଂ କ୍ଷିତିଭୁଜାଂ ଶାସ୍ତା ସ୍ୱପିତ୍ରୋଃ ଶିଶୁଃ ।

ମୃତ୍ୟୁର୍ଭୋଜପତେର୍ବିରାଡ୍‌ବିଦୁଷାଂ ତତ୍ତ୍ୱଂ ପରଂ ଯୋଗିନାଂ

ବୃଷ୍ଣୀନାଂ ପରଦେବତେତି ବିଦିତୋ ରଙ୍ଗଂ ଗତଃ ସାଗ୍ରଜଃ ।’’

(ପରିକର ଅଳଙ୍କାର ଦୃଷ୍ଟାନ୍ତ)

 

ଅର୍ଥାତ୍‌ ମଲ୍ଲମାନଙ୍କର ବଜ୍ର, ନରମାନଙ୍କର ରାଜା, ସ୍ତ୍ରୀମାନଙ୍କର ମୁର୍ତ୍ତିମନ୍ତ କନ୍ଦର୍ପ, ଗୋପୀମାନଙ୍କର ସ୍ୱଜନ, ଦୁଷ୍ଟାରାଜାଙ୍କର ଯମ, ପିତାମାନଙ୍କର ଶିଶୁ, କଂସର ମୃତ୍ୟୁ, ଅଜ୍ଞମାନଙ୍କର ବିରାଟ୍‌, ଯୋଗୀମାନଙ୍କର ପରମତତ୍ତ୍ୱ ଏବଂ ଯଦୁମାନଙ୍କର କୁଳଦେବତାରୂପେ ଯେଉଁ ଶ୍ରୀକୃଷ୍ଣ ବିଦିତ, ତାଙ୍କର ଦଶାବତାର - ବର୍ଣ୍ଣନା ବିଶେଷ କଥା ନୁହେଁ ।

 

ଦଶାବତାରରେ ଦଶ ରସର ଅବତାରଣା କରି ପରିଶେଷରେ କବି ଦଶାକୃତିର ଅଧିନାୟକ ଶ୍ରୀକୃଷ୍ଣଙ୍କ ଚରଣରେ ପ୍ରଗତି ନିବେଦନ କରିଅଛନ୍ତି । ଦଶାବତାର - ବର୍ଣ୍ଣନାରେ ଐଶ୍ୱର୍ଯ୍ୟମୟ ରସରାଜ ଶ୍ରୀକୃଷ୍ଣ ଧୀରୋଦାତ୍ତ ନାୟକଗୁଣସମ୍ପନ୍ନ । ଏସମ୍ବନ୍ଧେ କୁହାଯାଇଅଛି :-

 

‘‘ଯେ ରସସ୍ୟାଙ୍ଗିନୋ ଧର୍ମ୍ମାଃ ଶୌର୍ଯ୍ୟଦୟ ଇବାତ୍ମନଃ

ଉତ୍କର୍ଷହେତବସ୍ତେସ୍ୟୁରଚଳ ସ୍ଥିତୟୋ ଗୁଣାଃ ।’’

(ମମ୍ମଠ)

 

ଆତ୍ମାସହିତ ଗୁଣର ସମ୍ବନ୍ଧ ନିତ୍ୟ । ତାହା ସମବାୟ - ସମ୍ବନ୍ଧ । ରସ କାବ୍ୟ - ଶରୀରର ଆତ୍ମା । ଶୌର୍ଯ୍ୟାଦି ଗୁଣ ରସଉତ୍କର୍ଷତା ହେତୁ । ଗୁଣମାନଙ୍କର ସ୍ଥିତି ଅଚଳ ।

 

ଶ୍ରୀମଦ୍ଭାଗବତରେ ଭଗବାନ୍‌ଙ୍କର ୨୫ଗୋଟି ଲୀଳାବତାରର ବର୍ଣ୍ଣନା ଦୃଷ୍ଟ ହୁଏ ।

 

‘‘ଅବତାର - କଥାପ୍ରଶ୍ନେ ତୃତୀୟେ ତୂତ୍ତରାଭିଧା

ପୁରୁଷାଦ୍ୟବତାରୋକ୍ତ୍ୟା ତତ୍ତଚ୍ଚାରିତ୍ରବର୍ଣ୍ଣନୈଃ ।’’

(ଭାଗବତରେ ଶ୍ରୀଧରସ୍ୱାମୀକୃତ ୩ୟ ଅଧ୍ୟାୟର ସଂକ୍ଷିପ୍ତବିଷୟାନୁବୃତ୍ତି) ।

 

ଏହାପରେ ସ୍ୱର୍ଗୀୟ ମହାପଣ୍ଡିତ ଶ୍ରୀ ଦୀନବନ୍ଧୁ ମିଶ୍ର (ଖାଡ଼ଙ୍ଗା) ସଂସ୍କୃତ ଭାଗବତର ନିଷ୍ଠାପର ଉତ୍କଳାନୁବାଦ କରି ଲେଖିଛନ୍ତି :-

 

ଶ୍ରୀ ସୁତ ଉବାଚ

 

ଏ ସୃଷ୍ଟିମଧ୍ୟେ ଚକ୍ରଧର । ଧରଇ ଯେତେ ଅବତାର ।।୧୩।।

ତାହାଙ୍କ ମୂଳବୀଜ ସେହି । ସକଳ ଲୀନ ହୋଏ ତହିଁ ।।୧୪।।

X      X      X      X

କଳ୍‌କୀ ନାମରେ ସେ ବିଖ୍ୟାତ । ହୋଇବେ ପୃଥ୍ୱୀରେ ଅଚ୍ୱୁତ ।।୭୦।।

 

ମୂଳ ସଂସ୍କୃତ ଭାଗବତର ପଞ୍ଚମ ଶ୍ଳୋକଠାରୁ ୨୫ଶ ଶ୍ଳୋକର ଖାଡ଼ଙ୍ଗାକୃତ ଅବିକଳ ଉତ୍କଳାନୁବାଦ (୧୩ଶ ପଦରୁ ୭୦ ପଦ) ମଧ୍ୟରେ ଅବତାରସମ୍ବନ୍ଧରେ ଲେଖାଅଛି :-

 

(୧) କୁମାର, (୨) ବରାହ, (୩) ନାରଦ, (୪) ନର - ନାରାୟଣ, (୫) କପିଳ, (୬) ଅତ୍ରି ପୁତ୍ର, (୭) ଆକୁତଗର୍ଭସନ୍ତାନ, (୮) ଋଷଭ, (୯) ପୃଥୁ, (୧୦) ମତ୍ସ୍ୟ, (୧୧) କଚ୍ଛପ, (୧୨) ଧନ୍ୱନ୍ତରୀ, (୧୩) ମୋହନୀ ନାରୀ, (୧୪) ନୃସିଂହ, (୧୫) ବାମନ, (୧୬) ପରଶୁରାମ, (୧୭) ବ୍ୟାସ, (୧୮) ରାମଚନ୍ଦ୍ର, (୧୯) ବଳରାମ, (୨୦) କୃଷ୍ଣ, (୨୧) ବୁଦ୍ଧ ଏବଂ (୨୨) କଳକୀ ।

 

ପ୍ରଥମ ଅବତାର କୁମାରସୃଷ୍ଟିକୁ ଗୋଟିଏ ସଂଖ୍ୟା ଧରାଯାଇଥିଲେ ହେଁ କୁମାର - ସର୍ଗ ବା ସୃଷ୍ଟି ଚାରି ଜଣ; ଯଥା - ସନକ, ସନାତନ, ସନନ୍ଦନ ଓ ସନତ୍‌କୁମାର । ଏଣୁ ବାସ୍ତବ ଅବତାର ସଂଖ୍ୟା ୨୨ଗୋଟି ସହିତ ପ୍ରଥମ ଅବତାର ଲିଖିତ ଗୋଟିଏ କୁମାର ସ୍ଥଳେ ଆଉ ତିନିଗୋଟି ଯୋଗ କଲେ ପଚିଶଗୋଟା ଅବତାର ବର୍ଣ୍ଣିତ ହୋଇଅଛି । ଏହାରି ଅନୁସରଣରେ ଶ୍ରୀମଦ୍ଭାଗବତବର୍ଣ୍ଣିତ ମତ୍ସ୍ୟାବତାରକୁ ଶ୍ରୀଗୀତଗୋବିନ୍ଦରେ ପ୍ରଥମ ଅବତାରରୂପେ ଗ୍ରହଣ କରାଯାଇଅଛି ।

 

ସର୍ବଜନସମାଦୃତ ଭକ୍ତର ଭାବନା ଜନତାକୁ ପ୍ରଭାବିତ କରିବା ସଙ୍ଗେ -ସଙ୍ଗେ ସମାଜ - ବିଜ୍ଞାନ - ଅନୁସନ୍ଧିତ୍ସୁଙ୍କୁ ଯଥେଷ୍ଟ ଆଲୋଚନାର ସୁଯୋଗ ଦେଉଛି ଏହି ବର୍ଣ୍ଣନା ।

 

ଜୟଦେବ - ବର୍ଣ୍ଣିତ ଦଶଗୋଟି ଅବତାର ଦଶଟି ରସର ଅଧିଷ୍ଠାତା ବା ଦଶରସାଧିକାରୀ ।

କେତେକ ବୈଷ୍ଣବ ପଣ୍ଡିତଙ୍କ ମତରେ ଦଶାବତାରର ରସନିର୍ଣ୍ଣୟ ନିମ୍ନରୂପ -

 

୧। ମତ୍ସ୍ୟ - ବୀଭତ୍ସ ରସ (ଜୁଗୁପ୍‌ସା)

୨। କଚ୍ଛପ - ଅଦ୍ଭୁତ ରସ

୩। ବରାହ - ଭୟାନକ ରସ

୪। ନୃସିଂହ - ବାତ୍ସଲ୍ୟ ରସ

୫। ବାମନ - ସଖ୍ୟ ରସ

୬। ପରଶୁରାମ - ରୌଦ୍ର ରସ

୭। ରାମଚନ୍ଦ୍ର - କରୁଣ ରସ

୮। ବଳରାମ - ହାସ୍ୟ ରସ

୯। ବୁଦ୍ଧ - ଶାନ୍ତ ରସ

୧୦। କଳକୀ - ବୀର ରସ ।

 

ଦଶାବତାର ବର୍ଣ୍ଣନାପରେ ଭକ୍ତ କବି ସର୍ବାବତାରୀରୂପେ ‘ଦଶାକୃତିକୃତେ କୃଷ୍ଣାୟ ତୁଭ୍ୟଂ ନମଃ’ ବୋଲି କହିଅଛନ୍ତି ।

 

ସେ ଶ୍ରୀକୃଷ୍ଣଙ୍କୁ ସର୍ବରସ, ସର୍ବଗୁଣାଧାର, ସର୍ବଶକ୍ତିମାନ୍‌ରୂପେ ଭକ୍ତି ନିବେଦନ କରିଅଛନ୍ତି । ଯେ ଭକ୍ତିରସ ଅନୁଭବ କରନ୍ତି, ସେ ହେଉଛନ୍ତି ଭକ୍ତ ।

 

ଭକ୍ତରସ ନବଧା ଅନୁଭୂତ । ତେଣୁ ଏହା ନଅ ପ୍ରକାର, ଯଥା :- ବିଭତ୍ସ, ଅଦ୍ଭୁତ, ଭୟାନକ, ହାସ୍ୟ, କରୁଣ, ରୌଦ୍ର, ବୀର, ଶାନ୍ତ ଓ ଶୃଙ୍ଗାର । ଏହି ନଅଗୋଟି ଭିନ୍ନଭିନ୍ନ ରୂପରେ ଭକ୍ତିରସ ଅନୁଭୂତ ହୁଏ ବୋଲି ମୁକ୍ତାଫଳକାର ଉଲ୍ଲେଖ କରିଯାଇଅଛନ୍ତି ।

 

ତାଙ୍କ ମତରେ:-

‘‘ଭକ୍ତିଃ ସୌବ ହାସ୍ୟ-ଶୃଙ୍ଗାର-କରୁଣ-ରୌଦ୍ର-

ଭୟାନକ-ବୀଭତ୍ସ-ଶାନ୍ତାଦ୍‌ଦ୍ଭୁତ-ବୀରରୂପେଣାନୁଭବାତ୍‌।

(ମୁକ୍ତାଫଳ - ପୃଷ୍ଠା ୧୬୪)

 

ସେ ପୁଣି କହିଛନ୍ତି, ରସମଧ୍ୟରେ ଭକ୍ତିରସ ହିଁ ପ୍ରଧାନ ଏବଂ ଏହା ହିଁ ଆଦିରସ - ସର୍ବରସ ଜନକ । ଏହି ଭକ୍ତିରସକୁ ମୂଳ କରି ଦଶଗୋଟି ଅବତାରର ବନ୍ଦନା କଲେ କବିରାଜ ଜୟଦେବ ‘ଧାତୁ - ମାତୁସମାଯୁକ୍ତଂ’ ମାଳବ ରାଗ - ରୂପକ ତାଳର ଅପୂର୍ବ ସଂଗୀତରେ -

 

‘‘ପ୍ରଳୟ ପୟୋଧିଜଳେ ଧୃତବାନସି ବେଦଂ

ବିହିତବହିତ୍ରଚରିତ୍ରମଖେଦମ୍‌ ।

କେଶବ, ଧୃତ ମୀନଶରୀର, ଜୟ ଜଗଦୀଶ ହରେ !’’

X            X            X      X

 

ଅବତାରସମ୍ବନ୍ଧେ ବିଭିନ୍ନ ପୁରାଣରେ ମତପାର୍ଥକ୍ୟ ଦୃଷ୍ଟ ହୁଏ । ସତ୍ତ୍ୱନିଧଙ୍କଠାରୁ (ଭଗବାନ୍‌ହରି) ବହୁ ଅବତାରର ଉତ୍ପତ୍ତି-ବିଷୟ ପୁରାଣମାନଙ୍କରେ କୁହାଯାଇଛି-

 

‘‘ଅବତାରୀ ହ୍ୟସଂଖ୍ୟେୟା ହରେଃ ସତ୍ତ୍ୱନିଧେର୍ଜ୍ୱିବାଃ

ଯଥାଽବିଦାସିନଃ କୂଲ୍ୟାଃ ସରସାସ୍ୟୁଃ ସହସ୍ରଶଃ ।

 

କୁହାଯାଇଅଛି -

‘‘ବନଜୌ ବନଜୌ ଖର୍ବାସ୍କିରାମୀ ସକୃପୋଽକୃପଃ

ଅବତାରୀ ଦଶୈର୍ବେତେ କୃଷ୍ଣସ୍ତୁ ଭଗବାନ୍‌ ସ୍ୱୟଂ ।’’

 

ଏହି ରୀତିରେ ଭକ୍ତପ୍ରବର ଜୟଦେବ ବନ୍ଦନା କରିଛନ୍ତି -

‘‘ବେଦାନୁଉଦ୍ଧରତେ ଜଗନ୍ତି ବହତେ ଭୂଗୋଳମୁଦ୍‌ବିଭ୍ରତେ

ଦୈତ୍ୟଂ ଦାରୟତେ ବଳିଂ ଛଳୟତେ କ୍ଷତ୍ରକ୍ଷୟଂ କୁର୍ବେତେ ।

ପୌଲସ୍ତ୍ୟଂ ଜୟତେ ହଳଂ କଳୟତେ କାରୁଣ୍ୟମାତନ୍ୱତେ

ମ୍ଳେଚ୍ଛାନ୍‌ମୂର୍ଚ୍ଛୟତେ ଦଶାକୃତିକୃତେ କୃଷ୍ଣାୟ ତୁଭ୍ୟଂ ନମଃ ।’’

 

ଜୟଦେବଙ୍କର ଏ ଦଶାବତାର - ବର୍ଣ୍ଣନ ଉତ୍କଳର ଅଭିନବ ପ୍ରଚଳନ - ରୀତି ନୁହେଁ ।

କୁହାଯାଇଅଛି - ‘କୃଷ୍ଣସ୍ତୁ ଭଗବାନ୍‌ ସ୍ୱୟଂ’ । ଜୟଦେବ କହିଲେ ‘ଦଶାକୃତିକୃତେ କୃଷ୍ଣାୟ ତୁଭ୍ୟଂ ନମଃ’ ଅର୍ଥାତ୍‌ କୃଷ୍ଣ ଭଗବାନ୍‌, ସ୍ୱୟଂସଂପୂର୍ଣ୍ଣ । ଭଗବାନ୍‌ହିଁ ଜଗତର ନାଥ - ଜଗନ୍ନାଥ । ଓଡ଼ିଆ ବୈଷ୍ଣବମତେ ଧରଣୀ - ଭାରାହରଣନିମିତ୍ତ ଦେବତାମାନଙ୍କ ପ୍ରାର୍ଥନା ଘେନା କରି ଜଗନ୍ନାଥ ଅନୁଗ୍ରହପୂର୍ବକ ଗୋପପୁରରରେ କୃଷ୍ଣରୂପେ ଅବତୀର୍ଣ୍ଣ ହେଲେ । ଭକ୍ତକବି ଦୀନକୃଷ୍ଣ ଏହି ସଂପର୍କରେ ବର୍ଣ୍ଣନା କରି ଭଗବାନ୍‌ଙ୍କ ବାକ୍ୟ ପ୍ରକାଶ କରି କହିଛନ୍ତି -

 

‘‘କମଳମୁଖୀ କମଳା-            କଣ୍ଠ ମରକତମାଳା

ଆଜ୍ଞା ଦେଲେ କରୁଣା କଟାକ୍ଷେ ଅନାଇ

କିଛି ନ ବିଚାର ତୁମ୍ଭେ            ଯଦକୁଳେ ଯାଇ ଆମ୍ଭେ

ଜାତ ହେବୁଁ କଂସ ପ୍ରାଣ ଘେନିବାପାଇଁ

କର ତୁମ୍ଭେ ଏବେ ଗମନ

କରିବାକୁ ଗୋପକେଳି ଆମ୍ଭର ମନ ।’’

 

ଜଗନ୍ନାଥ ହିଁ କୃଷ୍ଣ- କୃଷ୍ଣ ହିଁ ଜଗନ୍ନାଥ । ଏହାଙ୍କୁ ଜୟଦେବ ‘ଦଶାକୃତିକୃତେ’ ବୋଲି କହି ଦଶବତାର ସ୍ତୁତି ଗାୟନ କରିଅଛନ୍ତି । ଜଗନ୍ନାଥ ଏବଂ ଦଶାବତାର ଏବଂ ଦଶାବତାରପ୍ରସଙ୍ଗରେ ଶବର ଦେବତା ‘ଜଗନ୍ତ’ ଏବଂ ଦଶ ଭାଇଙ୍କ କଥା ସ୍ମରଣ ହୁଏ । ଶବର - ଦେବତା ‘କିତୁଂ’ । ସେ ଦଶରୂପଧାରୀ; ଯଥା - ଜଗନ୍ତ, ତୋଡ଼, ତୁମନ, ଭୀମ୍‌, ରଂରଂ, ଗର୍ସିଦ୍‌, ରାମନ୍‌, ଯୋଦେପଳ, ମତ୍ତ ଏବଂ ତତ । ଏମାନେ ‘କିତୁଂ’ଙ୍କ ଦଶ ଭାଇରୂପେ ଶବରମାନଙ୍କଦ୍ୱାରା ପୂଜିତ । ଦଶାବତାରବର୍ଣ୍ଣନା ଏହି ଦଶ ଭାଇ କଳ୍ପନାରୁ ଗୃହୀତ ହୋଇଥିବାପରି ମନେ ହୁଏ ।

 

ରସୋ ବୈ ସଃ - ରସରାଜ ଶ୍ରୀକୃଷ୍ଣ ଯେପରି ଷୋଡ଼ଶ କଳାରେ ସ୍ୱୟଂସଂପୂର୍ଣ୍ଣ ବୋଲି ବୈଷ୍ଣବମତରେ ସ୍ୱୀକୃତ, ଜଗନ୍ନାଥ ସେହିପରି ଶୋଳକଳାର ଠାକୁରରୂପେ ସମ୍ମାନିତ ଈଶ୍ୱରଉପରେ ଈଶ୍ୱର । ସେ ଯୁଗାବତାର ଗ୍ରହଣ କରି ଧରଣୀଭାରା ହରଣ କରିଛନ୍ତି । ବାସୁଦେବତତ୍ତ୍ୱାନୁସାରେ ପ୍ରତିଷ୍ଠିତ ମୂର୍ତ୍ତି ଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ବାସୁଦେବରୂପେଆରାଧନା କରିବାକୁ ଯାଇ ମଙ୍ଗଳାଚରଣରେ ମହାକବି ଦଶାବତାର ଗୀତିକା ଗାନ କରିଅଛନ୍ତି ।

 

ଓଡ଼ିଶାର ପରବର୍ତ୍ତୀ ଛାନ୍ଦକାରମାନେ ଏହି ଦଶାବତାରକୁ ବିଭିନ୍ନ ଛାନ୍ଦବ୍ୟତ୍ତରେ ଗାଇଥିଲେ ମଧ୍ୟ ବର୍ଣ୍ଣଶିକ୍ଷାର ଆଦିମ ପୀଠ ଚାଟଶାଳୀରେ ଜୟଦେବବୀ ରୀତି ସ୍ମାରକୀରୂପେ ଦଶାବତାର ଗୀତିକା ଗାଇବାର ପ୍ରଥା ଯୁଗଯୁଗାବଧି ଉତ୍କଳରେ ପ୍ରଚଳିତ ।

 

ସ୍ୱର ବା ସଙ୍ଗୀତମାଧ୍ୟମରେ ଉତ୍କଳୀୟ ଶିଶୁ ବର୍ଣ୍ଣଶିକ୍ଷା ଆରମ୍ଭ କରେ । ଏହା ଏ ଜାତିର ପରମ୍ପରା । ବର୍ଣ୍ଣଗୁଡ଼ିକର ସହଜ ସ୍ମରଣ ନିମିତ୍ତ ଚାଟଶାଳୀରେ ଚପଳମତି ଶିଶୁ ଗୀତକଣ୍ଠରେ ଶିଖେ :-

‘କ’ ‘କ’ କାଳିନ୍ଦୀ-ତୀରେ

‘ଖ’ ‘ଖ’ ଖଟନ୍ତି ଧୀରେ ।....ଇତ୍ୟାଦି ।

 

ମଧୁର ରାଧାକୃଷ୍ଣ - ରସସହିତ ବର୍ଣ୍ଣଶିକ୍ଷାର ଏଭଳି ରୀତି ଅନ୍ୟତ୍ର ବିରଳ । ଶିଶୁକାଳରୁ ଏହି ଭାବ ସରଳ ତରଳ ମସ୍ତିଷ୍କରେ ଭରିଦିଆଯାଏ । ଶିଶୁ ଏହି ଭାବ ଓ ରସସହିତ ‘ଶିଶୁର୍ବେତି, ପଶୁର୍ବେତି’ ବୋଲି ପ୍ରଥିତ ସଙ୍ଗୀତର ସ୍ୱରସହଯୋଗରେ ବର୍ଣ୍ଣଗୁଡ଼ିକୁ ସହଜରେ ସ୍ମରଣ ରଖିପାରିବ ବୋଲି ନିଶ୍ଚିତ ଧାରଣାରେ ଉତ୍କଳୀୟ ପୂର୍ବାଚାର୍ଯ୍ୟମାନେ ଏହିପରିଭାବେ ବର୍ଣ୍ଣଶିକ୍ଷାର ରୀତି ଉଦ୍ଭାବନ କରିଯାଇଅଛନ୍ତି । ଏ ବିଚାରରେ ଦ୍ୱିଧାର ଅବକାଶ ନାହିଁ । ପୁଣି,

 

‘‘କମଳ ଲୋଚନ ଶ୍ରୀହରି       କରେଣ ଶଙ୍ଖ-ଚକ୍ରଧାରୀ ।

ଖଗ ଆସନେ ଖଗପତି       ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ।

ଗରୁଡ଼ ଆସନେ ମୁରାରି       ଗୋପରେ ରଖିଲେ ବାଛୁରୀ ।’’

.....ଇତ୍ୟାଦି ।

ଏହିପରି ଧ୍ୱନି, ବର୍ଣ୍ଣ,ଶବ୍ଦ, ସ୍ୱର ଓ ତହିଁସହିତ ଶିଶୁ - ମନରେ ଶ୍ରୀକୃଷ୍ଣରସାମୃତର ପରୋକ୍ଷ ପ୍ରବେଶରୀତି ଓଡ଼ିଶାର ବିଶେଷତ୍ୱ ।

 

ଏହାରିପରେ ଶିଶୁ ଗାଏ -

‘‘ଆଦ୍ୟ ଅବତାରେ ହରି ମୀନ-ରୂପେ ଜଳେ’’

...ଇତ୍ୟାଦି ।

 

ସଙ୍ଗୀତକଳା ପ୍ରିୟ ଏ ଜାତିର ଶିଶୁ-ପ୍ରାଣରେ ଏତିକିବେଳୁ ଏହି ଦଶାବତାର-ରୀତି ରେଖାପାତ କରେ । ତେଣୁ ଉତ୍କଳରେ ଜୟଦେବଙ୍କ ସମାଦର ଓ ସମ୍ମାନ କେତେ ଉଚ୍ଚରେ, ତାହା ସହଜ ଅନୁମେୟ । ଅନ୍ୟାନ୍ୟ ପ୍ରଦେଶରେ ଏଭଳି ପ୍ରଚାର ବା ଆଦର ବିରଳ । କେବଳ ସେତିକି ନୁହେଁ, ଉତ୍କଳର ପଲ୍ଲୀ ଗ୍ରାମରେ ପ୍ରତିଷ୍ଠିତ ବିଷ୍ଣୁମନ୍ଦିରମାନଙ୍କରେ ମଧ୍ୟ ପ୍ରତିନିତ୍ୟ ଗୋଧୂଳି ଆଗମ ସଙ୍ଗେ - ସଙ୍ଗେ ଘଣ୍ଟିଘଣ୍ଟାର ମଧୁର ତାଳଧ୍ୱନିର ଲଳିତ ଗମ୍ଭୀର ପରିବେଶମଧ୍ୟରେ ଭକ୍ତ କଣ୍ଠର ଭାବବିହ୍ୱଳ ଆରତିଗୀତ ସ୍ମରଣ କରାଇଦିଏ ଜୟଦେବଙ୍କ ରଚିତ ଦଶାବତାର :-

‘‘ଶ୍ରିତକମଳା - କୁଚମଣ୍ଡଳ, ଧୃତକୁଣ୍ଡଳ

କଳିତ ଲଳିତ ବନମାଳ, ଜୟ ଜୟ ଦେବ ହରେ ।’’

 

ପ୍ରତିରକ୍ତବିନ୍ଦୁରେ ଯେପରି ଯୋଗଜନ୍ମା ଉତ୍କଳୀୟ ଭକ୍ତକବି ଜୟଦେବଙ୍କୁ ଅତି ଆପଣାର କରି ମିଶାଇରଖିଛି ଓଡ଼ିଶାର ପ୍ରତିପାନ୍ତବାସୀ !

 

ଉତ୍କଳର ରସିକ ବିଦ୍ୱଜ୍ଜନମଣ୍ଡଳୀକର୍ତ୍ତୃକ କାବ୍ୟରେ ରସାବତାରଣାକାଳରେ ମଧ୍ୟ ଜୟଦେବୀ ଦଶାବତାର- ପରିକଳ୍ପନା ସମ୍ମାନିତ, ସମାଦୃତ ଏବଂ ଅନୁସୃତ । ‘କୋଟି ବ୍ରହ୍ମାଣ୍ଡସୁନ୍ଦରୀ’ ଉତ୍କଳୀୟା ନାୟିକା ତାହାର ପ୍ରିୟତମ ନାୟକକୁ ଦଶାବତାରୀରୂପେ ପ୍ରୀତି- ସମ୍ୱର୍ଦ୍ଧନା ଜଣାଇଅଛି । ଏ ଅପୂର୍ବ କଳ୍ପନାକୁ ଅପାଶୋରା ଛାନ୍ଦ-ସ୍ୱରଗ୍ରନ୍ଥନରେ ପ୍ରୀତି-ବତ୍ସଳା ମୁଖରେ ଉକୁଟାଇଛନ୍ତି ସଙ୍ଗୀତ- କବିସମ୍ରାଟ ଉପେନ୍ଦ୍ରଭଞ୍ଜ -

 

‘‘କଣ୍ଠ ଶଙ୍ଖଳିତ ମନ୍ଦର ତାଡ଼ନ ବରାହବର ଅଭୀତ

ସେ ନରକେଶରୀ ବଳିଧ୍ୱଂସୀ ତେଜ ସହସ୍ରକରବିଜିତ

ରେ ସହି !

ମୂର୍ତ୍ତି ରାମ ବଳ ଖ୍ୟାତ ମହୀ ।

ବୁଦ୍ଧଗୁଣେ ଚନ୍ଦ୍ରହାସ ଶୋହି ।

ବିଷ୍ଣୁ ଦଶରୂପ ଏଣୁ ଏହି ।’’

 

‘ଉତ୍‌+କଳା’ - ଆଖ୍ୟାସାର୍ଥକକାରୀ କଳାକାରଗଣ ଯେପରି ଶିଶୁ-ମୁଖରେ ଶବ୍ଦ ଓ ଭାଷା- ଶିକ୍ଷାନିମିତ୍ତ ପ୍ରଥମେ ଗୀତ ଛନ୍ଦର ପ୍ରବର୍ତ୍ତନା କରିଗଲେ, ସେହିପରି ଯୁଗସ୍ମର ସାଧୁ ଜୟଦେବ ମୂର୍ଖ- ପଣ୍ଡିତ, ଧନୀ - ଦରିଦ୍ରନିର୍ବିଶେଷରେ ଉତ୍କଳର ପୁରପଲ୍ଲୀରେ ଗୀତର ସ୍ୱର-ତାଳ-ପର୍ଯ୍ୟୁସିତ ଗୋବିନ୍ଦ - ରସମାଧୁରୀ ବିତରଣ କରିଗଲେ । ସେହି କ୍ଷଣଜନ୍ମା ପୁରୁଷଙ୍କର କୃତି-ସାଧନା ହିଁ ଏ ପୁଣ୍ୟଭୂମିରେ ଆପ୍ତବାକ୍ୟର ସାର୍ଥକତା ଫୁଟାଇ ସ୍ମରଣ କରାଇଦିଏ –

 

‘‘ଯା ଗୋବିନ୍ଦ - ରସପ୍ରମୋଦମଧୁରା ସା ମାଧୁରୀ ମାଧୁରୀ ’’

 

ରାସ - ରାସ

ପୁ

ରାଣମାନଙ୍କରେ ଦୁଇଟି ରାସର ଉଲ୍ଲେଖ ରହିଛି - ଗୋଟିଏ ଶରଦ୍ରାସ, ଅନ୍ୟଟି ବସନ୍ତରାସ । ଶ୍ରୀଗୀତଗୋବିନ୍ଦ ବସନ୍ତରାସର ବିଷୟ ବସ୍ତୁ ଉପରେ ଆଧାରିତ ।

 

ଭିତ୍ତି-

 

ରାଧା-କୃଷ୍ଣଙ୍କର ପ୍ରଣୟ - ବର୍ଣ୍ଣନାଭିତ୍ତିରେ ଶ୍ରୀଗୀତଗୋବିନ୍ଦ ରଚିତ । ଏହା କିନ୍ତୁ ଜୟଦେବକୃତ ଅଭିନବ ବିଧାନ ନୁହେଁ । ଦ୍ୱାଦଶ ଶତାବ୍ଦୀର ବହୁ ପୂର୍ବ - ପ୍ରାୟ ଦୁଇ ଚାରି ଶତକ ପୂର୍ବରୁ - ରାଧାକୃଷ୍ଣ - ଲୀଳାବର୍ଣ୍ଣିତ କାବ୍ୟ - କବିତାମାନ ରଚିତ ହୋଇଥିବାର ପ୍ରମାଣ ମିଳେ । ଏହି ପ୍ରେମ - କବିତାଗୁଡ଼ିକ ଆଲୋଚନା କଲେ ଦେଖାଯାଏ ଯେ ଏଗୁଡ଼ିକରେ କାବ୍ୟପ୍ରେରଣାର ମୂଲ୍ୟ ଧର୍ମ୍ମ - ପ୍ରେରଣାଠାରୁ ବରଂ ଅଧିକ । ଜାଗତିକ ନରନାରୀ - ପ୍ରେମସୂଚକ କାବ୍ୟ - କବିତାର ଧାରା ରାଧା-କୃଷ୍ଣ-ପ୍ରେମ..ଅବଲମ୍ବନରେ ରଚିତ କାବ୍ୟ-କବିତାର ଦୃଷ୍ଟ ହୁଏ । ଏହିପରି କେଉଁଠି ଲକ୍ଷ୍ମୀ-ନାରାୟଣ ବା କେଉଁଠି ହର-ଗୌରୀଙ୍କ ଶୃଙ୍ଗାର-ରସପୂର୍ଣ୍ଣ ବହୁ କାବ୍ୟ-କବିତା ମଧ୍ୟ ରଚିତ ହୋଇଅଛି ଜୟଦେବଙ୍କ ଅଭ୍ୟୁଦୟବିତାମଧ୍ୟରେ ଦୁଇଟି ବିଭାଗର ସନ୍ଧାନ ମିଳେ ଏବଂ ଉଭୟ ଦିଗରୁ ହିଁ କବିମାନେ ଆତ୍ମପ୍ରସାଦ ଲାଭକରନ୍ତି । ଗୋଟିଏ ସାଧାରଣ ମାନବ-ପ୍ରେମ-ଅନ୍ୟଟି ହେଲା ଦେବଲୀଳା-କୀର୍ତ୍ତନ । ଦେବଲୀଳାରସ-ବର୍ଣ୍ଣନମାଧ୍ୟମରେ ପାର୍ଥିବ ପ୍ରେମର ସୂକ୍ଷ୍ମଭାବରୂପ ପରିବେଷଣକଳ୍ପେ ଏହା ଏକ ଅପୂର୍ବ ସୁଯୋଗ । ଏହାରି ପ୍ରାଧାନ୍ୟଉପରେ ରାଧାକୃଷ୍ଣ-ରସକେଳି ରଚନାର କ୍ରମବିକାଶ ଘଟିଅଛି । ଜୟଦେବଙ୍କ ରଚିତ ରାଧାକୃଷ୍ଣ-ପ୍ରଣୟ-ବର୍ଣ୍ଣିତ ଶ୍ରୀଗୀତଗୋବିନ୍ଦ ଏହି ରସ-ରଚନାଭିତ୍ତିରେ ପ୍ରତିଷ୍ଠିତ ।

 

ସ୍ୱୟଂ ମହାକବି ମଧ୍ୟ ଏକଥା ସ୍ପଷ୍ଟ ସୂଚାଇଦେଇଛନ୍ତି...‘‘ଯଦି ବିଳାସକଳାସୁ କୁତୂହଳଂ’’ ବୋଲି କହି । ଶ୍ରୀଗୀତଗୋବିନ୍ଦରେ ‘ହରିସ୍ମରଣେ’ ଅପେକ୍ଷା ‘ବିଳାସକଳା’ର ପ୍ରାଧାନ୍ୟ ସ୍ଥଳବିଶେଷରେ ସମଧିକ ପ୍ରବଳ ବୋଲି ମନେ ହୁଏ ।

 

ଏହି ହେତୁରୁ ଶ୍ରୀଗୀତଗୋବିନ୍ଦବର୍ଣ୍ଣିତରା ଧାକୃଷ୍ଣ-ପ୍ରେମବିଳାସ ପାର୍ଥିବ ପ୍ରେମଲୀଳାର ବିବିଧ ବୈଚିତ୍ର ଓ ମାଧୁର୍ଯ୍ୟ ଘେନି ବିକଶିତ ହେବାପରି ଆପାତ-ସାଧାରଣ ଦୃଷ୍ଟିକୁ ଝଲସାଇଦେଇଥାଏ । ପ୍ରାଚୀନ ଆଳଂକାରିକମାନଙ୍କ ଗ୍ରନ୍ଥରେ ପ୍ରେମକୁ ରସ-ମୂର୍ତ୍ତିରେ ଚିତ୍ରଣ କରାଯାଇଅଛି ଏବଂ ରସକୁ ସ୍ଥାୟୀଭାବର ମହତ୍ତ୍ୱମଣ୍ଡିତ କରାଯାଇଅଛି । ଶ୍ରୀଗୀତଗୋବିନ୍ଦରେ ‘ସାମର୍ଥା’ ରତିର ବର୍ଣ୍ଣନା ସ୍ଥାନ ପାଇଅଛି ସାମର୍ଥା ରତି ଆତ୍ମସୁଖ-ସ୍ପୃହାବିରହିତ । କୁଳ, ଶୀଳ, ଲାଜ, ମାନ ଇତ୍ୟାଦି ସମସ୍ତ ବାଧାବନ୍ଧନ ଏକାବେଳକେ ଉପେକ୍ଷା ହେଲା ଏହି ଶ୍ରେଣୀୟ ରତିର ଲକ୍ଷଣ-

‘‘କୁଳଧର୍ମ୍ମଂ ପରିତ୍ୟଜ୍ୟ ନିଃଶଂକାଃ କାମ ମୋହିତାଃ ।’’

 

ଗ୍ରନ୍ଥରେ ପ୍ରତିଷ୍ଠାତା ଶ୍ରେଷ୍ଠା ରସନାୟିକା ଶ୍ରୀରାଧାଙ୍କପକ୍ଷେ ସ୍ଥାୟୀଭାବେ ରତି ଏବଂ ତତ୍‌ସଂପର୍କିତ ଅନୁଭାବ ଓ ବ୍ୟଭଚାରୀ ଭାବାଦିର ଯେ ବର୍ଣ୍ଣନା ଦିଆଯାଇଅଛି, ସେଥିରେ ଅଳଙ୍କାର-ଶାସ୍ତ୍ର ଏବଂ କାମଶାସ୍ତ୍ରର ମିଳନ-ପ୍ରଭାବ ଉକୁଟିଉଠିଛି । ଜୟଦେବୀ ରଚନାର ବହୁ ପୂର୍ବରୁ ଶୃଙ୍ଗାର-ରସୋତ୍ତୀର୍ଣ୍ଣ କାବ୍ୟମାନଙ୍କରେ ଖଣ୍ଡିତା, କଳହାନ୍ତରିତା ଇତ୍ୟାଦିର ବର୍ଣ୍ଣନା ଦେଖିବାକୁ ମିଳେ ଏବଂ ଏସମସ୍ତ କାବ୍ୟଶାସ୍ତ୍ର ଓ କୋକଶାସ୍ତ୍ରର ସମ୍ମିଳିତ ଅନୁସରଣରେ ରଚିତ ।

 

ପୂର୍ବାଚାର୍ଯ୍ୟଗଣ କାବ୍ୟମାନଙ୍କରେ ସମ୍ଭୋଗକୁ ପ୍ରଧାନ ଓ ପ୍ରେମକୁ ସ୍ଥଳରୂପେ ଗ୍ରହଣ କରିଅଛନ୍ତି । ଜୟଦେବ ବିରହକୁ ପ୍ରଧାନ କରି ତାହାର ସୂକ୍ଷ୍ମଭାବ ଏବଂ ଅତଳତାର ସଂଧାନ ଫୁଟାଇଅଛନ୍ତି । ବିରହର ଅବଲମ୍ବନରେ ପ୍ରୀତିର ଗଭୀରତା ପ୍ରକାଶ ହିଁ ରାଧାପ୍ରେମର ଗୌରବଦ୍ୟୋତକ ବିଶେଷତ୍ୱ । ପ୍ରଥମଟି ପ୍ରତ୍ୟକ୍ଷ ପ୍ରଭାବ, ତେଣୁ ‘ପ୍ରାକୃତ’; ଦ୍ୱିତୀୟଟି ଅରୂପ ପ୍ରଭାବ, ତେଣୁ ‘ଅପ୍ରାକୃତ’ । ଏହି ଅପ୍ରାକୃତ ଅଧ୍ୟାୟର ସମର୍ଥା ରତି ଗାଢ଼ ବା ପ୍ରୌଢ଼ା ହୋଇ ‘ମହାଭାବ’ ଦଶାରେ ପରିପାକ ଲାଭକରିଛି । ଫଳତଃ ପ୍ରେମ, ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ ଏବଂ ଭାବର ପରିଣତି ଘଟିଅଛି ରାଧାପ୍ରେମରେ । ଏହି ଭିତ୍ତିଉପରେ ଗଠିତ ଶ୍ରୀଗୀତଗୋବିନ୍ଦ-ମହାମନ୍ଦିର ଚିର ଭାସ୍ୱର ।

 

ରାସ-ସର୍ଜନା-

 

ରସନାୟକ ଶ୍ରୀକୃଷ୍ଣ, ରସନାୟିକା ରାଧିକା ଏବଂ ରସ-ସଂଚାରିକା ଗୋପିବୃନ୍ଦଙ୍କଦ୍ୱାରା ସଂଘଟିତ ଅପ୍ରାକୃତ ବୃନ୍ଦାବନଲୀଳା ‘ରାସୋତ୍ସବ’ ନାମରେ ପ୍ରଖ୍ୟାତ । ଶ୍ରୀଗୀତଗୋବିନ୍ଦର ଏହା ବର୍ଣ୍ଣିତ ବିଷୟବସ୍ତୁ ।

 

ନାୟକ ଶ୍ରୀକୃଷ୍ଣ-ମାଧୁର୍ଯ୍ୟ ରସମୂର୍ତ୍ତି, ସର୍ବରସର ଆଧାର ।

ରାସରେ:- ‘‘ସ ବୈ ହ୍ଳାଦିନ୍ୟାୟାଃ ପ୍ରଣୟବିକୃତେର୍ହ୍ଳାଦନରତଃ ।

ତଥା ସଂବିଚ୍ଛକ୍ତି ପ୍ରକଟିତରଦୋ ଭାବ-ରସିତଃ ॥

ତୟା ଶ୍ରୀସନ୍ଧିନ୍ୟା କୃତବିଶଦତଦ୍ଧାମନିଚୟୋ

ରସାମ୍ଭୋଧୌ ମଗ୍ନୋ ବ୍ରଜରସବିଳାସୀ ବିଜୟତେ ॥

(ଦଶମୂଳ)

 

ନାୟିକା ରାଧିକା-ମହାଭାବମୟୀ, ଶ୍ରୀକୃଷ୍ଣଙ୍କ ହ୍ଲାଦିନୀ ଶକ୍ତି ।

ସଖୀବୃନ୍ଦ-ରସ-ସଂଚାରିକା, ସ୍ୱାର୍ଥରହିତା । ଶ୍ରୀକୃଷ୍ଣଙ୍କର ଆହ୍ଲାଦପ୍ରଦାନକାରିଣୀ ମହାଭାବସ୍ୱରୂପା ଶ୍ରୀମତୀ ରାଧିକା ତାଙ୍କର କାୟବ୍ୟୂହସ୍ୱରୂପ ଅଷ୍ଟସଖୀ ବା ପ୍ରିୟସଖୀ, ନର୍ମ୍ମସଖୀ, ପ୍ରାଣସଖୀ ଏବଂ ପରମ ପ୍ରେଷ୍ଠସଖୀ-ଏହିପରି ଚତୁଃଶ୍ରେଣୀୟ ସେବାଭାବକୁ ଚାରି ପ୍ରକାର ସଖୀରୂପେ ପ୍ରକାଶ କରିଅଛନ୍ତି । ଏହି ସଖୀ-ବିଭାଗ ପାଞ୍ଚ ପ୍ରକାର ବୋଲି ମଧ୍ୟ ମତ ଦେଖାଯାଏ । ନବଧା ଭକ୍ତିରେ ଏମାନେ ଶ୍ରୀକୃଷ୍ଣାରାଧନା କରିଥାଆନ୍ତି । ଏହି ନବଧା ଭକ୍ତି ହେଲା:-

 

‘‘ଶ୍ରତିଃ କୃଷ୍ଣାଖ୍ୟାନଂସ୍ମରଣ-ମତି-ପୂଜାବିଧିଗଣାଃ ।

ତଥା ଦାସ୍ୟଂ ସଖ୍ୟଂ ପରିଚରଣମପ୍ୟାତ୍ମଦଦନମ୍‌ ॥

ନବାଙ୍ଗାନ୍ୟେତାନୀବିଧିଗତ ଭକ୍ତେରନୁଦିନମ୍‌

ଭଜନ୍‌ ଶ୍ରଦ୍ଧାଯୁକ୍ତଂ ସୁବିମଳରତିଠ ବୈ ସ ଲଭତେ ।।

(ଦଶମୂଳ-୯ମ)

 

ଶ୍ରବଣ, କୀର୍ତ୍ତନ, ସ୍ମରଣ, ବନ୍ଦନ, ଅର୍ଚ୍ଚନ, ଦାସ୍ୟ, ସଖ୍ୟ ଏବଂ ଆତ୍ମନିବେଦନ-ଏହି ନବବିଧା ବୈଧୀଭକ୍ତକୁ ଯେ ଶ୍ରଦ୍ଧାସହକାରେ ନିତ୍ୟ ପାଳନ କରନ୍ତି, ସେ ବିମଳ କୃଷ୍ଣରତି ପ୍ରାପ୍ତ ହୁଅନ୍ତି ।

 

ରାସରେ ଏହି ସାଧନା ଥିଲା ରାଧା ତଥା ବ୍ରଜାଙ୍ଗନା ସଖୀମାନଙ୍କର । ସେମାନଙ୍କର ପ୍ରୀତି ନିତ୍ୟ; ସେମାନଙ୍କର କୃଷ୍ଣ ନିତ୍ୟ । ଭକ୍ତିରେ କେବଳ ପ୍ରୟୋଜନ ସିଦ୍ଧି ଦେଖାଯାଏ । ଭକ୍ତିର ଚରମ ଆହ୍ଲାଦ କିନ୍ତୁ ପ୍ରୀତି । ପ୍ରୀତି ହେଲା ନିତ୍ୟ । ଏହା ଗୋପୀମାନଙ୍କର ରସଲୀଳା-ଆଚରିତ ପ୍ରୀତି । ଏହି ପ୍ରୀତି-ସିଦ୍ଧି ହିଁ ସେମାନଙ୍କୁ ସର୍ବସ୍ୱତ୍ୟାଗିନୀ ପରକୀୟା-ରତି ଆଚରଣରେ ଭାଗ୍ୟବତୀ କରାଇଛି । ଏହି ଭାଗ୍ୟବଳରୁ ରାଧା ତଥା ବ୍ରଜଗୋପୀକାମାନେ ସ୍ୱୟଂ ମହାଲକ୍ଷ୍ମୀଙ୍କଠାରୁ ଶ୍ରେଷ୍ଠା । ଲକ୍ଷ୍ମୀ ଅଶ୍ୱୈର୍ଯ୍ୟର ଅଧିଷ୍ଠାତ୍ରୀ-ରାଧା ଏବଂ ଗୋପୀ ପ୍ରେମାଧିଷ୍ଠାତ୍ରୀ । ଗୋପୀ-ପ୍ରଶସ୍ତି-ସମ୍ବନ୍ଧରେ କୁହାଯାଇଅଛି:-

 

‘‘ଧନ୍ୟେୟଂ ଅଦ୍ୟ ଧରଣୀ ତୃଣବିରୁଧସ୍ତ୍ୱତ୍‌

ପାଦସ୍ପୃଶୋ ଦ୍ରୁମଲତାଃ କରଜ ଭିପୃଷ୍ଟଃ ॥

ନଦ୍ୟୋଽଦ୍ରୟଃ ଖଗମୃଗାଃ ସଦୟାବଲୋକୈଃ

ଗୋପ୍ୟୋଽନ୍ତରେଣ ଭୁଜୟୋରପି ଯତ୍‌ ସ୍ପୃହାଶ୍ରୀଃ ॥

(ଶୁକଦେବ)

 

ଧନ୍ୟ ଏ ଧରଣୀ । ଚରସ୍ପର୍ଶରେ ତୃଣ, ଗୁଳ୍ମ ଧନ୍ୟ । ନଖସ୍ପର୍ଶରେ ଧନ୍ୟ ବୃକ୍ଷଲତା । ନଦୀ, ଗିରି ଓ ପକ୍ଷୀ ସଦୟଦର୍ଶନରେ ଧନ୍ୟ । ଆଉ ଧନ୍ୟ ସେହି ଗୋପୀମାନେ, ଲକ୍ଷ୍ମୀ-ବାଞ୍ଛିତ ତୁମର ଭୁଜ ବନ୍ଧନକୁ ଯେଉଁମାନେ ଅବହେଳେ ଲାଭକଲେ ।

 

ଏହି ପ୍ରେମ, ଏହି ଗୌରବକୁ ଘେନି ରାସଲୀଳା ସମୃଦ୍ଧ ।

 

ରାସଧର୍ମ

 

ମାନ ଓ ମିଳନ ଘେନି ରାସଧର୍ମ ପ୍ରତିଷ୍ଠିତ । ପରସ୍ପର ଅନୁରକ୍ତ ନାୟକନାୟିକାଙ୍କର ନେନ୍ତ୍ରାନ୍ତମିଳନ, ଆଲିଙ୍ଗନ ଇତ୍ୟାଦିର ପ୍ରତିବନ୍ଧକତ୍ୱରେ ଉତ୍ପତ୍ତି ହୁଏ ମାନ । ମାନରୁ ଜାତ ହୁଏ ନିର୍ବେଦ, ଶଙ୍କା, କ୍ରୋଧ, ଚାପଲ୍ୟ, ଗର୍ବ, ଅସୂୟା, ଅବିହିତ୍‌ଥା, ଗ୍ଳାନି ଏବଂ ଚନ୍ତା ।

 

ପ୍ରଣୟଭିନ୍ନ ମାନ-ଉଦ୍ଭବ ଘଟିପାରେ ନାହିଁ । ପ୍ରଣୟାତିଶଯ୍ୟରୁ ଜାତ ହୁଏ ଈର୍ଷା-ମାନ । ନାୟକ ପର ବା ଅନ୍ୟ ନାୟିକାଶକ୍ତ ଥିବାର ପ୍ରତୀତି, ଶ୍ରବଣ ବା ଅନୁମାନ ହିଁ ଈର୍ଷା-ମାନର କାରଣ । ଏହିପରି ମାନ ଏବଂ ମାନଭଞ୍ଜନର ସୃଷ୍ଟି ଘଟିଛି ରାସଲୀଳାରୁ । ଶ୍ରୀଗୀତଗୋବିନ୍ଦର ବିଷୟବସ୍ତୁ ଏହି ମାନ-ମିଳନଉପରେ ପ୍ରତିଷ୍ଠିତ ।

 

ରାସ ଶୃଙ୍ଗାର-ରସ-ପ୍ରୋଜ୍ଜ୍ୱଳଲୀଳା । କୁହାଯାଇଅଛି:-

 

‘‘ଶୃଙ୍ଗାର ଉଜ୍ଜ୍ୱଳ ରସରେ ସାର

ଆଉ ଉତ୍କଣ୍ଠା ଅଛି କି ସାର ।

କୃଷ୍ଣ କହନ୍ତି ଶୁଣ ପ୍ରାଣପ୍ରିୟେ ।

ଶୃଙ୍ଗାର-ରସଲୀଳା ଅପ୍ରମେୟ

ଐଶ୍ୱର୍ଯ୍ୟ ମାଧୁର୍ଯ୍ୟବେନି ପ୍ରକାର

 

ଅଇଶ୍ୱର୍ଯ୍ୟରେ ସ୍ୱକୀୟ ବିଚାର ।

ପରକୀୟାରେ ମାଧୁର୍ଯ୍ୟ ବିଶେଷ

ଉତ୍କଣ୍ଠା ପ୍ରେମଭାବ ଅଶେଷ ।’’

(ବ୍ରଜବିହାର - ଦାଶରଥି)

 

Unknown

କାଳ- ବିଚାର

 

ଶ୍ରୀଗୀତଗୋବିନ୍ଦ ବସନ୍ତରାସ-ବିଷୟବସ୍ତୁ ଆଧାରିତ । ବସନ୍ତରାସସମ୍ବନ୍ଧେ ପୁରାଣର ଉଲ୍ଲେଖ ଉପସ୍ଥାପିତ କରାଯାଉଅଛି :-

‘‘ଏକଦା ଶ୍ରୀହରିର୍ନକ୍ତଂ ବନଂ ବୃନ୍ଦାବନଂ ଯଯୌ

ଶୁଭେ ଶୁକ୍ଳା ତ୍ରୟୋଦଶ୍ୟାଂ ପୂର୍ଣ୍ଣଚନ୍ଦ୍ରୋଦୟ ମଧୌ ।’’

(ବ୍ରହ୍ମବୈବର୍ତ୍ତ - ଶ୍ରୀକୃଷ୍ଣ ଜନ୍ମଖଣ୍ଡ)

 

ବାସନ୍ତୀ ଶୁଭ ଶୁକ୍ଳ ତ୍ରୟୋଦଶୀ ପୂର୍ଣ୍ଣଚନ୍ଦ୍ରୋଦୟ ରାତ୍ରରେ ରାସଲୀଳାର ଅୟମାରମ୍ଭ ଘଟିଛି । ଶ୍ରୀକୃଷ୍ଣ ରମଣୀୟ ବୃନ୍ଦାବନରେ ଏହି ସମୟରେ ଉପସ୍ଥିତ ହୋଇ ବ୍ରଜାଙ୍ଗନାମାନଙ୍କର କାମବର୍ଦ୍ଧକ ମୁରଲୀଧ୍ୱନୀ କରିଥିଲେ ।

 

‘‘ଚକାର ତତ୍ର କୌତୁକ୍ୟାତ୍‌ ବିନୋଦ-ମୁରଲୀରବମ୍‌

ଗୋପିନାଂ କାମୁକୀନାଞ୍ଚ କାମୋଦ୍‌ବର୍ଦ୍ଧନ-କାରଣମ୍‌ ।’’

 

ନବ-ବସନ୍ତ ଯେତେବେଳେ ତା’ର ଲଲିତ ମଧୁର କୋମଳ କରସ୍ପର୍ଶରେ ଅଗଣିତ ଗିରି-ନଦୀ-ବନ-ପ୍ରାନ୍ତରମଣ୍ଡିତ ଉତ୍କଳ ପ୍ରକୃତିର ଶ୍ରୀମୁଖରେ ସରସ ସହାସରେଖା ଅଙ୍କନ କରେ, ଧନୀ-ଦରିଦ୍ରର ମନ ମନ୍ଦିରରେ ଅଜାଣତରେ ପୁଲକ-ପ୍ରତିମା ପ୍ରତିଷ୍ଠିତ କରାଇଦିଏ ସେତିକିବେଳେ । ଚୈତ୍ର ମାସରେ ବସନ୍ତରାସ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନୀତି-ନିଷ୍ଠାସହକାରେ ଅନୁଷ୍ଠିତ ହୁଏ । ସ୍ମରଣାତୀତ କାଳରୁ ଏହାର ପ୍ରତିଷ୍ଠା ଅବଧି ପ୍ରଚଳିତ । ଅନ୍ୟାନ୍ୟ ସ୍ଥାନମଧ୍ୟରେ ସାକ୍ଷୀଗୋପାଳ, ବାଣପୁର ଓ ରଣପୁର ପ୍ରଭୃତି ସ୍ଥାନ ରାସଲୀଳାଲାଗି ପ୍ରସିଦ୍ଧ । ଏହା ବ୍ୟତୀତ ଗଞ୍ଜାମର କେତେକ ସ୍ଥାନରେ ବସନ୍ତରାସ ଧର୍ମାଚରଣରୀତିରେ ମଧ୍ୟ ଅନୁଷ୍ଠିତ ହୁଏ । ରଙ୍ଗମଞ୍ଚରେ ତଥା ଲୀଳାଯାତ୍ରାରେ ବସନ୍ତରାସ ବିଷୟବସ୍ତୁରୂପେ ପରିବେଶିତ ହୋଇ ଉତ୍କଳବାସୀଙ୍କ ସ୍ନେହ-ଶ୍ରଦ୍ଧା-ଭକ୍ତି-ପୀଠରୂପେ ସମ୍ମାନ ଲାଭ କରିଆସିଛି । ବସନ୍ତରାସ-ଆଧାରିତ ଜୟଦେବୀ ଶ୍ରୀଗୀତଗୋବିନ୍ଦ ଏହି ଉତ୍ସବମାନଙ୍କରେ ଅନୁକୃତ, ଅନୁସୃତ ଏବଂ ଅନୁବାଦିତ ହୋଇ ପ୍ରଦର୍ଶିତ ହୋଇଆସୁଛି ଯୁଗଯୁଗାନ୍ତ କାଳରୁ । ପ୍ରତିବେଶୀ ବଙ୍ଗ ପ୍ରଦେଶରେ କାହିଁ ହେଲେ ଏହାର ସମ ସମାଦର, ସତ୍ତା ଦୃଷ୍ଟ ହୁଏ ନାହିଁ କିଂବା ଆନୁଷ୍ଠାନିକଭାବେ ରାସ-ଲୀଳା ଅନୁଷ୍ଠିତ ହୋଇଥିବାର ପ୍ରମାଣ ମିଳେ ନାହିଁ ।

ବସନ୍ତ-ରାସପରି ଶରଦ୍ରାସ ଉତ୍ସବ ବହୁଳଭାବରେ ଉତ୍କଳରେ ପ୍ରତିପାଳିତ ହେବାର ଦେଖାଯାଏ ନାହିଁ ।

 

ବସନ୍ତ-ରାସ ଅନୁଷ୍ଠାନ

ବସନ୍ତ-ରାସ ଶରଦ୍ରାସର ପରେ ଅନୁଷ୍ଠିତ ହୁଏ ବୋଲି ପ୍ରସିଦ୍ଧି ରହିଛି । ଇନ୍ଦ୍ରପ୍ରସ୍ଥରୁ ଶ୍ରୀକୃଷ୍ଣ ପୁଣି ବୃନ୍ଦାବନକୁ ଫେରିଯାଇ ବସନ୍ତ-ରାସ ଭିଆଣ କରିଥିବା କଥା ପଦ୍ମପୁରାଣରେ ବର୍ଣ୍ଣିତ ହୋଇଅଛି । ଧର୍ମରାଜ ଯୁଧିଷ୍ଠିରଙ୍କକର୍ତ୍ତୃକ ରାଜସୂୟ ଯଜ୍ଞାନୁଷ୍ଠାନପରେ ବସନ୍ତ-ରାସ ସଂଘଟନର ସୂଚନା ମିଳେ ଶ୍ରୀମଦ୍ଭାଗବତରୁ । ସଂସ୍କୃତ ଭାଗବତର ଏକ ବିଶ୍ୱସ୍ତ ଉତ୍କଳାନୁବାଦର (‘‘ଖାଡ଼ଙ୍ଗା ଭାଗବତ’’ ୧।୧୧।୨୯ ପଦ) ମର୍ମ ଏହିପରି - ‘‘ହେ ପଦ୍ମଲୋଚନ ! ଯେତେବେଳେ ଆମମାନଙ୍କୁ ଛାଡ଼ି ତୁମେ ଇନ୍ଦ୍ରପ୍ରସ୍ଥ ଓ ମଥୁରା ଯାଇଥିଲ, ସେତେବେଳେ ପଲକ କାଳକୁ ଆମେ କୋଟି ଅବ୍ଦ ମନେ କରୁଥିଲୁଁ । ସୂର୍ଯ୍ୟ ବିନା ଯେପରି ଚାରି ଦିଗ ଅନ୍ଧକାର, ଆମର ସେହି ଦୁର୍ଦ୍ଦଶା ଘଟିଥିଲା ।’’

 

ଶିଶୁପାଳର ମରଣ-ସଂବାଦ ପାଇ ଦନ୍ତବକ୍ର ଶ୍ରୀକୃଷ୍ଣଙ୍କସହିତ ଯୁଦ୍ଧ କରିବାକୁ ମଥୁରା ଗଲା । ଶ୍ରୀକୃଷ୍ଣ ମଥୁରା ଯାଇ ଦନ୍ତବକ୍ରକୁ ମାରିବାପରେ ବ୍ରଜପୁରରେ ଉପସ୍ଥିତ ହେଲେ । ସେଠାରେ ପିତାମାତାଙ୍କୁ ଦର୍ଶନ ଓ ଅଭିବାଦନ ଏବଂ ଗୋପୀମାନଙ୍କସହ ପ୍ରେମ-ସମ୍ଭାଷଣ କଲେ । ସେତେବେଳେ ବ୍ରଜରେ ବସନ୍ତ ଋତୁ ସମାଗମ । ବୃନ୍ଦାବନର ତରୁଲତା ବସନ୍ତ-କରସ୍ପର୍ଶରେ ଅତୀବ ରମଣୀୟ ଦିଶୁଥିଲା । ଶ୍ରୀକୃଷ୍ଣ ଏଠାରେ ତ୍ରିଦିବସବ୍ୟାପି ବ୍ରଜରମଣୀଙ୍କ ସହିତମନୋହର ଯମୁନାତୀରରେ ବିହାର କଲେ ।

 

ଏହି ସମୟରେ, ବସନ୍ତକାଳରେ-

‘‘ଶୁଭକ୍ଷଣେ ପ୍ରବିବେଶ ରାଧିକା ରାସମଣ୍ଡଳଂ

ସର୍ବାଭିରାଳିଭିଃ ସାର୍ଦ୍ଧଂ ଧ୍ୟାତ୍ୱା କୃଷ୍ଣପଦାମ୍ବୁଜଂ ।’’

 

ତହୁଁ -

‘‘ଜଗାମ ରସିକାସାର୍ଦ୍ଧଂ ରସିକୋ ରତିମନ୍ଦରଂ’’ (ବ୍ରହ୍ମବୈବର୍ତ୍ତ)

ଏହା ହିଁ ବସନ୍ତ-ରାସ-ଲୀଳା । କେବଳ ରାଧିକା ନୁହନ୍ତି, ଗୋପାଙ୍ଗନାମାନେ ମଧ୍ୟ ଏହି ରାସଲୀଳାରେ ଶ୍ରୀରାଧାଙ୍କର ସହଚାରିଣୀ । ଉଲ୍ଲେଖ ଅଛି -

‘‘ତୟତ୍ରିଂଶତ୍‌ ବୟସ୍ୟାଶ୍ଚ ତାଃ ସୁଶୀଳଦୟଃ ସ୍ମୃତାଃ

ରାଧିକାୟାଃ ପ୍ରିୟତମା ଗୋପିନାଂ ପ୍ରବରା ଯଯୁଃ ।’’

 

ବସନ୍ତ-ରାସ ବିଷୟବସ୍ତୁ ଶ୍ରୀଗୀତଗୋବିନ୍ଦରେ ମହାକବି ଜୟଦେବ ଶ୍ରୀକୃଷ୍ଣଙ୍କ ମୁରାରି, କେଶୀମଥନ, କଂସଧ୍ୱଂସନ ଓ କଂସାରି ପ୍ରଭୃତି ନାମରେ ଆଖ୍ୟାୟିତ କରିଅଛନ୍ତି । ଏପରି କି ଶ୍ରୀମତୀ ସଖୀକୁ କହିଛନ୍ତି - ‘‘ସଖୀ ହେ, କେଶୀମଥନମୁଦାରଂ, ରମୟ ମୟା ସହ... ।’’ ଏହା ପୂର୍ବୋକ୍ତ ଦନ୍ତବକ୍ରବଧପରବର୍ତ୍ତୀ ଘଟଣା ସ୍ମରଣ କରାଇଦିଏ ।

 

ଶ୍ରୀମଦ୍ଭାଗବତରେ ବସନ୍ତ-ରାସର ଉଲ୍ଲେଖ ନାହିଁ । ବ୍ରହ୍ମବୈବର୍ତ୍ତ ପୁରାଣକୁ ଭାଗବତର ପରିପୂରକ ଗ୍ରନ୍ଥ ବୋଲି ଧରାଯାଏ ଏବଂ ପୁରାଣ ଅର୍ବାଚୀନ ବୋଲି ମଧ୍ୟ ମତ ପ୍ରକାଶିତ । ରାଧାକୃଷ୍ଣ-ଲୀଳାସମ୍ବନ୍ଧୀୟ ବହୁ ଗୁଢ଼ତତ୍ତ୍ୱର ଆଲୋଚନା ବିଶେଷଭାବରେ ଏହି ପୁରାଣରେ ବର୍ଣ୍ଣିତ । ‘ଗର୍ଗ ସଂହିତା’ରେ ମଧ୍ୟ ଶ୍ରୀକୃଷ୍ଣ-ଚରିତର ତତ୍ତ୍ୱ ପରିବେଶିତ ହୋଇଅଛି । ବ୍ରହ୍ମବୈବର୍ତ୍ତ ପୁରାଣସହିତ ସାମ୍ୟ ରହିଛି ।

 

ରାସଲୀଳାକାରୀ ଶ୍ରୀକୃଷ୍ଣ ଶିଶୁ ନୁହନ୍ତି - ସେ ଚିରକିଶୋର ଏବଂ ନିତ୍ୟଲୀଳା-ସଂପାଦକ । ଗୋଲୋକର ନିତ୍ୟଲୀଳାରେ ସ୍ୱକୀୟାଭାବ ଏବଂ ବୃନ୍ଦାବନ-ଲୀଳାରେ ଶ୍ରୀକୃଷ୍ଣଙ୍କର ପରକୀୟାଭାବର ପ୍ରାଧାନ୍ୟ ବ୍ରହ୍ମବୈବର୍ତ୍ତ ପୁରାଣର ବର୍ଣ୍ଣନା । ଏହି ପୁରାଣମତେ କୃଷ୍ଣ ଓ ରାଧିକା ବିବାହିତ ଦମ୍ପତି । ବ୍ରହ୍ମା ଏ ବିବାହର କନ୍ୟାକର୍ତ୍ତା । ବିଧିପୂର୍ବକ ଏ ବିବାହ ସମ୍ପାଦିତ । କେବଳ ଲୀଳାବିସ୍ତାର ଓ ରସ-ବୈଚିତ୍ର୍ୟ ପ୍ରଦର୍ଶନଲାଗି ରାସମଣ୍ଡଳରେ ଓ ବ୍ରଜଧାମରେ ସ୍ୱକୀୟା ପରିବର୍ତ୍ତେ ପରକୀୟା ଲୀଳାରସ ବର୍ଣ୍ଣନା କରାଯାଇଅଛି । ବ୍ରଜରେ ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟଭାବ ପ୍ରକଟିତ । ମଧୁରଭାବର ଦୁଇଟି ଦିଗ - ଗୋଟିଏ ସ୍ୱକୀୟା ଏବଂ ଅପରଟି ପରକୀୟା । ଅପ୍ରକଟରେ ସ୍ୱକୀୟା ଏବଂ ପ୍ରକଟଲୀଳାରେ ପରକୀୟାଭାବ ପ୍ରଧାନ ଉପଜୀବ୍ୟ । ଲୀଳାର ଏହା ବହୁସମ୍ମତ ମତ । ତତ୍ତ୍ୱରେ ଯାହା ଅବ୍ୟକ୍ତ, ଲୀଳାରେ ତାହା ପ୍ରକଟିତ । ତତ୍ତ୍ୱରୁ ଲୀଳା ବିକଶିତ । ତତ୍ତ୍ୱ-ବୀଜ-ଲୀଳା ପଲ୍ଲବିତ ତରୁ ।

 

ବସନ୍ତ-ରାସ ବାସୁଦେବ-ତତ୍ତ୍ୱର ପ୍ରକଟ ଲୀଳାଚିତ୍ର । ବ୍ରହ୍ମବୈବର୍ତ୍ତ ପୁରାଣରେ ଏହାର ବିଶଦ ବର୍ଣ୍ଣନାଦୃଷ୍ଟେ ଶ୍ରୀଗୀତଗୋବିନ୍ଦର କଥାବସ୍ତୁ ତାହାର ଅନୁଶ୍ରୁତି ବୋଲି ଧରିବାକୁ ହୁଏ । ଭାଗବତର ଦଶମ ସ୍କନ୍ଧ (ଗୋପଲୀଳା) ବର୍ଣ୍ଣିତ ଶରଦ୍ରାସଠାରୁ ବସନ୍ତ-ରାସର କଥାବସ୍ତୁ ପୃଥକ୍‌ । ଉଭୟତ୍ର କିଶୋର କୃଷ୍ଣଙ୍କର ଅଧିଷ୍ଠାନ । ଏ ମତରେ ବସନ୍ତ-ରାସର ଶ୍ରୀକୃଷ୍ଣଙ୍କୁ ‘ଭୀରୁ’ ଶବ୍ଦ ପ୍ରୟୋଗହେତୁ ‘ଶିଶୁ’ ବୋଲି ଗ୍ରହଣ କରିବା ସମୀଚୀନ ମନେ ହେଉ ନାହିଁ ।

 

ତେଣୁ ଶରଦ୍ରାସ ଏବଂ ଦନ୍ତବକ୍ରବଧପରେ ଶ୍ରୀକୃଷ୍ଣଙ୍କର ଗୋପୀମାନଙ୍କସହ ମିଳନ ଏବଂ ପୁନଃରାସକ୍ରୀଡ଼ା ଅନୁଷ୍ଠିତ ହୋଇଅଛି ।

 

ରାସ କଅଣ ?

 

ରାସର ଉତ୍ପତ୍ତି ରସ-ଶବ୍ଦରୁ । ରସ କି ପ୍ରକାର ପଦାର୍ଥ ? ରସ ବ୍ରହ୍ମାନନ୍ଦ-ସହୋଦରତୁଲ୍ୟ । ସତ୍ତ୍ୱ-ଉଦ୍ରେକଦ୍ୱାରା ଯେତେବେଳେ ରଜଃ ତମୋଗୁଣ ଦୂରକୁ ଅପସରିଯାଏ, ସେତେବେଳେ ଚିତ୍ତରେ ଯେଉଁ ଅଖଣ୍ଡ, ଅପୂର୍ବ ଚମତ୍କାର ବିସ୍ମୟାନନ୍ଦ ଉଦ୍‌ଭାସିତ ହୁଏ, ତାହା ହିଁ ରସ । ସହୃଦୟ ରସିକଚିତ୍ତ ରସର ନିବାସସ୍ଥଳୀ ।

 

ସାହିତ୍ୟ-ଦର୍ପଣକାର ଉତ୍କଳୀୟ ମହାପଣ୍ଡିତ ବିଶ୍ୱନାଥ ରସ ବର୍ଣ୍ଣନାରେ କହିଲେ :-

‘‘ସତ୍ତ୍ୱୋଦ୍ରେକାଦଖଣ୍ଡସ୍ତୁ ସ୍ୱରୂପାନନ୍ଦ ଚିନ୍ମୟଃ ।

ବେଦ୍ୟାନ୍ତର ସ୍ପର୍ଶଶୂନ୍ୟୋ ବ୍ରହ୍ମାସ୍ୱାଦ ସହୋଦରଃ

ଲୋକୋତ୍ତର ଚମତ୍କାରପ୍ରାଣଃ କୈଶ୍ଚିତ୍‌ ପ୍ରମାତୃଭିଃ ।

ସ୍ୱାକାରବଦଭିନ୍ନତ୍ୱେନାୟମାସ୍ୱାଦ୍ୟତେ ରସଃ ।

ରଜସ୍ତମୋଭ୍ୟାମପୃଷ୍ଟଂ ମନଃ ସତ୍ୱମିହୋଚ୍ୟତେ ।’’ (୩।୩୪)

 

ରସାସ୍ୱାଦନଲାଗି ଆଚରିତ କ୍ରୀଡ଼ାର ନାମ ‘ରାସ-କ୍ରୀଡ଼ା’ ।

 

‘ନୃତ୍ୟାଦିଷୁ ଭରତରୀତି ସଂଜ୍ଞେଷୁ ପାତୁମୁପକ୍ରାନ୍ତେଷୁ ଯୋଽଧିର ସୋଲ୍ଲାସୋଜାୟତେ ସ ରସଃ । ତତ୍ସସମ୍ବନ୍ଧୀ ରସୋରାସଃ; ତଦୁଦ୍ରେକେଣ କ୍ରୀଡ଼ା ନୃତ୍ୟବିଶେଷଃ ।

(ବିଜୟଧ୍ୱଜ)

 

ଚିତ୍ତରେ ସତ୍ତ୍ୱର ଉଦ୍ରେକ ହେଲେ ଉଦିତ ହୁଏ ପ୍ରେମ । ପ୍ରେମରସର ପରିପାକ ଘଟେ ଯେଉଁ କ୍ରୀଡ଼ାରେ, ତାହା ରାସକ୍ରୀଡ଼ା ।

 

ପ୍ରେମରସ ! ଏହି ପ୍ରେମ ରସ କାହାର ?

-ପ୍ରେମରସ ଏକାନ୍ତ ପ୍ରେମରାଜ ଶ୍ରୀକୃଷ୍ଣଙ୍କର ।

ପ୍ରେମ ରସର ଅଧିକାରୀ କିଏ ?

- ସେହି ପ୍ରେମରସମୟ ଶ୍ରୀକୃଷ୍ଣ ।

 

ପ୍ରେମ ମଧୁର ରସ । ଏଇ ମାଧୁର୍ଯ୍ୟ ରସର ଆସ୍ୱାଦନ ତଥା ଆସ୍ୱାଦକ ଏକମାତ୍ର ସର୍ବମଧୁର ଶ୍ରୀକୃଷ୍ଣ ।

 

‘‘ମଧୁରଂ ମଧୁରଂ ବପୁରସ୍ୟ ବିଭୋଃ

ମଧୁରଂ ମଧୁରଂ ବଦନଂ ମଧୁରଂ ।

ମଧୁଗନ୍ଧ ମଧୁସ୍ମିତମେତଦେହୋ

ମଧୁରଂ ମଧୁରଂ ମଧୁରଂ ମଧୁରଂ ।’’

(କର୍ଣ୍ଣାମୃତ)

 

ମୂର୍ତ୍ତିମାନ୍‌ ମାଧୁର୍ଯ୍ୟରସଦ୍ୟୋତକ ରସିକଶେଖର ଶ୍ରୀକୃଷ୍ଣ ପ୍ରେମର ସାସ୍ୱାଦନ-ଅଭିଳାଷରେ ଯୋଗମାୟାଙ୍କ ଅବଲମ୍ବନରେ ଶ୍ରୀମତୀ ଏବଂ ଅନ୍ୟାନ୍ୟ ଗୋପାଙ୍ଗନାମାନଙ୍କସହିତ ବ୍ରଜଧାମରେ ଯେଉଁ ଚିଦାନନ୍ଦମୟୀ ପ୍ରେମକ୍ରୀଡ଼ା କରିଥିଲେ, ତାହାର ନାମ ରାସଲୀଳା । କାମୋତ୍ସବ ନୁହେଁ - ଏହା ପ୍ରେମୋତ୍ସବ । ପ୍ରେମ ରତିର ଦୃଢ଼ତା ।

 

‘‘ପ୍ରେମୈବ ଗୋପରାମାଣାଂ କାମ ଇତ୍ୟଗମତ୍‌ ପ୍ରଥାମ୍‌

ଇତ୍ୟୁଦ୍ଧବାଦୟୋଽପ୍ୟେତଂ ବାଞ୍ଛନ୍ତି ଭଗବତ୍‌ପ୍ରିୟାଃ ।’’

(ଭକ୍ତିରସାମୃତ ସିନ୍ଧୁ)

 

ଗୋପରମଣୀଗଣଙ୍କର ପ୍ରେମକୁ ହିଁ ‘କାମ’ ବୋଲି କୁହାଯାଇଅଛି । ବାସ୍ତବରେ କିନ୍ତୁ ଏହା ସାଧାରଣ ଦୃଷ୍ଟିର କାମ ନୁହେଁ - ପ୍ରେମ । ଭଗବତ୍‌ପ୍ରିୟ ଭକ୍ତ ଉଦ୍ଧବାଦି ମଧ୍ୟ ତାହା ବାଞ୍ଛା କରନ୍ତି । ଗୋପନାରୀ ବା ଗୋପୀଗଣଙ୍କର ପ୍ରେମସେବା ଘେନି ପରମସୁଖୀ ହୁଅନ୍ତି ଭଗବାନ୍‌ ଶ୍ରୀକୃଷ୍ଣ । ରାସ ଏକ ଆଧ୍ୟାତ୍ମିକ ରୂପକ - ନୈତିକ ବିଚାର-ବିତର୍କର ଊର୍ଦ୍ଧ୍ୱରେ - ‘‘ନୈଷା ତର୍କେଣ ମତିରାପନେୟା ।’’ (କଠୋପନିଷଦ୍‌) ଏହା ଯୋଗମାୟାଘଟିତ ଅପ୍ରାକୃତ ସଘଂଟନ ।

 

ରହସ୍ୟ-ମଞ୍ଜରୀରେ ଭକ୍ତକବି ଏହି କଥା ଘେନି କହିଛନ୍ତି :-

‘‘ବୋଲନ୍ତି ମାଧବ ଶୁଣ ଯୁବତୀରତନ

ଯେ ଯେଉଁ ବାଞ୍ଛାରେ ମୋତେ କରନ୍ତି ଅର୍ଚ୍ଚନ ଗୋ ।

ସେ ଫଳ ପ୍ରାପତ ତାଙ୍କୁ ଶୁଣିସି ମୃଗାଛି

ଏଥିମଧ୍ୟେ ସନ୍ଧି ମର୍ମ୍ମ ଭିନ୍ନ-ଭିନ୍ନ ଅଛି ଗୋ ।’’

(ରହସ୍ୟମଞ୍ଜରୀ - ୬।୨୨)

 

‘‘ଯେ ଯଥା ମାଂ ପ୍ରପଦ୍ୟନ୍ତେ’’ - ଏହି ବଚନସାର୍ଥକତାରେ

‘‘ଗୋପ୍ୟଃ କାମାତ୍‌।’’

(ଭାଗବତ -୭।୧)

 

- କାମାର୍ପଣଦ୍ୱାରା ଗୋପିକାଗଣ ଶ୍ରୀକୃଷ୍ଣଙ୍କୁ ଲାଭ କରିଥିଲେ ।

‘‘ବ୍ରଜପୁର-ବନିତାଂ ବଦ୍ଧୟନ୍‌ କାମଦେବମ୍‌।’’       (ଭାଗବତ)

- କାମବଶତଃ ହିଁ ଶ୍ରୀକୃଷ୍ଣଙ୍କଠାରେ ଚିତ୍ତାର୍ପଣ କରି ଗୋପୀଗଣ ତାଙ୍କୁ ପାଇଥିଲେ ।

 

ରାସଲୀଳାରେ ଗୋପୀମାନେ ଉପପତିଭାବରେ ଶ୍ରୀକୃଷ୍ଣଙ୍କସହ ରମଣ କରୁଥିଲେ -‘‘ତସ୍ମାତ୍‌ କେନାପ୍ୟୁପାୟେନ ମନଃ କୃଷ୍ଣେ ନିବେଶୟେତ୍‌ ।’’ ଏହି ବିଚାରରୁ ଅନନ୍ୟଚିତ୍ତ ପ୍ରେମବଶତଃ କୃଷ୍ଣପ୍ରାପ୍ତି ହେତୁ ସେମାନଙ୍କର ତାହା ସାର୍ଥକ ରମଣ ।

 

ପ୍ରାକୃତ କାମକ୍ରୀଡ଼ାସହିତ ସୌସାଦୃଶ୍ୟ ଥିବାରୁ ଗୋପୀପ୍ରେମକୁ କୁହାଯାଇଅଛି କାମ । ସାଧାରଣ ପରମ୍ପରାରୀତିଦୃଷ୍ଟିରୁ ଯୁବକଯୁବତୀଙ୍କର ପରସ୍ପରପ୍ରତି ସ୍ୱାଭାବିକ ଆକର୍ଷଣ ହିଁ ‘କାମ’ । ଏହା ପ୍ରତିଜୀବନରେ ବିଦ୍ୟମାନ; କାରଣ, ଏହା ହିଁ ମୂଳ-ସୃଷ୍ଟିରକ୍ଷାର ମନ୍ତ୍ର । ଇନ୍ଦ୍ରିୟସୁଖମଧ୍ୟରେ ଏହାଠାରୁ ଅଧିକ ମୋହକର ଆଉ କିଛି ନାହିଁ । କିନ୍ତୁ କ୍ରମୋନ୍ନତି ସଙ୍ଗେ-ସଙ୍ଗେ ଏପରି ଅବସ୍ଥା ମାନବ-ଜୀବନରେ ସମ୍ଭବ ହେବ ଏବଂ ହୁଏ, ଯେତେବେଳେ ଆତ୍ମେନ୍ଦିୟ ପ୍ରୀତି-ଇଚ୍ଛା ହୋଇପଡ଼େ ଗୌଣ ଏବଂ ମୁଖ୍ୟ ହୁଏ ପ୍ରେମ । ରାସଲୀଳାବିହାରିଣୀ ଗୋପିକାମାନେ ଲାଜ-ମହତ, ଗୁରୁ-ଗୌରବ ମଥାରେ ପଦାଘାତପୂର୍ବକ ନିଜର ସୁଖ ତୁଚ୍ଛ କରି ପ୍ରାଣପ୍ରିୟ ଶ୍ରୀକୃଷ୍ଣଙ୍କ ତୃପ୍ତି ମାନସରେ ସର୍ବସ୍ୱ ଅର୍ପଣ କରିଥିଲେ । ସାଧାରଣ କାମ-ସମ୍ଭବ ଆଲିଙ୍ଗନ, ଚୁମ୍ବନ ଇତ୍ୟାଦିର ପ୍ରୟୋଗ ଥିଲେ ମଧ୍ୟ ତାହା କାମଜ ନୁହେଁ - ପ୍ରେମଜ । ମଦନୋତ୍ସବର ଆୟୋଜନ ନୁହେଁ - ପ୍ରେମୋତ୍ସବର ପୂଜନ ।

 

‘‘ଇଷ୍ଟେ ବ୍ରହ୍ମନିରୂପଣପରାୟେ

ତେମନ୍ତେ ସେ ତା ସର୍ବସୁଖମୟେ

କାମ ନାମ ତାର

ତେଣୁ ବଢ଼ାଏ ସୁରତ-ବିକାର ।’’

(ବିଦଗ୍‌ଧ-ଚିନ୍ତାମଣି)

 

- ସୁରତି-ସମ୍ଭବ ବିକାରମାନ ପ୍ରତୀତ ହେଉଥିବାରୁ ଗୋପୀପ୍ରେମକୁ କାମ କୁହାଯାଇଅଛି । କିନ୍ତୁ ସେ ‘କାମ’ର ରୂପ କିପରି ? ଶ୍ରୀକୃଷ୍ଣ ମୁଖରେ ଏହି କାମସମ୍ବନ୍ଧେ କୁହାଯାଇଅଛି :-

 

‘‘ନ ମୟା ବେଶିତ ଧିୟାଂ କାମଃ କାମାୟ କଳ୍ପତେ

ଭର୍ଜିତା-କଥିତାଦିନା ପ୍ରାୟୋ ବୀଜାୟ ନେଷ୍ୟତେ ।’’

(ଭାଗବତ -୧୦।୧୨)

 

- ଭଜା ବା ଉଷୁନା ଧାନରୁ ଯେପରି ଗଜା ଅଙ୍କୁରିବା ସମ୍ଭବ ନୁହେଁ, ସେହିପରି ମୋଠାରେ ନିବିଷ୍ଟଚିତ୍ତର କାମରେ (ଲୌକିକ) କାମଗନ୍ଧ ରହିପାରେ ନାହିଁ ।

ଏହି କାମଗନ୍ଧବିରହିତା ଗୋପାଙ୍ଗନାମଣ୍ଡଳୀଙ୍କସହିତ ରସରାଜ ରସକ୍ରୀଡ଼ା କରିଥିଲେ ।

 

‘‘ରାସୋତ୍ସବ ସଂପ୍ରବୃତ୍ତୋ ଗୋପୀମଣ୍ଡଳମଣ୍ଡିତଃ

ଯୋଗେଶ୍ୱରେଣ କୃଷ୍ଣେଣ ତାସାଂ ମଧ୍ୟେ ଦ୍ୱୟୋର୍ଦ୍ୱୟୋଃ ।

ପ୍ରବିଷ୍ଟେନ ଗୃହୀତାନାଂ କଣ୍ଠେ ସନ୍ନିକଟଂ ସ୍ୱିୟଃ ।’’

                        (ଭାଗବତ -୧୦)

 

ରାସମଣ୍ଡଳୀମଧ୍ୟରେ ପ୍ରେମିକବର ‘ଗୋପୀ ଗୋଟିକେ କୃଷ୍ଣ ଗୋଟିଏ’ ହୋଇ ଲୀଳାପ୍ରମତ୍ତ ଥିଲେ । ଏ ସମ୍ବନ୍ଧେ ଓଡ଼ିଆ ଭାଗବତବାଣୀ ସ୍ପଷ୍ଟ :-

 

‘‘ଗୋପୀକେ କୃଷ୍ଣରୂପ ହୋଇ ।

ଲୀଳା-ବିନୋଦେ ଭାବଗ୍ରାହୀ ।।

ଯାହାର ନାହିଁ ରୂପରେଖ ।

ଗୋପୀଙ୍କୁ ଦେଲେ ଆତ୍ମସୁଖ ।।’’

 

ଏହା ଠିକ୍‌ ଯେପରି ଲୀଳାଶୁକ କହିଅଛନ୍ତି -

‘‘ଅଙ୍ଗନାମ୍‌ ଅଙ୍ଗନାମ୍‌ ଅନ୍ତରା ମାଧବଃ

ମାଧବଂ ମାଧବଂ ଚାନ୍ତରେଣାଙ୍ଗନା ।

ଇତ୍‌ଥଂ ଆକଳ୍ପିତମଣ୍ଡଳେ ମଧ୍ୟମଃ

ସଂଜଗୌ ବେଣୁନା ଦେବକୀ-ନନ୍ଦନଃ ।’’

 

- ଅର୍ଥାତ୍‌ଯେତେ ଗୋପୀ, ତେତେ କୃଷ୍ଣ । ପ୍ରତିଗୋପୀସହିତ ଅଛନ୍ତି କୃଷ୍ଣ । ଏହା କେବଳ ପ୍ରେମବତ୍ସଳ ଭଗବାନ୍‌ଙ୍କର ଅଶେଷ ରୂପଧାରଣ-ଶକ୍ତିରୁ ସମ୍ଭବ ସିନା ! ରାସର ଗୋପୀକା - ଜୀବାତ୍ମା; ଶ୍ରୀକୃଷ୍ଣ - ପରମାତ୍ମା । ଜୀବ ଏବଂ ପରମଙ୍କର ପ୍ରେମଲୀଳା ହିଁ ରାସୋତ୍ସବ ।

 

ଯେ ପୂର୍ଣ୍ଣ, ଯେ ଆପ୍ତକାମ, ଅନନ୍ତଭୂମା, ସର୍ବତୋମୂଖୀ ନାରାୟଣ, କେବଳ ତାଙ୍କପକ୍ଷରେ ହିଁ ବହୁ ରୂପଧାରଣ ସମ୍ଭବ ।

‘‘ସର୍ଦ୍ଦତଃ ପାଣିପାଦଂ ତତ୍‌ ସର୍ଦ୍ଦତୋଽକ୍ଷି ଶିରୋମୁଖମ୍‌ ।’’

(ଗୀତା -୧୩।୧୩)

 

- ସବୁ ଦିଗରେ ତାଙ୍କର କରଚରଣ, ସବୁ ଦିଗରେ ତାଙ୍କର ଚକ୍ଷୁ, ମସ୍ତକ ଏବଂ ମୁଖ; କେବଳ ତାହାଙ୍କ ପକ୍ଷରେ ହିଁ ଏହି ରସଲୀଳାରଚନା ସମ୍ଭବ । ଏହା ତାଙ୍କର ‘‘ଲୋକବତ୍‌ତୁ ଲୀଳାକୈବଲ୍ୟମ୍‌’’ - ଅର୍ଥାତ୍‌ ଆମୋଦଜନିତ ନିଷ୍ପ୍ରୟୋଜନ କ୍ରୀଡ଼ା, ଯାହା ରାସଲୀଳା ନାମରେ ଖ୍ୟାତ ।

 

ଜୟଦେବ ଲୌକିକ କାମକ୍ରୀଡ଼ାସୁଲଭ ମାନବୀୟ ଭାଷାରେ ଯେ ବର୍ଣ୍ଣନା ଦେଇଛନ୍ତି, ତାହା ଶବ୍ଦାର୍ଥଦିଗରୁ ମାତ୍ର ରାସଲୀଳାରେ ଗ୍ରହଣୋପଯୁକ୍ତ । ଏ ଲୀଳା କାମରାଜଙ୍କ ଅର୍ଚ୍ଚନା ନୁହେଁ - ପ୍ରେମରାଜଙ୍କ ପରିତୃପ୍ତିମାନସରେ ଜୀବର ବ୍ରହ୍ମରାଜନା । ଜୀବ-ପରମର ସମ୍ବନ୍ଧ ନିତ୍ୟ । ପରମ ଭଗବାନ୍‌ଙ୍କ ଅପ୍ରାପ୍ତିରେ ଜୀବ ଯେପରି ଅଚଳ, ପରଂବ୍ରହ୍ମ ଭଗବାନ୍‌ ମଧ୍ୟ ସେହିପରି ଜୀବର ସଙ୍ଗଭିନ୍ନ ନିଥର - ନିଶ୍ଚଳ । ରାସକ୍ରୀଡ଼ା-ଉନ୍ମତ୍ତା ଏହି ବ୍ରଜଗୋପୀମାନେ ଧନ୍ୟା । ସେହିମାନେ ହିଁ ଭାବଗ୍ରାହୀଙ୍କୁ କାନ୍ତାଭାବରେ ଲସାଇ, ରସାଇ, ହସାଇ, କନ୍ଦାଇ ପ୍ରେମରସ ଚାଖି ଚଖାଇପାରିଥିଲେ । ଏଥିପାଇଁ କେବଳ ସେମାନେ ପରକୀୟାରତିଭାବ ଆଦରି ଘେନିଥିଲେ; କାରଣ, ଲୋକଦୃଷ୍ଟିରେ କେବଳ ଅବୈଧ ପ୍ରଣୟମଧ୍ୟରେ ଉତ୍କଣ୍ଠା, ତ୍ୟାଗ ଏବଂ ଉତ୍ସର୍ଗ ପ୍ରବଳ । ସେହିମାନେ ହିଁ ଏକାନ୍ତ ପ୍ରେମ-ପାଗଳିନୀ ।

 

‘‘ସୁରତବର୍ଦ୍ଧନଂ ଶୋକନାଶନଂ

ସ୍ୱରିତ ବେଣୁନା ସୁଷ୍ଟୁ ଚୁମ୍ବିତମ୍‌ ।

ଇତର ରାଗ ବିସ୍ୱାରଣଂ ନ୍ମୃଣାଂ

      ବିତର ବୀର ନମସ୍ତେଽଧରାମୃତ୍‌ମ୍ ॥’’

                              (ଭାଗବତ -୧୦)

 

-ପ୍ରାଣପ୍ରିୟଙ୍କର ଚୁମ୍ବନ, ଅଧରରେ ଅଧର ମିଳନ-ଲାଳସା ଭକ୍ତକୁ କରିଦିଏ ପାଗଳ; ମାନବକୁ କରିଦିଏ ଦେବତା । ଜଗତ୍‌-ପ୍ରକୃତି ପଲକରେ ପରିବର୍ତ୍ତିତ ହୁଏ । ରାସଲୀଳା ଏହି ଭକ୍ତ-ଭଗବାନ୍‌, ଆତ୍ମା-ପରମାତ୍ମା, ଜୀବ-ବ୍ରହ୍ମର ମଧୁର ମିଳନ-ଲୀଳାସ୍ଥଳୀ । ଏହା ପ୍ରେମର ନିବେଦନଭରା - କାମର ନୁହେଁ ।

 

ସହଚରୀ ଗୋପୀମାନଙ୍କର ରାସକ୍ରୀଡ଼ା ପ୍ରେମ-ମହିମା-ବର୍ଣ୍ଣନା-ମୁଖର ଭକ୍ତପ୍ରବର ଦେବଦୁର୍ଲ୍ଲଭ ତାଙ୍କ ‘ରହସ୍ୟମଞ୍ଜରୀ’ କାବ୍ୟର ଷଷ୍ଠ ଛାନ୍ଦରେ ଗାଇଛନ୍ତି -

 

‘‘ହରିଭକ୍ତିମଧ୍ୟେ ପ୍ରେମଭକ୍ତି ଅଟେ ସାର

ସେ ଭକ୍ତି ଅଟଇ କୋଠ ଗୋପୀମାନଙ୍କର ।

X      X      X      X

ସେ ମହାରସ ମଣ୍ଡଳୀ ନିତ୍ୟ ବୃନ୍ଦାବନେ

ତହିଁ ମୁଁ ବଞ୍ଚଇ ରାଧା-ଅଙ୍ଗ-ଆଲିଙ୍ଗନେ ।’’

 

ଗୋପୀପ୍ରେମ ‘କାମ’ ନୁହେଁ - ଏହା ଶ୍ରୀକୃଷ୍ଣାର୍ପିତ ପ୍ରେମ ବା ଭକ୍ତି । ବୈଧୀ ଓ ରାଗାନୁଗା ନାମକ ଭକ୍ତିର ଦୁଇ ବିଭାଗମଧ୍ୟରୁ ବ୍ରଜାଙ୍ଗନାମାନେ ଆତ୍ମସୁଖ ଓ ସମାଜ-ବନ୍ଧନ କ୍ରିୟାକୁ ଉପେକ୍ଷା କରି କେବଳ ଶ୍ରୀକୃଷ୍ଣୈକ ଚିତ୍ତରେ ପ୍ରେମସାଗରରେ ମଗ୍ନ ଥିବାରୁ ସେମାନେ ରାଗାନୁଗା-ଭକ୍ତିର ଅଧିକାରିଣୀ । ବୈଧୀଭକ୍ତି ଭଗବାନ୍‌ଙ୍କ ଚରଣ-ପୂଜନମାନସରେ ଶାସ୍ତ୍ରାନୁମୋଦିତ ବିବିଧ ଅନୁଷ୍ଠାନଦ୍ୱାରା ସୀମିତି ।

 

ରାଗାନୁଗା-ଭକ୍ତି ରାଗାତ୍ମିକା-ଭକ୍ତିର ଅନୁଗତା । ରାଗାତ୍ମିକା ଭକ୍ତି କାମରୂପା ଏବଂ ସମ୍ବନ୍ଧରୂପା ବିଚାରରେ ଦ୍ୱିବିଧ । କାମାନୁରୂପ ବିଭାବସମନ୍ୱିତ ହୋଇ ଗୋପୀପ୍ରେମ ବିବିଧ ରସକ୍ରୀଡ଼ାର ଅପରୂପ ମାଧୁରୀବିକାଶର କାରଣ ହୁଏ ବୋଲି ଏହା ‘କାମରୂପା’ । କେବଳ ସମ୍ବନ୍ଧବଦ୍ଧ ଭକ୍ତିହେତୁ ଗୋପଗୋପାଳମାନଙ୍କ ଭକ୍ତି ‘ସମ୍ବନ୍ଧରୂପା’।

 

ସେହିପରି ରାଗାନୁଗା ଭକ୍ତି ମଧ୍ୟ କାମାନୁଗା ଓ ସମ୍ବନ୍ଧାନୁଗା ଗୁଣରେ ଦ୍ୱିବିଧ । କାମାନୁଗା ଭକ୍ତି କାମରୂପାର ଅନୁକାରିଣୀ ତୃଷ୍ଣା-ବିଶେଷ । ଲୀଳାଦର୍ଶନ ଓ ରସଶ୍ରବଣରେ ଭାବାନୁରାଗାତ୍ମିକା ଭକ୍ତି-କାମାନୁଗା । ଜୟଦେବ ଏହି ରାଗାନୁଗାଭକ୍ତିର ଅଧୀନ କାମାନୁଗା ଭକ୍ତିର ପୂଜାରୀ ।

 

କୁଳ-ଶୀଳ-ସମାଜ-ମର୍ଯ୍ୟାଦା-ଲଙ୍ଘନକାରିଣୀ ପରକୀୟା ନାୟିକାର ଭକ୍ତି ବା ପ୍ରେମ ‘କାମାନୁଗା’ । ‘ପରକୀୟା’ର ଲକ୍ଷଣ ହେଲା -

‘‘ରାଗେଣୈବାର୍ପିତାତ୍ମାନୋ ଲୋକ ଯୁଗ୍ମାନେ ପକ୍ଷିଣାଃ

ଧର୍ମ୍ମେଣାସ୍ୱୀକୃତା ଯାସ୍ତୁ ପରକୀୟା ଭବନ୍ତି ତାଃ ।’’

(ଉ: ନୀ:)

 

ଏହାର ଟୀକାକାର ଶ୍ରୀ ରୂପଗୋସ୍ୱାମୀ କହିଛନ୍ତି -‘‘ଅନ୍ତରଙ୍ଗେଣ ରାଗେଣ ଅର୍ପିତାତ୍ମାନୋ; ନ ତୁ ବହିଃରଙ୍ଗେଣ ବିବାହ- ପ୍ରକ୍ରିୟାତ୍ମକ ଧର୍ମ୍ମେଣ ।’’ ଯେଉଁ ରମଣୀ ସ୍ୱୀୟା ଅନ୍ତରଙ୍ଗ ଅନୁରାଗବଶତଃ ଇହପରଲୋକ ଉପେକ୍ଷା କରି ପରପୁରୁଷଠାରେ ନିଜକୁ ସମର୍ପଣ କରେ ଏବଂ ଯେ ବହିଃରଙ୍ଗ ବିବାହାଦି ଲୌକିକ ଧର୍ମର ଅପେକ୍ଷା ରଖେ ନାହିଁ, ସେ ପରକୀୟା ।

 

ଏହି ରୀତିରେ ବ୍ରଜବଧୂଗଣ ଶ୍ରୀକୃଷ୍ଣଙ୍କର ପରକୀୟା । ଏମାନଙ୍କର ସୌଭାଗ୍ୟରେ ସ୍ୱୟଂ ମହାଲକ୍ଷ୍ମୀ ମଧ୍ୟ ଈର୍ଷାନ୍ୱିତା ।

 

‘‘ନାୟଂ ଶ୍ରୀୟୋଽଙ୍ଗଭ ନିତ୍ୟନ୍ତରତେ ପ୍ରସାଦଃ

ସ୍ୱର୍ଯୋଷିତାଂ ନଳିନଗନ୍ଧରୁଚାଂ କୁତୋଽଥାଃ ।

ରାସୋତ୍ସବେଽସ୍ୟ ଭୁଜଦଣ୍ଡ-ଗୃହୀତ କଣ୍ଠ-

ଲବ୍‌ଧାଶିଷାଂ ଯ ଉଦ୍‌ଗାଦ୍‌ବ୍ରଜବଲ୍ଲଭୀନାମ୍‌ ।’’

(ଭାଗବତ -୧୦।୪୭।୬୦)

 

ଦେବୀ ମହାଲକ୍ଷ୍ମୀ ସାଧ୍ୱୀଶିରୋମଣି; ତଥାପି ସେ ଶ୍ରୀକୃଷ୍ଣ-ସରାଗିଣୀ ଗୋପୀମାନଙ୍କର ରୀତି ଅନୁଗାମିନୀ ହୋଇ ତାଙ୍କରିଭଳି କୃଷ୍ଣ-ସଙ୍ଗ ଲାଭ କରିବାକୁ ଉତ୍କଣ୍ଠିତା । କୃଷ୍ଣଗତପ୍ରାଣା ରାଧା ତାଙ୍କ ଦୃଷ୍ଟିରେ -

‘‘ଗୁଣୈଃ ଅତି ଗରୀୟସୀ

ହରେଃ ଅତ୍ୟନ୍ତ ବଲ୍ଲଭା ।’’

 

ପରକୀୟା ବା କାମାନୁଗା ପ୍ରୀତିସାଧନହେତୁ ଶ୍ରୀମତୀ ‘ହରେଃ ଅତ୍ୟନ୍ତ ବଲ୍ଲଭା ।’ ଏହି ପ୍ରୀତି ସମର୍ଥା-ରତି ବୋଲାଏ ।

 

ଗୋପୀ - କେବଳ ଆତ୍ମସୁଖ ଅଭିଳାଷିଣୀ - ତାହା ସମର୍ଥା ରତି ।

ମଥୁରାବାସିନୀ - ନିଜ ସୁଖବାଞ୍ଛିତା - ତାହା ସାଧାରଣୀ ରତି ।

ଦ୍ୱାରକାବାସିନୀ - ନିଜ ତଥା ସ୍ୱାମୀସୁଖ-ଆକାଂକ୍ଷିତା - ତାହା ସମଞ୍ଜସା ରତି ।

 

ଏଣୁ ରସଲୀଳା-ସଙ୍ଗନୀ ଗୋପୀମାନଙ୍କର ରତି ‘ସମର୍ଥା’ । କେବଳ କୃଷ୍ଣପ୍ରୀତିସମ୍ପାଦନ ଅଭିଳାଷ ଘେନି ସେମାନେ ରାସକ୍ରୀଡ଼ାରେ ଆତ୍ମୋତ୍ସର୍ଗ କରିଥିଲେ । ରସରାଜ ଏ ଲୀଳାର ନାୟକ । ରାସରସ ଲୌକିକ କାମଗନ୍ଧସମ୍ବନ୍ଧବିବର୍ଜିତ । ରାସକ୍ରୀଡ଼ାରେ ‘ରସୋ ବୈ ସଃ’ଙ୍କର ରସ-ବିଚ୍ୟୁତି ଘଟିନାହିଁ ।

 

‘‘ଗୋପ ଅବଳା ଘେନି ସଙ୍ଗେ

ହରି ରମିଲେ ଆତ୍ମା ରଙ୍ଗେ ।

ଯାହାର ନାହିଁ ରସ-ଚ୍ୟୁତି

ଅଚ୍ୟୁତ ନାମ ଏଣୁ ଖ୍ୟାତି ।’’

(ଭାଗବତ -୧୦)

 

ସେହିପରି ଭକ୍ତକବି ଦେବଦୁର୍ଲ୍ଲଭ ଦାସ କଳ୍ପନା-ଦୃଷ୍ଟିରେ ରାସଲୀଳା ସଂଦର୍ଶନ କରି ମୁଗ୍‌ଧ ହୋଇ ଲେଖିଛନ୍ତି -

‘‘ନାଚନ୍ତି ଗାବନ୍ତି ନୃତ୍ୟନ୍ତି ବାଳା

ଉନ୍ମଦ ମଦନଶରେ ବେଭୋଳା ।

ଗତି ଭ୍ରାନ୍ତି ଚାତୁରୀ ମାଧୁରୀ ସାଜେ

ସ୍ମର ଘୋର ଯୁଦ୍ଧ ଗାରିମା ଗାଜେ ।’’

 

ଆହୁରି ମଧ୍ୟ ତାଙ୍କର ରାସରସପୂରିତ କର୍ଣ୍ଣ ରାସଲୀଳା-ଆଚରିତ ସଙ୍ଗୀତ ଶ୍ରବଣରେ ଆତ୍ମହରା । ଭକ୍ତକବି ରାସନୃତ୍ୟର ସଙ୍ଗୀତରେ ସ୍ୱର ମିଳାଇ ଏବଂ କଳ୍ପନା-ମୁଗ୍‌ଧ ନୟନସମ୍ମୁଖରେ ଦୃଶ୍ୟ ଦେଖି ଗାଇଛନ୍ତି -

‘‘ଝମକ ଝମକ ତାଳ ଝମକେ

କିଙ୍କିଣି ରୁଣୁଝୁଣୁ ଚିତ୍ତ ଚମକେ ।

ଠଣରଣ ଘରଘରୀ ଘଣ୍ଟିର ନାଦେ

ମୁଖରିତ ମଞ୍ଜରୀ ପାଦେ ବିବାଦେ ।’’

(ର: ମ: -୧୯।୫)

X      X      X      X

 

ରାସ-ରସପାଗଳ ରହସ୍ୟ-ମଞ୍ଜରୀର କବି ଦେବଦୁର୍ଲ୍ଲଭ ରସ-ତନ୍ମୟଚିତ୍ତରେ ସ୍ୱୟଂ ଲେଖିଦେଇଯାଇଛନ୍ତି -

‘‘ଶୁଣ ସାଧୁଜନ ଅପୂର୍ବ ରସ

ମନେ ନ ଧରିବ କବିତ୍ୱ ଦୋଷ ।

କବିତ୍ୱ ଆୟତ୍ତ ନୋହେ ଏମାନ

ତେତେବେଳେ ତ ହେ ବୁଡ଼ିଥାଇ ନିଜ ଜ୍ଞାନ ୟେ ।’’

 

ଅପ୍ରାକୃତ ଲୀଳାରେ ପ୍ରାକୃତ ପୁଟ ଦେଇ ମହାକବି ବସନ୍ତ-ରାସର ରସ-ବର୍ଣ୍ଣନା କରିଛନ୍ତି, ଦେହୀକୁ ଅଦେହୀର ସାନ୍ନିଧ୍ୟ ଲାଭ କାମନା ଘେନି । ଏହି ରାସ-ରସବର୍ଣ୍ଣନାରେ ବିରହର ସୂତ୍ରପାତ ଘଟିଛି; ତେଣୁ ତାହା ପରକୀୟା । ସ୍ୱକୀୟା ରତିରେ ଅଛି କେବଳ ମିଳନ - ନାହିଁ ବିରହ । କିନ୍ତୁ -

 

‘‘ସଙ୍ଗମ ବିରହ ବିକଳ୍ପେ ବରମିହ । ବିରହୋ ନ ସଙ୍ଗମସ୍ତ୍ୱସ୍ୟାଃ ।’’ ରାସଲୀଳା ମନମୋହନଙ୍କର ‘ମୋହନ’ ଅଧିବାସ ।

 

ପ୍ରଶ୍ନଉଠେ - ଏହି ‘ଅଧିବାସ’, ଏହି ରାସଲୀଳା ରସ, ଆସ୍ୱାଦନର ଅଧିକାରୀ କିଏ ? - ପ୍ରାଣ ଯାହାଙ୍କର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଚରଣରେ ନିବେଦିତ । ଯେ କାମଜୟୀ, ସେ କେବଳ ଏହି ଲୀଳା ଦର୍ଶନ ଶ୍ରବଣର ଅଧିକାରୀ । ଅନ୍ୟଥା ଏହା ‘କ୍ଷୁରସ୍ୟ ଧାରା ନିଶିତା ଦୂରତ୍ୟୟା’ ଶାଣିତ କ୍ଷୁରଧାରପରି ବିଷମ ।

 

‘‘ନୈତଂ ସମଚରେତ୍‌ ଜାତୁ ମନସାପି ହ୍ୟନୀଶ୍ୱରଃ

ବିନଶ୍ୟତ୍ୟାଚରନ୍‌ ମୌଢ଼ାନ୍‌ ଯଥାଽରୁଦ୍ରୋଽଝିଜଂ ବିଷମ୍‌ ।’’

 

ଅନଧିକାରୀପକ୍ଷେ ରାସଲୀଳା କେବଳ କାମବର୍ଦ୍ଧକ । ଋଦ୍ରଦେବଙ୍କ ଭିନ୍ନ ଗରଳପାନର ଅଧିକାର କାହାର ନାହିଁ । ଶୁକଦେବଙ୍କର ଏହା ସାବଧାନୀ ବାଣୀ ।

 

ଭକ୍ତକବି ଜୟଦେବ ମଧ୍ୟ ଏହି ଆପ୍ତବାଣୀର ପ୍ରତିଧ୍ୱନି ଶୁଣାଇଛନ୍ତି ଗ୍ରନ୍ଥ-ପ୍ରାରମ୍ଭରୁ । ତହିଁପରେ ପରିବେଶିତ ହୋଇଛି ରାସ - ‘ବସନ୍ତରାସ’, ଯାହା ଶ୍ରୀଗୀତଗୋବିନ୍ଦ ନାମରେ ପ୍ରଖ୍ୟାତ ।

 

ରାସ-ରସରସିକ- ‘ଅନୁଗ୍ରହାୟ ଭକ୍ତାନାଂ ମାନୁଷ ଦେହମାଶ୍ରିତଃ’ - ମାଧୁର୍ଯ୍ୟ ରସମୂର୍ତ୍ତି ରସରାଜଙ୍କର ବ୍ରଜେଶ୍ୱରୀ ରସମୟୀ ଶ୍ରୀରାଧା ଏବଂ ବ୍ରଜାଙ୍ଗନାମାନଙ୍କସହିତ ମଧୁକାଳୀନ ମଧୁର-ମିଳନକୁ କୁହାଯାଇଛି ‘ବସନ୍ତରାସ’ -ରାସକ୍ରୀଡ଼ା । ମାନବଚିତ୍ତର ସତ୍ତ୍ୱଭାବଜାତ ରଜଃ ଏବଂ ତମୋଗୁଣ ଅନ୍ତର୍ହିତ ହେଲେ ଯେଉଁ ସଦାନନ୍ଦ ଚିନ୍ମୟଭାବ ଅନ୍ତରରେ ସମୁଦିତ ହୁଏ, ତାହାହିଁ ବ୍ରହ୍ମାନନ୍ଦ ସହୋଦର । ‘ରସ’ ନାମରେ ଏହା ପ୍ରଖ୍ୟାତ । ରସର ଚରମ ବିକାଶକ ହେଲା ରାସ । - ‘‘ନୃତ୍ୟଗୀତ ଚୁମ୍ବନାଲିଙ୍ଗନାଦିନାଂ ରସାନଂ ସମୂହୋ ରାସ । ତନ୍ମୟୀ ଯା କ୍ରୀଡ଼ା ସା ରାସକ୍ରୀଡ଼ା ।’’

 

ଭକ୍ତକବି ପିଣ୍ଡିକ ଶ୍ରୀଚନ୍ଦନେ ମହାକବି ଜୟଦେବଙ୍କ ଅନୁସରଣରେ ଲେଖିଛନ୍ତି -

‘‘ନବ ବସନ୍ତ ସମୟ

ନବ ବୃନ୍ଦାବନ ରସମୟ’’

(ବସନ୍ତରାସ)

 

ଏହିକାଳରେ ମୋହନବେଣୁର ଆତୁର ଆହ୍ୱାନ ଏଡ଼ି ନ ପାରି ଭକ୍ତିମତୀ ବ୍ରଜଗୋପିକାଗଣ ରାସକ୍ରୀଡ଼ାରେ ପ୍ରମତ୍ତ ହେଲେ, କୌଣସି ବାଧାବନ୍ଧନ ନ ମାନି ଜୀବନର ସର୍ବସ୍ୱ ଶ୍ରୀକୃଷ୍ଣଚରଣାର୍ପିତ କରି ।

 

‘‘ତା ବାର୍ଯ୍ୟମାଣାଃ ପତିଭିଃ ପିତୃଭିର୍ଭାତୃବନ୍ଧୁଭିଃ ।

ଗୋବିନ୍ଦାପହୃତାତ୍ମାନୋ ନ ନ୍ୟବର୍ତ୍ତନ୍ତ ମୋହିତାଃ ।

(ଭାଗବତ -୧୦ମ । ଅ୨୯।୮)

 

ରାସ-ରସମୁଗ୍‌ଧ କବି ଏହି ଅବସରରେ ଗାଇଛନ୍ତି -

‘‘କଦମ୍ବ-ବନେ ବଂଶୀ ବାଜିଲା ରେ ସଜନୀ

ରାଧା ଦମ୍ଭଶିଖରୀ ଭାଜିଲା ରେ ।’’

(ଗୋପାଳକୃଷ୍ଣ)

 

ବସନ୍ତେ ବାସନ୍ତୀ-କୁସୁମ

 

‘‘ବସନ୍ତେ ବାସନ୍ତୀ-କୁସୁମ...

X      X      X      X

ବଳଦ୍‌ବାଧାଂ ରାଧାଂ ସରସମିଦମୁଚେ ସହଚରୀ ।’’

 

ବୁଝିବାକୁ ଗଲେ ଏଇ ଶ୍ଳୋକରେ ହିଁ ମହାକବି କାବ୍ୟର ବିଷୟବସ୍ତୁ ସୂଚନା ଦେଇଛନ୍ତି ।

 

ବସନ୍ତକାଳ, ବାସନ୍ତୀସୁମନସୁକୁମାରୀ ଅସମ କନ୍ଦର୍ପପୀଡ଼ାବିଦଗ୍‌ଧା ପ୍ରିୟମିଳନ ଅଭିଳାଷିଣୀ ଶ୍ରୀମତୀ ବୃନ୍ଦାବନର ବନକାନ୍ତାରରେ ଖୋଜିବୁଲୁଥିଲେ ରାସରସିକ ନଟବର ନାଗର ପ୍ରେମର ଗୁରୁ କୃଷ୍ଣଚନ୍ଦ୍ରଙ୍କୁ ।

 

ଏତିକିବେଳେ ଶ୍ରୀମତୀଙ୍କୁ ‘ସରସମିଦ ମୁଚେ ସହଚରୀ’ - ଏହାରିପରେ ଆରମ୍ଭ ‘ଆରମ୍ଭ ‘ବସନ୍ତ-ରାସୋତ୍ସବ’ - ଯାହା ଶ୍ରୀଗୀତଗୋବିନ୍ଦର ବିଷୟବସ୍ତୁ ।

 

ଏଇଠି ବିଚାରକୁ ଆସେ ଗ୍ରନ୍ଥର ପ୍ରଥମ ଶ୍ଳୋକବର୍ଣ୍ଣିତ ଘଟଣା-

 

- ଭାରି ମେଘ, ରାତି ମୁହାଇଁଆସୁଛି । ଅନ୍ଧାର ତମାଳବନ । ଗୋପରାଜ ନନ୍ଦ ରାଧିକାଙ୍କୁ କହିଲେ - କାହ୍ନୁ ବାଳୁତ । ଡରିବ ସେ ଏ ଅନ୍ଧାର ବର୍ଷାରେ । ଟିକିଏ ଘରେ ପହୁଞ୍ଚାଇଦିଅ ତାକୁ ।

 

ଏହିପରି ହୁଏ ଶ୍ଳୋକଟିର ସାଧାରଣ ଅର୍ଥ । ଶ୍ରୀଗୀତଗୋବିନ୍ଦର ପ୍ରଥମ ଶ୍ଳୋକର ଆଲୋଚନାରେ ଏ ସମ୍ବନ୍ଧେ ଦି’କଥା ସୂଚାଇଦିଆଯାଇଛି । ବର୍ତ୍ତମାନ ପୁଣି ଲୋଡ଼ାପଡ଼ୁଛି ସେଇ ପ୍ରଥମ ଶ୍ଳୋକର ଏ ଶ୍ଳୋକସହିତ ସମ୍ବନ୍ଧବିଚାର ।

 

ପ୍ରଥମ ଶ୍ଳୋକାନୁସାରେ ‘‘ରାଧାମାଧବୟୋର୍ଜୟନ୍ତି ଯମୁନା କୂଳେ ରହଃକେଳୟଃ’’ ଲେଖା ହେବାପରେ ଅମନ୍ଦ କନ୍ଦର୍ପଜ୍ୱର ପ୍ରପୀଡ଼ିତା ରାଧା -‘‘ଭ୍ରମନ୍ତୀଂ କାନ୍ତାରେ ବହୁବିହିତକୃଷ୍ଣାନୁସରଣାମ୍‌’’ ଏକଥା କହିଛନ୍ତି ମହାକବି ।

 

ଏହିଠାରେ ପ୍ରାରମ୍ଭିକ ଶ୍ଳୋକର ସାଧାରଣ ଅର୍ଥ ଦୃଷ୍ଟିରୁ ଏ ଶ୍ଳୋକଟିର କଥାବସ୍ତୁ ସଂଯୋଗ ଘେନି ସାଧାରଣତଃ ଅସଂଗତ ବୋଧହୁଏ ।

 

ପ୍ରଥମଶ୍ଳୋକ ବର୍ଣ୍ଣନାନୁସାରେ ବର୍ଷା, ମେଘ, ଅନ୍ଧାର, ରାତ୍ରିଆଗମ ଏବଂ ଏ ଶ୍ଳୋକରେ ଋତୁବସନ୍ତ, ବିରହ ଉଦ୍ଦୀପନାର ଅନ୍ୟତମ ଅନୁପ୍ରେରତ ଚନ୍ଦ୍ରକିରଣର ଅନୁଚିନ୍ତା ।

 

ପୁଣି - ‘‘ସରସମିଦମୁଚେ ସହଚରୀ ।’’

‘‘ତେବେ, ଏ ସହଚରୀଟି ପୁଣି କାହୁଁ ଅଇଲେ ?’’

 

- ଏପରି ସବୁକଥା ବିଚାରିବାବେଳକୁ ପ୍ରଥମ ଶ୍ଳୋକର କେତେକ ଗୁଣୀଜନଙ୍କର ବିଭିନ୍ନ ଭାଷାର ଟୀକାପ୍ରତି ଅନୁରାଗ ଊଣା ହୋଇ ଆସେ । ମନେହୁଏ ଯେପରି ଟୀକାରେ ପ୍ରଥମ ଶ୍ଳୋକ ଏବଂ ଆଲୋଚିତ ଶ୍ଳୋକ ମଧ୍ୟରେ ଭାବସଙ୍ଗତିର ଯୁକ୍ତିଯୁକ୍ତ ସମ୍ବନ୍ଧ ବ୍ୟାହତ ହୋଇଅଛି ।

 

ଅନେକେ ମତଦିଅନ୍ତି ଯେ, ରାଣାକୁମ୍ଭ ଗୀତଗୋବିନ୍ଦର ପ୍ରଥମ ଟୀକାକାର । ଟୀକାର ନାମ ‘ରସିକପ୍ରିୟା’ । ପୁସ୍ତକରୂପେ ଏହା ପ୍ରକାଶିତ ହୋଇଅଛି ଏବଂ ପ୍ରଥମ ପ୍ରକାଶକାଳ ପ୍ରାୟ ଅଠରଶ ଶତାବ୍ଦୀର ପ୍ରାନ୍ତ ଦଶକ ବୋଲି ଅନୁମାନ କରାଯାଏ । କାରଣ ମୋଦ୍ୱାରା ସଂଗୃହୀତ ଟୀକାଟିର ପକାଶକାଳ ୧୯୧୭ ଏବଂ ଏହା ପଞ୍ଚମ ସଂସ୍କରଣ ରୂପେ ବୋମ୍ବାଇ ନିର୍ଣ୍ଣୟସାଗର ମୁଦ୍ରଣାଳୟରୁ ‘ରସ-ମଞ୍ଜରୀ’ ଟୀକାସହିତ ଏକତ୍ର ପ୍ରକାଶିତ ।

 

ଉଭୟ ଟୀକାକାର ପ୍ରଥମ ଶ୍ଳୋକ (ମେଘୈର୍ମେଦୂରଂ...) ଏବଂ ଏହି ଶ୍ଳୋକ (ବସନ୍ତେ ବାସନ୍ତୀ-କୁସୁମ...) - ଦୁଇଟିର ବିଷୟ ସଂପୃକ୍ତି ପ୍ରତି ବିଶେଷ ଲକ୍ଷ୍ୟ ଦେଇଥିବାପରି ମନେ ହେଉନାହିଁ । ପ୍ରଥମ ଶ୍ଳୋକରେ ରାଧା ଏବଂ କୃଷ୍ଣ ନନ୍ଦରାଜାଙ୍କ ନିର୍ଦ୍ଦେଶରେ ଏକତ୍ର ଯମୁନାତଟବାହୀ ପଥ ଅନୁସରଣ କଲେ ଏବଂ ଏ ଶ୍ଳୋକରେ ସେହି ଯୁଗଳର ବିଚ୍ଛେଦ ବର୍ଣ୍ଣନା । ଏଣେ ଶ୍ରୀମତୀ ବିରହ ଦହନ ସହି, ଦହି ହେଉଛନ୍ତି - ତେଣେ ଶ୍ରୀକୃଷ୍ଣ ଅନ୍ୟାନ୍ୟ ବ୍ରଜବାଳାମାନଙ୍କ ସହ ରାସନୃତ୍ୟରେ ପ୍ରମତ୍ତ ।

 

ଆଲୋଚିତ ଶ୍ଳୋକରେ ପୁଣି ତୃତୀୟ ଚରିତ୍ରରୂପେ ଏକ ସହଚରୀ ଦେଖା ଦେଇଛନ୍ତି ।

 

ଯଦି ‘ବାଳକତ୍ୱାତ୍‌ଭୀରୁଃ’ ବୋଲି ଶ୍ରୀକୃଷ୍ଣଙ୍କୁ ଧରାଯାଏ, ତେବେ ଘଟଣାପରମ୍ପରା ଭ୍ରାନ୍ତି ଉପୁଜାଇବାରେ ବିଚିତ୍ର କଅଣ ? ଯଦି ଏହା ମାୟାଧରଙ୍କ ଛଳନା ଅର୍ଥାତ୍‌ ନନ୍ଦଙ୍କ ଗହଣରେ ଶ୍ରୀକୃଷ୍ଣ ବାଳକ ଏବଂ ରାଧାଙ୍କ ମିଳନବେଳେ ସେ ଯୁବକ, ତେବେ ମଧ୍ୟ ସେଦୁହେଁ ଏକତ୍ର ବାହାରିଯାଇ ପୁଣି ବିଚ୍ଛେଦ ଘଟିଲା କିପରି ? ରାଧିକା ତାଙ୍କୁ ଖୋଜିବୁଲିଲେ କିପରି ?

 

ଏହି ଦୁଇଟି କଥାର ବିଚାରଦୃଷ୍ଟିରୁ ଯଦି ‘ଇତ୍‌ଥଂ ନନ୍ଦ ନିଦେଶତଃ’ର ଅର୍ଥ କେହି ସହଚରୀର ଶ୍ରୀମତୀଙ୍କ ପ୍ରତି ଆନନ୍ଦ (ନନ୍ଦ ଶବ୍ଦର ଏକ ଅର୍ଥ) ନିର୍ଦ୍ଦେଶ କିମ୍ବା ନନ୍ଦନାମକ ବଂଶୀ ସ୍ୱନରେ ଶ୍ରୀମତୀଙ୍କୁ ଆହ୍ୱାନ ବୋଲି ଅର୍ଥ ଧରାଯାଏ ତେବେ ଏହି ଶ୍ଳୋକ ସହିତ ପ୍ରଥମ ଶ୍ଳୋକର ସମ୍ବନ୍ଧ ଅପ୍ରାସଙ୍ଗିକ ହେବନାହିଁ ବୋଲି ମନେହୁଏ ।

 

ବିଭିନ୍ନ ପ୍ରକାର ବଂଶୀ ସମ୍ବନ୍ଧେ ସଙ୍ଗୀତ ନାରାୟଣ ଗ୍ରନ୍ଥରେ ଉଲ୍ଲେଖ ଅଛି । ଯଥା -

‘‘ମହାନନ୍ଦସ୍ତଥା ନନ୍ଦୋ ବିଜୟୋଽଥ ଜୟୋସ୍ତଥା

ଚତ୍ୱାର ଉତ୍ତମା ବଂଶା ମାତଙ୍ଗ-ମୁନି-ସମ୍ନତାଃ ।

ଦଶାଙ୍ଗୁଳୋ ମହାନନ୍ଦୋ ନନ୍ଦ ଏକାଦଶାଙ୍ଗୁଳଃ ।’’

X      X      X      X      X

 

ବ୍ରଜ ଗୋପିକାଗଣ କୃଷ୍ଣ ପ୍ରାପ୍ତି କାମନାରେ କୁଳବର୍ଜନ ପୂର୍ବକ ଲୋକଦୃଷ୍ଟିରେ କୁଳଟାପବାଦ ବରଣକରିଛନ୍ତି । ବଂଶୀ ହିଁ ବିଶେଷାଂଶରେ ଏହି ଅପବାଦ ପଶରା ଲଦିଦେଇଛି ରାଧା ଏବଂ ବ୍ରଜର ଗୋପୀମାନଙ୍କ ମଥାରେ । ଏହି କଥାର ଅନୁସରଣକରି ଉତ୍କଳୀୟ ଭକ୍ତକବି ସଙ୍ଗୀତକାର ବନମାଳି ଗାଇଛନ୍ତି -

‘‘ଦିନେ ନ ଡାକିବୁ ରାଧିକା ବୋଲି ରେ ମୁରଲୀ,

ତୋରେ ଶରଣ ଗଲି ।’’

 

କବି ଏଠାରେ ମୁରଲୀକୁ ପ୍ରଣୟ ସଙ୍କେତଦାୟିନୀ ମୂର୍ତ୍ତିମତୀ ଦୂତୀରୂପେ ଗ୍ରହଣ କରିଛନ୍ତି । ସେଥିପାଇଁ କହିଛନ୍ତି -

‘‘ତୁ ନନ୍ଦ ସୁତ ମୁଁ ରାଜକୁମାରୀ

ବଂଶୀ ଦେଲା ସିନା ପରଚେ କରି ।’’

‘‘ତ୍ରିଜଗନ୍ନାନସାକର୍ଷି ମୁରଲୀ-କଳ-କୂଜିତଃ ।’’

(ହରିଭକ୍ତି ରସାମୃତ ସିନ୍ଧୁ)

 

ତିନିଜଗତର ଚିତ୍ତ ଆକର୍ଷଣଲାଗି ସମର୍ଥ - ଶ୍ୟାମର ବଂଶୀ । ଉନ୍ମାଦନା, ବ୍ୟାକୁଳତା, ବିସ୍ମୃତି, ଚଞ୍ଚଳତା, ଓ ତୃଷ୍ଣା ସୃଷ୍ଟି କରିପାରେ ଯେଉଁ ବଂଶୀ ତାହାକୁ ‘ଦୂତୀ’ ଆଖ୍ୟାଦେବାରେ ଅସମୀଚୀନତା କାହିଁ ଥାଇପାରେ ?

 

ବ୍ରହ୍ମସଂହିତାମତେ ବଂଶୀ ପ୍ରିୟସଖୀ । ପ୍ରିୟସଖୀ ନିଜେ ପ୍ରେମଭାଗିନୀ ନୁହନ୍ତି । କିନ୍ତୁ ସେ ବିରହର ତରଙ୍ଗରାଜିମଧ୍ୟରୁ ଅଫୁରନ୍ତ ପ୍ରେମର ନିର୍ଯ୍ୟାସ ଆସ୍ୱାଦନର ଅଭିଳାଷିଣୀ । ନୀରବ ନିଶିଥର ଦୂରାଗତ ମୂରଲୀ ସଙ୍କେତ ବିରହିଣୀକୁ କୁଳ, ମାନ, ଗୁରୁ, ଗୁରୁଜନ ଗଞ୍ଜଣା ପାଶୋରାଇ, ନିଶିଥରେ ତୁଳିତଳ୍ପରୁ ଉଠାଇ ଅଭିସାର ପଥ ଦେଖାଇଛି । ଉଛୁର ସହିନାହିଁ ତା’ର । ମାନିନାହିଁ ସେ ବର୍ଷା, ଅନ୍ଧାର, ବିଜୁଳିର ଚମକ ଅବା ବଜ୍ରର ଧମକ । ଦିନେ ଏହିପରି ବିରହୋତ୍‌କଣ୍ଠିତା ଉନ୍ମନା ଶ୍ରୀମତୀଙ୍କର ଶ୍ରୀକୃଷ୍ଣ ମିଳନ ମାନସୀ ନୀରଝରା ନୟନକୋଣରେ ଫୁଟିଉଠୁଥିବା ଅକୁହା ମନକଥାକୁ ସ୍ୱର-ସାହିତ୍ୟ ରସରେ ରସାଣିତ କରି ଆମର ଉତ୍କଳୀୟ ପରମଭକ୍ତ କବି ବନମାଳୀ ଶୁଣାଇଛନ୍ତି ଉପର୍ଯ୍ୟୁକ୍ତ ରସଭରା ପଦଟି :- ‘‘ଦିନେ ନ ଡାକିବୁ ......... ।’’

 

ସହୃଦୟ କବିଙ୍କ ଭାଷାରେ ଶ୍ୟାମ ପ୍ରେମପାଗଳିନୀ ରାଧିକା, ଦୂତୀ ମୂରଲୀର ଶରଣ ମାଗିଛନ୍ତି ତା’ର ସଙ୍କେତକୁ ଡରି । ଶ୍ରୀଗୀତଗୋବିନ୍ଦର ପ୍ରଥମ ଶ୍ଳୋକ ଏବଂ ବିଷୟବସ୍ତୁର ସୂଚନାତ୍ମକ ଶ୍ଳୋକ ମଧ୍ୟରେ ଯୋଗସୂତ୍ର ସଂସ୍ଥାପନ ଲାଗି ‘ନନ୍ଦ ନିର୍ଦ୍ଦେଶ’ କଥାର ଅର୍ଥ ‘ମୂରଲୀ ସଙ୍କେତ’ ବୋଲି ବିଚାର କରାଯିବା ଅସଙ୍ଗତବୋଲି ମନେହୁଏ ନାହିଁ । କୁହାଯାଇଅଛି -

‘‘ସଙ୍କେତେ ମୂରଲୀ ଚୈବ ବେଣୁଶ୍ଚଧେନୁଚାରଣେ

ନାମକ୍ଷର ଦ୍ୱୟେ ବଂଶୀ ସର୍ବ କର୍ମ ସୁସାଧିକା ।’’

 

- ଏହି ମୂରଲୀର ସଙ୍କେତ ପାଇ ଦୂରନ୍ତ ଅନଙ୍ଗବାଣ ସନ୍ତପ୍ତା ସୁମନ-ସୁକୁମାରୀ ନବକିଶୋରୀ -

‘‘ଭ୍ରମନ୍ତୀଂ କାନ୍ତାରେ ବହୁବିହିତକୃଷ୍ଣାନୁସରଣାମ୍‌ ।’’

 

ପ୍ରିୟସଖୀ କେବଳ ଲୀଳା ବିସ୍ତାରକାରିଣୀ । ଲୀଳାର ଏକମାତ୍ର ‘ପ୍ରେମାଶ୍ରୟ’ ଶ୍ରୀମତୀ ରାଧିକା ଏବଂ ଶ୍ରୀକୃଷ୍ଣ ପ୍ରେମର ଏକମାତ୍ର ‘ବିଷୟ’ । ସଖୀ-ସମାଜ ପ୍ରେମର ଏହି ଆଶ୍ରୟ ଏବଂ ବିଷୟକୁ ମୂଳକରି ପ୍ରେମର ମାଧରୀ ଏବଂ ବିଶେଷତ୍ୱ ବିକାଶ ସାଧନ କରିଅଛନ୍ତି । ଗଢ଼ା-ଭଙ୍ଗାର ରୂପରସବିଚିତ୍ରା ଖେଳାଇ ପ୍ରେମଲୀଳାକୁ ମହନୀୟ, ରମଣୀୟ, ସ୍ପୃହଣୀୟ କରି ତୋଳିବାର ସାମର୍ଥ୍ୟ ଏହି ପ୍ରିୟସଖୀଙ୍କର । ନିର୍ଜୀବରେ ସଜୀବ-ପ୍ରତୀତି ଅଣାଇଁ ଏଇ ସଖୀର କାର୍ଯ୍ୟ ସମ୍ପାଦନ କରିପାରିଛି କୃଷ୍ଣ-ବଂଶୀ ।

 

ବଂଶୀକୁ ଉଜ୍ଜ୍ୱଳ ନୀଳମଣି ଗ୍ରନ୍ଥକାର ‘ସ୍ୱୟଂ ଦୂତୀ’ ଆଖ୍ୟା ଦେଇଛନ୍ତି । ବାସ୍ତବରେ କୃଷ୍ଣଙ୍କର ମୂରଲୀ ସଙ୍କେତଦାୟିନୀ ସ୍ୱୟଂ ଦୂତୀ । ତାହାରି ଆତୁର ଆହ୍ୱାନରେ ବିହ୍ୱଳିତା ‘ବାସନ୍ତୀ-କୁସୁମ ସୁକୁମାରୀ ରସମୟୀ ଶ୍ରୀମତୀ ରସରାଜ ଶ୍ରୀକୃଷ୍ଣଙ୍କର ମିଳନ ମନାସୀ ଗହନ କାନ୍ତାରରେ ଭ୍ରମଣ କରୁଥିଲେ, ନବବସନ୍ତ ସମାଗମ କାଳରେ ।

 

ପ୍ରଚାର - ପ୍ରସାର

 

ଶ୍ରୀମନ୍ଦିରର ଏକାନ୍ତ ଆଶୀବାର୍ଦ ବଢ଼ାଇଦେଇଛି ଶ୍ରୀଗୀତଗୋବିନ୍ଦ’ର ଜନପ୍ରିୟତା । ଶ୍ରୀଗୀତଗୋବିନ୍ଦର ପ୍ରଥମ ବାସନ୍ତୀ - ଝଙ୍କାର ଝଙ୍କୃତ କରେ ଶ୍ରୀମନ୍ଦିରର ବିରାଟ ଗର୍ଭଗୃହ ।

 

ଲକ୍ଷ ଲକ୍ଷ ଭକ୍ତପ୍ରାଣ ଦର୍ଶନାର୍ଥୀ ଓଡ଼ିଆର ଜଗନ୍ନାଥଙ୍କ ଶ୍ରୀଚରଣ ତଳେ ଅନ୍ତରଭରା ଭକ୍ତି ନିବେଦନ କରିବାକୁ ନିତି ନିତି ଶ୍ରୀମନ୍ଦିରକୁ ଆସନ୍ତି । ଏ କଥା ନିଶ୍ଚିତ ଯେ, ସେମାନେ ଆସନ୍ତି ପବିତ୍ର ହୃଦୟ, ମନ ଘେନି । ପ୍ରବେଶ କରନ୍ତି ଗର୍ଭ-ଗୃହରେ । ଗରୁଢ଼ସ୍ତମ୍ଭର ସନ୍ନିଧ୍ୟାନରେ ଥାଇ ଜଗବନ୍ଧୁଙ୍କର ଚରଣ ଦର୍ଶନ ସମୟରେ ଭକ୍ତଚିତ୍ତ ଥାଏ ଭାବବିହ୍ୱଳ ।

 

ଏତେବେଳେ ଗର୍ଭଗୃହର ପରିବେଶ ଗମ୍ଭୀର-ପବିତ୍ର । ଏହି ନୈସର୍ଗିକ ବାତାବରଣ ମଧ୍ୟରେ ଭକ୍ତି-ତଦ୍‌ଗତ ଚିତ୍ତ ଶୁଣେ ପରମଭକ୍ତ ସାଧୁ ଜୟଦେବଙ୍କ ଭାବବିହ୍ୱଳିତ ମଧୁର କଣ୍ଠନିର୍ଗତ, ଦେହୀ-ଦୈବୀ, ପ୍ରାକୃତ-ଅପ୍ରାକୃତ, ଭକ୍ତି-ପ୍ରୀତି-ରସାଣିତ, ଲଳିତ-କୋମଳ-କାନ୍ତ ପଦାବଳୀଯୁତ ଶ୍ରୀଗୀତଗୋବିନ୍ଦ । ଏକେ ସୁବର୍ଣ୍ଣ ଚମ୍ପକ; ତହିଁରେ ସୁମନୋହର ସୁଗନ୍ଧି-ସଂଚାର-ସମ୍ଭବ ‘ଶ୍ରୀଗୀତଗାବିନ୍ଦ’ର ମଧୁ ସଙ୍ଗୀତ ସହିତ ଗର୍ଭଗୃହ ନିନାଦିତ ହୋଇଉଠେ, ଦେବଦାସୀ ଭକ୍ତିମତୀ ପଦ୍ମାବତୀଙ୍କର ଚପଳ-ଚରଣ-ଚର୍ଚ୍ଚିତ ଚାରୁ ନୂପୁର ନିକ୍ୱଣର ସୁମଧୁର ଗୁଞ୍ଜନରେ ।

 

‘‘ଉଭୌ ତୌ ଦମ୍ପତୀ ତତ୍ର

ଏକପ୍ରାଣୌ ବଭୁବତୁଃ

ନୃତ୍ୟନ୍ତୌ ଚାପି ଗାୟନ୍ତୌ

ଶ୍ରୀକୃଷ୍ଣାର୍ଚ୍ଚନ ତତ୍ପରୌ ।’’

(ଭକ୍ତମାଳ)

 

-ସମ୍ମୁଖରେ ଶ୍ରୀମନ୍ ଜଗନ୍ନାଥ । ଦର୍ଶନାର୍ଥୀ ଭକ୍ତ ହୃଦୟ ଭାବ-ବିଭୋର, ଗର୍ଭ-ଗୃହ ଗମ୍ଭୀର, ସଙ୍ଗୀତର ମଧୁମୂର୍ଚ୍ଛନା, ତହିଁରେ ପୁଣି ସ୍ୱୟଂ କବି ଓ ପରାଶରାଦି ସୁଗାୟକ ବନ୍ଧୁଜନ କଣ୍ଠରେ ଶ୍ରୀରାଧା-କୃଷ୍ଣଙ୍କର ରତିକେଳି ବର୍ଣ୍ଣିତ ଗୀତ କଥାର ଭବାଭିନୟସମନ୍ୱିତ ଅପୂର୍ବ ଲାସ୍ୟ ନୃତ୍ୟ-ଏ ସମସ୍ତର ସ୍ୱର୍ଗୀୟ ସମନ୍ୱୟ କେଉଁ ଦର୍ଶନାର୍ଥୀର ଚିତ୍ତ ଅବା ରସ-ପରିପ୍ଳାବିତ ନକରିବ ?

 

ଦର୍ଶନାର୍ଥୀ ଦେବଦର୍ଶନ ସାରି ବାହୁଡ଼ିଯାଏ; କିନ୍ତୁ ମନ ଫଳକରେ ତା’ର ଅଜାଣତରେ ଲାଖିରହେ ଅଦୃଶ୍ୟ ବନକରଞ୍ଜିତ ଅପାସୋରା ସ୍ମୃତି-ଲେଖା । ଜଣକଠାରୁ ଗଣ ଏହି ସ୍ମୃତି ବହନ କରିନିଏ ଦୂର-ଦୂରାନ୍ତକୁ ।

 

ଏହିରୂପେ ‘ଶ୍ରୀଗୀତଗୋବିନ୍ଦ’ ଯେ ସର୍ବପ୍ରଥମେ ନିବେଦିତ ହୁଏ ଓଡ଼ିଶାର ଶ୍ରୀମନ୍ ଜଗନ୍ନାଥଙ୍କ ଶ୍ରୀଛାମୁରେ-ଏହା ଅବିସଂବାଦିତ ସତ୍ୟ । ଓଡ଼ିଆର ରୁଚି, ଓଡ଼ିଆ ମନର ଭାବ ଓ ରୀତି-ନୀତି କୁ ଅନାଇ, ମନାଇ ଯେଉଁ ଜଗନ୍ନାଥମନ୍ଦିର-ପ୍ରଚଳିତ ବିବିଧ ଯାନିଯାତ୍ରା, ବାରମାସର ତେର ପର୍ବ, ବେଶବାସ ଏବଂ ସୁସ୍ୱାଦୁ ଦେବଭୋଗ୍ୟ ମହାପ୍ରସାଦ ଆବହମାନ କାଳରୁ ଖଞ୍ଜା ହୋଇଅଛି-ଏ ସେହି ଜଗନ୍ନାଥ । ତାଙ୍କରି ଚରଣରେ, ତାଙ୍କରି ଅନୁଗ୍ରହ ଲାଭଆଶାରେ ସାଧୁ ଜୟଦେବ ପ୍ରଥମେ ଗାଇଲେ ଶ୍ରୀଗୀତଗୋବିନ୍ଦ । ଏହା ସ୍ୱାଭାବିକ ଯେ ଗୀତର ରଚନା, ରାଗ-ତାଳ ପ୍ରବର୍ତ୍ତନା ଓ ଗାୟନ ଶୈଳୀ ଇତ୍ୟାଦି ନିଶ୍ଚିତଭାବେ ଓଡ଼ିଶାର ଜଳବାୟୁ ତଥା ଓଡ଼ିଆ ମନପ୍ରାଣର ଲାଖିହେଲାଭଳି ପ୍ରସ୍ତୁତ ।

 

ଲଳିତ ଭାଷା, ମଧୁର ରସ, ସରସ ଅନୁପ୍ରାସ, ସରଳ ସ୍ୱର, ସହଜ ତାଳ-ଏ ସମସ୍ତ ସମନ୍ୱୟ ସହଜରେ ସର୍ବତ୍ର ଶ୍ରୀଗୀତଗୋବିନ୍ଦକୁ ସମାଦୃତ କରାଇଦେଲା । ଆଜି ଯେ ଜୟଦେବଙ୍କୁ ‘ଆମର’ ‘ଆମର’ ବୋଲି ବିଭିନ୍ନ ଅଞ୍ଚଳରେ ହାସ୍ୟାଷ୍ପଦ ଦାବୀ ଉଠୁଛି, ମୋ କ୍ଷୁଦ୍ର ବିବେକ ବିଚାରରେ ଏଥିପାଇଁ ପୂର୍ବୋକ୍ତ କାରଣମାନ ଦାୟୀ । ସର୍ବୋପରି ଶ୍ରୀମନ୍ଦିରର ଦାରୁବ୍ରହ୍ମ ଏଥକୁ ସର୍ବାଂଶରେ ଦାୟୀ । ତାଙ୍କ ହେତୁ ସିନା ଭାରତର ବିଭିନ୍ନ ଅଞ୍ଚଳରୁ ଲକ୍ଷଲକ୍ଷ ଦର୍ଶନାର୍ଥୀ ଯାତ୍ରୀ ଓଡ଼ିଶାର ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ପ୍ରତିନିତ୍ୟ ଆଗମନ କରନ୍ତି ?

 

କଥାରେ ଅଛି-‘ଜଗତମୁଖେ ହରି-ହରି ମୁଖେ ଜଗତ ।’ ସେହି ମୂକଦେବତା ପ୍ରୀତ ବା ତୃପ୍ତ ହୋଇନଥିଲେ ଶ୍ରୀଗୀତଗୋବିନ୍ଦ ସର୍ବଶୀର୍ଷ ଆଦର ପାଆନ୍ତା କାହିଁକି ? ତେଣୁ ସିନା ଗୀତଗୋବିନ୍ଦର ପ୍ରଚାର ଛାଏଁ ଛାଏଁ ବଢ଼ିଯାଇଛି ! ଥରେଅଧେ ସେହି ଲଳିତ ଗୀତଗୁଡ଼ିକ ଯାହା କାନରେ ପଡ଼ିଛି, ଅଜାଣତରେ ଅପାସୋରା ହୋଇ ଅତୁଟ ବାସ ବାନ୍ଧି ରହିଛି ସେ ତାହାର ମନଗହନରେ ।

 

ମହାରାଜ ରାଜରାଜଦେବଙ୍କ ଭ୍ରାତା ଆଚାର୍ଯ୍ୟ ଉଦୟନ ଗୀତଗୋବିନ୍ଦର ରସ-ଭାବ-ଭାଷା ଓ ରଚନା ଲାଳିତ୍ୟରେ ମୁଗ୍ଧହୋଇ ପ୍ରଥମେ ଗୀତକାବ୍ୟଟିର ଟୀକା ପ୍ରଣୟନ କଲେ, ଖ୍ରୀଷ୍ଟାବ୍ଦ ୧୧୭୦-୧୧୯୦ ମଧ୍ୟରେ । ଏ ଦୃଷ୍ଟିରୁ ଗୀତଗୋବିନ୍ଦର ରଚନାକାଳ ୧୧୫୦ ଖ୍ରୀଷ୍ଟାବ୍ଦ ବା ତହିଁରୁ କିଛିକାଳ ପୂର୍ବରୁ ବୋଲି ବିଚାର କରାଯାଇପାରେ ।

 

ଐତିହାସିକମାନଙ୍କ ମତରେ ଏହି ମହାରାଜ ରାଜରାଜଦେବଙ୍କର ଅନ୍ୟନାମ ‘ପୁରୁଷୋତ୍ତମ’ । ସେ ଶ୍ରୀଗୀତଗୋବିନ୍ଦର ଅଦ୍ଭୁତପୂର୍ବ ପ୍ରଚାର ଦେଖି ‘ଅଭିନବ ଗୀତଗୋବିନ୍ଦ’ ରଚନା କଲେ । ଏହା କିନ୍ତୁ ଭକ୍ତ ଜୟଦେବକୃତ ଶ୍ରୀଗୀତଗୋବିନ୍ଦର ସମସରି ନୁହେଁ ବୋଲି ଶ୍ରୀଜୀଉଙ୍କ କର୍ତ୍ତୃକ ଗୃହୀତ ହେଲା ନାହିଁ । ତେଣୁ ଜୟଦେବୀ ଗୀତଗୋବିନ୍ଦ ହିଁ ଶ୍ରୀମନ୍ଦିରରେ ପ୍ରଚଳିତ ହେଲା । ଗ୍ରନ୍ଥ ପ୍ରଚାର ମୂଳରେ ଏହା ହେଲା ଶ୍ରୀମନ୍ ନୀଳାଦ୍ରୀନାଥଙ୍କର ଅମୃତ ଆଶିଷ ବର୍ଷଣ ।

 

୧୨୭୮ ଖ୍ରୀଷ୍ଟାବ୍ଦ ଠାରୁ ୧୩୦୬ ଖ୍ରୀଷ୍ଟାବ୍ଦ ମଧ୍ୟରେ ପ୍ରଜାରଞ୍ଜକ ମହାରାଜ ନରସିଂହଦେବ ତାଙ୍କ ରାଜସଭା ମୌଳିମଣ୍ଡନ ପଣ୍ଡିତ ପ୍ରବର କବିରାଜ ନାରାୟଣ ଦାଶଙ୍କ ସୁଚିନ୍ତିତ ପରାମର୍ଶ ଓ କୋଟୀ ଜନତାର ଏକାନ୍ତ ଶ୍ରଦ୍ଧା, ଆଦର-ସମ୍ୱର୍ଦ୍ଧନା ବିଚାରରୁ ଶ୍ରୀମନ୍ଦିରରେ ବିଧିପୂର୍ବକ ଶ୍ରୀଗୀତଗୋବିନ୍ଦ ‘ଶିଲଉ’ କଲେ । ଏହି ରୀତି ପ୍ରବର୍ତ୍ତନାରୁ ଶ୍ରୀଗୀତଗୋବିନ୍ଦର ବହୁଳ ପ୍ରଚାରର ସୂତ୍ରପାତ ହୁଏ ଶ୍ରୀକ୍ଷେତ୍ରରୁ । କବିରାଜ ମହାଶୟ କେବଳ ଏତିକିରେ ସନ୍ତୁଷ୍ଟ ନ ହାଇ ‘ସର୍ବାଙ୍ଗସୁନ୍ଦରୀ’ ନାମକ ଶ୍ରୀଗୀତଗୋବିନ୍ଦର ଏକ ଅପୂର୍ବ ଟୀକା ପ୍ରଣୟନ କରିଅଛନ୍ତି ।

 

ଦୁଃଖର କଥା ଅବଧି ସେ ମହାମୂଲ୍ୟ ଟୀକାଟି ମୁଦ୍ରିତ ହୋଇ ପାରିନାହିଁ । କେହି କେହି ଐତିହାସିକଙ୍କ ମତରେ ନରସିଂହଦେବ (୨ୟ) ବଦଳରେ ତୃତୀୟ ନରସିଂହଦେବ (୧୩୨୬-୧୩୫୨)ଙ୍କ ରାଜତ୍ୱ କାଳରେ ସେ ଶ୍ରୀମନ୍ଦିରରେ ଶ୍ରୀଗୀତଗୋବିନ୍ଦ ସିଲାଉ କଲେ । ସର୍ବାଙ୍ଗସୁନ୍ଦରୀ ଟୀକା ଏମାନଙ୍କମତେ ୧୩୪୫ ଖ୍ରୀଷ୍ଟାବ୍ଦରେ ଲିଖିତ ବୋଲି ଧରାଯାଏ । ଐତିହାସିକମାନଙ୍କ ମତାମତାନ୍ତର ଯାହା ହେଉ ପଛେ, ଶ୍ରୀମନ୍ଦିରରେ ଶ୍ରୀଗୀତଗୋବିନ୍ଦ ପାଠ ବିଧି ଏବଂ ସର୍ବାଙ୍ଗସୁନ୍ଦରୀ ଟୀକା ରଚନା ଯେ ଗ୍ରନ୍ଥ ପ୍ରଚାରରେ ସହୟକ-ଏହା ସୁନିଶ୍ଚିତ ।

 

୧୪୯୯ ଖ୍ରୀଷ୍ଟାବ୍ଦରେ ମହାରାଜ ପ୍ରତାପରୁଦ୍ରଦେବ ଶ୍ରୀଜୀଉଙ୍କର ମୁଣୋହୀ (ଭୋଗ) ବଢ଼ିବାବେଳେ ସନ୍ଧ୍ୟାଧୂପଠାରୁ ବଡ଼ସିଂହାର ପର୍ଯ୍ୟନ୍ତ କେବଳ ଶ୍ରୀଗୀତଗୋବିନ୍ଦର ଗାୟନ ଓ ନର୍ତ୍ତନର ଆଦେଶ ଦେଲେ । ଗ୍ରନ୍ଥ ପ୍ରଚାରରେ ଏହା ଆହୁରି ଅନୁକୂଳ ହେଲା ।

 

ପୁଣି ୧୪୫୧ ଖ୍ରୀଷ୍ଟାବ୍ଦରେ ମହାରାଜ କପିଳେନ୍ଦ୍ରଦେବଙ୍କ ୧୯ ଅଙ୍କରେ ଶ୍ରୀମନ୍ଦିର ଜୟବିଜୟ ଦ୍ୱାରରେ ଶ୍ରୀଗୀତଗୋବିନ୍ଦ ନିତ୍ୟ ପାଠବିଧି ରାଜାଦେଶ ରୂପେ ଅମରାକ୍ଷରରେ ଶିଳାଅଙ୍ଗରେ ଘୋଷଣା କରୁଅଛି ।

 

ସ୍ୱକୀୟା-ପରକୀୟା

 

ସ୍ୱକୀୟାରେ ପତି-ପତ୍ନୀର ମିଳନ, ବର-ବଧୂ (Bride and Bridegroom)ର ମିଳନ ।

(Prepare thyself as a Bride to receive the “Bridegroom”- Markes the guostic)

‘‘ପରବ୍ୟସନିନୀ ନାରୀ ବ୍ୟାଗ୍ରାପି ଗୃହକର୍ମଣି

ତଦେବାସ୍ୱାଦୟେଦ୍ ଅନ୍ତଃ ନବସଂଗରସାୟନମ୍ ।’’

                  (ଯୋଗବାଶିଷ୍ଟ)

 

ପରପ୍ରାଣା ନାରୀର ସ୍ୱୀୟା ଗୃହକର୍ମରେ ବ୍ୟଗ୍ରତାଥିଲେମଧ୍ୟ ଅନ୍ତରର ଅଭ୍ୟନ୍ତରରେ ସେ ‘ନବ-ସଂଗ ରସାୟନ’ ଆସ୍ୱାଦନ କରେ ।

 

ଭଗବାନ ସ୍ୱକୀୟାର ପତି ଏବଂ ପରକୀୟାର ଉପପତି । ବୈକୁଣ୍ଠରେ ଲକ୍ଷ୍ମୀଗଣ, ଦ୍ୱାରକାର ମହିଷୀଗଣ ଶ୍ରୀକୃଷ୍ଣଙ୍କର ସ୍ୱକୀୟା । ବ୍ରଜର ଗୋପିକା ହେଲେ ପରକୀୟା । ସେମାନଙ୍କ ମଧ୍ୟରେ ଶ୍ରେଷ୍ଠା ରାଧିକା । ସେ-

 

‘‘ଗୁଣୈଃ ଅତିବରୀୟସୀ

ହରେଃ ଅତ୍ୟନ୍ତ ବଲ୍ଲଭା ।’’

‘‘ରାଗେଣୈବାର୍ପିତାତ୍ମାନୋ

ଲୋକ-ଯୁଗ୍ମାନ ପେକ୍ଷିଣା

ଧର୍ମେ ନା ସ୍ୱୀକୃତା ଯାସ୍ତୁ ପରକୀୟା

ଭବନ୍ତି ତାଃ ।’’

(ଉ: ନୀ)

 

ଅର୍ଥାତ୍:-

‘‘ଅନ୍ତରଙ୍ଗେଣ ରାଗେଣ ଅର୍ପିତାତ୍ମାନୋ, ନ ତୁ ବହିରଙ୍ଗେଣ ବିବାହ ପ୍ରକ୍ରିୟାତ୍ମାକ ଧର୍ମେନ ।’’

 

ଯେ ରମଣୀ ଅନ୍ତରଙ୍ଗ ଅନୁରାଗ ହେତୁ ଇହ-ପର ଆଶାରେ ଜଳାଞ୍ଜଳିଦେଇ ପରପୁରୁଷଠାରୁ ଆତ୍ମନିବେଦନ କରେ-ବହ୍ନିରଙ୍ଗ ବିବାହ ପ୍ରଭୃତି ସାମାଜିକ ବା ଲୌକିକ ଧର୍ମର ଅପେକ୍ଷା ରଖେ ନାହିଁ-ସେ ପରକୀୟା ଯଥା-ବ୍ରଜବଧୂ ।

‘‘ବହୁବାର୍ଯତେ ଯତଃ ଖଳୁ

ଯତ୍ର ପ୍ରଚ୍ଛନ୍ନ କାମୁକତ୍ୱଞ୍ଚ ।

ଯା ଚ ମିଥୋ ଦୁର୍ଲ୍ଲଭତା

ସା ମନ୍ମଥସ୍ୟ ପରମାରତିଃ ।’’

(ଭରତ)

 

ବହୁ ବାରଣ, ବାଧ୍ୟତାବଶରୁ ପ୍ରଚ୍ଛନ୍ନ କାମସେବା, ନାୟକ ପକ୍ଷେ ନାୟିକା ଦୁର୍ଲ୍ଲଭ ଏବଂ ନାୟିକାପକ୍ଷେ ନାୟକ ଦୁର୍ଲ୍ଲଭଥିବା ସ୍ଥାନରେ କାମର ପରାକାଷ୍ଠା ପ୍ରକଟିତ ହୁଏ ଯେଉଁଠାରେ । ବହୁ ବାରଣର ଅର୍ଥ-‘ବହୁ ବାରଣଂ ଲୋକତଃ ଧର୍ମତଶ୍ଚ’ ଅର୍ଥାତ୍ ଲୋକ ବାଧା, ଧର୍ମବାଧା । ଏହି ସ୍ଥଳରେ କେବଳ ଲୋଭ ଏବଂ ଲାଳସା ଅତ୍ୟନ୍ତ ବଳବତୀ ହୁଏ, ବାରଣ ମାନେ ନାହିଁ । ପ୍ରିୟ-ମିଳନ-ମାନସୀ ଗିରିକୁମାରୀ-ସ୍ୱଚ୍ଛନ୍ଦ ଗତିପଥରେ ତା’ର ପାଷାଣ ସ୍ତୁପ ଯଦି ସୃଷ୍ଟି କରେ ବାଧା, ଗୁମୁରିଉଠେ ତା’ର ଅନ୍ତର । ମାନେ ନାହିଁ ଆଉ କୂଳ,-ବୁକୁ ଫୁଲାଇ, କୂଳ ଲଙ୍ଘି ଅଭିସାର କରେ । ସାଗର ମିଳନର ଲୋଭ ଏବଂ ଲାଳସା ହୁଏ ବଳବତୀ ।

 

ସହଜ ମିଳିବା ଧନରେ ଆଦର ପ୍ରାୟ ନ ଥାଏ । ଯାହା ସହଜ ଲଭ୍ୟ ନୁହେଁ, ସେହିଠାରେ ଆଶା, ଆକାକ୍ଷାଂ ବା ପ୍ରୟାସ ବଳିପଡ଼େ । ମହାକବି କାଳିଦାସ ଏଇ ମର୍ମର ସିଦ୍ଧାନ୍ତରେ କହିଛନ୍ତି:-

‘‘ଦୁରାଦ୍ ଅୟଶ୍ଚକ୍ର-ନିଭସ୍ୟତନ୍ୱୀ ।’’

 

ବିରହ ବିନା ମିଳନ ମାଧୁରୀହରା । ‘ସ୍ୱକୀୟା’ କେବଳ ମିଳନରେ ପର୍ଯ୍ୟବେସିତ ସିନା; ବିରହ ଦିବା-ସ୍ୱପ୍ନ ତା’ର ।

‘‘ସଂଙ୍ଗମ ବିରହ ବିକଳ୍ପେ ବରମିହ ବିରହୋ ନ ସଙ୍ଗମସ୍ତ୍ୱ ସ୍ୟାଃ ।’’

 

ସ୍ୱକୀୟାର ସଙ୍ଗମ ବା ମିଳନରେ ବିଚ୍ଛେଦର ସମ୍ଭାବନା ନାହିଁ, ତେଣୁ ପ୍ରିୟଦର୍ଶନର ଆର୍ତ୍ତି ନାହିଁ, ଅନୁରାଗର ପ୍ରଶ୍ନ ଉଠେ ନାହିଁ । ସୁତରାଂ ଅନୁରାଗର ପରିଣତି ପ୍ରେମଭାବର ଅଭାବ ଘଟେ ସ୍ୱକୀୟା ପ୍ରୀତିରେ । ଫଳତଃ ରସର ଆସ୍ୱାଦନ ସମ୍ଭବ ହୁଏ ନାହିଁ । ଅତୁଟ ମିଳନ ଫଳରେ ‘ଅତି ପରିଚୟାତ୍ ଅବଜ୍ଞା’ ଅବଶ୍ୟମ୍ଭାବୀ । ତେଣୁ ନାୟକ-ନାୟିକା ଭାବର ଅଭାବ ଘଟେ । ଅଥଚ ଏଣେ ନାୟକ-ନାୟିକା ଭିନ୍ନ, ମଧୁର ରସର ସ୍ଫୂର୍ତ୍ତି ସମ୍ଭବ ନୁହେଁ । ମାନବ ମନ ନିତ୍ୟ ନୂତନ ଲୋଡ଼େ-ଏହା ସ୍ୱାଭାବିକ, ଅବଶ୍ୟ ‘ନବେ ଦାର ପରିଗ୍ରହେ’ ରେ କିଛିଦିନ ଲାଗି ତୃଷ୍ଣା (Romance) ଥାଏ, ମାତ୍ର ଅଳ୍ପକାଳ ପରେ ଆସିଯାଏ କିପରି ଏକ ନିରାଶା ଭାବ-ବିତୃଷ୍ଣା । ଦୀର୍ଘନିଶ୍ୱାସ ସହ ଛାଏଁ ଛାଏଁ ଉଭୟ ପକ୍ଷରେ ମୁଖରୁ ବାହାରି ପଡ଼େ ‘‘ତେ ହି ନୋ ଦିନସାଂ ଗତାଂ’’-ଯାହା ବ୍ରଜ-ଲୀଳାରେ ଏକାନ୍ତ ବିପରୀତ ଧର୍ମୀ ।

 

ଶ୍ରୀଗୀତଗୋବିନ୍ଦର ଶ୍ରୀକୃଷ୍ଣ ଏବଂ ଶ୍ରୀମତୀ ପ୍ରେମମୟ ଏବଂ ପ୍ରେମମୟୀଙ୍କର ଦୁର୍ଲ୍ଲଭ ରସ-ରୂପ ପ୍ରକାଶ । ରସ ଏବଂ ପ୍ରେମର ଅପୂର୍ବ ମିଳନ ପରକୀୟା ପ୍ରୀତିର ତତ୍ତ୍ୱ । ଦେହର ମିଳନ ଏ କ୍ଷେତ୍ରରେ ଏକାବେଳେକ ଅର୍ଥହୀନ । କେବଳ ଆଧ୍ୟାତ୍ମିକ ସୁଖ ହିଁ ପରକୀୟାର ସର୍ବସ୍ୱ । ସମର୍ଥା-ରତିଭାବା ଶ୍ରୀମତୀଙ୍କ ରତି, ସମର୍ଥା-ପରକୀୟା । ଏହା ନିଜର ସୁଖସ୍ପୃହା-ବିହୀନ ଶ୍ରୀକୃଷ୍ଣ ସୈାଖ୍ୟାର୍ଥ ନିବେଦିତ ।

 

ପରକୀୟା ପ୍ରୀତିର ଅର୍ଥ ରାଗାନୁଗା । ଶାସ୍ତ୍ର, ସମାଜ, ଜାତି, କୁଳ, ମାନ-ଅପମାନ, ଲୋକନିନ୍ଦା,-ସବୁ କଥା ପଛକୁ ପକାଇ ଦେଇ ପ୍ରିୟର ଉଦ୍ଦେଶ୍ୟରେ ପ୍ରେମ-ସରୋବରରେ ଝାସଦେବା ଲକ୍ଷଣମାନ ହିଁ ପରକୀୟା ପ୍ରୀତିର ରାଗାନୁଗା ମାର୍ଗର ଅଧିକାରୀ । ପରକୀୟା ବା ରାଗାନୁଗା ରମଣୀର –ରତି ସମର୍ଥା । ସ୍ୱକୀୟା ରତି ସମାଞ୍ଜସା । ସମର୍ଥା ରତି ହିଁ କାମାନୁଗା ଭକ୍ତି । ବ୍ରଜଲୀଳାନ୍ତର୍ଗତ ‘କାମ’ ଶବ୍ଦର ଅର୍ଥ ପ୍ରେମ,-ବିଶିଷ୍ଟ ପ୍ରେମ-ଯାହା କେବଳ ଗୋପୀମାନଙ୍କର ଶ୍ରୀକୃଷ୍ଣଙ୍କ ସହ ରାସଲୀଳାରେ ସମ୍ଭବ ହୋଇପାରିଛି । ବ୍ରଜେଶ୍ୱରୀ ରାଧିକା ଏହି ରାସମଣ୍ଡଳୀର ପରକୀୟା କାମାନୁଗା ମାର୍ଗର ଭକ୍ତିମତୀ ସମର୍ଥାରତି ନାୟିକା । ରାଗାନୁଗା,ପରକୀୟା ବା ସମର୍ଥାରତିର ପରିଭାଷା ‘ଶରଣାଗତି’ ।

‘‘ତବାସ୍ମୀତ ବଦନ୍‌ ବାଚା

ତତ୍ରୈବ ମନସା ବିଦନ୍

ତତ୍‌ସ୍ଥାନମାଶ୍ରିତସ୍ତନ୍ୱା

ମୋଦତେ ଶରଣାଗତଃ ।’’

      (ହରିଭକ୍ତି ବିଳାସ)

 

ମୁଁ ତୁମର-ତୁମଠାରେ ନିବିଷ୍ଟମନା । କାୟା, ସ୍ଥାନ ଏବଂ ଆଶ୍ରୟ,-ସବୁ ମୋର ତୁମେ । ଏହା ହିଁ ‘ଶରଣାଗତ’ର ଲକ୍ଷଣ ।

ଶରଣାଗତ-ମାର୍ଗଚାରିଣୀ ପରକୀୟା ପ୍ରେମବତୀ ଦୁଃଖରେ ପରିତ୍ୟାଜ୍ୟ ଆପଣାର ପତି, ପୁତ୍ର, ସ୍ୱଜନ ତଥା ଲୋକାଚାର ମହତ୍ୱକୁ ଲଙ୍ଘନକାରିଣୀ ।

 

ଭଗବତ୍-ପଦାରବିନ୍ଦରେ ସର୍ବସ୍ୱ ନିବେଦନପୂର୍ବକ ଆତ୍ମସମର୍ପଣ ହିଁ ବ୍ରଜଗୋପୀଙ୍କର ପରକୀୟା-ପ୍ରୀତିର ଲକ୍ଷଣ । କବି ସାମନ୍ତସିଂହାରଙ୍କ ଭାଷାରେ-

 

‘‘ରାଧା ଧରି ସଖୀକର । ବୋଲନ୍ତି ଆକଟ ଆଉ ନକର ଗୋ ।

ଲାଜଭୟ ଛାଡ଼ିଲି ନିଜର, ସଜନି ଗୋ । ୧ ।

ଘନଶ୍ୟାମ ଗୁଣମାନ । ରଖିଅଛି କି ମୋ ଧୈର୍ଯ୍ୟ ଗୁମାନ ଗୋ

ମନ ଦହୁଛି ତା ସନମାନ, ସଜନି ଗୋ । ୨ ।

ତୁଚ୍ଛ ମୋହିବା ମୁନିଙ୍କି । ତାଙ୍କୁ ପ୍ରୀତିପଣେ ଯୋଗ୍ୟ ମୁଁ ନିକି ଗୋ

ଅଳଙ୍କାର ସେ ତ ଅବନୀକି, ସଜନୀ ଗୋ’’ । ୩ ।...ଇତ୍ୟାଦି

(ବିଦଗ୍‌ଧ ଚିନ୍ତାମଣି-ପ୍ରାଚୀ ୧୬୯)

 

ଏହି ଭକ୍ତି, ଏହି ପ୍ରୀତିରସର ରସିକ ଭକ୍ତ ଗୋପାଳକୃଷ୍ଣ ସମର୍ଥାନାୟିକା ଶ୍ରୀମତୀଙ୍କର ସଖୀପ୍ରତି ଉକ୍ତି ଯୋଗାଡ଼ି ଗାଇଛନ୍ତି :-

‘‘ଦେଲି ସହି, କୁଳକୁ ମୁଁ ଟେକି ଜଳାଞ୍ଜଳି

କଲି ଶ୍ୟାମ ପୀରତିକି ଜୀବନ-ସଙ୍ଖାଳି ।’’

X X X X

କୋଟି ଜନ୍ମାନ୍ତର ପୁଣ୍ୟଫଳ ଗଲା ମିଳି

ମୁଁ ଯୋଗିନୀ ଜାଣ ଆଳି ! ସେ ମୋହର ଥାଳି ।’’

X X X X

 

ଭକ୍ତ ବିନମାଳୀ ସେହିପରି ପରକୀୟା ରାଧାରସରେ ମଜ୍ଜି କହିଛନ୍ତି:-

‘‘ମୁଁ ତ ସଂସାରରୁ ହୋଲି ବାହାର, ଲୋ ସଜନୀ ।।

ଶ୍ୟାମ-ପ୍ରୀତି କରି ଗଳାହାର, ଲୋ ସଜନୀ ।।

ଯେ ଯେତେ କହନ୍ତୁ ନିନ୍ଦା କୁବଚନ,

ତହିଁକି ଶୋଚନା ନାହିଁ କଦାଚନ ।

 

ଗଣ୍ଠିଧନ ମୋର କାଳିଆଗଞ୍ଜନ,

ମୁଁ ତ କିଣା-କିଙ୍କରୀ ତାଙ୍କର, ଲୋ ସଜନୀ ।

କେ ବୋଲନ୍ତି ରାଧା ହେଲା କଳଙ୍କିନୀ,

କେ ବୋଲନ୍ତି ରାଧା ହେଲା ପାଗଳିନୀ ।

 

କେ ବୋଲନ୍ତି ରାଧା ପ୍ରେମମୟୀ ଧନୀ

ଯେତେ ନିନ୍ଦା ପ୍ରଂଶସା କାହାର, ଲୋ ସଜନୀ ।

 

X X X X

 

ବୋଲେ ବନମାଳୀ ଶୁଣ ଶ୍ରୀରାଧିକେ,

ଅପକୀର୍ତ୍ତି-ହାଟ ବସିବ ଅଧିକେ ।

ଗୁପତ ପୀରତି ଗୁପତ ସୁରତି

ଗୁପତେ କର ବିହାର, ଲୋ ସଜନୀ ।’’

 

ଏହି ପରକୀୟା ପ୍ରୀତିଭାବ ଘେନି ସିନା ବ୍ରଜପୁର-ନନ୍ଦନ, ଗୋପୀ-ମନ-ଚନ୍ଦନ, ଯୋଗୀଜନ-ବନ୍ଦନ-‘‘ରସୌ ବୈ ସଃ’’ ରସିକରାଜ ନଟବର ଶ୍ରୀକୃଷ୍ଣ ଶ୍ରୀମୁଖରେ ଭାଷା ଖଞ୍ଜି ‘ରହସ୍ୟମଞ୍ଜରୀ’କାର କୁହାଇଛନ୍ତି-

‘‘ସେ ମହାରାସମଣ୍ଡଳୀ ନିତ୍ୟ ବୃନ୍ଦାବନେ

ତହିଁ ମୁଁ ବଞ୍ଚଇ ରାଧା ଅଙ୍ଗ ଆଲିଙ୍ଗନେ ।

ତାଙ୍କୁ ଘେନି ବୃନ୍ଦାବନେ ନାନା-କ୍ରୀଡ଼ା କଲୁ

ନିତ୍ୟସ୍ଥଳ ରାସଲୀଳା ବନେ ଭିଆଇଲୁ ।’’

 

ଏହି ପରକୀୟା-ପ୍ରୀତି ସଂଘଟିତ ବିରହ-ବିଦଗ୍‌ଧ ଦକ୍ଷିଣ ନାୟକ ଶ୍ରୀକୃଷ୍ଣଙ୍କର ସମର୍ଥା ମହାଭାବମୟୀ ଶ୍ରୀମତୀଙ୍କ ଅଦର୍ଶନଜନିତ ଦୁଃଖକୁ ଦରଦୀ କବି ବାଣୀବନ୍ଧନରେ ବାନ୍ଧି ପ୍ରକାଶକରିଛନ୍ତି, ରାଧାପ୍ରତି ସଖୀ ମୁଖର ଉକ୍ତି ମାଧ୍ୟମରେ:-

‘‘ସଙ୍ଗିନୀ, ତୋ ପ୍ରୀତି ଘେନି

ମୋହନ ନିରତେ ଝୁରୁଛି ରେ ।’’

 

ପରକୀୟା-ପ୍ରୀତି ପାଗଳ ରାସରସିକଙ୍କ ମନକଥା ପ୍ରକାଶ କରି ଦେଇଛନ୍ତି ଭକ୍ତକବି ଜୟଦେବ ‘ଗୀତଗୋବିନ୍ଦ’ ରଚନାରେ-

‘‘ଇତସ୍ତତସ୍ତାମନୁସୃତ୍ୟ ରାଧିକା-

ମନଙ୍ଗବାଣ-ବ୍ରଣଖିନ୍ନ-ମାନସଃ ।

କୃତାନୁତାପଃ ସ କଳିନ୍ଦ-ନନ୍ଦିନୀ-

ତଟାନ୍ତ-କୁଞ୍ଜେ ବିଷସାଦ ମାଧବଃ ।’’

 

ପରକୀୟା ସମର୍ଥା-ରତିଗୌରବା ରାଧାପ୍ରେମାଧୀନ ଗୋବିନ୍ଦ ବିରହାକୁଳିତ । ପରକୀୟା ରତିରେ ଘଟେ ପ୍ରେମର ସର୍ବାଧିକ ପ୍ରକାଶ । ପ୍ରେମ-ଜଗତର ଶ୍ରେଷ୍ଠ, କାନ୍ତା-ପ୍ରେମ । କାନ୍ତା-ପ୍ରେମ ମଧ୍ୟରେ ଶ୍ରେଷ୍ଠ ପରକୀୟା ରତି ।

 

ଏହାହିଁ ସର୍ବତ୍ୟାଗୀ, -ସର୍ବଲଜ୍ଜା, ସର୍ବବାଧା, ସର୍ବଭୟ, ସର୍ବବିଘ୍ନ ବିମୁକ୍ତ ପ୍ରେମ । କେବଳ ପ୍ରେମଲାଗି ହିଁ ଏ ପ୍ରେମ । ଏହା ରାଗାତ୍ମିକା ରତି । ସଂବର୍ଦ୍ଧିତ, ସଂଜୀବିତ ଓ ସମ୍ମାନିତ । ପରକୀୟା ବା ପାରତନ୍ତ୍ର୍ୟ ବିନା ଏ ପ୍ରେମ ସମ୍ଭୋଗ ସମୃଦ୍ଧ ହୁଏ ନାହିଁ । ଏଣୁ ଶ୍ରୀଗୀତଗୋବିନ୍ଦରେ ସାଧାରଣ ଲୋକାଚରିତ କାମକ୍ରୀଡ଼ା-ରୀତିଅନୁସାରେ ଶ୍ରୀକୃଷ୍ଣଙ୍କୁ ରାଧିକାଙ୍କର ଉପପତି ରୂପରେ କ୍ରିଡ଼ା ସଂପନ୍ନକରିବାର ଦେଖାଇ ଦିଆଯାଇଅଛି । ଏହା ହିଁ ପରକୀୟା ରତିର ତାତ୍ପର୍ଯ୍ୟ ।

 

ରାଧାବାଦ ପ୍ରତିଷ୍ଠା

 

ବାସୁଦେବ ରତିକେଳି କଥାରୁ ରାଧାବାଦର ଉତ୍ପତ୍ତି । ବାସୁଦେବ ଶ୍ରୀକୃଷ୍ଣଙ୍କର ପ୍ରେମଲୀଳାର ସୃଷ୍ଟି ମୂଳରେ ରାଧା । ବ୍ରଜଲୀଳା ଚିତ୍ରଣରେ ଯୁଗସ୍ମର କବି-କାବ୍ୟକାରମାନଙ୍କ କାବ୍ୟ-କବିତା ରଚନାମାଧ୍ୟମରେ ରାଧାବାଦର ପରିପ୍ରଚାର ଭାରତୀୟ ସଂସ୍କୃତିର ଶିରା-ପ୍ରଶିରା ପ୍ରବାହିତ ରକ୍ତବିନ୍ଦୁ ସହିତ ମିଶିଯାଇଛି ।

 

‘ରାଧନ୍’-ଆରାଧନା ଯେ କରନ୍ତି ସେ ରାଧା । ଭାଗବତରେ ରାଧା ନାମର ଉଲ୍ଲେଖ ନଥିଲେ ମଧ୍ୟ ଉକ୍ତ ଗ୍ରନ୍ଥର ‘ଶରଦ-ରାସ’ ବର୍ଣ୍ଣନା ମଧ୍ୟରେ କୃଷ୍ଣ ପ୍ରେୟସୀ ‘ରାଧା’ର ଏକ ପ୍ରଚ୍ଛନ୍ନ ସଂଧାନ ମିଳେବୋଲି ନମସ୍ୟ ପ୍ରାଚୀନମାନେ ମତ ଦିଅନ୍ତି । କୃଷ୍ଣପ୍ରିୟା, କୃଷ୍ଣପ୍ରେୟସୀ ଇତ୍ୟାଦି ଶବ୍ଦର ନାମୋଲ୍ଲେଖ ଭାରତୀୟ ବିବିଧ ଆଞ୍ଚଳିକ ଭାଷାର ପ୍ରେମ-କବିତା ଓ ସଙ୍ଗୀତର ଅଙ୍ଗରେ ମାଧୂର୍ଯ୍ୟ ଭରିରଖିଛି । ରାଜା ସପ୍ତବାହନ ହାଲଙ୍କ ପ୍ରାକୃତ ଭାଷାର ‘ଗାଆ ସତ୍ତସଈ’ (ଗାଥା ସପ୍ତସତୀ) ଖ୍ରୀଷ୍ଟୀୟ ପ୍ରଥମ ଶତକର କବିମାନଙ୍କ ରଚିତ ପ୍ରେମ-କବିତାମାନଙ୍କର ଏକ ଅପୂର୍ବ ସଂକଳନ । ଏହି ଗ୍ରନ୍ଥରେ ପ୍ରଥମେ ‘ରାଧା’ ନାମର ଉଲ୍ଲେଖ ଦେଖାଯାଏ । ଗ୍ରନ୍ଥର କାଳ ସମ୍ବନ୍ଧେ ମତଦ୍ୱୈଧ ମଧ୍ୟ ରହିଛି । ଧ୍ୱନ୍ୟାଲୋକ (୯ମ ଶତାବ୍ଦୀରେ) ଚାରିଗୋଟି ଶ୍ଳୋକରେ ରାଧା ନାମୋଲ୍ଲେଖ ଦେଖାଯାଏ ।

 

ବେଣୀସଂହାର (ଭଟ୍ଟନାରାୟଣ) ନାଟକର ରଚନା ସପ୍ତମ ବା ଅଷ୍ଟମ ଶତାବ୍ଦୀକାଳର ବୋଲି ଧରାଯାଏ । ନାଟକର ‘ନାନ୍ଦୀ’ ଶ୍ଳୋକରେ ନିମ୍ନଲିଖିତମତେ ଉଲ୍ଲେଖ ଅଛି:-

 

‘‘କାଳିନ୍ଦ୍ୟାଃ ପୁଳିନେଷୁ କେଳିକୁପିତା-

            ମୁତ୍‌ସୃଜ୍ୟରାସେ ରସଂ

ଗଚ୍ଛନ୍ତୀମନୁଗଚ୍ଛତୋଽଶ୍ରୁକଳୁଷାଂ

            କଂସଦ୍ୱିଷୋ ରାଧିକାମ୍ ।।’’

 

ମର୍ମହେଲା-ଶ୍ରୀକୃଷ୍ଣ ସେତେବେଳେ ବ୍ରଜ-ପ୍ରବାସୀ । ବୃନ୍ଦାବନରୁ ଜଣେ ଗୋପୀସଖା ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚିଲେ । ଶ୍ରୀକୃଷ୍ଣ ପଚାରିଲେ, ଗୋପବଧୂମାନଙ୍କ ବିଳାସବନ୍ଧୁ, ରାଧିକାଙ୍କର ଗୋପନ ପ୍ରୀତିସାଥୀ କାଳିନ୍ଦୀତୀରସ୍ଥ ଲତାଗୃହଗୁଡ଼ିକ ସର୍ବଶୁଭରେ ଅଛନ୍ତି ତ ?

 

କାବ୍ୟ-ସାହିତ୍ୟାଦିର ମାଧୁର୍ଯ୍ୟରସ ବର୍ଣ୍ଣନାମାଧ୍ୟମରେ ରାଧାବାଦର ପ୍ରତିଷ୍ଠା ଘଟିଛି ଧର୍ମତତ୍ତ୍ୱରେ । ପରବର୍ତ୍ତୀ ପ୍ରବନ୍ଧ-କାବ୍ୟକାର କବିରାଜ ବାକ୍‌ପତିରାଜ (କଇରାୟ ବପ୍‌ପଇରାୟ)ଙ୍କ ଗ୍ରନ୍ଥ ‘ଗଉଡ଼ବହୀ’ର ମଙ୍ଗଳାଚରଣରେ ‘ରାଧା’ ନାମର ଉଲ୍ଲେଖ ଦେଖାଯାଏ । ଗ୍ରନ୍ଥଟି ପ୍ରାକୃତ ଭାଷାରେ ରଚିତ । ଲେଖାଅଛି:-

 

‘‘ମେହ-ରେହା ରାହା କାରଣଓଁ

କରୁଣଂ ହରନ୍ତୁ ବୋ ସରସା ।

ବଚ୍ଛ-ତଥ୍‌ଲମ୍ମି କୋତ୍‌ଥୁହ-

କିରଣ ଅନ୍ତିଓଁ କଣ୍ଠହସ୍‌ସ ।।’’

 

ମର୍ମ:- ଶ୍ରୀକୃଷ୍ଣଙ୍କ ବକ୍ଷର କୌସ୍ତୁଭମଣିର କିରଣରେ ରାଧାଙ୍କର ସମୁଜ୍ଜ୍ୱଳ ନଖରେଖା ଜଗତର ଦୁଃଖହରଣ କରୁ ।

 

ଏହିପରି ଅନ୍ୟାନ୍ୟ ଗ୍ରନ୍ଥରେ ରାଧା-ସଂବାଦ ସପ୍ତମ ଶତାବ୍ଦୀ ପୂର୍ବରୁ ବିବିଧ କାବ୍ୟପୃଷ୍ଠାରେ ଦୃଷ୍ଟହୁଏ । ‘ପଦ୍ମପୁରାଣ’ରେ ଉତ୍ତର ଏବଂ ପାତାଳଖଣ୍ଡରେ ରାଧାବର୍ଣ୍ଣନା ସ୍ଥାନ ପାଇଅଛି । କିନ୍ତୁ ପୁରାଣବର୍ଣ୍ଣିତ ଘଟଣାମାନଙ୍କରୁ ମନେହୁଏ, ବୃନ୍ଦାବନ ଲୀଳାରୁ ଏହିସବୁ ରଚନାର ବିକାଶ ଘଟିଅଛି । ଅନେକଙ୍କ ମତରେ ପଦ୍ମପୁରାଣ ଅର୍ବାଚିନ । ଅବଧି ଏହାର ରଚନାକାଳ ସମ୍ୱନ୍ଧେ ବିଭିନ୍ନ ମତ ଦେଖାଯାଏ । ତନ୍ତ୍ରଜାତୀୟ ଗ୍ରନ୍ଥ ‘ପଞ୍ଚତନ୍ତ୍ର ସଂହିତା’, ପୁରାଣଠାରୁ ମଧ୍ୟ ପୁରାତନ ଏବଂ ପ୍ରାମାଣ୍ୟ । ସେଥିରେ ରାଧାଙ୍କ ଉଲ୍ଲେଖ ରହିଛି । ଋକ୍ ବେଦରେ ଯେପରି ଶ୍ରୀକୃଷ୍ଣଙ୍କ ଉଲ୍ଲେଖ ରହିଛି, ଅଥର୍ବ ବେଦରେ ସେହିପରି ‘ରାଧା’ଙ୍କ ଉଲ୍ଲେଖ ରହିଛି । ଶ୍ରୀମଦ୍ ଭାଗବତରେ ଯେପରି ‘ରାଧା’ ନାମର ଉଲ୍ଲେଖ ନାହିଁ, ସେହିପରି ନନ୍ଦନନ୍ଦନ ଶ୍ରୀକୃଷ୍ଣଙ୍କ ଜନ୍ମ-ବୃତ୍ତାନ୍ତର ସୂଚନା ମଧ୍ୟ ଦେଖାଯାଏ ନାହିଁ ।

 

ରାଧା ଶକ୍ତିମୟୀ । ସେ ଶକ୍ତିମାନ୍ ପରଂବ୍ରହ୍ମଙ୍କ ଶକ୍ତିସ୍ୱରୂପା । ଶକ୍ତିବାଦର ମହତ୍ତ୍ୱ ଆଦିମକାଳରୁ ପ୍ରଚାରିତ ଓ ପ୍ରକୀର୍ତ୍ତିତ । ରାମାନୁଜଚାର୍ଯ୍ୟଙ୍କ ସଂପ୍ରଦାୟ (ଶ୍ରୀ-ସଂପାଦାୟ)ରେ ଶକ୍ତି ଲକ୍ଷ୍ମୀ ବା ଶ୍ରୀଙ୍କୁ ମୁଖ୍ୟସ୍ଥାନ ଦିଆଯାଇଥିବାର ପ୍ରମାଣ ମିଳେ । ରାଧାକୃଷ୍ଣ ଉପାସନାର ପ୍ରଥମ ପ୍ରଚାରକ ରୂପେ ନିମ୍ବାର୍କଙ୍କୁ ସ୍ୱୀକାର କରାଯାଇଅଛି । ସେ ‘ସନକ’ ସଂପ୍ରଦାୟର ପ୍ରତିଷ୍ଠାତା ଏବଂ ତାହାଙ୍କର କାଳ ଦ୍ୱାଦଶଶତାବ୍ଦୀ । ନିମ୍ୱାର୍କ ସଂପ୍ରଦାୟଦ୍ୱାରା ବିଶେଷଭାବରେ ଏହି ଶକ୍ତିବାଦର ଅଭିନ୍ନତ୍ୱ ପ୍ରଚାର ଘଟି ରାଧାବିନା କେବଳ କୃଷ୍ଣ ଉପାସନା ଅନୁଚିତ ବୋଲି ଗୃହୀତହେଲା । ଏକକ ଚତୁର୍ଭୁଜ ମୂର୍ତ୍ତି ସ୍ଥାପନ ପ୍ରଥା ବଦଳରେ ଅଧିକାଂଶ ବିଷ୍ଣୁପୀଠମାନଙ୍କରେ ରାଧା-କୃଷ୍ଣ ଯୁଗଳ ବିଗ୍ରହ ପ୍ରତିଷ୍ଠିତ ହେଲେ । ପୁରୁଷୋତ୍ତମ ତପିନୀ, ରାଧାତତ୍ତ୍ୱ ଓ ପଦ୍ମପୁରାଣ ପ୍ରଭୃତି ଏହିପରି ମତର ପରିପୋଷକ । ଜୟଦେବ ଯେ ନିମ୍ବାର୍କଙ୍କ ମତପ୍ରଚାରରେ ପ୍ରବୁଦ୍ଧ, ଏହା କୁହାଯାଇପାରେ ।

 

ସେତେବେଳେ ଆଗଙ୍ଗ-ଗୋଦାବରୀ ଥିଲା ଓଡ଼ିଶା ସାମ୍ରାଜ୍ୟର ବିସ୍ତୃତି । ଦାକ୍ଷିଣାତ୍ୟର ବ୍ରାହ୍ମଣ ଭକ୍ତପ୍ରବର ଆଚାର୍ଯ୍ୟ ନିମ୍ୱାର୍କଙ୍କ ମତପ୍ରଚାର ଉତ୍କଳରେ ବହୁଳଭାବେ ଅନୁସୃତ ହେବାର ସୁଯୋଗ ମିଳିଲା । ବ୍ରଜେଶ୍ୱରୀରାଧାଙ୍କ ପ୍ରେମର ଆଭିମୁଖ୍ୟକୁ ପ୍ରାଧାନ୍ୟ ଦିଆଗଲା । ଶ୍ରୀକୃଷ୍ଣ ପରମବ୍ରହ୍ମରୂପେ ପୂଜିତ ହେଲେ । ନିମ୍ୱାର୍କ ‘ବେଦାନ୍ତ ପାରିଜାତ ସୌରଭ’ ନାମକ ବ୍ରହ୍ମସୂତ୍ରର ଭାଷାରେ ବିଶଦଭାବେ ଏହି ଯୁଗଳ ଆରାଧନାର ଆଲୋଚନା କରି ଲେଖିଛନ୍ତି:-

 

‘‘ଅଙ୍ଗେ ତୁ ବାମ ବୃକ୍ଷଭାନୁଜାଂ ମୁଦା

ବିରାଜମାନାମନୁରୂପସୌଭଗାମ୍ ।

ସଖୀ ସହସ୍ରୈଃ ପରିସେବିତାଂ ସଦା

ସ୍ମରେମ ଦେବୀଂ ସକଳେଷ୍ଟକାମଦାମ୍ ।।’’

(ଦଶଶ୍ଳୋକୀ-୫ମ ଶ୍ଳୋକ)

 

ଅର୍ଥାତ୍-ଶ୍ରୀକୃଷ୍ଣଙ୍କର ଅନୁରୂପ ସୌଭାଗ୍ୟରୂପେ ତାଙ୍କ ବାମାଙ୍ଗରେ ପରମାନନ୍ଦେ ବିରାଜମାନା, ସଖୀସହସ୍ର ପରିବେଷ୍ଟିତା, ସକଳ ଇଷ୍ଟକାମଦାୟିନୀ ବୃଷଭାନୁନନ୍ଦିନୀ ଦେବୀଙ୍କୁ ସ୍ମରଣ କରୁଅଛି ।

 

ନିମ୍ୱାର୍କ ପ୍ରଚାରିତ ପନ୍ଥାରେ ଲକ୍ଷ୍ମୀଙ୍କ ଅପେକ୍ଷା ରାଧାଙ୍କର ପ୍ରାଧାନ୍ୟ ସ୍ୱୀକୃତ; କାରଣ ଲକ୍ଷ୍ମୀ ଐଶ୍ୱର୍ଯ୍ୟମୟୀ ଏବଂ ରାଧା ମାଧୂର୍ଯ୍ୟମୟୀ-ପ୍ରେମମୟୀ । ପ୍ରେମସାଧନ ହିଁ ସର୍ବସିଦ୍ଧିର ମୂଳ ।

 

ନିମ୍ବାର୍କଙ୍କ ଆବିର୍ଭାବ ଓ ଧର୍ମ ପ୍ରଚାରକାଳ ପରେ ପରେ ଉତ୍କଳର ମନ୍ଦିରମାନଙ୍କରେ ରାଧା-କୃଷ୍ଣ ଯୁଗଳମୂର୍ତ୍ତିର ପ୍ରତିଷ୍ଠା ଓ ପୂଜନ ରୀତି ବହୁଳଭାବେ ଦୃଷ୍ଟହେଲା । ରାଧାପ୍ରେମର ମହତ୍ତ୍ୱକୁ ସରଳ ସହଜ ରୀତିରେ ଜନସମାଜର ହୃଦୟରେ ଦୃଢ଼ଭାବରେ ବସାଇଦେଲା ସଂସ୍କୃତ ଛନ୍ଦ ଏବଂ ପ୍ରାକୃତ ସଙ୍ଗୀତ ରୀତିର ଅଭିନବ ମଧୁର ସମନ୍ୱୟରେ ‘ଶ୍ରୀଗୀତଗୋବିନ୍ଦ’ ।

 

ଉତ୍କଳରେ ରାଧାବାଦ

 

ରାଧାକୃଷ୍ଣ ଯୁଗଳ ଆରାଧନା ପୂର୍ବରୁ ଉତ୍କଳର ମନ୍ଦିର ଗାତ୍ର ମାନଙ୍କରେ ବହୁ ଗୋପୀ ପରିବେଷ୍ଟିତ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିମାନ ପ୍ରତିଷ୍ଠିତ ଥିବାର ଦେଖାଯାଏ । ଏଥିରୁ ଜଣାଯାଏ ଯେ ‘‘ଗୋପୀଜନ ବଲ୍ଲଭ’’ କୃଷ୍ଣଙ୍କର ଆରାଧନା ବହୁଳଭାବେ ପ୍ରଚଳିତ ଥିଲା । ପରେପରେ ଉତ୍କଳର ପୁରପଲ୍ଲୀରେ ରାଧାକୃଷ୍ଣ ଯୁଗଳ-ମୂର୍ତ୍ତିର ବିଗ୍ରହମାନ ନିର୍ମିତ ହୁଏ ଏବଂ ଯୁଗଳ ମୂର୍ତ୍ତି ଭିନ୍ନ ଏକାକୀ କୃଷ୍ଣ ପୂଜନ ଧର୍ମାଚରଣ ବିଗର୍ହିତବୋଲି ଲୋକେ-ସମାଜର ଧାରଣା ଦୃଢ଼ୀଭୂତ ହୁଏ । ମନେହୁଏ ଏହିମତେ ସାକ୍ଷୀ-ଗୋପାଳରେ ଶ୍ରୀଗୋପୀନାଥଙ୍କ ବାମଦିଗରେ ଶ୍ରୀରାଧା ମୂର୍ତ୍ତିର ପ୍ରତିଷ୍ଠାପନା ।

 

କାଳକଳନାରେ ବିଚାରକରିବାକୁଗଲେ ଶ୍ରୀଗୀତଗୋବିନ୍ଦରେ ରାଧାବାଦ ବା ରାଧାକୃଷ୍ଣ ଯୁଗଳ-ଲୀଳା ରସପ୍ରଚାର (ଦ୍ୱାଦଶ ଶତାଦ୍ଦୀର ପ୍ରଥମ ଦଶକ) ସମୟକୁ ବଙ୍ଗଳାରେ ଏପରି ରାଧାକୃଷ୍ଣ ଯୁଗଳ ଉପାସନା ପ୍ରବର୍ତ୍ତିଥିବାର ସୂଚନା ମିଳେନାହିଁ । ବଙ୍ଗଦେଶରେ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟ ରାଧାକୃଷ୍ଣ ରସର ପରିପ୍ରଚାରକବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ସମ୍ପ୍ରଦାୟର ମୁଖ୍ୟକର୍ତ୍ତା ହେଲେ ମହାପ୍ରଭୁ ଶ୍ରୀଚୈତନ୍ୟ । ୧୫୧୨-୧୫୧୫ ଖ୍ରୀଷ୍ଟାଦ୍ଦରେ ପରମ ଭକ୍ତ ରାୟ ରାମାନନ୍ଦ ପଟ୍ଟନାୟକଙ୍କ ସହିତ ଧର୍ମତତ୍ତ୍ୱ ଆଲୋଚନାକାଳରେ ଶ୍ରୀଚୈତନ୍ୟ ଶ୍ରୀ ରାୟଙ୍କୁ ପ୍ରଶ୍ନକଲେ-‘‘ଉପାସ୍ୟ କି ?’’ ଉତ୍ତରରେ ଶ୍ରୀ ରାୟ କହିଲେ ‘‘ରାଧା କୃଷ୍ଣ’’ । ଏଥୁରୁ ସ୍ପଷ୍ଟ ପ୍ରମାଣ ମିଳେଯେ ପ୍ରୋକ୍ତକାଳ ପୂର୍ବରୁ ଉତ୍କଳରେ ରାଧା-ବାଦର ପ୍ରତିଷ୍ଠା ଘଟିସାରିଥିଲା ।

 

ଶ୍ରୀଗୀତଗୋବିନ୍ଦ ଶ୍ରୀଚୈତନ୍ୟଙ୍କର ନିତ୍ୟପାଠ୍ୟ ଥିଲା ବୋଲି ବୈଷ୍ଣବ ସମ୍ପ୍ରଦାୟ ସ୍ୱୀକୃତ । ଶ୍ରୀଗୀତଗୋବିନ୍ଦର ପ୍ରଚାର ପ୍ରସାର ପରେ ପରେ ରାଧାବାଦର ବିଶେଷ ସମାଦାର ଘଟିଛି । ଶ୍ରୀଚୈତନ୍ୟ ରାୟ ରାମାନନ୍ଦଙ୍କ ପ୍ରଭାବରେ ପ୍ରଭାବିତହୋଇ କୀର୍ତ୍ତନ ଗୀତର ସରଳ ସହଜ ସ୍ୱର ଓ ଭାଷା ମାଧ୍ୟମରେ ରାଧା-କୃଷ୍ଣ ଉପାସନାର ବହୁଳ ପ୍ରସାର କରାଇଅଛନ୍ତି । ବଙ୍ଗଦେଶରେ କୀର୍ତ୍ତନ ପ୍ରେମିକ ଭକ୍ତ ଗୌଡ଼ୀୟ ବୈଷ୍ଣବ-ଗଣ ଏହାର ପରିପ୍ରଚାରକ । କିନ୍ତୁ ଏ ସମ୍ବନ୍ଧେ ରାୟ ରାମାନନ୍ଦଙ୍କ ଗୁରୁ-ଗୌରବ ଅବିସ୍ମରଣୀୟ । ଶ୍ରୀଚୈତନ୍ୟଙ୍କର ସେ ଦୀକ୍ଷାଗୁରୁ । ଏ ସମ୍ବନ୍ଧେ କୌତୂହଳୀ ପାଠକପାଠିକା ନିମ୍ନଲିଖିତ ସତ୍ୟ କଥନ କରିପାରନ୍ତି ।

X X X X X X X X X

 

‘‘ବାଙ୍ଗୀୟ ବୈଷ୍ଣବେରା ଯାଁହାକେ ‘‘ମହାପ୍ରଭୁ’’ ବଲେନ୍, ସେଇ ମହାପ୍ରଭୁଇ ଏଇ ଦଣ୍ଡୀ-ସନ୍ନ୍ୟାସୀ ଛିଲେନ୍, ଇନିଇ ବିଶ୍ୱବରେନ୍ୟ ‘ଦଶ-ନାମୀ’ ସନ୍ନ୍ୟାସୀ ସମ୍ପ୍ରଦାୟେର ଶୃଙ୍ଗେରୀ-ମଠେର୍‌ ଅନ୍ତର୍ଗତ ‘‘ଭାରତୀ’’-ନାମା ସନ୍ନ୍ୟାସୀ । କୃଷ୍ଣଚୈତନ୍ୟ ଭାରତୀ ଇଁହାର ସନ୍ନ୍ୟାସନାମ, ଗୃହସ୍ଥନାମ-ଗୌର ବା ନିମାଇଁ ମିଶ୍ର । ଇଁହାର ପିତା ଶ୍ରୀହଟ ଜେଲାର ଅଧିବାସୀ ଛିଲେନ, ନାମ ଜଗନ୍ନାଥ ମିଶ୍ର ଛିଲ । ନିମାଇଁ ବାଙ୍ଗାଲାର ନଦୀୟା ଜେଲାର ଅନ୍ତର୍ଗତ ନବଦ୍ୱୀପେର ପାର୍ଶ୍ୱବର୍ତ୍ତୀ ମାୟାପୁର ନାମକ ଗ୍ରାମେ ୧୪୮୫ ଖ୍ରୀଷ୍ଟାବ୍ଦେ ଜଗନ୍ନାଥ ମିଶ୍ରେର ପୁତ୍ର ରୂପେ ଜନ୍ମଗ୍ରହନ କରେନ୍‌ । ଇନିଇ ବାଙ୍ଗାଲାୟ ବର୍ତ୍ତମାନ ବୈଷ୍ଣବ-ଧର୍ମେର ପ୍ରବର୍ତ୍ତକ । ବାଲ୍ୟକାଲ ହଇତେଇ ଇହାର ଭାବଧାରା ଈଶ୍ୱର-ମୁଖୀ ଛିଲ; ସୁତରାଂ ଟୋଲେର ଅଧ୍ୟୟନ ଶେଷ କରିୟା ଇନିଇ ‘ହରି-ନାମ’ ସଂକୀର୍ତ୍ତନ କରତଃ, ତାହାତେ ଯୋଗଦାନ କରେନ ଓ ମଧ୍ୟେ ମଧ୍ୟେ ଭାବାବେଶ ପ୍ରାପ୍ତ ହଇତେ ଥାକେନ । ଯୌବନେ ଇନି ଲକ୍ଷ୍ମୀପ୍ରିୟା ଦେବୀକେ ବିବାହ କରେନ, କିନ୍ତୁ ବିବାହେର ଅତ୍ୟଲ୍ପକାଲ ପରେଇ ଲକ୍ଷ୍ମୀପ୍ରୀୟାର ସର୍ପାଘାତେ ମୃତ୍ୟୁ ହଇଲେ ତାଁହାର କନିଷ୍ଠା ଭଗ୍ନୀ ବିଷ୍ଣୁପ୍ରିୟାକେ ଦ୍ୱିତୀୟବାର ବିବାହ କରେନ । ଇନି ବାଲ୍ୟକାଲ ହଇତେଇ ଘୋର ଦୈତବାଦୀ ଛିଲେନ ଅର୍ଥାତ୍‌ ଜୀବ ଓ ବ୍ରହ୍ମେ ନିତ୍ୟ-ଭେଦ, ଜୀବ କଖନ ଓ ବ୍ରହ୍ମ ବା ଭଗବାନ ହଇତେ ପାରେନା-ଏଇ ମତେର ସମର୍ଥକ ଛିଲେନ୍ । ଚବ୍‌ବିଶ ବତ୍ସର ବୟସେ ବୈରାଗ୍ୟୋଦୟେ ବୃଦ୍ଧ-ମାତା ଓ ଯୁବତୀ ସ୍ତ୍ରୀକେ ତ୍ୟାଗ କରିୟା ବର୍ଦ୍ଧମାନ ଜେଲ୍ଲାର ଅନ୍ତର୍ଗତ ‘କାଟେୟା’ ନାମକ ସ୍ଥାନେ ଗିୟା କେଶବ ଭାରତୀ ନାମକ ‘ଦଶନାମୀ-ଦଣ୍ଡୀ’–ସନ୍ୟାସୀର ନିକଟ ହଇତେ ସନ୍ନ୍ୟାସ-ଗ୍ରହଣ ପୂର୍ବକ ‘ଦଣ୍ଡ’ ଗ୍ରହଣ କରେନ । ଏଇ ସମୟେ ଇହାର ସନ୍ୟାସ-ଗୁରୁ-ପ୍ରଦତ୍ତ ନାମ କୃଷ୍ଣଚୈତନ୍ୟ ଭାରତୀ ହୟ । ପରେ ଯଖନ ଦାକ୍ଷିଣାତ୍ୟ ଭ୍ରମଣେ ଯାନ, ତଖନ ରାଜମାହେନ୍ଦ୍ରୀର କିଛୁ ଦୂରବର୍ତ୍ତୀ ପୂଣ୍ୟ ସଲୀଲା ଗୋଦାବରୀ-ତୀରେ ‘କବ୍‌ବୁର’ ନାମକ ସ୍ଥାନେ ଗୃହୀ ଆତ୍ମଯୋଗୀ ରାୟ ରାମାନନ୍ଦେର ସଙ୍ଗେ ମିଲନ ହୟ ଏବଂ ତାଁହାର ନିକଟ ଆତ୍ମମନ୍ତ୍ରେ (ପ୍ରାଣ-କ୍ରିୟାୟ) ଦୀକ୍ଷିତ ହଇୟା ଆତ୍ମ-ସାଧନାୟ ବ୍ରତୀ ହନ ଓ ନୀଳାଚଲେ (ଜଗନ୍ନାଥଧାମେ) ଗିୟା ବାସ କରେନ । ମହାପ୍ରଭୁର ଭଗବାନତ୍ୱେ ଏବଂ ଅବତାରତ୍ୱେ ହାନି ହଇବାର ସମ୍ଭାବନା ଦେଖିୟା ପରବର୍ତ୍ତୀ ସମୟେର ବାଙ୍ଗାଲାର ବୈଷ୍ଣବ ଚୈତନ୍ୟ-ଚରିତାମୃତ-ଲେଖକ କୃଷ୍ଣଦାସ କବିରାଜ ରାୟ ରାମାନନ୍ଦେର ନିକଟ ତାଁହାର ଏଇ ଦୀକ୍ଷା-ଗ୍ରହଣ ବ୍ୟପାରଟି ଖୁବ୍‌ ସତର୍କତାର ସହିତ ଏବଂ କୌଶଲେର ସହିତ ଅନ୍ୟରୂପେ ରୂପଦିଆ ପ୍ରକାଶ କରିୟାଛେନ; କିନ୍ତୁ ଏତ କୌଶଲ-ସତ୍ୱେ ଓ ଚୈତନ୍ୟ ଚରିତାମୃତ-କାର ଅବ୍ୟାହତି ପାନ ନାଇ,-ଇହା ଚୈତନ୍ୟ-ଚରିତାମୃତରେ ମଧ୍ୟ ଲାଳାୟ ‘‘ରାୟ ରାମାନନ୍ଦ ସଙ୍ଗୋତ୍ସବ’’ ଅଂଶଟୀ ପାଠ କରିଲେଇ ବୁଝାଯାଏ, ଯଥା:-

କିବା ବିପ୍ର, କିବା ନ୍ୟାସୀ, ଶୁଦ୍ର କେନେ ନୟ

ଯେଇ କୃଷ୍ଣ ତତ୍ତ୍ୱବେତ୍ତା, ସେଇ ଗୁରୁ ହୟ ।

(୮ମ ପରିଚ୍ଛେଦ)

 

ରାୟ ରାମାନନ୍ଦ ଜାତିତେ କାୟସ୍ଥ ଛିଲେନ; ତଖନକାର ସଂସ୍କାରାନୁସାରେ କାୟସ୍ଥଜାତି ‘ଶୁଦ୍ର’ ବଲିୟା ପରିଗଣିତ ଛିଲ । ମହାପ୍ରଭୁ ରାୟରାମାନନ୍ଦକେ ଆତ୍ମତତ୍ତ୍ୱଜ୍ଞାନୀଦେର ଉଚ୍ଚସ୍ତରେ ଆରୂଢ଼ ଓ ଆତ୍ମ-ତତ୍ତ୍ୱେର ସୁଗଭୀର ସିଦ୍ଧାନ୍ତ ଦର୍ଶନକରିୟା ମୁଗ୍‌ଧ ହଇୟା ଯାନ, ଏବଂ ତାହାର କାଛେ ଆତ୍ମସାଧନାୟ ଦୀକ୍ଷିତ ହଇତେ ଇଚ୍ଛାପ୍ରକାଶ କରେନ । ମହାପ୍ରଭୁ ବର୍ଣ୍ଣେ ବ୍ରାହ୍ମଣ-କୁଲୋତ୍ପନ୍ନ ଛିଲେନ୍‌ । ଇହା ରାୟ-ରାମାନନ୍ଦ ପୂର୍ବେଇ ଜାନିୟାଛିଲେନ ଏବଂ ବର୍ତ୍ତମାନେ ସର୍ବାଶ୍ରମ-ଶ୍ରେଷ୍ଠ ସନ୍ୟାସୀର ଗୁରୁ ହଇବାର ଭୟେ ତାଁହାକେ ଦୀକ୍ଷା-ଦାନ କରିତେ ସଂକୋଚବୋଧ କରିୟା ଯାହା ବଲିୟାଛିଲେନ ତାହାରଇ ଉତ୍ତରେ ମହାପ୍ରଭୁ ଉପରୋକ୍ତ ପୟାରେ ଲିଖିତ କଥାଗୁଲି ବଲିୟାଛିଲେନ୍‌ । ଏଇବାରେ ରାୟ ରାମାନନ୍ଦ ମହାପ୍ରଭୁର କଥାୟ ସାହସ ପାଇୟା ତାଁହାକେ ଆତ୍ମତତ୍ତ୍ୱେ ଦୀକ୍ଷା-ଦାନ କରେନ୍‌ ଏବଂ ପରେ ସାଧନ ରାଜ୍ୟେର ଗୂଢ଼ ତତ୍ତ୍ୱ-ସମୂହ ବ୍ୟାଖ୍ୟା କରିତେ ଥାକେନ; ଇହାକେଇ ଅନ୍ୟ ଛାଁଚେ ଡାଲିୟା ଚୈତନ୍ୟଚରିତମୃତକାର କୃଷ୍ଣଦାସ କବିରାଜ ଓ ଚୈତନ୍ୟ ଭାଗବତକାର ବୃନ୍ଦାବନ ଦାସ ବାହିରେ ପ୍ରକାଶ କରିଲେନ । ଏକଜନ ସାଧାରଣ ଶୁଦ୍ରକେ ଗୁରୁବଲିୟା ସ୍ୱୀକାର କରାୟ ତାଁହାଦେର ମହାପ୍ରଭୁତେ ଆରୋପିତ ଭଗବାନତ୍ୱେର ପାଛେ ହାନି ହୟ, ତାହାର ଜନ୍ୟ ଭାଷାର ମଧ୍ୟ ଦିୟା ଐ କଲଙ୍କ ଧୁଇୟା ଫେଲିବାର ନିମିତ୍ତ ବହୁ-ପ୍ରକାର ଚେଷ୍ଟା ଚଲିୟାଛେ, ଶୁଧୁ ଯେ ଏଖାନଟାଇ ଏରୂପ ଚଲିୟାଛେ ତାହାଇ ନହେ, କେଶବ ଭାରତୀର ନିକଟ ନିମାଇଁୟେର ସନ୍ୟାସ-ଗ୍ରହଣ ବ୍ୟାପାରଟୀତେଓ ଠିକ୍‌ ଏଇରୂପ କରାହଇୟାଛେ । ଇଁହାଦେର ମତ ବୈଷ୍ଣବଦେର ନିକଟ ଏକଟି ନଗଣ୍ୟ ସନ୍ନ୍ୟାସୀର କାଛେ ତଁ ହାଦେର ଭଗବାନ୍‌ ଓ ଅବତାର-ପୁରୁଷେର କି ସନ୍ନ୍ୟାସୀ-ଦୀକ୍ଷା ଲଓୟା ସମ୍ଭବ ? ଏ କଲଙ୍କଓ ଧୁଇୟା ଫେଲିବାର ଜନ୍ୟ କତ ଯେ ଅଭିନୟ କରାହଇୟାଛେ, ତାହା ଚୈତନ୍ୟ-ଚରିତମୃତେର ଆଦି-ଲୀଲାର ୧୭ଶ ପରିଚ୍ଛେଦ ଓ ବୃନ୍ଦାବନ ଦାସେର ଚୈତନ୍ୟ-ଭାଗବତ ପାଠ କରିଲେ ବେଶ ବୁଝାଯାୟ । ନିମାଇଁ ଯେ ସ୍ୱୟଂ ଭଗବାନ୍‌ ଓ ଅବତାର ପୁରୁଷ, ତିନି ଯେ ସାଧାରଣ ଲୋକେର ମତ ସାଧାରଣ ସନ୍ନ୍ୟାସୀର କାଛେ ସନ୍ନ୍ୟାସ ଓ ଦୀକ୍ଷା ଲଇତେ ପାରେନନା, ତାହାଇ ଇଁହାରା ଦୁଇଜନେ ପ୍ରମାଣ କରିବାର ଜନ୍ୟ ଆପ୍ରାଣ ଚେଷ୍ଟା କରିୟାଛେନ । ଗୁରୁକେ ଏତଟା ହେୟ ଓ ଲଘୁ କରାତେ ବାଙ୍ଗାଲାୟ ଗୁରୁ-ଆଦର୍ଶବାଦେ ଯେ ପ୍ରଚଣ୍ଡ ଆଘାତ କରା ହଇୟାଛେ; ତାହା ବଲାଇ ବାହୁଲ୍ୟ ।

 

ପାଦଟୀକା-ପୃ ୧୦୬

 

ସନ୍ନ୍ୟାସ-ଗ୍ରହଣେର ପର ନୀଲାଚଲେ (ଜଗନ୍ନାଥ-ଧାମ-ଉଡ଼ିଷ୍ୟାୟ) ଗିୟା ଚବ୍‌ବିଶ ବତ୍ସର ଆତ୍ମ-ସାଧନା କରେନ, ପରେ ୪୮ ବତ୍ସର ବୟସେ ରଥଯାତ୍ରାର ସମୟ ଜଗନ୍ନାଥେର ମନ୍ଦିର ହଇତେ ସଦଲେ କୀର୍ତ୍ତନ ଲଇୟା ଗୁଣ୍ଡିଚାବାଡ଼ୀ ମାର୍ଜ୍ଜାନେର ଜନ୍ୟ ଯାଇବାର ସମୟେ ପଥେ ଦକ୍ଷିଣ ଚରଣେ ଇଁଟ ଫୁଟିୟାଯାଓୟାତେ ଉହା ବିଶାକ୍ତ (Septic) ହଇୟା ଯାୟ ଏବଂ ଉତ୍ଥାନ-ଶକ୍ତି ରହିତ ହଇୟା ଗୁଣ୍ଡିଚା-ବାଡ଼ୀତେଇ ଶଯ୍ୟାଶାୟୀ ହନ, ସାତଦିନ ପରେ ଆଷାଢ଼ୀ ଶୁକ୍ଲା ସପ୍ତମୀତେ ଗୁଣ୍ଡିଚା-ବାଡ଼ୀତେଇ ୪୮ ବତ୍ସର ବୟସେ ଶରୀର ତ୍ୟାଗ କରେନ୍‌ । ମହାପ୍ରଭୁର ଅବତାରତ୍ୱେର ହାନିହଇବାର ଭୟେ ଗୌଡ଼ା ବୈଷ୍ଣବେରା ଏକ ଅଦ୍ଭୁଦ୍ ଓ ଅଲୌକିକ ଗଳ୍ପାକାରେ ରଚନା କରିୟା ଜଗନ୍ନାଥ ଦେବେର କାଷ୍ଠମୟୀ ମୂର୍ତ୍ତିତେ ଚୈତନ୍ୟ ପ୍ରଭୁ ପ୍ରବେଶ କରିଲେନ ବଲିୟା ପ୍ରଚାର କରିୟାଛେନ ।’’

 

ପ୍ରୋକ୍ତ ଲେଖାଟି ବଂଗଭାଷାରେ ଲିଖିତ ‘ବ୍ରହ୍ମ-ବିଦ୍ୟା-ସାଧନ’ ବା ପ୍ରାଣ-ଉପାସନା (ମୁକ୍ତିକାମୀ ଗୃହୀଦେବ ମୁକ୍ତିର ଜନ୍ୟ ସହ-ଜମାର୍ଗ ଦ୍ୱିତୀୟଖଣ୍ଡ ନାମକ ପୁସ୍ତକର ପୃ୧୦୨-୧୦୬ଷ୍ଠାରେ ମୁଦ୍ରିତପାଠର ଅବିକଳ ପ୍ରତିଲିପି । ଗ୍ରନ୍ଥ ପ୍ରଣେତା ଆତ୍ମଯୋଗାଚାର୍ଯ୍ୟ ଶ୍ରୀମତ୍‌ସ୍ୱାମୀ ଓଁକାରାନନ୍ଦ ସରସ୍ୱତୀ, ହୃଷୀକେଶ (ହିମାଳୟ) ଗ୍ରନ୍ଥକାର ଓ ପ୍ରକାଶକ ଶ୍ରୀମତ୍ ସ୍ୱାମୀ ଓଁକାରାନନ୍ଦ ସରସ୍ୱତୀ, ହୃଷୀକେଶ (ହିମାଳୟ) ।

 

ପ୍ରାପ୍ତିସ୍ଥାନ-ମହେଶ ଲାଇବ୍ରେରୀ, ୨।୧ ଶ୍ୟାମାଚରଣ ଦେ ଷ୍ଟ୍ରିଟ୍‌; କଲେଜ-ସ୍କୋୟାର, କଲିକତା । ଶ୍ରୀଗୁରୁଲାଇବ୍ରେରୀ, ୨୦୪ କର୍ଣ୍ଣ-ଓୟାଲିସଷ୍ଟ୍ରିଟ, କଲିକତା । ସଂସ୍କୃତ ବୁକ୍‌ଡିପୋ ୨୮୯ କର୍ଣ୍ଣଓୟାଲିସ ଷ୍ଟ୍ରିଟ କଲିକତା । ମୁଦ୍ରାକର ଶ୍ରୀ ହରିପଦ ରାୟ ଚୌଧରୀ, ଆର୍ଯ୍ୟ ପ୍ରିଣ୍ଟଂ ୟାଣ୍ଡ ବାଇଣ୍ଡିଂ ଓ୍ୟାର୍କସ ଲି: ୫୦, ପଟଲଡ଼ାଙ୍ଗା ଷ୍ଟ୍ରିଟ, କଲିକତା-୯ । ପ୍ରକାଶ କାଳ-ନବବର୍ଷ ବୈଶାଖ ୧୩୬୪ । ମୂଲ୍ୟ ତିନିଟାକା ମାତ୍ର ।

 

ଶ୍ରଦ୍ଧେୟ ପାଠକପାଠିକାଙ୍କ ସମ୍ମୁଖରେ ପୂର୍ବୋକ୍ତ ଦୀର୍ଘ ଉଦ୍ଧୃତି ଉପସ୍ଥାପିତ କରିବାର ଅଭିପ୍ରାୟ ଜଣାକରୁଛି ।

ଉତ୍କଳୀୟପରମ୍ପରାରେ ରାଧା-ବାଦ ବା ରାଧାମାଧବ ପୂଜନ ପ୍ରଥା ତୁଳନାତ୍ମକଭାବେ ବଂଗ ଅପେକ୍ଷା ପ୍ରାଚୀନତର । ଶ୍ରୀଚୈତନ୍ୟ ହିଁ ଷୋଡ଼ଶ ଶତାଦ୍ଦୀରେ ‘‘ବାଙ୍ଗାଳାୟ ବର୍ତ୍ତମାନ ବୈଷ୍ଣବ-ଧର୍ମେର ପ୍ରବର୍ତ୍ତକ’ । କହିବା ବାହୁଲ୍ୟ ଯେ ଶ୍ରୀ ଚୈତନ୍ୟ ରାଧାଭାବ ବା ରାଧାତତ୍ତ୍ୱ ଜ୍ଞାନରେ ଦୀକ୍ଷିତହେଲେ ରାୟ ରାମାନନ୍ଦ ପଟ୍ଟନାୟକଙ୍କଠାରୁ । ରାୟରାମାନନ୍ଦ ଶ୍ରୀ ଚୈତନ୍ୟଦେବଙ୍କ ଅପେକ୍ଷା ବୟୋଜ୍ୟେଷ୍ଠ । ରାଧା-ଉପାସନା ବା ଯୁଗଳ-ଉପାସନା ନିଣ୍ଚିତଭାବେ ତାହାଙ୍କର ବହୁପୂର୍ବେ ପ୍ରଚଳିତ ଥିଲା ଉତ୍କଳରେ।

 

ଉତ୍କଳ ସମ୍ରାଟ ମହାରାଜା ରାଜରାଜଦେବଙ୍କ ଭାଇ ଉଦୟନାଚାର୍ଯ୍ୟ ୧୧୭୦-୧୧୯୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଗୀତଗୋବିନ୍ଦର ପ୍ରଥମ ଟୀକାକାର ରୂପେ ସମ୍ମାନିତ । ଏହି ଦୃଷ୍ଟିରୁ ଏ କଥା ସ୍ୱୀକାର୍ଯ୍ୟ ଯେ ତହିଁପୂର୍ବରୁ ଗୀତଗୋବିନ୍ଦର ସାର୍ବଜନୀନ ସମାଦାର ତଥା ରାଧାଗୋବୀନ୍ଦ-ରସାମୃତ ଆସ୍ୱାଦ ପ୍ରଭାବ ଉଦୟନଚାର୍ଯ୍ୟଙ୍କୁ ଗ୍ରନ୍ଥର ଟୀକା ରଚନାରେ ପ୍ରଲୁବ୍‌ଧ-କରାଇଥିବ । ଏହିପ୍ରକାରେ ଟୀକା ଲେଖନକାଳ ବିଚାରରୁ ଦେଖିବାକୁ ଗଲେ ଗୀତଗୋବିନ୍ଦର ରଚନାକାଳ ଆନୁମାନିକ ୧୧୫୦ ଖ୍ରୀଷ୍ଟାବ୍ଦ ବୋଲି ଧରାଯାଇପାରେ ।

ମହାକବି କ୍ଷେମେନ୍ଦ୍ରଙ୍କ ପୂର୍ବରୁ କୃଷ୍ଣସଂବନ୍ଧୀୟ ଶୃଙ୍ଗାର ରସାତ୍ମକ କାବ୍ୟ ରଚନାରେ ରାଧାଙ୍କୁ ଏତେ ବେଶୀ ମହତ୍ୱ ଦେଇ ନ ଥିଲେ, କବି କାବ୍ୟକାରମାନେ । କ୍ଷେମେନ୍ଦ୍ର ହିଁ ପ୍ରଥମେ ପ୍ରେମଲୀଳା ରଚନାରେ ରାଧାଙ୍କୁ ପ୍ରାଧାନ୍ୟ ଦେଲେ । ସେ ମିଳନ ଓ ବିରହ ଉଭୟଦିଗରୁ ରାଧାପ୍ରେମ ବିକାଶ କରିଛନ୍ତି ।

 

ଦଶାବତାର ବର୍ଣ୍ଣନାକରି ଶ୍ରୀକୃଷ୍ଣଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ଏହି ମହାକବି । ସେ କେବଳ ଶ୍ରୀକୃଷ୍ଣଙ୍କର ପ୍ରଣୟଲୀଳା ବର୍ଣ୍ଣନା କରି ନାହାନ୍ତି ପରନ୍ତୁ, ଅବତାରବାଦରେ ଭିନ୍ନ ଭିନ୍ନ ଅବତାର ବର୍ଣ୍ଣନା କରି ଶ୍ରୀକୃଷ୍ଣ ଜୀବନୀର ବୈଚିତ୍ର୍ୟ ପ୍ରତିପାଦନ କରିଅଛନ୍ତି । ସେ ଏକଦେଶୀ ବା ଏକଧର୍ମ୍ମୀ ନହୋଇ ସର୍ବଧର୍ମ୍ମୀ ହୋଇଛନ୍ତି, ସ୍ୱୀୟ ରଚନାରେ । କୌଣସି ଏକ ମତବିଶେଷର ପ୍ରତିପାଦନ ତାଙ୍କର ଲକ୍ଷ୍ୟ ନ ଥିଲା ।

 

ନିମ୍ବାର୍କ କର୍ତ୍ତୃକ ରାଧାଉପସନା ପ୍ରଚାର ପରେ ରାଧା-ବାଦ ପ୍ରତିଷ୍ଠା ଉତ୍କଳରେ ଦୃଢ଼ୀଭୂତ ହେଲା । ସେହି ‘ବାଦ’ର ପ୍ରଭାବ ଉତ୍କଳୀୟ ଭକ୍ତ କବି ଜୟଦେବଙ୍କ ଅନ୍ତର୍ନିହିତ ରାଧାମାଧବ ଚରଣର ଅଭିବନ୍ଦନ-ପ୍ରତିଭା ଉନ୍ମେଷିତ କଲା । ତହୁଁ ସେ ଗୋବିନ୍ଦ-ଲୀଳା-ବିଳାଶ ବର୍ଣ୍ଣନ କରି ସ୍ୱକୀୟ ସ୍ୱଭାବଜ ପଦଲାଳିତ୍ୟ ତଥା କଳାଚାତୁର୍ଯ୍ୟରେ ଶ୍ରୀଗୀତଗୋବିନ୍ଦ ରଚନା କଲେ । ବ୍ରଜରମଣୀଗଣମୁକୁଟମଣି ଶ୍ରୀରାଧା ଏବଂ ଗୋପାଙ୍ଗନାମାନଙ୍କ ପ୍ରେମ ପରିଚର୍ଯ୍ୟାରେ ସାଧାରଣ ହୃଦୟର ଭାବ ମିଳନ ବା ଭାବସାମ୍ୟର ଯୋଗାଯୋଗ, ବଢ଼ାଇଦେଲା ଗୀତଗୋବିନ୍ଦର ଜନପ୍ରିୟତା । ଆତ୍ମସାଧକ ଭକ୍ତ ରାୟ ରାମାନନ୍ଦଙ୍କ ସମୟକୁ ଏହି ରାଧାବାଦ-ତରୁ ପଲ୍ଲବିତ ହୋଇ ସାରିଥିଲା । ତେଣୁ ଏହା ସ୍ପଷ୍ଟ ଯେ ରାଧାକୃଷ୍ଣ ଯୁଗଳ ଉପାସକ ବୈଷ୍ଣବ ସମ୍ପ୍ରଦାୟ ଶ୍ରୀରାୟଙ୍କ ପୂର୍ବରୁ ଉତ୍କଳରେ ପ୍ରସରି ସାରିଥିଲେ । ଶ୍ରୀରାମାନନ୍ଦ ଏହି ସଂପ୍ରଦାୟର ବିଶିଷ୍ଟ ଗୃହୀ ଆତ୍ମ-ଯୋଗୀ । ମହାପ୍ରଭୁ ଶ୍ରୀଚୈତନ୍ୟ ଏଥି ପୂର୍ବରୁ ସନ୍ନ୍ୟାସ ଗ୍ରହଣ କରି ସାରିଥିଲେ । ସେ ଗୁରୁ ଗୌରବର ଉପଯୁକ୍ତପାତ୍ର ମଣି ଶ୍ରୀରାୟଙ୍କୁ ସ୍ୱୀୟ ଦୀକ୍ଷାଗୁରୁ ରୂପେ ବରଣକଲେ । ଶ୍ରୀଚୈତନ୍ୟ ଗୁରୁଙ୍କ ଶ୍ରୀମୁଖରୁ ଶୁଣିଲେ-‘‘ନା ସୋ ରମଣ, ନା ହାମ ରମଣୀ’’-ସେ ପୁରୁଷ ନୁହନ୍ତି ମୁଁ ନାରୀ ନୁହେଁ-ଅର୍ଥାତ୍ ସେ ପରମାତ୍ମା ନୁହଁନ୍ତି, ମୁଁ ଜୀବ ନୁହେଁ । ଦୁହେଁ ଏକ ବସ୍ତୁ-ଦୁହେଁ ଅଭେଦାତ୍ମା ।-‘‘ଦୁହଁ ଭାବ ମନୋଭାବ ପେଶଲ ଜାନି’’-‘‘ନିର୍ଧୁତଭେଦ ଭ୍ରମଂ’’ ବାକ୍ୟର ପ୍ରକାଶ । ଶ୍ରୀଗୀତଗୋବିନ୍ଦରେ ଏହି ବାସୁଦେବ ତତ୍ତ୍ୱର ଅପୂର୍ବ ପ୍ରଖ୍ୟାପନ ଶ୍ରୀଚୈତନ୍ୟଙ୍କୁ ମନ୍ତ୍ରମୁଗ୍‌ଧ କରିଦେଲା । ତେଣୁ ତାଙ୍କର ନିତ୍ୟ-ନିୟମିତ ପାଠ ଥିଲା ଶ୍ରୀଗୀତଗୋବିନ୍ଦ । ଏହାର ମହତ୍ୱ ବୁଝିଥିଲେ କେବଳ ରାୟ ରାମାନନ୍ଦ, ସ୍ୱରୂପ ଦାମୋଦର, ବିଶି ମହାନ୍ତି ଏବଂ ତାଙ୍କର ଜେଷ୍ଠାଭଗିନୀ ମାଧବୀ ମହାନ୍ତି (ଦାସୀ) । ବଂଗୀୟ ବୈଷ୍ଣବମାନେ ଏମାନଙ୍କୁ ସାଢ଼େ ତିନିଜଣ ଭକ୍ତ ବୋଲି ଧରନ୍ତି । ଏ ସମ୍ବନ୍ଧେ ମୁଁ ମୋର ମନ୍ତବ୍ୟ ନଦେଇ ‘‘ସାଧନିକା’’ ଗ୍ରନ୍ଥର ପୃ୧୧୦ଷ୍ଠାର ପାଦଟୀକା ପାଠ ନିମ୍ନରେ ଉଦ୍ଧାର କରୁଅଛି-

 

‘‘ସାଢ଼େ ତିନିଜଣ ଭକ୍ତ; ଯଥା-ରାୟ ରାମାନନ୍ଦ, ସ୍ୱରୂପ ଦାମୋଦର, ଶିଖି ମାଇତି, ଆର ତାହାର ଜ୍ୟେଷ୍ଠା ଭଗ୍ନୀ ମାଧବୀ ମାଇତି; ସ୍ତ୍ରୀ-ଜାତି ବଲିୟା ଅର୍ଦ୍ଧ; ଏଇଜନ୍ୟ ସାଡ଼େ ତିନିଜଣ ବଲାହଇୟାଛେ । ଚୈତନ୍ୟ-ଚରିତାମୃତକାର ରାୟ ରାମାନନ୍ଦକେଓ, ଯିନି ମହାପ୍ରଭୁର ଦୀକ୍ଷା ଗୁରୁ, ତାଁହାକେ ଓ ଭକ୍ତେର ମଧ୍ୟେ ଫେଲିୟାଛେନ; ଧନ୍ୟ ବୈଷ୍ଣବଦେର କାର୍ଯ୍ୟ-କଳାପ !!’’

 

ତେଣୁ ଉତ୍କଳରେ ରାଧାବାଦର ପ୍ରତିଷ୍ଠା ବା ଉପସନାର କାଳ ସହଜ ଅନୁମେୟ । ବଙ୍ଗଳାରେ ରାଧାକୃଷ୍ଣ ଯୁଗଳ ଉପାସନାର ମହତ୍ୱ ପ୍ରଚାର ଘଟେ ତନ୍ତ୍ରତ୍ୟ ବୈଷ୍ଣବ ସମ୍ପ୍ରଦାୟଙ୍କଦ୍ୱାରା । ଏହି ସମ୍ପ୍ରଦାୟର ପ୍ରତିଷ୍ଠାପକ ବା ପ୍ରଧାନ-ପ୍ରଚାରକ ମହାପ୍ରଭୁ ଶ୍ରୀଗୌରାଙ୍ଗ । କିନ୍ତୁ ତାଙ୍କ ପ୍ରଚାରିତ ମନ୍ତ୍ରର ମର୍ମ ଯଥାର୍ଥରୂପେ ଗୃହୀତ ହୋଇନାହିଁ ଶ୍ରୀଚୈତନ୍ୟାଶ୍ରିତ ବୈଷ୍ଣବମାନଙ୍କଦ୍ୱାରା । ସେହି ହେତୁରୁ ଚୈତନ୍ୟ-ଚରିତାମୃତକାର ଲେଖିଛନ୍ତି :-

 

‘‘ଚୈତନ୍ୟେର ଗୁପ୍ତ-ଲୀଲା କିଛୁଇ ନା ଜାନି

ବାହିରେର ଅର୍ଥ ଲଇୟା କରେ ଟାନାଟାନି ।’’

 

ଗମ୍ଭୀରା ମଧ୍ୟରେ, ରୂଦ୍ଧଦ୍ୱାରରେ ଏହି ଗୂଢ଼ତତ୍ତ୍ୱର ଆଲୋଚନା କରାଯାଉଥିଲା, ମାତ୍ର ପୋକ୍ତ ସାଢ଼େ ତିନିଜଣଙ୍କୁ ଘେନି । ସାଧାରଣ ଲୋକ ବା ଶ୍ରୀଗୌରାଙ୍ଗ-ଭକ୍ତ ବଂଗୀୟ ବୈଷ୍ଣବମାନେ ଗ୍ରନ୍ଥର ଗୂଢ଼ ମର୍ମ ନ ବୁଝିପାରିବାର ଦେଖି ଶ୍ରୀ ଚୈତନ୍ୟ ଅନ୍ତରରେ ଆଘାତ ଅନୁଭବ କରୁଥିବା କଥା କୃଷ୍ଣଦାସ କବିରାଜ ସ୍ପଷ୍ଟାକ୍ଷରରେ ଲେଖିଯାଇଅଛନ୍ତି ମଧ୍ୟ:-

‘‘ତେଁ କାରଣେ ଗୋରାଚାନ୍ଦ କାଁଦିତେ ଲାଗିଲ ।’’

 

ଶ୍ରୀ ରାୟଙ୍କଠାରୁ ଯୁଗଳତତ୍ତ୍ୱ ଉପଦେଶ ଲାଭକରି ଶ୍ରୀଗୌରାଙ୍ଗ ଥିଲେ ଶ୍ରୀଗୀତଗୋବିନ୍ଦର ପରମଭକ୍ତ । ଦୈନନ୍ଦିନ ଦୈବ-ସମ୍ପତ୍‌ ଶ୍ରୀଗୀତଗୋବିନ୍ଦ ପାଠ ତାଙ୍କର ଥିଲା ଉପାସନାର ବିଶିଷ୍ଟ ଅଙ୍ଗ । ଶ୍ରୀଗୌରାଙ୍ଗ ସର୍ମ୍ପକୀୟ ବହୁ ଗ୍ରନ୍ଥରେ ଏହାର ପ୍ରମାଣ ମିଳେ । ଆତ୍ମ ନିବେଦନ ଗ୍ରନ୍ଥର (ଶ୍ରୀରସିକ ମୋହନ ବିଦ୍ୟା ଭୂଷଣ ସମ୍ପାଦିତ, ପରିବ୍ରାଜକାଚାର୍ଯ୍ୟ ଶ୍ରୀମତ୍‌ ଜ୍ଞାନାନନ୍ଦ ସରସ୍ୱତୀ, ଋଷଭାଶ୍ରମ-କୈଳାସ ଶେଖର ଉପତ୍ୟକା, କାଶ୍ମୀରଙ୍କଦ୍ୱାରା ୧୩୩୬, ବୈଶାଖ ଆରମ୍ଭରେ ପ୍ରକାଶିତ) ପୃ୬୩ଷ୍ଠାର ଉଦ୍ଧୃତ ଏ ସମ୍ବନ୍ଧୀୟ ସ୍ପଷ୍ଟ ଅନୁମୋଦନ ।

 

‘‘ଶ୍ରୀ ଚୈତନ୍ୟ ମହାପ୍ରଭୁ ଓ ପୁରୀଧାମେ ଏକ ଦିବସ ଗୀତ-ଗୋବିନ୍ଦେର ଗାନ ସୁନିୟା ଉନ୍ନତ୍ତେର ନ୍ୟାୟ ଏକ କଣ୍ଟକ ବନେର ଉପର ଦିୟା ଗାନ-ସ୍ଥାନେର ନିକଟେ ଯାଇତେ ଛିଲେନ । ଗୋବିନ୍ଦ ଦାସ ତାହାର ସଙ୍ଗେ ସଙ୍ଗେ ଯାଇୟା ତାଁହାକେ ପ୍ରତିରୁଦ୍ଧ କରାରଜନ୍ୟ ତାହାରି କୋମର ଜଡ଼ାଇୟା ଧରିଲେନ; ମହାପ୍ରଭୁ ମୁର୍ଚ୍ଛିତ ହଇୟା ପଡ଼ିଲେନ, ଚେତନା ପାଇୟା ଦେଖିଲେନ-ଏକଟି ରମଣୀ ମଧୁର କଣ୍ଠେ ଗୀତଗୋବିନ୍ଦ ଗାଇତେଛେନ । X X X”

 

ପ୍ରୋକ୍ତ ଘଟଣାରୁ ଦୁଇଟି କଥା ବୁଝାପଡ଼େ । ଗୋଟିଏ ହେଲା ଶ୍ରୀ ଚୈତନ୍ୟଙ୍କର ରାଧା ଗୋବିନ୍ଦ ପ୍ରଣୟ-ଚିତ୍ରିଣ-ସମୃଦ୍ଧ ଶ୍ରୀଗୀତଗୋବିନ୍ଦ ପ୍ରତି ଅଭାବନୀୟ ଶ୍ରଦ୍ଧାଭକ୍ତି । ଦ୍ୱିତୀୟତଃ ଉତ୍କଳରେ ଷୋଡ଼ଶ ଶତାଦ୍ଦୀରେ ସୁଦ୍ଧା ସାଧାରଣ ଜନତାର ଶ୍ରୀଗୀତଗୋବିନ୍ଦ ପ୍ରତି ପ୍ରଭୁତ ସମ୍ମାନ ଓ ସମାଦର । ଏପରିକି ଜଣେ କେହି ଅନାମଧ୍ୟେୟା ଉତ୍କଳୀୟା ରମଣୀ ମଧ୍ୟ ଶ୍ରୀଗୀତଗୋବିନ୍ଦ ରସମୁଗ୍‌ଧା । ଏହାର ଦୃଷ୍ଟାନ୍ତ ଉତ୍କଳ ଭିନ୍ନ ଅନ୍ୟତ୍ର କୁତ୍ରାପି ଦୃଷ୍ଟ ହୁଏ ନାହିଁ ।

 

ପ୍ରୋକ୍ତ ଆଲୋଚନାରୁ ଜଣାଯାଏ ଯେ ରାଧାବାଦ ବା ଯୁଗଳ ଉପାସନା ପ୍ରତିବେଶୀ ବଙ୍ଗଦେଶ ଅପେକ୍ଷା ଉତ୍କଳରେ ପ୍ରାଚୀନତର ।

 

ବଂଗରେ ଶ୍ରୀଚୈତନ୍ୟ ରାଧାକୃଷ୍ଣ ଅପାକୃଷ୍ଣ ଅପାକୃତ ପ୍ରେମଲୀଳାର ପ୍ରଚାରକ । ଲୋକରଞ୍ଜକ ସରଳ କୀର୍ତ୍ତନ ଗୀତ ମାଧ୍ୟମରେ, କହିବାକୁ ଗଲେ, ଏହା କ୍ରମେ ବଙ୍ଗଳାର ଘରେ ଘରେ ସମାଦାର ଲାଭ କଲା । ଏଇ ଘଟଣା ଷୋଡ଼ଶ-ସପ୍ତଦଶ ଶତାବ୍ଦୀର । ବୈଷ୍ଣବ ରସିକାନନ୍ଦ ‘ଧାରନ୍ଦା’ଠାରେ ଶ୍ୟାମନନ୍ଦଙ୍କ ନାମରେ ରାଧାକୃଷ୍ଣଙ୍କର ବିବାହ ଦେବାର ପ୍ରସିଦ୍ଧି ଅଛି ।

 

ରାଧାମାଧବ ଲୀଳା ପ୍ରଚାରକ, ଗୋପୀଭାବାପନ୍ନ ଗୌଡ଼ୀୟ ବୈଷ୍ଣବଗଣ ସେମାନଙ୍କ ଧର୍ମର ପରମଗୁରୁ ଶ୍ରୀଚୈତନ୍ୟଙ୍କର ଦୀକ୍ଷାଗୁରୁ ଯେ ଜଣେ ଉତ୍କଳୀୟ, ଏକଥା ସ୍ୱୀକାର କରିବା ଦୂରେଥାଉ ବରଂ ଏହା ଯେପରି କାହିଁ ପ୍ରକଟିତ ନ ହୁଏ ଏବଂ ଲୋକେ ବାସ୍ତବ କଥା ଜାଣି ନ ପାରନ୍ତି, ସେଭଳି ଯଥାସଧ୍ୟ କୁ-ପ୍ରଚେଷ୍ଟା କରିବାକୁ ସୁଦ୍ଧା ତ୍ରୁଟୀ କରିନଥିବା ସ୍ଥଳେ, ସେମାନେ ପୁଣି ସେମାନଙ୍କ ଗୁରୁ ‘ବାଙ୍ଗାଲାୟ ବର୍ତ୍ତମାନ ବୈଷ୍ଣବ ଧର୍ମେର ପ୍ରବର୍ତ୍ତକ’ ଶ୍ରୀଗୌରାଙ୍ଗ ଯେଉଁ ଗୀତଗୋବିନ୍ଦକୁ ଅଶେଷ ସମ୍ମାନ ଦେଉଥିଲେ ତାହା ରାଧା-ଗୋବିନ୍ଦ ରସବାଦ ପ୍ରଚାରକ ଭକ୍ତ ପ୍ରବର ‘ଉତ୍କଳୀୟ’ ମହାକବି ଜୟଦେବଙ୍କ ଲେଖନୀ ପ୍ରସୂତ ଏ ସତ୍ୟ ସ୍ୱୀକାର କରନ୍ତେ ଅବା କିପରି ?

 

ଗୁରୁଙ୍କ ଗୁରୁଦେବଙ୍କୁ ଯେଉଁମାନେ ଉତ୍କଳୀୟ ବୋଲି ସ୍ୱୀକାର କରିବାରେ ଏକାବେଳେ ବିମୁଖ, ଗୁରୁଙ୍କ ନିତ୍ୟପାଠ୍ୟ ଗ୍ରନ୍ଥର ରଚୟିତା ଯେ ଜଣେ ଉତ୍କଳୀୟ-ଏକଥାଟା ସ୍ୱୀକାର ନ କରିବା ସେମାନଙ୍କ ପକ୍ଷେ ଏକାନ୍ତ ସ୍ୱଭାବ-ସମ୍ଭବ ନୁହେଁ କି ?

 

ଜୟଦେବଙ୍କୁ ନିଜ ଜନ୍ମ ଭୂମିର କବି ବୋଲି ଦାବୀ ବାଢ଼ିବାର ଅପଚେଷ୍ଟା ଧୀରେ ଧୀରେ ଏହି ଷୋଡ଼ଷ ଶତାବ୍ଦୀଠାରୁ ହିଁ ବଂଗଳାରେ ଆରମ୍ଭ ହୋଇଅଛି ।

 

ଯୁଗଳ ଉପାସନାର କାଳ ବିଚାରଦୃଷ୍ଟିରୁ ଉତ୍କଳରେ ରାଧା-ବାଦର ପ୍ରତିଷ୍ଠା ଯେ ବହୁ ପୁରାତନ ଏହା ସହଜ ଅନୁମେୟ । ଏ ସମ୍ଭନ୍ଧେ ନିମ୍ନୋକ୍ତ ଅନ୍ୟ ଏକ ଆଲୋଚନା ମଧ୍ୟ ପ୍ରଣିଧାନ ଯୋଗ୍ୟ:-

 

‘‘ଚୈତନ୍ୟ-ଚରିତାମୃତ ଗ୍ରନ୍ଥେ ଚୈତନ୍ୟଦେବେର ସହିତ ଗୋଦାବରୀତୀରେ ଦକ୍ଷିଣଦେଶୀୟ ଭକ୍ତ ରାୟରାମାନନ୍ଦେର ରାଧାତତ୍ତ୍ୱ ସମ୍ବନ୍ଧେ ଯେ ଗୁହ୍ୟ ଏବଂ ବିସ୍ତାରିତ ଆଲୋଚନା ହଇୟାଁଛିଲ ତାହା ଦେଖୀୟା ମନେହୟ, ଗୌଡ଼ୀୟ ଗୋସ୍ୱାମୀଗଣ ପ୍ରଚାରିତ ଏଇ ରାଧାତତ୍ୱ ଦକ୍ଷିଣଦେଶୀୟ ବୈଷ୍ଣବ-ଗଣେର ଭିତରେ ପ୍ରଚାରିତଛିଲ । ଶ୍ରୀମନ୍‌ ମହାପ୍ରଭୁର ରାଧାଭାବ ବଲିୟା ଯେ ଅବସ୍ଥା ଆମରା ଜାନି; ତାହାର ମଧୁରତର ପରିଚୟ ପାଇ ଆମର ଚୈତନ୍ୟ-ଚରିତାମୃତ ଗ୍ରନ୍ଥେଇ । ଏଇ ଚୈତନ୍ୟ-ଚରିତାମୃତେ ବର୍ଣ୍ଣିତ ମହାପ୍ରଭୁର ସକଲ ଦିବ୍ୟ ଭାବ ଏବଂ ଭାବାନ୍ତର ଲକ୍ଷ୍ୟ କରିଲେ ଆମରା ଦେଖିତେ ପାଇବ, ମହାପ୍ରଭୁର ରାଧା ଭାବେର ସମ୍ୟକ ବିକାଶ ଏଇ ଦାକ୍ଷିଣାତ୍ୟ ଭ୍ରମଣେର ପରେ । ଏଇ ଦାକ୍ଷିଣାତ୍ୟ ଭ୍ରମଣେର ସମୟେ ମହାପ୍ରଭୁର ବହୁ ଦକ୍ଷିଣ ଦେଶୀୟ ବୈଷ୍ଣବ ଗଣେର ସାକ୍ଷାତ ଏବଂ ନିଭୃତେ ’ଇଷ୍ଟ ଗୋଷ୍ଠୀ’ ହଇୟାଛିଲ । ରାୟ ରାମାନନ୍ଦେର ସହିତ ଏଇ ନିଭୃତ ତତ୍ତ୍ୱାଲୋଚନା ଏବଂ ରସାସ୍ୱାଦନେର ପରକାଷ୍ଠା ଦେଖିତେ ପାଇ । ଇହାର ପରହଇତେଇ ମହାପ୍ରଭୁର ଭାବାନ୍ତର ଲକ୍ଷଣୀୟ, ଇହାର ପରହଇତେ ତାଁହାକେ ଆମରା ସର୍ବଦା ରାଧାଭାବେର ଭାବିତ ଦେଖିତେ ପାଇ । ସୁତରାଂ ମହାପ୍ରଭୁର ଏଇ ରାଧାଭାବେର ବିକାଶେ ରାୟରାମାନନ୍ଦ ଆଦି ଦାକ୍ଷିଣାତ୍ୟ ବୈଷ୍ଣବ ଗଣେର କିଛୁ ପ୍ରଭାବ ଥାକା ଅସମ୍ଭବ ନୟ । ଆବଶ୍ୟ ରାୟରାମନନ୍ଦେର ମୁଖେ ‘ଚୈତନ୍ୟ-ଚରିତାମୃତେ’ କବିରାଜ ଗୋସ୍ୱାମୀ ଯତ ସବ ସାଧ୍ୟସାଧନତତ୍ତ୍ୱ, ପଞ୍ଚରସତତ୍ତ୍ୱ ଓ ରାଧାତତ୍ତ୍ୱେର ଆଲୋଚନା ଦିୟାଛେନ, ତାହା ଦେଖିଲେ ସଂଶୟ ହୟ, ଗୌଡ଼ୀୟ ବୈଷ୍ଣବ ଧର୍ମେର ପ୍ରସିଦ୍ଧ ତତ୍ତ୍ୱ ଗୁଲିଇ ହଏତ କବିରାଜ ଗୋସ୍ୱାମୀ ରାୟ ରାମାନନ୍ଦେର ମୁଖେ ବାସଇୟା ଦିଆଛେନ । X X X ଆଲୋଚନାର ସମୟେ ତାଇ ଚୈତନ୍ୟ ପ୍ରଭୁ ଏବଂ ରାମାନନ୍ଦ ରାୟେର ଭିତର ନିବିଡ଼ ଐକ୍ୟମତ ଘଟିୟାଛିଲ ।’’

(ଶ୍ରୀରାଧାର କ୍ରମବିକାଶ-୧୯୭ ପୃ:)

X X X X

 

‘‘ଏଇ ଦାକ୍ଷିଣାତ୍ୟେର ଗୋଦାବରୀ ନଦୀର ତୀରେଇ ମହାପ୍ରଭୁ ରାମାନନ୍ଦ ରାୟେର ନିକଟେ ରାଧାପ୍ରେମର ‘ନିଗୂଢ଼ତତ୍ତ୍ୱ’ ସକଲ ଶୁନିୟା ଛିଲେନ । ଅନେକ ଦିନେର ପ୍ରଚାର ଓ ପ୍ରସିଦ୍ଧି ନା ଥାକିଲେ ରାମାନନ୍ଦ ରାୟେର ପକ୍ଷେ ରାଧାପ୍ରେମର ନିଗୂଢ଼ ତତ୍ତ୍ୱ ଲଇୟା ବିସ୍ତାରିତ ଆଲୋଚନା ସମ୍ଭବ ହଇତା ନା । X X X ରାଧାପ୍ରେମେର ତତ୍ତ୍ୱ ସକଲ ରାୟ ରାମାନନ୍ଦେର ଜାନା ଛିଲ ଇହା ସ୍ୱୀକାର କରିତେଇ ହଇବେ ।’’

(ପୃ-୧୩୪ଷ୍ଠା)

 

(ଶ୍ରୀ ରା:ତ୍ର:ବି: ର ପଣ୍ଡିତ ଲେଖକ ରାୟ ରାମାନନ୍ଦଙ୍କୁ ଦାକ୍ଷିଣାତ୍ୟ-ବାସୀ ବୋଲି ପ୍ରଚାର କରିଅଛନ୍ତି । ଶ୍ରୀରାୟଙ୍କ ସମ୍ଭନ୍ଧେ ତାଙ୍କର ଗଭୀର ଆଲୋଚନା ଦେଖିଲେ ସେ (ଲେଖକ) ଯେ ତାଙ୍କର (ଶ୍ରୀରାୟଙ୍କର) ଜନ୍ମସ୍ଥାନ ସୁଦ୍ଧା ନିର୍ଣ୍ଣୟ କରିନାହାନ୍ତି, ଏପରି ମନେ ହୁଏନାହିଁ କି ? ଭକ୍ତ ରାୟ ରାମାନନ୍ଦ ପଟ୍ଟନାୟକ ଯେ ଉତ୍କଳୀୟ ଏକଥା ସ୍ୱୀକାର କରିବାକୁ ଆଲୋଚନା ମହାଶୟ କୁଣ୍ଠିତ ବୋଲି ବିଚାରବା ଅସମୀଚୀନ ହେବ କି ?)

 

ଏକଥା ନିଣ୍ଚିତ ଯେ ଅଚିନ୍ତ୍ୟ ଭେଦାଭେଦ-ତତ୍ତ୍ୱବେତ୍ତା ରାଧା-ରସାମୃତପାୟୀ ରାୟ ରାମାନନ୍ଦ ଶ୍ରୀ ଗୀତଗୋବିନ୍ଦର ପରମ ଭକ୍ତଥିଲେ । ସେ ସ୍ୱୟଂ ବିଶିଷ୍ଟ ସଙ୍ଗୀତଜ୍ଞ କବି । ଜୟଦେବୀ ଭାବ, ରସ, ଭାଷା, ଓ ତାଳ ସୁଦ୍ଧା ସେ ଅନୁସରଣ କରିଥିଲେ । ତାଙ୍କ କୃତ ଜଗନ୍ନାଥବଲ୍ଲଭ ନାଟକ ଏହାର ସୁପ୍ରତିଷ୍ଠିତ ପ୍ରମାଣ । ଶ୍ରୀଚୈତନ୍ୟ ଦୀକ୍ଷା ଲାଭପରେ ଗୁରୁଦେବଙ୍କ ଅନୁସୃତ ଶ୍ରୀ ଗୀତଗୋବିନ୍ଦ ପ୍ରତି ଆକୃଷ୍ଟ ହେବା ସ୍ୱାଭାବିକ ।

 

ଛଳେ ବଳେ କୌଶଳେ ଶ୍ରୀରାୟ ଦାକ୍ଷିଣାତ୍ୟର ବୋଲି ଯେପରି ଅପପ୍ରଚାରିତ; କବି ଜୟଦେବ ମଧ୍ୟ ସେହିପରି ବଙ୍ଗୀୟ ବୋଲି ଏକ ହାସ୍ୟାସ୍ପଦ ଦାବୀ ଉପସ୍ଥାପିତ କରାଯାଇଅଛି । ଏଭଳି ଦାବୀର ପ୍ରଥମ ପ୍ରଚାରକ ହେଲେ କୃଷ୍ଣ ଦାସ । ଏହାଙ୍କକୃତ ବଙ୍ଗଳା ଭକ୍ତମାଳ ଏହାର ନିରାଟ ପ୍ରମାଣ । *

 

ଉତ୍କଳରେ ରାଧା-ବାଦ ପ୍ରତିଷ୍ଠାର ପୁରାତନତ୍ତ୍ୱ ହିଁ ଏଥକୁ ଦାୟୀ ସିନା ।

 

*ଉପେନ୍ଦ୍ର ନାମ ମୁଖୋପାଧ୍ୟାୟ ସଂପାଦିତ କୃଷ୍ଣଦାସ ବାବାଜୀ ପ୍ରଣୀତ-‘ଜୟଦେବ ଗୋସ୍ୱାମୀ ଚରିତ’ (ଶ୍ରୀ ଶ୍ରୀ ଭକ୍ତମାନ୍‌-ଦ୍ୱାଦଶମାଳା ପୃ୧୩୨-୧୩୭ ! ପ୍ରକାଶକ:-ବସୁମତୀ ସାହିତ୍ୟ ମନ୍ଦିର-୧୯୨୧-ଦ୍ରଷ୍ଟବ୍ୟ

 

Unknown

ଜୟଦେବୀ ରାଧା

 

ଶ୍ରୀଗୀତଗୋବିନ୍ଦର କାବ୍ୟ-ନାୟିକା ଶ୍ରୀରାଧା । ଜୟଦେବଙ୍କର ବହୁପୂର୍ବରୁ ଭାରତୀୟ କାବ୍ୟ-କବିତା ପୃଷ୍ଠରେ ‘ରାଧା’ ନାମର ଉଲେଖ ଦୃଷ୍ଟି ହୁଏ । ବିବିଧ ପୁରାଣରେ ମଧ୍ୟ ରାଧାଙ୍କର ବର୍ଣ୍ଣନା ରହିଛି, କିନ୍ତୁ ଶ୍ରୀକୃଷ୍ଣଙ୍କର ମଧୁର ବ୍ରଜଧାମଲୀଳା ବର୍ଣ୍ଣିତ ପୁରାଣ ଭାଗବତରେ ସ୍ପଷ୍ଟ-ଭାବରେ ରାଧା ନାମର ଉଲ୍ଲେଖ ନାହିଁ । ଗୋପଲୀଳା (ଦଶମସ୍କନ୍ଧ) ମଧ୍ୟରୁ ରାଧା-କୃଷ୍ଣ ଲୀଳାଶ୍ରୟୀମାନେ ପ୍ରଚ୍ଛନ୍ନଭାବେ ମାତ୍ର ରାଧା ନାମ ଆବିଷ୍କାର କରିପାରିଛନ୍ତି । ଗୋପଲୀଳାବର୍ଣ୍ଣିତ ରାସମଣ୍ଡଳରୁ ଶ୍ରୀକୃଷ୍ଣ ତାଙ୍କର କେହି ପ୍ରିୟତ୍ତମା ଗୋପୀଙ୍କୁ ସଙ୍ଗରେ ଘେନି ଅପର ଗୋପାଙ୍ଗନାମାନଙ୍କ ଅଲକ୍ଷ୍ୟରେ ଅନ୍ତର୍ହିତ ହେଲେ । ସେ ପ୍ରିୟତ୍ତମାଙ୍କ ସହ ଏକାନ୍ତ-କ୍ରୀଡ଼ା କରୁଥିବାବେଳେ ସଙ୍ଗବିରହତା ଗୋପିକାମାନେ ବିରହାତୁରା ହୋଇ ଶ୍ରୀକୃଷ୍ଣଙ୍କ ଅନୁସରଣ କଲେ । ବନପଥରେ ସେମାନେ ଦେଖିଲେ ଶ୍ରୀକୃଷ୍ଣଙ୍କର ଧ୍ୱଜବଜ୍ରାଙ୍କୁଶ-ଯୁକ୍ତ ପଦଚିହ୍ନ ଏବଂ ଏଥି ସହିତ ଆଉ ଗୋଟିଏ ବ୍ରଜବାଳାର ପଦଚିହ୍ନ (କ୍ଷୁଦ୍ରାକାର) ମଧ୍ୟ ସ୍ପଷ୍ଟ । ଗୋପାଙ୍ଗନାଗଣ ଏହି ଶ୍ରୀକୃଷ୍ଣ ସହଚାରିଣୀ ଭାଗ୍ୟବତୀ ପ୍ରିୟବତୀଙ୍କ ଉଦ୍ଦେଶ୍ୟରେ କହିଲେ-

 

‘‘ଅନୟାରାଧିତୋ ନୂନଂ ଭଗବାନ୍ ହରିରୀଶ୍ୱରଃ

ଯନ୍ମୋବିହାୟ ଗୋବିନ୍ଦଃ ପ୍ରୀତୋ ଯା ମାନୟଦ୍ରହଃ ।’’

 

-ଏହାଙ୍କ (ଗୋପୀଶ୍ରେଷ୍ଠା) ଦ୍ୱାରା ନିଶ୍ଚୟ ଭଗବାନ ଈଶ୍ୱରହରି (ଶ୍ରୀକୃଷ୍ଣ) ଆଧାରିତ ହେଉଅଛନ୍ତି; ତେଣୁ ସେ ଆମ୍ଭମାନଙ୍କୁ ତ୍ୟାଗ କରି ପ୍ରୀତିପୂର୍ବକ ତାଙ୍କୁ (ଶ୍ରୀକୃଷ୍ଣ) ନିଭୃତକୁ ଆଣିଛନ୍ତି ।

 

ଏ ଶ୍ଳୋକରେ ‘ଅନୟାରାଧିତଃ’ କଥାଟି ‘ଅନୟା ଆରାଧିତଃ’ ରୂପେ ଅର୍ଥ କରାଯାଇଅଛି କେତେକ ମହାଜନମାନଙ୍କଦ୍ୱାରା ଏବଂ ଏହି ରୀତିରେ ‘ରାଧା’ ଶବ୍ଦର ବ୍ୟବହାର ସାବ୍ୟସ୍ତ କରାଯାଅଛି । ଦାନ, ଅନୁଗ୍ରହ ଓ ଶୁଦ୍ଧି ପ୍ରଭୃତି ଅର୍ଥରେ ରାଧା ଶବ୍ଦର ପ୍ରୟୋଗ ରହିଛି । ପୂର୍ବୋକ୍ତ ଶ୍ଳୋକଟି ବିଶ୍ଳେଷଣ କଲେ ଆରାଧନା, ପ୍ରୀତି, ଅନୁଗ୍ରହ ପ୍ରଭୃତି ଅର୍ଥ ମଧ୍ୟ ବୁଝାଯାଉଅଛି ।

 

ପଦ୍ମପୁରାଣରେ ରାଧାଙ୍କର ଜନ୍ମ ସମ୍ବନ୍ଧେ ଉଲେଖ ଅଛି; କିନ୍ତୁ ରସଲୀଳାତ୍ମକ ବର୍ଣ୍ଣନା ସେଥିରେ ନାହିଁ । ରାଧାଜନ୍ମ (ରାଧାଷ୍ଟମୀ) ସମ୍ପର୍କରେ ପଦ୍ମପୁରାଣର ବାଣୀ-

‘‘ଭାଦ୍ରେ ମାସି ସିତେ ପକ୍ଷେ ଅଷ୍ଟମୀସଜ୍ଞକେ ତିଥୌ ।

ବୃଷଭାନୋର୍ଯଜ୍ଞଭୂମୌ ଜାତ ସା ରାଧିକା ଦିବା ।।’’

 

ଏହିପୁରାଣ ଅନୁସାରେ ଭୂଭାର ହରଣଲାଗି ବିଷ୍ଣୁ ଅବତୀର୍ଣ୍ଣ ହେବାକାଳରେ ତାଙ୍କ ନିର୍ଦ୍ଦେଶରେ ରାଧା ମଧ୍ୟ ଶରୀର ଗ୍ରହଣ କରିଥିଲେ । ଏଥିରେ ରାଧିକା କୃଷ୍ଣବଲ୍ଲଭା, କୃଷ୍ଣପ୍ରିୟା, ଆଦ୍ୟା ପ୍ରକୃତି-ରୂପେ ବର୍ଣ୍ଣିତା । ଏଥିରୁ ବୁଝାଯାଏ ଯେ ରାଧାବାଦର ପ୍ରସିଦ୍ଧି ବହୁ ପୁରାତନ ।

 

ମାର୍କଣ୍ଡେୟ ଚଣ୍ଡୀରେ ମଧ୍ୟ ‘‘ରାଧା ବାମାଂଶସମ୍ଭୁତା ମହାଲକ୍ଷ୍ମୀଃ ପ୍ରକୀର୍ତ୍ତୀତା’’ ବୋଲି ଲେଖାଯାଇଅଛି । ଏପରିକି ଏହି ପୁରାଣରେ ବ୍ରହ୍ମା-କର୍ତ୍ତୃକ ରାଧା-କୃଷ୍ଣଙ୍କର ବିଧିବଦ୍ଧ ବିବାହ ଅନୁଷ୍ଠାନ ବର୍ଣ୍ଣିତ ହୋଇଅଛି, ପାର୍ଥିବ ଲୋକମତ ବୈବାହିକ ରୀତି ସଂଘଟନ ପରି ।

 

‘ଗୋପାଳ ତାପନୀ’ରେ ବ୍ରଜର ସର୍ବଶ୍ରେଷ୍ଠା ଗୋପିନୀଙ୍କ ନାମ ଗାନ୍ଧର୍ବୀ । ଏହି ଗାନ୍ଧର୍ବୀଙ୍କୁ ରାଧାରୂପେ ଗ୍ରହଣ କରାଯାଇଅଛି । କବି ଗୋପାଳକୃଷ୍ଣ ମଧ୍ୟ ଏହି ରୀତିରେ ଗାଇଛନ୍ତି-

‘‘ପ୍ରାଣେଶ୍ୱରୀ ରାଧିକେ,

ଶ୍ରୀମତୀ ଗାନ୍ଧର୍ବୀକେ,

ବୋଲି ହଜିଯାଉଛି ତା ଚେତନାରେ ।’’

 

ଭକ୍ତକବି ସାମନ୍ତସିଂହାର ‘ବିଦଗ୍ମ ଚିନ୍ତାମଣି’ ରେ ଏହି ଗାନ୍ଧର୍ବୀକେ ଶବ୍ଦ ବ୍ୟବହାର କରିଅଛନ୍ତି-

‘‘ଜୟ ଗାନ୍ଧର୍ବିକେ ମଣିମା କହି

ପହଣ୍ଡ ମଣାଇବା ଭାଗ୍ୟ କାହିଁ ?

ପଟୁଆର ହେବା

ଗହଣେ ନାନା ଖଟଣି ଖଟିବା ।’’

 

ବେଣୀସଂହାର ନାଟକର ମଙ୍ଗଳାଚରଣରେ ରାଧାକୃଷ୍ଣଙ୍କ ଉଲ୍ଲେଖ ପ୍ରଣିଧାନଯୋଗ୍ୟ ।

‘‘କାଳିନ୍ଦ୍ୟାଃ ପୁଳିନେଷୁ କେଳିକୁପିତାମୁତ୍‌ସୃଜ୍ୟ ରାସେ ରସଂ

ଗଛନ୍ତୀମନୁଗଚ୍ଛାତୋଽଶ୍ରୁକଳୁଷାଂ କଂସହିଷୋ ରାଧିକାମ୍ ।

ତତ୍ପାଦ ପ୍ରତିମାନବେଶିତପଦ୍ୟସ୍ୟୋଦ୍‌ଭୂତରୋମୋଦ୍‌ଗତେ-

ରକ୍ଷୁଣ୍ଣୋଽନୁନୟଃ ପ୍ରସନ୍ନଦୟିତା ଦୃଷ୍ଟସ୍ୟ ପୃଷ୍ଣାତୁ ବଃ ।।’’

 

କେଳିକୁପିତା ରାଧିକା କାଳନ୍ଦୀପୁଳିନବର୍ତ୍ତୀ ରାସମଣ୍ଡଳୀ ପରିଗ୍ୟାଗ କରିଯାଆନ୍ତେ କଂସାରି ଶ୍ରୀକୃଷ୍ଣ ତାଙ୍କର ଅନୁଗମନ କଲେ । ଯାଉ-ଯାଉ ପଥରେ ରାଧାଙ୍କ ପଦଚିହ୍ନଉପରେ ଆପଣା ପାଦ ଦୈବାତ୍‌ ପଡ଼ିଯିବାରୁ ତାଙ୍କର ଶରୀର ରୋମାଞ୍ଚିତ ହେଲା...ଇତ୍ୟାଦି ।

 

ଏହି ଶ୍ଳୋକସହିତ ଶ୍ରୀଗୀତଗୋବିନ୍ଦର ଦ୍ୱିତୀୟ ସର୍ଗର ପ୍ରଥମ ଶ୍ଳୋକ ତୁଳନୀୟ-

‘‘ବହିରତି ବନେ ରାଧା ସାଧାରଣ ପ୍ରଣୟେ ହରୌ

ବିଗଳିତ ନିଜୋତ୍‌କର୍ଷାଦୀର୍ଷାବଶନେ ଗତାନ୍ୟତଃ ।।’’

 

ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ ଗୋପିକାମାନଙ୍କସହିତ ସମପ୍ରଣୟଶୀଳ ଦେଖି ରାଧା ଈର୍ଷାବଶରେ ସେସ୍ଥାନରୁ ଅନ୍ୟତ୍ର ଚାଲିଗଲେ । ଏହାପରେ ତୃତୀୟ ସର୍ଗରେ-

‘‘କଂସାରିରପି ସଂସାରବାସନାବଦ୍ଧଶୃଙ୍ଖଳମ୍

ରାଧାମାଧାୟ ହୃଦୟେ ତତ୍ୟାଜ ପ୍ରଜସୁନ୍ଦରୀଃ ।

ଇତସ୍ତତସ୍ତାମନୁସୃତ୍ୟ ରାଧିକାଂ............।’’

 

-ଠିକ୍ ବେଣୀସଂହାରର ‘‘ଗଚ୍ଛନ୍ତୀମନୁଗଚ୍ଛତଃ’’ ସହିତ ଏହା ସମାର୍ଥବୋଧକ । ଆଉ ଗୋଟିଏ ବିଶେଷ କଥା ଯେ ବେଣୀସଂହାରରେ ଯେପରି ‘କଂସାରି’ ରାସମଣ୍ଡଳ ପରିତ୍ୟାଗିନୀ ଶ୍ରୀରାଧାଙ୍କ ଅନୁସରଣ କରିଛନ୍ତି, ଶ୍ରୀଗୀତଗୋବିନ୍ଦରେ ମଧ୍ୟ ସେହିପରି ‘କଂସାରି’ ଶବ୍ଦର ପ୍ରୟୋଗ ଦୃଷ୍ଟ ହୁଏ ଏବଂ କଂସାରି ମଧ୍ୟ ରାଧାଙ୍କର ଅନୁଗମନ କରିଛନ୍ତି ଅନ୍ୟାନ୍ୟ ଗୋପୀଙ୍କ ସଙ୍ଗ ତ୍ୟାଗ କରି ।

 

ଶୀଗୀତଗୋବିନ୍ଦବର୍ଣ୍ଣିତ ବିଷୟବସ୍ତୁ ବସନ୍ତରାସ କଂସର ମୃତ୍ୟୁପରେ ସଂଘଟିତ ହୋଇଥିବାର ଏହା ଅନ୍ୟତମ ପ୍ରମାଣରୂପେ ଗ୍ରହଣ କରାଯାଇପାରେ ।

 

ରାଧାକୃଷ୍ଣଲୀଳା ବର୍ଣ୍ଣନା ପ୍ରଥମେ ‘ଗାଥା ସପ୍ତଶତୀ’ରେ ପ୍ରାକୃତ ଭାଷାରେ ପରିଦୃଷ୍ଟ ହୁଏ । ଏହା ଖ୍ରୀଷ୍ଟିୟ ଅଷ୍ଟମ ଶତକ କାଳ ବୋଲି ଅନୁମିତ । ଗ୍ରନ୍ଥଟିର କବି-ଦତ୍ତ ନାମ ‘ଗାହା ସତ୍ତସଈ’ । ତଥାପି ଦ୍ୱାଦଶ ଶତାବ୍ଦୀରେ ହିଁ ଭକ୍ତକବି ଜୟଦେବଙ୍କଦ୍ୱାରା ରାଧାବାଦର ସମ୍ପୂର୍ଣ୍ଣ ବିକଶିତ କାବ୍ୟ ଦୃଷ୍ଟ ହେଲା ।

 

ଶ୍ରୀଗୀତଗୋବିନ୍ଦ ଗୀତିକାବ୍ୟରେ ନାୟିକା ରାଧାଙ୍କ ରତି-‘ସାମର୍ଥାରତି’ । ସମର୍ଥାରିତ ଆତ୍ମାସୁଖ ଅଭିଳାଷବର୍ଜ୍ଜିତ-ପ୍ରିୟଜନ-ସୁଖେଚ୍ଛା ହିଁ ଏ ରତିର ମହତ୍ତ୍ୱ ।

‘‘ଇତ୍ୟସ୍ୟାଂ କୃଷ୍ଣସୌଖ୍ୟାର୍ଥମେବ କେବଳମୁଦ୍ୟମଃ ।’’

(ଉ:ନୀ.)

 

ଜୟଦେବୀ ରାଧା ରତି-ପ୍ରତିମା-ବାହ୍ୟିକ ମିଳନ ଚେଷ୍ଟାର ଗନ୍ଧବିବର୍ଜ୍ଜିତା । ବାହ୍ୟିକ ମିଳନେଚ୍ଛା ନିକଟରେ ରତି ଶବ୍ଦର ସାର୍ଥକତା ନାହିଁ । ଶୃଙ୍ଗାର ରସର ସ୍ଥାୟୀଭାବ ରତି ହିଁ ରାଧିକା ଚରିତ୍ରର ଭାବ-ବିଚିତ୍ରା ।

 

ଜଣେ ଯେତେବେଳେ ଅନ୍ୟ ଜଣକୁ ନିଜର ପ୍ରାଣ ବୋଲି ଚିଚାର କରେ ଏବଂ ସେହି ଅନ୍ୟ ଜଣକର ମନରେ ତତ୍ତତ୍‌ଭାବ ସଂଚରିତ କରାଏ, ସେତେବେଳେ ତାହା ବୋଲାଏ ରତି,-ଯାହା ଶୃଙ୍ଗାରର ସ୍ଥାୟୀ ଭାବ ।

 

କୁହାଯାଇଛି ଯେ-‘‘ଅଭିଯୁକ୍ତ ସଂବିତ୍ ପ୍ରାଣସ୍ଥଃ ଶୃଙ୍ଗାରଃ ।’’ ପରସ୍ପର ଜୀବିତ ସର୍ବସ୍ୱାଭିମାନରୂପା ବେଶୟତି ଚିତ୍ତବୃତ୍ତିମ୍ ଅନ୍ୟତ୍ର ଜ୍ଞାପନୟା ସଂକ୍ରମୟତୀତ ବେଧୋ ବିଭାବାନୁଭାବାତ୍ମା ।’’

 

ଆତ୍ମାସହିତ ଆତ୍ମା ବା ପ୍ରାଣସହିତ ପ୍ରାଣର ମିଳନ ଏହାର ତତ୍ତ୍ୱ, ତଥ୍ୟ ଏବଂ ସତ୍ୟ । କେବଳ ରାଧାକୃଷ୍ଣ-ଲୀଳାମଧ୍ୟରେ ପୂର୍ଣ୍ଣ ବିକଶିତ ଏହି ରତି ପ୍ରେମସଂଜ୍ଞାରେ ପରିଚିତ । ସେଥିପାଇଁ ଭକ୍ତକଣ୍ଠ ଗାଇଛି-

‘‘ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧାହରି....।’’

ଜୟଦେବୀ ରାଧା ପ୍ରେମମୟୀ । ଏ ପ୍ରେମ ସାଧାରଣ ଶୃଙ୍ଗାର ରସଠାରୁ ପୃଥକ୍ । ଶୃଙ୍ଗାର ରସରେ ପ୍ରେମ ହେଲା ଅଙ୍ଗ-ଶୃଙ୍ଗାର ହେଲା ଅଙ୍ଗୀ । ଏହା ନାୟୀକାଜନୋଚିତ ଅଭିଳାଷର ମୁଖ୍ୟତାସୂଚକ; ମାତ୍ର ଆଧ୍ୟାତ୍ମିକ ପ୍ରେମ ଗୌଣରୂପେ ପରିଚିତ । ପ୍ରେମରସରେ କିନ୍ତୁ ଆଧ୍ୟାତ୍ମିକ ପ୍ରେମକୁ ପ୍ରାଧାନ୍ୟ ଦିଆଯାଏ-ଅଭିଳାଷାଦି ଗୌଣରୂପେ ସୂଚିତ ।

ଗୋପୀ-ପ୍ରେମରସରେ ଏହି ଆଧ୍ୟାତ୍ମିକା ରତି ପୂର୍ଣ୍ଣ ବିକାଶ ଲାଭ କରିଛି । ଗୋପୀ କିଏ ?-

 

‘‘ବହିରଙ୍ଗୈଃ ପ୍ରପଞ୍ଚସ୍ୟ ସ୍ୱାଂଶୈର୍ମାୟଦି ଶକ୍ତିଭିଃ

ଅନ୍ତରଙ୍ଗୈସ୍ତଥା ନିତ୍ୟଂ ବିଭୂତୈସ୍ତୈଶ୍ଚିଦାଦିଭଃ ।

ଗୋପନାଦୁଚ୍ୟତେ ଗୋପୀ ରାଧିକା କୃଷ୍ଣବଲ୍ଲଭା ।’’

(ପଦ୍ମପୁରାଣ, ଉତ୍ତରଖଣ୍ଡ-ଅ-୫୦)

 

‘‘ଗୋପୀ, କୃଷ୍ଣବଲ୍ଲଭା ରାଧିକା । ପ୍ରପଞ୍ଚରେ ବହିରଙ୍ଗ ସ୍ୱ-ଅଂଶରେ ମାୟାଦି ଶକ୍ତଦ୍ୱାରା ତଥା ଅନ୍ତରଙ୍ଗ ବିଭୂତି ଚିତ୍ ପ୍ରଭୃତି ଶକ୍ତଦ୍ୱାରା ନିତ୍ୟ ଗୋପନା-ତେଣୁ ଗୋପୀ ନାମରେ ସେ ବିଦିତା ।

ଏହି ଗୋପୀ ରାଧା ହେଉଛନ୍ତି ଶ୍ରୀକୃଷ୍ଣ ପରମାନୁରାଗିଣୀ । ଏକମାତ୍ର ରାଧା ହିଁ ଶ୍ରୀକୃଷ୍ଣଙ୍କ ବାଞ୍ଛା ପୁରଣରେ ସମର୍ଥା ।

 

‘‘କେଳି-କଳାସୁ କୁଶଳା ନଗରେ ମୁରାରେ-

ରାଭୀର ନୀରଜଦୃଶଃ କତି ବା ନ ସନ୍ତି ?

ରାଧେ, ତ୍ୱୟା ମହଦକାରି ତପୋ ଯଦେଷ

ଦାମୋଦରସ୍ତ୍ୱୟି ପରଂ ପରମାନୁରାଗଃ ।’’

(ପଦ୍ୟାବଳୀ)

 

କେତେ ଅବା କେଳୀକଳାନିପୁଣା କମଳନୟନା ନାରୀ ନାହାନ୍ତି ? କିନ୍ତୁ ରାଧେ ! ତୁମ ମହାତପୋବଳରେ ଦାମୋଦର ଶ୍ରୀକୃଷ୍ଣ ପ୍ରଗାଢ଼ଭାବେ ଏକାନ୍ତ ତୁମରି ପ୍ରେମର ପରମ ଅନୁରାଗୀ ।

ଭାଗବତରେ ଯେପରି ଲେଖାଅଛି-

‘‘ଅନୟାରାଧିତୋ ନୂନଂ ଭଗବାନ୍ ହରିରୀଶ୍ୱରଃ

ଯନ୍ନୋ ବିହାୟ ଗୋବିନ୍ଦଃ ପ୍ରୀତୋ ଯାମନୟଦ୍ରହଃ ।’’

 

(ଅନାୟାରାଧିତା କଥାଟି ‘ଅନୟା-ଆରାଧିତାକ’ ବୋଲି ମଧ୍ୟ ଅର୍ଥ କରାଯାଇ ‘ରାଧା’ ଶବ୍ଦର ପ୍ରଖ୍ୟାତି ବୋଧ ହୋଇଛି ।)

 

ସେହିପରି ବିଷ୍ଣୁ ପୁରାଣରେ ମଧ୍ୟ-

‘‘ଅତ୍ରୋ ପ୍ରବିଶ୍ୟ ସାତେନ କାପି ପୁଷ୍ପୈରଳଂକୃତା

ଅନ୍ୟଜନ୍ମନି ସର୍ବାତ୍ମା ବିଷ୍ଣୁ ରଭ୍ୟର୍ଚିତୋ ବୟାଃ ।’’

 

ଯାହାଦ୍ୱାରା (ଯେଉଁ ରମଣୀଦ୍ୱାରା) ପୂର୍ବଜନ୍ମରେ ସର୍ବାତ୍ମା ବିଷ୍ଣୁ ଅଭ୍ୟିର୍ଚିତ ହୋଇଥିଲେ, ସେ (ସେହି ରମଣୀ) ଏ ସ୍ଥାନରେ ଉପବେଶନରେ କରି (ଶ୍ରୀକୃଷ୍ଣଙ୍କଦ୍ୱାରା) ପୁଷ୍ପାଳଂକୃତା ହେଉଅଛି ।

 

ପଦ୍ମପୁରାଣରେ ବହୁ ସ୍ଥଳରେ ରାଧା ନାମର ଉଲ୍ଲେଖ ରହିଛି । ବୃନ୍ଦାବନର ବର୍ଣ୍ଣନା ମଧ୍ୟ ଅଛି; କିନ୍ତୁ ଏହି ଲୀଳା-ବର୍ଣ୍ଣନାମଧ୍ୟରେ ରାଧା-ପ୍ରସଙ୍ଗରେ ଗନ୍ଧ-ସମ୍ବନ୍ଧ ନାହିଁ ।

 

ଶ୍ରୀଗୀତଗୋବିନ୍ଦରେ ଯେଉଁ ଅଭିମାନିନୀ ରାଧା-ଚିତ୍ରପ୍ରସଙ୍ଗରେ ‘ଦେହ ପଦପଲ୍ଲବମୁଦାରଂ’ ରଚନାକୁ ଅସଙ୍ଗତ ବା ଅଶିଷ୍ଟ ପ୍ରୟୋଗ ବା ବର୍ଣ୍ଣନା ବୋଲି କେତେକ ବିଚାରୁଥିବାର ଶୁଣାଯାଏ, ସେମାନେ ପଦ୍ମ-ପୁରାଣର ଏସମ୍ପର୍କୀୟ ବର୍ଣ୍ଣନପତି ଦୃଷ୍ଟି ଦେଲେ ରାଧା-ମହତ୍ତ୍ୱ ସହଜରେ ସମଝିପାରିବେ ।

 

‘‘ତତ୍ ପ୍ରିୟା ପ୍ରକୃତିସ୍ତ୍ୱାଦ୍ୟା

ରାଧିକା କୃଷ୍ଣବଲ୍ଲଭା

ତତ୍‌କଳା କୋଟି-କୋଟ୍ୟାଂଶା

ଦୁର୍ଗାଦ୍ୟାସ୍ତ୍ରି ଗୁଣାତ୍ମିକା ।

ତସ୍ୟା ପାଦରଜଃସ୍ପର୍ଶାତ୍

କୋଟି ବିଷ୍ଣୁ ପ୍ରଜାୟତେ ।।’’

X X X X

ତାଙ୍କରି (ଶ୍ରୀକୃଷ୍ଣଙ୍କର) ପ୍ରିୟା କୃଷ୍ଣବଲ୍ଲଭା ରାଧିକା ହିଁ ଆଦ୍ୟା ପ୍ରକୃତି । ଦୁର୍ଗାଦି ତ୍ରିଗୁଣାତ୍ମିକା ଦେବୀଗଣ ଏଇ ରାଧାଙ୍କର କୋଟି-କୋଟ୍ୟାଂଶ । ଏହାଙ୍କ (ରାଧିକାଙ୍କ) ପାଦରଜସ୍ପର୍ଶଦ୍ୱାରା କୋଟି ବିଷ୍ଣୁ ଜନ୍ମଗ୍ରହଣ କରନ୍ତି ।

 

ଏହି ଆଦ୍ୟା ପ୍ରକୃତି ହିଁ ଜୟଦେବୀ ବୃନ୍ଦାବନେଶ୍ୱରୀ ରାଧା । ସମସ୍ତଙ୍କର ଧାରଣା, ସ୍ୱରୂପା ବୋଲି ତାଙ୍କ ନାମ ରାଧା । ବୃନ୍ଦାବନେଶ୍ୱର (ଶ୍ରୀକୃଷ୍ଣ) ପରମାନନ୍ଦରେ ତାଙ୍କୁ ଆଲିଙ୍ଗନ କରନ୍ତି ।

 

କ୍ଷୀରାବ୍‌ଧିତନୟା କମଳା ଲକ୍ଷ୍ମୀ ଏବଂ ବୃନ୍ଦାବନେଶ୍ୱରୀ ରାଧା-ଦୁହେଁ ସମାନ; ଦୁହେଁ ଶ୍ରୀକୃଷ୍ଣପ୍ରିୟା । ଜୟଦେବ ଏହି ବିଷୟ ପ୍ରତିପାଦିତ କରି ଲେଖିଛନ୍ତି----

‘‘ତ୍ୱାମପ୍ରାପ୍ୟ ମୟି ସ୍ୱୟଂବରପରାଂ

କ୍ଷୀରୋଦ-ତୀରୋଦରେ

ଶଙ୍କେ ସୁନ୍ଦରୀ କାଳକୂଟମପିବ-

ନ୍ମୁଢ଼ୋ ମୃଡ଼ାନୀପତିଃ ।

 

ଇତ୍‌ଥଂ ପୂର୍ବକଥାଭିରନ୍ୟମନସୋ

ନିକ୍ଷିପ୍ୟ ବକ୍ଷୋଽଞ୍ଚଳମ୍

ପଦ୍ମାୟା ସ୍ତନକୋରକୋପରିମିଳ-

ନ୍ନୋତ୍ରୋ ହରିଃ ପାତୁ ବଃ ।”

(୧୨ଶ ସର୍ଗ)

(‘ପଦ୍ମାୟା’-ସ୍ଥଳରେ ପାଠାନ୍ତର ‘ରାଧାୟାଃ‘ ବୋଲି ଦୃଷ୍ଟ ହୁଏ ।)

 

କ୍ଷୀରସାଗରତଟରେ ତୁମେ ସ୍ୱୟଂବରପରେ ମୋତେ ବରଣ କରି ମୋର ଅଙ୍କଶାୟିନୀ ହେବାବେଳେ ତମର ଏକାନ୍ତ ସୌନ୍ଦର୍ଯ୍ୟମୁଗ୍‌ଧ ହର ବୋଧ ହୁଏ ତୁମକୁ ପାଇ ନ ପାରି ଦୁଃଖରେ କାଳକୂଟ ବିଷପାନ କରିଥିଲେ । ଏହିପରି କହି ପୂର୍ବସ୍ମୃତି ଚେତାଇଦିଅନ୍ତେ ରାଧା ଆନମନା ହୋଇପଡ଼ିଲେ । ସେହି ଅବସରରେ ରାଧାଙ୍କର ସ୍ତନାବରଣ (ଉତ୍ତରୀୟ) ଅପସାରିତ କରି ଯୁଗଳ ସ୍ତନ-କୋରକପରେ ଯେଉଁ ହରିଙ୍କର (ଶ୍ରୀକୃଷ୍ଣଙ୍କର) ଦୃଷ୍ଟି ନିବଦ୍ଧ ରହିଥିଲା, ସେ ଆପଣଙ୍କୁ ରକ୍ଷା କରନ୍ତୁ ।

 

ଏହିପରି ବର୍ଣ୍ଣନାମାନଙ୍କରୁ ପ୍ରତୀୟମାନ ହୁଏ ଯେ ଜୟଦେବୀ ରାଧା ଆଦିରସର ମୂର୍ତ୍ତିମୟୀ ପ୍ରତିମା ନୁହଁନ୍ତି । ଆଦିରସ ଶ୍ରୀଗୀତଗୋବିନ୍ଦର ସ୍ଥାୟୀ ରସ ନୁହେଁ-କାବ୍ୟର ଉଦ୍ଦେଶ୍ୟ ହିଁ ବିଚାର୍ଯ୍ୟ ବସ୍ତୁ । ରାଧା ରୂପ-ପ୍ରେମ ବା ଉଜ୍ଜ୍ୱଳ ରସସଂବର୍ଦ୍ଧିତାରୂପେ ପ୍ରତିଷ୍ଠିତା ।

 

କାବ୍ୟ-ନାୟିକା ରାଧାଙ୍କୁ ଜୟଦେବ କାହିଁ ହେଲେ ‘ଦେବୀ’ କହି ନାହାଁନ୍ତି । ବାସ୍ତବ ମାନବଧର୍ମୀଭାବେ ରାଧାକୃଷ୍ଣଙ୍କର ମର୍ତ୍ତ୍ୟରେ ଜନ୍ମ ପରିଗ୍ରହହେତୁ ତାଙ୍କର ରତିଲୀଳା ମାନବୋଚିତଭଳି ବର୍ଣ୍ଣନା କରିଅଛନ୍ତି ମହାକବି । ଏଥିରେ ମଧ୍ୟ ଜୟଦେବ ତାଙ୍କର ପୂର୍ବାଚାର୍ଯ୍ୟମାନଙ୍କର ପଦାଙ୍କ ଅନୁସରିଛନ୍ତି ମାତ୍ର ।

 

ସ୍ଥୂଳତଃ ଶ୍ରୀଗୀତଗୋବିନ୍ଦରେ ରାଧା-ଗୋବିନ୍ଦଙ୍କର ମର୍ତ୍ତ୍ୟଲୀଳା ବର୍ଣ୍ଣିତ । ଜୟଦେବୀ ରାଧା ମାନବୀ-ଧର୍ମରେ ଚିତ୍ରିତା-ଆଉ ଚିତ୍ରକର ହେଲେ ମାନବ ଜୟଦେବ । ପୁଣି ନରମାନବ ସମାଜର ମନଲାଖି ହେବାଭଳି ବନକରେ ଏହା ରଞ୍ଜିତ ।

 

ମନ୍ଦିରଗାତ୍ର ଅସଂଖ୍ୟ ମିଥୁନ-ଚିତ୍ରରେ ପରିଶୋଭିତ । ଏହା ତାହାର ବହିର୍ଦ୍ଦେଶ ମାତ୍ର-ଅଭ୍ୟନ୍ତରରେ ପରମାରାଧ୍ୟ ଦେବଦେବୀ ମୂର୍ତ୍ତି ସଂପୂଜିତ ।

 

ମାନବ-ସମାଜର କଲ୍ୟାଣକଳ୍ପେ ‘ଅରୂପ’ ମାଧ୍ୟମରେ ଅତି ସହଜରେ ‘ସ୍ୱରୂପ’ପ୍ରାପ୍ତି ଲାଗି ସୁଗମ ନିଃଶ୍ରେଣୀ ସ୍ଥାପନା ହିଁ ଶ୍ରୀଗୀତଗୋବିନ୍ଦର ବିଶେଷତ୍ୱ । ତେଣୁ ହେଳାରେ ହରିନାମ ସ୍ମରଣର ସହଜ ପନ୍ଥା ଉଦ୍‌ଭାବନ କରି ଭକ୍ତକବି ପାର୍ଥିବ ରୁଚିର ଅନୁକୂଳ ସାଧାରଣୀ ଶୃଙ୍ଗାର ରସର ଆଶ୍ରୟ ନେଇଛନ୍ତି ଗୀତିକାବ୍ୟରେ । ଶ୍ରୀଗୀତଗୋବିନ୍ଦ-ବର୍ଣ୍ଣିତ ମାନବ-ଶରୀରର ଅନ୍ତର୍ବର୍ତ୍ତିନୀ ବ୍ରଜେଶ୍ୱରୀ ରାଧିକା ମଧୁର ରସର ଘନୀଭୂତ ବିଗ୍ରହ । ସ୍ଥୂଳ କଥାରେ ଜୟଦେବୀ ରାଧା-କମଳା, ଲକ୍ଷ୍ମୀ ।

 

‘ବ୍ରହ୍ମବୈବର୍ତ୍ତ’ ପୁରାଣ ଶ୍ରୀକୃଷ୍ଣ-ଜନ୍ମରେ କୁହାଯାଇଅଛି:-

‘‘ରା-ଶବ୍ଦ କୁର୍ବତସ୍ତ୍ରସ୍ତୋ ଦଦାମି ଭକ୍ତିମୁତ୍ତମାମ୍ ।

ଧା-ଶବ୍ଦଂ କୁର୍ବତଃ ପଶ୍ଚାଦ୍ୟାମି ଶ୍ରବର୍ଣାଲୋଭତଃ ।।

ଯେ ସେଦନ୍ତେ ଚ ଦତ୍ୱା ମାମୁପଚାରାଂଶ୍ଚ ଷୋଡ଼ଶ ।

 

ଯାବଜ୍ଜୀବନ ପର୍ଯ୍ୟନ୍ତଂ ଯା ପ୍ରୀତିର୍ଜାୟତେ ମମ ।।

ସା ପ୍ରୀତର୍ମମ ଜାୟତେ ରାଧାଶବ୍ଦାତ୍ତତୋଽଧିକା ।।

ପ୍ରିୟାନମେ ତଥା ରାଧେ ରାଧାବକ୍ତା ତତୋଽଧିକଃ ।।

ଲକ୍ଷ୍ମୀଃ ସରସ୍ୱତୀ ଦୁର୍ଗା ସାବିତ୍ରୀ ପ୍ରକୃତିସ୍ତଥା ।

 

ମମ ପ୍ରିୟାଶ୍ଚ ଦେବାଶ୍ଚ ତାସ୍ତାଥାପି ନ ତତ୍‌ସମଃ ।।

ତେ ସର୍ବେ ପ୍ରାଣତୁଲ୍ୟା ମେ ତ୍ୱଂ ମେ ପ୍ରାଣାଧିକା ସତୀ ।

ଭିନ୍ନସ୍ଥାନସ୍ଥିତାସ୍ତେ ଚ ତ୍ୱଂ ଚ ବକ୍ଷଃସ୍ଥଳେ ସ୍ଥିତା ।।’’

 

‘‘ଗୋପ୍ୟସ୍ତୁ ଶ୍ରୁତୟୋଜ୍ଞେୟା

ଚାଚୈ ବୈ ଗୋପୀକନ୍ୟକାଃ

ଦେବକନ୍ୟାଶ୍ଚ ରାଜେନ୍ଦ୍ର

ତପୋଯୁକ୍ତା ମୂମୂଷବଃ ।’’

(ପଦ୍ମପୁରାଣ)

 

‘‘ବୃଷଭାନେନ ତତ୍ପନ୍ୟା କଳାବତ୍ୟା ଚ ବାନ୍ଧବୈଃ

ଏବଂ ଚ ନନ୍ଦ ସାନନ୍ଦଂ ଯଶୋଦାଂ କଥୟିଷ୍ୟସି ।।’’

(କଳାବତୀ)

 

ଶ୍ରୀଗୀତଗୋବିନ୍ଦରେ ଶକ୍ତିମାନ୍‌ଙ୍କର ଶକ୍ତିସ୍ୱରୂପା ରାଧା । ପ୍ରଧାନତଃ ଶକ୍ତି ତ୍ରିବିଧ; ଯଥା-ପରା, ଅପରା ଓ କ୍ଷେତ୍ରଜ୍ଞା । ଅପରା ଅବିଦ୍ୟାରୂପିଣୀ ମାୟାଶକ୍ତି ଏବଂ କ୍ଷେତ୍ରଜ୍ଞା ହେଲା ଜୀବଶକ୍ତି ।

 

‘‘ବିଷ୍ଣୁ ଶକ୍ତିଃ ପରା ପ୍ରୋକ୍ତା କ୍ଷେତ୍ରଜ୍ଞାଖ୍ୟା ତଥା ପରା

ଅବିଦ୍ୟା କର୍ମସଂଜ୍ଞାନ୍ୟା ତୃତୀୟା ଶକ୍ତିରିଷ୍ୟତେ ।।’’

X X X X

ହ୍ଲାଦିନୀ ସନ୍ଧନୀ ସଂବିତ୍ ତ୍ରୟ୍ୟୈକୋ ସର୍ବସଂସ୍ଥିତୌ

ହ୍ଲାଦ-ତାପକରୀ ମିଶ୍ରା ତ୍ୱୟନୋ ଗୁଣବର୍ଜିତେ ।।’’

      (ବିଷ୍ଣୁପୁରାଣ)

 

ତୁମ୍ଭ (ଭଗବାନ) ମଧ୍ୟରେ ହ୍ଲାଦିନୀ, ସନ୍ଧିନୀ ଓ ସଂବିତ୍ ନାମକ ତ୍ରିଶକ୍ତି ଅବସ୍ଥିତ । ମାତ୍ର ହ୍ଲାଦକରୀ ବା ମନପ୍ରସାଧିକା ସାତ୍ତ୍ୱିକୀ, ବିୟୋଗ-ଦୁଃଖଦା ତାପଳାରୀ ତାମସୀ ଏବଂ ଭଭୟମିଶ୍ରା ଯେ ରଜସା-ଏହା ପ୍ରାକୃତ ଗୁଣାଦି ବର୍ଜିତ-ତୁମ୍ଭଠାରେ ଏ ଗୁଣ ବା ରସ ଅବସ୍ଥାନ କରି ନାହିଁ ।

 

ସର୍ବଶକ୍ତିର ମୂଳଧାର ‘ସନ୍ମାତ୍ର’ ନାମରେ ଅଭିହିତ ଶକ୍ତିମାନ୍ ଭଗବାନ୍ ଶ୍ରୀକୃଷ୍ଣଙ୍କମଧ୍ୟରେ ସମସ୍ତେ ଶକ୍ତି ଏକତ୍ରୀଭୂତ । ଏହାରି ମୂଳଭୂତା ଶକ୍ତିର ନାମ ପରା-ଯାହା ବିଷ୍ଣୁ ଶକ୍ତିରୂପେ ପ୍ରଥିତା । ଏଇ ବିଷ୍ଣୁଶକ୍ତି ବା ପରାଶକ୍ତି ପୁଣି ତ୍ରିବିଧା; ଯଥା-ହ୍ଲାଦିନି, ସନ୍ଧିନୀ ଏବଂ ସଂବିତ୍ ।

 

ସ୍ୱରୂପାନନ୍ଦ ସ୍ୱାଭାବିକୀ ସୃଷ୍ଟିର ଆଦିଲୀଳା ଆନନ୍ଦପ୍ରାଚୁର୍ଯ୍ୟ । ତେଣୁ ଭଗବାନ୍ ଚିର ଆହ୍ଲାଦମୟ-ହ୍ଲାଦାତ୍ମା । ଯେଉଁ ଶକ୍ତିଦ୍ୱାରା ସେ ଆହ୍ଲାଦବାନ୍ ହୁଅନ୍ତି ଏବଂ ସୃଷ୍ଟିର ଜୀବନକୁ ଆହ୍ଲାଦିତ କରନ୍ତି, ତାହା ହ୍ଲାଦିନୀ-ଶକ୍ତି । ସନ୍ଧିନୀ ହେଲା ସତତା । ଯେଉଁ ଶକ୍ତିପ୍ରଭାବରୁ ସଦାତ୍ମା ବା ସ୍ୱୟଂସତ୍ତା ହୋଇ ମଧ୍ୟ ଭଗବାନ୍ ସତ୍ତା ଧାରଣ କରନ୍ତି ଏବଂ ତାହା ସନ୍ଧିନୀ ଶକ୍ତି । ସ୍ୱୟଂ ସଂବିଦାତ୍ମ ବା ଜ୍ଞାନରୂପୀ ହୋଇ ମଧ୍ୟ ଯେଉଁ ଶକ୍ତିଦ୍ୱାରା ଭଗବାନ୍ ଜ୍ଞାନବାନ୍ ହୁଅନ୍ତି ଏବଂ ଜୀବକୁ ଜ୍ଞାନବାନ୍ କରନ୍ତି, ତାହାର ନାମ ସଂବିତ୍‌ଶକ୍ତି ।

 

ହ୍ଲାଦାନୀ ଶକ୍ତିର ସାର ହେଲା ‘ପ୍ରେମ’ । ପ୍ରେମର ସାର ‘ଭାବ’ । ଭାବର ଚରମ ପରିଣତି ହେଉଛି ‘ମହାଭାବ’ । ଭଗବାନ୍ ଶ୍ରୀକୃଷ୍ଣଙ୍କର ହ୍ଲାଦିନୀ-ଶକ୍ତିସ୍ୱରୁପା ରାଧା-ସେ ମହାଭାବମୟୀ । ଜୟଦେବୀ ରାଧା ଅଧିରୁଢ଼ ମହାଭାବମୟୀ-

 

‘‘କୋଟି ବ୍ରହ୍ମାଣ୍ଡଗତଂ ସମସ୍ତସୁଖଂ ଯସ୍ୟ ସୁଖସ୍ୟ ଲେଶୋଽପି ନଭବତି, ସମସ୍ତ ବୃଶ୍ଚିକ-ସର୍ପାଦି-ଦଂଶନକୃତ ଦୁଃଖମପି ଯସ୍ୟ ଦୁଃଖସ୍ୟ ଲେଶୋ ନ ଭବତି, ସୋଽଧିରୂଢ଼ ମହାଭାବଃ ।’’

 

ମହାକବିଙ୍କର ଶ୍ରୀଗୀତଗୋବିନ୍ଦ-ବିଷୟବସ୍ତୁ ବର୍ଣ୍ଣନରେ ଅଧିରୂଢ଼ ମହାଭାବତ୍ୱର ପ୍ରମାଣ ପ୍ରକାଶିତ । ପୁଣି ଏଇ ଅଧିରୂଢ଼ ମହାଭାବ ଦ୍ୱିଧା ବିଭକ୍ତ-ମୋହନ ଏବଂ ମାଦନ । କେବଳ ହର୍ଷାନନ୍ଦ ଅନୁଭୂତିରେ ଯାହାର ପରିସମାପ୍ତି, ତାହା ‘ମୋହନ’; ‘ମାଦନ’ ହେଲା ମତ୍ତତା ।

 

ସଙ୍ଗମ-ମାନନ; ବିରହ-ମୋହନ । ଶ୍ରୀକୃଷ୍ଣ ଶ୍ରୀମତୀଙ୍କ ମିଳନ- ଜନିତ ସର୍ବବିଧ ବିଚିତ୍ରାନନ୍ଦର ଅନୁଭୂତି ମଦନାଖ୍ୟ ମହାଭାବର ପରିଣତି । ‘ମାଦନ’ ମହାଭାବ-‘‘ସର୍ବଭାବୋଦ୍‌ଗମୋଲ୍ଲାସୀ’’ । ଏହା ପ୍ରେମ-ବୈଚିତ୍ର୍ୟର ପରିପାକ ହ୍ଲାଦିନୀଶକ୍ତିର ସାର । ଏହିରୂପେ ଶ୍ରୀଗୀତଗୋବିନ୍ଦ-ବର୍ଣ୍ଣିତା ଜୟଦେବୀ ରାଧା ହ୍ଲାଦିନୀଶକ୍ତିସମନ୍ୱିତା ଅଧିରୂଢ଼ା ମହାଭାବମୟୀ ଦେବୀ ଶ୍ରୀମତୀ ରାଧିକା ।

 

ଗୋପୀ-ଗୌରବ

 

‘‘ଏକମାତ୍ର ଗୋପୀକା ଜାଣିଲେ ତୁମ୍ଭ ଗୁଣ

ତାହାଙ୍କର ଗାଳି ତୁମ୍ଭେ ସ୍ତୁତିପ୍ରାୟ ମଣ ।

ଏକା କରି ଗୋପୀକା ତୁମ୍ଭଙ୍କୁ କୋଠ କଲେ

ଆଉମାନେ ଭଜି ତୁମ୍ଭ ଲେଶ ନ ପାଇଲେ’’ ।

      (ରହସ୍ୟମଞ୍ଜରୀ-ମୃ ୬।୧୭-୧୮)

 

ଗୋପୀମାନେ ଗାଳିଦେଲେ । ତାଙ୍କ ଗାଳିକୁ ଆନନ୍ଦରେ, ଆଗ୍ରହରେ ସ୍ତୁତି ବୋଲି ମଣିଲେ ଗୋବିନ୍ଦ । ଏକାନ୍ତ ନିଜ ଜନ ନୋହିଲେ ଗାଳିକୁ ଚନ୍ଦନ ମଣନ୍ତା କିଏ ? ସ୍ନେହ, ଆଦର, ପ୍ରେମ ଓ ଭକ୍ତି ସିନା ପରକୁ କରିପାରେ ଆପଣାର ? ବ୍ରଜଗୋପୀକା ଭକ୍ତିମତୀ । ଗୋପୀ ଏବଂ ଗୋବିନ୍ଦଙ୍କର ମହାମିଳନ ଭୂମି ହେଲେ ଏହି ଗୋପୀଭାବରସାୟିତ ଚିତ୍ତ । ଏହି ଭାବର ଭକ୍ତିମଧ୍ୟରେ ନିହିତ ଶକ୍ତି ଏବଂ ଶକ୍ତିମାନ୍‌ଙ୍କର ମଧୁର ଲୀଳା-ବିଳାସ । ଜୟଦେବ ଏହି ଲୀଳା-ବିଳାସର ପ୍ରଖ୍ୟାତ ଚିତ୍ରକର ।

 

ସେ ମୋର ମୁଁ ତାଙ୍କର, ‘ତସୈବାହଂ ମମୈବାସୌ’ ଏହି ଅଭେଦ ଜ୍ଞାନ ହେଲା ବ୍ରଜଭୂମିର ‘ଗୋପୀ-ଗୌରବ’ ।

 

‘ମୁଁ ତୁମର’ ଏଭାବ ନୁହେଁ-‘ତୁମେ ମୋର’-ଏହି ଭାବ ହିଁ ଗୋପୀଭାବ । ଏହା ‘ତଦୀୟା’ ଭକ୍ତି ନୁହେଁ ‘ମଦୀୟା’ ଭକ୍ତି । ଏହି ଭକ୍ତିର ନାମାନ୍ତର ‘ରତି’ । ମଦୀୟା ରତିଭାବ-ଭାବନୀ ଗୋପାଙ୍ଗନାଙ୍କ ପ୍ରେମ ପୁଲକ ନୟନ୍ନସମ୍ମୁଖରେ ‘ଶୃଙ୍ଗାରଃ ସଖି ମୂର୍ତ୍ତିମାନିବ’ ଗୋବିନ୍ଦ-କ୍ରୀଡ଼ାରତ ବୋଲି କହିଛନ୍ତି କବି ଜୟଦେବ । ଏହି ମଦୀୟା ରତିର ଚରମ ପରିଣତି ଘଟିଛି ମହାଭାବମୟୀ ଶ୍ରୀରାଧାଙ୍କ ପ୍ରୀତିରେ । ଏହାର ଚରଣତଳେ ଆତ୍ମସମର୍ପଣ କରି ଶକ୍ତିମାନ୍ ପରଂବ୍ରହ୍ମ ପରମ ପୁରୁଷ ଦୁର୍ଜ୍ଜୟ ମାନିନୀଙ୍କୁ ମାଗିଛନ୍ତି-‘ଦେହି ପଦପଲ୍ଲବମୁଦାରଂ’ । ଏ କଥା, ଏ ଭାବ, ଏ ଭାଷା ହିଁ ଶ୍ରୀଗୀତଗୋବିନ୍ଦ ମହାକାବ୍ୟ । ଏହା ଶ୍ରୀମଦ୍‌ଭାଗବତର ବିପରୀତ ଭାବ । ଶ୍ରୀମଦ୍‌ଭାଗବତ ବର୍ଣ୍ଣନାରେ ଶ୍ରୀମତି ଶ୍ୟାମ-ବିରହପରେ ପୁନଦର୍ଶନ ଲାଭ କରି ନିଜକୁ ମଣିଛନ୍ତି ପରମ ସୌଭାଗ୍ୟବତୀ; କିନ୍ତୁ ସେହି ଶ୍ରୀମଦ୍‌ଭାଗବତର ତତ୍ତ୍ୱ ଗ୍ରହଣ କରିଥିଲେ ହେଁ ପୂର୍ବୋକ୍ତ ମଦୀୟା ରତିଭାବପ୍ରଧାନା ରାଧିକା ଶ୍ରୀକୃଷ୍ଣଙ୍କୁ ପ୍ରତ୍ୟାଖ୍ୟାନ କରିଦେବାର ଗୌରବ ପ୍ରତିଷ୍ଠା କରିଛନ୍ତି ଏକା ଜୟଦେବ । ଏହା ଶୃଙ୍ଗାରରସସ୍ଫୁର୍ତ୍ତିର ଚରମ ନିଦର୍ଶନ । ଏହିଠାରେ ଘଟିଛି କଳାସ୍ରଷ୍ଟା; ପାଠକ ଓ ଭକ୍ତର ନିଭୃତ ସାକ୍ଷାତ୍‌କାର ଶ୍ରୀଗୀତଗୋବିନ୍ଦରେ । ପୂର୍ବ ଭାରତରେ ଜୟଦେବଙ୍କପରି ଦକ୍ଷିଣ-ଭାରତରେ ମଧ୍ୟ ବିଲ୍ୱମଙ୍ଗଳ ଏହି ଗୋପୀ-ଗୌରବର ପ୍ରଚାରକ ।

 

ରାଧନ୍‌ ଆରାଧନା ଯେ କରନ୍ତି ସେ ରାଧା । ଇନ୍ଦ୍ରିୟସମୂହକୁ ଯେ ପାଳନ କରନ୍ତି; ସେ ଗୋପ (ଗୋ-ଇନ୍ଦ୍ରିୟ, ‘ପା’ ଧାତୁର ଅର୍ଥ ପାଳନ କରିବା) । ଗୋପର ସ୍ତ୍ରୀ ଗୋପୀ ଅଥବା ଗୋପୟତି ଆତ୍ମାନଂ ସଃ । ସ୍ତ୍ରୀ-ଲିଙ୍ଗେ ଇପ୍‌ ଗୋପୀ ।

ଶ୍ରୀମତି ରାଧା ବା ବ୍ରଜର ଗୋପାଙ୍ଗନାଗଣ ସମସ୍ତେ ଭକ୍ତି-ପ୍ରୀତି-ବନ୍ଧନରେ ବାନ୍ଧିରଖିଥିଲେ ବ୍ରଜରାଜତନୟଙ୍କୁ । ଏହା ଚତୁର୍ବିଧା ।

‘ଚତୁର୍ବିଧା ଭଜନ୍ତେ ମାଂ ଜନାଃ ସୁକୃତିନୋଽର୍ଜୁନ ।’

 

-ଗୀତାରେ ଏହା ଶ୍ରୀକୃଷ୍ଣ ଭଗବାନଙ୍କ ଶ୍ରୀମୁଖ-ବଚନ । ଏହି ଚତୁର୍ବିଧା ଭକ୍ତି ହେଲା-

‘ଆର୍ତ୍ତୋ ଜିଜ୍ଞାସୁରର୍ଥାର୍ଥୀ ଜ୍ଞାନୀ ଚ ।’

 

ଆର୍ତ୍ତ-ଦୁଃଖସନ୍ତପ୍ତ, ଜିଜ୍ଞାସୁ-ଈଶ୍ୱରସମ୍ବନ୍ଧ ଜ୍ଞାନପିପାସୁ, ଅର୍ଥାର୍ଥୀ-ପରମାର୍ଥଲାଭେଚ୍ଛୁ, ଜ୍ଞାନୀ-ତତ୍ତ୍ୱଜ୍ଞାନୀ ।

 

ଗୋପୀମାନେ କିନ୍ତୁ ଏହି ଚାରିପ୍ରକାର ଭକ୍ତିର ସୋପାନକୁ ଦୂରରେ ରଖି କେବଳ ପ୍ରାଣପ୍ରିୟଙ୍କ ଆନନ୍ଦଲାଗି ସର୍ବସ୍ୱତ୍ୟାଗିନୀ । ‘ତାଙ୍କ’ ଭିନ୍ନ କେହି ନାହିଁ-‘ସେ’ ଏକା ଜୀବନର ସର୍ବସ୍ୱ-ଜୀବନର ସ୍ୱାମୀ । ‘ତାଙ୍କର’ ଆନନ୍ଦଲାଗି ସକଳ ଦୁଃଖ, ନିନ୍ଦା, ଲଜ୍ଜା, ଅପମାନ ଓ କୁଳଶୀଳ-ମର୍ଯ୍ୟଦା ଇତ୍ୟାଦିକୁ ଜଳାଞ୍ଜଳି ଟେକିଦେଇଛନ୍ତି ଗୋପିକାଗଣ ।

 

ଆଉ ଗୋପିକାଶ୍ରେଣୀମୁକୁଟମଣି କୃଷ୍ଣୈକମାନସୀ ରାଧା ଜୀବନ ଯୌବନର ପ୍ରତିଦାନରେ ପ୍ରାଣବଲ୍ଲଭଙ୍କର ପ୍ରୀତ୍ୟାଭିଳାଷିଣୀ । ମହାଭାବମୟୀ ରାଧା କହିଛନ୍ତି-

 

‘‘ଆଶ୍ଳିଷ୍ୟ ବା ପାଦରତାଂ ପିନଷ୍ଟୁ ମା-

ମଦର୍ଶନାନ୍ମର୍ମହତାଂ କରୋତୁ ବା ।

ଯଥା-ତଥା ବା ବିଦଧାତୁ ଲଂପଟୋ

ମତ୍‌ପ୍ରାଣନାଥସ୍ତୁ ସ ଏବ ନାପରଃ ।’’      (ଶିକ୍ଷାଷ୍ଟକ)

 

-ଅର୍ଥାତ୍‌ ସେ (ଶ୍ରୀକୃଷ୍ଣ) ଯାହା ହୁଅନ୍ତୁ, ଯାହା କରନ୍ତୁ-ମୁଁ ସବୁମତେ ଅବହେଳିତା ହେଲେ ସୁଦ୍ଧା ସେ ଏକା ମୋର ପ୍ରାଣନାଥ । ‘‘ଯାହା ହେବାର ହେଉ ଏଣିକି-ସେ ତ ଦେଇଛି ଜୀବନ ବିକି’’ । ଏହାହିଁ ଗୋପୀଭାବ-ଗୋପୀଗୌରବ ।

 

ଆଦି ପୁରୁଷ ଗୋବିନ୍ଦ ହିଁ ଶକ୍ତିମାନ । ଶକ୍ତି ଏବଂ ଶକ୍ତିମାନ୍‌ ହେଉଛନ୍ତି ଜୀବ ଏବଂ ଈଶ୍ୱର । ଭୋଗ ଘେନି ମୁକ୍ତଜୀବ, ବ୍ରହ୍ମ-ସମାନ ହେଲେ ସୁନ୍ଧା ‘ସ୍ୱରୂପ’ ଏବଂ ‘ସାମର୍ଥ୍ୟ’ ଦୃଷ୍ଟିରେ ଦୁହେଁ ନିତ୍ୟ-ପୃଥକ୍ । କିନ୍ତୁ ବାସ୍ତବରେ କେହି କାହାରିଠାରୁ ଅଲଗା ନୁହନ୍ତି ।

 

ଜଣେ ପ୍ରକୃତି, ଅନ୍ୟ ଜଣେ ପୁରୁଷ । ପ୍ରକୃତି ସ୍ୱତନ୍ତ୍ର ନୁହେଁ, ସେ ଈଶ୍ୱରସ୍ୱରୂପୀ ପୁରୁଷର ଅଶ୍ରିତା । ଏହି ରୀତିରେ ଶକ୍ତି ଏବଂ ଶକ୍ତିମାନଙ୍କ ନିତ୍ୟସଂବନ୍ଧିତ ଉଜ୍ଜ୍ୱଳ ପ୍ରେମ ମିଳନ ସଂଘଟନଲାଗି ସତତ ପ୍ରଚେଷ୍ଟା କରିଛନ୍ତି ବ୍ରଜଗୋପିଗଣ ।

 

ଏଥିଲାଗି ସେମାନେ ସବୁମତେ କଳଙ୍କ, ଅପବାଦ ସ୍ୱ ଇଚ୍ଛାରେ ସହଜରେ ବରଣ କରିନେଇଛନ୍ତି । ମୋହନ-ମୁରଲୀ ଧ୍ୱନିରେ ମତିବିହ୍ୱଳା ଗୋପାଙ୍ଗନାଗଣ ଶ୍ରୀକୃଷ୍ଣ ସଂଗାଭିଳାଷିଣୀ ହେବାଲାଗି ସେ (ଶ୍ରୀକୃଷ୍ଣ) ସେମାନଙ୍କୁ ବାରଣ କରିଛନ୍ତି । ବୁଝାଇ କହିଛନ୍ତି:-

 

‘‘ତଦ୍‌ ଯାତମାଚିରଂ ଘୋଷଂ, ଶୁଶ୍ରୁଷଧ୍ୱଂ ପତୀନ୍‌ ସତୀଃ

କ୍ରଦନ୍ତି ବତ୍ସା ବାଳାଶ୍ଚ ତାନ୍‌ ପାୟୟତ ଦୁହ୍ୟତ ।

ଜୁଗୁପ୍‌ସିତଞ୍ଚ ସର୍ବତ୍ର ହ୍ୟୌପପତ୍ୟଂ କୁଳସ୍ତ୍ରିୟଃ ।’’

      (ଭା:୧୦ମ)

 

-କୁଳନାରୀ ତୁମେ, ତୁମପକ୍ଷରେ ଉପପତି ବରଣ ନିତାନ୍ତ ଦୁଷଣୀୟ । ବାହୁଡ଼ିଯାଅ । ପତି-ପୁତ୍ରଙ୍କର ସେବା-ଶୁଶ୍ରୃଷା କର.....ଇତ୍ୟାଦି

 

ଏ ପରୀକ୍ଷାର ଉତ୍ତର ପାଇଛନ୍ତି ଶ୍ରୀକୃଷ୍ଣ ଗୋପୀମାନଙ୍କଠାରୁ:-

‘‘ତତ୍‌ ସୁନ୍ଦର ସ୍ମିତନିରୀକ୍ଷଣ ତୀବ୍ରକମ

ତତ୍ପାତ୍ମନାଂ ପୁରୁଷଭୂଷଣ, ଦେହି ଦାସ୍ୟଂ ।।’’

 

-ହେ ସୁନ୍ଦର ! ତୁମର ବଦନଶ୍ରୀ ଦର୍ଶନରେ ଆମ୍ଭମାନଙ୍କର କାମସନ୍ତାରା ପ୍ରବଳ ହେଉଛି । ଦାସୀପଦରେ ଗଣାକର ଆମ୍ଭମାନଙ୍କୁ ।

 

ଗୋପୀମାନଙ୍କର ଏହି ‘କାମ-ସନ୍ତାପ’ ଜାତ ହେଲା କାହିଁକି ? କାରଣ ହେଲା-ସେମାନେ ଶ୍ରୀକୃଷ୍ଣଙ୍କୁ ସ୍ୱରମଣ ବୋଲି ଘେନିଛନ୍ତି-ପରଂବ୍ରହ୍ମ କଳ୍ପନା ନୁହେଁ ।

 

‘‘କୃଷ୍ଣଂ ବିଦୁଃ ପରଂ କାନ୍ତଂ ନ ତୁ ବ୍ରହ୍ମତୟା ମୁନେଃ’’

(ବିଶ୍ୱନାଥ ଚକ୍ରବର୍ତ୍ତୀ)

 

-‘କାମତ୍ ଗୋପ୍ୟଃ-ଭାଗବତ-ବାକ୍ୟ । କାମ କିନ୍ତୁ ‘‘ପ୍ରମୈବ ଗୋପରାମାଣାଂ କାମ ଇତ୍ୟଗମତ୍ ପ୍ରଥାମ୍’’।

(ଭକ୍ତିରସାମୃତସିନ୍ଧୁ)

 

ଏ ‘ପ୍ରେମ’ ଗୋପୀମାନଙ୍କର ସହଜାତ ପ୍ରେମ । ପ୍ରାକୃତ ବା ସାଂସାରିକ କାମ ବା ମୈଥୁନ ନୁହେଁ । କେବଳ ଅପ୍ରାକୃତିକ କାମ ବା ମୈଥୁନ-କ୍ରୀଡ଼ାର ସୌସାଦୃଶ୍ୟ ବର୍ଣ୍ଣନ ଥିବାରୁ ‘କାମ’ ନାମରେ ଅଭିହିତ ମାତ୍ର । ମୈଥୁନ-କ୍ରୀଡ଼ା ହିଁ ପ୍ରାଣ-କ୍ରିୟାର ପରମତତ୍ତ୍ୱ । ଏହା ହିଁ ପ୍ରକୃତି-ପୁରୁଷର ମହାମିଳନ-ତଥ୍ୟ । ସେଥିପାଇଁ ଆଗମସାର ତତ୍ତ୍ୱରେ କୁହାଯାଇଛି:-

 

‘‘ମୈଥୁନଂ ପରମଂ ତତ୍ତ୍ୱଂ ସୃଷ୍ଟି-ସ୍ଥିତ୍ୟନ୍ତକାରଣମ୍

ମୈଥୁନାଜ୍ଜାୟତେ ସିଦ୍ଧିର୍ବ୍ରହ୍ମଜ୍ଞାନଂ ସୁଦୁର୍ଲ୍ଲଭମ୍ ।।’’

ମୈଥୁନଂ ପରମଂ ତତ୍ତ୍ୱ ମୈଥୁନଂ ପରମଂ ତପଃ

ମୈଥୁନଞ୍ଚ ବିନା ଦେବି ! ଜପ-ସିଦ୍ଧି ନ କାରୟେତ୍ ।।’’

 

ଏହି ମୈଥୁନ ହିଁ କାମକ୍ରୀଡ଼ା-ପ୍ରାଣକ୍ରିୟା-ଜୀବର ପରମ ତତ୍ତ୍ୱ ।

 

ଗୋପୀମାନେ ଏହି ପ୍ରେମ, ଏହି ମୈଥୁନ-କ୍ରୀଡ଼ାବିଳାସିନୀ । ଭକ୍ତିଠାରୁ ପ୍ରୀତି ହିଁ ସେମାନଙ୍କ ନିକଟରେ ପ୍ରେୟଃ । ଶ୍ରୀକୃଷ୍ଣଙ୍କୁ ପରଂବ୍ରହ୍ମ-ରୂପେ ପୂଜା କରୁ ନ ଥିଲେ ଏମାନେ । ପ୍ରୀତିବନ୍ଧନରେ ତାଙ୍କୁ ପରମାତ୍ମୀୟରୂପେ ବାଞ୍ଛା କରୁଥିଲେ ବ୍ରଜବନିତାଗଣ । ଶ୍ରୀକୃଷ୍ଣ ସେମାନଙ୍କୁ ତାଙ୍କ ସଂଗଲିପ୍‌ସା ବାରଣ କରିଛନ୍ତି; ପ୍ରତ୍ୟାଖ୍ୟାନ ପର୍ଯ୍ୟନ୍ତ କରିଛନ୍ତି । ଉତ୍ତରରେ ଗୋପୀମୁଖରୁ ସେ ଶୁଣିଛନ୍ତି ।-

 

‘‘ଯତ୍ ପତ୍ୟପତ୍ୟସୁହୃଦାମନୁବୃତ୍ତିରଙ୍ଗ

ସ୍ତ୍ରୀଣାଂ ସ୍ୱଧର୍ମ ଇତି ଧର୍ମବିଦା ତ୍ୱୟୋକ୍ତମ୍

ଅସ୍ତ୍ୱେ ବମେତଦୁପଦେଶପଦେ ତ୍ୱୟାଂଶେ

ପ୍ରେୟୋ ଭବାଂସ୍ତନୁଭତାଂ କିଳ ବନ୍ଧୁରାତ୍ମା ।।’’

(ଭା:୩୧/୩୯)

 

-ତୁମେ ଧର୍ମବିଦ୍ ବୋଲି ସିନା କହୁଛ-ପତିପୁତ୍ର ବନ୍ଧୁଜନର ସେବା ହେଲା ନାରୀର ସ୍ୱଧର୍ମ । ମାତ୍ର ତୁମେ ତ ଦେହୀର ବନ୍ଧୁ, ଦେହୀର ଆତ୍ମା-ପରମ ଈଶ୍ୱର ତୁମେ । ତୁମରି ନିକଟରେ ସମସ୍ତ ସେବା, ସମସ୍ତ ସାଧନା ବିନିଯୁକ୍ତ ହେଉ, ଯେଣୁ ତୁମେ ହିଁ କେବଳ ଆମମାନଙ୍କ ପ୍ରାଣର ଏକମାତ୍ର ପ୍ରିୟତମ ।

 

ଏ ଆତ୍ମନିବେଦନରେ ଗୋପୀମାନଙ୍କର ‘ପରକୀୟା’ କିବାଂ ଶ୍ରୀକୃଷ୍ଣଙ୍କର ‘ପରଦାଗ’ ପ୍ରଶ୍ନ ନାହିଁ; କାରଣ କ୍ରୀଡ଼ାନିମିତ୍ତ ହିଁ ଭଗବାନ୍ ଶ୍ରୀକୃଷ୍ଣ ମର୍ତ୍ତ୍ୟରେ ଆବିର୍ଭୂତ । ଯେ ସକଳ ପ୍ରାଣର ଦେହ-ମନରେ ସତତ ବିରାଜିତ ଏବଂ ଯେ ନିରନ୍ନର ପ୍ରାଣୀ-ପ୍ରାଣରେ ରମଣ କରୁଛନ୍ତି, ତାଙ୍କପକ୍ଷେ ‘ପରଦାର’-ବିଚାର ଅପ୍ରାସଙ୍ଗିକ । ଅନ୍ୟ ପକ୍ଷରେ ପ୍ରାଣୀର ‘ପରକୀୟା’ ବାଦ ମଧ୍ୟ ଭ୍ରମାତ୍ମକ । ଏ ରମଣକୁ ହିଁ ଶୃଙ୍ଗାର-କାମ-ମୈଥୁନ କୁହାଯାଇଅଛି । ଗୋପୀମାନେ ପରକୀୟା-ପ୍ରୀତିରେ ପ୍ରମତ୍ତ୍ୱା ନୁହନ୍ତି ।

 

ଶ୍ରୀମଭାଗବତରେ କୁହାଯାଇଅଛି:-

‘‘ଗୋପୀନାଂ ତତ୍ ପତୀନାଞ୍ଚ

ସର୍ବେଷାମେବ ଦେହିନାମ୍

ଯୋଽସ୍ତୁଶ୍ଚରତି ସେଽଧ୍ୟକ୍ଷଃ

କ୍ରୀଡ଼ନୋନେହ ଦେହଭାକ୍’’

(୧୦-୩୫)

 

ଗୋପୀପ୍ରେମ ‘କାମ’ ନୁହେଁ । କାରଣ ଏହା ସ୍ୱୀୟାନୁକୂଳ-ତାତ୍ପର୍ଯ୍ୟ ନୁହେଁ । ଏହା ସୁଦ୍ଧା ପ୍ରୀତି । ପ୍ରିୟାନୁକୂଳ-ତାତ୍ପର୍ଯ୍ୟ ବା କୃଷ୍ଣାନୁକୁଳ-ତାତ୍ପର୍ଯ୍ୟ ହିଁ ଗୋପୀମାନଙ୍କର ଲକ୍ଷ୍ୟ । ସ୍ଥୂଳତଃ ଏମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଏ ।

ଗୋଟିଏ ଦଳ ହେଲା ଯେଉଁମାନେ ନିତ୍ୟକାଳ ଶ୍ରୀକୃଷ୍ଣଙ୍କର ବୃନ୍ଦାବନର ମଧୁର ଲୀଳାସଂଗିନୀ, ଏମାନେ ନିତ୍ୟଗୋପୀ ।

 

ଅନ୍ୟଦଳ, ଯେଉଁମାନେ ଜୀବର ସାଧନଲବ୍‌ଧ, ସେମାନେ ‘ଦିବ୍ୟପ୍ରେମବପୁ’ ବୋଲାନ୍ତି । ଏହା ଜୀବର ସାଧ୍ୟ କିନ୍ତୁ ନିତ୍ୟପ୍ରିୟା ଗୋପୀଧର୍ମ ସାଧ୍ୟ ନୁହେଁ-ଏହା ସିଦ୍ଧି, ନିତ୍ୟ-ସିଦ୍ଧ ।

 

ଏହି ନିତ୍ୟପ୍ରୀୟା ଗୋପୀମାନେ ଶ୍ରୀକୃଷ୍ଣ-ଶ୍ରୀରାଧା-ପ୍ରେମକଳ୍ପ-ଲତିକାର ଲଳିତପଲ୍ଲବସଦୃଶା । ମଧୁର ମିଳନରେ ହିଁ ଏମାନେ ପରମାନନ୍ଦ ଲାଭ କରନ୍ତି । ଗୋପୀ-ସଖୀ ଭିନ୍ନ ଏ ଲୀଳାର ପୁଷ୍ଟି ବା ସମୃଦ୍ଧି ସମ୍ଭବ ନୁହେଁ ।

ମଥୁରାରୁ ଗୋପଙ୍ଗନା-ପ୍ରେମ-ବିଦଗ୍‌ଧ ମାଧବ ଉଦ୍ଧବଙ୍କୁ ପଠାଇଛନ୍ତି ଗୋପପୁରକୁ ବାର୍ତ୍ତାବହରୂପେ । ଉଦ୍ଧବ ଏଥିନିମିତ୍ତ ନିଜକୁ ସୌଭାଗ୍ୟବାନ୍ ମଣି କହିଛନ୍ତି:-

 

‘‘ଯେଉଁ ଗୋପୀମାନଙ୍କୁ ଭାବନ୍ତି ସୁରମୁନି

ଯକ୍ଷ ରକ୍ଷ ଗନ୍ଧର୍ବ ଶଙ୍କର ପଦ୍ମଯୋନି-

ଭାବି ଲଭି ନାହାନ୍ତି ଯାହାଙ୍କ ପାଦରଜ

ତାଙ୍କୁ ସଂଖୋଳିବାକୁ ପେଶିଲେ ଦେବରାଜ ।’’

(ମଥୁରାମଙ୍ଗଳ-୨୪, ୩୦-୩୧)

 

ବିରହିଣୀ ବ୍ରଜବନିତାମାନଙ୍କୁ ଉଦ୍ଧବ ବହୁମତେ ପ୍ରବୋଧ ଦେଲେ, ଜ୍ଞାନମାର୍ଗ ବତାଇଲେ, କିନ୍ତୁ ଶ୍ରୀକୃଷ୍ଣ ତ ସେମାନଙ୍କ ଦୃଷ୍ଟିରେ କୃଷ୍ଣ-ଭଗବାନ୍ ନୁହଁନ୍ତି । ସେ ତାଙ୍କର ପ୍ରିୟାଦପି ପ୍ରିୟ-ପ୍ରାଣଧନ । ସେମାନେ ଉଦ୍ଧବଙ୍କୁ କହିଲେ-

 

‘‘ଉଦ୍ଧବ ବଚନ ଶୁଣି             ବୋଲନ୍ତି ଗୋପରମଣୀ

ଏ ଯେଉଁ ଜ୍ଞାନକୁ ବୁଝାଇଲ,

କ୍ଷୀରଭାଣ୍ଡେ ଦଧି ଦେଲେ            ନାଶ ଯାଇ ସେହୁ ଭଲେ

ଜ୍ଞାନକଥା କିପାଇଁ କହିଲ, ହେ ହରିଦୂତ

ଆମ୍ଭର ଭଗତି ରଙ୍ଗାଧର, ଜ୍ଞାନନଦୀ ତହିଁ ସମ କର ହେ ।

 

ଅଭାଗ୍ୟ ହୋଇଲା ଯେଣୁ            ଏ କଥା ଶୁଣିଲୁ ତେଣୁ

ଆମ୍ଭ ଆଗେ ସେମାନ ନ କହ,

ବ୍ରହ୍ମକୁ ଭାବନ୍ତି ଯେହୁ            ଏ ଭାବ ଜାଣନ୍ତି ସେହୁ

ଆମ୍ଭେ ତ ନ ଜାଣୁ ତୁମ୍ଭ ଭାବ, ହେ ହରିଦୂତ

ଯେସନେ କପିତ୍‌ଥ ଗଜ ଖାଇ, ପୁଣି ତାହା ବାହାର କରଇ ହେ ।

 

ଦେଖିଲେ ଦିଶେ ସୁନ୍ଦର            ନ ଥାଇ କିଛି ଉଦର

ସେହିରୂପେ ରସହୀନ ଜ୍ଞାନ

ସେ କଥାକୁ କେତେ ଭଣ            ଏ ବିନୁ ଆନ ନ ଜାଣ

ହୀରାସଙ୍ଗେ କରକାକୁ ଗଣ, ହେ ହରିଦୂତ,

ସେ ପୁଣି କ୍ଷଣକେମାତ୍ରେ ସଡ଼େ, ରୂପରେଖା ଯାଏ କେଉଁଆଡ଼େ ହେ ।

 

ତେମନ୍ତ ମୁକତି ଚାରି             ପ୍ରେମ ବିନେ ଦିନ ହରି

ଭଗତି ପଛରେ ଭ୍ରମୁଥାଇ

ଦାସରୁ ଅଟନ୍ତି ହୀନ            ସେଗୁଡ଼ାକ କେତେ ଘେନ

ଆମ୍ଭକୁ ସେମାନ ନ ରୁଚଇ, ହେ ହରିଦୂତ

ଯେଉଁ ଜନ ସୁଧା ଥାଇ ଖାଇ, ସେ ନିକି ମହୁଲପାଶେ ଯାଇ ହେ ?

 

ଚିନ୍ତାମଣି କଣ୍ଠେ ଯାର            ସଦା କରିଥାଇ ହାର

ସେ ନିକି ଲେଖଇ ଆନ ରତ୍ନ ?

ଜାତିପୁଷ୍ପ ଯେ ଘେନଇ            ସେ ନିକି ବାସଙ୍ଗ ଚାହିଁ

ସେହିରୂପ ତୁମ୍ଭ ବ୍ରହ୍ମଜ୍ଞାନ, ହେ ହରିଦୂତ,

ସେମାନ ନ କହ ଆମ୍ଭ ଆଗେ, ମଥୁରା ବାହୁଡ଼ିଯାଅ ବେଗେ ହେ ।

 

ବ୍ରହ୍ମ ବୋଲି ଯାହା କହ            ପ୍ରକୃତି ତାହାର ଦେହ

କୁଳଶପରାୟେ ରସହୀନ,

ଭୂମିପ୍ରାୟ ଭକ୍ତି ପୁଣ                  ଦିଏ ନାନା ରସମାନ

ଯେ ଭାବର ଏକାନ୍ତ ଭାବେଣ, ହେ ହରିଦୂତ,

କେବଳ ସେ ରସର ଭଣ୍ଡାର,            ବ୍ରହ୍ମଜ୍ଞାନ ତାହାଙ୍କ କିଙ୍କର ହେ ।

 

ଆମ୍ଭ ବୋଲ କର ଏବେ            ଦିନ ବଞ୍ଚ ଭାକ୍ତିଭାବେ

ନାମ ରୂପ ବୟସ-ଭୂଷଣ,

ନାନା ରଙ୍ଗେ ସେବା କରି            ଗାଢ଼ ଲୋଭ ହୃଦେ ଭରି

ଦମ୍ଭ, ଲଜ୍ଜା, ଜାତି, ଦାରା, ଧନ, ହେ ହରିଦୂତ,

ଏମାନ ତେଜିଲେ ପାଇ ପ୍ରେମ, ବ୍ରହ୍ମଜ୍ଞାନେ ବିଅର୍ଥେ ନ ଭ୍ରମ ହେ ।

 

ତଥାପି ମଧୁର ରସେ            ଜ୍ଞାନ ଯେବେ ଅଳ୍ପ ମିଶେ

ତାକୁ ସେ କରଇ ବେଗେ ନାଶ,

ପତିବ୍ରତା ନାରୀ ଯେହ୍ନେ            ପର ପୁରୁଷର ସନେ

ସଂଯୋଗ ହୋଇଲେ ହୋଏ ଭ୍ରମ, ହେ ହରିଦୂତ,

ସେହିମତି ଭକ୍ତି-ରସେ ଜ୍ଞାନ, ଆମ୍ଭେମାନେ ନ ଜାଣୁ ସେମାନ ହେ ।

X X X X

 

ସେହିରୂପେ ତୁମ୍ଭ ମନ            ଜାଣିଲୁ ଶୁଣି ବଚନ

ବ୍ରହ୍ମ ବୋଲି କହିଲାବେଳରୁ,

ସଚ୍ଚିଦାନନ୍ଦ-ଅଙ୍ଗରୁ            ସର୍ବବ୍ରହ୍ମ ସେହିଠାରୁ

ତାଙ୍କ ବିନେ କିଛି ନ ପଚାରୁ, ହେ ହରିଦୂତ,

ସେହି ବ୍ରହ୍ମକୁ ନ ଜାଣୁ ଆମ୍ଭେ, ତାଙ୍କ ଭାବ କଥା ଜାଣ ତୁମ୍ଭେ ହେ ।

 

ଯେ ଗିଳିଲା ଦାବାନଳ            ରଖିଲା ବରଜକୁଳ

ଇନ୍ଦ୍ର ଛଳେ ଟେକି ଗୋବର୍ଦ୍ଧନ,

ଆମ୍ଭ ବ୍ରହ୍ମ ସେହି ଜାଣୁଁ            ଆନ ବ୍ରହ୍ମକୁ ନ ଗଣୁଁ

ନିତ୍ୟେ ଭଜୁଁ ତାହାଙ୍କ ଚରଣ, ହେ ହରିଦୂତ,

ସ୍ୱରୂପ କହିଲୁଁ ତୁମ୍ଭ ଆଗେ, କେବେହେଁ ନ ପଶୁ ବ୍ରହ୍ମଭାଗେ ହେ ।

ଇତ୍ୟାଦି

 

ଉପର୍ଯ୍ୟୁକ୍ତ ପ୍ରେମ ଭକ୍ତି-ପ୍ରୋଜ୍ଜ୍ୱଳବାଣୀ ମଥୁରାମଙ୍ଗଳର ସପ୍ତବିଂଶ ଛାନ୍ଦର କେତେକାଂଶ ମାତ୍ର । ମନେ ହୁଏ, ଏଥୁ ବଳି ଗୋପୀ-ପ୍ରେମର ବାସ୍ତବ ରସାସ୍ୱାଦବର୍ଣ୍ଣନା ବିରଳ ।

 

ଶ୍ରୀଗୀତଗୋବିନ୍ଦରେ ଏହା ହିଁ ପ୍ରତିପାଦିତ ।

 

ଗୀତ-ମହାକାବ୍ୟର ବିଷୟବସ୍ତୁର ଅୟମାରମ୍ଭ କରିଛନ୍ତି ଜଣେ ଗୋପୀ-ଶ୍ରୀରାଧାଙ୍କର ନର୍ମ୍ମ ସହଚରୀ । ତେଣୁ କୁହାଯାଇଅଛି:-

‘ସରସମିଦମୁଚେ ସହଚରୀ ।’

 

ସହଚରୀ ଶ୍ରୀମତିଙ୍କୁ ‘ରାସେ ହରିମିହ ବିହିତବିଳାସଂ, ଦେଖାଇ ଦେଇ ଲୀଳାରମ୍ଭ କରିଛନ୍ତି । ବ୍ରଜଗୋପିକାମାନେ ରସରାଜଙ୍କୁ ପ୍ରୀତି-ବନ୍ଧନରେ ବାନ୍ଧିରଖିଛନ୍ତି । ସେହିମାନଙ୍କ ସହିତ ସ୍ୱୀୟା ପ୍ରାଣବଲ୍ଲଭ ନାଗରବରଙ୍କୁ କ୍ରୀଡ଼ାପ୍ରମତ୍ତ ଦେଖି ରୁଷିଛନ୍ତି ଶ୍ରୀମତୀ । ତହୁଁ କେହି ସହଚରୀଙ୍କୁ (ଗୋପିକାଙ୍କୁ) ମାନବତୀ କହିଛନ୍ତି, ‘‘ସଖି, ରାସେ ହରିମିହ ବିହିତ ବିଳାସମ୍, ସ୍ମରତି ମନୋ ମମ କୃତପରିହାସମ୍ ।’ ପୁଣି ସେହି ସହଚରୀଙ୍କୁ ଶ୍ରୀକୃଷ୍ଣମିଳନାତୁରା ଶ୍ରୀମତୀ କହିଛନ୍ତି-‘ସଖି ହେ, କେଶିମଥନମୁଦାରମ୍, ‘ରମୟା ମୟା ସହ... ।’ ବଳିପଡ଼ିଛି ଶ୍ରୀକୃଷ୍ଣ-ବିରହ-ବାଧା । ଭାବମୟୀ କ୍ଷଣେ କ୍ଷଣେ ମୂର୍ଚ୍ଛାଗତା । ମୂର୍ଚ୍ଛାଭଙ୍ଗକ୍ଷଣରେ କହିଛନ୍ତି:-

 

‘‘କ୍ୱ ନନ୍ଦକୁଳ-ଚନ୍ଦ୍ରମା କ୍ୱ ଶିଖିଚନ୍ଦ୍ରି କାଳଂକୃତିଃ

କ୍ୱ ମନ୍ଦମୂରଲୀରବଃ କ୍ୱ ସୁରେନ୍ଦ୍ର ନୀଳଦ୍ୟୁତିଃ ।

କ୍ୱ ରାସରସତାଣ୍ଡବୀ କ୍ୱ ସଖି ! ଜୀବରକ୍ଷୌଷଧିଃ

ନିଧିର୍ମମ ସୁହୃତ୍ତମଃ କ୍ୱ ବତ ହନ୍ତ ହା ଧିକ୍ ବିଧିମ୍ ।।’’

 

ନୟନ-ମନ-କର୍ଣ୍ଣ କି ମହାଭାବମୟୀଙ୍କର ଏ ଦୁର୍ଦ୍ଦଶା ସହିପାରେ ? ଫାଟିଯାଇଛି ସତେ ବୁକୁ ନର୍ମ୍ମସହଚରୀ ଗୋପଙ୍ଗନାମାନଙ୍କର ! ଦୁତୀ-ଗାପୀ ଶଠନାଗରଙ୍କୁ ଭେଟି କହିଲେ:-

 

‘ମାଧବ, ସା ବିରହେ ତବ ଦୀନା-’

ହରିରିତ ହରିରିତ ଜପତି ସକାମମ୍

ବରହବିହିତ ମରଣେବ ନିକାମମ୍ ।।’’

 

‘ତ୍ରିଜଗନ୍ନାନସାକର୍ଷିମୂରଲୀକଳକୂଜିତଃ’ ଶ୍ରୀକୃଷ୍ଣ ଗୋପୀମାନଙ୍କର ଉପପତି ନୁହନ୍ତି । ଏ ପ୍ରୀତି ଲୌକିକ ପରକୀୟା ରତି ନୁହେଁ । ଗୋପାଙ୍ଗନାଙ୍କର ଏକାନ୍ତ ମନତୃପ୍ତି ସାଧିତ ହୁଏ ରସରାଜ-ମହାଭାବଙ୍କର ମିଳନ ସଂଘଟନଚେଷ୍ଟାରେ-ଏହା ସେମାନଙ୍କର ସାଧୁକୃତ୍ୟ । ଶ୍ରୀକୃଷ୍ଣ ଭଗବାନ୍ କହିଛନ୍ତି:-

 

ନ ପାରୟେଽହଂ ନିରବିଦ୍ୟସଂଯୁଜାଂ

ସ୍ୱସାଧୁକୃତ୍ୟଂ ବିବୁଧାୟୁଷାପି ବଃ

ଯା ମା ଭଜନ୍ ଦୁର୍ଜରଗେହଶୃଙ୍ଖଳାଃ

ସଂଦୃଶ୍ଚ୍ୟ ତଦ୍‌ବଃ ପ୍ରତିଯାତୁ ସାଧନା ।।(ଭାଗବତ-୧୦ମ)

 

ଏହି ଗୋପୀମାନଙ୍କର ନିରବଦ୍ୟ-ସଂଯୁକ୍ତମନା ସାଧୁକୃତ୍ୟର ଋଣ କେବେ ହେଲେ ସେ ପରିଶୋଧ କରିପାରିବେ ନାହିଁ । ଗୋପୀମାନେ କୌଣସି ଫଳ-ଆଶାୟିନୀ ନୁହନ୍ତି କିଂବା ସେମାନଙ୍କ ମନରେ କୃଷ୍ଣପ୍ରେମଜନିତ କୌଣସି ବିଷୟ ବସ୍ତୁ ଆକାଂକ୍ଷାର ମଧ୍ୟ ଛାୟାପାତ ଘଟି ନାହିଁ । ତେଣୁ ତାଙ୍କ ଋଣ ଅପରିଶୋଧ୍ୟ । କେବଳ କୃଷ୍ଣପ୍ରେମରେ ଯେଉଁ ଆନନ୍ଦ ଲାଭ ହୁଏ, ତାହାରିଦ୍ୱାରା ହିଁ ସେମାନଙ୍କ ଋଣ ପରିଶୋଧ ହେବା ସମ୍ଭବପର ।

ଶ୍ରୀଗୀତଗୋବିନ୍ଦରେ ଶ୍ରୀକୃଷ୍ଣଙ୍କ ନିକଟରୁ ଦୁତୀରୂପା ଗୋପୀସଖୀ ବାହୁଡ଼ି ଆସି ବିରହିଣୀଙ୍କୁ କହିଲେ:-

 

‘‘ସଖି, ସୀଦତି ତବ ବିରହେ ବନମାଳୀ,

ବସତି ବିପନ-ବିତାନେ ତ୍ୟଜତି ଲଳିତଧାମ

ଲୁଠତି ଧରଣିଶୟନେ ବହୁ ବିଳପତି ତବ ନାମ ।।’’

 

ଆଉ କାହିଁକି ସଖି,

ନ କୁରୁ ନିତମ୍ବିନି ! ଗମନବିଳମ୍ବନମନୁସର ତଂ ହୃଦୟେଶ

ଧୀରସମୀରେ ଯମୁନାତୀରେ ବସତି ବନେ ବନମାଳୀ ।।’’

 

ଏହିପରି ରସରାଜ ଏବଂ ମହାଭାବଙ୍କର ବିରହ-ମିଳନ-ମାଧୁରୀ ଦର୍ଶନୁଁ ସୁଖିନୀ ଗୋପୀ-ଗୌରବଚିତ୍ରରେ ଅଦ୍ୟୋପାନ୍ତ ଶ୍ରୀଗୀତଗୋବିନ୍ଦ ଗୀତକାବ୍ୟଟି ଚିତ୍ରିତ । ଏଇ ଗୋପବାଳାଗଣ ହିଁ ରାଧା-ଗୋବିନ୍ଦ-ଲୀଳାବିସ୍ତାରିଣୀ ନିଃସ୍ୱାର୍ଥପର ପ୍ରେମିକା । ପ୍ରେମର ଏକାନ୍ତ ‘ବିଷୟ’ ଶ୍ରୀକୃଷ୍ଣ ଏବଂ ଏକ ମାତ୍ର ‘ଆଶ୍ରୟ’ ରାଧିକା । ବିଷୟ ଏବଂ ଆାଶ୍ରୟ ଅବଲମ୍ବିତ ନିତ୍ୟଲୀଳାର ବିଚିତ୍ର ମାଧୁରୀ ଅପୂର୍ବ ଅନନ୍ତ ବିକାଶବିସ୍ତାର, କାରିଣୀ ହେଲେ ଗୋପଙ୍ଗନା । ବିରହ-ମିଳନମଧ୍ୟରେ ପ୍ରେମର ‘ଭଙ୍ଗା ଗଢ଼ା’ ମୋହନ ମାଧୁରୀକୁ ରହସ୍ୟମୟ-ରସମୟ-ମାଧୁର୍ଯ୍ୟମୟ ଏବଂ ଚାତୁର୍ଯ୍ୟମୟ ଭଙ୍ଗିମାରେ ରସାୟିତ କରି ଏହିମାନେ ହିଁ ପ୍ରୀତିର ସୂକ୍ଷ୍ମତତ୍ତ୍ୱ ବିସ୍ତାରର ଏକମାତ୍ର ସହାୟ ସଂଗିନୀ ।

 

କେତେବେଳେ ଏମାନେ ଶ୍ରୀରାଧାଙ୍କର ଅନୁରାଗିଣୀ, କେତେବେଳେ ପୁଣି ତାଙ୍କ ପ୍ରତି ବିରାଗିଣୀ । ସେହିପରି କେତେବେଳେ ସେହିମାନେ ଶ୍ରୀକୃଷ୍ଣସରାଗିଣୀ, ଆଉ କେତେବେଳେ ଶ୍ରୀକୃଷ୍ଣବିଦ୍ୱେଷିଣୀ ।

 

ଏହି କାରଣରୁ ଗୋପୀମାନେ ହେଲେ ମହାଭାବସ୍ୱରୂପିଣୀ । ଗୋକୁଳ ଗୋପିକୁଳମୌଳି-ମଣ୍ଡନା ପ୍ରେମମୟୀ ରାଧିକାଙ୍କର ହାସ୍ୟ-ଲାସ୍ୟ-କେଳିବିଳାସ-କଳାମଣ୍ଡଳର ଜ୍ୟୋତି-ବିକାଶକାରିଣୀ କାୟଃ ବ୍ୟହସ୍ୱରୂପା ନର୍ମ୍ମସହଚରୀ । ମହାଜନ-ବାକ୍ୟରେ ‘ଗୋ’ ଶବ୍ଦର ଅର୍ଥାନ୍ତର ରଶ୍ମି ଅର୍ଥାତ୍ ସୂର୍ଯ୍ୟ । ସୂର୍ଯ୍ୟ ହିଁ ଗୋପ, ଗୋପୀ, ତାରକା । କବିରାଜ ଜୟଦେବ ରାସମଣ୍ଡଳମଧ୍ୟବର୍ତ୍ତୀ ରାସରସିକ ଶ୍ରୀକୃଷ୍ଣଙ୍କୁ ସୂର୍ଯ୍ୟ ଏବଂ ଗୋପୀମାନଙ୍କୁ ପ୍ରେମଜ୍ୟୋତିର ପରିମଣ୍ଡଳସ୍ଥିତା ତାରକାରୂପେ ଶ୍ରୀଗୀତଗୋବିନ୍ଦ ଅମର ରସ ଗୀତକାବ୍ୟରେ ସଂସ୍ଥାପନା କରିଅଛନ୍ତି । ଏହି ଗୋପୀମାନଙ୍କ ମଧ୍ୟରେ ପ୍ରେମସୌନ୍ଦର୍ଯ୍ୟଭୂଷଣାଢ଼୍ୟା ସାଧନପରାପରୋଢ଼ା ଅତ୍ୟନ୍ତ କୃଷ୍ଣବଲ୍ଲଭା ଶ୍ରୀମତୀ ହେଲେ ଗୋପିଗଣ ନାୟିକା ।

‘‘ସର୍ବଗୋପୀଷୁ ସୈବୈକା ବିଷ୍ଣୋରତ୍ୟନ୍ତବଲ୍ଲଭା ।’’

(ପଦ୍ମପୁରାଣ)

 

ରାଧା ହିଁ ନିତ୍ୟସିଦ୍ଧା-ନିତ୍ୟପ୍ରିୟା ଗୋପୀପ୍ରଧାନା ‘‘ଗୁଣୈଃ ଅତିବରୀୟସୀ’’ ।

 

ବହିରଙ୍ଗୈ ପ୍ରପଞ୍ଚସ୍ୟ ସ୍ୱାଂଶୈର୍ମାୟ ଦି ଶକ୍ତିଭିଃ

ଅନ୍ତରଙ୍ଗୈସ୍ତଥା ନିତ୍ୟଂ ବିଭୂତୈସ୍ତୈଶ୍ଚି ଦାଦିଭିଃ ।‘‘

ଗୋପନାଦୁଚ୍ୟତେ ଗୋପୀ ରାଧିକା ପରଦେବତା

ସର୍ବଲକ୍ଷ୍ମୀସ୍ୱରୂପା ସା କୃଷ୍ଣାହ୍ମଦସ୍ୱରୂପିଣୀ ।’’

(ପଦ୍ମପୁରାଣ-ଉତ୍ତରଖଣ୍ଡ-୫୦)

 

ରାଧିକା ଗୋପୀନାମରେ ପ୍ରଖ୍ୟାତ । ସ୍ୱାଂଶ ମାୟାଦି ଶକ୍ତି-ପ୍ରପଞ୍ଚର ବହିରଙ୍ଗ ଅଂଶ । ସେହିପରି ବିଭୂତି ଚିଦାଦି ଶକ୍ତି ଅନ୍ତରଙ୍ଗ ଅଂଶ । ଏହି ଶକ୍ତିଦ୍ୱୟଦ୍ୱାରା ସେ ସତତ ଗୋପନ ଅବସ୍ଥାରେ ଥାଆନ୍ତି । ସେହିହେତୁର ସର୍ବଲକ୍ଷ୍ମୀସ୍ୱରୂପା ଶ୍ରୀକୃଷ୍ଣଙ୍କର ଆହ୍ଲାଦଦାୟୀନୀ କୃଷ୍ଣମୟୀ ଶ୍ରୀରାଧା ପର-ଦେବତାରୂପେ କଥିତା ।

 

ଏହି କୃଷ୍ଣମୟୀ ରାଧିକା ଏବଂ ରାଧାମୟ ଶ୍ରୀକୃଷ୍ଣଙ୍କର ମିଳନ-ବିଧାୟିନୀ ବ୍ରଜବାଳାମାନଙ୍କ ସମ୍ବନ୍ଧେ ପଦ୍ମପୁରାଣରେ କୁହାଯାଇଛି:-

‘‘ପୁରା ମହର୍ଷୟଃ ସର୍ବେ ଦଣ୍ଡକାରଣ୍ୟବାସିନଃ

ଦୃଷ୍ଟ୍ୱା ରାମଂ ହରିଂ ତତ୍ର ଭୋକ୍ତ ମୈଚ୍ଛନ୍ ସୁବିଗ୍ରହମ୍ ।’’

ତେ ସର୍ବେ ସ୍ତ୍ରୀତ୍ୱମାପନ୍ନାଃ ସମୁଦ୍‌ଭୂତାଶ୍ଚ ଗୋକୁଳେ

ହରିଂ ସଂପ୍ରାପ୍ୟ କାମେନ ତତୋ ମୁକ୍ତଂ ଭବାର୍ଣ୍ଣବାତ୍ ।’’

 

ଶ୍ରୀରାମଚନ୍ଦ୍ରଙ୍କର ସ୍ୱରୂପ-ଲାବଣ୍ୟ-ସଂଦର୍ଶନମୁଗ୍‌ଧ-ଦଣ୍ଡକାରଣ୍ୟ-ବାସୀ-ମୁନି ଋଷିମାନେ ହିଁ ରମଣୀ-ମନ ଘେନି ତାଙ୍କୁ କାମନା କରିଥିଲେ । ସେହିମାନେ ହିଁ ପରେ ବ୍ରଜବାଳାରୂପେ ଜନ୍ମ ଗ୍ରହଣ କଲେ ଏବଂ ପତିରୂପେ ଶ୍ରୀକୃଷ୍ଣଙ୍କୁ ଲାଭ କରି ମୁକ୍ତି ଲାଭ କଲେ । ତେଣୁ ଏ ଗୋପୀପ୍ରେମ ସଂସ୍କାରକ ।

‘‘ନିସର୍ଗଃ ସୁଦୃଢ଼ ଭ୍ୟାସଜନ୍ୟଃ ସଂସ୍କାର ଉଚ୍ୟତେ ।’’

      (ଉ: ନୀ:)

 

ଏ ପ୍ରେମ ପରକୀୟା ନୁହେଁ ।

 

‘‘ଶ୍ରୀକୃଷ୍ଣେନ ତାସାଂ ନିତ୍ୟ ଦାମ୍ପତ୍ୟେ ସତି

ପରକୀୟା ତେ ଚ ମାୟିକେ ସତି ।’’

(ଲୋଚନ ସେବନୀ ଟୀକା)

 

ଗୋପୀଗଣଙ୍କସହ ଶ୍ରୀକୃଷ୍ଣ-କେଳିଲୀଳା ନିତ୍ୟ-ଦାମ୍ପତ୍ୟ; ପରକୀୟାତ୍ୱ କେବଳ ମାୟା ବା ମାୟିକ । ଗୋପୀ ନିଃସ୍ୱାର୍ଥ ପ୍ରେମିକା, ଗୋପୀ ରସ-ଭବର ପରମ ସାଧିକା । ପରମଭକ୍ତ ‘ଭକ୍ତଚରଣ’ଙ୍କ ବର୍ଣ୍ଣିତ ଗୋପୀ-ପ୍ରେମ ହିଁ ଗୋପୀ-ଗୌରବର ଚରମ ନିଦର୍ଶନ । ଭାବ-ଭୋଳା କବି ଗାଇଛନ୍ତି:-

 

ଅଶେଷ ଭୁବନ ପୂରି      ରହିଛନ୍ତି ବ୍ରହ୍ମଚାରୀ

ସିଦ୍ଧ ଊର୍ଦ୍ଧ୍ୱରେତା ଯୋଗୀମାନେ

ସେମାନେ ଯାକୁ ନ ପାନ୍ତି      ଜ୍ଞାନଯୋଗେ ଭ୍ରମିହୋନ୍ତି

ତାଙ୍କୁ ବଶ କଲେ ଗୋପୀମାନେ ୟେ ଧନ୍ୟ ଧନ୍ୟ

କି ଉପମା ଦେବି ବୁଦ୍ଧି ନାହିଁ, ଏହାଙ୍କ ସମାନ ହେବ କେହି ଯେ ।

(ମଥୁରାମଙ୍ଗଳ-୨୭ଶ ଛାନ୍ଦ)

 

ଜୟଦେବୀ ଗୋବିନ୍ଦ

 

ଜୟଦେବ-ଅର୍ଚ୍ଚିତ ବାସୁଦେବ ଶ୍ରୀକୃଷ୍ଣ ଦ୍ୱିଭୁଜ ମୁରଲୀଧର ।

‘‘ବର୍ହାପୀଡ଼ଂ ନଟବର ବପୁଃ

କର୍ଣ୍ଣୟୋଃ କର୍ଣ୍ଣିକାରମ୍

ବିଭ୍ରଦ୍‌ବାସଃ କନକପିଶଂ

ବୈଜୟନ୍ତୀ ଚ ମାଳାମ୍‌ ।

ରନ୍ଧ୍ରନ୍ ବେଣୁଧର-ସୁଧୟା

ପୂରୟନ୍ ଗୋପବୃନ୍ଦୈଃ

ବୃନ୍ଦାରଣ୍ୟ ସ୍ୱପଦରମଣଂ

ପ୍ରାବିଶଦ୍ ଗୀତକୀର୍ତ୍ତିଃ ।’’

(ଭାଗବତ-ଦଶମ)

 

ସେ ଶିଖିପୁଚ୍ଛଚୂଳିଆ, ପୀତଦୁକୂଳିଆ । କଣ୍ଠରେ ତାଙ୍କର ବୈଜୟନ୍ତୀମାଳା, କର୍ଣ୍ଣରେ କନିଅର ଫୁଲ । ସେ ବୃନ୍ଦାବନ-ବିହାରୀ ନଟବର । ଅଧରଚୁମ୍ବିତ ବେଣୁସ୍ୱନରେ ସେ ଗୋପୀମନମୋହନକାରୀ ।

 

କୁଳମାନ ହରାଇ ଯେଉଁ ଗୀତଶ୍ରବଣରେ ଗୋପାଙ୍ଗନାଗଣ ଆହ୍ଲାଦରେ ପାଗଳିନୀ, ସେ ଗୀତ କେବଳ ଜାଣନ୍ତି ଯେଉଁ ଗୋପୀମନ ମାନହାରୀ-ବ୍ରଜଚନ୍ଦ୍ରମା ଶ୍ରୀକୃଷ୍ଣ, ତାଙ୍କରି ‘ଗୋବିନ୍ଦ’ନାମର ସାର୍ଥକତାରେ ରଚିତ ସଂଗୀତମୟ ଏହି ଶ୍ରୀଗୀତଗୋବିନ୍ଦ।

 

‘‘ଗବାଦିଷୁ ସଂଜ୍ଞାୟାଂ-ଗୋବିନ୍ଦଃ’’ । ମୂଳଶବ୍ଦ ଗୋପେନ୍ଦ୍ର । ତହିଁରୁ ଅପଭ୍ରଷ୍ଟ ପ୍ରାକୃତ ଶବ୍ଦ ହେଲା ଗୋବିନ୍ଦ । ଏହା କତିପୟ ଭାଷାତତ୍ତ୍ୱପବିଦ୍‌ଙ୍କ (Physiologists) ମତ ।

(ଗାଂ ବିନ୍ଦିତ ଇତି ଗୋବିନ୍ଦଃ-ସଂସ୍କୃତ ।)

 

ଗୌ=ପୃଥିବୀ, ଗାଭୀ, ବାଣୀ ତତା ଇନ୍ଦ୍ରିୟ; କିନ୍ତୁ କବିଙ୍କ ରସରଚନାର ଅଭିପ୍ରାୟ କଳନାରେ ଜୟଦେବୀ ଗୋବିନ୍ଦ ଶବ୍ଦର ଅର୍ଥ ନିମ୍ନରୂପେ ଗ୍ରହଣ କରିବା ନିତାନ୍ତ ଅସମୀଚୀନ ହେବ ନାହିଁ; ଯଥା:-

ଗୋବିନ୍ଦଃ-ଗାଂ=ବାଚଂ ବିନ୍ଦତି ଜାନାତି ଇତି ଅର୍ଥାତ୍ ଶବ୍ଦ ତତ୍ତ୍ୱବିତ୍-ଧ୍ୱନିତତ୍ତ୍ୱବିତ୍ ।

 

ଗୀତ ଗାଂ ବିନ୍ଦତି ଇତି-ଗୀତ ସରସ୍ୱତୀଂ ଜାନାତି ଇତି ଗୀତ-ଗୋବିନ୍ଦଃ=ଶ୍ରୀକୃଷ୍ଣଃ, ତମ୍ ଅଧିକୃତ୍ୟ ଯତ୍‌କାବ୍ୟଂ ଲିଖିତଂ ତତ୍‌ ଗୀତଗୋବିନ୍ଦଃ । କାବ୍ୟବିଶେଷଣତ୍ୱାତ୍ ନପୁଂସକତ୍ୱମ୍ ।

ଉତ୍କଳର ଶିଶୁ ଚାଟଶାଳୀରେ ପାଠ ପଢ଼ିବାବେଳୁ ପଢ଼ିଥାଏ:-

‘‘ଇନ୍ଦ୍ର ସପତ ଦିନ ବୃଷ୍ଟି କଲା,

ଗୋପେ ଗୋବିନ୍ଦ ନାମ ଦେଇଗଲା ।’’

ଜୟଦେବ କିନ୍ତୁ ଗୋବର୍ଦ୍ଧନଧାରୀ ଗୋବିନ୍ଦଙ୍କ ଲୀଳା ବିକାଶ କରି ଶ୍ରୀଗୀତଗୋବିନ୍ଦ ଲେଖି ନାହାନ୍ତି ।

 

କେହି କେହି ଶ୍ରୀଗୀତଗୋବିନ୍ଦର ଗୋବିନ୍ଦଙ୍କୁ ଇନ୍ଦ୍ରବରପ୍ରାପ୍ତ ‘ଗୋବିନ୍ଦ’ ବୋଲି କହି ଶାସ୍ତ୍ରାର୍ଥ ବାଢ଼ିବସନ୍ତି । ଓଡ଼ିଶାର ଚାଟଶାଳୀ ଚାଟ ମଧ୍ୟ ପ୍ରୋକ୍ତ ଗୀତଟି ଗାଇ ‘ଗୋବିନ୍ଦ’ ଶବ୍ଦର ଅର୍ଥ ସୂଚାଇଦିଏ । ଜୟଦେବ ଏ ଗୋବିନ୍ଦଙ୍କୁ ଘେନି ଶ୍ରୀଗୀତଗୋବିନ୍ଦ ରଚନା କରି ନାହାନ୍ତି । ଜୟଦେବଙ୍କ ଗୋବିନ୍ଦ ବ୍ରଜର ରସରାଜ-ପରମାନନ୍ଦ ଗୋବିନ୍ଦ । ରାଧା-ମନୋନ୍ମାଦକ ବେଣୁବାଦକ ଗୋବିନ୍ଦ, ଜୟଦେବୀ ଗୋବିନ୍ଦ ନାରାୟଣ ନୁହନ୍ତି ବା କେଶୀ-କଂସନିସୂଦନ ନୁହଁନ୍ତି । ସେ କେବଳ ମୂରଲୀ ଗୀତରେ ଗୋପୀମାନନିଆ ରସ-ରସ-ରସିକ ଭକ୍ତପ୍ରାଣ ଗୋବିନ୍ଦ,-ଯାହାଙ୍କୁ ଗୋ-ଜ୍ଞାନ, ବିଦ୍=ଜଣାଯାଏ ଅର୍ଥାତ୍ ଜ୍ଞାନଦ୍ୱାରା ଯାହାଙ୍କୁ ଜଣାଯାଏ, ସେହି ଗୋପୀଜନବଲ୍ଲଭ ପରମାତ୍ମା । କୁହାଯାଇଅଛି:-

 

‘‘ଗୋବିନ୍ଦାନ୍‌ମୃତ୍ୟୁର୍ବିଭେତି ।’’

-ମୃତ୍ୟୁ ଗୋବିନ୍ଦଙ୍କୁ ଭୟ କରେ ।

‘‘ଭୟାଦସ୍ୟାଗ୍ନିସ୍ତପତି ଭୟାତ୍‌ ତପତି ସୂର୍ଯ୍ୟଃ

ଭୟାଦିନ୍ଦ୍ରଶ୍ଚ ବାୟୁଶ୍ଚ ମୃତ୍ୟୁର୍ଧାବତି ପଞ୍ଚମଃ ।

ଗୋପୀଜନବଲ୍ଲଭଜ୍ଞାନେନ ତଦ୍‌ଜ୍ଞାନଂ ଭବତି ।।’’

(ଗୋବିନ୍ଦ ତାପନୀଃ)

 

ଅଗ୍ନି ଯାହାଙ୍କ ଭୟରେ ତାପ ପ୍ରଦାନ କରେ, ଯାହାଙ୍କ ଭୟରେ ସୂର୍ଯ୍ୟ ଦିଏ ଉତ୍ତାପ, ଇନ୍ଦ୍ର, ବାୟୁ ଏବଂ ମୃତ୍ୟୁ ନିଜ ନିଜର କର୍ମ ସଂପାଦନ କରନ୍ତି ସେହି ଗୋପୀଜନ ବଲ୍ଲଭଙ୍କୁ ଜାଣିପାରିଲେ ସମସ୍ତ ବିଷୟ ଜାଣିହୁଏ ।

 

ଜୟଦେବ ପ୍ରୋକ୍ତ ସକଳ ଗୁଣାଧାର ଗୋବିନ୍ଦଙ୍କମଧ୍ୟରୁ କେବଳ ‘ଗୋପୀଜନବଲ୍ଲଭ’ ଗୋବିନ୍ଦଙ୍କ ବନ୍ଦନା ଗାଇଛନ୍ତି ଶ୍ରୀଗୀତଗୋବିନ୍ଦରେ, - ଯାହା ଗୀତିମୟ କାବ୍ୟ । ସୁତରାଂ ଗୋବିନ୍ଦଙ୍କର ଅନ୍ୟାନ୍ୟ ଗୁଣାବଳୀର ଅର୍ଥବୋଧ ଅନ୍ତତଃ ଶ୍ରୀଗୀତଗୋବିନ୍ଦ ଆଲୋଚନାର ସମ୍ୱନ୍ଧିତ ଯୁକ୍ତି ବୋଲି ବିଚାରକୁ ଆସୁ ନାହିଁ । ମହାକବି ମଧ୍ୟ ସେ ସମସ୍ତ ଗୁଣର ଅର୍ଚ୍ଚନାଠାରୁ ଦୂରରେ ରହିଛନ୍ତି ।

 

ଶ୍ରୀଗୀତଗୋବିନ୍ଦର ଗୋବିନ୍ଦ ଗୋପୀଜନବଲ୍ଲଭ, - ଯେ ପରଂବ୍ରହ୍ମଙ୍କୁ ଗୋପନ ବା ଆବରଣ କରି ରଖନ୍ତି, ତାଙ୍କ ନାମ ‘ଗୋପୀ’ ଅର୍ଥାତ୍‌‘ମାୟା’ ବା ‘ପ୍ରକୃତି । ମାୟା ହିଁ ଏ ପ୍ରପଞ୍ଚୋତ୍ପତ୍ତିର କାରଣ । ଯେ ମାୟାର ସ୍ୱାମୀ, ସେ ଗୋପୀଜନବଲ୍ଲଭ - ପରମାତ୍ମା । ତାକୁ ଜାଣିବା ଅର୍ଥ ସମସ୍ତ ବିଷୟର ଜ୍ଞାନଲାଭ କରିବା । ‘ଗୋପାଳତାପିନୀ’ରେ ଏହି ମର୍ମ୍ମର ଆଲୋଚନା କରାଯାଇ ପ୍ରଶ୍ନ ଉଠିଛି:-

 

‘‘କଃ କୃଷ୍ଣୋଽଗୋବିନ୍ଦଶ୍ଚ କୋଽସାବିତ୍‌?’’ ଗୋପୀଜନବଲ୍ଲଭଃ କଃ ?’’

- ‘‘ବ୍ରାହ୍ମଣଃ ପାପକର୍ଷଣୋ ଗୋ ଭୂମିଦେବ ବିଦିତୋ ବେଦିତା ବିଦ୍ୟାକଳାପ୍ରେରକସ୍ତନୟାଚେତି ।।’’

 

- ‘‘ଯେ ପାପ କର୍ଷଣ (ହରଣ) କରନ୍ତି, ତାଙ୍କ ନାମ କୃଷ୍ଣ । ମିନି ଗୋ - ଶବ୍ଦ ବାଚ୍ୟ ଭୂମି (ବିଶ୍ୱ) ବେଦଜ୍ଞ ଏବଂ ବେଦାଧ୍ୟୟନ ଦ୍ୱାରା ଯାହାଙ୍କୁ ବିଦିତ କରାଯାଏ, ତାହାଙ୍କ ନାମ ‘ଗୋବିନ୍ଦ’ । ଯେ ଅବିଦ୍ୟା କଳାରୂପ ପାଳନ ଶକ୍ତିର ଅଧୀଶ୍ୱର ତାଙ୍କ ନାମ ଗୋପୀଜନ - ବଲ୍ଲଭ । ଆହୁରି:-

 

‘ଗୋ’ ଶବ୍ଦର ଏକ ଅର୍ଥ - ‘ବେଦ’ । ବେଦ ଯେ ଜାଣନ୍ତି (ବିନ୍ଦତି) ଅର୍ଥାତ୍‌ ବେଦର ଯେ ମୂଳ - ସେ ଗୋବିନ୍ଦ । ଗୋବର୍ଦ୍ଧନ ଧାରଣ କରିଥିବାରୁ ଇନ୍ଦ୍ର ଶ୍ରୀକୃଷ୍ଣଙ୍କୁ ଯେଉଁ ଉପାଧିରେ ଅର୍ଚ୍ଚନା କରିଥିଲେ ସେହି ଗୋବର୍ଦ୍ଧନ ଶବ୍ଦସ୍ଥ ‘ଗୋ’ ଅକ୍ଷରର ଅର୍ଥ ମଧ୍ୟ ‘ବେଦ’ । ଯେଉଁ ସ୍ଥାନରେ ବେଦ ବୃଦ୍ଧି ହୁଏ, ତାହାର ନାମ ‘ଗୋ - ବର୍ଦ୍ଧନ’ । ଯେ ଏହା ଧାରଣ କରିଥିଲେ, ସେ ‘ଗୋବର୍ଦ୍ଧନ – ଧାରୀ ’। ସେହି ଶ୍ରୀକୃଷ୍ଣ ।

 

‘‘ବେଦାନୁଦ୍ଧରତେ ଜଗନ୍ତି ବହତେ ଭୂଗୋଳମୁଦ୍‌ବିଭ୍ରତେ

ଦୈତ୍ୟଂ ଦାରୟତେ ବଳିଂ ଛଳୟତେ କ୍ଷତ୍ରକ୍ଷୟଂ କୁର୍ବତେ

ପୌଲସ୍ତ୍ୟଂ ଜୟତେ ହଳଂ କଳୟତେ କାରୁଣ୍ୟମାତନ୍ୱତେ

ମ୍ଳେଚ୍ଛାନ୍ମୂର୍ଚ୍ଛୟତେ ଦଶାକୃତିକୃତେ କୃଷ୍ଣାୟ ତୁଭ୍ୟଂ ନମଃ ।।’’

(ଶ୍ରୀଗୀତଗୋବିନ୍ଦ)

 

ଗୋବିନ୍ଦ ଶବ୍ଦ ଏହିପରି ବିବିଧ ଅର୍ଥବବୋଧକ ହେଲେ ମଧ୍ୟ ଶ୍ରୀଗୀତଗୋବିନ୍ଦ କାବ୍ୟରେ ଗୋବିନ୍ଦ, - ‘ଗୋପୀଜନବଲ୍ଲଭ’ । ‘ଗୀତ ସରସ୍ୱତୀଂ ଜାନାତି’ । ଏଠାରେ ‘ଜାନାତି’ର ଅର୍ଥ ଜାଣନ୍ତି ନୁହେଁ - ଆଦି, ମୁଳ । ଗୋପାଳ ତପିନୀ ‘ବିନ୍ଦତି’ ଶବ୍ଦର ମଧ୍ୟ ଏହିପରି ଅର୍ଥ ସିଦ୍ଧାନ୍ତ କରିଛନ୍ତି । ତେଣୁ ଇନ୍ଦ୍ରଙ୍କଠାରୁ ଉପାଧି ପ୍ରାପ୍ତ ଗୋବିନ୍ଦ ସହିତ ଶ୍ରୀଗୀତଗୋବିନ୍ଦ କାବ୍ୟ ବର୍ଣ୍ଣିତ ଗୋବିନ୍ଦଙ୍କର କୌଣସି ସଂପର୍କ ନାହିଁ ।

 

ଜୟଦେବଙ୍କ ଦୃଷ୍ଟିରେ ବ୍ରଜର ଶ୍ରୀକୃଷ୍ଣ ରସିକ ରାଜ; ମାଧୁର୍ଯ୍ୟମୟ ପରମାନନ୍ଦ ମୂର୍ତ୍ତିଧାରୀ । ଗୋପାଙ୍ଗନାମାନଙ୍କ ସହ ତାଙ୍କର ମଧୁର ବୃନ୍ଦାବନଲୀଳା ଆଧାରିତ ଗୀତି କାବ୍ୟ ଶ୍ରାଗୀତଗୋବିନ୍ଦ । ଶ୍ରୀକୃଷ୍ଣ ଚକ୍ରଧାରୀ, କଂସ - କେଶୀ ନିସୂଦନ, ଗୋବର୍ଦ୍ଧନଧାରୀ ସତ୍ୟ କିନ୍ତୁ ଜୟଦେବୀ ଶ୍ରୀକୃଷ୍ଣ ବେଣୁ ସଙ୍ଗୀତରେ ଗୋପୀ ମନଲୁଭା ତ୍ରିଭଙ୍ଗ ମୂରତି ଘନଶ୍ୟାମ - ‘‘ଗୋପୀହୃଦୟ ଚନ୍ଦନ ରାଧା - ମନ - ବନଚାରୀ ଗୋବିନ୍ଦ ।’’

 

ଚନ୍ଦନଯାତ୍ରା ଉପଲକ୍ଷେ ଚାପକୁ ବିଜୟ କଲାବେଳେ ଶ୍ରୀମନ୍‌ଜଗନ୍ନାଥଙ୍କର ଯେଉଁ ଚଳନ୍ତି ପ୍ରତିମା ‘ମଦନ - ମୋହନ’ ବୋଲନ୍ତି, ସେ ମଧ୍ୟ ଦୋଳଯାତ୍ରାକାରୀ ‘ଦୋଳଗୋବିନ୍ଦ’ । ଉଭୟେ ଶ୍ରୀକୃଷ୍ଣ । କିନ୍ତୁ ଗୁଣ, କାଳ, କର୍ମ ଅନୁସାରେ ନାମ ଏବଂ ଭାବ - ରୂପର ପାର୍ଥକ୍ୟ ରହିଛି । ଯେ ମଦନ ମୋହନ ସେ ମଧ୍ୟ ଦୋଳଗାବିନ୍ଦ । ଉଭୟେ ଶ୍ରୀକୃଷ୍ଣ ।

 

ସେହିପରି ଗୋବର୍ଦ୍ଧନଧାରୀ ଇନ୍ଦ୍ରଙ୍କ ଦ୍ୱାରା ଅଭିନନ୍ଦିତ ଗୋବିନ୍ଦ ମୋହନ ବେଣୁଧାରୀ ଗୋବିନ୍ଦ ନୁହନ୍ତି । ତେଣୁ ଇନ୍ଦ୍ର କର୍ତ୍ତୃକ ଅଭିହିତ ଗୋବିନ୍ଦ ଜୟଦେବୀ ଗୋବିନ୍ଦ ହେବେ କିପରି ? ଜୟଦେବଙ୍କ ଶ୍ରୀକୃଷ୍ଣ ପ୍ରେମମୟ । ମଧୁର ବେଣୁଗୀତ ପ୍ରବୀଣ, ଆନନ୍ଦ - ସ୍ୱରୂପ ଗୋବିନ୍ଦ । ଯେଉଁ ଶକ୍ତି ସହୟତାରେ ତାଙ୍କର ଆନନ୍ଦଲୀଳା ସାଧିତ ହୁଏ, ତାହାର ନାମ ‘ହ୍ଲାଦିନୀ’ ଶକ୍ତି । ବେଣୁଗୀତ ସ୍ୱନରେ ତାଙ୍କୁ ଆତୁର ଆହ୍ୱାନ ଜଣାନ୍ତି ଗୋବିନ୍ଦ । ତହୁଁ ପାଗଳିନୀ ରାଈ ବୁଲନ୍ତି ସାରା ବ୍ରଜବନ ଆନନ୍ଦମୟ ଗୋବିନ୍ଦଙ୍କୁ । ଏକାନ୍ତ କୁଞ୍ଜ ମିଳନରେ ଆହ୍ଲାଦିତ କରିବାକୁ ଖୋଜି ବୁଲନ୍ତି ପୁଣି ମୁଗ୍‌ଧା ବ୍ରଜବାଳାଗଣ - ‘‘କାହିଁଗଲେ ମୁରଲୀଫୁଙ୍କା, ଗୋପୀଜନବଲ୍ଲଭ -- ଗୋବିନ୍ଦ ?’’

 

ଏହି ବ୍ରଜବାଳାମାନଙ୍କର ଉଛୁଳ ମନ କଥାକୁ ସରଳ ତରଳ ଭାଷାରେ ସ୍ୱର ମୁର୍ଚ୍ଛନା ଯୋଗାଡ଼ି ଭାବଭୋଳା କବି ବନମାଳୀ ଗାଇଲେ -

 

‘‘କାହିଁଗଲେ ମୁରଲୀଫୁଙ୍କା

ଯୁବତୀ ରସିଆ କାମିନୀ ରଙ୍କା ।

ପାଦ ପାଣି ବଙ୍କା            ନୁପୂର ହିଁ ବଙ୍କା,

ବାଙ୍କ ଚୂଳ ତାର ଚାହାଣୀ ବଙ୍କା,

ବଙ୍କିମା ଅଧରେ            ମୁରଲୀ ବଜାଇ

ଡାକୁଥାନ୍ତି ଆସ ଆସ ରାଧିକା ।’’

 

ଶ୍ରୀମତୀ ରାଧିକା କିମ୍ୱା ବ୍ରଜର ଅନ୍ୟାନ୍ୟ ଗୋପିକା, କେହି କୌଣସି ବାଧାବାରଣ ନ ମାନି ଆତ୍ମୋତ୍ସର୍ଗ କରି ଖୋଜି ବୁଲି ନାହାନ୍ତି ଗୋବର୍ଦ୍ଧନଧାରୀ ଗୋବିନ୍ଦଙ୍କୁ । ଖୋଜିଛନ୍ତି ସେହି ଗୋବିନ୍ଦକୁ, ଯାହାର ମଧୂର ବେଣୁଗୀତ କରିଛି ସେମାନଙ୍କୁ ପାଗଳିନୀ । ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କର ସେହି ମାଧୁର୍ଯ୍ୟଲୀଳା ରହସ୍ୟ ଗାୟନ କରିଛନ୍ତି ଶ୍ରୀ ଗୀତଗୋବିନ୍ଦ - କବି କବିରାଜ ଜୟଦେବ । ବ୍ରଜଲୀଳା ନାୟକଙ୍କର ମଧୂର ରୂପ ହେଲା - ‘‘ଲାବଣ୍ୟସାରଂ ଅସମୋର୍ଦ୍ଧଂ ଅନନ୍ୟ ସିଦ୍ଧମ୍‌।’’

 

ଲାବଣ୍ୟରେ ତାଙ୍କ ସରିସମ ହବାକୁ, ଆଉ ଜଣେ କେହି ନାହିଁ । ସେ ଅନନ୍ୟସିଦ୍ଧ, ସେ କେବଳ ଆନନ୍ଦ - ଆନନ୍ଦ - ପ୍ରେମାନନ୍ଦ । ମଧୁର - ରସମୟ ପ୍ରେମଘନ ‘ଗୋବିନ୍ଦ’ । ରାଧା - ରମଣ -ରସରାଜ ଗୋବିନ୍ଦ ।

 

ରାଧା-ପ୍ରେମ ଘେନି ଜୀବଗୋସ୍ୱାମୀ ପରକୀୟା ତତ୍ୱ ସ୍ୱୀକାର କରନ୍ତି ନାହିଁ । ତାଙ୍କମତରେ ସ୍ୱରୂପରେ, ଅର୍ଥାତ୍‌ ଅପ୍ରକଟ ବ୍ରଜଲୀଳାରେ ରାଧା, କୃଷ୍ଣଙ୍କର ପରମ - ସ୍ୱକୀୟା । ସେଠାରେ କୃଷ୍ଣଙ୍କର ଔପପତ୍ୟର ଲେଶଗନ୍ଧ ନାହିଁ । ଏହି ତତ୍ତ୍ୱ ଫୁଟାଇ ‘ଗୋପାଳ ଚମ୍ପୂ’ କାବ୍ୟର ଉତ୍ତର ଚମ୍ପୂରେ ସେ ରାଧାକୃଷ୍ଣଙ୍କର ବିବାହ ସଂଘଟିତ କରାଇଛନ୍ତି । (ବ୍ରହ୍ମ ବୈବର୍ତ୍ତ ପୁରାଣ ମଧ୍ୟ ଏହି ବିଧି ଅନୁଷ୍ଠିତ କରାଇଛନ୍ତି, ବ୍ରହ୍ମାଙ୍କ କର୍ତ୍ତୃକ) ଜୀବ ଗୋସ୍ୱାମୀଙ୍କ ବିଚାରରେ ଅପ୍ରକଟ ଗୋଲୋକ ଲୀଳାରେ ସ୍ୱକୀୟ । ପରମସତ୍ୟ, ପରକୀୟ । କେବଳ ମାୟା - ସର୍ଜନା ।

 

ଲୌକୀକ କାମ-କ୍ରୀଡ଼ା ପରି ରାଧାକୃଷ୍ଣଙ୍କର ପରକୀୟ ରୀତିରେ କୃଷ୍ଣଙ୍କୁ ରାଧାଙ୍କର ଉପପତିରୂପେ କ୍ରୀଡ଼ା କରିବାର ଦେଖାଯାଇଅଛି । କାରଣ ପାରତନ୍ତ୍ର୍ୟ ଭିନ୍ନ ସଂଭୋଗ-ସମୃଦ୍ଧି ସମୃଦ୍ଧ ହୁଏ ନାହିଁ । ଲୌକିକ କ୍ଷେତ୍ରରେ ଔପପତ୍ତ୍ୟ ହିଁ ସମ୍ଭୋଗ - ସମୃଦ୍ଧିର କାରଣ । ଏହି ସମ୍ଭୋଗ ମୁଖ୍ୟତଃ ଚାରି ପ୍ରକାର :-

(୧) ସଂକ୍ଷିପ୍ତ (୨) ସଂକୀର୍ଣ୍ଣ (୩) ସଂପନ୍ନ (୪) ସମୃଦ୍ଧିମାନ୍‌ ।

 

-ଲଜ୍ଜା, ଭୟ ଓ ଅସହିଷ୍ଣତା ହେତୁ ଭୋଗାଙ୍ଗର ସ୍ୱଳ୍ପ ବ୍ୟବହାର - ସଂକ୍ଷିପ୍ତ ଭୋଗ ।

 

- ନାୟକଦ୍ୱାରା ବିପକ୍ଷର ଗୁଣ କୀର୍ତ୍ତନ, ନାୟକର ପ୍ରବଞ୍ଚନା ସ୍ମରଣଦ୍ୱାରା ଭୋଗୋପଚାରରେ ସଂକୀର୍ଣ୍ଣତା ପ୍ରକାଶ - ସଂକୀର୍ଣ୍ଣ ଭୋଗ ।

 

-ଏହା ମଧୁର (ସ୍ୱାଦୁ) ଏବଂ ଉଷ୍ମା । ପରବାସୀ କାନ୍ତ ମିଳନରେ ଏ ସମ୍ଭୋଗର ତାତ୍ପର୍ଯ୍ୟ ସଂପନ୍ନ ବିକଶିତ ହୁଏ ।

 

-ପ୍ରଣୀୟ ଯୁଗଳର ଅନ୍ୟୋନ୍ୟ ଅଦର୍ଶନ ଜନିତ ବିଷମ ଉତ୍କଣ୍ଠା ପରେ ମିଳନର ପୂର୍ଣ୍ଣ ଉପଭୋଗ । ଏଥିରେ ମାତ୍ରଧିକ୍ୟ ମଧ୍ୟ ଦୃଷ୍ଟ ହୁଏ । ଏହା ସମୃଦ୍ଧିମାନ୍‌ସମ୍ଭୋଗର ଲକ୍ଷଣ ।

 

ଜୟଦେବୀ ଗୋବିନ୍ଦ ସମୃଦ୍ଧିମାନ ସଂଭୋଗ ଶୃଙ୍ଗାରୀ ବନମାଳୀ । ଅର୍ଥାତ୍‌ ଯେ ବନ = ନିର୍ଜନ ସ୍ଥାନରେ ଭକ୍ତଜନ ନିକଟରେ ଆବିର୍ଭୁତ ହୁଅନ୍ତି = ଶ୍ରୀକୃଷ୍ଣ । (ଗୋ: ତାପିନୀ)

 

ଶ୍ରୀ ଗୀତଗୋବିନ୍ଦର ଶ୍ରୀକୃଷ୍ଣ, ଏହି ବନମାଳୀ ଗୋବିନ୍ଦ - ବୃନ୍ଦାବନଲୀଳାର ଗୋପିକାରମଣ ଗୋବିନ୍ଦ । କବି ଜୟଦେବ କହିଛନ୍ତି ସେ ସାକ୍ଷାତ୍‌ ଶୃଙ୍ଗାର ମୂର୍ତ୍ତି (ଶୃଙ୍ଗାରଃ ସଖି ମୂର୍ତ୍ତିମାନିବ...)

 

ଆଉ ବୃନ୍ଦାବନର ଗୋପୀ । ‘‘ଗୋପୟତି ଆତ୍ମାନଃ ଯଃ ସଃ ଇତି ଗୋପଃ । ସ୍ତ୍ରୀ ଲିଙ୍ଗେ ‘ଇପ୍‌’ - ଗୋପୀ । ଯେ ଆତ୍ମାକୁ ଗୋପନ କରି ରଖନ୍ତି ସେ ଗୋପୀ । ପ୍ରାଣ ହିଁ ‘ଗୋପ’ ଏବଂ ତାହାର ବୃତ୍ତି (ସୁ ଏବଂ କୁ) ନିଚୟ ‘ଗୋପୀ’ ।

 

ଗୋପୀମାନେ ଗୋବିନ୍ଦଙ୍କୁ ଲାଭ କରିଛନ୍ତି - ‘ଗୋପ୍ୟଃ କାମାତ୍‌’ - କୃଷ୍ଣ ଭଗବାନଙ୍କଠାରେ କାମାର୍ପଣ, ତାହାଙ୍କ ସହିତ ରମଣ,‘ପ୍ରେୟଃ ପୁତ୍ରାତ୍‌ ପ୍ରେୟୋବିତ୍ତାତ୍ ପ୍ରେୟଃ ଅନ୍ୟସ୍ମାତ୍‌ସଦ୍ଦ ସ୍ମାତ୍‌’ ଏହି ରୂପେ ତାଙ୍କୁ କାନ୍ତଭାବରେ ଭଜନ କରିବା ହେଲା ଗୋପୀ-ପ୍ରେମ । ଏହାକୁ ହିଁ କୁହାଯାଇଛି ‘କାମାତ୍‌’ । ଏହି କାମ କିନ୍ତୁ ଲୌକିକ କାମ ଅର୍ଥବାଚୀ ନୁହେଁ । ଲୌକିକ ବା ସାଂସାରିକ କାମ ବା ମୈଥୁନ କ୍ରିୟା ସହିତ ଗୋପଲୀଳାର ‘ରତି-କେଳି’ ବର୍ଣ୍ଣନାର ସାଦୃଶ୍ୟ ଅଛି ବୋଲି ଏହାକୁ ‘କାମ’ ବୋଲାଯାଇଅଛି । ବୃନ୍ଦାବନର ଏ କାମ ପ୍ରାକୃତ କାମ ନୁହେଁ । ଅପ୍ରାକୃତ ଅର୍ଥାତ୍‌ ଯାହା ପ୍ରକୃତର ଉତ୍ପନ୍ନ ନୁହେଁ - ଯାହା ସହଜ । ଜୀବ ମାତ୍ରେ ଏହି ମୈଥୁନ - କ୍ରିୟା ସହିତ ଜାତ । ଏହା ପ୍ରାଣର ମୈଥୁନ କ୍ରିୟା । ଏହାହିଁ ଗୋପୀତତ୍ତ୍ୱ-ପରମତତ୍ତ୍ୱ - ପରମାନନ୍ଦ ତତ୍ତ୍ୱ ।

 

କୁହାଯାଇଅଛି :-

‘‘ମୈଥୁନଂ ପରମଂ ତତ୍ତ୍ୱଂ ସୃଷ୍ଟି ସ୍ଥିତ୍ୟନ୍ତ କାରଣମ୍‌ ।

ମୈଥୁନାଜ୍ଜାୟତେ ସିଦ୍ଧି ର୍ବହ୍ମଜ୍ଞାନଂ ସୁଦୁର୍ଲ୍ଲଭମ୍‌ ।।’’

(ଆଗମସାର ତନ୍ତ୍ର)

 

ଶ୍ରୀ ଗୀତଗୋବିନ୍ଦର ଶ୍ରୀକୃଷ୍ଣ - ବ୍ରହ୍ମଜ୍ଞାନମୟ ଗୋବିନ୍ଦ - ମଦନ ମୋହନ । ମୈଥୁନର ମନ୍ତ୍ର ବିଧାତା ମଦନ । ମଦନ ମର୍ଥ କାମ ।

 

ଶରୀର ମଧ୍ୟରେ ଅହରମ କାମ କ୍ରୀଡ଼ା ବା ମୈଥୁନ କ୍ରିୟାରେ ରତ ବୋଲି ସେ ‘ମଦନ’ ବୋଲାନ୍ତି । ପ୍ରାଣୀର ଶ୍ୱାସ-ପ୍ରଶ୍ୱାସ କ୍ରିୟା ହିଁ ମୈଥୁନ କ୍ରିୟା । ଏହା ମଦନର କାର୍ଯ୍ୟ । ଶୃଙ୍ଗାର ମଦନର ନାମାନ୍ତର ।

 

ଶ୍ରୀ ଗୀତଗୋବିନ୍ଦରେ ଗୋପୀମାନଙ୍କ ସହିତ-

‘‘ଶୃଙ୍ଗାରଃ ସଖି ମୁର୍ତ୍ତିମାନିବ ମଧୌ ମୁଗଧୋ ହରିଃ କ୍ରୀଡ଼ତି’’ ବୋଲି କୁହାଯାଇଅଛି । ଅର୍ଥାତ୍ ହରି ମୁର୍ତ୍ତିମାନ ଶୃଙ୍ଗାର ରୂପେ କ୍ରୀଡ଼ା କରୁଅଛନ୍ତି । ଏ ସ୍ଥଳରେ ‘ହରି’ ଶଦ୍ଧଟି ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ । ‘ହୁ’ ଧାତୁ ‘ଇ’ ପ୍ରତ୍ୟୟରେ ‘ହରି’ ଶଦ୍ଧ ନିଷ୍ପନ୍ନ ହୋଇଅଛି । ‘ହୁ’-ହରଣେ-ହରଣ କରିବା ଅର୍ଥ ଜୀବର ପାପ-ପୂଣ୍ୟ ଉଭୟଙ୍କୁ ଯେ ହରଣ କରନ୍ତି ସେ ‘ହରି’ । ଗୋପୀମାନଙ୍କ ସହିତ ସେମାନଙ୍କର ପାପ-ପୂଣ୍ୟ ହରଣକାରୀ ସାକ୍ଷାତ୍‌ ଶୃଙ୍ଗାର ସ୍ୱରୂପୀ ହରି କ୍ରୀଡ଼ା ନିରତ । ଏହି ହରି ହିଁ ଶ୍ରୀ ଗୀତଗୋବିନ୍ଦର ଜୟଦେବୀ ଗୋବିନ୍ଦ ।

 

ଗୋପୀମାନେ ଏହି ଗୋବିନ୍ଦ ହରିଙ୍କୁ କାମ-ବୀଜ, କାମ ଗାୟତ୍ରୀ ମନ୍ତ୍ରରେ ସର୍ବସ୍ୱ ଅର୍ପଣ କରିଥିବା ଲୀଳା ଶ୍ରୀ ଗୀତଗୋବିନ୍ଦରେ ବର୍ଣ୍ଣିତ ହୋଇଅଛି ।

 

କାମ ବୀଜ ହେଲା:- ‘‘କ୍ଳୀଂ କୃଷ୍ଣାୟ ଗୋପୀଜନ-ବଲ୍ଲଭାୟ ସ୍ୱାହା’’ ଏହା ବ୍ରଜ ଗୋପିମାନଙ୍କର ପତି ରୂପେ ଶ୍ରୀକୃଷ୍ଣ ଚରଣରେ ଆତ୍ମ ସର୍ମଣ ।

 

କାମ ଗାୟତ୍ରୀ- କ୍ଳୀଂ କାମଦେବାୟ ବିଦ୍ମହେ ପୁଷ୍ପବାଣାୟ ଧୀମହି । ତନ୍ନୋଽନଙ୍ଗ ପ୍ରଚୋଦୟାତ୍ ।

 

ଅର୍ଥାତ୍ କାମଦେବଙ୍କୁ ଆମ୍ଭେମାନେ ଜାଣୁ । ସେ କୁସୁମ ଶାୟକ ଧର, ଆମ୍ଭେମାନେ ତାଙ୍କୁ ଧ୍ୟାନ କରୁଅଛୁଁ । ସେହି ଅନଙ୍ଗ ଆମ୍ଭେମାନଙ୍କୁ ପ୍ରେରଣ କରନ୍ତୁ ।

 

ଏହି କାମଦେବଙ୍କୁ କବିରାଜ ‘ମୁର୍ତ୍ତିମାନ ଶୃଙ୍ଗାର’ ବୋଲି କାବ୍ୟରେ ଉପସ୍ଥାପନା କରାଇଅଛନ୍ତି ।

 

ଶ୍ରୀ ଗୀତଗୋବିନ୍ଦର ରାସୋତ୍ସବ ବର୍ଣ୍ଣନା କାମ-କ୍ରୀଡ଼ା ନୁହେଁ । ପ୍ରେମଲୀଳା । ସାଧାରଣ କାମର ସାମ୍ୟ ବର୍ଣ୍ଣନାରେ କାବ୍ୟଟି ରସାୟୀତ ହୋଇଛି, ପରମ୍ପରା ଅନୁସରଣରେ ମାତ୍ର । ବସ୍ତୁତଃ ପ୍ରେମ, ଗୌରବ ମୂର୍ତ୍ତିରେ ପ୍ରାକୃତ କାମ ବନକ ପ୍ରଲୋପିତ । କାମ=Lost ଏବଂ ପ୍ରେମ=Love । କାମ ଦୈହିକ ମିଳନ ମାତ୍ର, ପ୍ରେମର ସମ୍ବନ୍ଧ ଅତୀନ୍ଦ୍ରିୟ । ରନ୍ତୁମ୍‌ଇଚ୍ଛା (ରିରିଂସା) ହିଁ କାମ । ପ୍ରେମୋଦୟ କାମାନ୍ଧକାର ନାଶକ । Love kills lost. ପ୍ରେମ ହେଲା-wedding of the soul.

 

କିଏ କେଉଁ ଭାବରେ ପ୍ରେମାର୍ପଣ କରି ଶ୍ରୀକୃଷ୍ଣଙ୍କୁ ପାଇଅଛି । ଶ୍ରୀ ଗୀତଗୋବିନ୍ଦରେ ଶ୍ରୀକୃଷ୍ଣ-ଗୋବିନ୍ଦଙ୍କୁ ଗୋପୀମାନେ ପାଇଛନ୍ତି ନିଜର ‘ପ୍ରିୟ’ ରୂପେ । ଜୟଦେବୀ ଗୋବିନ୍ଦ ‘ଗୋପୀଜନ ପ୍ରିୟ’ ।

 

କୁହାଯାଇଅଛି-

ଆକୃଷ୍ୟମାନେ ବସନେ ଦ୍ରୌପଦ୍ୟାଶ୍ଚିନ୍ତିତୋ ହରିଃ

ଗୋବିନ୍ଦ ! ହାରକାବାସିନ୍‌ ! କୃଷ୍ଣ ! ଗୋପୀଜନ ପ୍ରିୟ !’’

 

-ଦୁଷ୍ଟ ଦୁଃଶାସନ କର୍ତ୍ତୃକ ସଭାରେ ବିବସନାକରିବା ପ୍ରଚେଷ୍ଟାକାଳରେ ଏହା ଦ୍ରୌପଦୀଙ୍କର କାତର ନିବେଦନ ରୂପେ ସଭା ପର୍ବର ଶ୍ଳୋକାଂଶ । ତେଣୁ କୃଷ୍ଣ, ଗୋବିନ୍ଦ, କୃଷ୍ଣ ଗୋପୀଜନ ବଲ୍ଲଭ, କୃଷ୍ଣ ରସରାଜ । ସର୍ବରସର ସମନ୍ୱୟ-ରସର ଆଧାର, ରସିକଶେଖର, ଭକ୍ତ ଜନବନ୍ଧୁ ପ୍ରେମରାଜ ସେ ।

 

ମହାମୁନି ଭରତଙ୍କ ନିର୍ଦ୍ଦେଶାନୁଯାୟୀ ରସସଂଖ୍ୟା ନଅ ଗୋଟି । ତେଣୁ ପ୍ରଶ୍ନ ଉଠେ ପ୍ରେମ-ଭକ୍ତି ରସ ପୁଣି କଅଣ ? ପ୍ରେମ କଅଣ ?

 

‘‘ଶୁଦ୍ଧ ସତ୍ୱ ବିଶେଷ୍ୟାତ୍ମା ପ୍ରେମସୂର୍ଯ୍ୟାଂଶୁ ସମ୍ୟଭାକ୍‌

ଋଚିଭିଶ୍ଚିତ୍ତମାସୃଣ୍ୟକୃଦସୌ ଭାବ ଉଚ୍ୟତେ’’ ।।

(ଭକ୍ତିରସାମୃତ-ସିନ୍ଧୁ-ପୂର୍ବ ୩/୧)

 

-ମନ ଯେଉଁ ଭାବଦ୍ୱାରା ସଂପୁର୍ଣ୍ଣରୂପେ ନିର୍ମଳ, ଏବଂ ମମତା ସଂପନ୍ନ ହୁଏ, ସେହି ଭାବ ଗାଢ଼ତ୍ୱ ପ୍ରାପ୍ତ ହେଲେ ବୋଲଏ ‘ପ୍ରେମ’ । ସାଧନ ଭକ୍ତିର ଅଭ୍ୟାସରୁ ଜାତହୁଏ-ଭାବ-ଭକ୍ତି ।

 

ଭଗବତ୍‌ ପ୍ରାପ୍ତି କାମନା ଏବଂ ସେହି ଭାବରେ ଅନୁପ୍ରାଣିତ ଚିତ୍ତର ଆନୁକୁଲ୍ୟ-ଅଭିଳାଷ-ସ୍ନିଗ୍‌ଧ ଚିତ୍ତର ଭକ୍ତିକୁ କୁହାଯାଏ ‘ଭାବ-ଭକ୍ତି’ । ଗାଢ଼ତ୍ୱ ପ୍ରାପ୍ତ ଭାବଭକ୍ତି ବୋଲାଏ ପ୍ରେମ । ଯାହାର ନାମାନ୍ତର ‘ରତି’ । ଭଗବତ୍‌ ରତି ‘ପ୍ରୀତି’ ବିଶେଷ । ଏହି ଭଗବତ୍‌ ପ୍ରୀତି ବିଭାବ, ଅନୁଭାବ ଏବଂ ବ୍ୟଭିଚାରୀ ଭାବ ସମ୍ମିଳନ-ପୁଷ୍ଟ ହୋଇ ‘ରସ’ ରୂପ ଗ୍ରହଣ କରେ । ଏହି ରୀତିରେ ପ୍ରୀତିସଂବର୍ଦ୍ଧିତ ବା ପ୍ରୀତିମୟ ରସଭକ୍ତି ହିଁ ରସ । ପ୍ରୀତିରସ ଏବଂ ଭକ୍ତିରସ ସମାନାର୍ଥ ବ୍ୟଞ୍ଜକ ।

 

ପୂର୍ବାଚାର୍ଯ୍ୟଗଣ ଭକ୍ତିରସରେ ରସ-ସାମଗ୍ରୀ ପୂର୍ଣ୍ଣରୁପେ ଉପସ୍ଥିତ ନ ଥିବାରୁ ତାହାକୁ ‘ରସ’ ପର୍ଯ୍ୟାୟରେ ଗ୍ରହଣ କରି ନାହାନ୍ତି । ଏହା ପ୍ରାକୃତ ଦିଗରୁ ବିଚାର-ସିଦ୍ଧ । କିନ୍ତୁ ଆପ୍ରାକୃତ ଭଗବତ୍‌ ଭକ୍ତିରେ ସ୍ୱରୁପ, ପରିକର ଏବଂ ପୁରୁଷ ଯୋଗ୍ୟତାର ବିଦ୍ୟମାନତା ହେତୁ ‘ଭକ୍ତି’ର ରସନାମତ୍ୱ ସ୍ୱୀକାର୍ଯ୍ୟ । ଏହା ଲୌକିକ ଶୃଙ୍ଗାରାଦି ରସ ଅପେକ୍ଷା ଅନେକାଂଶରେ ଶ୍ରେଷ୍ଠ । ଭକ୍ତି ରସର ଆଲମ୍ବନ ବିଭାବ ଶ୍ରୀକୃଷ୍ଣ ଏବଂ କୃଷ୍ଣଭକ୍ତ । କୃଷ୍ଣ ହେଲେ ରତିର ବିଷୟ ଏବଂ ଭକ୍ତ ହେଉଛନ୍ତି ଆଧାର ।

 

‘‘କୃଷ୍ଣଶ୍ଚ କୃଷ୍ଣଭକ୍ତାଶ୍ଚ ବୁଧୈରାଲମ୍ବ ନାମତାଃ

ରତ୍ୟ ଦେର୍ବିଷୟତ୍ୱେନ ତଥାଧାରତୟାପି ଚ ।।’’

(ଭକ୍ତିରସାମୃତସିନ୍ଧୁ-ଦକ୍ଷିଣା)

ଏହି ରୂପେ ଶ୍ରୀକୃଷ୍ଣ ସର୍ବ ରସାଧିକାରୀ ପ୍ରେମମୂର୍ତ୍ତି ।

 

‘‘ପ୍ରେମୈବ ଗୋପରାମାଣାଂ କାମ ଇତ୍ୟଗମତ୍‌ ପ୍ରଥାମ୍‌ ।

ଇତ୍ୟୁଦ୍ଧବାଦୟୋଽପେତଂ ବାଞ୍ଛନ୍ତି ଭଗବତ୍‌ ପ୍ରିୟାଃ ।।’’

ପ୍ରେମମୟ ଶ୍ରୀକୃଷ୍ଣ ଗୋପରାମାମାନଙ୍କ ନିକଟରେ ‘କାମରୂପେ’ ପ୍ରକଟିତ । କାମବଶତଃ ଶ୍ରୀକୃଷ୍ଣଙ୍କଠାରେ ଚିତ୍ତାର୍ପଣକରି ଗୋପାଙ୍ଗନାମାନେ ଶ୍ରୀକୃଷ୍ଣଙ୍କୁ ଲାଭ କରିଅଛନ୍ତି ।

 

‘‘ବ୍ରଜପୁର ବନିତାନାଂ ବଦ୍ଧୟନ୍‌ କାମଦେବମ୍‌’’

(ଭାଗବତ)

 

ପୂର୍ବେ କୁହାଯାଇଅଛି ଯେ ପ୍ରାକୃତ କାମ କ୍ରୀଡ଼ା ସହିତ ଏକାନ୍ତ ସୌ ସଦୃଶ୍ୟ ହେତୁ ଗୋପୀପ୍ରେମକୁ ‘କାମ’ ଆଖ୍ୟା ଦିଆଯାଇଅଛି । କାମକ୍ରୀଡ଼ାରେ ପରକୀୟା ହୃଦୟସମର୍ପଣହେତୁ କୃଷ୍ଣସଙ୍ଗପ୍ରାପ୍ତି ସମ୍ଭବ ହୋଇପାରିଛି ଗୋପୀମାନଙ୍କର ଏବଂ ସେହି କୃଷ୍ଣାନୁଗ୍ରହପ୍ରାପ୍ତି ହେତୁ ଭକ୍ତିମତୀ ଗୋପୀମାନେ ବନ୍ଦନୀୟା ।

 

‘‘ବନ୍ଦେ ନନ୍ଦବ୍ରଜସ୍ତ୍ରୀଣାଂ ପାଦରେଣୁଂ ଅଭୀକ୍ଷୁଶଃ

ଯାସାଂ ହରିକଥୋଦ୍‌ଗୀତଂ ପୁନାତି ଭୁବନତ୍ରୟମ୍‌ ।।’’

(ଭାଗବତ-ଦଶମ)

 

ଜୟଦେବୀ ଗୋବିନ୍ଦ ପ୍ରେମମୟ । ଶ୍ରୀଗୀତଗୋବିନ୍ଦରେ ବ୍ରଜର ଶ୍ରୀକୃଷ୍ଣ-ପ୍ରେମ ହାରକାର ଶ୍ରୀକୃଷ୍ଣ-ପ୍ରେମ ଅପେକ୍ଷା ମହତ୍ତର । ହାରକାରେ କୃଷ୍ଣବଧୁଗଣଙ୍କର ଯେ ସଂଯୋଗ ବା ସଂପର୍କ, ତାହା ସଂପୂର୍ଣ୍ଣ ନିଃସ୍ୱାର୍ଥ ପ୍ରେମମୟ-କାମଗନ୍ଧବିବର୍ଜିତ । ତେଣୁ ଏହା ଉଜ୍ଜ୍ୱଳତର ଏବଂ ମହତ୍ତ୍ୱପୂର୍ଣ୍ଣ । ଲୌକିକ ଶୃଙ୍ଗାର ସାମ୍ୟରୂପ ପ୍ରତିଫଳିତହେତୁ ଗୋପୀ-ପ୍ରେମ ‘କାମ’ ନାମରେ ଖ୍ୟାତ । ବସ୍ତୁତଃ କାମ ଓ ପ୍ରେମ ଦୁଇଟି ସ୍ୱତନ୍ତ୍ର ଚିତ୍ତବୃତ୍ତି । କାମର ଲକ୍ଷ୍ୟ-ଆତ୍ମତୃପ୍ତି, ପ୍ରେମର ଲକ୍ଷ୍ୟଦୟିତତୃପ୍ତି । ପ୍ରେମରସ ସର୍ବାପେକ୍ଷା ପ୍ରଧାନ । ଶୃଙ୍ଗାର ଏହି ପ୍ରେମର ଅଙ୍ଗ ମାତ୍ର । ରାଧା-କୃଷ୍ଣପ୍ରେମ ପାରମାତ୍ମିକ ପ୍ରେମ ।

 

ଜୟଦେବୀ ଗୋବିନ୍ଦ ପରମାତ୍ମା । ଜୀବାତ୍ମା ଶ୍ରୀରାଧାଙ୍କସହିତ ତାଙ୍କର ସଂପର୍କ ବର-ବଧୁରୂପେ ଶ୍ରୀଗୀତଗୋବିନ୍ଦରେ ଚିତ୍ରିତ । ସାଧାରଣ ସଂସାରୀ ଜୀବନସହିତ ସୌସାଦୃଶ୍ୟ ଥିବାରୁ ଏହି ଚିତ୍ର ଏକ ପକ୍ଷରେ ଯେପରି ଚିତ୍ତର ଆଦରଗ୍ରାହ୍ୟ, ଅନ୍ୟ ପକ୍ଷରେ ସେହିପରି ଜୀବ ପରମ-ଚିନ୍ତକ ସାଧକର ତାହା ପରମାରାଧ୍ୟ । ସାଂସାରିକ ଜୀବନରେ ଉଦ୍ଭ୍ରାନ୍ତ ପଥିକ ସଚରାଚର ଜୀବର ମୁକ୍ତିଦାତା ଭଗବାନଙ୍କ ଭଜନ ଚିନ୍ତନଠାରୁ ଦୂରବର୍ତ୍ତୀ । ସୃଷ୍ଟି ଓ ସ୍ରଷ୍ଟାର ଅତି ନିକଟ ସଂପର୍କ ସେ ପାଶୋରିଦେଇଥାଏ । ନବୀନା ବଧୂ ବା ବାଳିକା ବଧୂପରି ବିବିଧ କ୍ରୀଡ଼ାରେ ମାତି ସେ ସ୍ୱଚ୍ଛନ୍ଦରେ କାଳାତିପାତ କରେ । ଏବଂବିଧ କାଳଯାପନ ଯେ ସେହି ଭକ୍ତବତ୍ସଳଙ୍କର ଉଦାର-ପ୍ରସନ୍ନତାଜନିତ ଅନୁଗ୍ରହ, ସେକଥା ତିଳେ ହେଲେ ଭାବିବାର ଅବସର ମଧ୍ୟ ନ ଥାଏ ଜୀବାତ୍ମାର । ବରଂ ସେ କରେ ମାନ, ଅଭିମାନ, ଗୁରୁମାନ; କିନ୍ତୁ ସେତିକିବେଳେ ଚିରଶରଣ୍ୟ ଉଦାର ପରମାତ୍ମା ଜୀବକୁ ଆଶ୍ରୟ ଦାନ ନିମିତ୍ତ ସତତ ବ୍ୟଗ୍ର ହୋଇଉଠନ୍ତି । ସେ ହିଁ ଜୟଦେବୀ ଗୋବିନ୍ଦ ।

 

ଭକ୍ତଜୀବନ ଶ୍ରୀକୃଷ୍ଣ ଗୋବିନ୍ଦଙ୍କୁ ଭକ୍ତର କ୍ରୀଡ଼ନରୂପେ ଚିତ୍ର କରି ତାଙ୍କର ଭକ୍ତପ୍ରତି ପ୍ରୀତି, ଅସୀମ ଅନୁଗ୍ରହ, ଉଦାରତା ଏବଂ ଭକ୍ତର ମନସ୍କାମ ପୁରଣଲାଗି ବ୍ୟଗ୍ରତା ପ୍ରକାଶର ଚୂଡ଼ାନ୍ତ ନିଦର୍ଶନ ଥାପିଦେଇଛନ୍ତି ମହାକବି ଶ୍ରୀଗୀତଗୋବିନ୍ଦରେ । ଏକାନ୍ତ ଜନକଲ୍ୟାଣ-କାମୀ କବିରାଜ ସ୍ୱଚ୍ଛନ୍ଦରେ, ବିନା ଆୟାସରେ, ସମାଦର ସହକାରେ ଶ୍ରୀକୃଷ୍ଣ-ଚରାଣାମୃତ ପାନ କରି ଜୀବ ସହଜରେ ତାଙ୍କର ଶରଣାଗତ ଲାଭରେ ସମର୍ଥ ହେବାଭଳି ସରଳ-ସହଜ ପନ୍ଥା ଉଦ୍‌ଭାବନ କରି ଗୋବିନ୍ଦଙ୍କସହିତ ଭୁବନମନଭୁଲା ଗୀତର ମଧୁ ମୁର୍ଚ୍ଛନା ସଂଗତ କରାଇ ଶ୍ରୀକୃଷ୍ଣ-ଚରଣରେ ନୈବେଦ୍ୟ ଅର୍ପଣ କରିଅଛନ୍ତି ।

 

ଜୟଦେବୀ ଗୋବିନ୍ଦ ଭକ୍ତାଧୀନ । ଭକ୍ତଲାଗି ପଦ୍ମପଲାସଲୋଚନରୁ ଝରିଛି ଅଜସ୍ର ଅଶ୍ରୁବିନ୍ଦୁ-ଶ୍ରୀବତ୍ସଲାଞ୍ଛନ ପରିସର ବକ୍ଷ ବେଦନାରେ ବିଦୀର୍ଣ୍ଣ ହୋଇପଡ଼ିଛି । ‘କଂସାରିରପି ସଂସାର ବାସନା ବଦ୍ଧଶୃଙ୍ଖଳାମ୍‌’ ଶ୍ରୀକୃଷ୍ଣଙ୍କର ଲୋକାଚାର-ସମ୍ଭବ ବିରହାକୁଳିତ ମାନିନୀ ରାଧାଙ୍କ ବିଚ୍ଛେଦଜନିତ ବ୍ୟଥା କଳ୍ପନାରେ କବି ତାଙ୍କ କଣ୍ଠରୁ ଶୁଣାଇଛନ୍ତି:-

 

‘‘କିଂ କରିଷ୍ୟତି କିଂ ବଦିଷ୍ୟତି ସା ଚିରଂ ବିରହେଣ

କିଂ ଧନେନ ଜନେନ କିଂ ମମ ଜୀବିତେନ ଗୃହଣେ ।।’’

 

ଜୟଦେବୀ ଗୋବିନ୍ଦ ଏଠାରେ ଏକାନ୍ତ ଭକ୍ତ-ଜୀବନ ଭକ୍ତ-ପ୍ରେମାଧୀନ ଭଗବାନ୍‌ ଶ୍ରୀକୃଷ୍ଣ । ଶ୍ରୀଗୀତଗୋବିନ୍ଦର ପୁରୁଷୋତ୍ତମ ଶ୍ରୀକୃଷ୍ଣ ଭକ୍ତିମତୀ ଗୋପାଙ୍ଗନାଙ୍କର ପ୍ରେମମିଳନ-ଆକାଙ୍‌କ୍ଷାରେ ବ୍ୟାକୁଳ । ଏହି ରୀତିରେ କୁହାଯାଇଅଛି:-

 

‘‘କାଙ୍‌କ୍ଷନ୍ତି ସ୍ମ ମୁରାରିଂ ଷୋଡ଼ଷ ଗୋପୀସହସ୍ରାଣି’’

(କୂଟ୍ଟନୀମତମ୍‌)

-‘‘ଗୋବିନ୍ଦ ଗୋପଦାରେଷୁ ।’’

 

ଏହି ଜୟଦେବୀ ଶ୍ରୀକୃଷ୍ଣ -

‘‘ସଞ୍ଚରଦଧର - ସୁଧା ମଧୁର ଧ୍ୱନି ମୁଖରିତ ମୋହନବଂଶମ୍‌’’ -

 

ସୁଧାମୟ ମଧୁର ଧ୍ୱନିସଞ୍ଚାରିତ ମୋହନ ବଂଶୀଧାରୀ ଗୋବିନ୍ଦ । ତେଣୁ ଶ୍ରୀଗୀତଗୋବିନ୍ଦରେ ସେ ମୁରଲୀଧର, ବଂଶୀଧର ବା ବେଣୁଧରରୂପେ ପ୍ରସିଦ୍ଧ ।

‘‘କୃଷ୍ଣସ୍ତୁ ଭଗବାନ୍‌ ସ୍ୱୟଂ । ’’

 

ଭଗବାନ୍‌ସ୍ୱୟଂ ପ୍ରଣବରୂପୀ । ପ୍ରଣବଧ୍ୱନିକୁ ହିଁ ବେଣୁବାଦନ ବା ବଂଶୀବାଦନ କୁହାଯାଏ । ସାଧକ ଚିତ୍ତ ସ୍ୱତଃ ପ୍ରଣବଧ୍ୱନିରେ ଆକୃଷ୍ଟ ହୁଏ । ଏହି କାରଣରୁ ପ୍ରୀତି- ସାଧିକା ବ୍ରଜପୁର - ଲଳନା କୃଷ୍ଣବେଣୁନାଦରେ ଆକୃଷ୍ଟା ହୁଅନ୍ତି । କୌଣସି ପ୍ରକାର ବିଘ୍ନ ସେମାନଙ୍କୁ ବାଧାଦାନରେ ସମର୍ଥ ହୁଏ ନାହିଁ । ସାଂସାରିକ ସକଳ ବସ୍ତୁ ସେମାନଙ୍କୁ ଦୃଷ୍ଟିରେ ଅକିଞ୍ଚିତ୍‌କ୍‌ର । ସେମାନେ ଶ୍ରୀକୃଷ୍ଣଙ୍କର (ପ୍ରଣବରୂପୀ ବ୍ରହ୍ମ) ମୋହନ ବଂଶୀନାଦ ଶ୍ରବଣମାତ୍ରକେ ମନ୍ତ୍ରମୁଗ୍‌ଧା ହୋଇ ଶ୍ରୀକୃଷ୍ଣଙ୍କ ନିକଟରେ ଉପସ୍ଥିତ ହୁଅନ୍ତି । ପତି-ପୁତ୍ର-ବନ୍ଧୁ ଜନର ବାଧାବାରଣ ସେମାନଙ୍କୁ ଅଭିସାର ପଥରୁ ତିଳେ ହେଲେ ବରଣ କରି ପାରେ ନାହିଁ । ବାସ୍ତବରେ କଅଣ ବାରଣ ସମ୍ଭବ ? ଏହା ଯେ ଭଗବାନ୍‌ଙ୍କର ଭକ୍ତକୁ ସସ୍ନେହ ଆହ୍ୱାନ । ଏହିପରୂପେ ଭକ୍ତ -ଭଗବାନ୍‌ଙ୍କର ମଧୁର ମିଳନାନ୍ତେ -

 

‘‘ରାଧାମୁଗ୍‌ଧମୁଖାରବିନ୍ଦ ମଧୁପସ୍ତ୍ରୈ ଲୋକ୍ୟମୌଳିସ୍ଥଳୀ’’ ଶ୍ରୀକୃଷ୍ଣ ହୁଅନ୍ତି ଭକ୍ତର ଦାସ - ଦାସାନୁଦାସ । ଏହି ଅବସରର ଉପଯୋଗରେ ଗୋପୀଭାବଭୋଳା କବି ଜୟଦେବ ଗୀତିକାବ୍ୟର ସ୍ୱର-ସାହିତ୍ୟ-ମାଧ୍ୟମରେ ହ୍ଲାଦିନୀ ଶକ୍ତିମୟୀ କୃଷ୍ଣପ୍ରେମାଧିକା ଅଭିମାନବତୀଙ୍କୁ ସଖୀ ଭାଷାରେ ଜଣାକଲେ :-

 

‘‘ତ୍ୱାଂ ଚିତ୍ତେନ ଚିରଂ ବହନ୍ନୟମତିଶ୍ରାନ୍ତୋ ଭୃଶନ୍ତାପିତଃ

କନ୍ଦର୍ପେଣ ଚ ପାତୁମିଚ୍ଛତି ସୁଧାସଂବାଧ -ବିମ୍ବାଧରମ୍‌,

ଅଶ୍ୟାଙ୍କଂ ତଦଳଂକୁରୁ କ୍ଷଣମିହ ଭ୍ରୁକ୍ଷେପ-ଲକ୍ଷ୍ମୀଲବ

କ୍ରୀତେ ଦାସ ଇବୋପସେବିତ -ପଦାମ୍ଭୋଜେ କୁତଃ ସମ୍ଭ୍ରମଃ ।।’’

            (ଗୀତଗୋବିନ୍ଦ ୧୧ଶ ସର୍ଗ)

 

‘‘ଭକ୍ତ - ଭଗବାନ୍‌ଙ୍କର କି ଅପୂର୍ବ ମଧୁର ଲୀଳା- ବିକାଶ ! ‘ପ୍ରେମମୟୀ ରାଈ ’ ! ବହୁ କାଳଯାବତ୍ ତୋତେ ଅନ୍ତରରେ ବହନ କରି ଶ୍ରୀକୃଷ୍ଣ ନିତାନ୍ତ ପରିଶ୍ରାନ୍ତ; ପୁଣି ମଦନ -ତାପରେ ସନ୍ତପ୍ତ । ତୋର ଅଧର ସୁଧାପାନଲାଳସୀ ସେ । ସଖି, ତାଙ୍କର ଅଙ୍କ ମଣ୍ତନ କର । ତୋ କଟାକ୍ଷଲକ୍ଷ୍ମୀର କିଣାଦାସ ଏବେ ପରା ତୋ ପଦପଙ୍କଜର ସେବାର ଉନ୍ମୁଖ ? ଆଉ ଲାଜ କାହିଁକି ରାଧେ ?’’

 

ଏ ନିବେଦନଫଳରେ ଘଟିଛି ମଧୁର ମିଳନ । ହ୍ଲାଦିନୀ ଶକ୍ତିମୟୀ ମହାଭାବଙ୍କସହିତ ରତି-କ୍ରୀଡ଼ାରେ ଆହ୍ଲାଦିତ ରସରାଜ ଗୋବିନ୍ଦଙ୍କର ନଟନାଗର ନାମର ଘଟିଛି ସାର୍ଥକତା ।

‘‘ ବଲ୍ଲଭୀ ବଦନାମ୍ଭୋଜମାଳିନେ ନୃତ୍ୟଶାଳୀନେ ।’’

 

-ଗୋପବାଳାମାନଙ୍କର ବଦନକମଳକୁ ମାଳାସ୍ୱରୂପ ଧାରଣ କରି ଶ୍ରୀକୃଷ୍ଣ ହୋଇଛନ୍ତି ନୃତ୍ୟପରାୟଣ । ତହୁଁ ରାସରସିକ ମୁର୍ତ୍ତିମାନ୍‌ ଶୃଙ୍ଗାରସ୍ୱରୂପ ‘‘‘ମୁଗ୍‌ଧୌ ହରିଃ କ୍ରୀଡ଼ତି ।’’ କିନ୍ତୁ , - ‘କ୍ରୀଡ଼ନେ ନେହ ଭାକ୍‌’ - ଏ କ୍ରୀଡ଼ା ଛଳ ମାତ୍ର । କ୍ରୀଡ଼ାଛଳରେ ସେ ଦେହ ଧାରଣ କରିଥିଲେ । ଜୀବର ମଙ୍ଗଳକାମନାରେ ହିଁ ଭଗବାନ୍‌ ଶ୍ରୀକୃଷ୍ଣ ଏପରି କ୍ରୀଡ଼ା କରିଥିଲେ, ଯାହାଦ୍ୱାରା ଜୀବ ତାହାଙ୍କପ୍ରତି ଆକୃଷ୍ଟ ହେବ ।

 

ଏହି ଆକର୍ଷଣପ୍ରଭାବରେ ମହାଭାବମୟୀଙ୍କର ପ୍ରେମମୁଗ୍‌ଧ ନୟନ ଗୋବିନ୍ଦଙ୍କୁ ଦର୍ଶନ କରି ବିଚାରିଛି :-

‘‘ମାରଃ ସ୍ମୟଂ ନୁ, ମଧୁରଦ୍ୟୁତିମଣ୍ତଳଂ ନୁ

ମାଧୁର୍ଯ୍ୟମେବ ନୁ, ମନୋନୟନାମୃତାଂ ନୁ ।

ବେଣୀ ମୃଜୋ ନୁ, ମମ ଜୀବିତବଲ୍ଲଭୋ ନୁ

କୃଷ୍ଣୋଽୟମ୍‌ ଅଭ୍ୟୁଦୟତେ ମମ ଲୋଚନାୟ ।’’

 

ଏ କିଏ ? ସତେ କଅଣ ଏ ସାକ୍ଷାତ୍‌ କାମ, ମୁର୍ତ୍ତିମାନ୍‌ ଦ୍ୟୁତିବିମ୍ବ, କିମ୍ବା ମାଧୁର୍ଯ୍ୟର ସ୍ୱୟଂପ୍ରକାଶ ମୂର୍ତ୍ତି, ଅଥବା ମନ-ନେତ୍ରାନନ୍ଦ ଅମୃତପସରା, ମୋର ଜୀବିତ ବଲ୍ଲଭ ମୋ ଆଖି ଆଗରେ ଉଭା କି ?

 

ଏହା ହିଁ ବ୍ରହ୍ମ-କ୍ଷୁଧା (Hunger for Absolute) ।

ଜୟଦେବୀ ଶ୍ରୀକୃଷ୍ଣ ଏହିରୁପରେ ଶ୍ରୀଗୀତଗୋବିନ୍ଦରେ ସଂପୁଜିତ ପରମାନନ୍ଦ ଗୋବିନ୍ଦ ।

 

ଜୀବାତ୍ମା-ପରମାତ୍ମା ମଧ୍ୟରେ ମଧୁର ସଂପର୍କ ବିଶ୍ଲେଷଣଜନିତ ବିଶିଷ୍ଟ ମହାକାବ୍ୟର କବି ପରମାତ୍ମା ଶ୍ରୀକୃଷ୍ଣଙ୍କୁ ଆତ୍ମାସହିତ ମିଳନଲାଗି ସତତ ବ୍ୟାକୁଳ ବୋଲି ପ୍ରତିପାଦିତ କରାଇଦେଇଛନ୍ତି । ସେ ପ୍ରୀୟାର ତୃପ୍ତି ଲାଗି ନିଭୃତ ନିକୁଞ୍ଜରେ ମଣିମୟ ତୂଳିତଳ୍ପ ବିଛାଇ ନିର୍ମିମେଷନୟନରେ ଅପେକ୍ଷମାଣ । ଜୟଦେବୀ ଗୋବିନ୍ଦ ପରମପୁରୁଷ ଶ୍ରୀକୃଷ୍ଣ । ପ୍ରେମାନୁଗ୍ରହୀତା ପ୍ରକୃତିରୂପିଣୀ ଶ୍ରୀରାଧାଙ୍କଲାଗି ସେ ସ୍ୱର୍ଗର ନନ୍ଦନକାନନରୁ ପ୍ରୀତିସଂହୀତ ପୁଷ୍ପାସବ ସଞ୍ଚିତ କରିରଖିଛନ୍ତି ।

 

‘କୃଷ୍ଣ’ ଶବ୍ଦ ‘କୃଷ୍‌’ ଧାତୁରୁ ନିଷ୍ପନ୍ନ= କର୍ଷଣ କରିବା - ଯେ ପାପ କର୍ଷଣ କରନ୍ତି ; ଅଥବା କୃତ୍ସ୍ନ, ନ =ଆତ୍ମା, ଯେ ଜୀବଗଣଙ୍କର ଆତ୍ମାସ୍ୱରୂପ, ସେ କୃଷ୍ଣ; ଅଥବା କ=ବ୍ରହ୍ମ, ରୁ = ଅନନ୍ତ, ଷ=ଶିବ, ନ = ଧର୍ମ୍ମ. ଅର୍ଥାତ୍‌ ଯେ ବ୍ରହ୍ମରୂପେ ସୃଷ୍ଟି କରନ୍ତି, ଯେ ଅନନ୍ତ (ସୀମ ହୀନ) ଅଶିବରୂପେ ସଂହାରକାରୀ ଏବଂ ଯେ ଧର୍ମମୟ, ତାଙ୍କ ନାମ କୃଷ୍ଣ ।

 

‘କୃଷ୍ଣ’ ଶବ୍ଦସମ୍ବନ୍ଧେ ମହାଭାରତ ଉଦ୍ୟୋଗପର୍ବ ୭୧ ଅଧ୍ୟାୟରେ କୁହାଯାଇଅଛି :-

‘କୃଷିର୍ଭୁର୍ବାଚକ -ଶବ୍ଦଃ ଣଶ୍ଚ ନିର୍ବୃତି-ବାଚକଃ ।

‘‘ତୟୋରିକ୍ୟଂ ପରଂବ୍ରହ୍ମ କୃଷ୍ଣରିତ୍ୟଭିଧୀୟତେ ।’’

 

‘କୃଷ୍‌’ ଧାତୁ ଭୂ ଅର୍ଥାତ୍‌ ସତ୍ତା -ବାଚକ, ‘ଣ’ -ନିର୍ବୃତି -ଆନନ୍ଦ-ବାଚକ । ଏହି ଦୁଇଟି ଶବ୍ଦ ମିଶି ହେଲା (କୃଷ୍‌+ଣ) କୃଷ୍ଣ, ପରମବ୍ରହ୍ମ । ସେ ସାକ୍ଷାତ୍‌ ଶୃଙ୍ଗାରରୂପୀ । ଶୃଙ୍ଗାରର ଅର୍ଥ ମୈଥୁନ । ଲୌକିକ ସାଧାରଣ ସ୍ତ୍ରୀ -ପୁରୁଷଙ୍କର ମୈଥୁନ -କ୍ରିୟାକାରରେ ସେ ଶରୀରସ୍ଥ ହୃଦୟମଧ୍ୟରେ ପ୍ରତ୍ୟକ୍ଷରୂପେ ବିଦ୍ୟମାନ । ଶୃଙ୍ଗାରରୂପୀହେତୁ ସେ ଧୀର ଏବଂ ମଧୁର ଗମନଶୀଳ । ଅବିରାମ ସଂଗମଲୀଳା ତାଙ୍କର ସ୍ୱଭାବ ବୈଚିତ୍ର୍ୟ । ସେ ରସୋତ୍ତମ -ରସମୟ । ଏହି ରସମୟଙ୍କ ଲୀଳା ହିଁ ଗୋବିନ୍ଦଲୀଳା ।

 

ଶ୍ରୀକୃଷ୍ଣ ବୈ ପରମଦୈବତମ୍‌ । (ଗୋପାଳତାପିନୀ)

ଏସମସ୍ତ ଗୁଣର ଆକର ଶ୍ରୀକୃଷ୍ଣ ମଧୁର ବୃନ୍ଦାବନର ମାଧୁର୍ଯ୍ୟ ମୂର୍ତ୍ତି ।

 

ତେଣୁ ଶ୍ରୀଗୀତଗୋବିନ୍ଦର ଶ୍ରୀକୃଷ୍ଣ ତ୍ରିଭଙ୍ଗଠାମ । ଏକାଧାରରେ ସେ ସନ୍ଧିନୀ, ସଂବିତ୍‌ ଏବଂ ହ୍ଲାଦିନୀ ଶକ୍ତିତ୍ରୟର ସମୁଜ୍ଜ୍ୱଜ ନିର୍ଝର ସତ୍‌, ଚିତ୍‌ ଏବଂ ଆନନ୍ଦମୟ ତ୍ରିଧାରାର ଘନୀଭୂତ ମୂର୍ତ୍ତିପ୍ରକାଶ । ପଞ୍ଚଦଶୀକାରଙ୍କ ମତରେ ସେ -

‘‘ସତଂ ଜ୍ଞାନମ୍‌ ଅନନ୍ତଞ୍ଚେତ୍ୟସ୍ତ୍ରୀହ ବ୍ରହ୍ମଲକ୍ଷଣମ୍‌ ।’’

 

-ସେ ସତ୍‌, ଚିତ୍‌, ଆନନ୍ଦମୟ ବ୍ରହ୍ମ- ତ୍ରିଧାରା, ତ୍ରିଭଙ୍ଗ, ତ୍ରିଗୁଣ । ପାଶ୍ଚାତ୍ୟ ସନ୍ନ୍ୟାସୀ ଯାହାଙ୍କୁ ତାଙ୍କ ଭାଷାରେ କହିଛନ୍ତି , The glorious Trenity of Power, Wisdom and Bliss-Omnipotent power, Entrancing wisdom and Radiant love ଅର୍ଥାତ୍‌ Life, Light and Love.

 

ଶ୍ରୀକୃଷ୍ଣ ଐଶ୍ୱର୍ଯ୍ୟ ଏବଂ ମାଧୁର୍ଯ୍ୟର ମୂର୍ତ୍ତି, ଯେପରି ଐଶ୍ୱର୍ଯ୍ୟ ଗହନ, ସେହିପରି ମାଧୁର୍ଯ୍ୟ ସଘନ, କିନ୍ତୁ ଜୟଦେବୀ ଶ୍ରୀକୃଷ୍ଣ ବ୍ରଜବନ୍ଧୁ ଗୋପୀଜନବଲ୍ଲଭରୂପେ ଆରାଧିତ । ତାଙ୍କର ମାଧୁର୍ଯ୍ୟ ଲୀଳାର ବର୍ଣ୍ଣନା କରାଯାଇଅଛି ଶ୍ରୀଗୀତଗୋବିନ୍ଦରେ । ଶୁକଦେବଙ୍କ ବଚନାନୁସାରେ :-

 

‘ଲାବଣ୍ୟସାରମ ଅସମୋର୍ଦ୍ଧ୍ୱମ୍‌ଅନନ୍ୟସିଦ୍ଧମ୍‌’

- ଲାବଣ୍ୟର ଚରମ, ଅସମ, ଅନୂର୍ଦ୍ଧ୍ୱ, ଅତୁଲ୍ୟ, ଅନନ୍ୟସିଦ୍ଧ ।

 

ଭଗବାନ୍‌ ଐଶ୍ୱର୍ଯ୍ୟ ଏବଂ ମାଧୁର୍ଯ୍ୟମୟ । ଐଶ୍ୱର୍ଯ୍ୟଗୁଣ ପ୍ରକାଶରେ ସେ ମହାବିଷ୍ଣୁ ଅଂଶୀ ପରବ୍ୟୋମପତି ଶ୍ରୀନାରାୟଣ । ମାଧୁର୍ଯ୍ୟପ୍ରକାଶରେ ସେ ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣଙ୍କ ନିକଟରେ ମାଧୁର୍ଯ୍ୟ ଗୁଣର ପ୍ରକାଶ ଏତେ ଅଧିକ ଯେ ଐଶ୍ୱର୍ଯ୍ୟ ଛାୟାରେ ଅନ୍ଧାରିତ । ‘ସିଦ୍ଧାନ୍ତ ’ ବିଚାରରେ ଯେ ନାରାୟଣ, ସେ ଶ୍ରୀକୃଷ୍ଣ । କିନ୍ତୁ ‘ଚିତ୍‌ଜଗତ୍‌’ ବିଚାରରେ ଶ୍ରୀକୃଷ୍ଣ ସର୍ବରସର ଆଧାର, ରସାସ୍ୱାଦନର ମୂଳ, ରସର ପରମ ଉପାଦେୟ ତତ୍ତ୍ୱ । ତେଣୁ ସେ ରସରାଜ ।

 

(୧) ‘‘ଅପଶ୍ୟଂ ଗୋପମନିପଦ୍ୟମାନସା ଚ ପରା ଚ ପଥିଭିଶ୍ଚରନ୍ତମ୍‌ ସ ସଧ୍ରୀଚୀଃ । ସ ବିଷ୍ୱଚିର୍ବସାନ ଆବରୀବର୍ତ୍ତୀ ଭୁବନେଷ୍ୱନ୍ତଃ ।’’

(ଋକ୍‌- ୧।୨୨।୧୬୪।୩୧)

(୨) ‘‘ଶ୍ୟାମାଚ୍ଛବଲଂ ପ୍ରପଦ୍ୟେ ଶବଳାଚ୍ଛ୍ୟାମଂ ପ୍ରପଦ୍ୟେ । ’’

                  (ଛନ୍ଦୋଗ୍ୟ ଉପନିଷତ୍‌-୮।୧୩।୧)

 

(୩) ‘‘ମତ୍ତଃ ପରତରଂ ନାନ୍ୟତ୍‌ କିଞ୍ଚିଦସ୍ତି ଧନଞ୍ଜୟ !’’

                  (ଗୀତୋପନିଷତ୍‌-୭।୭)

(୪) ‘‘ଏକୋବଶୀ ସର୍ବ୍ବରାଃ କୃଷ୍ଣ ଇତ୍ୟେକୋଽପି ସନ୍‌ ବହୁଧା ଯୋବିଭାତି ।’’

                        (ଗୋପାଳତାପିନି -ପୂର୍ବ - ୨୧)

 

ଅର୍ଥାତ୍‌(୧) ଜଣେ ଗୋପାଳଙ୍କୁ ଦେଖିଲି - ତାଙ୍କର କେବେ ହେଲେ ପତନ ନାହିଁ । କେବେ ସେ ପାଖରେ, କେବେ ଦୂରରେ; ନାନା ପଥରେ ସେ ଭ୍ରମଣ କରୁଛନ୍ତି । କେତେବେଳେ ସେ ବହୁବିଧ ବସ୍ତ୍ରରେ ଆବୃତ, ପୁଣି କେବେ ସେ ପୃଥକ୍‌ ବସ୍ତ୍ରାଚ୍ଛାଦିତ । ଏହି ରୀତିରେ ସେ ଥରକୁ ଥର ବିଶ୍ୱସଂସାରକୁ ଯାତାୟାତ କରୁଛନ୍ତି ।

 

(୩) ହେ ଅର୍ଜ୍ଜୁନ, ମୋଠାରୁ ଶ୍ରେଷ୍ଠ ଆଉ କେହି ନାହିଁ ।

 

(୪) ପରଂବ୍ରହ୍ମ ଶ୍ରୀକୃଷ୍ଣ ସର୍ବବଶୟିତା, ସେ ସର୍ବବ୍ୟାପି, ସକଳ ଜୀବ ଓ ଦେବବନ୍ଦ୍ୟ । ଅଚିନ୍ତ୍ୟ ଶକ୍ତିବଳରେ ବହୁ ପ୍ରକାଶ ଓ ବିଳାସ ମୁର୍ତ୍ତିରେ ପ୍ରକଟିତ ହୁଅନ୍ତି ।

 

ଐଶ୍ୱର୍ଯ୍ୟରେ ଯେପରି ନିୟମର କଠୋରତା, ମାଧୁର୍ଯ୍ୟରେ ସେହିପରି କରୁଣାର କୋମଳତା ।

‘‘ଅପରିକଳିତ ପୂର୍ବଃ କଶ୍ଚମତ୍‌କାରକାରୀ

ସ୍ଫୁରତି ମମ ଗରୀୟାନ୍‌ଏଷ ମାଧୁର୍ଯ୍ୟଧୁରଃ ।

(ଲଳିତ - ମାଧବ)

 

ତାଙ୍କର ମାଧୁରିମାର କଳନା ନାହିଁ । ଅତି ଚମତ୍କାର ଏବଂ ଆସୀମ । ମଧୁର ମୂର୍ତ୍ତିରେ ସେ ଚକ୍ରଧର ନୁହନ୍ତି ବେଣୁଧର । ସେ କୃଷ୍ଣଚିତ୍ତର ଆକର୍ଷଣକାରୀ । ମଧୁର ଭାବରେ ସେ ପ୍ରେମମୟ, ଆନନ୍ଦମୟ, ପରମାନନ୍ଦ ।

 

‘‘ଆନନ୍ଦରୂପମ୍‌ ଅମୃତଂ ଯଦ୍‌ ବିଭାତି ।’’

ମଧୁରରୂପରେ ନନ୍ଦନନ୍ଦନ ଗୋବିନ୍ଦ ମଦନମୋହନ ।

‘‘ଏ ନନ୍ଦକୁମାର ଅତି ସୁକୁମାର,

ଚାହିଁ ଯା’କୁ ମାର ହେବ ମୋହି ।’’

(ବିଦଗ୍‌ଧ ଚିନ୍ତାମଣି – ୧୨।୨୫)

 

ରାଧା ତଥା ଗୋପୀମାନଙ୍କର ସେ -

‘‘ପ୍ରେୟଃ ପୁତ୍ରାତ, ପ୍ରେୟୋ ବିଭାତ୍‌, ପ୍ରେୟଃ ଅନ୍ୟସ୍ମାତ୍‌ ସର୍ବ୍ବସ୍ମାତ୍‌ଅସ୍ମାତ୍‌ ସର୍ବ୍ବସ୍ମାତ୍‌ ପ୍ରିୟତ୍ତମଃ । ’’

                                          (ନୃସିଂହତାପିନୀ)

 

ଶ୍ରୀଗୀତଗୋବିନ୍ଦବର୍ଣ୍ଣିତ ରାଧାକୃଷ୍ଣ ଯୁଗଳକୁ ଜୀବାତ୍ମା ଏବଂ ପରମାତ୍ମା, ପ୍ରକୃତି ଓ ପୁରୁଷ ବା ଶକ୍ତି ଏବଂ ଶକ୍ତିମାନ କିମ୍ବା ରସରାଜ ଏବଂ ମହାଭାବ- ଯେପରିଭାବରେ କୁହାଯାଉ, ଲୌକିକ ଜଗତରେ ଏ ଲୀଳାର ପ୍ରସିଦ୍ଧ କେବଳ ଯେ ଭାରତରେ ପ୍ରଚଳିତ, ତାହା ନୁହେଁ । ଜୀବ-ପରମର ମଧୁରମିଳନସଂପର୍କିତ ବର୍ଣ୍ଣନା ବିଭିନ୍ନ ଦେଶ ଓ ଧର୍ମଗ୍ରନ୍ଥମାନଙ୍କର ପୃଷ୍ଠା ମଣ୍ତନ କରିଅଛି । ଏହି ଭଗବତ୍‌ ମିଳନ ପ୍ରେମ ଖ୍ରୀଷ୍ଟଧର୍ମରେ ଦ୍ରାକ୍ଷାସବଠାରୁ ଆହୁରି ଉତ୍କୃଷ୍ଟ ବୋଲି ବର୍ଣ୍ଣିତ । ସୁଫୀସଂପ୍ରଦାୟର ବର୍ଣ୍ଣନାରେ ପ୍ରାଣର ପ୍ରିୟତମା ଭଗବାନ୍‌ଙ୍କର ମୁଖକାନ୍ତି । ଅବଗୁଣ୍ଠନର ଅନ୍ତରାଳରୁ ଫୁଟିଉଠି ଭକ୍ତର ଅନ୍ତରାତ୍ମା ପୁଲକିତ କରେ । କିନ୍ତୁ ଜୟଦେବୀ ଦୃଷ୍ଟିରେ ଭଗବାନ୍‌ଙ୍କ ପ୍ରୀତି ଉଦ୍ଦ୍ୟେଶ୍ୟରେ ଆତ୍ମୋତ୍ସଗପୂର୍ବକ ସର୍ବସ୍ୱ ନିବେଦନର ମହତ୍ତ୍ୱ ବର୍ଣ୍ଣନା ଅନ୍ୟତ୍ର ବିରଳ ।

 

ଜୟଦେବୀ ଗୋବିନ୍ଦ ଶ୍ରୀକୃଷ୍ଣ - ସ୍ୱୟଂ ଭଗବାନ୍‌ । ସେ ପ୍ରେମର ମୂର୍ତ୍ତି । ପ୍ରେମର ଲଭ୍ୟ - ପ୍ରେମର ଅବତାର ।

ସେ ଗୋପୀଜନବଲ୍ଲଭ ।

‘‘ନେମଂ ବିରଞ୍ଚୋ ନ ଭବୋ ନ ଶ୍ରୀରପ୍ୟଙ୍ଗ ସଂଶୟା

ପ୍ରସାଦଂ ଲୋଭିରେ ଗୋପୀ ଯତ୍‌ତତ୍‌ ପ୍ରାପ ବିମୁକ୍ତିଜାତ୍‌ । ’’

 

- ସେ ରାଧା - ମୋହନ ଗୋବିନ୍ଦ । ଜୟଦେବୀ ଗୋବିନ୍ଦ = ‘‘ରାଧା - ମୁଗ୍‌ଧ - ମୁଖାରବିନ୍ଦ - ମଧୁପସ୍ତ୍ରୈଲୋକ୍ୟ - ମୌଳିସ୍ଥଳୀ ।

 

ରାଧାରସ

 

ଆନନ୍ଦମୟ ରସଗ୍ରନ୍ଥ ଶ୍ରୀ ଗୀତ ଗୋବିନ୍ଦ ।

ଆନନ୍ଦାଦ୍ଧ୍ୟେବ ଖଲ୍ୱିମାନି ଜାୟନ୍ତେ

ଆନନ୍ଦେନଜାତାନି ଜୀବନ୍ତି,

ଆନନ୍ଦ ପ୍ରତ୍ୟୟନ୍ତ୍ୟଭି ସଂବିଶନ୍ତୀତି ।।

(ତ୍ରୈଭିରିୟ ସ: ୩୬)

 

ଭୂତ ସମୂହର ଜନ୍ମ ଆନନ୍ଦରୁ । ଆନନ୍ଦଦ୍ୱାରା ହିଁ ସେମାନେ ଜୀବିତ । ତାଙ୍କର ଗତି ଆନନ୍ଦାଭିମୁଖୀ ଏବଂ ଆନନ୍ଦରେ ହିଁ ଚରମ ପ୍ରବେଶ ।

 

ଆନନ୍ଦମୟଙ୍କର ହ୍ଲାଦିନୀ ଶକ୍ତି ରାଧା । ରାଧା-ରସ ଘେନି ଗୀଗତଗୋବିନ୍ଦ ସମୃଦ୍ଧ ।

ରସଃ ଇତି କଃ ପଦାର୍ଥଃ ?

 

- ଉଚ୍ୟତେ, ଆସ୍ୱାଦ୍ୟତ୍ୱାତ୍‌(ଭରତ)

 

ଭାବତନ୍ମୟ ଚିତ୍ତରେ ଆନନ୍ଦର ସ୍ୱରୁପ ପ୍ରକାଶ ହିଁ ରସ । ଭାବୁକ, ରସିକଜନ ଲାଗି ଏହି ରସ-କାବ୍ୟଟି ଏକାନ୍ତ ଭାବେ ଉଦ୍ଦିଷ୍ଟ ।

 

ଭାବୁକ ସେ - ଯେ ପ୍ରେମିକ । ଭାବର ନାମାନ୍ତର ହିଁ ପ୍ରେମ ! ଯାହାଙ୍କର ଚିତ୍ତ ଭାବ ବିଭୋର, ସେ ଭାବୁକ ।

ରସିକ ସେ - ଯେ ‘‘ହରିସ୍ମରଣେ ସରପଂ ମନଃ ।’’

 

ଭାବୁକ ବା ରସିକ ଚିତ୍ତର ପ୍ରସନ୍ନତା ହିଁ କାବ୍ୟ ଆଲୋଚନାର ଅନୁକୂଳ । ସେହିପରି କେବଳ ଜୟଦେବୀ ଭାଗବତ ରସ ପାନର ଅଧିକାରୀ ।

 

ଭାଗବତକାର କହିଛନ୍ତି :-

‘‘ପିବତ ଭାଗବତଂ ରସଂ ଆଳୟଂ

ମୁହୁରହୋ ରସିକା ଭୁବି ଭାବୁକାଃ ।’’

 

ସମାଲୋଚକ ବା ତାର୍କୀକର ସେ ଅଧିକାର ନାହିଁ । ଏହା ପୂର୍ବଜଙ୍କର ଆପ୍ତବଚନ । କାରଣ, ରସ ସହୃଦୟ ସାମାଜିକଙ୍କ ନିଜସ୍ୱ ସମ୍ପତ୍ତି । ରସଭାବ କେବଳ ଆସ୍ୱାଦନ ଲାଗି ଉଦ୍ଦିଷ୍ଟ । ଅନୁଭବ ଏଇ ଆସ୍ୱାଦନର ସାଥୀ । ଏ ଆସ୍ୱାଦନ, ଏ ଅନୁଭବ, ଅରସିକ ଭାଗ୍ୟରେ ସମ୍ବବ ନୁହେଁ । ଅରସିକ ପକ୍ଷେ ରସକଥା -

 

‘‘ଉଷ୍ଟ୍ରେ ଯଥା ଚନ୍ଦନ ଭାରବାହୀ

ଭାରସ୍ୟ ବେତ୍ତା; ନ ତୁ ଚନ୍ଦନସ୍ୟ । ’’

 

ରସିକଜନ ମଧ୍ୟ କାବ୍ୟରସ ଆସ୍ୱାଦନର ଇଚ୍ଛା ପୋଷଣ କରିବା ପୂର୍ବରୁ ବିଚାରିବା ଉଚିତ ଯେ ତାଙ୍କର ସେ ଅଧିକାର ଅଛି କି ନାହିଁ । ପୁଣି ଅଧିକାର ସମ୍ଭବ ହୋଇଥିଲେ ମଧ୍ୟ ସ୍ଥିର କରିବା ଆବଶ୍ୟକ ଯେ ରସାସ୍ୱାଦନ ଲାଗି କେଉଁ ପନ୍ଥା ତାଙ୍କୁ ଅନୁସରଣ କରିବାକୁ ହେବ । ଆଉ ଅନୁସନ୍ଧାନ କରିବାକୁ ହେବ, ତାଙ୍କର ପୂର୍ବବର୍ତ୍ତୀ ରସ ଅନୁସନ୍ଧାନୀ ମାନଙ୍କ ନିର୍ଦ୍ଧେଶିତ ବା ପ୍ରଦର୍ଶିତ ମାର୍ଗ । ଏଇକଥା ସ୍ପଷ୍ଟ କରି ଗୀତ ଗୋବିନ୍ଦ ଗୀତକାବ୍ୟର ପ୍ରାରମ୍ଭରେ ସୁଚାଇ ଦେଇ କବି କହିଛନ୍ତି -

‘‘ଯଦି ହରି ସ୍ମରଣେ...... ଶୃଣୁ ତଦା । ’’

 

ଏଥି ସହିତ ପୁଣି ଉତ୍ତମ ରୂପେ ବିଚାର କରିବାକୁ ହେବ ଯେ, କେଉଁ ଦେଶ, କେଉଁ ସମାଜ, କେଉଁ କାଳ ଓ କିଭଳି ପରିବେଶରେ କବିଙ୍କର ଜନ୍ମ । ଏହିପରି ନାନାଦିଗ କଳନାରେ କିପରି ପ୍ରଭାବ ବା ପ୍ରେରଣା କବିଙ୍କୁ ଉଦ୍‌ବୁଦ୍ଧ କରିଥିବା ସମ୍ଭବ, ତହିଁର ସମ୍ୟକ୍‌ ବିଚାର ମଧ୍ୟ ଆବଶ୍ୟକ । ଯଦି କାହାରି ଦୃଷ୍ଟିରେ ଜୟଦେବଙ୍କ ରଚନା ବା ତାହାର କୌଣସି ଅଂଶ ଅଶ୍ଲିଳତାରେ ଭାରାକ୍ରାନ୍ତ ମନେ ହୁଏ, ତେବେ ଭାବିବା ବିଷୟ ଯେ, ସହଜ ବା ସ୍ପଷ୍ଟଭାବରେ ସାଧାରଣ ପ୍ରାକୃତ ନାୟକ-ନାୟିକା- ଆଚରିତ ଅଶ୍ଲୀଳ ରସମୁଖ୍ୟ ସମ୍ଭୋଗ ବର୍ଣ୍ଣନା, ସେ ନକଲେ କାହିଁକି ? ତାଙ୍କ ପରି ଯୁଗସ୍ମର - ମହାକବିଙ୍କ ପକ୍ଷେ ଏପରି ବର୍ଣ୍ଣନା ଅକ୍ଲେଶସାଧ୍ୟ ବୋଲି ବିଶ୍ୱାସ କରାଯାଇ ପାରେ । କିନ୍ତୁ ସେ ତାହା ନ କରି ଅପ୍ରାକୃତ ଭଗବତ୍‌ ସମ୍ଭୋଗ ବର୍ଣ୍ଣନାରେ ମତି ବଳାଇଲେ କାହିଁକି ? ଆହୁରି ଗୋଟିଏ କଥା ମନେ ରଖିବାକୁ ହେବ ଯେ ପ୍ରାକୃତ ବା ଅପ୍ରାକୃତ କୌଣସି ନାୟକ - ନାୟିକା ବର୍ଣ୍ଣନା କରିବାକୁ ହେଲେ ହିଁ ପୂର୍ବାଚାର୍ଯ୍ୟମାନେ କାବ୍ୟରେ ସେମାନଙ୍କର ସମ୍ଭୋଗ ବର୍ଣ୍ଣନାକୁ ଅଗ୍ରାଧିକାର ଦେଉଥିଲେ ଏବଂ ତାହା ପୁଣି ଅଧିକାଂଶ ଶୃଙ୍ଗାର ରସାତ୍ମକୀ । ଜୟଦେବ ତାଙ୍କର ଏହି ପୂର୍ବଜ- ମନିଷୀମାନଙ୍କ ପ୍ରଦର୍ଶିତ ପନ୍ଥା ଅନୁସରଣ କରିଅଛନ୍ତି । ମାତ୍ର ପ୍ରତିସର୍ଗର ପରିସମାପ୍ତିରେ ଭକ୍ତପ୍ରାଣ ଜୟଦେବଙ୍କ ବାସ୍ତବ ରସ-ରୂପ ଅତ୍ୟନ୍ତ ସ୍ପଷ୍ଟ ଭାବେ ପ୍ରସ୍ଫୁଟିତ । ଜଗତର ମଙ୍ଗଳ କାମନାରେ ଭଗବତ୍‌ ଚରଣରେ ସେ ବିନୀତ ନିବେଦନ କରିଅଛନ୍ତି ସର୍ଗମାନଙ୍କର ସମାପ୍ତି ଶ୍ଲୋକ ଭାଷାରେ । ରାଧାରସ ଘେନି ଭାଗବତରେ ଯାହା ଅପ୍ରକଟ, ଗୀତ - ଗୋବିନ୍ଦରେ ଘଟିଛି ତାହାର ପରିପ୍ରକାଶ ।

 

କାବ୍ୟର ନାୟିକାଙ୍କୁ ପ୍ରାଧାନ୍ୟ ଦେଇ ସେ ବିଷୟବସ୍ତୁ ଆରମ୍ଭ କରି ଦେଇଛନ୍ତି , - ଏକ ବିରହୋତ୍କଣ୍ଠିତାର ଜୀବନ -ଚିତ୍ରରୁ । କିଶୋରୀ ବିଷମ କନ୍ଦର୍ପ ଦହନଜ୍ୱାଳାରେ ବିରହ-ବିଧୂରା । ମିଳନ ଆଶାରେ ବୃନ୍ଦାବନ ସାରା ଖୋଜି ବୁଲିଛନ୍ତି ନଟନାଗରଙ୍କୁ -

‘‘ଆନନ୍ଦଂ କନ୍ଦର୍ପ-ଜ୍ୱର-ଜନିତ-ଚିନ୍ତାକୁଳତୟା

ଭ୍ରମନ୍ତୀଂ କାନ୍ତାରେ ବହୁବିହିତ କୃଷ୍ଣାନୁସରଣାଂ ।’’

 

ଦୈବୀବଶରୁ ଏତିକିବେଳେ ତାଙ୍କ ନିକଟରେ ସହସା ଉପସ୍ଥିତା କେଉଁ ଦରଦୀ ସହଚରୀ । ପଚାରିଛନ୍ତି ଉତ୍କଣ୍ଠିତା କିଶୋରୀ , ଶ୍ୟାମସଂବାଦ ।

 

ମୟାନ୍ୱିଷ୍ଟୋ ଧୂର୍ତ୍ତଃ ସ ସଖି ନିଖିଳାମେବ ରଜନୀମ୍‌

ଇହ ସ୍ୟାଦତ୍ର ସ୍ୟାଦିତ ନିପୁଣମନ୍ୟାଭିସୃତଃ

ନ ଦୃଷ୍ଟୋ ଭାଣ୍ତୀରେ ତଟଭୂମି ନ ଗୋବର୍ଦ୍ଧନ ଗିରେ

ର୍ନ କାଳିନ୍ଦ୍ୟାଃ ନ ଚ ନିଚୁଳକୁଞ୍ଜେ ମଧୁରିପୁଃ । ’’

            (ହରବ୍ରଜା - ୩୪)

 

- ସାରା ରାତି ଖୋଜି ବୁଲିଛ ସେ ଧୂର୍ତ୍ତଙ୍କୁ । ଏଠି ଥିବେ ପରା, ସେଠି ଥିବେ ପରା ବୋଲି ଭାବି ଭାଣ୍ତୀର ବନ, ଗୋବର୍ଦ୍ଧନ ଗିରି, କାଳିନ୍ଦୀ ତଟ, ବେତସ କୁଞ୍ଜ - ଚାରିଆଡ଼ ଖୋଜିଛି ସେ ସୁର ରିପୁଙ୍କୁ । କାହିଁ ହେଲେ ଭେଟ ପାଇଲି ନାହିଁ ।

କାହିଁ ଗଲେ ସେ ନବଘନ ସୁନ୍ଦର ନଟନାଗର ମୋର ?

ସହସା ଶୁଭିଛି ମୋହନ ବଂଶୀ ।

‘ଯଗୌକଳଂ ବାମଦୃଶାଂ ମନୋହରଂ’

                  (ଭାଗବତ)

 

ମତି ଗତିଭୁଲା ଅମୋଘ ଏ ଆହ୍ୱାନ ।

ପ୍ରାଣପ୍ରିୟ ସହଚରୀ ଚମକି ପଡ଼ି କହିଲେ - ଶୁଣ , ଶୁଣ ରାଈ ଏଇ ଶୁଣ -

‘‘ଧୀରେ ଭାସିଆସେ ମୁରଲୀର ତାନ ’’ ।

ଏଇ କୁଞ୍ଜରେ ଥିବେ ପରା ମୁରଲୀଧର, ଶଠ ନଟବର ଶ୍ୟାମ ।

 

ରାଧା ପ୍ରେମଲୀଳା - ରସିକ ସହୃଦୟ ଗୀତ କବି ଚିକିଟି ନରପତି ଏଇ ରସରେ ମଜ୍ଜି ଗାଇଛନ୍ତି -

‘‘ପ୍ରାଣସଂଗିନୀରେ, ନେତ୍ରାନନ୍ଦ ପଶରା,

ଏହି କୁଞ୍ଜେ ଥିବେ ପରା ?

ପ୍ରାଣରୁ ସନ୍ତୋଷ ଦୁରୁଁ ନ କରରେ ରମ୍ଭୋରୁ

ପ୍ରସରୁଛି ଏ ଦିଗରୁ ସୌରଭ ଧାରା ।

X X X X

 

ପରିହାସ ଭାବି ଚିତ୍ତେ ଲତାଜାଲେ ଏକାନ୍ତେ

ଲୁଚି ରହିଥିବେ ସତେ ଶିଖଣ୍ତିଝରା ।

ଭାଷେ ଶ୍ରୀ କିଶୋରଚନ୍ଦ୍ର ଦେବରାଜ ମହୀନ୍ଦ୍ର

ଖୋଜିଲେ ତ ଏହି କୁଞ୍ଜେ ପଡ଼ିବେ ଧରା ।।’’

 

ଖୋଜିବୁଲିଛନ୍ତି ଏଣେତେଣେ, ଦୁର୍ଗମ ବନପ୍ରାନ୍ତର ନ ମାନି । ପାଗଳିନୀ କରିଛି ତାଙ୍କୁ ବେଣୁ ନାଦ -

ସୁରତ ବର୍ଦ୍ଧନଂ ଶୋକ ନାଶନଂ

ସ୍ୱରିତ ବେଣୁନା ସୁଷ୍ନୁ ଚୁମ୍ବିତମ୍‌ ।

ଇତର ରାଗବିସ୍ମରଣଂ ନୃଣଂ

ବିତର ବୀର, ନସ୍ତେଽଧରା ମୃତମ୍‌ ।।

                  (ଭାଗବତ ଦଶମ)

 

ଏଇ ବଂଶୀନାଦ କଳ୍ପନାରେ ଭକ୍ତ ଗୋପାଳ - କୃଷ୍ଣଙ୍କ ବାଣୀ ଶୁଣନ୍ତୁ -

‘‘କଦମ୍ବ ବନେ ବଂଶୀ ବାଜିଲାରେ ସଜନି,

ରାଧା ଦମ୍ଭଶିଖରୀ ଭାଜିଲା ରେ ।।

ତୋ’ ବିନା ପ୍ରତିକାର       ଆନକେ ନାହିଁ ମୋର

ବିବେକ ରତନ ମୋ ହଜିଲା ରେ ।।

କଢ଼ା ମୋତେ ସରାଣୀ       ଆରେ ପ୍ରାଣମିତଣୀ ,

ନୋହିଲେ ଜୀବନ ବରଜିଲା ରେ ।।’’

 

ତହୁ ‘‘ସରସମିଦ -ମୁଚେ ସହଚରୀ’’- ଆସ ସଖୀ , ଦେଖିବ ଆସ, ତମ ନାଗର ନଟବର ରାସକ୍ରୀଡ଼ାରେ ମାତିଛନ୍ତି ।

 

‘‘ଅନ୍ୟୋନ୍ୟ ବ୍ୟତିଷକ୍ତ ହସ୍ତାନାଂସ୍ତ୍ରୀପୁଂସା ଗାୟତାଂ ମଣ୍ତଳୀ ରୂପେଣ ଭ୍ରମଣଂ ନୃଜ୍ୟବିନୋଦ ରାସୋନାମମ୍‌ । ’’

ସ୍ତ୍ରୀ - ପୁରୁଷ ହାତ ଧରାଧରି ହୋଇ ଗାଇ, ମଣ୍ତଳାକାର ନୃତ୍ୟ କଲେ ତାହାକୁ ବୋଲନ୍ତି ‘ରାସ ’ ।

ଚଉକତି ଘେରି ରହିଛନ୍ତି ରସବିନୋଦିନୀ ବ୍ରଜବନିତା ଗଣ । ମହାନନ୍ଦରେ ହଲ୍ଲୀସକ ନୃତ୍ୟରେ ବିଭୋର ସେମାନେ ।

 

‘‘ନର୍ତ୍ତକୀଭିରନେକାଭିମଣ୍ତଳେ ବିଚରିଷୁଭିଃ

ଯତ୍ରୈକା ନୃତ୍ୟତି ନଟ ସ୍ତଦ୍‌ବୈହଲ୍ଲୀସଙ୍କ ବିଦୁଃ । ’’

 

ଏହି ନୃତ୍ୟର ଲକ୍ଷଣ ମଧ୍ୟ ପୁଣି ଲେଖାଅଛି ’ଅଭିନୟ ଦର୍ପଣ ପ୍ରକାଶ’ରେ -

‘‘ମଧୁରାଭିନୟାଳାପୈର୍ଗୀ ତତାଳାନୁଦସାରତଃ

ସ୍ତ୍ରୀଣାଂ ଯନ୍ମଣ୍ତଳୀନୃତ୍ୟଂ ବୁଧାଃହଲ୍ଲୀସକଂ ବିଦୁଃ ।’’

 

ଏହି ହଲ୍ଲିସକ ନୃତ୍ୟ (ରାସ) ବିଭୋର ବ୍ରଜଚନ୍ଦ୍ରମା କାମୁକୀ ଗୋପବାଳାମାନଙ୍କର କାମବର୍ଦ୍ଧନ ନିମିତ୍ତ ବେଣୁବାଦନ କରୁଛନ୍ତି -

 

‘‘ଚକାର ତକ୍ର କୌତୁକ୍ୟାତ୍‌ ବିନୋଦ - ମୁରଲୀରବଂ

ଗୋପୀନାଂ କାମୁକୀନାଞ୍ଚ * କାମୋଦ୍‌ବର୍ଦ୍ଧନ କାରଣମ୍‌ ।’’

            (ବ୍ରହ୍ମବୈବର୍ତ୍ତପୁରାଣ - ଶ୍ରୀକୃଷ୍ଣ ଜନ୍ମଖଣ୍ତେ)

* ‘କାମୋଦ୍‌ବର୍ଦ୍ଧନ ’ –

 

ଏହା ସାଧାରଣୀ କାମନୁହେଁ । ଅବଶ୍ୟ ଗୋପୀଗଣଙ୍କ ସହ ଏହା ଶ୍ରୀକ୍ୟଷ୍ଣଙ୍କର ମିଳନ, ମୈଥୁନକ୍ରୀଡ଼ା କିନ୍ତୁ ଏ ରମଣ ଅପ୍ରାକୃତ , କାରଣ ଏହା ଭାବ ଦେହର ମିଳନ ।

 

‘‘ମୈଥୁନଂ ସହ କୃଷ୍ଣେନ ଗୋପିକା ଚରିତଞ୍ଚମତ୍‌

ତନ୍ମ କାମାଦ୍‌ ଅକାମାଦ୍‌ ବା ଭାବଦେହେନତତ୍‌ କୃତମ୍‌’’

ଭାବ ଦେହ କଅଣ ?

‘‘ଯଥା ଶରୀରେ ଦେହାନି ସ୍ଥୂଳଂ ସୂକ୍ଷ୍ମଞ୍ଚ କାରଣମ୍‌ ।

ତଥୈବାନ୍ୟତ୍‌ ଦେହଂ ଜ୍ଞେୟଂ ଭାବଦେହଂ ପ୍ରକୀର୍ତ୍ତିତମ୍‌ ।।’’

            (ରାସୋଲ୍ଲାସ ତନ୍ତ୍ର)

 

ଏଇ ମୁରଲୀବର ପାଗଳନୀ କରିଦେଲା ବିନୋଦିନୀ ରାଧାକାଙ୍କୁ -

‘‘ତତ୍ ଶୃତ୍ୱା ରାଧିକା ସଦ୍ୟୋ ମୁମୋଦ ମଦନାତୁରା ।’’

ରାସମଣ୍ତଳୀ ନିକଟକୁ ଯାଇ ଦେଖିଲେ, ନୃତ୍ୟରତ ଶଠନାଗର । ସେଦିନ ‘‘ଶୁଭେ ଶୁକ୍ଳ ତୟୋଦଶ୍ୟାଂ ପୂର୍ଣ୍ଣଚନ୍ଦ୍ରାଦୟେ ମଧୌ ।’’ ଏ ନବ ବସନ୍ତ ସମାଗମରେ -

 

ଚାରୁ ଲବଙ୍ଗଲତା -             ଫୁଲ ସୁରଭିତ

ମନ୍ଦ ମଳୟ ବିଗଛାଏ

କୁଞ୍ଜ ଭବନ ଭରି             ଅଳି ଗୁଣୁ ଗୁଞ୍ଜେ

କୋକିଳ କୁହୁକୁ ଶୁଣାଏ ।

ହରି ବିହରେ ସଖି, ମଧୁ ମଧୁମାସେ

ନାଚଈ ବ୍ରଜ ଯୁବତୀ ତୁଲରେ ରସି

ବିରହି ପରାଣ - ମରା ସେ ।।’’

 

ଚିରହୋତ୍କଣ୍ଠିତା କିଶୋରୀର ଆଖି ଏ କ’ଣ ଦେଖିଲା ?-

‘‘ଶ୍ଲିଷ୍ୟତି କାମପି, ଚୁମ୍ବତିତ କାମପି,

 

            କାମପି ରମୟତି ରାମାମ୍‌ ? ’’

 

ଚନ୍ଦ୍ରହସା ମଧୁରଜନୀରେ ପ୍ରୀତିବତୀର ଛାତି କ’ଣ ଏଇ ଆଶାବାନ୍ଧି କୁଳମାନକୁ ଜଳାଞ୍ଜଳୀ ଦେଇ ଦୁର୍ଗମ ଅଭିସାର - ପଥରେ ଆଗେଇ ଆସିଥିଲା ? - ଆସିଛି ରମଣୀ ସୁଲଭ ଅଭିମାନ - ଛି, ଛି, ପ୍ରୀତିର ଟିକିଏ ହେଲେ ସାରାସାର ବିଚାର କଲେ ନାହିଁଶ୍ୟାମ ? କାହାକୁ କାହା ସହିତ ତୁଳିଲେ ? ମୁଁ, ଆଉ ବ୍ରଜର ସାଧାରଣୀ ଗୋପୀକା ? ସମାନ ଆଖିରେ ଦେଖିଲେ ସେ ! ଦେଖିଲୁ ଦେଖିଲୁ ସଖି -

 

‘‘ସ୍ୱଚ୍ଛନ୍ଦଂ ବ୍ରଜସୁନ୍ଦରୀଭିରଭିତଃ ପ୍ରତ୍ୟଙ୍ଗମାଲିଙ୍ଗିତଃ

ଶୁଙ୍ଗାରଃ ସଖି ମୂର୍ତ୍ତିମାନିବ ମଧୌ ମୁଗ୍‌ଧୋ ହରିଃ କ୍ରୀଡ଼ତି । ’’

 

(ଏହିଠାରେ ‘ମୂର୍ତ୍ତିମାନ ଶୃଙ୍ଗାର’ କଥାଟି କହି କବି ପ୍ରଚ୍ଛନ୍ନରେ ଶୃଙ୍ଗାରରସର ସଂକେତ ଦେଇଛନ୍ତି ଗୀତଗୋବିନ୍ଦରେ)

‘‘ଏଷୁତ୍ୱନେକ ମହିଳା ସମାରାଗୋ ଦକ୍ଷିଣଃ ’’ - (ସା: ଦ)

ଏହି ରୀତିରେ ଅନେକ ନାରୀ ପରିରମ୍ଭ ସଂଭ୍ରମ ’’ ଦକ୍ଷିଣ - ନାୟକ ଶ୍ରୀକୃଷ୍ଣ - ଦର୍ଶନରେ ସୃଷ୍ଟି ହେଲା ପ୍ରେମାନୁରାଗ ଜନିତ ଅଭିମାନ । ତହୁଁ ବିରହୋତ୍କଣ୍ଠିତା କିଶୋରୀ ପ୍ରଣୟକୁପିତା ହୋଇ ପାଲଟିଲେ ମାନିନୀ ରାଧା ।

 

‘‘ପତ୍ୟୁରନ୍ୟ ପ୍ରିୟାସଂଗେ ଦୃଷ୍ଟୋଽଥାନୁମିତେ ଶୃତେ

ଈର୍ଷାମାନ ଭବେତ୍‌ ସ୍ତ୍ରୀଣାଂ ତତ୍ରତ୍ୱନୁମିତ ସ୍ୱିଧା’’

                  (ସାହିତ୍ୟ ଦର୍ପଣ)

 

ପତି ବା ନାୟକଙ୍କୁ ଅନ୍ୟ ରମଣୀ ସହ ଆଶକ୍ତ ଥିବା ବା ସେହି ଅନୁମାନରେ କିମ୍ବା କାହାରିଠାରୁ ସେ ବିଷୟ ଶୁଣିବା ଦ୍ୱାରା ସ୍ତ୍ରୀମାନଙ୍କର ଈର୍ଷାମାନ ଜାତ ହୁଏ ।

 

ତହୁଁ ଅଭିମାନରେ ଜଳି ଉଠିଲା ଅନ୍ତର । ସ୍ମୃତି ଯେତିକି ମଧୁର, ସେତିକି ପ୍ରମଦଦିଆ । ମନେ ପଡ଼ିଗଲା ଶ୍ରୀମତୀଙ୍କର କେତେକାଳର ପାଶୋରାକଥା - ଏଇ ଗୋପୀମାନେ ଦିନେ ମନେ କରୁଥିଲେ ରାଧା ହିଁ କେବଳ କୃଷ୍ଣ-ବଲ୍ଲଭା । ସେହି ଭାବ ଅନୁସରଣରେ ରାଜା ‘ହାଲ’ (ପ୍ରତିଷ୍ଠାନପୁର ପ୍ରଥମ ଶତକ) ତାଙ୍କର ‘‘ଗାଆ ସତ୍ତସଇ’’ରେ ନ୍ୟୁନାଧିକ ଦୁଇହଜାର ବର୍ଷତଳେ ଲେଖିଥିଲେ -

 

‘‘ମୁହମାରୁଏଣ ତଂ କଣହ - (କହ୍ନ)

-ଗୋରଅଂ ରାହିଆଏଁ ଅବଣେନ୍ତୋ

ଏଦାଣ ବଲ୍ଲବୀଣାଂ ଅଣ୍ମାଣଁ ବି

      ଗୋରଅଂ ହରସି ।’’

- ହେ କୃଷ୍ଣ ମୁଖ ମାରୁତହାରା ତୁମେ ରାଧିକାଙ୍କ ମୁଖରେ ଲାଗିଥିବା ଗୋଧୂଳି ଫୁଙ୍କିଦେବା ଛଳରେ ତାଙ୍କର ମୁଖ ଚୂମ୍ବନ କଲ । ଏତଦ୍ଦ୍ୱାରା ଗୋପୀମାନଙ୍କର ଗୌରବ ହରଣ କଲ ।

 

ସେହି ସାଧାରଣ ଗୋପୀମାନଙ୍କ ସହିତ ରାସଲୀଳାରେ ମାତିଛନ୍ତି ଶ୍ରୀକୃଷ୍ଣ । ବିରହ ଅସହିଷ୍ଣୁତାରେ ବିପ୍ରଳମ୍ଭ - ଶୃଙ୍ଗାର ରସାଶ୍ରୟୀତା ବର୍ଜନ କଲେ ରାସସ୍ଥଳି । - ପ୍ରାକୃତ ପ୍ରେମର ଲକ୍ଷଣ । ଏହାରି ମାଧ୍ୟମରେ ଅପ୍ରାକୃତ ପ୍ରେମର ଚିତ୍ର ଅଙ୍କନ କରିଛନ୍ତି ଭକ୍ତକବି ଜୟଦେବ । ଏହା ଦେହୀ - ଦେବୀ, ଅପ୍ରକାଶ୍ୟ ଆତ୍ମାର ପ୍ରଚ୍ଛନ୍ନ ରୂପାୟନ ।

 

ଏହା ହିଁ ମହାକବି ଜୟଦେବ କୃତ ଗୀତିକାବ୍ୟର ରାଧାମାଧବ-

‘ରତି କେଳି କଥା’ ବର୍ଣ୍ଣନା, - ଯାହା ବୋଲାଏ ରାସଲୀଳା - ବସନ୍ତ ରାସ । କୁହା ଯାଇଅଛି –

 

‘‘ବିକ୍ରୀଡ଼ିତଂ ବ୍ରଜବଧୃଭିରିଦଂ ଚ ବିଷ୍ଣୋଃ

ଶ୍ରଦ୍ଧାନ୍ୱିତୋଽନୁଶୃଣୁୟାଦ୍‌ ଅଥ ବର୍ଣ୍ଣୟେଦ୍ ଯଃ ।

ଭକ୍ତିଂ ପରାଂ ଭଗବତି ପ୍ରତିଲଭ୍ୟ କାମଂ

ହୃଦ୍‌ରୋଗମାଶ୍ୱପହିନୋତ୍ୟଚିରେଣ ଧୀରଃ ।’’

(ଶୁକଦେବକୃତ ରାସପଞ୍ଚାଧ୍ୟାୟୀ - ପ୍ରାନ୍ତ ଶ୍ଲୋକ)

 

- ଯେ ବ୍ରଜବଧୁଗଣଙ୍କ ସହିତ ଶ୍ରୀକୃଷ୍ଣଙ୍କର ଏହି ରାସଲୀଳା ଆଦରସହ ଶ୍ରବଣ ବା ବର୍ଣ୍ଣନ କରନ୍ତି ସେ ଭଗବତ୍‌ ପରମଭକ୍ତି ଲାଭ ପୂର୍ବକ ଜୀବର ହୃଦ୍‌ରୋଗ ସ୍ୱରୂପ କାମକୁ ନିଶ୍ଳିତ ଭାବେ ପରାଭୂତ କରି ପାରନ୍ତି ।

 

ଅଭିମାନିନୀ ରାଧିକାଙ୍କର ରାସସ୍ଥଳୀ ବର୍ଜନରୁ ଆରମ୍ଭ ହୋଇଅଛି ‘ବସନ୍ତ ରାସ’ । କିନ୍ତୁ ଏଇ ଅଭିମାନ - ରଚନା ମଧ୍ୟରେ କାହିଁ ହେଲେ ଦେଖା ନାହିଁ ଶ୍ରୀମତୀଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ତିଳେ ମାତ୍ର ବିରାଗର ଲକ୍ଷଣ । ବିରହ - ଅସହିଣୀ ରାଧିକା କହିଛନ୍ତି-

‘‘ରାସେ ହରିମିହ ବିହିତ ବିଳାସମ୍‌

ସ୍ମରତି ମନୋମମ କୃତ ପରିହାସମ୍‌ ।’’

 

      ରାସରେ ତାଙ୍କର ଏକାନ୍ତ ପ୍ରେମାସ୍ପଦଙ୍କର ଅନୁକଳ ଧୂର୍ତ୍ତ-ନାୟକତ୍ୱ ବିକାଶ ଘଟିଛି । ସ୍ନେହ କିନ୍ତୁ ଶ୍ରୀମତୀଙ୍କର ଅତୁଟ । ବିତରାଗିଣୀ ହେବା ଦୁରେ ଥାଉ ପକ୍ଷାନ୍ତରେ ସେ ଶ୍ୟାମ ସରାଗିଣୀ । ମିଳନର ଉତ୍କଣ୍ଠା ଅତ୍ୟନ୍ତ ବଳବତୀ ।

 

‘‘ନାଗର ରାଜମୋ ପ୍ରେମକୁ ଗୁରୁତ୍ୱ ଦେଇ ନାହାନ୍ତି । ହେଉ, ନ ପଚାରନ୍ତୁ ସେ- ନିର୍ଦ୍ଦୟ ହୁଅନ୍ତୁ ହେଲେ କିନ୍ତୁ ମୁଁ ଯେ ଏକାନ୍ତ ତାଙ୍କରି । ତାଙ୍କରି ଗୁଣଗଣ ସ୍ମରଣ କରୁଛି ସ୍ମରଣ କରୁଛି ମୋର ମନ, - ତିଳେ ଦୋଷ ବାରି ପାରୁ ନାହିଁ । ’’

 

‘‘ଗଣୟତି ଗୁଣଗ୍ରାମଂ

ଭ୍ରାମଂ ଭ୍ରମାଦପି ନେହତେ

ବହତି ଚ ପରୀତୋଷଂ

ଦୋଷଂ ବିମୁଞ୍ଚତି ଦୂରତଃ ।’’

 

ଶ୍ରୀକୃଷ୍ଣଙ୍କ ବ୍ୟବହାରରେ ବ୍ୟଥିତା କେହି ସଖୀ ସାଧାରଣ ମାନବୀୟ ରୀତିରେ ରାଧାକାଙ୍କୁ ସେତେବେଳେ ଋଷିବାକୁ ପରାମର୍ଶ ଦେଇଛନ୍ତି । ତାହାରି ଉତ୍ତରରେ ଅପ୍ରାକୃତ ପ୍ରେମଭାବ - ଭୋଳା ଭକ୍ତକବି ଗୋପାଳକୃଷ୍ଣ ଶ୍ରୀମତୀଙ୍କ ମନକଥା ସ୍ମରଣରେ ସରଳ ସହଜ ଭାଷାଛନ୍ଦରେ ସହଚରୀଙ୍କୁ ଶୁଣାଇଛନ୍ତି -

 

ଦୟା ନ କରନ୍ତୁ ମୁଁ ଦାସୀ ସିନା ରେ

ଦୁଃଖ ଦେଇ ଶ୍ୟାମଙ୍କୁ - ରାଧା ସୁଖୀ ହେବାକୁ

ରୁଷିବ କଲୁ କି ଏ ଆଲୋଚନାରେ ?

 

ଏଇ ହେଲା ଅତିଶୟ ସ୍ନେହର ଲକ୍ଷଣ-ରାଗ । ପ୍ରୀତି ସଂଦଭକାରଙ୍କ ଭାଷାରେ - ‘‘ସ୍ନେହ ଏବାଭିଳାଷାତିଶୟାତ୍ମକୋ ରାଗଃ’’ । ଅତିଶୟ ଅଭିଳାଷାତ୍ମକ ସ୍ନେହ ‘ରାଗ’ ରୂପେ ପରିଣତ ହୁଏ । ଏଥିରେ ଆଉ ସମ୍ଭାଳି ପାରି ନାହାନ୍ତି ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ । ଅନୁରାଗବତୀ ରାଧିକା ତାଙ୍କୁ ରାସମଣ୍ତଳୀ ତ୍ୟାଗ କରାଇ ଅନୁତାପାନଳରେ ଜଳାଇ ଦେଇଛନ୍ତି । ରୁଷିବା ଦୁରେଥାଉ ଓଲଟି କହିଛନ୍ତି ଶ୍ରୀମତୀ :-

‘‘ଶ୍ୟାମଅପରାଧିନୀ ମୁଁ, ସଂଗିନୀ’’ ।

 

ଆତୁର ହୋଇ ପଡ଼ିଛନ୍ତି ଶ୍ରୀକୃଷ୍ଣ, ବିଧୂରା - ଶ୍ରୀମତୀଙ୍କ ମିଳନ ମାନସରେ ଠିକ୍‌ ସଂସାରୀ ପରି । କଂସାରୀଙ୍କୁ ସଂସାର - ବାସନା -ବଦ୍ଧ କରି ଝୁରାଇ ଘାରିଛନ୍ତି ମହାଭାବମୟୀ ରାଧା ।

 

ସଂସାରୀ ଜୟଦେବ, ସଂସାରୀ କଂସାରୀ ଏବଂ ସଂସାରୀ ରାଧାଙ୍କୁ ପ୍ରାକୃତ ନାୟକ-ନାୟିକା - ସମ୍ଭବ ସଂଭୋଗ - ରୁଚିରେ ଚିତ୍ରିତ କରାହୋଇଅଛି । ତହିଁ ସହିତ ମହାକବି ଅପ୍ରାକୃତ ପ୍ରେମର ଆଲେଖ୍ୟ ଆଙ୍କି ଦେଖାଇ ଦେଇଛନ୍ତି ଜଗତକୁ - ବଡ଼ କିଏ ? ଭକ୍ତ - ନା ଭଗବାନ !

 

ଭକ୍ତ ଭଗବାନଙ୍କର ଶରଣାଗତ, ଭଗବାନଙ୍କ ଅନୁଗ୍ରହ ଲାଭ ଆଶାରେ ଭକ୍ତ ତାଙ୍କର ଅନୁସରଣରେ ପ୍ରଧାବିତ, - ଏଇହେଲା ସଚରାଚର ସଂସାରଗତି । କିନ୍ତୁ ଏଇ ଗତିର ବ୍ୟତିକ୍ରମ ଫୁଟାଇଦେଇଛନ୍ତି ଭକ୍ତକବି ଜୟଦେବ । ଭକ୍ତପ୍ରାଣ ଶ୍ରୀକୃଷ୍ଣଙ୍କୁ ଭାବମୟୀ ଶ୍ରୀମତୀଙ୍କର ଅନ୍ୱେଷଣ, ଅନୁସରଣରେ ଅନୁଧାବନ କରିଥିବାର ଦେଖାଇ ଦେଇଛନ୍ତି, ପ୍ରଥମେ ଜୟଦେବ କବି । ରସ - ନାୟିକା ରାଧିକା ଶ୍ରୀଗୀତଗୋବିନ୍ଦ ଗୀତିକାବ୍ୟରେ ପ୍ରାଧାନ୍ୟ ଲାଭ କରିଛନ୍ତି ଭକ୍ତିମତୀ ହେତୁ । ଶ୍ରୀକୃଷ୍ଣ ଭଗବାନ ଶ୍ରୀଗୀତଗୋବିନ୍ଦରେ ଭକ୍ତ ଲାଗି ବ୍ୟାକୁଳଚିତ୍ତ । ଜୟଦେବ ତାଙ୍କୁ କୁହାଇଛନ୍ତି ।

 

Unknown

-‘‘ଦେହି ପଦପଲ୍ଲବ-ମୁଦାରଂ’’ ।

 

ଭକ୍ତପ୍ରେମ-ପାଗଳ ଶ୍ରୀକୃଷ୍ଣ ଯଥାସମ୍ଭବ ଶୀଘ୍ର ରାସମଣ୍ତଳ ତ୍ୟାଗକରି ଅଭିମାନିନୀଙ୍କ ଦର୍ଶନ ଆଶାରେ ଆକୁଳ ହୋଇ -

 

‘‘ଚତୁର୍ଦ୍ଦିଗେ ସେ ବୁଲି ରାଇ ଆଶରେ

ଅନଙ୍ଗଦାହେ ଅତି ଦୁଃଖ କାତର ।

ଗତାନୁଶୋଚେ ଯମୁନାତଟ - ସ୍ଥିତ-

ନିକୁଞ୍ଜ ମଧ୍ୟେ ଝୁରି ଖୀନ୍ନ ମାନସ ’’।

 

ଆମର ଭକ୍ତକବି ଅଭିମନ୍ୟୁ ଏହଳି ଭାବ ବର୍ଣ୍ଣନା କରି କହିଛନ୍ତି - ‘‘କୃଷ୍ଣ ବୃନ୍ଦାକାନନ ମଧ୍ୟେ ବସି ଆନନ ଭାବନ୍ତି ରାଧାର ସତତ ଶରବାର ମାରର ପଡ଼ିଲା ଭିଦୁରର ସମକୁ ବିଳିଲା ଘାତତ ହେ ।

                                    (ବି.ଚି ୩୬ । ୨)

X       X       X      X      X

ମହାକବି ତାଙ୍କ କାବ୍ୟରେ ବର୍ଣ୍ଣିଥିବା -

‘‘କଂସାରୀରପି ସଂସାର - ବାସନା- ବଦ୍ଧ ଶୃଙ୍ଖଳାମ୍‌’’

- କଥାର ମହତ୍ୱ ଫୁଟାଇ ଶ୍ରୀକୃଷ୍ଣଙ୍କୁ ସଂପୂର୍ଣ୍ଣ ସଂସାରୀ ରୂପ ଚିତ୍ରରେ ଗୀତିକାବ୍ୟ ମଧ୍ୟରେ ଉପସ୍ଥାପିତ କରାଯାଇଅଛି ।

 

ସଂସାରୀ -ପ୍ରକୃତି ଫୁଟାଇଛନ୍ତି କବି ଶ୍ରୀକୃଷ୍ଣଙ୍କର । ପାର୍ଥିବଚେତନ -ହର ରୂପେ ଚିତ୍ରିତ ହୋଇଛନ୍ତି ସେ କବିଙ୍କର କାବ୍ୟରେ ।

 

ମହାକବି କାଳିଦାସ ମେଘଦୁତରେ କହିଛନ୍ତି -

‘‘କାମାର୍ତ୍ତାହି ପ୍ରକୃତିକୃପଣାଶ୍ଚେତନା ଶ୍ଚେତନେଷୁ’’ ।

ଏହାରି ଦର୍ପଣ - ଚିତ୍ର ସତେ ଯେପରି ପରିସ୍ଫୁଟ ହୋଇଛି ଜୟଦେବଙ୍କ ପ୍ରାକୃତ- ରୁଚି ବିରହୀ ଶ୍ରୀକୃଷ୍ଣଙ୍କ ବର୍ଣ୍ଣନାରେ । ବିରହଭୀରୁ ଶ୍ରୀକୃଷ୍ଣ କାମଦେବଙ୍କଠାରେ କରୁଣ ନିବେଦନ କରିଛନ୍ତି :-

 

‘‘ହୃଦି ବିସଳଢ଼ାହାରୋ ନାୟଂ ଭୁଗଙ୍ଗମ - ନାୟକଃ

କୁବଳୟ -ଦଳ - ଶ୍ରେଣୀ କଣ୍ଠେ ନ ସା ଗରଳ - ଦ୍ୟୁତିଃ ।

ମଳୟଜରଜୋ ନେଦଂ ଭଷ୍ମ ପ୍ରିୟା - ରହିତେ ମୟି

ପ୍ରହର ନ ହରଭ୍ରନ୍ତ୍ୟାନଙ୍ଗ କୃଧା କିମୁ ଧାବସି ?’’

 

ଅର୍ଥାତ୍ -

କୋପଭରେ କିପାଁ ଧାଇଁଛ

ପଛେ ମୋର ମଦନ ।

ହର ବୋଲି ମିଛେ ବିଚାରି

କରିବାକୁ ବହନ ।।

 

ହର ଅର୍ଦ୍ଧଅଙ୍ଗେ ଅନଙ୍ଗ !

ହରପ୍ରିୟା ବିରାଜେ ।

ବିଯୋଗୀ ମୁଁ ପ୍ରିୟା ବିହୁନେ

କୋପ ମୋରେ କି ସାଜେ ?

 

ଗଳପର ମୋହର ଏ ପରା

ଦେଖ ମୃଣାଳ ହାର ।

ଭୁଜଙ୍ଗମ - ପତି ବାସୁକୀ-

ଭ୍ରମ ମନୁ ନିବାର ।

 

ବରନ ନୀଳମା ବିଭ୍ରମେ

ବିଚାରୁଛି ଗରଳ !

କଣ୍ଠେ ମୋ ଯେ ମାଳା ନିରେଖ

ସେ ତ ନୀଳ - ଉତ୍ପଳ ।

 

ପ୍ରିୟା ବିରହେ ମୋ ତନୁରେ

ବୋଳା ଚନ୍ଦନ ରଜ ।

ଭସ୍ମ ବୋଲି ତାକୁ ନ ମଣ,

ଭ୍ରମ ମନୁ ବରଜ ।

 

କବି ଶ୍ରୀକୃଷ୍ଣଙ୍କୁ ଏଠାରେ ଚେତନାଚେତନ - ଜ୍ଞାନହୀନ ରୂପେ ଚିତ୍ରଣ କରିଛନ୍ତି । କିନ୍ତୁ କାହିଁକି ? ପ୍ରଗାଢ଼ ପ୍ରେମବତୀ ଶ୍ରୀମତୀଙ୍କ ବିରହଜନିତ ବ୍ୟାକୁଳତାର ପ୍ରତୀକ ରୂପେ ଏହା ମାନବୀୟ ପ୍ରେମର, - ବିଶେଷତଃ ପରକିୟା ପ୍ରୀତିର ଚରମ ନିଦର୍ଶନ । ବିରହ ଏହାର ଚିରନ୍ତନ ମଧୁର ସଂଗୀ । ରସରାଜ ଶ୍ରୀକୃଷ୍ଣଙ୍କର ଏବଂ ବିଧ ବିରହ - ବିକଳ - ଦୁର୍ଦ୍ଦଶା ସଂଘଟନ - କାରିଣୀ ଯେଉଁ ଶ୍ରୀମତୀ ରାଧିକା, ସେହି ପୁଣି ଅନ୍ୟପକ୍ଷରେ, ବିରହଉତ୍କଣ୍ଠିତା ନାୟିକା ।

 

ଶ୍ୟାମ ଅଦର୍ଶନ- ବିଧୁରା ଶ୍ରୀମତୀଙ୍କର ମନକଥା ଗୀତଗୋବିନ୍ଦର, ଅନୁସରଣରେ ସଜାଡ଼ି ଆମର ପ୍ରଥମ ଓଡ଼ିଆ ଗୀତକବି ବନମାଳୀ ଦୁତୀ ମୁଖରେ ଖଞ୍ଜାଇ ଲେଖିଛନ୍ତି -

‘‘ଅଞ୍ଜନ -ଗଞ୍ଜନ ଛବି ଶ୍ରୀଛାମୁକୁ ଥରେ

ଯା’ ମୋ ସଜନି ! କୁଞ୍ଜ ବନେ ।

X       X       X      X      X

ଘେନି ବାରେ ମିନତି ମୋର

ଜଣାଇଁ ମଣାଇଁ ଶ୍ୟାମେ କହ ଦୁଃଖ ସମାଚାର ।

ବାଣୀ ଶୁଣି ଦୂତୀ ରାଧାର

ଚଳେ ବନମାଳୀ ଶ୍ୟାମ ଛାମୁକୁ ହୋଇ ସତ୍ୱର ।।

 

ମୁଗ୍‌ଧ ମଧୁସୁଦନଙ୍କ ନିକଟରେ ଉପସ୍ଥିତା ହୋଇ ଦୁତୀ ଶ୍ରୀମତୀଙ୍କ ଅବସ୍ଥା ବର୍ଣ୍ଣନା କରି କହିଲେ -

‘‘ସେ ବିରହେ ତବ ଦୀନା

କାତର ମନସିଜ ଶର ଡରି ମୋହନ -

ଭାବନରେ ଅତି କ୍ଷୀଣା ’’ ।

ମହାଭାବମୟୀ - ମହାଭାବାଧିରୁଢ଼ା ।

ଶୃଙ୍ଗାର ରସର ଚରମୋତ୍କର୍ଷ ବର୍ଣ୍ଣନା କରିଛନ୍ତି ମହାକବି ।

‘‘ବିପ୍ରଲମ୍ଭୋଽଥ ସମ୍ଭୋଗ ଇତ୍ୟେଷ ଦ୍ୱିବିଧୋମତଃ ’’ ।

 

-ବିପ୍ରଲମ୍ଭ ଏବଂ ସଂଭୋଗ - ଦ୍ୱିବିଧ ବିଭାଗ ମଧ୍ୟରୁ ବର୍ତ୍ତମାନ ଶୃଙ୍ଗାରଭ ବିପ୍ରଲମ୍ଭାବସ୍ଥା ।

ସମ୍ଭୋଗ ଶୃଙ୍ଗାରର ଉଦ୍ଦୀପନ ବିଭାବ, ଋତୁ - ବୈଶିଷ୍ଠ୍ୟ, ଅନୁଲେପନ, ମାଳାଦିଧାରଣ, ପ୍ରିୟାନୁଭୂତି ଓ ଗୁଣ ଶ୍ରବଣ ଇତ୍ୟାଦି ଏବଂ ଏହାର ଅନୁଭାବ ହେଲା ଅଙ୍ଗ ବିକ୍ଷେପ ଏବଂ କଟାକ୍ଷାଦି । ଏ ସମସ୍ତ ବ୍ୟାପାର ଘଟଣର କାଳ ଅତୀତ ହୋଇଯାଇଛି । ଉପସ୍ଥିତ ବର୍ତ୍ତମାନ ବିପ୍ରଲମ୍ଭଶୃଙ୍ଗାର ଦଶା । ସମ୍ଭୋଗ-ଶୃଙ୍ଗାର ପରି ଋତୁବୈଶିଷ୍ଠ୍ୟ ପ୍ରଭୃତି ଏହାର ଉଦ୍ଦୀପନ ବିଭାବ ହେଲେ ମଧ୍ୟ ରୋଦନ, କୃଶତା, ଦୀର୍ଘଶ୍ୱାସ ଇତ୍ୟାଦି ଏହାର ଅନୁଭାବ ସଂଗୀ ।

 

ନାୟକ ଶ୍ରୀକୃଷ୍ଣ ନିଜକୃତ ଅପରାଧ - ଭୀରୁ । ବିନୟ କରି ଦୁତୀକୁ କହିଲେ ‘‘ସଖୀ, ତୁମେ ଟିକିଏ ଯାଇ ମୋର ଅନୁନୟ ଜଣାଇ ରାଧାଙ୍କୁ ଏଠାକୁ ଅଣାଅ । ମୁଁ ପଥ ଚାହିଁ ଏହିଠାରେ ବସି ରହିଲି ।

 

‘‘ଅହମିହ ନିବସାମି ଯାହି ରାଧା

ମନୁନୟ ମଦ୍‌ବଚନେନ ଚାନୟେଥା’’ ।

 

ଶ୍ରୀମତୀଙ୍କ ନିକଟରେ ଉପସ୍ଥିତାହୋଇ ଶ୍ୟାମ -ସଂବାଦ - ବାହୀକା ସଖୀ ସନ୍ଦେଶ ଦେଲା -

‘‘ସଖି; ସୀଦତି ତବ ବିରହେ ବନମାଳୀ ’’

ସଖୀ ନିବେଦନର ମର୍ମ ହୃଦୟରେ ଅନୁଭବ କରି ସଖୀ - ଭାବରେ ଭକ୍ତ ଗୋପାଳକୃଷ୍ଣ କହିଛନ୍ତି -

‘ନନ୍ଦନୟନ ଇନ୍ଦୀବର-ଇନ୍ଦୁ ତୋ ଲାଗି

ଯୋଗୀ ହୋଇଗଲା ପରି ଦିଶୁଛି ଭଙ୍ଗି ’’।

X       X      X      X

ଚିତ୍ତେ ଚିନ୍ତି ତୋ ରୂପ            ତୋ ନାମ କରି ଜପ

ନିଭୃତ ନିକୁଞ୍ଜରେ ଅଛନ୍ତି ଜଗି ।

କି ବୋଲି କହିବି ମୁଁ                  ବିଜେକଲେ ଜାଣି ମୁଁ

ସାଜ ସଜ ଏ ବେଶ ହୁଅ ଉଲାଗି’’ ।।

 

ସେହିପରି ବହୁ ପୁରାତନ ଓଡ଼ିଆ ଗୀତକବି ଦ୍ୱିଜ ରଘୁନାଥଙ୍କର ଗୀତଗୋବିନ୍ଦର ପ୍ରୋକ୍ତ ଭାବ ଅନୁସରଣରେ ରଚିତ ସଙ୍ଗୀତ ଲେଖା -

 

‘‘ସଂଗିନି ! ତୋ ପ୍ରୀତି ଘେନି

ମୋହନ ନିରତେ ଝୁରୁଛି ରେ ।୦।

ଫୁଲଶର ଅତନୁ ମାରିବାର ସୁତନୁ

ତା ତନୁ ଅଧୀରେ ଥରୁଛି ରେ ।।

 

ସୁରୁଚିର ହାର            ଦୂର ତାହାର

ଆାହାର ହେଲାଣି ଅରୁଚିରେ ।

କୁଞ୍ଜର ଗମନାରେ ! କୁଞ୍ଜରେ ବସି ଧୀରେ

ତୋ ନାମ ଗାନ କରୁଛି ରେ ।।

 

କଳକଳ କୋକିଳ ବାଣୀରେ କେବଳ

ବିବେକପଣ ହିଁ ସରୁଚି ରେ

ମନ୍ଦଗନ୍ଧ ଶୀତ            ପବନ ବହି ମିତ

ଦେହରୁ ଚେତନ ହରୁଛି ରେ ।।

 

ଆସ ଆସ ସଖି            କ୍ରାସ ମନେ ନ ରଖି

ତା ଲାଗି ତୋ କର ଧରୁଛି ରେ ।

ରଘୁନାଥ ନିତି            ଯୁଗଳ ରସେ ମତି -

ବଳାଇ ତ ଅନୁସରିଛି ରେ ।।’’

 

ବିରହକାତର ଶ୍ରୀକୃଷ୍ଣଙ୍କ ଅବସ୍ଥା ବର୍ଣ୍ଣନା କରି ସଖୀର ନିବେଦନ ଭାବାନୁସରଣରେ କବିସୂର୍ଯ୍ୟ ମଧ୍ୟ ଶ୍ରୀମତୀଙ୍କୁ ପଦେ ଅଧେ ଜଣାଇବାକୁ ପାଶୋରି ନାହାନ୍ତି -

‘‘ନିଦ ନାହିଁଟି ନଟବରକୁ ଗୋ, ନେତ୍ରୁ ନିରତେ ମୁଞ୍ଚେ ନୀରକୁ ଗୋ

ନ ଲିଭିବାରୁ ନବନିତାଞ୍ଜୀ ତୋପଲ୍ଲବ - ଅଧର ମଧୁର ନିର୍ଝ୍‌ରକୁ ଗୋ’’

 

ବିରହୋତ୍କଣ୍ଠିତା ଶ୍ରୀମତୀଙ୍କୁ ସଂବାଦ ଦେଲା ସହୃଦୟା ଦୂତୀ । ସେ ବାହୁଡ଼ି ଆସି କହିଲା -

‘‘ନ କୁରୁ ନିତମ୍ବିନି, ଗମନ ବିଳମ୍ବନ -

ମନୁସରାତଂ ହୃଦୟେଶମ୍‌ ।

ଧୀର ସମୀରେ ଯମୁନାତୀରେ, ବସତି ବନେ ବନମାଳୀ

ପୀନ ପୟୋଧର ପରିସର-ମର୍ଦ୍ଦନ-ଚଞ୍ଚଳ-କରଯୁଗଶାଳୀ ।’’

 

ଠିକ୍‌ଏହାରି ଅନୁକରଣ ଓ ଅନୁସରଣରେ ଆମର ଗୀତକବି ଗୌରହରି ଲେଖିଛନ୍ତି -

ଚାଲ ଗୁଞ୍ଜକାନନେ ଯିବା କିଶୋରି ।

ମୋତେ ପେଶିଛନ୍ତି ତୋତେ,            ନେବାକୁ ବଂଶଧାରୀ ।

X      X      X      X      X

ବିପିନ ଧୀର ସମୀରେ      ଯମୁନା ନଦୀ ତୀରରେ

ଦରଶନ ଲାଳସାରେ       ବସେ ପଥେ ଅନୁସରି ।

ପଙ୍କଜ ପଲ୍ଲବ ପରେ       ଶୋଇଛନ୍ତି କାମଜ୍ୱରେ

ଚେତାହଜେ ଥରେ ଥରେ       ମହୀରେ ଲୋଟେ ସେ ହରି ।

ଶୁଣି ସେ ଦୂତୀ ବଚନ       ହରଷେ ରମାରତନ

ମନରୁ ତେଜିଲେ ମାନ       କହଇ ଗଉରହରି ।’’

 

ଦୁତୀ ପୁଣି କହିଲା ଶୁଣ, ଶୁଣ -

ନାମ-ସମେତଂ କୃତ-ସଂକେତଂ ବାଦୟତେ ମୃଦୁବେଣୁମ୍‌

ବହୁ ମନୁତେ ନନୁ ତେ ତନୁସଂଗତ-ପବନଚଳିତମପି ରେଣୁମ୍‌ ।।

 

ଆମ କବି ଗୋପାଳକୃଷ୍ଣ ଏହିପରି ଗାଇଛନ୍ତି :-

ଧୀରେ ସମୀରେ ବସି ଡାକୁଛି ତୋ ନାଁ ରେ

ପ୍ରାଣେଶ୍ୱରୀ ରାଧିକେ       ଶ୍ରୀମତୀ ଗାନ୍ଧର୍ବିକେ

ବୋଲି ହଜି ଯାଉଛି ତା ଚେତନା ରେ ।

X      X      X      X      X

ତା ଦୋଷ ବୁଝାମଣା କରି ଛାମୁକୁ ଅଣା

ଦଣ୍ଡ ଦିଅ ପଛକେ ତୁ ରୁଷ ନା ରେ ।

 

(ଏ ଦୁଇଟି ଗୀତରେ ଶ୍ରୀଗୀତଗୋବିନ୍ଦର ‘‘ଧୀର ସମୀରେ, ଯମୁନାତୀରେ’’ ଶବ୍ଦଗୁଡ଼ିକ କିପରି ଆମର ଓଡ଼ିଆ ଗୀତ-କବିମାନେ ଆପଣାଇନେଇ ସାଇତିଛନ୍ତି, ତାହା ସହୃଦୟ ଜନର ବିଚାର ତଳକୁ ଆସୁ ।)

 

ଦୁତୀ କହିଲେ -

‘‘ହରିରଭିମାନୀ-ରଜନିରିଦାନୀମିୟମପି ଯାତି ବିରାମମ୍‌

କୁରୁ ମମ ବଚନଂ-ସତ୍ୱର ରଚନଂ ପୂରୟ ମଧୁରିପୁକାମ୍‌ ।’’

 

ଦିନମଣି ଅସ୍ତାଚଳ-ଚୂଳ ଆଶ୍ରୟ କଲେଣି । ଦିଗଙ୍ଗନା-ତନୁରେ ଘନନୀଳଶାଢ଼ୀ ମଣ୍ଡିହେଲାଣୀ । ମୁଗ୍‌ଧେ ! ଆଉ କାହିଁକି ମଠ ? ଚାଲ, ଅଭିସାରର ଉପଯୁକ୍ତକାଳ ସମାଗତ ପରା !

‘‘କାମାର୍ତ୍ତାଭିରେତ୍‌ କାନ୍ତଂ

ସାରୟେହଭିସାରିକା ।’’ (ଦଶରୂପକମ୍‌)

 

ସଖୀ-ବଚନର ପ୍ରତିଧ୍ୱନି ଶୁଭୁଛି ଭକ୍ତ ଗୋପାଳକୃଷ୍ଣଙ୍କ ସଂଗୀତରେ -

ମାନ ତେଜ ସଜନି !

ବ୍ରଜବିଧୁଲାଗି ମୁଁ କରୁଛି ଦୟିନୀ !

ମୋତେ’ଛନ୍ତି ପଠିଆଇ - ତୋତେ ସଂଗେ ନେବାପାଇଁ

ବିଳମ୍ବ କରୁ କିପାଇଁ ରାଜନନ୍ଦିନୀ !’’

 

ଗୋବିନ୍ଦମିଳନ-ଉତ୍‌କଣ୍ଠା ବଳବତୀହେତୁ ବିରହ-ପୀଡ଼ିତା ଶ୍ରୀମତୀ ଅଭିମାନରରେ ଅସମର୍ଥା ସେତେବେଳେ । ସଖୀ ପୁଣି ଏ ସଂବାଦ ବହନ କରି ଶ୍ରୀକୃଷ୍ଣଙ୍କ ନିକଟକୁ ଗଲେ । ଏଣେ ନାଗରରାଜାଙ୍କ ଆଗମନ ଅପେକ୍ଷାରେ ଶ୍ରୀମତୀ ହେଲେ ବାସକ-ସଜ୍ଜିକା ନାୟିକା ।

 

‘‘କୁରୁତେ ମଣ୍ଡନଂ ଯାତୁ ସଜ୍ଜିତେ ବାସ-ବେଶନି

ସା ତୁ ବାସକସଜ୍ଜାସ୍ୟାଦ୍‌ ବିଦିତ ପ୍ରିୟ-ସଂଗମା ।’’

(ସାହିତ୍ୟଦର୍ପଣ)

 

ରସମୁକ୍ତାବଳି ଗ୍ରନ୍ଥକାର କେନ୍ଦୁଝରାଧିପତି ଗଦାଧରନାରାୟଣ ଭଞ୍ଜ ଏହି ବାସକ-ସଜ୍ଜିକା-ନାୟିକା ଲକ୍ଷଣ ବର୍ଣ୍ଣନା କରି ଲେଖିଲେ -

‘‘କେଉଁ ନାଗରୀମଣି କେଳିସଦନ

ନିଜ ଅଙ୍ଗ ସୁବେଶ କରି ଯତନ ଗୋ,

ବିଚିତ୍ର ତଳ୍ପେ ଜାତୀକଳିକା ବୁଣି

ମୁକୁର ଚାହିଁ ବେଶ ହୁଅଇ ପୁଣି ଗୋ ।।

ପୁଂସ ଆଗତ ବିଳମ୍ବରେ ଭାବଇ

ଦ୍ୱାରକୁ ଯାଇ ପଥ ନିରେଖୁଥାଇ ଯେ,

ସଖୀ ଆଗତ ପଦନ୍ୟାସ ଶୁଣିଲେ

ପ୍ରିୟ ମୋ ଆସିଲେ କି ମଣଇ ଭଲେ ଯେ ।।’’

 

‘ଗନ୍ତୁମଶକ୍ତା’ ବାସକ ସଜ୍ଜିକା ନାୟିକାକୁ ପ୍ରିୟ ଆଗମନର ପ୍ରବୋଧବାଣୀ ଶୁଣାଇଲେ ସଂକେତ କୁଞ୍ଜରେ ଉପସ୍ଥିତା ସହଚରୀ ।

 

ସଖୀଭାବାଶ୍ରୀତ ଭକ୍ତକବି ଗୋପାଳକୃଷ୍ଣ ଏହି ମର୍ମରେ କହିଛନ୍ତି -

‘‘ସାଜ ସଜ, ଗୋଷ୍ଠ-ଚନ୍ଦ୍ରମା ଆସିବେ ଆଜ ଗୋ -’’

 

ତେଣେ ଶ୍ରୀମତୀଙ୍କ ବାର୍ତ୍ତାବାହିକା ସଖୀ ଉତ୍କଣ୍ଠିତ ଶ୍ରୀକୃଷ୍ଣଙ୍କ ସମୀପବର୍ତ୍ତିନୀ ହୋଇ ବିରହିରଣୀର ଦଶା ବର୍ଣ୍ଣନା କରି କହିଲେ -

‘‘ପଶ୍ୟତି ଦିଶି ଦିଶି ରହସି ଭବନ୍ତଂ

ତଦଧର ମଧୁର ମଧୂନି ପିବନ୍ତଂ

ନାଥ ହରେ,

ସୀଦତି ରାଧା-ବାସଗୃହେ ।’’

            ଇତ୍ୟାଦି

 

ଦୂତୀ ମୁଖରେ ଶ୍ରୀମତିଙ୍କ ଏତେବେଳର ଦୀନଦଶା ବର୍ଣ୍ଣନା ଘେନି ପୁରାତନ ରସିକ-ଗୀତକବିଙ୍କର ନିମ୍ନାଙ୍କିତ ରଚନାଟି ନିଶ୍ଚିନ୍ତଭାବରେ ମହାକବିଙ୍କର ପ୍ରୋକ୍ତ ସଂଗୀତର ଭାବାନୁକରଣ ।

‘‘କଳାକାହ୍ନୁ କୁହୁକ ଜାଣେ,

ଯେଣିକି ଚାହିଁଲେ ଦିଶଇ ତେଣେ ।’’

 

ଦୁତୀ ପୁଣି କହିଲେ, ‘‘ଶଠ ନାଗର ! ସଖୀ ମୋର ହରିମୟଜଗତ ଦେଖୁଛନ୍ତି । ଦୁଃଖ ଲାଗୁଛି, ତୁମେ ଯାହା ତିଳେ ହେଲେ ତାଙ୍କ କଥା ଚିନ୍ତା କରୁ ନାହଁ । ସଂକେତ କୁଞ୍ଜରେ ତୁମର ବିଜେପଥ ଚାହିଁ-ଚାହିଁ ଆଖିପାଣି ଆକିକୋଣରେ ମଲାଣି ତାଙ୍କର । ଅଭିସାରଜନିତ ଆନନ୍ଦରେ କେବେ ପୁଣି ଦୁଇ-ଚାରି ପାହୁଣ୍ଡ ମାତ୍ର ଚାଲିବାବେଳକୁ ମୋହଯାଉଛନ୍ତି ସେ ।’’

‘‘ମୁହୁରବଲୋକିତ ମଣ୍ଡନଲୀଳା

ମଧୁରିପୁରହମିତ ଭାବନଶୀଳା ।’’

 

ତମରିପରି ବେଶମଣ୍ଡିତା ହୋଇ ନିଜକୁ ‘‘ମୁଁ କୃଷ୍ଣ’’ ବୋଲି ବିଚାରୁଛନ୍ତି ସେ (ରାଧା) ।

ସଖୀଙ୍କର ଦିବ୍ୟୋନ୍ମାଦ ଅବସ୍ଥା ବିପ୍ରଲମ୍ଭ ଶୃଙ୍ଗାରର ମୋହନ ଭାବ ଲକ୍ଷଣ-ବିକାଶ । ‘‘ଭ୍ରମାଭା କାପି ବୈଚିତ୍ରମ୍‌’’

(ଉଜ୍ଜ୍ୱଳ ନୀଳମଣି)

 

ଶ୍ରୀମତୀଙ୍କର ଅଧିରୁଢ଼ ମହାଭାବ ଅବସ୍ଥା ଉପସ୍ଥିତ । ‘ମୋହନ’ ଏବଂ ‘ମାଦନ’ ରୂପରେ ଏହା ଦ୍ୱବିଧ । ସମ୍ଭାଗକାଳ ଆସି ନାହିଁ । ତେଣୁ ମୋହନ ବିଭାଗର ପ୍ରଶ୍ନ ଉଠୁ ନାହିଁ । ବର୍ତ୍ତମାନ ମାଦନାବସ୍ଥା ।

‘‘ମାଦନସ୍ୟ ଏବ ବୃତ୍ତିଭେଦୋ ଦିବ୍ୟୋନ୍ମାଦଃ’’,

 

ଏ ମାଦନ ହିଁ ସର୍ବଶ୍ରେଷ୍ଠ ଅବସ୍ଥା ଏବଂ କୁହା ଯାଇଅଛି ଯେ -

‘‘ଏଷଃ ମାଦନଃ ସର୍ବଶ୍ରେଷ୍ଠଃ ଶ୍ରୀରାଧାୟା ଏବ ନାନ୍ୟତ୍ର ।’’

 

ବିରହରେ ଶ୍ରୀକୃଷ୍ଣ ସ୍ଫୁର୍ତ୍ତି ଏବଂ ନିଜକୁ କୃଷ୍ଣ ବୋଲି ଜ୍ଞାନ କରିବା ଏହି ମାଦନ ଅବସ୍ଥାର ଲକ୍ଷଣ ।

ଏହି ଅବସ୍ଥାରେ ସଖୀ ଶ୍ରୀକୃଷ୍ଣଙ୍କୁ କହିଲେ –

 

-ଆଉ ବିଚାରିବାକୁ ତର ନାହିଁ । ଉଠ, ଚାଲ । ଧୃଷ୍ଟ ! ବିଳମ୍ବ ନ କରି ଶୀଘ୍ର କୁଞ୍ଜକୁ ବିଜେ କର । ଦୀର୍ଘ ରାତ୍ରି ଯାପନ ବିରହଣୀ ସଖୀଙ୍କପକ୍ଷେ ଏକାବେଳେ ଅସମ୍ଭବ ହୋଇପଡ଼ିଛି ।

 

ଉତ୍କଣ୍ଠିତା ଶ୍ରୀମତୀ, ସଂବାଦବାହିକା ଦୁତୀର ବାହୁଡ଼ାଣିରେ ଉଚ୍ଛୁର ହେବାରୁ ପୁଣି ଅନ୍ୟ ଜଣେ ସଖୀକୁ ଦୂତବେଶରେ ସଜାଇ ସଂକେତଦ୍ୱାରା ନାଗରରାଜାଙ୍କ ବିହରଣ ସ୍ଥାନକୁ ପଠାଇ ତାଙ୍କ ଆଗମନର ସଂବାଦ ଦେଲେ ।

ଇତ୍ୟବସରରେ ସଂକେତ ଘେନି ବାହୁଡ଼ିଆସିଛି ପୂର୍ବପ୍ରେରିତା ଦୂତୀ- ‘‘ଶ୍ୟାମ ନାଗର କୁଞ୍ଜକୁ ବିଜେ କରିବେ ।’’

ଆମର ଗୀତକବି ‘ମାନ ହୋତା’ ଏହି ରସାନୁପ୍ରାଣିତ ହୋଇ ସଖୀ-ବଚନର ପ୍ରତିଧ୍ୱନି ଶୁଣାଇ କହିଛନ୍ତି -

 

‘‘ଆସିବେ କୁଞ୍ଜକୁ ରସିକରାଜ

ରେ ସଂଗିନୀ, ମନୁ ଖେଦ ବରଜ ।

ରସିବେ ତୋ ତୁଲେ ମୁରଲୀପାଣୀ -

ତୋଷିବେ ଭଣି ସେ ବିନୟ ବାଣୀ ।

ନାଶିବେ ମଦନ-ଦହନ-କଦନ

ସଂକଳପ ତୋର ପୂରିବ ଆଜ ।

 

ପ୍ରେମର ନାଗର ଶ୍ରୀକୃଷ୍ଣଙ୍କୁ ବିରହାନଳରେ ଦହନ କରି ନିଜେ ପ୍ରେମମୟୀ ମଧ୍ୟ ସେହି ଜ୍ୱାଳା ଭୋଗୁଛନ୍ତି ।

‘‘ଅନଳ ଜାଳଇ ପରେ ଜାଳି ଆଗେ ତା ଅଙ୍ଗ ।’’

ପ୍ରେମ ହିଁ ରତି । ପ୍ରେମ ହିଁ ଶୃଙ୍ଗାର ।

 

ଶୃଙ୍ଗାରର ଦୁଇଟି ବିଶିଷ୍ଟ ଅବସ୍ଥା - ଏଥି ପୂର୍ବରୁ କୁହାଯାଇଅଛି ଯେ ଗୋଟିଏ ମୋହନ ଅନ୍ୟଟି ମାଦନ ।

ମୋହନ - ବିରହରେ, ମାଦନ - ମିଳନରେ ।

ମହାଭାବମୟୀଙ୍କର ବିରହ-ଦଶାଚିତ୍ରଣରେ ହିଁ ବିପ୍ରଲମ୍ବ ଶୃଙ୍ଗାର ରତିରେ ପରିସ୍ଫୁଟ । ଏହାର ଅଭିବ୍ୟକ୍ତ ମାଦନରେ । ମୋହନର ଅନ୍ତର୍ଗତ ଦିବ୍ୟୋନ୍ମାଦ ଇତ୍ୟାଦି ଭାବ । ସେହିପରି ମାଦନର ଅନ୍ତର୍ଭୁକ୍ତ ହେଲା ଭାବୋଲ୍ଲାସ । ଦିବ୍ୟୋନ୍ମାଦ ଓ ଭାବୋଲ୍ଲାସ - ଉଭୟ ଭାବସୂଚକ ଶୃଙ୍ଗାର ରସ ଘେନି ଶ୍ରୀଗୀତଗୋବିନ୍ଦ ରସାୟିତ ।

 

ଦୂତୀ ଶ୍ରୀକୃଷ୍ଣଙ୍କ ନିକଟରୁ ବାହୁଡ଼ି ଆସି ବାସକ ସଜ୍ଜିକାନାୟିକା ରାଧିକାଙ୍କୁ ଆଶାବାଦୀ ଶୁଣାଇଲା - ‘‘ରସରାଜ ବିଜେ କରିବେ ।’’ ଫୁଟିଉଠିଲା ଭାବୋଲ୍ଲାସର ଚରମ ଅଭିବ୍ୟକ୍ତି । ଦିବ୍ୟୋନ୍ମାଦରେ ବିହ୍ୱଳିତା ମିଳନଉତ୍କଣ୍ଠିତା ଶ୍ରୀମତୀ ଅପେକ୍ଷା କରି ରହିଲେ ନାଗର ନଟବରଙ୍କର ଶୁଭାଗମନକୁ । କିନ୍ତୁ କାହିଁ ? ଚାହିଁ ଚାହିଁ କଣ୍ଟ ତ ବଳିପଡ଼ିଲା - ସଂକେତ କାଳ ଯେ ଅତୀତ ହେଲା । କାହିଁ ?

‘‘କଥିତ ସମୟେଽପି ହରି-ରହହ

ନ ଯଯୌ ବନଂ ।’’

 

ଆସିଛି ଦୂତୀବଚନରେ ଅବିଶ୍ୱାସ । ବିପ୍ରଲବ୍‌ଧା ବିଷାଦିନୀ ଶ୍ରୀମତୀ ଭାଳିଲେ ସଖୀ ତାଙ୍କୁ ବଞ୍ଚନା କରିଛି ।

‘‘ପ୍ରିୟଃ କୃତ୍ୱାପି ସଂକେତଂ ଯସ୍ୟା ନାୟାତି ସନ୍ନିଧଂ

ବିପ୍ରଲବ୍‌ଧା ତୁ ସା ଜ୍ଞେୟା ନିତାନ୍ତ ଅବମାନିତା ।’’

(ସାହିତ୍ୟଦର୍ପଣ)

 

ନାଗରକର୍ତ୍ତୃକ ପ୍ରତ୍ୟାଖାତା ଭାଳି ସେ ନିଜକୁ ନିତାନ୍ତ ଅବମାନିତା ବିଚାରିଲେ । ତହୁଁ ନାନା ସନ୍ଦେହ ଆସିଲା ମନରେ । ଭାଳିଲେ -

‘‘କାପି ମଧୁରିପୁଣା ବିଳସତି ଯୁବତୀରଧିକ ଗୁଣା ।’’

 

ଲୌକିକ ନାରୀ-ସୁଲଭ ଶୃଙ୍ଗାର-ଚିତ୍ରବର୍ଣ୍ଣନ ସ୍ଥାନ ପାଇଛି ଏହିଠାରେ ।

ଶ୍ରୀମତୀ ପୁଣି କହିଲେ -

‘‘ରଚୟତ ସୁଭୃଶମ୍‌, କାମପି ସୁଦୃଶଂ ଖଳହଳଧରସୋଦରେ ।

କିମଫଳମବସଂ ଚିରମିହ ବିରସଂ ବଦ ସଖୀ ବିଟପୋଦରେ ।।’’

 

ସଖୀ ! ହଳଧର-ସୋଦର (ଚାଷୀର ଭାଇ, ତେଣୁ ଅରସିକ) ଖଳସ୍ୱଭାବ ଶ୍ରୀକୃଷ୍ଣ କେହି ସୁନୟନା ରମଣୀସହିତ ପ୍ରଗାଢ଼ ରମଣାନନ୍ଦରେ ମାତିଥିବେ । କହ ନା ତେବେ ସଖୀ ! ମୁଁ କାହିଁକି ମନଦୁଃଖରେ ଏଇ ବନଭିତରେ ବୃଥାଟାରେ ଅନାଇଁ ବସିଥିବି ତାଙ୍କୁ ! ରସଗ୍ରାହକ ଗୀତକବି ପୀତାମ୍ବର ଦ୍ୱିଜ ଏହିଠାରେ ଶ୍ରୀମତୀଙ୍କ ମନକଥା ଫୁଟାଇ ଲେଖିଛନ୍ତି -

 

‘‘ଚାଲ, ସଜନି ! ଯିବା ଗୋ, ହେଲା ତ ଜଣା ।’’

‘‘ଅଧିକ ଏଥୁଁ ଫଳ - ଅପବାଦ କେବଳ’’ ।

X      X      X

କାହିଁପାଇଁ ରସିଲି

ବହ୍ନି ଏ ବୋଲି ଚାହିଁ-ଚାହିଁ ଝାସିଲି

ଏ ରସେ ପୀତମ୍ବର ଦ୍ୱିଜ କହଇ ଗୀର,

ପ୍ରେମକୁ ମୋ ଜୁହାର, ଯାହା କଲା ଏଥର ।’’

 

‘‘ନାୟାତଃ ସଖି ନିର୍ଦ୍ଦୟୋ ଯଦି ଶଠ

ସ୍ତ୍ୱଂ ଦୂତି କିଂ ଦୂୟସେ ।

ସ୍ୱଚ୍ଛନ୍ଦଂ ବହୁବଲ୍ଲଭଃ ସ ରମତେ

କିଂ ଚକ୍ର ତେ ଦୂଷଣମ୍‌।’’

 

-ପରେପରେ ବିପ୍ରଲମ୍ଭଶୃଙ୍ଗାର ରସର ଅଲୌକିକତାସହିତ ମହାଭାବାଧିରୂଢ଼ ପ୍ରେମର ଚରମ ଅଭିବ୍ୟକ୍ତ ଫୁଟାଇଛନ୍ତି ମହାକବି ।

‘‘ସ୍ୱ ଭୁମୈରପି ତତ୍‌ସଙ୍ଗ ତୃଷ୍ଣା ମୃତ୍ୟୁପ୍ରତିଶ୍ରବାତ୍‌।’’ (ଉ:ନୀ:)

(ମୃତ୍ୟୁ ସ୍ୱୀକାର କରି ମଧ୍ୟ ନିଜର ପଞ୍ଚଭୂତଦ୍ୱାରା ପ୍ରିୟ ସଂଗତୃଷ୍ଣା) ।

 

ଏହା ହିଁ ମୋହନ-ଭାବ-ବିପ୍ରଲମ୍ଭ ଶୃଙ୍ଗାର ରସ-ବିକାଶର ପରାକାଷ୍ଠା । ଶ୍ରୀଗୀତଗୋବିନ୍ଦ କବି ବିପ୍ରଲବ୍‌ଧା ନାୟିକା ଶ୍ରୀମତୀଙ୍କ ମୁଖରେ କୁହାଇଅଛନ୍ତି -

 

‘‘ପଶ୍ୟାଦ୍ୟ ପ୍ରିୟସଂଗମାୟ

ଦୟିତସ୍ୟାକୃଷ୍ୟମାଣଂ ଗୁଣୈ-

ରୁତ୍କଣ୍ଠାର୍ତ୍ତିଭରାଦିବ ସ୍ଫୁଟଦିଦଂ

ଚେତଃ ସ୍ୱୟଂ ଯାସ୍ୟତି ।’’

 

-ଦେଖ ଦେଖ ସଖି ! ପ୍ରିୟ ନାୟକ ରସରାଜଙ୍କ ଗୃଣାକୃଷ୍ଟଚିତ୍ତ ମୋର ଅତିଶୟ ଉତ୍କଣ୍ଠା ଏବଂ କନୋବେଦନାର ବଶବର୍ତ୍ତୀହେତୁ ବିଦୀର୍ଣ୍ଣ ହୋଇ ସ୍ୱୟଂ ତାଙ୍କ ନିକଟକୁ ଗମନ କରିବ - ଏହିଠାରେ ରାଧାରସର ଆଲୌକିକତା ବିଚିତ୍ରରୂପରେ ବିକଶିତ ।

 

ପୁଣି ସେହି ରାଧାରସ, ନିପୁଣ ରସଭରା ଲେଖନୀରେ ଚିତ୍ର କରି ମଧୁର ଲୀଳା ବର୍ଣ୍ଣନା କରିଛନ୍ତି ମହାକବି ଶ୍ରୀକୃଷ୍ଣଙ୍କର କୁଞ୍ଜ ଭିସାର ଘେନି ।

 

ଏ କଥା ପାଶୋରିଦେଇଛନ୍ତି ଧନୀ ଯେ ବଜ୍ରବଲ୍ଲଭ ନାଗରରାଜ ଶ୍ରୀକୃଷ୍ଣ ହିଁ ଏକମାତ୍ର ‘ପୁରୁଷ’ ଅନ୍ୟ ସମସ୍ତେ ‘ନାରୀ’ ! ଜୀବନରେ ଥାଇ ନ ଥିବାପରି ଅବସ୍ଥା ରାଧିକାଙ୍କର । ନିରତିଶୟ ମନୋବେଦନା ସହୁଥିବାବେଳେ ନୀରଭରା ନୟନସମ୍ମୁଖରେ ତାଙ୍କର ଯେତେବେଳେ ଲିଭିଲିଭି ଆସୁଥଇଲା ଅଗଣନ ଆଶାର ତାରକା, ସେତେବେଳେ ଉଷାର ଅରୁଣ ଝଲକତଳେ କୁଞ୍ଜଦ୍ୱାରରେ ବିଜେକଲେ ଧୂର୍ତ୍ତ ଶିରୋମଣି ।

 

ନିରାଶା ଅପମାନ, ଅଭିମାନ, ରୋଷ, ଘୃଣା, ବିରାଗ - ସମସ୍ତେ ସତେ ଠୁଳ ହୋଇଗଲେ ବିପ୍ରଲବ୍‌ଧାର ମନ - ମନ୍ଦିରରେ । ସତେ ଅବା ଶଠନାଗରଙ୍କପ୍ରତି ନିଃଶ୍ୱାସକଣାର ଦୂରସ୍ପର୍ଶରେ ମଧ୍ୟ ତନୁ ତାଙ୍କର କଳୁଷିତ ହେବ !

 

‘‘ହରି ହର ଯାଇ ମଧବ ଯାହି

କେଶବ ମା ବଦ କୈତବାଦଂ

ତାମନୁସର ସରସୀରୁହଲୋଚନ

ଯା ତବ ହରତି ବିଷାଦଂ ।’’

 

‘‘ଆଉ ତମର ସେ ଛଳ କୁହାରେ ଭଳିଯିବ ନାହିଁ ରାଧା । ଦୂର ହୁଅ । ଯାଅ, ଯେ ତମ ବିଷାଦ-ହାରିଣୀ, ରାହାରି ଅନୁସରଣ କର ।’’

 

ଖଣ୍ଡିତା ନାୟିକା ଶ୍ରୀକିଶୋରୀଙ୍କ ମୁଖରେ ଏହି ଜୟଦେବୀ ଭଣିତ ବାଣୀର ବିଶ୍ୱସ୍ତ ଅନୁସୃତି ବିକଶିଉଠିଛି ଆମର ପୁରାଣଗୀତକବି ବନମାଳୀ, ଗୋପାଳକୃଷ୍ଣ ପ୍ରଭୃତିଙ୍କ ରସ-ରଚନାରେ । କବି ବନମାଳୀ ରାଧାଭାବରେ ମଜ୍ଜି କହିଲେ -

 

‘‘ଛଇଳ ହେ, ଛୁଅଁ ନା ତନୁକୁ ମୋର

ମୁକୁରେ ମୁଖ ଦେଖ, କି ଚିହ୍ନ ସେ ପ୍ରତ୍ୟକ୍ଷ,

ଗଣ୍ଡେ ଦିଶୁଛି ଜର ଜର ହେ ।୦।

X      X      X      X

ରତେ ପୁହାଇ ନିଶି, ଆସିଛି କଳାଶଶୀ -

ଫେରିଯାଅ ପାଶେ ତାହାର ହେ ।

କହଇ ବନମାଳୀ-ବୃଷଭାନୁ ଦୁଲାଳୀ

ଖଣ୍ଡିତା ରସେ ରୋଷଗିର ହେ ।’’

 

ରତିବଞ୍ଚିତା, ଅଭିମାନବତୀ ରାଧିକା ଧୂର୍ତ୍ତନାୟକ ଶ୍ରୀକୃଷ୍ଣଙ୍କୁ ଆଉ ଚାହିଁବେ ନାହିଁ ବୋଲି ପଣ କରି ମୁଖ ଫେରାଇ ବସିବାବେଳକୁ ଅମାନିଆଁ ଆଖିକି ତାଙ୍କର କିଏ ସତେ ଟାଣିନେଇ ଲଖାଇଦେଲା ବହୁବଲ୍ଲଭ ନାଗରରାଜାଙ୍କର ରକ୍ତରଙ୍ଗ ନୟନଯୁଗଳରେ ।

ପଲକର ଚତୁରାକ୍ଷରେ ଶ୍ରୀମତୀ ଦେଖିଲେ -

 

‘‘ରଜନିଜନିତ ଗୁରୁ ଜାଗରରାଗକଷାୟି ତମଳସନିମେଷମ୍‌

ବହତି ନୟନମନୁରାଗମିବ ସ୍ଫୁଟମୁଦିତରସାଭିନିବେଶମ୍‌ ।’’

 

ରସ-ମୁକ୍ତବଳୀର ସହୃଦୟ କବି ଅନ୍ୟ ସଂଭୋଗ-ଚିହ୍ନିତ ଧୃଷ୍ଟନାୟକ ଦର୍ଶନରେ ଈର୍ଷାକଷାୟିତା ନାୟିକା ରାଧିକାଙ୍କ ମନୋବେଦନାରେ ବ୍ୟଥାଜର୍ଜ୍ଜରିତ ସଖୀ-ଭାବାପନ୍ନ ହୋଇ ଲେଖିଛନ୍ତି -

 

‘‘ଯେଉଁ ଦିନ କୁଞ୍ଜରେ             କୃଷ୍ଣ ନିଶି ଶେଷରେ

ପ୍ରବେଶ ହେଲେ ତୁମ୍ଭଠାରେ

ତାଙ୍କ ହୃଦେ କୁଙ୍କୁମ             ଗଣ୍ଡେ ଯାବକ ଚିହ୍ନି

ଅଙ୍କିତ କଜ୍ଜ୍ୱଳ ସିନ୍ଦୁର ଗୋ

ଚନ୍ଦ୍ରମୁଖି !

ତା ଦେଖି ତୁମ୍ଭେ କଲ ମାନ             ବୋଧିଲେ ସେ ଯେଉଁ ବଚନ

ଚିତ୍ର ମୁଁ ଲେଖୁଥିଲି - କାଳି ହିଙ୍ଗୁଳ ଦଳି

ପ୍ରତିମା ତୁମ୍ଭରି ସମାନ ଗୋ ।’’

 

ଶ୍ରୀମତୀ ମନୋବେଦନାରେ ବ୍ୟଥାତୁର ଦରଦୀ କବି ଗୋପାଳକୃଷ୍ଣ ମହାକବି ଜୟଦେବଙ୍କ-ଅମଳ ରଚନାକୁ ଏକାନ୍ତରେ ଅନୁସରି ଶୁଣାଇଛନ୍ତି -

 

‘‘ଯାଅ ଯାଅ ଶଠ ! ସବୁ ପଡ଼ିଲାଣି ଜଣା

ବ୍ୟର୍ଥେ ଆଉ ମୋର ପାଶେ ନ କର ପ୍ରତାରଣା ।୦।

ରାତ୍ରି ଜାଗରଣ ହୋଇ             ତୁମ୍ଭର ନୟନ ଦୁଇ

ଦିଶୁଛି ଆରକ୍ତ-ବର୍ଣ୍ଣ କଲି ମୁଁ କଳଣା ।।

X      X      X

ଯେ ତବ ମନର ଦୁଃଖ             ଦୂର କରିବ ଶ୍ରୀମୁଖ

ସେ ବାଳାକୁ ଅନୁନୟ- ବାଣୀ କର ଜଣା ।

X      X      X

ସ୍ୱାମିନୀଙ୍କ ପକ୍ଷ ହୋଇ             ଗୋପାଳକୃଷ୍ଣ କହଇ

ବାହୁଡ଼ି ଯାଅ ବଞ୍ଚକ ! ନ କର ବଞ୍ଚନା ।’’

 

ଏହି ‘‘ଖଣ୍ଡିତା ନାୟିକା’’ ଲକ୍ଷଣ ଘେନି ଦଶରୂପକ ଗ୍ରନ୍ଥକାର କହିଛନ୍ତି -

‘‘ଜ୍ଞାତେଽନ୍ୟାସଙ୍ଗ ବିକୃତେ ଖଣ୍ଡିତେର୍ଷାକଷାୟିତା । ’’

 

ଆମର ସଂଗୀତ-କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ଖଣ୍ଡିତା ନାୟିକାର ଲକ୍ଷଣ ବର୍ଣ୍ଣନାକରି ‘ରସ-ପଞ୍ଚକ’ରେ କହିଲେ:-

 

ସୁଜାଣ ନାଥ, ସେ ତୋ କାମିନୀ

ସାରିଲୁ ଆଜି ଯା ସଙ୍ଗେ ଯାମିନୀ ।୦।

ସୁରସ ଜାଣେ ବିଶେଷ             ଶ୍ରୀଘ୍ର ଯାଅ ତାର ପାଶ

ଶୋଚନା ବଞ୍ଚନା ମୋତେ ସାକ୍ଷୀଛନ୍ତି ଅଙ୍ଗକେତେ

ଇତ୍ୟାଦି...(ରସ ପଞ୍ଚକ)

 

ସେହିପରି ‘ରସମୁକ୍ତାବଳୀ’କାର ମଧ୍ୟ ଖଣ୍ଡିତା ନାୟିକା ବର୍ଣ୍ଣନାରେ ଲେଖିଛନ୍ତି :-

‘‘ବିନିଦ୍ର କେଉଁ ରାମା ଶଯ୍ୟାରେ ବସି

କାନ୍ତ ଉେଦ୍ଦେଶ୍ୟେ ଶେଷ ହୋଇଲା ନିଶି ଯେ

ନୟନୁ ବିସର୍ଜନ ଲୋତକ ଧାର

ଏକାଳେ ଉପଗତ ହେଲା ନାଗର-ଯେ ।

 

ନଗରୀ ପାଶେ ବସି ଭାଷୁଁ ମଧୁର

ସୁନ୍ଦରୀ ଚାହିଁଦେଲା ଅଙ୍ଗକୁ ତାର ଯେ ।

ଯୁବତୀ ନଖବ୍ରଣ ହୋଇଛି ବ୍ୟକ୍ତ

ଲାକ୍ଷା କୁଙ୍କୁମ ସିନ୍ଦୁରରେ ଚିତ୍ରିତ ଯେ ।

 

ଭାଲରେ ବିଲେପିତ କଜ୍ଜଳ ଗାର ।

ଦେଖି ଖଣ୍ଡିତା ମୁଖେ ନସ୍ଫୁରେ ଗିର ଯେ

ଯେତେ ବିନୟ ଗିର ନଘେନି ଚଣ୍ଡୀ

ସହି ନପାରି ହୃଦେ ହୁଅଇ ଖଣ୍ଡି ଯେ ।

 

ଯେତେ ଲୁଚାଇଲେ ହେଲେ ଶ୍ରୀମତୀଙ୍କ ମନ-ନୟନ ଶ୍ୟାମଙ୍କ ଛଳନା ସହଜରେ ବାରିପାରିଲା -

 

‘‘କୃତାପରାଧୋନିର୍ଭିକୋ ନୀର୍ହୀକ ସ୍ତର୍ଜିତୋଽପି ଚ

ଦୃଷ୍ଟଦୋଷୋଽପି ମିଥ୍ୟାବାକ୍‌ ବୁଧୈର୍ଧଷ୍ଟୋଽୟମୀରିତଃ’’ ।

(ରସମୁକ୍ତାବଳୀ)

 

ଧୃର୍ତ୍ତନାୟକରୂପେ ଚିହ୍ନିତ ନଟବରଙ୍କର ବିବିଧ ଚାଟୁ ବଚନ ବୃଥା ହେଲା । ମଦନ ପୀଡ଼ିତା-ରତିରସ ବଞ୍ଚିତା, ବିଷାଦିନୀ ରାଧିକା ଅଭିମାନବତୀ ହୋଇ ଫେରାଇ ଦେଇଛନ୍ତି ଶ୍ୟାମଙ୍କୁ । ଶୁଣିଲେ ନାହିଁ ସିନା ତାଙ୍କର ଯାବତ ଅନୁନୟ, ହେଲେ ମନ କିନ୍ତୁ ତେଣେ ଜଳି ପୋଡ଼ି ଯାଉଛି ମିଳନର ବ୍ୟର୍ଥତାରେ । ପାଲଟିଛନ୍ତି ସେ କଳହାନ୍ତରିତା-

 

‘‘ଚାଟୁକାରମପି ପ୍ରାଣନାଥଂ -

ରୋଷାଦପାସ୍ୟ ଯା

ପଶ୍ଚାତ୍ତାପମବାପ୍ନୋତି

କଳହାନ୍ତରିତା ତୁ ସା ।’’

(ସାହିତ୍ୟଦର୍ପଣ ପୃ-୮୦)

 

ଏହି ରୀତିକୁ ବର୍ଣ୍ଣନାକରିଛନ୍ତି ଆମର ଭଞ୍ଜକବି ରସପଞ୍ଚକରେ -

‘ସରୋଷ ହେଲି, ସଖି ମୁଁ ହୁଡ଼ିଲି

ସଭରମ ହୋଇ କାନ୍ତେ କି କରମ କଲି ।୦।

X      X      X

କୋପାକ୍ରାନ୍ତଂ ପରାଭୂୟ ପଶ୍ଚାତ୍ତପସମନ୍ୱିତା

କଳାହାନ୍ତରିତ ଜ୍ଞେୟା ନାୟିକା ଭେଦ ବାଭିଦଃ ।’’

 

କିନ୍ତୁ ଆଉ ଭାଳିଲେ କଅଣ ହେବ ? ନାୟକ ଅପମାନିତ ହୋଇ କୁଞ୍ଜତ୍ୟାଗ କଲେଣି । ଆଖିଲୁହ ସାର କରି ଶ୍ରୀମତୀ ପଶ୍ଚାତ୍ତାପ କରୁଥିବା ବେଳେ ସଖୀ ତାଙ୍କୁ ଏକାନ୍ତରେ ବୁଝାଉଥିବା ଦୃଶ୍ୟ ଭକ୍ତ ଗୀତିକାର ବନମାଳୀଙ୍କ ଭାବ ଦୃଷ୍ଟି ଏଡ଼ାଇ ପାରି ନାହିଁ । ପ୍ରାଣପ୍ରିୟା ସଖୀ ସହିତ ସେ ମଧ୍ୟ ଶ୍ରୀମତିଙ୍କୁ ବୁଝାଇ କହିଛନ୍ତି ।

 

ଭାଳି ଭାଳି ଦିନ ସରିବ ନାହିଁ ଗୋ କିଶୋରୀ,

ଶ୍ୟାମେ ହେଲୁ ଅସ୍ନେହୀ ।

ଜାଣୁମଣି ହୋଇ ନ ପାରୁ ଜାଣି

      ଆଣୁନାହୁଁ ଚିତ୍ତେ ସଖୀଙ୍କ ବାଣୀ

X      X      X

ବନମାଳୀ ବୋଲେ ଏତେ ମାତର

ମନମୋହନକୁ ନ କର ପର ।

 

ଆହୁରି ମଧ୍ୟଗୋପୀଭାବାପନ୍ନ ବନମାଳୀ ବୁଝାଇ ପଚାରିଛନ୍ତି -

‘‘ସରାଗ ତୋ ମୁଖେ ନାହିଁ ଗୋ ଶ୍ରୀମତି !

ସରାଗ ତୋ ମୁଖେ ନାହିଁ ।

ପରାଗ ମୁଞ୍ଚିଲା ପଙ୍କଜ ପରାଏ

ଦିଶୁଅଛୁ କାହିଁ ପାଇଁ ?

 

ନିନ୍ଦୁ ଶ୍ୟାମଘନ ଶୋଭାକୁ, ତୁ କିପାଁ

ପିନ୍ଧିଅଛୁ ନୀଳଚେଳ

ଚାରୁ ମୃଗମଦ ତିଳକ ଲାବଣ୍ୟ

ନିଟିଳେ ହୋଇଛି ମେଳ ।’’

X            X            X

 

‘‘ବନମାଳୀ ବୋଲେ ଯା’କୁ ନ ଦେଖିଲେ

ନେତ୍ରୁ ବହେ ଅଶ୍ରୁ ଧାର

ଶ୍ୟାମକୁ ମାନ ନ କର ମୁଁ କହୁଛି

କାମକୁ ଯେବେ ତୋ ଡର ।’’

 

ଅନ୍ୟ ଗୋପୀ କିଏ କହୁଛି -

‘‘ହରିରୂପଯାତୁ ବଦତୁ ବହୁ ମଧୁରଂ

କିମିତି କରୋଷି ହୃଦୟମତି ବିଧୁରମ୍‌ ।

ମାଧବେ, ମା କୁରୁ ମାନିନି ମାନମୟେ ।’’

 

-ଉଚିତ କଲୁନାହିଁ ଶ୍ରମତୀ ! ବନ୍ଧୁରେ ବିମନା ହୋଇ ।

 

ଆଉ କେଉଁ ସଖୀ ପୁଣି ଝିଙ୍ଗାସି କହିଲା :-ଠିକ୍‌ ହୋଇଛି। ଯେମିତି କର୍ଯ୍ୟ କରିଛୁ ସେମିତି ଫଳ ଫଳିଛି । ବିପରୀତକାରିଣୀ ତୁ । କରଗତ ଚିନ୍ତାମଣିଙ୍କୁ ଅବହେଳାରେ ଦୂରକୁ ଫିଙ୍ଗି ଦେଇଛୁ । ଏବେ ଆଉ ଆଖି ଲୁହ ଝରାଇ ତିନ୍ତାଲଇେ କିଏ ଶୁଣିବ ?

 

‘‘ରେ କିଶୋରି ! ରୁଷିବାର ସିନା ଜାଣୁ

ରସ ଜଳଧିରେ ଅବଗାହୀ ଧୀରେ

ତହୁଁ ତସାର ନ ଛାଣୁ ।

 

ରମଣୀୟ ଜାଣି - ରସି ତହିଁ ପୁଣି

ନ ଡରି ପରିବାଦକୁ

ରୋଷ ଅଙ୍ଗୀକାର କରି କି ତାହାର

ଅଳପ କଥା ପଦକୁ ।

X            X            X

 

ରଙ୍କ ରତନ ଲାଭକୁ ପରି ଏବେ

ରଚି ଯତନକୁ ଭଲେ

ରମ ଶ୍ୟାମ ଛବି କିଶୋରରେ କବି ।

ରବି ରାୟଗୁରୁ ବୋଲେ ।’’

 

ସହାନଭୂତି ବଦଳରେ ଦୁଃଖୀ ମନ ଶୁଣିଛି ଆହୁରି ବେଦନା ଦାୟକ କଟୁବାଣୀ । ସଭିଏଁ କ’ଣ ପର କରି ଦେଲେ ? ସାଥୀ ତେବେ କିଏ ? ଖଣ୍ଡିତାର ଅନୁତାପ ଆଉ ନୀରବ ନୟନର ନୀରଧାର ସିନା !

 

ସମସ୍ତେ ଭଗାରି ହେଲେ ସଂସାର ରହିବ କିପରି ? ଶ୍ରୀମତୀଙ୍କ ଦୁଃଖରେ ସହାନଭୂତି ଜଣାଇଁ ଦିଗ ଦିଗନ୍ତରେ ତମସା ଓଢ଼ଣୀ ଘେରାଇ ଆସିଛି ସନ୍ଧ୍ୟାବଧୁ । ଉଦୟ ହେଲେ ଚନ୍ଦ୍ରମା, ଝଲସି ଉଠିଛି ବିଷାଦମଳିନ କୁଞ୍ଜ, ସୁଶୀତଳ କର ପରଶରେ ।

 

କୁଞ୍ଜଦ୍ୱାରରେ ସଞ୍ଜ ସମୀରର ମନ୍ଦ ହିଲ୍ଲୋଳ ଦୋଳାୟିତ ଚଞ୍ଚଳ ଚନ୍ଦ୍ରିକା ଚୂଳର ଆଭା, ସଜଳ ନୟନରେ ପ୍ରତିବିମ୍ୱିତ ହେଲା । କିଏ ? ସେହି ଧୂର୍ତ୍ତାନା ? ରୋଷ ଊଣା ହୋଇ ଆସିଥିଲେ ମଧ୍ୟ ରମଣୀଜନସୁଲଭ ଗୁମାନ ଏବେହେଲେ ତୁଟି ନାହିଁ ଅଭିମାନିନୀ ଶ୍ରୀମତୀଙ୍କର । ଆନନ୍ଦ ବିଷାଦର କନ୍ଦଳ ମଧ୍ୟରେ କୁଞ୍ଜବିହାରୀଙ୍କ ଆଗମନରେ ସଖୀମାନଙ୍କୁ ଲାଜୁଆ ଆକ୍ଷି କୋଣରେ ଟିକିଏ ଆଡ଼େଇ ଚାହିଁଲେ ଦୁର୍ଜ୍ଜୟମାନବତୀ ରାଧିକା । ତହୁଁ ଅବସର ବୁଝି ଚଟୁଳ-ଚାଟୁ-ବଚନ-ପଟୁ ମନମୋହନ ବହୁମତେ ବିନୟବାଣୀ ଭିଣି ଜଣାକଲେ :-

 

‘‘ତ୍ୱମସି ମମ ଭୂଷଣଂ ତ୍ୱମସି ମମ ଜୀବନଂ

ତ୍ୱମସି ମମ ଭବଜଳଧି ରତ୍ନମ୍‌ ।

ଭବତୁ ଭବତୀହ ମୟି ସତତମନୁରୋଧୀନୀ

ତତ୍ର ମମହୃଦୟମତି ଯତ୍ନମ୍‌ ।।’’

 

ତଥାପି ଅଭିମାନିନୀର ଗୁରୁମାନ ତୁଟିଲା ନାହିଁ । ଚିର ମିଳନ ଦର୍ଶନ ଅଭିଳାଷିଣୀ, ଶ୍ୟାମ ସପକ୍ଷ ବାଦିନୀ ସହଚରୀମାନେ ମୋହନଙ୍କର ଦୁର୍ଦ୍ଦଶାରେ ବିବଣା ହୋଇ କୋପିନୀ ରାଈଙ୍କୁ ବହୁ ଅନୁନୟ କରି କହିଲେ -

‘‘କେବେ ନଥିବାରୁଷା ଆଜ କାହିଁକି ?

ମୋହନଠାରୁ ମନ ଭାଜି ଗଲା କି ? ।୦।

 

ବରଜିବୁ ତୁ ସିନା             କିପରି ସେ ତୋ ବିନା

ବଞ୍ଚିବେ ମାନସରେ ପାଞ୍ଚିଲୁ ନିକି ।

ଶ୍ରୀ ବ୍ରଜେନ୍ଦ୍ର ନନ୍ଦନ             ମୋ ଜୀବର ଜୀବନ

କେତେ ବାର ବୋଲିଛୁ ପାଶୋରିଲୁ କି ?

 

ମହାଭାବ ରୂପିଣୀ            ପ୍ରେମଧନରେ ଜିଣି

ଅଧରୁ ସୁଧା ଯାକୁ ଦେଇଛୁ ଲୁକି

ଆରେ ପ୍ରାଣମିତଣୀ            କେ କି କହିଲେ ଶୁଣି

ଏପରି ହୁଅନା ରେ ଆଉ ଏଣିକି ।

ଗୋପାଳକୃଷ୍ଣ ବୋଲେ      ହାତଧରି ପହିଲେ

ଆନପକାଇ କୁହାଯାଇ ନାହିଁ କି ?’’

 

ତେବେ କେ ତୁଟିଲା ନାହିଁ ଗୁରୁମାନ । ତହୁଁ ମିଳନ ବିଧାୟୀନୀ କେହି ସହଚରୀ କହିଛନ୍ତି -

‘‘କତିନ କଥିତମିଦମନୁପଦମଚିରମ୍‌

ମା ପରିହର ହରିମତିଶୟରୁଚିରମ୍‌

ମାଧବେ, ମା କୁରୁ ମାନିନି ମାନମୟେ ।’’

 

ସମସ୍ତ ଚେଷ୍ଟା ବିଫଳ ହୁଅନ୍ତେ ଆଖି ଛଳଛଳ କରି, କରଧରି ସମଦୁଃଖିନୀ ପ୍ରିୟସଖୀର ଭଣିତ ଅନୁନୟବାଣୀ ଶୁଣାଇଛନ୍ତି ସହୃଦୟ ରସିକ କବିସୂର୍ଯ୍ୟ -

 

‘‘ଗଲା ସବୁ ସରି ରେ ନବ କିଶୋରୀ ।୦।

ଯାହା ଶ୍ୟାମ ଅଙ୍ଗ ଚୁମ୍ୱି ଆସିବା ସମୀର ।

ଛୁଇଁଲେ କେବଳ ହେଉ ରସ ଜରଜର

ପୁଲକେ ଭରତି କରୁ ମୃଦୁ କଳେବର ।

ସେ ଯେବେ ହୋଇଲେ ପର

 

ଯାହା ବେଣୁ ଶୁଣି ଏକା ଧାଇଁ ନିଶିଥରେ

ବୋଲିନାହୁଁ ଦିନେ ଆସ ଯିବା ମିଶି ଥରେ ।

ବିଗ୍ରହ ତାହା ସାଥିରେ ।।

 

ଦୂତୀକର ଧରି କହି ଘେନାଇଁ ଘେନାଇଁ

ନୀପ ନିକୁଞ୍ଜ ପୁଞ୍ଜକୁ ଅନାଇଁ ଅନାଇଁ

ଦିନ ହରୁ ସୁମଝରା ବନାଇଁ ବନାଇଁ

ମୀନନେତ୍ରା ଯାହା ପାଇଁ ।’’

 

ସହଚରୀମାନଙ୍କ ବଚନ ଶ୍ରବଣରେ ଅଭିମାନବତୀର ସ୍ମୃତିପଟରେ ସେହି ଶଶିହସା ମଧୁରାତି, ନିଭୃତ ନିକୁଞ୍ଜ ମିଳନଲୀଳା ଖେଳାଇଦେଲା । ତଥାପି ଆତ୍ମନିବେଦିତା କିଶୋରୀର ପ୍ରଣୟଗର୍ବ-ଜନିତ ଗୁରୁ ଅଭିମାନ, ଶଠନାୟକକୃତ ଅପରାଧ ମାର୍ଜନା କରିବାରେ ରମଣୀସୁଲଭ ଗୌରବହାନୀର ସୂଚନା ଚେତାଇଦେଇ କହିଲା -

‘‘ଟାଣପଣ କର ସାର’’

 

ଭକ୍ତି-ପ୍ରୀତିର ଏ ଅଭିମାନ ହିଁ ଶ୍ରୀମତୀଙ୍କ ହୃଦୟରେ ପ୍ରବଳ ରାଜତ୍ୱ ଜମାଇ ଦେଲା । ତେଣୁ ଯେ ଯେତେ କହିଲେ ହେଲେ ପ୍ରଣୟକୋପିନୀ ବିରହଣୀ ଦୁର୍ଜ୍ଜୟମାନବତୀର ପ୍ରଣୟମାନ ତିଳେହେଲେ ଟଳିଲା ନାହିଁ ।

 

ସ୍ୱକୀୟାର ସ୍ୱପ୍ନ ତଥା ପରକୀୟାର ଗଣ୍ଠିଧନ ଏଇ ଗୁରୁବିରହ ।

 

‘‘ଚିନ୍ତାତ୍ର ଜାଗରୋଦ୍‌ବେଗୈ

ତାନବଂ ମଳିନାଙ୍ଗତା

ପ୍ରକୋପୋ ବ୍ୟାଧିରୁନ୍ମାଦୋ

ମୋହୋ ମୃତ୍ୟୁର୍ଦ୍ଦଶା ଦଶ ।’’

 

ଚିନ୍ତା, ଉନ୍ନିଦ୍ରତା, ଉଦ୍‌ଦେଗ, ବିଶୀର୍ଣ୍ଣତା, ମଳିନତା, ପ୍ରଳାପ, ବ୍ୟାଧି, ଉନ୍ମାଦ, ମୋହ ଏବଂ ମୃତ୍ୟୁ - ଏହି ଦଶ ଦଶା ମଧ୍ୟରୁ ଅଧିକାଂଶ ଅବସ୍ଥା ଭୋଗକରୁଥିଲେ ସୁଦ୍ଧା ପ୍ରଣୟ - ଅଭିମାନକୁ ଦୂରକୁ ଠେଲିଦେଇ ପାରିଲେ ନାହିଁ ରାଈ ।

ପ୍ରେମ-ଭକ୍ତିର ଅଲୌକିକ ରଙ୍ଗ-ବିଚିତ୍ର ବିଭଙ୍ଗ ।

‘‘ଅହେରିବ ଗତିଃ ପ୍ରେମ୍ନ’’

 

ଏ ପ୍ରେମ, ଏ ଭକ୍ତି କେବଳ ପରକୀୟାରତି-ସମ୍ଭବ ଅଭିମାନ - ଯାହା ବାସ୍ତବ ପକ୍ଷେ କହିବାକୁ ଗଲେ ଆଧ୍ୟାତ୍ମିକ ଗରିମା । ପ୍ରୀତିବତୀର ମନେପଡ଼େ ଲାଜ, ମାନ, ଭୟ, କୁଳ, ଶୀଳକୁ ଜଳାଞ୍ଜଳି ଟେକି ଦେଇ ପ୍ରଳୟସଂକାଶ ଘୋର ଘନଘଟ୍ଟା, ରହି ରହି ଚପଳାର ପଲକ ଝଲକ, ବ୍ରଜର ନିର୍ମ୍ମମ ଧମକ, କୁଳବିଧିର ଶତ ବାଧାବିଘ୍ନ ମାନି ନାହିଁ ପରା ସେ ଆତ୍ମ ନିବେଦନର ଉତ୍କଣ୍ଠାଘେନି ।

‘‘କ୍ଷୁରସ୍ୟଧାରା ନିଶିତା ଦୁରତ୍ୟୟା

ଦୁର୍ଗଂ ପଥସ୍ତତ୍‌ କବୟୋର୍ବଦନ୍ତି ।’’

(ଉପନିଷଦ)

 

କଣ୍ଟକାକୀର୍ଣ୍ଣ, କର୍ଦ୍ଦମ ପିଚ୍ଛିଳ ଦୁର୍ଗମ ପଥ ମଧ୍ୟ ପଶରା ନ କରି ସଂକେତ କୁଞ୍ଜକୁ ଅଭିସାର କରିଛି ଧନୀ ।

‘‘କାନ୍ତାର୍ଥନୀ ତୁ ଯା ଯାତି ସଂକେତଂ ସାଭିସାରିକା ।’’

 

ଆଶା, ଆକାଙ୍‌କ୍ଷା, ପ୍ରାଣଭରା ଉତ୍‌କଣ୍ଠା ସବୁହେଲା ବୃଥା ସିନା ! ଚିରମଧୁର-ନିତ୍ୟନବୀନ ଏଇ ପ୍ରିୟ ମିଳନୋତ୍କଣ୍ଠା । ପରକୀୟାର ପରମସଂଗୀ ସେ । ଅନ୍ୟଥା ନୂତନତ୍ୱ କାହିଁ ? ଆତ୍ମନିବେଦନର ଉତ୍‌କଣ୍ଠା ନ ଥିଲେ କାହିଁକି ଭକ୍ତର ଭକ୍ତି-ଅଭିମାନଭୀରୁ ଭଗବାନ୍‌ ଶ୍ରୀକୃଷ୍ଣ କହିଥାନ୍ତେ :-

 

‘‘ସତ୍ୟମେବାସି ଯଦି ସୁଦତି ମୟି କୋପିନୀ,

ଦେହି ଖର-ନଖର-ଶରଘାତମ୍‌’’ ।

ଘଟୟ ଭୁଜବନ୍ଧନଂ ଜନୟ ରାଦ-ଖଣ୍ଡନଂ

ଯେନ ବା ଭବତି ସୁଖ-ଜାତମ୍‌ ।।’’

 

ଏହି ପରକୀୟା ପ୍ରୀତିର ମହତ୍ତ୍ୱ ଘେନି ଗୋଟିଏ ଚମତ୍କାର ଉଦାହରଣ ଉପସ୍ଥାପିତ ହୋଇଛି ‘କାବ୍ୟପ୍ରକାଶ’ରେ-

 

‘‘ଯଃ କୌମାରହରଃ ସ ଏବ ହିବର -

ସ୍ତା ଏବ ଚୈତ୍ରକ୍ଷପାଃ

ତେ ଚୋନ୍ମୀଳିତ-ମାଳତୀ ସୁରଭୟଃ

ପ୍ରୌଢ଼ାଃ କଦମ୍ବାନିଳାଃ ।

 

ସା ଚୈବାସ୍ମି ତଥାପି ତତ୍ର ସୁରତ -

ବ୍ୟାପାରଲୀଳାବିଧୌ -

ରେବାରୋଧସି ବେତସୀ - ତରୁତଳେ

ଚେତଃ ସମୁତ୍‌କଣ୍ଠତେ ।।’’

 

ମାଳତୀ - ସୁଗନ୍ଧ ସୁରଭିତ ଅନିଳ - ବିକମ୍ପିତ ନର୍ମ୍ମଦାତଟସ୍ଥିତ ବେତସକୁଞ୍ଜରେ ଏକଦା କୁମାରୀ ନାୟିକାର ନାୟକ ସଂଗମ ଘଟୁଥିଲା । ସମୟ ପୁଣି ଆସିଛି - ସେ ଦୁହେଁ ହୋଇଛନ୍ତି ବିବାହ - ବନ୍ଧନରେ ବରବଧୂ । ଅଛି ସେଇ ଚାନ୍ଦିନୀ -ରାତି, ସେଇ ଚୋରା - ମଳୟ, ସେଇ ସୁମନଗନ୍ଧ - ସବୁ ଅଛି । ସେଇ ଯୁଗଳଙ୍କର ଆଜି ଅବାଧ ମିଳନ; କିନ୍ତୁ ନାହିଁ ଏ ପ୍ରେମରେ ସେଦିନର ମାଦକତା, ସେ ମିଳନର ଉତ୍କଣ୍ଠା କିମ୍ବା ସୁରତରେ ସେ ସରସ ରଭସ - ସବୁ ଉଭାଇଯାଇଛି । ପରକୀୟା ସ୍ୱକୀୟାରେ ପରିଣତ ହୁଅନ୍ତେ ନିତ୍ୟ ନୂତନତ୍ୱ ନେଇଛି ଚିରବିଦାୟ ।

 

ପ୍ରିୟତମଙ୍କଠାରେ ଅଭିମାନ ହିଁ ପରକୀୟା ରାଧାରସର ଗୌରବ । ଅଭିମାନ କାହାର ଆସେ ? ଯାହାର ଥାଏ ଅତୁଟ ସ୍ନେହ, ନିର୍ମଳ ନିଷ୍ଠା, ଅଧିକାରରେ ବିଶ୍ୱାସ, ଚୂଡ଼ାନ୍ତ ଭକ୍ତି - ସେ ଏକା ମାନିନୀ, ଦୁର୍ଜ୍ଜୟ ଗୁରୁମାନବତୀ । ଏ ମାନଭଞ୍ଜନଲାଗି ଭକ୍ତପ୍ରାଣ ଭଗବାନ୍‌ଙ୍କ କମଳ-ନୟନ ନୀର ଛଳଛଳ ହୋଇପଡ଼େ । ବିକଳ ହୁଏ ହୃଦୟ, ପାଶୋରି ଯାଏ ଐଶ୍ୱର୍ଯ୍ୟ-ଗରିମା । ମହାଭାବଙ୍କର ଦୁର୍ଜ୍ଜୟମାନ ବର୍ଣ୍ଣନବେଳେ ଭାବଭୋଳା ଭକ୍ତ ଜୟଦେବଙ୍କ ଅନ୍ତରନାଥ ସେହି ଭକ୍ତ-ଜୀବନ ଭଗବାନ୍‌ ଶ୍ରୀକୃଷ୍ଣ ନିର୍ଦ୍ଦେଶ ଦେଲେ ଲେଖିବାକୁ -

 

‘‘ଦେହି ପଦପଲ୍ଲବମୁଦାରମ୍‌ ।’’

 

ପ୍ରଣୟକୁପିତା ଅଭିମାନିନୀର ଦୁର୍ଜ୍ଜୟମାନଭଙ୍ଗ - ପ୍ରୟାସୀ ପ୍ରଣୟପ୍ରାର୍ଥୀ ନାୟକର ଏହି ଚରଣଧାରଣପରମ୍ପରା ଅଭିନବ ନୁହେଁ ମେଘଦୂତରେ ମହାକବି କାଳିଦାସ କହିଛନ୍ତି :-

 

‘‘ତ୍ୱାମାଲିଖ୍ୟ ପ୍ରଣୟକୁପିତାଂ ଧାତୁରାଗୈଃ ଶିଳାୟାମ୍‌ ।

ଆତ୍ମାନଂ ତେ ଚରଣ-ପତିତଂ ଯାବଦିଚ୍ଛାମି କର୍ତ୍ତୁମ୍‌ ।’’

(ଉତ୍ତରମେଘ ଶ୍ଳୋ -୪୪)

 

‘‘ପ୍ରଣୟ - କଳହ କାଳର ଟିକିନିଖି କଥାକୁ ଧରିବସି ତୁ ଯେତେବେଳେ ରୁଷିଉଠୁ, ତୋର ଶ୍ରୀମୁଖ, ତୋର ଗଣ୍ଡସ୍ଥଳ ନାଲି ପଡ଼ିଯାଏ, ଆଖି ଦିଓଟିରେ ତୋର ଆହୁରି ରଙ୍ଗ ଆଭା ଦେଖିବାପାଇଁ ମୁଁ ପୁଣି ତୋତେ ଟିକିଏ ରଗାଇଦିଏଁ । ଶେଷକୁ ତୋ ରୋଷ ତୁଟାଇବାକୁ ପାଦତଳେ ପଡ଼େ... ।’’

 

ଆହୁରି ମଧ୍ୟ ‘କୁମାରସମ୍ଭବ’ରେ କେହି ନର୍ମ ସହଚରୀ ଗିରିରାଜଜେମା ଗୌରୀଙ୍କୁ ଅଭିସାର - ବେଶ ସଜାଇଦେବାବେଳେ ପାଦରେ ଅଳତା ଲଗାଇ ଦେଉ-ଦେଉ ପରିହାସରେ କହିବାର କଥାକୁ ମହାକବି ଲେଖିଛନ୍ତି -

 

‘‘ପତ୍ୟୁଃ ଶିରଶ୍ଚନ୍ଦ୍ର - କଳାମନେନ

ସ୍ପୃଷେତି ସଖ୍ୟା ପରିହାସପୂର୍ବମ୍‌

ସା ରଞ୍ଜୟିତ୍ୱା ଚରଣୌ କୃତାଶୀ -

ର୍ମାଲ୍ୟେନ ତାଂ ନିର୍ଦ୍ଧଚନଂ ଜଘାନ ।’’

 

- କେହି ସଖୀ ପାର୍ବତୀଙ୍କ ଚରଣରେ ଅଳତା ଘେନାଇ ଦେଉଦେଉ ପରିହାସକରି କହିଲା - ସଖି ! ଏଇ ଅଳତାମଖା ଚରଣକୁ ତୋ ପତିଙ୍କ ମଥାର ସ୍ପର୍ଶ କରାଇବୁ । ଉମା ସଖୀର ଏ ପରିହାସ ବୁଝିପାରିଲେ । ଭାରି ଲାଜ ଲାଗିଲା ତାଙ୍କୁ, ଲାଜମିଶା ଛଳକୋପରେ ସଖୀକୁ କିଛି ନ କହି ଧରିଥିବା ଫୁଲହାରରେ ତାକୁ ପ୍ରହାର କଲେ ।

 

ଦେହି ‘ପଦପଲ୍ଲବମୁଦାରଂ’ ବୋଲି ଚରଣଭିକ୍ଷା ଅପେକ୍ଷା ଏ ବର୍ଣ୍ଣନାରେ ମହାକବି ଯେ ଆଉ ଟିକିଏ ଦୂରକୁ ଯାଇଛନ୍ତି, ଏଥିରେ ସନ୍ଦେହ କଅଣ ?

 

ଅପରାଧୀ ପ୍ରଣୟୀଜନମୁଖରେ ଏହିପରି ଭାଷା - ରଚନା ସାହିତ୍ୟଦର୍ପଣରେ ଦେଖନ୍ତୁ :-

 

‘‘ଦାସେ କୃତାଗସି ଭବେଦୁଚିତଃ ପ୍ରଭୂଣାଂ

ପାଦପ୍ରହାର ଇତି ସୁନ୍ଦରି ନାସ୍ମି ଦୂୟେ ।

ଉଦ୍ୟତ୍‌କଠୋରପୁଲକାଙ୍କୁର କଣ୍ଟକାଗ୍ରେ -

ର୍ଯତ୍‌ଖିଦ୍ୟତେ ମୃଦୁ ପଦଂ ନନୁ ସା ବ୍ୟଥା ମେ ।।’’

(୧୦ମ ପରିଚ୍ଛେଦ)

 

- ଅପରାଧୀ ଦାସଜନକୁ ପଦପ୍ରହାର କରିବା ପ୍ରଭୁପକ୍ଷେ ସମୁଚିତ । ତେଣୁ ସୁନ୍ଦରି ! ତୁମରି ପଦପ୍ରହାର ମୋତେ ବାଧୁ ନାହିଁ । ତୁମ ପଦାଘାତହେତୁ ମୋ ଅଙ୍ଗରେ ଜାତ ହେଉଥିବା ପୁଲକାଂକୁରିତ କଠୋର କଣ୍ଟକ ତୁମର କୋମଳ ଚରଣକୁ ପୀଡ଼ା ଦେଉଥିବ - ଏହା ହିଁ ମୋତେ ବାଧୁଛି ।

 

ଏଠାରେ ‘‘ଦେହ ପଦପଲ୍ଲବମୁଦାରଂ’’ ଏହି ପ୍ରାର୍ଥନା ବଚନକୁ ତ ଏ ବର୍ଣ୍ଣନା ବଳିପଡ଼ିଛି ।

ବିରହପୀଡ଼ିତା ପ୍ରିୟାର ଅନୁଗ୍ରହ ଲାଭ ଆଶାରେ ପ୍ରଣୟୀ ଦୁଷ୍ମନ୍ତଙ୍କ ମୁଖରେ ମହାକବି କାଳିଦାସ କୁହାଇଛନ୍ତି :-

 

‘‘କିଂ ଶୀକରୈଃ କ୍ଳମବିମର୍ଦ୍ଦିଭିରାର୍ଦ୍ର ବାତଂ

ସଞ୍ଚାଳୟାମି ନଳନୀଦଳ-ତାଳବୃନ୍ତମ୍‌ ।

ଅଙ୍କେ ନିଧାୟ ଚରଣାବୁତପଦ୍ମ ତାମ୍ରୌ

ସଂବାହୟାମି କରୋଭୋରୁ ଯଥା ସୁଖଂ ତେ ।।’’

 

- ‘‘ଜଳକଣାସିକ୍ତ ପଦ୍ମପତ୍ରରେ ବିଞ୍ଚିଦେବି କି ? ତାମ୍ରବର୍ଣ୍ଣ ଚରଣକୁ କୋଳେଇ କରି ଟିକିଏ ଚିପିଦେବି କି ? କରଭୋରୁ ! ଯେପରି ତମର ସୁଖ ଜାତ ହେବ, ତାହା କରିବି, କହ ।’’

 

କିନ୍ତୁ କବିଙ୍କର ଭକ୍ତମାନସ ଏଥିରେ ଏତେବେଳେ ଆଦୌ ସ୍ୱୀକୃତି ଦେଇପାରିଲା ନାହିଁ । ଭଗବାନ୍‌ ଶ୍ରୀକୃଷ୍ଣଙ୍କର ଐଶ୍ୱର୍ଯ୍ୟଗୁଣବିଳାସ-କଳ୍ପନା ଅମର ଲେଖନୀକୁ କବି-କରରୁ ଖସାଇପକାଇଲା । ପ୍ରାକୃତ - ମାନବୀୟ ଶୃଙ୍ଗାର - ରସ - ଚେତନାଶୀଳ ମନରେ ବିଷମ ସଂଶୟ ଜାଗିଲା - ‘‘କୃଷ୍ଣସ୍ତୁ ଭଗବାନ୍‌ ସ୍ୱୟଂ’’ - ସେ ପୁଣି ଭିକ୍ଷା କରିବେ ଦୁର୍ଜ୍ଜୟମାନବତୀ ଗୋପନାୟିକା ଶ୍ରୀମତୀଙ୍କର ପଦପଲ୍ଲବ ? କବିମାନେ ସାଧାରଣୀ ନାୟିକା-ଜ୍ଞାନ ଆରୋପିତ ହୋଇଛି ଶ୍ରୀମତୀଙ୍କଠାରେ । ମାନସିକ ଦ୍ୱନ୍ଦ୍ୱ-ବିଚଳିତ ରସପାଗଳ କବିଙ୍କୁ ଏତିକିବେଳେ ‘ଅତୀତ ହେଲାଣି ମଣୋହିର ସମୟ’ ବୋଲି ଚେତାଇଦେଇଛନ୍ତି କବି-ପ୍ରେୟସୀ ପଦ୍ମାବତୀ - ‘‘ବେଳ ବଳିପଡ଼ିଲାଣି ଯେ, ଆଜି କ’ଣ ସ୍ନାନକୁ ଯିବେ ନାହିଁ କି ?’’

 

ସହସା ଭାବନିମଗ୍ନ ସ୍ୱପ୍ନ ଭାଙ୍ଗିଗଲା । ଖେଦା-ଲେଖନୀ ସାଇତିରଖିବାକୁ କହି ବାହାରିଗଲେ ମହୋଦଧିକୁ ସ୍ନାନାର୍ଥୀ ଆନମନା ଜୟଦେବ । କବି-କୁଟୀରରେ ଏକାକିନୀ ଦେବୀ ପଦ୍ମାବତୀ । ସାଧନାର ସିଦ୍ଧିକାଳ ସମାଗତ । ଆଜି ମଧୁମିଳନ ବାସର । ଯୁଗଯୁଗାନ୍ତରର ପ୍ରିୟପ୍ରିୟାର ନେତ୍ରାନ୍ତ ମିଳନର ସୌଭାଗ୍ୟ ଅବସର ସମୁପଗତ ।

- ‘‘କଅଣ କରୁଛ କି ପଦ୍ମା ? ଦେଇଗଲ ଟିକିଏ ଖେଦା ଆଉ ଲେଖନୀ ।’’

 

ଡାକ ଶୁଣି ଚମକିପଡ଼ିଲେ ପଦ୍ମାବତୀ । ‘ଏ କଅଣ ହେଲା ! ଏଡ଼େ ବେଗେ ସ୍ନାନ ସାରି...’ ଭାବୁ-ଭାବୁ ଅଜଣାରେ ପାଦ ତାଙ୍କର ଆଗେଇନେଲା ତାଙ୍କୁ । ବାସ୍ତବରେ ଆଜି ପଦ୍ମାବତୀ ଦୂରରୁ ଆସିଛନ୍ତି ନିକଟକୁ ସିନା ! ଏ ଯେ ଦେହୀ - ବିଦେହୀର ସ୍ୱର୍ଗୀୟ ମିଳନ - ସେ କେଉଁ ସ୍ମରଣାତୀତ ଦିନର କଥା । ଆଜି ପୁଣି ସ୍ୱରୂପପ୍ରକାଶ !

 

‘’ହଁ, ଲେଖିବି ବୋଲି ବିଚାରି ପାଦପୂରଣ ନ କରି ଗାଧୋଇ ବାହାରିଗଲି । ଯାଉ-ଯାଉ ହଠାତ୍‌ ବାଟରେ ମନେ ପଡ଼ିଗଲା । ପାଦଟି କାଳେ ବିସୋରିଯିବ ଭାବି ତରତର ହୋଇ ମନ୍ତ୍ରସ୍ନାନ ସାରି ବାହୁଡ଼ି- ଆସିଲି ।’’ ନୀରବରେ ଫେରିଗଲେ ପଦ୍ମାବତୀ ବ୍ୟାସାସନିକଟକୁ । ସରଳାର ଗତିପଥ ଚାହିଁରହିଲେ ନାଗର ନାରାୟଣ । ମୁହୂର୍ତ୍ତକପରେ ଖେଦା-ଲେଖନୀ ଆଣି ଶ୍ରୀକରକୁ ବଢ଼ାଇ ଦେଉ-ଦେଉ ସରାଗ-କଟାକ୍ଷପାତସହ ମଧୁମନ୍ଦ ହସି ପରମ ସୌଭାଗ୍ୟବତୀ ପଦ୍ମାବତୀ କହିଲେ ସ୍ନେହବୋଳା କଣ୍ଠରେ - ‘‘ପାଗଳ କବି’’ !

 

ପ୍ରତ୍ୟୁତ୍ତରରେ କେବଳ ସପ୍ରଶଂସ ସ୍ମିତହାସ୍ୟ ।

 

‘‘ହଉ, ପାଦ-ପୁରଣ କରୁଥାଅ । ମୁଁ ଯାଏଁ - ଠାଆ ସଜାଡ଼େଁ ।’’ ଉତ୍ତର ଅପେକ୍ଷା ନ କରି ଚାଲିଗଲେ ଦେବୀ ପାକଶାଳାକୁ । ସରଳା ପଦ୍ମାବତୀଙ୍କର ବାହୁଡାଣି ପଥ ଅନାଇଁ ଅଳ୍ପ ହସି ସ୍ୱହସ୍ତରେ ଅପୂର୍ଣ୍ଣ ଗୀତିଟିର ପାଦ ପୂରଣ କଲେ ଛଦ୍ମଜୟଦେବବେଶୀ ଭକ୍ତଜୀବନ ବାସୁଦେବ ଗୋବିନ୍ଦ :-

 

‘‘ଦେହି ପଦପଲ୍ଲବମୁଦାରମ୍‌ ।’’

 

ମୁଗ୍‌ଧା ମାନବୀ ପଦ୍ମାବତୀ ଚିହ୍ନିପାରିଲେ ନାହିଁ ପାଦ ପୂରଣ କଲେ କିଏ ? ଜାଣି ନାହାନ୍ତି ମଧ୍ୟ ସେ ଅପୂର୍ଣ୍ଣ ପଂକ୍ତିର ପାଠ କ’ଣ ? ଧୂଳିଧରା ଛୁଇଁଲାକାଳରୁ ଯେଉଁ ଅଲିଅଳ କନ୍ୟାଟିକୁ ତୋଳି ଦେଇଥିଲେ ତାଙ୍କର ପରମ ଭାଗ୍ୟବନ୍ତ ପିତାମାତା ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣ ସେବିକାରୂପେ, ଆଜି ଏ ସେହି ପଦ୍ମାବତୀ । ସେ ଉତ୍ସର୍ଗୀକୃତା ସେବାଦାସୀ, ପ୍ରିୟା, ସେବିକା । ଜଗନ୍ନାଥ ତାଙ୍କର ପ୍ରିୟ । ଅତୀତ ହୋଇଛିବାଲ୍ୟକାଳ । କିଶୋରୀ ତନୁରେ ଯୌବନର କାଉଁରୀ ପରଶ ଲାଗିଛି । ଦେହର ମିଳନ ନାହିଁ - କିନ୍ତୁ ମନ ? - ମନ ଯେ ତାଙ୍କର ଏକାବେଳକେ ତୋଳିଦିଆସରିଛି । ମନର ବିବାହୋତ୍ସବ ତ ଆବାଲ୍ୟରୁ ସରିଯାଇଛି । ସେ ଜଗନ୍ନାଥଙ୍କ ସେବିକା, - ପତ୍ନୀ - ସ୍ୱକୀୟା ନାୟିକାରୂପେ ସେ ବିକା । ମନର ବିବାହ ସରିବାପରେ ଆଉ ସାଧାରଣ ଲୌକିକ ବିଧାନୀବିବାହ ? - ସେ କେବଳ ଲୋକଦେଖା -ମନରଖା ବିଧି ସିନା ! ଏହିପରି ଲୋକାଚାରବିହିତ ବିବାହ-ବନ୍ଧନ ସୂତ୍ରରେ ଆବଦ୍ଧ ଥିଲେ ବ୍ରଜନାଗରୀ । ସେହି ଭାଗ୍ୟବତୀମାନେ କୃଷ୍ଣମିଳନାକ୍ତେ କହିଥିଲେ -

 

‘‘ଭଜ ସଖେ ଭବତ୍‌-କିଂକରୀଃ ସ୍ୱନେ ।

ଜଳରୂହାନଂ ଚାରୁ ଦର୍ଶୟ ।’’

(ଭାଗବତ ୧୦।୩୧)’’

 

କୃଷ୍ଣାର୍ପିତମନା - ପରକୀୟା ପ୍ରୀତିରେ ହିଁ ସେମାନଙ୍କର ଜୀବନଯୌବନର ଘଟିଛି ସାର୍ଥକତା ।

ଇଚ୍ଛାମୟ ରସିକରାଜଙ୍କ ଇଚ୍ଛା ଯେ ରସତୁଳିକା ଘେନି ସେହି ବ୍ରଜ-ଲୀଳାଚିତ୍ର ଅଙ୍କନ କରି ଭକ୍ତପ୍ରାଣ ମହାକବି ଜୟଦେବ ହେବେ ଚିର ଅମର ।

 

ପରମାନନ୍ଦମୟ ଶ୍ରୀକୃଷ୍ଣ ଜୟଦେବରୂପରେ ସେଦିନ ପ୍ରିୟ ସେବାଦାସୀ ପଦ୍ମାବତୀଙ୍କୁ ଦର୍ଶନ ଦେଇ ପୁଣି ତାଙ୍କର ସ୍ୱହସ୍ତପାକ ଭୋଜନ କରି ଧନ୍ୟା କରିଛନ୍ତି ନାରୀ - ଜୀବନ ତାଙ୍କର । ଏ ଅଧିକାର, ଏ ସୌଭାଗ୍ୟ ସମ୍ଭବିଥିଲା କେବଳ ବ୍ରଜେଶ୍ୱରୀ ଶ୍ରୀରାଧାଙ୍କ ବୃନ୍ଦାବନ କେଳିଲୀଳାରେ । ଯୁଗଯୁଗାନ୍ତରରେ ପୁଣି ତାହାରି ପୁନରାବୃତ୍ତି ଘଟିଲା ପ୍ରେମମୟୀ ରାଧା ରସାନ୍ୱିତା ଦେବୀ ପଦ୍ମାବତୀଙ୍କ ଜୀବନରେ ।

 

ଜୟଦେବ - ମାନବ । ସାଧାରଣ ମାନବ-ବୃତ୍ତିପରିଚାଳିତ ହେବା ସ୍ୱାଭାବିକ । ତେଣୁ ସେ କୁଣ୍ଠାବୋଧ କରୁଥିବା ପାଦଟି ସ୍ୱହସ୍ତରେ ପୂରଣ କରି ସୌଭାଗ୍ୟବତୀ ପଦ୍ମାବତୀଙ୍କ ସ୍ୱହସ୍ତପାକ ଅନ୍ନଭୋଜନ କରି ସାରି ହସ୍ତପ୍ରଖ୍ୟାଳନନିମିତ୍ତ ଘରୁ ବାହାରିଗଲେ ବ୍ରଜରାଜ ଗୋବିନ୍ଦ । ମହାନନ୍ଦରେ ସ୍ୱାମୀ-ପ୍ରସାଦ ଭୋଜନ କରିବସିଲେ ପଦ୍ମାବତୀ ।

 

ଏତିକିବେଳେ ନିତ୍ୟନୈମିତ୍ତିକ ବିଧିରେ ସାଗରସ୍ନାନ ସମାପନ କରି ବାହୁଡ଼ିଆସିଲେ ଜୟଦେବ । ତଟସ୍ଥା ପଦ୍ମାବତୀ । ଏ ପୁଣି କିଏ ? ସେ କଅଣ ଜାଗ୍ରତ ସ୍ୱପ୍ନ ଦେଖୁଛନ୍ତି ?

 

ଅବୋଧ ମୂକପରି ଆଦ୍ୟେପାନ୍ତ ସମସ୍ତ ଘଟଣା ଶୁଣିଗଲେ ଜୟଦେବ      । ଆଖିରେ ପଲକ ନାହିଁ, ହୃଦୟରେ ଘନ ସ୍ପନ୍ଦନର ଅନୁଭୂତି । ଜଡ଼ ପାଲଟିଗଲା ଜୀବିତ ଶରୀର ତାଙ୍କର ।

 

ଧନ୍ୟ ପଦ୍ମାବତୀଙ୍କର ପ୍ରେମ-ଭକ୍ତି ! ଜୀବନର ଯାବତ ଶ୍ରମସାଧନା ସମସ୍ତ ତାଙ୍କର ତୁଚ୍ଛ ସିନା ! ଜଗତ୍‌ନାଥଙ୍କର ଶ୍ରୀଚରଣ-ଦର୍ଶନର ସୌଭାଗ୍ୟରେ ଧନ୍ୟା ଦେବୀ ପଦ୍ମାବତୀ ! ମୁଗ୍‌ଧ ଚକିତ ନୟନର ଉଛୁଳା ଜଳ-ଦର୍ପଣରେ ପ୍ରତିବିମ୍ବିତ ପ୍ରଭୁ ଶ୍ରୀକରଲିଖିତ ‘ଦେହି ପଦପଲ୍ଲବମୁଦାରଂ’ ବାଣୀର ବାସ୍ତବ ସଫଳ ଅଭିନେତାରୂପେ ଜୀବନ ସାର୍ଥକ କଲେ ସେଦିନ ଜୟଦେବ ରାଧାଭାବମୟୀ ଦେବୀ ପଦ୍ମାବତୀଙ୍କର ଅମଳ କମଳ ଚାରୁ ଚରଣ ତଳେ ।

 

ପ୍ରେମ ଗରବିଣୀ ଅଭିମାନିନୀ ରାଧା - ପ୍ରେମର ଅନୁଗତ ପ୍ରେମମୟ ଗୋବିନ୍ଦ । ଭାବଗ୍ରାହୀ ଭାବର ଅନୁସରଣରେ ବ୍ୟାକୁଳ ।

 

ଏହି ମର୍ମ ପ୍ରକାଶ କରି ଆମର ଭକ୍ତପ୍ରାଣ ଅଭିମନ୍ୟୁ ମହାଭାବମୟୀ ଶ୍ରୀରାଧାଙ୍କ ବାଣୀର ପ୍ରତିଧ୍ୱନି ଶୁଣାଇଛନ୍ତି-

 

ମୋତେ ଲଭିବା ହିତରେ

ଅନୁସରିଥାନ୍ତି             କେତେ ମତରେ ଗୋ

ବଶ ନୋହିବ କେ ତେମନ୍ତରେ ସଜନୀ ଗୋ ।

ମୋ ଗତାଗତ ବାଟରେ

ଜଗି ବସିଥାନ୍ତି            ସେ କପଟରେ ଗୋ

ମାତ୍ର ଦରଶନ-ଲମ୍ଫଟରେ, ସଜନୀ ଗୋ ।

                  (ବି: ଚି: ୪୮ ଛାନ୍ଦ)

 

ଏହି ରାଧାରସ- ତତ୍ତ୍ୱ ଘେନି ମହାପ୍ରଭୁ ଶ୍ରୀଚୈତନ୍ୟଦେବଙ୍କ ଆତ୍ମ ସାଧନାର ଦୀକ୍ଷାଗୁରୁ ଗୃହୀ ଆତ୍ମଯୋଗୀ ରାୟ ଶ୍ରୀ ରାମାନନ୍ଦ ପଟ୍ଟନାୟକ ତାଙ୍କୁ ରାଧାତତ୍ତ୍ୱ ବୁଝାଇବାକୁ ଯାଇ କହିଛନ୍ତି -

 

‘‘ରାୟ କହେ ତାହାଁ ଶୁନ ପ୍ରେମେର ମହିମା

ତ୍ରିଜଗତେ ରାଧା-ପ୍ରେମେର ନାହିଁକି ଉପମା ।

X            X            X

ଶତକୋଟି ଗୋପୀସଙ୍ଗେ ରାସ ବିଲାସ

ତାର ମଧ୍ୟେ ଏକ ମୂର୍ତ୍ତି ରହେ ରାଧା ପାଶ ।।     

 

X            X            X

ସମ୍ୟକ ବାସନା କୃଷ୍ଣେର ଇଚ୍ଛା-ରାସଲୀଲା

ରାସଲୀଳା ବାସନାତେ ରାଧିକା- ଶୃଙ୍ଖଲା ।

X            X            X

ଶତକୋଟି ଗୋପୀତେ ନହେ କାମ- ନିର୍ବାପଣ

ଇହାତେଇ ଅନୁମାନି ଶ୍ରୀରାଧିକାର ଗୁଣ ।’’

(ଚୈତନ୍ୟ ଚରିତାମୃତ -ମଧ୍ୟଲୀଳା)

 

ଆନନ୍ଦ - ଘନ ବିଗ୍ରହ ଗୋବିନ୍ଦ । ରାଧାରସ- ପାନଭିନ୍ନ ସେ ଏକାବେଳେ ନିରାନନ୍ଦ ।

ରାଧାପ୍ରେମ-ରସାମୃତପାନବିଭୋର ଶ୍ରୀକୃଷ୍ଣ ତାଙ୍କର ଦର୍ଶନ ତୁର ହୋଇ କହିଥିଲେ -

 

‘‘କ୍ଷମ୍ୟତାମପରଂ କଦାପି ତବେଦୃଶଂ ନ କରୋମି

ଦେହି ସୁନ୍ଦରି ଦର୍ଶନଂ ମମ ମନ୍ମଥେନ ଦୁନୋମି ।’’

(ଗୀ: ଗୋ:-୩ୟ ସର୍ଗ)

 

ଚତୁର୍ଦ୍ଦିଗରେ ମହାଭାବମୟୀଙ୍କ ମୂର୍ତ୍ତି ଦେଖିଛନ୍ତି ରସରାଜ-

‘‘ପ୍ରାସାଦେ ସା ପଥିପଥି ଚ ସା ପୂର୍ବତଃ ସା ପୂରଃ ସା

ପର୍ଯ୍ୟଙ୍କେ ସା ଦିଶି ଦିଶି ଚ ସା ତଦ୍‌ବିୟୋଗାତୁରସ୍ୟ ।’’

ହଂ ଚେତଃ ପ୍ରକୃତିର ପରା ନାସ୍ତି ତେ କାଽପି ସା ସା ।

ସା ସା ସା ସା ଜଗତି ସକଳେ କୋଽୟମହୈତବାଦଃ ।।’’

 

- ପ୍ରାସାଦରେ ରାଧା, ପ୍ରତିପଥରେ ରାଧା, ସମ୍ମୁଖରେ ରାଧା, ପଶ୍ଚାତ୍‌ଦେଶରେ ରାଧା, ପଲଙ୍କରେ ରାଧା, ରାଧା ଦିଶେ-ଦିଶେ ଦୃଶ୍ୟମାଣା । ରେ ଚିତ୍ତ ! ତୋର ଆଉ ଅପରା ପ୍ରକୃତି ବୋଲି କିଛି ନାହିଁ । ସାରାଜଗତରେ ସବୁଠାରେ କେବଳ ସେ, ସେ, ସେ, ସେ, (ରାଧା ରାଧା ରାଧା ରାଧା) - ଅଦ୍‌ଭୂତ ଏ ଅହୈତବାଦ !

 

ଏହି ସେ ଶ୍ରୀଗୀତଗୋବିନ୍ଦର ରାଧା । କବିଙ୍କର ଇଷ୍ଟ ରସରାଜ ‘‘କୃଷ୍ଣସ୍ତୁ ଭଗବାନ୍‌ ସ୍ୱୟଂ’’ ଗୋବିନ୍ଦ ଯେଉଁ ମହାଭାବମୟୀଙ୍କ ଅଭିମାନ ସହି ନ ପାରି ଯୁକ୍ତ କରକମଳରେ ମାନଭିକ୍ଷା ମାଗି କହିଛନ୍ତି; ‘‘ଦେହି ପଦପଲ୍ଲବମୁଦାରଂ’’

- ଏହା ହିଁ ଜୟଦେବୀ ରାଧାରସ ।

 

Unknown

ଦେବଦାସୀ ପଦ୍ମାବତୀ

 

ସେତେବେଳକୁ କନ୍ୟାର ଜନ୍ମ ନାହିଁ । ସନ୍ତାନ-ଲାଳସୀ ପିତାମାତା ଭକ୍ତିତଦ୍‌ଗତ ଚିତ୍ତରେ ଇଷ୍ଟଦେବ ଜଗନ୍ନାଥଙ୍କ ଚରଣତଳେ ପ୍ରଣତି ନିବେଦନପୂର୍ବକ ଜଣାଇଲେ -‘‘ପ୍ରଭୋ ! ସନ୍ତାନଟିଏ ଅନୁଗ୍ରହ କର । ପୁତ୍ର ହେଲେ ସେ ହେବ ଆପଣଙ୍କ ଚରଣ-ସେବକ, କନ୍ୟା ହେଲେ ସେ ହେବ ଆପଣଙ୍କ ଚରଣ-ସେବିକା ।’’

 

ଦେବକୃପାରୁ ଜନ୍ମନେଲେ ପଦ୍ମାବତୀ । ଅଲିଅଳୀ କନ୍ୟା ଭାଷାବୋଧକାଳରୁ ଶୁଣିଆସିଛି ସେ ଜଗନ୍ନାଥଙ୍କ ଚରଣତଳେ ବିକାସେବିକା - ଦେବଦାସୀ ।

 

ଯଥାକାଳରେ ଲାବଣ୍ୟ ପ୍ରତିମାର କମତନୁରେ ଲାଗିଲା ବସନ୍ତର ମଧୁସ୍ପର୍ଶ । ପିତାମାତା କନ୍ୟାକୁ ଘେନି ଉପସ୍ଥିତ ହେଲେ ଶ୍ରୀକ୍ଷେତ୍ରରେ । ଜଣାକଲେ ପ୍ରଭୁପଦରେ ଆପଣାର ‘ସତ୍ୟ’ ।

 

ପଦ୍ମାବତୀଙ୍କର ବୁଝିବାକୁ ଆଉ ବାକି ନ ଥିଲା ଯେ ସେ ଜଗନ୍ନାଥଙ୍କର ସେବିକା । ଜୀବନ-ଯୌବନ ସମର୍ପିଦେଇ ତାଙ୍କ ଚରଣତଳେ ସେ - ବିକା । ପତିଙ୍କପ୍ରତି ଅନୁରାଗ ଜାତ ହେବା ନାରୀଜୀବନର ସ୍ୱାଭାବିକ ଧର୍ମ୍ମ । ଅନୁରାଗର ପରବର୍ତ୍ତୀ ଅବସ୍ଥା ହେଲା ଭାବ । ତେବେ ଆଉ ପଦ୍ମାବତୀଙ୍କର ବାକି ରହିଲା କଅଣ ? ଭାବର ମିଳନ କଅଣ ସରିଯାଇ ନ ଥିଲା ତାଙ୍କର ? ଭାବର ମିଳନ ତ ଆଧ୍ୟାତ୍ମିକ ଅନୁଭୂତିର ମିଳନ ଯାହା, ଘଟୁଥିଲା ବ୍ରଜଗୋପୀମାନଙ୍କର ଭାବଗ୍ରାହୀ ଗୋବିନ୍ଦଙ୍କ ସହିତରେ । ଏହା ସାଧାରଣ ଦେହର ମିଳନ ନୁହେଁ । ଏ ମିଳନ ଭାବଦେହର । ଏ ମୈଥୁନ, ଏ ରମଣ ସମସ୍ତ ଭାବଦେହର । ଏହା ହିଁ ଗୋପୀ-ସେବାର ଧର୍ମ ।

 

‘‘ମୈଥୁନଂ ସହ କୃଷ୍ଣେନ ଗୋପିକା-ଚରିତଂ ଚ ଯତ୍‌

ତତ୍‌ ନ କାମାତ୍‌ ଅକାମାତ୍‌ ବା ଭାବଦେହେନ ତତ୍‌ କୃତମ୍‌।’’

 

ଏ ମୈଥୁନ ସ୍ଥୂଳ ଦୈହିକ ମୈଥୁନ ନୁହେଁ - ଅପ୍ରାକୃତ ରମଣ - ଯାହା କେବଳ ଭାବଦେହଦ୍ୱାରା ସଂଘଟିତ ।

‘‘ଯଥା ଶରୀରେ ଦେହାନି ସ୍ଥୂଳଂ ସୂକ୍ଷ୍ମଂ ଚ କାରଣମ୍‌ ।

ତଥୈବାନ୍ୟତ୍‌ ଦେହଂ ଜ୍ଞେୟଂ ଭାବଦେହପ୍ରକୀର୍ତ୍ତିତମ୍‌ ।।’’

 

ଦେହରେ ସ୍ଥୂଳ ଓ ସୂକ୍ଷ୍ମ ଭାଗଦୁଇଟି ପରି ଅନ୍ୟ ଏକ ଭାଗ ଅଛି, ଯାହା ‘ଭାବଦେହ’ । ଏ ଦେହ ସାଧାରଣ ବା ସହଜଲଭ୍ୟ ନୁହେଁ ।

‘‘କୃପାଲବ୍‌ଧମିଦଂ ଦେହଂ ସହଜଂ ଜନ୍ମ-ଜନ୍ମତି ।

ଅଥବା ସାଧନାଲବ୍‌ଧଂ କଦାପି ବା ମହେଶ୍ୱରୀ ।।’’

                        (ରସୋଲ୍ଲାସତନ୍ତ୍ର)

 

ଭଗବତ୍‌ କୃପାବଳରୁ ଜନ୍ମ-ଜନ୍ମାନ୍ତରାରେ କିମ୍ବା ବହୁ ସାଧନାଫଳରେ ଏ ଦେହ (ଭାବଦେହ) ଲାଭ ସମ୍ଭବ ହୁଏ ।

 

ଦେବଦାସୀ ବା ସେବିକା ପଦ୍ମାବତୀଙ୍କର ଏହି ଦାସ୍ୟ-ଭକ୍ତିଭାବ ସେ ସେବାଦାସୀରୂପେ ଉତ୍ସର୍ଗୀକୃତା ବୋଲି ଜାଣିବାଦିନୁ ତାଙ୍କ ମନରେ ଉଦିତ ହୋଇଥିବା ସ୍ୱାଭାବିକ; କିନ୍ତୁ ଇଚ୍ଛାମୟଙ୍କର ଇଚ୍ଛା ଅନ୍ୟ ପ୍ରକାର । ଆଶିଷଲାଭର ସୁଗମ ପନ୍ଥା ବ୍ରଜଲୀଳା-ମଧୁରୀ ଭକ୍ତକଣ୍ଠରେ ଗୀତ ହେବ ବୋଲି ତାଙ୍କର ଅଭିପ୍ରାୟ । ତେଣୁ ତାଙ୍କରି ନିର୍ଦ୍ଦେଶରେ ପଦ୍ମାବତୀ ସମର୍ପିତା ହେଲେ ଭକ୍ତ ଜୟଦେବଙ୍କ କରରେ । ସ୍ୱକୀୟା ହେଲେ ପରକୀୟା - କବିହୃଦୟରେ ପରକୀୟା-ରସସଞ୍ଚାରଲାଗି ।

 

ମନ ମନୁଷ୍ୟର ଦୁଇଟା ନୁହେଁ । ‘‘ମନସା କର୍ମ୍ମଣା ବାଚା’’ - ଥରେ ହୃଦୟ ତୋଳିଦେଲେ ସେ ହୁଏ ଗ୍ରହୀତାର । ଏ ରୀତିରେ ପଦ୍ମାବତୀ ଜଗନ୍ନାଥଙ୍କର ପ୍ରିୟା - ପତ୍ନୀ - ସେବିକା - ସେବା -ପ୍ରେମ - ଭକ୍ତିଭାବ - ବିଭୋରା ।

 

ପ୍ରାଣପତିଙ୍କ ନିର୍ଦ୍ଦେଶରେ ତାଙ୍କର ସ୍ୱକୀୟା ଦାସୀ ଜୟଦେବଙ୍କ କରରେ ସମର୍ପିତା ଅର୍ଥାତ୍‌ ଜୟଦେବଙ୍କପକ୍ଷେ ସେ ପରକୀୟା ।

 

ପରକୀୟାଭାବରେ ହିଁ ପରମାତ୍ମା ସହଜଲଭ୍ୟ । ଭକ୍ତ ଜୟଦେବ ଏହି ପରକୀୟା - ତତ୍ତ୍ୱଗୌରବାନ୍ୱିତ ରାସଲୀଳା ବର୍ଣ୍ଣନା କରିଛନ୍ତି ଶ୍ରୀଗୀତଗୋବିନ୍ଦ ମହାକାବ୍ୟରେ । ବିଭୁ-ଆଶୀର୍ବାଦ ଓ ନିର୍ଦ୍ଦେଶ ଲାଭ କରିଛନ୍ତି ସାଧୁ ଜୟଦେବ ନୋହିଲେ ସାଧାରଣ ମାନବପକ୍ଷେ ଏଭଳି ରସରଚନା ଏକାନ୍ତ ବିଡ଼ମ୍ବନା ।

 

ରସାସ୍ୱାଦନଭିନ୍ନ ରସିକତ୍ୱ-ଲାଭ ସମ୍ଭବ ନୁହେଁ । ତେଣୁ ଯେଉଁ ଭାବଗ୍ରାହୀ ଶ୍ରୀକୃଷ୍ଣ ତାଙ୍କର ପ୍ରିୟା ସେବାଦାସୀ ପଦ୍ମାବତୀଙ୍କୁ ସାକ୍ଷାତ୍‌ ଦର୍ଶନ ଦେଇ ଶ୍ରୀକରରେ ଗୀତର ପାଦପୂରଣ କରିଛନ୍ତି, ସମଗ୍ର ଗ୍ରନ୍ଥ ଯେ ସେହି ଇଚ୍ଛାମୟଙ୍କର ନିର୍ଦ୍ଦେଶରେ ରଚିତ ଏ କଳ୍ପନା ଅସଂଗତ ନୁହେଁ । କବି ଜୟଦେବଙ୍କ ଲେଖନୀମୁନରେ ପରକୀୟା ରସସଞ୍ଚାରଲାଗି ପଦ୍ମାବତୀ ଜଗନ୍ନାଥଙ୍କ ଇଚ୍ଛା-ପ୍ରେରିତା । ସାଧାରଣଦୃଷ୍ଟିରେ ପଦ୍ମାବତୀ ଜୟଦେବଙ୍କର ସ୍ୱକୀୟା ପତ୍ନୀରୂପେ ପରିଚିତା ସତ୍ୟ; କିନ୍ତୁ ମାୟାଧରଙ୍କ ଇଚ୍ଛା ପୂରଣଲାଗି ସେ ଜୟଦେବଙ୍କର ପରକୀୟା ରସସଞ୍ଚାରିଣୀ ଦେବୀ ପଦ୍ମାବତୀ ।

 

ଏହି ସୌଭାଗ୍ୟବତୀ ପଦ୍ମାବତୀଙ୍କୁ ସାକ୍ଷାତ୍‌ ଦର୍ଶନ ଦେଇ ପୁଣି ତାଙ୍କ ସ୍ୱହସ୍ତପାକ ଭୋଜନ କରିଗଲେ ରସରାଜ ଭାବଗ୍ରାହୀ ଶ୍ରୀକୃଷ୍ଣ । ଭକ୍ତପ୍ରାଣ ପ୍ରଭୁ-ଗୁଣଗାୟକ ରାସଲୀଳା ରସ-ବର୍ଣ୍ଣନାକାରୀ ଜୟଦେବଙ୍କ ପକ୍ଷେ କିନ୍ତୁ ଏ ସୌଭାଗ୍ୟ ସମ୍ଭବ ହେଲା ନାହିଁ ।

 

ଅପାଶୋରା ଶ୍ରୀଗୀତଗୋବିନ୍ଦ

 

କଳାମଞ୍ଜୁଳ ଉତ୍କଳର ଉତ୍‌କଳା ଅଭିଧାସସମ୍ବନ୍ଧେ ମତହୈଧର ଅବକାଶ ନାହିଁ । ଏ ଦେଶର ରକ୍ତସହିତ ସ୍ୱର-ସାହିତ୍ୟ ବା ‘ଧାତୁମାତୁସମାଯୁକ୍ତଂ’ କଥାଟି ଅଙ୍ଗାଙ୍ଗୀଭାବେ ବିଜଡ଼ିତ ।

 

ବାଗ୍‌ଦେବୀ ସରସ୍ୱତୀଙ୍କ ‘ବୀଣାପାଣି’ ନାମପ୍ରସିଦ୍ଧିର ପୂର୍ଣ୍ଣ ସମ୍ମାନ ଦେଇଆସିଛି ଏ ଦେଶର ପାଣିପବନ । ତେଣୁ -

‘‘ବୀଣା-ପୁସ୍ତକ ରଞ୍ଜିତ ହସ୍ତେ

ଭଗବତୀ ଭାରତୀ ଦେବୀ ନମସ୍ତେ ।’’

 

- ଏହି ଛନ୍ଦୋମୟ ଗୀତାଂଶ ହେଲା ଏ ଜାତିର ସର୍ବଜନପ୍ରଚଳିତ ଆପ୍ତବାଣୀ । ଶିଶୁର ପ୍ରାଥମିକ ବର୍ଣ୍ଣଶିକ୍ଷା ବା ପଣକିଆ ପାଠଶିକ୍ଷା ମଧ୍ୟ ସ୍ୱର ଧରି ଗାଇବା ଏ ଜାତିର ପରମ୍ପରା ।

 

ଜୟଦେବଙ୍କର ପୂର୍ବାଚାର୍ଯ୍ୟ କାଳିଦାସ, ଭବଭୂତି ଓ ମାଘ ପ୍ରଭୃତି ମହାକବିମାନେ ସଂସ୍କୃତ ଭାଷାରେ ବହୁ ମହାକାବ୍ୟ ପ୍ରଣୟନ କରିଯାଇଅଛନ୍ତି । ଏଗୁଡ଼ିକ ଛନ୍ଦ, ଯତି, ଗଣନିୟମନିବଦ୍ଧିତ ଶ୍ଳୋକ ରଚନା । ସାହିତ୍ୟ ଓ ରସ-ବିଚାରଦୃଷ୍ଟିରୁ ଏହାର ମୂଲ୍ୟାୟନ ଅବଶ୍ୟ ଆମ କଳ୍ପନାର ବହୁ ଊର୍ଦ୍ଧ୍ୱରେ । ମହାକବିଗଣ ସମସ୍ତେ ସରସ୍ୱତୀସେବକ - ବରପୁତ୍ର - ଏକଥା ସର୍ବତୋଭାବେ ସ୍ୱୀକାର୍ଯ୍ୟ; କିନ୍ତୁ ଗୋଟିଏ କଥା ଆମ୍ଭମାନଙ୍କର ମନକୁ ଆସେ ଯେ ସେମାନେ ପୂର୍ଣ୍ଣାଙ୍ଗ ଭାରତୀଙ୍କର ଅର୍ଚ୍ଚନା କରିପାରି ନ ଥିଲେ - ଯାହା କେବଳ ଆମର ମହାକବି ଜୟଦେବଙ୍କଦ୍ୱାରା ହିଁ ସମ୍ଭବିଲା ।

 

ଆଗରୁ କୁହାଯାଇଅଛି ‘ବୀଣା-ପୁସ୍ତକ ରଞ୍ଜିତ ହସ୍ତେ’ - ବୀଣା ଏବଂ ପୁସ୍ତକ ଉଭୟେ ଦେବୀଙ୍କର କରମଣ୍ଡନ କରୁଥିଲେ ହେଁ ସେ କେବଳ ବୀଣାପାଣି ନାମରେ ପ୍ରଖ୍ୟାତା ଅର୍ଥାତ୍‌ ବୀଣାକୁ ହିଁ ଏଠାରେ ଗୁରୁତ୍ୱ ଦିଆଯାଇଛି ବୋଲି କହିବାକୁ ହେବ । ସଙ୍ଗୀତର ସ୍ୱରସଂବାଦଭିନ୍ନ ବୀଣାର ଉପଯୋଗିତା ବିଚାର କରାଯାଇ ନ ପାରେ । ତେଣୁ ସରସ୍ୱତୀ ସଙ୍ଗୀତ ଏବଂ ସାହିତ୍ୟର ଅଧିଷ୍ଠାତ୍ରୀ ଦେବୀ - ଏହା ସର୍ବବାଦୀସମ୍ମତ କଥା, ସେ ବାଣୀ ତଥା ବୀଣାପାଣି ।

 

ଶ୍ଳୋକ ବାଣୀର ସମନ୍ୱୟ । ଶ୍ଳୋକ-ରଚନାରେ ଯତି-ଧର୍ମ୍ମ ସର୍ବଥା ପାଳନୀୟ । ଯତି କଅଣ ?

‘‘ଯତିର୍ଜିହ୍ୱୌଷ୍ଠ ବିଶ୍ରାମସ୍ଥାନ କବିଭିରୁଚ୍ୟତେ ।’’

 

ଯେଉଁ-ଯେଉଁ ସ୍ଥାନରେ ଜିହ୍ୱା ସ୍ୱେଚ୍ଛାପୂର୍ବକ ବିଶ୍ରାମ କରେ, ତାହାକୁ ଯତି କହନ୍ତି । ବିଚ୍ଛେଦ, ବିରାମ ବା ବିରତି ଆଦି ଯତିର ନାମାନ୍ତର । ଯତିପ ତ ସୁଶୋଭନ ହୁଏ ଶ୍ଳୋକର ପଦାନ୍ତରେ । ପୁଣି କେତେକ ନିୟମାନୁବର୍ତ୍ତିତାରେ ପାଦମଧ୍ୟସ୍ଥ ଯତିପାତ ମଧ୍ୟ ମନୋହର ହୁଏ ।

 

ଏହା ଛଡ଼ା ଛନ୍ଦବୃତ୍ତରେ ଗଣନିୟମ ମାନିବାକୁ ପଡ଼େ । ପୁଣି ମାତ୍ରାଗଣନା-ବିଧି ମଧ୍ୟ ରହିଛି; କିନ୍ତୁ ଏ ମାତ୍ରା-ନିୟମ ସଙ୍ଗୀତଶାସ୍ତ୍ରୋକ୍ତ ତାଳଗତିର ମାତ୍ରା ନୁହେଁ ।

 

ଶ୍ଳୋକଗୁଡ଼ିକ କେବଳ ଆବୃତ୍ତିପାଇଁ ଅଭିପ୍ରେତ । ଗାୟନପକ୍ଷେ ଏହା ରଚିତ ନୁହେଁ । ସଙ୍ଗୀତରେ ତେଣୁ ଏପରି ଯତିପାତ-ବିଧିଅନୁସରଣ ଗୀତିକାରପକ୍ଷେ ସଙ୍ଗୀତପାଣ୍ଡିତ୍ୟର ପରିଚାୟକ ନୁହେଁ ।

 

ଏହି ରୀତିରେ ଛାନ୍ଦ-ରଚନା ଓଡ଼ିଶାର ବିଶେଷତ୍ୱ । ଏହା ସ୍ୱର ଏବଂ ସାହିତ୍ୟର ଅପୂର୍ବକୃତି ସମନ୍ୱୟ । ଛାନ୍ଦଗୁଡ଼ିକ ଗାୟନପାଇଁ ଉଦ୍ଦିଷ୍ଟ - ଆବୃତ୍ତିପାଇଁ ନୁହେଁ । ସ୍ୱରମାନଙ୍କର ରସସୃଷ୍ଟିର ମହତ୍ତ୍ୱ ଅଛି । ସ୍ୱର-ସଂଯୋଗରେ ଭାବ ଏବଂ ଭାବାନୁସାରୀ ଶବ୍ଦ ବା ସାହିତ୍ୟ ଖଞ୍ଜି ଆମର ପୂର୍ବାଚାର୍ଯ୍ୟ ଛାନ୍ଦକାରମାନେ ଏକାଧରାରେ ସଙ୍ଗୀତ-ସାହିତ୍ୟର ପ୍ରଥିତଯଶା ବିଦ୍ୱାନ୍‌ବୋଲି ପ୍ରମାଣ ଦେଇଯାଇଅଛନ୍ତି । ନିବଦ୍ଧ ସଙ୍ଗୀତ ତାଳନୁଗ । ସୃଷ୍ଟିବିଧାନ ଅନୁସାରେ ଆଦୌ ସ୍ୱର, ପଶ୍ଚାତ୍‌ ବାଣୀ । ଭାରତୀଙ୍କର କରଯୁଗ ବୀଣା ଏବଂ ପୁସ୍ତକ ପରିଶୋଭିତ ହେଲେ ମଧ୍ୟ ସ୍ୱରର ମୁଖ୍ୟତାହେତୁ ସେ ବୀଣାପାଣି - ସେ ପୁସ୍ତକପାଣି ବୋଲାନ୍ତି ନାହିଁ ।

 

ସରଳ ସରସ ପଦଯୋଜନାସହିତ ସ୍ୱରସଙ୍ଗୀତ-ସଂଯୋଗ ଜୟଦେବଙ୍କୁ ଅପାଶୋରା ଅମର କରି ରଖିପାରିଛି । ପୂର୍ବାଚାର୍ଯ୍ୟମାନଙ୍କପରି ସଙ୍ଗୀତଜ୍ଞ କବି ଜୟଦେବ ବାଗ୍‌ଦେବୀଙ୍କର ଏକାଙ୍ଗୀ ପୂଜା କରି ନାହାନ୍ତି । ସେ ବୀଣା ଏବଂ ବାଣୀ ଉଭୟ ଉପାୟନ ଘେନି ଦେବୀଚରଣରେ ପ୍ରଣତି ନିବେଦନ କରିଛନ୍ତି । ବରଦା ତେଣୁ ତାଙ୍କ ମଥାରେ ସର୍ବଜନପ୍ରିୟ ଅପାଶୋରା ହେବାର ଶୁଭାଶିଷ ଢାଳିଦେଇଛନ୍ତି । ସୁତରାଂ ଜୟଦେବ ଯୁଗ-ପ୍ରବର୍ତ୍ତକ । ତାଙ୍କରିଠାରୁ ଗୀତ-ରଚନାର ସୃଷ୍ଟି ।

 

ସଙ୍ଗୀତର ସାହଚର୍ଯ୍ୟରେ ସେ ଲୌକିକ ରସମାଧ୍ୟମରେ ଅଲୌକିକ ପ୍ରେମ-ତତ୍ତ୍ୱ ବିତରଣ କରିଛନ୍ତି ଅଶେଷ ଜନକଲ୍ୟାଣକଳ୍ପେ । ପୂର୍ଣ୍ଣପ୍ରାଣରେ ଏହା ଉପଲବଧି କରିପାରିଛି ଜୟଦେବଙ୍କ ଜନ୍ମଭୂମି ଉତ୍କଳପ୍ରାନ୍ତ । ତେଣୁ ସେ ତା’ର ପରମାରାଧ୍ୟ ଜଗତର ଠାକୁର ଜଗନ୍ନାଥଙ୍କ ସେବାରେ ନୀତିରୂପେ ସମର୍ପଣ କରିଛି ଶ୍ରୀଗୀତଗୋବିନ୍ଦ ଗୀତିକାବ୍ୟକୁ । କୋଟି ଦର୍ଶନାର୍ଥୀ ଭକ୍ତ ପ୍ରତିନିତ୍ୟ ଏହାର ଶ୍ରବଣ-ପଠନରେ ମନ୍ତ୍ରମୁଗ୍‌ଧ ।

 

ଆମ୍ଭମାନଙ୍କ କ୍ଷୁଦ୍ରମତିର ବିଚାରରେ ଏକାଧାରରେ ‘ବୀଣା’ ଓ ‘ବାଣୀ’ ପୂଜନରେ ସନୁଷ୍ଟା ଦେବୀ ସରସ୍ୱତୀ ଜୟଦେବଙ୍କପ୍ରତି ସୁପ୍ରସନ୍ନା ଏବଂ ତାଙ୍କରି ଅସୀମ କରୁଣାବଳରେ ମହାକବି ଜୟଦେବ ଯାବତ୍‌ଚନ୍ଦ୍ରାର୍କେ ଅପାଶୋରା ।

 

ସ୍ମୃତି

 

ପ୍ରଦୋଷର ଉଜ୍ଜ୍ୱଳ ମଧୁର ପ୍ରଦୀପଶିଖା ଯେତେବେଳେ ଉତ୍କଳୀୟ ପୁରପଲ୍ଲୀର ଅଗଣନ ବିଷ୍ଣୁମନ୍ଦିରକୁ ହସାଇ-ରସାଇଦିଏ, ସେତେବେଳେ ଯୋଗଜନ୍ମା ମହାକବି ଜୟଦେବଙ୍କ ଲଳିତକାନ୍ତ ପଦାବଳୀ ଭରିଦିଏ ଭକ୍ତଜନର ଭକ୍ତିବିହ୍ୱଳ କଣ୍ଠତଟ । ଉଜ୍ଜ୍ୱଳ ସ୍ୱରଲହରୀ ମନ୍ଦିର-ଗର୍ଭ ପରିପୂରିତ କରି ସାନ୍ଧ୍ୟସମୀରରେ ଭାସିଭାସି ପ୍ରାଣେ-ପ୍ରାଣେ ଜୟଦେବଙ୍କର ସ୍ମୃତି-ଚନ୍ଦନ ଅନୁଲେପନ କରେ । ପ୍ରତିଧ୍ୱନି ଶୁଣାଏଁ - ‘‘ଜୟ ଜୟ ଦେବ ହରେ’’ - ସେଇ ଜୟଦେବୀ ଅମର ସଙ୍ଗୀତବାଣୀ । ପୂଜ୍ୟପାଦ ପୂର୍ବଜଙ୍କର ଏଭଳି ସ୍ମୃତି-ତର୍ପଶରୀତି ଓଡ଼ିଶାର ଐକାନ୍ତିକ ବିଶେଷତ୍ୱ ।

 

ମାଦଳାପାଞ୍ଜି କହେ, ମହାରାଜା କାମାର୍ଣ୍ଣବ ଦେବ (୧୧୪୬-୫୬) ଶ୍ରୀଗୀତଗୋବିନ୍ଦ ଶ୍ରବଣ ନ କରି ଅନ୍ନଗ୍ରହଣ କରୁ ନ ଥିଲେ ।

 

ଜୟଦେଦୀ ସ୍ମୃତି-ସମ୍ମାନନାରେ ଭୁବନବନ୍ଦିତ ପତିତପାବନ ଶ୍ରୀମନ୍ ନୀଳାଦ୍ରିନାଥଙ୍କର ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତିରୂପେ ଶ୍ରୀଗୀତଗୋବିନ୍ଦ ପାଠ-ପଠନବିଧି ପ୍ରଥମେ ପ୍ରଚଳନ କରାଇଲେ ଉତ୍କଳର ଗଜପତି ମହାରାଜ କବି-ପଣ୍ଡିତ ଶ୍ରୀ ନରସିଂହ ଦେବ (୨ୟ) ତ୍ରୟୋଦଶ ଶତବ୍ଦୀର ଦ୍ୱତୀୟାର୍ଦ୍ଧରେ । ସେହିଦିନୁ ଦେବଦାସୀ ବା ମାହାରୀ-ନୃତ୍ୟସହିତ ଭାରତୀୟ ସଙ୍ଗୀତର ପ୍ରଥମ କ୍ରିୟାତ୍ମକ (ଲକ୍ଷ୍ୟକାବ୍ୟ) ଶ୍ରୀଗୀତଗୋବିନ୍ଦର ସଙ୍ଗୀତାବଳୀର ନିତ୍ୟପରିବେଷଣ ଶ୍ରୀମନ୍ଦିରରେ ନୀତିରୂପେ (ଖଞ୍ଜା) ପରିଗଣିତ । ଦିନେ ଏହି ଶ୍ରୀମନ୍ଦିର ପ୍ରଥମେ ଶୁଣିଥିଲା ଭକ୍ତକଣ୍ଠର ସୁମଧୁର ସଙ୍ଗୀତ ଆଉ ତହିଁସହିତ ଭକ୍ତିମତୀ ପଦ୍ମାବତୀଙ୍କର କମନୀୟ ଲାସ୍ୟଚରଣର ନୂପୁରନିକ୍ୱଣ । ସେଇ ସ୍ମୃତିର ଅନୁରଣନ ଆଜି ମଧ୍ୟ ମୁକ ମନ୍ଦିରର ଅପାଶୋରା ଗୌରବ ।

 

‘ଭକ୍ତମାଳା’ ଗ୍ରନ୍ଥପ୍ରଣେତା ଚନ୍ଦ୍ରଦତ୍ତ କବି ସ୍ପଷ୍ଟାକ୍ଷରରେ ଏହି କଥା ଉଲ୍ଲେଖ କରିଛନ୍ତି । ଆଜି ମଧ୍ୟ ଶ୍ରୀମନ୍ଦିରର ନୀତି-କାଳରେ ନିତିପ୍ରତି ଅଗଣନ ଦର୍ଶନାର୍ଥୀଙ୍କ ମନରେ ଅନାହୂତଭାବେ ଜାଗିଉଠେ ସେହି ସ୍ମୃତିର କଳ୍ପନା ।

 

ପୁରାଣପ୍ରସିଦ୍ଧ ପୁଣ୍ୟତୋୟା ପ୍ରାଚୀତଟର କେନ୍ଦୁଲୀ ଶାସନବିରାଜିତ ଅମ୍ବିକା-ମନ୍ଦିର-ତୋରଣରେ ଖୋଦିତ ଲିପି ଦର୍ଶକ, ପାଠକଙ୍କୁ ପଢ଼ାଏ ‘‘ଜଏ ଜଏ ଦେବ ହରେ’’ । ସନ ୧୧୧୨ ସାଲ ଅର୍ଥାତ୍‌ ୧୧୯୦ ଖ୍ରୀଷ୍ଟାବ୍ଦର ଏହି ଜରାଜୀର୍ଣ୍ଣ ମନ୍ଦିରମଧ୍ୟରେ ପ୍ରତିଷ୍ଠିତା ଦେବୀ ଅମ୍ବିକା - ଶକ୍ତିମୂର୍ତ୍ତି । ମନ୍ଦିରର ପ୍ରବେଶ-ଦ୍ୱାରରେ ଜୟଦେବୀ ଅମର ବୈଷ୍ଣବ-ବାଣୀ । ଆହୁରି ବିଚିତ୍ର କଥା ଯେ ଦୁର୍ଗାଷ୍ଟମୀକାଳରେ ଏହି ମନ୍ଦିରସଂପୂଜିତା ଦେବୀଙ୍କ ଶ୍ରୀଛାମୁରେ ଚଣ୍ତୀପାଠପରିବର୍ତ୍ତେ ଶ୍ରୀଗୀତଗୋବିନ୍ଦ ପାଠ ପଠନବିଧି ଅବଧି ପ୍ରଚଳିତ । ଜୟଦେବୀ ସ୍ମୃତିରକ୍ଷାର ଏଭଳି ନିଷ୍ଠାପର ଉଦାହରଣ ଭାରତର ଅନ୍ୟତ୍ର କାହିଁ ହେଲେ ଜଣାଶୁଣା ନାହିଁ ।

 

କେନ୍ଦୁଲୀ ଗ୍ରାମର ଦକ୍ଷିଣ-ପୂର୍ବଦିଗକୁ ବାଟ ଦୁଇ ବା ଅଢ଼େଇ ମାଇଲ୍‌ ଦୂରରେ ଘଟିଛି ପ୍ରାଚୀ, ଧନୁଆଁ ଓ କୁଶଭଦ୍ରା ଜଳବେଣୀର ପବିତ୍ର ସଙ୍ଗମ । ଏହା ତ୍ରିବେଣୀଘାଟରୂପେ ପ୍ରସିଦ୍ଧ । ନିକଟରେ ତା’ର ବିଜେ ଶ୍ରୀତ୍ରିବେଣୀ-ମାଧବ ଶୀଳାମୂର୍ତ୍ତି । ଏହିଠାରେ ପ୍ରତିବର୍ଷ ମାଘଅମାବାସ୍ୟା ଦିନ ତ୍ରିବେଣୀ ମେଳା ବସେ ଏବଂ ଦୂର-ଦୂରାନ୍ତରୁ ଅସଂଖ୍ୟ ଯାତ୍ରୀ ପବିତ୍ର ‘‘ତ୍ରିବେଣୀ ବୁଡ଼’’ ଲାଗି ସମବେତ ହୁଅନ୍ତି । କେନ୍ଦୁଲୀ ସନ୍ନିକଟ ଏହି ତ୍ରିବେଣୀ-ସ୍ନାନ ମେଳାର ପ୍ରିସିଦ୍ଧି ଘୋଷଣା କରେ ‘କପିଳ ସଂହିତା’ ଏବଂ ‘ପ୍ରାଚୀମାହାତ୍ମ୍ୟ’ । ଏହି ତ୍ରିବେଣୀ ଗଙ୍ଗାରେ ହିଁ ସାଧୁପ୍ରବର ଜୟଦେବ ସ୍ନାନ ସମାପନ କରୁଥିଲେ ।*

 

ଶ୍ରୀମନ୍‌ ନିଳାଦ୍ରିନାଥଙ୍କ ଶ୍ରୀଅଙ୍ଗଲାଗି ଉତ୍ତରୀୟଟି (ଓଢ଼ଣୀ) ‘ଜୟଦେବୀ ଖଣ୍ଡୁଆ’ ନାମରେ ଅଭିହିତ । ଏହି ‘ପାଟ-ଖଣ୍ଡୁଆ’ଟି ଉତ୍କଳୀୟ ବୟନଶିଳ୍ପ-କଳାର ଅନ୍ୟତମଗୌରବ ନିଦର୍ଶନ । ଏଥିରେ ଦଶାବତାର ଗୀତିକା ବୁଣାହୋଇଅଛି । ଏହା ଉତ୍କଳୀୟ ପରମ୍ପରାର ଭକ୍ତି ଏବଂ କଳାକୃତି ସମନ୍ୱୟର ପରିପ୍ରକାଶ । ଶ୍ରୀମନ୍ଦିରରେ ବଡ଼ସିଂହାରବେଳେ ଏହି ଖଣ୍ଡୁଆ ଜଗବନ୍ଧୁଙ୍କୁ ଶ୍ରୀଅଙ୍ଗ ଲାଗି ବଢ଼େ । ଜୟଦେବୀସ୍ମୃତିସମାଦରର ଏହା ଅନ୍ୟ ଏକ ବୈଶିଷ୍ଟ୍ୟ ।

 

ଶ୍ରୀଗୁଣ୍ଡିଚା, ବାହୁଡ଼ା ଯତ୍ରାବେଳେ, ହେରାପଞ୍ଚମୀ ଦିନ ରଥପ୍ରଦକ୍ଷିଣପରେ ‘ରଥଭଙ୍ଗା’ ବିଧି ଶେଷ କରି ଅଭିମାନ-କୁପିତା ମହାଲକ୍ଷ୍ମୀ ଶ୍ରୀମନ୍ଦିରର ଗର୍ଭଗୃହ-ଦ୍ୱାର ରୁଦ୍ଧ କରିଦିଅନ୍ତି - ବାହୁଡ଼ା-ବିଜୟପରେ ପ୍ରଭୁଙ୍କର ଆଉ ଗୃହପ୍ରବେଶର ଅଧିକାର ନାହିଁ । ସେତେବେଳେ ଦୁର୍ଜ୍ଜୟମାନିନୀ ଦେବୀଙ୍କର ମାନଭଞ୍ଜନଲାଗି ଦେବଦାସୀ-କଣ୍ଠରେ ଶ୍ରୀଜୀଉଙ୍କପକ୍ଷରୁ ଗୀତ ହୁଏ - ‘ପ୍ରିୟେ, ଚାରୁଶୀଳେ, ମୁଞ୍ଚ ମୟି ମାନମନିଦାନଂ’ । ଭାବଭୋଳା ଆତ୍ମଭୁଲା ସହସ୍ର-ସହସ୍ର ଦର୍ଶନାର୍ଥୀଙ୍କର ଭକ୍ତି-ଅଶ୍ରୁଭରା ସତୃଷ୍ଣନୟନ ଆକୁଳ ଉତ୍କଣ୍ଠାରେ ‘କବାଟଫେଡ଼ା’କୁ ଅନାଇରହେ । ସତେ ଅବା ନୀଳାଦ୍ରିନାଥଙ୍କର ମନ୍ଦିରପ୍ରବେଶ-ଅନୁମତି ପାର୍ଥନା କରି ସମବେତ ଜନକଣ୍ଠରୁ ଅଜଣାରେ ଗୁଞ୍ଜରିଉଠେ ସେହି ଶତାବ୍ଦୀ-ଶତାବ୍ଦୀ ପୂର୍ବର ମଧୁସ୍ମୃତିଭରା କରୁଣ ଗୀତଲେଖା । ଉକୁଟିଉଠେ ଛନ୍ଦେଛନ୍ଦେ ଓଢ଼ଣୀ ଶୈଳୀର ସ୍ୱତନ୍ତ୍ରତା । ତହିଁସହିତ ଓଡ଼ିଆ-ପ୍ରାଣର ଆକୁଳ ନିବେଦନଭରା ଭକ୍ତି-ମଧୁର ସ୍ୱପ୍ନ-ସ୍ମୃତି । କମ୍ପିଉଠିଥିଲା ସେଦିନ ଭକ୍ତକରର ପୋଥି ଆଉ ଲେଖନୀ ମହୋଦଧି-ସ୍ନାନରୁ ବାହୁଡ଼ି ଆସି ଯେତେବେଳେ ନୀରଭରା ବିସ୍ମିତ ନୟନରେ କବି ପାଠ କଲେ ରସରାଜଙ୍କ ଶ୍ରୀକର-ରସ-ରଚନା ‘‘ଦେହି ପଦପଲ୍ଲବମୁଦାରମ୍‌’’ ।

 

ଜଗତର ‘ଆଗବଢ଼ା’ ଚଳଣିର ଗର୍ବ ଖର୍ବ କରି ଉତ୍କଣ୍ଠାଜନତାକୁ ସ୍ମୃତି ଏତେବେଳେ ଦ୍ୱାଦଶ ଶତାବ୍ଦୀ କାଳକୁ ପଛଫେରା କରାଇନିଏ ଅନୁଭବୀ ମାତ୍ରେ ମୁକ୍ତକଣ୍ଠରେ ଏକଥା ସ୍ୱୀକାର କରିବେ ।

 

ପରମଭକ୍ତ ମହାରାଜ ପ୍ରତାପରୁଦ୍ର ଶ୍ରୀମନ୍ଦିରରେ କେବଳ ଜୟଦେବୀ ଶ୍ରୀଗୀତଗୋବିନ୍ଦ-ସଙ୍ଗୀତଭିନ୍ନ ‘ଆନ ନ ଗାଇବେ’ ବୋଲି ଶୀଳାଲେଖରେ ଆଦେଶ ପ୍ରଚାର କରିଛନ୍ତି ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀରୁ । ପରେ-ପରେ ଚତୁର୍ଭୁଜ ବିଷ୍ଣୁବିଗ୍ରହ ସ୍ଥଳେ ଓଡ଼ିଶାର ଅଗଣିତ ବିଷ୍ଣୁମନ୍ଦିରରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ପରିପୂଜିତ ହେଲେ । ଶ୍ରୀଗୀତଗୋବିନ୍ଦର ସ୍ମୃତି ବହନ କରି ମନ୍ଦିରଗାତ୍ରମାନଙ୍କରେ ମଧ୍ୟ ବହୁ ଯୁଗଳ ମୂର୍ତ୍ତି ଅବସ୍ଥାପିତ ହେଲା । ମୁଗ୍‌ଧ ଦର୍ଶକ, ପାଠକ ଆଜି ମଧ୍ୟ ଶ୍ରୀମନ୍ଦିରରେ ଶୁଣେ ସେ କେଉଁ ଦୂର ଅତୀତର ସ୍ମୃତିବାହୀ ଅଶରୀରୀ ବାଣୀ - ‘‘ରାଧାମାଧବୟୋର୍ଜୟନ୍ତି’’ ... ଇତ୍ୟାଦି ।

 

ଏଠାରେ ଏକଥା କହିବା ଅପ୍ରାସଙ୍ଗିକ ହେବ ନାହିଁ ଯେ ଓଡ଼ିଶାରେ ସଂପୂଜିତ ଅଗଣନ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ଅନ୍ତରାଳରେ ଜୟଦେବଙ୍କର ‘‘ରାଧାମାଧବୟୋର୍ଜୟନ୍ତି’’ ସ୍ମୃତି ସଂଜୀବିତ । ଶ୍ରୀମନ୍ଦିରରେ ଶ୍ରୀଗୀତଗୋବିନ୍ଦର ନୀତି ପ୍ରଚଳନ (୧୨୭୮-୧୩୦୭ ଖ୍ରୀ:) କୋଟି ଭକ୍ତପ୍ରାଣରେ ‘ରାଧାକୃଷ୍ଣ’ଙ୍କୁ ସୁପ୍ରତିଷ୍ଠିତ କରାଇବାଦ୍ୱାରା ହିଁ ଚତୁର୍ଭୁଜ ଏକକ ବିଷ୍ଣୁମୂର୍ତ୍ତିପ୍ରତିଷ୍ଠା-ରୀତି କ୍ରମେ ଊଣା ହୋଇଆସିଲା । ଲକ୍ଷ୍ୟ କରିବାର କଥା ଯେ ଶ୍ରୀମଦ୍‌ଭାଗବତରେ କିମ୍ବା ଉତ୍କଳୀୟ ସ୍ମୃତିଶାସ୍ତ୍ରରେ କାହିଁ ହେଲେ ଯୁଗଳ ଆରାଧନାର ଉଲ୍ଲେଖ ଦେଖାଯାଏ ନାହିଁ । ଉତ୍କଳରେ ଶଙ୍ଖ-ଚକ୍ର-ଗଦା-ପଦ୍ମଧାରୀ ଚତୁର୍ଭୁଜ ବିଷ୍ଣୁମୂର୍ତ୍ତି ପରିବର୍ତ୍ତେ ଅସଂଖ୍ୟ ମୋହନ ମୂରଲୀଧର ଶ୍ରୀକୃଷ୍ଣ ଓ ବାମରେ ତାଙ୍କର ଶ୍ରୀରାଧା ମୂର୍ତ୍ତି ପ୍ରତିଷ୍ଠାର ପ୍ରବର୍ତ୍ତନମୂଳରେ ଶ୍ରୀଗୀତଗୋବିନ୍ଦର ସ୍ମୃତି ପ୍ରତିଭାତ ବୋଲି କହିବାକୁ ହେବ ।

 

ଉତ୍କଳରେ ଯୁଗଳ ମୂର୍ତ୍ତିପ୍ରବର୍ତ୍ତନର ବହୁ କାଳପରେ ଶ୍ରୀଚୈତନ୍ୟଙ୍କଦ୍ୱାରା ଏହି ଯୁଗଳ ମୂର୍ତ୍ତି ଆରାଧନା ତଥା ଶ୍ରୀଗୀତଗୋବିନ୍ଦ ବଙ୍ଗଳାରେ ପ୍ରଚାରିତ ହୋଇଅଛି ।

 

ଶ୍ରୀଗୀତଗୋବିନ୍ଦର ପ୍ରଭୃତ ପ୍ରଭାବପାତଫଳରେ ହିଁ ଗୋପୀଜନ ବଲ୍ଲଭ ଶ୍ରୀକୃଷ୍ଣରୂପେ ଜଗନ୍ନାଥଙ୍କର ପ୍ରସିଦ୍ଧି ଦ୍ୱାଦଶ-ତ୍ରୟୋଦଶ ଶତାବ୍ଦୀମଧ୍ୟରେ ଓଡ଼ିଶାର ବିଭିନ୍ନ ମନ୍ଦିର-ଗାତ୍ରରେ ଏବଂ ମନ୍ଦିରମାନଙ୍କରେ ଗୋପୀଜନବଲ୍ଲଭ ଗୋପୀନାଥ ମୂର୍ତ୍ତି ବିରାଜିତ ହେଲେ । ଏହା ଶ୍ରୀଗୀତଗୋବିନ୍ଦର ‘‘ନୃତ୍ୟତି ଯୁବତିଜନେନ ସମଂ ସଖି’’ ବାଣୀର ଅମର ସ୍ମୃତିସ୍ମାରକୀ ।

 

୧୧୬୩ ଖ୍ରୀଷ୍ଟାବ୍ଦର ପ୍ରଥମ ପାଦରେ ଦକ୍ଷିଣ ଓଡ଼ିଶାନିବାସୀ (କଳିଙ୍ଗନିବାସୀ) କୋମିନାୟକଙ୍କ କନ୍ୟା ପରମା-ଭକ୍ତିମତୀ ମେଡ଼ମାଦେବୀ କୃତ୍ତିବାସଙ୍କ (ଶିବଙ୍କ) ସେବାରେ ମହାଦୀପଦାନନିମିତ୍ତ ଭୁବନେଶ୍ୱର ଆସିଥିଲେ । ଏହି ପବିତ୍ର କାର୍ଯ୍ୟରେ ସହାୟକରୂପେ କୁର୍ମପାଟକର ସାଧୁପ୍ରଧାନ ଜୟଦେବ ଥିଲେ ତାଙ୍କର ସହଯାତ୍ରୀ । କୁର୍ମପାଟକ ବା କୁର୍ମକ୍ଷେତ୍ର ସେତେବେଳେ ଶ୍ରୀବୈଷ୍ଣବ-ସମ୍ପ୍ରଦାୟର ପ୍ରଖ୍ୟାତ ଗୁରୁକ୍ଷେତ୍ରରୂପେ ମହାପଣ୍ଡିତମାନଙ୍କର ବାସସ୍ଥଳୀ ଥିଲା । ଧର୍ମପ୍ରାଣା ମେଡ଼ମାଦେବୀ ଏହିଠାରୁ ସାଧୁପ୍ରଧାନ ଜୟଦେବଙ୍କୁ ଏହି ଧର୍ମ-କାର୍ଯ୍ୟର ସହାୟକ ବା ଉପଦେଶକରୂପେ ତାଙ୍କର ସହଯାତ୍ରୀ କରି ଭୁବନେଶ୍ୱର ଯାଇଥିଲେ । ସେଠାରେ କୃତ୍ତିବାସଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିବାର ଶିଳାଲେଖ ଲିଙ୍ଗରାଜ-ମନ୍ଦିରର ତୃତୀୟ ପ୍ରବେଶ-ଦ୍ୱାରରେ ସଂଲଗ୍ନ ହୋଇ ରହିଛି । *

 

ଜାତିସ୍ମର ମହାପୁରୁଷଙ୍କର ଏବଂବିଧ ସ୍ମୃତି-ସ୍ମାରକୀ କେବଳ ଉତ୍କଳରେ ହିଁ ଦୃଷ୍ଟ ହୁଏ । ଓଡ଼ିଆ ପୁଅକୁ ବଙ୍ଗାଳୀ ବୋଲି ବାହାପିଟି ଦାବୀ ବାଢ଼ୁଥିବାବେଳେ କାହିଁ ଘରେ ତ ତାଙ୍କର ‘ଚିମୁଟେ’ ହେଲେ ପିଲାର ସ୍ମୃତି କେହି ସାଇତିପାରି ନାହାନ୍ତି ?

 

ସୁନ୍ଦରକୁ ଆଦର କରିବାରେ ମହତ୍ତ୍ୱ ଅଛି ନିଶ୍ଚୟ; କିନ୍ତୁ ତାକୁ ଆପଣାର ବୋଲି କହିବାଟା ସୁନ୍ଦର କି ?

 

ଅନୁକୃତି

 

ଶ୍ରୀଗୀତଗୋବିନ୍ଦ-କାବ୍ୟ-ଧର୍ମର ଅପୂର୍ବ ଅନୁକୃତି ଦେଖିବାକୁ ମିଳେ ଭୁବନେଶ୍ୱରର ଅନନ୍ତବାସୁଦେବ-ମନ୍ଦିରଗାତ୍ରରେ ଖୋଦିତ ଲିପିରୁ । ଗଙ୍ଗବଂଶୀୟ ମହାରାଜା ୧ମ ଭାନୁଦେବଙ୍କ ସଭାକବି ପଣ୍ଡିତ ଉମାପତିଙ୍କ ରଚନା ଏଠାରେ ଉତ୍‌କୀର୍ଣ୍ଣ ହୋଇଅଛି । ମହାରାଜ ଅନିୟଙ୍କ ଦେବଙ୍କ କନ୍ୟା ରାଧାମାଧବ-ଚରଣସେବିକା ଭକ୍ତିମତୀ ଚନ୍ଦ୍ରା (ଚନ୍ଦ୍ରିକା) ଦେବୀଙ୍କଦ୍ୱାରା ଏହି ମନ୍ଦିର ୧୨୧୧-୧୨୫୮ ମଧ୍ୟରେ ନିର୍ମିତ । କବି ଉମାପତି ରାଜକୁମାରୀସମ୍ବନ୍ଧେ ଲେଖିଛନ୍ତି :-

 

‘‘ଲକ୍ଷ୍ମୀର୍ଯଦ୍‌ବଦନାରବିନ୍ଦ ବସତିର୍ନୋ (?)

ଚିନ୍ତୟତ୍ୟବ୍‌ଜନୀମ୍‌

ମୁଗ୍‌ଧେନ୍ଦୀବରନେତ୍ରନିତ୍ୟନିଳୟା

କୃଷ୍ଣେନ ତୃଷ୍ଣାବତୀ ।

କିଞ୍ଚାଲିଜ୍ଞ ତଦଙ୍ଗକାନି ମୂଦିତା

ଚିତ୍ତେ ନ ଦତ୍ତେ ସୁରା -

ନେଷାଶେଷଜଗଦ୍‌ବିଲୋଚନବଶୀକାରାୟ

କାରାୟତେ ।’’

 

ରସ, ଭାବ, ଶୈଳୀ ଓ ଲାଳିତ୍ୟ ବିଚାରରୁ ରଚନାଟି ଯେ ଜୟଦେବୀ ଅନୁକୃତ ଏକଥା ସହଜରେ କହିହେବ ।

ରାଜକୁମାରୀ ଚନ୍ଦ୍ରିକାଦେବୀଙ୍କସମ୍ବନ୍ଧେ କବି ଉମାପତି ଲେଖିଛନ୍ତି :-

 

‘‘ଗୀତଜ୍ଞା ଲୟତାଲ ନର୍ତ୍ତନ କଲା

କୌଶଲ୍ୟ ଲୀଲାଲୟା

ବାଲ୍ୟାଦଚ୍ୟୁତ ଭକ୍ତିଭାବିତମତି -

ର୍ଦତ୍ତାନୁରୂପ ଶ୍ରିୟେ ।’’

 

ଗୀତ-ବାଦ୍ୟ-ନୃତ୍ୟଦ୍ୱାରା ଗୋବିନ୍ଦଙ୍କର ସେବା କରୁଥିଲେ ଭକ୍ତିପରାୟଣା ଚନ୍ଦ୍ରାଦେବୀ । ଦେବୀ ପଦ୍ମାବତୀ ଶ୍ରୀଜଗନ୍ନାଥଙ୍କ ସେବାଦାସୀରୂପେ ଉତ୍ସର୍ଗୀକୃତା ହୋଇଥିଲେ । ଶ୍ରୀମନ୍ଦିର-ଗର୍ଭଗୃହ ଦେବୀଙ୍କର ଚପଳ- ଚରଣଚାଳିତ ନୂପୁର-ନିକ୍ୱଣରେ ହେଉଥିଲା ଅନୁରଣିତ ।

 

ଏହି କୃଷ୍ଣପ୍ରେମପରାୟଣା ରାଧାଭାବଗତା ଦେବୀ ପଦ୍ମାବତୀ ‘କୃଷ୍ଣାୟ ବାସୁଦେବାୟ ଗୋପୀଜନବଲ୍ଲଭ’ ଜଗନ୍ନାଥ ଶ୍ରୀଛାମୁରେ ନୃତ୍ୟ-ସେବାସମ୍ୱନ୍ଧରେ ଭକ୍ତମାଳ ଗ୍ରନ୍ଥର ଉଲ୍ଲେଖ; ଯଥା :-

 

‘‘ଉଭୌ ତୌ ଦମ୍ପତୀ ତତ୍ର ଏକପ୍ରାଣୌ ବଭୂବତୁଃ

ନୃତ୍ୟନ୍ତୌ ଚାପି ଗାୟନ୍ତୌ ଶ୍ରୀକୃଷ୍ଣାର୍ଚ୍ଚନତ୍ପରୌ ।’’

ଆହୁରି ପଞ୍ଚଦଶ ଶତକରେ କୁଚ-ବିହାରର କବି ରାମସରସ୍ୱତୀକୃତ ଜୟଦେବ କାବ୍ୟରେ ଲେଖାଅଛି :-

 

‘‘ଜୟଦେବ ମାଧବେର ସ୍ତୁତିକ ବର୍ଣ୍ଣାବେ

ପଦ୍ମାବତୀ ଆଗନ୍ତ ନାଚତ ଭଙ୍ଗିଭାବେ ।

କୃଷ୍ଣର ଗୀତକ ଜୟଦେବ ନିଗଦତି

ରୁପକ ତାଲେର ଚେବେ ନାଚେ ପଦ୍ମାବତୀ ।’’

 

ପ୍ରାୟ ଏକ ଶତାବ୍ଦୀପରେ ଦେବୀ ପଦ୍ମାବତୀଙ୍କର ଅନୁକରଣ କରିଛନ୍ତି ରାଜକନ୍ୟା ଚନ୍ଦ୍ରା । ସେ ଗୀତ, ଲୟ ଓ ତାଳନିପୁଣା ଥିଲେ ଏବଂ ଗୋବିନ୍ଦପ୍ରୀତ୍ୟଥେ ନୃତ୍ୟ ପରିବେଷଣ କରୁଥିଲେ ବୋଲି ଅଲିଭା ଶିଳାଲେଖରେ ଯୁଗ-ଯୁଗର ସ୍ମୃତି ବିରାଜିତ । ଏହା ନିଶ୍ଚିତଭାବ ଦେବୀ ପଦ୍ମାବତୀଙ୍କର ଅନୁକୃତି ।

 

୧୧୭୮ - ୧୩୦୭ ଖ୍ରୀଷ୍ଟାବ୍ଦରେ ଉତ୍କଳ ନରେଶ ୨ୟ ନରସିଂହ ଦେବ (କବି ନରସିଂହ ଦେବ ନାମରେ ପ୍ରଖ୍ୟାତ) ଶ୍ରୀମନ୍ଦିରରେ ଶ୍ରୀଗୀତଗୋବିନ୍ଦ ନୀତିରୂପେ ଚଳାଇଲେ । ଏସମ୍ୱନ୍ଧେ ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି ଯେ ‘‘ଏ ଉତ୍ତାରୁ କବି ନରସିଂହ ଦେବ ରାଜା ହୋଇଲେ । ଗୀତଗୋବିନ୍ଦ ଶିଲାଉ କଲେ ।’’ ସେହିଦିନୁ ଶ୍ରୀଗୀତଗୋବିନ୍ଦର ଜନପ୍ରିୟତା ବହୁଳ ପରିମାଣରେ ବୃଦ୍ଧି ପାଇଲା ।

 

ଏହି ଜନପ୍ରିୟତା ହିଁ ଶ୍ରୀଗୀତଗୋବିନ୍ଦର ଅନୁକୃତି ବାସନା ଚେତାଇଦେଇଛି ବ୍ୟକ୍ତିବିଶେଷର ଚିତ୍ତରେ । ତହୁଁ ପ୍ରାୟ ୧୪୮୦ ଖୀଷ୍ଟାଦ୍ଦରେ ରଚିତ ହୁଏ ଶ୍ରୀଗୀତଗୋବିନ୍ଦର ଅନୁକୃତିରେ ‘ଅଭିନବ ଗୀତଗୋବିନ୍ଦ’ । ଏହାକୁ ଶ୍ରୀଗୀତଗୋବିନ୍ଦର ସମରୂପ ବା ସମକୃତି ବୋଲି କୁହାଯାଇପାରେ ।

 

ଅଭିନବ ଗୀତଗୋବିନ୍ଦର ବାସ୍ତବ ରଚୟିତା ହେଲେ ‘ଭାରତମୃତମ୍‌’ ଗ୍ରନ୍ଥପ୍ରଣେତା କବିଚନ୍ଦ୍ର ରାୟ ଦିବାକର ମିଶ୍ର । ମହାରାଜ ପୁରୁଷୋତ୍ତମ ଦେବଙ୍କର ରାଜସଭାର କବି-ପଣ୍ଡିତ । ମହାରାଜ ପୁରୁଷୋତ୍ତମ ଦେବ ଥିଲେ ଶ୍ରୀମତ୍‌ ଜଗନ୍ନାଥଙ୍କର ପରମ ଭକ୍ତ । ତାଙ୍କ ଭକ୍ତିପରାୟଣତାର ଖ୍ୟାତି ଦିଗନ୍ତପ୍ରସାରିତ । ମର୍ହଟ୍ଟୀ ଭାଷାରେ ଲିଖିତ ‘ଭକ୍ତ-ବିଜୟ’ ଗ୍ରନ୍ଥକାର କବି ମହୀପତି ଏହି ଉତ୍କଳେଶ ମହାରାଜଙ୍କୁ ‘ସାତ୍ତ୍ୱିକ’ ଉପାଧିରେ ସମ୍ମାନିତ କରି ଅଭିନବ ଗୀତଗୋବିନ୍ଦର ବର୍ଣ୍ଣନା କରିଛନ୍ତି । ଅଭିନବ ଗୀତଗୋବିନ୍ଦ ଶ୍ରୀଜୀଉଙ୍କ ଶ୍ରୀଚ୍ଛାମୁରେ ନୀତିରୂପେ ଗୀତ ହେବାରେ ବାଧା ଉପୁଜିବାରୁ୧୪୯୯ରେ ଶ୍ରୀମନ୍ଦିରରେ କେବଳ ଶ୍ରୀଗୀତଗୋବିନ୍ଦ ଗୀତ ହେବ ବୋଲି ମହାରାଜ ପୁରୁଷୋତ୍ତମ ଦେବ ଆଜ୍ଞା ଦେଲେ । କବି ମହୀପତି କହନ୍ତି, ଜୟଦେବକୃତ ଶ୍ରୀଗୀତଗୋବିନ୍ଦରେ ଅଭିନବ ଗୀତଗୋବିନ୍ଦରୁ ଚବିଶଗୋଟି ଶ୍ଳୋକ ସଂଯୁକ୍ତ ହୋଇଅଛି ।

 

କବିଚନ୍ଦ୍ର ରାୟ ଦିବାକର ମିଶ୍ରଙ୍କର ଅନ୍ନପୁଷ୍ଟାଙ୍କ ପ୍ରତିକୃତଜ୍ଞତା ଜ୍ଞାପନର ପ୍ରତୀକସ୍ୱରୁପ ଗ୍ରନ୍ଥଟି ମହାରାଜ ପୁରୁଷୋତ୍ତମଙ୍କ ରଚନା ବୋଲି ପ୍ରଚାରିତ । ଫଳରେ କେବଳ ଓଡ଼ିଶାରେ ନୁହେଁ, ଭାରତର ଅନ୍ୟାନ୍ୟ ସ୍ଥଳରେ ମଧ୍ୟ ମହାରାଜ ପୁରୁଷୋତ୍ତମ ଅଭିନବ ଗୀତଗୋବିନ୍ଦର ରଚୟିତାରୂପେ ସୁପରିଚିତ । ପ୍ରୋକ୍ତ ‘ଭକ୍ତ-ବିଜୟ’ ଗ୍ରନ୍ଥକାର ମଧ୍ୟ ତାଙ୍କରି ପ୍ରଶସ୍ତି ଗାଇଛନ୍ତି ।

 

ଅଭିନବ ଗୀତଗୋବିନ୍ଦକୁ ଶ୍ରୀଗୀତଗୋବିନ୍ଦ ସ୍ଥଳାଭିଷକ୍ତ କରି ଶ୍ରୀମନ୍ଦିର-ନୀତିରୁପେ ଚଳାଇବା ଲାଗି ମହାରାଜ ପୁରୁଷୋତ୍ତମ କଲ୍ପନା କରିବାରୁ ତଦାନୀନ୍ତନ ପଣ୍ଡିତମାନେ ଏହାର ତୀବ୍ର ପ୍ରତିବାଦ କଲେ । ମହାରାଜ ଏଥିରେ ମର୍ମ୍ମାହତ ହୋଇ ଶ୍ରୀମତ୍‌ ଜଗନ୍ନାଥଙ୍କ କୃପାଦେଶ ଅପେକ୍ଷା କଲେ । କଥିତ ଅଛି ଯେ ଶ୍ରୀଗୀତଗୋବିନ୍ଦ ଶ୍ରୀଜୀଉଙ୍କଦ୍ୱାରା ଗୃହୀତ ଏବଂ ଅଭିନବ ଗୀତଗୋବିନ୍ଦ ଉପେକ୍ଷିତ ହୁଅନ୍ତେ ମହାରାଜ ମନଦୁଃଖରେ ଆତ୍ମହତ୍ୟାର ସଂକଳ୍ପ କଲେ । ତହୁଁ କରୁଣାବତ୍ସଳ ଜଗବନ୍ଧୁ ଭକ୍ତର ଅଭିଳାଷ ପୁରଣନିମିତ୍ତ ଶ୍ରୀଗୀତଗୋବିନ୍ଦର ଦ୍ୱାଦଶ ସର୍ଗର ଆଦ୍ୟରେ ଅଭିନବ ଗୀତଗୋବିନ୍ଦର ଗୋଟିଏ ଗୋଟିଏ ଶ୍ଳୋକ ସନ୍ନିବେଶିତ ହେଉ ବୋଲି ଆଜ୍ଞାଦେଲେ ।

 

ଏସମ୍ବନ୍ଧେ ‘ଦାର୍ଢ଼୍ୟତାଭକ୍ତି’ର ପଞ୍ଚାବନ ଅଧ୍ୟାୟରେ ନିମ୍ନରୂପ ରଚନା ଦୃଷ୍ଟ ହୁଏ :-

 

x      x      x      x      x     

ରାଜନ ଶୁଣି ଗ୍ରନ୍ଥ ଦୁଇ । ପ୍ରଭୁ ଚ୍ଛାମୁରେ ଦେଲା ନେଇ ।।

ସାଧୁର ଗ୍ରନ୍ଥ ତତକାଳେ । ଧଇଲେ ପ୍ରଭୁ ହୃଦସ୍ଥଳେ ।।

ରାଜାର ଗ୍ରନ୍ଥ ତଳେ କ୍ଷେପି । ଦେଖି ନୃପତି ହେଲା ତାପି ।।

ଚଳିଲା ଅଭିମାନ ଭୋଳେ । ଜୀବନ ହାରି ସିନ୍ଧୁଜଳେ ।।

ଜାଣିଲେ ପ୍ରଭୁ ଦୁଃଖଘେନା । ଭକତ-ହୃଦୟ-ବେଦନା ।।

ଶୁଭିଲା ଆକାଶ-ବଚନ । ତୋ ଗ୍ରନ୍ଥ କଲି ମୁଁ ଗ୍ରହଣ ।।

ଦ୍ୱାଦଶ ସର୍ଗ ପରିମାଣ । ଜୟଦେବର ଗ୍ରନ୍ଥ ଜାଣେ ।।

ବାରସର୍ଗର ଆଦ୍ୟେ ତାର । ରହିବ ବାର ଶ୍ଳୋକ ତୋର ।।

ରାଜା ହୋଇଣ ଏଥେଁ ତୋଷା ଗମିଲା ଆପଣା ଉଆସ ।।

x      x      x      x      x     

 

ଏଠାରେ କୁହାଯାଇପାରେ ଯେ ‘ଅଭିନବ ଗୀତଗୋବିନ୍ଦ’ ରଚନାର ମୂଳରେ ଥିଲା ପ୍ରତିଦ୍ୱନ୍ଦିତା ଭାବ-ସହଜ କଥାରେ ‘ଅସହଣି ମନୋବୃତ୍ତି’ । ଭକ୍ତମନର ଆବେଗମି । ଭାବ, ଭାଷାଦ୍ୱାରା ଅବାଧ ଗିରିନିର୍ଝର ହେଲା ଶ୍ରୀଗୀତଗୋବିନ୍ଦ । ମହାକବି ଗ୍ରନ୍ଥାରମ୍ଭରୁ କହିଛନ୍ତି ‘‘ଶ୍ରୀବାସୁଦେବ-ରତିକେଳିକଥା’’ ।

 

ଗୋଟିଏ କଥା ଏଠାରେ କହିଲେ ବୋଧ ହୁଏ ଅପ୍ରାସଙ୍ଗିକ ହେବ ନାହିଁ ଯେ ‘ଯଥା ଦେହେ, ତଥା ଦେବେ’ । ପ୍ରଶଂସା ବା ସ୍ତୁତିବାକ୍ୟ ଶୁଣିଲେ ମନୁଷ୍ୟ-ମନ ଟଳିଯାଏ । ଦେବତା ମଧ୍ୟ ସେହିପରି ତୃପ୍ତ ହୁଅନ୍ତି । ତେଣୁ ସିନା ଅଗଣିତ ସ୍ତବ, ସ୍ତୋତ୍ର ଓ ମନ୍ତ୍ର ଇତ୍ୟାଦିର ସୃଷ୍ଟି !

 

କବି ଜୟଦେବ ବାସୁଦେବଙ୍କ ଶ୍ରୀଚ୍ଛାମୁରେ ବାସୁଦେବ-ରତିକେଳିକଥା ଗାୟନ କରିଥିଲେ । ଆଗରୁ କୁହାଯାଇଅଛି ବାସୁଦେବ ପୁରୁଷ ଏବଂ ପ୍ରକୃତିର ଭେଦାଭେଦ-ସମ୍ମିଳନ । ଏଣୁ ସେ ଦୁଇ ଏବଂ ଏକ । ଏହିଠାରେ ‘ଅଚିନ୍ତ୍ୟ ଭେଦାଭେଦ’ ତତ୍ତ୍ୱ କଳ୍ପନାରେ ଘଟିଛି ସାର୍ଥକତା । ଅଭିନବ ଗୀତଗୋବିନ୍ଦ ଗ୍ରନ୍ଥରେ ଜୟଦେବୀ ଭାବ, ଭକ୍ତି, ନିଷ୍ଠା ଓ ଉପାସନାର ସମତ୍ୱ, ସ୍ଥିତି ସମ୍ଭବ ହୋଇପାରି ନାହିଁ ।

 

ଏହା ପଞ୍ଚଦଶ ଶତାଦ୍ଦୀର ଘଟଣା । ଶ୍ରୀଗୀତଗୋବିନ୍ଦର ରଚନାକାଳ ଦ୍ୱାଦଶ ଶତାଦ୍ଦୀ । ତେଣୁ ପଞ୍ଚଦଶ ଶତାଦ୍ଦୀପୂର୍ବବତ୍ତୀ ଯେଉଁ ସଟୀକ ଗୀତଗୋବିନ୍ଦ ଗ୍ରନ୍ଥ ପୋଥି ଆକାରରେ ସଂଗୃହୀତ (ଟୀକାକାର କବିରାଜ ନାରାୟଣ ଦାଶ-ତ୍ରୟୋଦଶ ଶତାଦ୍ଦୀ) ତାହା ନିଶ୍ଚିତଭାବେ ଅବିମିଶ୍ର ଗୀତଗୋବିନ୍ଦର ଟୀକା ସମନ୍ୱିତ ମୂଳ ରଚନା ବୋଲି ଗ୍ରହଣୀୟ । ସର୍ବାଙ୍ଗସୁନ୍ଦରୀ ନାମକ ଏହି ଟୀକାରେ ନିମ୍ନଲିଖିତ କେତେ ଗୁଡ଼ିଏ ଶ୍ଳୋକର ଉଲ୍ଲେଖ ନାହିଁ; ବିଶେଷତଃ ଏହାର ପରବତ୍ତୀ କାଳରେ (୧୪୪୫-୫୦ଖ୍ରୀଷ୍ଟାଦ୍ଦ)ମେବାରର ରାଣା କୁମ୍ଭକର୍ଣ୍ଣଙ୍କର ‘ରସିକପ୍ରିୟା’ ନାମକ ଟୀକାରେ ପ୍ରଦତ୍ତ କେତେକ ଶ୍ଳୋକ ସର୍ବାଙ୍ଗସୁନ୍ଦରୀ ଟୀକାରେ ଦୃଷ୍ଟ ହୁଏ ନାହିଁ । ଏଗୁଡ଼ିକ ତତ୍‌ପରବତ୍ତୀ କେତେକ ଓଡ଼ିଆ,ବଙ୍ଗଳା ଏବଂ ହିନ୍ଦୀ ସଂସ୍କରଣରେ ଦେଖିବାକୁ ମିଳେ । ଏଣୁ ଏଗୁଡ଼ିକ ହୁଏତ ଶ୍ରୀଗୀତଗୋବିନ୍ଦର ଅନୁକୃତି ‘ଅଭିନବ ଗୀତଗୋବିନ୍ଦ’ର ସଂଯୋଗ ଶ୍ଳୋକାବଳୀ ହୋଇପାରେ । ସେଗୁଡ଼ିକ ଯଥା :-

 

୧ମ ସର୍ଗ

୧-ଅଦ୍ୟୋତ୍ସଙ୍ଗ ବସଦ୍‌ଭୁଜଙ୍ଗ କବଳ ...କଳୋତ୍ତଳାଃ ପିକାନାଂ ଗିରଃ ।

୨-ରସୋଲ୍ଲାସଭରେଣ...ସ୍ମିତ ମନୋହରୀ ହରିଃ ପାତୁ ବଃ ।।

୨ୟ ସର୍ଗ

ସକୁତ-ସ୍ମିତମାକୁଳାକୁଳ...ହରତୁ ବଃ କ୍ଳେଶଂ ନବଃ କେଶବଃ ।।

୩ୟ ସର୍ଗ

ତିର୍ଯ୍ୟକ୍‌ କଣ୍ଠବିଲୋଳମୌଳି...କଟାକ୍ଷୋର୍ମୟଃ ।

 

୪ର୍ଥ ସର୍ଗ

ବୃଷ୍ଟି ବ୍ୟାକୁଳ-ଗୋକୁଳାବନ...ଶ୍ରେୟାଂସି କଂସହିଷଃ ।

୫ମ ସର୍ଗ

ରାଧା-ମୁଗ୍‌ଧ-ମୁଖାରବିନ୍ଦମଧୁପଃ...ତ୍ୱାଂ ଦେବକୀନନ୍ଦନଃ ।

 

୬ଷ୍ଠ ସର୍ଗ

କିଂ ବିଶ୍ରାମ୍ୟସି କୃଷ୍ଣଭୋଗିଭବନେ...ପ୍ରାଶସ୍ତ୍ୟ ଗର୍ଭାଗିରଃ ।।

୭ମ ସର୍ଗ

ପ୍ରାତର୍ନୀଳନିଚୋଳମଚ୍ୟୁତମୁରଃ...ଜଗଦାନଦାୟ ନନ୍ଦାତ୍ମଜଃ ।।

୮ମ ସର୍ଗ

ଅନ୍ତର୍ମୋହନମୌଳିଘୂର୍ଣ୍ଣନ...ଶ୍ରେୟାଂସି ବଂଶୀରବଃ ।।

 

୯ମ ସର୍ଗ

ସାନ୍ଦ୍ରାନନ୍ଦପୁରନ୍ଦରାଦି...ଶୁଭସ୍କନ୍ଦାୟ ବନ୍ଦାମହେ ।।

୧୦ମ ସର୍ଗ

ପ୍ରୀତିଂ ବସ୍ତୁନୂତାଂ ହରିଃ...ବ୍ୟାମୋହକୋଳାହଳଃ ।।

୧୧ଶ ସର୍ଗ

ସାନନ୍ଦଂ ନନ୍ଦସୂନୁର୍ଦିଶତୁ...ଆଲୋକୟନ୍‌ ଚ ।।

ସୌନ୍ଦର୍ଯ୍ୟେକନିଧେ...ଦେୟାନ୍‌ ମୁକୁନ୍ଦୋମୁଦମ୍‌।।

 

୧୨ଶ ସର୍ଗ

ବ୍ୟାକୋଶଃ (ବ୍ୟାଲୋଳଃ) କେଶପାଶଃ..ଶ୍ରଗ୍‌ଧରେୟଂଧିନୋତି ।।

ଈଷନ୍‌ମୀଳିତଦୃଷ୍ଟି...ଧୟତ୍ୟାନନମ୍‌ ।

ଇତ୍‌ଥଂ କେଳିତତୀର୍ବିହୁତ୍ୟ ଯମୁନାକୂଳେ...ସ୍ଫୀତାଂ ମୁଦାଂ ସଂପଦମ୍‌ ।।

 

ପ୍ରୋକ୍ତ ଶ୍ଳୋକମାନଙ୍କର ସଂଖ୍ୟା ଷୋହଳଗୋଟି ଏବଂ ଏଗୁଡ଼ିକ ଶ୍ରୀଗୀତଗୋବିନ୍ଦର ସର୍ଗମାନଙ୍କ ଶେଷରେ ସଂଯୁକ୍ତ । ଦାର୍ଢ଼୍ୟତାଭକ୍ତିର ପାଠ- ‘‘ବାର ସର୍ଗର ଆଦ୍ୟେ ତାର ରହିବ ବାର ଶ୍ଳୋକ ତୋର ।।’’ ଅନୁସାରେ ଏହା ସର୍ଗର ଆଦ୍ୟରେ ସନ୍ନିବେଶିତ ନୁହେଁ । ତେଣୁ ଏଗୁଡ଼ିକ ଯେ ଅଭିନବ ଗୀତଗୋବିନ୍ଦର ଶ୍ଳୋକ, ତାହା ମଧ୍ୟ ସଠିକଭାବେ କହିହେଉ ନାହିଁ । ତଥାପି ସର୍ବାଙ୍ଗସୁନ୍ଦରୀ ଟୀକା (୧୩ଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧ) ପାଠମଧ୍ୟରେ ଏବଂ ତତ୍‌ପରବର୍ତ୍ତୀ କୁମ୍ଭରାଣାଙ୍କ ଟୀକାରେ ଏ ଶ୍ଳୋକଗୁଡ଼ିକ ସ୍ଥାନ ପାଇଥିବାରୁ ସେଗୁଡ଼ିକୁ ଅଭିନବ ଗୀତଗୋବିନ୍ଦର ଶ୍ଳୋକ ହୋଇଥିବ ବୋଲି ଧରାଯାଇପାରେ । ଜୟଦେବଙ୍କ ଅନୁକୃତ ଏହିପରି ଶ୍ଳୋକ କେବଳ ଓଡ଼ିଶାରେ ହିଁ ଦୃଷ୍ଟ ହୁଏ ।

 

ଛନ୍ଦ ଓ ରଚନାର ଲାଳତ୍ୟ-ବିଚାରରୁ ପ୍ରୋକ୍ତ ଶ୍ଳୋକଗୁଡ଼ିକ ମୂଳ ଗୀତଗୋବିନ୍ଦସହିତ କ୍ଷୀର-ନୀରଭଳି ଏପରି ଅଙ୍ଗ ମିଶାଇଦେଇଛି ଯେ ଉଭୟମଧ୍ୟରେ ପାର୍ଥକ୍ୟ ବାରିବା ସହଜସମ୍ଭବ ନୁହେଁ ।

 

ଦେଶ, ବେଶ, ଭାଷା, ରୁଚି ଓ ସମାଜର ରୀତିନୀତି ଘେନି କାବ୍ୟ, ସଙ୍ଗୀତ, ଚିତ୍ର ଓ ସ୍ଥାପତ୍ୟ ରଚନାର ସ୍ୱତନ୍ତ୍ରତା ସ୍ୱୀକାର୍ଯ୍ୟ । ନାଟ୍ୟଶାସ୍ତ୍ରରେ ଏହାରି ନାମ ‘ପ୍ରବୃତ୍ତି’ । ଏହି ପ୍ରବୃତ୍ତି-ପାର୍ଥକ୍ୟ ଅନୁସାରେ ଓଡ଼ିଶାର କାବ୍ୟ, ଚିତ୍ରକଳା ବା ସ୍ଥାପତ୍ୟରଚନା ଇତ୍ୟାଦି ଅନ୍ୟ ପ୍ରଦେଶଠାରୁ ପୃଥକ୍‌ ଯେପରି ଓଡ଼ିଶାର ଚ୍ଛାନ୍ଦ-ସଂଗୀତ, ପୋଥିଚିତ୍ରାଙ୍କନ ଏବଂ ମୂର୍ତ୍ତି ଗଢ଼ଣ ଇତ୍ୟାଦି । ଏଗୁଡ଼ିକ ସହିତ ସମାନଭାବରେ ପାଦ ମିଳାଇ ଅଭେଦ ବା ଅଭିନ୍ନଭଳି କଳା-ରଚନା ପ୍ରଦେଶାନ୍ତରର ଶିଳ୍ପୀପକ୍ଷେ ସମ୍ଭବପର ନୁହେଁ । ସେହିପରି ମୂଳ ଗୀତଗୋବିନ୍ଦସହିତ ଅଙ୍ଗଭେଦରେ ତିଳେ ହେଁ ପାର୍ଥକ୍ୟ ବାରି ନ ହେବାଭଳି ଲଳିତ କୋମଳ ପଦଯୁକ୍ତ ରଚନା କରିଯାଇଛନ୍ତି ଉତ୍କଳୀୟ ସଂଗୀତଜ୍ଞ କବି-ପଣ୍ଡିତ । ସମାନ ରୁଚି, ସମାନ ପରିବେଶ ଏବଂ ସମାନ ପ୍ରବୃତ୍ତିପ୍ରସ୍ତୁତ କଳାକାର ନୋହିଲେ ସର୍ବାଂଶରେ ଏଭଳି ସମମିଳନ କୃତି ସମ୍ଭବପର ନୁହେଁ ।

 

ଜଗନ୍ନାଥବଲ୍ଲଭ ନାଟକ- (ଆନୁମାନିକ ସମୟ ୧୪୯୦-୧୫୪୦ ଖ୍ରୀଷ୍ଟାଦ୍ଦ)

 

ନାଟ୍ୟକାର ସଙ୍ଗୀତଜ୍ଞ କବି ରାୟ ରାମାନନ୍ଦ ପଟ୍ଟନାୟକଙ୍କଦ୍ୱାରା ଗଜପତି ପ୍ରତାପରୁଦ୍ରଙ୍କ ଶାସନକାଳରେ ଏହି ନାଟକଟି ରଚିତ । ‘‘ପ୍ରତାପରୁଦ୍ରେର ପ୍ରୀତିକାମନାୟ ଜଗନ୍ନାଥବଲ୍ଲଭ ଲେଖା ହଇୟାଛିଲ ।’’ (ବା:ସା:ଇ:-ପୃ:୩୮) ଐତିହାସିକ ଶ୍ରୀ ସୁକୁମାର ସେନ ଲେଖିଛନ୍ତି, ‘‘ନାଟକଟି ଜଗନ୍ନାଥମନ୍ଦିରେ ଅଭିନୀତ ଓ ହଇୟାଛିଲ’’ । ଏହା କିନ୍ତୁ ବାସ୍ତବ ନୁହେଁ । ନାଟକଟି ଜଗନ୍ନାଥ-ମନ୍ଦିରରେ ନୁହେଁ-ଜଗନ୍ନାଥବଲ୍ଲଭ ମଠରେ ଅଭିନୀତ ହୋଇଥିଲା । ସେ ପୁଣି ଲେଖିଛନ୍ତି, ‘‘ରାମାନନ୍ଦ ରାୟ ନିଜେ ଦେବଦାସୀଦେର୍‌ ଅଭିନୟ ନିର୍ଦେଶ ଦିତେନ୍‌ ।’’ ଜୟଦେବଙ୍କପରି ରାୟ ମଧ୍ୟ ସଙ୍ଗୀତଜ୍ଞ କବି ଥିଲେ । ତେଣୁ ତାଙ୍କ ରଚିତ ଗୀତ ଶ୍ରୀଗୀତଗୋବିନ୍ଦପରି ଲଳିତ ମଧୁର । କେତେକ ଐତିହାସିକଙ୍କ ମତରେ ରାୟ କୃଷ୍ଣଦାସଙ୍କର ଏବଂ କୃଷ୍ଣଦାସ ହରିଦାସଙ୍କର ସଙ୍ଗୀତଗୁରୁ । ଏହି ହରିଦାସ ସ୍ୱାମୀ ବିଖ୍ୟାତ ତାନ୍‌ସେନ୍‌ଙ୍କର ଗୁରୁ ଅଟନ୍ତି । ଲଳିତ-କୋମଳକାନ୍ତପଦାବଳୀସଂଯୁତ ଏବଂ ଧ୍ୱନିଝଙ୍କାରସମୃଦ୍ଧ ଏହି ନାଟକଟି ଯେ କେବଳ ଶ୍ରୀଗୀତଗୋବିନ୍ଦ ରଚନାର ଅନୁକୃତି, ତାହା ନୁହେଁ । ଏହା ରାଧାକୃଷ୍ଣ-କେଳି-କଳାବର୍ଣ୍ଣନାରେ ଜୟଦେବଙ୍କ ପଦାଙ୍କର ଅନୁକୃତି ମଧ୍ୟ ।

 

ନାଟକଟି ଶ୍ରୀଚୈତନ୍ୟଙ୍କର ଅତ୍ୟନ୍ତ ପ୍ରିୟ ଥିଲା । ଶ୍ରୀଗୀତଗୋବିନ୍ଦର ଭାଷା କିମ୍ବା ରାଧାକୃଷ୍ଣ-ରସ ଘେନି ଉତ୍କଳଭିନ୍ନ ଭାରତର କୌଣସି ସ୍ଥାନରେ ଏଭଳି ଅନୁକୃତି ଷୋଡ଼ଶ ଶତାଦ୍ଦୀପୂର୍ବରୁ ଦୃଷ୍ଟ ହୁଏ ନାହିଁ, ଏମନ୍ତ କି ଶ୍ରୀଗୀତଗୋବିନ୍ଦ ପ୍ରତିଷ୍ଠିତ ରାଧାକୃଷ୍ଣ ଯୁଗଳ-ଉପାସନାର ଅନୁକୃତିମୂଳରେ ରାୟ ରାମାନନ୍ଦଙ୍କ ନାମ ପ୍ରଥମ ସ୍ମରଣୀୟ । ଏସମ୍ବନ୍ଧେ ‘‘ବାଙ୍ଗଲା ସାହିତ୍ୟେର୍‌ ଇତିହାସ’ ’ପ୍ରଣେତା ଶ୍ରୀ ସୁକୁମାର ସେନ୍‌ ମହାଶୟ ଲେଖିଛନ୍ତି- ‘‘x      x      x କୃଷ୍ଣେର ସଙ୍ଗେ ରାଧାର ସମାନ ମର୍ଯ୍ୟାଦା ସ୍ୱୀକାର କରିୟା ଜୀବ ଗୋସ୍ୱାସୀ ଗୌଡ଼ୀୟ ବୈଷ୍ଣବଚିନ୍ତାକେ ନୂତନ ଦିକେ ଫିରାଇଆ ଦିଲେନ୍‌ । ଏଇ କାଜେର ସୁତ୍ରପାତ କରିୟାଛିଲେନ୍‌ ରାମାନନ୍ଦ ରାୟ ଓ ସ୍ୱରୂପ ଦାମୋଦର । x      x      x କୃଷ୍ଣେର ମୂର୍ତ୍ତିର ବାମେ ରାଧା-ମୂର୍ତ୍ତିର ପ୍ରତିଷ୍ଠା ଏବଂ ଯୁଗଲ ମୂର୍ତ୍ତିର ଉପାସନା ଜୀବ ଗୋସ୍ୱାମୀର ସ୍ୱୀକୃତି ପାଇୟାଇ ପ୍ରଥମେ ବୃନ୍ଦାବନେ ଓ ପରେ ବାଙ୍ଗଲା ଦେଶେ ଚଲିତ ହଇଲ ।’’       x       x      (ପୃ ୩୧୧)

 

ଏହି ପୁସ୍ତକରେ ଅନ୍ୟତ୍ର ରାୟ ରାମାନନ୍ଦ ଏବଂ ଶ୍ରୀ ଚୈତନ୍ୟଙ୍କ ସମ୍ପର୍କସମ୍ବନ୍ଧେ ମଧ୍ୟ ଆଲୋଚନା କରାଯାଇଅଛି । ସେଥିରୁ ପ୍ରତୀତ ହୁଏ ଯେ କେବଳ ରାୟ ରାମାନନ୍ଦଙ୍କ ସମ୍ପର୍କରେ ଆସିବାଦ୍ୱାରା ହିଁ ଯୁଗଳତତ୍ତ୍ୱର ପ୍ରେରଣା ଆସିଛି ଶ୍ରୀଚୈତନ୍ୟଙ୍କର ଏବଂ ତାଙ୍କଦ୍ୱରା ବୈଷ୍ଣବଧର୍ମ୍ମ ପ୍ରଚାରପରେ ହିଁ ବଙ୍ଗଳାରେ ରାଧାକୃଷ୍ଣ-ଯୁଗଳ-ଉପାସନା ପ୍ରବର୍ତ୍ତିତ ।

 

‘‘ବାଙ୍ଗଲାର ପ୍ରଥମ କୃଷ୍ଣଲୀଳା କାବ୍ୟ ଶ୍ରୀକୃଷ୍ଣ ବିଜୟ ଭାଗବତ ଅନୁସରଣେ ଲେଖା । ତାହାର କିଛୁ କାଲପରେ ଯଶୋରାଜଖାଁନ୍‌ ଯେ ‘କୃଷ୍ଣମଙ୍ଗଲ’ ଲିଖିୟାଛିଲେନ୍‌ ସେ ଏଖନ ବିଲୁପ୍ତ’’ ବୋଲି ଶ୍ରୀ ସେନ ମହାଶୟ ଲେଖିଛନ୍ତି ।

 

‘‘ଅତଃପର ଯେ କୟଖାନି କୃଷ୍ଣଲୀଳା କାବ୍ୟ ରଚିତ ହଇୟାଛିଲ, ସେଗୁଲି ଚୈତନ୍ୟ ଭକ୍ତେର ରଚନା ।’’ (ବା: ସା: ଇ:-ପୃ ୪୫୨)

ଆହୁରି ମଧ୍ୟ ଉକ୍ତ ପୁସ୍ତକରେ ଲେଖାଅଛି-

‘‘ x       x       x      ପଞ୍ଚଦଶ-ଷୋଡ଼ଶ ଶତାଦ୍ଦେର ଆଗେ ବାଙ୍ଗଲା ଭାଷାୟ ରାମଲୀଲା ଓ କୃଷ୍ଣଲୀଲା କାହିନୀର ସନ୍ଧାନ ପାଇନା ।’’

 

ଲକ୍ଷ୍ମଣସେନଙ୍କ ସମୟରେ ବଙ୍ଗଳାରେ ଜନସାଧାରଣଙ୍କର ଶିବାରାଧନା ମୁଖ୍ୟ ଥଲା । ତେଣୁ ବହୁ ଶିବ-ସ୍ତବ ରଚିତ ଓ ପଠିତ ହେଉଥିବାର ପ୍ରମାଣ ମିଳେ ।

 

ପ୍ରସଙ୍ଗକ୍ରମେ ଜଗନ୍ନାଥବଲ୍ଲଭ ନାଟକର ଗୋଟି କେତେ ଗୀତରଚନାର ଭାଷା, ଭାବ ଓ ଧ୍ୱନିଝଙ୍କାରପ୍ରତି ଦୃଷ୍ଟି ଆକର୍ଷଣ କରାଉଅଛି-

ବସନ୍ତ ରାଗ

[ ରଚନାର ବର୍ଣ୍ଣରେ ଗୁରୁ ଲଘୁ ଉଚ୍ଚାରଣ-ବିଚାରରେ-

(କ) ଗୀତଗୋବିନ୍ଦ ପାଠ, (ଖ) ଜଗନ୍ନାଥବଲ୍ଲଭ ନାଟକ ]

 

(କ) ଲଳିତ ଳବ - ଙ୍ଗ ଲତା - ପରିଶୀ - ଲନ

(ଖ) ଅପରିଚିତଂ - ତବରୁ -ପମିବଂ - ବତ

 

(କ) କୋ - ମଲ ମଲୟ ସମୀ - ରେ-

(ଖ) ପ - ଶ୍ୟଦି ବୋ - ଚି ତଖେ - ଲଂ-

 

ସେହିପରି-

(କ) ମଧୁକରନିକର କରମ୍ବିତ କୋକିଲ କୁଜିତ କୁଞ୍ଜକୁଟୀରେ

(ଖ) ଲଳିତ ବିକସ୍ୱର କୁସୁମଚୟୈରିବ ହସତି ଚିରାଦିତ ବେଲଂ

...ଇତ୍ୟାଦି ।

ଆହୁରି ମଧ୍ୟ-

ହରିହରି ଚନ୍ଦନ ମାରୁତି ପିକରୁତ ମନୁ ତନୁ ରତନୁ ବିକାରଂ ତରୟି ତୁମିବ ସା କତି କତି ସହସା ରଚୟିତି ନ ଶିଶୁ ବିହାରଂ

ଉପନୀତ ମନସିକ ବାଧା,

ଅଭିନବ ଭାବ ଭରାନପି ଦଧତୀ ଶିବ ସୀଦିତି ରାଧା ।। ଧ୍ରୁ ।।

(ଜଗନ୍ନାଥବଲ୍ଲଭ ନାଟକ)

 

ଶ୍ରୀଗୀତଗୋବିନ୍ଦପରି ଜଗନ୍ନାଥବଲ୍ଲଭ ନାଟକର ୫ମ ଗୀତ) ମଧ୍ୟ ବିଶେଷ ଜନପ୍ରିୟତା ଅର୍ଜ୍ଜନା କରିପାରିଥିଲା । ଉତ୍କଳୀୟ ସଙ୍ଗୀତଶାସ୍ତ୍ରୀମାନେ ପ୍ରାୟ ସମସ୍ତେ କ୍ଷୁଦ୍ରଗତୀର ଉଦାହରଣସ୍ଥଳରେ ଜଗନ୍ନାଥବଲ୍ଲଭ ନାଟକର ଗୀତ ଉପସ୍ଥାପିତ କରିଅଛନ୍ତି ; ଯଥା-

ଚିତ୍ରପଦାମାହ-

x            x            x

‘‘ପଦେ ବୌଚିତ୍ର୍ୟଂ ତୁ ଅକଠୋରାନୁପ୍ରାସ ପ୍ରସାଦାଦିଗୁଣଯୁକ୍ତତ୍ୱମ୍‌’’

ଉଦାହରଣ-

 

ଗୁଣ୍ଡକେରୀରାଗେଣ :-

କଲୟତି ନୟନଂ ଦିଶିଦିଶି ବଳିତଂ

ପଙ୍କଜମିବ ମୃଦୁମାରୁତ ଚଳିତମ୍‌

କେଳି-ସଂଦନ ପ୍ରବିଶତି ରାଧା

ପ୍ରତିପଦସମୁଦିତ ମନସିଜ ବାଧା ।। ଧ୍ରୁ ।।

x      x      x      x

ଜନୟତୁ ଋଦ୍ରଗଜାଧିପମୁଦିତଂ

ରାମାନନ୍ଦ ରାୟ କବି ଗବିତମ୍‌ ।।

(ସଂ.ନା.-ପୃ ୪୭୪)

 

ଗୀତଟି ସଙ୍ଗୀତ ନାରାୟଣ ରଚନାକାଳର (ଅଷ୍ଟାଦଶ ଶତାଦ୍ଦୀ) ବହୁ ପୂର୍ବେ ରଚିତ ଗୀତପ୍ରକାଶ (କୃଷ୍ଣଦାସ) ଏବଂ ତହିଁପରେ ଉଚିତ ସଙ୍ଗୀତ ସରଣୀ ପ୍ରଭୂତି ସଙ୍ଗୀତ-ଗ୍ରନ୍ଥରେ ମଧ୍ୟ ବ୍ୟବହୃତ ହୋଇଅଛି ।

 

ତେଣୁ ଜଗନ୍ନାଥବଲ୍ଲଭ ନାଟକସନ୍ନିବେଶିତ ସଙ୍ଗୀତଗୁଡ଼ିକ କି ଭାଷା, କି ଭାବ, କି ଧ୍ୱନି - ସବୁ ଦିଗରୁ ଶ୍ରୀଗୀତଗୋବିନ୍ଦର ସମର୍ଥ ଅନୁକୃତି ବୋଲି ସ୍ୱୀକାର୍ଯ୍ୟ । ଏଭଳି ଅନୁକୃତି ଭାରତବର୍ଷରେ କେବଳ ଉତ୍କଳଭିନ୍ନ ଅନ୍ୟତ୍ର କୁତ୍ରାପି ସମ୍ଭବ ହୋଇପାରି ନାହିଁ ।

 

ଶ୍ରୀଧର ସ୍ୱାମୀଙ୍କ ଶିଷ୍ୟ ପଣ୍ଡିତ ନାରାୟଣ ତୀର୍ଥ ଶ୍ରୀଗୀତଗୋବିନ୍ଦ ଅନୁକୃତିରେ ଲେଖିଛନ୍ତି - ‘କୃଷ୍ଣଲୀଳା ତରଙ୍ଗିଣୀ କାବ୍ୟ’ (ଆନୁମାନିକ ୧୬ ଶତାଦ୍ଦୀ) ।

 

ତହିଁପରେ ପୁରୀଜିଲ୍ଲା ବାଣପୁର ନିବାସୀ ପଣ୍ଡିତ ରଘୁତ୍ତମ ତୀର୍ଥ ଶ୍ରୀଗୀତଗୋବିନ୍ଦ ଅନୁକୃତରେ ‘ମୁକୁନ୍ଦବିଳାସ’ କାବ୍ୟ ଲେଖିଛନ୍ତି ୨୬୬୭ ଖ୍ରୀଷ୍ଟାଦ୍ଦରେ । ଶ୍ରୀଗୀତଗୋବିନ୍ଦର ‘‘ଶ୍ରିତକମଳାକୁଚମଣ୍ଡଳ’’ ଗୀତଟିର ସ୍ୱର, ତାଳ ଓ ରଚନା ଅନୁକରଣରେ ତୀର୍ଥମହାଶୟଙ୍କର ଗୋଟିଏ ଗୀତ ଦେଖନ୍ତୁ-

(କୁମରୀ ରାଧାଙ୍କୁ ଶ୍ରୀକୃଷ୍ଣପ୍ରାପ୍ତି ଲାଗି ଦୁର୍ଗାଙ୍କୁ ଆରାଧନା ପାଇଁ ନାରଦଙ୍କ ଉପଦେଶ ।)

‘‘ପ୍ରଣତ-ଜନପ୍ରିୟକାରଣି, ଭୟତାରଣି,

ବିମଳକମଳମୁଖି, ଦେବି

ଜୟ ଗିରିରାଜସୁତେ ।

ସ୍ମର-ହର-କାମଦକାମିନି, ଗଜଗାମିନି,

ସୁରୁଚିର କାଞ୍ଚନ ଗୌରି,

ଜୟ ଗିରିରାଜସୁତେ ।

x      x      x

କୁରୁ ମମ ନନ୍ଦସୁତଂ ପତିଂ, ମମ ସଙ୍ଗତିଂ

ଅନଘ ରଘୂତ୍ତମ ଗୀତେ

ଜୟେ ଗିରିରାଜସୁତେ ।’’

 

ଏହାପରେ ସପ୍ତଦଶ ଶତାଦ୍ଦୀର ଶେଷାର୍ଦ୍ଧରେ ‘ଶିବଲୀଳାମୃତ’ ମହାକାବ୍ୟର ରଚନା ଦେଖନ୍ତୁ । କାବ୍ୟରଚୟିତା ନିତ୍ୟାନନ୍ଦ କବି ତଦାନୀନ୍ତନ ନୁଆଗଡ଼ର ରାଜା ଗଦାଧର ସିଂହଙ୍କ ନାମରେ ଭଣତି କରିଅଛନ୍ତି ।

 

କପିଳ ସିଂହତାବର୍ଣ୍ଣିତ ହର-ଗୌରୀଙ୍କର ଏକାମ୍ର-ବିହାର ଏବଂ କୀର୍ତ୍ତିବାସ-ବଧ ପ୍ରସଙ୍ଗ ଘେନି କାବ୍ୟଟି ଲିଖିତ । ଜୟଦେବୀ ଅନୁକରଣରେ ‘‘ଶ୍ରୀତକମଳାକୁଚମଣ୍ଡଳ’’ ସ୍ୱରତାଳରେ ମଧ୍ୟ ତରଳ ସରଳ ଭାଷାର ଆଉ ଗୋଟିଏ ରଚନାର କେତେକାଂଶ ନିମ୍ନରେ ଉପସ୍ଥାପିତ କରାଯାଉଅଛି ।

 

କଳିତ ସୁଧାନିଧିମଣ୍ଡନ, କଳିଖଣ୍ଡନ

ଲଳିତ ଭୁଜଙ୍ଗମହାର

ଜୟ ଜୟ ଲୋକପତେ ।।

 

ସମଧିକ ଶମ୍ବର-ନାଶକ, ମଦନାଶନ

ନୟନ ଧନଞ୍ଜୟ କୀଳ

ଜୟ ଜୟ ଲୋକପତେ ।।

 

x      x      x

ସୁକୃତ ନିଦାନ ଗଦାଧର, କୃତ ସାଦର

ମଞ୍ଜୁଳ ମଙ୍ଗଳଗୀତ

ଜୟ ଜୟ ଲୋକପତେ ।।

 

କବି ପଣ୍ଡିତ ନିତ୍ୟାନନ୍ଦଙ୍କ ରଚିତ ଶ୍ରୀକୃଷ୍ଣ-ଲୀଳାମୃତ କାବ୍ୟରୁ (୧୮ଶ ଶତାଦ୍ଦୀ) ଗୋଟିଏ ଜୟଦେବ ଅନୁକୃତିର ଗୀତ ମଧ୍ୟ ଦେଖନ୍ତୁ । ଗୀତଟି ଶ୍ରୀଗୀତଗୋବିନ୍ଦର ‘‘ସା ବିରହେ ତବ ଦୀନା’’ ରାଗତାଳରେ ଲିଖିତ ଏବଂ ସେହିପରି ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ଶ୍ରୀମତୀଙ୍କର ବର୍ଣ୍ଣନା ଏହାର ବିଷୟବସ୍ତୁ ।

 

ଅବିରଳ ବିଗଳିତ ନୟନ-ଜଳାର୍ଜ୍ଜିତ ଜନ୍ମର-ଭାବ ଦୁକୂଳା ।

ନ ବଦତି କିଂଚନ ରହସି ସଖିଜନମପିକୁତୁକପ୍ରତିକୂଳା ।।

 

ମାଧବ, ତବ ବିରହେ ବତ ରାଧା

ଧ୍ୟାୟତି କିମପି ନିମୀଳିତ ଲୋଚନମୁଚଚିତ ମନସଜ ବାଧା ।।

x            x            x      (ଇତ୍ୟାଦି)

ଖଣ୍ଡପଡ଼ାର କବି ଅନାଦି ମିଶ୍ରେ ଏହିପର ଅନୁକୃତିରେ ‘କେଳି କଲ୍ଲୋଳିନୀ’ ନାମକ ଖଣ୍ଡିଏ କାବ୍ୟ ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ।

 

କୃଷ୍ଣପ୍ରେମତରଙ୍ଗିଣୀ

 

ଷୋଡ଼ଶ ଶତାବ୍ଦୀରେ ଜଗନ୍ନାଥବଲ୍ଲଭ ନାଟକ ରଚନା କାଳ ପରେ ଶ୍ରୀଗତଗୋବିନ୍ଦ - ପରମ୍ପରାର ଅନୁକୃତି ମଧ୍ୟ ବହୁ ଉତ୍କଳୀୟ ଭକ୍ତ - କବିଙ୍କଦ୍ୱାରା ସଂରକ୍ଷତ - ସୁରକ୍ଷିତ ହୋଇ ଆସିଥିବା ପ୍ରମାଣର ଅଭାବ ନାହିଁ ।

 

ଦୂର କଥା ଦୂରେଇ ଦେଲେ ମଧ୍ୟ ଏଇ ଊନବିଂଶ ଶତାବ୍ଦୀର ପ୍ରାନ୍ତ ଶତକରେ ଉତ୍କଳୀୟ କବି ଶ୍ରୀଗୀତଗୋବିନ୍ଦର ପଦାବ୍‌ଜମଧୁର ଆସ୍ୱାଦନ ଲୋଭ ସଂବରଣ କରି ନ ପାରି ଯୁଗସ୍ମର । କବି ଜୟଦେବ ତଥା ଶ୍ରୀଗୀତଗୋବିନ୍ଦ ସହିତ ମାତୃଭୂମିଜାତ ଅତୁଟ ସଂପର୍କ ଏ ଜାତି ପାଶୋରିପାରି ନାହିଁ - ପାରିବ ନାହିଁ ମଧ୍ୟ । ତହିଁର ଅନ୍ୟତମ ପ୍ରମାଣ ବହନ କରିଛି କବିବର ସ୍ୱର୍ଗତ ରାଧାନାଥଙ୍କର ‘ପରିଚାୟିକା’ ସମ୍ବଳିତ ମାତ୍ର ୩୭ ପୃଷ୍ଠାବ୍ୟାପି ଶ୍ରୀ ଶରଚ୍ଚନ୍ଦ୍ର ବନ୍ଦୋପାଧ୍ୟାୟେନ ବିରଚିତା ‘‘କୃଷ୍ଣପ୍ରେମ - ତରଙ୍ଗିଣୀ’’ (Printed at the Ray Press, Cuttck - 1846, ମୂଲ୍ୟ ଟଂ ।) ।

(ନିମ୍ନରେ କବିବରଙ୍କ ‘ପରିଚାୟିକା’ରୁ କିୟଦଂଶ ଉଦ୍ଧାର କରୁଅଛି ।)

‘‘ x       x      x ମୋହ ବିବେଚନାରେ ଏହା ଅପେକ୍ଷା ଶ୍ରୀଗୀତଗୋବିନ୍ଦର ଉତ୍କଷ୍ଟତର ଅନୁକୃତି ହେବା ପ୍ରାୟ ଅସମ୍ଭବ ।

 

x       x      x ତାହାଙ୍କ ଅପେକ୍ଷା ସଂସ୍କୃତରେ ଅଧିକତର ବ୍ୟୁତ୍ପନ୍ନ ଲୋକ ଓଡ଼ିଶାରେ ଅନେକ ଅଛନ୍ତି, ସତ୍ୟ; ମାତ୍ର ପାଣ୍ଡିତ୍ୟ ଏବଂ ଶକ୍ତି ଏ ଦୁହେଁ ସ୍ୱତନ୍ତ୍ର ପଦାର୍ଥ ।

 

x       x      x      x ଗ୍ରନ୍ଥାକାର କଟକ ଜିଲ୍ଲା ଅନ୍ତର୍ଗତ ମହାଗ୍ରାମ ନିବାସୀ ଅଟନ୍ତି । ଏହାଙ୍କର ପତ୍ନୀଙ୍କର ନାମ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ । ଗ୍ରନ୍ଥର କୌଣସି କୌଣସି ସ୍ଥାନରେ ଅନ୍ନପୁର୍ଣ୍ଣାଙ୍କର ଉଲ୍ଲେଖ ଥିବାରୁ ଆବଶ୍ୟକ ବୋଧରେ ଏଠାରେ ତାହାଙ୍କର ପରିଚୟ ଦିଆଗଲା । x       x x ନାନା ଦେଶୀୟ କବିମାନେ ସ୍ୱରଚିତ କାବ୍ୟରେ ପ୍ରସଙ୍ଗତଃ ଅଥବା ଅନୁଷଙ୍ଗତଃ ନିଜ - ନିଜ ପତ୍ନୀଙ୍କର ନାମ ଉଲ୍ଲେଖ କରିଥିବାର ଦେଖାଯାଏ । ଓଡ଼ିଶାରେ ମଧ୍ୟ ଏପରି ଦୃଷ୍ଟାନ୍ତର ଅଭାବ ନାହିଁ । ବିଶେଷ ଗ୍ରନ୍ଥକାର ଯେଉଁ ମହାତ୍ମାଙ୍କର ପଦାଙ୍କ ଅନୁସରଣ କରି ଅଛନ୍ତି, ସେ ସ୍ୱୟଂ ଶଂସିତ ଦୃଷ୍ଟାନ୍ତାବଳୀର ଅନ୍ତର୍ଭୁକ୍ତ ।।’’

ସ୍ୱା - ଶ୍ରୀ ରାଧାନାଥରାୟ ।

 

କୃଷ୍ଣପ୍ରେମ ତରଙ୍ଗିଣୀ କାବ୍ୟମଧ୍ୟରୁ ଅଳ୍ପ କେତେକ ରଚନା ଦୃଷ୍ଟାନ୍ତ ସ୍ୱରୂପ ନିମ୍ନରେ ପରିବେଶଣ କରୁଅଛି । ଶ୍ରୀଗୀତଗୋବିନ୍ଦର ସ୍ୱର, ଛନ୍ଦ ଧ୍ୱନି ଓ ପଦଲାଳିତ୍ୟରେ ଏହା କିପରି ଚମତ୍କାର ସମର୍ଥ- ଅନୁକୃତି, ସୁଧୀବର୍ଗ ତାହା ସହଜରେ ହୃଦୟଙ୍ଗମ କରିପାରିବେ ।

 

ଶ୍ରୀଗୀତଗୋବିନ୍ଦ ।

ଗୀତମ୍‌ । ୨ ।

(ଗର୍ଜ୍ଜରୀ ରାଗେଣ ନିଃସାର ତାଳେନ ଚ ଗୀୟତେ ।)

ଶ୍ରିତକମଳା କୁଚମଣ୍ଡଳ - ଧୃତକୁଣ୍ଡଳ

କଳିତ ଲଳିତ ବନମାଳ ଜୟ ଜୟ ଦେବ ହରେ ।। ଧ୍ରୁବ ।।

x       x      x      x

 

କୃଷ୍ଣପ୍ରେମତରଙ୍ଗିଣୀ ।

ଗୀତମ୍‌। ୨ ।

(ଗୁର୍ଜ୍ଜରୀ ରାଗେଣ ପ୍ରତିମଣ୍ଠତାଳାଭ୍ୟାଂ ଗୀୟତେ ।)

ଭବଭବତାପବିନାଶନ ଭୁଜଗାସନ ।

ଚରଣଶରଣ ଜନପାଳ । ଜୟ ଯଦୁନାଥ ହରେ । ଧ୍ରୁବ ।

 

ଶ୍ରୀଗୀତଗୋବିନ୍ଦର ପ୍ରୋକ୍ତ ଗୀତ ପଦର ଗୀତାକ୍ଷର ଓ ମାତ୍ରା । ବିଭାଗ ସଂଖ୍ୟା ଯଥା :-

୧ମ ପାଦ -       ଅକ୍ଷରସଂଖ୍ୟା - ୧୦ -       ମାତ୍ରାସଂଖ୍ୟା - ୧୨

୨ୟ ପାଦ -       ଅକ୍ଷରସଂଖ୍ୟା - ୫ -      ମାତ୍ରାସଂଖ୍ୟା - ୬

୩ୟ ପାଦ -       ଅକ୍ଷରସଂଖ୍ୟା ୧୦-      ମାତ୍ରାସଂଖ୍ୟା - ୧୧

୪ର୍ଥ ପାଦ ବା ଧ୍ରୁବ ପଦ - ଅକ୍ଷର ସଂଖ୍ୟା ୮ - ମାତ୍ରାସଂଖ୍ୟା ୧୦

 

ସେହିପରି କୃଷ୍ଣପ୍ରେମତରଙ୍ଗିଣୀର ପ୍ରୋକ୍ତ ଗୀତଟିର -

୧ମ ପାଦ - ଅକ୍ଷରସଂଖ୍ୟା - ୧୦, ମାତ୍ରାସଂଖ୍ୟା - ୧୨

୨ୟ ପାଦ - ଅକ୍ଷରସଂଖ୍ୟା- ୫, ମାତ୍ରାସଂଖ୍ୟା - ୬

୩ୟ ପାଦ - ଅକ୍ଷରସଂଖ୍ୟା - ୧୦, ମାତ୍ରାସଂଖ୍ୟା - ୧୧

୪ର୍ଥ ବା ଧ୍ରୁବ ବା ପଦ - ଅକ୍ଷରସଂଖ୍ୟା - ୮, ମାତ୍ରାସଂଖ୍ୟା - ୧୦

 

ବିଶେଷ ଦ୍ରଷ୍ଟବ୍ୟ ଯେ ଶ୍ରୀଗୀତଗୋବିନ୍ଦର ପ୍ରୋକ୍ତ ଗୀତର ୧ମ ଚରଣରେ ପଞ୍ଚମ ଓ ଅଷ୍ଟମ ଅକ୍ଷରମାନ ଗୁରୁବର୍ଣ୍ଣ । ୨ୟ ପାଦର ୩ୟ ଅକ୍ଷର ଗୁରୁବର୍ଣ୍ଣ । ୩ୟ ପାଦର ୯ମ ଅକ୍ଷର ଗୁରୁବର୍ଣ୍ଣ ଏବଂ ଧ୍ରୁବପଦର ୯ମ ଅକ୍ଷର ଗୁରୁବର୍ଣ୍ଣ । ଏହି ଗୁରୁବର୍ଣ୍ଣର କ୍ରମ ସୁଦ୍ଧା କୃଷ୍ଣପ୍ରେମତରଙ୍ଗିଣୀ ରଚନାରେ ଅନୁକୃତ । ନିମ୍ନରେ ଆଉ କେତେଗୋଟି ଉଦାହରଣ ଦେଖନ୍ତୁ :-

 

(ଶ୍ଳୋକ)

‘‘ଯଦି ହରିସ୍ମରଣେ ସରଂସ ମନୋ

ଯଦି ବିଳାସକଳାସୁ କୁତୁହଳମ୍‌

ମଧୁର - କୋମଳ - କାନ୍ତ - ପଦାବଳୀମ୍‌

ଶୁଣୁ ତଦା ଜୟଦେବ ସରସ୍ୱତୀମ୍ । ୩ । ’’

 

ସେହିପରି କୃଷ୍ଣପ୍ରେମତରଙ୍ଗିଣୀର ସାବଧାନୀ ବାଣୀ -

‘‘ଯଦି ମୁରାରିପଦେ ବିହିତା ରତି

ଯଦି ବିଳାସରସେ ବହୁ ଲାଳସା ।

ସୁଖଦ ସୁନ୍ଦର ମୁଗ୍‌ଧ ପଦାତ୍ମିକା

ଶୁଣୁ ତଦା ଶରୁଦିନ୍ଦୁ-ସୁଭାରତୀମ୍ ।।’’

 

କୃଷ୍ଣପ୍ରେମତରଙ୍ଗିଣୀର ୧୨ ଗୋଟି ଗୀତ ଏବଂ ୫୨ଗୋଟି ଶ୍ଳୋକମଧ୍ୟରୁ ସବୁଗୁଡ଼ିକ ଶ୍ରୀଗୀତଗୋବିନ୍ଦର ଅନୁକୃତି । ଏଥିମଧ୍ୟରୁ ୭ମ ଗୀତଟି ଶ୍ରୀମନ୍‌ନୀଳାଦ୍ରିନାଥଙ୍କର ଅନୁକୃତି । ଏଥିମଧ୍ୟରୁ ୭ମ ଗୀତଟି ଶ୍ରୀମନ୍‌ନୀଳାଦ୍ରି ନାଥଙ୍କର ବାହୁଡ଼ାବିଜେକାଳୀନ ଶ୍ରୀମହାଲକ୍ଷ୍ମୀଙ୍କର ମାନଭଞ୍ଜନ ନିମିତ୍ତ ‘‘କବାଟଫେଡ଼ା’’ ସମୟରେ ଗୀତ ହେଉଥିବା ଗୀତଗୋବିନ୍ଦର ଅତ୍ୟନ୍ତ ଲୋକପ୍ରିୟ ସୁପ୍ରସିଦ୍ଧ ସଂଗୀତ (୧୯) ‘‘ବଦସି ଯଦି କିଞ୍ଚିଦପି’’ ସଂଗୀତର ଅନୁକୃତିଟି ଦେଖନ୍ତୁ ।

 

ଶ୍ରୀଗୀତଗୋବିନ୍ଦ -

‘‘ବଦସି ଯଦି କିଞ୍ଚଦପି ଦନ୍ତରୁଚିକୌମୁଦୀ

ହରତି ଦରତିମିରମତି ଘୋରମ୍‌ ।

ସ୍ଫୁରଦଧରତ୍ରୀଧବେ ତବ ବଦନ - ଚନ୍ଦ୍ରମା

ରୋଚୟତି ଲୋଚନ - ଚକୋରମ ।

ପ୍ରୀୟେ ! ଚାରୁଶୀଳେ ! ମୁଞ୍ଚ ମୟି ମାନମନି ଦାନମ୍

ସପଦି ମଦନାନଳୋ ଦହତି ମମ ମାନସମ୍‌

ଦେହି ମୁଖକମଳମଧୁପାନମ୍‌ ।। ଧ୍ରୁବ ।। ’’

 

କୃଷ୍ଣପ୍ରେମତରଙ୍ଗିଣୀ -

‘‘ବଜସି ଯଦି ମଞ୍ଜୁ ମୁଖି କୁଞ୍ଜଶୁଚିକାନନଂ

ଭବତି ମମ ବିପୁଳସୁଖଜାତମ୍‌ ।

ବହତି ହୃଦୟଂ ପ୍ରିୟେ ତବ ସୁଭୁଜବଲ୍ଲରୀ

ହେମମୟହାରମବଦାତମ୍‌ ।

ଶୁଭେ ! ମଞ୍ଜୁ ଭାଷେ ! ସିଞ୍ଚ ମୟି ଭାବଘନଧାରମ୍‌ ।

ବିରହତପନାତପୋ ଦହତି ମମ ଜୀବନମ୍‌

ବାରୟତୁ ତାଦୃଶ ବିକାରମ୍‌ ।। ଧ୍ରୁବ ।।’’ ....ଇତ୍ୟାଦି

 

ଏହିପରି ଅନ୍ୟ କେତକ ଗ୍ରନ୍ଥରେ ମଧ୍ୟ ଶ୍ରୀଗୀତଗୋବିନ୍ଦର ଅନୁକୃତି ସ୍ପଷ୍ଟ ପ୍ରତୀୟମାନ ।

ଦ୍ୱାଦଶ ଶତାବ୍ଦୀ ପରଠାରୁ ୧୫ଶ ୧୬ଶ ଶତାବ୍ଦୀ ପର୍ଯ୍ୟନ୍ତ ଶ୍ରୀଗୀତଗୋବିନ୍ଦର ଅନୁକରଣରେ ଗୀତ-କବିତା କିମ୍ବା ଗୀତି-ନାଟ୍ୟ କେବଳ ଉତ୍କଳରେ ହିଁ ରଚିତ ହୋଇଅଛି । ‘‘ବାଙ୍ଗଲା ସାହିତ୍ୟେର ଇତିହାସ୍‌’’ରେ ସୁପ୍ରତିଷ୍ଠିତ ବଙ୍ଗ ସାହିତ୍ୟିକ ତଥା ଐତିହାସିକ ଶ୍ରୀଯୁକ୍ତ ସୁକୁମାର ସେନ୍‌ ଲେଖିଛନ୍ତି : - ‘‘ x x ଏ ଧରନେର ରଚନା ପଞ୍ଚଦଶ - ଷୋଡ଼ଶ ଶତାକେ ବାଙ୍ଗଲା ଦେଶେ ପାଓୟା ପାୟ ନାଇଁ । ଉଡ଼ିଶ୍ୟାର୍‌ ପଞ୍ଚଦଶ - ଷୋଡ଼ଶ ଶତାବ୍ଦେ ଗୋଡ଼ାର୍‌ ଦିକେ ଦୁଇଟି ମାତ୍ର ପାଓୟା ଗିୟାଛେ । ଏକ୍‌ଟି ପଞ୍ଚଦେଶ ଶତାବ୍ଦେର୍‌ ରଚନା, କପିଳେନ୍ଦ୍ର ଦେବର୍‌ ପରଶୁରାମ ବିଜୟ’, ଇହାର୍‌ ଉଲ୍ଲେଖ ଆଗେ କରିୟାଛି । ଷୋଡ଼ଶ ‘ଶତାବ୍ଦେର୍‌ ରଚନାଟି ହଇତେଛେ ରମାନନ୍ଦ ରାୟେର୍‌ ଜଗନ୍ନାଥବଲ୍ଲଭ ନାଟକ । x x x ଶ୍ରୀଚୈତନ୍ୟେର୍‌ ସହିତ ମିଲେନ୍‌ର ପୂର୍ବ ହଇତେଇ ଇନି ରାମମାର୍ଗେର୍‌ ସାଧନାର୍‌ ସଙ୍ଗେ ପରିଚିତ ଛିଲେନ୍‌ । ତାହାର୍‌ ‘‘ସଙ୍ଗୀତ ନାଟକ’’ ଏଓ ତାହାର୍‌ ପରିଚୟ ଆଛେ । ନାଟକେର୍‌ ଗାନ୍‌ଗୁଲି ଶୁନିତେ ଶ୍ରୀଚୈତନ୍ୟ ଭାଲ ବାସିତେନ...’’ (ପୃଷ୍ଠା : ୩୮୬) ଜଗନ୍ନାଥବଲ୍ଲଭ ନାଟକେର୍‌ ସଂସ୍କୃତ ଗାନ୍‌ ପ୍ରାୟ ସବଇ ଜୟଦେବ ଗାନେର୍‌ ସଦୃଶ । x x x ବାଙ୍ଗ୍‍ଲା ଦେଶେ, ଷୋଡ଼ଶ ଶତାବ୍ଦେର୍‌ ଆଗେ ଲେଖା ଏମନ୍‌ କୋନ୍‌ ସଙ୍ଗୀତ ନାଟକେର୍‌ ସନ୍ଧାନ ମିଲେନା x x x ।’’ (ପୃ : ୩୮୮)

 

ଷୋଡ଼ଶ ଶତାବ୍ଦେର୍‌ ଏକେବାରେ ଶେଷେର୍ ଦିକେ ଗୋବିନ୍ଦ ଦାସ କବିରାଜ ‘‘ସଙ୍ଗୀତ ମାଧବ’ ନାମେ ଯେ ଦୁଇଟି ଲିଖିୟାଛିଲେନ୍‌ ସେଟିଓ ପ୍ରାୟ ନାମମାତ୍ରେ ପର୍ଯ୍ୟବେସିତ । x x x ଗୋବିନ୍ଦ ଦାସେର୍‌ ସମସାମୟିକ ଓ ପରବର୍ତ୍ତୀ କୋନ କୋନ ଲେଖକ ଏକ ଆଧଟି ଗାନ୍‌ ଲଇଖିୟାଛେନ୍‌ । ଉଦାହରଣରୂପେ ଏକଟି ‘‘ଧ୍ରୁବା ଗୀତ’’ ଉଦ୍ଧୃତ କରିତେଛି । ଏଟି ପୁରୁଷୋତ୍ତମ୍‌ ମିଶ୍ରେର୍‌ ରଚନା ।’’ ଷୋଡ଼ଶ ଶତାବ୍ଦୀ ପରେ ମଧ୍ୟ ଏପରି ରଚନା ଓଡ଼ିଶା ଭିନ୍ନ ଅନ୍ୟତ୍ର ଦେଖାଯାଏ ନାହିଁ ।

 

ସୁଜନ ବଦ ମଧୁରି ପୁନାମ

‘‘ଦୁଷ୍କୃତମପହାୟ ଯାହି ଦୁର୍ଲ୍ଲଭ ହରିଧାମ ।। ଧ୍ରୁବ ।।

ପୁତ୍ର - ମିତ୍ର - ବାନ୍ଧବଗଣମିହ ନ କଲୟ ସତ୍ୟମ୍‌

ପୁରୁଷୋତ୍ତମ ମିଶ୍ର ଗଦିତମନୁଭାବୟ ନିତ୍ୟମ୍‌ ।।’’

 

ସଂଶିତ ପୁସ୍ତକରେ ପାଦଟୀକାରେ ଉଦ୍ଧୃତ ପ୍ରୋକ୍ତ ଗୀତସମ୍ବନ୍ଧେ ‘‘ନରହରି ଚକ୍ରବର୍ତ୍ତୀର ସଂଗୀତ ସାରସଂଗ୍ରହ ଗ୍ରନ୍ଥେ (ସ୍ୱାମୀ ପ୍ରଜ୍ଞାନାନନ୍ଦ ସମ୍ପାଦିତ) ଉଦ୍ଧୃତ’’ ବୋଲି ଲେଖାଅଛି ।

 

ତେଣୁ ‘‘ସଙ୍ଗୀତସାର ସଂଗ୍ରହ’’ ଗ୍ରନ୍ଥଟି ଆମୁଳାନ୍ତ ମନଯୋଗ ପୁର୍ବକ ପାଠ କରିସାରିବା ପରେ ସହୃଦୟ ପାଠକପାଠିକାଙ୍କୁ ମୋର ଦୁଇ ପଦ କହିବାର ଅଛି, ପ୍ରସଙ୍ଗକ୍ରମେ ।

 

(କବିରତ୍ନ) ପୁରୁଷୋତ୍ତମ ମିଶ୍ର, ଯାହାଙ୍କୁ କେହି କେହି ବଙ୍ଗାଳୀ ବିଚାରନ୍ତ ବୋଲି ମନେ ହୁଏ, ସେ ଆଦୌ ବଙ୍ଗଜ ନୁହନ୍ତି । ସେ ସଙ୍ଗୀତ ନାରାୟଣ ଗ୍ରନ୍ଥ ପ୍ରଣେତା ଗଜପତି ନାରାୟଣ ଦେବଙ୍କ ସଙ୍ଗୀତ-ଶିକ୍ଷାଗୁରୁ ଏବଂ ପାରଳା - ରାଜସଭାର କବି - ପଣ୍ଡିତ - ସଙ୍ଗୀତଜ୍ଞ । ତାଙ୍କ ପୁତ୍ର ନାରାୟଣ ମିଶ୍ର ମଧ୍ୟ ପାରଳା ଗଜପତିଙ୍କ ପୃଷ୍ଠପୋଷକତାରେ କାଳ - ହରଣ କରିଥିଲେ ଓ ସେ ମଧ୍ୟ ପିତାଙ୍କପରି କବିରତ୍ନ ଉପାଧିଭୂଷିତ ସଙ୍ଗୀତ - କବି । ସେ ‘ସଙ୍ଗୀତସରଣୀ’ ନାମକ ଏକ ପ୍ରାମାଣିକ ସଙ୍ଗୀତଗ୍ରନ୍ଥକର୍ତ୍ତା । ସଙ୍ଗୀତନାରାୟଣ ରଚିତ ହୁଏ ୧୬୪୬ ଖ୍ରୀଷ୍ଟାବ୍ଦରେ ଏବଂ ସାରଣୀର ରଚନାକାଳ ୧୬୬୦ ଖ୍ରୀଷ୍ଟାବ୍ଦ । ସରଣୀକାର ନାରାୟଣ କବିରତ୍ନେ ପୁରୁଷୋତ୍ତମ ମିଶ୍ରଙ୍କ ଗୀତ ଉଦାହରଣ ସ୍ଥଳରେ ଉପସ୍ଥାପିତ କରି ରଚୟିତାଙ୍କୁ ‘ଅସ୍ମଦ ପିତା’ ଏବଂ ସଂଗୀତ ନାରାୟଣ - ଗ୍ରନ୍ଥକାର ପୁରୁଷୋତ୍ତମ ମିଶ୍ରଙ୍କ ନାମୋଲ୍ଲେଖ କରି ‘ଅସ୍ମଦ ଗୁରୁ ବୋଲି ଲେଖିଛନ୍ତି ।

 

‘ସଙ୍ଗୀତସାର ସଂଗ୍ରହ’ ଗ୍ରନ୍ଥଟି ସଙ୍ଗୀତ ନାରାୟଣର ଏକ ବିଚିତ୍ର ଅସମର୍ଥ - ପ୍ରତିଲିପି । ଉଭୟ ଗ୍ରନ୍ଥମଧ୍ୟରେ ପାର୍ଥକ୍ୟ ଏତିକି ଯେ ସଙ୍ଗୀତ ନାରାୟଣରେ ଉଦାହରଣ ସ୍ଥଳରେ ଉପସ୍ଥାପିତ ଓଡ଼ିଆ ଗୀତଗୁଡ଼ିକ ସଂଗୀତସାର ସଂଗ୍ରହର ପ୍ରକାଶ - ପୃଷ୍ଠାରୁ ଅତି ଚତୁରତା ସହ ଅବଲୁପ୍ତ ।

 

ଯେଉଁ ଗୀତଟି ସମ୍ବନ୍ଧେ ଆଲୋଚନା ପଡ଼ିବାରୁ ଏ ଲେଖାଟି ଭେଟି ବସିଲି, ସେହି ସ୍ଥାନଟିର କଥା ବିଚାରକୁ ଆସୁ ।

 

ବାଙ୍ଗ୍‍ଲା ସାହିତ୍ୟରେ ଇତିହାସ ଲେଖକ ମହାଶୟ ‘ଧ୍ରୁବା ଗୀତ’ ବୋଲି ଲେଖିଥିବା ଗୀତଟି ଷୁଦଗୀତ ଅଧ୍ୟାୟର ‘ଧ୍ରୁବପଦା’ ବିଭାଗ ଲକ୍ଷଣର ଉଦାହରଣ ଉପସ୍ଥାପିତ ହୋଇଅଛି । (ଶ୍ରୀ ସଙ୍ଗୀତସାର ସଂଗ୍ରହ - ଗୀତ ପ୍ରକରଣମ୍‌-୪୧ ପୃଷ୍ଠା ଦ୍ରଷ୍ଟବ୍ୟ ।)

 

ଏ ଅଧ୍ୟାୟଟି ‘ସଙ୍ଗୀତ ନାରାୟଣ’ ଗ୍ରନ୍ଥରୁ ‘ସଙ୍ଗୀତ ସାରସଂଗ୍ରହ’ - କର୍ତ୍ତାଙ୍କଦ୍ୱାରା ହୁଏତ ଅପହୃତ କିମ୍ବା ପରବର୍ତ୍ତୀ ଲେଖକଙ୍କର ସଂଯୋଜନା । ପ୍ରମାଣ ସ୍ୱରୂପ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ -କର୍ତ୍ତୃକ ପ୍ରକାଶିତ ସଙ୍ଗୀତ ନାରାୟଣ ଗ୍ରନ୍ଥର ୬୭ ପୃଷ୍ଠା ୨୩ ଧାଡ଼ିର ପରବର୍ତ୍ତୀ ପାଠ ଦ୍ରଷ୍ଟବ୍ୟ (କ୍ଷୁଦ୍ର ଗୀତମାହ ଇତ୍ୟାଦି) । ଉଭୟ ଗ୍ରନ୍ଥର ପାଠକ ସହଜରେ ଦେଖି ପାରିବେ ଯେ ମଧ୍ୟେ - ମଧ୍ୟେ ଅଳ୍ପ - ଅଳ୍ପ ପାଠ ବିଲୋପ ସତ୍ତ୍ୱେ ସଙ୍ଗୀତସାରସଂଗ୍ରହରେ ସଙ୍ଗୀତନାରାୟଣ ଗ୍ରନ୍ଥ ‘କାୟା’ର ‘ଛାୟା’ କିପରି ସ୍ପଷ୍ଟ ପ୍ରତିବିମ୍ବିତ ।

 

ଆଲୋଚ୍ୟ ଗୀତଟିର ପୁର୍ବରୁ (ସଂ: ନାରାୟଣର ୩୦୧ ଶ୍ଳୋକର ପରବର୍ତ୍ତୀ ପାଠ) ଲେଖାଅଛି :- ଉଦାହରଣ ‘ମସ୍ମଦଗୁରୁଣାଂ କବିରତ୍ନେ ମିଶ୍ରଣାଂ’ ଇତ୍ୟାଦି । ଏହି ଧାଡ଼ିକ ପାଠ କୌଶଳକ୍ରମେ ବା ଅନ୍ୟ କୌଣସି କାରଣରୁ ସଂଗୀତ ସାର ସଂଗ୍ରହରେ ନାହିଁ । ଏତକ ପାଠ ଥିଲେ ଉଦାହରଣ ଗୀତଟି ଯେ ଜଣେ ବିଜ୍ଞ ଉତ୍କଳୀୟ ସଙ୍ଗୀତ - କବିଙ୍କଦ୍ୱାରା ରଚିତ, ସେ କଥା ସହଜରେ ଜଣାପଡ଼ିଯାଇ ଥାଆନ୍ତା ଏବଂ ତହିଁ ସହିତ ବଙ୍ଗର ସ୍ୱନାମପ୍ରସିଦ୍ଧ ସଙ୍ଗୀତଜ୍ଞ ଶ୍ରୀ ଘନଶ୍ୟାମ ଦାସଙ୍କର ଦିବ୍ୟ ପରିଚୟ ମଧ୍ୟ ମିଳିପାରି ଥାଆନ୍ତା । ତେଣୁ ଛଳେ, ବଳେ, କୌଶଳେ ସେ ପାଠଧାଡ଼ିଟି ଲୋପ କରି ଦିଆ ଯାଇଅଛି - ଏଥିରେ ଆଉ ସନ୍ଦେହ କଅଣ ?

 

ସଙ୍ଗୀତ ସାରସଂଗ୍ରହ ସମ୍ବନ୍ଧେ ଆଉ ଅଧିକ ଆଲୋଚନା ଏ ସ୍ଥଳରେ ଅପ୍ରାସଙ୍ଗିକ ହେବ ।

ଶ୍ରୀଯୁକ୍ତ ସେନ୍‌ ମହାଶୟଙ୍କୁ ହୁଏତ ସଙ୍ଗିତ ସାରସଂଗ୍ରହର ପ୍ରକାଶକ ସ୍ୱାମୀ ପ୍ରଜ୍ଞାନାନନ୍ଦ କିମ୍ବା ଉକ୍ତ ଗ୍ରନ୍ଥକାର ଘନଶ୍ୟାମ ଓରଫ୍ ନରହରି ଦାଶ ଭ୍ରମରେ ପକାଇ ଦେଇ ଅଛନ୍ତି । ସେନ୍‌ ମହାଶୟ ଉତ୍କଳର ଅନ୍ୟାନ୍ୟ ସଙ୍ଗୀତଗ୍ରନ୍ଥମାନ ଦେଖଇବାର ସୁଯୋଗ ପାଇଥିଲେ ‘‘ବାଙ୍ଗ୍‍ଲା ସାହିତ୍ୟରେ ଇତିହାସ’’ ପୃଷ୍ଠାରେ ବଙ୍ଗଳାର ତଥାକଥିତ ସଙ୍ଗୀତଶାସ୍ତ୍ରରେ ପୁରୁଷୋତ୍ତମ ମିଶ୍ରଙ୍କୁ ହୁଏତ ବଙ୍ଗୀୟ ସଙ୍ଗୀତକାର ବୋଲି ବିଚାର ନ ଥାନ୍ତେ ।

 

ମୁଁ ପ୍ରଥମେ ‘ଶ୍ରୀସଙ୍ଗୀତସାରସଂଗ୍ରହ’ ଗ୍ରନ୍ଥର ଯତ୍‌କିଞ୍ଚିତ୍‌ ପରିଚୟ ଦେଇଛି । ଗନ୍ଥଟି ୧୯୪୬ ଖ୍ରୀଷତ୍ଟାବ୍ଦରେ ସ୍ୱାମୀ ପ୍ରଜ୍ଞାନାନନ୍ଦଙ୍କ ଦ୍ୱାରା ପ୍ରଥମ ବାରପାଇଁ ସଂପାଦିତ । ପାଣ୍ଡୁଲିପିଟି ସ୍ୱାମୀଜୀ ବିଶିଷ୍ଟ ସଂସ୍କୃତ ପଣ୍ଡିତ ଶ୍ରୀ ହରିଦାସ ଦାସଙ୍କଠାରୁ ପ୍ରାପ୍ତ ହୋଇ ଋଣ ସ୍ୱୀକାର କରିଅଛନ୍ତି । ପ୍ରକାଶକ ଲେଖିଛନ୍ତି : -

 

" The book has been critically edited by Swami Prajnanananda, an authority on Indian Music and an author of a number of research works. He has aded the foot-notes and a learned Introduction which we believe, Wil be usefull to the musicologsts, artists and lovers of music. ’’

 

ଏଥିରୁ ସ୍ପଷ୍ଟ ଜଣାଯାଉଅଛି ଯେ ସ୍ୱାମୀଜୀ ବହୁ ଗବେଷଣା ପୂର୍ବକ ପାଣ୍ଡୁଲିପିଟିର ସଂପାଦନା ସାରିଛନ୍ତି । ସେ ଗ୍ରନ୍ଥ ପ୍ରବେଶରେ ଲେଖିଛନ୍ତି ଯେ ‘‘The work was complied in the early eighteenth century, A D. by Sri Narahari Chakravarty or Ghanashyam Das of Bengal... ’’

 

ଗ୍ରନ୍ଥାରମ୍ଭରେ ଲେଖାଅଛି -

      ‘‘ଶ୍ରୀଗୋବିନ୍ଦଂ ପ୍ରଣମ୍ୟାଦୌ ଗୀତଜ୍ଞ - ସୁଖହେତବେ

      ସଂକ୍ଷେପାଦତ୍ର ବକ୍ଷେଽହଂ ସଙ୍ଗୀତସାରସଂଗ୍ରହମ୍‌ ।’’

 

ଗ୍ରନ୍ଥର ଶେଷ ପଂକ୍ତି-

‘‘ଶ୍ରୀଘନଶ୍ୟାମଦାସେନ କୃତଂ ଯତ୍‌ ସର୍ବ୍ବସମ୍ମତମ୍‌

ତନ୍ନି ରାଲସ୍ୟମସ୍ୟାର୍ଥଂ ନିରତଂ ପରିଚିନ୍ତୟ ।।’’

 

ଇତି ସଂଗୀତସାର ସଂଗ୍ରହ ସମାପ୍ତଃ । ଶ୍ରୀକୃଷ୍ଣାୟ ନମଃ । ଶ୍ରୀଚୈତନ୍ୟଚନ୍ଦ୍ରାୟ ନମଃ । ଶକାବ୍ଦ ୧୭୨୫ ।

ସ୍ୱୀକାର କରୁଛି ଯେ ଶ୍ରୀଗୀତଗୋବିନ୍ଦର ଆଲୋଚନା ମଧ୍ୟରେ ଏ ଗ୍ରନ୍ଥୋଲ୍ଲେର ସ୍ଥାନ ନାହିଁ; କିନ୍ତୁ ଗୀତଗୋବିନ୍ଦର ଅନୁକୃତି - ପ୍ରସଙ୍ଗରେ ବଳେବଳେ ଊତ୍କଳୀୟ କବି ସଙ୍ଗୀତଜ୍ଞ କବିରତ୍ନ ପୁରୁଷୋତ୍ତମ ମିଶ୍ରଙ୍କୁ ମଧ୍ୟ ମହାକବି ଜୟଦେବଙ୍କ ପରି ବଙ୍ଗଜ ବୋଲି ପ୍ରକାରନ୍ତରେ ଦାବି ବଢ଼ାଯାଉଥିବା ପ୍ରତ୍ୟକ୍ଷେ ସତ୍ୟ ପ୍ରକାଶକୁ କର୍ତ୍ତବ୍ୟ ମଣିଲି । କୌତୁହଳୀ ପାଠକ ଉଭୟ ପୁସ୍ତକ ଆବଶ୍ୟକ ସ୍ଥଳେ ମିଶାଇ ଦେଖିପାରନ୍ତି ।

 

ଅନୂସୃତି

 

ପଞ୍ଚଦଶ ଶତାବ୍ଦୀର କଥା । କବି ସଙ୍ଗୀତଜ୍ଞ ରାଗମାର୍ଗୀ ବୈଷ୍ଣବପ୍ରାଣ ରାୟ ରମାନନ୍ଦ ପଟ୍ଟନାୟକ ରଚନା କରିଥିଲେ ‘ଜଗନ୍ନାଥବଲ୍ଲଭ ନାଟକ’ । ନାଟକର ଭାଷା ସଂସ୍କୃତ ।

 

ଶ୍ଳୋକରେ ପଂକ୍ତିମଧ୍ୟସ୍ଥିତ ପାଦ ବା ପର୍ବ ବିଭକ୍ତିବେଳେ ପଦାନ୍ତ ଅକ୍ଷର ମିଳନ କିମ୍ବା ଅନୁପ୍ରାସ ସଂରକ୍ଷଣ ରୀତି ଦେଖାଯାଏ ନାହିଁ । ସଂସ୍କୃତ ଭାଷାରେ ସଂଗୀତ ରଚନା କରି ଏ ରୀତି ଏକାବେଳେ ବଦଳାଇ ଦେଇଛନ୍ତି ଜୟଦେବ । ସଂସ୍କୃତ ଯୁଗୀୟଧାରା ଏବଂ ଅପଭ୍ରଂଶ ବା ପ୍ରାକୃତ ଯୁଗର ରୁଚି ଘେନି ସଂଗୀତ - ସାହିତ୍ୟ କ୍ଷେତ୍ରରେ ଏହି ଯୁଗ ସ୍ରଷ୍ଟାଙ୍କର ଏହା ଅବଶ୍ୟ ଅନନ୍ୟ ସାହସିକ ପଦକ୍ଷେପ ବୋଲାଯିବ ।

 

ଭାରତୀୟ ସଂଗୀତର ଦୁଇଟି       ବିଭାଗ - ଅନିବଦ୍ଧ ଓ ନିବଦ୍ଧ । ଅନିବଦ୍ଧ ଆଦିମକାଳରୁ ପ୍ରଳିତ । ଶ୍ରୀଜୟଦେବ ସ୍ୱର ତାଳ ସମାଯୋଗରେ ନିବଦ୍ଧ ସଂଗୀତ ଧାରା ପ୍ରଚଳନର ଆଦ୍ୟଗୁରୁ କହିଲେ ଅତ୍ୟୁକ୍ତ ହେବନାହିଁ । ସ୍ୱରତାଳ ବେଷ୍ଟନୀରେ ବୈତାଳିକ ମାତା ବୃତ୍ତକୁ ଅଳଙ୍କୃତ କରି ଆବୃତ୍ତିକୁ ଗାୟନର ରୂପ ଦେଇ ସେ ଅପାଶୋରା ସଂଗୀତ ବେଦିକାରେ ମୂର୍ତ୍ତିମନ୍ତ କରାଇଛନ୍ତି ।

 

ଶ୍ରୀଜୟଦେବଙ୍କ ସରଳ ସଂସ୍କୃତ ପଦ ଯୋଜନା ଏବଂ ରାଗ - ତାଳ ସମନ୍ୱୟରୀତି ଅନୁକରଣରେ ବହୁ ସଂଗୀତ ରଚିତ ଓ ସଂଯୋଜିତ ହୋଇଛି ‘ଜଗନ୍ନାଥବଲ୍ଲଭ ନାଟକ’ରେ । ତେଣୁ ଉତ୍କଳୀୟ ସଂଗୀତ ସୁରୀମାନେ ସେମାନଙ୍କ ରଚିତ ସଂଗୀତ ଶାସ୍ତ୍ରମାନଙ୍କରେ ରାୟଙ୍କର ଜନପ୍ରିୟ ସଂଗୀତକୁ ଉଦାହରଣ ଗୀତରୂପେ ବ୍ୟବହାର କରିଛନ୍ତି । ଏହା ଇତିପୂର୍ବେ ଦର୍ଶାଇ ଦିଆ ଯାଇଅଛି ।

 

କେବଳ ସଂଗୀତଶାସ୍ତ୍ରୀ ନୁହନ୍ତି, ସୁପ୍ରସିଦ୍ଧ ସାହିତ୍ୟ - ଦର୍ପଣକାର ମଧ୍ୟ ବୃତ୍ତ୍ୟାନୁପ୍ରାସର ଉଦାହରଣ ସ୍ଥାନରେ ଶ୍ରୀଗୀତଗୋବିନ୍ଦର ‘‘ଉନ୍ମିଳନ୍ମଧୁଗନ୍ଧଲୁବ୍‌ଧମଧୁପବ୍ୟାଧୁଚୁତାଙ୍କୁର’’ ଶ୍ଳୋକଟିକୁ ଉଦ୍ଧାର କରି ଅଛନ୍ତି । ଏହିପରି ଗୀତଗୋବିନ୍ଦ ଏବଂ ଜଗନ୍ନାଥବଲ୍ଲଭ ନାଟକର ବହୁ ଶ୍ଳୋକ ମଧ୍ୟ ପରବର୍ତ୍ତୀ ଉତ୍କଳୀୟ ସଂଗୀତ - ସାହିତ୍ୟ - ଗ୍ରନ୍ଥକାର ମାନେ ଉଦାହରଣ ରୂପେ ଉପଯୋଗରେ ଆଣି ଉଭୟ ଉତ୍କଳୀୟଙ୍କ ସ୍ମୃତିକୁ ଅମର କରି ରଖିଛନ୍ତି । ଏପରି ଅନୁକରଣ କିମ୍ବା ଅନୁସରଣ ଉତ୍କଳର ପ୍ରତିବେଶୀ ବା ଅନ୍ୟାନ୍ୟ ପ୍ରଦେଶରେ ଦର୍ଲ୍ଲଭ ।

 

ସପ୍ତଦେଶ ଶତାବ୍ଦୀରେ ଓଡ଼ିଆ ଭାଷାରେ ଗୀତଗୋବିନ୍ଦର ଅନୁସରଣରେ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଲୀଳାନୁରକ୍ତ ଭକ୍ତପ୍ରାଣ ସ୍ୱର୍ଗତ ପିଣ୍ଡିକ ଶ୍ରୀଚନ୍ଦନଙ୍କର ସର୍ବଜନ ସମାଦୃତ ବସନ୍ତରାସକୁ ଏକ ବିଶିଷ୍ଟ ଆସନ ଦିଆଯାଇପାରେ । ଏହା ଏକାଧାରାରେ ଅନୁବାଦ ଏବଂ ଅନୁସରଣ ମଧ୍ୟ ।

 

ପ୍ରଭୁପାଦ ଶ୍ରୀଚୈତନ୍ୟଙ୍କ ଦ୍ୱାରା ପ୍ରଚାରିତ ବଙ୍ଗଭାଷାର କୀର୍ତ୍ତନଶୈଳୀ ଓ ରାମାନନ୍ଦଙ୍କ ଦ୍ୱାରା ସର୍ବ ପ୍ରଥମ ବ୍ରଜ ବୋଲିରେ ରଚିତ ଚିତ୍ତାକର୍ଷକ ଭାଷା ଯୋଜନାର ପ୍ରଭାବରେ ଶ୍ରୀଚନ୍ଦନେ ଯେ ଅବଶ୍ୟ ପ୍ରଭାବିତ - ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ଓଡ଼ିଶାର ରଣପୁର (ପୂର୍ବତନ ଗଡ଼ଜାତ), ବାଣପୁର ଏବଂ ସାକ୍ଷୀଗୋପାଳ ପ୍ରଭୃତି ବହୁ ସ୍ଥାନରେ ବସନ୍ତ ରାସ ଆନୁଷ୍ଠାନିକ ଭାବେ ପାରାୟଣ କରି ଉନ୍ମୁକ୍ତ ରଙ୍ଗମଞ୍ଚରେ ଅଭିନୀତ ହେବାର ପ୍ରମାଣ ଅବଧି ମଧ୍ୟ ଦେହଛପା ଦେଇନାହିଁ ।

 

ଶ୍ରୀଗୀତଗୋବିନ୍ଦର ଭାଷା, ଭାବ ଓ ରସକୁ ମଧୁରତର କରି ଜନତାର ଅତି ନିକଟରେ ପହୁଞ୍ଚାଣଲାଗି ଶ୍ରୀକୃଷ୍ଣଲୀଳା - ମାଧୁର୍ଯ୍ୟମୁଗ୍‌ଧ ଶ୍ରୀଚନ୍ଦନେ ଅସମ୍ଭବ ଆୟାସ ସ୍ୱୀକାର କରିଛନ୍ତି । ସେ ସ୍ୱରଚିତ ବହୁ ଗୀତ ଓ ଶ୍ଳୋକ ସଂଯୋଗରେ ଗୀତଗୋବିନ୍ଦର ଦ୍ୱାଦଶ ସର୍ଗ ପରିବର୍ତ୍ତେ ତ୍ରୟୋଦଶ ସର୍ଗରେ ବସନ୍ତରାଗ ସମାପ୍ତ କରିଛନ୍ତି ଏବଂ ଗୀତ ଗୋବିନ୍ଦ ଅନୁସରଣର ସୀକୃତି ଉଲ୍ଲେଖ କରିଛନ୍ତି ।

 

ବସନ୍ତରାସ ଏକାଧାରରେ ଗୀତଗୋବିନ୍ଦର ସରଳ ଟୀକା ଏବଂ ଅନୁସୃତି ମଧ୍ୟ । ମୋ ଦୃଷ୍ଟିରେ ବରଂ ଏ କଥା କହିଲେ ବୋଧ ହୁଏ ଅପ୍ରାସଙ୍ଗିକ ହେବ ନାହିଁ ଯେ ବସନ୍ତରାସ ଅନେକାଂଶରେ ଗୀତଗୋବିନ୍ଦର ବିଶଦାର୍ଥ (Exptonatary note) ମଧ୍ୟ । ଭାଷା - ବିଚାରରୁ ବସନ୍ତ ରାସ ଓଡ଼ିଆ ନୁହେଁ କି ବଙ୍ଗଳା ନୁହେଁ । ସାମାନ୍ୟ କେତୋଟି ବଙ୍ଗଳା ଶବ୍ଦ କାହିଁ କାହିଁ ଓଡ଼ିଆ ରଚନା ମଧ୍ୟରେ ମିଶି ରହିଛି ମାତ୍ର ।

 

ସ୍ୱର୍ଗତ ଶ୍ରୀଚନ୍ଦନେ ଶ୍ରୀଚୈତନ୍ୟଙ୍କ ଭକ୍ତ ଏବଂ ବୈଷ୍ଣବଧର୍ମ୍ମାବଲମ୍ବୀ ଥିଲେ । ବଙ୍ଗଭାଷୀ ଶ୍ରୀଚୈତନ୍ୟଙ୍କ ପ୍ରଭାବ ପାତହେତୁ ବସନ୍ତରାସ ବଙ୍ଗୋତ୍କଳ ବର୍ଣ୍ଣର ଏକ ପରିଚୟ ହେଲେ ମଧ୍ୟ ସ୍ୱୀୟ ମାତୃଭାଷାର ମମତା ସେ ଆଦୌ ଏଡ଼ିଦେଇପାରି ନାହନ୍ତି - ଯାହା ସ୍ୱାଭାବିକ ବୋଲି କହିବାକୁ ହେବ ।

 

ଶ୍ରୀଚୈତନ୍ୟ ପ୍ରଭାବପାତର ପ୍ରାମାଣିକତା ରୂପେ ସେ ଲେଖିଛନ୍ତି -

‘‘ରସିକ ଶେଖର୍‌ ଆର୍‌ ପରମ କରୁନ

ଏଇ ଦୁଇ ରସେ ପୁର୍ଣ୍ଣ ପରମ୍‌ ଚୈତନ୍ୟ ହେ ।

ଏମନି ଦୟାଲ୍‌ ଗୋରା ପତିତ ପାବନ୍‌

ଦୀନ ଅକିଞ୍ଚନ ଆମି ଦିଅ ପ୍ରେମଧନ୍‌ ହେ ।

ପରମ ଶ୍ରୀମୁଖେ ଆଜ୍ଞା ବିହିଛେ ଆପନି ।

କି ବର୍ଣ୍ଣିଛେ ଭଲମନ୍ଦ କିଛି ନାହିଁ ଜାନି ହେ । ଇତ୍ୟାଦି

(ବସନ୍ତରାସ - ଓଡ଼ିଶା ଜଗନ୍ନାଥ କମ୍ପାନୀ - ପୃଷ୍ଠା - ୮)

 

ବହୁ ସ୍ଥଳରେ ଗୀତ ଗୋବିନ୍ଦର ଦୁଇଟି ଶ୍ଲୋକମଧ୍ୟରେ ସୁଚତୁର ପାଣ୍ଡିତ୍ୟସହ ଶ୍ରୀଚନ୍ଦନେ ନିଜ ରଚିୀତ ଶ୍ଳୋକ ଓ ପୟାର ସଂଯୋଗ କରି ଗୀତଗୋବିନ୍ଦର ଜନପ୍ରିୟତା ତଥା ରସସ୍ୱାଦ - ପରିବେଶଣର ଅପୁର୍ବ କୃତିତ୍ୱ ଅର୍ଜନ କରିଅଛନ୍ତି । କଳେବରବୃଦ୍ଧି - ଆଶଙ୍କାରେ ତନ୍ମଧ୍ୟରୁ ମାତ୍ର ଗୋଟିଏ ଦୃଷ୍ଟାନ୍ତ ଦେଖନ୍ତୁ -

 

ବସନ୍ତରାସ - ତୃତୀୟ ସର୍ଗ

କଂସାରିରପି ସଂସାରବାସନାବଦ୍ଧ- ଶୃଙ୍ଖଳାଂମ୍‌

ରାଧାମାଧାୟ ହୃଦୟେ ତତ୍ୟାଜି ବ୍ରଜସୁନ୍ଦରୀମ୍‌’’ (ଗୀ: ଗୋ:)

 

-ପୟାର-

ସମ୍ୟକ୍‌ସାର ବାସନା ଯେଇ ରସଲୀଳା

ତାର ବନ୍ଧନକୁ ପ୍ରତି ଶ୍ରୀମତୀ ଶୃଙ୍ଖଳା ହେ ।

ହେନ ବେଲା ତାର ଯବେ ହୈଲ ମହାମାନ

କଂସାରିର ସମ ହୈଲ ସଂସାର ଉଚ୍ଛନ୍ନ ହେ ।

ରାଧା କେନେ ତ୍ୟାଗ କୈଲ ବ୍ରଜସୁନ୍ଦରୀରେ

କୁଥା ପ୍ରାନ ସଖୀ ବଲେ କୁଞ୍ଜେ କୁଞ୍ଜେ ଫିରେ ହେ ।

ଗୀତଗୋବିନ୍ଦର ପୁର୍ବୋକ୍ତ ଶ୍ଳୋକପରେ -

 

‘‘ଇତସ୍ତତସ୍ତାମନୁସୃତ୍ୟ ରାଧିକା...ବିଷଷାଦ ମାଧବଃ ।’’ ଏହି ଶ୍ଳୋକମଧ୍ୟରେ ବିଷୟବୋଧକୁ ସମଧିକ ରସସିକ୍ତ କରିବା ମାନସରେ ଶ୍ରୀଚନ୍ଦନେ ଯୋଗ କଲେ-

ଅଟବ୍ୟ ମଧ୍ୟେ ବ୍ରଜରାଜ ନନ୍ଦନଂ

ବୈକୁଲ୍ୟ ଚିତ୍ତ ଭ୍ରମଣେନ ବିହ୍ୱଳଂ

ହେ ଚମ୍ପକାନାଗନିୟାଳୀ ପାଦପା

ବ୍ରବନ୍ତୁ ଯୁୟଂ କନକାଙ୍ଗି - କାମିନୀ ।

 

- ପୟାର -

ଅଟବ୍ୟ ମଧ୍ୟରେ ବ୍ରଜଭୂପତି - ନନ୍ଦନ

ଆକୁଲ ହଇୟା ଫିରେ ସକଲି କାନନ ହେ ।

ହେରେ ତରୁଲତାର ତଲେ ପୁଷ୍ପିତ ଉଦ୍ୟାନ

ମନେର ସନ୍ତାପେ ଶ୍ୱାସ ଛାଡ଼େ ଘନ ଘନ ହେ ।

ଖୋଜିତେ ଖୋଜିତେ କୃଷ୍ଣ କତ ଦୁର ଗେଲ

ଧନୀକେ ନାହେରି ତବେ ବିଭ୍ରମ ହଇଲ ହେ ।

 

- ଡୁହା -

ବାଉଲ ହଇୟା ତାପ ମୁଞ୍ଚେ । ଭୁଲେ ନୀଳମନି ପ୍ରତିକୁଞ୍ଜେ ।

କଖନ ବସନ୍ତପାକ୍ଷୀ ହେରେ । ଧାଏଁ ବାହୁ ତୋଲି ମତ୍ତ ଭୋଲେ ।

ଧରିତେ ନାପାରେ ଯବେ ତାକେ । ଢଲିୟା ପଡ଼ିଲ ଅବନୀକେ ।

କତ ବେଲା ଚେତା ପାୟା ଶୋକେ । ଉଚ୍ଚେ ରାଧାରାଧା ବଲ୍ୟା ଡାକେ ।

କୁଞ୍ଜେ କୁଞ୍ଜେ ଲତାପୁଞ୍ଜ ହେରି । ତାଏ ରାଈ ବାର୍ତ୍ତା ପୁଚ୍ଛେ ହରି ।

 

ଗୀତ

କହ ଗୋ କହ ଗୋ, ଆମାର ଦୁଃଖ ଦିଖି ଦୟାବହ ଗୋ । ଘୋଷା ।

ଆଗୋ ଚମ୍ପା ନାଗେଶ୍ୱର, ଦିଖ୍ୟାଛ କି ନାରୀବର କହ ଗୋ । ୧ ।

x            x            x            x

 

ଉପରଲିଖିତ ‘‘ଇତସ୍ତତସ୍ତାମନୁସୃତ୍ୟ’’ ଇତ୍ୟାଦି ଶ୍ଳୋକର ରସକୁ ଆହୁରି ହୃଦୟବୋଧ୍ୟ କରିବାଲାଗି ଶ୍ରୀଚନ୍ଦନଙ୍କର ସଂଯୋଗ ଲକ୍ଷଣୀୟ ।

ଏହିପରି କାରଣରୁ ରାସର ସର୍ବ ବା ଅଧ୍ୟାୟ ସଂଖ୍ୟା ଗୀ:ଗୋ:ପରି ଦ୍ୱାଦଶ ସ୍ଥଳେ ତ୍ରୟୋଦଶ କରାଯାଇ ଗ୍ରନ୍ଥସମାପ୍ତିରେ ଶ୍ରୀଚନ୍ଦନେ ଲେଖିଛନ୍ତି -

 

‘‘ଇତି ଶ୍ରୀଗୀତଗୋବିନ୍ଦ ମହାକାବ୍ୟେ କବିରାଜ ଶ୍ରୀଜୟଦେବ କୃତେ ନାମ ତ୍ରୟୋଦଶଃ ସର୍ଗଃ ।।’’

 

ଆହୁରି ରାସ ଗୀତରେ କେତେଗୁଡ଼ିଏ ନିରୋଳ ଓଡ଼ିଆ ଶବ୍ଦର ପ୍ରୟୋଗ ଦୃଷ୍ଟ ହୁଏ । ଇକାରାନ୍ତ ଶବ୍ଦ କ୍ରିୟା ସମାପ୍ତି ବୁଝାଇବା ଓଡ଼ିଆ ସାହିତ୍ୟର ବିଶେଷତ୍ୱ । ଶ୍ରୀ ଜୟଦେବ ତାଙ୍କର ସରଳ ସଂସ୍କୃତ ଭାଷାର ସଙ୍ଗୀତ - ରଚନାରେ ଓଡ଼ିଆ ଶବ୍ଦର ଏବଂ ବିଧି ବ୍ୟବହାର ପାଶୋରି ବା ଏଡ଼ିଦେଇପାରି ନାହାନ୍ତି । ଯେପରି - ବିହରତି, ନୃତ୍ୟତି ଓ କରୋତି ଇତ୍ୟାଦି । ଏହାର ଓଡ଼ିଆ ପ୍ରତିଶବ୍ଦ ପ୍ରୟୋଗ ହେଉଛି - ବିହରଇ, ନୃତ୍ୟଇ, କରଇ ଇତ୍ୟାଦି । ଶ୍ରୀଚନ୍ଦନେ ସେହିପରି ବଙ୍ଗଳା ଭାଷାରେ ବସନ୍ତରାସ ଲେଖିଥିଲେ ମଧ୍ୟ ନିଜର ମାତୃଭାଷାର ବିଶେଷତ୍ୱ ଆଦୌ ଏଡ଼ିଦେଇ ନାହାନ୍ତି ।

 

ଉତ୍କଳର ଅନ୍ୟାନ୍ୟ ଛାନ୍ଦ ଓ ଗୀତକାର ଊଣା - ଅଧିକେ ପ୍ରାୟ ସମସ୍ତେ ଶ୍ରୀଜୟଦେବଙ୍କର ରଚନାର ଅନୁସରଣ କରିଛନ୍ତି । ‘କିଶୋର ଚନ୍ଦ୍ରାନନ ଚମ୍ପୂ’ରେ କବିସୂର୍ଯ୍ୟ ସେହିପରି ଗୀତଗୋବିନ୍ଦକୁ ଅନୁସରଣ କରି ଲେଖଛନ୍ତି -

 

(ମୂଳ) ଗୀତଗୋବିନ୍ଦର ୨୪ଶ ଗୀତ

 

କୁରୁ ଯଦୁନନ୍ଦନ ଚନ୍ଦନ ଶିଶିର ତରେଣ କରେଣ ପୟୋଧରେ

ମୃଗମଦପତ୍ରକମନ୍ତ୍ରମନୋଭବମଙ୍ଗଳକଳସସହୋଦରେ ।।

ନିଜଗାଦ ସା ଯଦୁନନ୍ଦନେ ।

କ୍ରୀଡ଼ତି ହୃଦୟାନନ୍ଦନେ ।। ଧ୍ରୁବମ୍‌ ।।

 

- ଇତ୍ୟାଦି ଗୀତଟିର ଭାବଛାୟା କିଶୋରୀ ଚମ୍ପୂର ‘ଲ’ ବର୍ଣ୍ଣାଦ୍ୟ ଗୀତରେ ଫୁଟି ଉଠିଛି ଯଥା :-

 

ଲୀଳାନିଧି ହେ ! ଲାଜେ ମୁଁ ଗଲିଟି ସଢ଼ି

ଲୁଚାଇଛି କାହିଁ ଶ୍ୟାମ ହେ, ଦିଅ ମୋଲାଗି ଶାଢ଼ୀ ।। ପବ ।।

ଲଭି ତୁମ୍ଭକୁ ପ୍ରାଣବନ୍ଧୁ କରି - ଲୋକହସାରେ ଯିବ ଯେବେ ସରି,

ଲସିବି ଯେବେ ପାବୃ ନିନ୍ଦାଦାଉ - ଲାଗିଲି ଆପଣଙ୍କୁ କେହି ଆଉ ।୧ ।

ଲକ୍ଷ ଲକ୍ଷ ରାଣ ଅଛିଟି ମୋର - ଲଲାମଆଦି ଭୁଷା ସଜ କର ।

ଲିଭିଥିବ ଭୁରୁ - ମଧ୍ୟ ତିଳକ - ଲେଖିଦିଅ ବେଗେ ନ ଦେଖୁ ଲୋକ । ୨ ।

ଇତ୍ୟାଦି ।

 

ନିବିଷ୍ଟଭାବେ ଆଲୋଚନା କଲେ ଗୀତଗୋବିନ୍ଦର ରସ ରୂପ କିଶୋରୀ ଚମ୍ପୂରେ ‘‘ସାହା ପ୍ରବେଶ’’ ବା ଚେଇଁ ଶୋଇଥିବେ ଭଳି ମନେ ହୁଏ ।

 

କେବଳ କବିସୂର୍ଯ୍ୟ ନୁହନ୍ତି - ବନମାଳୀ, ଗୋପାଳକୃଷ୍ଣ ପ୍ରଭୃତି ଉତ୍କଳୀୟ ଅନ୍ୟାନ୍ୟ ବହୁ ଗୀତ-କବି ଗୀତଗୋବିନ୍ଦର ଅନୁସରଣ କରି ଶ୍ରୀଜୟଦେବଙ୍କୁ ଯେପରି ସ୍ନେହ, ଆଦର, ସମ୍ମାନ ଏବଂ ଅବିସ୍ମରଣୀୟ ଅତୁଟ ବନ୍ଧନରେ ଆବଦ୍ଧ କରି ରଖିଛନ୍ତି, ଭାରତର ଅନ୍ୟ କେଉଁ ଅଞ୍ଚଳରେ ହେଲେ ସେପରି ମଧୁ-ବନ୍ଧନର ଚିହ୍ନବର୍ଣ୍ଣ ନାହିଁ ।

 

ଉଦାହରଣ ସ୍ୱରୂପ କିଶୋରଚନ୍ଦ୍ରାନନ ଚମ୍ପୂ କାବ୍ୟ ବିଚାରକୁ ଅଣାଯାଉ - ରଚନାରୀତି ଅର୍ଥାତ୍‌ ଶ୍ଳୋକ ଏବଂ ଗୀତ ଯଥାକ୍ରମେ ସଂସ୍କୃତ ଏବଂ ପ୍ରାକୃତ ଭାଷା ହେଲେ ମଧ୍ୟ ଗଦ୍ୟପଦ୍ୟେତ୍ମକ ବୋଲି ବିଚାର କରାଯାଇ ଏହା ‘ଚମ୍ପୂ’ ନାମରେ ନାମିତ । ଶ୍ଳୋକଗୁଡ଼ିକ ବିଷୟ ବସ୍ତୁର ସଂଯୋଗାଂଶ । ଶ୍ରୀଗୀତଗୋବିନ୍ଦରେ ଏହିପରି ଶ୍ଳୋକ ଏବଂ ସଙ୍ଗୀତର ସମାବେଶ ଘଟିଛି ଏବଂ ଶ୍ଳୋକଗୁଡ଼ିକ କଥାବସ୍ତୁର ଅଗ୍ରପଶ୍ଚାତ୍‌ ବିଷୟ ସଂଯୋଜକ । ଶ୍ରୀଜୟଦେବ ଯେଉଁ ଗୀତଗୁଡ଼ିକ ଲେଖିଛନ୍ତି ଅନେକ ସ୍ଥଳରେ ତାହା ଦେଖିବାକୁ ଗଲେ ସଂସ୍କୃତ ଭାଷାର ନିକଟତମ ଓଡ଼ିଆ ଶବ୍ଦର କେବଳ ବିଭକ୍ତି ସୂଚକ ଅନୁସ୍ୱାର ବିସର୍ଗ ଇତ୍ୟାଦି ସଂଯୋଜନା ବୋଲି ଧରିନେଇ ହେବ । କବିସୂର୍ଯ୍ୟଙ୍କ ରଚନାମଧ୍ୟରେ ଏପରି ଦୃଷ୍ଟାନ୍ତ ମଧ୍ୟ ମିଳେ, ଯେପରି -

 

‘‘କ୍ଷମାନୁକମ୍ପାଧର ହେ,

କ୍ଷୀର - ସେଗରସମ୍ଭବା କୁଚକୁମ୍ଭ ଯୁଗଳପରି ରମ୍ଭଚତୁର ହେ ।।

 

- ଏ ସ୍ଥଳରେ ‘ହେ’ ଶବ୍ଦ ଦୁଇଟି ଲୋପ କଲେ ସଂସ୍କୃତ ଓ ପ୍ରାକୃତ ମଧ୍ୟରେ ପାର୍ଥକ୍ୟ ବାରିହେବା ସମ୍ଭବ ନୁହେଁ । ଗୀତ ଗୋବିନ୍ଦରେ ସେହିପରି -

‘‘ଚନ୍ଦନଚର୍ଚ୍ଚିତ ନୀଳ କଳାବର ପୀତବସନ ବନମାଳୀ ’’

 

ଇତ୍ୟାଦି ଇତ୍ୟାଦି । ପୁଣି ଶ୍ରୀଗୀତଗୋବିନ୍ଦ ଦୃଶ୍ୟ ତଥା ଅଙ୍କ ବିଚାରରୁ ଗୋଟିଏ ଗୀତିନାଟ୍ୟ । କିଶୋରୀ ଚମ୍ପୂ ମଧ୍ୟ ଅନୁରୂପ ଗୀତିନାଟ୍ୟ । ଏହାକୁ ଅନୁକୃତି ବା ଅନୁସ୍ମୃତି କୁହାଯିବାରେ ତିଳେ ବାଧା ପ୍ରବର୍ତ୍ତିବ ନାହିଁ । ଉଭୟକୁଳ ଦୃଷ୍ଟିବିଚାର ଉତ୍କଳ ଭିନ୍ନ ଏହା ଅନ୍ୟତ୍ର ଦୁର୍ଲ୍ଲଭ ।

 

ଏହାଛଡ଼ା ଶ୍ରୀଗୀତଗୋବିନ୍ଦର ଅନୁସରଣରେ ସଙ୍ଗୀତ ରଚନା ଓଡ଼ିଶାରେ ପ୍ରଚୁର ପରିମାଣରେ ଦେଖିବାକୁ ମିଳେ । ଏପରି କି ଶ୍ରୀଗୀତଗୋବିନ୍ଦର କେତେକ ଶବ୍ଦ ମଧ୍ୟ ଉତ୍କଳୀୟ ସଙ୍ଗୀତ - କବିମାନେ ଅତି ଚତୁରତା ସହ ନିଜ-ନିଜର ରଚନାରେ ଉପଯୋଗ କରିଅଛନ୍ତି; ଯଥା -

 

ଧୀର ସମୀରେ ଯମୁନାତୀରେ ବସତି ବନେ ବନମାଳୀ-

                        (ଗୀ : ଗୋ)

ଧୀର ସମୀରେ ବସି ଡାକୁଛି ତୋ ନାଆଁରେ -

                        (ଗୋପାଳକୃଷ୍ଣ)

 

ଜୟଦେବଙ୍କ ସଂଗୀତରେ ରସଭାବ ଅନୁସରଣରେ ତୁଳସୀଦାସ, ମୀରାବାଈ, ଚଣ୍ଡୀଦାସ, ବିଦ୍ୟାପତି ପ୍ରଭୃତି ଏଣିକି ସଂଗୀତ ରଚନା କଲେ । ଏ ମାଟିର ସନ୍ତାନ ଯେପରି ପ୍ରଥମେ ‘ଧାତୁମାତୁସମାଯୁକ୍ତଂ’’ ସଂଗୀତ ରଚନାର ଆଦିସ୍ରଷ୍ଟା, ସେହିପରି ତାଙ୍କରି ଅନୁସରଣ, ଅନୁକରଣ ଓ ସ୍ମୃତିର ରକ୍ତ ଶିରା- ପ୍ରଶିରାରେ ବହନ କରି ଏଇ ମାଟିର ଗୀତ ସାହିତ୍ୟକାରମାନେ ମାତ୍ରା - ବୃତ୍ତ - ଛନ୍ଦସହିତ ସଂଗୀତରେ ରାଗତାଳ - ସମାହାରରେ ଅପୂର୍ବ ଭାବସଂପଦ ସଞ୍ଚି ‘‘ଛାନ୍ଦ’’ ସର୍ଜନା କରିଛନ୍ତି, ଯାହାର ସମକକ୍ଷ ହେବା ଦୂରେ ଥାଉ, କଳ୍ପନା ମଧ୍ୟ ଭାରତରେ ଅନ୍ୟତ୍ର ଏକାନ୍ତ ବିରଳ । ଛାନ୍ଦର ତୁଳନା ଏକା ଛାନ୍ଦ । ଭକ୍ତକବି ଗୋପାଳକୃଷ୍ଣ ଭାଷାରେ -

‘‘ରାଧାପରି ସିଧା ସିନା ରେ ସଜନି !’’

 

ଶ୍ରୀଗୀତ ଗୋବିନ୍ଦର ଅନୁସରଣ ହିଁ ଓଡ଼ିଶୀ ଚଉପଦୀ, ଚୌତିଶା ଓ ଛାନ୍ଦ ଇତ୍ୟାଦିର ଜନକ ।

 

ଗୀତ ଭେଦ

 

ଏକେ ରାଧାକୃଷ୍ଣଙ୍କର ଅପ୍ରାକୃତ ମାଧୁର୍ଯ୍ୟଲୀଳା, ତହିଁରେ ତ୍ରିବେଣୀ-ସଂଗମ-ଭାଷା, ଭାବ ଓ ସ୍ୱରର ସମ୍ମେଳନ ଶ୍ରୀଗୀତଗୋବିନ୍ଦକୁ ଲୋକମନରେ ଅପାଶୋରା କରି ରଖିଛି । ଏଭଳି ଅପୂର୍ବ କୃତିର ସମକକ୍ଷ ରଚନା ଜୟଦେବଙ୍କ ପୂର୍ବରୁ ବା ପରେ ଆଉ ସମ୍ଭବ ହୋଇପାରି ନାହିଁ । ଏହି ତ୍ରିବେଣୀ-ସଙ୍ଗମର ଅତଳ ରସ - ଗର୍ଭରେ ପାର୍ଥିବ-ଅପାର୍ଥିବ ଯାବତ୍‌ ବ୍ୟବଧାନ ନିଜ ନିଜର ସତ୍ତାପତ୍ତା ହରାଇ ଦେଇଛି ।

‘‘ଏତଂ କରୋତି ଜ୍ରୟଦେବକବିଃ ପ୍ରବନ୍ଧମ୍‌ ।’’

 

ଏହି ପଂକ୍ତିର ପାଠରୁ କେହି କେହି ଶ୍ରୀଗୀତଗୋବିନ୍ଦକୁ ‘ପ୍ରବନ୍ଧ ସଂଗୀତ’ ବୋଲି ମତ ଦେଉଥିବାର ଦେଖାଯାଏ । ପ୍ରବନ୍ଧ କହିଲା- ‘‘ପ୍ରକର୍ଷେଣ ବାଧ୍ୟତେ ଶ୍ରୋତୃଣାଂ ହୃଦୟମସ୍ମିନ୍‌ ଇତି ।’’ ଆହୁରି ପ୍ରବନ୍ଧର ଅର୍ଥ ମଧ୍ୟ ଗ୍ରନ୍ଥ, ସଂଦର୍ଭ, ରଚନା (ପ୍ର-ବନ୍ଧ୍-ଅ); କିନ୍ତୁ ଶ୍ରୀଗୀତଗୋବିନ୍ଦ ଗୀତିମୟ କାବ୍ୟ । ଏପରି ସ୍ଥଳରେ ‘ପ୍ରବନ୍ଧ’ ଶବ୍ଦଟି ସାଙ୍ଗତୀକ ‘ପ୍ରବନ୍ଧ’ ଅର୍ଥରେ ବୁଝିବାକୁ ହେଲେ ଗୀତଗୁଡ଼ିକ ପ୍ରବନ୍ଧ-ଗୀତ କି ନୁହେଁ, ସେ ଦୃଷ୍ଟିରୁ କିଞ୍ଚିତ ଆଲୋଚନା ଆବଶ୍ୟକ ମନେ ହୁଏ ।

 

ପ୍ରବନ୍ଧ

‘‘ପ୍ରକୃଷ୍ଟୋ ଯଶ୍ଚ ବନ୍ଧଃ ସ୍ୟାତ୍‌ ସ ପ୍ରବନ୍ଧୋ ନିଗଦ୍ୟତେ ।’’

                              (ଗୀତପ୍ରକାଶ)

ପ୍ରବନ୍ଧର ନାମାନ୍ତର ଶୁଦ୍ଧ ଗୀତ ।

‘‘ଏତେନ ଶୁଦ୍ଧଗୀତମେବ ପ୍ରବଦ୍ଧ ଇତ୍ୟୁଚ୍ୟତେ ।’’

                              (ସଂଗୀତ ନାରାୟଣ)

 

ଶୁଦ୍ଧଗୀତ ହେଲା -

      ‘‘ଆଳାପୈର୍ଧାତୁଭିଶ୍ଚାଙ୍ଗୈ ସଂଯୁକ୍ତଂ ଶୁଦ୍ଧମୁଚ୍ୟତେ

      ତନ୍ତ୍ର ନାଦାତ୍ମକୋ ମାତୁର୍ଦ୍ଧାତୁର      କ୍ଷରସଂଚୟଃ ।’’

                        (ନାଟ୍ୟମନୋରମା)

 

ଧାତୁ ଏବଂ ମାତୁ ମିଶି ଗୀତ ପ୍ରସ୍ତୁତ ହୁଏ । ମାତୁ ନାଦାତ୍ମକ (ସ୍ୱର) ଏବଂ ଧାତୁ ଅକ୍ଷରସଂଚୟ (ଶବ୍ଦ ବା ପଦ) । କୁହାଯାଇଛି :-     

‘‘ଗୁଣାଳଙ୍କାର - ବାକ୍ୟେଷୂ ରଂଜନୌଜସ୍ୱିତା ଯଦି ।’’

                        (ସଂଗୀତ ନାରାୟଣ)

 

-ପ୍ରବନ୍ଧର ଅବୟବକୁ କୁହାଯାଏ ଧାତୁ ।

‘‘ପ୍ରବନ୍ଧବୟବୋ ଧାତୁରିତି ।

ଅବୟବୋ ଭାଗବିଶେଷଃ ସ ତୁ ଚତୁର୍ବିଧାଃ ।’’

 

ଯଥା :-

ଉଦ୍‌ଗ୍ରାହ, ମେଳାପକ, ଧ୍ରୁବା, ଆଭୋଗ । ଆଗୋଗ ଏବଂ ଧ୍ରୁବା ମଧ୍ୟରେ ମେଳାପକ ଧାତୁର ବ୍ୟବହାର ଦେଖାଯାଉ ନ ଥିବାରୁ ଗୀତ-ପ୍ରକାଶ’କାର ଏ ଅଂଶଟି ଛାଡ଼ିଦେଇ କହିଛନ୍ତି -

‘‘ପ୍ରବନ୍ଧାବୟବୋ ଧାତୁଃ ସ ତ୍ରିଧେତି ।’’

 

ଅର୍ଥାତ ଉଦ୍‌ଗ୍ରାହ, ଧ୍ରୁବା ଏବଂ ଆଭୋଗ - ଏହିପରି ଧାତୁ ତିନି ପ୍ରକାର ।

‘‘ଉଦ୍‌ଗ୍ରାହଃ ପ୍ରଥମଃ ପାଦଃ କଥିତଃ ପୂର୍ବସୂରିଭିଃ ।

ଧ୍ରୁବତ୍ୱାଚ୍ଚ ଧ୍ରୁବୋ ମଧ୍ୟ ଆଭୋଗସ୍ତ୍ୱନ୍ତିମଃ ସ୍ମୃତଃ ।’’

                  (ସଙ୍ଗୀତ ନାରାୟଣ)

ଧ୍ରୁବତ୍ୱାଚ୍ଚ ନିଶ୍ଚଳତ୍ୱତ ପୁନଃ ପୁନରୁତ୍ପାଦନାଦିତ୍ୟର୍ଥଃ ।

ଧ୍ରୁବାଃ ଘୋଷାଃ ଇତ୍ୟୁତ୍କଳଦେଶେ ପ୍ରସିଦ୍ଧାଃ ।’’

                  (ସଙ୍ଗୀତ ସରଣୀ)

 

‘‘ପ୍ରବନ୍ଧସ୍ୟ ଷଡ଼ଙ୍ଗାନି ସ୍ୱରଶ୍ଚ ବିରୁଦଂ ପଦମ୍‌ ।

ତେନକଃ ପାଟତାଳୌ ଚ ସ୍ୱରାଃ ସରିଗମାଦୟଃ ।’’

            (ସଙ୍ଗୀତ ନାରାୟଣ)

 

ପୁଣି ‘ଗୀତପ୍ରକାଶ’କାରଙ୍କ ମତ ଉଲ୍ଲେଖ କରି ସଙ୍ଗୀତ-ନାରାୟଣ’କାର କହନ୍ତି-

‘‘ବାକ୍ୟସ୍ୱରପାଟ ତେନାଖାନି ଚତ୍ୱାର୍ଯ୍ୟଙ୍ଗାନି ଉକ୍ତାନି ।

ତନ୍ମତେ ତୁ ତାଳୋଽଙ୍ଗତ୍ୱେନ ଗଦିତଃ ।

ପଦବିରୁଦେ ବାକ୍ୟାନ୍ତରଂ ଗତତୟା ପୃଥକ ନ ଲିଖ୍ୟତେ ।’’

 

ଅନ୍ୟତ୍ର କୁହାଯାଇଛି -

ପ୍ରବନ୍ଧର ଅଙ୍ଗ ଛଅଗୋଟି; ଯଥା - (୧) ସ୍ୱର, (୨) ବିରୁଦ, (୩) ପଦ, (୪) ତେନ, (୫) ପାଟ ଓ (୬) ତାଳ । ଗୀତ ପ୍ରକାଶମତେ ବାକ୍ୟ, ସ୍ୱର, ପାଟ ଓ ତେନ ଏହିପରି ଚାରି ଅଙ୍ଗ । ତାଳ ହେଲା ଅଙ୍ଗର ଏବଂ ପଦ ଓ ବିରୁଦ ବାକ୍ୟର ଅନ୍ତର୍ଗତ ।

 

ଯାହା ହେଉ, ଉଭୟେ ମତେ ଅଙ୍ଗ- ବିଭାଗ ସଂଖାରେ ଊଣା ଅଧିକ ହେଲେ ମଧ୍ୟ ସମାନ ଧର୍ମପ୍ରକାଶ ।

 

ସ୍ୱର - ସା ରି ଗା ମା ଇତ୍ୟାଦି

ବିରୁଦ - ଗୁଣୋଲ୍ଲେଖ ବା ଗୁଣବର୍ଣ୍ଣନା ।

ପଦ - ଗୀତର (ଅର୍ଥପ୍ରକାଶକ) ବାଣୀ ।

ତେନ - ମଙ୍ଗଳାର୍ଥ ବାଚକ ଶବ୍ଦ ।

ତାଳ - ଲୟର ପରିମିତିଜ୍ଞାପକ କାଳକ୍ରିୟା ବିଭାଗ ।

 

ପ୍ରବନ୍ଧ-ଗୀତ କହିବାକୁ ହେଲେ ଶାସ୍ତ୍ରରେ ଏହି ଯେଉଁ ଧାତୁ ଏବଂ ସଂଖ୍ୟାର ନିର୍ଦ୍ଦେଶ ରହିଛି, ଶ୍ରୀଗୀତ ଗୋବିନ୍ଦର ଗୀତରେ ସେଗୁଡ଼ିକ ନ ଥିବାରୁ ତାହା ପ୍ରବନ୍ଧ ଶ୍ରେଣୀର ସଙ୍ଗୀତ କିପରି ବୋଲାଇବ ?

 

ଜାତି

ଆହୁରି କଥାଏ ବିଚାର କଲେ ଦେଖାଯାଏ ଯେ ପ୍ରବନ୍ଧର ପାଞ୍ଚଗୋଟି ଜାତିମଧ୍ୟରେ ସୁଦ୍ଧା ଶ୍ରୀଗୀତଗୋବିନ୍ଦର ଗୀତଗୁଡ଼ିକ ଠାବ ପାଉ ନାହିଁ । ଜାତି-ବିଭାଗ ହେଲା- ମେଦିନୀ, ନନ୍ଦିନୀ, ଦୀପିନୀ, ପାବନୀ ଏବଂ ତାରାବଳୀ ।

 

ମେଦିନୀ      ଜାତିର      ପ୍ରବନ୍ଧ-ଷଡ଼ଙ୍ଗବିଶିଷ୍ଟ

ନନ୍ଦିନୀ      ଜାତିର      ପ୍ରବନ୍ଧ-ପଞ୍ଚାଙ୍ଗବିଶିଷ୍ଟ

ଦୀପିନୀ      ଜାତିର      ପ୍ରବନ୍ଧ-ତ୍ୟଙ୍ଗବିଶିଷ୍ଟ

ତାରାବଳୀ ଜାତିର ପ୍ରବନ୍ଧ-ଦ୍ୱି ଅଙ୍ଗବିଶିଷ୍ଟ

 

ବଙ୍ଗୀୟ ବିଶିଷ୍ଟ ପଣ୍ଡିତ ଶ୍ରୀ ହରେକୃଷ୍ର ମୁଖୋପାଧ୍ୟାୟ ତାଙ୍କର ‘‘କବି ଜୟଦେବ ଓ ଗୀତଗୋବିନ୍ଦ’’ ପୁସ୍ତକରେ ଲେଖିଛନ୍ତି:-

 

‘‘ଶ୍ରୀଗୀତଗୋବିନ୍ଦିର ଗାନ୍‌ପଞ୍ଚଧାତୁ ଓ ଛୟ ଅଙ୍ଗଯୁକ୍ତ ମେଦିନୀ ଜାତିର ଅନ୍ତର୍ଭୁକ୍ତ ।’’ (୮୩ ପୃଷ୍ଠା)

 

-ବିଜ୍ଞ ପାଠକ-ପାଠିକାଙ୍କ ସୁବିଚାର ତଳେ ସୁଯୋଗ୍ୟ ପଣ୍ଡିତ ମହାଶୟଙ୍କ ଅବଧାରଣାଟିକୁ ଥାପିଦେଉଛି ‘ମେଦିନୀ’ ପ୍ରବନ୍ଧସମ୍ବନ୍ଧେ କିଞ୍ଚିତ୍‌ଶାସ୍ତ୍ର-ପ୍ରମାଣର ଆଲୋଚନାସହ ।

 

ମେଦିନୀ ପ୍ରବନ୍ଧର ଅଙ୍ଗସଂଖ୍ୟା ଛଅଗୋଟି, ଅଥଚ ଶ୍ରୀଗୀତ ଗୋବିନ୍ଦରେ କେବଳ ବିରୁଦ ଓ ପଦ- ଏହି ଦୁଇଗୋଟି ଅଙ୍ଗ ରହିଅଛି । ଧାତୁସଂଖ୍ୟା-ବିଚାରରୁ ଉଦ୍‌ଗ୍ରାହକ, ଧ୍ରୁବା ଏବଂ ଆଭୋଗ -ଏହିପରି ତିନିପ୍ରକାର ଧାତୁ ବିଦ୍ୟମାନ । ତେଣୁ ଗୀତଗୁଡ଼ିକୁ ମେଦିନୀଜାତୀୟ ପ୍ରବନ୍ଧ କହିବାରେ ଯଥାର୍ଥତା କାହିଁ ?

 

ପ୍ରବନ୍ଧର ଅପର ଅଙ୍ଗ- ବିଭାଗସମ୍ବନ୍ଧେ ବିଚାର କଲେ ଦେଖାଯାଏ ଯେ ଗୀତିକାବ୍ୟର ଗୀତଗୁଡ଼ିକ ପଞ୍ଚାଙ୍ଗ (ନନ୍ଦିନୀ), ଚତୁରଙ୍ଗ (ଦୀପିନୀ), ତ୍ର୍ୟଙ୍ଗ (ପାବିନୀ) ମଧ୍ୟ ନୁହେଁ । ବିରୁଦ ଏବଂ ପଦ ଏହି ଦୁଇ ଅଙ୍ଗର ବର୍ତ୍ତମାନତାହେତୁ କେହି କେହି- ଏହାକୁ ତାରାବଳୀବିଭାଗୀୟ ବୋଲି କହିଥାନ୍ତି; ମାତ୍ର କେବଳ ଏହି ଦୁଇଗୋଟି ଅଙ୍ଗ-ବିଚାରରୁ ଗୀତଗୁଡ଼ିକ ତାରାବଳୀ ଆଖ୍ୟାରେ ନାମିତ କରାଯାଇପାରିବ ନାହିଁ । ଏଗୁଡ଼ିକର ଧ୍ରୁବା ଏବଂ ଚରଣର ଅକ୍ଷରସଂଖ୍ୟା, ଅନୁପ୍ରାସ - ରକ୍ଷାବିଧି ଏବଂ ପାଦସଂଖ୍ୟା ଦେଖିବାକୁ ଗଲେ ସେଗୁଡ଼ିକୁ ‘ତାରାବଳୀ’ ଲକ୍ଷଣରେ ରଚିତ ବୋଲି ଧରିହେବ ନାହିଁ ।

 

ଏହିସବୁ କାରଣଦୃଷ୍ଟିକୁ ଶ୍ରୀଗୀତଗୋବିନ୍ଦ ପ୍ରବନ୍ଧ (ଶୁଦ୍ଧ) ଗୀତଶ୍ରେଣୀୟ ନୁହେଁ । ‘ପ୍ରକୃଷ୍ଟ ବନ୍ଧ’ ପ୍ରବନ୍ଧ ଅର୍ଥରେ ଏହାକୁ କେବଳ ପ୍ରବନ୍ଧ ଧର୍ମୀ ବୋଲାଯାଇପାରେ । ଶ୍ରୀଗୀତଗୋବିନ୍ଦ ସ୍ୱର- ତାଳସମନ୍ୱିତ ଗୀତିମୟ ରଚନା ।

 

ଶୁଦ୍ଧଗୀତ

‘‘ଶୁଦ୍ଧଗୀତସ୍ୟାପି ପ୍ରବନ୍ଧାଃ ।’’

-ଏଦିଗର ଆଲୋଚନାରୁ ମଧ୍ୟ ଶ୍ରୀଗୀତଗୋବିନ୍ଦ ଶୁଦ୍ଧଗୀତର ସମାହାର ନୁହେଁ; କାରଣ -

‘‘ଆଳାଯୈର୍ଧାତୁଭିଶ୍ଚାଙ୍ଗୈଃ ସଂଯୁକ୍ତଂ ଶୁଦ୍ଧମୁଚ୍ୟତେ ।’’

      (ସଙ୍ଗୀତନାରାୟଣ - ୩୦୫ ଶ୍ଲୋକ)

 

ଗୀତଗୁଡ଼ିକରେ ଆଳପସଂଯୋଗ-ରୀତି ନାହିଁ ଓ ବିଭିନ୍ନ ଧାତୁ (ତ୍ରିଭିଶ୍ଚତୁର୍ଭିରପିଧାତୁଭିଃ) ଘେନି ଏଗୁଡ଼ିକ ରଚିତ ନୁହେଁ । ତେଣୁ ଏହାକୁ ଶୁଦ୍ଧଗୀତ ବୋଲାଯାଇ ନ ପାରେ । ଏହା କ୍ଷୁଦ୍ରଗୀତଶ୍ରେଣୀୟ ସଂଗୀତ ।

 

କ୍ଷୁଦ୍ରଗୀତ

ଗୀତପ୍ରକାଶମତେ:-

      ‘‘ଲକ୍ଷ୍ମୈକ ଦେଶଯୁକ୍‌ କ୍ଷୁଦ୍ରଗୀତଃ ।।’’

ନାଟ୍ୟମନୋରମାମତେ:-

      ‘‘ଛାୟାଲଗସ୍ୟ ଲକ୍ଷ୍ମୈକ ଯଦ୍‌ଯୁତଂ କ୍ଷୁଦ୍ରମଚ୍ୟୁତେ ।।’’

ସଂଗୀତନାରାୟଣକାରମତେ:-

      ‘‘ତାଳ-ଧାତୁଯୁତଂ ବାକ୍ୟମାତ୍ରଂ କ୍ଷୁଦ୍ରମିତୀର୍ଯ୍ୟତେ ।।’’

 

-ଏହି ରୀତିରେ କେବଳ ତାଳ ଏବଂ ଧାତୁଯୁକ୍ତ ରଚନାହେତୁ ଶ୍ରୀଗୀତଗୋବିନ୍ଦ ‘କ୍ଷୁଦ୍ରଗୀତ’ ଶ୍ରେଣୀ ଅନ୍ତର୍ଭୂକ୍ତ । କ୍ଷୁଦ୍ରଗୀତର ପୁଣି ଚାରିଗୋଟି ବିଭାଗ ଅଛି ।

 

‘‘ତଚ୍ଚତୁର୍ବିଧମେବ ସ୍ୟାତ୍ତତ୍ର ଚିତ୍ରପଦାକ୍ରମାତ୍‌

ଚିତ୍ରକଳା-ଧ୍ରୂବପଦା-ପାଞ୍ଚାଳୀତି ପ୍ରଭେଦତଃ ।।’’

ଅର୍ଥାତ୍‌ କ୍ଷୁଦ୍ରଗୀତ ଭେଦ-ବିଚାରରେ ଚିତ୍ରପଦା, ଚିତ୍ରକଳା, ଧ୍ରୁବପଦା ଏବଂ ପାଞ୍ଚାଳୀ - ଚାରି ପ୍ରକାର ।

 

ଏଠାରେ ପ୍ରୟୋଜନୀୟତାଦୃଷ୍ଟିରୁ ଏହି ବିଭାଗମାନଙ୍କର ସଂକ୍ଷିପ୍ତ ପରିଚୟ ଉପସ୍ଥାପିତ କରାଯାଉଅଛି ।

 

(କ) ଚିତ୍ରପଦା

ଏଧରଣ କ୍ଷୁଦ୍ରଗୀତର ଚରଣସଂଖ୍ୟାସମ୍ବନ୍ଧେ କୌଣସି ନିର୍ଦ୍ଦେଶ ନାହିଁ । କେବଳ ରଚନାର ପଦଗୁଡ଼ିକ ହେବ ବିଚିତ୍ର ଅର୍ଥାତ୍‌ ସରଳ, ସରସ, ସୁନ୍ଦର । ଧ୍ରୂବପଦ ଏବଂ ଚରଣମାନଙ୍କରେ ମାତ୍ରାର ନ୍ୟୂନାଧିକ ହେବା- ନୋହିବାସଂପର୍କରେ କୌଣସି ଉଲ୍ଲେଖ ନାହିଁ ।

 

କୁହାଯାଇଅଛି:-

‘‘କେବଳଂ ପଦମାତ୍ରେଣ ବୈଚିତ୍ର୍ୟଂ ଯତ୍ର ଦୃଶ୍ୟତେ ।

ନ ଧାତ୍ୱାଦୌ ବିଚିତ୍ରତ୍ୱଂ ଜ୍ଞେୟା ଚିତ୍ରପଦେତି ସା ।।’’

‘‘ପଦେ ବୈଚିତ୍ର୍ୟଂ ତୁ ଅକଠୋରାନୁପ୍ରାସ-ପ୍ରାସାଦାଦି ଗୁଣଯୁକ୍ତତ୍ୱମ୍‌।’’

                                          (ସଙ୍ଗୀତନାରାୟଣ-୪୭୩ ପୃଷ୍ଠା)

 

ଶ୍ରୀଗୀତଗୋବିନ୍ଦରେ ଗୀତରଚନାର ପଦ ଲଳିତ, ସରଳ ଏବଂ ଅକଠୋର ହେଲେ ମଧ୍ୟ ଧ୍ରୁବପଦ ଏବଂ ଚରଣର ମାତ୍ରାସଂଖ୍ୟା ଗଣନାରେ ପାର୍ଥକ୍ୟ ଅଛି ।

ଚିତ୍ରପଦାସମ୍ବନ୍ଧେ ଗ୍ରନ୍ଥାନ୍ତରର ବାକ୍ୟ-

      ‘‘ପଦାନି ଯତ୍ର ଚିତ୍ରାଣି ଆନ୍ତ୍ୟାନୁପ୍ରାସବର୍ଣ୍ଣୀ ଚ

      ନ ଧାତ୍ୱଦୌ ଚିତ୍ରପଦା ଯଦି ମାତ୍ରା ଧ୍ରୁବଂ ଦିଶନ୍‌ ।।’’

                  (ସଂ: କଳ୍ପଲତା)

 

‘‘ଚିତ୍ରପଦା ପଦେ ବୈଚିତ୍ର-ସଂଯୁତା । ନ ଧାତ୍ୱାଦୌ ନ ତାନବିଶେଷ X X X ଅନ୍ତ୍ୟାନୁପ୍ରାସସ୍ୟ ଆବଶ୍ୟକତା ।।’’ (ଗୀତପ୍ରକାଶ)

 

ଅର୍ଥାତ୍‌, ଚିତ୍ରପଦବିଭାଗୀୟ କ୍ଷୁଦ୍ରଗୀତରେ ଅକଠୋର ବା ଲଳିତ କୋମଳ ଶବ୍ଦ ବ୍ୟବହୃତ ହେବ । ଧାତୁ ବା ଗୀତ ଅବୟବ ବିଭାଗର ବିଶେଷତ୍ୱ ନ ଥିବ ଏବଂ ଅନ୍ତ୍ୟାନୁପ୍ରାସଯୁକ୍ତ ହୋଇଥିବ । ଅବୟବର ବିଭାଗ ନ ଥିବାହେତୁ ଚରଣଗୁଡ଼ିକ ସାଧାରଣତଃ ସମସଂଖ୍ୟକ ଅକ୍ଷରବିଶିଷ୍ଟ ହୋଇଥାଏ ଅର୍ଥାତ୍‌ ଧ୍ରୁବପଦ ଏବଂ ପରିବର୍ତ୍ତୀ ଚରଣମାନଙ୍କ ଅକ୍ଷରସଂଖ୍ୟା ଊଣା-ଅଧିକ ନୁହେଁ; କିନ୍ତୁ ଅନ୍ତ୍ୟାନୁପ୍ରାସ ଉପରେ ଗୁରୁତ୍ୱ ଦିଆଯିବା ରୀତି ଚିତ୍ରପଦାର ବିଶେଷତ୍ୱ । ଏହି ଅନ୍ତ୍ୟାନୁପ୍ରାସ ଦୁଇ ପ୍ରକାର । କୁହାଯାଇଅଛି:-

            ‘‘ଅନ୍ତ୍ୟାନୁପ୍ରାସୋ ଦ୍ୱିବଧଃ । ବର୍ଣ୍ଣଦ୍ୱୟକୃତଃ ବର୍ଣ୍ଣତ୍ରୟକୃତଶ୍ଚ ।।’’

 

୧ମ ଉଦାହରଣ-

‘‘ବିଗଳିତ ଲଜ୍ଜିତ ଜଗଦବଲୋକନ ତରୁଣ-କରୁଣ-କୃତହାସେ,

ବିରହିନିକୃନ୍ତନ କୁନ୍ତମୁଖାମୃତି କେତକଦନ୍ତୁରିତାଶେ ।।’’

(ଗୀ:ଗୋ: -୧/୩ ଗୀତ)

ଏ ସ୍ଥଳରେ ପ୍ରଥମ ପଂକ୍ତିର ‘ହାସେ’ ଏବଂ ଦ୍ୱିତୀୟ ପଂକ୍ତିର ‘ତାଶେ’- ଏହା ପ୍ରଥମ ଶେଣୀର ‘ବର୍ଣ୍ଣଦ୍ୱୟକୃତ’ ଅନୁପ୍ରାସ ।

 

୨ୟ ଉଦାହରଣ

‘‘କଥିତ ସମୟେଽପି ହରିରହହ ନ ଯଯୌ ବନମ୍‌ ।

ମମ ବିଫଳମିଦମମଳମପି ରୂପଯୌବନମ୍‌ ।।’’

 

ଏ ସ୍ଥଳରେ ପ୍ରଥମ ପଂକ୍ତିର ଯୌବନଂ’ ଏବଂ ଦ୍ୱିତୀୟ ପଂକ୍ତିର ‘ଯୌବନଂ’ ଦେଖିବାକୁ ଗଲେ ଉପଧାସ୍ୱରସହିତ ବ୍ୟଞ୍ଜନବୃତ୍ତିବିଚାରରୁ ‘ବର୍ଣ୍ଣନୟକୃତ’ ଅନୁପ୍ରାସ ସ୍ପଷ୍ଟ ।

 

ଶ୍ରୀଗୀତଗୋବିନ୍ଦ କେତେଗୁଡ଼ିଏ ଗୀତରେ ଏହିପରି ବର୍ଣ୍ଣଦ୍ୱୟ ତଥା ବର୍ଣ୍ଣକ୍ରୟକୃତାନୁପ୍ରାସ ଥିଲେ ମଧ୍ୟ ଧ୍ରୁବା ବା ଘୋଷା ପଦର ଅକ୍ଷର ଚରଣମାନଙ୍କ ଅକ୍ଷରସଂଖ୍ୟାଠରରୁ ଊଣା ।

ଏହି ହେତୁରୁ ଏପରି ଗୀତରେ ଚିତ୍ରପଦା ଲକ୍ଷଣ ସଂପୂର୍ଣ୍ଣ ରୂପେ ଉପଯୋଗ ହେଉନାହିଁ ।

 

(ଖ) ଚିତ୍ରକଳା-

‘‘ଅଥ ଚିତ୍ରକଳାତ୍ର୍ୟାଦ୍ୟାବସୁତତ୍‌ପଦସଂଯୁତମ୍‌

ଧ୍ରୁବେ ମାତ୍ରାଭବେନ୍ୟୁନା ପରେ ପାଦାଃ ସମା ପୁନଃ’’

                              (କଳ୍ପଲତା)

 

‘‘ଚିତ୍ରକଳାତ୍ୟାଦଷ୍ଟାବଧିପାଦଯୁତ ନ୍ୟୁନ ମାତ୍ରା ଧ୍ରୁବେର୍ଜ୍ଞେୟା ।

ଅଥାଦନ୍ୟେପାଦାସମ ମାତ୍ରିକା ।’’

                              (ଗୀତ ପ୍ରକାଶ)

 

‘‘ଉଦ୍‌ଗ୍ରାହାଭୋଗୟୋର୍ମାତ୍ରା ସମାନ୍ୟୂନା ଧ୍ରୁବେ ଯଦି

ତ୍ର୍ୟାଦ୍ୟଷ୍ଟାବଧିପାଦାଢ଼୍ୟା ଜ୍ଞେୟା ଚିତ୍ରକଳା ହିସା ।’’

(ସଂ: ନାରାୟଣ -୪୫୭)

 

ଶ୍ରୀଗୀତଗୋବିନ୍ଦର ଗୀତ ଏହିପରି ଉଦ୍‌ଗ୍ରାହ ଏବଂ ଆଭୋଗ ସମମାତ୍ରିକ । ଧ୍ରୁବ ପଦରେ ଏହି ମାତ୍ରା ବା ଅକ୍ଷର ସଂଖ୍ୟାନ୍ୟୂନ । ଗୀତପ୍ରକାଶ ମତେ: -

‘‘ନ୍ୟୁନମାତ୍ରା ଧ୍ରୁବେର୍ଜ୍ଞାୟା ଅଥାଦନ୍ୟେ ପାଦା ସମମାତ୍ରିକାଃ ।’’

ଗୀତର ଚରଣ ବା ପଦ ସମ୍ବନ୍ଧେ କୁହାଯାଇଅଛି ଯେ

‘‘ତ୍ରପିଦା, ଚତୁଷ୍ପଦା ଯାବଦଷ୍ଟପଦା ଚିତ୍ରକଳାୟାଭେଦାଃ ।’’

 

ଯଥା:-      ଗୀତଗୋବିନ୍ଦ ଗୁଜ୍ଜାରୀ ରାଗେଣ-

‘‘ହରିରଭିସରତି ବହତି ମଧୁପବନେ

କିମପରମଧିକ ସୁଖଂ ସଖି ଭବନେ ।

ମାଧବେ ମା କୁରୁ ମାନିନି ମାନମୟେ । ଧ୍ରୁବ’’

 

ଇତ୍ୟାଦ୍ୟନନ୍ତରମ୍‌

‘‘ଶ୍ରୀଜୟଦେବ କବେରିଦମୁଦିତଂ

ସୁଖୟତୁ ସୁଜନଜନଂ ହରିଚରିତମ୍‌ ।’’

(ସଂ: ନାରାୟଣ)

ଅର୍ଥାତ, ସଙ୍ଗୀତ-ନାରାୟଣ ମତେ ଶ୍ରୀ ଗୀତଗୋବିନ୍ଦର ଗୀତଗୁଡ଼ିକ ଚିତ୍ରକଳା ବିଭାଗୀୟ ।

 

ଧ୍ରୁବପଦା

ଧ୍ରୁବପଦା ବର୍ତ୍ତମାନ ଧ୍ରୁପଦ ଆଖ୍ୟାରେ କଥିତ । ଏହା ଶୁଦ୍ଧଗୀତ ଗାୟନ ପଦ୍ଧତିର କେତେକାଂଶରେ ଅନୁସରଣ । ଏଥିରେ ଆଳାପାଂଶ ସଂଯୋଗ କରାଯାଇଥାଏ । ସମଗ୍ରହରୁ ଗୀତାରମ୍ଭ ହୁଏ । ବିଳମ୍ବିତ ଲୟରେ ଆରମ୍ଭ କରାଯାଇ ତତ୍‌ପରେ ମଧ୍ୟ ଓ ଦ୍ରୁତ ଲୟରେ ଏବଂ ସ୍ୱର ବିସ୍ତାର ଓ ତାଳର ବିଭାଗ-ବିଚିତ୍ରତା ପ୍ରଦର୍ଶନସହ ଏହା ଗାୟନ କରାଯାଇଥାଏ । ....ଇତ୍ୟାଦି ଇତ୍ୟାଦି । ଏହି ଲକ୍ଷଣଗୁଡ଼ିକ ଶ୍ରୀଗୀତଗୋବିନ୍ଦ ଗୀତ ଗାୟନ ରୀତିରେ ପ୍ରତିପାଳିତ ନୁହେଁ । ତେଣୁ ଏହା ଧ୍ରୁବପଦା ଶ୍ରେଣୀ ଅନ୍ତର୍ଭୁକ୍ତ ହେବ ନାହିଁ ।

 

ପାଞ୍ଚାଳୀ

ଶ୍ରୀ ଗୀତଗୋବିନ୍ଦର ଗୀତଗୁଡ଼ିକ ବହୁପଦୀ । ତେଣୁ ଏହାକୁ ପାଞ୍ଚାଳୀ ବୋଲି କେହି କେହି କହିଥାନ୍ତି । କଥାଟ କେତେ ଦୁର ଯୁକ୍ତଯୁକ୍ତ-ବିଚାର କରାଯାଉ ।

ଗ୍ରନ୍ଥ ମତରେ,

      ‘‘ପାଞ୍ଚାଳୀ ବହୁଭିଃ ପାଦୌଦ୍ୱିବିଧା ସା ଧ୍ରୁବାଽଧ୍ରୁବା’’

(ଗୀତ ପ୍ରକାଶ)

‘‘ X X ଧ୍ରୁବା ସହିତା ଧ୍ରୁବ ରହିତା ଚାଧ୍ରୁବା ଘୋଷାଃ- ଉତ୍କଳ ଭାଷାୟାଂ ପସିଦ୍ଧାଃ ।।’’ (ସରଣି)

 

ଅର୍ଥାତ୍‌,-
      ପାଞ୍ଚାଳୀ ବହୁପାଦ ବିଶିଷ୍ଟ ଗୀତ ରଚନା । ଏହା ଦୁଇ ରୀତିରେ ରଚିତ ହୁଏ- ଧ୍ରୁବା ଓ ଅଧ୍ରୁବା ପାଞ୍ଚାଳୀ । ଧ୍ରବୁ ଶବ୍ଦକୁ ଘୋଷା ବୋଲି ଉତ୍କଳରେ କହନ୍ତି । ଉଦାହରଣ ସ୍ୱରୂପ -(କ) ଛାନ୍ଦ- ଏହାର ପ୍ରତ୍ୟେକ ପଦ ସ୍ୱୟଂ ସମ୍ପୂର୍ଣ୍ଣ; ଘୋଷାଯୁକ୍ତ ନୁହେଁ । ଏଗୁଡ଼ିକ ବହୁ ପାଦର ରଚନା । ତେଣୁ ଛାନ୍ଦ ଅଧ୍ରୁବା ପାଞ୍ଚାଳୀ ।

 

(ଖ) ଚଉତିଶା ବା ଚୌତିଶା- ଏହାର ପାଦ ସଂଖ୍ୟା ୩୪ ଗୋଟି । ଦୁଇ ପ୍ରକାର ଚୌତିଶା ଆମ ଦେଶର କବିମାନେ ରଚନା କରିଛନ୍ତି । ଅନେକ ଚୌତିଶା ଘୋଷା ବିବର୍ଜିତ; ପ୍ରତ୍ୟେକ ପାଦ ସ୍ୱୟଂ ସମ୍ପୂର୍ଣ୍ଣ । ଏଗୁଡ଼ିକୁ ବୋଲାଯିବ ଧ୍ରୁବା ପାଞ୍ଚାଳୀ । ଅତଏବ ଶ୍ରୀ ଗୀତଗୋବିନ୍ଦର ଗୀତଗୁଡ଼ିକ କେହି ଧ୍ରୁବା କିମ୍ବା ଅଧ୍ରୁବା ପାଞ୍ଚାଳୀ ଶ୍ରେଣୀୟ ନୁହେଁ ।

 

କ୍ଷୁଦ୍ର ଗୀତ ପର୍ଯ୍ୟାୟର ଚାରିଗୋଟିଯାକ ବିଭାଗ ଘେନି କିଞ୍ଚିତ୍‌ ଆଲୋଚନା ଉପସ୍ଥାପନା ପରେ ବର୍ତ୍ତମାନ ଦେଖାଯାଉ ଶ୍ରୀ ଗୀତଗୋବିନ୍ଦର ଗୀତଗୁଡ଼ିକ କେଉଁ ଶ୍ରେଣୀୟ ବୋଲି କୁହାଯିବ । ଆଲୋଚନାରୁ ଦେଖାଗଲା ଯେ ଗ୍ରନ୍ଥର ଗୀତଗୁଡ଼ିକ କ୍ଷୁଦ୍ର ଗୀତର ଧ୍ରୁବପଦା ଏବଂ ପାଞ୍ଚାଳୀ ବିଭାଗୀୟ ନୁହେଁ । ବର୍ତ୍ତମାନ ବାକି ଦୁଇଗୋଟି ବିଭା- ଚିତ୍ରପଦା ଏବଂ ଚିତ୍ରକଳା ସମ୍ବନ୍ଧେ ବିଭିନ୍ନ ଗ୍ରନ୍ଥମତ ନିମ୍ନରେ ଉପସ୍ଥାପିତ କରାଯାଉଅଛି ।

 

ଶ୍ରୀ ଗୀତଗୋବିନ୍ଦର ପ୍ରଥମ ଦୁଇଗୋଟି ଗୀତ (ଦଶାବତାର ଏବଂ ‘ଶ୍ରିତ କମଳା କୁଚମଣ୍ଡଳ’ ଶୀର୍ଷକ) ଗ୍ରନ୍ଥର ବିଷୟବସ୍ତୁ ସହିତ ସମ୍ପର୍କୀତ ନୁହେଁ । ତେଣୁ ଏ ଦୁଇଟିକୁ କାବ୍ୟର ମଙ୍ଗଳାଚରଣ ରୂପେ ଗ୍ରହଣ କରାଯାଇପାରେ । ଏ ଦୁଇଟି ଗୀତ ବହୁପଦୀ (ଆଠ ପଦରୁ ଅଧିକ) ଏବଂ ଧ୍ରୁବା ବିହୀନ । ଏ ବିଚାରରୁ ଏହା ଅଧ୍ରୁବ ପାଞ୍ଚାଳୀ ବିଭାଗୀୟ ଗୀତ ।

କାବ୍ୟର ବିଷୟବସ୍ତୁ ବର୍ଣ୍ଣିତ ହୋଇଅଛି ଚବିଶି ଗୋଟି ଗୀତରେ । ତେଣୁ ସେହି ଗୀତଗୁଡ଼ିକର ଶ୍ରେଣୀ ବିଚାର କରାଯାଉ ।

 

‘‘ଉଦ୍‌ଗ୍ରାହ ଏବଂ ଆଭୋଗର ମାତ୍ରା (ଅକ୍ଷର ମାତ୍ରା) ସମାନ ହୋଇଥିବା ତିନି ବା ଚାରି ପଦଠାରୁ ଆଠପଦ ପର୍ଯ୍ୟନ୍ତ କଳେବର- ବିଶିଷ୍ଟ ଗୀତ ଚିତ୍ରକଳା ଶ୍ରେଣୀୟ । ସଙ୍ଗୀତ ନାରାୟଣକାର ଏହିପରି କହି ଚିତ୍ରକଳାର ଉଦାହରଣ ଗୀତରୂପେ ଗୁଜ୍ଜାରୀରାଗରେ ଶ୍ରୀ ଗୀତଗୋବିନ୍ଦର ଗୀତ ‘‘ହରିରଭିସରତି....’’ଟିକୁ ଉପସ୍ଥାପିତ କରିଅଛନ୍ତି ବୋଲି ଏଥିପୂର୍ବେ କୁହାଯାଇଅଛି । ଗ୍ରନ୍ଥକାର ଏଠାରେ ପାଦମାନଙ୍କର ଏବଂ ଘୋଷାପଦର ମାତ୍ରା ଊଣା ଅଧିକତା ଏବଂ ଗୀତଟିର ପଦସଂଖ୍ୟା ବିଚାରରୁ ଏହାକୁ ଚିତ୍ରକଳା ବୋଲି ମତ ଦେଇଅଛନ୍ତି । ବୋଧହୁଏ ରଚନାର ଅନୁପ୍ରାସ ରକ୍ଷା ଦିଗପ୍ରତି ବିଶେଷ ଧ୍ୟାନ ଦେଇ ପାରି ନାହାନ୍ତି । ଆଲୋଚିତ ଗୀତଟିର ଚରଣର ପ୍ରାନ୍ତ ଭାଗରେ ‘ବର୍ଣ୍ଣକ୍ରୟକୃତ ଅନ୍ତ୍ୟାନୁପ୍ରାସ’ ରୀତି ପାଳିତ ହୋଇଅଛି । ଯେପରି -

‘‘ X X ମଧୁ ପବନେ

X X ସଖି ଭବନେ ।।’’ ଇତ୍ୟାଦି

 

ଗୀତ ପ୍ରକାଶକାରଙ୍କର ଗୋଟିଏ ଗୀତର ଗୋଟିଏ ଚରଣକୁ ପୁଣି ଗ୍ରନ୍ଥକାର ଏହି ‘ଚିତ୍ରକଳା’ର ଉଦାହରଣ ଗୀତ ସ୍ଥଳରେ ଉଦ୍ଧାର କରିଛନ୍ତି । ଯଥା-

 

      ‘‘ଅନାରତ ବିଷୟୋପଭୁଜୋ ମମ ଦିନାନୀଶ ଗତାନି ବୃଥା

      ମନାଗପି ନ ସ୍ମରତି ମନୋମେ ଜନାର୍ଦ୍ଦନ ତବ ଚରଣ କଥା ।।’’

 

ଏଠାରେ କେବଳ ଅନ୍ତ୍ୟାନୁପ୍ରାସ ଭିନ୍ନ ବର୍ଣ୍ଣଦ୍ୱୟ କିମ୍ବା ବର୍ଣ୍ଣତ୍ରୟକୃତ ଅନୁପ୍ରାସ ଲକ୍ଷଣ ନ ଥାଇ ଚିତ୍ରକଳା ଗୀତଟି ରଚିତ ହୋଇଅଛି । ଏଥିରୁ ବୁଝାଯାଉଅଛି ଯେ, ଚିତ୍ରକଳାରେ ପୂର୍ବୋକ୍ତ ଅନୁପ୍ରାସ ରୀତିପ୍ରତି ଦୃଷ୍ଟି ଦିଆଯାଏ ନାହିଁ । କାରଣ ‘ଗୀତ ପ୍ରକାଶ’କୁ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀମାନେ ଶ୍ରେଷ୍ଠ ସମ୍ମାନ ଦେଇ ଆସିଥିବାର ପ୍ରମାଣ ଅଭାବ ନାହିଁ।

 

ଏ ସମ୍ପର୍କରେ ‘ଗୀତ-ପ୍ରକାଶ’ର ତୃତୀୟ ଉଲ୍ଲାସର କ୍ଷୁଦ୍ର ଗୀତ ବିଭାଗର ଆଲୋଚନାରେ ଉଲ୍ଲେଖ ଅଛି ଯେ-

‘‘କାବ୍ୟଂଚ ସର୍ବତ୍ରାବଶ୍ୟକମ୍‌ । ତେନ ବିନା ନ କ୍ୱାପି ରଞ୍ଜକତା.....

ଏବମିହ ସଂକର ଗୀତାନଂ ଜୟଦେବକୃତ ଗୀତଗୋବିନ୍ଦେ

ବହୁନ୍ୟୁଦାହରଣାନି’’

 

Unknown

ସଂଗୀତ କଳ୍ପଲତା

 

-ଗୀତ ପ୍ରକାଶର ପରବର୍ତ୍ତୀ ଗ୍ରନ୍ଥ । ରଚୟିତା ସଂଗୀତଜ୍ଞ ପଣ୍ଡିତ ହଳଧର ମିଶ୍ରଙ୍କ ମତେ ମଧ୍ୟ ଶ୍ରୀଗୀତଗୋବିନ୍ଦର ବହୁ ଗୀତ ସଂକର ଶ୍ରେଣୀୟ । ଗୀତ ମଧ୍ୟରେ ଚରଣର ଗୋଟିଏ ପଂକ୍ତିର ଉପଧାସ୍ୱର ସହିତ ତହିଁ ପୂର୍ବ ବା ପରବର୍ତ୍ତୀ ପଂକ୍ତିର ଉପଧାସ୍ୱର ଦୁଇଗୋଟି ବା ତିନିଗୋଟି ବର୍ଣ୍ଣାନୁପ୍ରାସ (ବର୍ଣ୍ଣଦ୍ୱୟକୃତାନ୍ତ୍ୟାନୁପ୍ରାସ ବା ବର୍ଣ୍ଣତ୍ରୟକୃତାନ୍ତ୍ୟାପ୍ରାସ) ରକ୍ଷା ରୀତିରେ ରଚିତ ଗୀତମାନ ‘ଚିତ୍ରପଦା’ ଶ୍ରେଣୀୟ । ଗୀତରେ ଉପଧାସ୍ୱର ସହିତ ଅନ୍ୟ ବ୍ୟଞ୍ଜନାବୃତ୍ତି ନ ଥିଲେ ତାହା ଚିତ୍ରକଳା ଶ୍ରେଣୀୟ ହେବ । ଗ୍ରନ୍ଥକାର ଶ୍ରୀଗୀତଗୋବିନ୍ଦର ‘ବଦସି ଯଦି କିଞ୍ଚଦପି’ ଗୀତଟିର ଗୋଟିଏ ପଦ ଦୃଷ୍ଟାନ୍ତ ରୂପେ ଉପସ୍ଥାପିତ କରିଅଛନ୍ତି । ଯଥା :-

‘‘ଦେହ ଖରନଖର ଶରଘାତମ୍‌

ଯେନ ବା ଭବତି ସୁଖଜାତମ୍‌’’

 

ଏଠାରେ ଆଉ ଗୋଟିଏ ଗୀତ ଉଦାହରଣ ସ୍ୱରୂପ ଉପସ୍ଥାପିତ କରାଯାଇପାରେ । ଏଇଟି ମଧ୍ୟ ସଂକର ଜାତୀୟ । ଗୀତଟି ଶ୍ରୀଗୀତଗୋବିନ୍ଦର ଦ୍ୱାଦଶସର୍ଗର ସର୍ବଶେଷ (ଚତୁର୍ବିଂଶତି) ଗୀତ ।

 

ଚିତ୍ରପଦାର ବର୍ଣ୍ଣତ୍ରିୟକୃତ ଅନ୍ତ୍ୟାନୁପ୍ରାସ ଲକ୍ଷଣ । ଯଥା:-

‘‘ଅଳିକୁଳଗଞ୍ଜନ ସଞ୍ଜନକଂ ରତିନାୟକ ଶାୟକ ମୋଚନେ

ତଦଧରଚୁମ୍ବନଲମ୍ବିତକଜ୍ଜ୍ୱଳମୁଜ୍ଜଳୟ ପ୍ରିୟ ଲୋଚନେ ।’’

 

ବର୍ଣ୍ଣଦ୍ୱୟକୃତ ଅନ୍ତ୍ୟାନୁପ୍ରାସ ଲକ୍ଷଣ ଯଥା:-

‘‘ନୟନକୁରଙ୍ଗତରଙ୍ଗବିକାଶନିରାଶକରେ ଶ୍ରୁତିମଣ୍ଡଳେ

ମନସିଜପାଶବିଳାସଧରେ ଶୁଭବେଶ ! ନିବେଶୟ କୁଣ୍ଡଳେ’’ ।

 

ପ୍ରଥମ ପଦଟିରେ ‘ମୋଚନେ-ଲୋଚନେ’ ଏବଂ ପରବର୍ତ୍ତୀ ପଦଟିରେ ‘ମଣ୍ଡଳେ-କୁଣ୍ଡଳେ’ ଶବ୍ଦର ବର୍ଣ୍ଣମାନ ଲକ୍ଷଣୀୟ । ଏହା ଚିତ୍ରପଦା ଲକ୍ଷଣାକ୍ରାନ୍ତ ।

ପୁଣି-      ‘‘ନିଜଗାଦି ସା ଯଦୁନନ୍ଦନେ

      କ୍ରୀଡ଼ିତି ହୃଦୟାନନ୍ଦନେ ।।’’ ଧ୍ରୁବପଦ ।

 

ପୂର୍ବ ଲିଖିତ ଚରଣମାନଙ୍କର ଅକ୍ଷର ଏବଂ ବର୍ଣ୍ଣ ସଂଖ୍ୟା ସହିତ ‘ଧ୍ରୁବାପଦ’ର ଅକ୍ଷର ଓ ବର୍ଣ୍ଣସଂଖ୍ୟା ସମାନ ନୁହେଁ, ଏବଂ ରଚିତ ଗୀତଟି ଅଷ୍ଟପଦୀ । ଏହା ଚିତ୍ରକଳାର ଲକ୍ଷଣ ।

 

ଏଣୁ ଗୀତଗୁଡ଼ିକ ସଂକର ଗୀତ ଶ୍ରେଣୀୟ । ଏହିପରି ବହୁ ଗୀତ ଗୀତିକାବ୍ୟରେ ଦୃଷ୍ଟ ହୁଏ । ଶ୍ରୀଗୀତଗୋବିନ୍ଦର ଗୀତ ଅନୁସରଣରେ ଅସଂଖ୍ୟ ଓଡ଼ିଆ ଭାଷାଗୀତ ବହୁ କାଳରୁ ରଚିତ ହୋଇଛି । ଏଥି ମଧ୍ୟରୁ ଗୁଡ଼ିଏ ଚିତ୍ରକଳା ଏବଂ ଆଉ ଗୁଡ଼ିଏ ଚିତ୍ରପଦା ଶ୍ରେଣୀୟ ।

 

ଛନ୍ଦରୀତି

 

ଏ ସ୍ଥଳରେ ଗୀତଗୁଡ଼ିକର ଛନ୍ଦାରୀତି ମଧ୍ୟ ବିଚାର କରାଯାଇପାରେ । ପଦଗୁଡ଼ିକର ଛନ୍ଦ ସୃଷ୍ଟି ଅପୂର୍ବ । ଭାଷା ସଂସ୍କୃତ ହେଲେ ମଧ୍ୟ ଶ୍ଲୋକ ରୀତିର ମାତ୍ରାବୃତ୍ତଛନ୍ଦରେ ଗୀତଗୁଡ଼ିକ ରଚିତ ହୋଇନାହିଁ । ଜୟଦେବଙ୍କର ଏହା ଅଦ୍ଭୁତ ପୂର୍ବ କୃତିସର୍ଜନା । ଗୁଡ଼ିଏ ଗୀତ ‘ପଦାକୁଳକ’’ ଛନ୍ଦର ରଚନା । ସମାନ ସମାନ ଚାରିଭାଗ ଓ ଚାରିଚାରି ମାତ୍ରାରେ ଷୋଳ ମାତ୍ରାର ଛନ୍ଦକୁ ‘ପଦାକୁଳକ’ କହନ୍ତି । କବି ଜୟଦେବ ଏଭଳି ଛନ୍ଦର ଗୀତ ରଚନାରେ ମଧ୍ୟ ତାଙ୍କର ବିଶେଷତ୍ୱ ଫୁଟାଇ ଏକ ବିପ୍ଳବ ଆଣିଛନ୍ତି । ପଦାକୁଳକ ଛନ୍ଦ ହୁଏ ଚାରିପଦ । ଜୟଦେବଙ୍କ ରଚନା ପଦାକୁଳକ ରୀତି ଧରିଥିଲେ ମଧ୍ୟ ଦୁଇପାଦ ବିଶିଷ୍ଟ ।

 

ଗୀତରେ ଅନ୍ତ୍ୟାନୁପ୍ରାସ ରକ୍ଷା ରୀତିରୁ ପଝ୍‌ଝଟିକାର ଏକ ଲକ୍ଷଣ ପ୍ରକାଶ ପାଏ ।

‘‘ପଝ୍‌ଝଟିକାୟାଂ ବିରୁବାବଲ୍ୟାଂ ଶୁଦ୍ଧଗୀତାଦୌ ଅନ୍ତ୍ୟାନୁପ୍ରାସୋୟଂ ନିବେଶନୀୟୋ ବିଶେଷଜ୍ଞୈରିତି ।।’’

(ସଂ ! ନାରାୟଣ)

 

ଆହୁରି କୁହାଯାଇଅଛି:-

‘‘ପ୍ରତିପଦ ଯମକିତ ଷୋଡ଼ଶ ମାତ୍ରା

ନବମ ଗୁରୁତ୍ୱ ବିଭୂଷିତ ଗାତ୍ରା,

ପଝ୍‌ଝଟିକା ପୁନରତ୍ର ବିବେକଃ

କ୍ୱାପି ନ ମଧ୍ୟ ଗୁରୁର୍ଗଣ ଏକ ।।’’

 

ପଝ୍‌ଝଟିକା ଷୋଡ଼ଶ ମାତ୍ରିକା ଏବଂ ଯମକ ମଣ୍ଡିତ ଅନ୍ତ୍ୟାନୁପ୍ରାସ ନିବେଶିତ; ଯାହା ଶ୍ରୀଗୀତଗୋବିନ୍ଦର ପ୍ରଚୁର ।

ନାନାଦିଗ ବିଚାରରୁ ଶ୍ରୀଗୀତଗୋବିନ୍ଦକୁ ପ୍ରବନ୍ଧ ବା ଶୁଦ୍ଧ ଗୀତ ବୋଲି ଧରାଯାଇ ପାରୁନାହିଁ । ‘ପ୍ରକୃଷ୍ଟ ବନ୍ଧ-ପ୍ରବନ୍ଧ’ ଏହି ରୀତିରେ ଗୀତ ଗୁଡ଼ିକ ପ୍ରବନ୍ଧ-ଧର୍ମ୍ମୀ । କିନ୍ତୁ ଏହା ‘ଶୁଦ୍ଧଗୀତସ୍ୟାପି ପ୍ରବନ୍ଧଃ’ ନୁହେଁ । କାରଣ ଶୁଦ୍ଧ ଗୀତର ଲକ୍ଷଣ ସୂଚନା ଏଥିରେ ଅଭାବ । ଏଗୁଡ଼ିକ ପଦାକୁଳକ ବା ପଝ୍‌ଝଟିକାର ଅନୁକୂଳ ରଚନା ଏବଂ କ୍ଷୁଦ୍ରଗୀତ ପର୍ଯ୍ୟାୟର ‘ନିବଦ୍ଧ’ ସଙ୍ଗୀତ । ‘କେବଳ ପଦ ବୈଚିତ୍ର୍ୟ’ - ଚିତ୍ରପଦାର ଏହି ଲକ୍ଷଣଠାରୁ ପାର୍ଥକ୍ୟ ରଚନା ହେତୁ ଏହା ଚିତ୍ରକଳା ।

 

ଶ୍ରୀଗୀତଗୋବିନ୍ଦର ଗୀତ ପ୍ରବନ୍ଧ ଶ୍ରେଣୀୟ ତ ନୁହେଁ, ପୁଣି ଗୀତ ଭେଦରେ ଏଗୁଡ଼ିକ ଅନିବଦ୍ଧ ସଙ୍ଗୀତ ମଧ୍ୟ ନୁହେଁ । ଗୀତ ଦୁଇ ପ୍ରକାର:- ‘ଅନିବଦ୍ଧ’ ଏବଂ ‘ନିବଦ୍ଧ’ ।

‘‘ଅନିବଦ୍ଧନିବଦ୍ଧଂ ଚ ଦ୍ୱିଧା ଗୀତମୁଦିରିତମ୍‌ ।।’’

(ସଂ: ସରଣୀ)

 

ଅନିବଦ୍ଧ ଲକ୍ଷଣ:-

‘‘ଆଲପ୍ତିର୍ବଦ୍ଧନତ୍ୱାଦିନବଦ୍ଧମିତୀରିତମ୍‌’’ ଏହା ତାଳାନୁଶାସିତ ନୁହେଁ ।

ନିବଦ୍ଧ ଲକ୍ଷଣ:-

‘‘ବଦ୍ଧଂଧାତୁଭିରଙ୍ଗୈଶ୍ଚ ନିବଦ୍ଧମଭିଧୀୟତେ ।।’’

 

ଧାତୁ ଏବଂ ଗୀତାଙ୍ଗଦ୍ୱାରା ରଚିତ ଗୀତ- ନିବିଦ୍ଧ ସଂଗୀତ । ଶ୍ରୀଗୀତବୋନ୍ଦିର ଗୀତଗୁଡ଼ିକ ଏହି ଶ୍ରେଣୀୟ ।

 

ସଂଗୀତ ଧାରା

 

ସଂଗୀତ ଦୁଇ ଭାଗରେ ବିଭକ୍ତ । ଯଥା:- ତଥ୍ୟାତ୍ମକ (Theory) ଏବଂ କ୍ରିୟାତ୍ମକ (Practical) । ତଧ୍ୟାତ୍ମକ ସଂଗୀତ ଜୟଦେବଙ୍କ ପୂର୍ବରୁ ଭାରତରେ ଶାସ୍ତ୍ର ଆକାରରେ ପ୍ରଚଳିତ ଥିଲା । ଭରତକଂ କାଟ୍ୟ ଶାସ୍ତ୍ରରୁ ଏହାର ପ୍ରମାଣ ମିଳେ । କିନ୍ତୁ କ୍ରିୟାତ୍ମକ ସଙ୍ଗୀତରେ ପ୍ରଥମ ପଥ ପ୍ରଦର୍ଶକ ବା ସ୍ରଷ୍ଟା ଜୟଦେବ । ଶ୍ରୀଗୀତଗୋବିନ୍ଦ ଏହାର ପ୍ରକୃଷ୍ଟ ପ୍ରମାଣ । ସେ ଜଣେ ଉତ୍କଳୀୟ ବୋଲି ମୁଁ ଏହା କହୁନାହିଁ, ଏହା ଆଦିମ ପଣ୍ଡିତ ଏବଂ କଳାର ପୃଷ୍ଠପୋଷକ ରୂପେ ବିଖ୍ୟାତ ତଦାନିନ୍ତନ ପଣ୍ଡିତ ଓ ନରପତି ମାନଙ୍କର ସ୍ପଷ୍ଟମତ ।

 

ଏତିକି ନୁହେଁ, ସଙ୍ଗୀତର କ୍ରିୟାତ୍ମକ ବିଭାଗ କଳିଙ୍ଗ ବା ଉତ୍କଳ ଭିନ୍ନ ଭାରତର ଅନ୍ୟତ୍ର ଅବିଦିତ ଥିଲା । ଏହି ମତ ପ୍ରକାଶର ପ୍ରମାଣ ସ୍ୱରୂପ ମୁଁ ନିମ୍ନଲିଖିତ ମନ୍ତବ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରୁଛି, ସହୃଦୟ ପାଠକ ପାଠିକାଙ୍କର ।

 

" Although the Sanskrit books have preserved the theory of such musical composition, the prctice of it seems almost wholly left (as all the Pandits and Rajas confess) in Gaur and magadha, or the provinces of Bengal and Bihar. When I first read the songs of Jayedeva who has prefixed to each of them, the name of the mode, in which it was anciently sung, I had hope of procuring the original music but Pandits of the south referred me to those of the west and the Brahmins of the west would have sent me to those of the south while they, I mean those of Nepal and Cashmir declared that they had no ancient music, but imagined that notes to the Gita Govinda must exist if any where, in one of the southern provinces where the poet was born."

      (On ancient mode of Hindus- by Sir Willium Jones-1784)

 

ଚାନ୍ଦକବିକୃତ ବସୋ (ରାୟସା) ୧୧୫୦ରେ ରଚିତ ହୋଇଥିବାର ଇନ୍ଦୁଟୀକା (ଗୀତଗୋବିନ୍ଦ) ଅନୁସାରେ ନିର୍ଦ୍ଧାରିତ ହୋଇଅଛି । ଚାନ୍ଦକବି ଜୟଦେବ ଉଲ୍ଲେଖ କରିଯାଇଛନ୍ତି ।

 

କିଷ୍ଣୁ ସ୍ୱାଭିକୃତ ଚରିତାମୃତ ଅନୁସାରେ ‘‘ଶ୍ରୀପୁରୁଷୋତ୍ତମ କ୍ଷେତ୍ରମେ ଇନ୍‌ହୋନେ ଉସ ସଂପ୍ରଦାୟକେ କିସୀ ପଣ୍ଡିତ୍‌ସେ ବିଦ୍ୟା ପଢ଼ୀଥୀ ।’’ ଏଥିରୁ ଜୟଦେବଙ୍କ ବାଲ୍ୟାବସ୍ଥା ଓ ଜନ୍ମସ୍ଥାନ ନିର୍ଣ୍ଣୟ କରାଯାଇପାରେ ।

 

ସାର୍‌ ଉଇଲିୟମ୍‌ ଜୋନ୍‌ସ୍‌ଙ୍କ ଲେଖାରୁ ଜଣାପଡ଼େ ଯେ ଗୌଡ଼, ମଗଧ, ବଙ୍ଗ, ବିହାର, ନେପାଳ, କାଶ୍ମୀର - କାହିଁ ହେଲେ ଶ୍ରୀଗୀତଗୋବିନ୍ଦର ଗାୟନଶୈଳୀ ସେ ବାସ୍ତବରୂପେ ଶୁଣିବାକୁ ପାଇ ନ ଥିଲେ । ସେ ଖୋଜୁଥିଲେ ଶ୍ରୀଗୀତଗୋବିନ୍ଦର ଆଦିମ ଗାୟନ-ରୀତି । ତେଣୁ ଅନୁଶୀଳନ କରି ସେ ଲେଖିଥିଲେ-

 

‘‘ X       X       X It was the work of Jaydev, who flourished, it is said before Kalidas and was born as he tells us himself in Kunduli, which many believe to be in Kaling, but since there is a town of a similar name in Burdwan, the natives of it insist that the finest lyrical poet of India was their countryman and celebrate in honour of him an annual Jubilee passing a whole night in representing his drama and in singing his beautiful songs. X X X"

 

(Preface to the Gita-Govinda translated by Sir Willium and Published by Upendralal Das. Calcutta-1984)

 

ସାର୍‌ ଉଇଲିୟମ୍‌ ଜୋନ୍‌ସ୍‌ ଇତିପୂର୍ବରୁ କହିଛନ୍ତି ଯେ ସେ ଗୌଡ଼, ମଗଧ, ବଙ୍ଗ...ଇତ୍ୟାଦି ସ୍ଥାନରେ ଶ୍ରୀଗୀତଗୋବିନ୍ଦ ନିର୍ଦ୍ଦେଶିତ ରାଗରାଗିଣୀ (Mode)ର ବାସ୍ତବ ଶୌଳୀ ଶୁଣି ନାହାନ୍ତି । ସେ କହିଛନ୍ତି ଯେ ବହୁ ଲୋକ ବିଶ୍ୱାସ କରନ୍ତି (Many believe) ଯେ ଜୟଦେବ କଳିଙ୍ଗର: କିନ୍ତୁ ବର୍ଦ୍ଧମାନବାସିନ୍ଦା ବଳାଇ କହନ୍ତି ବା ଦାବୀ ବାଢ଼ନ୍ତି ଯେ ଜୟଦେବ ତାଙ୍କ ଦେଶର ଲୋକ । ସେମାନେ ଜୟଦେବ ଜୁବୁଲି ପାଳନ୍ତି ଓ ତାଙ୍କ ରଚିତ ସୁନ୍ଦର ଗୀତ ଗାଆନ୍ତି ।

 

ଏହି ଅବକାଶରେ ବିଚାରିବାକୁ ହୁଏ ଯେ, ସାର୍‌ ଉଇଲିୟମ୍‌ କିନ୍ତୁ କହିଛନ୍ତି ଯେ ଶ୍ରୀଗୀତଗୋବିନ୍ଦର ରାଗର (Mode) ଆଦିମ (Ancient) ରୀତି । ସେ ପୂର୍ବୋକ୍ତ ସ୍ଥାନମାନଙ୍କରେ କାହିଁ ହେଲେ ଶୁଣିଲେ ନାହିଁ । ତେଣୁ ଯେଉଁ ଜୟଦେବ ଜବୁଲି ବା ମେଳା ବସେ, ସେମାନେ ହୁଏତ ଶ୍ରୀଗୀତଗୋବିନ୍ଦ ଗାଉଥିବେ; କିନ୍ତୁ ତାହା କବିନିର୍ଦ୍ଦିଷ୍ଟ ରାଗରାଗିଣୀରେ ବସତି ନୁହେଁ, ବିଶେଷତଃ ଷୋଡ଼ଶ ଶତାବ୍ଦୀପରେ । ଏସିଆଟିକ୍‌ ସୋସାଇଟିର ପ୍ରତିଷ୍ଠାତା-ସଭାପତି ତଥା ସୁପ୍ରିମ୍‍କୋଟର ଅନ୍ୟତମ ବିଚାରପତିରୂପେ ୧୮୯୪ରେ ସେ ଏ ଆଲୋଚନା କରିଛନ୍ତି । ତେଣୁ ଏହି ସମୟରେ ସେ ଶ୍ରୀଗୀତଗୋବିନ୍ଦ ବଙ୍ଗଳା କୀର୍ତ୍ତନରୀତିରେ ଶୁଣିଥିବେ: କାରଣ ଶ୍ରୀଚୈତନ୍ୟଦେବ ଥିଲେ ଶ୍ରୀଗୀତଗୋବିନ୍ଦର ପରମ ଭକ୍ତ । ଏହି ପବିତ୍ର ଗ୍ରନ୍ଥଟି ଥିଲା ତାଙ୍କର ନିତ୍ୟପାଠ୍ୟ । ଶ୍ରୀଚୈତନ୍ୟ କୀର୍ତ୍ତନଶୈଳୀର ପ୍ରଥମ ଉଦ୍‌ଭାବନାକର୍ତ୍ତା । ତାଙ୍କ ଶିଷ୍ୟ ପ୍ରଶିଷ୍ୟବୃନ୍ଦ କୀର୍ତ୍ତନ ଗାୟନ କରନ୍ତି । ଏବେ ମଧ୍ୟ ଶ୍ରୀଗୀତଗୋବିନ୍ଦ ବଙ୍ଗ ଓ ମଣିପୁରରେ ସାଧାରଣତଃ କୀର୍ତ୍ତନଶୈଳୀରେ ଗୀତ ହେଉଅଛି । ଏହି ଦୃଷ୍ଟିରୁ କୀର୍ତ୍ତନଶୈଳୀ ପ୍ରଚାରିତ ହେବାପରେ (ଊନବିଂଶ ଶତାବ୍ଦୀରେ) ସାର୍‌ ଜୋନସ୍‌ ଯେଉଁ ଜୟଦେବ-ମେଳାର ଉଲ୍ଲେଖ କରିଛନ୍ତି, ସେଠାରେ ଶ୍ରୀଗୀତଗୋବିନ୍ଦକୁ କୀର୍ତ୍ତନଶୈଳୀରେ ଲୋକେ ଗାଉଥିଲେ - ଏଥିରେ ଅବିଶ୍ୱାସ କରିବାର କାରଣ ବିଶେଷ ନାହିଁ । ଏହା ଛଡ଼ା ଅବଧି ମଧ୍ୟ ଶ୍ରୀଗୀତଗୋବିନ୍ଦ ନିର୍ଦ୍ଦେଶିତ ରାଗ ବା ତାଳ ବଙ୍ଗଳାରେ ପ୍ରଚଳିତ ହେବାର ଶୁଣାଯାଏ ନାହିଁ କିମ୍ବା ବଙ୍ଗଳାରେ ଏପରି କୌଣସି ସଙ୍ଗୀତଗ୍ରନ୍ଥ ମଧ୍ୟ ପ୍ରକାଶିତ ହୋଇ ନାହିଁ, ଯହିଁରେ ପ୍ରୋକ୍ତ ରାଗତାଳର ନାମଗନ୍ଧପର୍ଯ୍ୟନ୍ତ ଲିଖିତ ହୋଇଅଛି ।

 

ବଙ୍ଗୀୟ ପୁରାତନ ଗୀତିକାର ଓ ଗାୟକମାନେ ଯେଉଁସବୁ ସଙ୍ଗୀତ ଲେଖିଥିବାର ପ୍ରମାଣ ମିଳୁଅଛି ବା ଯେଉଁ ଗୀତପୁସ୍ତକମାନ ପ୍ରକାଶିତ ହୋଇଅଛି ତହିଁରେ ପ୍ରଦର୍ଶିତ ରାଗ-ତାଳ ହିନ୍ଦୁସ୍ଥାନୀ ସଙ୍ଗୀତପଦ୍ଧତିର ଅନୁସାରୀ ।

 

ଶ୍ରୀଗୀତଗୋବିନ୍ଦରେ ବ୍ୟବହୃତ ରାଗତାଳର ନାମ ଇତ୍ୟାଦି କେବଳ ଉତ୍କଳୀୟ ସଙ୍ଗୀତ-ଗ୍ରନ୍ଥକାରମାନଙ୍କ ଗ୍ରନ୍ଥରେ ଦେଖିବାକୁ ମିଳେ । ଉତ୍କଳରେ ଶ୍ରୀଗୀତଗୋବିନ୍ଦର ଅବଧି ପ୍ରଚଳିତ ଗାୟନଶୈଳୀ ମଧ୍ୟ ଭାରତର ଅନ୍ୟ ପ୍ରାନ୍ତୀୟ ଗାୟନ-ରୀତିଠାରୁ ପୃଥକ୍‌ । ଏ ଗୀତଗୁଡ଼ିକ ଶୁଣିଲେ କେହି ଚିହ୍ନରା ଗ୍ରାହକ ଅବଶ୍ୟ କହିବେ ଯେ ଉତ୍କଳୀୟ ଗାୟନ ଶୈଳୀକୁ ମନାଇବାଭଳି ଗୀତଗୁଡ଼ିକ ରଚିତ । ସାହିତ୍ୟଦୃଷ୍ଟିରୁ ଗୀତଗୁଡ଼ିକରେ ଅନୁପ୍ରାସ, ଯମକର ମହତ୍ତ୍ୱ ସୁରକ୍ଷା ଏବଂ ତାହାର ଭାବାନୁସାରୀ ରସପ୍ରକାଶର ସୁସ୍ପଷ୍ଟ ଅଭିବ୍ୟକ୍ତି କେବଳ ଓଡ଼ିଶୀ ରୀତିର ଗାୟନରେ ହିଁ ସମ୍ଭବ ।

 

ସଙ୍ଗୀତ ଓ ରଚନା

 

ଏକେ ରାଧାକୃଷ୍ଣ- ରସରାଜ ମହାଭାବଙ୍କର ଅପ୍ରାକୃତ ପ୍ରେମଳୀଳା; ତହିରେ ଘଟିଛି ତ୍ରିବେଣୀ ସଙ୍ଗମ- ଭାଷା, ଭାବ ଓ ସ୍ୱରର ସମ୍ମିଳନ । ମାଧର୍ଯ୍ୟ ଲୀଳାବର୍ଣ୍ଣିତ ଏପରି ଏକ କୃତି ରଚନାର ସମକକ୍ଷ ଗୀତି-କାବ୍ୟ ‘‘ନ ଭୂତୋ ନ ଭବିଷ୍ୟତି ।’’

 

ଏଇ ଅଭୂତପୂର୍ବ ତ୍ରିବେଣୀ ସଙ୍ଗମର ଅତଳ ରସଗର୍ଭରେ ପାର୍ଥିବ-ଅପାର୍ଥିବ, ଯାବତ୍‌ ବ୍ୟବଧାନ ଆପଣାର ସ୍ୱତନ୍ତ୍ର ସତ୍ତାପତ୍ତା ଏକାବେଳକେ ହରାଇଦେଇଛି । ରସମୁଖୀ ସଙ୍ଗୀତ-ମାଧୁରୀ ହିଁ ଶ୍ରୀଗୀତଗୋବିନ୍ଦର କୋମଳ-କାନ୍ତ-ପଦାବଳୀକୁ ଲୋକମନରେ ଅପାଶୋରା କରିରଖିଛି- ପଦର ଅର୍ଥ ବୁଝିବାକୁ ତିଳେ ଅବକାଶ ନ ଦେଇ ସୁଦ୍ଧା ।

ସ୍ୱଚ୍ଛନ୍ଦରେ, ମନର ଆନନ୍ଦରେ ସର୍ବସାଧାରଣଙ୍କଦ୍ୱାରା ଯାହା ଗୀତ ହୁଏ, ଯହିଁରେ ଆଳାପ ଇତ୍ୟାଦିରେ ବିଶେଷ ଆବଶ୍ୟକତା ନ ଥାଏ, ସେପରି ଗୀତକୁ ‘ଦେଶୀ’ ସଙ୍ଗୀତ କୁହନ୍ତି । କୁହାଯାଇଅଛି-

‘‘ଆଳାପାଦି ସନ୍ନିବଦ୍ଧୋ ଯଃ ସଃ ମାର୍ଗଃ ପ୍ରକୀର୍ତ୍ତିତଃ

ଆଳାପାଦି ବିହୀନସ୍ତୁ ସ ଚ ଦେଶୀପ୍ରକୀର୍ତ୍ତିତଃ ।।’’

(ବୃହଦ୍ଦେଶୀ)

 

ଶ୍ରୀଗୀତଗୋବିନ୍ଦ ସଙ୍ଗୀତମୟ । ଏ ସଙ୍ଗୀତ-ଭଣ୍ଡାରର ଭରିରହିଛି ଭକ୍ତର ମନ-କଥା । ଲୀଳାର ମାଧୁରୀ-କୀର୍ତ୍ତନରେ ଗୀତଗୁଡ଼ିକ ସୁସମୃଦ୍ଧ । ଏହା କେବଳ ‘ମଦ୍‌ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦଃ’ ବାଣୀର ସାର୍ଥକ ରଚନା । ଭାବର ଗୀତ ଗାଇଛନ୍ତି ଭାବଭୋଳା କବି । ତେଣୁ ‘‘ଆଳାପୈଧାତୁଭିଶ୍ଚାଙ୍ଗୈଃ ସଂଯୁକ୍ତଂ ଶୁଦ୍ଧମୁଚ୍ୟତେ ।’’ -ଏହି ସଙ୍ଗୀତ-ବାଣୀକୁ ଶ୍ରୀଗୀତଗୋବିନ୍ଦ ଅପେକ୍ଷା କରି ନାହିଁ ।

 

ଗୀତି-କାବ୍ୟଟିର ସଂଗୀତ-ରଚନାରେ ପ୍ରାକୃତ ଦେଶୀ ପ୍ରଭାବ ସ୍ପଷ୍ଟ । ଏଥିରୁ ବୁଝାଯାଏ ଯେ ଜୟଦେବ ଯୁଗସଂଗମକାଳୀନ କବି । ସେ ଉଭୟ ରୀତି-ପ୍ରବୀଣ । ରଚନାର ଅର୍ଥ-ଗୌରବ ସଂଗୀତର ସ୍ୱର-ତାଳ-ମାଧୁରୀରେ ଗୌରବାନ୍ୱିତ ।

 

ଗୀତି-କାବ୍ୟଟିର ସଂଗୀତ-ରଚନାରେ ମଧ୍ୟତ୍ରିବେଣୀ ସଂଗମର ବିଚିତ୍ରତା ପରିସ୍ଫୁଟ । ଜୟଦେବ ସସ୍ପୃତଯୋଗ-ସଂସ୍କୃତିର କବି, ତହିଁରେ ମିଶିଛି ଅପଭ୍ରଂଶ ଯୁଗର ରୁଚି । ପୁଣି ଏହି ଯୁଗରୁଚିରେ ଆଗାମୀ କାଳର ଦୂରଦୃଷ୍ଟି ମିଶି ରଚନାକୁ ସଂଗୀତର ସ୍ୱର-ତାଳ-ଛନ୍ଦରେ ମାଧୁରୀଭାରା କରିଦେଇଛି ।

 

ଗୀତଗୁଡ଼ିକରେ ପ୍ରାକୃତ ବା ଦେଶୀ ପ୍ରଭାବ ସ୍ପଷ୍ଟ । ଦେଶୀ ଭାଷା ଉପରେ ସଂସ୍କୃତ ସାହିତ୍ୟ ରାଜତ୍ୱ କରି ନାହିଁ କିମ୍ବା ସଂସ୍କୃତର ସ୍ୱାଧୀନତା ଏକାବେଳେ ଲୋପ ପାଇ ନାହିଁ ।

 

ଗୀତର ଭାଷା ସଂସ୍କୃତ, କିନ୍ତୁ ରଚନା ନିରାଟ ଭାବେ ସଂସ୍କୃତ ବୃତ୍ତଛନ୍ଦ-ଅନୁକାରୀ ନୁହେଁ । ଏଗୁଡ଼ିକ ମାତ୍ରା-ଛନ୍ଦରେ ରଚିତ । ପୁଣି ଏହି ମାତ୍ରାଛନ୍ଦ ମଧ୍ୟ ସବୁ ରଚନାରେ ସମାନ ନୁହେଁ । ମାତ୍ର ଚାରିଗୋଟି ଗୀତର ମାତ୍ରା-ବିଭାଗ ସମାନ । ଚାରି-ଚାରି ମାତ୍ରାରେ ବିଭକ୍ତ ହୋଇ ଏପରି ରଚନାରେ ସର୍ବମୋଟ ମାତ୍ରାସଂଖ୍ୟା ଷୋହଳଗୋଟି । ଏଗୁଡ଼ିକ ଶ୍ରୀଗୀତଗୋବିନ୍ଦର ନବମ, ଦ୍ୱାଦଶ, ଚତୁର୍ଦ୍ଦଶ ଏବଂ ଅଷ୍ଟାଦଶ ସଂଗୀତ । ଏପରି ଷୋଡ଼ଶମାତ୍ରିକ ରଚନାକୁ ସଂସ୍କୃତରେ ପଜ୍‌ଝଟିକା ବା ମାତ୍ରସମକ ଛନ୍ଦ କୁହାଯାଇପାରନ୍ତା; ମାତ୍ର ଜୟଦେବ ଏ ରୀତିକୁ ମଧ୍ୟ ଦୁରେଇଦେଇଛନ୍ତି । ପଜ୍‌ଝଟିକା ବା ପଦାକୁଳକ ବା ସମମାତ୍ରିକ ଛନ୍ଦର ଚରଣସଂଖ୍ୟା ଚାରିଗୋଟି ବୋଲି ନିର୍ଦ୍ଧିଷ୍ଟ ଥିବା ସ୍ଥଳରେ ଜୟଦେବ ଦୁଇେଗାଟି ମାତ୍ର ଚରଣରେ ଏହିପରି ଷୋଡ଼ଶ ମାତ୍ରା ସ୍ଥିର ରଖିଛନ୍ତି; ଯେପରି:-

ହରିରଭି । ସରତିବ । ହତି-ମଧୁ । ପବନେ-

କିମପର । ମଧିକସୁ । ଖଂ - ସଖି । ଭବନେ-

 

ଏହିପରି ଷୋଡ଼ଶମାତ୍ରିକ ଦୁଇଟି ଚରଣପରେ (ଉଦ୍‌ଗ୍ରାହକ) ‘‘ମାଧବେ ମା କୁରୁ ମାନିନି ମାନମୟେ’’- ଏ ପଂକ୍ତିର ମାତ୍ରା ପୂର୍ବଦୁଇଟି ଚରଣସହିତ ସମାନ ନୁହେଁ । ଏହା ଧ୍ରୁବ ପଦ ।

 

ଆଉ ଗୋଟିଏ କଥା ଯେ ଷୋଡ଼ଶମାତ୍ରିକ ପ୍ରଥମ ଦୁଇ ଚରଣରେ ଅନ୍ତ୍ୟାନୁପ୍ରାସ ରକ୍ଷା କରାଯାଇଅଛି । (ପବନେ-ଭବନେ) ପଦପ୍ରାନ୍ତରେ ଏବଂ ପଦମଧ୍ୟସ୍ଥ ମାତ୍ରା ସମତା-ରକ୍ଷାସ୍ଥଳରେ ମଧ୍ୟ ଏପରି ଅନୁପ୍ରାସ ରୀତି ବହୁ ରଚନାରେ ଦୃଷ୍ଟ ହୁଏ । ଅବଶ୍ୟ ଏଗୁଡ଼ିକ ସମସ୍ତ ଷୋଡ଼ଶମାତ୍ରିକ ପଦାକୁଳକ ଛନ୍ଦରେ ପ୍ରସ୍ତୁତ ନୁହେଁ । ଚରଣମଧ୍ୟରେ ଏହିପରି-ରକ୍ଷାର ଗୋଟିଏ ଦୃଷ୍ଟାନ୍ତ ଗୀତ ଦେଖନ୍ତୁ:-

‘‘ସମୁଦିତମଦନେ,            ରମଣୀବଦନେ

ଚୁମ୍ବନବଳିତାଧରେ

ମୃଗମଦ-ତିଳକଂ,            ଲିଖିତ ସପୁଲକଂ

ମୃଗମିବ ରଜନୀକରେ ।’’ (୧୫ଶ ଗୀତ)

 

ଅବଶ୍ୟ ଗୀତଟି ଷୋଡ଼ଶମାତ୍ରିକ ନୁହେଁ । ପଜ୍‌ଝଟିକା ପଦାକୁଳକ ବା ଜାତି (ମାତ୍ରା) ଛନ୍ଦରେ ବୃତ୍ତ-ଛନ୍ଦଭଳି ଗୁରୁ-ଲଘୁବର୍ଣ୍ଣାକ୍ଷର ନିର୍ଦ୍ଦେଶବିଧି ପାଳିତ ହୁଏ ନାହିଁ । ଶ୍ରୀଗୀତଗୋବିନ୍ଦର ଗୀତଗୁଡ଼ିକରେ ତାହା ହିଁ ଘଟିଛି । କେବଳ ମାତ୍ରାସଂଖ୍ୟାଉପରେ ଧ୍ୟାନ ଦିଆଯାଇଅଛି । ଏଠାରେ ଲକ୍ଷ୍ୟ କରାଯାଇପାରେ ଯେ କବି ସଂସ୍କୃତ ଛନ୍ଦର ବିଧି-ବିଧାନକୁ ସମାଦର କରିଥିଲେ ହେଁ ତାହାର ନିୟମ-ଶୃଙ୍ଖଳାରେ ଆବଦ୍ଧ ହୋଇ ରହି ନାହାନ୍ତି । ସେ ଯେଉଁ ମାତ୍ରାର ପରିମାଣ ଯେଉଁଠାରେ ରକ୍ଷା କରିଛନ୍ତି, ତାହା ସଂସ୍କୃତ ଛନ୍ଦର ଆବୃତ୍ତି-ରୀତିପାଇଁ ନୁହେଁ, ଅଧିକନ୍ତୁ ତାହା ତାଳ-ସମ୍ମତ; ତେଣୁ ସଂଗୀତ ବା ଗାୟନମୁଖୀ ।

 

ସେହିପରି ପଜ୍‌ଝଟିକା ଛାନ୍ଦରେ ଅନ୍ତ୍ୟନୁପ୍ରାସ-ରକ୍ଷା-ବିଧିସମ୍ବନ୍ଧେ ଉତ୍କଳୀୟ ସଂଗୀତ ଗ୍ରନ୍ଥରେ କୁହାଯାଇଅଛି ଯେ-

 

‘‘ସର୍ବୋ ଯୋଜ୍ୟେଽପ୍ୟନୁପ୍ରାସସ୍ତେଷ୍ୱନ୍ତ୍ୟ ସୈବ ନିଶ୍ଚୟଃ । ଅନ୍ତସ୍ୟାନ୍ତ୍ୟାନୁପ୍ରାସସ୍ୟ, ତଦୁକ୍ତମ୍‌ ପଜ୍‌ଝଟିକାୟାଂ ବିରୁଦାବଲ୍ୟାଂ କ୍ଷୁଦ୍ରଗୀତାଦୌ ଅନ୍ତ୍ୟାନୁପ୍ରାସୋଽୟଂ ନିବେଶନୀୟୋ ବିଶେଷଜ୍ଞୈରିତି ।

 

ସ ଚ ଯଥା:-

‘‘ବ୍ୟଞ୍ଜନଂ ଚେଦ୍ୟଥାବସ୍ଥଂ ପୂର୍ବସ୍ୱରସମନ୍ୱିତମ୍‌ ।

ଆବର୍ତ୍ତ୍ୟତେଽନ୍ତ୍ୟୟୋଯତ୍ତଦନ୍ତ୍ୟାନୁପ୍ରାସ ଉଚ୍ୟତେ ।।

ପ୍ରବନ୍ଧାଦୌ କ୍ଷୁଦ୍ରଗୀତେ ବାହୁଲ୍ୟେନାସ୍ୟ ସଂସ୍ଥିତିଃ ।।’’

                        (ସଂ: ନା:- ଶ୍ଲୋ ୪୭୨)

 

ଅତଏବ ଶ୍ରୀଗୀତଗୋବିନ୍ଦର ପ୍ରବନ୍ଧ (ଏତଂ କରୋତି ଜୟଦେବ କବେଃ ପ୍ରବନ୍ଧମ୍‌) କ୍ଷୁଦ୍ରଗୀତଶ୍ରେଣୀୟ ।

‘‘ଚତୁର୍ଭିର୍ଧାତୁଭିର୍ବଦ୍ଧସ୍ତ୍ୱଙ୍ଗୌଃ ଷଡ଼୍‌ଭିଶ୍ଚ କଳ୍ପିତଃ ।

ପ୍ରକୃଷ୍ଟୋ ଯସ୍ୟ ବନ୍ଧଃ ସ୍ୟାତ୍‌ ସ ପ୍ରବନ୍ଧୋ ନିଗଦ୍ୟତେ ।।

(ସଂ: ନା: - ୩୦୫)

 

ଅର୍ଥାତ ଚାରିଗୋଟି ଧାତୁ ଏବଂ ଷଟ୍‌ ଅଂଗ ଘେନି ରଚିତ ହେଲେ ତାହା ପ୍ରବନ୍ଧ ବୋଲାଇବ । ପ୍ରକୃଷ୍ଟ ବନ୍ଧକୁ ମଧ୍ୟ ପ୍ରବନ୍ଧ କୁହାଯିବ ।

 

ଏହି ନିର୍ଦ୍ଦେଶପରେ ପୁଣି କୁହାଯାଇଅଛି:-

‘‘ଏତେନ କ୍ଷୁଦ୍ରଗୀତମେବ ପ୍ରବନ୍ଧ ଇତ୍ୟୁଚ୍ୟତେ ।

ତ୍ରିଭିଶ୍ଚତୁର୍ଭିରପି ଧାତୁଭିଃ ଇତ୍ୟର୍ଥଃ ।’’

 

ଏ ବଚନ ଅନୁସାରେ ଶ୍ରୀଗୀତଗୋବିନ୍ଦର ଗୀତଗୁଡ଼ିକ କ୍ଷୁଦ୍ରଗୀତ ହେଲେ ମଧ୍ୟ ପ୍ରବନ୍ଧଜାତୀୟ ବୋଲାଇବାରେ ଅସଂଗତି ନାହିଁ; କାରଣ ଗୀତଗୁଡ଼ିକରେ ମେଳାପକ, ଧ୍ରୁବ ଏବଂ ଆଭୋଗ -ଏପରି ତିନିଗୋଟି ଧାତୁ ବିଦ୍ୟମାନ । ଷଟ୍‌ ଅଂଗମଧ୍ୟରୁ ତେନ (କ) ଏବଂ ପାଟର ସଂଯୋଗ ନାହିଁ । ଏଣୁ ଗୀତଗୁଡ଼ିକୁ ଚିତ୍ରକଳାଶ୍ରେଣୀୟ ବୋଲି ପଣ୍ଡିତମାନେ ଗ୍ରହଣ କରନ୍ତି । ଗୀତମାନ ନିଷ୍ଠାପରଭାବେ ସଂସ୍କୃତ ବୃତ୍ତ-ଛନ୍ଦାନୁସାରୀ ରଚନା ନୁହେଁ- ଏହା ରାଗ ଏବଂ ତାଳାନୁଗତ ସ୍ୱର ଏବଂ ମାତ୍ରାନୁସାରେ ରଚିତ । ଆବୃତ୍ତି ଏହାର ଲକ୍ଷ୍ୟ ନୁହେଁ- ଏହା ଗାୟନଧର୍ମ୍ମୀ ।

 

ବାରଗୋଟି ସର୍ଗବନ୍ଧ ଏବଂ ଚବିଶଗୋଟି ଗୀତରେ ରୀତିକାବ୍ୟଟି ସମ୍ପୂର୍ଣ୍ଣ । ରସପ୍ରକାଶଲାଗି ରାଗର ଆଶ୍ରୟ ନେଇ କବି ଏହି ଅଭିନବ ରଚନା-ପଦ୍ଧତି ସୃଷ୍ଟି କରିଛନ୍ତି । ଛନ୍ଦ ପ୍ରାଚୀନ । ସ୍ୱରତାଳ ସମାବେଶଦ୍ୱାରା ତହିଁରେ ରସପରିବେଷଣ-ରୀତିପ୍ରବର୍ତ୍ତନା ଏଇ ପ୍ରଥମ । ଶବ୍ଦ ଏବଂ ଅର୍ଥ ହେଲା କାବ୍ୟର ଶରୀର, ରସ କିନ୍ତୁ କାବ୍ୟର ପ୍ରାଣ । ପଦଗତ, ବାକ୍ୟଗତ, ବାକ୍ୟାର୍ଥଗତ ମାଦୁରୀସହିତ ରସଗତ ସୁଷମାସମ୍ଭାର ସଜାଡ଼ି ସଜାଇଦେଇଛନ୍ତି କବି ସଂଗୀତର ସାହଚର୍ଯ୍ୟରେ । ଅନିବଦ୍ଧ ଏବଂ ନିବଦ୍ଧ ସଂଗୀତଧାରାମଧ୍ୟରୁ ନିବଦ୍ଧ ସଂଗୀତ-ରୀତିର ପ୍ରଥମ ସୃଷ୍ଟି ଘଟିଛି କବି ଜୟଦେବଙ୍କଦ୍ୱାରା । ସମ୍ୟକ୍‌ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଜଣାଯିବ ଯେ ଅନ୍ୟତ୍ର ଦୁଲ୍ଲର୍ଭ ଉତ୍କଳୀୟ ଛାନ୍ଦ ତାହାଙ୍କର ଅନୁକରଣ ବା ଅନୁସରଣପ୍ରସୂତ ଶ୍ରୀଗୀତଗୋବିନ୍ଦରେ ୧୧ଟି ରାଗ ବ୍ୟବହୃତ ହୋଇଅଛି: ଯଥା:- (୧) ମାଳବ, (୨) ଗୁଜ୍ଜରୀ, (୩) ବସନ୍ତ, (୪) ରାମକିରୀ, (୫) କର୍ଣ୍ଣାଟ, (୬) ଦେଶାଖ୍ୟ, ୯୭) ଦେଶବରାଡ଼ୀ, (୮) ଗୋଣ୍ଡକିରୀ, (୯) ଭୈରବୀ, (୧୦) ବରାଡ଼ୀ, (୧୧) ବିଭାସ ।

 

ଗ୍ରନ୍ଥଭେଦରେ ବରାଡ଼ୀକୁ ଦେଶବରାଡ଼ୀ ବା ଦେଶ୍ୟ ବରାଡ଼ୀ ବୋଲି କୁହାଯାଉଅଛି । ଏ ବିଚାରରୁ ଦଶଗାଟି ରାଗ ଶ୍ରୀଗୀତଗୋବିନ୍ଦରେ ବ୍ୟବହୃତ ବୋଲି ମଧ୍ୟ ଧରାଯାଇପାରେ । ଚବିଶଗୋଟି ଗୀତମଧ୍ୟରେ ମାଳବ ୩ ଥର, ବରାଡ଼ୀ ଓ ଦେଶ ବରାଡ଼ୀ ୧+୪ ଥର, ଗୋଣ୍ଡକିରୀ ୧ଥର, ଭୈରବୀ ୧ ଥର ଏବଂ ବିଭାସ ୧ ଥର ବ୍ୟବ୍ରହୃତ ହୋଇଅଛି ।

 

ଜୟଦେବଙ୍କ ପୂର୍ବରୁ ମହାକବି କ୍ଷେମେନ୍ଦ୍ର ଲଳିତ୍ର-କୋମଳ-ପଦାବଳୀ-ସମନ୍ୱିତ ପ୍ରଣୟ-ରଚନା ସଂସ୍କୃତ ଭାଷାରେ ଲିପିବଦ୍ଧ କରିଯାଇଅଛିନ୍ତି: କିନ୍ତୁ ସଂସ୍କୃତ ଛନ୍ଦରେ ସର୍ବପ୍ରଥମେ ନିବଦ୍ଧ ସଂଗୀତ ରଚନାରୀତିର ସ୍ରଷ୍ଟା ମହାକବି ଜୟଦେବ । ଗାୟନର ଉପଯୋଗୀ ଲଳିତ ଶବ୍ଦଶୃଙ୍ଖଳା ତାଙ୍କର କବିତ୍ୱସହିତ ସଙ୍ଗୀତ-ପାଣ୍ଡିତ୍ୟର ଗୌରବପରିଚାୟକ । ତେଣୁ ସମ୍ଭୋଗ ଶୃଙ୍ଗାର-ରସନୁସାରୀ ରାଗ-କଳ୍ପନାରେ ତାଙ୍କର ପ୍ରଭୁତ ଅଭିଜ୍ଞତା ଅବଶ୍ୟ ସ୍ୱୀକାର୍ଯ୍ୟ ।

 

ରସସଞ୍ଚାର ହିଁ ସଙ୍ଗୀତର ମୁଖ୍ୟ ଧର୍ମ୍ମ । ଏଥିଲାଗି ରସପ୍ରସାରୀ ବିଭିନ୍ନ ସ୍ୱରସମନ୍ୱୟରେ ମନିଷୀମାନଙ୍କଦ୍ୱାରା ବହୁ ରାଗ-ରାଗିଣୀ ସୃଷ୍ଟ, ଏପରିକି ନିର୍ଦ୍ଧିଷ୍ଟ ରସଦ୍ୟୋତକ ରାଗ-ରାଗିଣୀଗୁଡ଼ିକର ଭାବ-ମୂର୍ତ୍ତି କଳ୍ପନା କରି ତଦୁପଲକ୍ଷେ ଧ୍ୟାନ-ଶ୍ଲୋକମାନ ସେମାନେ ରଚନା କରିଯାଇଅଛନ୍ତି (୧୫।୧୬ଶ ଶତାବ୍ଦୀ) । ଏହି ଶ୍ଲୋକଗୁଡ଼ିକର ବିଶ୍ୱସ୍ତ ଅନୁସରଣରେ କଳାପ୍ରାଣ ଉତ୍କଳୀୟ ଶିଳ୍ପୀ ତାଳପତ୍ର ଉପରେ ଲେଖନ ମୂନରେ ରାଗରୂପମାନ ଅଙ୍କିତ କରି ଦେଇ ଯାଇଛନ୍ତି ଷୋଡ଼ଶ ଶତାବ୍ଦୀକାଳରୁ । ଗୁଜରାଟ ପ୍ରଭୃତି ଅଞ୍ଚଳରେ ଏହିପରି ରାଗଚିତ୍ରମାନ ତୁଳିକା ସାହାଯ୍ୟରେ ଅଙ୍କିତ ହୋଇଥିବାର ଦେଖାଯାଏ । ଓଡ଼ିଶାର ଶିଳ୍ପୀ କିନ୍ତୁ ତାଳପତ୍ର ପୋଥିରେ, ଲୁହାର ତୀକ୍ଷ୍ଣମୂନା ଲେଖନ ସାହାଯ୍ୟରେ ରାଗଚିତ୍ରମାନ ଅଙ୍କିତ କରିଛନ୍ତି । କିନ୍ତୁ ତୁଳନାତ୍ମକ ଭାବେ ବିଚାର କରିବାକୁ ଗଲେ ପୁରାଣ ରାଗର ଭାବଧ୍ୟାନ ଶ୍ଲୋକଗୁଡ଼ିକର ରୂପାୟନରେ ଓଡ଼ିଶୀ ଶିଳ୍ପୀଙ୍କର କୃତୀତ୍ୱ ଅଧିକ ପରିସ୍ଫୁଟ । ମୋଦ୍ୱାରା ସମ୍ପାଦିତ ସପ୍ତଦଶ ଶତାବ୍ଦୀର ‘ରାଗଚିତ୍ର’ ପୁସ୍ତକ ଏହାର ସମ୍ୟକ୍ ପ୍ରମାଣ ଦେବ ।

 

କହିବା ବାହୁଲ୍ୟ ଯେ ଲେଖନ ମୂନରେ ଥରେ ତାଳପତ୍ରରେ ଗାର ଦେଲେ ତାହା ବଜ୍ରଲେଖ ପରି ଆଉ ବଦଳିବାର ଉପାୟ ରହେ ନାହିଁ ।

 

ଏହି ରୁଚି ବା ରୀତିପରିବର୍ତ୍ତନ କ୍ରମେ ଶ୍ରୀ ଗୀତଗୋବିନ୍ଦକୁ ’ଗୀତିକାବ୍ୟ’ ଆଖ୍ୟା ଦିଆଯାଉଅଛି । ଏ ନାମକରଣ ଆଧୁନିକ । ପୂର୍ବେ ଗୀତିକାବ୍ୟର ନାମ ସୁଦ୍ଧା ଶୁଣା ନ ଥିଲା । ‘କାବ୍ୟ’ କହିଲେ ତାହା ‘ଗୀତ’ ବିହୀନ ବା ଗୀତ- ବିଯୁକ୍ତ ବୋଲି କଳ୍ପନା ମଧ୍ୟ କରାଯାଉ ନ ଥିଲା । ପବିତ୍ର ବେଦ ଗାୟନ ସ୍ୱରଯୁକ୍ତ ଥିଲା । ସାମବେଦ ହିଁ ଥିଲା ଦେବତାମାନଙ୍କର ଆଶ୍ରୟ । ସାମବେଦ-ସଂଗୀତମୟ । କୁହାଯାଇଅଛି ଯେ ଅନ୍ୟ ବେଦମାନଙ୍କୁ ଦେବତାମାନେ ଆଶ୍ରୟ କରୁ ନ ଥିଲେ । ସେଥିପାଇଁ ଭଗବାନଙ୍କ ଶ୍ରୀମୁଖ ବାକ୍ୟ ହେଲା- ‘ବେଦାନାଂ ସାମ ବେଦୋଽଷ୍ମି’ ।

 

ତୈତ୍ତୀରୀୟ ସଂହିତାରେ ସ୍ପଷ୍ଟ କୁହାଯାଇଅଛି ଯେ ‘‘ଦେବା ବୈ ନର୍ଚି ନ ଯଜୂଷ୍ୟ ଆଶ୍ରୟନ୍ତେ ତେସାମନ୍ନ ଏବାଶ୍ରିୟନ୍ତ’’ । ତେଣୁ ବୈଦିକ ସାହିତ୍ୟ ଯେ ସଂଗୀତ- ପ୍ରଧାନ ଥିଲା ଏହା ନିଃସନ୍ଦେହରେ ବିଶ୍ୱାସ କରାଯାଇ ପାରେ । ଏ ସଂପର୍କରେ ସେହି ତୈତ୍ତୀରୀୟ ସଂହିତାରେ ଅନ୍ୟତ୍ର ମଧ୍ୟ ଋଷିଙ୍କର ପ୍ରାର୍ଥନାରେ କୁହାଯାଇଅଛି-

‘‘ସ୍ୱରଶ୍ଚ ମେ ଶ୍ଲୋକଶ୍ଚ ମେ ଶ୍ରାବଶ୍ଚ ମେ ଶୃତିଶ୍ଚ ମେ ।’’ (୪୭୧।୧)

 

ଗୀତିକାବ୍ୟର ଅର୍ଥ ଗୀତ ଏବଂ ସାହିତ୍ୟର ସମାବେଶ- ଭାରତୀୟ ସଂସ୍କୃତିରେ ଗୀତି ଏବଂ କାବ୍ୟର ମଧ୍ୟ ଭେଦ କଳ୍ପନା ନ ଥିଲା । ନାଟ୍ୟଶାସ୍ତ୍ରକାର ଅଷ୍ଟବିଂଶ ଅଧ୍ୟାୟର ଚତ୍ୱାରିଂଶତ୍ ଶ୍ଲୋକରେ ଏହି କଥାକୁ ଆହୁରି ସ୍ପଷ୍ଟ କରି ଦେଇ କହିଦେଇଛନ୍ତି ଯେ ‘‘ଛନ୍ଦହୀନୋ ନ ଶବ୍ଦୋସ୍ତି ନ ଚ୍ଛନ୍ଦଃ ଶବ୍ଦବର୍ଜିତଃ ।’’

 

ଗୀତିକାବ୍ୟ ରୂପେ ଆଖ୍ୟାତ ଶ୍ରୀ ଗୀତଗୋବିନ୍ଦ ସଂଗୀତମୟ, ସ୍ୱରତାଳ ଏବଂ ଭାଷାର ସମନ୍ୱୟ । ସଂଗୀତ ସମ୍ବନ୍ଧେ କୁହାଯାଇଅଛି-

‘‘ଗାନ୍ଧର୍ବଂ ତ୍ରିବିଧଂ ବିଦ୍ୟାତ୍ ସ୍ୱର, ତାଳ ପଦାତ୍ମକମ୍’’ (ନା: ଶା: ୨୮। ୧୨)

 

ଶ୍ରୀ ଗୀତଗୋବିନ୍ଦ ଗୀତମୟ । ଗୀତ କଅଣ ? ଗୀତ- କବିତା; ଯେଉଁ କବିତା ରଚନାର ଶବ୍ଦ ସଂଗୀତମୁଖୀ ବା ସଂଗୀତର ଉପଯୋଗୀ ବା ଗାୟନ ଯୋଗ୍ୟ । ଏହାକୁ କୁହାଯାଉଅଛି- Lyric "Song a lyrical poem or ballad whose words are set to music."

 

ମନୋରଂଜକ ସ୍ୱର ସଂଯୋଜନାକୁ ଗୀତ କୁହାଯାଏ । ଯେଉଁ ଗୀତ ଶୁଣିଲେ, ଅର୍ଥ ନ ବୁଝୁ ପଛକେ, ଶ୍ରୋତା ମୁଗ୍ଧ ହୁଏ- ବିହ୍ୱଳ ହୁଏ- ଆତ୍ମଭୁଲା ହୁଏ, ତାହା ହିଁ କେବଳ ଗୀତ ପଦବାଚ୍ୟ । କେତେକ ଲେଖକ ବା ଗୀତିକାର କିମ୍ବା ମୁଷ୍ଟିମେୟ ବ୍ୟକ୍ତି ଶୁଣି ତୃପ୍ତ ହେଲେ ତାହା ଗୀତ ବା ସଙ୍ଗୀତ ବୋଲାଇବ ନାହିଁ, ଶିଶୁ, ପଶୁ ଫଣୀକୁ ଯାହା ମୁଗ୍ଧ କରିପାରେ ତାହାହିଁ ବାସ୍ତବରେ ଗୀତ । ଏହା ସର୍ବସାଧାରଣର ପ୍ରିୟ । ଏହି କଥାକୁ ଇଂରାଜୀ ବିଶ୍ୱକୋଷ କହେ- " Song a natural prodect of an unconseious art."

 

କବି ଜୟଦେବ ଇଚ୍ଛା କରିଛନ୍ତି ଯେ ତାଙ୍କର ବ୍ୟକ୍ତିସତ୍ତାର ସଚେତନ ଆତ୍ମାନୁଭୂତିସୃଷ୍ଟ ସଙ୍ଗୀତ ମଧୁର କୋମଳ କାନ୍ତ ପଦାବଳୀ ବା ଲଳିତ ଭାଷା ମଣ୍ଡିତହୋଇ ବିଶ୍ୱଜନର ମନ ମୁଗ୍ଧ କରୁ । ତେଣୁ ତାଙ୍କ ଗୀତ ବା ଗୀତିକାବ୍ୟ ସାର୍ବଜନୀନ, ସର୍ବକାଳୀନ ହୋଇ ରହିଛି । ଜନସାଧାରଣ ଶ୍ରୀଗୀତଗୋବିନ୍ଦର ଭାଷା ଓ ସ୍ୱର ମଧ୍ୟରେ ନିଜନିଜ ହୃଦୟର ସମସ୍ୱର, ସମତାନ ଉପଲବ୍ଧି କରି ପାରୁଛନ୍ତି । ଶ୍ରୀଗୀତଗୋବିନ୍ଦର ସଙ୍ଗୀତ ଓ ଭାଷା ରଚନାର ପ୍ରଧାନ ଆକର୍ଷଣ ହେଲା ଧ୍ୱନି, ଯାହା ସର୍ବସାଧାରଣରେ ଗୀତକାବ୍ୟଟିକୁ ଅପାଶୋରା କରାଇ ରଖିଛି । ଶ୍ରୀଗୀତଗୋବିନ୍ଦର ଧ୍ୱନି ତଥା ଭାବରସ, ସ୍ୱରତାଳରେ ସମଳଙ୍କୃତ ।

 

ଏକାଦଶ ଶତାବ୍ଦୀ କାଳରେ ପ୍ରଚଳିତ ଏହି ରାଗଗୁଡ଼ିକର ଲକ୍ଷଣ ଠିକ୍ କିପରି ଥିଲା ବା କିପରି ଶୈଳୀରେ ପରିବେଶିତ ହେଉଥିଲା ବର୍ତ୍ତମାନ ଏହି ଊନବିଂଶ- ବିଂଶ ଶତାବ୍ଦୀରେ ତାହା କଳ୍ପନା କରିବା ଆଦୌ ସମ୍ଭବପର ନୁହେଁ । ସମୟର ଗତି ଅନୁସାରେ ରୁଚି ଓ ରୀତିନୀତି ଇତ୍ୟାଦି ପରିବର୍ତ୍ତିତ ରୂପ ଗ୍ରହଣ କରିବା ସ୍ୱାଭାବିକ । କିନ୍ତୁ ଶ୍ରୀଜଗନ୍ନାଥଙ୍କ ନୀତି ରୂପେ ଗୃହୀତ ହୋଇଥିବାରୁ ପରମ୍ପରା ସଂସ୍କୃତିକ୍ରମେ ଶ୍ରୀଗୀତଗୋବିନ୍ଦର ଗାୟନ ଶୈଳୀ ସଂରକ୍ଷିତ ହୋଇ ରହିଥିବାର ସୁଯୋଗ ଘଟିଛି କେବଳ ଓଡ଼ିଶାରେ ।

 

ଏହା ମଧ୍ୟ ସ୍ୱୀକାର୍ଯ୍ୟ ଯେ, ଗୀତଗୁଡ଼ିକ ଜଣକଠାରୁ ଅନ୍ୟ ଜଣେ ଶୁଣିଶୁଣି ଶିଖି ଗାଉଥିବାରୁ ସ୍ଥଳ ବିଶେଷରେ ତାହାର ଯଥାନିର୍ଦ୍ଦିଷ୍ଟ ସ୍ୱର ପ୍ରୟୋଗରେ କେତେକ ବିଭ୍ରାଟ ଘଟି ରାଗର ଶୁଦ୍ଧତା ବ୍ୟାହତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଶୈଳୀ ବା ପ୍ରବୃତ୍ତି ଅବଧି ସତ୍ତା ହରାଇ ନାହିଁ । ଅଖଣ୍ଡ ସ୍ୱର-ପ୍ରକାଶ ଏବଂ ଅନାଘାତ ବା ବିଷମ ତାଳରୁ ଅଧିକାଂଶ ଗୀତର ଗାୟନ ଆରମ୍ଭହେବା ରୀତିରେ ଅବଧି ଶ୍ରୀଗୀତ ଗୋବିନ୍ଦ ପରିବେଶିତ ହୋଇ ଆସୁଅଛି । ଏହି ରୀତି ଓଡ଼ିଶୀ ସଙ୍ଗୀତ ଗାୟକୀର ବିଶେଷତ୍ୱ ।

 

ଶ୍ରୀଗୀତଗୋବିନ୍ଦର ବ୍ୟବହୃତ ରାଗଗୁଡ଼ିକ ସମ୍ବନ୍ଧେ ଆଲୋଚନା ଓଡ଼ିଶାର ସଙ୍ଗୀତ ଗ୍ରନ୍ଥମାନଙ୍କରେ ଦେଖିବାକୁ ମିଳୁଛି । ବଙ୍ଗ ଦେଶରେ କୌଣସି ସ୍ୱତନ୍ତ୍ର ସଙ୍ଗୀତ ରୀତିର ପ୍ରଚଳନ ଥିବାର ପ୍ରମାଣ ନାହିଁ । ନାଟ୍ୟଶାସ୍ତ୍ରକାର ଭାରତୀୟ ନାଟ୍ୟର ଚତୁର୍ବିଧ ‘ପ୍ରବୃତ୍ତି’ ବିଭାଗ କରିଯାଇଛନ୍ତି । ସେଥିରେ ‘ଉଡ୍ର’ ପ୍ରବୃତ୍ତିର ଉଲ୍ଳେଖ ଅଛି । ଏହା ୨ୟ ୩ୟ ଶତାବ୍ଦୀର କଥା । ଶ୍ରୀଗୀତଗୋବିନ୍ଦର ରଚନାକାଳ । ୧୧।୧୨ଶ ଶତାବ୍ଦୀ । ଅବଶ୍ୟ ଏହି କାଳରେ ଓଡ଼ିଶା ପ୍ରଚଳିତ ସ୍ୱତନ୍ତ୍ର ସଙ୍ଗୀତଧାରା ସମ୍ବନ୍ଧରେ କୌଣସି ପ୍ରମାଣିକ ଗ୍ରନ୍ଥ ମିଳୁ ନାହିଁ । ମାତ୍ର ୮ମ ଶତାବ୍ଦୀରେ ନିର୍ମିତ ଓଡ଼ିଶାର ମନ୍ଦିର ଗାତ୍ରସ୍ଥ ନୃତ୍ୟ ମୂର୍ତ୍ତିମାନଙ୍କର ବିବିଧ ଅଭିନୟସୂଚକ ଭଙ୍ଗୀରୁ ଏହା ପ୍ରାମାଣିତ ଯେ ସଙ୍ଗୀତର ପ୍ରଚାର-ପ୍ରସାର, ସମାଦର ଓ ଚର୍ଚ୍ଚା ସ୍ୱତନ୍ତ୍ର ରୂପରେଖ ଘେନି ଓଡ଼ିଶାରେ ପ୍ରଚଳିତ ଥିଲା । ମହାମେଘବାହନ ସମ୍ରାଟ ଖାରବେଳଙ୍କର ହାତୀ ଗୁମ୍ଫା ଶିଳାଲେଖ ଏହାର ଏକ ଜ୍ୱଳନ୍ତ ନିଦର୍ଶନ ।

 

ନୃତ୍ୟ, ଗୀତ ଓ ବାଦ୍ୟର ପରିଣତି । ନୃତ୍ୟରେ ଭଙ୍ଗୀ ବା ଠାଣୀ ଏବଂ ଅଭିନୟ ପ୍ରଦର୍ଶନର ଉଦ୍ଦେଶ୍ୟ ହେଲା ଗୀତାର୍ଥ ଏବଂ ରସଭାବର ପ୍ରକାଶନ । ଓଡ଼ିଶୀ ଗୀତ ଏବଂ ତଦନୁକାରୀ ତାଳ ଓ ବାଦ୍ୟର ପ୍ରଚଳନ ନ ଥିଲେ କାହା ଘେନି ଓଡ଼ିଶୀ ନୃତ୍ୟର ସ୍ୱତନ୍ତ୍ର ଭଙ୍ଗିମା ପରିବେଶିତ ହୁଅନ୍ତା ? ତେଣୁ ଓଡ଼ିଶୀ ନୃତ୍ୟର ଯେପରି ସ୍ୱତନ୍ତ୍ରତା ପ୍ରତିଷ୍ଠିତ; ଓଡ଼ିଶୀ ଗୀତ ଓ ବାଦ୍ୟର ସେହିପରି ସ୍ୱତନ୍ତ୍ରତା ସହଜ ସ୍ୱୀକାର୍ଯ୍ୟ । ଏହି ସ୍ୱତନ୍ତ୍ରତାକୁ ମୂଳ କରି ଓଡ଼ିଶାର ସଙ୍ଗୀତ ଶାସ୍ତ୍ରୀମାନେ ପରବର୍ତ୍ତି କାଳରେ କେତେଗୁଡ଼ିଏ ଗ୍ରନ୍ଥ ରଚନା କରି ଯାଇଛନ୍ତି । ଅବଧି ସଂଗୃହୀତ ନିମ୍ନଲିଖିତ ସଙ୍ଗୀତଶାସ୍ତ୍ରଗୁଡ଼ିକ ଓଡ଼ିଶୀ ସଙ୍ଗୀତର ସ୍ୱତନ୍ତ୍ରତା ଘୋଷଣା କରେ ।

 

ଗୀତ ପ୍ରକାଶ- ଖ୍ରୀ: ୧୫୬୫

ସଙ୍ଗୀତ କଳ୍ପଲତା- ଖ୍ରୀ: ୧୬୨୦

ସଙ୍ଗୀତ ନାରାୟଣ- ଖ୍ରୀ: ୧୬୪୬

ସଙ୍ଗୀତ ସରଣୀ- ଖ୍ରୀ: ୧୬୬୦

ନାଟ୍ୟ ମନୋରମା- ଖ୍ରୀ: ୧୭୦୨

ସଙ୍ଗୀତ ମୁକ୍ତାବାଳୀ-

ସଙ୍ଗୀତ କୌମୁଦୀ-

 

ଏବେସୁଦ୍ଧା ଖଣ୍ଡିଏ ହେଲେ ନିଜସ୍ୱ ସଙ୍ଗୀତ ଗ୍ରନ୍ଥ ବଙ୍ଗରେ ଦେଖା ଶୁଣା ନାହିଁ । ଘନଶ୍ୟାମ ଦାସ ନାମରେ କେହି ସଙ୍ଗୀତ- ଗ୍ରନ୍ଥକର୍ତ୍ତାଙ୍କର ‘ସଙ୍ଗୀତସାର’ ନାମକ ଖଣ୍ଡିଏ ସଙ୍ଗୀତଶାସ୍ତ୍ର ସ୍ୱାମୀ ପ୍ରଜ୍ଞାନାନନ୍ଦ ପ୍ରକାଶ କରି ଅଛନ୍ତି । ଏହାକୁ ସଙ୍ଗୀତ ନାରାୟଣର ଏକ ଦର୍ପଣାଦର୍ଶ ବୋଲି କହିଲେ ଆଦୌ ଅତ୍ୟୁକ୍ତି ହେବ ନାହିଁ । ଏ ସମ୍ବନ୍ଧେ କିଞ୍ଚିତ୍ ଆଲୋଚନା ଅନ୍ୟତ୍ର କରାଯାଇଅଛି ।

 

ଶ୍ରୀଗୀତଗୋବିନ୍ଦ ବିଶେଷତଃ ତାହାର ସଙ୍ଗୀତ ମାଧୁରୀ ଲାଗି ସର୍ବଜନ ପ୍ରିୟ । ଗ୍ରନ୍ଥଟିର ରଚନାକାଳରୁ ଆଜଅବଧି ଯେଉଁଠାରେ କୌଣସି ସ୍ୱତନ୍ତ୍ର ଶାସ୍ତ୍ରୀୟ ସଙ୍ଗୀତଧାରା ନାହିଁ, କବି ଜୟଦେବ ସେହି ଦେଶର ସଙ୍ଗୀତ ରଚୟୀତା ବୋଲି ଦାବୀ ଉପସ୍ଥାପନାରେ ଯଥାର୍ଥତା ସହଜ ବିଚାର୍ଯ୍ୟ ।

 

ଶ୍ରୀ ଗୀତଗୋବିନ୍ଦର ଗୀତଗୁଡ଼ିକ ବଙ୍ଗଳାରେ ଷୋଡ଼ଶ ଶତାବ୍ଦୀର ଶେଷ ଭାଗକୁ ଶ୍ରୀ ଚୌତନ୍ୟଙ୍କଦ୍ୱାରା ପ୍ରଚାରିତ କୀର୍ତ୍ତିନରୀତିରେ ଗୀତ ହୁଏ । ଅର୍ଥାତ୍ ଜୟଦେବଙ୍କ ନିର୍ଦ୍ଦିଷ୍ଟ ଶାସ୍ତ୍ରୀୟ ରାଗତାଳ- ନିର୍ଦ୍ଦେଶିତ ଗୀତ ଗୁଡ଼ିକ ପ୍ରାୟ ୫।୬ ଶତାବ୍ଦୀପରେ ରଙ୍ଗ ବଦଳି କୀର୍ତ୍ତନ ଶୈଳୀର ରୂପଗ୍ରହଣ କରେ । ଏତଦ୍ୱାରା କବିଙ୍କର ଅଭିପ୍ରେତ ରସ- ମୁଖ୍ୟ ସଙ୍ଗୀତର ମହତ୍ୱହାନି ଘଟିବା ସ୍ୱାଭାବିକ । ପୁଣି ଶ୍ରୀଗୀତଗୋବିନ୍ଦ ସଂସ୍କୃତ ଭାଷାରେ ରଚିତ ହୋଇଥିବା ହେତୁ ଛନ୍ଦ ଓ ଶବ୍ଦ ଉଚ୍ଚାରଣରେ ଗୁରୁଲଘୁ ନିୟମ ଅବଶ୍ୟ ପାଳନୀୟ । ଗୀତଗୁଡ଼ିକ କୀର୍ତ୍ତନ ଢଙ୍ଗରେ ଗାଇବାଦ୍ୱାରା ଏ ବିଚାର ମଧ୍ୟ ସଂରକ୍ଷିତ ହେବା ସମ୍ଭବ ନୁହେଁ ।

 

ଜୟଦେବଙ୍କ ରଚନାରେ ଉତ୍କଳୀୟ କଳାରୁଚି ସ୍ପଷ୍ଟ ପ୍ରତିଭାତ । ସେ ତତ୍କାଳୀନ ଜନମନକୁ ଚାହିଁ ସଂସ୍କୃତ ଏବଂ ଅପଭ୍ରଂସ ଛନ୍ଦ, ସ୍ୱର ଓ ତାଳ ସଂଯୋଗରେ ସଙ୍ଗୀତ ସୃଷ୍ଟି କରିଥିଲେ । ସେହିପରି ଯମକ ଓ ଅନୁପ୍ରାସାଦି ଅଳଙ୍କାର ପୂର୍ଣ୍ଣ ଲଳିତ କୋମଳ ଶବ୍ଦ ଯୋଜନା କରି ପରବର୍ତ୍ତୀ ଉତ୍କଳୀୟ ଗୀତିକାରମାନଙ୍କର ବହୁ ସଙ୍ଗୀତ ଅଦ୍ୟାପି ବିଦ୍ୟମାନ । ଶ୍ରୀଗୀତଗୋବିନ୍ଦରେ ଏପରି ଅଗଣନ ସଙ୍ଗୀତ ରଚନା ଅଛି ଯହିଁରେ ବ୍ୟବହୃତ ଶବ୍ଦ ବା ପଦରେ କେବଳ ଅନୁସ୍ୱାର ବିସର୍ଗ ଯୋଗ କରିଦେଲେ ତାହା ସଂସ୍କୃତ ଅବା ପ୍ରାକୃତ ଓଡ଼ିଆ ଏକଥା ବାରିହେବ ନାହିଁ ।

 

ଷୋଡ଼ଶ ଶତାବ୍ଦୀରେ ରାୟ ରାମାନନ୍ଦ ପଟ୍ଟନାୟକଙ୍କ ଜଗନ୍ନାଥ ବଲ୍ଲଭ ନାଟକ ଉତ୍କଳର ଅତ୍ୟନ୍ତ ଜନପ୍ରିୟ ସରଳ ସଂସ୍କୃତ ଭାଷାର ରଚନା । ଏହିପରି ସରଳ ସଂସ୍କୃତ ଭାଷାରେ ଜୟଦେବୀ ରୀତିର ସଙ୍ଗୀତ ରଚନାର ଦୃଷ୍ଟାନ୍ତ ଦେଇ ବସିଲେ ଏକ ବିରାଟ ଗ୍ରନ୍ଥ ହେବ । ସାଗର ମଧ୍ୟରୁ ବିନ୍ଦୁମିତ ଜଳପରି ଏ ସ୍ଥଳରେ କେତେକ ବିଶିଷ୍ଟ କବିଙ୍କ ରଚନାରୁ ମାତ୍ର କେତେଗୋଟି ଉଦ୍ଧାର କରାଯାଉଅଛି-

 

‘‘ସୁରଭି ସମୟ ବିବଶମେତ ବୀକ୍ଷତୁମତି ଦୁର୍ବଳା

ମୁଞ୍ଚତି ମୁହୂରମ୍ବୁନିବହମୀକ୍ଷଣ ଭବମାକୁଳା ।’’

x            x            x

 

୧।            ‘‘ଶୃଶୁତୋ କର୍ଣ୍ଣକୁତୁକକାରି କୃଷ୍ଣଦାସ ବିରଚନଂ

      ଗଜପତି ନପ ହୃଦୟହାରି ଚାରୁ ସିଂହନନ୍ଦନଂ ।’’

(ସିଂହ ନନ୍ଦନ ତାଳର ଗୀତ- ୧୫୬୫ଖ୍ରୀ:- ଗୀତ ପ୍ରକାଶ)

      ‘‘କରୁଣା ସଦନେ, ବାରିଜ ବଦନେ

      ଯଦି ମୟି କୁରୁଷେ ରୋଷମ୍

      ତରସା ଦଣ୍ଡୟ, କରଜୈଃ ଖଣ୍ଡୟ

      କଳୟ ଗଳେ ମମ ଦୋଷମ ।।’’

x            x            x

 

୨।      ‘‘ମୟି ପରିଚାରେ, ତ୍ରିଭୁବନସାରେ

ନ କୁରୁ ସୁଧାମୁଖି ରୋଷମ୍ ।

ତ୍ୟଜ ଅଭିମାନଂ, ଦ୍ରତମନିଦାନଂ

ପାଳୟ ଶରଣ ମୃପେତମ୍

ଅଜନିଚ ରାଧା, ଦ୍ରୁତ ଶତ ବାଧା,

ସୁଖୟତୁ ହଳଧର ଗୀତମ୍ ।।’’

(ସଙ୍ଗୀତ କଳ୍ପଲତାର ଚିତ୍ରପଦା ଲକ୍ଷଣ ଗୀତ- ୧୬୨୦ଖ୍ରୀ:)

 

ମହ୍ଲାର ରାଗର ଉଦାହରଣ ଗୀତ- ଆଦିତାଳ

(୩)      ‘‘ଜୟ ଜୟ ଶଙ୍କର କିଙ୍କର ଜନମବ ଭବଭଞ୍ଜନ ଜନରଞ୍ଜନୁଆ

ନବଶଶିଖଣ୍ଡ ଶିଖଣ୍ଡ ଚଣ୍ଡକର ଶଶଧର ବହ୍ନି ବିଲୋଚନଆ ।

ନମଦମରେଶ କିରୀଟ ମଞ୍ଜୁମଣିମାର୍ଜିତ ପଦ ନଖଚନ୍ଦ୍ର ବିଭୋ

ଭବ ଭବ ଶରଣ ବିଭୁତି ବିଭୁଷିତ କୃଷ୍ଣଦାସ ଇତି ଗାୟତିଆ ।’’

 

(୪)      ସୁରବର ତରଗଣ ସହଚର ଗରଳ ତରଳ ଭକ୍ଷ ହେ      

ଶତ ଦିନକର-କର ଖରତର, କରଗତବର ରକ୍ଷ ହେ ।।

 

(୫)      ରାଗ ବରାଡ଼ୀ- ତାଳ ଢେଙ୍କିକା

ମଥୁରାଗତ ସକଳ ମୂରତିଧାରୀ

କୁବୁଜି- ତାରି ରଜକ ପ୍ରାଣହାରୀ

ବିବିଧ କୁସୁମରଚିତ ଚାରୁ ମାଳ

ଶୋଭିତ ହରି ସହିତ କାମପାଳ ।

(ସ: ସରଣୀ- ଖ୍ରୀ:- ୧୬୬୦)

 

(୬)      ପୁଣି ସଂସ୍କୃତ ପରି ପ୍ରାକୃତ ବା ଦେଶୀ ଭାଷାରେ-

ପଲ୍ଲବ ଘନ, ଘଟିତ ଶୟନ, ବିନିହିତ ତନୁଯୁଷ୍ଟିକା

ବାସରାନ୍ତ, ଗଗନେ କାନ୍ତ ଜିମୁହ ମକର ରେଖିକା

ପ୍ରବଳ ମଦନ, ନିଶ୍ଚଳ ତନ, ସ୍ୱେଦ- ସଲୀଳ- ସଂଚିତା

ଶଶଧର ମଣି, ଘଟିତ ରମଣି, ଜିମୁ ଶଶିକର- ଚୁମ୍ବିତା’’

(ଭୈରବ ରାଗ ସିଂହନନ୍ଦନ ତାଳର ଉଦାହରଣ ଗୀତ- ନାଟ୍ୟ ମନୋରମା)

 

(୭) ଊନବିଂଶ ଓ ବିଂଶ ଶତାବ୍ଦୀରେ ମଧ୍ୟ ଜୟଦେବୀ ରୀତି ଅନୁସରଣରେ ବହୁ ଓଡ଼ିଆ ଗୀତ ରଚିତ ହୋଇଅଛି । ପ୍ରାକୃତ (ଓଡ଼ିଆ) ହେଲେ ମଧ୍ୟ ଏଗୁଡ଼ିକ ସଂସ୍କୃତର କେତେ ନିକଟତମ ପ୍ରକାଶ ତାହା ସହଜ ଅନୁମେୟ । କେତୋଟି ଦୃଷ୍ଟାନ୍ତ ଗୀତ ଉପସ୍ଥାପିତ କରାଗଲା :-

ରାଗ, ବେହାଗ- ଏକତାଳି

କୁଞ୍ଜ-ନିଳୟ ଭୂଷା

ଅଞ୍ଜନ ପୁଞ୍ଜ ମସାର ଘନକେଶା

କଞ୍ଜନିନ୍ଦି ମଦଗଞ୍ଜନାସ୍ୟ ରୁଚି-

କୁଞ୍ଜର ଗତି ମନୋରଞ୍ଜନ ବେଶା ।୦।

(କବିସୂର୍ଯ୍ୟ ଗୀତାବଳୀ)

କେବଳ ଏତିକି ନୁହେଁ, ଶ୍ରୀଗୀତଗୋବିନ୍ଦରେ ବ୍ୟବହୃତ ବହୁ ତ୍ରିୟାପଦ ଓଡ଼ିଆ ଗୀତକବିମାନେ ବ୍ୟବହାର କରିବାର ପ୍ରମାଣ ଅଭାବ ନାହିଁ । ଉଦାହରଣ ସ୍ୱରୂପ ଯଥା :-

 

(୮) ‘‘ଶୁଣ ତୁ କମଳ ବଦନୀରେ ରାଧା

କରସି ମୋର ବଚନ ।’’

x      x      x

‘‘ଏ ତୋର ନୟନ ପଞ୍ଚଶର ମାର

ମୋଠାରେ ଯେମନ୍ତ ଇଚ୍ଛା ।

ଚଣ୍ଡାଳ ମଦନ ହାତରୁ ମାନିନୀ

ତୁ ମୋତେ କରସି ରକ୍ଷା ।’’

 

(କ୍ରିୟା ପଦାନ୍ତରେ ‘ସି’ ଅକ୍ଷର ଯୋଗ)

ଧରଣୀଧରକୃତ ଶ୍ରୀଗୀତଗୋବିନ୍ଦ ଟୀକା

‘‘ବୋଲନ୍ତି ଶୁଣସି ମାର ତୋହର ରିପୁ ସେ ହର

ପୃ ୩୩ ଷ୍ଠା-ପଞ୍ଚମ ଛାନ୍ଦ

‘‘ବାଞ୍ଛିତ ଫଳ ତାହାର ଶୁଣସି ସୁନ୍ଦରୀ ଗୋ’’

ପୃ ୪୩ ଷ୍ଠା- ସପ୍ତମ ଛାନ୍ଦ

‘‘ଗହନ ତିମିର ପଥେ କରସି ଗମନ’’

ପୃ ୪୮ ଷ୍ଠା- ସପ୍ତମ ଛାନ୍ଦ

‘‘ମନସିଜ ଆନନ୍ଦକର ହୁଅସି ପ୍ରସନ୍ନ’’

ପୃ ୩୯ ଷ୍ଠା- ସପ୍ତମ ଛାନ୍ଦ

 

ଆହୁରି-

‘‘ବିନିଦ୍ରରେ ରଭସ, ବିନଶ୍ୟତି ଅବଶ୍ୟ, କରିବ ବଇରୀ ସାହସ’’

‘‘ବଦନ୍ତି କୁମ୍ଭଜ................’’ (ବୈଦେହୀଶ ବିଳାସ)

 

(୯)      ଶ୍ରୀଗୀତଗୋବିନ୍ଦରେ କେତେକ ଗୀତର କ୍ରିୟାପଦରେ କେବଳ ଶେଷାକ୍ଷରଟିର ମାତ୍ରାଯୋଗ ପରିବର୍ତ୍ତନ କରିଦେଲେ ରଚନାଟି ସଂସ୍କୃତ କି ଓଡ଼ିଆ, ତାହା ବାରି ହେବ ନାହିଁ । ଯେପରି :-

 

ସଂସ୍କୃତ- ‘‘ବିହରତି ହରିରିହ ସରସ ବସନ୍ତେ’’

ଓଡ଼ିଆ- ‘‘ବିହରଇ ଘନ ଘୋର ବିପିନେ ।’’

 

ଏଠାରେ ‘ବିହରତି’ କ୍ରିୟାପଦର ଶେଶାକ୍ଷର ‘ତି’ର ପ୍ରତିବଦଳରେ କେବଳ ‘ଇ’ ଅକ୍ଷରଟି ସ୍ଥାପନ କଲେ, ରଚନାଟି ହେଲା ଓଡ଼ିଆ । ଅର୍ଥାତ୍- ‘ବିହରଇ’ । ଅଧିକନ୍ତୁ ଅର୍ଥଦିଗରୁ କୌଣସି ବିଭ୍ରାଟ ଘଟିବ ନାହିଁ । ସେହିପରି ସଂସ୍କୃତରେ ‘ନିନ୍ଦତି’- ଓଡ଼ିଆରେ ‘ନିନ୍ଦଇ’ ଇତ୍ୟାଦି । ଶବ୍ଦ ଶେଷରେ ‘ଇ’ କାର ଯୋଗ କରି ସମାପିକା କ୍ରିୟା ବୁଝାଇବା ପ୍ରଥା ଉତ୍କଳର ପରମ୍ପରା । ଯେପରି ‘ବଦଇ’, ‘ରଚଇ’ ‘ନାଶଇ’ ଇତ୍ୟାଦି । ଏହା ସଂସ୍କୃତର ନିକଟତମ ପ୍ରାକୃତ ପ୍ରକାଶ । ଶ୍ରୀ ଗୀତଗୋବିନ୍ଦରେ ଏପରି ଦୃଷ୍ଟାନ୍ତର ଅଭାବ ନାହିଁ ।

 

ଆଧୁନିକ ଓଡ଼ିଆ ଗୀତ ରଚନା ରୀତି ମଧ୍ୟ ଦେଖନ୍ତୁ-

ଦେବି ଗୋ ! ପରମାନନ୍ଦ ଦାୟିନି !

ପଦ୍ମଗନ୍ଧ ପ୍ରସୂନ ମାଳିନୀ ମା ଶ୍ମଶାନ ବିଳାସିନୀ

ଭକ୍ତମାନସଚାରିଣୀ ଗତି- ମୁକ୍ତି- ଶକ୍ତି ବିଧାୟିନୀ ।।

(କବିଚନ୍ଦ୍ର ଗୀତାବଳୀ)

 

ରାଗ ବରାଡ଼ି- ଆଦିତାଳ

ଶଙ୍କର ପିନାକଧର            ହରହର ଗଙ୍ଗାଧର

କୁରଙ୍ଗ ଡମ୍ବରୁଧର            ଦୀନ ଦୁରିତ ହର ।।

ଆଭୋଗ

ଆଦି ଦେବ ସ୍ମର      ହର ବିଶ୍ୱନାଥ ବିଶ୍ୱମ୍ଭର

ଦେବଦେବ ମହେଶ୍ୱର      ବଳଦେବ ଦୁଃଖହର ।

(ଉତ୍କଳ ସଙ୍ଗୀତ ପଦ୍ଧତି)

 

‘ଧାତୁ’ (ଶବ୍ଦ) ପ୍ରୟୋଗରେ ମଧ୍ୟ ଉତ୍କଳୀୟତା ଦେଖନ୍ତୁ :-

ବରକୁସୁମ, ସୁଷମ ଦାମ, ଶ୍ରୀକାନ୍ତ ଶୋହେ

ରୁଚିର ଅଙ୍ଗ, ରୁଚିତ ରଙ୍ଗ, ଭୂବନ ମୋହେ ।।

ପର୍ବ୍ବ ପ୍ରମୁଖ, ସର୍ବ୍ବଲେଖ, ଲଭିଣ ସୁଖ ବେଗେ

ଧରଣୀ ପତି, ଅତି ପ୍ରଣତି, କରନ୍ତି ଜନ ସଙ୍ଗେ ।।

ବରଚାମର, ନାଗରୀବର, ଚାଳନ୍ତି ରଟି ଗୀତେ

କେହି ଗାୟତି, କେହି ନୃତ୍ୟତି, କେହି ଚିନ୍ତତି ଚିତ୍ତେ ।।

                        (ସଙ୍ଗୀତ ସରଣୀ)

 

ଏଠାରେ ‘ଗାୟତି’, ‘ନୃତ୍ୟତି’ ଓ ‘ଚିନ୍ତତି’ ଶବ୍ଦମାନଙ୍କର ପ୍ରୟୋଗ ଲକ୍ଷଣୀୟ ।

ଆଜି ମଧ୍ୟ ‘ବଦସି’ ଶବ୍ଦ ପରି ‘ସି’ ପଦାନ୍ତ କ୍ରିୟା ଓଡ଼ିଶାର ଖୋର୍ଦ୍ଧା ଅଞ୍ଚଳରେ ଆଦିବାସୀ ‘ଶହର’ ଜାତିର ଲାକକଥାରେ ପ୍ରଚଳିତ । ଯେପରି ‘କିଆ କରସି’- (କଅଣ କରୁଛ ?) ଇତ୍ୟାଦି ।

 

ଏହିପରି ବହୁ ଉଦାହରଣ ଉପସ୍ଥାପିତ କରାଯାଇପାରେ । ଏଥିରୁ ସହଜରେ କୁହାଯାଇପାରେ ଯେ ଜୟଦେବ ସଂସ୍କୃତ ଏବଂ ଉତ୍କଳ ପ୍ରଚଳିତ ପ୍ରାକୃତ ଭାଷାର ପ୍ରବୀଣ ଗୀତ- କବି ।

 

ଅନ୍ତ୍ୟାନୁପ୍ରାସ ଏବଂ ଶବ୍ଦ

 

ଆମେ ସାଧାରଣତଃ ‘ଯତି’ କହିଲେ କବିତା ବା ସଙ୍ଗୀତର ପାଦ ଶେଷର ଅକ୍ଷର ମିଳନ ବୋଲି ବୁଝିଥାଉଁ । ଲୋକେ ଏହିପରି ଅକ୍ଷର ମେଳ ନୋହିଥିଲେ କହନ୍ତି ‘‘ଯତି ମିଳିଲା ନାହିଁ ବା ଯତି ପଡ଼ିଲା ନାହିଁ ।’’ ତେଣୁ ଅଳଙ୍କାର ଶାସ୍ତ୍ରର ‘ଯତି’ ଶବ୍ଦାର୍ଥ ଆମର ଲୋକକଥାରେ ଠିକ୍ ସେହି ଅର୍ଥରେ ଖଟେ ନାହିଁ ।

 

ଶ୍ରୀଗୀତଗୋବିନ୍ଦର ଏ କଥା ବିଚାରିବାରେ ମଧ୍ୟ ଅବକାଶ ନାହିଁ । ଗୀତଗୁଡ଼ିକ ଚିତ୍ରକାଳ ଶ୍ରେଣୀୟ ରଚନା, ତେଣୁ ଅନ୍ତ୍ୟାନୁପ୍ରାସରେ ଭରା । ଉପଧାସ୍ୱର ମିଳନରୀତି ଶ୍ରୀଗୀତଗୋବିନ୍ଦରେ ପ୍ରତିପାଳିତ ହୋଇଅଛି । ସାରା ଗୀତିକାବ୍ୟଟିରେ ମାତ୍ର ଗୋଟିଏ ସ୍ଥାନକୁ ଦେଖାଇ ‘ବ୍ରଣମିଚ୍ଛନ୍ତି ମକ୍ଷିକା’ ଶ୍ରେଣୀୟ ଜଣେ ଅଧେ କହୁଥିବାର ଶୁଣାଯାଏ ଯେ ବଙ୍ଗଳାରେ ‘ରୁ’ ବା ‘ଋ’ ଉଚ୍ଚାରଣରେ ‘ରି’ ହୁଏ । ଯେପରି ‘କୃଷ୍ଣ’ ଶବ୍ଦକୁ ବଙ୍ଗଳାରେ କହନ୍ତି ‘କ୍ରିଷ୍ଣ’ । ଏହାରି ଉଦାୟରଣ ନମୁନା ଦେଖାଇ କୁହାଯାଇଅଛି :-

‘‘କ୍ଷୀତିରତି ବିପୁଳତରେ ତବ ତିଷ୍ଠତି ପୃଷ୍ଠେ

ଧରଣୀଧରଣ କିଣଚକ୍ର ଗରିଷ୍ଠେ ।’’

 

-ଏ ସ୍ଥଳରେ ‘ପୃଷ୍ଠେ’ ସଙ୍ଗକୁ ‘ଗରିଷ୍ଠେ’ ଶବ୍ଦର ଉପଧା ବର୍ଣ୍ଣ ମିଳୁନାହିଁ । ଅର୍ଥାତ୍ ଉପର ଧାଡ଼ିରେ ଉପଧା ବର୍ଣ୍ଣ ‘ରୁ’ ଏବଂ ତା’ପର ଧାଡ଼ିର ଉପଧା ବର୍ଣ୍ଣ ‘ରି’ ହୋଇଛି । ଅତଏବ ଜୟଦେବ ବଙ୍ଗାଳୀ ।

 

ପ୍ରଥମ କଥା- କବତ ଜୟଦେବଙ୍କ ରଚନା ଓଡ଼ିଆ ବା ବଙ୍ଗଳାରେ ନୁହେଁ । ଏହାର ଭାଷା ସଂସ୍କୃତ । ସଂସ୍କୃତରେ ‘ରୁ’ ‘ରି’ ରୂପେ ଉଚ୍ଚାରଣ କରାଯିବାର ଦୃଷ୍ଟାନ୍ତ ବିରଳ ନୁହେଁ । ତଳେ ଗୋଟିଏ ଦୁଇଟି ଧାଡ଼ି ଦେଖନ୍ତୁ । ଏହା ସଙ୍ଗୀତ ନାରାୟଣରୁ ଉଦ୍ଧୃତ ।

 

‘‘ଷଡ଼ଜର୍ଷଭୌଚ ଗାନ୍ଧାରୌ ମଧ୍ୟମଃ ପଞ୍ଚମସ୍ତଥା

ଧୈବତଶ୍ଚ ନିଶାଦଶ୍ଚ ସ୍ୱରାଃ ସପ୍ତ ପ୍ରକୀର୍ତ୍ତିତାଃ ।

ସ ରି ଗ ମ ପ ଧ ନି ଶ୍ଚେତ୍ୟେତେଷାମପରାଭିଧା ।।’’

x            x            x      x

 

ପୂର୍ବୋକ୍ତ ଶ୍ଲୋକରେ ସ୍ୱରମାନଙ୍କର ଷଡ଼ଜ, ଋଷଭ ଇତ୍ୟାଦିର ସ୍ୱରଗାୟନ କାଳରେ ଉଚ୍ଚାରଣର ସୁବିଧାଲାଗି ସଙ୍କେତରେ ସା ରି ଇତ୍ୟାଦି କୁହାଯିବାକୁ ସଙ୍ଗୀତଜ୍ଞ ଓ ଗାୟକମାନେ ସ୍ୱର ସାଧନା କରନ୍ତି । ଏଠାରେ ‘ସା ରୁ ଗା ମା’ ଇତ୍ୟାଦି କେହି କହେ ନାହିଁ- କହେ ସା ରି ଗା ମା....

 

ଜୟଦେବ ‘ପୃଷ୍ଠେ’ ଆଉ ‘ରିଷ୍ଠେ’ ଲେଖିବାରେ ଅକଥା କଅଣ କଲେ ? ହୁଏତ ‘ପୃଷ୍ଠେ’ ‘ପ୍ରିଷ୍ଠେ’ ବୋଲି ଉଚ୍ଚାରିତ ହେଉଥିବ । ତେଣୁ ମହାକବି ଉପଧା ମିଳାଇ ଏପରି ଶବ୍ଦ ଯୋଜନା କରିଛନ୍ତି ।

 

ଏଥିରେ ଓଡ଼ିଆ ବଙ୍ଗାଳୀର ପ୍ରଶ୍ଚ ଉଠୁଛି କେଉଁଠି ? ସା ରି ଗା ମାକୁ ବଙ୍ଗାଳୀମାନେ ସା ରି ଗା ମା କହନ୍ତି, କଅଣ ଯେହେତୁ ‘ଋଷଭ’ ଶବ୍ଦର ‘ଋ’ କାରକୁ ସେମାନେ ‘ରି’ ଉଚ୍ଚାରଣ କରନ୍ତି ବୋଲି ଆଉ ଓଡ଼ିଆରେ ଯେହେତୁ ଋ (ୃ) କୁ ‘ରୁ’ ବୋଲି ଉଚ୍ଚାରଣ କରନ୍ତି ତେଣୁ କଅଣ ‘ସା ରୁ ଗା ମା’ କହନ୍ତି ?

 

ଯେପରି ବଙ୍ଗାଳୀ ‘ଣ’କୁ ‘ନ’, ‘ଳ’ କୁ ‘ଲ’ କହନ୍ତି ଓଡ଼ିଆ କିନ୍ତୁ ‘ଣ’ କୁ ଣ ଓ ‘ଳ’ କୁ ଳ କୁହେ । (ଅବଶ୍ୟ ଆମ ଘରର ଉତିଆଣୀ ବା କଅଁଳା ପିଲାଙ୍କ କଥା ଛାଡ଼ନ୍ତୁ । ତାଙ୍କର ତୁଣ୍ଡ ଲାଗେ ବୋଲି ଣ- ଳ- ନ- ଲ ହୁଏ । ପୂର୍ବୋକ୍ତ କ୍ଷେତ୍ରରେ ତ ସେ ବିଧି ଖଟିବ ନାହିଁ) ସେହିପରି ତ ‘ଋ’ କୁ ରି କହିବାର କାହିଁ ଶୁଣା ନାହିଁ ।

 

ବଙ୍ଗଳା ହେଉ ବା ଓଡ଼ିଆ ହେଉ- ସଂସ୍କୃତ ଭାଷା ଏମାନଙ୍କ ମାଆ । ‘ଋ’ ବା ଋକାର (ୃ) ‘ଋ’ ରୂପେ ଅପଭ୍ରଂଶ ଭାବରେ ଓଡ଼ିଆରେ ଉଚ୍ଚାରିତ ହେଉଥିବାର ଦୃଷ୍ଟାନ୍ତର ତ ଅଭାବ ନାହିଁ । ‘ଅର୍ଥାତ୍ ଋ’ ର ‘ଉ’ କାର ଅପଭ୍ରଂଶରେ ‘ଇ’ କାର ହୋଇଥାଏ ।

 

ସଂସ୍କୃତ ‘ଘୃତ’ ଶବ୍ଦକୁ ଓଡ଼ିଆ ‘ଘୁଅ’ କହେ ନାହିଁ, କହେ ‘ଘିଅ’ । ପୃଷ୍ଠକୁ କହେ ନାହିଁ ‘ପୁଠ’- କହେ ‘ପିଠି’ । ଋଣକୁ କୁହା ଯାଇଥାଏ ‘ରିଣ’ । ‘ତୃଣ’ କୁ କହନ୍ତି ‘ତିରଣ’ ।

 

ପୁଣି ସେହିପରି ‘ପୃଷ୍ଠା’କୁ ପ୍ରିଷ୍ଠା ବା ଅଦୃଷ୍ଟକୁ ‘ଅଦ୍ରିଷ୍ଟ’ ମଧ୍ୟ କହେ ନାହିଁ ଓଡ଼ିଆ । ଏ ରୀତିର ଚଳଣୀ ଅନୁସାରେ କେଉଁ କେଉଁଠାରେ ‘ରୁ’ କାର (ୃ) ରିକାର ରୂପେ ଏବଂ ଋକାର ରୂପେ ମଧ୍ୟ ଉଚ୍ଚାରିତ ହୋଇ ଆସୁଛି ଆମର ପରମ୍ପରା କାଳରୁ । ଏହି କଥାଟା ଜୟଦେବଙ୍କୁ ବଙ୍ଗୀୟ ବୋଲି ପ୍ରମାଣିତ କରିବାର କି ଭଳି ବିଶେଷ କାରଣ ହେଲା, ଭାବି ହୁଏ ନାହିଁ ।

 

ହଁ, ଜୟଦେବଙ୍କୁ ତାଙ୍କ ରଚନା ବିବେଚନା କରି ସେ ବଙ୍ଗୀୟ ବୋଲି କୁହାଯାଆନ୍ତା ଯେବେ ସେ ଆକାଶକୁ ଆକାଶ୍ ବା ମଳୟକୁ ମଲୟ୍ ଉଚ୍ଚାରଣ କରିବା ଭଳି ବ୍ୟବସ୍ଥା କରି ଗୀତ ରଚନା କରିଥାଆନ୍ତେ । ଜୟଦେବ ଲେଖିଛନ୍ତି-

‘‘ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ପୀତ ବସନ ବନମାଳୀ’’

ଲେଖା କଥା ଛାଡ଼ିଦେଲେ ମଧ୍ୟ ବଙ୍ଗଳା ଉଚ୍ଚାରଣ ରୀତିରେ କେହି କି କେବେ କହେ-

‘‘ଚନ୍ଦନ୍ ଚର୍ଚ୍ଚିତ୍ ନୀଲ୍ କଲେବର୍.......’’

 

ଏପରି ଉଚ୍ଚାରଣ କଲେ ଶ୍ରୀଗୀତଗୋବିନ୍ଦରୁ ଜୟଦେବ ଲୁଚି ଯିବେ, ଗୀତ ଗାୟନ ବେଳେ ହାସ୍ୟରୋଳରେ ଶ୍ରୋତା ଆକାଶ ଫଟାଇ ଦେବେ । ସତ୍ୟ ମିଥ୍ୟା ବାରିବାପାଇଁ ‘ପୃଷ୍ଠେ- ଗରିଷ୍ଠେ’ ଶବ୍ଦ ପ୍ରୟୋଗ ଦେଖି ଯେ ଜୟଦେବୀ ରଚନାରୁ ତାଙ୍କୁ ବଙ୍ଗୀୟ ବୋଲି ଚିତ୍କାର କରନ୍ତି, ସେ ବଙ୍ଗଳା ଗୀତ ଗାଇବା ରୀତିରେ ଥରେ ପ୍ରୋକ୍ତ ଧାଡ଼ି ବା ଯେକୌଣସି ଗୀତର ଧାଡ଼ି ଗାଇଲେ ଅବା ଗୁଆଇଲେ ଅନୁଭବରେ ନିଜ କଥାର ଉତ୍ତର ନିଜେ ପାଇବେ ବୋଲି ମନେ ହୁଏ ।

 

ଶ୍ରୀ ଗୀତଗୋବିନ୍ଦର ପନ୍ଦର ପଣ ଗୀତରୁ ଅନୁସ୍ୱାର ବିସର୍ଗ ବିଯୁକ୍ତି ଅବା ଅଳ୍ପ କେତେକ ସ୍ଥାନରେ ସଂସ୍କୃତ ବ୍ୟାକରଣ- ସମ୍ମତ କ୍ରୀୟାର ବିଭକ୍ତି ଯୋଗକୁ ଟିକିଏ ବଦଳାଇ ଦେଲେ ତାହା ଯେ ଓଡ଼ିଆ ଭାଷା ବା ତାହାର ନିକଟତମ ପ୍ରକାଶ, ଏ କଥା ଅକ୍ଲେଶରେ ପ୍ରତିପାଦିତ ହୋଇପାରିବ ।

 

ପଦ ଶେଷରେ ‘ଇ’ କାର ଯୋଗଦ୍ୱାରା ତାହା ସମାପିକା କ୍ରିୟା ହେଉଥିବାର ରୀତି ଓଡ଼ିଆ ଭାଷାର ଏକ ବିଶେଷତ୍ୱ । ଯେପରି- କରଇ; ନାଚଇ, ଧାମଇ, ଚଳଇ ଇତ୍ୟାଦି । ଶ୍ରୀ ଗୀତଗୋବିନ୍ଦରେ ସେହିପରି, ନୃତ୍ୟତି, ବିହରିତ ଇତ୍ୟାଦି ଶବ୍ଦର ଶେଷାକ୍ଷର ‘ତି’ ସ୍ଥାନରେ ‘ଇ’ ସ୍ଥାପନ କଲେ ନୃତ୍ୟଇ, ବିହରଇ ଇତ୍ୟାଦି କ୍ରିୟାପଦ କବିଇଫ୍ସିତ ଅର୍ଥ ପ୍ରକାଶ ଦିଗରୁ ଅସଙ୍ଗତ ବା ଅସିଦ୍ଧ ହେବ ନାହିଁ । ବଙ୍ଗଳାରେ ଏପରି ପରିସ୍ଥାପନା ସମ୍ଭବ ନୁହେଁ । ଏଥି ପୂର୍ବରୁ ଏହା ଦର୍ଶାଇ ଦିଆହୋଇଛି ।

 

ଆହୁରି ଶ୍ରୀ ଗୀତଗୋବିନ୍ଦରେ କେତେଗୁଡ଼ିଏ ଶବ୍ଦର ପ୍ରୟୋଗ ଅଛି, ଯାହା ବଙ୍ଗଳାରେ ପ୍ରଚଳିତ ନୁହେଁ । ଏ ସମ୍ଭନ୍ଧେ । ‘ଚିତ୍ରେ ଗୀତଗୋବିନ୍ଦ’ ପୁସ୍ତକର ମୁଖବନ୍ଧରେ ବଙ୍ଗଳାର ବିଶିଷ୍ଟ ଲେଖକ ଶ୍ରୀ କାଳୀଦାସ ରାୟଙ୍କର ସ୍ପଷ୍ଟୋକ୍ତି ଲକ୍ଷଣୀୟ । ରାୟ ମହାଶୟ ଲେଖିଛନ୍ତି-

 

‘‘ତଳ୍ପ; ବିସ; ପରିରମ୍ଭଣ, ସ୍ମର, ରଭସ, ଉରୋଜ, ରଶନା; ସୀଧୁ, ଶ୍ରୋଣି; ଚନ୍ଦ୍ରକ, ଲୁଳିତ, ଲୋକ ଇତ୍ୟାଦି କତକ ଗୁଲି ଶବ୍ଦ ବଙ୍ଗ ଭାଷାୟ ତେମନ ପ୍ରଚଳିତ ନୟ,- କିନ୍ତୁ ଜୟଦେବେର ଗୀତିର ପକ୍ଷେ ବଡ଼ଇ ଉପଯୋଗୀ । ସେ ଜନ୍ୟ ଶବ୍ଦ ଗୁଳିର ମାୟା ତ୍ୟାଗ କରିତେ ପାରି ନାଇଁ ।’’....

 

ରାୟ ମହାଶୟ ଶ୍ରୀ ଗୀତଗୋବିନ୍ଦର ବଙ୍ଗାନୁବାଦ କରି ପ୍ରୋକ୍ତ ପୁସ୍ତକଟି ଲେଖିଛନ୍ତି । ସେଥିରେ ସ୍ଥଳ ବିଶେଷରେ ପୂର୍ବ୍ବ ଲିଖିତ ଶବ୍ଦ ଗୁଡ଼ିକୁ ସେ ବ୍ୟବହାର କରିଥିବାରୁ ‘‘ମାୟା ତ୍ୟାଗ କରିତେ ପାରିନାଇଁ’’ ବୋଲି ସ୍ୱୀକାର କରିଛନ୍ତି ।

 

ଏହି ଶବ୍ଦଗୁଡ଼ିକର କିନ୍ତୁ ପ୍ରୟୋଗ ଓଡ଼ିଆ ସାହିତ୍ୟରେ ବିଶେଷତଃ ସଙ୍ଗୀତ ମଧ୍ୟରେ ଆଦୌ ଦୁର୍ଲ୍ଲଭ ନୁହେଁ । ନିମ୍ନରେ କେତେଗୋଟି ଉଦାହରଣ ଦେଖନ୍ତୁ ।

 

‘‘ତୋଳିଦେ’ ଗୋ ତଳ୍ପ ପୂରିଲା ସଂକଳ୍ପ-       (ଗୋପାଳକୃଷ୍ଣ)

‘‘ମଧ୍ୟେ ସିଂହ ମଧ୍ୟମା ରମ୍ଭୋରୁ ଡରୁରେ ।’’

ଭୁଜେ ବିସ ଭୁଜ ଧନୁ ଭୂରୁ ଭୂରୁରେ ।’’

(ଲାବଣ୍ୟବତୀ- ୨୬ । ୨୦)

 

ବିସ କରତେ କରିବାରେ ରତ ନିଶ୍ଚେ ହେଲେ ଏହା ଜାଣିଲା । (ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର- ୩ । ୩୮)

‘‘କ୍ଷୀରସାଗରସମ୍ଭବାକୁଚକୁମ୍ଭଯୁଗଳ ପରିରମ୍ଭ ଚତୁର ହେ,       (କବିସୂର୍ଯ୍ୟ)

‘‘ସ୍ମର ତରୁଆରେ ମୋତେ ମରାରେ’’                   (ମାନ ହୋତା)

‘‘ରତି ରଭସେ ମାତି, ପୁହାଇ ଶଶି ରାତି’’             (ହରିଚନ୍ଦନ)

 

‘‘କି ବର୍ଣ୍ଣିବି ରେ ତୋ ଉରୋଜ’’                   (କବିସୂର୍ଯ୍ୟ)

‘‘ପ୍ରକଟି ରଶନା ରସାଇ ନ ଦେଲା ଆନ ରସେ ଥାଇ ମାତି’’ (ପୁରାତନ)

‘‘ସୁଧାସିନ୍ଧୁରେ, ଥରେ ଚଖାଅ ବନ୍ଧୁ ତୋ ଜବାଧର ସୀଧୁ’’       (କବିଚନ୍ଦ୍ର)

‘‘କି ଦିଶେ ଚଳାଚଳ ଚାରୁ ଚନ୍ଦ୍ରକ ଚୂଳ’’                   (କବିସୂର୍ଯ୍ୟ)

‘‘ଖେଳଲୋଳ ଖଞ୍ଜନାକ୍ଷୀ’’                         (କବିସୂର୍ଯ୍ୟ)

 

କହିବା ବାହୁଲ୍ୟ ଯେ ଏହି ଓଡ଼ିଶୀ ଗୀତଗୁଡ଼ିକ ଓଡ଼ିଶାର ପୁରପଲ୍ଲୀରେ କଣ୍ଠେ କଣ୍ଠେ ମୁରରିତ ।

ଶ୍ରୀ ଗୀତଗୋବିନ୍ଦରେ ବ୍ୟବହୃତ ପ୍ରୋକ୍ତ ଶବ୍ଦଗୁଡ଼ିକ ଯେ ଓଡ଼ିଆ ସଂସ୍କୃତିର ପରମ୍ପରା ପରିଚାୟକ, ଏଥିରେ ସନ୍ଦେହର ଅବକାଶ କାହିଁ ?

 

ସଙ୍ଗୀତ ଓ ଶୈଳୀ

 

ପାଷାଣ ବୁକୁରେ ଅଭୁଲା ଗିରାମାରି ଯୁଗଯୁଗାନ୍ତରର ଉତ୍କଳୀୟ ସଙ୍ଗୀତ-ସମାଦର ପରମ୍ପରା ଚେତାଇ ଦେଉଛି, ଉଦୟଗିରିର ହାତୀଗୁମ୍ଫା ଗାତ୍ର ଲେଖ । ଘଟଣା ଖ୍ରୀ: ପୂ: ୧ମ ଓ ୨ୟ ଶତକର । ମହାମେଘବାହନ ସମ୍ରାଟ ଖାରବେଳଙ୍କ ଦିଗ୍ବିଜୟ ମହୋତ୍ସବ ପାଳନବେଳେ ଏ ଲିପି ଖୋଦିତ ।

 

ଏହାପରେ ଖ୍ରୀଷ୍ଟୀୟ ୩ୟ-୫ମ ଶତକ କଥା । ମହାମୁନି ଭରତ ରଚନାକଲେ ନାଟ୍ୟଶାସ୍ତ୍ର । ଭାରତର ତଦାନୀନ୍ତନ ପ୍ରଚଳିତ ନାଟ୍ୟରୀତିକୁ ଭିତ୍ତିକରି ଭରତମୁନି ଚାରିଗୋଟି ପ୍ରବୃତ୍ତିର ଉଲ୍ଲେଖକରି ଲେଖିଲେ-

 

-‘‘ଆବନ୍ତୀ ଦକ୍ଷିଣାତ୍ୟା ଚ ପାଞ୍ଚାଳୀଚୌଡ୍ରୁ ମାଗଧୀ ।’’

 

ଅବନ୍ତୀ, ଦାକ୍ଷିଣାତ୍ୟ, ପାଞ୍ଚାଳ ଏବଂ ଓଡ୍ର ଓ ମଗଧରେ ପ୍ରଚଳିତ ଚାରିପକ୍ରାର ନାଟ୍ୟ- ଗୀତ, ବାଦ୍ୟ ଓ ନୃତ୍ୟକୁ ସେ ଚାରିଗୋଟି ପ୍ରବୃତ୍ତିଗତ ବୋଲି ବର୍ଣ୍ଣନା କରିଛନ୍ତି । ପ୍ରବୃତ୍ତି ସ୍ଥିରୀକରଣ ସଂପର୍କରେ ମହାମୁନି ଲେଖିଛନ୍ତି-

 

‘‘ପ୍ରବୃତ୍ତିରୀତି କସ୍ମାଦିତି । ଉଚ୍ୟତେ ପୃଥିବ୍ୟାଂ ନାନାଦେଶବେଶ- ଭାଷାଚାରବାର୍ତ୍ତା ଖ୍ୟାପୟତୀତି ପ୍ରବୃତ୍ତିଃ ।’’

ଏଥିରୁ ଏହା ସ୍ୱୀକୃତ ଯେ ଓଡ୍ର ବା ଓଡ଼ିଶାରେ ଏକ ସ୍ୱତନ୍ତ୍ର ରୀତି ଘେନି ସଙ୍ଗୀତ ପ୍ରଚଳିତ ଥିଲା । ଏହାର ପ୍ରମାଣ ମଧ୍ୟ ହାତୀଗୁମ୍ଫା ଶୀଳାଲେଖରୁ ପ୍ରକାଶ ପାଏ । ତେଣୁ ନାଟ୍ୟ ପ୍ରବୃତ୍ତିର ଉଲ୍ଲେଖକାଳଠାରୁ ଓଡ଼ିଶାର ସଙ୍ଗୀତରୀତି ପ୍ରାଚୀନତର ।

 

ନାଟ୍ୟଶାସ୍ତ୍ର ପରେ ଅନ୍ୟାନ୍ୟ ସଙ୍ଗୀତ ଗ୍ରନ୍ଥମାନଙ୍କ ମଧ୍ୟରେ ସଙ୍ଗୀତ ରତ୍ନାକରକୁ ପ୍ରାଧାନ୍ୟ ଦିଆଯାଏ । ଏହାର ରଚନାକାଳ ୧୧ଶ କିମ୍ବା ୧୨ଶ ଶତାବ୍ଦୀ ।

 

ଜୟଦେବ ଏକାଳକୁ ମହାକବି ରୂପେ ପରିଚିତ ହୋଇ ସାରିଲେଣି । ତେଣୁ ସେ ଶ୍ରୀଗୀତଗୋବିନ୍ଦରେ ନିଜର ଗୁଣ ପରିଚୟ ଦେଇ ଲେଖିଛନ୍ତି-

‘‘କବି ନୃପ ଜୟଦେବକେ’’

 

ଜୟଦେବ ପ୍ରାଚୀନ ଛନ୍ଦବୃତ୍ତକୁ ସ୍ୱରତାଳର ମଣ୍ଡନ ଘେନାଇଁ ସୃଷ୍ଟିକଲେ ଗୀତ- ସଙ୍ଗୀତ । ସଂସ୍କୃତ ଓ ପ୍ରାକୃତ- ଗଙ୍ଗାଯମୁନାର ଅପୂର୍ବ ସଙ୍ଗମସ୍ଥଳୀ ଶ୍ରୀଗୀତଗୋବିନ୍ଦ କାବ୍ୟରଚନା ରୀତି ପ୍ରାଚୀନ; କିନ୍ତୁ ଗୀତିକାବ୍ୟ ପୁଣି ଶାସ୍ତ୍ରୀୟ ସଙ୍ଗୀତର ରାଗ- ତାଳ ସମନ୍ୱିତ ସରଳ ତରଳ କୋମଳ ପଦ ସଂଯୁତ ସଂସ୍କୃତ ଗୀତିମୟ ରଚନାର ସର୍ବପ୍ରଥମ ପ୍ରଣେତା ଜୟଦେବ ।

 

ଶ୍ରୀଗୀତଗୋବିନ୍ଦ ଗୀତିକାକ୍ୟରେ ଉପଯୋଗ କରାଯାଇଥିବା ରାଗ-ତାଳମାନଙ୍କର ଉଲ୍ଲେଖ ପ୍ରାୟ ସମସାମୟିକ ଗ୍ରନ୍ଥ ସଙ୍ଗୀତ ରତ୍ନାକରରେ ଦେଖିବାକୁ ମିଳେ ।

 

ଜୟଦେବଙ୍କ ପୂର୍ବରୁ ‘ଗାଥା’ର ପ୍ରଚଳନ ଥିଲା । ସାଧାରଣତଃ ‘ଗାଥା’ ଶବ୍ଦର ଅର୍ଥ ଧର୍ମ୍ମ ସଂକ୍ରାନ୍ତୀୟ କବିତା ବା ପଦାବଳୀ । ଏହା ସେ ସମୟର କଥିତ ପ୍ରାକୃତ- ଭାଷାରେ ରଚିତ କବିତା ବୋଲି ଧରାଯାଏ । ଗାଥା ସଂସ୍କୃତରେ ମଧ୍ୟ ରଚିତ ହେବାର ରୀତି ଦୃଷ୍ଟହୁଏ । ଏହାର ପାଦ ଚାରିଗୋଟି । ଏହିପରି ଗୋଟିଏ ‘ଗାଥା’ ଦୃଷ୍ଟାନ୍ତ ସ୍ୱରୂପ ଉପସ୍ଥାପିତ କରାଯାଉଅଛି । ଏହାର ଶବ୍ଦ ସଂଯୋଜନା ଲଳିତ । ଗୁରୁଲଘୁ ବର୍ଣ୍ଣ ବିଚାରରେ ଚରିଗୋଟିଯାକ ପାଦର ମାତ୍ରା ସଂଖ୍ୟା ସମାନ, କିନ୍ତୁ ତୃତୀୟ ଚରଣର ଅକ୍ଷର ସଂଖ୍ୟା ଗଣନାରେ ୨୩ଟି ଏବଂ ୧ମ, ୨ୟ ଓ ୪ର୍ଥ ପଦର ଅକ୍ଷର ସଂଖ୍ୟା ଗୋ ୨୨ଟି କରି । ଏହାକୁ ‘ଆକୃତି’ ଶ୍ରେଣୀ ମାତ୍ରା ବୋଲି କୁହାଯାଇଅଛି । ପ୍ରତି ପଦର ଶେଷାକ୍ଷର ଦୁଇଟି ଗୁରୁବର୍ଣ୍ଣ ଏବଂ ମାତ୍ରା ସଂଖ୍ୟା- ୨୮ । ରଚନାଟି ହେଲା-

 

ସଜୟତୁ ବାମ ବାହୁ ପରିଚୁମ୍ବିତ

ବଦନ ପୟୋଧର ସ୍ଥଳେ ।

ଅଳିକୁଳ ଲୋଳଲୀଳ ଅଳକାବଳି

ବିଧୃତ କରାଗ୍ରମଣ୍ଡଳୋ ।

 

ଦଶଶତ ନୟନ କିରଣ ପରିବର୍ଦ୍ଧିତ

ରାଗ- ରସାତିବର୍ଦ୍ଧିତୋ,

ବିକଶିତ ପୁଣ୍ଡରୀକ ପ୍ରତିମୋହର-

ଗୌରୀ- ସଂଗମୋ ସ ଜୟ ତୁ ।’’

 

(ଆଜ୍‌ମିର ଶିଳାଲେଖ- Ep. Ind. Vol. XXIX, PP. 180- 180. Inscription of Kritivarman (Chaluakya) 754 A.D.)

ଏଥିରେ ଧ୍ରୁବପଦ ସଂଯୋଗ ନାହିଁ । ରାଗତାଳ ନିର୍ଦ୍ଦେଶ ନାହିଁ । ପଦ- ଯୋଜନା ସୁଲଳିତ । ଚାରିଗୋଟି ପାଦ- ଗାୟନଲାଗି ଉଦ୍ଦିଷ୍ଟ ନୁହେଁ । ଏପରି ଗାଥାର ଚାରିଗୋଟି ଚରଣସ୍ଥଳରେ ଶ୍ରୀଗୀତଗୋବିନ୍ଦର ଗୀତଗୁଡ଼ିକର ଚରଣ ଦୁଇଗୋଟି ପୁଣି ଧ୍ରୁବପଦ (ଘୋଷା) ଯୁକ୍ତ ଓ ରାଗତାଳ ନିର୍ଦ୍ଦିଷ୍ଟ; ଗୀତଗୁଡ଼ିକ ତେଣୁ ଗାୟନଲାଗି ଉଦ୍ଦିଷ୍ଟ ।

 

ଓଡ଼ିଶୀ ସଙ୍ଗୀତଗୁଡ଼ିକ ଏହି ରୀତିରେ ରଚିତ ହୋଇଆସୁଛି । ଏହିପରି ଗୀତ- ରଚନାମାନ ଓଡ଼ିଶୀ ସଙ୍ଗୀତ- ଶାସ୍ତ୍ରୀମାନେ ଉଦାହରଣ ଗୀତରୂପେ ବ୍ୟବହାର କରିଆସିଛନ୍ତି ।

 

ଗାୟନ

 

ଓଡ଼ିଶୀ ସଙ୍ଗୀତଶାସ୍ତ୍ର ମଧ୍ୟରେ ଅଗ୍ରାଧିକାର ଦିଆଯାଉଥିବା ଗୀତ- ପ୍ରକାଶର ରଚନାକାଳ ୧୫୪୦ ଖ୍ରୀଷ୍ଟାବ୍ଦଠାରୁ ୧୫୬୫ ଖ୍ରୀଷ୍ଟାବ୍ଦ । ତତ୍ପରବର୍ତ୍ତୀ ସଙ୍ଗୀତଶାସ୍ତ୍ର କଳ୍ପଲତା (ଖ୍ରୀ: ୧୬୨୦), ସଙ୍ଗୀତ ନାରାୟଣ (ଖ୍ରୀ: ୧୬୨୦), ସଙ୍ଗୀତ ସରଣୀ (ଖ୍ରୀ: ୧୬୬୦) ଏବଂ ନାଟ୍ୟ ମନୋରମା (ଖ୍ରୀ: ୧୭୦୨) ପ୍ରଭୃତିର ଗ୍ରନ୍ଥକାରମାନେ ଗୀତପ୍ରକାଶକୁ ଆଦର୍ଶରୂପେ ଗ୍ରହଣ କରିଅଛନ୍ତି । ଗୀତ- ପ୍ରକାଶ ପ୍ରଭୃତି ଗ୍ରନ୍ଥମାନଙ୍କରେ ‘ସଙ୍ଗୀତାର୍ଣ୍ଣବ ଚନ୍ଦ୍ରିକା’ ନାମକ ଏକ ପ୍ରାଣାମିକ ଗ୍ରନ୍ଥର ବହୁ ବାର ଉଲ୍ଲେଖ ଦେଖାଯାଏ; ମାତ୍ର ଗ୍ରନ୍ଥଟି ଅବଧି ଦୁର୍ଲ୍ଲଭ ।

 

ଶ୍ରୀଗୀତଗୋବିନ୍ଦଠାରୁ ନାଟ୍ୟ ମନୋରମା ଅବଧି ଓଡ଼ିଶୀ ସଙ୍ଗୀତ ଗ୍ରନ୍ଥରେ ପ୍ରଚଳିତ ସଙ୍ଗୀତ-ପଦ୍ଧତିର କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଉ ନାହିଁ । ୧୮୦୦ ଶତାବ୍ଦୀଠାରୁ ଆଧୁନିକ କାଳ ପର୍ଯ୍ୟନ୍ତ ଓଡ଼ିଶାର କେତେକ ଅଞ୍ଚଳରେ ଉତ୍ତର ଭାରତୀୟ ସଙ୍ଗୀତ- ପଦ୍ଧତିର କେତେକ ପ୍ରଭାବପାତର ନିଦର୍ଶନ ମିଳେ । ଏହାର କାରଣସ୍ୱରୂପ କୁହାଯାଇପାରେ ଯେ, ଭାରତରେ ମୁସଲମାନ (ଆହ୍ଲାଉଦ୍ଦିନ) ରାଜତ୍ୱକାଳରେ ଅମୀର ଖସ୍ରୁ ପ୍ରଭୃତି ସଙ୍ଗୀତ ବିଦ୍ୱାନଙ୍କଦ୍ୱାରା ପାରସ୍ୟ ସଙ୍ଗୀତର ଛାୟାରେ ଉତ୍ତର- ଭାରତୀୟ ସଙ୍ଗୀତ ପ୍ରଭାବିତ ହୋଇଥିଲେ ହେଁ ପ୍ରାଚୀନ ଭାରତୀୟ ସଙ୍ଗୀତକ୍ରମରୁ ଏହା ଏକାବେଳକେ ଦୂରରେ ରହିପାରି ନାହିଁ । ଓଡ଼ିଣୀ ପଦ୍ଧତି ପ୍ରାଚୀନ ଭାରତୀୟ ସଙ୍ଗୀତର ପଦାଙ୍କ ଅନୁସରଣରେ ପ୍ରଚଳିତ । ଉତ୍କଳରେ ଭାରତୀୟ ସଙ୍ଗୀତ-ପଦ୍ଧତି- ପରମ୍ପରାର ପ୍ରଚଳନ ଥିଲା । ତଦନୁସାରେ ଅଖଣ୍ଡ- ସ୍ୱର- ପ୍ରକାଶ ଓ ସାଧାରଣତଃ ବିଳମ୍ବିତ ଏବଂ ମଧ୍ୟ ଲୟରେ ଓଡ଼ିଶୀ ଗୀତ ଗାଇବାର ରୀତି ଅବଧି ଚଳିଆସୁଛି । ଷୋଡ଼ଶ ଶତାବ୍ଦୀରେ ଓଡ଼ିଶା ସ୍ୱାଧୀନତା ହରାଇ ମୁସଲମାନ୍ ଶାସନତଳେ ରହିଲା । ସେତେବେଳକୁ ଉତ୍ତର- ଭାରତୀୟ ସଙ୍ଗୀତରେ ପାରସ୍ୟ ପ୍ରଭାବ ପଡ଼ିସାରିଥିଲେ ହେଁ ଗାୟନ ଶୈଳୀ ପ୍ରାଚୀନ ଭାରତୀୟ ସଙ୍ଗୀତ-ପଦ୍ଧତି ନିକଟରୁ ଦୂରେଇଯାଇ ନ ଥିଲା । ମୁସଲମାନ ରାଜତ୍ୱବେଳେ ତତ୍ରତ୍ୟ ସଙ୍ଗୀତଧାରା ଏ ଦେଶରେ କ୍ରମଶଃ ପ୍ରଚାରିତ ହେବାର ସୁଯୋଗ ଲଭିଲା । ସଙ୍ଗୀତ-ପଦ୍ଧତି ତଥା ଗାୟନ-ଶୈଳୀରେ କେତେକ ସୌସାଦୃଶ୍ୟ ଥିବାରୁ ସେହି ଉତ୍ତର-ଭାରତୀୟ ହିନ୍ଦୁସ୍ଥାନୀ ସଙ୍ଗୀତ ସହିତ ଓଡ଼ିଶୀ ସଙ୍ଗୀତ ସହଜରେ ସୌହାର୍ଦ୍ୟ ସ୍ଥାପନ କରିପାରିଲା ।

 

ଖ୍ରୀଷ୍ଟପୂର୍ବ ପ୍ରଥମ, ଦ୍ୱିତୀୟ ଶତାବ୍ଦୀଠାରୁ ଓଡ଼ିଶାରେ ସଙ୍ଗୀତକଳା ବିଶେଷଭାବେ ସମାଦୃତ । ମହାମେଘବାହନ ଖାରବେଳଙ୍କର ଶୀଳାଲେଖ ଏହାର ଜ୍ୱଳନ୍ତ ପ୍ରମାଣ । ୮୦୦ ଖ୍ରୀଷ୍ଟାବ୍ଦରୁ ୮୫୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ପରଶୁରାମେଶ୍ୱର ମନ୍ଦିର, ଖ୍ରୀ: ୯୦୦-୯୫୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ମୁକ୍ତେଶ୍ୱର ମନ୍ଦିର, ୧୦୦୦ ଖ୍ରୀଷ୍ଟାବ୍ଦରେ ରାଜରାଣୀ, ୧୦୫୦ ଖ୍ରୀଷ୍ଟାବ୍ଦରେ ଲିଙ୍ଗରାଜ ମନ୍ଦିରମାନଙ୍କ ଗାତ୍ରରେ ଖୋଦିତ ଓଡ଼ିଶୀ ନୃତ୍ୟଭଙ୍ଗୀର ଲାସ୍ୟ ମୃତ୍ତିଗୁଡ଼ିକ ଓଡ଼ିଶାରେ ସ୍ୱତନ୍ତ୍ର ସଙ୍ଗୀତ- ପଦ୍ଧତି ବିଦ୍ୟମାନତାର ନିର୍ଦ୍ଧିଷ୍ଟ ପ୍ରମାଣ କାରଣ ଗୀତରୁ ବାଦ୍ୟ ଏବଂ ଗୀତ ଓ ବାଦ୍ୟରୁ ନୃତ୍ୟ ପ୍ରବର୍ତ୍ତିତ ହୁଏ । ଓଡ଼ିଶୀ ନୃତ୍ୟ ଅଭିନୟ (ଆଙ୍ଗିକ) ପ୍ରଧାନ, ବାଚିକ ଅଙ୍ଗ (ଗୀତ) ଭିନ୍ନ ଆଙ୍ଗିକ ବା ଅଭିନୟ ବା ଭାବ ପ୍ରଦର୍ଶିତ ହୋଇ ନ ପାରେ । ଅଭିନୟ ହିଁ ଭଙ୍ଗୀର ସ୍ରଷ୍ଟା । ମନ୍ଦିରଗାତ୍ରରେ ମୂର୍ତ୍ତିଗୁଡ଼ିକ ଏହି ଅଭିନୟଭଙ୍ଗୀର ନିଦର୍ଶନ ।

 

ବିବିଧ ନିରାଟ ପ୍ରମାଣଦୃଷ୍ଟେ ଓଡ଼ିଶୀ ସଙ୍ଗୀତରେ (ଗୀତ- ବାଦ୍ୟ- ନୃତ୍ୟର) ସ୍ୱତନ୍ତ୍ର ଶୈଳୀ ଯେ ସ୍ମରଣାତୀତ କାଳରୁ ବିଦ୍ୟମାନ ଏବଂ ଶ୍ରୀଗୀତଗୋବିନ୍ଦ ଯେ ଓଡ଼ିଶୀ ରାଗତାଳ ନିୟନ୍ତ୍ରିତ- ଏହା ନିଃସନ୍ଦେହରେ କୁହାଯାଇପାରେ, କାରଣ ଶ୍ରୀଗୀତଗୋବିନ୍ଦ ସର୍ବପ୍ରଥମେ ପ୍ରଣୀତ ହୋଇ ପ୍ରଚାରିତ ହୁଏ ଶ୍ରୀମନ୍ଦିରରୁ । ଦୂରଦୁରାନ୍ତରୁ ଅସଂଖ୍ୟ ଯାତ୍ରୀ ପ୍ରତ୍ୟହ ଜଗନ୍ନାଥ ଦର୍ଶନକୁ ଆସନ୍ତି । ଶ୍ରୀଗୀତଗୋବିନ୍ଦ ସ୍ୱର, ଭାବ ଓ ରସ ମାଧୁର୍ଯ୍ୟରେ ମୁଗ୍ଧ କରେ ଦର୍ଶନାର୍ଥୀ ଶ୍ରାଗୀତଗୋବିନ୍ଦ ସ୍ୱର, ଭାବ ଓ ରସ ମାଧୁର୍ଯ୍ୟରେ ମୁଗ୍ଧ କରେ ଦର୍ଶନାର୍ଥୀ ଶ୍ରୋତାଙ୍କୁ । ସ୍ମରଣ ରହିଯାଏ ଲଳିତ ମଧୁର ପଦାବଳୀ । ଶ୍ରୁତି ସହିତ ସ୍ମୃତି ସ୍ୱତଃ ବହନ କରିନିଏ ଗୀତଗୁଡ଼ିକୁ ଏବଂ ବିଭିନ୍ନ ପ୍ରଦେଶରେ ତାହା ସହଜରେ ପ୍ରଚାରିତ ହୁଏ । ଏହା ବହୁଜନ ସମାଦୃତ ହେବାଫଳରେ ଆଞ୍ଚଳିକ ସ୍ୱର, ତାଳ ଓ ଅଳଙ୍କାର ଭୂଷିତ ହୋଇ ମୂଳ ରାଗତାଳରେ ଅନେକ ପରିବର୍ତ୍ତନ ଘଟିଛି- ଘଟିବା ମଧ୍ୟ ସ୍ୱାଭାବିକ ।

 

ନାଟ୍ୟଶାସ୍ତ୍ରର ପରବର୍ତ୍ତୀ ଅନ୍ୟାନ୍ୟ କେତେକ ପ୍ରାମାଣିକ ସଙ୍ଗୀତ ଗ୍ରନ୍ଥମାନଙ୍କ ମଧ୍ୟରେ ସଙ୍ଗୀତ ରତ୍ନାକରକୁ ପ୍ରାଧାନ୍ୟ ଦିଆଯାଏ । ଏହାର ରଚନାକାଳର ପ୍ରାୟ ୩୦୦।୪୦୦ ବର୍ଷପରେ ପ୍ରଣୀତ ହୁଏ ଗୀତପ୍ରକାଶ । ଏଥିରେ ଉତ୍କଳ ପ୍ରଚଳିତ ସ୍ୱତନ୍ତ୍ର କେତେକ ସଙ୍ଗୀତରୀତିସମ୍ବନ୍ଧେ ଉଲ୍ଲେଖ ରହିଛି । ଉତ୍କଳବାସୀଙ୍କଦ୍ୱାରା ବହୁଳ ସମାଦୃତ, ଶ୍ରୀମନ୍ଦିରରେ ଦୈନିକ ନୀତିରୂପେ ପ୍ରବର୍ତ୍ତିତ ଏବଂ ପ୍ରଜାନୁରଞ୍ଜକ ଗଜପତି ମହାରାଜଙ୍କଦ୍ୱାରା ରାଜକୀୟ ସ୍ୱୀକୃତିପ୍ରାପ୍ତ ଶ୍ରାଗୀତଗୋବିନ୍ଦ ଗୀତରେ ନିର୍ଦ୍ଦେଶିତ ରାଗତାଳର ଲକ୍ଷଣ ଗୀତ- ପ୍ରକାଶ ପ୍ରଭୃତି ଓଡ଼ିଶୀ ସଙ୍ଗୀତଶାସ୍ତ୍ରରେ ବର୍ଣ୍ଣିତ । ଶ୍ରୀଗୀତଗୋବିନ୍ଦର ଗୀତକୁ ଓଡ଼ିଶୀ ସଙ୍ଗୀତଶାସ୍ତ୍ରକାରମାନେ ସ୍ଥଳବିଶେଷରେ ଦୃଷ୍ଟାନ୍ତ ଦେଇଛନ୍ତି । ଦେଶର ପ୍ରବୃତ୍ତି ପାର୍ଥକ୍ୟ ଅନୁସାରେ ଗାୟନ ଶୈଳୀରେ ଉତ୍କଳୀୟ ପରମ୍ପରାର ସ୍ୱତନ୍ତ୍ରତା ରହିଥିଲା, ରହିଛି ଏବଂ ରହିବ- ଏହା ଅବିସଂବାଦିତ ସତ୍ୟ ।

 

ଶ୍ରୀଗୀତଗୋବିନ୍ଦ ରଚନାର ବହୁପରେ ଉତ୍ତର-ଭାରତରେ ହିନ୍ଦୁସ୍ଥାନୀ ଏବଂ ଦକ୍ଷିଣ-ଭରତରେ କର୍ଣ୍ଣାଟକୀ ପଦ୍ଧତିଦ୍ୱୟର ପ୍ରଚଳନ ଆରମ୍ଭ ହେଲା । ଚଳିତଶତାବ୍ଦୀରେ ହିନ୍ଦୁସ୍ଥାନୀ ରୀତିରେ ପଣ୍ଡିତ ବିଷ୍ଣୁଦିଗମ୍ବରଙ୍କର ଜଣେ ଶିଷ୍ୟ ଶ୍ରୀଗୀତଗୋବିନ୍ଦ ଗୀତର ଗୋଟିଏ ସ୍ୱରଲିପି ପ୍ରକାଶ କରିଥିଲେ । ଏହା କିନ୍ତୁ ଗୀତଗୁଡ଼ିକର ମୂଳ ରାଗତାଳଅନୁସାରୀ ନୁହେଁ । ଫଳତଃ ଜନପ୍ରିୟତା ଅର୍ଜ୍ଜନ କରିପାରିଲା ନାହିଁ ।

 

ବିଭିନ୍ନ ଭାଷାରେ ପ୍ରକାଶିତ ଶ୍ରୀଗୀତଗୋବିନ୍ଦ ଗ୍ରନ୍ଥ ଏବଂ ସର୍ବାଙ୍ଗସୁନ୍ଦରୀ (କବିରାଜ ନାରାୟଣ ଦାଶ), ‘ରସିକ ପ୍ରିୟା’ (ରାଣାକୁମ୍ଭ) ଏବଂ ରସମଞ୍ଜରୀ (ଶଙ୍କର ମିଶ୍ର) ପ୍ରଭୃତି ଟୀକା ତଥା ଅନ୍ୟାନ୍ୟ ବହୁ ଟୀକାକାରଙ୍କ ଲିଖିତ ରାଗତାଳ ନାମ ପ୍ରାୟ ସମାନ । ଏବେ ମଧ୍ୟ ଉତ୍ତର- ଭାରତରେ ଅଧିକାଂଶ ସ୍ଥଳରେ ଏହି ରାଗତାଳମାନ ବ୍ୟବହୃତ ହୋଇଆସୁଅଛି ।

 

ଦକ୍ଷିଣ- ଭାରତୀୟ ରୀତିରେ ଏହି ରାଗତାଳସଂଯୋଗର ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଅଳ୍ପ କାଳ ହେଲା ପ୍ରକାଶିତ ଶ୍ରୀଗୀତଗୋବିନ୍ଦ (ଅଷ୍ଟପଦୀ ବୋଲି କଥିତ) ଗୀତଗୁଡ଼ିକର ଖଣ୍ଡିଏ ସ୍ୱରଲିପି ଗ୍ରନ୍ଥ (S. R. Srinivasan Iyar) ପ୍ରକାଶିତ ହୋଇଅଛି । ଏଥିରେ ପ୍ରଦର୍ଶିତ ରାଗ-ତାଳ ଅନ୍ୟାନ୍ୟ ଗ୍ରନ୍ଥ ନିର୍ଦ୍ଦେଶଠାରୁ ଭିନ୍ନ । କେବଳ ସେତିକି ନୁହେଁ, ସ୍ଥଳବିଶେଷରେ କେତେକ ଅଭିନବ ପଦ ମଧ୍ୟ ଏଥିରେ ଯୋଗ କରାହୋଇଅଛି ଇଚ୍ଛାନୁରୂପ ଗାୟନର ସୁବିଧାଲାଗି । ଯେପରି-

 

ପ୍ରଳୟ ପୟୋଧିଜଳେ ହରେ ମୁକୁନ୍ଦ

ଧତବାନସି ବେଦଂ ହରେକୃଷ୍ଣ

ବିହିତବିହିତ୍ରଚରିତ୍ରମଖେଦଂ...........ଇତ୍ୟାଦି ।

 

ଶ୍ରୀଗୀତଗୋବିନ୍ଦର ପଦଲାଳିତ୍ୟ ଓ ରସମାଧୂର୍ଯ୍ୟର ଲୋଭ ସମ୍ବରଣ କରି ନ ପାରି ରାଗ, ତାଳରେ ମଧ୍ୟ ଏହିଭଳି ନାନା ପରିବର୍ତ୍ତନ କରାଯାଇଅଛି; ଯଥା -

 

‘‘ଚନ୍ଦନଚର୍ଚ୍ଚିତ

ପନ୍ତୁବରାଳୀ

ଆଦିତାଳ

ସଞ୍ଚରଦଧର

ତୋଡ଼ୀ

ଆଦିତାଳ

ନିଭୃତି ନିକୁଞ୍ଜ

କାମ୍ଭୋଜୀ

ଆଦିତାଳ

ମାମିୟ ଚଳିତଂ

ଭୂପାଳ

ଚାପୁତାଳ

ନିନ୍ଦତି ଚନ୍ଦନ

କାନାଡା

ଆଦିତାଳ

ସ୍ତନବିନିହିତ

ଦେଶାକ୍ଷୀ

ଆଦିତାଳ

 

 

ଇତ୍ୟାଦି

 

କର୍ଣ୍ଣାଟକ ପଦ୍ଧତି ଅନୁସାରେ ଏହିପରି ରାଗତାଳ ନିଶ୍ଚିତ କରାଯାଇଅଛି । ରସିକଜନ ରସମୁଖ୍ୟ ଉପଯୁକ୍ତତା ଘେନି ଏହି ରାଗତାଳ ପ୍ରୟୋଗର ଯୁକ୍ତିଯୁକ୍ତତା ବିଚାର କରିବେ । ଅବଶ୍ୟ ଏ କଥା ସ୍ୱୀକାର୍ଯ୍ୟ ଯେ-

 

‘‘ଦେଶେ ଦେଶେ ଭିନ୍ନ ନାମ୍ନାଂ ରାଗାଣାଂ ତତ୍ତ୍ୱନିର୍ଣ୍ଣୟମ୍‌ ।

କୋଽପି କର୍ତ୍ତୃଂ ନ ଶକ୍ନୋତି ନିରୟାଣିନତନ୍ମୟା ।।’’

(ସଂ: ନାରୟଣ)

 

ପୁଣି,      

‘‘ଦେଶାନୁଗୁଣ୍ୟ ବିଧନା ହି ବିବେଚ୍ୟତେ ତତ୍‌’’

-ଏ କଥା ‘‘ଗୀତପ୍ରକାଶ’’ ଏବଂ ‘‘ସଙ୍ଗୀତ ସାର’’ ଗ୍ରନ୍ଥର ମତ ।

 

ସଙ୍ଗୀତର ମୁଖ୍ୟ ଲକ୍ଷ୍ୟ ହେଲା ରସ-ପ୍ରସାର । ପରିବେଶିତ ବିଷୟବସ୍ତୁର ରସ ସହୃଦୟଙ୍କଦ୍ୱାରା ସମ୍ପୂର୍ଣ୍ଣରୂପେ ଆସ୍ୱାଦିତ ହେବା ଉଦ୍ଦେଶ୍ୟରେ ଗୀତକବି ସ୍ଥଳାନୁସାରୀ ବିଶେଷ ବିଶେଷ ଭାବଦ୍ୟୋତକ ସ୍ୱର, ତାଳ ଓ ଭାଷା ଉପଯୋଗ କରନ୍ତି । ସେ ନିଜେ ପ୍ରଥମେ ରସାନୁପ୍ରାଣିତ ହୁଅନ୍ତି ଏବଂ ପରେ ସହୃଦୟଙ୍କୁ ରସାଭିଷିକ୍ତ କରାନ୍ତି । ଏହା ନିଶ୍ଚିତ ଯେ ବ୍ୟକ୍ତିଗତ ଆତ୍ମାନୁଭୂତି ସମଷ୍ଟିଗତ ସଙ୍ଗୀତ ଅଭିବ୍ୟଞ୍ଜନାର ନିମିତ୍ତ ମାତ୍ର । ଏଥିରେ ପୁଣି କବିଙ୍କ ଜନ୍ମସ୍ଥଳ-ପ୍ରଚଳିତ ପରମ୍ପରା ଗାୟନଶୈଳୀର ପ୍ରଭାବ ତ ଅବଶ୍ୟ ରହିବ ।

 

ଏହିପରି ସବୁ ଦିଗ ବିଚାରରୁ ଶ୍ରୀଗୀତଗୋବିନ୍ଦର ଗୀତ, ରାଗ, ତାଳ ବା ଭାଷାରେ ଇଚ୍ଛାନୁରୂପ ପରିବର୍ତ୍ତନ ଆଦୌ ସମୁଚିତ ମନେ ହୁଏ ନାହିଁ ।

 

ଭାରତର ଅନ୍ୟାନ୍ୟ ପ୍ରଦେଶ ତୁଳନାରେ ଉତ୍କଳର ପ୍ରତିବେଶୀ ବଙ୍ଗଦେଶ ବିଶେଷଭାବେ ସୌନ୍ଦର୍ଯ୍ୟର ଉପାସକ । ଏମନ୍ତ କି ସୌନ୍ଦର୍ଯ୍ୟ-ମୁଗ୍‌ଧ ହୋଇ ଆଦର କରୁ କରୁ ଲୋଭ ସମ୍ବରଣ କରି ନ ପାରି ଛଳେ, ବଳେ, କୌଶଳେ ସୌନ୍ଦର୍ଯ୍ୟର ଉପାଦାନକୁ ମଧ୍ୟ ନିଜସ୍ୱ ବୋଲି ପ୍ରତିପାଦିତ କରିବା ପ୍ରଚେଷ୍ଟାରେ ସେମାନେ ଧୁରନ୍ଧର । ତେଣୁ ଶ୍ରୀଗୀତଗୋବିନ୍ଦର ରସ, ରାଗ, ତାଳରେ ଆକୃଷ୍ଟ ହୋଇ ଗୀତକର୍ତ୍ତାଙ୍କୁ ସୁଦ୍ଧା ତାଙ୍କ ଆପଣାର ବା ସ୍ୱଦେଶୀୟ କହିବାରେ କେତେକଙ୍କର ତିଳେ ହେଲେ କୁଣ୍ଠା ନାହିଁ ।

 

କବି ନିର୍ଦ୍ଦିଷ୍ଟ ରାଗ-ତାଳସହ ଶ୍ରୀଗୀତଗୋବିନ୍ଦର ଗୀତ ଦ୍ୱାଦଶ ଶତାଦ୍ଦୀରେ ରଚିତ । ଷୋଡ଼ଶ ଶତାଦ୍ଦୀର ଶେଷ ଭାଗରେ ପ୍ରବର୍ତ୍ତିତ କୀର୍ତ୍ତନ ଶୈଳୀରେ ସେହି ଗୀତଗୁଡ଼ିକୁ ପରିବେଷଣ କରି ଗୀତି-କାବ୍ୟ ତଥା ମହାକବିଙ୍କୁ ବଙ୍ଗବାସୀ ବୋଲି ଚିତ୍କାର କରିବାରେ ଯଥାର୍ଥତା କାହିଁ ?

 

ପ୍ରଥମ କଥା-ଉତ୍କଳରେ ନିଜର ସଙ୍ଗୀତ-ପଦ୍ଧତି ଏବଂ ସ୍ୱତନ୍ତ୍ର ଗାୟନଶୈଳୀ ପ୍ରଚଳିତ ଥିବାର ପ୍ରମାଣ ମହାମେଘବାହନ ସମ୍ରାଟ୍‌ ଖାରବେଳଙ୍କ କାଳର ଶୀଳାଲେଖ, ମନ୍ଦିରଗାତ୍ର, ବହୁ ତାମ୍ରଫଳକ ଓ ମାଦଳା ପାଞ୍ଜିଠାରୁ ଆରମ୍ଭ କରି ବିବିଧ ସଙ୍ଗୀତ ଗ୍ରନ୍ଥରୁ ସହଜରେ ମିଳିପାରୁଛି ।

 

ଅଷ୍ଟାଦଶ ଶତାଦ୍ଦୀ ପର୍ଯ୍ୟନ୍ତ ସଙ୍ଗୀତଗ୍ରନ୍ଥମାନ ଉତ୍କଳୀୟ ସଙ୍ଗୀତ-ବିଦ୍ୱାନ୍‌ମାନେ ପ୍ରଣୟନ କରିଯାଇଅଛନ୍ତି । ସେ ସମୟଠାରୁ ଆଜି ଅବଧି ବଙ୍ଗଳାରେ ଖଣ୍ଡିଏ ହେଲେ ସଙ୍ଗୀତ ଗ୍ରନ୍ଥ ପ୍ରଣୀତ ହେବାର ପ୍ରମାଣ ନାହିଁ । ନିକଟରେ ସ୍ୱାମୀ ପ୍ରଜ୍ଞାନାନନ୍ଦ ‘ସଙ୍ଗୀତ ସାର’ ନାମକ (ଘନଶ୍ୟାମ ଦାଶ ବିରଚିତ) ଖଣ୍ଡିଏ ସଙ୍ଗୀତ ଗ୍ରନ୍ଥ ବଙ୍ଗ ପ୍ରଦେଶରୁ ପ୍ରାପ୍ତ ଓ ଲିଖିତ ବୋଲି ଜଣାଇ ପ୍ରକାଶ କରିଅଛନ୍ତି । କେବଳ ଯେଉଁ ଯେଉଁ ସ୍ଥଳରେ ଓଡ଼ିଆ ଭାଷା ରଚିତ ଉଦାହରଣ ଗୀତମାନ ସଙ୍ଗୀତ ନାରାୟଣରେ ସ୍ଥାନ ପାଇଛି, ଶଂସିତ ଗ୍ରନ୍ଥରେ ସେହି ସେହି ଅଂଶ ଚତୁରତା ସହ ଅବଲୁପ୍ତ ବା ପରିବର୍ତ୍ତିତ । ସୁଖର କଥା, ଶ୍ଳୋକାଂଶଗୁଡ଼ିକର ଅଙ୍ଗଭଙ୍ଗ ଘଟିନାହିଁ । ଘନଶ୍ୟାମ ଦାଶଙ୍କ ଗ୍ରନ୍ଥଟି ପ୍ରକାଶିତ ଏବଂ ସଙ୍ଗୀତ ନାରାୟଣ ମଧ୍ୟ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀକର୍ତ୍ତୃକ ପ୍ରକାଶିତ । ଅନୁସନ୍ଧିତ୍ସୁ ରସିକଜନ ଉଭୟ ଗ୍ରନ୍ଥ ମିଳାଇ ପାଠ କଲେ କଥାର ସତ୍ୟତା ଉପଲବ୍‌ଧି କରିପାରିବେ । ତେଣୁ ଅଯଥା ଦୃଷ୍ଟାନ୍ତ ଉଲ୍ଲେଖ କରି ପୁସ୍ତକର କଳେବର ବୃଦ୍ଧି କରିବା ଅନାବଶ୍ୟକ ।

 

କୀର୍ତ୍ତନଶୈଳୀରେ ଶ୍ରୀଗୀତଗୋବିନ୍ଦର ଗୀତ ଗାୟନ ଅନେକେ ଶୁଣିଥିବେ । ଶ୍ରୀଗୀତଗୋବିନ୍ଦର ଭାଷା ସଂସ୍କୃତ । ଶଦ୍ଦାକ୍ଷରର ଗୁରୁଲଘୁ ଉଚ୍ଚାରଣ ରୀତି ଅବଶ୍ୟ ପାଳନୀୟ । ପୁଣି ଏହା ପ୍ରତିପାଳିତ ନୋହିଲେ ସ୍ୱର, ଅର୍ଥ ଏବଂ ରସ ସିଦ୍ଧିରେ ବିକୃତି ଘଟିବା ସ୍ୱାଭାବିକ । କୀର୍ତ୍ତନ-ଶୈଳୀରେ ‘ଜବର ଦଖଲ’ ରୀତିରେ ପରିବେଷଣ କରିବାଦ୍ୱାରା କବି, କାବ୍ୟ, ରସ ତଥା ସଙ୍ଗୀତ ପ୍ରତି କିପରି ଅବମାନନା ହୁଏ, ତାହା ବିଚାର-ବୁଦ୍ଧିସମ୍ପନ୍ନ ଶ୍ରୋତା ଅବଶ୍ୟ ହୃଦୟଙ୍ଗମ କରିପାରିବେ । ସହଜ ପ୍ରମାଣ-ପ୍ରତ୍ୟୟନିମିତ୍ତ ଗ୍ରାମଫୋନ୍‌ ରେକର୍ଡ଼୍‌ କମ୍ପାନୀଦ୍ୱାରା କେତେକ ବଙ୍ଗୀୟ ଶିଳ୍ପୀଙ୍କଦ୍ୱାରା ରେକର୍ଡ଼୍‌କ ରାଯାଇଥିବା କେତୋଟି ଶ୍ରୀଗୀତଗୋବିନ୍ଦର ସଙ୍ଗୀତ ପ୍ରଣୀଧାନଯୋଗ୍ୟ ।

 

ଏ କଥା ବୁଝିବା ଉଚିତ ଯେ ଯେଉଁ ଗୀତ ରଚନାଟି ଯେଉଁ ସ୍ୱତନ୍ତ୍ର ବିଭାଗୀୟ ସଙ୍ଗୀତଲାଗି ଅଭିପ୍ରେତ, ତାହା କେବଳ ସେହି ରୀତିରେ ଗାୟନର ଉପଯୁକ୍ତ । ଧ୍ରୁବପଦା ବା ଧ୍ରୁପଦ ଧାରାରେ ରଚିତ ଗୀତକୁ ପଲ୍ଲୀସ୍ୱର ବା ଲଘୁସଙ୍ଗୀତ ରୀତିରେ ଗାଇଲେ ଅଥବା ପଲ୍ଲୀସ୍ୱରରେ ଗାୟନର ଉପଯୁକ୍ତ ଗୀତରଚନାକୁ କଳ୍ପନା ସଙ୍ଗୀତ ବା ଖୟାଲ ରୀତିରେ ଗାଇବସିଲେ ଶ୍ରୋତାର କାନ ମନକୁ ତାହା ଅରୁଚିକର ହେବ ଓ ଗୀତର ରସ, ଭାବ, ଭାଷା ବା ସ୍ୱର-ତାଳ ସବୁ ଦିଗରୁ ମଧ୍ୟ ଅଖଞ୍ଜିଆ ଲାଗିବ ।

 

କୀର୍ତ୍ତନଗାନ ସାଧାରଣତଃ ଧ୍ରୁବା ବା ଘୋଷା ପଦର ଅପେକ୍ଷା କରେ ନାହିଁ । କୀର୍ତ୍ତନର ଭାଷା ରଚନାରେ ସ୍ୱତନ୍ତ୍ରତା ବା ବିଶେଷତ୍ୱ ଅଛି । ଶ୍ରୀଗୀତଗୋବିନ୍ଦ କୀର୍ତ୍ତନ ସ୍ୱରରେ ଗାଇବାଲାଗି ରଚିତ ନୁହେଁ କିମ୍ବା ଶ୍ରୀଗୀତଗୋବିନ୍ଦ ପ୍ରଣୟନକାଳକୁ କୀର୍ତ୍ତନଶୈଳୀର ନାମ ଗନ୍ଧ ମଧ୍ୟ ଶୁଣା ନ ଥିଲା । ଶ୍ରୀଗୀତଗୋବିନ୍ଦର ଗୀତଗୁଡ଼ିକ ଭାଷାପ୍ରଧାନ, ପଦ ବା ଚରଣ-ବହୁଳ, ଯମକ ଓ ଅନୁପ୍ରାସମଣ୍ଡିତ । ଏହା କୀର୍ତ୍ତନଶୈଳୀରେ ଗାୟନର ଆଦୌ ଉପଯୁକ୍ତ ନୁହେଁ । ଏତଦ୍ୱାରା ରସପୁଷ୍ଟି ହେବା ଅପେକ୍ଷା ବରଂ ପଦେ ପଦେ ରସଦୃଷ୍ଟିର ଆପଦ ସମ୍ଭାବନା ଅଧିକ ।

 

ପ୍ରତ୍ୟେକ ଶ୍ରୋତାଙ୍କର କାନ ମନ ଧ୍ରୁପଦ, କଳ୍ପନା, ପଲ୍ଲୀ, କୀର୍ତ୍ତନ ବା ଲଘୁ ସଙ୍ଗୀତକୁ ସମାନଭାବେ ଗ୍ରହଣ କରିବାରେ ଅଭ୍ୟସ୍ତ ନୁହେଁ । ତେଣୁ ଉଚ୍ଚାଙ୍ଗ ସଙ୍ଗୀତ କାହାରି କାହାରି ପ୍ରୀତିପ୍ରଦ ହୋଇପାରେ ନାହିଁ । ପୁଣି ଲଘୁ ସଙ୍ଗୀତକୁ ମଧ୍ୟ ସେହିପରି କେତେ ଶ୍ରୋତା ପସନ୍ଦ କରିପାରନ୍ତି ନାହିଁ । ଯାହାଙ୍କର କାନ ଯେପରି ରୀତିର ସଙ୍ଗୀତ ଶୁଣିବାରେ ଅଭ୍ୟସ୍ତ, ତାଙ୍କୁ ସେହି ଧାରାର ସଙ୍ଗୀତ ହିଁ ସୁଖ ଲାଗେ । ଏଥିରେ ଅସ୍ୱାଭାବିକତା କିଛି ନାହିଁ । ରସାନୁସାରୀ ଶାସ୍ତ୍ରୀୟ ରାଗତାଳରେ ଗୀତଗୁଡ଼ିକ ରଚିତ ହୋଇଥିଲେ ହେଁ ଶ୍ରୀଗୀତଗୋବିନ୍ଦକୁ ବଙ୍ଗୀୟମାନେ ପ୍ରାୟ କୀର୍ତ୍ତନ ଢଙ୍ଗରେ ଗାଇବା ଓ ଶୁଣିବାରେ ଅଭ୍ୟସ୍ତ ।

 

ଏହିପରି ଜଣେ ବଙ୍ଗୀୟ ସ୍ୱନାମଧନ୍ୟ ପଣ୍ଡିତ ଓଡ଼ିଶାରେ ଶ୍ରୀଗୀତଗୋବିନ୍ଦ ଗାୟନଶୈଳୀକୁ ପସନ୍ଦ କରି ନ ପାରି ନିଜର ସଙ୍ଗୀତ-ଜ୍ଞାନବତ୍ତାର ଗୌରବ-ଡିଣ୍ଡିମ ବାଦନ କରିଥିବାର ଗୋଟିଏ ଦୃଷ୍ଟାନ୍ତ ଦେଖି ମନେ ପଡ଼ିଯାଏ ରସିକ କବିଙ୍କର ସ୍ଥାନ-କାଳ-ପାତ୍ରାନୁସାରୀ ଏକ ତୁରନ୍ତ ରଚନା-

 

‘‘ଅନ୍ଧ ଦେଶକୁ ଗଲି ଦର୍ପଣ ବିକି

କନ୍ଧ ହସ୍ତରେ ଦେଲି ଗୋଦାନ ଟେକି

ଜଡ଼ା ମଧୂରେ ଖଡା କଲି ରନ୍ଧନ

କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ ।

ଭୋ ରାଜା କି କଲ,

ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ ?’’

 

ଶ୍ରୀମନ୍ଦିରରେ ଶ୍ରୀଗୀତଗୋବିନ୍ଦ ଗାୟନ ସମ୍ବନ୍ଧେ ମନ୍ତବ୍ୟଦାତା ପଣ୍ଡିତ-ପ୍ରବରଙ୍କ ନାମ ଶ୍ରୀ ହରେକୃଷ୍ଣ ମୁଖୋପାଧ୍ୟାୟ ମହୋଦୟ ।

ଗ୍ରନ୍ଥନାମ-କବି ଜୟଦେବ ଓ ଶ୍ରୀଗୀତଗୋବିନ୍ଦ । ପ୍ରକାଶକ-ଗୁରୁଦାସ ଚଟ୍ଟୋପାଧ୍ୟାୟ ।

ପାଠୋଦ୍ଧାର ଯଥା:-ସଂସ୍କରଣ-ଚତୁର୍ଥ, ଉଦ୍ଧୃତ ପାଠ-୯୦ପୃଷ୍ଠା ।

 

‘‘କଥିତ ଆଛେ, ସୁଦୂର ମହାରାଷ୍ଟ୍ରେ ଓ ଦକ୍ଷିଣ ଭାରତେ ଏଖନୋ ଜୟଦେବେର ଗୀତ ପ୍ରଚଳିତ ଆଛେ । ମହାରାଷ୍ଟ୍ରେର୍ ଜୟଦେବଗୀତିର କିଛୁ ନମୁନା ଏକବାର୍‌ ଶୁନେଓଛି,-ସୁର୍‌ ନିଜଦେର୍‌ ମନଗଢ଼ା ମନେ ହୟେଛିଲ, ତାଲଗୁଲିଓ ଛିଲ ପ୍ରଚଳିତ ଉଚ୍ଚାଙ୍ଗ ସଙ୍ଗୀତେର୍‌ ବିଭିନ୍ନ ତାଲ । ଏକ୍‌ବାର୍‌ ଖବର୍‌ ପାଓୟା ଗେଲ-ପୁରୀର୍‌ ଜଗନ୍ନାଥ ମନ୍ଦିରେ ବିଶେଷ ବିଶେଷ ଦିନେ ଦେବଦାସୀଦେର୍‌ କଣ୍ଠେ ଶ୍ରୀଗୀତଗୋବିନ୍ଦ ଗୀତ ହୟ । ଛଲେ ବଲେ କୌଶଲେ ସାଧାରଣେର୍‌ ପକ୍ଷେ ଶୋନା ନିଷେଧ ଥାକା ସତ୍ତ୍ୱେଓ ଏଇ ଗାନ୍‌ ଏକ୍‌ବାର୍‌ ଶୁନ୍‌ତେ ପେୟେଛି । ଶୁନେ, ଉଡ଼ିଶ୍ୟାର ପାଡ଼ାଗେୟେଁ ‘ଉଡ଼ିଷ୍ୟ୍‌’ ଗାନେର୍‌ ସଙ୍ଗେ ଏର୍‌ ସାଙ୍ଗୀତିକ ରୂପେର୍‌ କୋନ୍‌ ପ୍ରଭେଦଇ ଆମି ବୁଝ୍‌ତେ ପାରିନି । ତବେ ଏଇଟ୍‌କୁ ନିଃସଂଶୟେ ବୁଝେଛି ଯେ, ଏ ଗାନ୍‌ ଯାରା ଶୋନେନ୍‌ ନି ତାରାଇ ଜୟଦେବର୍ ଗୀତ ଶୋନ୍‌ବାର୍‌ ସୌଭାଗ୍ୟ ଥେକେ ବଞ୍ଚିତ ହୟେଛେନ୍‌, ଏଟା ଏକ୍‌ବାରେଇ ଠିକ୍‌ କଥା ନୟ୍‌ ।’’

 

ପଣ୍ଡିତ ମୁଖୋପାଧ୍ୟାୟଙ୍କ ଏଇ ମନ୍ତବ୍ୟ ତାଙ୍କର ସଙ୍ଗୀତଜ୍ଞାନ-ପାଣ୍ଡିତ୍ୟର ସୁପରିଚାୟକ ।

 

ସେ ମହାରାଷ୍ଟ୍ରର ଗୀତ ନମୂନା ଶୁଣିଲେ । ସ୍ୱର ନିଜର ମନଗଢ଼ା ଓ ତାଳ ଥିଲା ପ୍ରଚଳିତ ଉଚ୍ଚାଙ୍ଗ ଶ୍ରେଣୀୟ । କାନ ଯାହାଙ୍କର ଜୟଦେବଙ୍କ ଗୀତ କୀର୍ତ୍ତନଢଙ୍ଗରେ ଶୁଣିବାରେ ଅଭ୍ୟସ୍ତ, ସେ ଲେଖିଛନ୍ତି ‘ନିଜେର୍‌ ମନଗଢ଼ା ସ୍ୱର’ରେ ମହାରାଷ୍ଟ୍ରୀୟ ଗାୟକ ଗାଉଥିଲେ । ପଣ୍ଡିତଜୀ କିପରି ବୁଝିଲେ କେଉଁଟି ଶ୍ରୀଗୀତଗୋବିନ୍ଦର ନିର୍ଦ୍ଦିଷ୍ଟ ସ୍ୱର ବା ରାଗ ଏବଂ କେଉଁଟି ମହାରାଷ୍ଟ୍ରୀୟ ଗାୟକଙ୍କର ମନଗଢ଼ା ସ୍ୱର ? ପୁଣି ଲେଖିଛନ୍ତି ପ୍ରଚଳିତ ଉଚ୍ଚାଙ୍ଗ ତାଳ, ଏ କିପରି ତାଳ ବା କି କି ତାଳ ବୁଝିହେଲା ନାହିଁ ।

 

ଆଉ ତାଙ୍କର ଶ୍ରୀମନ୍ଦିରରେ ଶ୍ରୀଗୀତଗୋବିନ୍ଦ ଶୁଣିବା କଥା-ଅବଶ୍ୟ ସେ ଯାତ୍ରୀରୂପେ କେବେ ଠାକୁରଙ୍କ ଦର୍ଶନକୁ ଆସି ଓଡ଼ିଆ ପଣ୍ଡାଙ୍କ ‘ପାଉଁ-ପୂଜା’ ଏବଂ ‘ଆଟିକା’ କରିଥିବେ । ସେହି ସମୟରେ ଶ୍ରୀଗୀତଗୋବିନ୍ଦସମ୍ବନ୍ଧେ ତାଙ୍କର କୌତୂହଳ ଅବଶ୍ୟ ଜନ୍ମିଥିବ । ଶ୍ରୀମନ୍ଦିରରେ ତ୍ରୟୋଦଶ ଶତାଦ୍ଦୀ-ଠାରୁ ଏବଂ ତହିଁପରେ ଗଜପତି ପୁରୁଷୋତ୍ତମଦେବଙ୍କ ଆଦେଶ ଅନୁସାରେ ଶ୍ରୀଗୀତଗୋବିନ୍ଦ ନୀତିରୂପେ ପ୍ରଚଳିତ ଥିବାର ଜଣାଶୁଣା କଥା । ପୁଣି ‘ଏ ଗୀତ ସାଧାରଣପକ୍ଷେ ଶୁଣିବା ନିଷେଧ । ବିଶେଷ ବିଶେଷ ଦିନରେ ଗୀତ ହୁଏ ଓ ଛଳେ ବଳେ କୌଶଳେ ମୁଖୋପାଧ୍ୟାୟ ମହାଶୟ ଶୁଣିଲେ’ ବୋଲି ଲେଖିଛନ୍ତି । ତେବେ ଅସାଧାରଣ ଯାତ୍ରୀରୂପେ ସେ ବିଶେଷ ଦିନରେ ଏବଂ କୌଶଳରେ ଗୀତ ଶୁଣିଥିବେ ନିଶ୍ଚୟ । ତାଙ୍କର ଏ ଶ୍ରୀଗୀତଗୋବିନ୍ଦ ଶ୍ରବଣଜନିତ ପ୍ରୌଢ଼ୀ ସତ୍ୟଠାରୁ ବହୁ ଦୂର କଳ୍ପନା ବୋଲି କହିବାକୁ ହେବ, କାରଣ ଶ୍ରୀଗୀତଗୋବିନ୍ଦ ଶୁଣିବାକୁ କାହାରିପ୍ରତି କୌଣସି ବାଧା-ବାରଣର ପ୍ରଶ୍ନ ନାହିଁ । କେବଳ ବିଶେଷ ବିଶେଷ ଦିନରେ ଶ୍ରୀଗୀତଗୋବିନ୍ଦ ଗୀତ ହେବାର କୌଣସି ବିଧି-ବିଧାନ ମଧ୍ୟ ନାହିଁ । ତେଣୁ ଛଳେ, ବଳେ, କୌଶଳେ ତାହା ଶୁଣିଥିବାର ବଡ଼ିମା ପ୍ରକାଶଲାଗି ଅବକାଶ ଆଦୌ ଥିବାପରି ତ ମନେ ହୁଏ ନାହିଁ ।

 

‘ଓଡ଼ିଶୀ’ ଗୀତ କାହାକୁ କହନ୍ତି ଅବା ତାହାର ବିଶେଷତ୍ୱ କଅଣ, ସେକଥା ପଣ୍ଡିତ ମହାଶୟଙ୍କ ସଙ୍ଗୀତାଭିଧାନବହିର୍ଭୁତ । ‘ପାଡ଼ାଗେୟେଁ ଉଡ଼ିଶ୍ୟି’ ଗାନ ତାଙ୍କର ଏକ ଅଭିନବ ଆବିଷ୍କାର । ସମ୍ଭବତଃ ପଣ୍ଡିତଜୀ ‘ଉଡ଼ିଷ୍ୟି’ ଗାନକୁ କେବଳ ଓଡ଼ିଆ ଭାଷା ରଚିତ ଗୀତ ବୋଲି ମନେ କରିଛନ୍ତି । ହୋଇଥାଇପାରେ ତାଙ୍କ କାନରେ କେହି ଅଶିକ୍ଷିତ ଗାଉଁଲୀ ଲୋକଠାରୁ ବା ତାଙ୍କ ପ୍ରଦେଶର ‘ବାଉଲ’ ଗାୟକଭଳି ଓଡ଼ିଶାର ‘ଯୋଗୀ’ ବା ସେହି ଶ୍ରେଣୀୟ କାହାରି କାହାରିଠାରୁ ସେ ଓଡ଼ିଆ ଭାଷା-ଗୀତ ଶୁଣାଥାଇପାରନ୍ତି । ତାହାକୁ ‘ଉଡ଼ିଷ୍ୟି’ (!) ଗାନ ମନେ କରିବା ଜଳୁଜଳିଆ ଦେଖି ଚନ୍ଦ୍ର ବୋଲି ବିଚାରିବା ନ୍ୟାୟ ସିନା !

 

ପୁଣି ପଣ୍ଡିତଜୀ ଲେଖିଛନ୍ତି, ‘‘ବାଂଲାର୍‌ ଉଚ୍ଚାଙ୍ଗ କୀର୍ତ୍ତନ ଗାୟକଦେର୍‌ ମଧ୍ୟେ ଜୟଦେବର୍‌ କୋନ୍‌ କୋନ୍‌ ପଦ ଗାଇବାର ପଦ୍ଧତି ପ୍ରଚଳିତ ଆଚ୍ଛେ । ତବେ କୀର୍ତ୍ତନିୟାଗଣ ରାଗସମ୍ଭନ୍ଧେ ତେମନ ସଚେତନ ନନ, ଯଦିଓ କୋନ୍‌ କୋନ୍‌ ପଦେର୍‌ ତାଲ୍‌ ଯଥାଯଥ ବଜାୟ ରଖିବାର ପ୍ରତି କୋନ୍‌ କୋନ୍‌ ଗାୟକ ଯତ୍ନବାନ୍‌ । କୋନ୍‌ କୋନ କୀର୍ତ୍ତନଗାୟକ ରାଗରାଗିଣୀ ସମ୍ବନ୍ଧେ କଥାଓ ବଲେନ୍‌, କିନ୍ତୁ ରାଗେର୍‌ ସ୍ୱର ରୂପେର୍‌ କଥା ଜିଜ୍ଞାସା କ’ରେ ତାଦେର୍‌ କାଛ ଥେକେ କୋନ୍‌ ସନ୍ତୋଷ-ଜନକ ଉତ୍ତର ପାଓୟା ଯାୟନା ।’’ (କ: ଜ:-ପୃ୯୧)

 

ପଣ୍ଡିତ ମହାଶୟ କୀର୍ତ୍ତନଶୈଳୀରେ ଉଚ୍ଚାଙ୍ଗ କୀର୍ତ୍ତନ କାହାକୁ କହିଛନ୍ତି, ବୁଝାଯାଉ ନାହିଁ । ବିଶେଷତଃ ସେ ଯେତେବେଳେ ଉଚ୍ଚାଙ୍ଗ ବୋଲି କହୁଥିବା କୀର୍ତ୍ତନଗାୟକମାନଙ୍କଠାରୁ ରାଗତାଳ ସମ୍ବନ୍ଧେ ସନ୍ତୋଷଜନକ ଉତ୍ତର ପାଆନ୍ତି ନାହିଁ ବୋଲି ନିଜ ଅନୁଭୂତିରୁ ଲେଖିଛନ୍ତି ସେତେବେଳେ ରାଗତାଳର ନୀତି-ନିୟମବିହୀନ କୀର୍ତ୍ତନକୁ କଅଣ ଉଚ୍ଚାଙ୍ଗ ସଂକୀର୍ତ୍ତନ କୁହାଯିବ ?

 

ଶ୍ରୀଗୀତଗୋବିନ୍ଦର ଗୀତଗୁଡ଼ିକ ରାଗ-ତାଳ-ନିବଦ୍ଧ କ୍ଷୁଦ୍ରଗୀତ-ଶ୍ରେଣୀୟ ସଙ୍ଗୀତ । ଜୟଦେବ ବଙ୍ଗୀୟ ହୋଇଥିଲେ ତାଙ୍କ ରଚିତ ଗୀତ-ଗୁଡ଼ିକ ରାଗ-ତାଳ ଅଶାସିତ ଏବଂ ଶାସ୍ତ୍ରୀୟ ସଙ୍ଗୀତର ନିୟମବହିର୍ଭୂତ ସାଧାରଣ ପଲ୍ଲୀଗୀତପରି ଏକ ସ୍ୱତନ୍ତ୍ର ରୀତିରେ ସେଠାରେ ପ୍ରଚଳିତ ହେଉ ନ ଥାନ୍ତା । ଅନ୍ତତଃ କେତେ ଜଣ ହେଲେ ବଙ୍ଗୀୟ ରାଗ-ତାଳ ଓ ଶୈଳୀ ପ୍ରତି ସମ୍ମାନ ଦେଖାଉଥାଆନ୍ତେ ।

 

ଷୋଡ଼ଶ ଶତାଦ୍ଦୀରେ ଶ୍ରୀ ଚୈତନ୍ୟଙ୍କର ପୁରୁଷୋତ୍ତମ କ୍ଷେତ୍ର ରହଣିକାଳରେ ଶ୍ରୀଗୀତଗୋବିନ୍ଦ ଗୀତର ରସ-ରାଗ-ତାଳ ତାଙ୍କପରି ପରମ ଭକ୍ତଙ୍କ ପ୍ରାଣ ଆଲୋଡ଼ିତ କରିଛି । ତେଣୁ ସେ ଶ୍ରୀଗୀତଗୋବିନ୍ଦକୁ ନିତ୍ୟ-ପାଠରୂପେ ବରଣ କରିଥିଲେ । ଶ୍ରୀଗୌରାଙ୍ଗଙ୍କର ଶ୍ରୀଗୀତଗୋବିନ୍ଦ-ପ୍ରତି ଏବଂବିଧ ସଭକ୍ତି ସମାଦାର, ଶ୍ରୀଚୈତନ୍ୟପନ୍ଥୀ ବୈଷ୍ଣବମାନଙ୍କର ତହିଁପ୍ରତି ଆଗ୍ରହ, ସ୍ନେହ ଓ ଭକ୍ତି ବହୁଗୁଣିତ କରିଦେବା ସ୍ୱାଭାବିକ । ଶ୍ରୀଚୈତନ୍ୟ ହିଁ କୀର୍ତ୍ତନଶୈଳୀର ସ୍ରଷ୍ଟା । ବଙ୍ଗଦେଶରେ କୀର୍ତ୍ତନଗୁଡ଼ିକ ବିଶେଷତଃ ରାଧାକୃଷ୍ଣ-ମାଧୁର୍ଯ୍ୟରସପ୍ରଧାନ । ସେ ପ୍ରଦଶେରେ ଏହି ରାଧାକୃଷ୍ଣ-ଲୀଳାତତ୍ତ୍ୱ ପ୍ରଚାରିତ ହୁଏ, ଉତ୍କଳ (କଳିଙ୍ଗ) ଇତ୍ୟାଦି ପ୍ରଦେଶର ବହୁ ପରେ । ଦେଖିବାକୁ ଗଲେ କୃଷ୍ଣଦାସ କବିରାଜଙ୍କ ରଚିତ ‘ଗୋବିନ୍ଦ-ଲୀଳାମୃତ’ ବଙ୍ଗ ଦେଶରେ ଏହି ମାଧୂର୍ଯ୍ୟଲୀଳା ପ୍ରଚାରର ଅନ୍ୟତମ ପ୍ରଧାନ ସହାୟକ । ତହୁଁ ବଙ୍ଗ ଦେଶରେ ବୈଷ୍ଣବମଣ୍ଡଳୀଙ୍କଦ୍ୱାରା ଶ୍ରୀଗୀତଗୋବିନ୍ଦ କୀର୍ତ୍ତନରୀତିରେ ଗୀତ ଓ ପ୍ରଚାରିତ ହୋଇ ଅବଧି ତାହା ସେହି ଧାରାରେ ପ୍ରଚଳିତ । ଥରେ କୌଣସି ବିଷୟ ବା ପଦାର୍ଥପ୍ରତି, ଯେଉଁ କାରଣରୁ ହେଉଁ ପଛେ, ପ୍ରଭୁତ ମାୟା-ମମତା ସୃଷ୍ଟି ହେଲେ, ଆଉ ସେ ରୁଚିର ପରିବର୍ତ୍ତନ ସହଜ ସମ୍ଭବ ନୁହେଁ । ଏହା ମାନବର ଧର୍ମ ।

 

ଏହି ଶତାଦ୍ଦୀ ପୂର୍ବରୁ ସମ୍ଭବତଃ ଜୟଦେବ ବା ଶ୍ରୀଗୀତଗୋବିନ୍ଦ ଗ୍ରନ୍ଥ ବଙ୍ଗଳାରେ ଅପରିଚିତ କିମ୍ବା ସ୍ୱଳ୍ପ ପରିଚିତ ଥିଲା । ନଚେତ୍‌ ଜୟଦେବକୃତ ରାଗତାଳଯୁକ୍ତ ଅବିସ୍ମୃତ ଶ୍ରୀଗୀତଗୋବିନ୍ଦ ଗାୟନରୀତିର ପରମ୍ପରା ରକ୍ଷା ତିଳେ ହେଲେ ସମ୍ଭବ ହୋଇପାରି ନ ଥାଆନ୍ତା ବଙ୍ଗଦେଶରେ କିପରି ?

 

ଏ କଥା ସ୍ୱୀକାର୍ଯ୍ୟ ଯେ, ସଙ୍ଗୀତର ସ୍ୱରକୁ ଧରିରଖିବାର ବିଶିଷ୍ଟ ଉପାୟ ସ୍ୱରୂପ ଯଥାନିର୍ଦ୍ଦିଷ୍ଟ ସ୍ୱରଲିପିର ପ୍ରବର୍ତ୍ତନା ଦ୍ୱାଦଶ ଶତାଦ୍ଦୀରେ ଦେଖା ନ ଥିଲା । ସ୍ୱରଲିପି ଲିଖନ ପ୍ରଥା ତ ଏହି ଶତକର କଥା । ଗୁରୁ-ମୁଖରୁ ଶୁଣି ସଙ୍ଗୀତ ଶିକ୍ଷାର ରୀତି ପ୍ରଚଳିତ ଥିଲା । ଏଥିନିମିତ୍ତ ରାଗସ୍ୱରର ଶୁଦ୍ଧତା ରକ୍ଷା ସବୁବେଳେ ସମ୍ଭବ ହୋଇ ନ ପାରେ । କିନ୍ତୁ ଗାୟକୀ ଶୈଳୀ ରାଗର ଛାୟା-ଛଡ଼ା ବା ଧାରା-ହରା କିପରି ହେବ ? ‘ଶୁଣି-ଶିଖା’ରେ ସ୍ୱର ବ୍ୟବହାରର ପ୍ରମାଦ ଘଟିବାର ସମ୍ଭାବନା ରହିଛି ବୋଲି ଅବଶ୍ୟ ଧରି-ନିଆଯାଇପାରେ । କିନ୍ତୁ ଗାୟକୀ ଧାରାର ରଙ୍ଗ ଏକାବେଳେ ବଦଳିଯାଇ, କ୍ଷୁଦ୍ରଗୀତର ଚିତ୍ରକଳା ରୀତିର ସତ୍ତାପତ୍ତା ହରାଇ ତାହା ପଲ୍ଲୀ ଗୀତ ବା କୀର୍ତ୍ତନଶୈଳୀରେ ପରିଣତ ହେବା ତ ସମ୍ଭବ ନୁହେଁ ।

 

ପୂର୍ବୋକ୍ତ ପରିସ୍ଥିତିରେ ଓଡ଼ିଶାରେ ଯେ ଶ୍ରୀଗୀତଗୋବିନ୍ଦର ଗୀତ ରାଗର ଶାସ୍ତ୍ରୀୟ ଶୁଦ୍ଧତା ନିରାଟଭାବେ ଅବଧି ସଂରକ୍ଷିତ, ଏପରି କଥା କୁହାଯାଇ ନ ପାରେ; ମାତ୍ର ଗାୟନ ଶୈଳୀରପରମ୍ପରା ଅବଧି ‘କୁଳବୁଡ଼ା’ ହୋଇ ନାହିଁ । ରାଗର ନାମ ଓ ସ୍ୱର ବିଧାନ ଇତ୍ୟାଦିର ଯଥେଷ୍ଟ ପରିବର୍ତ୍ତନ ଘଟିଆସୁଛି କାଳର ଗତିରେ । ସେତେବେଳର ‘ଛନ୍ଦୋବତୀ’ ଶ୍ରୁତି (୪ର୍ଥ) ଷଡ଼ଜ ସ୍ୱର, ଆଜି ବୈଜ୍ଞାନିକ ପ୍ରମାଣ ପ୍ରତିଷ୍ଠାନୁସାରେ ‘ତୀବ୍ରା’ (୧୮) ଶ୍ରୁତିରେ ଅବସ୍ଥିତ । ଏହାଦ୍ୱାରା ଶୁଦ୍ଧ ସପ୍ତକର ରୂପ ଏକାବେଳେ ବଦଳିଯାଇଛି । ତେଣୁ ରାଗର ସ୍ୱରବିଧି ଅନ୍ୟ ରୂପ ଧରିବା ସ୍ୱାଭାବିକ । ଏସମସ୍ତ ସମ୍ଭବ, କିନ୍ତୁ ଗାୟକୀ ରୀତି, ଶୈଳୀ ବା ପଦ୍ଧତି ବଦଳିବା ତ ସମ୍ଭବ ନୁହେଁ ।

 

ସେହିପରି କେତେକ ତାଳର ନାମ ପରିବର୍ତ୍ତନ ଘଟିଅଛି ଦେଶ-କାଳ-ପାତ୍ରନୁସାରେ । ପାରସ୍ୟ ପ୍ରଭାବପାତହେତୁ ଉତ୍ତର-ଭାରତରେ ଭାରତୀୟ ସଙ୍ଗୀତର ରାଗ-ତାଳ ନାମ ଓ ରୂପ-ରଙ୍ଗର କେତେକ ପରିବର୍ତ୍ତନ ଘଟିଅଛି-ଯେପରି କି ରାଗରେ-ମିୟା ମହ୍ଲାର, ଦରବାରୀ କାନଡ଼ା ଇତ୍ୟାଦି । ତାଳରେ-ଦିପଚନ୍ଦ, ଆଡ଼ଠେକା, ପୋସ୍ତ ଇତ୍ୟାଦି । ଏଗୁଡ଼ିକ ପ୍ରାଚୀନ ଭାରତୀୟ ସଙ୍ଗୀତଶାସ୍ତ୍ରର ଅନୁମୋଦିତ ନାମ ନୁହେଁ, କିନ୍ତୁ ଏ କଥା ସ୍ୱୀକାର୍ଯ୍ୟ ଯେ ଏସବୁରି ମଧ୍ୟରେ ଭାରତୀୟ କୃଷ୍ଟି ଓତପ୍ରୋତ ଭାବେ ଜଡ଼ିତ-ପ୍ରକାଶିତ ।

 

ଦକ୍ଷିଣ-ଭାରତୀୟ ପଦ୍ଧତି ବା ରୀତି ଅବଶ୍ୟ ନିଆରା, ତଥାପି ଏକା-ବେଳକେ ସତ୍ତା-ବିଚ୍ୟୁତ ନୁହେଁ । ‘ଦେଶେ ଦେଶେ ଭିନ୍ନନାମ୍ନା’ ଏହି ଧାରାନୁସରଣରେ ଭିନ୍ନ ଭିନ୍ନ ନାମ ଦିଆଯାଇଅଛି । ଦେଶ ଓ ରୁଚି ଅନୁଯାୟୀ ଏପରି ଘଟେ, କିନ୍ତୁ ଅର୍ଥକୁ ଅନର୍ଥ କରିବା ଅନଭିଜ୍ଞତାର ପରିଚୟ ।

 

ଶ୍ରୀଗୀତଗୋବିନ୍ଦର ପ୍ରସିଦ୍ଧ ‘ବଦସି ଯଦି କିଞ୍ଚିଦପି’ ଗୀତଟିର ତାଳ ଅଷ୍ଟତାଳି । ପ୍ରକାଶିତ ବା ଅପ୍ରକାଶିତ ଶ୍ରୀଗୀତଗୋବିନ୍ଦ ଗ୍ରନ୍ଥ ଏବଂ ଟୀକାମାନଙ୍କରେ ଏ ନାମ ସମ୍ବନ୍ଧେ ସମସ୍ତେ ସମସ୍ୱରୀ ।

 

ଅଷ୍ଟତାଳିର ଦେଶଜ ନାମ ଆଠତାଳି ବା ଆଡ଼ତାଳି । ଏ ତାଳଟି କେବଳ ଓଡ଼ିଶାରେ ପ୍ରଚଳିତ-ଏପରି କି ଓଡ଼ିଶାର ଅତି ସାଧାରଣ ‘ନାନାବାୟା’ ଗୀତ ଏହି ତାଳରେ ପ୍ରସ୍ତୁତ । ଅଶିକ୍ଷିତା ପଲ୍ଲୀବଧୂ ମଧ୍ୟ ତା’ର ଅଲିଅଳ ଅଝଟିଆ ସନ୍ତାନକୁ ଏହି ତାଳରେ ଗୀତ ଗାଇ ଆଖିରେ ତା’ର ନିଦ ଭରିଦିଏ । ଏହାର ତାଳ ପାତନର ଏକ ବିଶେଷତ୍ୱ ଅଛି । ଓଡ଼ିଆବାସୀଙ୍କର ଏହା ଗୋଟିଏ ଅତି ପ୍ରିୟ ତାଳ ।

 

ପଣ୍ଡିତ ମୁଖୋପାଧ୍ୟାୟ ଲେଖିଛନ୍ତି (୯୮ପୃଷ୍ଠା) ଯେ ‘‘ଏକ୍‌ଟି ହଚ୍ଛେ ଅଷ୍ଟତାଲ୍‌ । ଅଷ୍ଟତାଲ୍‌ ଆସଲେ ଆଠଟି ବିଭିନ୍ନ ତାଲେର୍‌ ସମାବେଶ । ‘ବଦସି ଯଦି କିଞ୍ଚଦପି’ ଗାନ ଖାନି ଏଖନୋ କୋନ୍‌ କୋନ୍‌ କୀର୍ତ୍ତନିୟାର୍‌ ମୁଖେ ଅଷ୍ଟତାଲେଇ ଗାଇତେ ଶୋନାଯାୟ । ଅଷ୍ଟତାଲେର୍‌ ଅନ୍ତର୍ଗତ ଆଠଟି ବିଭିନ୍ନ ତାଲେର୍‌ ନାମ-ଆଡ଼, ଦୋଜ, ଜ୍ୟୋତି (ବା ଯତି), ଚନ୍ଦ୍ରଶେଖର, ଗଞ୍ଜନ, ପଞ୍ଚ, ରୂପକ ଓ ସମ । ପରୀକ୍ଷା କରେ ଦେଖା ଗିୟେଚ୍ଛେ ସଙ୍ଗୀତଶାସ୍ତ୍ରେ ଏଇ ସବ ତାଲେର୍‌ ଯେ ଲକ୍ଷଣ ବର୍ଣ୍ଣିତ ଆଛେ କୀର୍ତ୍ତନେର୍‌ ଆସରେ ତା ଅପରିଚିତ ହୟେ ପଡ଼େନି ।’’

 

ପ୍ରଶ୍ନ ଉଠେ, ଅଷ୍ଟତାଳର ସମାବେଶ କହିଲେ ତାହା କେତେ କେତେ ମାତ୍ରାର ତାଳ ହେବ ? ଯେତେଗୁଡ଼ିକ ତାଳ ନାମ ଆଲୋଚନାରେ ଲେଖା ଯାଇଅଛି, ତାହାର ମାତ୍ରା ସଂଖ୍ୟା କେତେ ?

 

ରସ ହିଁ ସଙ୍ଗୀତର ମୁଖ୍ୟ । ‘ବଦସି ଯଦି କିଞ୍ଚଦପି’ ଗୀତଟି ଯେଉଁ ଅବସ୍ଥାରେ, ଯେଉଁ ପାତ୍ରଙ୍କଦ୍ୱାରା, ଯାହାଙ୍କ ଉଦ୍ଦେଶ୍ୟରେ ରଚିତ, ସର୍ବାଦୌ ତାହା ବିବେଚ୍ୟ । ତାଳର ବ୍ୟବହାର ବା ସଂଯୋଗ-ବିବେଚନା ମଧ୍ୟ ରସାନୁକୂଳକ ହେବା ବାଞ୍ଛନୀୟ । ପ୍ରାଚୀନ କାଳରୁ ଏ ରୀତି ଯୁଗ ଯୁଗ ଧରି ପ୍ରତିପାଳିତ, କାରଣ ରସସୃଷ୍ଟି-ବିଧି ଅପରିବର୍ତ୍ତନୀୟ । ତେଣୁ ଆଲୋଚିତ ଗୀତଟିକୁ ଆଠଗୋଟି ତାଳରେ ଗାଇଲେ ତାହାର ଅଭିପ୍ରେତ ରସୋତ୍ତୀର୍ଣ୍ଣତା ଅସମ୍ଭବ । ପୁଣି ଯେଉଁ ତାଳଗୁଡ଼ିକର ନାମୋଲ୍ଲେଖ କରାଯାଇଅଛି, ସେଥିରୁ ସବୁଗୁଡ଼ିକ ସଙ୍ଗୀତ ରତ୍ନାକର ବା ପାରିଜାତ ପ୍ରଭୃତି ଗ୍ରନ୍ଥରେ ମିଳେ ନାହିଁ । ଓଡ଼ିଶାର ସଙ୍ଗୀତଶାସ୍ତ୍ର ମଧ୍ୟରେ ତ ଏ ଦୋଜ, ଜ୍ୟୋତି, ଚନ୍ଦ୍ରଶେଖର, ଗଞ୍ଜନ, ଓ ପଞ୍ଚ ପ୍ରଭୃତି ତାଳର ଆଦୌ ଉଲ୍ଲେଖ ନାହିଁ ।

 

ବୋଧ ହୁଏ ଏହି ତାଳଗୁଡ଼ିକ ଷୋଡ଼ଶ ଶତାଦ୍ଦୀ ଶେଷରେ ପ୍ରବର୍ତ୍ତିତ କୀର୍ତ୍ତନ ଗାୟନର ଉପଯୋଗୀ ସଙ୍ଗତଲାଗି କୀର୍ତ୍ତନିୟାଙ୍କଦ୍ୱାରା ସୃଷ୍ଟ ଏବଂ ଏହିପରି କୀର୍ତ୍ତନ ଢଙ୍ଗରେ ଶ୍ରୀଗୀତଗୋବିନ୍ଦର ଗୀତଗୁଡ଼ିକ ବଙ୍ଗଳାରେ ପ୍ରଚଳିତ; ଶାସ୍ତ୍ରୀୟ ଚିତ୍ରକଳା ବିଧିରେ ନୁହେଁ । ଅତଏବ ସଙ୍ଗୀତଦୃଷ୍ଟିରୁ ଗୀତର ଶୈଳୀ ତଥା ରାଗ, ତାଳପ୍ରତି ଆଦୌ ଧ୍ୟାନ ଦିଆଯାଉ ନ ଥିଲେ ମଧ୍ୟ ଶ୍ରୀଗୀତଗୋବିନ୍ଦକାରଙ୍କୁ ନିଜର ଦେଶବାସୀ ବୋଲି ସ୍ୱର ଉଠାଇବାର ତାତ୍ପର୍ଯ୍ୟ ସହଜ ବିଚାର୍ଯ୍ୟ ।

 

ଶ୍ରୀଗୀତଗୋବିନ୍ଦ ଏହିପରି ବଙ୍ଗଳାରେ କୀର୍ତ୍ତନ ଢଙ୍ଗରେ ପରିବେଶିତ ହୋଇଆସିଛି ଷୋଡ଼ଶ ଶତାଦ୍ଦୀଠାରୁ । ବହୁ ଶତାଦ୍ଦୀର ସୌହାର୍ଦ୍ୟ, ସମ୍ବନ୍ଧର ମାୟା ସହଜରେ ଆଜି ତୁଟିବା କି ସମ୍ଭବ ?

 

ଏ କଥା ଜଣାଶୁଣା ଯେ ରାଧାଗୋବିନ୍ଦ-କେଳିରସ-ବର୍ଣ୍ଣନ, ବିଶେଷତଃ ଲଳିତ ପଦାବଳୀ ଓ ମଧୁର ସ୍ୱରତାଳର କୃତି ସଂଯୋଜନା ଘେନି ଶ୍ରୀଗୀତଗୋବିନ୍ଦର କବି ଅମର । ସେ ବଙ୍ଗୀୟ ବୋଲି ଉଚ୍ଚସ୍ୱରରେ ଏବେ ଦାବୀ ଉଠୁଛି । କିନ୍ତୁ କାହିଁ ? ତାଙ୍କ ସଙ୍ଗୀତ-ରଚନାର ଛାୟା ବା ତାଙ୍କ ରାଗତାଳ-ଅନୁସୃତିର ଚିହ୍ନ-ବର୍ଣ୍ଣ ତ ବଙ୍ଗ ଦେଶରେ ନାହିଁ । ଏକାବେଳକେ ‘ପାଟ ବଦଳ’ ହେଲାଭଳି ଶାସ୍ତ୍ରୀୟ ଚିତ୍ରକଳା ଦେହଛପା ଦେଇଛି । କୀର୍ତ୍ତନ ସ୍ୱର ସେ ସ୍ଥାନ ଅଧିକାର କରିଛି । ବିଶ୍ୱାସ ହୁଏ ଯେ ଶ୍ରୀଚୈତନ୍ୟଙ୍କ ଶ୍ରଦ୍ଧା ଓ ପ୍ରଚାର ପୂର୍ବରୁ ହୁଏ ତ ଶ୍ରୀଗୀତଗୋବିନ୍ଦର ନାମ-ଗନ୍ଧ ସମ୍ବନ୍ଧ ପର୍ଯ୍ୟନ୍ତ ଜଣାଶୁଣା ନ ଥିଲା ବଙ୍ଗଳାରେ ।

 

ଶ୍ରୀଗୀତଗୋବିନ୍ଦ ଶାସ୍ତ୍ରୀୟ ରାଗତାଳରେ ରଚିତ । ତାହା କଦାପି ପଲ୍ଲୀ ସଙ୍ଗୀତଶ୍ରେଣୀୟ ହୋଇ ନ ପାରେ । ତେଣୁ ଜୟଦେବଙ୍କୁ ଏକ ସ୍ୱତନ୍ତ୍ର ସଙ୍ଗୀତ-ପଦ୍ଧତିବିବର୍ଜିତ ଭୂମିର ଅଙ୍କୁର ବୋଲି କହିବାରେ ଯୁକ୍ତିଯୁକ୍ତତା କେତେ ?

 

Unknown

ଛନ୍ଦ-ବୃତ୍ତ-ସଙ୍ଗୀତ

 

ସଂସ୍କୃତ ଛନ୍ଦଗୁଡ଼ିକ ମାତ୍ରାବୃତ୍ତଶାସିତ । ଶ୍ରୀଗୀତଗୋବିନ୍ଦରେ ସନ୍ନିବେଶିତ ଶ୍ଳୋକଗୁଡ଼ିକ ବିଭିନ୍ନ ବୃତ୍ତ-ଛନ୍ଦ ନିୟମରେ ରଚିତ । କେତେ-ଗୁଡ଼ିଏ ଶ୍ଳୋକର ରଚନାମଧ୍ୟରେ କବି ଛନ୍ଦର ନାମକୁ ଚତୁରତାସହ ମିଶାଇ ଉଲ୍ଲେଖ କରିଛନ୍ତି । କେତେକ ଶ୍ଳୋକରେ ଜୟଦେବୀ ବିଶେଷ ପ୍ରତିଭା ସ୍ପଷ୍ଟ । ସେଥିରେ ସଂସ୍କୃତ ରୀତି ରକ୍ଷା ସଙ୍ଗେ ସଙ୍ଗେ ଅପଭ୍ରଂଶ ବା ପ୍ରାକୃତ ପ୍ରଭାବପାତ ଘଟିଛି ।

 

ରଚନାରୁ ସହଜରେ ଜଣାପଡ଼େ ଯେ ଜୟଦେବ କେବଳ ସଂସ୍କୃତଜ୍ଞ କବି ପଣ୍ଡିତ ନୁହନ୍ତି, ସେ ସଙ୍ଗୀତପ୍ରବୀଣ ମଧ୍ୟ । ଖାଲି ଏତିକି ନୁହେଁ ତାଙ୍କ ସଙ୍ଗୀତ ରଚନାରେ ଏ ଭୂମିର ସହଜାତ କମକଳାର ବିକାଶ ମଧ୍ୟ ସ୍ପଷ୍ଟ । ପରମ୍ପରା ବୃତ୍ତ ବିଧାନରେ କଳାମଞ୍ଜୁଳ ଉତ୍କଳର କଳା-ରଞ୍ଜକତ୍ୱ ଫୁଟାଇଛନ୍ତି ସେ । ଗୋଟିଏ ଉଦାହରଣ ଦେଖନ୍ତୁ-

 

ଶାର୍ଦ୍ଦୂଳ ବିକ୍ରୀଡ଼ିତ ଛନ୍ଦ-      ଏହା ସଂସ୍କୃତରେ ଊନବିଂଶାକ୍ଷରୀ ବୃତ୍ତ ।

‘‘ସୂର୍ଯ୍ୟାର୍ଶ୍ୱେର୍ଯଦି ମଃ ସଜୌ ସତତଗାଃ ଶାର୍ଦ୍ଦୂଳବିକ୍ରୀଡ଼ିତମ୍‌ ।’’

(ଛନ୍ଦୋମଞ୍ଜରୀ)

ଅର୍ଥାତ୍‌ ମ, ସ, ଜ, ସ, ତ, ତ, ଗ-

ଗଣନିୟମରେ ବୃତ୍ତଟି ରଚିତ ହୁଏ ।

 

ଗୁରୁ ଓ ଲଘୁ ଅକ୍ଷର ଗଣନାକ୍ରମରେ –

୩ଟି ଗୁରୁ + ୨ଟି ଲଘୁ + ୨ଟି ଗୁରୁ +୧ ଲଘୁ + ୧ ଗୁରୁ + ୩ଟି ଲଘୁ +୪ଟି ଗୁରୁ + ୧ଟି ଲଘୁ + ୨ ଗୁରୁ + ୧ ଲଘୁ +୧ ଗୁରୁ = ୧୯ ଅକ୍ଷରବିଶିଷ୍ଟ ଚତୁଷ୍ପଦୀ ଛନ୍ଦ ।

 

ଯତିସ୍ଥଳ-ସୂର୍ଯ୍ୟ ଅର୍ଥାତ୍‌୧୨ଶ ଏବଂ ଅଶ୍ୱ ଅର୍ଥାତ୍‌ ୭ମ ଅକ୍ଷର ଉପରେ ଯତି ।

ଏହି ବୃତ୍ତ ଛନ୍ଦରେ ରଚିତ ଶ୍ରୀଗୀତଗୋବିନ୍ଦର ଗୋଟିଏ ଶ୍ଳୋକର ଚରଣଟିଏ ଦେଖନ୍ତୁ-

 

‘‘ବେଦାନୁଦ୍ଧରତେ ଜଗନ୍ତିବହତେ ଭୂଗୋଳମୁଦ୍‌ବିଭ୍ରତେ’’ ଗଣ ନିୟମରେ ଗୁରୁ ଲଘୁ ରୀତି ଗଣନା କ୍ରମେ ପାଦଟିର ଅକ୍ଷର ସଂଖ୍ୟା ଉଣେଇଶି ଗୋଟି । ଦ୍ୱାଦଶ ଏବଂ ୭ମ ଅକ୍ଷରରେ ଯତିପାତ ଅର୍ଥାତ୍‌ ଏହି ଦୁଇଟି ସ୍ଥଳରେ ଜିହ୍ୱା ଏବଂ ଓଷ୍ଠର ବିରାମ ନିର୍ଦ୍ଦିଷ୍ଟ ।

ଯଥା-ବେଦାନୁଦ୍ଧରତେ ଜଗନ୍ତିବହତେ । ଭୂଗୋଳମୁଦ୍‌ବିଭ୍ରତେ...

 

କବି କିନ୍ତୁ ଅପ୍ରାକୃତିକ ରୀତି ପ୍ରବର୍ତ୍ତନ କରି ଅନୁପ୍ରାସ ଯୋଗାଇ ଏହି ଯତିପାତ ବନ୍ଧନ ଏଡ଼ାଇଦେଇଛନ୍ତି । ଏହାଦ୍ୱାରା ପାଠକ ଏବଂ ଶ୍ରୋତା ପାଏ ପରମ ଆନନ୍ଦ । ଏହି ଅଭିନବ ପଦ୍ଧତି ପ୍ରଥମେ ସୃଷ୍ଟି କଲେ ମହାକବି ଜୟଦେବ । ଛନ୍ଦଟିର ଅନୁପ୍ରାସ ରଚନା-ଅନୁସାରେ ପ୍ରତି-ଚରଣର ୬ଷ୍ଠ, ୬ଷ୍ଠ ଏବଂ ସପ୍ତମ ଅକ୍ଷର ଉପରେ ସହଜ ବିଶ୍ରାନ୍ତିର ସୁବିଧା ରଖାଯାଇଅଛି; ଯଥା-

            ବେଦାନୁଦ୍ଧରତେ । ଜଗନ୍ତି ବହତେ । ଭୂଗୋଳ ମୁଦ୍‌ବିଭ୍ରତେ ।

 

ଏହି ସଂସ୍କୃତ ଛନ୍ଦ-ରଚନା-ରୀତିବହିର୍ଭୁତ ସର୍ଜନାର ମୂଳ ହେଲା ଶ୍ଳୋକରେ ଯମକ ଓ ଅନୁପ୍ରାସ ପ୍ରବର୍ତ୍ତନା । ଉତ୍କଳୀୟ ଗୀତକବିମାନେ ଏହିପରି ଅନୁପ୍ରାସ ଓ ଯମକ ମାଧୂର୍ଯ୍ୟ ଅନୁସରଣରେ ଅସଂଖ୍ୟ ଛାନ୍ଦ, ଚୌପଦୀ ଓ ଚଉତିଶା ରଚନା କରିଅଛନ୍ତି । ଆଜି ମଧ୍ୟ ଉତ୍କଳୀୟ କବି, କାବ୍ୟକାର ଓ ସଙ୍ଗୀତରଚୟିତାମାନେ ଏହି ଜୟଦେବୀ ରୀତି ପାଶୋରୀ ନାହାନ୍ତି । ଉତ୍କଳୀୟ କଳାକାରର ଏହା ଏକାନ୍ତ ବିଶେଷତ୍ୱ ପ୍ରତିଷ୍ଠା ।

 

ଗ୍ରନ୍ଥରେ ଗଣନିୟମକ୍ରମରେ ଶ୍ଳୋକରଚନା ଭିନ୍ନ ମାତ୍ରା ଛନ୍ଦରେ କେତେଗୋଟି ଶ୍ଳୋକ ଦେଖାଯାଏ । ଏଗୁଡ଼ିକୁ ମାତ୍ରା ବୃନ୍ଦଛନ୍ଦ, ମାତ୍ରାଛନ୍ଦ ବା ଜାତିଛନ୍ଦ କୁହାଯାଏ । ପାଠକାଳରେ ଉଚ୍ଚାରିତ ଅକ୍ଷରଉପରେ ପ୍ରସ୍ୱନ ବା ‘ଝୁଙ୍କ’ ପଡ଼ିବାର ରୀତି ଦେଖାଗଲା ଅପଭ୍ରଂଶ ଯୁଗରେ । ଜୟଦେବଙ୍କ ରଚନାରେ ଏହା ବିଶେଷ ପ୍ରଭାବ ପକାଇଛି । ତେଣୁ ପଦାକୁଳକ ନାମକ ସମମାତ୍ରିକ ଛନ୍ଦର ରଚନା ଶ୍ରୀଗୀତଗୋବିନ୍ଦରେ ଦେଖାଯାଏ । ପଜ୍‌ଝଟିକା ଏହାର ନାମଭେଦ । ଅନ୍ତ୍ୟାନୁପ୍ରାସ ରକ୍ଷା ଏହିପରି ଛନ୍ଦ ରଚନାର ବିଶେଷତ୍ୱ ।

 

ପଦାକୁଳକ ଛନ୍ଦ ଚାରିଗୋଟି ଚରଣବିଶିଷ୍ଟ । ପ୍ରତି ଚରଣ ସମାନ ଚାରି ଭାଗରେ ବିଭକ୍ତ । ପ୍ରତି ବିଭାଗରେ ଚାରି ମାତ୍ରା ରହେ । ଏହିପରି ପ୍ରତ୍ୟେକ ଚରଣ ଷୋଳମାତ୍ରିକ ।

 

ଜୟଦେବ ପଦାକୁଳକ ଛନ୍ଦର ମାତ୍ରାବିଭାଗ-ବିଧି ରକ୍ଷା କରିଛନ୍ତି; କିନ୍ତୁ ଚରଣସଂଖ୍ୟା ଚାରିଗୋଟିରୁ ଦୁଇଗୋଟି ଘେନି ରଚନା ପୂର୍ତ୍ତି କରିଛନ୍ତି ଗାୟନର ଉପଯୁକ୍ତତାଲାଗି ।

 

ସଂସ୍କୃତ-ପ୍ରାକୃତ ବା ସଂସ୍କୃତ-ଅପଭ୍ରଂଶ ଯୁଗର ସନ୍ଧିସ୍ଥଳରେ ମହାକବିଙ୍କର ଅଭ୍ୟୁଦୟ । ସଂସ୍କୃତ ଛନ୍ଦ ଆବୃତ୍ତି-ରୀତିକୁ ସେ ଗାୟନ ବୃତ୍ତିରେ ପରିଣତ କରିବାକୁ ଯାଇ ସଙ୍ଗୀତର ସ୍ୱରତାଳ ବନକରେ ରଞ୍ଜାଇ-ଦେଇଛନ୍ତି । ତେଣୁ କେବଳ ଚତୁର୍ମାତ୍ରିକ ପଦାକୁଳକ ଛନ୍ଦର ଉପଯୋଗ ନ କରି ସମ ଓ ବିଷମ ମାତ୍ରିକ ସଙ୍ଗୀତ-ଛନ୍ଦ ମଧ୍ୟ ଶ୍ରୀଗୀତଗୋବିନ୍ଦ ରଚନାରେ ପ୍ରୟୋଗ କରିଛନ୍ତି । ମାତ୍ରାନୁସାରେ ଏଗୁଡ଼ିକର ତାଳ ପୃଥକ୍ ପୃଥକ୍ ।

 

ଗୀତଗୁଡ଼ିକର ଚରଣ ବା ପାଦର ଅକ୍ଷରସଂଖ୍ୟା ଗଣିଲେ ଚଳିବ ନାହିଁ । ଗଣିବାକୁ ହେବ ମାତ୍ରା ପରିମାଣ । ଯେପରି-

‘‘ଚନ୍ଦନଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ ।’’

ଏ ଧାଡ଼ିଟିର ଅକ୍ଷର ସଂଖ୍ୟା ୨୧; କିନ୍ତୁ ମାତ୍ରା-ଗଣନାନୁସାରେ ଏହା ୨୮ ଅକ୍ଷରବିଶିଷ୍ଟ । ପାଠର ପ୍ରତ୍ୟେକ ବିଭାଗ ଚାରି ଚାରି ମାତ୍ରାରେ ରଚିତ । ଯେପରି-

ଚନ୍ଦନ । ଚର୍ଚ୍ଚିତ । ନୀ-ଳକ । ଳେ-ବର । ପୀ-ତବ । ସ ନ ବ ନ । ମା-ଳୀ- ।

 

୨ୟ ପଦଟି-

‘‘କେଳିଚଳନ୍ମଣିକୁଣ୍ଡଳମଣ୍ଡିତ ଗଣ୍ଡଯୁଗ ସ୍ମିତଶାଳୀ ।’’

 

ଏହାର ଅକ୍ଷରସଂଖ୍ୟା ୨୦ଗୋଟି; କିନ୍ତୁ ମାତ୍ରା ସଂଖ୍ୟା ଠିକ୍ ୧ମ ଚରଣପରି ୨୮ ଅକ୍ଷର ଏବଂ ଚାରି ଚାରି ଅକ୍ଷରରେ ବିଭାଗୀକୃତ ।

ଯେପରି-

କେ-ଳି ଚ । ଳ-ନ୍ ମ ଣି । କୁ-ଣ୍ଡ ଳ । ଗ-ଣ୍ଡ ଯୁ । ଗ-ସ୍ମି ତ । ଶା-ଳୀ- ।

 

ଅନ୍ୟାନ୍ୟ ଗୀତଗୁଡ଼ିକ ମଧ୍ୟ ଏହିପରି ମାତ୍ରା ଅନୁସାରେ ରଚିତ । ତେଣୁ ଦେଖାଯାଉଅଛି ଯେ ଅକ୍ଷରସଂଖ୍ୟା ଉପରେ ପ୍ରାଧାନ୍ୟ ଦିଆ ନ ଯାଇ ମାତ୍ରାସଂଖ୍ୟା ଉପରେ ଗୁରୁତ୍ୱ ଦିଆଯାଇଅଛି; କାରଣ ଏହା ସଙ୍ଗୀତ ।

 

କେବଳ ସଙ୍ଗୀତ-ରଚନାର ସୁବିଧା ବା ସୌଷ୍ଠବ ରକ୍ଷାଲାଗି ନୁହେଁ, ଶବ୍ଦାକ୍ଷରର ଗୁରୁ-ଲଘୁ ଉଚ୍ଚାରଣ-ବିଧାନ ପାଳନ କବିଙ୍କର ଅଭିପ୍ରେତ ରସସୃଷ୍ଟିର ଏକାନ୍ତ ସହାୟକ ହୋଇଅଛି ।

 

ଗାୟନଶୈଳୀ

 

ସାଧାରଣତଃ କଥା କହିବାରେ ଆମେ ଯେଉଁ ବାକ୍ୟ ବ୍ୟବହାର କରୁ, ତହିଁମଧ୍ୟସ୍ଥ ଶବ୍ଦର ଉଚ୍ଚାରଣକାଳରେ ସ୍ଥଳବିଶେଷରେ ଶବ୍ଦର ପ୍ରସ୍ୱନ ଅନୁସାରେ ଅର୍ଥ ବା ରସବୋଧର ପାର୍ଥକ୍ୟ ଘଟେ ।

 

ସଙ୍ଗୀତ ରସସିଦ୍ଧିଲାଗି ଅଭିପ୍ରେତ । ଏହା ମାନବର ଜନ୍ମସାଥୀ । ତାହାର ଧାତୁ ବା ଶବ୍ଦ ଉଚ୍ଚାରିତ ହୁଏ ସ୍ୱରସାହାଯ୍ୟରେ । ରସ-ସିଦ୍ଧି ବା ରସଶୁଦ୍ଧି ଲାଗି ସ୍ୱରର ଶୁଦ୍ଧତ୍ୱ, କୋମଳତ୍ୱ ଓ ତୀବ୍ରତ୍ୱର ଉପଯୋଗ, ଉଚ୍ଚାରଣକାଳର ସ୍ଥାୟିତ୍ୱ ଓ ସ୍ୱର ସମ୍ପର୍କ ଇତ୍ୟାଦି ଇତ୍ୟାଦି ବହୁ ଦିଗର ବିଚାର ଆବଶ୍ୟକ । ସର୍ବୋପରି ସଙ୍ଗୀତ-ପରିବେଷଣରେ ପ୍ରବୃତ୍ତିର ପ୍ରଶ୍ନ ଅଛି । ଗୀତ-କଥା ଏବଂ ଗୀତ-ଗାୟନର ଶୈଳୀ ପ୍ରବୃତ୍ତି ଅନୁସାରେ ପ୍ରଦେଶଠାରୁ ପ୍ରଦେଶାନ୍ତରରେ ପୃଥକ ଘଟିବା ସ୍ୱାଭାବିକ । ଲୋକରୁଚି, ସମାଜ, ରୀତିନୀତି, ସଂସ୍କାର, ଏପରି କି ଜଳବାୟୁ ଓ ପ୍ରକୃତି ଅନୁସାରେ ପ୍ରବୃତ୍ତି ସ୍ଥିର କରିସାରିଛନ୍ତି ଖ୍ରୀଷ୍ଟୀୟ ଦ୍ୱିତୀୟ ବା ତୃତୀୟ ଶତାବ୍ଦୀକାଳରୁ ନାଟ୍ୟଶାସ୍ତ୍ରପ୍ରଣେତା ମହାମୁନି ଭରତ । ଏହି ପ୍ରବୃତ୍ତିର ବିଶେଷତ୍ୱ ଓ ସ୍ୱତନ୍ତ୍ରତା ଘେନି ଓଡ଼ଶୀ ଛାନ୍ଦ ଓ ଚୌପଦୀ ଇତ୍ୟାଦି ରଚିତ ଏବଂ ଗୀତ ହୋଇଆସୁଛି କେଉଁ ବିସ୍ମୃତ ଯୁଗରୁ ।

 

ଆମର ଛାନ୍ଦ ଏବଂ ଚଉପଦୀ ବା ସଙ୍ଗୀତ ରଚନା ଭାଷାବହୁଳ । ଯମକ, ଅନୁପ୍ରାସ ଓ ବିଭିନ୍ନ ଅଳଙ୍କାରସୁସଜ୍ଜ ଗାୟନ-ରୀତିରେ ଅଖଣ୍ଡ ସ୍ୱରପ୍ରକାଶ ରୀତି ଇତ୍ୟାଦି ଇତ୍ୟାଦି କେତେକ ସ୍ୱତନ୍ତ୍ରତା ରହିଛି ଓଡ଼ିଶୀ ସଙ୍ଗୀତରେ ।

 

ଶ୍ରୀଗୀତଗୋବିନ୍ଦର ଗୀତଗୁଡ଼ିକରେ ଦୀର୍ଘ ପଦ, ଶବ୍ଦବହୁଳତା ଓ ଯମକ, ଅନୁପ୍ରାସପ୍ରାଚୁର୍ଯ୍ୟ ଇତ୍ୟାଦିର ଛୟା ଓଡ଼ିଶୀ ଛାନ୍ଦ ଓ ସଙ୍ଗୀତରେ ସବୁମତେ କାୟା ବିସ୍ତାର କରି ରହିଛି ।

 

ଶ୍ରୀଗୀତଗୋବିନ୍ଦ ଗୀତଗୁଡ଼ିକର ରାଗ-ତାଳକଳ୍ପନା ଭାବାନୁସାରୀ । କୌଣସି ଗୀତଲେଖାକୁ ଗାୟକ ତାଙ୍କର ମନମୁଖୀ ସ୍ୱରତାଳରେ ଗାଇପାରନ୍ତି; କିନ୍ତୁ ସହୃଦୟ ସଙ୍ଗୀତଜ୍ଞ କବିମନର ଭାଷା, ଭାବ ଓ ରସର ବାସ୍ତବ ମର୍ଯ୍ୟାଦା ରକ୍ଷା କରି ଯଥାନିର୍ଦ୍ଦିଷ୍ଟ ରସପ୍ରସାରୀ ରାଗ-ତାଳରେ ଗୀତଟିକୁ ପରିବେଷଣ କରନ୍ତି । ଏତେବେଳେ କବି, କଳାକାର ଓ ରସିକ ଶ୍ରୋତା ଏକାତ୍ମ ହୋଇପଡ଼ନ୍ତି । ଏଇ ହେଲା ସଙ୍ଗୀତର ସୃଷ୍ଟିଧର୍ମ ।

 

ଶ୍ରୀଗୀତଗୋବିନ୍ଦର ଅର୍ଥଗୌରବ ସଙ୍ଗୀତର ସ୍ୱର-ତାଳ-ମାଧୁରୀରେ ସୌରଭାନ୍ୱିତ, ସୌଷ୍ଠବାନ୍ୱିତ ଓ ଗୌରବାନ୍ୱିତ । ସୌନ୍ଦର୍ଯ୍ୟ-ବିଳାସୀ କବିଙ୍କ ରସିକତ୍ୱର ଏହା ଚରମ ବିକାଶ । ଗୀତଭାଷାରେ ସ୍ଥାନେ ସ୍ଥାନେ ସଂସ୍କୃତସହିତ ପ୍ରାକୃତ ଦେଶୀ ଭାଷାର ପ୍ରଭାବପାତ ଦୃଷ୍ଟ ହୁଏ । ଏଥିରୁ ଜଣାଯାଏ ଯେ କବି ଉଭୟ ରୀତିର ପ୍ରବୀଣ କଳାକାର ଥିଲେ । ଶ୍ରୀଗୀତଗୋବିନ୍ଦରେ ଘଟିଛି ସଂସ୍କୃତ ଏବଂ ପ୍ରାକୃତ ଦେଶୀର ସମନ୍ୱୟ, ଭକ୍ତି ଏବଂ ପ୍ରୀତିର ସମାବେଶ, ଛନ୍ଦ ଏବଂ ସ୍ୱରର ସମ୍ମିଳନ । ଆଗରୁ କୁହାଯାଇଅଛି, ଦେବୀ ମାନବୀ ଜୟଦେବଙ୍କ ଦୃଷ୍ଟିରେ ପୃଥକ୍ ନୁହନ୍ତି । ତେଣୁ ଗୀତଗୁଡ଼ିକ ସର୍ବଜନପ୍ରିୟ ରଚନା ଏବଂ ସ୍ୱର-ତାଳ ଦୃଷ୍ଟିରୁ ଶ୍ରୀଗୀତଗୋବିନ୍ଦର ଜନପ୍ରିୟତା ବିଶେଷଭାବେ ବଢ଼ାଇଦେଇଛି ଶ୍ରୀମନ୍ଦିର । ପଦ୍ମାବତୀ-ଚରଣ-ଚାରଣ-ଚକ୍ରବର୍ତ୍ତୀ ଜୟଦେବ ଶ୍ରୀମାନ ଜଗନ୍ନାଥଙ୍କ ଛାମୁରେ ଗୀତନୃତ୍ୟ ପରିବେଷଣ କରୁଥିଲେ । ସବୁବେଳେ ଲକ୍ଷ ଲକ୍ଷ ଦର୍ଶନାର୍ଥୀ ଯାତ୍ରୀ ଶ୍ରୀମନ୍ଦିରକୁ ଆସନ୍ତି । ବିରାଟ ଶ୍ରୀମନ୍ଦିର ଗର୍ଭଗୃହର ପବିତ୍ର ପରିବେଶ, ସମ୍ମୁଖରେ ତ୍ରିମୂର୍ତ୍ତି, ଲଳିତ-କୋମଳ-କାନ୍ତ-ପଦାବଳୀ-ରଚିତ ଭକ୍ତି-ପ୍ରୀତିସଂଯୁତ ଶ୍ରୀଗୀତଗୋବିନ୍ଦର ରସ-ମୁଖୀ କମନୀୟ ସଙ୍ଗୀତ, ପୁଣି ସୁବର୍ଣ୍ଣ ଚମ୍ପକରେ ସୁବାସ ଚହଟଭଳି ସଙ୍ଗୀତସହିତ ଭକ୍ତିମତୀ ଦେବଦାସୀ ପଦ୍ମାବତୀଙ୍କ ଭାବନୃତ୍ୟ-ଏସମସ୍ତଙ୍କର ଅପୂର୍ବ ସମନ୍ୱୟ କେଉଁ ଦର୍ଶନାର୍ଥୀର ଚିତ୍ତକୁ ଅବା ଭକ୍ତିରସରେ ପ୍ଳାବିତ ନ କରିବ ? ଏହି ସ୍ମୃତି ପରାମ୍ପରାକ୍ରମେ ଦେଶର କୋଣେ କୋଣେ ଆବାଳ-ବୃଦ୍ଧ-ବନିତା ଚିତ୍ତରେ ରମ୍ୟ ନିବାସ ରଚନା କରିଦେଲା । ଏହି ରୀତିରେ ଶ୍ରୀଗୀତଗୋବିନ୍ଦକୁ କଣ୍ଠେ କଣ୍ଠେ ପ୍ରଚାର କରିଦେଲା ଶ୍ରୁତି । ଏ ଶ୍ରୁତିର ପ୍ରଧାନ ଉତ୍ସ ଶ୍ରୀମନ୍ଦିର । ଶ୍ରୁତିର ଅନ୍ତରଙ୍ଗ ସହଚାରିଣୀ ହେଲା ସ୍ମୃତି । ଦୁହେଁ ମିଶି ଜନ-ହୃଦୟର ପ୍ରୀତି-ପୂଜନବେଦିକାରେ ଛନ୍ଦ-ବୃତ୍ତ-ସଙ୍ଗୀତର ଶାସ୍ୱତ ପ୍ରତିଭାମୟ ଶ୍ରୀଗୀତଗୋବିନ୍ଦକୁ ଚିର ସଂପୂଜିତ କରାଇଛନ୍ତି ।

 

ରାଗ

 

ଶ୍ରୀଗୀତଗୋବିନ୍ଦର ଗୀତଗୁଡ଼ିକ ମାର୍ଗଶ୍ରେଣୀୟ ନୁହେଁ । ମୁନି ମତଙ୍ଗଙ୍କ ‘‘ବୃହଦ୍ଦେଶୀ’’ ଅନୁସାରେ :-

 

‘‘ଆଳାପାଦି ସନ୍ନିବଦ୍ଧୋ ଯଃ ସ ମାର୍ଗଃ ପ୍ରକୀର୍ତ୍ତିତଃ

ଆଳାପାଦି ବିହୀନସ୍ତୁ ସ ଚ ଦେଶୀ ପ୍ରକୀର୍ତ୍ତିତଃ ।’’

 

ଗୀତଗୁଡ଼ିକ ଆଳାପବିହୀନ । ଆଳାପାଦି ବିହୀନ ସ୍ୱଚ୍ଛନ୍ଦ ମନର ସଙ୍ଗୀତକୁ ଦେଶୀ କୁହାଯାଏ । ଶ୍ରୀଗୀତଗୋବିନ୍ଦର ଗୀତଗୁଡ଼ିକ ଦେଶୀଶ୍ରେଣୀୟ । ଏହାର ସଂଖ୍ୟା ୨୪ଗୋଟି । ମହାକବି ଏଥିରେ ୧୧ଟି ରାଗ ବ୍ୟବହାର କରିଅଛନ୍ତି ।

 

ମାଳବ

 

ପ୍ରାରମ୍ଭିକ ମଙ୍ଗଳାଚରଣ ସଙ୍ଗୀତର ରାଗ ମାଳବ । ‘ଦଶାବତାର’ ଗୀତିକାରେ ଏହି ରାଗ ନିର୍ଦ୍ଦିଷ୍ଟ ହୋଇଅଛି ।

ସନ୍ଧ୍ୟାରତିବେଳେ ଓଡ଼ିଶାର ପୁରପଲ୍ଲୀର ବିଷ୍ଣୁ-ମନ୍ଦିରରେ ଦର୍ଶନାର୍ଥୀ କଣ୍ଠରୁ ଶ୍ରଗୀତଗୋବିନ୍ଦର ଏଇ ଦଶାବତାର ଗୀତଟି ଶୁଣାଯାଏ ଓଡ଼ିଶୀ ଗାୟନଶୈଳୀରେ-ବଙ୍ଗୀୟ କୀର୍ତ୍ତନ ଢଙ୍ଗରେ ନୁହେଁ । ସାଧାରଣତଃ ଆରତିର ସମୟ ସନ୍ଧ୍ୟା । ଓଡ଼ିଶାର ସଙ୍ଗୀତଗ୍ରନ୍ଥ ମାଳବ ରାଗଟିକୁ ରାଗ-ରୂପ ବର୍ଣ୍ଣନାମଧ୍ୟରେ ପ୍ରଥମ ସ୍ଥାନ ଦେଇଛନ୍ତି ଏବଂ ପ୍ରଦୋଷ ଏହାର ଗାୟନକାଳ ବୋଲି ନିର୍ଦ୍ଦେଶ ଅଛି । ‘ସଙ୍ଗୀତ ଦେମୋଦର’ ରାଗ-ରୂପର ଧ୍ୟାନମୂର୍ତ୍ତି ବଣ୍ଣନା କରିବାକୁ ଯାଇ ଏହି ମାଳବ ରାଗକୁ ରାଗ-ରୂପ ପର୍ଯ୍ୟାୟର ପ୍ରଥମରେ ଉଲ୍ଲେଖ କରିଅଛନ୍ତି । ଏହିପରି ରାଗମାନଙ୍କର ଧ୍ୟାନରୂପ ଚିତ୍ରିତ ୧୫ଶ ଶତାବ୍ଦୀରେ ଖଣ୍ଡିଏ ତାଳପତ୍ର ପୋଥି ସଂଗୃହିତ ହୋଇପାରିଛି । ତହିଁରେ ମାଳବ ରାଗରୂପ ପ୍ରଥମ ସଚିତ୍ର ଅଙ୍କିତ । ପରବର୍ତ୍ତୀ ୧୭ଶ ଶତାବ୍ଦୀର ଆଉ ଖଣ୍ଡିଏ ରାଗଚିତ୍ର ପୋଥି ସଂଗ୍ରହ କରି ତାହା ମୁଁ ପ୍ରକାଶ କରିଅଛି । ସେଥିରେ ମଧ୍ୟ ପ୍ରଥମେ ମାଳବ ରାଗଚିତ୍ର ଅଙ୍କିତ ।

 

ରାଗରୂପ

 

‘‘ନିତମ୍ବିନୀଚୁମ୍ବିତ ବକ୍ତ୍ରପଦ୍ମଃ

ଶୁକଦ୍ୟୁତିଃ କୁଣ୍ଡଳାବାନ୍ ପ୍ରମତ୍ତଃ

ସଙ୍ଗୀତଶାଳାଂ ପ୍ରବିଶନ୍ ପ୍ରଦୋଷେ

ମାଳାଧରୋ ମାଳବ ରାଗରାଜଃ ।’’

 

ମାଳବ ପ୍ରଦୋଷର ରାଗ । ରସ ଶୃଙ୍ଗାର । ଏକାଦଶ, ଦ୍ୱାଦଶ ଶତକରେ ମହାକବି ଜୟଦେବ ଏ ରାଗଟିର ଉପଯୋଗ କରିଛନ୍ତି । ଯୁଗରୁଚି ଘେନି ରାଗରାଗିଣୀର ସ୍ୱରବିଧାନ ବଦଳିଯାଉଛି । ଏଭଳି ପରିବର୍ତ୍ତନ ସ୍ୱାଭାବିକ । ତେଣୁ ଜୟଦେବଙ୍କ କାଳରେ ଏ ରାଗଟିର ଲକ୍ଷଣ ଯେପରି ଥିଲା, ବର୍ତ୍ତମାନ ଯେ ଠିକ୍ ସେହିପରି ଅଛି-ଏ କଥା କହିହେବ ନାହିଁ । ଏତିକି କିନ୍ତୁ କୁହାଯାଇପାରେ ଯେ ରାଗ ଗାୟନରୀତିର (ଶୈଳୀ), ଛାୟା (ସ୍ୱରପ୍ରୟୋଗରେ ପ୍ରମାଦ ଥାଇପାରେ) ଓଡ଼ିଆ ଗାୟକ କଣ୍ଠରୁ ଏକାବେଳେ ବୋଧ ହୁଏ ଲିଭିଯାଇ ନାହିଁ । ଶ୍ରୀମନ୍ଦରରେ ଶ୍ରୀଗୀତଗୋବିନ୍ଦର ପାଠ ପଠନକାଳ ଦ୍ୱାଦଶ ଶତାବ୍ଦୀବେଳକୁ ଓଡ଼ିଶାର ମନ୍ଦିରମାନଙ୍କରେ ଶଙ୍ଖ-ଚକ୍ର-ଗଦା-ପଦ୍ମହସ୍ତ ଚତୁର୍ଭୁଜ ବିଷ୍ଣୁ ସଂପୂଜିତ ହେଉଥିଲେ । ପରେ ପରେ ଶିଖିଚୂଳିଆ, ବନମାଳିଆ, ମୂରଲୀବଦନ, ତ୍ରିଭଙ୍ଗଠାମ ଶ୍ୟାମ, ବାମରେ ଶ୍ରୀରାଧାଙ୍କୁ ଘେନି ଯୁଗଳ ମୂର୍ତ୍ତିରେ ପରିପୂଜିତ ହେଲେ ।

 

ବଙ୍ଗଦେଶରେ ଏହି ଶତକମାନଙ୍କରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ପ୍ରତିଷ୍ଠାର କୌଣସି ପ୍ରମାଣ ମିଳେ ନାହିଁ; ଏହା ବଙ୍ଗର ଶକ୍ତିପୂଜନ ଓ ତନ୍ତ୍ରସାଧନ ଯୁଗ ।

 

ପାଶୋରି ଯୁଗରୁ ଓଡ଼ିଶାରେ ସହସ୍ର ସହସ୍ର ବିଷ୍ଣୁ-ମନ୍ଦିରରେ ଶ୍ରୀଗୀତଗୋବିନ୍ଦର ପରମ୍ପରା ଗାୟନଶୈଳୀ ଏକାବେଳେ ଲୋକ-ମନରୁ ମଉଳିଯାଇଛି ବୋଲି କହିହେବ ନାହିଁ । ଶ୍ରୀଗୀତଗୋବିନ୍ଦର ରଚନାକାଳ-ପରେ ଚତୁର୍ଦ୍ଦଶ ଶତାବ୍ଦୀରେ ପଣ୍ଡିତ ଅହୋବଳ ରଚନା କଲେ ‘ସଙ୍ଗୀତ ପାରିଜାତ’ । ପାରିଜାତ ରଚନାକାଳରୁ ପ୍ରଚଳିତ ରୀତି ଥିଲା ପ୍ରଥମେ ଶ୍ରୁତି ଓ ପରେ ସ୍ୱରସଂସ୍ଥାନ ଅର୍ଥାତ୍ ପ୍ରଥମ ସ୍ୱର ଷଡ଼ଜ ଶାସ୍ତ୍ରସମ୍ମତ ୨୨ଗୋଟି ଶ୍ରୁତିମଧ୍ୟରୁ ପ୍ରଥମ ଶ୍ରୁତି ‘ତୀବ୍ରା’ ଉପରେ ନ ରହି ୪ର୍ଥ ଶ୍ରୁତି ଛନ୍ଦାବତୀରେ ନ୍ୟସ୍ତ ଥିଲା । ବିଜ୍ଞାନୀମାନେ ସ୍ଥିର କଲେ ଯେ ‘ତୀବ୍ରା’ ଶ୍ରୁତି ଷଡ଼ଜ ସ୍ୱରର ସ୍ଥାନ । ବାସ୍ତବ କଥା-ସ୍ୱର ଉଚ୍ଚାରିତ ନୋହିଲେ ସ୍ୱରର ସୂକ୍ଷ୍ମ ବିଭାଗ ‘ଶ୍ରୁତି’ ସୃଷ୍ଟି ସମ୍ଭବ ହେବ କିପରି ?

 

ଶ୍ରୁତିସ୍ଥାପନ ରୀତିର ପରିବର୍ତ୍ତନଫଳରେ ପାରିଜାତର ଶୁଦ୍ଧ-ସ୍ୱରରୂପେ ନିର୍ବାଚିତ ଗାନ୍ଧାର ଓ ନିଷାଦ ସ୍ୱରଦୁଇଟି ଅଧୁନା ସ୍ୱର-ସପ୍ତକର କୋମଳ ଗାନ୍ଧାର ଓ କୋମଳ ନିଷାଦ । ରାଗର ସ୍ୱରରୂପ ବା ଲକ୍ଷଣ ଏହି ରୀତିରେ ବଦଳିଯାଇଛି ।

 

ଅବଧି ସୁଦ୍ଧା ଯେଉଁ ଉତ୍କଳୀୟ ପଦ୍ଧତିର ସଙ୍ଗୀତଗ୍ରନ୍ଥମାନ ସଂଗୃହିତ ହୋଇପାରିଛି, ସେଗୁଡ଼ିକ ପାରିଜାତର ପରବର୍ତ୍ତୀ କାଳର ରଚନା । ତହିଁରେ ମାଳବ ରାଗର ଉଲ୍ଲେଖ ଦେଖାଯାଏ ।

 

‘‘ଟକ୍‌କାନ୍ୱୟସମୁଦ୍‌ଭୂତୋ

      ମାଳବୋଽପି ରିପୋଜ୍‌ଝିତଃ

ନିଷାଦାଂଶ ଗ୍ରହନ୍ୟାସୋ ଗଭୁରି ସ ଧ କମ୍ପିତଃ

ବୀରଶୃଙ୍ଗାରୟୋର୍ଗେୟା ଦିନାନ୍ତେ ନିଶି ବା ବୁଧୈଃ ।’’

(ଗୀତପ୍ରକାଶ)

‘‘ରି-ପ ହୀନ ଟକ୍‌କବଂଶ୍ୟୋ ଗ-ଭୂରିଃ ସ-ଧ କମ୍ପିତଃ

ନି-ନ୍ୟାସାଂଶଗ୍ରହଃ ସାୟଂ ନିଶି ବା ମାଳବଃ ଶୁଚୀ ।’’

(ସଙ୍ଗୀତ-ନାରାୟଣ)

 

ଉଭୟ ଗ୍ରନ୍ଥର ମତ ସମାନ ଅର୍ଥାତ୍ ମାଳବ ରାଗରେ ରୁଷଭ ପଞ୍ଚମ ସ୍ୱର ଦୁଇଟି ବର୍ଜିତ; ଏଣୁ ଓଡ଼ବ-ଓଡ଼ବ ରାଗ । ନିଷାଦ ଏହାର ବାଦୀସ୍ୱର । ଗାନ୍ଧାର ବହୁଳ ବ୍ୟବହୃତ ସ୍ୱର । ଷଡ଼ଜ ଏବଂ ଧୈବତ ସ୍ୱର ଦୁଇଟି କମ୍ପିତ ହୁଏ । ସଂନ୍ଧ୍ୟାକାଳ ବା ନିଶି ଏହାର ଗାୟନକାଳ । ରସ-ବୀର ଏବଂ ଶୃଙ୍ଗାର ।

 

ରାଗଧ୍ୟାନ-ବର୍ଣ୍ଣନାନୁସାରେ ଏହା ଶୃଙ୍ଗାରପ୍ରଧାନ ବୋଲି ବିଚାର୍ଯ୍ୟ । ‘‘ମାଳାଧରୋ ମାଳବ ରାଗରାଜଃ’’ ଏଣୁ ଏହି ରାଗ ଶୃଙ୍ଗାରରସ ବର୍ଣ୍ଣନାଲାଗି ଉପଯୁକ୍ତ । ରସତତ୍ତ୍ୱର ସର୍ବପ୍ରଥମ ମାର୍ଗପ୍ରଦର୍ଶକ ମହାମୁନି ଭରତଙ୍କମତେ ଶୃଙ୍ଗାରର ଅନ୍ୟନାମ ‘ଆଦିରସ’ ।

‘‘ଅତ୍ରୈବ ପରମୋତ୍‌କର୍ଷଃ ଶୃଙ୍ଗାରସ୍ୟ ପ୍ରତିଷ୍ଠିତଃ ।’’

(ଭାବପ୍ରକାଶ)

 

‘‘କାମସ୍ୟ ସକଳଜାତିସୁଲଭତୟାନ୍ତ ପରିଚିତତ୍ୱେନ ସର୍ବାନ୍ ପ୍ରତିହୃଦ୍ୟତେତି ପୂର୍ବଂ ଶୃଙ୍ଗାରଃ ।’’

 

-ପଶୁ, ପକ୍ଷୀ, କୀଟ, ପତଙ୍ଗ, ମନୁଷ୍ୟ ଇତ୍ୟାଦି ଯାବତୀୟ ସୃଷ୍ଟିପକ୍ଷେ ରମଣେଚ୍ଛା ସର୍ବସାଧାରଣଭାବେ ଆସ୍ୱାଦ୍ୟ । ଏହି କାରଣରୁ ଶୃଙ୍ଗାର ସର୍ବପ୍ରଥମ ରସରୂପେ ପ୍ରତିଷ୍ଠିତ । ଏହାର ଆଦିତ୍ୱ ବା ପ୍ରଧାନତ୍ୱର ସାର୍ଥକତା ଏହିଠାରେ ।

 

ଶ୍ରୀଗୀତଗୋବିନ୍ଦର ଦଶାବତାର ଗୀତିକାମଧ୍ୟରେ ଦଶ ରସର ଅଧିକାର ସ୍ୱୀକୃତି; ଯଥା:-ମୀନ = ବୀଭତ୍ସ, କୂର୍ମ୍ମ = ଅଦ୍‌ଭୁତ, ବରାହ = ଭୟାନକ, ନୃସିଂହ = ବାତ୍ସଲ୍ୟ, ବାମନ = ସଖ୍ୟ; ପରଶୁରାମ = ରୌଦ୍ର, ଶ୍ରୀରାମ = କରୁଣ, ବଳରାମ = ହାସ୍ୟ, ବୁଦ୍ଧ = ଶାନ୍ତ ଏବଂ କଳ୍‌କି = ବୀର ରସର ପ୍ରକାଶକ ।

 

ଏହି ଦଶ ରସର ମୂଳ ହେଲା ଶୃଙ୍ଗାର ବା ଆଦିରସ ଅର୍ଥାତ୍‌ ଆଦିରସ ହିଁ ରସରାଜ । ଦଶ ରସ ବା ଦଶ ଅବତାରର ଠୁଳ ପ୍ରକାଶ ସ୍ୱୟଂ ଭଗବାନ୍ । ‘ରସୋ ବୈ ସଃ’-‘କୃଷ୍ଣସ୍ତୁ ଭଗବାନ ସ୍ୱୟଂ’ । ଶ୍ରୀଗୀତଗୋବିନ୍ଦରେ କୁହାଯାଇଅଛି, ‘‘ଦଶାକୃତିକୃତେ କୃଷ୍ଣାୟ ତୁଭ୍ୟଂ ନମଃ ।’’

କୃଷ୍ଣ ହିଁ ରସରାଜ-ମୂର୍ତ୍ତିମାନ୍‌ ଶୃଙ୍ଗାର ।

 

ଜୟଦେବ କହିଛନ୍ତି:-

‘‘ଶୃଙ୍ଗାରଃ ସଖି ମୂର୍ତ୍ତିମାନିବ ମଧୌ ମୁଗ୍‌ଧୋ ହରିଃ କ୍ରୀଡ଼ତି ।’’

 

ଦଶାବତାର ଗୀତିର ମୁଖ୍ୟ ଆରାଧ୍ୟ ଦେବତା ଶ୍ରୀକୃଷ୍ଣ । ତେଣୁ ଏ ଗୀତିକାପାଇଁ ଶୃଙ୍ଗାର-ରସପ୍ରସାରୀ ରାଗର ମନୋନୟନ ସାର୍ଥକ । ମାଳବ ରାଗଟି ଶୃଙ୍ଗାର-ରସଦ୍ୟୋତକ ।

 

ମାଳବ ରାଗ ଟକ୍‌କ ବଂଶରୁ ଜାତ ଅର୍ଥାତ୍ ଟକ୍‌କ ରାଗ-ଲକ୍ଷଣ ଘେନି ମାଳବ ରାଗ ପ୍ରସ୍ତୁତ । ଟକ୍‌କ ରାଗରେ ରୁଷଭ ଏବଂ ଧୈବତ ସ୍ୱର କୋମଳ । ତୀବ୍ର ମଧ୍ୟମ ବୃବହୃତ ହେଉଥିଲେ ହେଁ ଏହା ମାଳବରେ ବର୍ଜ୍ୟ ସ୍ୱର ।

 

ଓଡ଼ିଶୀ ପଦ୍ଧତି ଅନୁସାରେ ମାଳବ ଗୌରୀମେଳର ଏକ ଓଡ଼ବ-ଓଡ଼ବଜାତୀୟ ରାଗ । ସଂଗୀତ ନାରାୟଣମତେ-

‘‘ମଧ୍ୟାଦିଶ୍ଚ ମଲ୍ଲାରୀ ଦେଶପାଳଶ୍ଚ ମାଳବଃ ।’’

X X X X

‘‘ଇତ୍ୟାଦି ଔଡ଼ବାଃ ପ୍ରୋକ୍ତାଃ ରାଗାଃ ଜନମନୋହରାଃ ।’’

 

ଓଡ଼ବଜାତୀୟ ରାଗ ଗାୟନର ଫଳ ‘କୋହଳ’ ମତରେ କୁହାଯାଇଅଛି-

‘‘ବ୍ୟାଧିନାଶେ ଶତ୍ରୁ ନାଶେ ଭୟଶୋକବିନାଶନେ

ଔଡ଼ବାସ୍ତୁ ପ୍ରଗାତବ୍ୟା ଗ୍ରହଶାନ୍ତ୍ୟର୍ଥ କର୍ମଣି ।’’

(ସଂ. ନାରାୟଣ)

 

ଓଡ଼ିଶାର ପୁରପଲ୍ଲୀ ବିଷ୍ଣୁ ମନ୍ଦିରବହୁଳ । ଅସଂଖ୍ୟ ଦେବଦର୍ଶନାର୍ଥୀ ପ୍ରଦୋଷକାଳରେ ପ୍ରୋକ୍ତ କାରଣରୁ ଏହି ରାଗରେ ଦଶାବତାର ଗୀତିକା ଗାୟନ କରନ୍ତି ।

 

କବି ଜୟଦେବ ପରାଶରାଦି ଭକ୍ତ ସଙ୍ଗୀଗଣ ସମଭିଭ୍ୟାହାରରେ ଶ୍ରୀକୃଷ୍ଣ ଭଗବାନ୍ ଜଗନ୍ନାଥଙ୍କର ସନ୍ଧ୍ୟାରତିକାଳରେ ଓଡ଼ିଶାର ଜନମନକୁ ଘେନାଇ ଓଡ଼ିଶୀ ଶୈଳୀରେ ଏହି ଗୀତ ପ୍ରଥମେ ପ୍ରବର୍ତ୍ତନା କଲେ ଏବଂ ପୂଜ୍ୟପାଦ ପୂର୍ବଜଙ୍କର ଅମଳିନ ସ୍ମୃତି ଘେନି ପ୍ରତିସନ୍ଧ୍ୟାରେ ତାଙ୍କରି ଦାୟାଦମାନଙ୍କ କଣ୍ଠନିଃସୃତ ଏହି ଦଶାବତାର ଗୀତିକା ଓଡ଼ିଶାର ଅଗଣିତ ବିଷ୍ଣୁମନ୍ଦିର ଆଜି ମଧ୍ୟ ମୁଖରିତ କରେ ।

 

ଉତ୍ତରାଂଶପ୍ରଧାନ ମାଳବ ରାଗଟି ନିଷାଦ-ଗାନ୍ଧାରପ୍ରାଧନ୍ୟ-ହେତୁ ‘‘କାର୍ଯ୍ୟୋ ଗନୀ ତୁ କରୁଣେ ହାସ୍ୟେ ଶୃଙ୍ଗାରୟୋର୍ମତୌ’’ ତଥା ‘‘ଗାନ୍ଧାରଃ ସପ୍ତମ ପ୍ରାୟଃ କରୁଣେ ଗାନମିଷ୍ୟତେ ।’’ ଅର୍ଥାତ୍ ନି-ଗା ସ୍ୱର-ସମନ୍ୱୟ କରୁଣ, ହାସ୍ୟ ଓ ଶୃଙ୍ଗାର ବିଶେଷତଃ କରୁଣ-ରସପ୍ରଚାରକ ।

 

ଟକ୍‌କ ଜାତି ଉଦ୍‌ଭବ ରାଗହେତୁ ରୁଷଭ ଓ ଧୈବତ ସ୍ୱରଦ୍ୱୟ କୋମଳ ହେଲେ ମଧ୍ୟ ଏହି ରାଗରେ ରୁଷଭସ୍ୱର ବର୍ଜିତ । ତେଣୁ କୋମଳ ଧୈବତ ଶାନ୍ତରସର ଉଦ୍ଦୀପକରୂପେ ବ୍ୟବହୃତ । ଏହା ମାଳବ ରାଗର ଅଧୁନା ପ୍ରଚଳିତ ରୀତି ମଧ୍ୟ ।

 

ଏ ରୀତିରେ ରାଗଟିର ଆରୋହାବରୋହ ସ୍ୱରବିଧାନ ହେଲା-

ଆରୋହ-ସା, ଗା, ମା, ଦ୍ଧା (କୋମଳ ଧୈବତ) ନି ଓ ର୍ସା

(ତାରଷଡ଼ଜ)

ଅବରୋହ-ର୍ସା, ନି,ଦ୍ଧା,ମା, ଗା, ସା ।

 

ଉତ୍କଳ ସଙ୍ଗୀତ ପଦ୍ଧତିମତେ ଏହି ଗୌରୀ ମେଳର ରାଗଟି ଶ୍ରୀଗୀତଗୋବିନ୍ଦର ତିନିଗୋଟି ସ୍ଥଳରେ ବ୍ୟବହୃତ ହୋଇଅଛି ।

 

ଶ୍ରୀଗୀତଗୋବିନ୍ଦରେ ବ୍ୟବହୃତ ଅନ୍ୟାନ୍ୟ ରାଗଗୁଡ଼ିକ ସଂବନ୍ଧେ ଆଲୋଚନା କଲେ ସ୍ପଷ୍ଟ ପ୍ରତିପାଦିତ ହୁଏ ଯେ ମହାକବି ଗୀତଗୁଡ଼ିକରେ ରାସଭାବାନୁକୂଳକ ରାଗର ଯଥାର୍ଥ ଉପଯୋଗ କରିଅଛନ୍ତି ।

 

ରସରାଗ

ଋତୁ ବସନ୍ତ

 

ରସାଳର ସକୁମାର ନବମୁକୁଳ-ତନୁରେ ମନଲୋଭା ସରସ ପରଶ ବୋଳି, ମଦିର ସମ୍ପଦ ଅପହରଣ କରି, ବିଶ୍ୱସାରା ପରଶିଦେଇ ମଳୟ ନିଜର ପ୍ରୌଢ଼ୀ ପ୍ରଚାରରେ ବ୍ୟସ୍ତ । ବିନ୍ଦୁମିତ ମଧୁଲୋଭରେ ଚାଟୁ ଗୀତ ଗାଇ ଫୁଲବଧୂର ଚଉକତି ଅଳି କରି ବୁଲୁଛି ଲମ୍ପଟ ମଧୁକର । ପଞ୍ଚମ ତାନରେ କୁହୁ ଭଣି ବନପ୍ରିୟ କୋଇଲି ବିରହିଣୀର ଅନ୍ତରମଝିରେ ପ୍ରିୟ-ମିଳନର ଉତ୍କଣ୍ଠ ବାସନା ଚେତାଇଦେଉଛି ।

 

ରାଧାମାଧବ-କେଳି-କୌତୁକ-ରସିକ ଭକ୍ତକବି ଜୟଦେବ ସରସ ବାସନ୍ତୀ-ପ୍ରଫୁଲ୍ଲ-ପ୍ରକୃତିର ମାଧୂର୍ଯ୍ୟସଂଦର୍ଶନରେ ଆତ୍ମବିଭୋର ହୋଇ ଗୋବିନ୍ଦ-ଚରଣତଳେ ପ୍ରଣତି-ନିବେଦନ-ମାନସରେ ଧରିବସିଲେ ପୋଥି ଆଉ ଲେଖନୀ । ଅପ୍ରତ୍ୟାଶିତଭାବେ ଅଶରୀରୀ ନିର୍ଦ୍ଦେଶ ମିଳିଲା-

‘‘ଗୀତୈର୍ବାଦୈଶ୍ଚ ନୃତ୍ୟୈଶ୍ଚ ଶ୍ରୀକୃଷ୍ଣଂ ପରିତୋଷୟତ୍ ।’’

 

ସ୍ଥିର କଲେ, ଗୋବିନ୍ଦଙ୍କର ତୃପ୍ତିବିଧାନକଳ୍ପେ ଗାଇବେ ସେ ଗୋବିନ୍ଦ ରସ ଗୀତି-ଗାଇବେ ସେ ଭକ୍ତିରସର ପରମବିକାଶକ ଶୃଙ୍ଗାର-ସଙ୍ଗୀତ ।

 

ଭଟ୍ଟନୃସିଂହ ଯେଉଁ ଶୃଙ୍ଗାରରସର ଅଭିନବତ୍ୱ, ପରମାର୍ଥକତ୍ୱ- ସମ୍ବନ୍ଧେ କହିଛନ୍ତି-

‘‘ଯେନ ରମ୍ୟତେ, ଯେନ ଅନୁକୂଳବେଦନୀୟତୟା ଦୁଃଖମପି ସୁଖତ୍ୱେନ ଅଭିମନ୍ୟତେ, ଯେନ ରସିକୈରହଂକ୍ରିୟତେ, ଯେନ ଶୃଙ୍ଗାରଃ ଉଚ୍ଛୃତୟୋରୀୟତେ, ସ ଖଳୁ ତାଦୃଶୋଽସ୍ତି ।’’

ଜୟଦେବ କେବଳ ସଂଗୀତଜ୍ଞ ନୁହନ୍ତି, ସେ କବି-ମହାକବି ।

 

ଶୃଙ୍ଗାରୀ ଚେତ୍ କବିଃ କାବ୍ୟେ

      ଜାତଂ ରସମୟଂ ଜଗତ୍

ସ ଏବ ଚେଦଶୃଙ୍ଗାରୀ *

ସର୍ବଂ ବିରସତାଂ ବ୍ରଜେତ୍ ।

(ଧ୍ୱନ୍ୟାଲୋକ)

*ପାଠାନ୍ତର-ସ ଏବ ବୀତରାଗଶ୍ଚେତ୍ ।

 

ଶୃଙ୍ଗାରରସାପ୍ଳୁତ କାବ୍ୟ ସାରାଜଗତକୁ ରସମୟ କରେ; ତାହା ଛଡ଼ା ସଂସାର ହୁଏ ନୀରସ । ଜୟଦେବ ସ୍ୱୟଂ ରସରେ ମଜ୍ଜି ଜଗତକୁ ମଜ୍ଜାଇଦେବା ମାନସରେ ହେଲେ ଗୋବିନ୍ଦଚରଣାଶ୍ରିତ । ନିବେଦନ କଲେ, ଶୃଙ୍ଗାରରସଭରା ସଂଗୀତମୟ କାବ୍ୟଟି । ଇଷ୍ଟଦେବଙ୍କର ଆଶୀର୍ବାଦ ଘେନି ଭକ୍ତକଣ୍ଠର ଏଇ ଶୃଙ୍ଗାରରସଭରା ସଂଗୀତ ହେବ ରାଧାକୃଷ୍ଣ-କେଳିକଳାପର ପ୍ରଥମ ମାଧୂର୍ଯ୍ୟ ପ୍ରଚାର । କଳ୍ପନା ନୟନ ତାଙ୍କର ଦେଖିଛି- ‘‘ସାମୋଦ-ଦାମୋଦର ।’’

 

ଦିନେ ପ୍ରୀତିବତୀ ରାଧିକା ହିରଣ୍ୟ ରସନାଦାମରେ ଯାହାକୁ ବାନ୍ଧି-ପକାଇଥିଲେ, ସେହି ଦାମୋଦର ଆଜି ଆମୋଦ ମତ୍ତ ।

ମନ୍ଦ-ମଳୟସଞ୍ଚାଳିତ ବାସନ୍ତୀ-ସୁମନସୁରଭିତ ବୃନ୍ଦାବନର ଲତାକୁଞ୍ଜତଳେ ବିଳାସିନୀ ବ୍ରଜବନିତାପରିବେଷ୍ଟନୀରେ-

‘‘ଶୃଙ୍ଗାରଃ ସଖି ମୂର୍ତ୍ତିମାନିବ ମଧୌ ମୁଗ୍‌ଧୋ ହରିଃ କ୍ରୀଡ଼ତି ।’’

 

ଏ ରସ, ଏ ଭାବ, ଏ ମାଧୁରୀ, ଏ ଉନ୍ମାଦନା ଯୁଗଯୁଗାନ୍ତରର ଅସରନ୍ତି ଗନ୍ତାଘରେ ସାଇତିରଖିବେ କିପରି ? କିଏ ହେବ ସଙ୍ଗୀତପ୍ରାଣ କବିଙ୍କର ପରମ ସହାୟକ ବନ୍ଧୁ ? ପଲକମାତ୍ରକେ ଉପସ୍ଥିତ ଅନାହୃତ ସହୃଦୟ-

 

‘‘ଚୁତାଙ୍କୁରେଣୈବ କୃତାବତଂ ସୋ

      ବିଘୁର୍ଣ୍ଣମାନାରୁଣନେତ୍ରପଦ୍ମଃ ।

ପୀତାମ୍ବରଃ କାଞ୍ଚନଚାରୁଦେହୋ

      ବସନ୍ତ ରାଗୋ ଯୁବତୀ-ପ୍ରିୟଶ୍ଚ ।’’

 

ଅକୃତିମ ଦରଦୀ ବନ୍ଧୁ ବସନ୍ତ କଳ୍ପନାର ଭାବ ଅନୁମାନ କରି ଶୃଙ୍ଗାର-ରସପୂରକ ଷଡ଼ଜ ଓ ମଧ୍ୟମ ସ୍ୱରସମନ୍ୱୟର ନିରାଜନାଲାଗି ପରାମର୍ଶ ଦେଲେ ମହାକବିଙ୍କୁ । ତହୁଁ ସକୃତଜ୍ଞ କବି ସ୍ୱରଦେବତାର ଆବାହନ କଲେ ଭାଷା-ବାହାନରେ ବିଜେକରାଇ ତାଙ୍କୁ । ଫଳରେ ଅମର ଲେଖନୀମୁନରୁ ପ୍ରସରିଲା ଅମୃତର ଅପୂର୍ବ ନିର୍ଝରଧାରା-

‘‘ବିହରତି ହରିରିହ ସରସ ବସନ୍ତେ ।’’

 

ରସ-ରାଗ ଘେନି ବସନ୍ତ ରାସର ଅୟମାରମ୍ଭ କଲେ ରସିକ କବି ଏଇ ଗୀତଟି ଗାଇ । ଏହି ରାଗର ଲକ୍ଷଣସମ୍ବନ୍ଧେ ଉତ୍କଳୀୟ ସଙ୍ଗୀତ ଗ୍ରନ୍ଥକାରମାନେ କହିଛନ୍ତି-

 

(କ)

‘‘ଷଡ଼୍‌ଜ-ମଧ୍ୟମିକା-ଜାତଃ

ଷଡ଼୍‌ଜନ୍ୟାସ ଗ୍ରହାଂଶକଃ

ଗେୟା ବସନ୍ତରାଗୋଽୟଂ

ବସନ୍ତସମୟେ ବୁଧୈଃ ।’’

(ଗୀତପ୍ରକାଶ, ସଙ୍ଗୀତ ନାରାୟଣ)

 

(ଖ)

‘‘ଷଡ଼୍‌ଜନ୍ୟା ଗ୍ରହାଂଶୋଽୟଂ

ଷଡ଼୍‌ଜ ମଧ୍ୟମିକୋଦ୍‌ଭବଃ

ଜ୍ଞେୟା ବସନ୍ତଃ ସମ୍ପୂର୍ଣ୍ଣୋ

ବସନ୍ତସମୟେ ବୁଧୈଃ ।’’

(ସଙ୍ଗୀତ ମୁକ୍ତାବଳୀ)

 

ବସନ୍ତ ରାଗ ବସନ୍ତକାଳରେ ସର୍ବକାଳୀନ ଗେୟ ବୋଲି ଗ୍ରନ୍ଥମତ । ମତାନ୍ତରେ ଶେଷରାତ୍ର ଏବଂ ଦିବସର ପ୍ରଥମ ପ୍ରହରରେ ଗେୟ । କାଳର ଗତି ସଙ୍ଗେ ସଙ୍ଗେ ରାଗ-ରାଗିଣୀର ଗଠନ-ରୀତିର ବହୁ ପରିବର୍ତ୍ତନ ଘଟିଛି ।

 

ପ୍ରୋକ୍ତ ଗନ୍ଥମାନଙ୍କ ମତରେ ବସନ୍ତ ଏକ ଶୁଦ୍ଧ, ସଂପୂର୍ଣ୍ଣ ରାଗ । ଅଧୁନା ପ୍ରଚଳିତ ମତେ ଏହା ଓଡ଼ବ-ଷାଡ଼ବ ରାଗ । ଆରୋହଣରେ ଋଷଭ ଓ ପଞ୍ଚମ ବର୍ଜିତ । ଅବରୋହକାଳରେ କେବଳ ପଞ୍ଚମବିହୀନ । ଋଷଭ ସ୍ୱର କୋମଳ । ତୀବ୍ର ଏବଂ ଶୁଦ୍ଧ ଦୁଇ ରୀତିର ମଧ୍ୟମ ମଧ୍ୟ ବ୍ୟବହୃତ ହୁଏ । ଆରୋହଣରେ ଶୁଦ୍ଧ, ମତାନ୍ତରେ ତୀବ୍ର ଏବଂ ଅବରୋହଣରେ ତୀବ୍ର ଓ ଶୁଦ୍ଧ-ଦୁଇ ମଧ୍ୟମର ବ୍ୟବହାର ଦେଖାଯାଏ । ଓଡ଼ିଶୀ ସଙ୍ଗୀତ ପଦ୍ଧତିରେ ଏହା ପଞ୍ଚମ ମେଳର ରାଗ ।

 

ଷଡ଼ଜ-ମଧ୍ୟମ ବାଦୀ ସଂବାଦୀ ।

କେହି କେହି ମଧ୍ୟମ-ଷଡ଼ଜକୁ ମଧ୍ୟ ବାଦୀ ସଂବାଦୀରୂପେ ଗ୍ରହଣ କରିବାର ଦେଖାଯାଏ ।

 

ଆରୋହ = ସା ଗା ମା ଧା ନି ର୍ସା

ଅବରୋହ = ର୍ସା ନି ଧା ତ୍ମା ଗା ରି ସା

(ତ୍ମା = ତୀବ୍ର ମଧ୍ୟମ, ରୀ = କୋମଳ ଋଷଭ)

ରସ = ଶୃଙ୍ଗାର ।

ମହାକବି ଏହି ରସାନୁକୂଳକ ରାଗର ଉପଯୋଗରେ ରଚିତ ସଙ୍ଗୀତଟିର ଶେଷରେ କହିଛନ୍ତି :-

‘‘ସରସ-ବସନ୍ତସମୟ-ବନବର୍ଣ୍ଣନମନୁଗତ-ମଦନବିକାରଂ ।’’

 

ନଟଶିରୋମଣି ମୂର୍ତ୍ତିମାନ ଶୃଙ୍ଗାରୀରୂପୀ ନାଗର ନଟବରଙ୍କୁ ଘେରିରହିଛନ୍ତି ବ୍ରଜନାଗରୀବୃନ୍ଦ-ପାଶୋରିଦେଇ ନିଜର କୁଳ, ଶୀଳ, ମାନ, ଗୌରବ । ପ୍ରୀତିଉଚ୍ଛୁଳା ମନ ପ୍ରାଣ ଘେନି ସମସ୍ତେ ହଲ୍ଲିସକ ନୃତ୍ୟରେ ପ୍ରମତ୍ତ ।

 

ଏତିକିବେଳେ ଶ୍ରୀକୃଷ୍ଣ-ମିଳନ-ଆଶାରେ ଗହନ କାନ୍ତାର ବୁଲି ବୁଲି କନ୍ଦର୍ପ-ଜ୍ୱରପୀଡ଼ିତା ବିରହତ୍କଣ୍ଠିତା ଶ୍ରୀମତୀଙ୍କୁ ସଙ୍ଗରେ ଆଣି ସହଚରୀ ଅଦୂର ଲତାକୁଞ୍ଜ ଉହାଡ଼ରୁ ଠାରି କହିଲା-ରାଈ !

ବିହରେ ହରି ସହି ! ମଧୁ ମଧୁ-ମାସେ

ସଖିଗଣ ସଙ୍ଗେ ନାଚଇ ରଙ୍ଗେ

ବିରହୀ ପରାଣମରା ସେ ।

 

ଏଇ ଅବସ୍ଥାରେ ଚନ୍ଦନଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀଙ୍କୁ ଦେଖାଇଦେଲା ସହଚରୀ ।

ଅଦ୍ଭୁତ କେଶବ-କେଳିରହସ୍ୟ-ସଂଦର୍ଶନରେ ହୃଦୟ ଭରିଗଲା ଅଭିମାନରେ ନବକିଶୋରୀଙ୍କର । ଅରୁଣୋଦୟ ପରେ ପରେ ଶ୍ରୀକୃଷ୍ଣଙ୍କୁ ଗୋପୀମଣ୍ଡଳମଧ୍ୟରେ ଏବଂବିଧ ଲୀଳାରତ ଦେଖି ଆଉ ଦଣ୍ଡେ ହେଲେ ଉଛୁର ନ ସହି ସଖୀ ସହିତ ରାସମଣ୍ଡଳ ନିକଟରୁ ବାହାରିଗଲେ ସେ । ପ୍ରଣୟ-ଈର୍ଷାନ୍ୱିତା କୋପିନୀ ପଣ କଲେ-ଯାହା ହେବାର ହେଉ ପଛେ, ଦକ୍ଷିଣନାୟକ ଶ୍ୟାମଚନ୍ଦ୍ର ଏଥର ତାଙ୍କ ନିକଟରେ ଉପଗତ ହେଲେ ସେ ଅବଶ୍ୟ ଶଠଙ୍କର ପ୍ରୀତି ପ୍ରତ୍ୟାଖାନ କରି ହେବେ ମାନୋନ୍ନତା ।

 

ତହୁଁ ସ୍ଥଳ, କାଳ ଓ ପାତ୍ର ବିବେଚନା କରି ରସାନୁକୂଳକ ‘ରାମକିରୀ’ ରାଗସହାୟରେ ମହାକବି ଖଞ୍ଜିଛନ୍ତି ଗୀତ-ଭାଷା । ଏହା ଶ୍ରୀଗୀତଗୋବିନ୍ଦର ଦ୍ୱିତୀୟ ସଙ୍ଗୀତ ।

ରାମକିରୀ ରାଗର ଭାବ-ରୂପ ବର୍ଣ୍ଣନା କରି ସଙ୍ଗୀତ ନାରାୟଣ ଗ୍ରନ୍ଥକାର କହିଛନ୍ତି-

 

‘‘ସ୍ୱର୍ଣ୍ଣପ୍ରଭା-ଭାସୁରଭୂଷଣାଢ୍ୟଂ

ନୀଳଂ ନିଚୋଳଂ ବପୁଷା ବହନ୍ତୀଂ ।

କାନ୍ତେ ପଦୋପାନ୍ତମଧିଶ୍ରିତେଽପି

ମନୋନ୍ନତା ରାମକିରୀ ପ୍ରଦିଷ୍ଟା ।।’’

 

ରସବିଚାରରୁ ଏହି ରାଗର ଉପଯୋଗ ଅତୀବ ସମୀଚୀନ ।

ଗୀତପ୍ରକାଶ, ସଙ୍ଗୀତ ନାରାୟଣ ଏବଂ ସଙ୍ଗୀତ ସରଣୀ ପ୍ରଭୃତି ଗ୍ରନ୍ଥମତେ ରାଗଟି ସଂପୂର୍ଣ୍ଣ ଶ୍ରେଣୀୟ । ଏମାନଙ୍କ ମତରେ-

‘‘ପ୍ରହରାଭ୍ୟନ୍ତରେ ଗେୟା ଷଡ଼୍‌ଜନ୍ୟାସ ଗ୍ରହାଂଶକା

ଷଡ଼୍‌ଜର୍ଷଭ ଗ୍ରହାରମ୍ଭା ତଜ୍‌ଜେ ରାମକୃତିର୍ମତାଃ ।।’‘

ସଙ୍ଗୀତକୌମୁଦୀ (ଉତ୍କଳ) ଏବଂ ହୃଦୟ କୌତୁକ ଗ୍ରନ୍ଥମତେ-

‘‘ଆରୋହେ ମନିହୀନ ସ୍ୟାଦ୍

ଗାନ୍ଧାରାଦିକ ମୁର୍ଚ୍ଛନା ।

ଧୈବତାଂଶା ଚ ଗ-ନ୍ୟାସା

ପୂର୍ଣ୍ଣା ରାମକଲୀମତାଃ ।।’’

 

ପ୍ରଚଳିତ ଓଡ଼ିଶୀ ପଦ୍ଧତିରେ ରାମକିରୀ ‘ଗୌରୀ’ ମେଳର ରାଗ । ଋଷଭ ଏବଂ ଧୈବତ ସ୍ୱରଦୟ କୋମଳ ।

ଆରୋହ = ଔଡ଼ବ (ମ-ନିବର୍ଜିତ)

ଅବରୋହ = ସଂପୂର୍ଣ୍ଣ

ବାଦୀ = ଷଡ଼ଜ

ସଂବାଦୀ = ପଞ୍ଚମ

 

ମତାନ୍ତରେ-

ବାଦୀ = ପଞ୍ଚମ

ସଂବାଦୀ = ଷଡ଼ଜ

କେହି କେହି ଉଭୟ ମଧ୍ୟମ ବ୍ୟବହାର ମଧ୍ୟ କରନ୍ତି ।

ରସ = ଶୃଙ୍ଗାର-ସ୍ଥାୟୀଭାବ ଶୋକ ।

ସମୟ = ଦିବା ପ୍ରଥମ ପ୍ରହର ।

 

ରାମକିରୀ ରାଗରେ ଶ୍ରୀମତୀଙ୍କର ଈର୍ଷାମାନ ସୃଷ୍ଟି ହେବାଭଳି ଅବସ୍ଥା ବର୍ଣ୍ଣନପରେ କବିଙ୍କର କଳ୍ପନା ନୟନ ଦେଖିଛି-

 

ମଧୁବ୍ରତମଣ୍ଡଳୀର ଗୁଞ୍ଜନମୁଖରିତ ଏକ ନିଭୃତ ନିକୁଞ୍ଜରେ ଉପଗତା ରାଧିକା ଅତି ଅସହାୟାଭଳି ପ୍ରିୟସଖୀକୁ ଗୋପନରେ କହିଲେ-

 

‘‘ସଖୀ ! ଦିନେ ଏହି ଚନ୍ଦ୍ରକ-ଚାରୁମୟୂରଶିଖଣ୍ଡକମଣ୍ଡଳବଳୟିତ କେଶୀ ନାଗର ଶ୍ରୀକୃଷ୍ଣଙ୍କ ସହ ମଧୁର ମିଳନଗୌରବରେ ଗରବିଣୀ ଥିଲା ରାଧିକା । ଆଜି ପୁଣି ତାହାରି ଆଖି ଦେଖିଲା-

‘ରାସେ ହରିମିହ ବିହିତବିଳାସମ୍ ।’

 

ବୁକୁ ଫାଟି ଯାଉଛି ସଖୀ ପୂର୍ବକଥା ସ୍ମରଣ କରି ।’’

 

ଏହି ସ୍ମୃତିର ଅନ୍ତରାଳରେ ଲୁଚିରହିଛି ମିଳନର ଉଦ୍‌ଗ୍ରୀବ ଆକାଙ୍‌କ୍ଷା । ‘‘ନବୀନା ବିପ୍ରଲମ୍ଭେନ ଶୃଙ୍ଗାରପୃଷ୍ଟିମଶ୍ଚୁତେ’’-ବିରହ ବିନା ଶୃଙ୍ଗାର ପୁଷ୍ଟ ହୁଏ ନାହିଁ । ସମବେଦନାକାତର ଅନ୍ତରମଧ୍ୟରେ ଏହି ଭାବକଳ୍ପନାର ତରଙ୍ଗଖେଳିଯିବାମାତ୍ରକେ କବିକଣ୍ଠରେ ଗୁଞ୍ଜରଣ ଭରିଦେଇଛି ଗୁର୍ଜ୍ଜରୀ ରାଗର ସ୍ୱରସମାବେଶ ।

 

ଏହିଠାରେ ରସ-ରାଗ ବର୍ଣ୍ଣନା ମଧ୍ୟରେ କଥାଟା ରସଭଙ୍ଗ କରିବ ବୋଲି ଜାଣି ମଧ୍ୟ ଅତି ଦୁଃଖର ସହିତ ଏହି ରାଗ ନିର୍ଦ୍ଦେଶ ସମ୍ବନ୍ଧରେ ପଦେ ଅଧେ କଥା ବାଢ଼ି ବସୁଛି,-ସହୃଦୟ ଜନଙ୍କର ଦିବ୍ୟବଧାନ ତଳେ ।

 

ବିଭିନ୍ନ ଭାଷାରେ ପ୍ରକାଶିତ ଶ୍ରୀଗୀତଗୋବିନ୍ଦ ପୁସ୍ତକ ଏବଂ କେତେକ ଖଣ୍ଡି ତାଳପତ୍ର ପାଣ୍ଡୁଲିପି ମିଳାଇବାରେ ଦେଖାଯାଇଅଛି ଯେ ସର୍ବତ୍ର ଏହି ତୃତୀୟ ଗୀତଟିରେ ‘ଗୁଜ୍ଜରୀ’ ବା ‘ଗୁର୍ଜ୍ଜରୀ’ ରାଗ ନିର୍ଦ୍ଦେଶିତ । ଶ୍ରୀଗୀତ-ଗୋବିନ୍ଦରେ ଅନ୍ୟତ୍ର ପାଞ୍ଚଗୋଟି ଗୀତରେ ମଧ୍ୟ ମହାକବି ଏହି ‘ଗୁର୍ଜ୍ଜରୀ’ ରାଗଟି ବ୍ୟବହାର କରିଅଛନ୍ତି, ରସସିଦ୍ଧି ଅଭିପ୍ରାୟରେ । ଏଗୁଡ଼ିକ ଯଥା-

 

(୧) ଗ୍ରନ୍ଥର ମଙ୍ଗଳାଚରଣରେ ୨ୟ ଗୀତ-

(‘‘ଶ୍ରୀତକମଳାକୁଚମଣ୍ଡଳ......’’

ନାୟକ-ଧୀର ଲଳିତ । ରସ—ସୃଙ୍ଗାର)

 

(୨) କଥାବସ୍ତୁ ଉପସ୍ଥାପନା ଅନୁସାରେ ଗ୍ରନ୍ଥର ୩ୟ ଗୀତ-

(୨ୟ ସର୍ଗର ପ୍ରଥମ ଗୀତ)

(‘‘ସଞ୍ଚରଦଧରସୁଧାମଧୁରଧ୍ୱନି......’’)

(ନାୟିକା = ଉତ୍କଣ୍ଠିତା । ରସ-ଶୃଙ୍ଗାର ବିପ୍ରଲମ୍ଭ)

 

(୩) ୩ୟ ସର୍ଗର ୧ମ ଗୀତ-

‘‘ମାମିୟଂ ଚଳିତା ବିଲୋକ୍ୟ......’’

(ନାୟକ-ମୁଗ୍‌ଧ । ରସ-ଶୃଙ୍ଗାର)

 

(୪) ୫ମ ସର୍ଗର ୨ୟ ଗୀତ-

‘‘ରତିସୁଖସାରେ ଗତମଭିସାରେ......’’

(ନାୟିକା-ଅଭିସାରିକା । ରସ-ଶୃଙ୍ଗାର)

 

(୫) ୭ମ ସର୍ଗର ୨ୟ ଗୀତ-

‘‘ସମୁଦିତ ମଦନେ ରମଣୀ ବଦନେ.....’’

(ନାୟକ-ଶଠ, ନାୟିକା-ସ୍ୱାଧୀନ ଭର୍ତ୍ତୃକା, ରସ-ଶୃଙ୍ଗାର)

 

କହିବା ଅନାବଶ୍ୟକ ଯେ ପ୍ରୋକ୍ତ ରଚନାଗୁଡ଼ିକର ରସ ଶୃଙ୍ଗାର ଏବଂ ଘଟଣା ପରମ୍ପରା ବିଚାରରୁ ଏହା ପ୍ରଦୋଷ ବା ନିଶାକାଳୀନ ।

 

ବଙ୍ଗାକ୍ଷରରେ ମୁଦ୍ରିତ ‘‘କବି ଜୟଦେବ ଓ ଗୀତଗୋବିନ୍ଦ’’ର ସ୍ୱନାମଧନ୍ୟ ଟୀକାକାର, ଆଲୋଚକ ତଥା ଅନୁସଂଧାନୀ (X X X ‘‘ଆର ତାହାର ପର ହଇତେଇ ଜୟଦେବ ସମ୍ବଦ୍ଧେ ‘ଅନୁସଦ୍ଧାନ’ ଆରମ୍ଭ କରି’’-କବି ଜୟଦେବ ଓ ଗୀତଗୋବିନ୍ଦ, ପ୍ରଥମ ସଂସ୍କରଣରେ ନିବେଦନ) ପଣ୍ଡିତ ଶ୍ରୀଯୁକ୍ତ ହରେକୃଷ୍ଣ ମୁଖୋପାଧ୍ୟାୟ ତାଙ୍କ ଗ୍ରନ୍ଥରେ ମଧ୍ୟ ଉପରୋକ୍ତ ପାଞ୍ଚଗୋଟି ସଙ୍ଗୀତର ରାଗ ‘ଗୁର୍ଜ୍ଜରୀ’ ବୋଲି ଉଲ୍ଲେଖ କରିଛନ୍ତି । କିନ୍ତୁ ରାଗ ଆଲୋଚନାବେଳେ (ଶ୍ରୀଗୀତଗୋବିନ୍ଦ-୪ର୍ଥ ସଂନ୍ଦର୍ଭ-୧୪ ପୃଷ୍ଠା) ଦକ୍ଷିଣ ‘ଗୁର୍ଜ୍ଜରୀ’ ରାଗ ରୂପର ପରିଚୟ ବାଢ଼ିଛନ୍ତି । ବିଚାରକଲେ ଦେଖାଯିବ ଯେ ଉଭୟ ରାଗ ଆଦୌ ସମାନ ରସମୁଖ୍ୟ ନୁହେଁ । ସୁତରାଂ ତାହା ଗୀତ-ଭାବର ଅନୁକୂଳକ ହୋଇ ନପାରେ । ଏଣୁ ଶ୍ରୀଗୀତଗୋବିନ୍ଦର ମୂଳପାଠରେ ଗୁର୍ଜ୍ଜରୀ ରାଗର ଉଲ୍ଲେଖ ଥିବାସତ୍ୱେ ଦକ୍ଷିଣଗୁର୍ଜ୍ଜରୀକୁ ‘ଅନଧିକାର ପ୍ରବେଶ’ ଦେବା ସମୀଚୀନ ହେଉଛି ତ ?

 

ଶ୍ରୀଗୀତଗୋବିନ୍ଦର ଗୀତ-ରସ ଅନୁସାରେ କବି-ନିର୍ବାଚିତ ଗୁର୍ଜ୍ଜରୀ ଏବଂ ଆଲୋଚକଙ୍କ ଦ୍ୱାରା ଉପସ୍ଥାପିତ ଦକ୍ଷିଣ ଗୁର୍ଜ୍ଜରୀ ରାଗ ଦୁଇଟିର ଭାବ ରୂପର ସଂକ୍ଷିପ୍ତ ଆଲୋଚନା ରସିକଜନଙ୍କ ବିଚାର ଅପେକ୍ଷାରେ ଉପସ୍ଥାପିତ କରାଯାଉଅଛି ।

 

ନାଟ୍ୟକାର ନାଟ୍ୟ ବିଷୟବସ୍ତୁକୁ ମଞ୍ଚୋପଯୋଗୀ ହେବାଭଳି କେତେଗୋଟି ବିଭାଗରେ ବିଭକ୍ତ କରନ୍ତି । ଏହା ନାଟକର ‘ଅଙ୍କ’ ବୋଲି କଥିତ । ଗୀତିକାବ୍ୟରେ ସେହିପରି ଘଟଣା ପରମ୍ପରା ବର୍ଣ୍ଣନା କରିବାକୁ ଯାଇ ମହାକବି ଶ୍ରୀଗୀତଗୋବିନ୍ଦକୁ ବାରଗୋଟି ସର୍ଗରେ ବିଭକ୍ତ କରିଅଛନ୍ତି । ଦୃଶ୍ୟ କାବ୍ୟରେ ଯୋଡ଼ିଏ ଅଙ୍କର ଉପସ୍ଥାପନା ମଧ୍ୟରେ କିଛି ସମୟର ବ୍ୟବଧାନ ରହେ । ଏହି ସନ୍ଧିକାଳରେ ସାଧାରଣତଃ ‘କାଳାନ୍ତର’ ସୂଚାଇବାର ସୁଯୋଗ ନେଇଥାନ୍ତି ନାଟ୍ୟକାର । ଶ୍ରୀଗୀତଗୋବିନ୍ଦ ଗୀତ-କାବ୍ୟରେ ମଧ୍ୟ ସେହି ଦୃଷ୍ଟିରୁ ସର୍ଗ ସର୍ଜନା ଘଟିଅଛି ।

 

ଶ୍ରୀମତୀ ରାସମଣ୍ଡଳୀରେ କେଳିପ୍ରମତ୍ତ ନଟବରଙ୍କୁ ଦେଖିସାରି ମନ ଦୁଃଖରେ ଚାଲି ଯାଇଛନ୍ତି । ଏହିଠାରେ ପ୍ରଥମ ସର୍ଗ ଶେଷ ହୋଇଛି । ଦ୍ୱିତୀୟ ସର୍ଗ ବର୍ଣ୍ଣିତ ଘଟଣାବଳୀର କାଳ ପ୍ରଦୋଷ ବା ରାତ୍ରିର ସୂଚନା ଦିଏ । କାରଣ ଶ୍ରୀକୃଷ୍ଣଙ୍କୁ ତଦବସ୍ଥ ଦେଖିସାରିବାର ଠିକ୍ ପରମୁହୂର୍ତ୍ତରେ ଶ୍ରୀମତୀ ନିଭୃତ ନିକୁଞ୍ଜରେ ପ୍ରବେଶକରି ଏକାନ୍ତରେ ସହଚରୀ ଆଗରେ ଅନ୍ତରର ବେଦନା ପ୍ରକାଶ କରିବା ସମ୍ଭବପର ନୁହେଁ । ଏଥିନିମିତ୍ତ କିଞ୍ଚିତ୍ କାଳକ୍ଷେପ ଘଟିବା ସ୍ୱାଭାବିକ । ସର୍ଗ ବିଭାଗ ସର୍ଜନାର ଏହାହିଁ ଉଦ୍ଦେଶ୍ୟ ।

 

କବି ଜୟଦେବ ଯେ ରସ ଓ କାଳ କଳନାରେ ଗୁର୍ଜ୍ଜରୀରାଗକୁ ବାଛିନେଇଛନ୍ତି, ରାଗ ରୂପ-ବର୍ଣ୍ଣନା ଏ କଥାର ସହଜ ପ୍ରମାଣ ।

 

‘ସଙ୍ଗୀତ ନାରାୟଣ’ ତଥା ‘ନାଟ୍ୟ ମନୋରମା’ ପ୍ରଭୃତି ଗ୍ରନ୍ଥରେ ଏହି ରାଗର ଭାବରୂପ କଳ୍ପନା ଦେଖନ୍ତୁ:-

‘‘କର୍ଣ୍ଣୋତ୍‌ପଳା ସଙ୍ଗୀ (ଲମ୍ବି) ମଧୁବ୍ରତାନାମ୍

ସଂଶୃଣ୍ୱତୀ ମଞ୍ଜୁଳ କୂଜିତାନି;

କାନ୍ତାନିକଂ ଗନ୍ତୁମନା ପ୍ରଦୋଷେ

ସା ଗୁର୍ଜ୍ଜରୀ ବେଶ କଳାଞ୍ଚିତାଙ୍ଗୀ ।’’

            (ଇତି ଗୁର୍ଜ୍ଜରୀ)

 

ପୁଣି ‘ଗୀତପ୍ରକାଶ’ ଏବଂ ‘ସଙ୍ଗୀତ ନାରାୟଣ’ରେ ଲେଖାଅଛି:-

 

‘‘ରତ୍ନମାଳାୟାମ୍ ଦଶଧା ଗୁର୍ଜ୍ଜରୀ ପ୍ରୋକ୍ତେତ୍ୟାଦି ଉକ୍ତମ୍ । ତତ୍‌ପ୍ରପଞ୍ଚ ଭୟାନ୍ନଲିଖିତମ୍ । ସଙ୍ଗୀତ-ସାରେ ତୁ ସୌରାଷ୍ଟ୍ର ଗୁଜ୍ଜରୀ, ଦକ୍ଷିଣ ଗୁଜ୍ଜରୀତି ଭେଦଦ୍ୱୟମାହ ।’’ ଇତ୍ୟାଦି

 

ଉତ୍କଳୀୟ ସଙ୍ଗୀତ ଗ୍ରନ୍ଥ ବର୍ଣ୍ଣିତ ଉପର୍ଯୁକ୍ତ ବାକ୍ୟରୁ ଏହା ସହଜ ଅନୁମିତ ହୁଏ ଯେ ଉତ୍କଳରେ କେବଳ ‘ଗୁର୍ଜ୍ଜରୀ’ ନାମକ ସ୍ୱତନ୍ତ୍ର ରାଗର ପ୍ରଚଳନ ଥିଲା । ତେଣୁ କବି ଜୟଦେବ ଯଥାସ୍ଥଳରେ ଏହି ରାଗଟିକୁ ନିର୍ବାଚନ କରି ଉତ୍କଳ ପ୍ରଚଳିତ ରୀତିରେ ସ୍ୱୀୟ ସଙ୍ଗୀତ ପାଣ୍ଡିତ୍ୟର ପରିଚୟ ଦେଇଅଛନ୍ତି ।

 

ଦେଶଜ କଥାରେ ଗୁର୍ଜ୍ଜରୀ ରାଗ ‘ଗୁଜ୍ଜରୀ’ ଓ ‘ଗୁଜରୀ’ ନାମରେ ଅଭିହିତ । ଓଡ଼ିଶୀ ସଙ୍ଗୀତକାରମାନେ ‘ଗୁଜରୀ’ ରାଗର କତେଗୁଡ଼ିଏ ଗୀତ ରଚନା କରିଅଛନ୍ତି । ଗୀତଗୁଡ଼ିକ ଆଦି ବା ଶୃଙ୍ଗାର ରସାତ୍ମକ । ନାୟିକାର ନାୟକ ମିଳନ ଉତ୍କଣ୍ଠା କିମ୍ବା ଅଭିସାର ବର୍ଣ୍ଣନା କରାଯାଇଅଛି ଗୀତ ଗୁଡ଼ିକରେ । ଉଦାହରଣ ସ୍ୱରୂପ କବିସୂର୍ଯ୍ୟଙ୍କ ରଚିତ ‘ଗୁଜ୍ଜରୀ’ ରାଗ ଏକତାଳି ତାଳର ଗୋଟିଏ ଗୀତ ଉପସ୍ଥାପିତ କରାଯାଉଅଛି । ରଚନାର ଅନ୍ତରାଳରେ ସ୍ମୃତି-ସ୍ମରଣ ଓ ମିଳନୋତ୍କାଣ୍ଠାର ଭାବ କିପରି ପୂରିରହିଛି, ଦେଖନ୍ତୁ :-

 

ରାଗ ଗୁଜ୍ଜରୀ-ଏକତାଳି

 

ରେ ସଙ୍ଗିନୀ, ଗୁମାନ କରିବା ବୃଥା ।

ଗତି ତ ନଥିବ ଘନଶ୍ୟାମ ବିନୁ ଖଣ୍ଡିବାକୁ କାମ ବ୍ୟଥା ।0 ।

ଗରିବ ପରବ ଚନ୍ଦ୍ରମାକୁ ନିନ୍ଦେ

ଯେଉଁ ଶିରୀମୁଖ ଦ୍ୟୁତି,

ଗଲେ ଯିବ ପଛେ ଜୀବ ଆଉଥରେ

ଦେଖିବାକୁ ବଳେ ମତି । ୧ ।

 

ଗଗନ-ମଣି-ତନୟା ତଟଚାରୀ

ବାରିରୁହ ଚାରୁ ନେତ୍ର

ଗାଢ଼ ପରିରମ୍ଭ ବିନା ସଖି, ଦମ୍ଭ-

ଭଜି ପାରେ କି ମୋ ଗାତ୍ର । ୨ ।

 

ଗୁରୁ ହେଲାନି ପିନ୍ଧିବା ସରୁ ବାସ

ବାସରେ ନ ରହେ ମତି,

ଗୋଟିଏ ବାସର କଳପ ମଣଇଁ

ଦେଖି ବାସନ୍ତୀକ ରୀତି । ୩ ।

 

ଗରଳ ପରି ଉପବନ ପବନ

ଲାଗୁଅଛି ମୋତେ ସଖି,

ଗଲାଟି ଜୀବନ ଭଣେ ଜଗଦ୍ଦେବ

ଆଉ ନପାରେ ମୁଁ ରଖି । ୪ ।

 

ଗୁର୍ଜ୍ଜରୀ ରାଗ ଲକ୍ଷଣ-

 

କବି ଜୟଦେବ ଏବଂ ସଙ୍ଗୀତ ରତ୍ନାକର ପ୍ରଣେତା ସାର୍ଙ୍ଗଦେବଙ୍କ କାଳ ଐତିହାସିକମାନେ ଦ୍ୱାଦଶ ଶତାବ୍ଦୀ ବୋଲି କହିଅଛନ୍ତି । ତେଣୁ ମନେହୁଏ ଯେ, ଶ୍ରୀଗୀତଗୋବିନ୍ଦରେ ବ୍ୟବହୃତ ରାଗଗୁଡ଼ିକ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ ପ୍ରଚଳିତ ରାଗ-ଲକ୍ଷଣଧାରା ଅନୁସୃତ ।

 

ମତଙ୍ଗମୁନିକୃତ ‘ବୃହଦ୍ଦେଶୀ’ ଅତି ପୁରାତନ ସଙ୍ଗୀତ ଗ୍ରନ୍ଥ । ମହାକବି କାଳିଦାସ କୃତ ରଘୁବଂଶରେ ତାଙ୍କର ନାମୋଲ୍ଲେଖ ଦେଖାଯାଏ । ଏପରି କି ରାମାୟଣ, ମହାଭାରତ ଆଦିରେ ମଧ୍ୟ ‘ମତଙ୍ଗ’ ନାମର ଉଲ୍ଲେଖ ରହିଅଛି । ତେଣୁ ଜୟଦେବ ‘ବୃହଦ୍ଦେଶୀ’ ବର୍ଣ୍ଣିତ ରାଗରୀତି ଅନୁସରଣ କରିଥିବା ସମ୍ଭବ ମନେହୁଏ ।

 

‘ବୃହଦ୍ଦେଶୀ’ ଗ୍ରନ୍ଥମତେ ଗୁର୍ଜ୍ଜରୀରାଗ ଲକ୍ଷଣ ନିମ୍ନରୂପ :-

‘‘ଗୁଜରୀ ପଞ୍ଚମାନ୍ତାଚ ଗାନ୍ଧାରାଂଶାଳ୍ପ ମଧ୍ୟମା

ଗଡ଼ଜ୍ ମଧ୍ୟମା ସଂବାଦଃ ସମ୍ପୂର୍ଣ୍ଣା ନିତ୍ୟମେବହି ।।

ବିଭାଷେୟଂ ସମାଖ୍ୟାତା ସମ୍ପୂର୍ଣ୍ଣ ପଞ୍ଚମୋଦ୍‌ଭବାଃ ।।’’

 

ସଙ୍ଗୀତ ରତ୍ନାକର ମତେ-

‘‘ରିନ୍ୟୋଶ୍ଚ ରିମୟୋଶ୍ଚୈବ ସଙ୍ଗତା ନିଗ୍ରହାଂଶିକା

ଷଡ଼ଜାନ୍ତା ଗୁଜରୀ ପୂର୍ଣ୍ଣଭାଷା ମାଳବ କୈଶିକେ ।।’’

      (ରାଗବିବେକାଧ୍ୟାୟ-୨୩୪ ପୃଷ୍ଠା)

 

ଗୀତପ୍ରକାଶ ଏବଂ ସଙ୍ଗୀତ ନାରାୟଣ ମତେ :-

‘‘ଗୁର୍ଜରୀରି ଗ୍ରହାଂଶାନ୍ତାଜାତା ପଞ୍ଚମ-ଷାଡ଼ବାତ୍

କ୍ୱଚିନ୍ମାଂଶାପି ଧସ୍ତାଦୌ ଗେୟା ଶୃଙ୍ଗାର ବର୍ଦ୍ଧନୀ ।।’’

 

ରାଗରୂପ ବର୍ଣ୍ଣନାନୁସାରେ :-

(କ) ‘‘X X କାନ୍ତାନ୍ତିକଂ ଗନ୍ତୁମନା ପ୍ରଦୋଷେ’’

-ଏଥିରୁ ଶୃଙ୍ଗାର ରସାଭିପ୍ରାୟ ସ୍ପଷ୍ଟ ପ୍ରକାଶିତ ।

 

(ଖ) ସଙ୍ଗୀତ ନାରାୟଣ ମତେ-

‘‘X X ଗେୟା ଶୃଙ୍ଗାର ବର୍ଦ୍ଧନୀ ।।’’

 

(ଗ) ନାଟ୍ୟମନୋରମା ବର୍ଣ୍ଣନାରେ-

‘‘ସାୟଂ ଜ୍ୟୋତ୍ସ୍ନା ଚ ଶୃଙ୍ଗାରେ ।।’’

ପ୍ରୋକ୍ତ ତିନିଗୋଟି ଉତ୍କଳୀୟ ସଙ୍ଗୀତ ଗ୍ରନ୍ଥର ପାଠ ମିଳାଇଲେ ବୁଝାପଡ଼େ ଯେ ଗୁର୍ଜରୀ ପ୍ରଦୋଷଗେୟ ଓ ଶୃଙ୍ଗାର ରସ ପ୍ରକାଶ ଲାଗି ଉପଯୁକ୍ତ ରାଗ ।

 

ଶ୍ରଗୀତଗୋବିନ୍ଦରେ ଏହି ରାଗଟି ପ୍ରଦୋଷକାଳ ଏବଂ ଶୃଙ୍ଗାର ରସ ପ୍ରକାଶ ଲାଗି ଯଥୋପଯୁକ୍ତ ବିଚାର କରିଛନ୍ତି ସଙ୍ଗୀତଜ୍ଞ କବି ଜୟଦେବ । ଦକ୍ଷିଣ ଗୁର୍ଜ୍ଜରୀ ରାଗର ଭାବରୂପ ନିମ୍ନରେ ଉପସ୍ଥାପିତ କରାଯାଉଅଛି । ଗୁର୍ଜ୍ଜରୀ ସ୍ଥଳରେ ଏ ରାଗଟି ଶ୍ରୀଗୀତଗୋବିନ୍ଦର ପ୍ରୋକ୍ତ ରସ-ଗୀତର ରସ ପ୍ରକାଶ ଲାଗି କେତେଦୂର ଉପଯୁକ୍ତ ବିଚାରବନ୍ତ ରସିକେ ତାହା ବିବେଚନା କରନ୍ତୁ ।

 

ଦକ୍ଷିଣ ଗୁଜ୍ଜରୀ ରାଗ-ରୂପ-

 

‘‘ଶ୍ୟାମା ସୁକେଶୀ ମଳୟ ହୁମାଣାଂ

ମୃଦୁଲ୍ଲସତ୍ ପଲ୍ଲବ ତଳ୍ପଯାତା ।

ଶ୍ରୂତେଃ ସ୍ୱରାଣାଂ ଦଧତୀ ବିଭାଗଂ

ତନ୍ତ୍ରୀମୁଖୀ ଦକ୍ଷିଣ ଗୁଜ୍ଜରୀୟମ୍ ।।’’

(ତନ୍ତ୍ରୀମୁଖାତ୍ ବା ପାଠଃ)

(ସଙ୍ଗୀତ ଦାମୋଦର)

 

ପୂର୍ବରେ କୁହାଯାଇଅଛି ସଙ୍ଗୀତ ରତ୍ନାକର ଗ୍ରନ୍ଥରେ ମହାରାଷ୍ଟ୍ର ଗୁର୍ଜ୍ଜରୀ, ସୌରାଷ୍ଟ୍ର ଗୁର୍ଜ୍ଜରୀ, ଦକ୍ଷିଣ ଗୁର୍ଜ୍ଜରୀ ଏବଂ ଦ୍ରାବିଡ଼ ଜୁର୍ଜ୍ଜରୀ ପ୍ରଭୃତି ବିଭିନ୍ନ ଗୁର୍ଜ୍ଜରୀର ନାମୋଲ୍ଲେଖ ଅଛି । ଏଥିରୁ ଅନୁମତି ହୁଏ ଯେ ଗୁର୍ଜ୍ଜରୀ ରାଗ ବିଭିନ୍ନ ପ୍ରଦେଶରୁଚିରେ ଭିନ୍ନ ଭିନ୍ନ ଲକ୍ଷଣାକ୍ରାନ୍ତ ।

 

ସେହିପରି ଦକ୍ଷିଣ ଗୁର୍ଜ୍ଜରୀ ସମ୍ଭବତଃ ଦାକ୍ଷିଣାତ୍ୟରେ ସ୍ୱତନ୍ତ୍ର ରୂପ ଲକ୍ଷଣରେ ପ୍ରଚଳିତ । ସଂଗୀତ ନାରାୟଣ ଗ୍ରନ୍ଥରେ ଦକ୍ଷିଣ ଗୁର୍ଜ୍ଜରୀ ଏବଂ ଗୁଜ୍ଜରୀ ରାଗ ରୂପ ବର୍ଣ୍ଣିତ ହୋଇଥିଲେ ହେଁ, କେବଳ ଗୁର୍ଜ୍ଜରୀ ରାଗ ରଚନା ଲକ୍ଷଣ ଉଲ୍ଳେଖ କରାଯାଇଅଛି । ଉତ୍କଳୀୟ ଅନ୍ୟାନ୍ୟ ଗ୍ରନ୍ଥରେ ମଧ୍ୟ କେବଳ ଗୁଜ୍ଜରୀ ସମ୍ବଦ୍ଧେ ଲେଖାଅଛି । ଓଡ଼ିଶାର ଗୀତିକବିମାନଙ୍କ ଦ୍ୱାରା ମଧ୍ୟ ଦକ୍ଷିଣ ଗୁର୍ଜ୍ଜରୀ ରାଗ କାହିଁ ହେଲେ ବ୍ୟବହୃତ ହୋଇନାହିଁ । ଏଥିରୁ ଓଡ଼ିଶାରେ ଦକ୍ଷିଣ ଗୁଜ୍ଜରୀ ରାଗର ପ୍ରଚଳନ ନଥିବା ଧାରଣା ଦୃଢ଼ୀଭୂତ ହୁଏ । ଶ୍ରୀଗୀତଗୋବିନ୍ଦରେ ମଧ୍ୟ ରସାନୁସାରୀ ରାଗର ବ୍ୟବହାର ପାଇଁ ଦକ୍ଷିଣ ଗୁଜ୍ଜରୀ ରାଗର ଉପଯୁକ୍ତତା ନାହିଁ ।

 

ପଣ୍ଡିତ ହରେକୃଷ୍ଣ ମୁଖୋପାଧ୍ୟାୟଙ୍କ ପରି ଅନ୍ୟତମ ଆଲୋଚକ ଶ୍ରୀ ଅବିନାଶ ଚନ୍ଦ୍ର ମୁଖୋପାଧ୍ୟାୟଙ୍କ ସଂପାଦିତ ଶ୍ରୀଗୀତଗୋବିନ୍ଦରେ ଗୀତର ରାଗ ‘ଗୁଜ୍ଜରୀ’ ବୋଲି ଉଲ୍ଲେଖଥିଲେ ମଧ୍ୟ ରାଗ ପରିଚୟ ଦେବାବେଳେ ‘ଦକ୍ଷିଣ ଗୁଜ୍ଜରୀ’ର ଲକ୍ଷଣ ଦିଆଯାଇଅଛି । କିନ୍ତୁ ଶେଷୋକ୍ତ ପଣ୍ଡିତ ମହାଶୟ ଏହି ରାଗର ଲକ୍ଷଣ ଉଲ୍ଲେଖ କରିବାକୁ ଯାଇ ସଂଗୀତ ପାରିଜାତରୁ ଶ୍ଳୋକାଦ୍ଧାର କରିଛନ୍ତି । ତାହାର ଅବିକଳ ନକଲ ନିମ୍ନରେ ଦେଖନ୍ତୁ:-

 

‘‘ଗୁଜ୍ଜରୀ ମାଳବୋତ୍ପନ୍ନା ବରାହେ ମ ନିବର୍ଜିତା ।

ଗ-ଶ୍ଳିଷ୍ଟ ମଧ୍ୟମୋପେତା ଧୈବତଶ୍ଳିଷ୍ଟ ସମ୍ବରା

ଗାନ୍ଧାର ମୂର୍ଚ୍ଛନୋପେତା ଦାକ୍ଷିଣାତ୍ୟା ପ୍ରକୀର୍ତ୍ତିତା’’

ଇତି-ସଂଗୀତ ପାରିଜାତେ

‘‘ସା      ରୀ      ଜ୍ଞା      ମା      ପା      ଦ୍ଧା      ନ୍ନି’’

 

(ରୀ = କୋମଳ ଋଷଭ, ଜ୍ଞା = କୋମଳ ଗାନ୍ଧାର, ଦ୍ଧା = କୋମଳ ଧୈବତ ଏବଂ ନ୍ନି = କୋମଳ ନିଷାଦ)

-ଅର୍ଥାତ୍ ଏହିପରି ରାଗ ଗଠନ ଲକ୍ଷଣ ଦାକ୍ଷିଣାତ୍ୟରେ ପ୍ରଚଳିତ; ଉତ୍କଳରେ ନୁହେଁ ।

ଆଲୋଚକଙ୍କ ମତେ ଶ୍ରୀଗୀତଗୋବିନ୍ଦ-ନିର୍ଦ୍ଦେଶିତ ଗୁଜ୍ଜରି ରାଗରେ ଭୈରବୀ ରାଗ ପରି ରେ, ଗା, ଧା, ନି ସ୍ୱର ଚାରିଗୋଟି କୋମଳ ରୂପରେ ବ୍ୟବହୃତ ହୁଏ ।

 

ପ୍ରୋକ୍ତ ଚାରିଗୋଟି କୋମଳ ସ୍ୱରଯୁକ୍ତ ରାଗର କାଳ ପ୍ରଭାତ । ରସ ଶୃଙ୍ଗାର ହେଲେ ମଧ୍ୟ ବିପ୍ରଲମ୍ଭ ଶୃଙ୍ଗାର ନୁହେଁ । ତେଣୁ ଶ୍ରୀଗୀତଗୋବିନ୍ଦରେ ଯେଉଁ ରସ ଓ ଯେଉଁ କାଳ ବିବେଚନାରେ ‘ଗୁର୍ଜ୍ଜରୀ’ ରାଗ କବିଙ୍କ ଦ୍ୱାରା ନିର୍ବାଚିତ, ଆଲୋଚକଙ୍କ ବର୍ଣ୍ଣିତ ଦକ୍ଷିଣ ଗୁର୍ଜ୍ଜରୀ ରାଗ ତହିଁ-ପ୍ରତି ଉପଯୁକ୍ତ ବୋଲି କୁହାଯାଇ ନ ପାରେ ।

 

ସମୟ ସାର ମତେ-

‘‘ରି ଗ୍ରହାଂଶ ଚ ମନ୍ୟାସା

      ଜାତ ପଞ୍ଚମ ଷାଡ଼ବାତ୍

ଗ ମନ୍ଦ୍ରା ଚ ନି ତାରା ଚ

      ରା ଧାଭ୍ୟାମପି ଭୂଷସେ

ଗୁର୍ଜ୍ଜରୀ ତାଡ଼ିତା ପୂର୍ଣ୍ଣା

      ଶୃଙ୍ଗାରେ ବିନିଯୂଜ୍ୟତେ’’ । ୩୯ ।

 

ପ୍ରଚଳିତ ଉତ୍କଳ-ପଦ୍ଧତି ମତେ ଗୁର୍ଜ୍ଜରୀ ରାଗଲକ୍ଷଣ ନିମ୍ନରୂପ-

ଗୌରୀ ମେଳର ରାଗିଣୀ

 

ବିଶେଷ ବ୍ୟବହୃତ ସ୍ୱର-ଋଷଭ ଏବଂ ଧୈବତ କୋମଳ

ବାଦୀ-ଷଡ଼ଜ

ସଂବାଦୀ-ମଧ୍ୟମ

ସଂପୂର୍ଣ୍ଣ-ସଂପୂର୍ଣ୍ଣ ରାଗ ।

ମତାନ୍ତରେ ବକ୍ର-ସଂପୂର୍ଣ୍ଣ ଅବରୋହୀ ।

ଆରୋହୀ-ସା ରୀ ଗା ମା ପା ଦ୍ଧା ନି ର୍ସା

ଅବରୋହ-ର୍ସା ନି ଦ୍ଧା ପା ମା ଗା ରୀ ସା

ମତାନ୍ତରେ,

ଅବରୋହ- ର୍ସା ନି ଦ୍ଧା ପା ମା ଗା ରୀ ସା

 

ଏହି ରାଗକୁ ପୁଣି କେହି କେହି ଶୋକ-ବରାଡ଼ୀ ମେଳରେ ଗାଉଥିବାର ଶୁଣାଯାଏ । ଏ ରୀତିରେ ରୁଷଭ, ଗାନ୍ଧାଭ ଓ ଧୈବତ ସ୍ୱରମାନ କୋମଳ ଏବଂ ମଧ୍ୟମ ସ୍ୱର ତୀବ୍ର ।

ଆରୋହଣ-ସଂପୂର୍ଣ୍ଣ

ଅବରୋହଣ-ମଧ୍ୟମ ଓ ନିଷାଦ ବର୍ଜିତ-ଓଡ଼ବ ।

 

ରସରାଜ-ବିରହ-ବିଧୂରା ମହାଭାବ ରାଧା, ସେଇ ନିଭୃତ ନିକୁଞ୍ଜରେ ସହଚରୀ ସହିତ ବିରସ ମନରେ ଉପବିଷ୍ଟା । କୁଞ୍ଜ ପ୍ରବେଶର ପରବର୍ତ୍ତୀ ଘଟଣା ବର୍ଣ୍ଣନା କରିଛନ୍ତି କବି । ପୂର୍ବ ଗୀତଭାବର ଛାୟା ଏ ଗୀତରେ ମଧ୍ୟ ଭରିରହିଛି । ସାମାନ୍ୟ ଅଗ୍ରପଶ୍ଚାତ୍ ହେଲେ ମଧ୍ୟ କାଳ ପ୍ରଦୋଷ ! ବିଗତ ସ୍ମୃତିର ଦଂଶନ ବିରହିଣୀ ରାଈଙ୍କୁ ବିକଳ କରିପକାଉଛି ।

 

ଦରଦୀ ବନ୍ଧୁ ଆଗରେ ମନର ଦୁଃଖ ବଖାଣିଲେ ହୃଦୟର ଗୁରୁଭାର ଲାଘବ ହୋଇଯାଏ-ପଲକ ଲାଗି ହେଉ ପଛେ ମନ ଟିକିଏ ଉଶ୍ୱାସ ଲାଗେ । ଅନୁଭବୀ କଳାକାର ଏହି କଥାର ଅନୁସରଣରେ ବିରହୋତ୍କଣ୍ଠିତା ଶ୍ରୀମତୀଙ୍କର ତଦାନିନ୍ତନ ଅବସ୍ଥା ଶୁଣାଇଛନ୍ତି ମାଳବ ରାଗରେ-

 

...କେତେ ମଧୁଯାମିନୀ ଶ୍ୟାମସଙ୍ଗେ ବିତି ନ ଯାଇଛି ! ଚାଟୁ ବଚନ ପଟୁ (ଚାଟୁକାରୀ ପ୍ରିୟୋକ୍ତିଃସ୍ୟା) ରସିକ ଶେଖର ନବଦଳତଳ୍ପଶୟନରେ କେତେ ରସରଙ୍ଗରେ ଶଶିନିଶି ବିତାଇ ନାହାନ୍ତି ? ଆଜି ସେ ସବୁ ଗତ କଥା ଗୋଟି ଗୋଟି ହୋଇ ଆଖି ଆଗରେ ନାଚି ଉଠୁଛି ମନ ମୋର ବିଚଳିତ ହୋଇ ପଡ଼ୁଛି । ହୃଦୟ ଜଳିପୋଡ଼ି ଯାଉଛି । ଧୈର୍ଯ୍ୟ ରହୁନାହିଁ ମୋ’ର-

‘‘ସଖି ହେ, କେଶିମଥନମୂଦାରଂ

ରମୟ ମୟାସହ ମଦନମନୋରଥ ଭାବିତୟା ସବିକାରମ୍ ।।’’

 

କବି-ନିର୍ବାଚିତ ଏହି ‘ମାଳବ-ରାଗ-ରାଜ’ ସମ୍ବନ୍ଧେ ଇତି ପୂର୍ବରୁ ଆଲୋଚନା କରାଯାଇଅଛି । ଏହିଠାରେ ଶ୍ରୀଗୀତଗୋବିନ୍ଦ ଗୀତିକାବ୍ୟ ଦ୍ୱିତୀୟ ସର୍ଗର ସମାପ୍ତି ଘଟାଇଛନ୍ତି ମହାକବି ।

 

ସଂଗୀତରେ ‘ଶ୍ରୂତି’ର ଅନୁକରଣନହେବା ପରି ବିଶୁଦ୍ଧ ପ୍ରୀତିକ୍ଷେତ୍ରରେ ଏକପକ୍ଷର ହୃଦୟ ବେଦନା ଝଙ୍କୃତ ହୁଏ, ଅନ୍ୟପକ୍ଷର ମର୍ମବୀଣାରେ । ଏହି ସ୍ୱତଃସିଦ୍ଧ ପ୍ରଣୟ ତତ୍ତ୍ୱକୁ ମହାକବି ପାଶୋରି ନାହାନ୍ତି । ତେଣୁ ଏକ ଦିଗରେ ବିରହିଣୀ ଶ୍ରୀମତୀଙ୍କର ବିକଳ ଦଶା ବର୍ଣ୍ଣନ ପରେ ସେ କହିଛନ୍ତି:-

‘‘କଂସାରିରପି ସଂସାରବାସନାବଦ୍ଧ-ଶୃଙ୍ଖଳାମ୍

ରାଧାମାଧାୟ ହୃଦୟେ ତତ୍ୟାଜ ବ୍ରଜସୁନ୍ଦରୀଃ’’

 

ତତ୍ତ୍ୱରେ ଯାହା ଅପ୍ରକଟ, ଲୀଳାରେ ତାହା ସୁପ୍ରକଟ । ବିନ୍ଦୁ ବିନ୍ଦୁ ଜଳ ମିଶି ସାଗର ଗଢ଼ିହେଲା ଭଳି ଲୀଳାବାରିଧି ମଧ୍ୟରେ ତତ୍ତ୍ୱ ସନ୍ନିହିତ । ଅବକାରୀ ରସତତ୍ତ୍ୱ ବିକାଶ ଲାଗି ଶାସ୍ୱତଲୀଳା ଅବତାରଣାର ଆଶ୍ରୟ ନେଇଛନ୍ତି, କବି । କଂସାରି-ଶ୍ରୀଗୀତଗୋବିନ୍ଦର ସଂସାରୀ । ମହାଭାବ ଶ୍ରୀମତୀଙ୍କର ବ୍ୟଥା-ବିଦୀର୍ଣ୍ଣ ହୃଦୟର ଆତୁର ସ୍ପନ୍ଦନ ଲାଗିଛି ରସରାଜଙ୍କ ପ୍ରୀତି-ବିଧୂର ପ୍ରାଣରେ । ତେଣୁ ‘ତତ୍ୟାଜ ବ୍ରଜସୁନ୍ଦରୀଃ’ ଗୋବିନ୍ଦ ମଧ୍ୟ ସମାନ ଭାବେ, ସମାନ କାଳରେ ଅନୁତାପ-ବିଦଗ୍‌ଧ । ଭକ୍ତିର ଅନୁସରଣରେ ପ୍ରଧାବିତ ଏହି ଅପୂର୍ବ ମହତ୍ତ୍ୱ ଫୁଟାଇ କବି ତାଙ୍କର ଗୋବିନ୍ଦଙ୍କୁ ସଂସାରୀ ଭଳି ରାଧାଲାଗି ବାଇ କରାଇଦେଇଛନ୍ତି ।

 

ଦ୍ୱିତୀୟ ସର୍ଗରେ ଶ୍ରୀମତୀ ଈର୍ଷା ପରାୟଣା ହୋଇ ରାସସ୍ଥଳୀ ପରିତ୍ୟାଗ କରି ଏକ ନିଭୃତ ନିକୁଞ୍ଜରେ ବସି ଅତି କାତରଭାବରେ ସହଚରୀ ନିକଟରେ ବିଳାପ କରୁଛନ୍ତି । ପୂର୍ବ ସ୍ମୃତି ତାଙ୍କୁ ବଡ଼ ବେଦନା ଦେଉଛି । ସେ ପୁନର୍ମିଳନ ଆଶାରେ ଅତି ଉତ୍କଣ୍ଠିତା । ଏତେବେଳେ ତାଙ୍କୁ ଅକ୍ଳେଶ କରି ପାରିବା ପାଇଁ କେଶବ ହିଁ ଏକମାତ୍ର ଭରସା । ତେଣୁ କବି ଏହି ସର୍ଗର ନାମକରଣ କରିଛନ୍ତି-‘ଅକ୍ଳେଶ-କେଶବ’ ।

 

ଅନ୍ୟ ପକ୍ଷରେ ଶ୍ରୀମତୀଙ୍କର ରାସସ୍ଥଳୀ ଉପକଣ୍ଠ ବର୍ଜ୍ଜନ କଥା ଜାଣିପାରି, ଆସିଛି ଶ୍ରୀକୃଷ୍ଣଙ୍କର ଅନୁତାପ । ରାଧା ପ୍ରେମ-ମୂରାଧ ମଧୁସୂଦନ ମିଳନ ଆଶାରେ ବ୍ୟାକୁଳ ଚିତ୍ତରେ ପ୍ରୀତିବତୀଙ୍କୁ ଖୋଜି ବୁଲିଛନ୍ତି । ଏହା ତୃତୀୟ ସର୍ଗର ବର୍ଣ୍ଣନୀୟ ବିଷୟବସ୍ତୁ । ଜୟଦେବୀ ଗୋବିନ୍ଦ ଏଠାରେ-‘ମୁଗ୍‌ଧ ମଧୁସୂଦନ’ ।

 

୨ୟ ସର୍ଗରେ ଶ୍ରୀମତୀ ବିରହ କାତର ହୋଇ ଯେପରି କହିଛନ୍ତି-

‘‘ରାସେ ହରିମିହ ବିହିତବିଳାସଂ

ସ୍ମରତି ମନୋ ମମକୃତପରିହାସଂ-’’

 

ଅନ୍ୟ ପକ୍ଷରେ ଶ୍ରୀମତୀଙ୍କର ରାସସ୍ଥଳୀ ଉପକଣ୍ଠ ପରିତ୍ୟାଗ ପରେ ଚେତନା ଆସିଛି ରାସରସିକ ଶ୍ରୀକୃଷ୍ଣଙ୍କର । ଅନୁତାପାନଳ ଜାଳି ଦେଇଛି ହୃଦୟ ତାଙ୍କର ।

ମାମିୟଂ ଚଳିତା ବିଲୋକ୍ୟ ବୃତଂ ବଧୂନିଚୟେନ

ସାପରାଧତୟା ମାୟାପି ନ ବାରିତାତିଭୟେନ

ହରି ହରି ହତାଦରତୟା ଗତା ସା କୁପିତେବ ।’’

 

ଏହି କଥା ବିଚାରି ମିଳନ ଆଶାରେ ବ୍ୟାକୁଳ ହୋଇ ଇତସ୍ତତ ତାଙ୍କୁ ଖୋଜି ବୁଲିଲେ ସଂସାରୀଭଳି କଂସାରୀ ।

ଘଟଣା ପରମ୍ପରା ଫୁଟିଛି ସମକାଳୀନ ବିରହ ବର୍ଣ୍ଣନାରେ । ତେଣୁ କବି ପୂର୍ବ ବର୍ଣ୍ଣିତ ଗୁର୍ଜ୍ଜରୀ ରାଗର ଆଶ୍ରୟ ନେଇଛନ୍ତି ଗୀତ କଥାର ରସପ୍ରସାର କଳ୍ପେ ।

 

କୁଞ୍ଜଭବନରେ ବିରହୋତ୍କଣ୍ଠିତା କିଶୋରୀ । ଚନ୍ଦ୍ର-ଚନ୍ଦନ ହୁତାଶନ ପରି ମଣୁଛନ୍ତି ସେ । ମଳୟ ପବନ-ମନେ ହେଉଛି-ସତେ ଅବା ଚନ୍ଦନ ବନର ବିଷଧର ସର୍ପର ନିଃଶ୍ୱାସରେ ବିଷାକ୍ତ । ନିଜ ସ୍ଥିତିର ଜ୍ଞାନ ନାହିଁ । ସତ୍ୟ କହିଛନ୍ତି ମହାକବି କାଳିଦାସ-

‘‘କମାର୍ତ୍ତହି ପ୍ରକୃତିକୃପଣା ଚେତନାଶ୍ଚେତନେଷୁ ।।’’

 

ଗଣବଣା ଚକିତା ହରିଣୀ ପରି ଭୀରୁ ଅପଲକ ନୟନରୁ ଝରୁଛି ନିରବଧି ନୀରଧାର । କଳ୍ପନା ଦୃଷ୍ଟି ଆଗରେ-‘‘ମୟୁରକଣ୍ଠୋପମ କଣ୍ଠ କାନ୍ତି’’ କୃପାଣପାଣି ବିରହ ସତେ ମୂର୍ତ୍ତିମାନ ! ସହୀର ଏ ଦୀନଦଶା ସହି ନ ପାରି ଦରଦୀ ଦୁତୀ ସଂସାର-ବାସନାବଦ୍ଧ ଶ୍ରୀକୃଷ୍ଣଙ୍କୁ ଜଣାଇଲେ-

‘‘ମାଧବ !

ସା ବିରହେ ତବ ଦୀନା ।।’’

 

ଗୀତ ଭାଷାରେ ବିପ୍ରଲମ୍ଭ ଶୃଙ୍ଗାର ରସ ସୂଚାଇବାକୁ ଯାଇ ସଙ୍ଗୀତ ସାହିତ୍ୟ ରସିକ, ଭାବଭୋଳା-ଜୟଦେବ ଆଶ୍ରୟ ଲୋଡ଼ିଛନ୍ତି କର୍ଣ୍ଣାଟ ରାଗର:-

‘‘କୃପାଣ ପାଣି ସ୍ତୁରଗାଧିରୂଢ଼ୋ

ମୟୂରକଣ୍ଠୋପମ କଣ୍ଠକାନ୍ତିଃ ।

ସ୍ପୁରୋଚ୍ଛିତୋଷ୍ମୀଷଧରଃ ପ୍ରୟାତି

କର୍ଣ୍ଣାଟ ରାଗୋହରିଣାନ୍ନିହନ୍ତି ।।’’

      (ନାଟ୍ୟମନୋରମା)

 

ରାଗ କର୍ଣ୍ଣାଟ କୃପାଣ-ପାଣି ହୋଇ ସତେ ଯେପରି ଭୀରୁ ହରିଣୀ ସମା ବରହିଣୀକୁ ଆକ୍ରମଣ କରି ତା’ର ଧୃତି-ମତି ଚୂର୍ଣ୍ଣ କରିଦେଉଛି ।

ମହାକବି ଏହି ଗୀତଟି (୮ମ) ଶେଷରେ ରସାନୁସାରେ ଲେଖିଛନ୍ତି-

‘‘ସା ପିତୃଦ୍‌ବିରହେଣ ହନ୍ତ ହରିଣୀରୂପାୟତେ ହା କଥଂ

କନ୍ଦର୍ପେଽପି ଯମାୟତେ ବିରଚୟଞ୍ଚାଦ୍ଦୁଳବିକ୍ରୀଡ଼ିତମ୍ ।’’

 

ରାଗ ରୂପର ବର୍ଣ୍ଣନା ସାମ୍ୟ ଏଥି ସହିତ ତୁଳନୀୟ-

‘‘କୃପାଣ ପାଣିସ୍ତୁରଗାଧିରୂଢ଼ୋ

X X X X

କର୍ଣ୍ଣାଟ ରାଗୋ ହରିଣାନ୍ମି ହନ୍ତି ।।’’

 

ଗୀତ ପ୍ରକାଶକାର ଏହି ରାଗର ଲକ୍ଷଣ ସମ୍ବନ୍ଧରେ କହନ୍ତି-

‘‘କର୍ଣ୍ଣାଟ ତଦ୍‌ବଦଖ୍ୟାତୋ ନି-ନ୍ୟାସି ଗ୍ରହଣାଂଶକଃ

ନିଷାଦାଂଶ ଗ୍ରହନ୍ୟାସଯୁକ୍ତଃ ପଞ୍ଚମ ବର୍ଜିତଃ ।।’’

 

ଏହି ପାଠ ଉଦ୍ଧାର କରି ସଙ୍ଗୀତ ନାରାୟଣର ମନ୍ତବ୍ୟ-

‘‘କର୍ଣ୍ଣାଟବଦିତି କର୍ଣ୍ଣାଟୋକ୍ତ ଗାନ-କାଳ-ରସ ମୂର୍ତ୍ତ୍ୟାନ୍ୱିତଃ ଇତ୍ୟର୍ଥ ।’’ ଏହି ମତାନୁସାରେ-

କର୍ଣ୍ଣାଟ ଷାଡ଼ବ ରାଗ । ପଞ୍ଚମ ସ୍ୱର ବର୍ଜିତ । ଗ୍ରହ, ଅଂଶ ଓ ନ୍ୟାସ ସ୍ୱର-ନିଷାଦ ।

ପ୍ରଚଳିତ ଉତ୍କଳୀୟ ମତେ କର୍ଣ୍ଣାଟ ଗୋଟିଏ ସ୍ୱତନ୍ତ୍ର ମେଳ । ଏ ମେଳରେ ଗାନ୍ଧାର, ଧୈବତ ଏବଂ ନିଷାଦ ସ୍ୱରମାନ କୋମଳ ।

ଆରାହଣ = ସଂପୂର୍ଣ୍ଣ

ଅବରୋହଣ = ଷାଡ଼ବ (ଧୈବତ ବର୍ଜିତ)

ବାଦୀ = ରୁଷଭ

ସଂବାଦୀ = ପଞ୍ଚମ

ସମୟ = ନିଶାର୍ଦ୍ଧର ପୂର୍ବ

ରସ = ଶୃଙ୍ଗାରବର୍ଦ୍ଧକ ।

 

ଗାନ୍ଧାର ସ୍ୱର ଆନ୍ଦୋଳିତ କିନ୍ତୁ ଆରୋହଣରେ ଦୁର୍ବଳ ।

ଆରୋହ- ନ୍ନି ସା ରେ ଜ୍ଞା ରେ ସା ମା ପା ଦ୍ଧା ନ୍ନି ର୍ସା

ଅବରୋହ- ର୍ସା (ଦ୍ଧା) ନ୍ନି ପା ମା ପା ଜ୍ଞା ମା ରେ ସା ।

 

-ପାହିଯାଉଛି ବିରହାତ୍କଣ୍ଠିତାର ଅପେକ୍ଷମାଣା ରଜନୀ । ବେଳକୁବେଳ ଅବସ୍ଥା ଅସମ୍ଭାଳ ହୋଇ ପଡ଼ିଲାଣି । କବିସୂର୍ଯ୍ୟଙ୍କ ଭାଷାରେ ଦୁତୀ ଯାଇ ଶ୍ରୀକୃଷ୍ଣ ଜଣାଇଲା-

‘‘ବିରହରେ ସଖୀ ହୋଇଛି କାତର

ସରୁଁ ସରିଲାଣି ସରୋଜ ପତର

ଦେଖିଲା ସଖୀର କଣ୍ଠରେ ମାତର

ଜୀବନକୁ ଅଛି ଧରି,

ହେ ବଂଶୀଧାରୀ !

ସରିଯିବନିଟି ଜୀବନେ କିଶୋରୀ ।।’’

 

କବିଙ୍କ କଳ୍ପନା ନୟନ ଦେଖିଲା-

ସାୟନ୍ତନ ବାଳଚନ୍ଦ୍ର ନିଥର ଥିବାପରି ବିରହ-ପାଣ୍ଡୁର କପୋଳସ୍ଥଳ କରତଳନ୍ୟସ୍ତ । ଶ୍ୟାମମିଳନ ମାନସରେ କିଶୋରୀ ‘‘ହରିରିତି ହରିରିତି ଜପତି ସକାମମ୍ ।’’

 

ଏହି ସର୍ଗଟିରେ ମହାକବି କାଳର ଟିକିଏ ଅଯଥା ବ୍ୟବଧାନ ଘଟାଇ ଥିବାପରି ମନେହୁଏ । ପୂର୍ବଗୀତ ‘‘ସା ବରହେ ତବ ଦୀନା’’ କହି ସାରିବା ପରେ ଗୀତଗୋବିନ୍ଦ ଚତୁର୍ଥ ସର୍ଗର ଏହି ଦ୍ୱିତୀୟ ଗୀତଟିରେ ବିରହିଣୀ ଶ୍ରୀମତୀଙ୍କର ପ୍ରାୟସମାପନ୍ନ ଦଶମଦଶା ବର୍ଣ୍ଣନା କରିବାକୁ ଯାଇ ‘ଦେଷାକ୍ଷ’ ରାଗ ନିର୍ବାଚନ କରିଛନ୍ତି ସଙ୍ଗୀତଜ୍ଞ ମହାକବି । ଭାବାନୁସାରୀ ଏହି ରାଗଟି ଥରେମାତ୍ର ବ୍ୟବହାରରେ ଲାଗିଛି ସମଗ୍ର ଗୀତି କାବ୍ୟରେ ।

ରାଗର ଭାବରୂପ ସମ୍ବନ୍ଧେ ସଙ୍ଗୀତ-ନାରାୟଣକାର ଲେଖିଛନ୍ତି-

‘‘ଆସ୍ଫୋଟନା ବିଷ୍କୃତ ଲୋମ ହର୍ଷୋ

      ନିଯୁଦ୍ଧ ସଂନଦ୍ଧ-ବିଶାଳ ବାହୁଃ ।

ପ୍ରାଂଶୁଃ ପ୍ରଚଣ୍ଡଦ୍ୟୁତି ହୋମଗୌରୋ

      ଦେଶାକ୍ଷ୍ୟରାଗଃ ସହି ମଲ୍ଲରାଜଃ ।।’’

 

ଏହି ରାଗର ଉପଯୋଗରେ କୁହାଯାଇଅଛି-

‘‘ରାଧିକା ତବ ବିରହେ କେଶବ !

ଭାର ମଣେ ସ୍ତନତଟ ବରହାର

ଭାଳି ମନେ କମତନ୍ତୁ କୃଶ ତା’ର ।’’

 

କହିଛି ଦୁତିକା ଗୋବିନ୍ଦଙ୍କୁ:-ହେ ନିଷ୍ଠୁର ! ତମ ବିରହ-ପୀଡ଼ିତା ବିଷାଦିନୀ ଶ୍ରୀମତୀଙ୍କର ଭୀରୁ-ନୟନ ଏବେ ଦେଖୁଛି-ଏକ ପ୍ରାଂଶୁ ପ୍ରଚଣ୍ଡ ହେମ-ଗୌରତନୁ ସତେ ଅବା ବିଶାଳ ବାହୁ ପ୍ରସାରିତକରି ତାଙ୍କ ସଙ୍ଗହୀନା ଦେଖି ଆକ୍ରମଣ କରିବାକୁ ଆସିଛି । ତେଣୁ ବିଷମ ବିରହ ଜ୍ୱରରେ-

‘‘ସା ରୋମାଞ୍ଚତି ଶୀତ୍‌କରୋତି ବିଳପତ୍ୟୁତ୍‌କମ୍ପତେ ତାମ୍ୟତି

ଧ୍ୟାୟତ୍ୟୁଦ୍‌ଭ୍ରମତି ପ୍ରମୀଳତି ପତତ୍ୟୁଦ୍‌ଯାତି ମୃର୍ଚ୍ଛତ୍ୟପି ।।’’

 

କେତେବେଳେ ରୋମାଞ୍ଚ, କେତେବେଳେ ବା ଚିତ୍‌କାର, ବିଳାପ, ବିହ୍ୱଳତା, ଇତ୍ୟାଦି ଅନୁଭବ କରି ଭୂମିରେ ଲୋଟୁଛନ୍ତି, ପୁଣି ଘଡ଼ି ଘଡ଼ି ମୂର୍ଚ୍ଛା ଯାଉଛନ୍ତି କିଶୋରୀ । ବିବିଧ ପ୍ରତିକାର ଆୟୋଜନ କଲେ ମଧ୍ୟ ତିଳେ ହେଲେ ଏ ବିରହ ବ୍ୟାଧିର ଉପଶମ ଦିଶୁନାହିଁ । ନିର୍ଜନରେ ତମରି ଧ୍ୟାନରେ ମାତ୍ର ସେ ଅବଧି ପ୍ରାଣ ଧରିଛନ୍ତି । ଏହି ଦଶା ବା ରସ ପ୍ରକାଶକ ରାଗ ନିର୍ବାଚନର କୃତିତ୍ୱ ଅପୂର୍ବ । ମହାକବିଙ୍କର ଏହା ପରମ ରସିକତ୍ୱ ପରିଚାୟକ । ରାଗର ଲକ୍ଷଣ ଘେନି ମତଙ୍ଗ ମୁନି ବୃହଦ୍ଦେଷୀ ଗ୍ରନ୍ଥରେ କହିଲେ-

‘‘ଦେଶଭାଷାତୁ ‘ଦେଶାଖ୍ୟା’ ସୈନ୍ଧବୀ ଟକ୍‌କରାଗଜା’’

 

ହୃଦୟ କୌତୁକ ମତେ-

ଦେଶାଖ୍ୟ ଧନାଶ୍ରୀମେଳର ରାଗ ।

ରିମୌପମୌ ସଧମପାଃ ପରିଗମରିସାସ୍ତଥା

ଦେଶାଖ୍ୟୋହି ବିଶେଷେଣ ଷାଡ଼ବଃକଥିତୋବୁଧୈଃ

ରି ଗ ମ ପ ସ-ଧ ପ ମ ପ ରି ଗ ମ ରି ସ

      (ହୁ: କୌ: ୭୪)

 

ନାରଦୀୟ ରାଗ ଚତ୍ୱାରିଂଶତ୍ ନିରୂପଣମ୍ ମତେ:-

‘‘ଦେଶଖ୍ୟା ତରୁଣୀ ଶ୍ୟାମା ମାଳତୀ କୁସୁମ ପ୍ରିୟା

ସୁସ୍ତନୀ ବେଦି ମଧ୍ୟାଙ୍ଗୀ ସ୍ମେରାସ୍ୟା କୁଙ୍କୁମାଙ୍କିତା ।।’’ [ ୧୫ପୃଷ୍ଠା ]

 

ସଙ୍ଗୀତ ସାରୋମୃତୋଦ୍ଧାର ମତେ-

‘‘ଦେଶାଖ୍ୟାରାଗଃ ସମ୍ପୂର୍ଣ୍ଣ ସ୍ୱମେଳେତ୍ତ୍ୟଶ୍ଚସଗ୍ରହଃ

ସନ୍ୟାସଃ ପ୍ରାତଃକାଳେ ତୁ ଗେୟଃ ସଙ୍ଗୀତ କୋବିଦୈଃ ।।’’

 

ସଂଗୀତ ନାରାୟଣ ମତେ-

‘‘ଗାନ୍ଧାର ପଞ୍ଚମୋଜ୍ଜାତା ଦେଶାଖ୍ୟର୍ଷଭ ବର୍ଜିତା

ଗାନ୍ଧାରାଂଶ-ଗ୍ରହନ୍ୟାସା ଶାନ୍ତ ଶୃଙ୍ଗାରୟୋଃ ପ୍ରଗେ ।।’’

      (ପ୍ରଗେ-ପ୍ରାତର୍ଗେୟ ଇତ୍ୟର୍ଥ)

 

ପାରିଜାତ ମତେ-

ଗାନ୍ଧାର ଓ ନିଷାଦ କୋମଳ । ପଞ୍ଚମବାଦୀ । ଷଡ଼ଜ ସଂବାଦୀ । ଅବରୋହରେ ଗାନ୍ଧାର ଓ ଧୈବତ ସ୍ୱର ଦୁଇଟି ବର୍ଜିତ । ଆରୋହୀ ସମ୍ପୂର୍ଣ୍ଣ । ତୀବ୍ର ମଧ୍ୟମର ବ୍ୟବହାର । ମତାନ୍ତରେ କେବଳ ଧୈବତ ସ୍ୱର ବର୍ଜିତ ହୋଇ ଷାଡ଼ବ ରାଗ ବୋଲି ମଧ୍ୟ ଧରାଯାଏ ।

 

ଉତ୍କଳ ପ୍ରଚଳିତ ମତେ-

ଦେଶାଖ୍ୟ ଧନାଶ୍ରୀ ମେଳର ରାଗ ।

 

ଗାନ୍ଧାର ଓ ନିଶାଦ ସ୍ୱର କୋମଳ ଏବଂ ଯଥାକ୍ରମେ ବାଦୀ ସଂବାଦୀ ।

ସମୟ-ପ୍ରାତଃକାଳ

ରସ-ଶାନ୍ତ, ଶୃଙ୍ଗାର ।

ଆରୋହ-ନ୍ନି୍ ସା ମା ରେ ପା ମା ନ୍ନି ପା ର୍ସା

ଅବରୋହ-ସା ନ୍ନି ପା ମା ପା ଜ୍ଞା ମା ରେ ସା

 

ବିଷମ ବିରହ ପୀଡ଼ିତା ଶବରର ଜାଲ ମଧ୍ୟସ୍ଥିତା ଶାର୍ଦ୍ଦୁଳ ତାଡ଼ିତା ହରିଣୀ ସମା ଶ୍ରୀମତୀଙ୍କ ଦଶା ନର୍ଣ୍ଣାନାତ୍ମକ ‘‘ରାଧିକା ତବ ବିରହେ କେଶବ’’ ସଙ୍ଗୀତଟିର ରସବିକାଶ ଲାଗି ପ୍ରୋକ୍ତ ଦେଶାଖ୍ୟ ରାଗର ଉପଯୋଗ କରି ମହାକବି ଶ୍ରୀଗୀତଗୋବିନ୍ଦର ‘ସ୍ନିଗ୍‌ଧ-ମଧୁସୂଦନ’ ନାମକ ଚତୁର୍ଥ ସର୍ଗ ସମାପ୍ତ କରିଛନ୍ତି ।

 

ଦୂତୀ ମୁଖରୁ ବିରହୋତ୍କଣ୍ଠିତା ଶ୍ରୀମତୀଙ୍କର ଅବସ୍ଥା ବର୍ଣ୍ଣନ ଶୁଣି ପୁଣ୍ଡରୀକାକ୍ଷ କହିଲେ:-‘‘ସଖି ! ତୁମେ ଯାଇ ରାଈଙ୍କୁ ପଥ ମଣାଇ ଏହି କୁଞ୍ଜକୁ ବିଜେ କରାଇ ଆଣ । ତାଙ୍କ ମିଳନ ଆଶାରେ ମୁଁ ନିତ୍ୟାନ୍ତ ଆକାଙ୍‌କ୍ଷିତ ହୋଇ ରହିଲି।’’

ସେତେବେଳେ ଆକାଶରେ ଚନ୍ଦ୍ରୋଦୟ । ଶୀତଳ ଚନ୍ଦ୍ରକିରଣ, ମନ୍ଦମଳୟ ସଂଚାର ଓ ସରସ ସୁମନର ସୁଗନ୍ଧ ବିଦଗ୍‌ଧ କରୁଛି ବିରହୀର ତନୁମନ । ମାତ୍ର ପାଞ୍ଚଗୋଟି ପଦରେ କବି ଜୟଦେବ ବର୍ଣ୍ଣନା କରିଛନ୍ତି ସାକାଙ୍‌କ୍ଷ-ପୁଣ୍ଡରୀକାକ୍ଷଙ୍କର ମଦନଦହନଜନିତ ଏହି ଦୂରବସ୍ଥା ‘ଦେଶ ବରାଡ଼ୀ’ ରାଗରେ । ଏହି ଗୀତଟି ସହିତ ଘଟିଛି ପଞ୍ଚମସର୍ଗାରମ୍ଭ ।

 

କେତେଖଣ୍ଡି ହିନ୍ଦୀ ଏବଂ ଓଡ଼ିଆ ଲିପିରେ ମୁଦ୍ରିତ ପୁସ୍ତକ ତଥା ସଂଗୃହୀତ ଅପ୍ରକାଶିତ ପୋଥୀରେ ପଞ୍ଚମ ସର୍ଗର-‘‘ବହତି ମଳୟ ସମୀରେ ମଦନମୃପନିଧାୟ’’ X X X  ଶୀର୍ଷକ ପ୍ରଥମ ଗୀତଟିର ରାଗ ନାମ ଦେଖ-ବରାଡ଼ୀ ବୋଲି ଲିଖିତ ହୋଇଥିଲେ ହେଁ ବଙ୍ଗଳା ଭାଷାର ଟୀକା ସମ୍ବଳିତ କେତେଖଣ୍ଡି ପୁସ୍ତକରେ ଦେଶ-ବରାଡ଼ୀ ପରିବର୍ତ୍ତେ ‘ବରାଡ଼ୀ’ ରାଗରୂପ ଓ ଲକ୍ଷଣର ଉଲ୍ଲେଖ ରହିଛି । ବାସ୍ତବ ପକ୍ଷରେ ଓଡ଼ିଶା ଭିନ୍ନ ‘ଦେଶବରାଡ଼ୀ’ ରାଗ ବା ଏହି ସାଳଗ ରାଗରେ ରଚିତ ସଂଗୀତ ଅନ୍ୟତ୍ର ଏକାନ୍ତ ବିରଳ । ଏହି ପ୍ରସଂଗରେ ଆହୁରି ମଧ୍ୟ କୁହାଯାଇପାରେ ଯେ, ଦେଶବରାଡ଼ୀ ପରି ‘ପଞ୍ଚମବରାଡ଼ୀ’ ମଧ୍ୟ ଉତ୍କଳୀୟ ସଙ୍ଗୀତ ଶାସ୍ତ୍ରୀମାନଙ୍କର ଅନ୍ୟତମ ସ୍ୱତନ୍ତ୍ର ସାଳଗ ରାଗ ପ୍ରବର୍ତ୍ତନା ପ୍ରମାଣ ।

 

ଦେଶବରାଡ଼ୀ ରାଗର ରୂପ ବର୍ଣ୍ଣନା ମାତ୍ର ଦେଖିବାକୁ ମିଳେ କେବଳ ‘ସଂଗୀତ କଳାଙ୍କୁର’ ଗ୍ରନ୍ଥରେ କିନ୍ତୁ ରାଗ-ରଚନା ଲକ୍ଷଣ କୌଣସି ଗ୍ରନ୍ଥରେ ସୂଚିତ ହୋଇନାହିଁ । ‘ସମୟାସାର’ ପ୍ରଭୃତି ଗ୍ରନ୍ଥରେ ନାଗବରାଡ଼ୀ, ତୋଡ଼ୀବରାଡ଼ୀ, ପୁନ୍ନାଗ ବରାଡ଼ୀ, ସୈନ୍ଧବ ବରାଡ଼ୀ, କୁନ୍ତଳ ବରାଡ଼ୀ, ଅବସ୍ଥାନ ବରାଡ଼ୀ, ପ୍ରତାପ ବରାଡ଼ୀ, ହତସ୍ୱର ବରାଡ଼ୀ ଓ ଦ୍ରାବିଡ଼ ବରାଡ଼ୀ ଏବଂ ‘ନାରଦୀୟ ଚତ୍ୱାରିଂଶ ରାଗ ନିରୂପଣ’ ଗ୍ରନ୍ଥରେ ଦୁଃଖ-ବରାଡ଼ୀ (ପୃ: ୧୧) ପ୍ରଭୃତି ବହୁ ପୁରାତନ ପ୍ରଚଳିତ ନାମମାନ ଦେଖାଯାଏ । ପୁଣି ଝାଲ ବରାଡ଼ୀ ଓ ପନ୍ତୁବରାଡ଼ୀ ପ୍ରଭୃତି କେତେକ ଅର୍ବାଚିନ ରାଗର ନାମ ମଧ୍ୟ ବିଭିନ୍ନ ଗ୍ରନ୍ଥରେ ଉଲ୍ଲେଖ ଅଛି ।

 

ବରାଡ଼ୀ ରାଗ ସମ୍ୱନ୍ଧେ କହିବାକୁ ଯାଇ ସଙ୍ଗୀତ ନାରାୟଣ ଗ୍ରନ୍ଥାକାର କହିଅଛନ୍ତି :-

 

‘‘ରତ୍ନମାଳାୟାଂ-ଶୁଦ୍ଧ ବରାଡ଼ୀ, ଦ୍ରାବିଡ଼ ବରାଡ଼ୀ, ଦେଶୀ ବରାଡ଼ୀ ଭେଦାତ୍ ଅସ୍ୟାସ୍ତ୍ରୈବିଧ୍ୟଂ ତୁ ଉଦ୍ଦେଶସ୍ଥାନେ ଉକ୍ତମ୍ ।।’’ ଇତ୍ୟାଦି

 

ଉତ୍କଳରେ ସ୍ୱତନ୍ତ୍ରଭାବେ ପ୍ରଚଳିତ ଏହି ଶାଳଗ ରାଗଟିର ପ୍ରଥମ ରଚନା, ପ୍ରକାଶ ଓ ପ୍ରଚାର କଲେ କବି ଜୟଦେବ । ଶ୍ରୀଗୀତଗୋବିନ୍ଦ ଗ୍ରନ୍ଥରେ ରାସାନୁସାରୀ ଏହି ଦେଶବରାଡ଼ୀ ରାଗଟି ଚାରିଗୋଟି ଗୀତରେ ବ୍ୟବହାର କରାଯାଇଅଛି ।

 

୮ମ ଗୀତ-ବହତି ମଳୟ ସମୀରେ....

୧୪ଶ ଗୀତ-ଅନିଳ ତରଳ କୁବଳୟ ନୟନେନ...

୧୭ଶ ଗୀତ-ବଦସି ଯଦି କିଞ୍ଚିଦପି....

୧୯ଶ ଗୀତ-ମଞ୍ଜୁତର କୁଞ୍ଜ....

 

ପ୍ରୋକ୍ତ ଚାରିଗୋଟି ଗୀତ ଅଭିମାନ, ଅନୁଚିନ୍ତା ଏବଂ ଆବେଦନ ଇତ୍ୟାଦି ଭାବ ଘେନି ରଚିତ । ରସ-ଶୃଙ୍ଗାର ।

ଏହି ରସ ଘେନି ଓଡ଼ିଶାର ଅନ୍ୟତମ ଗୀତକାରଙ୍କର ଗୋଟିଏ ରଚନା ଉପସ୍ଥାପିତ କରାଯାଉଅଛି, ଦେଶବରାଡ଼ୀ ରାଗରେ । ଗୀତଟି ସେହି ରାଗର ପ୍ରଥମ ପ୍ରଚାରକ କବି ଜୟଦେବଙ୍କ ଭାବାନୁସରଣରେ ରଚିତ । ଭାରତୀୟ ଅନ୍ୟାନ୍ୟ ସଙ୍ଗୀତ ପଦ୍ଧତିରେ ଏହା ଏକାନ୍ତ ବିରଳ ପ୍ରସ୍ତୁତି ।

 

ରାଗ-ଦେଶ ବରାଡ଼ୀ, ତାଳ-ତ୍ରିପୁଟା ।

 

ସଙ୍ଗାତରେ, ସରି ତ ଗଲାନି ସବୁ ସୁଖ ।

ସଂକୋଚ ବିନା ବିହରି ଚୁମ୍ବିବି କିରୂପେ ହରି

      ସୁନ୍ଦର ଶ୍ୟାମଳ ଶିରୀମୁଖ । ଘୋଷା ।

ସଂସର୍ଗ କଲେ ଇତରେ-ସେ ଥାଏ ଚିତ୍ତ ଭିତରେ

      ଅପ୍ରିୟେ ଊଣା ନ କରି ଦୁଃଖ,

ସରୋଜ ସଙ୍ଗ ନିପଟ-ଛାଡ଼, ଧୂର୍ତ୍ତ କି ଲମ୍ପଟ

      ହୁଅଇ ପ୍ରମତ୍ତ ଶିଳୀମୁଖ । ୧ ।

 

ସାକ୍ଷାତ ଦେଖିଲି ଭାଲ-ଲାକ୍ଷାରେ ହେବାର ଲାଲ

      ଧୂଳିଆ ଚନ୍ଦ୍ରକ ଚୂଡ଼ ଶିଖ,

ଶୁଣିବାକୁ ଲୋକେ ଲାଜ-ବଢ଼ାଇ ସପତ୍ନୀ ଓଜ

ଏକଥା ତୋହରି ମନେରଖ । ୨ ।

X X X X

 

ସରସ ବଚନ ରସେ-ଅଷ୍ଟଦୁର୍ଗ ନାଥ ଭାଷେ

      ସାଇତି ରଖିଛି ଦେଖ ଦେଖ,

ସର୍ବସ୍ୱ ତୁହିଟି ମୋର-ଶରଣ ସୁବେଣୀବର

      ବୋଲି ପେଶିବାର ପ୍ରେମ ଲେଖ ।।

                        (କବିସୂର୍ଯ୍ୟ)

 

ପ୍ରସ୍ତୁତି-

ଦେଶ-ବରାଡ଼ୀ ରାଗଟି ଦେଶ ଏବଂ ବରାଡ଼ୀ ରାଗ ମିଳନରେ ପ୍ରସ୍ତୁତ ।

ଏ ଦୁଇଟି ରାଗର ସଂକ୍ଷିପ୍ତ ଆଲୋଚନା ନିମ୍ନରେ କରାଯାଉଅଛି ।

 

ଦେଶ ରାଗ-ରୂପ

ଏହାକୁ ‘ଦେଶୀ’ ରାଗ ବୋଲି ମଧ୍ୟ ନାମିତ କରାଯାଏ ।

 

ରାଗରୂପ

ଗଜପତିଗତିରେଣୀଲୋଚନେନ୍ଦୀବରାନନୀ

ପୃଥୁଳତର ନିତମ୍ବା ଲମ୍ବି-ବେଣୀ ଭୁଜଙ୍ଗା (ଭୁଜଙ୍ଗୀ)

ତନୁତର ତନୁବଲ୍ଲୀବୀତ କୌସ୍ତୁଭବାସା

ଇୟମୁଦୟତି ଦେଶୀ ରାଗିଣୀ ଚାରୁହାସା ।।

      (ସଙ୍ଗୀତ ନାରାୟଣ)

 

ରାଗମାଳା ମତେ-(ସଙ୍ଗୀତ ନାରାୟଣର ପରବର୍ତ୍ତି ରଚିତ ଗ୍ରନ୍ଥ)

ଧଂମିଦ୍ରେ ମଦ୍ରିମାଳାଂ ଶ୍ରବଣ ଯୁଗଳତଃ କୁଣ୍ଡଳେ କଣ୍ଠମାଳାଂ

କୁର୍ପାସଂ ଶୁଭ୍ରବସ୍ତ୍ରଂ ଚରଣକର ଯୁଗେ ନୂପୁରୈା କଙ୍କଣଂ ଚ ।

ଆହଂଗସ୍ୟ ପ୍ରପୌତ୍ରୀ ମୃଦୁସୁକର ତଳେ ପଲ୍ଲପବଂ ସଂଦଧାନା

ଗାନ୍ଧାରାଂନ୍ତ୍ୟେ ଦୁଗୈାସ୍ତସ୍ତ୍ରି ସମୟରିରପା ସର୍ବଦା ଯାତି ଦେଶୀ ।।

                              (ରାଗମାଳ)

 

ବରାଡ଼ୀ ରାଗ-ରୂପ-

କର୍ଣ୍ଣେ ଦଧାନା ସୁରପୁଷ୍ପଯୁଗ୍ମଂ

      ସୁବୃତ୍ତ ବକ୍ଷୋଜ ମନୋହରାଙ୍ଗୀ

ସ୍ମେରାନନା ଚାରୁ ବିଲୋଳନେତ୍ରା

ଗୌରାଙ୍ଗଯଷ୍ଠି କଥିତା ବରାଡ଼ୀ ।

      (ନାରଦ ସଂହିତା)

ବିନୋଦୟନ୍ତୀ ଦୟିତଂ ଚ ଗୈାରୀ

ସୁକଙ୍କଣା ଚାମର ଚାଳନେନ

କର୍ଣ୍ଣେଦଧାନା ସୁରପୁଷ୍ପଗୁଚ୍ଛଂ

ବରାଙ୍ଗନେୟଂ କଥିତା ବରାଡ଼ୀ ।।

(ସଂ: ନାରାୟଣ)

ଶୃଙ୍ଗାର ରସ-ମୂର୍ତ୍ତିର ବର୍ଣ୍ଣନା ଉଭୟ ରାଗରୂପରେ ପରିସ୍ଫୁଟ ।

 

ଦେଶ-ରାଗ-

ରେବଗୁପ୍ତୋଦ୍‌ଭବା ଦେଶୀ ପ-ତ୍ୟକ୍ତା ମ, ନି-ବିସ୍ତରା

ନି-ନ୍ୟାଶଂସ ଗ୍ରହା ପ୍ରାତର୍ଗେୟା କରୁଣ ଶାନ୍ତୟୋଃ ।।

      [ ଗୀତ ପ୍ରକାଶ ଓ ସଂ: ନାରାୟଣ ]

 

ରୁଷଭାଂଶ ଗ୍ରହନ୍ୟାସା ତଥା ସ ମ ନି ଭୂୟସୀ

ଦେଶୀନାମ ପ୍ରଯୋକ୍ତବ୍ୟା ରାଗୋଽୟଂ କରୁଣେ ରସେ ।

(ସଂଙ୍ଗୀତ ସମୟାନୁସାରେ)

ଦେଶ ରାଗର ରସବିଚାର ସମ୍ବନ୍ଧେ ଗ୍ରନ୍ଥମାନଙ୍କ ମତାନୈକ୍ୟ ଦେଖାଯାଏ ନାହିଁ ।

 

ରାଗୋ ଦେଶଃ ପଞ୍ଚମାଂଶୋର୍ଯ୍ୟମାତ୍ୟଃ

ସଂପୂର୍ଣ୍ଣୋଽୟଂ ସୋରଟୀ ତୁଲ୍ୟ ଏବ ।।

କିଞ୍ଚିଦ୍‌ଭେଦାଚ୍ଚାବରୋହେ ରିବକ୍ରୋ

ରାତ୍ରୋଯାମାଦୁତ୍ତରଂ ଗୀୟତେଽସୌ ।।

                  (ରାଗକଳ୍ପଦ୍ରୁମାଙ୍କୁର)

 

ପାଂଶୋରୁଷଭ ସମ୍ବାଦୀ ସୋରଟୀ ତୁଲ୍ୟରୂପକଃ

ରି-ବକ୍ରୋ ଦେଶରାଗଶ୍ଚ ଦ୍ୱିତୀୟ ପ୍ରହରରେ ନିଶି ।।

                  (ରାଗଚନ୍ଦ୍ରି କାୟାଂମ୍)

କାଳ ବିଚାର ଘେନି ସଙ୍ଗୀତ ନାରାୟଣ ଗ୍ରନ୍ଥର ମତ ଭିନ୍ନ । ଅନ୍ୟାନ୍ୟ ଗ୍ରନ୍ଥରେ ଦେଶ ବା ଦେଶୀ ରାଗର ଗାୟନ କାଳ ରାତ୍ରିର ପ୍ରଥମ ପ୍ରହର ପରେ ।

 

ବରାଡ଼ୀ ରାଗ-

‘‘ବିଭାଷା ରାଗରାଜସ୍ୟ ପଞ୍ଚମସ୍ୟ ବରାଟିକା

ଧାଂଶା ଷଡ଼୍‌ଜ ଗ୍ରହନ୍ୟାସା ଧ ତାରଃ ମନ୍ଦ୍ରମଧ୍ୟମା

ସମଶ୍ଳେଷସ୍ୱରା ପୂର୍ଣ୍ଣା ଶୃଙ୍ଗାରେ ଯାଷ୍ଟିକେଦିତା ।।’’

                        (ସମୟସାରେ)

 

‘‘ରି କୋମଳା ମ ତୀବ୍ରାଦ୍ୟା କୋମଳୀକୃତ ଧୈବତୀ

ନି ତୀବ୍ରେଣାପି ସଂଯୁକ୍ତା ବରାଟୀ ଧୈବତାଦିକା ।।’’

ଧଧନିସ ରିଗମପମ ପମରିସ ।

                  (ରାଗ ତତ୍ତ୍ୱବିବୋଧ)

 

‘‘ପ୍ରହରାଦୁର୍ଦ୍ଧତୋ ଗେୟା ଭିନ୍ନ ପଞ୍ଚମ ସମ୍ଭବା

ଷଡ଼୍‌ଜନ୍ୟାସ ଗ୍ରହାଂଶୈଷ୍ୟ ବରାଡ଼ୀ ଚ ମନୋହର ।।’’

                        (ଗୀତ ପ୍ରକାଶ)

 

ଦେଶ ରାଗ-ଲକ୍ଷଣ

ପ୍ରଚଳିତ ମତେ ଦେଶ ରାଗ ଉତ୍କଳୀୟ ପଦ୍ଧତିର ଶ୍ରୀମେଳ ଅନ୍ତର୍ଗତ ।

ନିଷାଦ-କୋମଳ      ମତାନ୍ତରେ-

ବାଦୀ-ରୁଷଭ      ବାଦୀ-ପଞ୍ଚମ

ସଂବାଦୀ-ପଞ୍ଚମ      ସଂବାଦୀ-ରୁଷଭ

ଆରୋହ-ଓଡ଼ବ (ଗା, ଧା, ବର୍ଜିତ)

ଅବରୋହ-ବକ୍ର ସଂପୂର୍ଣ୍ଣ (ରେ, ଗା ସା)

ରସ-ଶୃଙ୍ଗାର (ହାସ୍ୟ, ମାଧୂର୍ଯ୍ୟ)

ସମୟ-ଦ୍ୱିତୀୟ ପ୍ରହର ରାତ୍ର

ପୂର୍ବାଙ୍ଗ ରାଗ

ଆରୋହ-ସା ରେ ମା ପା ନ୍ନି ର୍ସା

ଅବରୋହ-ସା ନ୍ନି ଧା ପା ମା ଗା ରେ ସା

କେହି କେହି ଆରୋହ କାଳରେ ଶୁଦ୍ଧ ନିଷାଦ ବ୍ୟବହାର କରାନ୍ତି ।

 

ବରାଡ଼ୀ ରାଗ-ଲକ୍ଷଣ

ଓଡ଼ିଶୀ ପଦ୍ଧତିର ପଞ୍ଚମ ମେଳ ଅନ୍ତର୍ଭୁକ୍ତ ରାଗ । ରୂଷଭ ଓ ଧୈବତ କୋମଳ, ମଧ୍ୟମ-ତୀବ୍ର ।

ବାଦୀ-ଗାନ୍ଧାର

ସଂବାଦୀ-ନିଷାଦ

ସଂପୂର୍ଣ୍ଣ-ସଂପୂର୍ଣ୍ଣ ରାଗ

      (ସଂଙ୍ଗୀତ କୈାମୁଦୀ ମତେ ଷାଡ଼ବ)

 

ରସ-କରୁଣ, ଶୋକଭାବ, (ଇଷ୍ଟ ବସ୍ତୁର ବିନାଶ, ନିରାଶା, ଔଦାସିନ୍ୟ, ବିରହ ଓ ଦୁଃଖ)

ସମୟ-ସନ୍ଧ୍ୟା

ପୂର୍ବାଙ୍ଗ-ପ୍ରଧାନ ରାଗ

 

ରାଗ ଦେଶ-ବରାଡ଼ୀ

ଏହା ଗୋଟିଏ ସାଳଗ ରାଗ । ନାମାନୁସାରେ ଦେଶ (ଆରୋହଣ) ଏବଂ ବରାଡ଼ୀ (ଅବରୋହଣ) ରାଗ ଦ୍ୱୟର ରୂପ ଏଥିରେ ପ୍ରକଟିତ ।

ଦେଶ-(ଆରୋହଣ)

ସା ରେ ମା ପା ନ୍ନି ର୍ସା (କୋମଳ ନିଷାଦ)

ବରାଡ଼ୀ-(ଅବରୋହଣ)

ର୍ସା ନି ଦ୍ଧା ପା ତ୍ମା ଗା ରୀ ସା

(ରି, ଧା କୋମଳ, ତୀବ୍ର ମଧ୍ୟମ)

 

ରାଗ ପ୍ରକାଶକ ସ୍ୱର ବିଧାନ

ଆରୋହ-ସା ରେ ମା ପା ନ୍ନି ର୍ସା

ଅବରୋହ-ର୍ସା ନି ଦ୍ଧ ପା ତ୍ମା ପାଦ୍ଧା ପା ମା ଗା ରୀ ସା ।

 

ଅର୍ଥାତ୍ ଔଡ଼ବ+ବକ୍ରସଂପୂର୍ଣ୍ଣ । କବିଙ୍କର ଅଭିପ୍ରେତ ରସ ପ୍ରକାଶ ଲାଗି ଏପରି ସାଳଗ ରାଗଟି ସମୁପଯୁକ୍ତ ଅଟେ ।

 

ଝାଉଁଳା ତମାଳ ମୂଳରେ ସୁଧାବାରି ସିଞ୍ଚିଦେଲା ପରି ଅନକୂଳ ନାୟକ ନଟବରଙ୍କ ମିଳନ-ଉତ୍କଣ୍ଠ ମନର ସଂକେତ ପରଶିଲା ଦୂତୀକା । କହିଲା ସେ:-

‘‘ସଖି, ସିଦତି ତବ ବିରହେ ବନମାଳୀ’’ ।

 

ଦେଶ ବରାଡ଼ୀ ରାଗ-ରସରେ ଭାବଭୋଳା ମହାକବି ଶୁଣାଇଛନ୍ତି ସଖୀମୁଖର ଏହି ଭାଷା, ପରମ୍ପରା ଅନୁସରଣରେ ଯାହାର ଅନୁରଣନ ଗୁଞ୍ଜରି ଉଠିଛି ଆଉ ଜଣେ ଉତ୍କଳୀୟ କବିଙ୍କର ଗୀତ-କଣ୍ଠରେ ଦୀର୍ଘ ସାତଶହ ପରେ ମଧ୍ୟ ।

 

ଏହା କବିଙ୍କର କଳ୍ପନା ନୟନ ଦେଖିଛି-ନିଭୃତ ନିକୁଞ୍ଜରେ ଶ୍ୟାମ-ଦର୍ଶନ-ଲାଳସୀ-ନୀରଝରା ନୟନରେ ଆଶାପଥ ଚାହିଁ ବସଛନ୍ତି ବିରହିଣୀ କିଶୋରୀ । ସହଚରୀ ଶ୍ୟାମ କୁଞ୍ଜରୁ ବାହୁଡ଼ି ଆସି କହିଲା-

 

‘‘ରାଧେ, ତୋହଲାଗି ଶ୍ୟାମ କି ବଞ୍ଚଇ ଗୋ ଜେମାଦେଈ’’ ଆଉ କାହିଁକି ମଠ ?

‘‘ନ କରୁ ନିତମ୍ବିନି ଗମନ ବିଳମ୍ବନ ମନୁସର ତଂ ହୃଦୟେଶଂ

ଧୀରେ ସମୀରେ ଯମୁନାତୀରେ ବସତି ବନେ ବନମାଳୀ ।’’

                        (ଗୀତଗୋବିନ୍ଦ)

 

ଏହାର ଅନୁସରଣରେ ଭକ୍ତକବି ଗୋପାଳକୃଷ୍ଣ ଗାଇଛନ୍ତି :-

‘‘ଧୀରସମୀରେ ବସି ଡାକୁଛି ତୋ ନାଆଁରେ

ପ୍ରାଣେଶ୍ୱରୀ ରାଧିକେ - ଶ୍ରୀମତୀ ଗାନ୍ଧର୍ବିକେ

ବୋଲି ହଜିଯାଉଛି ତା’ ଚେତନା ରେ ।’’

 

ଚାଲ ସଖି, ଘେନାକର ବିନୀତ ଅନୁରୋଧ ମୋ’ର । ସରି ଆସୁଛି ପରା ଏ ରଜନୀ ?

‘‘ହରିରଭିମାନ ରଜନିରିଦାନୀମିୟମପି ଯାତି ବିରାମମ୍‌

କୁରୁ ମମ ବଚନଂ ସତ୍ୱରରଚନଂ ପୂରୟ ମଧୁରିପୁକାମ୍‌ ।।’’

 

ଘଟଣା ପରାମ୍ପରାର ସମୟ ବ୍ୟବଧାନ ସୂଚାଇବା ଲାଗି ଗୀତିକାବ୍ୟ (ଗୀତଗୋବିନ୍ଦ ସ୍ଥଳରେ ବରଂ ଗୀତି - ନାଟ୍ୟ) ର ସର୍ଗ ବା ଅଙ୍କାବତାର ସୃଷ୍ଟି ବୋଲି ସାଧାରଣତଃ ବିଚାର କରାଯାଇଥାଏ । ପର୍ବୋକ୍ତ ‘‘ହରିରଭି - ମାନୀ ରଜନିରିଦାନୀ...’’ ପାଦଟିରେ କବି କହିଛନ୍ତି - ରଜନୀ ବିରାମୋନ୍ମୁଖୀ । ଏଥିରୁ ବୁଝାଯାଉଅଛି କେହି ସଖୀ ଶ୍ରୀମତିଙ୍କୁ ରାତ୍ରିର ପ୍ରାୟ ଶେଷ ଯାମରେ ଅଭିସାର ଲାଗି ଜଣାକରିଛି । କିନ୍ତୁ ଗୀତ ଶେଷ ହେବାପରେ ଦ୍ୱିତୀୟ ଶ୍ଳୋକଟିରେ ପୁଣି ସେହି ସଖୀ ବା କୌଣସି ସଖୀ ମୁଖରେ କୁହାଯାଇଅଛି -

 

‘‘ତ୍ୱଦ୍‌ବାମ୍ୟେନ ସମଂ ସମଗ୍ରମଧୁନା

            ତିଗ୍‌ମାଂଶୁରସ୍ତଂଗତୋ

ଗୋବିନ୍ଦସ୍ୟ ମନୋରଥେନ ଚ ସମଂ

            ପ୍ରାପ୍ତଂ ତମଃ ସାନ୍ଦ୍ରତାମ୍‌ ।।’’

 

- ରାଧେ, ତୋର ବାମତା (ବିମୁଖତା ବା ପ୍ରତିକୁଳତା) ସହିତ ସୂର୍ଯ୍ୟ ଅସ୍ତ ଗଲେଣି । ଗୋବିନ୍ଦଙ୍କ ମନୋଭିଳାଷ ସରି ମାଡ଼ିଆସିଲାଣି ଅନ୍ଧକାର ।

 

‘‘ତନ୍ମୁଗ୍‌ଧେ ବିଫଳଂ ବିଳମ୍ବନମସୌ ରମ୍ୟୋଭିସାର କ୍ଷଣଃ ।।’’ ଅତଏବ ମୁଗ୍‌ଧେ -

      ‘‘ବିଫଳେ ନ ଯାଉ ଅଭିସାର ଘଡ଼ି

                  ବିଳମ୍ବ ନ କର ଆଉ ।।’’

ମହାକବି ଏହି ଅଭିସାର ନିବେଦନ ବାଣୀ ଶୁଣାଇଛନ୍ତି ସଖୀ ମୁଖରେ ।

 

ଏହିଠାରେ ମନରେ ଦ୍ୱନ୍ଦ ଜାତହୁଏ ଯେ ଏକାସର୍ଗମଧ୍ୟରେ କାଳ ବର୍ଣ୍ଣନାର ଏଭଳି ଅସଂଗତ ଘଟିଛି କିପରି ?

ମହାକବି କଳ୍ପନା ସମ୍ବନ୍ଧ; କୌଣସି ମନ୍ତବ୍ୟ ଦେବାର ଦୁଃସାହସ ନ ଥିଲେ ମଧ୍ୟ ଏ ସ୍ଥଳରେ ଟିକିଏ କିପରି କାଳବ୍ୟତିକ୍ରମ ଲକ୍ଷ୍ୟ କରାଯାଉଅଛି ।

 

‘‘ତନ୍ମୁଗ୍‌ଧେ ବିଫଳଂ ବିଳମ୍ବନମସୌ

            ରମ୍ୟୋଭିସାରକ୍ଷଣଂ ।’’

 

ଶୃଙ୍ଗାର ରସାନ୍ୱିତ ଏହି ଅଭିସାର - ନିବେଦନ ବର୍ଣ୍ଣନ ରୀତି ଗର୍ଜ୍ଜୁରୀ ରାଗରେ ଗାଇ ମହାକବି ଗ୍ରନ୍ଥର ପଞ୍ଚମସର୍ଗ ସାଙ୍ଗ କରିଛନ୍ତି ।

ଶ୍ୟାମ ବିରହ-ଜ୍ୱର-ପୀଡ଼ିତା ରାଈଙ୍କର କିନ୍ତୁ ପାହୁଣ୍ଡେ ଚଳିବାର ବଳ ନାହିଁ, ଅଭିସାର ଲାଗି । ଅବସ୍ଥା ଦେଖି ଦୂତୀ ପୁଣି ଯାଇ ପର - ପ୍ରଭାତରେ ଘନଶ୍ୟାମ ସନ୍ନିଧ୍ୟରେ ଜଣାକଲା :-

 

ନାଥ ହରେ,

ସୀଦତି ରାଧା ଦାସ ଗୃହେ ।

ତ୍ୱଦଭିସରଣରଭସେନ ବଳନ୍ତୀ

ପତତି ପଦାନି କିୟନ୍ତି ଚଳନ୍ତୀ ।।

 

ଶ୍ରୀମତୀଙ୍କର ଏହି ଅବସ୍ଥା ବର୍ଣ୍ଣନ କରିବାକୁ ଯାଇ ରସିକ କବି ଗୋଣ୍ଡକିରୀ ରାଗର ଉପଯୋଗ କରିଅଛନ୍ତି ।

ରାଗର ଭାବ ରୂପ ସମ୍ବନ୍ଧେ ସଙ୍ଗୀତ ନାରାୟଣର ଉଲ୍ଲେଖ ନିମ୍ନ ରୂପ -

‘‘ରତୋତ୍ସୁକା କାନ୍ତପଥ - ପ୍ରତୀକ୍ଷା-

      ମାପଦୟନ୍ତୀ ମୃଦୁପୁଷ୍ପକଳ୍ପେ,

ଇତସ୍ତତଃ ପ୍ରେଶିତ ଦୃଷ୍ଟିରାର୍ତ୍ତା

      ଶ୍ୟାମାଙ୍ଗିକା ଗୌଣ୍ଡକିରୀ ପ୍ରଦିଷ୍ଟା ।।’’

 

ରତୋତ୍ସୁକା, କାନ୍ତ ପଥ ପ୍ରତୀକ୍ଷମାଣା ଶ୍ରୀମତୀଙ୍କର ବିରହୋତ୍‌କଣ୍ଠିତା ଦଶା ବର୍ଣ୍ଣନା କରିବାକୁ ଯାଇ ମହାକବି ପ୍ରୋକ୍ତ ରାଗରୂପ ରଚନା ବାକ୍ୟର ସମର୍ଥ- ନିଯୋଗରେ ‘‘ଇତସ୍ତତଃ ପ୍ରେଶିତ ଦୃଷ୍ଟିରାର୍ତ୍ତା’’ କଥାଟିକ କେଡ଼େ ସୁନ୍ଦର ଭାବେ ଆପଣର କରି ଥୋଇଛନ୍ତି ଦେଖନ୍ତୁ ।

 

ଏହି ରାସ - ରାଗରେ କବି ଶ୍ରୀମତୀଙ୍କ ସଖୀ (ଦୂତୀ) ମୁଖ ଭାଷାରେ ଶ୍ରୀକୃଷ୍ଣଙ୍କୁ ଶୁଣାଇଛନ୍ତି ଯେ ସେ (ଶ୍ରୀମତୀ) -

‘‘ପଶ୍ୟତି ଦିଶିଦିଶି ରହସି ଭବନ୍ତଂ’’ (୬ଷ୍ଠ ସର୍ଗ)

 

ଗୋଣ୍ଡକିରୀ ରାଗର ରୂପଧ୍ୟାନ ଅନ୍ତ୍ୟନ୍ତ ମଧ୍ୟ ‘‘ନାରଦୀୟ ଚତ୍ୱାରିଂ - ଚ୍ଛତ୍‌ ରାଗ ନିରୂପଣମ୍‌’’ ଗ୍ରନ୍ଥରେ ନିମ୍ନରୂପ ବର୍ଣ୍ଣିତ ହୋଇଅଛି ।

‘‘ଶୋକଭିଭୂତନୟନାରୁଣ ଦୀନ ଦୃଷ୍ଟି

            ନମ୍ରାନନା ଧରଣିଧୂସରଗାତ୍ରଯଷ୍ଠିଃ ।

ଆମୁକ୍ତ ଚାରୁକବରୀ ପ୍ରିୟଦୁରବର୍ତ୍ତୀ

            ଗୋଣ୍ଡାକ୍ରିୟା ବିଜୟତେ କୃଶରୂପଧେୟା ।।’’ (ପୃ: ୧୦)

 

ପୁଣି ଉକ୍ତ ଗ୍ରନ୍ଥରେ କୁହାଯାଇଛି -

‘‘ଗୋପଜାତି ପ୍ରିୟା ସାଧ୍ୱୀ ଗୋରୋଚନା ବିଲେପନା

ଗୂଢ଼ଚର୍ଯ୍ୟା ଗୁଣକ୍ରିୟା କଥିତା କୈଶିକାଙ୍ଗନା ।।’’

                              (ପୃ: ୧୫)

 

ଏଥିରୁ ଘଟଣା ପରମ୍ପରା ବର୍ଣ୍ଣନ ଲାଗି ରସ ବିଚାରରେ ଗୋଣ୍ଡକିରୀ ରାଗର ଉପଯୁକ୍ତତା ଏବଂ ତହିଁ ସହିତ କବିଙ୍କର ସଙ୍ଗୀତ - ପାଣ୍ଡିତ୍ୟ ସହଜ ଅନୁମେୟ ।

 

ବାସକସଜ୍ଜିକା ନାୟିକା ଶ୍ରୀମତୀଙ୍କର ଦୀନଦଶା ବଖାଣି ଦୂତୀ କହିଛି :- ‘‘କଠିନ ପୁରୁଷ ତୁମେ ଶ୍ୟାମ ! ତୁମେ ଖଣ୍ଟ । କଣ୍ଟ ଦେଇ କୁଞ୍ଜକୁ ନ ଆସିବାରୁ ସନା ସଖୀ ମୋର –

 

‘‘ଭବତି ବିଳମ୍ବିନି ବିଗଳିତ ଲଜ୍ଜା

ବିଳପତି ରୋଦିତି ବାସକ ସଜ୍ଜା ।।’’

 

କବି ତେଣୁ ତାଙ୍କର ଗୋବିନ୍ଦଙ୍କୁ ଏହ ସର୍ଗର ବିଷୟାନୁକୃତ୍ତିରେ ଧୃଷ୍ଟ - ବୈକୁଣ୍ଠ ନାମିତ କରି ଅଛନ୍ତି ।

 

ଗୋ (ଗୁ)ଣ୍ଡକିରୀ ରାଗ - ଲକ୍ଷଣ ।

 

ଶାସ୍ତ୍ରାନ୍ତରେ ଏହି ରାଗ ଗୋଣ୍ଡକିରୀ, ଗୁଣକିରୀ ଓ ଗୁଣକଲୀ ପ୍ରଭୃତି ନାମରେ ନାମିତ । ସମୟର ଗତିନୁସାରେ ଏବଂ ଆଞ୍ଚଳିକ ରୀତି ପ୍ରଭାବରୁ ରାଗର ସ୍ୱର ସଂସ୍ଥାନରେ ପାର୍ଥକ୍ୟ ଦୃଷ୍ଟ ହୁଏ । ନିମ୍ନରେ ତୁଣ୍ଡକିରୀ ରାଗର କେତେକ ଭିନ୍ନ ଭିନ୍ନ ଶାସ୍ତ୍ରାନୁଗତି ରାଗରଚନା ରୀତି ଉପସ୍ଥାପିତ କରା ହେଉଅଛି ।

 

ରାଗମଞ୍ଜରୀ :-

‘‘ସମ୍ପୂର୍ଣ୍ଣାସ୍ୟାଦ୍‌ ଗୁଣକରୀ ସାୟଂ ସ୍ଫରିତପଞ୍ଚମା ।’’

ହୃଦୟ ପ୍ରକାଶ -

‘‘ଔଡ଼ବସ୍ତୁ ଧ ଗତ୍ୟାଗାଦଶ୍ୟା ଗୁଣକରୀ ବୁଧୈଃ ।’’

ରାଗତରଙ୍ଗିଣୀ -

ଗୌର ସଂସ୍ଥାନର ରାଗ (ରେ, ଧା -କୋମଳ)

‘‘ସନ୍ଧୀ ଆଶାବରୀଜ୍ଞେୟା ଜ୍ଞେୟାଗୁଣକରୀ ତଥା ।।’’

ଗୀତପ୍ରକାଶ -

‘‘ଷଡ଼ଜ୍‌ନ୍ୟାସଗ୍ରହଂଶୈଷା ଗୋଣ୍ଡତ୍ରୀ ମ- ପରିଷ୍କୃତା ।

ରି - ଧହୀନ ଦିନାଦ୍ୟୋ (ଦୌ)ତୁ ଗାତବ୍ୟେଷ୍ଟରସେ ବୁଧୈଃ ।।’’

 

ସଙ୍ଗୀତ ନାରାୟଣ ଗ୍ରନ୍ଥରେ ଗୋଣ୍ଡକରୀ ଗୀତପ୍ରକାଶ ପରି ଓଡ଼ବ ରାଗ ଶ୍ରେଣୀର ଅନ୍ତର୍ଭୁକ୍ତ । ରୁଷଭ ଏବଂ ଧୈତବ ବର୍ଜିତ । ବାଦୀ ଷଡ଼ଜ । ସମ୍ବାଦୀ- ପଞ୍ଚମ । ଦିବସାରମ୍ଭରେ ଗେୟ । ଅଷ୍ଟରସରେ ପ୍ରଯୁଜ୍ୟ ।

ଆରୋହ - ସା ଗା ମା ପା ନି ର୍ସା

ଅବରୋହ - ର୍ସା ନି ପା ମା ଗା ସା ।

ସମସ୍ତ ସ୍ୱର ଶୁଦ୍ଧହେତୁ ଉତ୍କଳ ପଦ୍ଧତି ଅନୁସାରେ ନଟମେଳର ରାଗ ।

 

ସଙ୍ଗୀତ ପାରିଜାତ -

ଗୋଣ୍ଡକ୍ରୀ ବା ଗୋଣ୍ଡକିରୀ ନାମ ପରିବର୍ତ୍ତେ ‘ଗୁଣକ୍ରିୟା’ ନାମକ ରାଗର ଲକ୍ଷଣ ବର୍ଣ୍ଣିତ ହୋଇଅଛି ।

‘‘ରି -ଧ କୋମଳ ସଂଯୁକ୍ତା ଗ- ନିବର୍ଜ୍ୟା ଗୁଣକ୍ରିୟା

ଧୈବତୋଦ୍‌ଗ୍ରାହ ସଂଯୁକ୍ତା କ୍ୱଚିଦ୍‌ଗାନ୍ଧାର ସଂଯୁତା ।।’’

                              (୪୦୪ ଶ୍ଳୋକ)

 

ଟୀକାକାରଙ୍କ ମତେ ଏହା ଗୁଣ୍ଡକ୍ରିୟା ଅଥବା ଗୁଣକ୍ରିୟା ରାଗ । ଏ ମତରେ ରୁଷଭ ଏବଂ ଧୈତବ ସ୍ୱରଦ୍ୱୟ କୋମଳ । ଗାନ୍ଧାର ଓ ନିଷାଦ ବର୍ଜିତ । ତେଣୁ ଓଡ଼ବ ଜାତୀୟ ରାଗ । ଧୈବତ ଏହାର ଗ୍ରହସ୍ୱର । କେହି କେହି ଗାନ୍ଧାରକୁ ଗ୍ରହସ୍ୱର ମାନନ୍ତି ବୋଲି କୁହାଯାଇଅଛି । ଅଥଚ ଗାନ୍ଧାର ବର୍ଜ୍ୟସ୍ୱରରୂପେ ବର୍ଣ୍ଣିତ ହୋଇଅଛି ସେହି ଲକ୍ଷଣ ବର୍ଣ୍ଣନ - ସ୍ୱରରେ । ଏପରି ହେଲେ ଗୁଣକର ରାଗ ଓଡ଼ବ ତଥା ମନାନ୍ତରେ ଷାଡ଼ବ ବୋଲି ଧରାଯିବ । କୁହାଯାଇଅଛି ଯେ ସ୍ୱର ପ୍ରସ୍ତାର କାଳରେ କେହି କେହି କ୍ୱଚିତ୍‌ ଗାନ୍ଧାର ସ୍ୱର ପ୍ରୟୋଗ ମଧ୍ୟ କରିଥାଆନ୍ତି ।

 

ରାଗ କଳ୍ପଦ୍ରୁମାଙ୍କୁର -

ଏହାଙ୍କ ମତରେ ଗୁଣକରି ରାଗରେ ରୁଷଭ ଏବଂ ଧୈତବ ସ୍ୱର କୋମଳ । ଗାନ୍ଧାର ଓ ନିଷାଦ ସ୍ୱର ବର୍ଜିତହୋଇ ଓଡ଼ବ ରାଗ । ବାଦୀ - ଧୈତବ ଏବଂ ସମ୍ବାଦୀ- ରୁଷଭ । ଶାନ୍ତ, ଗମ୍ଭୀରପ୍ରକୃତିକ ରାଗ । ବିଳମ୍ବିତ ଲୟରେ ମାଧୂର୍ଯ୍ୟ ବର୍ଦ୍ଧକ ।

 

ଉତ୍କଳପଦ୍ଧତି (ଓଡ଼ିଶୀ)

ଆଧୁନିକ ଉତ୍କଳ ପ୍ରଚଳିତ ରୀତିରେ ଗୁଣକାରୀ ରାଗକୁ ରୁଷଭ ଓ ଧୈତବ କୋମଳ ଏବଂ ଗାନ୍ଧାର ଓ ନିଷାଦ ବର୍ଜିତ କରି ବ୍ୟବହାର କରାଯାଉଅଛି । ରୁଷଭ ଓ ଧୈତବ ସ୍ୱର ଦୁଇଟି କୋମଳ ରୂପେ ବ୍ୟବହୃତ ହେବାଦ୍ୱାରା ରାଗଟି ‘ଦିବାଦୌ’ ଗେୟ ବୋଲି ଧରାଯାଇଅଛି ।

 

ଭାରତୀୟ ସଙ୍ଗୀତ ସଂପୂର୍ଣ୍ଣ ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ । ସ୍ୱରମାନଙ୍କର ରସ ସ୍ଫୁରଣର ଶକ୍ତିଥିବାପରି ଋତୁ ଓ ଦିବସ ରଜନୀର କାଳ ଅନୁସାରେ ମଧ୍ୟ ବର୍ଣ୍ଣବିଚାର ନିର୍ଣ୍ଣିତ ହୋଇଅଛି ।

 

ଗୋଣ୍ଡକିରୀ ରାଗରେ ଧୈତବ ଓ ରୁଷଭ କୋମଳ ଏବଂ ଯଥାକ୍ରମେ ବାଦୀ ଓ ସମ୍ବାଦୀ ସ୍ୱର ରୂପେ ଗୃହୀତ । ବାଦୀ - ସମ୍ବାଦୀ ଅର୍ଥ ଏହି ସ୍ୱର ଦ୍ୱୟ ନିର୍ଦ୍ଦିଷ୍ଟ ରାଗର ବହୁଳ ବ୍ୟବହୃତ ସ୍ୱର ବା ପରିଚାୟକ ବା ଶାସକ ସ୍ୱର । ଏଣୁ ରସ ଓ କାଳ ତଦନୁସାରେ ପ୍ରସରିବ । କୋମଳ ରୁଷଭର ବର୍ଣ୍ଣ ସବୁଜ । ପ୍ରଭାତକାଳୀନ ପ୍ରକୃତି (ଆକାଶ) ଏହି ରଙ୍ଗରେ ବର୍ଣ୍ଣାୟିତ । ମତାନ୍ତରେ ବର୍ଣ୍ଣର ନିର୍ଣ୍ଣୟ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ସମସ୍ତେ ଏହି ସ୍ୱରରେ ବର୍ଣ୍ଣ ସମ୍ବନ୍ଧେ ଅଳ୍ପେ ବହୁତେ ସହମତ । ଏଠାରେ ସ୍ୱରର ବର୍ଣ୍ଣ ସମ୍ବନ୍ଧେ ଯେଉଁ ସାମାନ୍ୟ ଆଲୋଚନା ଉପସ୍ଥାପିତ କରାଗଲା ତାହା ପ୍ରସିଦ୍ଧ ବୈଜ୍ଞାନିକ ହେଲ୍‌ମହୋଜ୍‌ଙ୍କ ମତାନୁସାରୀ ।

 

ରସ ବିଚାରରୁ ପ୍ରୋକ୍ତସ୍ୱର ଦୁଇଟି ଶାନ୍ତ ଓ ମଧୁର ରସ ଦ୍ୟୋତକ । ଭାବନୁସାରେ ଏହା ଚିନ୍ତା, ବିଷାଦ ଓ ଉତ୍କଣ୍ଠାସୂଚକ । ତେଣୁ ଭାବରସିକ ଜୟଦେବଙ୍କର ଯଥାଭିପ୍ରାୟ ପ୍ରକାଶ ଲାଗି ଗୋଣ୍ଡକିରୀ ରାଗ ନିର୍ବାଚନ ସାର୍ଥକ ଅଟେ ।

 

ସଙ୍କେତ କାଳରେ ‘ଧୃଷ୍ଟ ବୈକୁଣ୍ଠ’ ଶ୍ରୀକୃଷ୍ଣ ଶ୍ରୀମତୀଙ୍କ କୁଞ୍ଜକୁ ଯାଇ ନାହାନ୍ତି ତେଣୁ ନିଶାବସାନରେ ଦୂତୀ ପୁଣି ଶ୍ରୀକୃଷ୍ଣଙ୍କ ନିକଟକୁ ଆସି ଶ୍ରୀମତୀଙ୍କର ବିରହସନ୍ତାପିତାବସ୍ଥା ବର୍ଣ୍ଣନା କରି ତାଙ୍କୁ ରାଈକୁଞ୍ଜକୁ ଅଭିସାର ଲାଗି ଅନୁନୟ କରିଛି । ଗୋଣ୍ଡକିରୀ ରାଗ ସହଯୋଗରେ ଏହିଠାରେ ଷଷ୍ଠ ସର୍ଗର ସମାପ୍ତି ଘଟିଅଛି ।

 

ସପ୍ତମ ସର୍ଗର ପ୍ରାରମ୍ଭରେ ବିପ୍ରଲବ୍‍ଧା ନାୟିକା ଶ୍ରୀମତୀଙ୍କର ବିଷମ ବିରହଦଶା ମାଳବ ରାଗର ସହାୟତାରେ ଗାଇଛନ୍ତି ମହାକବି ଜୟଦେବ ।

 

କୁଳ-ଶୀଳ-ମନ-ମହତ୍ୱ, ସବୁ ତ ଟେକି ଦେଇ ସାରିଛନ୍ତି ରସରାଜଙ୍କର ପ୍ରଣୟ-ରଞ୍ଜିତ ଚରଣ ତଳେ; ଆଉ ‘‘ମୋର’’ ବୋଲି ବୋଲିବାକୁ କଅଣ ଭଲା ବାକି ଅଛି ମହାଭାବମୟୀ ଶ୍ରୀମତୀଙ୍କର ? ଗୋବିନ୍ଦ ଚରଣରେ ସେ, ବିକା- ସେବିକା ପରା ? ଉତ୍କଣ୍ଠ ନୟନରେ ଅନାଇଁ ବସିଛନ୍ତି ସେ ‘ନାଗରନାରାୟଣ’ଙ୍କର (ସ୍ତ୍ରୀସମୁହାଶୟ) ଶୁଭାଗମନ ପଥ । ସେତେବେଳକୁ -

 

‘‘ରାଜେ ଶଶାଙ୍କ କୁଳଟାକୁଳଭ୍ରଷ୍ଟ ପାପ-

ସଂଜାତ ଲାଞ୍ଛନ କଳା ବହି ବକ୍ଷ ଦେଶେ ।

ଦିକ୍‌ସୁନ୍ଦରୀ ବଦନ ଚନ୍ଦନ ବିନ୍ଦୁ ବା’ ସେ

ବୃନ୍ଦାବନେ ବିହରିଲେ କରରାଜି ତାଳି ।।’’

 

ଏବେ ହେଲେ ନଗର-ନାରାୟଣଙ୍କର ଧୃଷ୍ଟ ମତି ବଦଳି ନାହିଁ । ବିରହ ବିକଳ ରାଇ କହିଛନ୍ତି -

‘‘କାଳ ତ ଅତୀତ ଶଠ ଶ୍ୟାମ ସଖି କାହିଁ ରେ ?

ବିକଳ ମମ ଯୌବନ ତ ବିଫଳ ପଥ ଚାହିଁ ରେ ।।’’

 

ସ୍ଥଳ, କାଳ, ପାତ୍ର, ଅବସ୍ଥା ଏବଂ ରସ ବିଚାରରୁ ରାଗ ନିର୍ବାଚନାର ଯୁକ୍ତିଯୁକ୍ତତା ସମ୍ବନ୍ଧେ କିଞ୍ଚିତ୍‌ ଆଲୋଚନା କଲେ ରସିକ କବିଙ୍କର ସଙ୍ଗୀତ ପାଣ୍ଡିତ୍ୟ ସହଜରେ ଉପଲବ୍‌ଧି ହେବ ।

 

ନିଷାଦ ଏବଂ ଗାନ୍ଧାର ସ୍ୱରଦ୍ୱୟର ଶୁଦ୍ଧତ୍ୱ ଏବଂ ଧୈବତ ସ୍ୱରର କୋମଳତ୍ୱ ପ୍ରୟୋଗ ଏହି ଔଡ଼ବ ରାଗଟିର ବିଶେଷତ୍ୱ ପରିଚାୟକ । ପ୍ରଥମ ଦୁଇଟି ସ୍ୱରର ଶ୍ରୁତି ବିଚାରରେ ଯଥାକ୍ରମେ ଉତ୍କଣ୍ଠା, ହାସ୍ୟ, ସଖ୍ୟ ଏବଂ ଦାସ୍ୟ, ମଧୁର, ଶାନ୍ତ ରସ ସହିତ ତତ୍‌ପରବର୍ତ୍ତୀ କୋମଳ ଧୈତବ ସ୍ୱରର ମଧୁର, ସଖ୍ୟ ବା ଶାନ୍ତ ରସ - ପ୍ରସାରୀ ରସଦ୍ୟୋତନା ‘ମାଳବ’ ରାଗର ପ୍ରାଣ । ଶ୍ରୀମତୀଙ୍କର ବିରହ - ବିଚ୍ଛେଦଜନିତ ଦୀନଦଶା ବର୍ଣ୍ଣନା କରିଛନ୍ତି ମହାକବି ଏହି ‘‘ସାୟ ନିଶି ବା ମାଳବଃ ଶୁଚୌ’’ ରାଗର ଉପଯୋଗରେ ରସ ଏବଂ କାଳାନୁସାରୀ ଏହା ଯଥୋପଯୁକ୍ତ ନିର୍ବାଚନ ।

 

‘‘ x x x ପ୍ରୀତିଘରେ ସନ୍ଦେହ ଦୁଆରୀ’’ - କଥାଟି ନିରାଟ ସତ୍ୟ । ଆସିଛି କିଶୋରୀଙ୍କ ମନରେ ନାନେ ସନ୍ଦେହ, - ଯେତେବେଳେ ସଂକେତ ନିର୍ଦ୍ଦିଷ୍ଟ ବେତସ କୁଞ୍ଜକୁ ଆସି ନାହାନ୍ତି ଶଠ ନଟବର ଶ୍ୟାମ । ତହୁଁ ବସନ୍ତ ରାଗରେ କବି ଗାଇଛନ୍ତି ନାଗର ପଥ ପିଆସୀ ବିଧୁରା ଶ୍ରୀମତୀଙ୍କର ବିରହ-ବିଦଗ୍‌ଧ ମନ ବେଦନା । ଯଥାକାଳରେ ସଂକେତ ସ୍ଥଳରେ ଶଠ ନାୟକଙ୍କ ଅନୁପସ୍ଥିତରେ ବିପ୍ରଲବ୍‌ଧା ନାୟିକର ଅଭିମାନ, ଖେଦ ଓ ସନ୍ଦେହ ସୃଷ୍ଟିର ସୂଚନା ଫୁଟାଇ କବି କହିଛନ୍ତି :-     

‘‘କାପି ମଧରିପୃଣା ବିଳସିତ ଯୁବତୀରଧୀକଗୁଣା’’

 

ଉତ୍କଳରେ ସାଧରଣୀ ନାୟିକା ରୀତିରେ ମଧ୍ୟ ଏହିପରି ସନ୍ଦେହାତ୍ମକ ଭାବର ଚିତ୍ର ଅଙ୍କିତ । ସଂଗୀତ - କବି ସମ୍ରାଟ ଭଂଜେ ଲେଖିଛନ୍ତି -

‘‘କେଣିକି ସେ ଗଲେ, କିପାଇଁ ନଇଲେ

ତେଣୁକରି କାମ ଅନଳେ ଦହିଲେ,

କିବା କେଉଁନାରୀ ତା’ ମନ ମୋହିଲା,

ସେ ଦେଶେ ମୋ ଧନ ଗଲେଟିରେ ।।’’ ଇତ୍ୟାଦି

 

ବିରହିଣୀ ନାୟିକାର ଅନୁଚିନ୍ତା ଭାବ ପ୍ରକାଶ ଲାଗି ବସନ୍ତ ରାଗର ସ୍ୱର-ରଚନା ସଂପୂର୍ଣ୍ଣ ଉପଯୁକ୍ତ । ଷଡ଼ଜ, ଗାନ୍ଧାର, ମଧ୍ୟମ, ଧୈତବ ଓ ନିଷାଦସ୍ୱର ସଂମ୍ପର୍କରେ ରାଗଟି ଦାସ୍ୟ, ସଖ୍ୟ ଓ ମଧୁର ରସ ବିସ୍ତାରରେ ସମର୍ଥ । ପୁଣି ଓଡ଼ିଶୀ ସଂଗୀତ - ଗାୟନ ଧର୍ମରେ ଷଡ଼ଜ ମଧ୍ୟମର ଉଚ୍ଚାରଣକାଳୀନ ଅଖଣ୍ଡ ସ୍ୱର-ପ୍ରାଶ ରୀତି (ମୀଡ଼) ରାଗଟିକୁ ମଧୁର ମଧୁରତର କରିଦିଏ । ଅନୁରାଗ, ଆତ୍ମୋତ୍ସର୍ଗ ବା ଆତ୍ମନିବେଦନ ଦାସ୍ୟଭାବର ପରିପାକ । ଶ୍ରୀମତୀ ଆତ୍ମ ନିବେଦିତା । ଏହି ନିବେଦନର ଅନ୍ତରାଳରେ ଭକ୍ତମୟୀ ମହାଭାବ, ରସରାଜଙ୍କର ସଖି - ଦାସୀ - ସେବିକା । ପୁଣି ଏହି ମହାଭାବମୟୀଙ୍କ ସେବାବଳରେ ରସରାଜ ତାଙ୍କର ଏକାନ୍ତ ଅନୁଗତ । ରାଗ ବସନ୍ତ ଏହି ରସର ଦ୍ୟୋତକ । ଆରୋହୀ - ପଞ୍ଚମ - ବର୍ଜିତ । ଅବରୋହ କାଳରେ ଶୁଦ୍ଧ ଓ ତୀବ୍ର - ଦୁଇ ମଧ୍ୟମ ସ୍ୱର - ସଂଚାର ମଧୁର ରସକୁ ସ୍ପଷ୍ଟତର କରିଦିଏ । ଅଧୁନା ପ୍ରଚଳିତ ରାଗ ରୀତିରେ ଅବରୋହଣ ବେଳେ ପଞ୍ଚମ ବ୍ୟବହୃତ ହେଉଅଛି । ଏତଦ୍ୱାରା ରସ-ବିରୋଧୀତା ଭୟ ଦୁରେ ଥାଉ ବରଂ ତାହା ରସ ପରିପୋଷକତାର ସହାୟକ ।

 

ଟିକିଏ ସୂକ୍ଷ୍ମ ଦୃଷ୍ଟିରେ ଅନୁଧ୍ୟାନ କଲେ ବାରିହୋଇପଡ଼େ ଯେ ଏହିଠାରେ ପ୍ରିୟଜନ ପ୍ରତି ବିଶେଷ ଅନୁରାଗ ହେତୁ ଈର୍ଷା ଦ୍ୱିଗୁଣିତ ହୋଇ ଉଠିଛି ଶ୍ରୀମତୀଙ୍କ ହୃଦୟରେ । ଠିକ୍‌ ପ୍ରଣୟ ଅଭିମାନିନୀ ଦେହୀ ଜୀବନରେ ଯାହା ସହଜ ସମ୍ଭବ, ଦେବୀ ପକ୍ଷରେ ମଧ୍ୟ ସେହି ରୀତିର ଚିତ୍ର ଥାପିଦେଇଛନ୍ତି ମହାକବି ।

 

ଅନ୍ୟାନ୍ୟ ସର୍ଗ ତୁଳନାରେ ସପ୍ତମ ସର୍ଗଟିରେ ଅଧିକ ସଂଖ୍ୟକ ଅର୍ଥାତ୍ ଚାରିଗୋଟି ଗୀତ ଖଞ୍ଜି କବି ଯଥାକ୍ରମେ ମାଳବ, ବସନ୍ତ, ଗୁର୍ଜ୍ଜରୀ ଏବଂ ସର୍ବଶେଷରେ ଦେଶବରାଡ଼ି ଇତ୍ୟାଦି ରାଗମାନଙ୍କ ସ୍ମରଣରେ ନାୟକ ନାଗର ନାରାୟଣଙ୍କ ଧୃଷ୍ଟତା ହେତୁ ବିରହତାପିତା ବିପ୍ରଲବ୍‌ଧା ନାୟିକା ଶ୍ରୀମତୀଙ୍କର ବିଳାପ, ପରିତାପ, ଈର୍ଷା ଏବଂ ଅଧୀରତା ଭାବମାନ ଫୁଟାଇ ସହୃଦୟର ଚିତ୍ତ ଉଦ୍‌ବେଳିତ କରି ପକାଇଛନ୍ତି ।

 

ସପ୍ତମ ସର୍ଗାରମ୍ଭର ପ୍ରଥମ ଗୀତ ରଚନାକାଳରେ ମାଳବ ରାଗର ମଧୁମୂର୍ଚ୍ଛନା ମଧ୍ୟରେ ମହାକବି ବାସନ୍ତୀକ ବ୍ରଜବନରେ ଦର୍ଶନ କରିଛନ୍ତି ପ୍ରଦୋଷ ଚନ୍ଦ୍ରୋଦୟ ଆଉ ଶୁଣିଛନ୍ତି ମାଧବ ବିଧୁରା ଶ୍ରୀମତୀଙ୍କର ‘ବିରଚିତ ବିବିଧ ବିଳାପ’।

ବିରହିଣୀର ସନ୍ଦେହସିକ୍ତ କଳ୍ପନା-ନୟନ ଏତେବେଳେ ଦେଖିଛି - ‘‘କାପି ଧୁରିପୁଣା ବିଳସତି ଯୁବତୀରଧିକ ଗୁଣା’’ । ତାଙ୍କଠାରୁ ଅଧିକ ଗୁଣବତୀ କେଉଁ ଯୁବତୀ - ହୃଦୟବଲ୍ଲଭଙ୍କ ସହିତ ପ୍ରେମୋନ୍ମତା ।

 

ତହୁଁ ରାଗ ବସନ୍ତ ପ୍ରୀତି ନିକୁଞ୍ଜରେ ଅନୁପ୍ରବେଶ କରି ମୁକୁଳାଇ ଦେଇଛି ସୁ-ଚିକ୍‌କଣ କେଶପାଶ ବିପ୍ରଲବ୍‌ଧା ନାୟିକାଙ୍କର, ଖସି ପଡ଼ିଛି ସଯତ୍ନ-ସଜଡ଼ା ବାସନ୍ତୀକ-ସୁରଭୀ-ସୁମନ ଝରା । ଷଡ଼ଜ ମଧ୍ୟମକୁ ସଙ୍ଗକରି ମିଳନୋତ୍କଣ୍ଠିତା ନାୟିକାର କେତେ ମଧୁର ସ୍ୱପ୍ନଭରା ଆଶା ନବ ମୁକୁଳିତ ସବୁଜିମାର ନିଃଶ୍ରେଣୀର ଆରୋହଣ କଲା । କିନ୍ତୁ ପର ମୁହୂର୍ତ୍ତରେ ନାୟକର କଣ୍ଟକାଳ ବଳି ଯାଆନ୍ତେ ପୁଣି ତାର ଆଶାଭଗ୍ନ ମନ ଝାଉଁଳା କଳିକା ପରି ହେଲା ଧରାମୁଖୀ । ପାଣ୍ଡୁର ଦିଶିଲା ଗଣ୍ଡ ମଣ୍ଡଳ । ଏତେବେଳେ ଷଡ଼ଜ ଓ ଶୁଦ୍ଧ ମଧ୍ୟମ ସ୍ୱର ମଧ୍ୟ ସ୍ଥଳରେ ମଧ୍ୟମ ସ୍ୱରର ତୀବ୍ରତ୍ୱ ସହସା ପ୍ରତିଭାତ ହୋଇ ଭୟ ଓ ନିରାଶରେ ଶିହରାଇ ଦେଲା ଆଶାର ଆନନ୍ଦଉଛୁଳା । ତହୁଁ ବଲ୍ଲଭ ମିଳନର ନୈରାଶ୍ୟରେ ବିପ୍ରଲବ୍‌ଧ ନାୟିକା ହୋଇ ପଡ଼ିଲେ ଉତ୍କଣ୍ଠ - ମାନସୀ ।

 

ଜାଗିଛି ମନରେ ନାନା ସନ୍ଦେହ । ବଳିପଡ଼ିଛି ଶୃଙ୍ଗାର ସମ୍ଭୋଗଇଚ୍ଛା । କଳ୍ପନା ନୟନ ଦେଖିଛି :-

‘‘ମୃଗମଦି ତିଳକଂ ଲିଖିତ ସପୁଲକଂ

            ମୃଗମିଦ ରଜନୀକରେ ।।’’

 

-ନାୟକ, ନାୟିକାର ଚନ୍ଦ୍ରମାବଦନରେ ଶଶ-ଲାଞ୍ଛନ ଭଳି ମଦନୋଦ୍ଦୀପକ କସ୍ତୁରୀ ତିଳକ ଅଙ୍କିତ କରି ଦେଉଅଛନ୍ତି ।

 

ମଳିନ ପଡ଼ିଛି ଧନୀର ଆଶା-ଉତ୍ସାହ । ଆଖି ଆଗରେ ଘେରି ଆସିଛି ବିଷାଦର କୃଷ୍ଣ ଯବନୀକା । କୋମଳ ରୁଷଭ, କୋମଳ ଧୈତବ ଓ ତୀବ୍ର ମଧ୍ୟମ ଘେନି ଚତ୍ତତ୍‌ରସ ବିକାଶର ସହାୟକ ହୋଇ କବିକଣ୍ଠ ମଣ୍ଡନ କରିଛି ବାସନ୍ତୀ ଚନ୍ଦ୍ରାଙ୍କିତ ଶୃଙ୍ଗାର ବର୍ଦ୍ଧନୀ ରାଗ- ଗୁର୍ଜ୍ଜରୀ ।

 

ସାଧରଣୀ କାମଜ ରୀତି ତ ନୁହେଁ । ଅପ୍ରାକୃତ ପ୍ରେମଜନିତ ରତିଲାଳସୀ ବିରହିଣୀର ହୃଦୟ ଉତ୍କଣ୍ଠାରେ - ମନୋବେଦନାରେ ବିଦୀର୍ଣ୍ଣ ହୋଇପଡ଼ୁଛି । କହିଛନ୍ତି ଶ୍ରୀମତୀ - ‘‘ନ ହେଲା ନାହିଁ, ନ ଆସିଲେ ନାହିଁ - ମୋର ଏଇ ଶ୍ୟାମ ମିଳନ ପିଆସା ଅନ୍ତର ତୁଚ୍ଛ ପିଣ୍ଡରୁ ଅନ୍ତର ହୋଇ ଛାଏଁ ଛାଏଁ ପ୍ରିୟ ମିଳନରେ ଅଭିସାର କରିବ ।’’

‘‘ ଉତ୍କଣ୍ଠାର୍ତ୍ତଭରାବିବସ୍ଫୁଟଦଦିଂ ଚେତଃ ସ୍ୱୟଂ ଯାସ୍ୟତି ।’’ !

 

‘ସ୍ନେରାନନା ଚାରୁ ବିଲୋଳ ନେତ୍ରା’ ରାଧିକାଙ୍କର ବିଗତ ମଧୁସ୍ମତି ବେଳକୁବେଳ କେତେ କଳ୍ପନା ଚେତାଇ ଦେଇଛି ମନରେ ତାଙ୍କର । କେତେବେଳେ ଈର୍ଷା, କେତେବେଳେ ଅଭିମାନ, କାତରତା, ଉଦାସୀନତା, ବିରହ ଓ ଦୁଃଖଶୋକରେ ଅଧୀରା ହୋଇ ପଡ଼ିଛନ୍ତି ପ୍ରୀତିବତୀ ଶ୍ରୀମତୀ ।

 

ଗୁଜ୍ଜରୀ ରାଗର ସହଯୋଗ ପରେ ପରେ କେବଳ କୋମଳ ରୁଷଭ, କୋମଳ ଧୈତବ ଓ ତୀବ୍ର ମଧ୍ୟମସ୍ୱର ବ୍ୟବହାରରେ ମହାକବିଙ୍କର ରସ ଚିତ୍ରଣର ତୃପ୍ତି ଘଟି ନାହିଁ । ସେ ଏହି ସ୍ୱରମାନଙ୍କ ସହିତ କୋମଳ ନିଷାଦକୁ ସଙ୍ଗୀ କରି ଦେଶବରାଡ଼ୀ ରାଗକୁ ଇପ୍‌ସିତ ରସ ପ୍ରସାର ଲାଗି ଗ୍ରହଣ କରିଅଛନ୍ତି । ଏହି ରାଗର ଉପଯୋଗରେ ଶ୍ରୀମତୀଙ୍କ କଳ୍ପନା ନୟନର ଆଲେଖ୍ୟ ରଚନା କରି ମହାକବି ଭାଷା ଯୋଗାଇଛନ୍ତି –

‘‘ଅନିଳ ତରଳ କୁବଳୟ ନୟନେନ

ତପତି ନ ସା କିଶଳୟ ଶୟନେନ

ସଖି, ଯା ରମିତା ବନମାଳିନା ।।’’

ପୁଣି ଉତ୍କଣ୍ଠିତୀର ଶେଷ ନିବେଦନରେ ମଳୟ ଓ ପଞ୍ଚବାଣକୁ ଜଣା କରାଇଛନ୍ତି :-

‘‘ବାଧୀଂବିଧେହି ମଳୟାନିକ ପଞ୍ଚବାଣ

ପ୍ରାଣାନ୍‌ ଗୃହାଣ ନ ଗୃହଂ ପୁନରାଶ୍ରୟିଷ୍ୟେ ।।’’

 

ବିରହୋତ୍କଣ୍ଠ ଯାମିନୀ ଅତି ଦୁଃଖକରେ ବିତିଛି ଏହି ସପ୍ତମ ସର୍ଗରେ ।

ତହୁଁ ବିଷ ମଣିଛନ୍ତି ଜୀବନକୁ ଶ୍ୟାମ ବିହୁନରେ ରାଧିକା । ମଳୟ, ମଦନ, ଯମୁନା- ସମସ୍ତଙ୍କ ନିକଟରେ ମରଣର-ଶରଣ ଭିକ୍ଷା ମାଗିଛନ୍ତି ସେ, ବିରହବିଦଗ୍‌ଧ ତନୁର ଜ୍ୱାଳା ପ୍ରଶମନ ଲାଗି । ଉପଗତ ପ୍ରେମତପସ୍ୟାର ଶେଷ ପର୍ଯ୍ୟାୟ । ପ୍ରାଚୀ ଦିଗ୍‌ବଳୟରେ ନବ ଅରୁଣ-ତିଳକ ମଣ୍ଡିତ ଭାଲରେ ଦରହସା ଦେଲେ ନାଗରୀ ଉଷା । ଏତିକିବେଳେ ଖଣ୍ଡିତା ନାୟିକା ଶ୍ରୀମତୀଙ୍କର କୁଞ୍ଜଦ୍ୱାରରେ ଦର୍ଶନ ଦେଲେ ‘ବିଲକ୍ଷ୍ୟ ଲକ୍ଷ୍ମୀପତି’ । ଦେଖିଲେ ସେ ରାଧିକା ଦୁର୍ଜ୍ଜୟମାନିନୀ; ଲକ୍ଷ୍ମୀପତି ବିଷାଦିତ-ବିସ୍ମିତ । ଧୃଷ୍ଟ ନାୟକ ଭଣିଛନ୍ତି ବହୁ ବିନୟବାଣୀ । ଉତ୍ତରରେ ଶୁଣିଛନ୍ତି ସେ :-

‘‘ହରିହରି ଯାହି, ମାଧବ ଯାହି,

କେଶବ ମାବଦ କୈତବ ବାଦଂ ।।’’

‘‘ଚେତି ରାତି ନବ ତରୁଣ ବରଣ ତବ ଅଳସ ନୟନ ପରକାଶେ, ଦରମୁକୁଳିତ ଗତି, କେ ରମଣୀ ପ୍ରତି, ଗୁରୁ ଅନୁରାଗ ବିକାଶେ ।।’’

 

କାଳୋଚିତ ତଥା-ପାତ୍ରୋଚିତ ରସପ୍ରସାରୀ ଭୈରବୀ ରାଗକୁ ବାଛିଛନ୍ତି କବି ଅଷ୍ଟମ ସର୍ଗର ଏହି ଗୀତିକାରେ । ନାରଦୀୟ ଚତ୍ୱାରିଂଚ୍ଛତ୍‌, ରାଗ ନିରୂପଣ ଗ୍ରନ୍ଥକାର ଏହି ରାଗର ଭାବରୂପ କଳ୍ପନା କରି କହିଛନ୍ତି-

‘‘ସ୍ପଟିକରଚିତ ପୀଠେ ରମ୍ୟ କୈଳାଶ ଶୃଙ୍ଗେ

ବିକଚ କମଳ ପତ୍ରୈରର୍ଚ୍ଚୟନ୍ତି ମହେଶଂ

କରଧୃତ ଘନବାଦ୍ୟା ପୀତବର୍ଣ୍ଣାୟତାକ୍ଷୀ

ସୁକବିଭିରିୟମୁକ୍ତା ଭୈରବୀ ଭୈରବ ସ୍ତ୍ରୀ ।’’

 

ଉତ୍କଳୀୟ ସଙ୍ଗୀତ ଗ୍ରନ୍ଥ ‘‘ସଙ୍ଗୀତ ମୁକ୍ତାବଳୀ’’ରେ ମଧ୍ୟ ଏହି ଶ୍ଳୋକଟି ଧୃତ ହୋଇଅଛି । ଆହୁରି କୁହାଯାଇଅଛି-

ଚନ୍ଦ୍ରପ୍ରଭା ଚାରୁମୁଖୀ ସୁନେତ୍ରା

ବିଦ୍ୟାଧରୀ ନୃତ୍ୟକଳାଂ ବହନ୍ତୀ

ପିକସ୍ୱରାଽତୀବ ମନୋହରାଙ୍ଗୀ

ସା ଭୈରବୀୟଂ କଥିତା ମୁନିନ୍ଦ୍ରୈଃ ।।’’

 

ସଙ୍ଗୀତ ନାରାୟଣକାର ଏହାକୁ ଓଡ଼ବ ଜାତୀୟ ରାଗ ମଧ୍ୟରେ ଠାବ ଦେଇଛନ୍ତି । ସେ ଭୈରବୀକୁ- ‘ନାରଦ ଭୈରବୀ’ ବୋଲି ବର୍ଣ୍ଣନା କରିଛନ୍ତି ।

‘‘ସରୋବରସ୍ଥେ ସ୍ଫଟିକସ୍ୟ ମଣ୍ଡପେ

ସରୋରୁହୈଃ ଶଙ୍କରମର୍ଚ୍ଚୟନ୍ତୀ ।

ତାଳ ପ୍ରୟୋଗୈଃ ପ୍ରତିବଦ୍ଧ ଗୀତା

ଗୌରୀତନୁ ର୍ନାରଦଭୈରବୀୟମ୍‌ ।।’’

 

ବିଭିନ୍ନ ଗ୍ରନ୍ଥରେ ଭୈରବୀ ରାଗର ଧ୍ୟାନ ମୂର୍ତ୍ତି ଭିନ୍ନ ରଚନାର ରୂପ ଘେନି ବର୍ଣ୍ଣିତ ହୋଇଥିଲେ ହେଁ ସବୁଗୁଡ଼ିକ ସମାନ ଭାବ ବ୍ୟଞ୍ଜକ । ଉତ୍କଳରେ ଏହା ଏକ ଅତ୍ୟନ୍ତ ଜନପ୍ରିୟ ରାଗିଣୀ । ଏହି ରାଗର ଉପଯୋଗରେ ମହାକବି ଶ୍ରୀଗୀତଗୋବିନ୍ଦର ଅଷ୍ଟମ ସର୍ଗରେ ଗାଇଛନ୍ତି-

‘‘ରଜନୀଜନିତଗୁ ରୁଜାଗରରାଗକଷାୟିତମଳସନିମେଷଂ’’

ଏହା ଅରୁଣୋଦୟ କାଳର ଘଟଣା ।

 

ଗତ ନିଶାର ଗୁରୁ ଜାଗରଣ ଜନିତ ଅଳସ ପୀଡ଼ାରେ ଶଠ ନାୟକଙ୍କ ଅରୁଣବରଣ ନୟନଯୁଗଳ ମୁଦିମୁଦି ହୋଇଆସୁଛି...ଇତ୍ୟାଦି ଇତ୍ୟାଦି ।

 

ରାଗିଣୀ ଭୈରବୀର ଏହା ହିଁ ଗାୟନ କାଳ । ଏହାକୁ ଔଡ଼ବ ଶ୍ରେଣୀରେ ସଙ୍ଗୀତ ନାରାୟଣକାର ସ୍ଥାନ ଦେଇ ଲେଖିଛନ୍ତି:-

‘‘ଭୈରବୀଽପି ରି-ପୋଜ୍‌ଝିତଃ

ଧ-ଗ୍ରହାଂଶୋ ମଧ୍ୟମାନ୍ତୋ

ଗେୟାମଙ୍ଗଳ କର୍ମାଣୀ ।’’

 

ସଙ୍ଗୀତ ମୁକ୍ତାବଳୀରେ ମଧ୍ୟ ଏହି ଶ୍ଳୋକଟି ଦେଖିବାକୁ ମିଳେ ।

ଉତ୍କଳୀୟ ପ୍ରଚଳିତ ମତରେ, ଭୈରବୀ ସମ୍ପୂର୍ଣ୍ଣ ଜାତୀୟା । ଏହା ସ୍ୱୟଂ ଏକ ସ୍ୱତନ୍ତ୍ର ମେଳ । ଋଷଭ, ଗାନ୍ଧାର, ଧୈତବ ଓ ନିଷାଦ ସ୍ୱରମାନ କୋମଳ ।

ବାଦୀ- ମଧ୍ୟମ

ସମ୍ୱାଦୀ- ଷଡ଼ଜ

ମତାନ୍ତରେ ବାଦୀ- ଧୈତବ

ସମ୍ୱାଦୀ- ଗାନ୍ଧାର

ସମୟ- ପ୍ରାତଃକାଳ

ରସ- ଶୃଙ୍ଗାର

ଆରୋହ- ସମ୍ପୂର୍ଣ୍ଣ

ଅବରୋହ- ସମ୍ପୂର୍ଣ୍ଣ

 

ପୁଣି ଉତ୍କଳୀୟ ସଙ୍ଗୀତ ଶାସ୍ତ୍ରମତେ ମଧ୍ୟ କେହି କେହି ଋଷଭ ଓ ପଞ୍ଚମସ୍ୱର ବର୍ଜ୍ଜିତ ଏବଂ ମଧ୍ୟମ-ଷଡ଼ଜ ବାଦୀ ସମ୍ୱାଦୀରେ ଏହି ରାଗଟି ଗାଉଥିବାର ଦେଖାଯାଏ ।

ଏ ରୀତିରେ,

ଆରୋହ- ସା ଜ୍ଞା ମା ଦ୍ଧା ନ୍ନି ର୍ସା

ଅବରୋହ- ର୍ସା ନ୍ନି ଦ୍ଧା ମା ଜ୍ଞା ସା

 

ଅର୍ଥାତ୍‌ ହିନ୍ଦୁସ୍ଥାନୀ ପଦ୍ଧତିର ମାଲକୋଷ ରାଗ ସାମ୍ୟ । କର୍ଣ୍ଣାଟକୀ ପଦ୍ଧତିରେ ଭୈରବୀ ରାଗ ଗଠନ ଭିନ୍ନ ରୂପ ।

 

ବିପ୍ରଲମ୍ବ ରସ ଭୈରବୀ ରାଗ ସହାୟତାରେ ଫୁଟାଇ ମହାକବି ଜୟଦେବ ଶ୍ରୀମତୀଙ୍କ ଅଭିମାନ ବଚନ ଶୁଣାଇଛନ୍ତି ବିଲକ୍ଷଲକ୍ଷ୍ମୀପତିଙ୍କୁ ।

‘‘ଉଲ୍ଲଂଘ୍ୟ ସମୟଂ ଯସ୍ୟାଃ ପ୍ରେୟାନଦ୍ୟୋପଭୋଗବାନ୍‌

ଭୋଗଲକ୍ଷ୍ମାଙ୍କିତଃ ପ୍ରାତରାଗଚ୍ଛେତ୍‌ ସା ହି ଖଣ୍ଡିତା ।’’

 

ଅଥବା-

‘‘ପାର୍ଶ୍ୱମେତି ପ୍ରିୟୋ ଯସ୍ୟା ଅନ୍ୟ ସଂଭୋଗଚିହ୍ନିତଃ

ସା ଖଣ୍ଡିତେତି କଥିତା ଧୀରୈରୀର୍ଷ୍ୟାକଷାୟିତା ।’’ (ସା: ଦ:)

 

କଣ୍ଟକାଳ ବଳିଯିବା ହେତୁ ଏବଂ ଶରୀରରେ ଅନ୍ୟ ନାୟିକାର ସମ୍ଭୋଗ ଚିହ୍ନ ଦେଖି ଏତେବେଳେ ଶ୍ରୀମତୀ ଖଣ୍ଡିତା ନାୟିକା । କୁଞ୍ଜ ଦ୍ୱାରରେ ଉପଗତ ଶଠନାଗର ଶ୍ୟାମ । ଫୁଟି ଫୁଟି ଆସିଛି ପୂର୍ବ ନଭପଟରେ ଅରୁଣ ରଙ୍ଗରାଗ । ଡାକ ଦେଇଛି କୋଇଲି-କଜଳପାତି-ପ୍ରଭାତି ଡଗରା । ସାରା ରଜନୀ ନାୟକ ପଥ ଅପେକ୍ଷମାଣା ରାଈଙ୍କର ଅଭିମାନଭରା ଭାଷା ହେଲା:-

‘ଯାହି ମାଧବ, ଯାହି କେଶବ’- ଅନ୍ତର ହୁଅ କୁଞ୍ଜରୁ ।

‘ମାବଦ କୈତବ ବାଦଂ’-ଭଣ୍ଡାଭଣ୍ଡି କରି କଥା କହ ନାହିଁ ।

 

ଏହିଠାରେ ନାଟ୍ୟ ଭାଷାରେ କଥିତ ଭୂତ ଭବିଷ୍ୟତ ବିଷୟବସ୍ତୁର ଅଂଗ ସୂଚକ ଅନ୍ୟତମ ବିଷ୍ଳମ୍ଭକ ରୂପକ ଅଷ୍ଟମ ସର୍ଗର ସମାପ୍ତି ଘଟିଛି ।

ଏତେ ଭକ୍ତି, ଏତେ ଭାବର କଅଣ ଏଇହେଲା ପରିଣତି ? ମଉଳାମନ ତଳେ ଚେଇଁ ଉଠିଛି ବିଦ୍ରୋହ । ପ୍ରଗାଢ଼ ପ୍ରେମର ତୁଙ୍ଗ ଲହରୀ ବିପରୀତ ପବନ ଗତିରେ ଭାଙ୍ଗିପଡ଼ିଛି । ଗତିରୋଧ ହୋଇଛି ସରଳା ପ୍ରେମିକାର ।

‘‘ଅହେରିବ ଗତିଃ ପ୍ରେମଃ ସ୍ୱଭାବକୁଟିଳା ଭବେତ୍‌।।’’

                                          (ଶ୍ରୀରୂପଗୋସ୍ୱାମୀ)

 

-ସଖୀମାନେ ବହୁମତେ ବୁଝାଇଛନ୍ତି । କିନ୍ତୁ ସୁବେଶ-ସଜ୍ଜିତା ମିଳନପ୍ରତୀକ୍ଷମାଣା ଶ୍ୟାମବିରହବିଦଗ୍‌ଧା ଶ୍ରୀରାଧାଙ୍କ କୁଞ୍ଜରେ ସଙ୍କେତ କାଳ ଅତୀତ କରି, ଅପର ବ୍ରଜାଙ୍ଗନାର ପ୍ରଣୟଜନିତ ବିବିଧ ବିକାର ସଚନା ଅଙ୍ଗରେ ବହନ କରି ପ୍ରଭାତରେ ଦର୍ଶନ ଦେଲେ ବହୁବଲ୍ଲଭ ନାଗର ନଟବର ।

 

ମାନଭଙ୍ଗଲାଗି ପ୍ରିୟ ସହଚରୀ କେତେମତେ ଅନୁନୟ କରିଛନ୍ତି ଶ୍ରୀମତୀଙ୍କୁ । ତଥାପି କୋପିନୀର କୋପଶାନ୍ତ ହେଲା ନାହିଁ ।

‘‘ଚାଟୁକାରମପି ପ୍ରାଣନାଥଂ ଦୋଷାଦପାସ୍ୟ ଯା

ପଶ୍ଚାତ୍ତାପମବାପ୍ଳୋତି କଳହାନ୍ତରିତା ତୁ ସା ।’’ (ସାହିତ୍ୟ ଦର୍ପଣ)

 

ସଖୀମାନେ କହୁଛନ୍ତି –

‘‘ମାଧବେ ମାକୁରୁ ମାନିନି ମାନମୟେ ।

ହରିରଭିସରତି ବହତି ମଧୁ ପବନେ

କିମପରମଧିକ ସୁଖଂ ସଖି ଭବନେ ।’’

 

ଏହି ଜୟଦେବୀ ରଚନାର ପ୍ରତିଧ୍ୱନି ଶୁଣାଇଛନ୍ତି ଭକ୍ତକବି ପିଣ୍ଡିକ ଶ୍ରୀଚନ୍ଦନେ-

‘‘ମାନିନୀ ରତନ ଧନି, ମାନ ତେଜ ଏଣିକି

ଆନନ୍ଦଦାୟୀ ଆନନ୍ଦେ ଭଜ ବେଣୁପାଣିକି ।

କରୁଛି ଦୟିନୀ ରାଧେ, ଧରୁଛି ତୋ ପାଣିକି

ସେ ଶ୍ୟାମନାଗର ଦୋଷ ଫିଙ୍ଗିଦିଅ ପାଣିକି ।

ଯାହାପାଇଁ ମୁରୁଛିଲୁ କୁଳଶୀଳ ଶ୍ରେଣୀକି

ଜାଣି ଜାଣୁ ମଣି ତାକୁ ପର ପରି ଗଣିକି ?’’

(ବସନ୍ତ ରାସ)

 

କଳହାନ୍ତରୀତା ନାୟିକା ଶ୍ରୀମତୀଙ୍କର ମାନଭଙ୍ଗର ତିଳେ ହେଲେ ଲକ୍ଷଣ ସୁଦ୍ଧା ଦେଖାଗଲା ନାହିଁ, ସଖୀମାନଙ୍କର ଏହିପରି ନାନାରୂପ ଅନୁନୟରେ ।

 

ମାନୋପଶମ ଚିନ୍ତାରେ ମୁକୁନ୍ଦ ମୁଗ୍‌ଧ ।

 

ସଖୀ ମୁଖବାଣୀରେ ସ୍ଥଳକାଳପାତ୍ରେଚିତ ଯଥାବିହିତ ରସବିକାଶ ଲାଗି ମହାକବି ଆଶ୍ରୟ ନେଇଛନ୍ତି ‘ରାମକ୍ରୀ’ ବା ‘ରାମକିରୀ’ ରାଗର ।

 

ରାଗମାଳାକାର ଏହି ରାଗର ରସମୂର୍ତ୍ତି ବର୍ଣ୍ଣନା କରି କହିଛନ୍ତି-

‘‘ପୂର୍ଣ୍ଣେନ୍ଦ୍ରାସ୍ୟା ସୁମୁକ୍ତାମଣିତରଳଗଳା ନୀଳବସ୍ତ୍ରଂଦଧାନା

କୁର୍ପାସଂ ରକ୍ତବର୍ଣ୍ଣଂ କରଚରଣଯୁଗେ କଙ୍କଣେ ନୃପୁରୌ ଚ ।

ରାମକ୍ରୀ ଚଞ୍ଚଳାକ୍ଷୀ ବିମଳତରଗିରଂ ଚା ରଟନ୍ତୀ ବିଦଗ୍‌ଧା

ଶୃଙ୍ଗାରାଢ଼୍ୟା ତ୍ରିଷଡ଼୍‌ଜା ତ୍ୱନଲଗତିଗନୀ ରାଜତେ ସର୍ବଦୈବ ।।’’

 

ନାଟ୍ୟମନୋରମା ଗ୍ରନ୍ଥକର୍ତ୍ତାଙ୍କ ବର୍ଣ୍ଣନାନୁସାରେ:-

‘‘ପ୍ରତପ୍ତଚାମୀକରଚାରୁବର୍ଣ୍ଣ ।

କର୍ଣ୍ଣାବତଂସଂ ବିମଳଂ ବହନ୍ତୀ

ପୌଷ୍ପଂଧନୁଃ ପୌଷ୍ପଶରଂ ଦଧାନା

ଚନ୍ଦ୍ରାନନା ରାମକିରୀ ପ୍ରଦିଷ୍ଟା ।’’

ଉଭୟ ବର୍ଣ୍ଣନା ପ୍ରାୟ ସମାନ ରସ-ଧର୍ମୀ ।

ଓଡ଼ବ-(ବକ୍ର) ସମ୍ପୂର୍ଣ୍ଣ ରାମକିରୀ ରାଗଟିର

ଆରୋହୀ- ସା ରୀ ଗା ପା ଦ୍ଧା ର୍ସା

ଅବରୋହୀ- ର୍ସା ନି ଦ୍ଧା ପା ତ୍ମା ଗା ତ୍ମା ଗା ରୀ ସା ।

 

ଏହିପରି ଧରାଯାଇଥାଏ । ଉତ୍ତରାଙ୍ଗ ପ୍ରଧାନ ରାଗ । କେହି କେହି ଦୁଇ ମଧ୍ୟମର ମଧ୍ୟ ପ୍ରୟୋଗ କରନ୍ତି । ବାଦୀ-ପଞ୍ଚମ, ସଂବାଦୀ-ଷଡ଼ଜ ।

 

ପ୍ରାୟ ସପ୍ତଦଶ ଶତାଦ୍ଦୀର ପ୍ରଥମ ଦଶକ ମଧ୍ୟରେ ରାଗମାନଙ୍କର ଧ୍ୟାନ ମୂର୍ତ୍ତି ବିଜ୍ଞାନୀମାନଙ୍କଦ୍ୱାରା ରଚିତ ହୁଏ । ପଣ୍ଡିତ ଦାମୋଦର ମିଶ୍ର ପ୍ରଣୀତ (ପ୍ରାୟ ୧୬୨୫ ଖ୍ରୀ:) ସଙ୍ଗୀତ ଦାମୋଦର ଗ୍ରନ୍ଥଟି ବହୁଳ ପ୍ରଚାର ଘଟିଛି ଓଡ଼ିଶାରେ । ସଂଗୃହୀତ ସଟୀକ ଓ ସଚିତ୍ର ଖଣ୍ଡିଏ ଜରାଜୀର୍ଣ୍ଣ ଶ୍ରୀଗୀତଗୋବିନ୍ଦ ପୋଥିର ପରିଶିଷ୍ଟରେ ଏହି ରାଗର ଧ୍ୟାନ ମୂର୍ତ୍ତିଗୁଡ଼ିକ ବର୍ଣ୍ଣିଳ ଭାବେ ଅଙ୍କିତ ହୋଇଅଛି । ଟୀକା ଲେଖକ ସ୍ୱୟଂ ଚିତ୍ରଶିଳ୍ପୀ । ସେ ଲେଖିଛନ୍ତି-

 

ବୀରେନ୍ଦ୍ରସ୍ୟ ମୁକୁନ୍ଦ ସିନ୍ଧୁର ପତେ-

      ର୍ଦୀନୈକ ବନ୍ଧୋର୍ନବ

ତ୍ରିଂଶେଽଙ୍କେ ପ୍ରତିପତ୍ତିଥୌ

      ଗୁରୁକନ୍ୟାଂଗତେ ଭାସ୍କରେ ।।

 

ଟୀକା ପୁତ୍ତଳିକାନ୍ୱିତଂ ବିଲଖିତଂ

      ଶ୍ରୀ ଗୀତଗୋବିନ୍ଦକଂ

କାବ୍ୟଂ ଚାରୁ ଧନଂଜୟାଖ୍ୟ ଧରଣୀ-

      ଦେବେ ନ ପକ୍ଷେଽସିତେ ।।

 

ଐତିହାସିକ କାଳ ସ୍ଥିରୀକରଣ ଅନୁସାରେ ଏ ପୋଥିର ଲେଖନ କାଳ ୧୬୮୪ ବୋଲି ଧରାଯାଉଅଛି । ଏହାପରେ ୧୭୧୩ ଖ୍ରୀଷ୍ଟାଦ୍ଦରେ ରାଗଚିତ୍ର ଅଙ୍କିତ ଆଉ ଖଣ୍ଡିଏ ପୋଥି (ମୋଦ୍ୱାରା ପ୍ରକାଶିତ) ଆମ୍ଭମାନଙ୍କ ଦ୍ୱାରା ସଂଗୃହୀତ ହୋଇପାରିଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ରାଗଧ୍ୟାନ ମୂର୍ତ୍ତିର ଚିତ୍ରାଙ୍କନ କୃତିରେ ଉତ୍କଳୀୟ ଶିଳ୍ପୀ ସର୍ବ ପ୍ରଥମ କିମ୍ୱା ରାଜସ୍ଥାନୀ (ପଟ୍ଟବସ୍ତୁ ଉପରେ ଚିତ୍ରିତ) ରାଗମୂର୍ତ୍ତି ଚିତ୍ରଣର ସମସାମୟିକ ବା କିଛିକାଳ ପୂର୍ବରେ ଏହି ପୋଥି ଚିତ୍ରଗୁଡ଼ିକ ଅଙ୍କିତ । ତେଣୁ ଉତ୍କଳର ଭରତ ନିର୍ଦ୍ଦେଶିତ ପ୍ରକୃତି ଅନୁସାରେ ସ୍ୱତନ୍ତ୍ର ସଙ୍ଗୀତ ଧାରା (ଓଡ଼ିଶୀ ସଙ୍ଗୀତ) ବହୁତ କାଳରୁ ସୁଦ୍ଧା ପ୍ରଚଳିତ ଥିଲା । ଏହା ନିଃସନ୍ଦେହ ।

 

ଷୋଡ଼ଷ ଶତାଦ୍ଦୀ ପୂର୍ବରୁ ରାଗଧ୍ୟାନଗୁଡ଼ିକ କଳ୍ପିତ ହୋଇଥିବା ସୁନିଶ୍ଚିତ । ତାହା ନୋହିଥିଲେ ଷୋଡ଼ଶ ଶତାଦ୍ଦୀରେ ରାଗଧ୍ୟାନ ଶ୍ଳୋକମାନ ଲୋକଲୋଚନକୁ ଆସନ୍ତା କିପରି ? ସମ୍ଭବତଃ ଏକାଦଶ ଦ୍ୱାଦଶ ଶତକ ବେଳକୁ ଏହି ଧ୍ୟାନ ମୂର୍ତ୍ତିଗୁଡ଼ିକ ସୁପରିକଳ୍ପିତ ହୋଇସାରିଥିଲା ।

 

ରାଗ ଧ୍ୟାନ ମୂର୍ତ୍ତିଗୁଡ଼ିକୁ ରାଗର ଭାବ ପ୍ରକାଶକ ମୂର୍ତ୍ତି ବୋଲି ବିଚାରିବା ବିଧେୟ । ମହାକବି ଶ୍ରୀଗୀତଗୋବିନ୍ଦରେ ଯେଉଁ ଯେଉଁ ସ୍ଥଳରେ, ପାତ୍ର ଏବଂ ରସ ଅନୁକୂଳକ ରାଗମାନ ବ୍ୟବହାର କରିଅଛନ୍ତି, ତାହାର ବିଷଦ ଆଲୋଚନା ଏହି ଧାରଣାର ସମର୍ଥକ ।

 

ଧ୍ୟାନମୂର୍ତ୍ତି ଭିନ୍ନ ରାଗମାନଙ୍କର ପ୍ରକାଶକାଳ ସ୍ଥିରୀକୃତ । ସ୍ୱରମାନଙ୍କର ବର୍ଣ୍ଣ ଆଧୁନିକ ବୈଜ୍ଞାନିକମାନଙ୍କଦ୍ୱାରା ମଧ୍ୟ ନିର୍ଦ୍ଦେଶିତ ।

 

ଆଲୋଚନା କରାଯାଉଥିବା ଭୈରବୀ ରାଗରେ ଋଷଭ, ଗାନ୍ଧାର, ଧୈବତ ଓ ନିଷାଦ ସ୍ୱରମାନ କୋମଳ । ଏଗୁଡ଼ିକର ବର୍ଣ୍ଣ ସମ୍ବନ୍ଧେ ବିଚାର କରିବାକୁ ଗଲେ ଅରୁଣୋଦୟର କିଞ୍ଚିତ୍‌ ପୂର୍ବକାଳୀନ ପ୍ରକୃତି (ଆକାଶ)ର ବର୍ଣ୍ଣ ସହିତ ସମାନ ବୋଲି ବୁଝାଯାଏ । ଅଷ୍ଟମ ସର୍ଗରେ ଭୈରବୀ ରାଗରେ ଅତି ପ୍ରତ୍ୟୁଷରୁ ଧୂର୍ତ୍ତ ନାୟକଙ୍କ କୁଞ୍ଜ ପ୍ରବେଶ ଦର୍ଶାଯାଇଅଛି । ତହିଁପରେ ନବମ ସର୍ଗରେ ସଖୀମାନଙ୍କର ପ୍ରବୋଧ ବାଣୀ ବା ଖଣ୍ଡିତାନାୟିକା ଶ୍ରୀମତୀଙ୍କୁ ଶ୍ୟାମ ଅନୁରାଗିଣୀ ହେବାକୁ ପ୍ରବର୍ତ୍ତନା ବର୍ଣ୍ଣିତ ହୋଇଅଛି । ରାମକିରୀ ରାଗରେ ଦୁଇଟିଯାକ ରାଗର ଧ୍ୟାନ ମୂର୍ତ୍ତି ଉପସ୍ଥାପିତ କରାଯାଇଅଛି । ବର୍ତ୍ତମାନ କାଳ ବିଚାରରୁ ଦେଖିବାକୁ ଗଲେ ଋଷଭ ଏବଂ ଧୈବତ ସ୍ୱର ଦୁଇଟି କୋମଳ ପ୍ରକୃତିକ ହୋଇ ଅରୁଣୋଦୟ ବା ସାମାନ୍ୟ ପରବର୍ତ୍ତିକାଳର ବର୍ଣ୍ଣିଳ ପ୍ରକୃତିର ସାମ୍ୟ ବୋଲି ବୁଝାଯାଉଅଛି । ମାନବର ଚିତ୍ତବୃତ୍ତି ପ୍ରକୃତିର ଗତିରୀତି ଅନୁସାରେ ପରିଚାଳିତ । ଘଟଣା ପରମ୍ପରା ମଧ୍ୟ ସେହିପରି କାଳରେ ସଂଘଟିତ । ଏ ସବୁ ଦିଗ ବିଚାରରୁ ନିର୍ଦ୍ଦିଷ୍ଟ ରାଗ ନିର୍ବାଚନ କବିଙ୍କର ସଙ୍ଗୀତଶାସ୍ତ୍ର ପ୍ରବୀଣତାର ପ୍ରକୃଷ୍ଟ ପରିଚାୟକ ।

 

ଅଷ୍ଟମ ଏବଂ ନବମ ସର୍ଗ ଗୋଟିଏ ଗୋଟିଏ ଗୀତରେ ସମ୍ପୂର୍ଣ୍ଣ ହୋଇଅଛି । ଅଷ୍ଟମ ସର୍ଗ ବର୍ଣ୍ଣିତ ବିଷୟବସ୍ତୁ ହେଲା ଖଣ୍ଡିତା ନାୟିକା ସମୀପରେ ଧୂର୍ତ୍ତ ବା ଶଠ ନାୟକ ଉଗବତ । ଏହା ଅତି ପ୍ରତ୍ୟୁଷ କାଳର ଘଟଣା । ନାୟିକାର ଅନୁଗ୍ରହ ଲାଭରୁ ବଞ୍ଚିତହୋଇ ମନଦୁଃଖରେ ବାହୁଡ଼ିଗଲେ ନାୟକ । ନବମ ସର୍ଗରେ ସହଚରୀଗଣ ନାୟିକାର ମନ ଭୁଲାଇବାର ଚେଷ୍ଟା କରୁଛନ୍ତି; ନାୟକ ପ୍ରତି ନାୟିକାର ପ୍ରୀତି ଆକର୍ଷଣ କରାଉଛନ୍ତି । ଘଟଣା ପ୍ରତ୍ୟୁଷ-ପରବର୍ତ୍ତୀ କାଳର ।

 

ପ୍ରଥମ ଅବସ୍ଥାର ରସ ପ୍ରକାଶ ଲାଗି ଘେନା ଯାଇଅଛି ଭୈରବୀ ଓ ପରବର୍ତ୍ତୀ ଘଟଣାର ରସସିଦ୍ଧି ଘଟିଛି ରାମକିରୀ ରାଗରେ ।

 

ସ୍ୱର ଏବଂ ଶ୍ରୁତିର ରସ ପ୍ରସାରକ ଦକ୍ଷତା ସର୍ବବାଦୀ ସମ୍ମତ । ମୂର୍ଚ୍ଛନାର ସ୍ୱର ବ୍ୟୁତ୍‌କ୍ରମ ଘେନି ଘଟିଅଛି ରାଗର ସୃଷ୍ଟି । ସ୍ୱର ଏବଂ ସ୍ୱର ମଧ୍ୟସ୍ଥିତ ଶ୍ରୁତି ସହଯୋଗରେ ବାଦୀ-ସଂବାଦୀ ଇତ୍ୟାଦିର ପ୍ରଧାନ୍ୟ ପ୍ରକାଶରେ ରସ ସିଦ୍ଧି ଘଟେ । ଏହି ବିଚାର ନିର୍ଭରରେ ଭାରତୀୟ ବିଜ୍ଞ ସଙ୍ଗୀତ ସ୍ୱରୀମାନେ ରାଗର ଧ୍ୟାନ ମୂର୍ତ୍ତି କଳ୍ପନା କରି ଯାଇଅଛନ୍ତି । ମନର କଳ୍ପନା ଭାଷାରେ ପ୍ରକଟିତ ହୋଇଅଛି, ଛନ୍ଦୋମୟ ଶ୍ଳୋକାକାରରେ । ଶିଳ୍ପୀ ମନର-ଭାଷାକୁ ମୂର୍ତ୍ତିମନ୍ତ କରି ରୂପଦାନ କରିଛନ୍ତି ଚିତ୍ର ତୁଳିକା ବା ଲେଖନ ମୂନରେ ।

 

ସ୍ୱର ସଂବଦାର ବିଶେଷତ୍ୱ ଘେନି କବିଙ୍କ ଇସ୍‌ପିତ ରସ ପ୍ରକାଶର ସମୁପଯୁକ୍ତ ରାଗ ସଂଯୋଜନା ଘଟିଛି । ନବମ ସର୍ଗର ଶେଷ ଗୀତଟିରେ ଏହି ରାଗର ଉପଯୋଗ କରି ସଖୀ ବୁଝାଇ ସୁଝାଇ ଶେଷରେ କହିଛନ୍ତି-

ହରିରୂପଯାତୁ ବଦତୁ ବହୁ ମଧୁରମ୍‌

କିମିତି କରୋଷି ହୃଦୟମତି ବିଧୂରମ୍‌ ?

 

ଅସ୍ତାଚଳଚୂଳ ଅଭିମୁଖୀ ହେଲେ ସବିତା । ବିଲୟ ଲଭି ଆସୁଛି ତାଙ୍କର ପ୍ରଚଣ୍ଡ କିରଣ ପ୍ରଭା । ପ୍ରିୟ ସହଚରୀଗଣଙ୍କର ଅନୁନୟ ବଚନରେ କଳାହାନ୍ତରୀତା କୋପିନୀ ରାଈଙ୍କର ରୋଷାଗ୍ନି କ୍ରମେ ପ୍ରଶମିତ ହୋଇ ଆସିଛି ପ୍ରଦୋଷ ପ୍ରକୃତିର ଶୀତଳତା ସହିତ ।

 

ଏତିକିବେଳେ ପ୍ରୌଢ଼ାମାନବତୀ ନାୟିକା ଶ୍ରୀମତୀଙ୍କ କୁଞ୍ଜରେ ଉପଗତ ଅନୁକୂଳ ନାୟକ ଶ୍ରୀକୃଷ୍ଣ । ଲାଜଭରା ଶ୍ରୀମୁଖ ତୋଳି ସଖୀମାନଙ୍କୁ ଟିକିଏ ଆଡ଼ ଆଖିରେ ଅନାଇଁ ଦୀର୍ଘନିଃଶ୍ୱାସ ପକାଉଛନ୍ତି ଶ୍ରୀମତୀ,- ଦେଖିଲେ ନଟନାଗର । ରସିକରାଜ ଅବସ୍ଥା ଅନୁମାନ କରି ଆନନ୍ଦ-ପୁଲକ ଚିତ୍ତରେ ଅଥଚ ସଭୟ ଚରଣ ଚାଳନାରେ ଶ୍ରୀମତୀଙ୍କ ନିକଟବର୍ତ୍ତୀ ହୋଇ ସମ୍ପୂର୍ଣ୍ଣ ଆତ୍ମସମର୍ପଣ ପୂର୍ବକ କହିଲେ :-

‘‘ପ୍ରିୟେ ଚାରୁଶୀଳେ

ମୁଞ୍ଚମୟି ମାନମନିଦାନମ୍‌ ।’’

 

‘ସ ତ୍ୱେ ବାହଂ’- ମୁଁ ସେହି – ତୁମେ ହିଁ ମୁଁ – ଏହି ଭାବରେ ବିମୁଗ୍‌ଧା ମହାଭାବମୟୀ ଶ୍ରୀରାଧାଙ୍କ ଚରଣତଳେ ମାନଭିକ୍ଷା କରିଛନ୍ତି ରସରାଜ ଗୋବିନ୍ଦ । ଏ ଭିକ୍ଷା ଅନ୍ୟ କିଛି ନୁହେଁ; ଶକ୍ତି ନିକଟରେ ଶକ୍ତିମାନଙ୍କର ଆତ୍ମସମର୍ପଣ ।

ଦିନେ ଶ୍ୟାମ ବିରହ ପାଗଳିନୀ ରାଧା-

‘‘ମୁହୁରବଲୋକିତ ମଣ୍ଡନ ଲୀଳା

ମଧୁରିପୁରହମିତି ଭାବନଶୀଳା !’’

ଏହି ରୀତିରେ ବିଚାରିଥିଲେ- ‘ସ ଏବାହଂ’

ମୁଁ ତୁମେ- ତୁମେ ମୁଁ ।

 

ଏହି ଭାବହେତୁ ସ୍ୱୟଂ ଗୋବିନ୍ଦ ଏବେ ଶ୍ରୀରାଧାଙ୍କର ଶରଣାପନ୍ନ । ମହାକବି ତାଙ୍କର ଆତ୍ମନିବେଦନ ଭାବ ଭାଷାରେ ସ୍ୱର ରସାଣିତ କରିବାକୁ ଯାଇ ‘ଦେଶବରାଡ଼ୀ’ ରାଗର ଉପଯୋଗ କରିଛନ୍ତି । ପୁଣି ଏହି ସ୍ୱର ଲୀଳାୟୀତ ଭାଷା ପ୍ରକାଶ କରିଛନ୍ତି ସରସ ମଧୁର ଅଷ୍ଟତାଳି ବା ଆଠତାଳି ତାଳରେ । ତାଳଟି କେବଳ ଉତ୍କଳ ସଙ୍ଗୀତ ପଦ୍ଧତିରେ ସ୍ୱତନ୍ତ୍ର ବ୍ୟବହୃତ ।

 

ମଧୁର ଶୃଙ୍ଗାର ଏବଂ କରୁଣ ରସ ପରିବେଷଣ ପକ୍ଷେ ପ୍ରୋକ୍ତ ରାଗ ଏବଂ ତାଳ କେହି କାହାରିକୁ ଊଣା ସମର୍ଥ ନୁହନ୍ତି । ମହାକବି ଏ ଦୁହିଁଙ୍କୁ ଭରସା କରି ରସମୟୀ ଶ୍ରୀ ରାଧିକାଙ୍କୁ ରସରାଜଙ୍କର ବିନୀତ ଚାଟୁବାଣୀ ଶୁଣାଇବାକୁ ଯାଇ ଲେଖିଛନ୍ତି-

‘‘ଜ୍ୱଳତିମୟି ଦାରୁଣୋ ମଦନ କଦନାନଳୋ

      ହରତୁ ତଦୁପାହିତ ବକାରମ୍‌’’ ।

 

-ଏତିକିରେ ଶେଷ ହୋଇନାହିଁ । ଭାବମୟୀଙ୍କର ଶ୍ରୀଚରଣ ତଳେ ଅବହେଳାରେ ଲୁଟିଯାଇଛି ଭକ୍ତପ୍ରାଣ ଗୋବିନ୍ଦଙ୍କର-

            ‘‘ଚନ୍ଦ୍ରକଚାରୁ ମୟୁର ଶିଖଣ୍ଡକ ମଣ୍ଡଳ

                              ବଳୟିତ କେଶମ୍‌’’ ।

 

ଭକ୍ତାଧୀନ ମାଧବ ଏହି ରାଗ ତାଳରେ କବିଙ୍କର ପୋଥୀ ଲେଖନୀ ପବିତ୍ର କରି ସ୍ୱୟଂ ଶ୍ରୀକରରେ ଲେଖି ପାଠ କରୁଛନ୍ତି:-

‘‘ସ୍ମର ଗରଳଖଣ୍ଡନଂ                  ମମଶିରଶିମଣ୍ଡନଂ

ଦେହି ପଦପଲ୍ଲବ ମୁଦାରମ୍ ।।’’

 

ଏହି ଉତ୍କଳୀୟ ପରମ୍ପରାର ଅନୁସରଣରେ ଷୋଡ଼ଶ ଶତାଦ୍ଦୀରେ ‘ମଦାଳସା’ କାବ୍ୟ ରଚୟିତା ଭକ୍ତପ୍ରାଣ କବି ନରେନ୍ଦ୍ର ସରସ ସରଳ ଭାଷାରେ ଗାଇଲେ-

‘‘ସ୍ଥଳ ସରସିଜ ପାଦ ସୁନ୍ଦର

ପ୍ରିୟେ ମଣ୍ଡନ କର ମୋର ଶିର

ବୋଲି ରସିକନାଗର ଯତ୍ନରେ

ପାଦ ଧରନ୍ତେ କମଳ କରରେ ।’’

 

ସେତେବେଳେ ‘ରାକାଶଶିଶୋଭନା ଗତଘନା’ ବାସନ୍ତିକ ମଧୁର ଯାମିନୀ । ତଟ ବିପୀନ ବିହାରୀ ରସିକ ଶ୍ୟାମନାଗରଙ୍କର ଏ ଦଶା ଦେଖି ସୁନୀଳ ଯମୁନା ବକ୍ଷ ସମବେଦନାରେ ଥରି ଉଠିଲା । ନିତି ନିତି ଯେଉଁ ମୋହନ ବେଣୁ ସ୍ୱନ ଶୁଣି କଦମ୍ୱ ତରୁବର ନିଜକୁ ପରମ ସୌଭାଗ୍ୟବାନ୍‌ ମଣୁଥିଲା, ସେ ବେଣୁ ଆଜି ଆଉ ଶ୍ୟାମକରରେ ଶୋଭୁ ନାହିଁ; ଧରା ଧୂଳିରେ ଲୋଟି ମାନମୟୀଙ୍କ ଚରଣ ତଳରେ ଶରଣ ଭିକ୍ଷାକରି ଅନ୍ତର ଭାଷାରେ କହୁଛି ।

 

‘‘ଭାବମୟୀ ଆଉ କାହିଁକି ଏ ଗୁରୁମାନ ? କେଉଁଠାରେ ଏ ଅଭିମାନ ?- ଅଭିମାନିନୀ; ସଦୟ ହୁଅ ।

ଚରଣ ତଳେ ପରା

‘‘ଅନୁଗ୍ରହାୟ ଭୂତାନାଂ ମାନୁଷଂ ଦେହ ମାଶ୍ରିତଃ

x x x କୃଷ୍ଣସ୍ତୁ ଭଗବାନ ସ୍ୱୟଂ’’

                  - କ୍ଷମା ଭିକ୍ଷାର୍ଥୀ ?

 

ଆଉ କି ଏ ଗୁରୁମାନ ଶୋଭାପାଏ ଦେବି ?

ଅଶ୍ରୁଶିଶିର ଝରା ଗହଳ ପତ୍ର ପୁଷ୍ପବେଷ୍ଟନୀ ଠେଲି କୁଞ୍ଜ କୁଟୀ ମଧ୍ୟରେ ପ୍ରବେଶ କଲା ଦରଦୀ ବସନ୍ତ ଚନ୍ଦ୍ରମା । ଶତ ଦୀପାବଳୀ ଜାଳି ମାନିନୀ ରାଧିକାଙ୍କ ନିରାଜନାକରି ଥରଥର କଣ୍ଠରେ ସତେ ସେ ନିବେଦନ କଲା-

 

‘‘ଚରଣ ତଳେ ତବ ଶରଣ ମାଗେ

      ବରଜବନ ବନଚାରୀ ରେ,

କେକୀ ଝାଲର ଲୋଟେ ଭୂତଳ

      ମାନ ତେଜ ତୁ ଗୋରୀ ରେ ।’’

 

ସେକାଳରେ କୁଞ୍ଜ ଭବନରେ ଉପସ୍ଥିତା ଲଳିତା, ବିଶାଖା ପ୍ରଭୃତି ସେହି ବ୍ରଜବନିତା ଗଣ-

‘‘ଯା ଦୁସ୍ତଜ୍ୟଂ ସ୍ୱଜନମ୍‌ ଆର୍ଯ୍ୟପଥଂ ଚ ହିତ୍ୱା

ଭେଜୁର୍ମୁକୁନ୍ଦ-ପଦବୀଂ ଶ୍ରୁତିଭିର୍ବିମୃଗ୍ୟାମ୍‌’’

            (ଭାଗବତ-୧୦ମ)

 

-ଯେଉଁମାନେ ଅବଲୀଳା କ୍ରମେ ସୃଜନ ଓ ଆର୍ଯ୍ୟ ପରମ୍ପରାକୁ ଜଳାଞ୍ଜଳି ତୋଳି ଦେଇପାରିଛନ୍ତି, ସକଳ ଶ୍ରୁତି ଯାହାଙ୍କର ଅନ୍ୱେଷଣ କରେ, ଯେଉଁମାନେ ଶ୍ରୀକୃଷ୍ଣ ଚରଣ ସେବା ପରାୟଣା, ଗୀତାବାକ୍ୟରେ ଜଙ୍ଗମ ପ୍ରତିମାରୂପେ ଅଭିହିତା ପ୍ରୀତିଭକ୍ତିର ମାଧୁର୍ଯ୍ୟମୟ ମୂର୍ତ୍ତି, ଭାବ ବିହ୍ୱଳା ସେହି ଗୋପବାଳାମାନେ କ୍ଷମା ଭିଖାରି ବ୍ରଜବନ୍ଧୁଙ୍କ ସହିତ କଣ୍ଠମିଳାଇ କୃତାଞ୍ଜଳୀପୁଟରେ ଚାରୁମାନବତୀ ଶ୍ରୀମତୀଙ୍କୁ ମାନଭଞ୍ଜନ ଲାଗି ବିନୀତ ନିବେଦନ କଲେ ।

 

ରାଧାମାଧବ ମିଳନମନାସିନୀ ମୁଗ୍‌ଧା ବ୍ରଜବନିତାଗଣଙ୍କ ପ୍ରାଣର ରସୋଚ୍ଛ୍ୱଳ ଭାବକୁ ଅଙ୍ଗେ ଅଙ୍ଗେ ଅନୁଭବ କରି ମହାକବି ଜୟଦେବଙ୍କ ଅନୁସରଣରେ ଭକ୍ତକବି ଗୋପାଳକୃଷ୍ଣ ଏହି କାଳରେ ଗୋପୀଭାବାପନ୍ନ ହୋଇ ଗାଇଛନ୍ତି-

‘‘ଏଥରକ ଶ୍ୟାମ ଦୋଷ କର କ୍ଷମା ରେ

ପଦତଳେ ପଡ଼ି      ଯାଉଛନ୍ତି ସଢ଼ି

ତୋଳ ହେଲେ ଶ୍ରୀମୁଖ ଚନ୍ଦ୍ରମାରେ’’ ।

 

ଶ୍ରୀକୃଷ୍ଣଙ୍କର ବହୁ ଅନୁନୟ ପରେ ଗୁରୁମାନବତୀଙ୍କର ମାନଭଞ୍ଜନ ସହିତ ଦଶମ ସର୍ଗ ସମାପ୍ତ କରିଛନ୍ତି ମହାକବି ।

 

ପର ପ୍ରଦୋଷ । ଘେରି ଆସିଛି ଅନ୍ଧକାର । ବେତସ କୁଞ୍ଜରେ ନାଗରବର ଚାହିଁ ବସିଛନ୍ତି ପ୍ରେମମୟୀଙ୍କ ଶୁଭାଗମନକୁ । ବିରହମାନ ଲଘୁହେବା ପରେ ସଖୀମାନେ ରସବତୀଙ୍କର କୁଞ୍ଜ-ବିହାର ସମୁଚିତ ବେଶ ବଢ଼ାଇ କିହିଲେ-‘‘ସୁବଦନୀ ! ପାଶୋରି ଦିଅ ମନରୁ ମାନ । କାମଦେବଙ୍କର ଚାରଣ ରୂପୀ କୋକିଳକୁଳ କି ନିର୍ଦ୍ଦେଶ ଘୋଷଣା କରୁଛନ୍ତି, ଶୁଣ । ବିରାଗ ତ୍ୟାଗ କର । ଆଉ ବିଳମ୍ୱ ନ କରି ଅଭିସାର କର କୁଞ୍ଜ ଭବନକୁ-

‘‘ଚାରୁନିତମ୍ୱ ଗୁରୁ ସ୍ତନଭାରେ ମନ୍ଥରଗାମିନୀ ରାଈ

ଚାଲ ମୁଖର ମଣି ମଞ୍ଜିର ନାଦେ ରାଜହଂସ ତୁ ହରାଇ ।’’

‘‘ସୁଖଠାରୁ ସୁଖ ଆଶାରେ ସୁଖ ଅଧିକ ।’’

 

ଅନୁଭବୀ କବିଙ୍କର ଏ ବାଣୀ ଅକ୍ଷରେ ଅକ୍ଷରେ ସତ୍ୟ ସିନା ! ଆତ୍ମସର୍ବସ୍ୱ-ତ୍ୟାଗିନୀ ଶ୍ରୀମତୀଙ୍କନର୍ମ୍ନସଖୀ ଗୋପାଙ୍ଗନାଗଣ ରାଧା-ମାଧବ ମିଳନ ସଂଦର୍ଶନ ଜନିତ ସୁଖ ଲାଭ ଆଶାରେ ପୁଲକିତା ।

‘‘ଅତ୍ମନୋଽପଧିକଂ ପ୍ରେମ କୁର୍ଦ୍ଧନ ନାନ୍ୟାନ୍ୟମଚ୍ଛଳମ୍‌

ବିଶ୍ରମ୍ଭିଣୀ ବୟୋବେଶାଦିଭିସ୍ତୁଲ୍ୟା ସଖୀମତା ।’’

 

-ଅକପଟରେ ଯେ ନିଜଠାରୁ ଶ୍ରୀମତୀଙ୍କୁ ଅଧିକ ପ୍ରେମ କରନ୍ତି, ଯେ ବିଶ୍ୱାସିନୀ, ଯାହାଙ୍କ ବୟସ ଓ ବେଶାଦି ଶ୍ରୀମତୀଙ୍କ ସହିତ ସମାନ ସେହି ‘ସଖୀ’ମାନଙ୍କର । ମନବନରେ ନବ ବସନ୍ତର ହିଲ୍ଲୋଳ ନାଚିଉଠୁଛି । ମହାକବି ଗୋପୀମାନଙ୍କର ଏହି ଆନନ୍ଦ ବିହ୍ୱଳିତ ମଧୁର କୋମଳ କାନ୍ତ ପଦାବଳୀକୁ ବାସନ୍ତୀକ ରସ ରସାଣିତ କରିଛନ୍ତି, ରାଗ ବସନ୍ତର ସାହଚର୍ଯ୍ୟରେ । ରାଗଟି ଶୃଙ୍ଗାର ରସ-ପୋଷକ । ସଙ୍ଗୀତ ସମୟସାର କର୍ତ୍ତା ପାର୍ଶ୍ୱଦେବ (ଜୈନ) ଏହି ରାଗର ପରିଚୟ ଦେଇ ଲେଖିଲେ :-

‘‘ମାର୍ଗ ହିନ୍ଦୋଳ ରାଗାଂଗ

      ହିନ୍ଦୋଳେ ବେଡ଼ି ସଂଗି (କ୍ଷି) ତଃ ।

ଅଂଶନ୍ୟାସେ ଗ୍ରହେ ଷଡ଼୍‌ଜ

      ସ୍ତସ୍ୟତାରେ ତୁ ମଧ୍ୟମଃ ।। (୧୫)

ଷଡ଼୍‌ଜସ୍ୱରୋ ଭବେନ୍‌ମନ୍ଦ୍ରେ

      ତୋଡ଼ିତୋ ରିଧ ବର୍ଜିତଃ ।

ସମୟୋଃ କମ୍ପିତଶ୍ଚୈବ

      ଶୃଙ୍ଗାରେ ବିନିଯୁଜ୍ୟତେ । (୧୬)

ଅୟମେବ ବସନ୍ତାଖ୍ୟଃ

      ପ୍ରୋକ୍ତୋ ରାଗବିଚକ୍ଷଣୈଃ ।’’

 

ପୁଣି ରାଗମାଳାକାର ପୁଣ୍ଡରିକ କହନ୍ତି:-

ଜାତୋ ହିନ୍ଦୋଳ ମେଳେ ସ୍ୱର ସକଳଯୁତଃ ସତ୍ରିକଶ୍ଚ ପ୍ରଭାତେ

ସ୍ୱରାମେ କ୍ରୀଡ଼ମାନୋ ନବଦଳକୁସୁମାମୋଦଲୁବ୍‌ଧାଳି ବୃନ୍ଦଃ ।

ତାମ୍ୱୁଲାସ୍ୟୋତି ଗୌରୋ ରତିପତି ସଦୃଶୋ ରକ୍ତବସ୍ତ୍ରଶ୍ଚ ସାଦୈ

ଯୋଷିଦ୍ଧିଃ ସର୍ବବାଦ୍ୟାରବରଭସମହଦ୍‌ ଭାସ୍ୟ ଯୁକ୍ତୌ ବସନ୍ତଃ’’ ।

(ଏଥି ପୂର୍ବେ ବସନ୍ତ ରାଗ ସମ୍ୱନ୍ଧେ ଆଲୋଚନା କରାଯାଇଅଛି ।)

 

ଏହାପରେ ବ୍ରଜବାଳାଗଣ ମାନମୃଦୁ ଅଭିସାରିକା ରାସେଶ୍ୱରୀଙ୍କୁ ଘନ ତମାଳଦଳଅନ୍ଧାରିତ ବନପଥରେ ପହୁଣ୍ଡ ମଣାଇଁ କୃଷ୍ଣାଭିସାର କରାଇ ସଂକେତ କୁଞ୍ଜ ନିକଟରେ ପହୁଞ୍ଚାଇ ଦେଇ କହିଲେ-

‘ପ୍ରବିଶ ରାଧେ, ମାଧବ-ସମୀପମିହ

ବିଳସ ରତି-ରଭସ ହସିତ ବଦନେ ।’

 

ସଖୀ ବଚନ ବର୍ଣ୍ଣିତ ଏହି ସଙ୍ଗୀତଟିର ରସ ଓ କାଳ ବିବେଚନାରେ ‘ଦେଶବରାଡ଼ୀ’ ରାଗ ନିର୍ବାଚନ କରିଛନ୍ତି ମହାକବି ।

 

ସଙ୍କେତ କୁଞ୍ଜରେ ପଥ ଚାହିଁ ବସିରହିଛନ୍ତି ଉତ୍କଣ୍ଠମନା-‘‘ରାଧାଧର-ସୁଧାପାନ-ଶାଳିନେ-ବନମାଳିନେ-’’ ରସିକରାଜ ଶ୍ୟାମସୁନ୍ଦର । ତଥାପି ମିଳନ-ସନ୍ଦେହୀ ବିରହ-ବ୍ୟାକୁଳ ମନ ତାଙ୍କର କହୁଛି-

‘‘କ୍ଷମ୍ୟତାମପରଂ କଦାପି ତବେଦୃଶଂ ନ କରୋମି

ଦେହି ସୁନ୍ଦରି ଦର୍ଶନଂ ମମ ମନ୍ମଥେନ ଦୁନୋମି ।’’

 

ଛଳ ନୟନ ଯୁଗଳ ଦେଖୁଛି:-

ପ୍ରାସାଦେ ସା ପଥି ପଥି ଚ ସା ପୂର୍ବତଃ ସା ପୁରଃ ସା

ପର୍ଯ୍ୟକେଂ ସା ଦିଶି ଦିଶି ଚ ସା ତଦ୍‌ବିୟୋଗାତୁରସ୍ୟ ।

ହଂଚେତଃ ପ୍ରକୃତିରପରା ନାସ୍ତିତେ କାଽପି ସା ସା

ସା ସା ସା ସା ଜଗତି ସକଳେ କୋଽୟମଦ୍ୱୈତବାଦଃ’’ ।

 

ଅର୍ଥାତ୍‌ ପ୍ରାସାଦରେ ରାଧା, ପଥେ ପଥେ ରାଧା, ସମ୍ମୁଖରେ ରାଧା, ପଶ୍ଚାଦ୍ଦେଶରେ ରାଧା, ପଲଙ୍କରେ ରାଧା, ଚତୁର୍ଦ୍ଦିଗରେ ସେହି ରସମୟୀ ରାଧା ରୂପ ଦେଖୁଛନ୍ତି ଗୋବିନ୍ଦ । ବିଚାରୁଛନ୍ତି- ‘‘ରେ ଚିତ୍ତ ! ତୋ’ର କଅଣ ଆଉ କିଛି ‘ପ୍ରକୃତି’ ନାହିଁ ? ସାରା ଜଗତରେ ସର୍ବତ୍ର କେବଳ ସେହି ରାଧା-ରାଧା-ରାଧା, ଦେଖୁଅଛୁ ? ରାଧା ବିନା କଅଣ ଦ୍ୱିତୀୟ କେହି ନାହିଁ ?

 

ଠିକ୍‌ ଏହି କାଳରେ ଶୁଭୁଛି ସଲାଜ ଚରଣ ଚାଳନର କମନୂପୁର ନିକୂଣ । ଗୋବିନ୍ଦ ବର୍ତ୍ତମାନ ସାନନ୍ଦ ।

ତା’ ପରେ-

‘‘ସା ଦଦର୍ଶ ଗୁରୁହର୍ଷ-ବଶଂବଦ ବଦନମନଙ୍ଗ-ବିକାଶମ୍‌’’

 

ଏ ମିଳନ ମାଧୁରୀକୁ ଭାଷା, ଛନ୍ଦ, ସ୍ୱର ଓ ତାଳନିବଦ୍ଧ କରି ରସମୂର୍ତ୍ତି ଭାବରେ ସଙ୍ଗୀତ ରଚନା କରିଛନ୍ତି ଭକ୍ତ ଜୟଦେବ ‘ବରାଡ଼ୀ’ ରାଗରେ ।

 

ବରାଡ଼ୀ ଉତ୍କଳ ସଙ୍ଗୀତ ପଦ୍ଧତି-ପ୍ରଚଳିତ ମେଳମାନଙ୍କ ମଧ୍ୟରୁ ଅନ୍ୟତମ । ରାଗର ସ୍ୱର ବିଚାରରେ ଏହାର ଗାୟନ କାଳ-ରାତ୍ରି ଏବଂ ରସ-ଶୃଙ୍ଗାର । ଏଣୁ ରାଗ ମନୋନୟନ ଯଥାର୍ଥ ଅଟେ । ଏଥି ପୂର୍ବେ ଏହି ରାଗ ସମ୍ୱନ୍ଧେ ଆଲୋଚନା କରାଯାଇଅଛି ।

 

ମହାକବି ଏହି ରାଗ ଉପଯୋଗରେ ମିଳନମହୋତ୍ସବ ବର୍ଣ୍ଣନା ସହ ଶ୍ରୀଗୀତଗୋବିନ୍ଦର ଏକାଦଶ ସର୍ଗ ସମାପ୍ତ କରୁଛନ୍ତି ।

 

ସଖୀ ବଚନ ଶୁଣି ସରମ ଚରଣ ଚାଳି କୁଞ୍ଜପ୍ରବେଶ କଲେ ଶ୍ରୀମତୀ । ଅଧର କୋଣରେ ସନ୍ତୋଷ ସୂଚିତ ଦର ହାସରେଖା ଲେଖାଇ ବ୍ରଜନାଗରୀ ସଖୀଗଣ ଅପସରି ଯାଇଛନ୍ତି ନିକୁଞ୍ଜ ନିଳୟ ଦ୍ୱାରରୁ । ଚତୁର୍ଥ ପ୍ରହର ରାତ୍ରି । - ‘‘ନାରାୟଣ (ନାରୀମାନଙ୍କର ଆଶ୍ରୟ) ହେଲେ ମଧ୍ୟ ମୁଁ ଏକାନ୍ତ ତମରି ଅନୁଗତ । ଭାବମୟୀ ରାଧେ ! –

 

‘‘ନବଦଳ ଶେଜପରେ ରଖ ସୁନ୍ଦରି !

      ଚରଣକମଳ ତବ ଆଜି ।

ପାଉ ପରାଭବ ହେରି ପଦବରନ,

      ଯାଉ ମନ ଗରବ ଭାଜି ।।’’-

 

-ବିନୀତ ନିବେଦନ ଜଣାଇଲେ ଅନକୂଳ ନାୟକ ରସିକ ନଟବର । ମନମୋହନଙ୍କ ଏହି ମନ କଥାକୁ ମହାକବି କଳ୍ପନାର ଭାଷାରେ ରୂପଦାନ କରିଛନ୍ତି । ସ୍ୱର, ଛନ୍ଦ, ଅଳଙ୍କାର ମଣ୍ଡିତ ହୋଇ ଉକୁଟି ଉଠିଛି ଏହି ଭାବ-ସଙ୍ଗୀତଟି ‘ବିଭାସ’ ରାଗର ରସ ମୂର୍ଚ୍ଛନାରେ ।

 

ରାଗଟିର ଭାବରୂପ ସମ୍ବନ୍ଧେ ସଙ୍ଗୀତଶାସ୍ତ୍ରକାରମାନେ କହିଛନ୍ତି:-

‘‘ସ୍ୱଚ୍ଛନ୍ଦ ସମ୍ମାନିତ ପୁଷ୍ପରାଗଃ (ଚାପଃ)

ପ୍ରିୟାଧରସ୍ୱାଦ ସୁଧାଭିତୃପ୍ତଃ

ପର୍ଯ୍ୟଙ୍କ ମଧ୍ୟାସ୍ୟ କୃତୋପବେଶୋ

ବିଭାସ ରାଗଃ କିଳା ହେମ ଗୌରଃ ।।’’

 

ଆହୁରି ମଧ୍ୟ ଏହି ରାଗର ଭାବରୂପ ବର୍ଣ୍ଣନା କରି ‘ରାଗମାଳା’ ଗ୍ରନ୍ଥକାର କହନ୍ତି-

‘‘ଗୌରାଙ୍ଗଃ ପଙ୍କଜାକ୍ଷ୍ୟଃ ସୁଶବର ବସନୋ

      ଭାଲ କାଶ୍ମୀର ବିନ୍ଦ୍‌

ମତ୍ରୀସଗ୍‌ଭୁଷ୍ୟକଣ୍ଠଶ୍ଚତୁରବରଗିରଂ

      କୀରମଧ୍ୟାପୟନ୍ୟଃ ।

ମେଳେ ତାତସ୍ୟ ଜାତସ୍ତ୍ୱଧିକ ପ୍ରଥମଭଃ

      ସତ୍ରିକୋଽପଃ ଶଠୋଽସୌ

ସ୍ୱେଚ୍ଛାଗାମୀ ପ୍ରଭାତେ ବଦତି ଚ ଦଇତାଂ

      ଶ୍ରୀ ବିଭାସାଖ୍ୟ ରାଗଃ ।।’’

 

ରାଗ-ରୂପ ବର୍ଣ୍ଣନା କବିଙ୍କ ରଚିତ ଗୀତଭାବର ଏକାନ୍ତ ଅନୁକୂଳ । ଓଡ଼ିଶୀ ପଦ୍ଧତିର ଗୌରୀ ମେଳରୁ ଏହି ରାଗଟି ସଂଜାତ । ଏହାର ରୁଷଭ ଓ ଧୈବତ ସ୍ୱର ଦୁଇଟି କୋମଳ ।

ଆରୋହୀରେ ଏହା ଓଡ଼ବ ହେତୁ ମଧ୍ୟମ ଓ ନିଷାଦ ସ୍ୱର ଦୁଇଟି ବର୍ଜିତ । ଅବରୋହ କାଳରେ ରାଗଟି ସମ୍ପୂର୍ଣ୍ଣ ।

ବାଦୀସ୍ୱର-ଗାନ୍ଧାର

ସମ୍ୱାଦୀ ସ୍ୱର- ପଞ୍ଚମ

 

କାହାରି କାହାରି ମତରେ-

ବାଦୀ-ପଞ୍ଚମ

ସମ୍ୱାଦୀ-ଗାନ୍ଧାର

ରସ-ଶାନ୍ତ, ଶୃଙ୍ଗାର

ସମୟ-ଚତୁର୍ଥ ପ୍ରହର ରାତ୍ରି ।

ମତାନ୍ତରେ, ଉଷା ବା ଅରୁଣୋଦୟ କାଳ ।

ଆରୋହ- ସା ରୀ ଗା ମା ଦ୍ଧା ର୍ସା

ଅବରୋହ- ର୍ସା ନି ଦ୍ଧା ପା ମା ଗା ରୀ ସା ।

 

କେହି କେହି ଏହି ରାଗରେ ତୀବ୍ର ମଧ୍ୟମର ବ୍ୟବହାର ସିଦ୍ଧ ବୋଲି ମତ ଦିଅନ୍ତି । ଏ ରୀତିରେ ଅହରୋହ କାଳରେ ଶୁଦ୍ଧ ମଧ୍ୟମ ସ୍ଥଳରେ ତୀବ୍ର ମଧ୍ୟମ ଲାଗେ ଏବଂ ରାଗଟିକୁ ଏ ରୂପରେ ବରାଡ଼ୀ ମେଳର ବୋଲି ଧରିବାକୁ ହୁଏ ।

 

ହୃଦୟ ପ୍ରକାଶ ମତେ-(୯୯ ଶ୍ଳୋକ)

‘‘ଔଡ଼୍‌ବୋ ମନିହୀନତ୍ୱାତ୍‌ ବିଭାସୋ ଗାଦିରିଷ୍ୟତେ ।

      ଗ ପ ଧ ସ – ଧ ପ ମ ରି ଗ ରି ସ ।।’’

ହୃତୟ କୌତୁକ ମତେ – (୧୮ ଶ୍ଳୋକ)

ପ ଧୌ ନି ସୌ ନି ଧ ପ ମାଃ ଗ ରି ସାଃ କଥିତାଃ ସ୍ୱରାଃ

ଭାସମାନୋ ବିଭାସୌଽସୌ ସମ୍ପୂର୍ଣ୍ଣୋ ଭୁବି ଭାସତେ ।।

ପ ଧ ନି ସ – ନି ଧ ପ ମ ଗ ରି ସ ।

 

ବିଭାସ ରାଗ ଉପଯୋଗରେ ନିକୁଞ୍ଜ ମିଳନ-ମାଧୁରୀ ବର୍ଣ୍ଣନା ଶେଷ କରି କବି କହିଛନ୍ତି-

‘ମଧୁରିପୁଙ୍କର ପ୍ରମୋଦଦାୟୀ ଏହି ସଙ୍ଗୀତ ରସିକଜନ ଚିତ୍ତକୁ ଗୋବିନ୍ଦ ରତିରସ ଆସ୍ୱାଦନ ଜନିତ ଆନନ୍ଦରେ ଆମୋଦିତ କରୁ ।

 

ଏହାପରେ ଦ୍ୱାଦଶ ବା ଅନ୍ତିମ ସର୍ଗର ଶେଷ ସଙ୍ଗୀତରେ ବର୍ଣ୍ଣିତ ହୋଇଅଛି, କୁଞ୍ଜ ଭଙ୍ଗର ଚାରୁଚିତ୍ର-ମାଧୁର୍ଯ୍ୟାବଳୀ । କୁଞ୍ଜ ଭଙ୍ଗର କାଳ ପ୍ରଭାତ । ମିଳନାନ୍ତରେ ରତି ରସ ଅବସନ୍ନା ବିକଳବେଶବସନା ରସବତୀ ଶ୍ରୀମତୀ ରସିକ ଶେଖରଙ୍କୁ ଅନୁନୟକରି କହିଛନ୍ତି ତାଙ୍କର ବେଶ ରଚନା କରିଦେବା ଲାଗି । ମହାକବି ଶ୍ରୀମତୀଙ୍କର ମନ ଭାଷାକୁ ସଯତ୍ନ ସଜଡ଼ା କରି ‘ରାମକିରୀ’ ରାଗରସରେ ଗାଇଛନ୍ତି ଶ୍ରୀଗୀତଗୋବିନ୍ଦ ଗୀତିକାବ୍ୟର ଉପାନ୍ତ ସଙ୍ଗୀତଟି ।

‘‘କୁରୁ ଯଦୁନନ୍ଦନ ଚନ୍ଦନଶିଶିରତରେଣ

      କରେଣ ପୟୋଧରେ

ମୃଗମଦପତ୍ରକମତ୍ର ମନୋଭବ ମଙ୍ଗଳ

      କଳସ ସହୋଦରେ ।’’

 

ଆମର ଅମର କବି ପଣ୍ଡିତ ସଙ୍ଗୀତଜ୍ଞ କବିସୂର୍ଯ୍ୟେ କିଶୋର ଚନ୍ଦ୍ରାନନ ଚମ୍ପୂରେ ଏହି ପରିସ୍ଥିତି ବର୍ଣ୍ଣନାବେଳେ ଜୟଦେବୀ କାବ୍ୟ ଅନୁକୃତିରେ ଗାଇଛନ୍ତି :-

 

ଲୀଳାନିଧି ହେ !

ଲାଜେ ମୁଁ ଗଲିଟି ସଢ଼ି ।

ଲୁଚାଇଛ କାହିଁ ଶ୍ୟାମ ହେ,

ଦିଅ ମୋ ଲାଗି-ଶାଢ଼ୀ ।। ୦ ।।

ଲଭିଥିବ ଭୂରୁ ମଧ୍ୟ ତିଳକ

ଲେଖିଦିଅ ଦାଣ୍ଡେ ନ ଦେଖୁ ଲୋକ । .......ଇତ୍ୟାଦି ।।

 

ଆତ୍ମ ସମର୍ପଣ କରିଥିଲେ ଯେଉଁ ନାରାୟଣ, ତାଙ୍କରି ଚରଣରେ ଆତ୍ମ ନିବେଦିତା ଅଭିମାନିନୀ ରାଧିକା କବିରବିଙ୍କ ଭାଷାରେ କହିଛନ୍ତି –

ଲସିବି ଯେବେ ପାଇ ନିନ୍ଦା ଦାଉ

ଲାଗିଲି ଆପଣଙ୍କୁ କେହି ଆଉ ?

ଭକ୍ତ-ଭଗବାନ, ଶକ୍ତି-ଶକ୍ତିମାନ ଦୁଇ ଏବଂ ଏକ, ଏକ ଏବଂ ଦୁଇ-‘ସଏବାହ’ ।-

 

ଏହି ପରମ ବାସୁଦେବତତ୍ତ୍ୱର ଚରମ ରସ-ତାମରସ ବିକଶି ଉଠିଛି ରାମକିରୀ ରାଗର ପ୍ରଭୂତ ସ୍ୱର ସମ୍ୱିଧାନ ମାଧୁର୍ଯ୍ୟରେ ।

 

ସ୍ୱରର ଆବଶ୍ୟକତା ରସ ସିଦ୍ଧି ଲାଗି । ରାଗର ସୃଷ୍ଟି ସ୍ୱର ସମାବେଶ ଘେନି । ସଙ୍ଗୀତ ଅଙ୍ଗରେ ରାଗ ଆତ୍ମପ୍ରକାଶ କରେ । ତେଣୁ ସଙ୍ଗୀତର ଉଦ୍ଦେଶ୍ୟ ରସିକ ଚିତ୍ତରେ ରସ ସଂଚାରଣ । ବିଷୟ ବର୍ଣ୍ଣନରେ ତତ୍‌ଭାବ ଭାବିତ ରସ ବିକାଶଲାଗି ବିଶେଷ ବିଶେଷ ରାଗ ମନୋନୟନ କରି ପାରନ୍ତି କେବଳ କୁଶଳ-ସଙ୍ଗୀତଜ୍ଞ । ସଂଗୀତଜ୍ଞ ଗାୟକ ନ ହୋଇ ସଙ୍ଗୀତ (ବାଣୀ) ରଚନାର ପ୍ରୟାସୀ ହେଲେ, ଅନେକ ସମୟରେ ଗାୟନ (ସଂଗୀତ) ଉପଯୋଗୀ ଶଦ୍ଦ ଯୋଜନାରେ ଅସଂଗତି ଘଟିଥାଏ ।

 

ଗୀତିକାବ୍ୟ ଶ୍ରୀଗୀତଗୋବିନ୍ଦରସ-ରାଗ-ଭାଷା-କାହିଁରେ ହେଲେ ଆଦୌ ହୀନ ନୁହେଁ । ଏଥିରୁ ସହଜରେ ଦୃଢ଼ଧାରଣା ଜନ୍ମେ ଯେ ଜୟଦେବ ରାଧାମାଧବଙ୍କ ଆଶୀର୍ବାଦ ଘେନି ରସିକ-ସଙ୍ଗୀତଜ୍ଞ-ମହାକବି ।

 

ଆଦିମ ସଂସ୍କୃତ ଛନ୍ଦ ବୃତ୍ତରେ ରସ ସୃଷ୍ଟି ଅଭିପ୍ରାୟ ଘେନି ସ୍ୱରତାଳର ଯାଦୁକରୀ ସଂଯୋଗ ଘଟିଛି ଶ୍ରୀଗୀତଗୋବିନ୍ଦରେ । ସଂସ୍କୃତ କାବ୍ୟରେ ଏହି ଅଭିନବ କୃତତ୍ୱର ପ୍ରବର୍ତ୍ତକ ରୂପେ ଜୟଦେବ ପ୍ରଥମ ଏବଂ ଶେଷ ସଫଳ ସାଧକ ।

 

ଶ୍ରୀଗୀତଗୋବିନ୍ଦର ସଙ୍ଗୀତଗୁଡ଼ିକ ଯମକ ଏବଂ ଅନୁପ୍ରାସ ଘେନି ରସ ମୁଖର । ଏହାର ଏକମାତ୍ର ଦର୍ପଣ ଛାୟା ଦେଖିବାକୁ ମିଳେ ଓଡ଼ିଶାର ଛାନ୍ଦକାରମାନଙ୍କ ସରସ ରଚନାରେ । ଅନୁଧ୍ୟାନ କଲେ ଅକ୍ଳେଶରେ ଅବଧାନକୁ ଆସିବ ଯେ ଯମକ ଅନୁପ୍ରାସ ଇତ୍ୟାଦି ଗୁମ୍ଫନ ସତେ ଯେପରି ଓଡ଼ିଆ କବିର ସହଜ ଶୀଳ୍ପ-ସଂବେଦନା । ଶ୍ରୀଗୀତଗୋବିନ୍ଦର ଗୀତଗୁଡ଼ିକରେ ରସାନୁସାରୀ ରାଗତାଳ ମଧ୍ୟ ନିର୍ଦ୍ଦେଶ କରି ଦେଇଅଛନ୍ତି ସ୍ୱୟଂ ମହାକବି । ପ୍ରକାଶିତ ବିଶିଷ୍ଟ ପୁସ୍ତକ ଏବଂ ଅପ୍ରକାଶିତ ତାଳପତ୍ର ପୋଥିମାନଙ୍କରେ ଏହି ରାଗ ତାଳ ନାମୋଲ୍ଲେଖର ବିଶେଷ ପାର୍ଥକ୍ୟ ପ୍ରାୟ ଦୃଷ୍ଟ ହୁଏ ନାହିଁ ।

 

ଭାଷା, ଭାବ, ସ୍ୱର, ରସ, ଯମକ, ଅନୁପ୍ରାସ ଏବଂ ସର୍ବୋପରି ରାଧାଗୋବିନ୍ଦ କେଳି ବର୍ଣ୍ଣାନାତ୍ମକୀ ସରସ ସରଳ ସୁଲଳିତ-ରାଗ-ସଂଗୀତ ସମାବେଶ ହେତୁ ମୂର୍ଖ ପଣ୍ଡିତ ନିର୍ବିଶେଷରେ ଶ୍ରୀଗୀତଗୋବିନ୍ଦ ସର୍ବତ୍ର ସତତ ସମାଦୃତ । ଏହି ଲୋଭରେ କବିଙ୍କୁ ସ୍ୱଦେଶୀୟ ବା ସ୍ୱସ୍ଥାନୀୟ ବୋଲି ପ୍ରଦେଶ ବିଶେଷରେ ଅଯଥା ଅପପ୍ରଚାରର ଏକ ବିଚିତ୍ର ଅଜୀର୍ଣ୍ଣତା-ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ଘଟିଅଛି ।

 

ପୂର୍ବେ କୁହାଯାଇଅଛି ଯେ, ଯଥାବିହିତ ରସ ସୃଷ୍ଟି ଲାଗି କବି ତାଙ୍କ ରଚିତ ସଙ୍ଗୀତରେ ରାଗ ତାଳ ନିର୍ଦ୍ଦେଶ କରିଯାଇଅଛନ୍ତି । କେତେକ ସ୍ଥଳରେ ଇଚ୍ଛାନୁରୂପ ରାଗ ତାଳର ନମୋଲ୍ଲେଖ ଅଧୁନା ପ୍ରକାଶିତ କେତେକ ପୁସ୍ତକରେ ଦେଖିବାକୁ ମିଳେ । ଏଥିରେ ଆପତ୍ତି ଉଠନ୍ତା ନାହିଁ, ଯଦି ଏବଂ ବିଧ ଅଭିନବ ରାଗତାଳ ନିର୍ବାଚନା ଶ୍ରୀଗୀତଗୋବିନ୍ଦର ସେହି ସଂଗୀତମାନଙ୍କ ରସ ସିଦ୍ଧି ପକ୍ଷେ ଯଥାର୍ଥରେ ଉପଯୁକ୍ତ ବିବେଚିତ ହୁଅନ୍ତା । ଏ ସମ୍ୱନ୍ଧରେ ଗୀତ ଗୋବିନ୍ଦର ସ୍ୱରଲିପି ସଂବଳିତ କେତୋଟି ପ୍ରକାଶିତ ପୁସ୍ତକ (ଓଡ଼ିଆା ଭାଷାରେ ନୁହେଁ) ପ୍ରଣୀଧାନ ଯୋଗ୍ୟ ।

 

ପ୍ରତ୍ୟେକ ଶ୍ରୁତିର ରସ ସୃଷ୍ଟିରେ ପାର୍ଥକ୍ୟ ଅଛି । ତେଣୁ ରାଗର କୌଣସି ସ୍ୱର ଅଯଥା ଘନ କମ୍ପିତଭାବେ ଉଚ୍ଚାରିତ ହେଲେ ସେହି ସ୍ୱରର ରସ-ରକ୍ଷା ସମ୍ଭବ ହୁଏ ନାହିଁ । ଶ୍ରୀଗୀତଗୋବିନ୍ଦର ଗୀତ-ନିର୍ଦ୍ଦେଶିତ ରାଗର ସ୍ୱରମାନଙ୍କର ଏ ପ୍ରକାର କମ୍ପନ ପ୍ରକାଶ କବିଙ୍କ ଇପ୍‌ସିତ ଭାବର ଅନୁକୂଳ ନୁହେଁ କିମ୍ୱା ନିଜର ଗାୟନ ସୁବିଧା ଲାଗି କବିଙ୍କ ମୂଳ ରଚନାରେ ମନ ଇଚ୍ଛା କୌଣସି ଶଦ୍ଦର ସଂଯୋଗ ଅଥବା ବିଯୋଗ ଆଦୌ ଗୌରବାବହ ନୁହେଁ । କେତେକ କର୍ଣ୍ଣାଟକ ପଦ୍ଧତିର ଗାୟକଙ୍କ ନିକଟରେ ପ୍ରୋକ୍ତ ଉଭୟବିଧ ବ୍ୟବସ୍ଥାର ଦୃଷ୍ଟାନ୍ତ ମିଳେ ।

 

ପୁଣି ନିର୍ଦ୍ଦିଷ୍ଟ ରାଗତାଳର ଉପଯୋଗ ନ କରି ବଙ୍ଗରେ ସାଧାରଣତଃ ଶ୍ରୀଗୀତଗୋବିନ୍ଦର ଗୀତଗୁଡ଼ିକ କୀର୍ତ୍ତନାଙ୍ଗରେ ଗୀତ ହେଉଥିବାର ଶୁଣାଯାଏ । ଏତଦ୍ୱାରା କବିଙ୍କ ସଙ୍ଗୀତ ରସଦୋଷର କଳୁଷିତ ହେବା ସଙ୍ଗେ ସଙ୍ଗେ କବିଙ୍କୁ ଯଥା ସମ୍ମାନିତ କରାଯାଉଅଛି ବୋଲି କହିହେବ ନାହିଁ ।

 

ଶ୍ରୀଗୀତଗୋବିନ୍ଦର ଭାଷା ସଂସ୍କୃତ । ଏହାର ଛନ୍ଦରେ ପ୍ରବର୍ତ୍ତିତ ଅକ୍ଷର ଗୁଡ଼ିକ ଗୁରୁଲଘୁ ମାତ୍ରା ଘେନି ରଚିତ । ଗାୟନ କାଳରେ ପ୍ରାକୃତ ଶଦ୍ଦ ଭଳି ଉଚ୍ଚାରଣ ଦ୍ୱାରା ସ୍ୱର, ଅର୍ଥ ଓ ରସବୋଧରେ ବିକୃତି ଘଟିବା ସ୍ୱଭାବିକ । କୀର୍ତ୍ତନ ରୀତି, ଅଯଥା ସ୍ୱର କମ୍ପନ ପ୍ରଥା, ଛନ୍ଦ ଅନୁସରଣ ନ କରି ପଦାକ୍ଷର ବିଭାଗୀକରଣ ଏବଂ ଯଥାଇଚ୍ଛା ରାଗ ତାଳରେ ଗାୟନ ଗୀତି, ରଚନା ତଥା ରଚୟୀତାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶକ ବୋଲି କୁହାଯାଇପାରେ ।

 

ଗୀତଗୋବିନ୍ଦ ସଂଗୀତ-ପ୍ରାଣ କାବ୍ୟ, ତେଣୁ କବି ନିର୍ଦ୍ଦିଷ୍ଟ ରସ-ରାଗ ପ୍ରତି ସର୍ବଥା ବିଜ୍ଞ-ଦୃଷ୍ଟିପାତ ଅତୀବ ସ୍ପୃହଣୀୟ ।

 

ଉତ୍କଳୀୟ (ଉଡ୍ର-ପ୍ରବୃତ୍ତି) ପରମ୍ପରା ଗାୟନ ଶୈଳୀରେ ଶ୍ରୀଗୀତ-ଗୋବିନ୍ଦର ସଂଗୀତ ପରିବେଶଣ ଯେ କେତେଦୂର କବିଙ୍କର ଅଭିପ୍ରେତ ରସାନୁକୂଳକ ତାହା ରସିକ-ଭାବୁକ-ଗ୍ରାହକ ଶ୍ରୋତାମାତ୍ରେ ସହଜରେ ହୃଦୟଙ୍ଗମ କରି ପାରିବେ ।

 

ତାଳ-ସଂପାଦନା

 

ସମଗ୍ର ଶ୍ରୀଗୀତଗୋବିନ୍ଦରେ ଚବିଶ ଗୋଟି ଗୀତ ଲାଗି ନିମ୍ନଲିଖିତ ପାଞ୍ଚଗୋଟି ତାଳ ବ୍ୟବହୃତ ହୋଇଅଛି । ଯଥା:- (୧) ଯତି, (୨) ରୂପକ, (୩) ନିଃସାରୀ, (୪) ଏକତାଳି, (୫) ଅଷ୍ଟତାଳ ।

 

ଏଥିମଧ୍ୟରୁ ଯତି, ନିଃସାରୀ ଏବଂ ଅଷ୍ଟତାଳି ସମ୍ୱନ୍ଧେ ଯତ୍‌କିଞ୍ଚିତ ଆଲୋଚନା ଆବଶ୍ୟକ ମନେହୁଏ । କାରଣ ଏହି ତାଳଗୁଡ଼ିକ କେବଳ ଉତ୍କଳ ପରମ୍ପରାର ବ୍ୟବହାର ପ୍ରତୀକ । ମହାକବି ଜୟଦେବଙ୍କ ସମୟ ଦ୍ୱାଦଶ ଶତାଦ୍ଦୀର ପ୍ରଥମ ଦଶକ ବୋଲି ଧରାଯାଇଅଛି । ସେ ସମୟକୁ ଯେଉଁ ରାଗ ଏବଂ ତାଳ ତାଙ୍କର ଜନ୍ମଭୂମିରେ ପ୍ରଚଳିତ ଥିଲା, କବି ତାହାର ଉପଯୋଗ କରିଥିବା ସ୍ୱଭାବିକ ।

 

ସଙ୍ଗୀତ ରତ୍ନାକର ପ୍ରଣେତା ସଙ୍ଗୀତସୂରୀ ସାର୍ଙ୍ଗଦେବଙ୍କ ସମୟ ଦଶମ ଏକାଦଶ ଶତାଦ୍ଦୀ ବୋଲି ଐତିହାସିକମାନଙ୍କର ମତ । ଏହା ଭାରତୀୟ ସଙ୍ଗୀତର ବିଶିଷ୍ଟ ପ୍ରାମାଣିକ ଗ୍ରନ୍ଥରୂପେ ସମ୍ମାନିତ । ଗ୍ରନ୍ଥଟି ମହାମୁନି ଭରତ ପ୍ରଣୀତ ନାଟ୍ୟଶାସ୍ତ୍ର ଭିତ୍ତିରେ ପ୍ରତିଷ୍ଠିତ । ପ୍ରୋକ୍ତ ଗ୍ରନ୍ଥରେ ସ୍ୱତନ୍ତ୍ର ‘ଯତି’ ନାମକ ତାଳର ସ୍ପଷ୍ଟ ଉଲ୍ଲେଖ ନ ଥିଲେହେଁ ପ୍ରଥମ ଖଣ୍ଡ ତାଳାଧ୍ୟାୟରେ ‘ବର୍ଣ୍ଣଯତି’ ନାମକ ଗୋଟିଏ ତାଳର ନାମୋଲ୍ଲେଖ ଅଛି । ଯଥା :-

‘‘ଲୌ ଦୌ ବର୍ଣ୍ଣଯତିର୍ଭବେତ୍‌’’

                                    [ ୩୦୦ ଶ୍ଳୋକ ]

 

ସାଙ୍କେତିକ ଚିହ୍ନ ଅନୁସାରେ ‘୧୧୦୦’ ବର୍ଣ୍ଣ ଯତି ଅର୍ଥାତ୍‌ ଲଘୁ ମାତ୍ରା ଦୁଇଗୋଟି (୪+୪) ଏବଂ ଦ୍ରୁତ ମାତ୍ରା ଦୁଇଗୋଟି (୨+୨) । ଏହିରୂପେ ୪+୪+୨+୨ ବିଭାଗ ଘେନି ତାଳଟିର ମାତ୍ରା ସଂଖ୍ୟା ୧୨ ।

 

ଏକାନ୍ତ ଉତ୍କଳୀୟ ସଙ୍ଗୀତ ଗ୍ରନ୍ଥ ଯଥା-ଗୀତ ପ୍ରକାଶ, ସଂକଳ୍ପଲତା, ସଂ.ନାରାୟଣ, ସଂ.ସରଣୀ, ନାଟ୍ୟ ମନୋରମା, ସଂ. କୌମୁଦୀ ପ୍ରଭୃତି ଗ୍ରନ୍ଥରେ ଯତି ତାଳର ବର୍ଣ୍ଣନା ରହିଅଛି । ଅନ୍ୟାନ୍ୟ ସଙ୍ଗୀତ ଗ୍ରନ୍ଥ କିମ୍ୱା ଭାରତରେ ଆଧୁନିକ ପ୍ରଚଳିତ ହିନ୍ଦୁସ୍ଥାନୀ ବା କର୍ଣ୍ଣାଟକୀ ସଙ୍ଗୀତ ପଦ୍ଧତିରେ ଏହାର ନାମୋଲ୍ଲେଖ ନାହିଁ ।

 

ଅବଧି ସଂଗୃହୀତ ଉତ୍କଳୀୟ ସଙ୍ଗୀତ ଶାସ୍ତ୍ରମାନଙ୍କ ମଧ୍ୟରେ ଗୀତ ପ୍ରକାଶ ହିଁ ସର୍ବମାନ୍ୟ ସଙ୍ଗୀତ ନିର୍ଦ୍ଦେଶକ ରୂପେ ଗୃହୀତ । ତତ୍‌ପରବର୍ତ୍ତୀ ସମସ୍ତ ଗ୍ରନ୍ଥକାର ଗୀତ ପ୍ରକାଶର ନିର୍ଦ୍ଦେଶ ପ୍ରତିଧ୍ୱନି ମୁଖର । ନିମ୍ନରେ ଯତିତାଳ ସମ୍ୱନ୍ଧେ ଗୀତ ପ୍ରକାଶର ଉଲ୍ଲେଖ ଉଦ୍ଧୃତ କରାଯାଉଅଛି । ଗୀତ ପ୍ରକାଶର କାଳ ୧୫୪୫ ଖ୍ରୀଷ୍ଟାଦ୍ଦ ବୋଲି ସ୍ଥିରୀକୃତ ।

‘‘ଲଘୁଦ୍ୱନ୍ଦା ଦ୍ରୁତଦ୍ୱନ୍ଦଂ ଯତିଃ । ସା ତ୍ରି ଫୁଟାନ୍ତରା ଶୁଦ୍ଧାଚ ଦ୍ୱିବିଧା ।

ତ୍ରିପୁଟସ୍ତାଳ ବିଶେଷୋଽତ୍ତର ପଦ ମଧ୍ୟେ ଯସ୍ୟା ସ୍ୟାତ୍ତଥା ।।’’

ତତ୍ର ତ୍ରିପୁଟାନ୍ତରା ଯତିର୍ଯଥା:-

 

ମହ୍ଲାର ରାଗେଣ:-

 

‘‘ମୁଞ୍ଚମାନିନି ମାନ ତିମିରଂ ମୁଖ ସୁଧାକରମୁଜ୍ଜ୍ୱଳଂ

କୁରୁ କୃଶୋଦରି ବିରହ ଦହନୋ ଦହତୁ ନ ହି ମମ ମାନସଂ ।

ଅତ୍ର ଚତୁର୍ଦ୍ଦଶ ମାତ୍ରୋଽବାନ୍ତର ଖଣ୍ଡଃ ।। ଦ୍ୱାଦଶ ମାତ୍ରଃ ପ୍ରାନ୍ତାବାନ୍ତର

ଖଣ୍ଡଃ । ସପ୍ତମ ମାତ୍ରାୟାଂ ଭଙ୍ଗି ।।

(ଭଙ୍ଗୀ-ଗୀତେ ଭଙ୍ଗୀ ବିଶେଷଜ୍ଞୈରୀଷଦ୍‌ ବିଶ୍ରାନ୍ତିରୁଚ୍ୟତେ)

                              (ସଂ: ନା:)

 

ଗୀତ ପ୍ରକାଶର ପରବର୍ତ୍ତି ରଚିତ ସଙ୍ଗୀତ କଳ୍ପଲତା (୧୬୨୦) ଗ୍ରନ୍ଥକାର ଲେଖିଛନ୍ତି-

‘‘ଯତି ଲୌଦ୍ରୂର୍ଦ୍ୱୟଂ ଚୈବ ସା ଭବେତ୍‌ ତ୍ରିପୁଟାନ୍ତରା ।।’’

 

ସଙ୍ଗୀତ ନାରାୟଣ, ସଙ୍ଗୀତ ସରଣୀ ପ୍ରଭୃତି ଉତ୍କଳୀୟ ସଙ୍ଗୀତ ଗ୍ରନ୍ଥରେ ଯତି ତାଳର ଉଲ୍ଲେଖ ଅଛି । ସଙ୍ଗୀତ ସରଣୀ, ସଙ୍ଗୀତ ନାରାୟଣର ପରବର୍ତ୍ତି ଗ୍ରନ୍ଥ । ଲେଖକ କବିରତ୍ନ ନାରାୟଣ ମିଶ୍ର, ସଙ୍ଗୀତ ନାରାୟଣ କର୍ତ୍ତା ଗଜପତି ନାରାୟଣଙ୍କ ଗୁରୁ କବିରତ୍ନ ପୁରୁଷୋତ୍ତମ ମିଶ୍ରଙ୍କ ପୁତ୍ର । ସରଣୀକାର ଯତି ତାଳ ସମ୍ୱନ୍ଧେ ଲେଖିଛନ୍ତି:-

 

‘‘ଲଘୁ ଦ୍ୱନ୍ଦାଦ୍ରୁତ ଦ୍ୱନ୍ଦଂ ଯତିରିତ୍ୟୁଚ୍ୟତୈ ବୁଧୈଃ

ଦ୍ୱିବିଧା ସାଭବେଛୁଦ୍ଧା ତଥା ସା ତ୍ରିପୁଟାନ୍ତରା ।।’’

 

ତଥା ଶୁଦ୍ଧାୟା ଉଦାହରଣଂ ଯଥା :-

‘ଅସ୍ମତ୍‌ ପିତୃଚରଣାନାଂ କବିରତ୍ନ ପୁରୁଷୋତ୍ତମ ମିଶ୍ରାଣାଂ’ ‘କାଳିନ୍ଦୀ କର୍ଷଣ’ ପ୍ରବନ୍ଧେ ଦକ୍ଷିଣ ଶ୍ରୀରାଗେଣ-

 

‘ଗୋକୁଳଗତ ରୋହିଣୀସୁତ ବୃନ୍ଦାବିପିନି ଗମନୁଆ

କୁନ୍ଦରଦ ଚିରହାସ ସୁନ୍ଦର କାମିନୀ ମନ ଲୋଭନୁଆ ।।୦।।’’

x      x      x      x

 

ତ୍ରିପୁଟାୟା ଉଦାହରଣ ଯଥା ମନ ‘ଉଷାଭିଳାଷ’ ପ୍ରବନ୍ଧେ ଧନାଶ୍ରୀ ରାଗେଣ-

‘ନବୀନ ମଞ୍ଜୁଳ କଞ୍ଜ ଲୋଚନ ନିଖିଳ ଭୀତି ମୋଚନ ରେ ।

......... ହୃଦୟ ନନ୍ଦନ ନନ୍ଦ ଗୃହ କୃତ ବାସରେ ।।’

x      x      x      x

 

ଉତ୍କଳୀୟ ସଙ୍ଗୀତ ଗ୍ରନ୍ଥମାନଙ୍କ ମଧ୍ୟରୁ କେବଳ ଏହି ଗ୍ରନ୍ଥରେ ସଙ୍ଗୀତ ରତ୍ନାକର ଧୃତ ବର୍ଣ୍ଣଯତି ତାଳର ଉଲ୍ଲେଖ ରହିଛି । ଯଥା:-

‘‘ଲୌ ଦୌ ବର୍ଣ୍ଣଯତୌ ।।’’

 

ଏହିପରି ଗ୍ରନ୍ଥ ପ୍ରମାଣମାନଙ୍କ ଭିନ୍ନ କବିସୂର୍ଯ୍ୟଙ୍କ ରଚିତ ଗୀତରେ ମଧ୍ୟ ଯତି ତାଳର ବ୍ୟବହାର ଦୃଷ୍ଟହୁଏ । ଯଥା :-

ରାଗ, ପୁନ୍ନାଗ-ଯତିତାଳ

ଆସ ଆସ ସଖି, ଯିବା ବାସକୁ ଗୋ ।।୦।।

ଆଉ ରହିଲେ ଏ ବନେ – ଆସତୀ ବୋଲିଟି ଜନେ

ଅବଶ୍ୟ କରିବେ ପରିହାସକୁ ଗୋ । ୧ ।

ଆମ୍ଭ ଅବସ୍ଥା ସଜନି,            ଆଗରେ ରଖି ପଦ୍ମିନୀ

ଅଧରେ ଧରିଛି ଦରହାସକୁ ଗୋ । ୨ ।

ଆର୍ତ୍ତି କହେ ଜଗଦ୍ଦେବ            ଆଉ କି ସତେ ଆସିବ

ଅଭିନବ କୁଞ୍ଜବନ -ରାସକୁ ଗୋ । ୩ ।

 

୨-ନିଃସାରୀ

 

ଦ୍ୱିତୀୟ ଆଲୋଚ୍ୟ ତାଳଟିର ନାମ ନିଃସାରୀ । ସରଣୀ ଗ୍ରନ୍ଥାକାରଙ୍କ ମତରେ-

‘‘ନିଃସାର, ନିଃସାରୁ, ନିଃସାରୁକ ଇତି ତ୍ରିବିଧ ପାଠେଷୁ ନିଃସାରଃ ସିଦ୍ଧଃ ।’’

 

ଗୀତ ପ୍ରକାଶ ମତେ ଏହା ଦ୍ୱାଦଶ ମାତ୍ରିକ ତାଳ । ଯଥା- ଦ୍ରୁତଦ୍ୱନ୍ଦାତ୍‌ ଲଘୁ ଦ୍ୱନ୍ଦମ୍‌’ = ୨+୨+୪+୪ = ୧୨ ମାତ୍ରା ।

 

ସଙ୍ଗୀତ ନାରାୟଣ, ନାଟ୍ୟମନୋରମା ଏବଂ ସଙ୍ଗୀତ ସରଣୀମତେ

‘‘ସବିରାମ ଦ୍ରୁତ ଦ୍ୱନ୍ଦାନ୍ନିସାରୌ ତୁ ଲଘୁ ଦ୍ୱୟମ୍‌’’

 

ଅର୍ଥାତ୍‌ ଦ୍ରୁତ + ବିରାମ + ଦ୍ରୁତ + ବିରାମ + ଲଘୁ + ଲଘୁ = ୨ + ୧ + ୨ + ୧, + ୪ + ୪ = ୧୪ ମାତ୍ରାର ତାଳ ।

 

ଏ ସମ୍ୱନ୍ଧେ ସଙ୍ଗୀତ ନାରାୟଣକାର ମତଦେଇ କହିଛନ୍ତି-

‘‘ଅତ୍ର ଷଡ଼ଲଘ୍ୱକ୍ଷରୋଚ୍ଚାରଣ କାଳେ ମାତ୍ରେତି କେଚିତ୍‌ । ଅତ୍ର ଦ୍ରୁତଦ୍ୱନ୍ଦାତ୍‌ ଲଘୁଦ୍ୱନ୍ଦମିତି ଗୀତ ପ୍ରକାଶକାରଃ । କିନ୍ତୁ ସବିରାମତ୍ୱଂ ଦ୍ରୁତଦ୍ୱନ୍ଦସ୍ୟ ବହୁ ସମ୍ମତମ୍‌।’’

 

ପୁଣି ସେହି ଗ୍ରନ୍ଥରେ ଲେଖାଅଛି ଯେ ‘‘ x x ସପ୍ତସ୍ୟାତା ନିସାରୁକା’’- ଅର୍ଥାତ୍‌ ନିସାରୁ ତାଳ ସାତ ପ୍ରକାରରେ ପ୍ରଚଳିତ ।

 

ବର୍ତ୍ତମାନ ପ୍ରଚଳିତ ମତେ ନିସାରୁ ୩ + ୩ = ୬ ମାତ୍ରାର ତାଳ । ସଙ୍ଗୀତ ରତ୍ନାକର ମତେ ପ୍ରକାର ଭେଦରେ ଅନ୍ୟତମ ନିଃସାରୁ ତାଳ ଏହିପରି ମଧ୍ୟ ଛଅ ମାତ୍ରିକ ବୋଲି କଥିତ । ଏହାର ନାମ ଚଣ୍ଡ ନିଃସାରୁ ବା କ୍ରୀଡ଼ା ଚଣ୍ଡ ନିଃସାରୁ ।

 

ଯଥା-‘‘କ୍ରୀଡ଼ା ଦ୍ରୁତୌ ବିରାମାନ୍ତୌ ଚଣ୍ଡନିଃସାରୁକଶ୍ଚ ସା’’

 

ସଙ୍ଗୀତ ଚୁଡ଼ାମଣି ଗ୍ରନ୍ଥ ମତରେ – ନିଃସାରୁକଂ (କଃ)

ଅମୁମେବ ବଦନ୍ତ୍ୟନ୍ୟେତାଳଂ ବଦ୍ଧ୍ୱାପଣାଭିଦଂ (ଧର)

ତ୍ରିମାତ୍ରିକଂ (କଃ) ପୁନଃ କୈଶ୍ଚିତ୍‌ ଅୟମେବ ପ୍ରକୀର୍ତ୍ତିତଃ ।

                              (ପୃ. ୨୦)

 

ନିଃସାରୁ ତାଳର ଗୀତ ଓଡ଼ିଶାରେ ସର୍ବତ୍ର ପ୍ରଚଳିତ । ଏହାର ବହୁ ଉଦାହରଣ ଉପସ୍ଥାପିତ କରାଯାଇପାରେ । ଏଥିରୁ ସହଜରେ ଅନୁମିତ ହେବ ଯେ କେବଳ ଜୟଦେବଙ୍କ କାଳ ଏକାଦଶ-ଦ୍ୱାଦଶ ଶତାଦ୍ଦୀରୁ ନୁହେଁ, ପରବର୍ତ୍ତୀ ଶତାଦ୍ଦୀଠାରୁ ଅବଧି ମଧ୍ୟ ନିଃସାରୀ ତାଳର ସଙ୍ଗୀତ ଓଡ଼ିଶାର ପୁରପଲ୍ଲୀରେ ବହୁଳ ପ୍ରଚଳିତ ।

 

ଗୀତ ପ୍ରକାଶ, ସଙ୍ଗୀତ କଳ୍ପଲତା ତଥା ସଙ୍ଗୀତ ନାରାୟଣ ପ୍ରଭୃତି ଗ୍ରନ୍ଥରେ ଏହିପରି ଉଦାହରଣ ଗୀତର ଦୃଷ୍ଟାନ୍ତ ମିଳେ । ପରବର୍ତ୍ତୀ ସଙ୍ଗୀତ ସରଣୀ ଗ୍ରନ୍ଥ-ଧୃତ ନିଃସାରୀ ତାଳର ଗୀତ ଯଥା:-

 

କବିରତ୍ନ ପୁରୁଷୋତ୍ତମ ମିଶ୍ରାଣାଂ ବାଳରାମାୟଣ ପ୍ରବନ୍ଧେ ଦକ୍ଷିଣ ଶ୍ରୀ ରାଗେଣ-

ଅଇ ଅଇ ଦଶରଥ ନନ୍ଦନ

କୌଶଲ୍ୟା ହୃଦୟ ସୁଚନ୍ଦନ

ମନ୍ଦୋଦିତ ହାସ-ମୁଖରେ ।

ତରୁମୃଗପତି ବିହିତା ନନ୍ଦନ

ସୁରଭୁସୁର ବିରଚିତ ବନ୍ଦନ

ନିନ୍ଦିତ ନିଜ ନୃପ ସୁଖରେ । ୦ । ଇତ୍ୟାଦି ।

 

ଏହିପରି ଅନ୍ୟାନ୍ୟ ପୁରାତନ ଗ୍ରନ୍ଥ ଲିଖିତ ବହୁ ଗୀତର ଉଦାହରଣ ଦେଇ ଆଲୋଚନାର କଳେବର ବୃଦ୍ଧି ନ କରି କବିସୂର୍ଯ୍ୟଙ୍କ ରଚନା (୧୮ଶ । ୧୯ଶ ଶତାଦ୍ଦୀ)ରୁ ମଧ୍ୟ ଗୋଟିଏ ଗୀତ ଉଦ୍ଧୃତ କରାଯାଉଅଛି-

 

ରାଗ-ତୋଡ଼ି ଜଙ୍ଗଲା । ତାଳ-ନିଃସାରୀ ।

ଟାଳିଲା କେ ମୋ ସୁଖ ମୂଳକୁ

ଚନ୍ଦ୍ରମୁଖ ରସି ରହିଲେ କାହା ପାଶେ । ୦ ।

x            x            x

ଟାଣି ଦେଇ ମୋ ମତି – ଆନ ରାମାରେ ପ୍ରୀତି-

      କଲେ ଶ୍ରୀ ଜଗଦ୍ଦେବ ଭାଷେ । ୪ ।

 

ଓଡ଼ିଶାର ଘରେ ଘରେ ପରିଚିତ ସଙ୍ଗୀତ ସାଗରର ପଞ୍ଚମ ତରଙ୍ଗ ୩୪୦ପୃଷ୍ଠାରେ ପ୍ରକାଶିତ ସ୍ୱର୍ଗତ ସ୍ୱନାମଧନ୍ୟ କବି ହରିଚନ୍ଦନଙ୍କ ରଚିତ-

 

‘‘ସଖୀ ଆରେ ଆସିବେ ବୋଲି କାନ୍ତ

      ନଇଲେ ଏ ଭବନେ ।।’’

-ଗୀତଟି ବହୁ ଗାୟକଙ୍କ କଣ୍ଠରୁ ଶୁଣାଯାଏ । ଗୀତଟିର ତାଳନିର୍ଦ୍ଦେଶ-‘ନିଃସାରୀ’ ।

 

ଓଡ଼ିଶାରେ ‘ସଙ୍ଗୀତ ଦାମୋଦର’ ଏକ ସୁପରିଚିତ ସଙ୍ଗୀତ ଗ୍ରନ୍ଥ । ପଣ୍ଡିତ ଦାମୋଦର ନିଃସାରୁ ତାଳର ପରିଚୟ ଦେଇ ଲେଖିଛନ୍ତି-

‘‘ଦ୍ରୁତଦ୍ୱନ୍ଦଂ ବିରାମାନ୍ତଂ ତାଳେ ନିଃସାରୁକେମତଃ ।।’’

 

ଟୀକାକାର କହନ୍ତି ଦ୍ରୁତ+ବିରାମ ଏବଂ ଦ୍ରୁତ+ବିରାମ = ୨+୧, ୨+୧ ଏହି ରୀତିରେ ନିଃସାରୁ ତାଳ ନିଷ୍ପାଦିତ । ଓଡ଼ିଶୀ ଦେଶ ଭାଷାରେ ଏହାର ନାମ ‘ଝୁଲା’ । ଓଡ଼ିଶାର ଅଗଣନ ପଲ୍ଲୀଗୀତ ମଧ୍ୟ ଏହି ତାଳରେ ନିୟନ୍ତ୍ରିତ । ଯେପରି-

‘‘ବାସ ଧାନ କେରୀ କେରୀ, ଜାଇଫୁଲ

ବାଧ ଧାନ କେରୀ କେରୀ ।

କଣ୍ଟ ଦେଇଥିଲୁ ଦୁତୀଆ ଓଷାକୁ,

ଭାର ଆଣି ଗଲି ଫେରି ’’ ।

‘‘ହର୍ଷୋତ୍‌କର୍ଷପ୍ରଦଶ୍ୱାରୋବୀରେ ନିଃସାରତାଳତଃ’’ ।

                  (ସଂ: ରତ୍ନାକର ୧ । ୩୨୬)

 

ଅର୍ଥାତ୍‌ ପ୍ରୋକ୍ତ ରସମାନଙ୍କର ପ୍ରସାର କ୍ଷେତ୍ରରେ ନିଃସାରୀତାଳ ବ୍ୟବହୃତ ହୁଏ । ସ୍ଥୂଳତଃ ନିଃସାରୀ ସାଧାରଣତଃ ଉତ୍କଳରେ ତୈମାତ୍ରିକ ତାଳରୂପେ ଯୁଗ-ଯୁଗାବଧି ପ୍ରଚଳିତ ହୋଇଆସୁଅଛି । କେବଳ ଉତ୍କଳ ଭିନ୍ନ ପ୍ରଦେଶାନ୍ତରର ବ୍ୟବହୃତ ତାଳମାନଙ୍କ ମଧ୍ୟରେ ‘ନିଃସାରୀ’ର ନାମ ପର୍ଯ୍ୟନ୍ତ ଶୁଣାଯାଏ ନାହିଁ ।

 

Unknown

୩-ଅଷ୍ଟତାଳି

 

ଇତିପୂର୍ବରୁ ଏହି ତାଳ ପ୍ରସଙ୍ଗରେ ଅନ୍ୟତ୍ର କେତେକ ବିଷୟ କୁହାଯାଇଅଛି । ଉତ୍କଳରେ ଏହି ତାଳର କଥିତ ପ୍ରାକୃତ ନାମ ‘ଆଠତାଳି’ । ଏହି ତାଳରେ ଅଗଣିତ ସଙ୍ଗୀତ ଏ ପ୍ରଦେଶରେ ପ୍ରଚଳିତ ଏବଂ ଏହା ଉତ୍କଳବାସୀଙ୍କର ପ୍ରିୟତମ ତାଳ । ଏପରି କି ପଲ୍ଲୀ ଅଞ୍ଚଳରେ ସୁଦ୍ଧା ଏହି ତାଳର ସମାଦର ଯଥେଷ୍ଟ । ଆଠତାଳି ତାଳନାମ ଭାରତୀୟ ଅନ୍ୟାନ୍ୟ ସଙ୍ଗୀତ ପଦ୍ଧତିରେ ଅଲଭ୍ୟ । ଏପରି ଗୋଟିଏ ସ୍ଥଳରେ ପ୍ରସ୍ୱନ ବା ଝୁଙ୍କ୍‌ ସହିତ ତାଳାରମ୍ଭ ଘଟେ ଯେ, ଯାହା ଓଡ଼ିଶୀ ସଙ୍ଗୀତ ଗାୟନଶୈଳୀର ଏକାନ୍ତ ବିଶେଷତ୍ୱ । ତାଳଟି ଶୃଙ୍ଗାର ଓ କରୁଣ ରସ ପ୍ରକାଶ ପକ୍ଷେ ସମୁପଯୁକ୍ତ । ଏହି ତାଳ ଘେନି କବି ଜୟଦେବ ଓ ‘ଶ୍ରୀଗୀତଗୋବିନ୍ଦ’ (ବଙ୍ଗଳା-୯୮ପୃଷ୍ଠା) ପୁସ୍ତକର ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ । (ଅନ୍ୟତ୍ର ଏହାର ଆଲୋଚନା ଦେଖନ୍ତୁ)

 

ଶ୍ରୀଗୀତଗୋବିନ୍ଦରେ ଯେଉଁ ପାଞ୍ଚଗୋଟି ତାଳ ବ୍ୟବହୃତ ହୋଇଅଛି ସେଗୁଡ଼ିକ ଉତ୍କଳୀୟ ସଙ୍ଗୀତ ଗ୍ରନ୍ଥ ନିର୍ଦ୍ଦେଶିତ ତାଳମାନଙ୍କ ମଧ୍ୟରେ ବର୍ଣ୍ଣିତ । ପାଞ୍ଚଗୋଟି ତାଳ ମଧ୍ୟରୁ ତିନିଗୋଟି ତାଳର ନାମ ହିନ୍ଦୁସ୍ଥାନୀ ବା କର୍ଣ୍ଣାଟକ ପଦ୍ଧତିରେ ପ୍ରଚଳିତ ତାଳମାନଙ୍କ ମଧ୍ୟରେ ଉଲ୍ଲେଖ ନାହିଁ । ଉତ୍କଳ ପ୍ରତିବେଶୀ ବଙ୍ଗ ପ୍ରଦେଶର କୌଣସି ସ୍ୱତନ୍ତ୍ର ଶାସ୍ତ୍ରୀୟ ସଙ୍ଗୀତ ବା ତାଳର ପ୍ରବର୍ତ୍ତନା ନ ଥିବା ସ୍ଥଳେ ଆଲୋଚିତ ତାଳ ସମ୍ୱନ୍ଧେ ବିଚାର ଆଦୌ ଉତ୍‌ଥାପିତ ହୋଇ ନ ପାରେ । ଷୋଡ଼ଶ ଶତାଦ୍ଦୀର ପ୍ରାନ୍ତ ଭାଗରେ କୀର୍ତ୍ତନାଙ୍ଗର କେତେକ ଅଭିନବ ତାଳ ବଙ୍ଗଳାରେ ପ୍ରଚଳିତ । ଉତ୍କଳରେ ନବ ତାଳ ପ୍ରଚଳନର ଚିର ପ୍ରସିଦ୍ଧି ରହିଛି । ତେଣୁ କୁହାଯାଇଅଛି :-

 

‘‘ଆଦିର୍ଯ୍ୟତି ନିଃସାରୁଶ୍ଚାଢ଼ଡ଼ ତାଳସ୍ତ୍ରି ପୁଟସ୍ତଥା

ରୂପକୋ ଝମ୍ପକୋମଣ୍ଠ ଏକତାଳିତି କୀର୍ତ୍ତିତା ।।’’

      (ଗୀତ ପ୍ରକାଶ, ନାରାୟଣ, କଳ୍ପଲତା ଇତ୍ୟାଦି)

 

ମତାନ୍ତରେ ଦଶତାଳର ଉଲ୍ଲେଖ ମଧ୍ୟ ଦେଖାଯାଏ ;

 

ଯଥା :-

ଆଦିର୍ଯତି ନିଃସାରିଶ୍ଚ ମଣ୍ଠ-ଝମ୍ପକ-ରୂପକାଃ

ତ୍ରିପୁଟୋହ୍ୟଡ଼୍‌ଡ଼ତାଳଶ୍ଚତ୍ୱେକତାଳୀ ତତଃପରମ୍‌ ।

କୁଡ଼୍‌କ ତାଳସ୍ୟ କଥିତା ଦଶଧେତି ମୁନୀଶ୍ୱରୈଃ ।।

            (ନାଟ୍ୟ-ମନୋରମା)

      ଗୀତ ପ୍ରକାଶକାର ମଧ୍ୟ କହିଛନ୍ତି :-

‘‘କେଚିତ୍‌ କୁଡ଼କୋପ୍‌ପାଡ଼ଂ ଚାତ୍ର ଭାଷନ୍ତେ- ନ ସର୍ବେ’’

ସଙ୍ଗୀତ ନାରାୟଣକାର ମଧ୍ୟ ତଦ୍ରୂପ ମତ ପୋଷଣ କରି ଲେଖିଛନ୍ତି ।

 

କର୍ଣ୍ଣାଟକ ପଦ୍ଧତିରେ ସପ୍ତତାଳ ନିର୍ଦ୍ଦେଶିତ ; ଯଥା :-

‘‘ଧ୍ରୁବମଠ୍ୟ ରୂପକଶ୍ଚ ଝମ୍ପାତ୍ରିପୁଟ ଏବ ଚ

ଅଟ୍ଟତାଳୈକତାଳଶ୍ଚ ସପ୍ତତାଳାଃ ପ୍ରକୀର୍ତ୍ତିତାଃ ।।’’

 

ଏହି ସପ୍ତତାଳ ମଧ୍ୟରେ ନିଃସାରୀ, ଯତି ଏବଂ ଅଷ୍ଟତାଳି ବା ଆଠତାଳିର ନାମୋଲ୍ଲେଖ ନାହିଁ ।

ଶ୍ରୀଗୀତଗୋବିନ୍ଦରେ ବ୍ୟବହୃତ ଅନ୍ୟ ଦୁଇଟି ତାଳ, ରୂପକ ଏବଂ ଏକତାଳି ସମ୍ୱନ୍ଧେ ବିଚାର କରାଯାଉ ।

 

ରୂପକ ତାଳ ଓଡ଼ିଶୀ, ହିନ୍ଦୁସ୍ଥାନୀ ତଥା କର୍ଣ୍ଣାଟକ ସଙ୍ଗୀତ ପଦ୍ଧତିର ସ୍ୱୀକୃତ । ହିନ୍ଦୁସ୍ଥାନୀ ପଦ୍ଧତିରେ ରୂପକ ସାଧାରଣତଃ ସାତମାତ୍ରା । କର୍ଣ୍ଣାଟକୀ ରୀତିରେ ତାଳର ପଞ୍ଚଜାତି ବିଭାଗ ଥିଲେ ମଧ୍ୟ ଛଅ ମାତ୍ରା ବା ଛଅ ଅକ୍ଷରରେ ରୂପକ (ଚତୁରସ୍ର ଜାତି) ବିଶେଷ ଭାବରେ ବ୍ୟବହୃତ ହେଉଅଛି । ଓଡ଼ିଶୀ ରୀତିର ରୂପକ ତାଳ ବାର ମାତ୍ରା (୬ + ୬) ଏବଂ ଚଉଦ ମାତ୍ରା (୭ + ୭) ଦୁଇ ରୀତି ପ୍ରଚଳନର ଉଲ୍ଲେଖ ଦୃଷ୍ଟ ହୁଏ, ଗୀତ ପ୍ରକାଶ ମତେ । ଭେଦ ମାତ୍ରା ଧରାଯିବାବେଳେ ଏହାକୁ ଯତି ଲଗ୍ନ ବୋଲି କୁହାଯାଇଅଛି ।

 

ପରବର୍ତ୍ତୀ ସଙ୍ଗୀତଗନ୍ଥ ସଙ୍ଗୀତ ନାରାୟଣ ମତେ :-

      ‘‘ରୂପକେ ତୁ ଦ୍ୱାବିଂଶଭିର୍ମାତ୍ରାଭିଃ କଥିତୋଦଳଃ ।।’’

ସଙ୍ଗୀତ କୌମୁଦୀ ମତେ :-

      ରୂପକେ ଗୌଲୌ = ୬ + ୬ ।।

(ଗୁରୁ + ଗୁରୁ + ଲଘୁ + ଲଘୁ) = ୪ + ୪ + ୨ + ୨ = ୧୨ ମାତ୍ରା

 

ବର୍ତ୍ତମାନ କିନ୍ତୁ ଯତି ଲଗ୍ନ ରୂପେ ସାତ ମାତ୍ରିକ ରୂପକ ତାଳ ଓଡ଼ିଶାରେ ବହୁଳ ପ୍ରଚଳିତ ହେଉଥିବାର ଦେଖାଯାଏ ।

ଏକତାଳି (ହିନ୍ଦୁସ୍ଥାନୀ ପଦ୍ଧତିର) ବାର ମାତ୍ରିକା ତାଳ ରୂପେ ଓଡ଼ିଶାରେ ପ୍ରଚଳିତ ନୁହେଁ ।

ବିପୁଳା, ଚନ୍ଦ୍ରିକା ଓ ରାମା – ଏପରି ତିନି ପ୍ରକାର ଭେଦରେ ଏକତାଳିର ଉଲ୍ଲେଖ ଅଛି ଓଡ଼ିଶାର ସଙ୍ଗୀତ ଗ୍ରନ୍ଥରେ ।

 

କିନ୍ତୁ ‘ଏକତାଳେ ଲଘୁସ୍ମୃତଃ’ ରୀତି ଧରାଯାଇ ଚାରିମାତ୍ରାରେ ଏହା ସାଧାରଣତଃ ପ୍ରଚଳିତ ହେଉଅଛି ।

ସଙ୍ଗୀତ-ପ୍ରଧାନ ଗୀତିକାବ୍ୟ ଶ୍ରୀଗୀତଗୋବିନ୍ଦର ମୁଖ୍ୟାଙ୍ଗ ରାଗ, ତାଳ ଏବଂ ନୃତ୍ୟ ସମ୍ୱନ୍ଧେ ଯତ୍‌କିଞ୍ଚିତ ଆଲୋଚନାର ଉପସଂହାରରେ ଦୁଇ ପଦ ବକ୍ତବ୍ୟ :-

 

ପରିବର୍ତ୍ତନ ହିଁ ସୃଷ୍ଟିର ଧର୍ମ । ନିୟତ ପରିବର୍ତ୍ତନ ଘେନି ପ୍ରଚଳିତ ରୀତିର ସୂକ୍ଷ୍ମ ସୂତ୍ର ପରି ପରମ୍ପରା ଅନୁମିତ ହୁଏ । ଏହା ସର୍ବବାଦୀସମ୍ମତ । ମହାମୁନି ଭରତ ଭାରତର ବିଭିନ୍ନ ଅଞ୍ଚଳରେ ଯେଉଁ ବେଶ, ଭାଷା, ରୁଚି ଓ ରୀତିନୀତି ଇତ୍ୟାଦି ତାଙ୍କ ସମୟରେ ପ୍ରଚଳିତ ଥିଲା ତାହାକୁ ଅନୁମାନ କରି ଚତୁର୍ବିଧ ପ୍ରବୃତ୍ତିର ଉଲ୍ଲେଖ କରିଛନ୍ତି । ଏଗୁଡ଼ିକ ପ୍ରତ୍ୟେକ ସ୍ୱତନ୍ତ୍ର ପନ୍ଥାନୁଗାମୀ ।

 

ଉତ୍କଳୀୟ ଜଳବାୟୁ, ରୀତିନୀତି ଓ ସାମାଜିକ ଚଳଣି ଇତ୍ୟାଦି ସ୍ୱତନ୍ତ୍ର ପ୍ରବୃତ୍ତି ପରିଚାଳିତ ହେବା ସ୍ୱାଭାବିକ । ଉତ୍କଳର ସ୍ଥାପତ୍ୟ, କଳାଚିତ୍ର, ସଂଗୀତ, ସାହିତ୍ୟ, ରଚନା ଓ ପ୍ରକାଶ ଶୈଳୀରେ ଓଡ଼ିଶୀ ସ୍ୱତନ୍ତ୍ରତା ଏବଂ ବିଶେଷତ୍ୱ ସ୍ପଷ୍ଟ । କାଳଚକ୍ର ପ୍ରଭାବରେ ବର୍ତ୍ତମାନର କ୍ଷୀଣାବସ୍ଥା ଏଗୁଡ଼ିକର ଏକଦା ଗୌରବୋଜ୍ଜ୍ୱଳ ଐତିହ୍ୟର ପ୍ରମାଣ ଦିଏ । ବର୍ତ୍ତମାନର କ୍ଷୀଣ ସୂତ୍ର ଧରି ଆମ୍ଭମାନଙ୍କୁ ପରମ୍ପରାର ବିଚାର କରିବାକୁ ହେବ ।

 

ଏହି ପରିପ୍ରେକ୍ଷୀରେ ଶ୍ରୀଗୀତଗୋବିନ୍ଦ ଗୀତର ବ୍ୟବହୃତ ରାଗତାଳର ଆଲୋଚନା ଉପସ୍ଥାପିତ କରାଯାଇ ଓଡ଼ିଶୀ ପରମ୍ପରା ସହିତ ତାହାର କେତେଦୂର ନିବିଡ଼ ସଂପର୍କ ବା ଐକାନ୍ତିକତା ରହିଅଛି, ତାହା ସହୃଦୟ ରସିକଜନଙ୍କର ସହଜ ଅନୁମେୟ ।

 

ଓଡ଼ିଶାର ଛାନ୍ଦ, ଚୌପଦୀ ଏବଂ ଚୌତିଶା ଜୟଦେବୀ ରଚନା ଶୈଳୀ, ଅନୁପ୍ରାସ ଏବଂ ଦୀର୍ଘ ପଦାବଳୀର ଅପୂର୍ବ ମୁଦ୍ରାଙ୍କନ ।

 

ଏଣୁ ସଙ୍ଗୀତ ତଥା ସାହିତ୍ୟ ଦୃଷ୍ଟିରୁ ପରମ୍ପରା ସୂତ୍ରରେ ଜୟଦେବଙ୍କ ଉତ୍କଳୀୟତ୍ୱ ଘେନି ପ୍ରତିବେଶୀ ପକ୍ଷର ଅଯଥା ଦାବୀ ଉପସ୍ଥାପନା କିଭଳି ବିଜ୍ଞତାର ପରିଚାୟକ, ତାହା ନିରପେକ୍ଷ ଗୁଣିଜନଙ୍କ ବିଚାର୍ଯ୍ୟ ।

 

ରସନୃତ୍ୟ

 

‘‘ନୃତ୍ୟତି ଯୁବତିଜନେନ ସମଂ....’’

‘‘ରାସେ ହରିମିହ ବିହିତ ବିଳାସମ୍‌ ।’’

 

ଶ୍ରୀଗୀତଗୋବିନ୍ଦ ଗୀତି ମହାକାବ୍ୟର ବିଷୟବସ୍ତୁ ହେଲା ବସନ୍ତରାସଲୀଳାବର୍ଣ୍ଣନ । ରାସନୃତ୍ୟରୁ ଗ୍ରନ୍ଥାରମ୍ଭ ଘଟିଛି । ତେଣୁ ନୃତ୍ୟ ଏହି ଗ୍ରନ୍ଥର କେବଳ ଶୀର୍ଷାଙ୍ଗ ବୋଲି ଧରା ନ ଗଲେ ହେଁ ଏହା ଯେ ବିଶିଷ୍ଟ ଅଙ୍ଗ ଏ କଥା ଅବିସଂବାଦିତ ସତ୍ୟ । ମହାକାବ୍ୟଟିର ମୁଖ୍ୟାଙ୍ଗ ହିଁ ସଙ୍ଗୀତ । ‘‘ଗୀତ ବାଦିତ୍ର ନତ୍ୟାଣାମ୍‌’’- ସଙ୍ଗୀତର ଏହି ତିନିଗୋଟି ବିଭାଗ ଶ୍ରୀଗୀତଗୋବିନ୍ଦର ରସ-ଗୌରବ ।

 

ଶ୍ରୀ ଗୀତଗୋବିନ୍ଦର ନୃତ୍ୟକୁ ରାସକ୍ରୀଡ଼ା କୁହାଯାଏ ।

‘‘ନୃତ୍ୟଗୀତଚୁମ୍ୱନାଲିଙ୍ଗନାଦିନାଂ ସମୂହୋ ରାସ, ତନ୍ମୟୀ ଯା କ୍ରୀଡ଼ା ସା ରାସକ୍ରୀଡ଼ା ।’’

                                          (ବିଶ୍ୱନାଥ)

 

ଏହି ରାସକ୍ରୀଡ଼ାର କୁଶୀଲବଗଣ ହେଲେ :- ନାୟକ- ନାଗର ଶ୍ରୀକୃଷ୍ଣ, ନାୟିକା- ରସବତୀ ରାଧିକା, ସହଚାରିଣୀ- ପ୍ରେମିକା ବ୍ରଜବାଳାଗଣ । କାଳ – ବସନ୍ତ ରାତ୍ରି ଶୁକ୍ଳପକ୍ଷ । ସ୍ଥାନ- ଯମୁନା ପୁଳିନ ।

 

ନିଶୀଥ କାଳରେ ଗୋପକୁଳବଧୂ ଶ୍ରୀକୃଷ୍ଣଙ୍କ ସହିତ ମଧୁର ବୃନ୍ଦାବନରେ ମିଳିତା ହେଉଥିଲେ ।

‘‘ତାଂ ବାର୍ଯ୍ୟମାଣାଃ ପତିଭିଃ ଭ୍ରାତୃଭିର୍ମାତୃଭିସ୍ତଥା

କୃଷ୍ଣଂ ଗୋପାଙ୍ଗନା ରାତ୍ରୌ ମୃଗୟନ୍ତେ ରତିପ୍ରିୟାଃ ।।’’

 

ଶ୍ରୀକୃଷ୍ଣଙ୍କ ଆହ୍ୱାନ ଏଡ଼ି ନ ପାରି ପତି, ଭ୍ରାତା, ମାତା ପ୍ରଭୃତିଙ୍କର ବାରଣ ନ ମାନି ସେମାନେ (ଗୋପବଧୂ) ରାତ୍ରରେ ତାହାଙ୍କ (ଶ୍ରୀକୃଷ୍ଣଙ୍କ) ସହିତ ରାସସ୍ଥଳୀରେ ମିଳିତ ହୁଅନ୍ତି । କେବଳ ଗୋଟିଏ ରାତ୍ରରେ ନୁହେଁ- ‘‘ସଚନ୍ଦ୍ରାସୁ ନିଶାସୁ’’- ବହୁ ରାତ୍ର ଏହି ଲୀଳା ଅନୁଷ୍ଠିତ ହୁଏ ।

 

‘‘ଯୁବତୀର୍ଗୋପକନ୍ୟାଶ୍ଚ ରାତ୍ରୌ ସଂକାଲ୍ୟ କାଳବିତ୍‌

କୈଶୋରକଂ ମାନୟନ୍‌ ବୈ ସହ ତାଭିର୍ମୁମୋଦ ହ ।।’’

                        (ହରିବଂଶ-୨୦)

 

କିଶୋର ଶ୍ରୀକୃଷ୍ଣ ଯୁବତୀ ଏବଂ କୁମାରୀ ଗୋପକନ୍ୟାଗଣଙ୍କ ସହିତ ନିଶୀଥ କାଳରେ ଆମୋଦ ଆହ୍ଲାଦରେ ମାତି ରହୁଥିଲେ । ଏହି ଆମୋଦପ୍ରମୋଦ ଗୋଷ୍ଠୀନୃତ୍ୟଯୋଗେ ଉପଭୋଗ କରୁଥିଲେ ।

            ‘‘ଗୋପୀନାଂ ମଣ୍ଡଳୀନୃତ୍ୟବନ୍ଧୋ ହଲ୍ଲୀସକଂ ବିଦୁଃ ।।’’

                                          (ନୀଳକଣ୍ଠ)

 

ଗୋପୀମଣ୍ଡଳୀ ସହିତ ଏହି ମିଳିତ ନୃତ୍ୟ ହଲ୍ଲୀସକ ନାମରେ ପ୍ରଖ୍ୟାତ । ନଟବର ଶ୍ରୀକୃଷ୍ଣ ଏ ନୃତ୍ୟର ଏକମାତ୍ର ନାୟକ ।

            ‘‘ନର୍ତ୍ତକୀଭିରନେକାଭିର୍ମଣ୍ଡଳେ ବିଚରିଷ୍ଣୁଭିଃ

            ଯତ୍ରୈକୋ ନୃତ୍ୟତି ନଟୋ ତଦ୍‌ବୈ ହଲ୍ଲୀସକଂ ବିଦୁଃ ।।’’

                                          (ବୃହତ୍ତୋଷିଣୀ)

 

ହରିବଂଶରେ ରାସ ବା ରାସକ୍ରୀଡ଼ା କିମ୍ୱା ରାଧାନାମର ଉଲ୍ଲେଖ ନାହିଁ । ପୁରାଣରେ ରାସ ପରିବର୍ତ୍ତେ ‘ହଲ୍ଲୀସ’ ବୋଲି କୁହାଯାଇଅଛି ।                                          (ଖିଳପର୍ବ)

 

ଏ କ୍ଷେତ୍ରରେ ଶ୍ରୀକୃଷ୍ଣ ‘ରମଣ’ ଏବଂ ଗୋପୀଗଣ ‘ରମଣୀ ।’ ହରିବଂଶ, ବ୍ରହ୍ମପୁରାଣ, ବିଷ୍ଣୁପୁରାଣରେ କିମ୍ୱା ଭାଗବତରେ ‘ରାଧା’ ନାମ ନାହିଁ ।

 

ବ୍ରହ୍ମ ପୁରାଣ ବର୍ଣ୍ଣିତ ମତେ ରାସମଣ୍ଡଳରୁ ଶ୍ରୀକୃଷ୍ଣ ସହସାଅନ୍ତର୍ହିତ ହୁଅନ୍ତେ ଗୋପୀମାନେ ତାଙ୍କୁ ଅନ୍ୱେଷଣ କଲେ ।

      ବିଷ୍ଣୁପୁରାଣମତେ ଏହି ଅନ୍ୱେଷଣନିରତା ଗୋପୀଗଣ ବୃନ୍ଦାବନ ବନରେ ଶ୍ରୀକୃଷ୍ଣଙ୍କ ପଦଚିହ୍ନସହିତ କେହି ‘ସୁକୃତକାରିଣୀ’ଙ୍କର ପଦଚିହ୍ନ ଆବିଷ୍କାର କଲେ ।

 

ଭାଗବତମତରେ ଏହି ଗୋପୀ (ପୂର୍ବୋକ୍ତ ସୁକୃତକାରିଣୀ) ନିଜର ଗର୍ବଗୌରବହେତୁ ଶ୍ରୀକୃଷ୍ଣଙ୍କଦ୍ୱାରା ପରିତ୍ୟକ୍ତା ହୋଇ ବିଳାପ କରୁଥିବାବେଳେ ଶ୍ରୀକୃଷ୍ଣଙ୍କ ଅନ୍ୱେଷଣରେ ଯାଇଥିବା ଅନ୍ୟାନ୍ୟ ଗୋପୀମାନେ ତାଙ୍କୁ ଭେଟିଲେ । ତହୁଁ ସମସ୍ତେ ଯମୁନାକୂଳରେ ସମବେତ ସ୍ତୁତି ପାଠ କଲେ ; କିନ୍ତୁ ଏ କୃଷ୍ଣ-ପରିତ୍ୟକ୍ତା ଗୋପୀଟି କିଏ ? ତାହାଙ୍କର ନାମୋଲ୍ଲେଖ ଭାଗବତରେ ନାହିଁ ।

 

ବ୍ରହ୍ମବୈବର୍ତ୍ତ ପୁରାଣରେ ବସନ୍ତରାସର ସୂଚନା ମିଳେ ଏବଂ ଏହା ‘କାମାୟନ’ପ୍ରାଚୁର୍ଯ୍ୟ । ଏହି ଗ୍ରନ୍ଥରେ ଦେଖାଯାଏ ରାଧା-କୃଷ୍ଣଙ୍କର ବିବାହ-ବର୍ଣ୍ଣନା ।

 

ପଦ୍ମପୁରାଣରେ ରାଧାଙ୍କର ନାମୋଲ୍ଲେଖ ଅଛି ; କିନ୍ତୁ ଏ ଗ୍ରନ୍ଥର ରାଧା ଭାବମୟୀ କୃଷ୍ଣବଲ୍ଲଭା ଦେବୀ । ସ୍ୱୟଂ ନାରଦ ଏହାଙ୍କର ଦର୍ଶନପ୍ରତ୍ୟାଶୀ ।                              (ପାତାଳ ଖଣ୍ଡ – ୪୦ ଅଧ୍ୟାୟ)

 

ଶ୍ରୀଗୀତଗୋବିନ୍ଦର ପ୍ରଥମ ଶ୍ଳୋକ ‘‘ମେଘୈର୍ମେଦୁରମମ୍ୱରମ୍‌..........’’ ରଚନା ପଠନରୁ ଜଣାଯାଏ ଯେ କବିରାଜ ଜୟଦେବ ବ୍ରହ୍ମବୈବର୍ତ୍ତ ପୁରାଣକୁ ଅନୁସରଣ କରିଅଛନ୍ତି । ଉକ୍ତ ପୁରାଣର ପଞ୍ଚଦଶ ଅଧ୍ୟାୟ, ଶ୍ରୀକୃଷ୍ଣ ଜନ୍ମଖଣ୍ଡ ଏହାର ସୂଚନା ଦିଏ ।

 

‘‘ଏକଦା କୃଷ୍ଣସହିତୋ ନନ୍ଦୋ ବୃନ୍ଦାବନଂ ଯଯୌ

ତତ୍ରୋପବନଭାଣ୍ଡୀରେ ଚାରୟାମାସ ଗୋ-କୁଳମ୍‌ ।’’

ପୁଣି,-

‘‘ଚକାରମାୟୟା କସ୍ମାତ୍‌ ମେଘାଚ୍ଛନ୍ନଂ ନଭୋ ମୁନେ ।’’

 

ଟୀକାକାର ଧରଣୀଧରଙ୍କ ଭାଷାରେ-

‘‘ମାୟା ରଚିଲେ ଦେବ ମାୟାଧର

ମେଘ ଆସି ଆଚ୍ଛାଦିଲା ଅମ୍ୱର ।’’

 

କବି ଜୟଦେବ ଏହି ପୁରାଣର ଆଦର୍ଶ ଗ୍ରହଣ କରି ରଚନା କରିଛନ୍ତି ଶ୍ରୀଗୀତଗୋବିନ୍ଦ । ବସନ୍ତ ରାସରେ ରାସେଶ୍ୱରୀ ରାଧା ମଧ୍ୟ ଏହି ପୁରାଣ-କଳ୍ପନା ।

 

ସେହି ରାଧିକା ଏବଂ ବ୍ରଜବାଳାମାନଙ୍କୁ ଘେନି ଶ୍ରୀକୃଷ୍ଣଙ୍କର ପ୍ରମୋଦଲୀଳାଜନିତ ହଲ୍ଲୀସକ ନୃତ୍ୟ ରାସକ୍ରୀଡ଼ାରୂପେ ପ୍ରଥିତ ।

 

ଓଡ଼ିଶାର ସଙ୍ଗୀତ-ଶାସ୍ତ୍ରକାରମାନେ ଏହି ନୃତ୍ୟର ବର୍ଣ୍ଣନା କରିଅଛନ୍ତି । ଏହା ଗୋଷ୍ଠୀ ବା ମଣ୍ଡଳନୀ ନୃତ୍ୟ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଯୁଗଯୁଗାବଧି ପବିତ୍ରଭାବରେ ଅନୁଷ୍ଠିତ ‘ରାସ’ରେ ଏହି ନୃତ୍ୟ ପ୍ରଦର୍ଶିତ ହୋଇଆସୁଛି ।

 

ଲଳିତ ପଦାବଳୀ ଏବଂ ରସଭାବର ମାଧୁର୍ଯ୍ୟ ଲୋଭରେ ଜୟଦେବଙ୍କୁ ବଙ୍ଗବାସୀ ବୋଲି ଦାବୀ ଉପସ୍ଥାପିତ ହେଉଛି, ଅଥଚ ସେଠାରେ ମହାକବିଙ୍କ ଶ୍ରୀଗୀତଗୋବିନ୍ଦ ଅନୁସରଣରେ ବସନ୍ତରାସ ଆନୁଷ୍ଠାନିକଭାବେ ପ୍ରଦର୍ଶିତ, ପ୍ରଚାରିତ ବା ପ୍ରତିପାଳିତ ହେଉଥିବାର ପ୍ରମାଣ କାହିଁ ? ଅଧିକ କାଳ ନ ହେଲେ ମଧ୍ୟ ଓଡ଼ିଶାରେ ପଞ୍ଚଦଶ ଶତାଦ୍ଦୀରୁ ନିଶ୍ଚିତଭାବେ ବସନ୍ତରାସ ପ୍ରଦର୍ଶିତ ହେଉଥିବାର ପ୍ରମାଣାଭାବ ନାହିଁ । ରାସପ୍ରତି ସର୍ବସାଧାରଣର ସମାଦର ଦେଖି ଏହି ଶତାଦ୍ଦୀର ଶେଷଭାଗରେ ଭକ୍ତକବି ପିଣ୍ଡିକ ଶ୍ରୀଚନ୍ଦନ ରଚନା କଲେ ବସନ୍ତରାସ । ଅବଧି ଶ୍ରୀଚନ୍ଦନଙ୍କ ରାସ ଉତ୍କଳର ରାସ ଅନୁଷ୍ଠାନମାନଙ୍କରେ ଗୀତ ହେଉଅଛି ଏବଂ ତହିଁସହିତ ହଲ୍ଲୀସକ ବା ମଣ୍ଡଳୀ ନୃତ୍ୟ ମଧ୍ୟ ପ୍ରଦର୍ଶିତ ହେଉଅଛି ।

 

ଆଜି ମଧ୍ୟ ଗଞ୍ଜାମରେ ବହୁଜନସମାଦୃତ ରାଧାପ୍ରେମଲୀଳା ଅଭିନୟମଧ୍ୟରେ ଏହି ରୀତିର ମଣ୍ଡଳୀ ନୃତ୍ୟ ଦର୍ଶକଜନର ମନ ହରଣ କରେ ।

(ଗଞ୍ଜାମର ହିଞ୍ଜୁଳିକାଟୁ ଗ୍ରାମର ଆନୁଷ୍ଠାନିକଭାବେ ଅଭିନୀତ ରାଧାପ୍ରେମଲୀଳାଭିନୟରେ ଏହି ପ୍ରକାର ଗୋଷ୍ଠୀନୃତ୍ୟ ଦ୍ରଷ୍ଟବ୍ୟ)

 

ବାଚଃ ପଲ୍ଲବୟତି...

 

ଭାରତୀୟ କବି, ମହାକବି ପରମ୍ପରାରେ ନିଜର କବିପ୍ରସିଦ୍ଧି ପ୍ରଖ୍ୟାପନ-ରୀତି ବିରଳ ନୁହେଁ । ଜୟଦେବ ମଧ୍ୟ ସେ ଧାରା ଅନୁସରଣ କରିଥିବାର ପ୍ରମାଣ ରହିଛି ; କିନ୍ତୁ ସେମାନେ ସେମାନଙ୍କ ପୂର୍ବତନ କବିପଣ୍ଡିତମାନଙ୍କର ନିନ୍ଦା ଗାୟନ କରି ନିଜର ପ୍ରୌଢ଼ୀ ପ୍ରକାଶ କରିଥିବା ଦୃଷ୍ଟାନ୍ତ କାହିଁ ହେଲେ ଦେଖାଯାଏ ନାହିଁ ।

 

ଜୟଦେବ ଶ୍ରୀରାଧାମାଧବ-ଚରଣାଶ୍ରିତ ମହାକବି । ‘‘କୃଷ୍ଣସ୍ତୁ ଭଗବାନ୍‌ ସ୍ୱୟଂ’’- ତାଙ୍କ ଅନ୍ତରର ମୂଳମନ୍ତ୍ର । ସେ ଗାଇଛନ୍ତି ‘‘ବାସୁଦେବ-ରତିକେଳି-କଥା ।’’ ପଞ୍ଚତନ୍ତ୍ର (ଅହିର୍ବୁଦ୍ଧା ସଂହିତା) ଅନୁସାରେ ବାସୁଦେବ ହିଁ ମାଧବ, କେଶବ ଏବଂ ନାରାୟଣ । ମହାକବି ମଧ୍ୟ ଶ୍ରୀଗୀତଗୋବିନ୍ଦ ମହାକାବ୍ୟରେ ମାଧବ, କେଶବ (‘ଯାହି ମାଧବ, ଯାହି କେଶବ’ ଇତ୍ୟାଦି) ଏବଂ ନାରାୟଣ (ନାରାୟଣମନୁଗତମନୁଭଜ....) ପ୍ରଭୃତି ଶଦ୍ଦ ସ୍ଥଳବିଶେଷରେ ପ୍ରୟୋଗ କରିଛନ୍ତି । ସେ ପରମ ବିଷ୍ଣୁଭକ୍ତ- ବୈଷ୍ଣବ।

 

ଶ୍ରୀଗୀତଗୋବିନ୍ଦର ଚତୁର୍ଥ ଶ୍ଳୋକଟି କିନ୍ତୁ ବୈଷ୍ଣବୀ ରୀତିର ପରିପନ୍ଥୀଭାବଦ୍ୟୋତକ । ରାଗରୋଷ ନାହିଁ, ଅହଙ୍କାର ନାହିଁ, ପରଶ୍ରୀକାତରତା ବା ପରନିନ୍ଦା ରଟନାର ଲେଶ ଗନ୍ଧ ନାହିଁ ବୈଷ୍ଣବର । ‘‘ତୃଣାଦପି ସୁନୀଚେନ ତରୁରେବ ସହିଷ୍ଣୁତା’’ ହେଲା ବୈଷ୍ଣବର ଲକ୍ଷଣ । ସହନଶୀଳତାର ଚରମ ନିଦର୍ଶନ ଯେଉଁଠାରେ ପ୍ରତିରକ୍ତବିନ୍ଦୁରେ ଭରିରହିଛି- ବୈଷ୍ଣବର ପ୍ରତିଷ୍ଠା, ବୈଷ୍ଣବର ସମ୍ମାନ, ବୈଷ୍ଣବର ପ୍ରାଣ ସେହିଠାରେ ହିଁ ପୂଜ୍ୟ-ଅଭିବନ୍ଦନୀୟ ।

 

ବୈଷ୍ଣବ-ସମ୍ପ୍ରଦାୟମଧ୍ୟରେ ଜୟଦେବଙ୍କ ଆସନ ଅତ୍ୟନ୍ତ ସମ୍ମାନିତ । ଶ୍ରୀଗୀତଗୋବିନ୍ଦର ‘‘ଇନ୍ଦୁ’’ ଟୀକାକାର କହନ୍ତି–

 

‘‘ଜୟଦେବ କବି ବୈଷ୍ଣବ-ସମ୍ପ୍ରଦାୟମେଁ ଏକ ଐସେ ଉତ୍ତମ ପୁରୁଷ ହୁଏ ହେଁ କି ସମ୍ପ୍ରଦାୟକେ ମଧ୍ୟାବସ୍ଥାମେଁ ଇନ୍‌କା ନାମ ମୁଖ୍ୟରୂପ ସେ ଲିଖାଗୟା ହୈ ; ଯଥା:-

‘‘ବିଷ୍ଣୁସ୍ୱାମୀ ସମାରଭ୍ୟାଂ ଜୟଦେବାଦି ମଧ୍ୟଗା ।

ଶ୍ରୀମଦ୍‌ବଲ୍ଲଭପର୍ଯ୍ୟନ୍ତାଂ ସ୍ତୁମୋ ଗୁରୁ ପରମ୍ପରାମ୍‌ ।।’’

 

ଏହି ପରମ ବୈଷ୍ଣବ ମହାକବି ଜୟଦେବ ନିଜର ପ୍ରୌଢ଼ୀ ପ୍ରକାଶ କରିବାକୁ ଯାଇ ଅନ୍ୟାନ୍ୟ ପଣ୍ଡିତ କବିମାନଙ୍କର ନିନ୍ଦା ଗାୟନ କରିଥିବା କେବଳ ଭାରତୀୟ ପରମ୍ପରାବିରୋଧୀ ତ ନୁହେଁ ; ବରଂ ଅସମ୍ଭବରୁ ବଳି ଅସମ୍ଭବ ।

 

ଉପରୁ ଦେଖିଲେ ହୁଏତ ଶ୍ଳୋକବର୍ଣ୍ଣିତ କବିମାନଙ୍କର ଏହା ଗୁଣ ପ୍ରଖ୍ୟାପନ ବୋଲି କେହି କହିପାରନ୍ତି ; ମାତ୍ର ତାହାର ଭିତରର ଅର୍ଥ ସେହି କବିମାନଙ୍କର ନିନ୍ଦାବାଦ, ଯାହା ଜୟଦେବଙ୍କପରି ପରମ ବୈଷ୍ଣବଙ୍କପକ୍ଷେ ଲେଖିଥିବା ଏକାନ୍ତ ଅବିଶ୍ୱାସ୍ୟ ।

 

ଅବଧି ପ୍ରାପ୍ତ ଟୀକାମାନଙ୍କ ମଧ୍ୟରେ ସର୍ବପୁରାତନ ଏବଂ ଶ୍ରୀଗୀତଗୋବିନ୍ଦର ସର୍ବପ୍ରଥମ ଟୀକା (ଉଦୟନକୃତ ‘ଭାବବିଭାବିନୀ’ ଟୀକା) ଅଲଭ୍ୟ ହୋଇଥିବା ପ୍ରଯୁକ୍ତେ ମୂଳ ଟୀକାରୂପେ ସମ୍ମାନିତ ପଣ୍ଡିତ ନାରାୟଣ ଦାଶଙ୍କର ‘ସର୍ବାଙ୍ଗସୁନ୍ଦରୀ ଟୀକା’କୁ ସାହିତ୍ୟଦର୍ପଣ ଏବଂ କାବ୍ୟପ୍ରକାଶ ଦୀପିକା ଆଦି ଗ୍ରନ୍ଥରେ ସମ୍ମାନ ସହ ଉଦ୍ଧାର କରାଯାଇଅଛି। ଏହି ଟୀକାର ରଚନାକାଳ ଚତୁର୍ଦ୍ଦଶ ଶତାଦ୍ଦୀର ପ୍ରଥମ ପାଦ । ଏହା ଉତ୍କଳ ନରପତି ମହାରାଜ ୨ୟ ନରସିଂହ ଦେବଙ୍କର ରାଜତ୍ୱ-ସମୟ ।

 

ସର୍ବାଙ୍ଗସୁନ୍ଦରୀ ଟୀକାରୁ ଶ୍ରୀଗୀତଗୋବିନ୍ଦର ୪ର୍ଥ ଶ୍ଳୋକଟିର ଅର୍ଥାଂଶ ଉଦ୍ଧୃତ କରାଯାଉଅଛି ।

‘‘ବାଚଃ ପଲ୍ଲବୟତ୍ୟୁମାପତିଧର......କବି କ୍ଷ୍ମାପତିଃ ।।’’

 

ଟୀକା-‘‘ଉମାପତିଧରନାମା ସାନ୍ଧିବିଗ୍ରହକୋ ବାଚଃ ପଲ୍ଲବୟତି ବିସ୍ତାରୟତି ଇତ୍ୟର୍ଥଃ । ଏତେନ ଅସ୍ୟ ବ୍ୟାଖ୍ୟା ଶକ୍ତିଦର୍ଶିତା । ନିନ୍ଦା ତୁ ପଲ୍ଲବଗ୍ରାହିଣୀ ସ୍ୟାତ୍‌। ଯଦୁକ୍ତଂ –

‘‘ପଲ୍ଲବଗ୍ରହୀ ପାଣ୍ଡିତ୍ୟଂ କ୍ରୟଂ କ୍ରୀତଂ ଚ ମୈଥୁନଂ

ଭୋଜନଂ ଚ ପରାୟତଂ ତ୍ରିସ୍ରଃ ପୁଂସଃ ବିଡ଼ମ୍ୱନାଃ ।’’ ଇତି

 

‘‘ଶରଣଃ ଶ୍ଳାଘ୍ୟୋ ଦୂରୁହ ଦ୍ରୁତେଃ ଇତି । ଦୂରୁହେ ପ୍ରମେୟେ ସମସ୍ୟାନୌ ଦ୍ରୁତେ ଶୀଘ୍ରତ୍ୱେ ଶ୍ଳାଘ୍ୟୋ ଦ୍ରୁତ କବି ଇତ୍ୟର୍ଥଃ । ନିନ୍ଦା ତୁ ଦୂରୁହ ଦ୍ରୁତ ଏବ ଶ୍ଳ୍ୟାଘ୍ୟୋ ନାନାତ୍ରେବ ଧାରଣାତ୍‌ ବେଦ୍ୟା । ଶୃଙ୍ଗାରୋତ୍ତର ସତ୍‌ ପ୍ରମେୟ ରଚନୈଃ ଆଚାର୍ଯ୍ୟ ଗୋବର୍ଦ୍ଧନଃ ସ୍ପର୍ଦ୍ଧୀ କୋଽପିନଃ ବିଶ୍ରୂତ ଇତି । ଶୃଙ୍ଗାରପ୍ରଧାନ ସତ୍‌ପ୍ରମେୟ ଗ୍ରଚନାୟାମାଚାର୍ଯ୍ୟ ଗୋବର୍ଦ୍ଧନଃ ସ୍ପର୍ଦ୍ଧୀତୁ ଅଭିଭବନ୍ତ କୋଽପିନ ଶକ୍ତଃ ଇତ୍ୟର୍ଥଃ । ଅତ୍ରାପି ଅବଧାରଣେନ ରସାନ୍ତରାଭିପ୍ରାୟ ନିନ୍ଦା ଜ୍ଞେୟା । ଶ୍ରୁତିଧରୋ ଧୋୟୀ କବି କ୍ଷ୍ମାପତିରିତି । ଧୋୟୀନାମା କବିରାଜଃ ଶ୍ରୁତିଧରତୟା ହେୟୋପାଦେୟ ବୁଦ୍ଧିରହିତତ୍ୱାତ୍‌ ପଶୁତ୍ୱାପତ୍ତେଃ ଯଦୁକ୍ତଂ ଉଦୀରିତାଽର୍ଥେ- ପଶୁନାଽପି ଗୃହ୍ୟତେ, ହୟାଶ୍ଚ ନାଗାଶ୍ଚ ବହନ୍ତି ଚୋଦିତାଃ । ଅନୁକ୍ତମବ୍ୟୂହତି ପଣ୍ଡିତୋଜନଃ ପରେଙ୍ଗିତ ଜ୍ଞାନଫଳାହି(ନି) ବୁଦ୍ଧୟଃ ଇତି । ଅତଏବ ତେ ଗିରାଂ ସନ୍ଦର୍ଭଂ ଗ୍ରନ୍ଥବିଶେଷଂ ନ ଜାନିତେ । କସ୍ତର୍ହି ଜାନାତୀତ୍ୟାହ ଜୟଦେବ ଏବେତି ।।’’

 

ଶ୍ଳୋକଟିରେ ଚାରିଜଣ କବିଙ୍କର ନିନ୍ଦା ଗାୟନ କରି ନିଜର ଖ୍ୟାତି ବ୍ୟାଖ୍ୟାନ ଜୟଦେବଙ୍କ ଭଳି ବୈଷ୍ଣବ ମହାଜନଙ୍କ ପକ୍ଷେ ସର୍ବଥା ଅସମ୍ଭବ ।

 

ଆଉ ଗୋଟିଏ ଦିଗ ବିଚାରରେ ଶ୍ଳୋକରେ କୁହାଯାଇଅଛି ଯେ ଶୃଙ୍ଗାର-ରଚନାରେ ଆଚାର୍ଯ୍ୟ ଗୋବର୍ଦ୍ଧନଙ୍କ ସମକକ୍ଷ କେହି ନାହିଁ ; ଅଥଚ ଶୃଙ୍ଗାର ରସ ହିଁ ଶ୍ରୀଗୀତଗୋବିନ୍ଦରେ ପୂରିରହିଛି ଏବଂ ଶ୍ରୀଗୀତଗୋବିନ୍ଦ ସର୍ବମାନ୍ୟ ଚିରସମାଦୃତ ରସରଚନା । ମହାକବି ଜୟଦେବ ଆଚାର୍ଯ୍ୟ ଗୋବର୍ଦ୍ଧନଙ୍କୁ ଅପ୍ରତିଦ୍ୱନ୍ଦୀ ଶୃଙ୍ଗାର-ରଚନାକାରୀ ବୋଲି ଲେଖିଥିବା ସମ୍ଭବ କିପରି ?

 

ନାନା ଦିଗରୁ ବିଚାର କଲେ ଦେଖାଯିବ ଯେ ଶ୍ଲୋକଟି କାହାରି ଚତୁରସଂଯୋଜନା, ଯାହା ଅସମର୍ଥ ଚତୁରତା ବୋଲି ପରିଗଣିତ ହେବା ସମୁଚିତ ।

 

ଶ୍ଳୋକଟିରେ ଚାରି ଜଣ କୃତି ପଣ୍ଡିତ କବିଙ୍କର ନାମୋଲ୍ଲେଖ ଅଛି ; ଯଥା:- ଉମାପତିଧର, ଶରଣ, ଆଚାର୍ଯ୍ୟ ଗୋବର୍ଦ୍ଧନ ଏବଂ ଧୋୟୀ ।

 

ଆଲୋଚିତ ଶ୍ଳୋକଟିରେ ଏହିମାନଙ୍କ ନାମ ସହିତ କବି ଜୟଦେବଙ୍କ ନାମର ଉଲ୍ଲେଖ ଥିବାରୁ ଜୟଦେବଙ୍କୁ ବଙ୍ଗ ନୃପତି ଲକ୍ଷ୍ମଣସେନଙ୍କ ରାଜସଭାର କବି ବୋଲି ଦାବି କରାଯାଉଅଛି ।

 

ଏହି ଦାବି ସପକ୍ଷରେ ମଧ୍ୟ ଗୋଟିଏ ପ୍ରସ୍ତର-ଲିପି ପ୍ରମାଣରୂପେ ଉପସ୍ଥାପିତ କରାଯାଉଅଛି ।

ପ୍ରସ୍ତର-ଲିପି ପାଠ ଯଥା-

      ‘‘ଗୋବର୍ଦ୍ଧନଶ୍ଚ ଶରଣୋ ଜୟଦେବ ଉମାପତି

      କବିରାଜଶ୍ଚ ରତ୍ନାନି ସମିତୌ ଲକ୍ଷ୍ମଣସ୍ୟ ଚ ।’’

 

ମହାରାଜ ଲକ୍ଷ୍ମଣସେନଙ୍କ ଦେହାନ୍ତ ହେବାର ତିନି ଶତ ବର୍ଷପରେ ରୂପ, ସନାତନ ଗୋସ୍ୱାମୀ ଦୁହେଁ ନବଦ୍ୱୀପରେ ଲକ୍ଷ୍ମଣସେନ ମହାରାଜାଙ୍କ ସଭାଗୃହର ଦ୍ୱାରଦେଶରେ ଏ ଲିପି ପ୍ରଥମେ ଆବିଷ୍କାର କଲେ । ପୁଣି ଏ ଦୁଇ ଗୋସ୍ୱାମୀଙ୍କ ସ୍ୱର୍ଗବାସ ହେବାର ଚାରି ଶହ ବର୍ଷପରେ ଏହି ଆବିଷ୍କୃତ ବଙ୍ଗୀୟମାନଙ୍କଦ୍ୱାରା ପୁନରାବିଷ୍କୃତ ହେଲା । ଏହି ନବାବିଷ୍କୃତି ତଥ୍ୟପ୍ରତିଷ୍ଠାରେ ମହାକବି ଜୟଦେବ ମହାରାଜ ଲକ୍ଷ୍ମଣସେନଙ୍କ ରାଜସଭାର ଅନ୍ୟତମ ରତ୍ନ ବୋଲି ବିଜ୍ଞବରମାନେ ଉଦ୍‌ଭଟ ଚିତ୍କାର ଆରମ୍ଭ କରିଦେଲେ ।

 

ବିଶ୍ୱକୋଷ ଅବିଧାନକର୍ତ୍ତା ଲେଖିଲେ:-

‘‘ x x x ଅର୍ଥ ଲକ୍ଷ୍ମଣସେନ ନାମ ନୃପତି-ସମୟେ ଜୟଦେବସ୍ୟ କବିରାଜପ୍ରତିଷ୍ଠା....।’’

 

ଏହାଙ୍କ ମତରେ ଶ୍ରୀଗୀତଗୋବିନ୍ଦକାର ଜୟଦେବ ହିଁ ଲକ୍ଷ୍ମଣସେନଙ୍କ ସଭାର କବି । ଥାଇପାରନ୍ତି ଜୟଦେବନାମା କେହି କବି ଲକ୍ଷ୍ମଣସେନଙ୍କ ରାଜସଭାରେ ; କିନ୍ତୁ ଶ୍ରୀଗୀତଗୋବିନ୍ଦକାର ଯେ ସେହି ଜୟଦେବ ଏହାର ନିଦର୍ଶନ ପ୍ରୋକ୍ତ ଅଭିଧାନକର୍ତ୍ତା ଉପସ୍ଥାପିତ କରିପାରି ନାହାନ୍ତି । ଜୟଦେବ ତ ଜଣେ ନ ଥିଲେ – ଜୟଦେବ ନାମା ବହୁ କବି ଥିଲେ ; ଯଥା-

 

(୧) କୌଣ୍ଡିନ୍ୟ ଗୋତ୍ରୀୟ ମହାଦେବ ଓ ସୁମିତ୍ରାଙ୍କ ପୁତ୍ର ‘ପ୍ରସନ୍ନ ରାଘବ ନାଟକ’କର୍ତ୍ତା ଜୟଦେବ । ଏ ମଧ୍ୟ ‘ଚନ୍ଦ୍ରାଲୋକ’ ନାମକ ଅଳଙ୍କାରଗ୍ରନ୍ଥପ୍ରଣେତା ଅଟନ୍ତି ।

(୨) ‘ତ୍ରିପୁରସୁନ୍ଦରୀ ସ୍ତୋତ୍ର’ ରଚୟିତାଙ୍କ ନାମ ଜୟଦେବ ।

(୩) ‘ନ୍ୟାୟମଞ୍ଜରୀସାର’ ପ୍ରଣେତା ଜୟଦେବ ।

(୪) ‘ଗଙ୍ଗାଷ୍ଟକ କାବ୍ୟ’ର କବି ଜୟଦେବ ।

(୫) ‘ରସାମୃତ’ ବୈଦ୍ୟଶାସ୍ତ୍ରପ୍ରଣେତା ଜୟଦେବ ।

(୬) ‘ଈଶତତ୍ତ୍ୱ ବ୍ୟାକରଣ’ କର୍ତ୍ତା ଜୟଦେବ ।

(୭) ‘ଅଳଙ୍କାରଶତକ’ ରଚୟିତା ଜୟଦେବ ।

(୮) ‘ପୀୟୁଷ ଲହରୀ’ କର୍ତ୍ତା ଜୟଦେବ .... ଇତ୍ୟାଦି ଇତ୍ୟାଦି ।

 

ଏଥିମଧ୍ୟରୁ ଲକ୍ଷ୍ମଣସେନଙ୍କ ସଭାକବି ଜୟଦେବଙ୍କୁ ‘ପ୍ରସନ୍ନ ରାଘବ ନାଟକ’କର୍ତ୍ତା ଜୟଦେବ ବୋଲି ଧରିନେବା ହିଁ ସମୀଚୀନ ହେବ । ଏହି କବି ଜୟଦେବ ଲକ୍ଷ୍ମଣସେନଙ୍କ ସମୟର କବି ବୋଲି ‘ସୂକ୍ତି ମୁକ୍ତାବଳୀ’- ରଚୟିତା କାଶ୍ମୀରର କବି ଭଗଦତ୍ତ ଜହ୍ଲଣ ୧୧୭୯ ଶକାଦ୍ଦ ବା ୧୨୫୮ ଖ୍ରୀଷ୍ଟାଦ୍ଦରେ ଲେଖିଅଛନ୍ତି । ଖ୍ରୀ: ୧୪୦୫-୧୪୩୫ ମଧ୍ୟରେ ବିଶ୍ୱନାଥ କବିରାଜକୃତ ସାହିତ୍ୟଦର୍ପଣରେ ‘ପ୍ରସନ୍ନ ରାଘବ’ର ଉଦ୍ଧୃତି ସ୍ଥାନ ପାଇଅଛି । ଲୋକରେ ଏହି ଗ୍ରନ୍ଥଟିର ପ୍ରକାଶନ କାଳ ୧୮୦୦ ଖ୍ରୀଷ୍ଟାଦ୍ଦର ପ୍ରାନ୍ତଭାଗ । ଶ୍ରୀଗୀତଗୋବିନ୍ଦର ରଚନାକାଳ କିନ୍ତୁ ୧୧୫୦ ଖ୍ରୀଷ୍ଟାଦ୍ଦ । ଏହି କାଳ-କଳନାକୁ ବରଂ ଆଉ କିଛି ପୂର୍ବବର୍ତ୍ତୀ ବୋଲି ମଧ୍ୟ ଧରାଯାଇପାରେ ।

 

ପ୍ରୋକ୍ତ ଜୟଦେବ କବି (ପ୍ରସନ୍ନ ରାଘବପ୍ରଣେତା) ଚନ୍ଦ୍ରାଲୋକ ନାମକ ଅଳଙ୍କାର ଗ୍ରନ୍ଥର ପ୍ରଣେତା ମଧ୍ୟ । ଏହାଙ୍କର ଉପାଧି ଥିଲା ‘ପୀୟୁଷ ବର୍ଷା’ ଚନ୍ଦ୍ରାଲୋକ ଗ୍ରନ୍ଥରେ ଲେଖାଅଛି :-

‘‘ପୀୟୁଷ ବର୍ଷପ୍ରଭବଂ ଚନ୍ଦ୍ରାଲୋକମନୋହରମ୍‌

ସଦା ନିଧାନମାସାଦ୍ୟ ଶ୍ରଦ୍ଧୟା ବିବୁଧାମୁଦାମ୍‌ ।।

ଜୟନ୍ତି ଯାଜକ ଶ୍ରୀମନ୍ମହାଦେବାଙ୍ଗ ଜନ୍ମନଃ

ସୂକ୍ତ ପୀୟୁଷବର୍ଷସ୍ୟ ଜୟଦେବକବେର୍ଗିରଃ ।।’’

 

୧୨୫୮ ଖ୍ରୀଷ୍ଟାଦ୍ଦପୂର୍ବରୁ ୧୧୭୦-୯୪ ଖ୍ରୀଷ୍ଟାଦ୍ଦ ବେଳକୁ ଶ୍ରୀଗୀତଗୋବିନ୍ଦର ପ୍ରଥମ ଟୀକା ଲେଖାସରିଥିଲା ଉଦୟନାଚାର୍ଯ୍ୟଙ୍କ ଦ୍ୱାରା, ଗଙ୍ଗବଂଶୀୟ ନରପତି ୨ୟ ରାଜରାଜଦେବଙ୍କ ରାଜତ୍ୱକାଳରୁ । ଲକ୍ଷ୍ମଣସେନ ପ୍ରାୟ ଏହି ରାଜରାଜ ଦେବଙ୍କ ସମସାମୟିକ ବଙ୍ଗର ନରପତି । ତେଣୁ ସୂକ୍ତି ମୁକ୍ତାବଳୀରେ ବର୍ଣ୍ଣିତ କାଳ କଳନା ସତ୍ୟ ବୋଲି ସହଜରେ ପ୍ରତୀତ ହୁଏ । ଅତଏବ ଲକ୍ଷ୍ମଣସେନଙ୍କ ରାଜତ୍ୱକାଳର ଏ ଜୟଦେବ ସେ ଜୟଦେବ ନୁହନ୍ତି । ପ୍ରସନ୍ନ ରାଘବ ନାଟକତ ଶ୍ରୀଗୀତଗୋବିନ୍ଦ ମହାକାବ୍ୟ ନୁହେଁ ।

ଶ୍ଳୋକବର୍ଣ୍ଣିତ ପୂର୍ବୋକ୍ତ ଚାରିଜଣ କବିଙ୍କ ସମ୍ୱନ୍ଧେ ଟିକିଏ ଆଲୋଚନା କରାଯାଉ ।

 

୧-ଉମାପତିଧର

 

କବି ଉମାପତିଧରଙ୍କୁ ମହାରାଜ ଲକ୍ଷ୍ମଣସେନଙ୍କ ସଭାକବି-ପଣ୍ଡିତ ବୋଲି କୁହାଯାଇଅଛି । ତେଣୁ ପ୍ରଥମେ ବଙ୍ଗର ଶେଷ ସେନବଂଶୀୟ ସ୍ୱାଧୀନ ନରପତି ଲକ୍ଷ୍ମଣସେନଙ୍କ କାଳକଳନା ଆବଶ୍ୟକ ମନେ ହୁଏ । ଏହି କାଳକଳନାସମ୍ୱନ୍ଧେ ମତମତାନ୍ତର ଅନେକ । ‘ସଦୁକ୍ତି କର୍ଣ୍ଣାମୃତ’ ଗ୍ରନ୍ଥଲିଖିତ କାଳ ହିଁ ଏହାର ଏକମାତ୍ର ବିଶିଷ୍ଟ ପ୍ରମାଣ ।

 

ସଦୁକ୍ତି କର୍ଣ୍ଣାମୃତ ଗ୍ରନ୍ଥକାର ପଣ୍ଡିତ ଶ୍ରୀଧର ଦାସ ଲକ୍ଷ୍ମଣସେନଙ୍କ ଆଶ୍ରିତ କବି । ସେ ପ୍ରୋକ୍ତ ଗ୍ରନ୍ଥ ଶେଷରେ ଲେଖିଛନ୍ତି-

‘‘ଶାକେଽତ୍ର ସପ୍ତବିଂଶତ୍ୟଧିକ ଶତୋପେତ ଦଶଶତେ’’

ଏ ସମୟକୁ ଲକ୍ଷ୍ମଣସେନଙ୍କ ରାଜତ୍ୱ ଚଳିଥିଲା-

‘‘ଶ୍ରୀମଲ୍ଲକ୍ଷୁଣସେନକ୍ଷିତିପସ୍ୟ ତସୈକବିଂଶେଽଦ୍ଦେ ।’’

ସେଦିନ ହୋଇଥିଲା-

‘‘ସବିତୁର୍ଗତ୍ୟା ଫାଲ୍‌ଗୁନ ବିଂଶେଷୁ......’’

 

ଏଥିରୁ ପ୍ରମାଣିତ ହେଉଅଛି ଯେ ୧୧୨୭ ଶକାଦ୍ଦ ଲକ୍ଷ୍ମଣସେନଙ୍କ ଦ୍ୱାରା ପ୍ରଚଳିତ (?) ୨୭ ଅଦ୍ଦ, ଫାଲଗୁନ (ସୌରମାନ) ଦି୨୦ନରେ ପଣ୍ଡିତ ଶ୍ରୀଧର ଦାସ ସଦୁକ୍ତି କର୍ଣ୍ଣାମୃତ ଗ୍ରନ୍ଥ ରଚନା ଶେଷକଲେ ।

 

୧୧୨୭ ଶକାବ୍ଦ ହେଉଛି ୧୨୦୫ ଖ୍ରୀଷ୍ଟାବ୍ଦ । ଏତେବେଳକୁ ଲକ୍ଷ୍ମଣସେନ କୋଡ଼ିଏ ବର୍ଷ ରାଜତ୍ୱ କରିସାରିଥିଲେ । ତାଙ୍କ ରାଜତ୍ୱର ଏକୋଇଶି ବର୍ଷ ଚାଲିଥାଏ ୧୧୨୭ ଶକାଦ୍ଦ କାଳକୁ । ତେବେ ୧୧୨୭ – ୨୧ = ୧୧୦୬ ଅର୍ଥାତ୍‌୧୨୦୫ – ୨୧ = ୧୧୮୪ ଖ୍ରୀଷ୍ଟାଦ୍ଦରେ ଲକ୍ଷ୍ମଣସେନ ରାଜପଣ କଲେ ।

 

ଉମାପତି ଥିଲେ ମହାରାଜ ବିଜୟସେନଙ୍କ ଆଶ୍ରୟରେ । ଏହି ବିଜୟସେନ ହେଉଛନ୍ତି ଲକ୍ଷ୍ମଣସେନଙ୍କ ପିତାମହ- ବଲ୍ଲାଳସେନଙ୍କ ପିତା ।

 

ବଲ୍ଲାଳସେନଙ୍କ ରାଜତ୍ୱର ଆରମ୍ଭକାଳ ୧୧୬୦ ଖ୍ରୀଷ୍ଟାଦ୍ଦ ବୋଲି ତାଙ୍କଦ୍ୱାରା ରଚିତ ଅସଂପୂର୍ଣ୍ଣ ‘ଅଦ୍‌ଭୁତ ସାଗର’ ନାମକ ଜ୍ୟୋତିଷ ଗ୍ରନ୍ଥରୁ ଜଣାପଡ଼େ । ବଲ୍ଲାଳସେନ ରାଜ୍ୟଭାର ନେବାବେଳକୁ ଅପ୍ରାପ୍ତବୟସ୍କ ହୋଇଥିବାର ଅନୁମାନ କରାଯାଇ ନ ପାରେ । ଅତି ନିକୁଚ୍ଛ ପକ୍ଷେ ତାଙ୍କର (ବଲ୍ଲାଳସେନ) ରାଜତ୍ୱ (ଖ୍ରୀ:୧୧୬୦) କାଳକୁ ତାଙ୍କ ବୟସ ୧୬/୧୭ ଧରାଗଲେ ମଧ୍ୟ ତାଙ୍କ ପିତା ବିଜୟସେନଙ୍କ କାଳ ଏକାଦଶ ଶତାଦ୍ଦୀର ପ୍ରଥମାର୍ଦ୍ଧର ମଧ୍ୟଭାଗ ବୋଲି ବିଚାରିବା ସ୍ୱାଭାବିକ ।

 

ଏହି ସମୟରେ ଉମାପତି ବିଜୟସେନଙ୍କ ରାଜମନ୍ତ୍ରୀ ଥାଇ ଲେଖିଛନ୍ତି ‘ଦେଓପଡ଼ା ପ୍ରଶସ୍ତି’ ଗ୍ରନ୍ଥ ।

 

ଉମାପତି ପ୍ରୋକ୍ତ ବିଜୟସେନଙ୍କ ମନ୍ତ୍ରୀ ଥିଲେ ବୋଲି ଲକ୍ଷ୍ମଣସେନଙ୍କର ବହୁ ପରବର୍ତ୍ତୀ କବି ମେରୁତୁଙ୍ଗ ତାଙ୍କ ରଚିତ ‘ପ୍ରବନ୍ଧ-ଚିନ୍ତାମଣି’ ଗ୍ରନ୍ଥରେ ଉଲ୍ଲେଖ କରିଯାଇଅଛନ୍ତି ।

 

ଏହିସବୁ ବିଷୟ ଅନୁଧ୍ୟାନ କଲେ ସ୍ପଷ୍ଟ ପ୍ରତୀତ ହୁଏ ଯେ ଉମାପତି ଲକ୍ଷ୍ମଣସେନଙ୍କ ପିତାମହଙ୍କ ମନ୍ତ୍ରୀ ଏବଂ ‘ଦେଓପଡ଼ା ପ୍ରଶସ୍ତି’ର କବି । ମନ୍ତ୍ରିତ୍ୱ କରିବା କାଳକୁ ଉମାପତିଙ୍କ ବୟସ ନିତାନ୍ତ ଅଳ୍ପ ହୋଇ ନ ଥିବା ସ୍ୱାଭାବିକ ।

ମନ୍ତ୍ରୀ ଏବଂ ପ୍ରସିଦ୍ଧ କବିରୂପେ ଏହାଙ୍କର ପରିଚୟ ବୋଲି ସେ ମନୁଷ୍ୟେତର ଜୀବ- ଏ କଥା ତ ସମ୍ଭବ ନୁହେଁ।

 

ପୁଣି ପିତାଙ୍କ ରାଜ୍ୟର ମନ୍ତ୍ରୀ ବିଶେଷତଃ ଜଣେ ଖ୍ୟାତନାମା କବିଙ୍କ ଗ୍ରନ୍ଥରେ ଶାସ୍ତ୍ର-ନିପୁଣ ବଲ୍ଲାଳସେନଙ୍କ ରାଜତ୍ୱକାଳର ଲେଶ ମାତ୍ର ଉଲ୍ଲେଖ ସୁଦ୍ଧା ନାହିଁ ।

 

ତେଣୁ ପ୍ରୋକ୍ତ ନିର୍ଦ୍ଦିଷ୍ଟ ପ୍ରମାଣମାନଙ୍କ ଦୃଷ୍ଟେ ମରମାନବ ଉମାପତି ଯେ ଲକ୍ଷ୍ମଣସେନଙ୍କ କାଳକୁ ଜୀବିତ ଥିବେ, ପୁଣି ତାଙ୍କ ରାଜସଭା ମଣ୍ଡନ କରି ପଞ୍ଚରତ୍ନମଧ୍ୟରେ ଆସନ ଜମାଇଥିବେ, ଏ କଥା ଚିନ୍ତା ମଧ୍ୟ କରାଯାଇପାରୁ ନାହିଁ ।

 

୨। ଶରଣ କବି

 

ଦୁରୂହ ପଦର ଦ୍ରୁତ ରଚନା-କୁଶଳୀ ଶରଣ କବିଙ୍କର କାଳ କଳନା ଅବଧି ସମ୍ଭବପର ହୋଇପାରି ନାହିଁ । କେଉଁ ସମୟରେ, କାହା ରାଜତ୍ୱକାଳରେ ବାସ୍ତବରେ ଏ କବି ପ୍ରଖ୍ୟାତ, ସେ ସମ୍ୱନ୍ଧରେ କୌଣସି ଗ୍ରନ୍ଥ ପ୍ରମାଣ ଅଭାବରୁ କହିହୁଏ ନାହିଁ ଯେ ସେ ଲକ୍ଷ୍ମଣସେନଙ୍କ ସଭାକବି ଥିଲେ କି ନାହିଁ । ଏବେ ଶୁଣାଯାଏ ଯେ ‘ଭୃଙ୍ଗଦୂତ’ ନାମକ ଏକ ଗ୍ରନ୍ଥର ରଚୟିତା ସେ । ଗ୍ରନ୍ଥଟିର ସ୍ୱରୂପ ଦର୍ଶନ ଅବଧି ମିଳି ନାହିଁ । କହି ହେଉ ନାହିଁ ଏ କେଉଁ ଶରଣ କବି ; କାରଣ, ସଦୁକ୍ତି କର୍ଣ୍ଣାମୃତରେ ଶରଣନାମା ତିନି ଜଣ କବିଙ୍କ ନାମ ଦେଖିବାକୁ ମିଳେ- ଜଣେ ଶରଣଦେବ, ଜଣେ ଶରଣ ଦତ୍ତ ଆଉ ତୃତୀୟ ବ୍ୟକ୍ତି ଚିରନ୍ତନ ଶରଣ । ଲେଖାରେ ତାଙ୍କର ଜଣେ ‘ସେନବଂଶ ତିଳକ’ଙ୍କ ନାମ ମିଳେ । ମାତ୍ର ଏହି ସେନବଂଶ ତିଳକ ବିଜୟସେନ ବା ବଲ୍ଲାଳସେନ ମଧ୍ୟ ହୋଇପାରନ୍ତି । କାରଣ ଏ ଦୁଇ ନରପତିଙ୍କର ଖ୍ୟାତି ଅଛି, ତେଣୁ ସ୍ପଷ୍ଟଭାବରେ ଲକ୍ଷ୍ମଣସେନଙ୍କ ନାମୋଲ୍ଲେଖ ନ ଥିବା ପ୍ରଯୁକ୍ତେ କେଉଁ ‘ସେନବଂଶତିଳକ’ଙ୍କୁ ସେ ଲକ୍ଷ୍ୟ କରି ଲେଖିଛନ୍ତି, ତାହା ନିଶ୍ଚିତଭାବେ କହିବା ଅସମ୍ଭବ।

 

୩। ଆଚାର୍ଯ୍ୟ ଗୋବର୍ଦ୍ଧନ

 

ପଣ୍ଡିତ ଗୋବର୍ଦ୍ଧନ ‘ଆର୍ଯ୍ୟାସପ୍ତଶତୀ’ ଗ୍ରନ୍ଥକାର । ସେ ମଧ୍ୟ ଶରଣ କବିଙ୍କପରି ‘ସେନକୁଳତିଳକ ଭୂପତି’ – ଏତିକି ମାତ୍ର ଲେଖିଛନ୍ତି । ଅତଏବ ଏ କେଉଁ ସେନ ଭୂପତି – ଲକ୍ଷ୍ମଣସେନ କି ତାଙ୍କର କେଉଁ ପୁରୁଷ, ସେ କଥା ଜାଣିବାର ଉପାୟ ନାହିଁ ।

 

ଗୋବର୍ଦ୍ଧନଙ୍କ ସମ୍ୱନ୍ଧେ କେତେକ ତଥ୍ୟ ମିଳୁଛି ତାଙ୍କ ରଚିତ ‘ଆର୍ଯ୍ୟ ସପ୍ତଶତୀ’ ଗ୍ରନ୍ଥ ଆଲୋଚନାରୁ ।

 

ହରିଦାସ ଗ୍ରନ୍ଥମାଳା କ୍ରମରେ ‘ଇନ୍ଦୁ’ଟୀକା ନାମକ ଶ୍ରୀଗୀତଗୋବିନ୍ଦର ଖଣ୍ଡିଏ ହିନ୍ଦୀ ବ୍ୟାଖ୍ୟାନ ପ୍ରକାଶିତ ହୋଇଅଛି । ତହିଁର ପ୍ରାକକଥନରେ ପଣ୍ଡିତ କେଦାରନାଥ ଶର୍ମା ପ୍ରସଙ୍ଗକ୍ରମେ ଆଚାର୍ଯ୍ୟ ଗୋବର୍ଦ୍ଧନଙ୍କ ସମ୍ପର୍କରେ ଲେଖିଛନ୍ତି :-

 

‘‘X X X ଗୋବର୍ଦ୍ଧନନେ ଆପନୀ ‘ସପ୍ତଶତୀ’ ମେଁ ‘ସେନକୁଲତିଲକ ଭୂପତି’ ଇତ୍‌ନା ହି ଲିଖା । ନାମ୍‌ କୁଚ୍ଛ ନହିଁ ଦିୟା । କିନ୍ତୁ ଉସୀକା ଟୀକାମେଁ ‘‘ପ୍ରବର ସେନ୍‌ ନାମା ଇତି’’ ଲିଖା ହୈ । ଅବ୍‌ ଯଦି ପ୍ରବର୍‌ସେନ୍‌, ହେମନ୍ତସେନ୍‌ ୟା ବିଜୟ ସେନ୍‌କା ନାମାନ୍ତର ମାନ୍‌ ଲିୟା ଜାୟ ତଥା ୟହ ଭୀ ମାନଲିୟା ଜାୟ୍‌ କି ଜୟଦେବ୍‌ କବିକୀ କବିତା ସଂସାରମେଁ ବଡ଼ୀ ଜଲ୍‌ଦି ପ୍ରସିଦ୍ଧ ହୋଗୟୀ ଥୀ ଏବଂ ‘ସମୟ ପ୍ରକାଶ୍‌’କେ ବଲ୍ଲାଲକା ସମୟ ଭୀ ପ୍ରମାଣ୍‌ କିୟା ଜାୟ୍‌ ତୋ ୟହ୍‌ ଅନୁମାନ୍‌ ହୋ ଶକତା ହୈ କି ବିଜୟସେନ୍‌କେ ସମୟମେଁ ଅଥବା ଉସ୍‌ସେ କୁଛହୀ ପୂର୍ବସନ୍‌୧୦୨୫ ସେ ୧୦୫୦ ତକ୍‌ମେଁ କିସୀ ବର୍ଷମେ ଜୟଦେବ୍‌ କବିକା ପ୍ରାକଟ୍ୟ ହୈ ତଥା ଐସୀ ହୀ ମାନନେସେ ଅନେକ ପଣ୍ଡିତୋଂ (ବିଦ୍ୱାନୋଂ)କୀ ଏକବାକ୍ୟତା ଭୀ ହୋତୀ ହୈ । ୟହାଁପର୍‌ ସମୟ ବିଷୟ ଜଟିଲ ତଥା ନୀରସ ନିର୍ଣ୍ଣୟ ଜୋ ବଙ୍ଗଲା ତଥା ଅଙ୍ଗ୍ରେଜୀ ଗ୍ରନ୍ଥୋଁ ମେଁ ହୈ ଓ୍ୱହ ନ ଲିଖକର ସାର ଲିଖ ଦିୟା ହୈ । ଇସମେ ‘‘ଜୟଦେବ ଚରିତ’’ ଆଦି ବଙ୍ଗଲା ଗ୍ରନ୍ଥୋଁମେଁ ଜୋ ଜୟଦେବ କବିକା ସମୟ ତେରହବୀଁ ବା ଚୌଦହବୀ ଶତାଦ୍ଦୀ ଲିଖା ହୈ ଓ୍ୱହ ଅପ୍ରାମାଣିକ ହୋକର ନିଶ୍ଚୟ ହୁଆ କୀ ଜୟଦେବ କବି ଗ୍ୟାରହଓ୍ୱୀ ଶତାଦ୍ଦୀକେ ଆଦିମେଁ ଉତ୍ପନ୍ନ ହୁଏ ହେଁ ।।’’

ଏଥିରୁ ବୁଝାଯାଏ ଯେ କବି ଜୟଦେବ ଆଚାର୍ଯ୍ୟ ଗୋବର୍ଦ୍ଧନଙ୍କର ସମସାମୟିକ ହୋଇ ନ ପାରନ୍ତି ।

 

ଏହାର ତଥ୍ୟ ପ୍ରମାଣରୂପେ ଆହୁରି ମଧ୍ୟ ଅନେକ କଥା ଉପସ୍ଥାପିତ କରାଯାଇପାରେ । ଆଚାର୍ଯ୍ୟ ଗୋବର୍ଦ୍ଧନଙ୍କ ଲିଖିତ ‘‘ଆର୍ଯ୍ୟାସପ୍ତଶତୀ’’ ଗ୍ରନ୍ଥର ଉଲ୍ଲେଖରୁ ଜଣାଯାଏ ଯେ ତାଙ୍କ ପିତାଙ୍କ ନାମ ନୀଳାମ୍ୱର ।

 

‘‘କବିମିହ ମୁଶନସମିବଂ ତଂ ତାତଂ ନୀଳମ୍ୱରଂ ବନ୍ଦେ ।’’

                        (ଶ୍ଳୋକ ୩୮)

ତାଙ୍କର ଦୁଇ ଭାଇଙ୍କ ନାମ ଉଦୟନ ଏବଂ ବଳଭଦ୍ର ।

‘‘ଉଦୟନ-ବଳଭଦ୍ରାଭ୍ୟାଂ ସପ୍ତଶତୀ ଶିଷ୍ୟ ସୋଦରାଭ୍ୟାଂ ନଃ

ଦ୍ୱୈରିବ ରବିଚନ୍ଦ୍ରାଭ୍ୟାଂ ପ୍ରକାଶିତା ନିର୍ମଳୀକୃତ୍ୟ ।।’’

                        (ଶ୍ଳୋକ ୭୦୧)

 

ଅର୍ଥାତ୍‌ ରବି ଆଉ ଚନ୍ଦ୍ରଙ୍କଦ୍ୱାରା ଆକାଶ ଯେପରି ନିର୍ମଳରୂପେ ଦେଦୀପ୍ୟମାନ ହୁଏ, ସେହିପରି ମୋର ଭାଇ ତଥା ଶିଷ୍ୟ ଉଦୟନ ଏବଂ ବଳଭଦ୍ରଙ୍କ ଦ୍ୱାରା ଏହି ‘ସପ୍ତଶତୀ’ ନିର୍ମଳୀକୃତ ହୋଇ ପ୍ରକାଶିତ ହେଲା ।

 

ଉଦୟନଙ୍କର ଗୁରୁ ଗୋବର୍ଦ୍ଧନ ନିଶ୍ଚିତରେ ତାଙ୍କଠାରୁ ବୟୋଜ୍ୟେଷ୍ଠ । ଏହି ଉଦୟନ ଲେଖିଛନ୍ତି, ଶ୍ରୀଗୀତଗୋବିନ୍ଦର ‘ଭାବ ବିଭାବିନୀ’ ଟୀକା । ଶ୍ରୀଗୀତଗୋବିନ୍ଦ ଉଦୟନଙ୍କ କାଳକୁ ଲୋକପ୍ରସିଦ୍ଧି ଲାଭ କରି ନ ଥଲେ ତାଙ୍କ ପକ୍ଷରେ ଶ୍ରୀଗୀତଗୋବିନ୍ଦପ୍ରତି ଆକୃଷ୍ଟ ହୋଇ ତାହାର ଟୀକା ଲେଖିବା ସମ୍ଭବପର ହୋଇପାରି ନ ଥାଆନ୍ତା । ଏହି ଟୀକାର ଲେଖନକାଳ ୧୧୭୦ ଖ୍ରୀଷ୍ଟାଦ୍ଦର କିଛି ଆଗପଛ ବୋଲି ଐତିହାସିକମାନଙ୍କଦ୍ୱାରା ସ୍ଥିରୀକୃତ । ଆଜି ଯୁଗପରି ମୁଦ୍ରାଯନ୍ତ୍ର, ପୁସ୍ତକ ପ୍ରକାଶ ଓ ଯାତାୟାତର ସହଜ ସୁବିଧା ନ ଥିବା କାଳରେ ଶ୍ରୀଗୀତଗୋବିନ୍ଦର ପ୍ରଚାର, ପ୍ରସାର ଓ ସମାଦର ଲାଭ କରିବାପାଇଁ ଅବଶ୍ୟ ଅଳ୍ପ କାଳ ଲାଗି ନ ଥିବ । ଏଣୁ ‘ଭାବବିଭାବିନୀ’ ଟୀକାର ସମୟ ଦୃଷ୍ଟିରୁ ଏହା ସହଜରେ କୁହାଯାଇପାରେ ଯେ ଶ୍ରୀଗୀତଗୋବିନ୍ଦର ରଚନାକାଳ ନିତାନ୍ତ ପକ୍ଷେ ଦ୍ୱାଦଶ ଶତାଦ୍ଦୀର ପ୍ରଥମାର୍ଦ୍ଧର ଦ୍ୱିତୀୟ ପାଦ । ଏହି ଦୃଷ୍ଟିରୁ ଶ୍ରୀଗୀତଗୋବିନ୍ଦକୁ ୧୧୫୦ ଖ୍ରୀଷ୍ଟାଦ୍ଦର ରଚନା ବୋଲି ଐତିହାସିକମାନଙ୍କର ମତ ହିଁ ଗ୍ରହଣୀୟ ।

 

ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ ଖ୍ରୀ:୧୧୪୬ - ଖ୍ରୀ:୧୧୫୬ ପର୍ଯ୍ୟନ୍ତ ରାଜତ୍ୱ କରୁଥିବା ଉତ୍କଳ ନରପତି କାମାର୍ଣ୍ଣବ ଦେବ ଶ୍ରୀଗୀତଗୋବିନ୍ଦ ଶ୍ରବଣ ନ କରି ଅନ୍ନ ଗ୍ରହଣ କରୁ ନ ଥିଲେ । ଏହି ଦୃଷ୍ଟିରୁ ଏହା ଅବଶ୍ୟ କୁହାଯାଇପାରେଯେ ଶ୍ରୀଗୀତଗୋବିନ୍ଦ ପ୍ରୋକ୍ତ କାଳକୁ ନିଶ୍ଚିତଭାବେ ଉତ୍କଳରେ ଯଥେଷ୍ଟ ସମାଦର ଲାଭ କରିସାରିଥିଲା ।

ଆହୁରି ମଧ୍ୟ ଏ ସମ୍ବନ୍ଧେ ନିମ୍ନବର୍ଣ୍ଣିତ ଐତିହାସିକ ତଥ୍ୟ ପ୍ରତି ଦୃଷ୍ଟି ଦିଆଯାଇପାରେ :-

 

କାମାର୍ଣ୍ଣବଦେବଙ୍କ ଭାଇ ରାଘବଦେବ ୧୧୫୬ରୁ ୧୧୭୦      ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ତ୍ରିକଳିଙ୍ଗର ଅଧୀଶ୍ୱର ଥିଲେ । ଏହାଙ୍କ ରାଜତ୍ୱକାଳରେ ଭୁବନେଶ୍ୱରରେ ବିଜେ ଶ୍ରୀଲିଙ୍ଗରାଜଦେବଙ୍କ ମନ୍ଦିରର ତୃତୀୟ ପ୍ରବେଶଦ୍ୱାରଦେଶର ପୂର୍ବ ଦିଗ ଭିତ୍ତିରେ ଏକ ଶୀଳାଲେଖ ଅବସ୍ଥାପିତ ହୋଇଥିଲା । ଏହାର ପାଠୋଦ୍ଧାରରୁ ଜଣାଯାଏ ଯେ ଭକ୍ତିମତୀ ମେଡ଼ମାଦେବୀ ଶ୍ରୀଜୀଉଙ୍କ ଛାମୁରେ ଦୀପମାନ ଖଞ୍ଜା କରାଇଥିଲେ । କୁର୍ମ୍ମପାଟକନିବାସୀ ସାଧୁ ପ୍ରଧାନ ଜୟଦେବଙ୍କ ସହିତ ସେ ଭୁବନେଶ୍ୱରକୁ ଆସି ତାଙ୍କ ବର୍ତ୍ତମାନତାରେ ଏହି ଦୀପ ପ୍ରଜ୍ଜ୍ୱଳନଲାଗି କେତେକ ବୃତ୍ତି କ୍ରୟ କରି ଦାନ କରିଥିଲେ ।

 

କୁର୍ମ୍ମକ୍ଷେତ୍ର ହିଁ କୁର୍ମ୍ମପାଟକରୂପେ ପ୍ରଖ୍ୟାତ । ଏହା ତତ୍‌କାଳୀନ ଗଙ୍ଗବଂଶୀୟ ନରପତିମାନଙ୍କ ସମୟରେ ପରମ ତୀର୍ଥକ୍ଷେତ୍ରରୂପେ ପ୍ରସିଦ୍ଧି ଲାଭ କରିଥିଲା; କାରଣ ସେତେବେଳେ ତ୍ରିକଳିଙ୍ଗ ରାଜବଂଶର ଗୁରୁରୂପେ ସମ୍ମାନିତ ଶ୍ରୀବୈଷ୍ଣବ ସଂପ୍ରଦାୟର ବିଶିଷ୍ଟ ସାଧକ-ତୀର୍ଥମାନେ ଏହି କୁର୍ମ୍ମକ୍ଷେତ୍ରରେ ଅବସ୍ଥାନ କରୁଥିଲେ ।

 

ପୂର୍ବବର୍ଣ୍ଣିତମତେ ଜୟଦେବ ଅବଶ୍ୟ ଏହି କାଳକୁ ବୃଦ୍ଧ ବୟସରେ ଉପନୀତ ହୋଇଥିବେ ଏବଂ ଶ୍ରୀରାଧାକୃଷ୍ଣ ଚରିତ ଗାୟକ-ସାଧକ-ପ୍ରବର କୁର୍ମ୍ମକ୍ଷେତ୍ରରେ ଅବସ୍ଥାନ କରୁଥିବା ଅସମ୍ଭବ ନୁହେଁ । ଲୋକ-ପ୍ରତିଷ୍ଠା ଲାଭ କରି ସେ ସାଧୁପ୍ରଧାନରୂପେ ସମ୍ମାନିତ ହେବା ସ୍ୱାଭାବିକ । ଏ ଦୃଷ୍ଟିରୁ ମଧ୍ୟ ଜୟଦେବଙ୍କ ଅଭ୍ୟୁଦୟକାଳର ସ୍ଥିରୀକରଣ ବିଚାର୍ଯ୍ୟ ।

 

ଆଉ ଗୋଟିଏ କଥା ମଧ୍ୟ ବିଚାର ତଳକୁ ଅଣାଯାଉ । ଉଦୟନଙ୍କଠାରୁ ବୟୋଜ୍ୟେଷ୍ଠ ଗୋବର୍ଦ୍ଧନାଚାର୍ଯ୍ୟଙ୍କ ରଚିତ ଗୋଟିଏ ଶ୍ଳୋକ କେଶବ ମିଶ୍ରଙ୍କ ‘ଅଳଙ୍କାରଶେଖର’ ଗ୍ରନ୍ଥରେ ଉଦ୍ଧୃତ ହୋଇଅଛି । କେଶବ ମିଶ୍ରଙ୍କ କାଳ ଷୋଡ଼ଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧ ବୋଲି ସ୍ଥିରୀକୃତ । କେଶବ ମିଶ୍ରେ ଗୋବର୍ଦ୍ଧନଙ୍କର ଯେଉଁ ଶ୍ଳୋକଟି ଉଦ୍ଧାର କରିଛନ୍ତି, ସେଥିରେ ସେ (ଗୋବର୍ଦ୍ଧନ) ଉତ୍କଳ ରାଜସଭାରେ ଜୟଦେବଙ୍କର ଯଥାଯୋଗ୍ୟ ସମାଦରର ଅଭାବହେତୁ ଦୁଃଖ ପ୍ରକାଶ କରିଥିବାର ପ୍ରମାଣ ମିଳେ । ଶ୍ଳୋକଟି ହେଲା:-

 

‘‘ପ୍ରାକ୍‌ ପ୍ରତ୍ୟକ୍‌ ପୃଥିବୀଭୃତୌଃ ପରିଷଦି

            ପ୍ରଖ୍ୟାତସଂଖ୍ୟାବତା

ମହ୍ନାୟାଽଦ୍‌ଭୁତର୍କକର୍କଶତୟା

            ବିଚ୍ଛିଦ୍ୟ ବିଦ୍ୟାମଦଂ

ଯେ କେଽପ୍ୟୁତ୍କଳଭୂପତେ ! ତବ ସଭା-

            ସମ୍ଭାବିତାଃ ପଣ୍ଡିତାଃ

ପତ୍ତ୍ରଂ ଶ୍ରୀଜୟଦେବ ପଣ୍ଡିତ କବି-

            ସ୍ତନ୍‌ମୂର୍ଦ୍ଧ୍ୱିନ ବିନ୍ୟସ୍ୟତି ।।’’

ଅର୍ଥାତ୍‌ ଉତ୍କଳ-ରାଜସଭାର ବହୁ ପଣ୍ଡିତଙ୍କ ପାଣ୍ଡିତ୍ୟ ଶ୍ରୀଜୟଦେବଙ୍କ ଯୋଗ୍ୟତା ତୁଳନାରେ ନ୍ୟୂନ ହେଲେ ହେଁ ଉତ୍କଳ-ନରପତିଙ୍କଠାରୁ ସେ (ଜୟଦେବ) ଉପଯୁକ୍ତ ସମ୍ମାନ ପ୍ରାପ୍ତ ହୋଇ ନ ଥିଲେ ।

 

ଗୋବର୍ଦ୍ଧନାଚାର୍ଯ୍ୟଙ୍କ ରଚିତ ଏହି ଶ୍ଳୋକରୁ ମଧ୍ୟ ପ୍ରମାଣିତ ହୁଏ ଯେ ଜୟଦେବ ନିଶ୍ଚିତଭାବେ ତାଙ୍କର ପୂର୍ବବର୍ତ୍ତୀ କବି ।

 

ଅତଏବ ଉଦୟନଙ୍କଠାରୁ ଗୋବର୍ଦ୍ଧନ ତଥା ଗୋବର୍ଦ୍ଧନଙ୍କଠାରୁ ଜୟଦେବ ଯେ ପୂର୍ବବର୍ତ୍ତୀ କବି ପଣ୍ଡିତ – ଏଥିରେ ସନ୍ଦେହର କୌଣସି କାରଣ ନାହିଁ ।

 

ପ୍ରୋକ୍ତ ଆଲୋଚନାର ନିଶ୍ଚିତ ପ୍ରମାଣମାନଙ୍କ ଦୃଷ୍ଟେ ଶ୍ରୀଗୀତଗୋବିନ୍ଦକାର ଜୟଦେବଙ୍କୁ ଗୋବର୍ଦ୍ଧନ ଆଚାର୍ଯ୍ୟଙ୍କ ସମସାମୟିକ ବୋଲି ଦାବୀ ବାଢ଼ିବାଟା ବିବେକବାନ୍‌ କିଏ ବା କିପରି ସ୍ୱୀକାର କରିପାରେ ?

 

ଆଉ ଗୋଟିଏ କଥା ମନକୁ ଆସେ-

ଉଦୟନଙ୍କ ‘ଭାବବିଭାବିନୀ’ ଟୀକାର କାଳ ଦୃଷ୍ଟେ ଗୋବର୍ଦ୍ଧନ ଦ୍ୱାଦଶ ଶତକର ପ୍ରାନ୍ତଭାଗୀୟ କବି । ଏହା ହିଁ ଲକ୍ଷ୍ମଣସେନଙ୍କ ରାଜତ୍ୱକାଳ । ତେଣୁ ଗୋବର୍ଦ୍ଧନ ଲକ୍ଷ୍ମଣସେନଙ୍କ ରାଜସଭା ମଣ୍ଡନ କରୁଥିବା କଥା ହୁଏତ ସମ୍ଭବ ହୋଇପାରେ ।

ନିଶ୍ଚିତ ବୋଲି ନ କହି, ‘ସମ୍ଭବ ହୋଇପାରେ’ ବୋଲି କହିବାର କାରଣ ଲେଖୁଛି:-

 

ଗୋବର୍ଦ୍ଧନାଚାର୍ଯ୍ୟଙ୍କର ସପ୍ତଶତୀ ଗ୍ରନ୍ଥରେ ଯେଉଁ ରାଜପ୍ରଶସ୍ତି ଲେଖାଅଛି, ତହିଁରେ କାହିଁ ହେଲେ ଲକ୍ଷ୍ମଣସେନଙ୍କ ନାମୋଲ୍ଲେଖ ନାହିଁ । ସେ ସେନବଂଶ-ରାଜପ୍ରଶସ୍ତି ଗାଇଛନ୍ତି । ଏଥିପାଇଁ ଯେ ତାଙ୍କ ଲିଖିତ ପ୍ରଶସ୍ତି ନିଶ୍ଚିତଭାବେ ଲକ୍ଷ୍ମଣସେନଙ୍କର- ଏହା କିପରି କୁହାଯାଇପାରିବ ?

ଏ ସମ୍ୱନ୍ଧେ ‘କବି ଜୟଦେବ ଓ ଶ୍ରୀଗୀତଗୋବିନ୍ଦ’ ପୁସ୍ତକର ୨୦ ପୃଷ୍ଠାର ପାଠୋଦ୍ଧାର ଦେଖନ୍ତୁ-

‘‘ଗୋବର୍ଦ୍ଧନାଚାର୍ଯ୍ୟ ତାହାଁର ଆର୍ଯ୍ୟାସପ୍ତଶତୀର ଏକଟି ଶ୍ଳୋକେ ଲିଖିୟ ଛେନ-

ସକଲକଲାଃ କଲୟିତୁଂ ପ୍ରଭୋଃ ପ୍ରବନ୍ଧସ୍ୟ କୁମୁଦବନ୍ଧୋଶ୍ଚ ।

ସେନକୁଲତିଲକ ଭୂପତିରେକୋ ରାକାପ୍ରଦୋଷଶ୍ଚ ।।

 

ପ୍ରବନ୍ଧେରେ (ନୃତ୍ୟଗୀତାଦି ଚତୁଃଷଷ୍ଠୀ କଲା) ଏବଂ କୁମୁଦବନ୍ଧୁର (ଷୋଲକଲା) ସକଲକଲାର ସମ୍ପର୍ଣ୍ଣତା ସାଧନେ ସେନକୁଲତିଳକ ଭୂପତି ଓ ପୂର୍ଣ୍ଣିମାର ସନ୍ଧ୍ୟାଇ ସମର୍ଥ । ଅର୍ଥାତ୍‌ ପୂର୍ଣ୍ଣିମା ପ୍ରଦୋଷେ ଯେମନ କୁମୁଦବନ୍ଧୁ ପୂର୍ଣ୍ଣତା ସଂପ୍ରାପ୍ତ ହନ, ସେନରାଜେର ସମୟ ତେମନି ପୂର୍ଣ୍ଣାଙ୍ଗ ପ୍ରବନ୍ଧ ସକଲ ସଞ୍ଚରିତ ହଇୟାଛିଲ । ପଣ୍ଡିତଗଣେର ମତେ ଏଇ ସେନକୁଲତିଲକ ଭୂପତି ଲକ୍ଷ୍ମଣସେନ । ଦଶଟୀକାବିଦ୍‌ ଆର୍ତ୍ତିହର-ପୁତ୍ର ବନ୍ଦ୍ୟଘଟୀୟ ସର୍ବାନନ୍ଦେର ‘ଟୀକା-ସର୍ବସ୍ୱେ’ ଗୋବର୍ଦ୍ଧନେର ଏବଂ ଗୋବର୍ଦ୍ଧନପ୍ରଣୀତ ଉନାଦି-ବୃତ୍ତିର ଉଲ୍ଲେଖ ଆଛେ । ୧୦୮୧ ଶକାଦ୍ଦାୟ ଏଇ ଗ୍ରନ୍ଥ ରଚିତ ହୟ । ବଲ୍ଲାଲସେନ ତଖନ ସମ୍ରାଟ ଏବଂ ଲକ୍ଷ୍ମଣସେନ ଯୁବରାଜ । ଏଇ ଗୋବର୍ଦ୍ଧନକେଇ ଜୟଦେବ-କଥିତ ଗୋବର୍ଦ୍ଧନାଚାର୍ଯ୍ୟ ଏବଂ ଆର୍ଯ୍ୟାସପ୍ତଶତୀର ରଚୟିତା ବଲିୟା ମନେ ହୟ ।’’

 

ପ୍ରଥମ କଥା- ଯେବେ ଗୋବର୍ଦ୍ଧନାଚାର୍ଯ୍ୟ ବଲ୍ଲାଳସେନଙ୍କ ସଭାକବି ଥିଲେ ଏବଂ ଲକ୍ଷ୍ମଣସେନ ସେତେବେଳେ ଯୁବରାଜ, ତେବେ ପ୍ରଶସ୍ତିଟି ରାଜାଙ୍କର ନ ହୋଇ ଯୁବରାଜଙ୍କର ଗୁଣଗାଥା ବୋଲି କିପରି ବିଚାର କରାଯିବ ? ତେଣୁ ଗୋବର୍ଦ୍ଧନାଚାର୍ଯ୍ୟ କାହା ରାଜସଭାର କବି ? – ବଲ୍ଲାଳସେନଙ୍କର କି ଲକ୍ଷ୍ମଣ ସେନଙ୍କର ?

 

ଦ୍ୱିତୀୟ କଥା ଯଦି ବଲ୍ଲାଳସେନଙ୍କ ରାଜତ୍ୱକାଳ ୧୦୮୧ ଶକାଦ୍ଦ ଏବଂ ଗୋବର୍ଦ୍ଧନାଚାର୍ଯ୍ୟ ସେହି ସମୟର କବି ବୋଲି ଧରିନେବା, ତେବେ ଉଦୟନାଚାର୍ଯ୍ୟ ଯେ କି ଭାବବିଭାବିନୀ ଟୀକା ଲେଖିଛନ୍ତି, ସେ ମଧ୍ୟ ସେହି ସମୟର କବି ବୋଲି ଧରାଯିବେ । ଭାବବିଭାବିନୀ ଟୀକା ଅବଶ୍ୟ ଶ୍ରୀଗୀତଗୋବିନ୍ଦର ବହୁଳ ପ୍ରଚାର ଓ ସମାଦରପରେ ଲେଖାହେବା ନିଶ୍ଚିତ । ଏପରି ସ୍ଥଳେ ଜୟଦେବଙ୍କ କାଳ ୧୦୮୧ ପୂର୍ବର ବୋଲି ବିଚାରିବା ଯୁକ୍ତିଯୁକ୍ତ ହେବ ।

 

ଆହୁରି ମଧ୍ୟ ଏଠାରେ ଭାବିବାର କଥା ଯେ ଗୋବର୍ଦ୍ଧନ ବାସ୍ତବରେ ବଲ୍ଲାଳସେନଙ୍କ ରାଜସଭା-କବି କି ଲକ୍ଷ୍ମଣସେନଙ୍କ ସଭାକବି ?

 

(୪) ଧୋୟୀ କବି

 

ଧୋୟୀ କବିଙ୍କୁ କେତେକ କାରଣରୁ ଲକ୍ଷ୍ମଣସେନଙ୍କ ସଭାକବି ବା ସମକାଳୀନ ବୋଲି ଧରାଯାଇପାରେ । ଧୋୟୀ ‘‘ପବନ ଦୁତମ୍‌’’ କାବ୍ୟପ୍ରଣେତା । ଗ୍ରନ୍ଥର ୨ୟ ଶ୍ଳୋକରେ କବି କହିଛନ୍ତି-

‘‘ତସ୍ମିନ୍ନେକା କୁବଳୟବତୀ ନାମ ଗନ୍ଧର୍ବକନ୍ୟା

ମନ୍ୟେ ଜୈତ୍ରଂ ମୃଦୁକୁସୁମତୋଽପ୍ୟାୟୁଧଂ ଯା ସ୍ମରସ୍ୟ ।’’

ଦୃଷ୍ୱା ଦେବଂ ଭୁବନବିଜୟେ ଲକ୍ଷ୍ମଣ କ୍ଷୌଣିପାଳଂ

ବାଳାସଦ୍ୟଃ କୁସୁମଧନୁଷଃ ସଂବିଧେୟୀବଭୂବ ।।

 

ଏହି ଶ୍ଳୋକଟିରେ ଲକ୍ଷ୍ମଣସେନଙ୍କ ନାମ ଅଛି; କିନ୍ତୁ ଗୋଟିଏ କଥାରେ ଟିକିଏ ସନ୍ଦେହ ଜାଗେ ଯେ ଗତକାଳର କ୍ରିୟା (ବଭୂବ) ଏଥିରେ ବ୍ୟବହୃତ ହୋଇଅଛି । ତେଣୁ ମନେ ହୁଏ ଯେ ସେ ଲକ୍ଷ୍ମଣସେନଙ୍କର ପରବର୍ତ୍ତୀ ମଧ୍ୟ ହୋଇପାରିଥାଆନ୍ତି ।

 

ଗୋବର୍ଦ୍ଧନ ଆଚାର୍ଯ୍ୟଙ୍କର ଅନୁଜ (ଭାବବିଭାବିନୀ ଟୀକାପ୍ରଣେତା) ଉଦୟନାଚାର୍ଯ୍ୟ ଉତ୍କଳର ଗଙ୍ଗବଂଶୀୟ ନରପତି ମହାରାଜ ୨ୟ ରାଜରାଜ ଦେବଙ୍କ ସମସାମୟିକ ବୋଲି ପ୍ରମାଣ ମିଳେ । ସେ ପୁରୀ ଜିଲ୍ଲାର ନିଆଳି ଗ୍ରାମରେ ଶୋଭନେଶ୍ୱର ମନ୍ଦିର ଏବଂ ଭୁବନେଶ୍ୱରସ୍ଥ ମେଘେଶ୍ୱର ମନ୍ଦିର ଶୀଳାଲେଖ ପାଠ ରଚୟିତା । ଏହି ଶୋଭନେଶ୍ୱର ମନ୍ଦିର ତୋଳାଇଥିଲେ ମହାରାଜ ରାଜରାଜ ଦେବଙ୍କର (୨ୟ) ଶାଳକ ସ୍ୱପ୍ନେଶ୍ୱର ଦେବ । ୨ୟ ରାଜରାଜଦେବଙ୍କ କାଳ ୧୧୭୦ – ୧୧୯୪ ଖ୍ରୀଷ୍ଟାଦ୍ଦ ଏବଂ ଲକ୍ଷ୍ମଣସେନ ଏହାର ସମସାମୟିକ ବୋଲି ଇତିହାସ-ମତ । ଗୋବର୍ଦ୍ଧନ ଆଚାର୍ଯ୍ୟ ମଧ୍ୟ ଏହି ସମୟର ଶୃଙ୍ଗାରୀ କବି ।

 

ପୂର୍ବ ଆଲୋଚନାରୁ ଏହା ସ୍ପଷ୍ଟ ପ୍ରମାଣିତ ଯେ ଜୟଦେବ ଗୋବର୍ଦ୍ଧନଙ୍କର ବହୁ ପୂର୍ବବର୍ତ୍ତୀ ମହାକବି । ତେଣୁ ଶୃଙ୍ଗାରରସ-ରଚନାର ଶ୍ରେଷ୍ଠ କବି ଶ୍ରୀଗୀତଗୋବିନ୍ଦକାର ଜୟଦେବ କିପରି ଲେଖିପାରିଲେ:-

‘‘ଶୃଙ୍ଗାରୋତ୍ତର-ସତ୍‌ ପ୍ରମେୟ-ରଚନୈରାଚାର୍ଯ୍ୟ ଗୋବର୍ଦ୍ଧନ ସ୍ପର୍ଦ୍ଧୀ ।’’

 

ପଦ୍ମାବତୀ-ଚରଣ-ଚାରଣ-ଚକ୍ରବର୍ତ୍ତୀ ଶ୍ରୀରାଧାଗୋବିନ୍ଦ-ରତିକେଳି-କଥା ରସିକ କବି ଶୃଙ୍ଗାରବର୍ଣ୍ଣନାରେ ଗୋବର୍ଦ୍ଧନଙ୍କୁ ଉଚ୍ଚ ସ୍ଥାନ ଦେଇ ନିଜର ଦୀନତା ପ୍ରକାଶନ କଅଣ ସମ୍ଭବ କେବେ ?

 

ବନମାଳୀ ଦାସଙ୍କର ‘ଜୟଦେବ ଚରିତ୍ର’ ଭଳି ଏ ଶ୍ଳୋକରଚନା ମଧ୍ୟ ନିଶ୍ଚିତଭାବେ ଚତୁର ଦୁଷ୍ଟ-କଳ୍ପନା- ଏଥିରେ ସନ୍ଦେହ କଅଣ ?

 

ଲକ୍ଷ୍ମଣସେନ ତଥା ଜୟଦେବଙ୍କ କାଳ-ବିଚାରସମ୍ୱନ୍ଧରେ ଶ୍ରୀଧର ଦାଶ ସଂକଳିତ ସଦୁକ୍ତି କର୍ଣ୍ଣାମୃତ ଗ୍ରନ୍ଥ-ପ୍ରମାଣ ମଧ୍ୟ ଏକାନ୍ତ ପ୍ରଣୀଧାନଯୋଗ୍ୟ ।

 

ପୂର୍ବେ କୁହାଯାଇଅଛି ଯେ ରାଜା ଲକ୍ଷ୍ମଣସେନ ଶ୍ରୀଧର ଦାଶଙ୍କ ପୃଷ୍ଠପୋଷକ । ଶ୍ରୀଧର ଦାଶ ସଦୁକ୍ତିକର୍ଣ୍ଣାମୃତ ସଂକଳନ ଆରମ୍ଭ କଲେ ୧୧୬୯ ଖ୍ରୀଷ୍ଟାଦ୍ଦରେ । ସେ ଥିଲେ ଲକ୍ଷ୍ମଣସେନଙ୍କ ପିତା ବଲ୍ଲାଳସେନଙ୍କ ସଭାକବି । ବଲ୍ଲାଳସେନ ତାଙ୍କ ରଚିତ ‘ଦାନ ସାଗର’ ଗ୍ରନ୍ଥରେ ପ୍ରୋକ୍ତ ସଦୁକ୍ତିକର୍ଣ୍ଣାମୃତର ସଂକଳନ-କାଳ ଉଲ୍ଲେଖ କରିଛନ୍ତି । ଗ୍ରନ୍ଥଟି ସମାପ୍ତ ହେଲା ଲକ୍ଷ୍ମଣସେନଙ୍କ ରାଜତ୍ୱର ୨୨ବର୍ଷ ଅର୍ଥାତ୍‌ ୧୨୦୫ଖ୍ରୀଷ୍ଟାଦ୍ଦରେ ।

 

ବଲ୍ଲାଳସେନ ୧୧୬୮ ଖ୍ରୀଷ୍ଟାଦ୍ଦ (୧୦୯୦ ଶକ)ରେ ‘ଅଦଭୁତ ସାଗର’ ଅଧା ଲେଖାବେଳେ ସ୍ୱର୍ଗବାସ କଲେ । ଗ୍ରନ୍ଥଟି ତାଙ୍କ ପୁତ୍ର ଲକ୍ଷ୍ମଣସେନ ପୂର୍ଣ୍ଣ କଲେ । ଏହି ଗ୍ରନ୍ଥ ଉଲ୍ଲେଖରୁ ଜଣାଯାଏ ଯେ ବଲ୍ଲାଳସେନ ୧୧୬୦ ଖ୍ରୀଷ୍ଟାଦ୍ଦରେ (୧୦୮୨ ଶକ) ରାଜତ୍ୱ ଆରମ୍ଭକରି ଖ୍ରୀ:୧୧୮୪ ପର୍ଯ୍ୟନ୍ତ ରାଜପଣ କଲେ ।

 

ସଂକଳିତ ସଦୁକ୍ତିକର୍ଣ୍ଣାମୃତ ଗ୍ରନ୍ଥରେ ଜୟଦେବଙ୍କର ପାଞ୍ଚଗୋଟି ଶ୍ଳୋକ ଉଦ୍ଧାର କରାଯାଇଅଛି । ଉକ୍ତ ଗ୍ରନ୍ଥଟି ପାଞ୍ଚଗୋଟି ପରିଚ୍ଛେଦରେ ସମ୍ପୂର୍ଣ୍ଣ । ଏହି ପରିଚ୍ଛେଦଗୁଡ଼ିକୁ କୁହାଯାଇଅଛି ‘ପ୍ରବାହ’ ; ଯଥା:- (୧) ଦେବପ୍ରବାହ, (୨) ଶୃଙ୍ଗାରପ୍ରବାହ, (୩) ଚାଟୁପ୍ରବାହ, (୪) ଅପଦେଶପ୍ରବାହ ଓ (୫) ଉଚ୍ଚାବଚପ୍ରବାହ ।

 

ଏଥିମଧ୍ୟରୁ ଦେବପ୍ରବାହ (୧) ଏବଂ ଶୃଙ୍ଗାରପ୍ରବାହ (୨)ର ନିମ୍ନଲିଖିତମତେ ପାଞ୍ଚଗୋଟି ସ୍ଥଳରେ ଶ୍ରୀଗୀତଗୋବିନ୍ଦର ଶ୍ଳୋକଗୁଡ଼ିକୁ ସେ ଉଦ୍ଧାର କରିଛନ୍ତି ; ଯଥା:- ୧ – (ଦେବପ୍ରବାହ) ୫୯ ବୀଚି, ୪ର୍ଥ ଶ୍ଳୋକ:-

            ‘‘ଜୟଶ୍ରୀବିନ୍ୟସ୍ତୈର୍ମହିତ ଇବ ମନ୍ଦାରକୁସୁମୈଃ.....’’

 

ଏହା ଶ୍ରୀଗୀତଗୋବିନ୍ଦର ଏକାଦଶ ସର୍ଗ-(ସାନନ୍ଦ ଗୋବିନ୍ଦଅଭିସାରିକା ବର୍ଣ୍ଣନ)ର ସର୍ବଶେଷ ଶ୍ଳୋକ ।

 

୨-(ଶୃଙ୍ଗାରପ୍ରବାହ) ବୀଚି- ୪ର୍ଥ ଶ୍ଳୋକ :-

‘‘ଅଙ୍ଗେ ସ୍ୱାଭରଣଂ କରୋତି ବହୁଶଃ ପତ୍ରେଽପି ସଞ୍ଚାରିଣି’’- ଏହା ଶ୍ରୀଗୀତଗୋବିନ୍ଦର ଷଷ୍ଠ ସର୍ଗ (ଧୃଷ୍ଟ-ବୈକୁଣ୍ଠ-ବାସକସଜ୍ଜିକା ବର୍ଣ୍ଣନ)ର ସର୍ଗଶେଷ ପୂର୍ବର ଶ୍ଳୋକ ।

 

୩-(ଚାଟୁପ୍ରବାହ) ବୀଚି ୧୩୨-୪ର୍ଥ ଶ୍ଳୋକ ।

ଶ୍ରୀଗୀତଗୋବିନ୍ଦର (ସୁପ୍ରୀତ-ପୀତାମ୍ୱର) ଦ୍ୱାଦଶ ସର୍ଗର ୨୩ଶ ଗୀତର ପରବର୍ତ୍ତୀ ଶ୍ଳୋକ (ରତାରମ୍ଭ ବର୍ଣ୍ଣନା) । ଏ ଶ୍ଳୋକଟିର ‘‘ପ୍ରତ୍ୟୂହଃ ପୁଲକାଙ୍କୁରେଣ’’ ସ୍ଥଳରେ :-

‘‘ଉନ୍ମୀଳତ୍‌ ପୁଲକାଙ୍କୁରେଣ ନିବିଡ଼ାଶ୍ଳେଷେ ନିମେଷେଣ ଚ ।’’

 

୪- ଆଲୋଚିତ ଗ୍ରନ୍ଥର ୨ୟ ପ୍ରବାହ ୧୩୪ ବୀଚି-୪ର୍ଥ ଶ୍ଳୋକରେ ଶ୍ରୀଗୀତଗୋବିନ୍ଦର ୧୨ଶ ସର୍ଗର ଦ୍ୱାଦଶ ଶ୍ଳୋକଟି ଉଦ୍ଧାର କରାଯାଇଅଛି ;

ଯଥା:-

‘‘ମାରାଙ୍କେ ରତିକେଳି-ସଂକୁଳ ରଣାରମ୍ଭେ......’’ ଇତ୍ୟାଦି

(ବିପରୀତ ରତି ବର୍ଣ୍ଣନାତ୍ମକ)

 

୫- ପ୍ରୋକ୍ତ ଶୃଙ୍ଗାରପ୍ରବାହ ୧୩୭ ବୀଚି-୫ମ ଶ୍ଳୋକ :-

‘‘ତସ୍ୟା ପାଟଳ-ପାଣିନାଙ୍କିତମୁରୋ ନିଦ୍ରାକଷାୟେ ଦୃଶୌ’’ ଇତ୍ୟାଦି ଶ୍ରୀଗୀତଗୋବିନ୍ଦ ଦ୍ୱାଦଶାଧ୍ୟାୟର ୧୩ଶ ଶ୍ଳୋକଟି ଉଦ୍ଧୃତ ହୋଇଅଛି । ବିଚାର କରିବାର କଥା ଯେ ସଦୁକ୍ତିକର୍ଣ୍ଣାମୃତ ଲେଖନ ଆରମ୍ଭକାଳ ୧୧୬୯ ଖ୍ରୀଷ୍ଟାଦ୍ଦ ଏବଂ ଏହି ଗ୍ରନ୍ଥର ପ୍ରଥମ ପ୍ରବାହରେ ଶ୍ରୀଗୀତଗୋବିନ୍ଦର ଏକାଦଶ ସର୍ଗର ଶ୍ଳୋକ ଉଦ୍ଧୃତ ହୋଇଅଛି । ଏତେବେଳକୁ ଶ୍ରୀଗୀତଗୋବିନ୍ଦ ବହୁଳ ପ୍ରଚାରିତ ଓ ସମାଦୃତ ହୋଇଥିବାର ଏହା ପ୍ରକୃଷ୍ଟ ନିଦର୍ଶନ । ଏହି ପ୍ରଚାର ଓ ସମାଦର ଲାଭନିମିତ୍ତ ଯଥେଷ୍ଟ ସମୟ ଲାଗିଥିବା ସ୍ୱାଭାବିକ । ଏଥିରୁ ଶ୍ରୀଗୀତଗୋବିନ୍ଦର ରଚନାକାଳ ସହଜ ଅନୁମେୟ ।

 

ପଣ୍ଡିତ ଶ୍ରୀଧରଦାଶ ବଲ୍ଲାଳସେନଙ୍କ ସମୟରେ ସଦୁକ୍ତିକର୍ଣ୍ଣାମୃତ ରଚନା ଆରମ୍ଭ କଲେ । ଜୟଦେବ ଅପରିଣତ ବୟସରେ ଶ୍ରୀଗୀତଗୋବିନ୍ଦ ଲେଖିଥିବା ସମ୍ଭବପର ନୁହେଁ; କାରଣ ସେତେବେଳକୁ ସେ ‘ପଦ୍ମାବତୀଚରଣ-ଚାରଣ-ଚକ୍ରବର୍ତ୍ତୀ’ ହୋଇସାରିଛନ୍ତି । ଏ ଶ୍ଳୋକାଂଶଟି ଶ୍ରୀଗୀତଗୋବିନ୍ଦ ଗ୍ରନ୍ଥାରମ୍ଭ ଅଧ୍ୟାୟର ଲେଖା । ସଦୁକ୍ତିକର୍ଣ୍ଣାମୃତର ଦ୍ୱିତୀୟ ପ୍ରବାହରେ ଶ୍ରୀଗୀତଗୋବିନ୍ଦର ଏକାଦଶ ଓ ଦ୍ୱାଦଶ (ଶେଷ) ସର୍ଗର ଶ୍ଳୋକ ଉଦ୍ଧାର କରାଯାଇଅଛି । ତେଣୁ ସଦୁକ୍ତି କର୍ଣ୍ଣାମୃତ ରଚନାର ବହୁ ପୂର୍ବରୁ ଯେ ଶ୍ରୀଗୀତଗୋବିନ୍ଦ ଅବଶ୍ୟ ଲିଖିତ ହୋଇଥିଲା ଏଥିରେ ସନ୍ଦେହର ଅବକାଶ କାହିଁ ?

 

ସଦୁକ୍ତିକର୍ଣ୍ଣାମୃତର ୩ୟ ପ୍ରବାହ ୧୧ଶ ବୀଚିର ୫ମ ଶ୍ଳୋକଟି ମହାରାଜ ଲକ୍ଷ୍ମଣସେନଙ୍କ ପ୍ରଶସ୍ତି ବୋଲି କହିଛନ୍ତି କେତେକ ବଙ୍ଗୀୟ ପଣ୍ଡିତ । ଅବଶ୍ୟ କାହିଁ ହେଲେ ସେ ଶ୍ଳୋକଟିରେ ଲକ୍ଷ୍ମଣସେନଙ୍କ ନାମୋଲ୍ଲେଖ ନାହିଁ । ଏହି ଶ୍ଳୋକ ଉଦ୍ଧାର କରି ଜୟଦେବଙ୍କୁ ଶ୍ରୀଧର ଦାଶଙ୍କ ସମସାମୟିକ ଏବଂ ଲକ୍ଷ୍ମଣସେନଙ୍କ ସଭାକବି ବୋଲି ମଧ୍ୟ ଦାବି କରାଯାଇଛି । ଶ୍ଳୋକଟି ପାଠକରି ରଚନାର ଶୈଳୀ ଅନୁମାନ କରନ୍ତୁ ।

 

‘‘ଲକ୍ଷ୍ମୀକେଳିଭୂଜଙ୍ଗ ! ଜଙ୍ଗମହରେ ! ସଂକଳ୍ପକଳ୍ପଦ୍ରୁମ !

ଶ୍ରେୟଃ ସାଧକସଙ୍ଗ ସଙ୍ଗରକଳାଗାଙ୍ଗେୟ ! ବଙ୍ଗପ୍ରିୟ !

ଗୌଡ଼େନ୍ଦ୍ର ! ପ୍ରତିରାଜରାଜକ ! ସଭାଳଙ୍କାର ! କାରାର୍ପିତ-

ପ୍ରତ୍ୟର୍ଥି କ୍ଷିତିପାଳ ! ପାଳକସତାଂ ! ଦୃଷ୍ଟୋଽସି, ତୁଷ୍ଟାବୟମ୍‌ ।।’’

 

ପୂର୍ବେ ସଦୁକ୍ତିବର୍ଣ୍ଣାମୃତକାର କବିଙ୍କ କାଳସମ୍ୱନ୍ଧେ ଆଲୋଚନା କରାଯାଇଅଛି ଏବଂ ଗ୍ରନ୍ଥଟିରେ ଶ୍ରୀଗୀତଗୋବିନ୍ଦଧୃତ ଶ୍ଳୋକମାନ ଦର୍ଶାଇ ଦିଆଯାଇଅଛି । ସୁଧୀବର୍ଗ ବର୍ତ୍ତମାନ ବିଚାର କରନ୍ତୁ କବି ଜୟଦେବ ଶ୍ରୀଧର ଦାଶଙ୍କ ସମସାମୟିକ କିପରି ହୋଇପାରନ୍ତି ।

 

ଏହିପରି ବହୁ ଅପ୍ରାସଙ୍ଗିକ, ଅବାନ୍ତର ଯୁକ୍ତିମାନ ଦର୍ଶାଇ ଜୟଦେବଙ୍କୁ ଆପଣାର ବୋଲି ଟାଣି ଓଟାରି ପ୍ରମାଣ କରିବାକୁ ତିଳେ ହେଲେ କୁଣ୍ଠାବୋଧ କରି ନାହାନ୍ତି କେତେକ ବଙ୍ଗୀୟ ପଣ୍ଡିତ । ଗୋଟିକେତେ ଦୃଷ୍ଟାନ୍ତ ସେଥିରୁ ଉଦ୍ଧାର କରାଯାଉଅଛି ସହୃଦୟ ପାଠକ-ପାଠିକାଙ୍କ କୌତୂହଳୀ ଦୃଷ୍ଟି ଆକର୍ଷଣ ଅପେକ୍ଷାରେ ।

 

ଓଡ଼ିଶା ପ୍ରତି ଅଶେଷ କରୁଣା ପ୍ରଦର୍ଶନ କରି ବଙ୍ଗୀୟ ସୁଖ୍ୟାତ ପଣ୍ଡିତ ଶ୍ରୀ ହରେକୃଷ୍ଣ ମୁଖୋପାଧ୍ୟାୟ ମହାଶୟ ଲେଖିଛନ୍ତି- ‘ଉଡ଼ିଶ୍ୟାର ସଙ୍ଗେ କବିର ସମ୍ୱନ୍ଧ ଛିଲ ବଲିୟାଁ ମନେ ହୟ ।’’

 

ପୁଣି ‘କବି ଜୟଦେବ ଓ ଶ୍ରୀଗୀତଗୋବିନ୍ଦ’ ଗ୍ରନ୍ଥର ପ୍ରୋକ୍ତ ୩୩ ପୃଷ୍ଠାରେ ସେ ଲେଖିଛନ୍ତି-

‘‘ସମ୍ରାଟ ଲକ୍ଷ୍ମଣ ସେନେର ପିତାମହ ବିଜୟସେନର ସଙ୍ଗେ ଉଡ଼ିଶ୍ୟାପତି ଚୋଡ଼ଗଙ୍ଗ ଦେବେର ବିଶେଷ ସଖ୍ୟ ଛିଲ । ସମ୍ରାଟ ବଲ୍ଲାଲସେନ ଓ ଲକ୍ଷ୍ମଣସେନେର ସହିତ ଉଡ଼ିଶ୍ୟାର ସମ୍ୱନ୍ଧେର କଥା ଓ ଇତିହାସସ୍ୱୀକୃତ ସତ୍ୟ ।’’

 

(ଏହିଠାରେ ଦର୍ଶାଯାଇପାରେ ଯେ ସମ୍ରାଟ ଲକ୍ଷ୍ମଣସେନ ବକ୍ତିୟାର ଖିଲିଜଙ୍କଦ୍ୱାରା ରାଜ୍ୟ ବିତାଡ଼ିତ ହୋଇ ଆଶ୍ରୟପାର୍ଥୀରୂପେ ଉତ୍କଳ ସମ୍ରାଟଙ୍କର ଦ୍ୱାରସ୍ଥ ହୋଇଥିଲେ ବୋଲି ଇତିହାସ ଡାକେ । ଇଂରାଜୀ ରିଆଜୁସ୍‌ ସଲାତିନ୍‌ ଦେଖନ୍ତୁ।)

 

ପୁଣି ସେହି ପଣ୍ଡିତ ମହାଶୟ ପ୍ରୋକ୍ତ ଗ୍ରନ୍ଥର ୨୬୦ ପୃଷ୍ଠାରେ ଲେଖିଛନ୍ତି :-

‘‘ଲକ୍ଷ୍ମଣସେନ ଓ ଉଡ଼ିଶ୍ୟାୟ ଅଭିଯାନ କରିୟାଛିଲେନ ।’’

(ଆମ୍ଭମାନଙ୍କ ଜାଣିବାରେ ‘ଅଭିଯାନ’ ଶଦ୍ଦର ଅର୍ଥ ଯୁଦ୍ଧ ଜୟ ବା ଦେଶାବିଷ୍କାରପାଇଁ ଯାତ୍ରା)

 

ପୁଣି ‘‘ସମ୍ରାଟ ଲକ୍ଷ୍ମଣସେନେର ସଙ୍ଗେ ତଦାନୀନ୍ତନ ଉଡ଼ିଶ୍ୟାପତି ସନ୍ଧିବନ୍ଧନେ ଆବଦ୍ଧ ହଇୟାଛିଲେନ ଏବଂ ଲକ୍ଷ୍ମଣସେନ ସଭାକବି ଜୟଦେବକେ ଲଇୟା ଜଗନ୍ନାଥଦେବକେ ଦର୍ଶନ କରିୟାଛିଲେନ । ସେଇ ସମୟ ଶ୍ରୀଜଗନ୍ନାଥଦେବ ତଥା ପୁରୀରାଜ ଓ ବଙ୍ଗେଶ୍ୱରେର ପ୍ରୀତିବିଧାନାର୍ଥ କବି ଜୟଦେବ ବୈଷ୍ଣବାମୃତ ରଚନା କରିୟା ଦିୟାଛିଲେନ ।’’

X            X            X            X

 

‘‘ପୁସ୍ତକ ଖାନି ଉଡ଼ିଶ୍ୟାୟ ପାଓୟା ଗିୟାଛେ । ବାଙ୍ଗାଲୀ କବିର ବହୁ ଗ୍ରନ୍ଥ ନେପାଲେ ଆବିଷ୍କୃତ ହଇୟାଛେ । ତାହାର କୋନ ପ୍ରତିଲିପି ବାଙ୍ଗାଲାୟ ପାଓୟା ଯାୟନା । ସୁତରାଂ ଗ୍ରନ୍ଥ ଉଡ଼ିଶ୍ୟାୟ ପାଓୟା ଗିୟାଛେ, ଅତଏବ ଜୟଦେବ ଉଡ଼ିୟା ଛିଲେନ- ଏ ଯୁକ୍ତି ଅଚଲ ।’’

                                                (କ:ଜ: ପୃଷ୍ଠା ୨୬୧)

 

ପଣ୍ଡିତ ମହାଶୟଙ୍କର ପୂର୍ବୋକ୍ତ ପ୍ରକାରେ ବାଢ଼ିଥିବା ଯୁକ୍ତି ମଧ୍ୟ ଚଳ କି ଅଚଳ-ସୂଧୀଜନଙ୍କ ଅବଧାନକୁ ଆସୁ ।

ଆହୁରି ମଧ୍ୟ-

(କ) ‘‘ପୂଣ୍ୟତୀର୍ଥ ପୁରୀଧାମେର ସଙ୍ଗେ କବିଜୀବନେର ଅନେକ କାହିନୀ ଓତପ୍ରୋତଭାବେ ଜଡ଼ାଇୟା ଆଛେ ।’’

 

(ଖ) ‘‘ଯତ କାଲ ବାଙ୍ଗାଲୀ ବାଁଚିବେ କବି ଜୟଦେବ ଏଇ ପୂଜାର ଆସନେ ବାଙ୍ଗାଲାର ହୃଦୟ-ମନ୍ଦିରେ ଚିର ପ୍ରତିଷ୍ଠିତ ଥାକିବେନ ।’’

                                          (କ:ଜ: ଓ ଶ୍ରୀ ଗୀ:ଗୋ: - ପୃଷ୍ଠା ୩୩)

 

(ଗ) ‘‘ X X X ଇଁହାର ଉପର କାବ୍ୟ-ସ୍ମୃତି ବିଜଡ଼ିତ ଯମୁନାର ତଟପ୍ରାନ୍ତେ, କଖନୋ ମେଘମେଦୁର ବରଷାର ନବ ସମାରୋହ, କଖନୋ ବା ନବ-ବସନ୍ତେର ସୁରଭି ସୌନ୍ଦର୍ଯ୍ୟେ, ବୃନ୍ଦାବନେର ନା ହଉକ, ବାଙ୍ଗାଲା ଦେଶେର ତମାଲ ଶ୍ୟାମଲ ବନଭୂମି ଯେ ଅପୂର୍ବ ଶ୍ରୀ ଧାରଣ କରିତ, ସେଇ ପ୍ରାକୃତିକ ସୌନ୍ଦର୍ଯ୍ୟେର ଛାୟା ଓ ଜୟଦେବର କାନ୍ତକୋମଲପଦାବଲୀର ମାଧୁର୍ଯ୍ୟ-ରସ-ସିକ୍ତ ଭାବରାଜିର ସହିତ ବିଚିତ୍ର ଭାବେ ମିଶିୟା ଗିୟାଛେ ।                                                            (କ:ଜ:ପୃ୬୮)

 

[ଅଜୟ ତୀରବର୍ତ୍ତୀ ଜୟଦେବ କେନ୍ଦୁଲି (ବୀରଭୂମି) ନିକଟରେ ‘‘ତମାଲଶ୍ୟାମଲ ବନଭୂମି’’ ଅଛି ତ ? ବଙ୍ଗଳାଦେଶ ଏହି ତମାଳ-ଶ୍ୟାମଳ ବନଭୂମିର ଅପୂର୍ବଶ୍ରୀ ବିମଣ୍ଡିତ କି ?]

 

ଏହିପରି ବହୁ ମତେ ଦିବ୍ୟ ବିବେଚନାପରେ ପଣ୍ଡିତପ୍ରବର ଦୃଢ଼ ସିଦ୍ଧାନ୍ତରେ ଉପନୀତ ହୋଇ ଆହୁରି ଲେଖିଛନ୍ତି :-

(ଘ) ‘‘ଯେ ଦିକ୍‌ ଦିଆଇ ଦେଖି କବି ଜୟଦେବ ଆମାଦେର ଶ୍ରେଷ୍ଠ ମହାଜନ ।।’’            (କ: ଜ: ପୃ୨୫୦)

 

ଏ ଅପୂର୍ବ ସିଦ୍ଧାନ୍ତ ସମ୍ୱନ୍ଧେ କିଛି ମନ୍ତବ୍ୟ ନ ଦେବା ଭଲ । ଖାଲି ମନେ ପଡ଼ିଯାଉଛି ଆମ କବିଙ୍କର ଧାଡ଼ିଟିଏ ଗୀତ-

      ‘‘ତୁହାଇ ତୁହାଇ ପୁଟ ଦେଉଥିଲେ

                  ଲୁହା କି ହୋଇବ ସୁନା ?’’

 

ପଦାବଳୀ

 

‘ଗୀତ-ଗୋବିନ୍ଦ’ – ଗୀତି ମହାକାବ୍ୟର ଏଇ ନାମକରଣଟି ହିଁ ଦୁଇଟି ଶଦ୍ଦର ସମାବେଶ ବୁଝାଏ ; ଯଥା ;- ଗୀତ ସହିତ ଗୋବିନ୍ଦ । ମହାକବି ତାଙ୍କ ଗ୍ରନ୍ଥର ନାମକରଣରେ ହିଁ ‘ଦୁଇ’କୁ ‘ଏକ’ ଆତ୍ମା କରି ଗଢ଼ିଦେଇଛନ୍ତି । ସ୍ୱର ଏବଂ ଶଦ୍ଦର ବିଚିତ୍ର ଭଙ୍ଗିମା ବିକାଶର ଅନ୍ତରାଳରେ ଆଡ଼ଲୁଚାଦେଇ ରହିଛି ବିରହ-ମିଳନ । ଏଇ ବିରହ-ମିଳନ ମନ୍ଦିରରେ ମରଜୀବନସୁଲଭ ରସାନୁଭୂତିର ଅଲିଭା ବନକବୋଳା ଯୁଗ ଯୁଗର ଅମର ଦେବତା ମୂର୍ତ୍ତିମନ୍ତରୂପେ ବିରାଜମାନ । ଏଇଠି ଘଟିଛି ପାର୍ଥିବ ଆଉ ଅପାର୍ଥିବର ମଧୁର-ମିଳନୋତ୍ସବ ।

 

କେବଳ ଅପ୍ରାକୃତିକ ଗୋବିନ୍ଦଲୀଳା କିମ୍ୱା ପ୍ରାକୃତ ପ୍ରିୟ-ପ୍ରିୟାସମ୍ଭବ ପ୍ରେମରଙ୍ଗ ଘେନି ରଚନାର ଅଂଗ ସମଳଂକୃତ ନୁହେଁ । ମାନସିକ କଳ୍ପନା ଓ ଦୈହିକ ଅନୁଭୂତି କାବ୍ୟ ଦର୍ପଣରେ ସ୍ପଷ୍ଟ ପ୍ରତିବିମ୍ୱିତ ।

 

କେହି କହିପାରନ୍ତି ଯେ ଶ୍ରୀଗୀତଗୋବିନ୍ଦ ଶୃଙ୍ଗାରରସରଞ୍ଜିତ କାବ୍ୟ ଏବଂ ଜୟଦେବ ତାଙ୍କ ଇଷ୍ଟଦେବ-ଦେବୀ ଶ୍ରୀକୃଷ୍ଣ ଓ ଶ୍ରୀମତୀଙ୍କର ରତିକେଳିର ଚିତ୍ର ତହିଁରେ ପରଶିଛନ୍ତି । ତେଣୁ କାବ୍ୟଟି ଅପାଂକ୍ତେୟ ।

 

ତହିଁକି ସେମାନଙ୍କୁ ଭାରତୀୟ ବନ୍ଦ୍ୟ କବିମାନଙ୍କର ତଦାନୀନ୍ତନ କାବ୍ୟରୁଚିର ଦୃଷ୍ଟାନ୍ତ ଉପସ୍ଥାପିତ କରାଯାଇପାରେ । ବିଶେଷତଃ ମହାକବି କାଳିଦାସଙ୍କର ସୁପ୍ରସିଦ୍ଧ ରଘୁବଂଶ କାବ୍ୟର ପ୍ରାରମ୍ଭିକ ଶ୍ଳୋକ- ‘‘ଜଗତ୍‌ପିତରୌ-ବନ୍ଦେ ପାର୍ବତୀ-ପରମେଶ୍ୱରୌ ।’’- ପାଦଟି ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇପାରେ । ବିଶେଷତଃ ମହାକବି ଜଗତର ପିତାମାତା ହରଗୌରୀଙ୍କୁ ପ୍ରଣାମପୂର୍ବକ ଗ୍ରନ୍ଥରେ ସେମାନଙ୍କ ସମ୍ଭୋଗ ବର୍ଣ୍ଣନା କରିଛନ୍ତି । ଏଇ ଥିଲା ସେ କାଳର ପ୍ରଥା । ପୁଣି ଏ କଥା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ, ଶ୍ରୀଗୀତଗୋବିନ୍ଦରଚନାର ପରିକଳ୍ପନାରେ ଅଶ୍ଳୀଳତା ମୁଖ୍ୟ ନୁହେଁ । ଏହା ଗୀତକାବ୍ୟଟିର ପ୍ରେରଣାଦାୟକ ନୁହେଁ । ସଂସ୍କୃତ ଓ ପ୍ରାକୃତ ବା ଦେଶୀୟ ଭାଷାର ସୁମଞ୍ଜୁଳ ସମ୍ମେଳନରେ ଭାବଭୋଳା କବି ଏଇ ଲୀଳା-ମହୋତ୍ସବର ‘ମଙ୍ଗଳମୁଜ୍ଜ୍ୱଳଗୀତମ୍‌’ ଶୁଣାଇଛନ୍ତି ରସିକସମାଜକୁ;- ଯାହା କବିଙ୍କର ଏକାନ୍ତ ସ୍ୱତନ୍ତ୍ରତା, ମୌଳିକତା, ବିଚିତ୍ରତା । ଏଇଠାରେ କାବ୍ୟଜଗତର ଗତାନୁଗତିକ ପନ୍ଥା ଏକାବେଳେ ବଦଳାଇ ଦେଇ ଦେଶକାଳୋଚିତ ଏଇ ଅଭିନବ ସରଣୀ ପ୍ରଦର୍ଶନ କରାଇଛନ୍ତି କବି ଜୟଦେବ ।

 

ଏଥିସହିତ ମହାକବି ରଚନା କରିଛନ୍ତି ମଧୁର-କୋମଳ-କାନ୍ତ ‘ପଦାବଳୀ’ । ଏଗୁଡ଼ିକ ଠିକ୍‌ ସଂସ୍କୃତ ଚତୁଷ୍ପଦୀ ଶ୍ଳୋକ-ନିୟମାଧୀନ ନୁହେଁ । ପ୍ରାକୃତ ରୀତିର ଧ୍ରୁବା ବା ‘ଘୋଷା’ ଏବଂ ପଦ ବା ‘ଅନ୍ତରା’ ଘେନି ରଚିତ । ସର୍ବୋପରି ରସାନୁସାରୀ ରାଗ-ତାଳ-ଅନୁଶାସିତ ।

 

ଏଇ ‘ପଦାବଳୀ’ ଶବ୍ଦଟି ହିଁ ପ୍ରାକୃତ-ଦେଶୀ ଏବଂ ଏହା ଦେଶୀ ପ୍ରକୃତି-ସମ୍ଭବ ରଚନା । ଘୋଷାପଦ ସହିତ ସମଗ୍ର ଗୀତଭାବ ଅଙ୍ଗାଙ୍ଗୀଭାବେ ସମ୍ପୃକ୍ତ । ସଂଗୀତଶାସ୍ତ୍ର-ବର୍ଣ୍ଣନାନୁସାରେ ‘ଧ୍ରୁବା ପାଞ୍ଚାଳୀ’ ଶ୍ରେଣୀୟ ପ୍ରଥା ଅବଲମ୍ୱନରେ ରଚିତ ପଦାବଳୀ ହିଁ ଶ୍ରୀଗୀତଗୋବିନ୍ଦର ପ୍ରାଣ । ସଂସ୍କୃତ ମାତ୍ରାଛନ୍ଦର ଅନୁସରଣରେ ଏଗୁଡ଼ିକ ପ୍ରସ୍ତୁତ । ମଧ୍ୟବର୍ତ୍ତି ରସାନୁକୁଳକ ବିଭିନ୍ନ ବୃତ୍ତରେ ରଚିତ ଶ୍ଳୋକଗୁଡ଼ିକ ବିଷୟବସ୍ତୁ ଉପସ୍ଥାପନାର ଯୋଗସୂତ୍ର ।

 

ଗୀତିକାବ୍ୟର ଶ୍ଳୋକ ରଚନାରେ ମହାକବି ଯେପରି ବିଶିଷ୍ଟ ସଂସ୍କୃତପଣ୍ଡିତରୂପେ ନମସ୍ୟ, ରାଗତାଳନିୟନ୍ତ୍ରିତ ପଦାବଳୀ ରଚନାରେ ସେ ସେହିପରି ଆଦିମ-ସଂଗୀତକାରରୂପେ ବନ୍ଦନୀୟ । କେବଳ ପଦାବଳୀ ବା ଗୀତରେ ନୁହେଁ; ଶ୍ଳୋକରେ ମଧ୍ୟ ସେ ଅନୁପ୍ରାସ-ସଜ୍ଜାର ଲାଳସା ସମ୍ୱରଣ କରିପାରି ନାହାନ୍ତି; ଉଦାହରଣସ୍ୱରୂପ ଶାର୍ଦ୍ଦୂଳବିକ୍ରୀଡ଼ିତ ବୃତ୍ତରେ ରଚିତ ଦଶାବତାର ଶ୍ଳୋକଟି ଉପସ୍ଥାପିତ କରାଯାଇପାରେ । ବୃତ୍ତଟିର ଅକ୍ଷର ସଂଖ୍ୟା ୧୯ଗୋଟି ! ଦ୍ୱାଦଶ ଏବଂ ସପ୍ତମ ଅକ୍ଷର ଉପରେ ଯତି ନିର୍ଦ୍ଦେଶ ଥିଲେ ମଧ୍ୟ ସାଧାରଣତଃ ଶ୍ଳୋକାବୃତ୍ତିକାଳରେ ୬ + ୬ + ୭ମ ଅକ୍ଷର ଉପରେ ସ୍ୱାଭାବିକଭାବେ ଯତିପାତ ହୁଏ । ମହାକବି ଏଇ ସାଧାରଣ ଆବୃତ୍ତି ରୀତି ଗ୍ରହଣ କରି ପ୍ରତ୍ୟେକ ବିଭାଗାନ୍ତରେ ଅନୁପ୍ରାସ ଯୋଗାଡ଼ିବାର ବ୍ୟବସ୍ଥା କରିଛନ୍ତି ।

 

ଯଥା:- ବେଦାନୁଦ୍ଧରତେ, ଜଗନ୍ତି ବହତେ, ଭୂଗୋଳ ମୁଦ୍‌ବିଭ୍ରତେ....ଇତ୍ୟାଦି । ଶ୍ରୀଗୀତଗୋବିନ୍ଦର ଶ୍ଳୋକଗୁଡ଼ିକ ବିଭିନ୍ନ ବୃତ୍ତରେ ରଚିତ :- ଶାର୍ଦ୍ଦୁଳ ବିକ୍ରୀଡ଼ିତ ବୃତ୍ତ ୩୭ଟି ଶ୍ଳୋକରେ, ବସନ୍ତତିଳକ ବୃତ୍ତ ୮ଟି ଶ୍ଳୋକରେ, ଦ୍ରୂତବିଳମ୍ୱିତ ବୃତ୍ତ ଥରେ, ମାଳିନୀବୃତ୍ତ ୩ ଥର, ଶିଖରିଣୀ ବୃତ୍ତର ଶ୍ଳୋକ ୮ଟି । ମନ୍ଦାକ୍ରାନ୍ତା ଓ ହରିଣୀ ବୃତ୍ତ ୮ଥର, ବଂଶସ୍ଥ ବୃତ୍ତ ୩ ଥର, ଉପେନ୍ଦ୍ରବଜ୍ରା ୨ ଥର, ସ୍ରଗ୍‌ଧରା ଥରେ ଓ ଆର୍ଯ୍ୟାବୃତ୍ତ ଥରେ ବ୍ୟବହାର କରିଅଛନ୍ତି । ଏଥିରୁ ସ୍ପଷ୍ଟ ପ୍ରତୀତ ହୁଏ ଯେ, ମହାକବି ବିବିଧ ବୃତ୍ତ ରଚନାରେ ଯେପରି ଧୁରନ୍ଧର, ସେହିପରି ମାଳବ ଗୁଜ୍ଜରୀ, ବସନ୍ତ; ରାମକିରୀ, କର୍ଣ୍ଣାଟ, ଦେଶ, ଦେଶବରାଡ଼ି, ଗୁଣକରୀ, ଭୈରବୀ, ବରାଡ଼ି ଓ ବିଭାସ ପ୍ରଭୃତି ରାଗ ଏବଂ ରୂପକ ନିଃସାରୀ, ଯତି, ଏକତାଳି ଓ ଅଷ୍ଟତାଳ ପ୍ରଭୃତି ତାଳ ସଂଯୋଗର ଗୀତାବଳି ରଚନା କରି ଅଛନ୍ତି ।

 

ବିଷୟାନୁବୃତ୍ତିର ସମ୍ୟକ୍‌ ଅବଧାରଣାକଳ୍ପେ ଯଥା ରସରସାୟିତ ସଂଗୀତଗୁଡ଼ିକର ସଂଯୋଜକ ରୂପେ ମହାକବି ରସାନୁପ୍ରସାରୀ ବୃତ୍ତରେ ଶ୍ଳୋକମାନ ମଧ୍ୟ ରଚନା କରି ଖଞ୍ଜି ଦେଇଅଛନ୍ତି । ଏ କଳ୍ପନା, ଏ ରଚନା ବାସ୍ତବରେ ଅଭୁତପୂର୍ବ ।

ଏଇ ସଂଯୋଗ ଶ୍ଳୋକ ଗୁଡ଼ିକ ବିଷୟରେ ଆଲୋଚନା କରିବାକୁ ଗଲାବେଳେ ସହସା ମନେ ପଡ଼ିଗଲା- ଆମ ଓଡ଼ିଆ ନାରୀମହଲରେ ପ୍ରଚଳିତ ଗୋଟିଏ ପହଳି ବା ‘‘ଢଗ’’ । ଏହାର ଦ୍ୱିତୀୟ ପାଦଟି ମାତ୍ର ଏଠାରେ ଉଦ୍ଧାର କରୁଛି । ରସିକଜନ ମନେ ମନେ ପ୍ରଥମ ପାଦଟି ପୂରଣ କରିବେ । ପାଦର ପାଠ ହେଲା- ‘‘କହି ହେଉ ନାହିଁ କି ସହି ହେଉ ନାହିଁ’’ । ମୋର ଏହା ହେତୁହେବାର କାରଣ-ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଡକ୍ଟର’ ଡିଗ୍ରୀ ହାସଲକାରୀ ଜଣେ ବିଜ୍ଞ ପୁରୁଷ ଓଡ଼ିଆ ଗୀତିକାବ୍ୟ ସମ୍ୱନ୍ଧେ ଆଲୋଚନା କରିବାକୁ ଯାଇ ସ୍ୱୀୟ ସୁଚିନ୍ତିତ ମତପ୍ରକାଶ କରିଛନ୍ତି ଯେ-

 

‘‘ଶ୍ରୀଗୀତଗୋବିନ୍ଦ ବାରସର୍ଗ ବିଶିଷ୍ଟ କାବ୍ୟ ହେଲେ ହେଁ ଗୀତ ଗୁଡ଼ିକ ହିଁ ଏହାର ମୁଖ୍ୟ ବିଭାଗ, ଏତଦ୍‌ବ୍ୟତୀତ ଏହାର ଅବଶିଷ୍ଟ ଶ୍ଳୋକ ଗୁଡ଼ିକ ଅପ୍ରୟୋଜନୀୟ ମନେହୁଏ ।’’

 

କିନ୍ତୁ ଶ୍ଳୋକ ଗୁଡ଼ିକ ଯେ ବିଷୟାନୁବୃତ୍ତିର ସୂତ୍ରଧର ; ତେଣୁ ଅପ୍ରୟୋଜନତା ଶଦ୍ଦ ପ୍ରୟୋଗର ଅବାଞ୍ଛନୀୟତା ଘେନି ଯୁକ୍ତିଯୁକ୍ତତା ବିଚାର କରିବେ ହୃଦୟବାନ ପାଠକପାଠିକାମାନେ – ଅନୁରୋଧ ରହିଲା ।

 

ପଦାବଳୀଗୁଡ଼ିକରେ ଅନୁପ୍ରାସ ଓ ଅନ୍ତ୍ୟାନୁପ୍ରାସର ବ୍ୟବସ୍ଥାପନା ଅତ୍ୟନ୍ତ ମନୋରମ । ପରମ୍ପରା ଅନୁସରଣରେ ଉତ୍କଳୀୟ ଛାନ୍ଦ ଓ ଗୀତିକାରମାନେ ଏହି ରୀତି ସଂରକ୍ଷଣ କରି ଆସିଅଛନ୍ତି । ଏହା ଉତ୍କଳୀୟ ଜଳବାୟୁର ସ୍ୱତନ୍ତ୍ର ସଂଚାର-ସମ୍ଭବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିପରି ଯମକ ଓ ଅନୁପ୍ରାସ ସୁସଜ୍ଜିତ ଗୀତି ରଚନାର ଅଗଣିତ ପ୍ରମାଣ ଉପସ୍ଥାପିତ କରାଯାଇପାରେ । ଗ୍ରନ୍ଥ ବାହୁଲ୍ୟ ଭୟରେ ସେ ପ୍ରଚେଷ୍ଟାରୁ ଅପସରିଯାଇ କୌତୂହଳ ନିବାରଣାର୍ଥେ ପୂଜ୍ୟ ଭଞ୍ଜ କବିଙ୍କ ରଚନା ମଧ୍ୟରୁ ଗୋଟିଏ ଚରଣମାତ୍ର ନିମ୍ନରେ ଉଦ୍ଧାର କରାଯାଉଅଛି ।

ଯଥା:- ‘‘ଦେଖଇ ନବ କାଳିକା, ବକାଳିକା ମାଳିକା,

      ଆଳି କାଳିକା କାନ୍ତ ସ୍ମରି’’ । ଇତ୍ୟାଦି

ଏହି ରୀତିର ସମତୁଲ ରଚନା ଓଡ଼ିଶା ବ୍ୟତୀତ ଅନ୍ୟତ୍ର ଦୁର୍ଲଭ । ଶ୍ରୀଗୀତଗୋବିନ୍ଦ ପଦାବଳୀ-ସଂଯୋଜିତ ପଦଗୁଡ଼ିକ ପାଠକଲେ ବିଜ୍ଞ ବିଚାରକ ଅନୁଭବ କରିପାରିବେ ଯେ ଏହା ଓଡ଼ିଆ ଭାଷାର ଏକାନ୍ତ ନିକଟତମ ରୂପପ୍ରକାଶ ।

 

ଶ୍ରୀଗୀତଗୋବିନ୍ଦ ବର୍ଣ୍ଣିତ ବିଷୟ ବସ୍ତୁରେ ନୂତନତା ନାହିଁ । ଏହା ଆଦୃତ କିନ୍ତୁ ଉପସ୍ଥାପନା ଏବଂ ପରିବେଷଣରେ ରସରୂପାୟନର ମାଧୁର୍ଯ୍ୟ ଏକାନ୍ତରେ କବି ଜୟଦେବଙ୍କର ସୌନ୍ଦର୍ଯ୍ୟବିଳାସୀ ରାଧାମାଧବ-ଗତପ୍ରାଣର ସୁଦୁର୍ଲଭ ଉପାୟନ ।

 

କବି ପରମ ସୌନ୍ଦର୍ଯ୍ୟନିଧି-ପ୍ରକୃତିର ପ୍ରକୃଷ୍ଟ ଉପାସକ । ଯେଉଁ ପ୍ରକୃତି ସେହି ‘ପ୍ରକୃତି-ମୋହନଙ୍କର’ ସ୍ମୃତିକୁ ସଷ୍ଟିର ଦୃଷ୍ଟି ଝଲସାଇ ଜାଜ୍ୱଲ୍ୟମାନ । ଏ ସ୍ମୃତି ରବି-ଶଶିର ଅପେକ୍ଷା କରେ ନାହିଁ । ଆଲୋକ ଅନ୍ଧକାରରେ ସେହି ନିଖିଳ ସୌନ୍ଦର୍ଯ୍ୟଭରା ବିଚିତ୍ର ପ୍ରକୃତିର ପ୍ରତି ସର୍ଜନାରେ ସ୍ରଷ୍ଟାଙ୍କର ସତ୍ତା ନିଜେ ଅନୁଭବ କରି ରସରଚନା ଦ୍ୱାରା ସେ ଅନୁଭୂତିକୁ ଜଗତସାରା ବିତରି ଦେଇଛନ୍ତି କବି । ଏହିଠାରେ କବି ଶୃଙ୍ଗାରୀ । ଶୃଙ୍ଗାର ରସର ଚୂଡ଼ାନ୍ତ ବର୍ଣ୍ଣନା ସହିତ ସେ ‘ମୂର୍ତ୍ତିମାନ ଶୃଙ୍ଗାର’ଙ୍କୁ ଜଡ଼ାଇ ଧରି ରୂପ-ରସ ଛନ୍ଦର ଆରତି ଘେନି ଅଭିନନ୍ଦନ ଜଣାଇଛନ୍ତି ।

 

ନବ ବସନ୍ତରେ ‘‘ଲଳିତ-ଲବଙ୍ଗଲତାପରିଶୀଳନ କୋମଳ ମଳୟ ସମୀର’’ ସ୍ପର୍ଶରେ ‘‘ଅନୁଗତ ମଦନ ବିକାର’’କୁ ଯେପରି ସେ ପାଶୋରୀ ନାହାନ୍ତି, ସେହିପରି ‘ଉଦୟତି ହରିଚରଣସ୍ମୃ ତିସାରଂ’ ମଧ୍ୟ ତାଙ୍କ ମନରୁ ଦୂରେଇ ଯାଇନାହିଁ ।

 

କେଳିକଳାକୁତୁକିନୀ ‘ମୁଗ୍‌ଧବଧୂନିକର’ ପୀନପୟୋଧର ଭାରଭରେ ଶ୍ରୀକୃଷ୍ଣଙ୍କୁ ପ୍ରଗାଢ଼-ଆଲିଙ୍ଗନ କରୁଥିବାର ଦେଖିଛି ଯେଉଁ କବିଙ୍କର କଳ୍ପନା-ନୟନ, ସେହି କବିଙ୍କର, ଲେଖନୀ ସେହି ଗୀତରେ ବର୍ଣ୍ଣନା କରିଛି- ‘‘ବୃନ୍ଦାବନ ବିପିନେ ଲଳିତଂ ବିତନୋତୁ ଶୁଭାନି ଯଶସ୍ୟମ୍‌’’ ।

 

ଏହି ସରସ ରସ ବର୍ଣ୍ଣନରେ କବି ସଂସ୍କୃତ ଓ ପ୍ରାକୃତ (ଦେଶୀ)ର ମିଶ୍ରଣପନ୍ଥା ଅବଲମ୍ୱନ କରିଛନ୍ତି ଦେଶ, କାଳ ଓ ସମାଜ-ରୁଚି ବା ପ୍ରବୃତ୍ତିର ପରିପ୍ରେକ୍ଷୀରେ ।

 

Unknown

ମାଧବ-ବିନୋଦ

 

କଥାରେ ଅଛି:-

‘‘ଅନ୍ଧ ପୁଅ ନାଆଁ ପଦ୍ମଲୋଚନ !’’

 

-ଆଖି ଯୋଡ଼ିକ ନ ଥାଇ ପଦ୍ମଲୋଚନ ବୋଲାଇବା ଭଳି ମାଧବ-ବିହୀନ ବୀରଭୂମିର ଜୟଦେବ-କେନ୍ଦୁଲୀରେ କବି ଜୟଦେବ ‘ମାଧବ’ଙ୍କୁ ଡାକି ଅନୁକୂଳକରି ରଚିଲେ ଶ୍ରୀଗୀତଗୋବିନ୍ଦ ! ଏକଥା କହିବା ଲୋକଠାରୁ ଶୁଣିବା ଲୋକକୁ ଲାଜ ସିନା!

 

ବଙ୍ଗର ଜୟଦେବ –କେନ୍ଦୁଲି ବୋଲାଉଥିବା ଗ୍ରାମରେ ଅଧିଷ୍ଠିତ ଦେବତା ‘ରାଧାବିନୋଦ’ ନାମରେ ପ୍ରଖ୍ୟାତ । ଏଣେ ଓଡ଼ିଶାର ପ୍ରାଚୀ ତୀରସ୍ଥ କେନ୍ଦୁଲି ଗ୍ରାମଟି ମାଧବ-ପ୍ରାଚୁର୍ଯ୍ୟ । କେବଳ କେନ୍ଦୁଲୀ ଶାସନରେ ହିଁ ପ୍ରାୟ ବାରଗୋଟି ବୃହତ୍‌ ମାଧବ ମୂର୍ତ୍ତି ବିଦ୍ୟମାନ । ଏହାଛଡ଼ା ପ୍ରାଚୀ ତୀରବର୍ତ୍ତୀ ବିଭିନ୍ନ ସ୍ଥାନରେ ବହୁ ମାଧବ ମନ୍ଦିର ପ୍ରତିଷ୍ଠିତ । କେନ୍ଦୁଲି ଶାସନଠାରୁ ପ୍ରାୟ ଛଅମାଇଲ ଦୂରବର୍ତ୍ତୀ ନିଆଳୀ ଶାସନସ୍ଥ ଶୋଭନେଶ୍ୱର ମନ୍ଦିର ବେଢ଼ା ମଧ୍ୟରେ ମାଧବ ମୂର୍ତ୍ତିମାନ ବିରାଜିତ । ନିଆଳୀ ଗ୍ରାମର ବିଖ୍ୟାତ ମାଧବାନନ୍ଦ ମନ୍ଦିର ଏକଦଶ-ଦ୍ୱାଦଶ ଶତାଦ୍ଦୀର କୀର୍ତ୍ତି ।

 

ଖଣ୍ଡପଡ଼ା ରାଜ୍ୟ (ପୂର୍ବତନ ଗଡ଼ଜାତ)ର ମହାନଦୀ ତୀରସ୍ଥ କଣ୍ଟିଲୋ ଗ୍ରାମରେ ପ୍ରତିଷ୍ଠିତ ନୀଳମାଧବ ଦେବଙ୍କ ପ୍ରଖ୍ୟାତି ଉତ୍କଳର ଘରେ ଘରେ ସୁବିଦିତ । ବୌଦ୍ଧରାଜ୍ୟ (ପୂର୍ବତନ ଗଡ଼ଜାତ)ର ଗନ୍ଧରାଡ଼ୀ ଗ୍ରାମରେ ମାଧବ ମନ୍ଦିର ପ୍ରାୟ ନବମ ଶତାଦ୍ଦୀର ସ୍ଥାପତ୍ୟ କଳାକୃତି । ଏହିପରି ଓଡ଼ିଶାର ନାନା ସ୍ଥାନରେ ମାଧବ ମୂର୍ତ୍ତି ସଂପୂଜିତ ।

 

ପ୍ରସଂଗ କ୍ରମେ କେତେକ ଏଠାରେ ଆଲୋଚନା ଉପସ୍ଥାପିତ କରାଯାଉଅଛି । ଭୋଜଦେବ ଓ ବାମାଦେବୀଙ୍କ ପୁତ୍ର ଓଡ଼ିଆ ଜୟଦେବ ବଙ୍ଗାଳୀ ଜୟଦେବ ନୁହନ୍ତି କି ପୁରୀ ଜିଲ୍ଲାର କେନ୍ଦୁଲୀ (କେନ୍ଦୁଲୀ ପାଟଣା, କେନ୍ଦୁଲୀ ଦେଉଳୀ ବା କେନ୍ଦୁଲୀ ଶାସନ ; ବର୍ତ୍ତମାନ ପିପିଲି ଥାନାର ୪୪୫ ନମ୍ୱର ଗ୍ରାମ) ବୀରଭୂମିର କେନ୍ଦୁଲୀ ନୁହେଁ । ଏଠା କେନ୍ଦୁଲୀରେ ୯ମ ୧୦ମ ଶତାଦ୍ଦୀରୁ ରାଧା-ମାଧବ ଠାକୁର ବିଜେ କରୁଛନ୍ତି । ସେଠା କେନ୍ଦୁଲୀରେ ରାଧା-ବିନୋଦ ଠାକୁର ୧୬୦୫ ଖ୍ରୀଷ୍ଟାଦ୍ଦରେ ବର୍ଦ୍ଧମାନ ରାଜବଂଶ କର୍ତ୍ତୃକ ପ୍ରତିଷ୍ଠିତ ଦେବତା । ‘ମାଧବ’ କହିଲେ ଯାହା ବୁଝାଏ, ‘ବିନୋଦ’ କହିଲେ ସେ ଅର୍ଥ ବୁଝାଏ ନାହିଁ। ଜୟଦେବ ‘ରାଧାମାଧବୟୋର୍ଜୟନ୍ତି’ କହି ଶ୍ରୀଗୀତଗୋବିନ୍ଦ ଗ୍ରନ୍ଥ ଲେଖନର ଆଦ୍ୟ ଅନୁକୂଳ କରିଛନ୍ତି ; କାହିଁ ହେଲେ କାବ୍ୟସାରା ‘ରାଧା-ବିନୋଦ’ଙ୍କ ନାମୋଚ୍ଚାରଣ ତ ନାହିଁ ।

 

ବୀରଭୂମ-କେନ୍ଦୁଲୀର ରାଧା-ବିନୋଦଙ୍କ ଭକ୍ତ ସେବକ ହୋଇଥିଲେ ଭ୍ରମରେ ହେଲେ କାହିଁ କେଉଁଠି ‘ବିନୋଦ’ଙ୍କ ନାମୋଲ୍ଲେଖ କରି ନ ଥାନ୍ତେ କି ମହାକବି ?

 

କହିଛି ତ ପୁରୀଜିଲ୍ଲାର କେନ୍ଦୁଲୀ ଗ୍ରାମଟି ପ୍ରାଚୀ ତୀରବର୍ତ୍ତୀ । ଆଜି ହୁଏତ ସେ ବହୁ କାଳର କଥା ଲୋକର ମନ ପାଶୋରା ହୋଇଗଲାଣି । ଏକଦା ଉତ୍କଳରେ ପ୍ରାଚୀ ନଦୀ କୂଳର ବିସ୍ତୀର୍ଣ୍ଣ ଅଞ୍ଚଳ ମାଧବ-ସଭ୍ୟତାଭରା ଥିଲା । ଏଇ ଅଞ୍ଚଳର ଚଉକତି ମାଧବ ଦେବତାଙ୍କର ପୂଜାରତିରେ ପୂର୍ଣ୍ଣଥିଲା । ଏବେ ଏ କଥାର ସାକ୍ଷ ଦେଉଛନ୍ତି ନିଆଳି ମାଧବ, ମୃଦୁଗଳ (ଲ) ମାଧବ, ଲଳିତ ମାଧବ, ପ୍ରାଚୀ ମାଧବ, ତ୍ରିବେଣୀ ମାଧବ, ଗୁପ୍ତ ମାଧବ, ଲତାହରଣ ମାଧବ ଇତ୍ୟାଦି ଇତ୍ୟାଦି ଯୁଗଯୁଗାନ୍ତର ପ୍ରତିଷ୍ଠିତ ମାଧବ ମୂର୍ତ୍ତିମାନ ।

 

ଆହୁରି କେତେ କେତେ ପଲ୍ଲୀଗ୍ରାମରେ ସୁଦ୍ଧା ମନ୍ଦିରରେ, ଚାଳିତଳେ, ଭାଗବତ ଟୁଙ୍ଗୀରେ ମାଧବ ଦିଅଁ ପୂଜା ପାଉଛନ୍ତି । ପୁଣି ସାଳନ୍ଦୀ କୂଳରେ ଅଗରପଡ଼ାଠାରେ ମାଧବଜୀଉ ବିରାଜମାନ । ତେଣେ କିନ୍ତୁ ବଙ୍ଗଳା ‘ଚୈତନ୍ୟ ଚରିତାମୃତ’ରେ ‘ମାଧବ’ ଶଦ୍ଦର ନାମଗନ୍ଧ ସୁଦ୍ଧା ନାହିଁ ।

 

ପ୍ରମାଣ ମିଳେ ଓଡ଼ିଶା ‘ମାଧବ’ ଉପାସନାର ଦେଶ । ସମ୍ଭବତଃ ଜଗନ୍ନାଥ ଧର୍ମର ଆଦ୍ୟ ପ୍ରଚାର ପ୍ରାଚୀକୂଳର ସଭ୍ୟତାରୁ ଘଟିଅଛି ।

 

ଶ୍ରୀମନ୍ଦିରରେ ଦୁର୍ଗାମାଧବ ଏବଂ ଘରେ ଘରେ ଦୁର୍ଗାମାଧବ ମୂର୍ତ୍ତିରେ ବା ପଟ୍ଟଚିତ୍ରରେ ସଂପୂଜିତ । କେଉଁଠି ଏ ମୂର୍ତ୍ତି ଧନୁଶର ଧାରୀ, କେଉଁଠି ଚକ୍ରଧାରୀ ଅବା କେଉଁଠି ଖଡ଼୍‌ଗଧାରୀ- ଯେପରି ଭାବରେ ହେଉନ୍ତୁ ପଛେ ସେ ‘ମାଧବ’ ନାମରେ ଖ୍ୟାତ । ଘରର ଦ୍ୱାରଦେଶରେ ଦୁର୍ଗାମାଧବଙ୍କ ପଟ୍ଟଚିତ୍ର ବା କବାଟରେ ରେଖାଚିତ୍ର ବିରାଜିତ । ଦୁର୍ଗାମାଧବ ନାମସ୍ମରଣ କରି, ଦୁର୍ଗାମାଧବ ପଟ୍ଟ ବା ମୂର୍ତ୍ତି ଦର୍ଶନକରି ଶୁଭକାର୍ଯ୍ୟରେ ଅନୁକୂଳକରିଯିବା ଉତ୍କଳୀୟ ପରମ୍ପରା । ମଙ୍ଗଳାଚରଣରେ, ଶୁଭ ବିଧି ବିଧାନରେ ‘ସକଳ କାର୍ଯ୍ୟେଷୁ ମାଧବ’ ଆରାଧନା ଉତ୍କଳର ପ୍ରସିଦ୍ଧି । ବୀରଭୂମି ବା ବଙ୍ଗଳାରେ ଏ ଚଳଣୀ କାହିଁ ?

 

ଶ୍ରୀକ୍ଷେତ୍ରରେ ବିରାଜମାନ ଶ୍ରୀମତ୍‌ଜଗନ୍ନାଥଦେବ ବିଶ୍ୱାବସୁ ଶବର ପୂଜିତ ଶ୍ରୀନୀଳମାଧବଙ୍କର ଅନ୍ୟରୂପ । କବି ଜୟଦେବଙ୍କୁ ଜନ୍ମଭୂମିର ପରିବେଶ ଯେ ମାଧବ-ପ୍ରାଣ କରାଇଛି ଏହା ସହଜ ଅନୁମେୟ । ଶ୍ରୀଜଗନ୍ନାଥଙ୍କ କରୁଣା-ନିର୍ଦ୍ଦେଶ ଘେନି ଜୟଦେବଙ୍କର ପରିଣୟ ତଥା କବିତ୍ୱ ପରିସ୍ଫୁଟିତ । ତେଣୁ-

‘‘ଉଭୌ ତୌ ଦମ୍ପତୀ ତତ୍ର ଏକପ୍ରାଣୌ ବଭୂବତୁ’’

 

ନୃତ୍ୟନ୍ତୌ ଚାପି ଗାୟନ୍ତୌ ଶ୍ରୀକୃଷ୍ଣାର୍ଚ୍ଚନତତ୍ପରୌ । ‘‘ବୋଲି କୁହାଯାଇଅଛି । ମାଧବ ହିଁ ଆଦିଦେବତା- ମାଧବ ହିଁ ଜଗନ୍ନାଥ । କବି ତାଙ୍କରି ଶ୍ରୀଚରଣରେ ମତି ଢାଳି ଶ୍ରୀଗୀତଗୋବିନ୍ଦ ମହାକାବ୍ୟର ପ୍ରାରମ୍ଭରେ ଲେଖିଲେ:-

‘‘ରାଧାମାଧବୟୋର୍ଜୟନ୍ତି ଯମୁନାକୂଳେ ରହଃ କେଳୟଃ ।’’

 

କବି ନୟନର ଏଇ ଯମୁନାତଟ-କୁଞ୍ଜମିଳନରେ କିନ୍ତୁ ବାଧା ଉପୁଜିଲା । ଶ୍ରୀମତୀ ଦେଖିଲେ ନାଗର ଶ୍ରୀକୃଷ୍ଣ ମାତିଛନ୍ତି ଗୋପବାଳାଙ୍କ ଗହଣରେ, ରାସକ୍ରୀଡ଼ାରେ । ରୁଷି କୁଞ୍ଜ ବର୍ଜନ କଲେ ରସମୟୀ । ତେଣୁ ‘କଳିନ୍ଦ ନନ୍ଦିନୀ ତଟଜା କୁଞ୍ଜରେ’ ‘‘ବିଷସାଦ ମାଧବ’’ (୩ୟ ସର୍ଗ)

 

କୃତାପରାଧର ଅନୁତାପରେ ଭାଳି ହେଉଛନ୍ତି ବସି ଶ୍ୟାମ ନାଗର । ଏତିକିବେଳେ ଆସି ବିରହ-ପୀଡ଼ିତା କିଶୋରୀଙ୍କ ସମ୍ୱାଦ ଦେଲା ‘‘ପ୍ରେମଭରୋଦ୍‌ଭ୍ରାନ୍ତଂ ମାଧବଂ ରାଧିକାସଖୀ’’ । କହିଲା ସେ-

‘‘ସା ବିରହେତବ ଦୀନା ।’’

 

‘‘ମାଧବ ମନସିଜବିଶିଖଭୟାଦିବ ଭାବନୟା ତ୍ୱୟିଲୀନା’’

 

ତଥାପି ବଚନ ରଖିନାହାନ୍ତି ଶଠ । ପାହିଆସିଛି ମଧୁମିଳନ ଆଶାରେ ଚନ୍ଦ୍ରହସା ନିଶିଥିନୀ । ଧନୀର କୁଞ୍ଜଦ୍ୱାରରେ ଏତିକିବେଳେ ଉପସ୍ଥିତ ଧୂର୍ତ୍ତନାୟକ ଗୋବିନ୍ଦ । ଖଣ୍ଡିତା ନାୟିକା ଶ୍ରୀମତୀ କହିଲେ-

‘‘ X X ମାଧବ ଯାହି, ମାବଦ କୈତବ ବାଦଂ’’

 

ସଖୀମାନେ କେତେ ବୁଝାଇ କହିଛନ୍ତି, କେତେ ଅନୁନୟ କରିଛନ୍ତି, କଳାହାନ୍ତରୀତା ନାୟିକା ଶ୍ରୀମତୀଙ୍କୁ । ଗୁମାନ ନ କରିବାକୁ ଅନୁରୋଧ କରି କହିଛନ୍ତି-

‘‘ମାଧବେ ମାକୁରୁ ମାନିନି ମାନମୟେ ।’’

ପୁଣି ଅଭିସାର ଲାଗି ସଖୀଗଣ ଶ୍ରୀମତୀଙ୍କୁ ପ୍ରବର୍ତ୍ତାଇଛନ୍ତି :-

‘ପ୍ରବିଶ ରାଧେ, ମାଧବ ସମୀପମିହ’

 

-ତେବେ ହେଲେ ତୁଟିଲା ନାହିଁ ମାନ । ମହାଭାବମୟୀଙ୍କର ଏ ‘ରୁଷାଣୀ’ରେ ମାଧବ ମୁଗ୍‌ଧ । ବାସ୍ତବରେ ଶ୍ରୀଗୀତଗୋବିନ୍ଦ ‘ମାନଭଞ୍ଜନ’ ଲୀଳା ବର୍ଣ୍ଣନ । ମୁଗ୍‌ଧ ମାଧବ ଏହି ସର୍ଗରେ ‘ଦେହି ପଦପଲ୍ଲବ ମୃଦାରଂ’ ମାନଭିକ୍ଷା କରିଛନ୍ତି ମହାକବିଙ୍କ ମହାକାବ୍ୟ ଶ୍ରୀଗୀତଗୋବିନ୍ଦରେ ।

 

ଏହିପରି ମୂଳରୁ ଚୁଳପର୍ଯ୍ୟନ୍ତ ଯହିଁଦେଖ ତହିଁ ସର୍ବତ୍ର ‘ମାଧବ’ ହିଁ ଶ୍ରୀଗୀତଗୋବିନ୍ଦର ପ୍ରାଣ । ‘ବିନୋଦ’ ଶଦ୍ଦର କାହିଁହେଲେ ଉପଯୋଗ କରି ନାହାନ୍ତି ମହାକବି । ରାଧା ଏବଂ ମାଧବ-ଯୁଗଳଙ୍କର ସେବକ ସେ; କାହିଁ ହେଲେ ରାଧା-ବିନୋଦଙ୍କ ଗୁଣଗାୟନ କରିନାହାନ୍ତି ।

 

ମାଧବଙ୍କୁ ଘେନି ଲୀଳା ଆରମ୍ଭ-ମାଧବଙ୍କୁ ଘେନି ଲୀଳା ପୂର୍ତ୍ତି-ମାଧବ ଭରସାରେ ମହାକାବ୍ୟ ରଚିତ । ଶ୍ରୀଗୀତଗୋବିନ୍ଦ ଜଣାଇଦିଏ ମହାକବି ସର୍ବତ୍ର କେବଳ ଦେଖିଛନ୍ତି-ମାଧବ-ମାଧବ-ମାଧବ ।

 

ତେଣୁ ମାଧବ-ବିହୀନ ସ୍ଥଳୀରେ କବି ଜୟଦେବଙ୍କର ଜନ୍ମ ପୁଣି ସେଇଠାରେ ଶ୍ରୀଗୀତଗୋବିନ୍ଦ ରଚନା ‘‘ଲଙ୍କାରେ ହରିଶଦ୍ଦ’’ ପରି କଥାଏ ନୁହେଁ କି ?

 

ଜୟଦେବ ନାମଧାରୀ ଜଣେ ତ ନୁହେଁ, ପଣେ ସନ୍ତାନ ଭାରତରେ ଥିବେ । ରାଜା ରାମଚନ୍ଦ୍ର ଆଉ ରାମ ଭୋଇ-କେବଳ ‘ରାମ’ ନାମର ସାମ୍ୟ ହେତୁ ସମାନ ଲୋକ ହେବେ କିପରି ? ବଙ୍ଗର ବୀରଭୂମ କେନ୍ଦୁଲୀରେ କୌଣସି ପିତାମାତାଙ୍କର ଜୟଦେବ ନାମକ ପୁଂ ସନ୍ତାନ ଥିବା ଅସମ୍ଭବ ନୁହେଁ । ଏଥକୁ ସେ ଯେ ଶ୍ରୀଗୀତଗୋବିନ୍ଦକାର ଜୟଦେବ ବୋଲାଇବେ ଏହା କିପରି ଯୁକ୍ତି ?

 

ମହାକବି ସ୍ୱୟଂ ଲେଖିଛନ୍ତି-

‘‘କିନ୍ଦୁବିଲ୍ୱ-ସମୁଦ୍ର-ସମ୍ଭବ-ରୋହିଣୀ-ରମଣେନ’’

 

ଚତୁର୍ଦ୍ଦଶ ଶତାଦ୍ଦୀରେ ଲିଖିତ କବିରାଜ ନାରାୟଣ ଦାଶକୃତ ‘‘ସର୍ବାଙ୍ଗ ସୁନ୍ଦରୀ’’ ଟୀକାରେ ପ୍ରୋକ୍ତ ଚରଣର ଅର୍ଥଲେଖା ନିମ୍ନରୂପ-

 

କିଂ ବିଧେନ ବିନ୍ଦୁବିଲ୍ୟେତ୍ୟାଦି । କିନ୍ଦୁବିଲ୍ୱାଖ୍ୟଂ ତଚ୍ଚମହତ୍ୱାତ୍‌ ଦୂରାବଗାହତ୍ୱାଚ୍ଚ ସମୁଦ୍ରତ୍ୱେନ ନିରୂପିତଂ । ତତଃ ସମ୍ଭବଃ ଉତ୍ପତ୍ତିର୍ଯସ୍ୟ । X X କିନ୍ଦୁବିଲ୍ୱସମୁଦ୍ର-ସମ୍ଭବଶ୍ଚାସୌ ରୋହିଣୀ ରମଣଶ୍ଚେତି କର୍ମଧାରୟଃ । X X ତଦେବଂ କିନ୍ଦୁବିଲ୍ୱ ଶାସନାଜ୍ଜାତଃ ତସ୍ୟୈବୋନ୍ନତିକାରକଃ ଯଥା ସାଗରାଜ୍ଜାତଶ୍ଚନ୍ଦ୍ର ସାଗର ବୃଦ୍ଧିକାରକ ଇତ୍ୟର୍ଥଃ ସଂପଦ୍ୟତେ ।।

 

ଏହା ଶ୍ରୀଗୀତଗୋବିନ୍ଦର ପ୍ରାଚୀନତମ ଟୀକାରୂପେ ସମ୍ମାନିତ । ସେହିପରି ଚନ୍ଦ୍ରଦତ୍ତ ଜୟଦେବଙ୍କ ଜୀବନୀ ଆଲୋଚକଙ୍କ ମଧ୍ୟରେ ପ୍ରାଚୀନତମ । ସେ ଲେଖିଛନ୍ତି:-

‘‘ଜଗନ୍ନାଥ ପୁରୀପ୍ରାନ୍ତେ ଦେଶେ ଚୈବୋତ୍କଳାଭିଧେ,

କିନ୍ଦୁବିଳ୍ପ ଇତିଖ୍ୟାତୋ ଗ୍ରାମୋ ବ୍ରାହ୍ମଣସଂକୁଳଃ ।

ତତ୍ରୋତ୍କଳେ ଆସ୍ତେ ଦ୍ୱିଜୋ ଜୟଦେବ ଇତି ଶ୍ରୁତଃ,

ବିଦ୍ୟା ଭ୍ୟାସରତଃ ଶାନ୍ତଃ ପୁରୁଷୋତ୍ତମ ପୂଜକଃ ।’’

 

ଜଗନ୍ନାଥ ପୁରୀପ୍ରାନ୍ତର ଉତ୍କଳାଭିଧ ଦେଶ ବୀରଭୂମିରେ ନାହିଁ କି ବ୍ରାହ୍ମଣ ସଂକୁଳ କି (ବି)ନ୍ଦୁବିଲ ଗ୍ରାମ ମଧ୍ୟ ସେଠାରେ ନାହିଁ । ପ୍ରଚୁର ପରିମାଣ କେନ୍ଦୁ ଆଉ ବିଲ୍ୱ (ବେଲ) ଭରା ପ୍ରାଚୀକୂଳ କେନ୍ଦୁବିଲ୍ୱ ବା ଲୋକକଥାରେ ‘କେନ୍ଦୁଲୀ’ ନାମ ବହନ କରି ଓଡ଼ିଆ ଘରର ଦିଅଁ ଜଗନ୍ନାଥଙ୍କୁ ତାଙ୍କ ଜନ୍ମଦିନରେ ‘କେନ୍ଦୁଲୀଫେଟା’ ପିନ୍ଧାଇ ଆସୁଛି କେଉଁ ପାଶୋରା ଶତାଦ୍ଦୀ କାଳରୁ । ମାଦଳାପାଞ୍ଜି ଏଇ ‘ଫେଟାଲାଗି’ ବିଧାନକୁ ଲିପିବଦ୍ଧ କରି ରଖିଛି । ଏହି କେନ୍ଦୁଲୀ ଗ୍ରାମର ଶାଢ଼ୀ ଓ କେନ୍ଦୁଲୀ କସ୍ତାର ପ୍ରସିଦ୍ଧି ଏବେ ମଧ୍ୟ ଲୋପ ପାଇନାହିଁ ଓଡ଼ିଆ ଘରୁ ।

 

ବହୁ ପ୍ରାଚୀନ ପୁରୀପ୍ରାନ୍ତୀୟ କେନ୍ଦୁଲୀ ପ୍ରତିଷ୍ଠାକୁ ଅଷ୍ଟାଦଶ ଶତାଦ୍ଦୀରେ ବୀରଭୂମକୁ ଘୁଞ୍ଚାଇନେବା ପ୍ରଚେଷ୍ଟା ପ୍ରଶଂସନୀୟ ! ଅବଶ୍ୟ କେହି କେହି ବିଜ୍ଞବ୍ୟକ୍ତି ବର୍ତ୍ତମାନ ସ୍ୱୀକୃତି ଦେଲେଣି ଯେ ଜୟଦେବଙ୍କ ଜନ୍ମଭୂମି କେନ୍ଦୁଲୀର ଅବସ୍ଥାନ ଓଡ଼ିଶାରେ । ଜୟଦେବ-କେନ୍ଦୁଲୀ ବର୍ଦ୍ଧମାନ ଜିଲ୍ଲାର ବୋଲି ଦାବୀ ଉଠିଛି ଅଷ୍ଟାଦଶ ଶତାଦ୍ଦୀ ପରଠାରୁ ।

 

ଅଷ୍ଟାଦଶ ଶତାଦ୍ଦୀରେ ବର୍ଦ୍ଧମାନର ମହାରାଜଙ୍କ ପୃଷ୍ଠପୋଷକତାରେ ବୀରଭୂମ ଅନ୍ତର୍ଗତ ଅଜୟନଦୀ ତୀରସ୍ଥ କେନ୍ଦୁଲୀ ଗ୍ରାମକୁ ଜୟଦେବଙ୍କ ଜନ୍ମସ୍ଥାନ ରୂପେ ପରିଚିତ କରାଇବାର ଅପଚେଷ୍ଟା ଆରମ୍ଭ ହେଲା । ଶ୍ରୀ ଚୈତନ୍ୟ ଜୟଦେବ ପ୍ରଣୀତ ଶ୍ରୀଗୀତଗୋବିନ୍ଦ ପଦାବଳୀର ପରମ ଭକ୍ତ ଥିଲେ । ପ୍ରତ୍ୟହ ସେ ଗୀତଗୋବିନ୍ଦ ଅବଶ୍ୟ ଶ୍ରବଣ କରୁଥିଲେ । ଶ୍ରୀ ଚୈତନ୍ୟଙ୍କ ପ୍ରଚାରିତ ବୈଷ୍ଣବ ଧର୍ମ୍ମର ବାତ୍ୟା ବଙ୍ଗଳାରେ ପ୍ରବାହିତ ହେଲା । ପ୍ରଭୁରୂପେ ସମ୍ମାନିତ ଶ୍ରୀ ଚୈତନ୍ୟଦେବ ଯେଉଁ ଶ୍ରୀଗୀତଗୋବିନ୍ଦ ନିତ୍ୟପାଠ କରୁଥିଲେ ଉତ୍କଳଭୂମି ତାଙ୍କର ନିବାସସ୍ଥଳୀ ହେବାର ସମୁଚିତ ନୁହେଁ – ଏହି କଳ୍ପନା କାର୍ଯ୍ୟକାରୀ କରିବା ଚିନ୍ତାକାଳରେ ଦୈବଯୋଗକୁ ଉତ୍କଳରେ ପୁରୀପ୍ରାନ୍ତସ୍ଥିତ ‘କେନ୍ଦୁଲୀ’ ଗ୍ରାମର ନାମ-ସାମ୍ୟରେ ବୀରଭୂମି ଅନ୍ତର୍ଗତ ‘କେନ୍ଦୁଲୀ’ ଗ୍ରାମର ସନ୍ଧାନ ମିଳିଗଲା । ତହିଁରେ ପୁଣି ଜୟଦେବଙ୍କ ଆରାଧ୍ୟ ‘ରାଧା-ମାଧବ’ ଦେବଙ୍କର ପ୍ରାୟ ନାମ ସାମ୍ୟରେ ‘ରାଧା-ବିନୋଦ’ ଦେବଙ୍କ ପ୍ରତିଷ୍ଠାନ ମଧ୍ୟ ମିଶିଗଲା । ବାକି ରହିଲା ପ୍ରାଚୀ ନଦୀ ।

 

ପ୍ରାଚୀ ଯେପରି ଏକ ନଦୀ, ଅଜୟ ମଧ୍ୟ ସେହିପରି ଏକ ନଦୀ । ପ୍ରାଚୀମହାତ୍ମ୍ୟ ବର୍ଣ୍ଣନାନୁସାରେ ପ୍ରାଚୀକୁ ଗଙ୍ଗା ବୋଲାଯାଇଅଛି । ସେହିପରି ଅଜୟକୁ ମଧ୍ୟ ଅଷ୍ଟାଦଶ ଶତାଦ୍ଦୀରେ ଅଜୟ-ଗଙ୍ଗା ବୋଲାଯିବାରେ ବିଶେଷ ଅସୁବିଧା ଆଉ କଅଣ ଥାଇପାରେ ? ସର୍ବୋପରି ବର୍ଦ୍ଧମାନପତିଙ୍କ ଅନୁଗ୍ରହ ଲାଭ ପ୍ରୟାସରେ ବଂଗର ପ୍ରଖ୍ୟାତ କବି । ବନମାଳୀ ଦାଶ ‘ଜୟଦେବ ଚରିତ୍ର’ ଲେଖିଲେ । ବଙ୍ଗୀୟ ସାହିତ୍ୟ ପରିଷଦ ଏହି ଲେଖାର ଖଣ୍ଡିଏ ମାତ୍ର ପାଣ୍ଡୁଲିପି ପାଇ ତାହା ପ୍ରକାଶ କଲେ । ସମଗ୍ର ବଙ୍ଗଳାରେ ଏହି ଏକମାତ୍ର ପାଣ୍ଡୁଲିପି ପ୍ରାପ୍ତିର ସୌଭାଗ୍ୟ ଘଟିଛି ; କାରଣ-ଜୟଦେବ ବଙ୍ଗଜ ଏବଂ ବଂଗରେ ସମାଦୃତ ବିଶିଷ୍ଟ ଭକ୍ତ କବି ! !

 

ନଦିୟାର ମହାପ୍ରଭୁ ଶ୍ରୀଚୈତନ୍ୟଙ୍କର ନିତ୍ୟପାଠ୍ୟ ଥିଲା ଶ୍ରୀଗୀତଗୋବିନ୍ଦ । ମହାକବି ଜୟଦେବଙ୍କ ଜନ୍ମସ୍ଥଳୀ ବୀରଭୂମର କେନ୍ଦୁଲୀ ଗ୍ରାମ ବୋଲି ବଙ୍ଗୀୟ ଦାବି । ନଦିୟାଠାରୁ ଏହି କେନ୍ଦୁଲୀଗ୍ରାମ ଅଧିକ ଦୂରବର୍ତ୍ତୀ ନୁହେଁ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ମହାପ୍ରଭୁ ଏ ପୁଣ୍ୟପୀଠ କେବେ ହେଲେ ଦର୍ଶନକରିଥିବାର କେହି ବୈଷ୍ଣବ କବି ଉଲ୍ଲେଖକରି ଯାଇନାହାନ୍ତି । କହିବା ନିଷ୍ପ୍ରୟୋଜନ ଯେ ମହାପ୍ରଭୁଙ୍କର ଅଭ୍ୟୁଦୟକାଳ ଷୋଡ଼ଶ ଶତାଦ୍ଦୀ ଏବଂ ଜୟଦେବ ଚରିତ୍ର ରଚନାକାଳ ଅଷ୍ଟାଦଶ ଶତାଦ୍ଦୀ । ଏଥିରୁ କଅଣ ବୁଝିବାକୁ ବାକି ରହୁଛି ଯେ ଜୟଦେବଙ୍କୁ ବଙ୍ଗୀୟ ବୋଲି ଦାବୀ କରିବା ପ୍ରଚେଷ୍ଟାର ପ୍ରଧାନ ତଥା ଏକମାତ୍ର ପ୍ରାମଣିକ ପୁସ୍ତକ ‘ଜୟଦେବ ଚରିତ୍ର’ ନୁହେଁ ?

 

କଲିକତା ସୁପ୍ରିମକୋର୍ଟର ବିଚାରପତି ତଥା ଏସିୟାଟିକ୍‌ ସୋସାଇଟିର ପ୍ରତିଷ୍ଠାତା-ସଭାପତି (Founder President) ଥିଲେ ସାର୍‌ ଉଇଲିୟମ୍‌ ଜୋନ୍‌ସ୍‌ । ସେ ୧୭୮୪ରୁ ୧୭୯୪ ପର୍ଯ୍ୟନ୍ତ ବଙ୍ଗଳାରେ ଥିଲେ । ଶ୍ରୀଗୀତଗୋବିନ୍ଦର ମି: ଜୋନ୍‌ସ୍‌ ଜଣେ ପ୍ରଖ୍ୟାତ ଗୁଣଗ୍ରାହକ । ‘Gita-govinda or the songs of Jayadeva’ ନାମକ ସନ୍ଦର୍ଭରେ ସେ ଶ୍ରୀଗୀତଗୋବିନ୍ଦର କେତେଗୋଟି ମୁଖ୍ୟ ସଙ୍ଗୀତର ଇଂରାଜୀ ଅନୁବାଦ କରିଅଛନ୍ତି । ମୁଖବନ୍ଧରେ ସେ ସ୍ପଷ୍ଟ ଲେଖିଛନ୍ତି ଯେ, ଜୟଦେବଙ୍କ ବଚନ ଅନୁସାରେ ସେ (ଜୟଦେବ) କଳିଙ୍ଗରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମସ୍ଥାନର ନାମ କେନ୍ଦୁଲି । ତଥାପି ବର୍ଦ୍ଧମାନରେ ଏହି ନାମ-ସାମ୍ୟରେ ଗୋଟିଏ ଗ୍ରାମ (କେନ୍ଦୁଲି) ଥିବାରୁ ସେଠାର ବାସିନ୍ଦା ଜୟଦେବଙ୍କୁ ତାଙ୍କ ଦେଶର ଲୋକ ବୋଲି ଦାବି କରନ୍ତି ଏବଂ ତାଙ୍କ ସ୍ମୃତି ପାଳନକରି ବାର୍ଷିକ ଉତ୍ସବର ଅନୁଷ୍ଠାନ କରନ୍ତି । ଏହି ଦାବିର ଉହାଡ଼ରେ ଜୟଦେବଙ୍କୁ ବଙ୍ଗୀୟବୋଲି ପ୍ରଚାରର ଅପପ୍ରଚେଷ୍ଟାର ସୂଚନା ଲକ୍ଷଣୀୟ ।

 

ଜୟଦେବ-ମେଳା ଓ କେନ୍ଦୁଲୀ ସମ୍ୱନ୍ଧରେ ଆଉ ଟିକିଏ ଆଲୋଚନା ନିମ୍ନରେ ଉପସ୍ଥାପିତ କରାଯାଉଅଛି । ‘‘କବି ଜୟଦେବ ଓ ଶ୍ରୀଗୀତଗୋବିନ୍ଦ’’ ଗ୍ରନ୍ଥଲେଖକ ପଣ୍ଡିତ ଶ୍ରୀହରେକୃଷ୍ଣ ମୁଖୋପାଧ୍ୟାୟ ଜୟଦେବଙ୍କୁ ନାନାମତେ ବଙ୍ଗୀୟ ବୋଲି ପ୍ରମାଣିତ କରିବା ପ୍ରଚେଷ୍ଟା କରିଥିଲେ ହେଁ କେତେକ ନିରାଟ ସତ୍ୟର ସନ୍ଧାନ ଦେଇ ଧନ୍ୟବାଦର୍ହ । ମନେହୁଏ ସେ ଏଥକୁ ଉପାୟହୀନ । ଏହି ଗ୍ରନ୍ଥର ୩୪ପୃଷ୍ଠା ପାଦଟୀକାର ପାଠୋଦ୍ଧାର କରାଯାଉଅଛି :-

 

(୧) ‘‘କେନ୍ଦୁବିଲ୍ୱେର ବର୍ତ୍ତମାନ ନାମ ଜୟଦେବ କେନ୍ଦୁଲୀ । ବର୍ତ୍ତମାନେ ଏଇ କ୍ଷୁଦ୍ର ଗ୍ରାମଖାନିତେ ବ୍ରାହ୍ମଣ, ଅଗ୍ରଦାନୀ, କାୟସ୍ଥ, ସଦଗୋପ, ତାମ୍ୱୁଲୀ, କାମାର; ନାପିତ, ଛତ୍ରି, ବୈରାଗୀ, ଶୁଁଡ଼ି, କଲୁ, ଧୋପା, ଯୁଗୀ, ବାଗଦୀ, ହାଡ଼ୀ, ବାଉରୀ ପ୍ରଭୃତି ଜାତି ବାସ କରେ । ଲୋକସଂଖ୍ୟା ଖୁବଇ କମ୍‌ । ଗଦୀର ମୋହାନ୍ତ ଆଛେନ । X X X ପ୍ରାୟ ଆଡ଼ାଇ ଶତ କି ତିନିଶତ ବର୍ସର ପୂର୍ବେ ରାଧାରମଣ ବ୍ରଜବାସୀ ନାମକ ଜନୈକ ସାଧୁ ଶ୍ରୀଧାମ ବୃନ୍ଦାବନ ହଇତେ ତୀର୍ଥ ଦର୍ଶନେ ଆସିୟା ଏଖାନେଇ ଅବସ୍ଥିତି କରେନ । କେନ୍ଦୁବିଲ୍ୱେର ‘ଗଦି’ ତାହାରଇ ପ୍ରତିଷ୍ଠିତ । ତିନି ବର୍ଦ୍ଧମାନ ରାଜବାଟୀ ହଇତେ ବିଶେଷ ସାହାଯ୍ୟ ପ୍ରାପ୍ତ ହଇୟାଛିଲେନ । କେନ୍ଦୁବିଲ୍ୱେର ଶ୍ରୀ ଶ୍ରୀ ରାଧାବିନୋଦ ଜୀଉର ବର୍ତ୍ତମାନ ମନ୍ଦିର ବର୍ଦ୍ଧମାନ ରାଜବାଟୀର ବ୍ୟୟେଇ ୧୬୧୪ ଶକାଦ୍ଦୀୟ ନିର୍ମିତ ହୟ । X X X ଜୟଦେବକେନ୍ଦୁବିଲ୍ୱେ ଶ୍ରୀଗୀତଗୋବିନ୍ଦର ପଠନ-ପାଠକେର କୋନ ବ୍ୟବସ୍ଥାଇ ନାଇ । ଇହା ଅପେକ୍ଷା ଶୋଚନୀୟ ଅବସ୍ଥା ଆର କି ହଇତେ ପାର ?

 

(୨) ବଗୁଡ଼ା ଜେଲାୟ କେନ୍ଦୁଲୀ ନାମେ ଗ୍ରାମ । ଗ୍ରାମେଇ ଡାକଘର । ଡାକଘରେର ନାମ କେନ୍ଦୁଲୀ । ବର୍ତ୍ତମାନ ଜନକୟେକ ହିନ୍ଦୁର ବାସ । X X X ଗ୍ରାମେ ପ୍ରବାଦ ଯେ, କବି ଜୟଦେବ ଏଖାନେ କିଛୁଦିନ ବାସକରିୟାଛିଲେନ । X X X ଏଇ ଗ୍ରାମେ ଜୟଦେବେର ନାମେ ବତ୍ସରେର କୋନ ସମୟେ ଏକଟା ମେଲା ହଇତ । ପ୍ରାୟ ପଞ୍ଚାଶ ବତ୍ସର ହଇତେ ଚରିଲ ମେଲା ବନ୍ଧ ହଇୟା ଗିୟାଛେ । X X X                                         

 

ଆହୁରି ମଧ୍ୟ ଏହି ଗ୍ରନ୍ଥରେ ଲେଖାଅଛି ଯେ :-

 

‘‘ଏଖନ କେନ୍ଦୁବିଲ୍ୱେ ଯେ ବିଗ୍ରହେର ପୂଜାହୟ ତିନି ଶ୍ରୀରାଧା-ବିନୋଦ ନାମେ ପରିଚିତ । ଏ ବିଗ୍ରହ ପୂର୍ବେ ଶ୍ୟାମାରୂପାର ଗଡ଼େ ଛିଲେନ । X X X ଶ୍ୟାମାରୂପାର ଗଡ଼ ଜନ-ବସତି-ହୀନ ଜଙ୍ଗଲେ ପରିପୂର୍ଣ୍ଣ ହଇୟା ଗେଲେ ଏବଂ ଅଜୟ ପାରହଇୟା ସେବାଇତଗଣ ନିତ୍ୟପୂଜାର ଜନ୍ୟ ପ୍ରତ୍ୟହ ଶ୍ୟାମାରୂପାର ଗଡ଼େ ଯାତାୟାତେ ଅସ୍ୱୀକୃତ ହଇଲେ ବର୍ଦ୍ଧମାନେର ରାଜା ଏଇ ଯୁଗଲ ବିଗ୍ରହ କେନ୍ଦୁବିଲ୍ୱେର ଶୂନ୍ୟ ମନ୍ଦିରେ ଆନିୟା ପ୍ରତିଷ୍ଠିତ କରେନ । ବିଗ୍ରହେର ବର୍ତ୍ତମାନ ମନ୍ଦିର ବର୍ଦ୍ଧମାନେର ମହାରାଣୀ ନୈରାଣୀ ଦେବୀ ପ୍ରତିଷ୍ଠା କରିୟାଛିଲେନ, ୧୬୧୪ ଶକାଦ୍ଦାୟ ଏଇ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନହୟ ।

 

ପ୍ରୋକ୍ତ ବର୍ଣ୍ଣନା ଦୃଷ୍ଟିରୁ ଜୟଦେବ ମନ୍ଦିର ନାମରେ କଥିତ ବର୍ଦ୍ଧମାନର କେନ୍ଦୁଲୀସ୍ଥ ମନ୍ଦିର ଯେ ବାସ୍ତବରେ ଶ୍ରୀଗୀତଗୋବିନ୍ଦ-କବି ଜୟଦେବଙ୍କ କାଳର ମନ୍ଦିର ନୁହେଁ ଏକଥାରେ ଅଣୁମାତ୍ର ସନ୍ଦେହ ଥାଇ ପାରେ କି ?

 

ଡା : ସୁକୁମାରସେନ ବଙ୍ଗଳାର ଜଣେ ସୁଖ୍ୟାତ ଇତିହାସ-ବେତ୍ତା । ତାଙ୍କର ‘‘ବାଙ୍ଗାଲା ସାହିତ୍ୟେର ଇତିହାସ’’ (ପ୍ରଥମ ଖଣ୍ଡ ପୂର୍ବାର୍ଦ୍ଧ) ୪୦-୪୨ ପୃଷ୍ଠାରେ ମହାକବି ଜୟଦେବ ଏବଂ କେନ୍ଦୁଲୀ ସମ୍ୱନ୍ଧେ ସେ ଯେଉଁ ତଥ୍ୟ ବାଢ଼ିଛନ୍ତି ନିମ୍ନରେ ତାହା ଉଦ୍ଧାର କରାଯାଉଅଛି ।

 

‘‘ଜୟଦେବେର କୋନ କୋନ ଗାନେର ଭଣିତାୟ ନିଜେକେ ‘‘କେନ୍ଦୁବିଲ୍ୱ ସମ୍ଭବ-ରୋହିଣୀ ରମଣ’’ ବଲିୟାଛେନ । ଇହାଁହଇତେ ଅନୁମାନ କରାଯାୟ ଯେ ତାହାର ଅଭିଜନ ଅଥବା ନିବାସ ଛିଲ କେନ୍ଦୁବିଲ୍ୱେ । କେନ୍ଦୁବିଲ୍ୱ ତାହାର ‘ଅଭିଜନ’ :- ଅର୍ଥାତ୍‌ ପୂର୍ବ ପୁରୁଷେର ନିବାସ ହଇଲେ କିଛୁ ବଲବାର ନାଇଁ, କେନ ନା, ‘କେଁଦୁଲି’ ବଲିୟା ଏଖନ କୋନ ଗାଇଁ ନାଇ । ନିବାସ ହଇଲେ ଅନ୍ୟ କଥା । କେଁଦୁଲି ଗ୍ରାମେର ଅସ୍ତିତ୍ୱ ବାଙ୍ଗାଲା ଦେଶେ କଖନୋ ହୟତ ଛିଲ, ଏଖନ ଲୁପ୍ତ । ଜୟଦେବେର ମେଲା ଯେଖାନେ ବସିୟା ଥାକେ ତାଁହାକେ କେଁନ୍ଦୁଲି ବଲିଲେଓ ତାହା କୋନ ଗ୍ରାମେର ମେଲା ନୟ । ଅଜୟେର ଧାରେ ବାଲୁତଟେ ପୌଷ ସଂକ୍ରାନ୍ତି ସ୍ନାନେର ମେଲା । ନିକଟେ ଯେ ଗ୍ରାମ ଆଛେ ତାହାର ନାମ ଓ କେନ୍ଦୁଲି ନୟ । ଏଖାନେ କେଁଦୁଲି ଗ୍ରାମ ଛିଲବଲିଆ କୋନ ପ୍ରମାଣ ଓ ନାଇ । ଶୁଧୁ ସ୍ନାନ ମେଲାର ନାମ ‘ଜୟଦେବ କେଁଦୁଲି’ ବା ଶୁଧୁ ‘କେଁଦୁଲି’ ଇହା ଓ ଅନୁଧାବନ ଯୋଗ୍ୟ ଯେ ଏଇ ଅଞ୍ଚଲେ ‘କେଁଦୁଲି’ ଶଦ୍ଦଟି ମେଲା ଅର୍ଥେ ସାଧାରଣ ବିଶେଷ୍ୟ ରୂପେ ସମଧିକ ପ୍ରଚଲିତ । ଚୈତନ୍ୟେର ସମୟେ ଜୟଦେବେର ସ୍ମୃତି-ସମ୍ୱଲିତ ଏ ମେଲାର କୋନ ଉଲ୍ଲେଖ ନାଇ, ଏବଂ ଜୟଦେବେର ଜନ୍ମସ୍ଥାନ ବା ବାସସ୍ଥାନ ରୂପେ କେଁଦୁଲିର ବା ଅନ୍ୟକୋନ ଗ୍ରାମେର କଥା ଓ ନାଇ । ନିତ୍ୟାନନ୍ଦେର ଜନ୍ମସ୍ଥାନ ଏ ସ୍ଥାନ ହଇତେ ଖୁବ୍‌ ବେଶି ଦୂରେ ନୟ । ସୁତରାଂ ଚୈତନ୍ୟ ଚରିତେ କେଁଦୁଲିର ଅନୁଲ୍ଲେଖ ବିସ୍ମୟାବହ । ମେଲା ସ୍ଥାନେର ନିକଟେ ଯେ ମନ୍ଦିର ଓ ଦେବସ୍ଥାନ ଆଛେ ତାହାର ଇତିହାସ ଆରମ୍ଭ ହଇୟାଛେ ୧୬୯୪ ଖ୍ରୀଷ୍ଟାଦ୍ଦ ହଇତେ ।’’

 

ବୀରଭୂମର କେନ୍ଦୁଲୀ ଓ ଜୟଦେବ ମେଳା ସମ୍ୱନ୍ଧେ ଉପରିଲିଖିତ ସିଦ୍ଧାନ୍ତ ଯେ ଯଥେଷ୍ଟ ଆଲୋକପାତ କରୁଛି ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ଏତେ ସବୁ ସରଳ ସତ୍ୟ ବୟାନ ପରେ ମଧ୍ୟ ଡାକ୍ତର ସେନ ମହାଶୟ ବଙ୍ଗୀୟରୀତି ଅନୁଯାୟୀ ସେହି ଗ୍ରନ୍ଥରେ ନିମ୍ନଲିଖିତ କେତୋଟି ପଂକ୍ତି ଲେଖିବାକୁ ପାଶୋରି ଦେଇନାହାନ୍ତି, ଅବଶ୍ୟ ତହିଁ ମଧ୍ୟରେ ନିଶ୍ଚୟାତ୍ମକତାକୁ ଟିକିଏ ଦେହଛପା ଦେଇ । ସେ ଲେଖିଛନ୍ତି :-

 

‘‘ଜୟଦେବ ବାଙ୍ଗାଲୀ ଛିଲେନ-ଏଇ ମତଇ ସାଧାରଣ ସ୍ୱୀକୃତ । ତବେ ଉଡ଼ିଶ୍ୟାତେ ଓ ଜୟଦେବେର ଐତିହ୍ୟ ଆଛେ ବଲିୟା କେହ କେହ ମନେ କରେନ ।’’ X X X ଉଡ଼ିଶ୍ୟାୟ ପୁରୀର ଅନତିଦୂରେ ପ୍ରାଚୀ ନଦୀର ଧାରେ କେନ୍ଦୁବିଲ୍ୱ ଗ୍ରାମ ଆଛେ ବଲିୟା କୋନକୋନ ଉଡ଼ିୟା ପଣ୍ଡିତ ଦାବୀ କରେନ । ଏ ଦାବୀ କତଦୂର ପ୍ରମାଣସହ ଜାନିନା । ଖୋଜଖବର ଲଇୟା ଓ ଗ୍ରାମଟିର ଅସଲ ନାମ କି ଏବଂ ସେଖାନେ ଜୟଦେବେର ଐତିହ୍ୟ କତଦିନେର ତାହା ଜାନିତେ ପାରିନାଇ । ସୁତରାଂ ବାଙ୍ଗାଲା ଦେଶେର ଦାବୀ ବେଶି ପୁରାନୋ ବଲିୟା ଆପାତତ ସ୍ୱୀକାର କରିତେଇ ହୟ ।’’ X X X ଇତ୍ୟାଦି ।

 

ବର୍ଦ୍ଧମାନର କେନ୍ଦୁବିଲ୍ୱ କିମ୍ୱା କେନ୍ଦୁଲୀ ନାମ ସମ୍ପର୍କରେ ଶ୍ରୀଚୈତନ୍ୟଦେବଙ୍କ ପୂର୍ବରୁ ବା ପରେ ତାଙ୍କ ଶିଷ୍ୟ କୃଷ୍ଣଦାସ କବିରାଜଙ୍କର ‘ଚୈତନ୍ୟ ଚରିତାମୃତ’ ବା ‘ଚୈତନ୍ୟ ଭାଗବତ’ ପ୍ରଭୃତି ବୈଷ୍ଣବ ଗ୍ରନ୍ଥରେ କୌଣସି ଉଲ୍ଲେଖ ନାହିଁ ଅଥବା ଜୟଦେବଙ୍କ ଜନ୍ମସ୍ଥାନ ବୀରଭୂମ ଜିଲ୍ଲାର କେନ୍ଦୁଲୀ ଗ୍ରାମ ବୋଲି ଲେଖାଯାଇ ନାହିଁ । ଭୌଗୋଳିକ, ସାହିତ୍ୟକ ବା ଐତିହାସିକ ପ୍ରମାଣର ଏକାନ୍ତ ଅଭାବସ୍ଥଳେ ଜୟଦେବ ଲିଖିତ ‘କେନ୍ଦୁବିଲ୍ୱ’କୁ ‘ଜବରଦସ୍ତି’ ବୀରଭୂମର କେନ୍ଦୁଲୀ ବୋଲି ଦୃଢ଼ଦାବୀ ଉପସ୍ଥାପନା ହାସ୍ୟାଷ୍ପଦ ବିବେଚନା ସିନା !

 

ବିହାରରେ ମଧ୍ୟ ତ୍ରିହୁଟ ଜିଲାରେ କେନ୍ଦୁଲୀ ନାମକ ଗୋଟିଏ ସ୍ଥାନ ଅଛି । ‘ଅଭିନବ ଜୟଦେବ’ ରୂପେ ମିଥିଳାର ରାଜଦତ୍ତ ଉପାଧିଧାରୀ ପ୍ରଖ୍ୟାତ ବୈଷ୍ଣବ କବି ବିଦ୍ୟାପତିଙ୍କର ଏହା ଜନ୍ମସ୍ଥାନ । କାହିଁ ଶ୍ରୀ ଗୀତଗୋବିନ୍ଦର ମହାକବି ଜୟଦେବଙ୍କ ଜନ୍ମଭୂମି ରୂପେ ବିହାରରୁ ଅଯଥା ଦାବୀ ଉଠିବାର ଶୁଣା ନାହିଁ ତ !

 

କେନ୍ଦୁବିଲ୍ୱ କହିଲେ ‘କେନ୍ଦୁ’ ଆଉ ‘ବିଲ୍ୱ’ ଦୁଇଟି ଶଦ୍ଦର ସମାହାର ବୁଝାଏ । ଦୁଇଟିଯାକ ବୃକ୍ଷ ବା ଫଳ ଓଡ଼ିଶାର ଆଦୌ ଅଜ୍ଞାତ ନୁହେଁ । ଓଡ଼ିଆ ଶିଶୁ ମଧ୍ୟ ଏ ଦୁଇ ବୃକ୍ଷ ଓ ଫଳ ସହିତ ଅତି ପରିଚିତ ।

 

ଓଡ଼ିଶାରେ ଯେଉଁ ବୃକ୍ଷ ବା ଫଳକୁ ‘କେନ୍ଦୁ’ ବୋଲି କହନ୍ତି, ବଙ୍ଗଳାରେ ତାହା ସେହି (କେନ୍ଦୁ) ନାମରେ ଆଖ୍ୟାତ ନୁହେଁ । କେନ୍ଦୁ ଶଦ୍ଦର ନାମଗନ୍ଧ ନ ଥିବା ସ୍ଥଳରେ କେନ୍ଦୁ ସହିତ ବିଲ୍ୱମିଶି କେନ୍ଦୁବିଲ୍ୱ ନାମର ପ୍ରସିଦ୍ଧି କିପରି ସମ୍ଭବପର ହୋଇପାରେ ? ଶିରୋନାସ୍ତିକୁତୋବ୍ୟଥା ?

 

ଓଡ଼ିଶାର ବଣଜଙ୍ଗଲରେ କେନ୍ଦୁ ଓ ବିଲ୍ୱ (କଥିତ ଭାଷାରେ ବେଲ) ଗଛ ପ୍ରଚୁର ପରିମାଣରେ ଭରି ରହିଛି । ତ୍ରିପଣ୍ଡ କଳା ବର୍ଣ୍ଣର ପୁରୁଷ ବା ନାରୀକୁ ଉପହାସ କରି ଗାଉଁଲୀ ଢଗ ପହଳିରେ ଅଶିକ୍ଷିତ ଲୋକେ ମଧ୍ୟ କହନ୍ତି-

‘‘ଜହ୍ନି ମଞ୍ଜିପରି ଗୋରା

କେନ୍ଦୁକାଠ ପରି ତୋରା ।’’

‘କେନ୍ଦୁ’ ଶଦ୍ଦର ଚଳଣି ଏଇଥିରୁ ଅନୁମାନ କରନ୍ତୁ ।

 

କେନ୍ଦୁ ଆଉ ବିଲ୍ୱ ବା ବେଲର ନାମାନୁସାରେ କେନ୍ଦୁଝର, କେନ୍ଦୁପାଟଣା, ବେଲଗାଁ, ବେଲପଡ଼ା ପ୍ରଭୃତି ବହୁସ୍ଥାନ ଓଡ଼ିଶାରେ ରହିଛି । କେଉଁଠାରେ କେନ୍ଦୁ ବା କେଉଁଠାରେ ବେଲର ପ୍ରାଚର୍ଯ୍ୟ ଘେନି ଏହି ସ୍ଥାନଗୁଡ଼ିକ ନାମିତ ହୋଇଅଛି ।

 

ଲୋକରେ କଥା ଅଛି କେନ୍ଦୁଝରର ଶତାଦ୍ଦୀ ଶତାଦ୍ଦୀ ପୂର୍ବନାମ ଥିଲା କେନ୍ଦ୍ର ଜହର । ଅର୍ଥାତ୍‌ ଜହର (ତେଜ)ର କେନ୍ଦ୍ର । ମହାତ୍ମା ବୁଦ୍ଧଙ୍କ ସମୟରେ ଏହି ନଗ୍ର ପ୍ରତିଷ୍ଠିତ ହୋଇଥିଲା । କେନ୍ଦୁ ଶଦ୍ଦଟି ଏତେ ପରିମାଣରେ ଲୋକ ପ୍ରଚଳିତ ଯେ କ୍ରମେ ‘କେନ୍ଦ୍ର’ କେନ୍ଦୁ ବୋଲାଇଲା ଏବଂ ଜହର ଶଦ୍ଦ ଝର ରୂପେ କଥିତ ହେଲା ।

 

କେନ୍ଦୁଲୀ ଶାସନ ପ୍ରାଚୀନଦୀ କୂଳରେ ଅବସ୍ଥିତ । ପ୍ରାଚୀନଦୀର ପ୍ରବାହମାନ ଜଳଧାରାର ତୀରେ ତୀରେ ବହୁ ଶିବମନ୍ଦିର (ଲିଙ୍ଗ) ପ୍ରତିଷ୍ଠିତ । ଏଥିମଧ୍ୟରୁ ପ୍ରସିଦ୍ଧ ଶିବଙ୍କର ଆସ୍ଥାନ ଗୋଟିଏ ‘ବେଲ’ ଗଛର ମୂଳରେ ବୋଲି ତାହାଙ୍କୁ ‘ବିଲ୍ୱେଶ୍ୱର’ ବୋଲାଯାଏ । ତୀର ନିକଟସ୍ଥ ଜନବସତି ବହୁ ବିଦ୍ୱାନ ପଣ୍ଡିତ ସଙ୍କୁଳ ଥିଲା । ଜୟଦେବ ଏହିରୂପେ ପ୍ରଖ୍ୟାତ ପ୍ରାଚୀନଦୀ ତୀରବର୍ତ୍ତି କେନ୍ଦୁବିଲ୍ୱ ଶାସନର ଚନ୍ଦ୍ରମା । କପିଳ ସଂହିତାରେ ଏହି ବିଦ୍ୱଜ୍ଜନ ଓ ବିଲ୍ୱେଶ୍ୱରଙ୍କ ସମ୍ୱନ୍ଧେ କୁହାଯାଇଅଛି ଯେ-

କ୍ରୋଷେକ୍ରୋଷେ ଚ ଲିଙ୍ଗାନି ତଟେ ତସ୍ୟା ମନୋରମେ

ସର୍ବ୍ବତ୍ର ସୁଖ ସଞ୍ଚାରେ ବିଦ୍ୱଜ୍ଜନ ସୁସେବତେ ।

ତତ୍ର ବିଲ୍ୱେଶ୍ୱରୋ ନାମ ବିଲ୍ୱମୂଳାଶ୍ରିତେ ହରଃ

ତଂ ହୃଷ୍ଟ୍ୱା ପୂଜୟିତ୍ୱା ଚ ବରଃ ଶିବମବାପ୍ନୁୟାତ୍‌।’’

 

ଏହିପରି କେନ୍ଦୁ ଏବଂ ବିଲ୍ୱବୃକ୍ଷର ପ୍ରାଚୁର୍ଯ୍ୟ ହେତୁ ସ୍ଥାନଟି ‘କେନ୍ଦୁବିଲ୍ୱ’ ବୋଲାଇବା ସୁନିଶ୍ଚିତ । ଏହି ନାମଧ୍ୟେୟ ଗ୍ରାମଟି କାଳକ୍ରମେ ଲୋକ କଥାରେ ‘କେନ୍ଦୁଲି’ ବୋଲାଉଛି । ଗ୍ରାମର ଅବସ୍ଥିତି ପୁରୀ ଜିଲ୍ଲାରେ । ଓଡ଼ିଶାରେ ଗଙ୍ଗବଂଶ ରାଜତ୍ୱ ପୂର୍ବରୁ (ପ୍ରାୟ ନବମ ଶତାଦ୍ଦୀ) ଏହା ଏକ ଶାସନ ବା ବହୁ ବ୍ରାହ୍ମଣ ବସତି ଗ୍ରାମ ରୂପେ ପରିଚିତ ଥିଲା । ବିସ୍ତର କେନ୍ଦୁବନ କଟାଯାଇ କ୍ରମେ ଏଠାରେ ଜନବସତି ଗଢ଼ିଉଠିଛି । ଗ୍ରାମଟି ପ୍ରାଚୀନଦୀର ତୀରରେ । ଦକ୍ଷିଣ ପୂର୍ବପଟେ ଗ୍ରାମଠାରୁ ପ୍ରାୟ ଦୁଇମାଇଲ ଦୂରତ୍ୱ ମଧ୍ୟରେ ଘଟିଛି ତ୍ରିବେଣୀ-ସଙ୍ଗମ; ପ୍ରାଚୀ କୁଶଭଦ୍ରା ଏବଂ ଧନୁଆଁ ନଦୀର ମିଳନରେ । ଏହିଠାରେ ବିରାଜିତ ମାଧବ ମୂର୍ତ୍ତି ‘ତ୍ରିବେଣୀ ମାଧବ’ ରୂପେ ପରିପୂଜିତ । ମୂର୍ତ୍ତି ନିର୍ମାଣ ଓ ପ୍ରତିଷ୍ଠାକାଳ ପ୍ରାୟ ଦଶମ ଶତାଦ୍ଦୀ ବୋଲି ପ୍ରତ୍ନତତ୍ୱବେତ୍ତାମାନଙ୍କ ମତ । ପ୍ରତିବର୍ଷ ମାଘ ଅମାବାସ୍ୟା ଦିବସରେ ଏଠାରେ ତ୍ରିବେଣୀ ସ୍ନାନମେଳା ବସେ । କପିଳ ସଂହିତା ଏବଂ ପ୍ରାଚୀ ମହାତ୍ମ୍ୟରେ ଏହା ଅତି ପବିତ୍ର ସ୍ଥଳରୂପେ ଆବହମାନ କାଳରୁ ସମ୍ମାନିତ । ପ୍ରାଚୀ ମହାତ୍ମ୍ୟର ଉତ୍କଳାନୁବାଦରେ କୁହାଯାଇଅଛି :-

‘‘ନାମ ତାହାର ଅନ୍ତର୍ବେଦୀ

ସାଯୁଜ୍ୟ ମୋକ୍ଷ ପ୍ରଭୁବାଦୀ ।

ତ୍ରିବେଣୀ ସ୍ନାନ କରି ନର

ମୁକ୍ତି ଲଭଇ କଳେବର ।

X      X      X

 

ଗଙ୍ଗାଙ୍କଠାରୁ ସେ ଅଧିକ

ହୋଇ ପବିତ୍ର କରେ ଲୋକ ।

କାଳିନ୍ଦୀ ଗଙ୍ଗା ସମୀପରେ

ଯେ ଫଳ ସେ ଫଳ ପ୍ରାଚୀରେ ।’’

 

କପିଳ ସଂହିତାରେ ମଧ୍ୟ ଏହି ‘ତ୍ରିବେଣୀ’ ସଙ୍ଗମସ୍ଥଳ ସମ୍ପର୍କରେ କୁହାଯାଇଅଛି ଯେ :-

‘‘ତ୍ରିବେଣୀ ସଙ୍ଗମ ତତ୍ର ମହାପୂଣ୍ୟ ପ୍ରଦାୟକଂ

ତତ୍ର ସ୍ନାନେ ମହୀପାଳ ମାଘମାସେ ପ୍ରକୀର୍ତ୍ତିତମ୍‌ ।

ବିଶେଷେଣ ପ୍ରବକ୍ଷାମି ଅମାବାସ୍ୟାଂ ଫଳଂ ମହତ୍‌

ସ୍ନାନ ସନ୍ଧ୍ୟାଂଜପୋ ଦାନମକ୍ଷୟଂତୁ ସମୀରିତମ୍‌ ॥’’

ଅର୍ଥାତ୍‌ ଏହି ସ୍ଥାନଟି ତ୍ରିବେଣୀ ଗଙ୍ଗା ରୂପେ ପ୍ରକୀର୍ତ୍ତିତ ।

 

ଜୟଦେବଙ୍କ ପକ୍ଷେ ବୀରଭୂମର କେନ୍ଦୁଲିଠାରୁ ଦୁଇଶତ ମାଇଲ ଦୂରସ୍ଥ ଗଙ୍ଗାସ୍ନାନ ପରିକଳ୍ପନା ଏବଂ ପୁରୀଜିଲ୍ଲାର କେନ୍ଦୁଲିଠାରୁ ମାତ୍ର ଦେଢ଼ମାଇଲ ଦୂରରେ ପ୍ରବାହିତା ତ୍ରିବେଣୀ ଗଙ୍ଗାସ୍ନାନ ସମ୍ଭାବନାର ମହତ୍ୱ ସହଜ ଅନୁମେୟ ।

 

ଓଡ଼ିଶାର କେନ୍ଦୁଲି ଗ୍ରାମର ଅଧିଷ୍ଠାତ୍ରୀ ରୂପେ ପ୍ରତିଷ୍ଠିତା ଜାଗେଶ୍ୱରୀ ଦେବୀ କେନ୍ଦୁ ବୃକ୍ଷମୂଳରେ ବିରାଜିତା । ଦେବୀ ଅମ୍ୱିକା ପୂର୍ବେ ବିଲ୍ୱ ମୂଳରେ ହିଁ ଅବସ୍ଥିତା ଥିଲେ । ଲୋକ, ପରେ ତାଙ୍କୁ ଗୋଟିଏ ମନ୍ଦିର ମଧ୍ୟରେ ସ୍ଥାପନା କଲେ । ମନ୍ଦିରଟି କାଳଚକ୍ର କବଳରେ ବର୍ତ୍ତମାନ ଭଗ୍ନ ପ୍ରାୟ । କିନ୍ତୁ ଏଇ ମନ୍ଦିରର ମୁଖୁଶିଆଳ ଅଦ୍ୟାପି ପଥର ଗିରାରେ ଅଲିଭା ଜୟଦେବୀ ରଚନା ଗାଉଛି ‘ଜଏ ଜଏ ଦେବ ହରେ’ । ମନ୍ଦିର ନିର୍ମାଣକାଳ ୧୧୧୨ ଶକାଦ୍ଦ ଅର୍ଥାତ୍‌ ୧୧୯୦ ଖ୍ରୀଷ୍ଟାଦ୍ଦ । ଏହା ମଧ୍ୟ ତାହାରି ପାର୍ଶ୍ୱରେ ଖୋଦିତ । ଏହି ଚିରନ୍ତନୀ ଲେଖାକୁ କଅଣ ଜୟଦେବଙ୍କ ସ୍ମୃତି ସ୍ମରଣ ବୋଲି କେହି ଚେତନ ପୁରୁଷ ଅସ୍ୱୀକାର କରିପାରେ ?

 

ଏହି ଦେବୀ ମନ୍ଦିରରେ ଚିରାଚରିତ ପ୍ରଥାନୁସାରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି । ଦେବୀପୂଜାରେ ଚଣ୍ଡୀପାଠ ହିଁ ଶାସ୍ତ୍ରବିଧି । କିନ୍ତୁ ମନ୍ଦିରରେ ତହିଁର ବିଚିତ୍ର ବ୍ୟତିକ୍ରମ ପ୍ରଥା ପ୍ରଚଳିତ । ଚଣ୍ଡୀପାଠ ପରିବର୍ତ୍ତେ ଦେବୀଙ୍କ ଛାମୁରେ, ପ୍ରତିବର୍ଷ ଦୁର୍ଗାପୂଜା ବା ଦଶହରା ପର୍ବ କାଳରେ ଶ୍ରୀଗୀତଗୋବିନ୍ଦ ପାରାୟଣ କରାହୁଏ ।

 

ବର୍ଦ୍ଧମାନ ଜିଲ୍ଲା କେନ୍ଦୁଲି ଗ୍ରାମର ମନ୍ଦିରରେ କିନ୍ତୁ ଶ୍ରୀଗୀତଗୋବିନ୍ଦ ପାଠପଠନର କୌଣସି ସୂଚନା ନ ଦେଖି ପଣ୍ଡିତ ହରେକୃଷ୍ଣ ମୁଖୋପଧ୍ୟାୟ ଦୁଃଖ ପ୍ରକାଶ କରିଅଛନ୍ତି । ମାତ୍ର ଦୁଃଖ କରି ଲାଭ କଅଣ ? ଭକ୍ତକବି ଜୟଦେବ ତ ସେ ଭୂମିର ସନ୍ତାନ ନୁହନ୍ତି । ତାଙ୍କର ସ୍ମୃତି ସ୍ମରଣ ଲାଗି ସେସ୍ଥାନର ଲୋକେ ଶ୍ରୀଗୀତଗୋବିନ୍ଦ ପାଠ କରିବେ ଅବା କାହିଁକି ? ଏ କଥା ହିଁ ସ୍ୱୀକାର କରାଯାଇପାରେ ଯେ ହୁଏତ ଜୟଦେବ କେନ୍ଦୁଲିସ୍ଥ ରାଧା-ବିନୋଦ ମନ୍ଦିରରେ ‘ଗୀତ’ ଅଛି କିନ୍ତୁ ‘ଗୋବିନ୍ଦ’ ଦୁର୍ଲ୍ଲଭ ।

 

କେନ୍ଦୁଲି ଶାସନର ପ୍ରସିଦ୍ଧି ବହୁ ପୁରାତନ । ୧୩୭୮-୧୪୦୭ ଖ୍ରୀଷ୍ଟାଦ୍ଦ ମଧ୍ୟରେ ଉତ୍କଳେଶ ମହାରାଜ ୪ର୍ଥ ନରସିଂହଦେବଙ୍କ ପ୍ରଦତ୍ତ କେତୋଟି ‘ତମ୍ୱାପଟା’ ସନନ୍ଦ ନିକଟରେ ଉଦ୍ଧାର କରାଯାଇଅଛି । ଏଗୁଡ଼ିକ ଗୋଟିଏ ପଥର ବାକ୍‌ସ ମଧ୍ୟରେ ବନ୍ଦ ଥିଲା । ଚଣ୍ଡିମନ୍ଦିର ସନ୍ନିକଟ ଗୋଟିଏ ପୁଷ୍କରିଣୀ ଗର୍ଭରୁ ଏଗୁଡ଼ିକ ଉଦ୍ଧାର କରାଯାଇଅଛି । ଶ୍ରୀଗୀତଗୋବିନ୍ଦ ସ୍ନେହୀ ସୂର୍ଯ୍ୟବଂଶୀ ନରପତି ମହାରାଜ ପ୍ରତାପରୁଦ୍ର ଦେବ ୧୪୯୭-୧୫୩୪ ଖ୍ରୀଷ୍ଟାଦ୍ଦ ମଧ୍ୟରେ କେନ୍ଦୁଲି ଶାସନରେ ବହୁ ବ୍ରାହ୍ମଣଙ୍କର ବସବାସ ନିମିତ୍ତ ଭୂମିବୃତ୍ତି ଦାନର ପ୍ରମାଣ ଦିଏ ଏହି ସନନ୍ଦ ଲେଖ ।

 

କେନ୍ଦୁଲି ଶାସନର ମଠକୁ କେତେକକାଳ ପୂର୍ବେ ଦେବଦର୍ଶନାର୍ଥୀ ଅସଂଖ୍ୟ ଯାତ୍ରୀ ଭାରତର ନାନା ପ୍ରାନ୍ତରୁ ଆସୁଥିଲେ । ପୁରୁଷୋତ୍ତମର ପଣ୍ଡାମାନଙ୍କ ଘରେ ‘ଯାତ୍ରୀ’ମାନଙ୍କ କୃଷିନାମା ବା ବଂଶଲେଖ ଥିବାପରି ଏହି ମଠର ସେବକମାନେ ଯାତ୍ରୀମାନଙ୍କ ନାମଧାମ ଓ ବଂଶ ପରମ୍ପରାର ଲେଖା ମଧ୍ୟ ରଖୁଥିଲେ । କେନ୍ଦୁଲି ଶାସନଟି ଶ୍ରୀମାନ୍‌ ଜଗନ୍ନାଥଙ୍କ ଅମୃତ ମଣୋହି ‘ମାହାଲ’ (ସମ୍ପତ୍ତି) । ତ୍ରିମାଳୀ ମଠାଧୀଶ ଏହି ଗ୍ରାମକୁ ନିଷ୍କର ବୃତ୍ତି ରୂପେ ଭୋଗକରି ଆସୁଅଛନ୍ତି । ପୂର୍ବୋକ୍ତ ଯାତ୍ରୀ ବିବରଣୀ ଲାଗି କୌତୁହଳୀ ପାଠକ ତ୍ରିମାଳୀମଠ ଅନୁସନ୍ଧାନ କରନ୍ତୁ ।

 

ପଦ୍ମାବତୀ ପରିଣୟ

 

‘ଭକ୍ତମାଳ’ ଗ୍ରନ୍ଥ ତଥା ପ୍ରଚଳିତ କିମ୍ୱଦନ୍ତୀ ମତରେ ପଦ୍ମାବତୀଙ୍କର ପିତାମାତା ପ୍ରଥମେ ଥିଲେ ନିଃସନ୍ତାନ । ଶ୍ରୀମନ୍‌ ଜଗନ୍ନାଥଙ୍କଠାରେ ସନ୍ତାନ ଲାଭ ପ୍ରାର୍ଥନା କରି ସେ ଦୁହେଁ ସତ୍ୟକଲେ ଯେ ପୁତ୍ର ଜନ୍ମ ହେଲେ ସେ ହେବ ପ୍ରଭୁଙ୍କର ସେବକ ଏବଂ କନ୍ୟାଜାତ ହେଲେ ହେବ ସେବାଦାସୀ ବା ଦେବଦାସୀ । ଯଥାକାଳରେ ଜନ୍ମଲାଭ କଲେ ପଦ୍ମାବତୀ । ଯୌବନ ପ୍ରାପ୍ତିପରେ ଶପଥ ରକ୍ଷା ନିମିତ୍ତ ପିତାମାତା ତାଙ୍କୁ ଶ୍ରୀକ୍ଷେତ୍ରକୁ ଘେନିଗଲେ । ସେଠାରେ ବଡ଼ପଣ୍ଡା ଓ ପଦ୍ମାବତୀଙ୍କ ପିତାଙ୍କୁ ପ୍ରଭୁଙ୍କର ସ୍ୱପ୍ନାଦେଶ ହେଲା; କନ୍ୟାକୁ ଭକ୍ତ ଜୟଦେବଙ୍କ କରରେ ସମର୍ପଣ କରିବା ନିମିତ୍ତ ।

 

ସାଧୁ ଜୟଦେବ ପ୍ରଥମେ ପଦ୍ମାବତୀଙ୍କ ପାଣିଗ୍ରହଣରେ ଏକାନ୍ତ ଅନିଚ୍ଛା ପ୍ରକାଶ କଲେ । ପରେ ସେ ବଡ଼ପଣ୍ଡା ପ୍ରଭୃତିଙ୍କଠାରୁ ସମସ୍ତ ଘଟଣା ଶୁଣି ପ୍ରଭୁଙ୍କ ଆଦେଶର ଅବମାନନାକରିବା ଏକାନ୍ତ ଅନୁଚିତ ଓ ଅଧର୍ମ ବିଚାରି ପଦ୍ମାବତୀଙ୍କର ପାଣି ଗ୍ରହଣକଲେ । ଏଥିରୁ ସ୍ପଷ୍ଟ ଅନୁମାନ କରିହୁଏ ଯେ ଏ ଶୁଭ ପରିଣୟ ସଙ୍ଘଟିତ ହୋଇଥିଲା ଶ୍ରୀକ୍ଷେତ୍ରରେ ଏବଂ ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶରେ ।

 

ଭକ୍ତମାଳର ବର୍ଣ୍ଣନା ଅନୁସାରେ ଜୟଦେବ ପରେ ପଦ୍ମାବତୀଙ୍କ ସହିତ ଶ୍ୱଶୁରାଳୟକୁ ଯାଇଥିଲେ ଏବଂ ସେହିଠାରେ (ପଦ୍ମାବତୀଙ୍କ ପିତୃ ଗୃହରେ) ଯଥାବିଧି ପରିଣୟ ସମାହିତ ହୋଇଥିଲା ।

‘‘ତସ୍ମାଦସ୍ୟା ପିତୁର୍ଗେହଂ ଗତ୍ୱହୁମନୟା ସହ

ଇମା ପ୍ରତିଗ୍ରହୀଷ୍ୟାମି ବିଧିନା ନାତ୍ର ସଂଶୟଃ ।।

X      X      X

ଜୟଦେବସ୍ତୟା ସାର୍ଧ ଦେବଶର୍ମଗୃହଂ ଗତଃ ।।

ତମୁକ୍ତ୍ୱା ଗଦ୍‌ଗଦଂ ସର୍ବ ପ୍ରତିଗୃହ୍ୟ ଯଥାବିଧି ।

ପଦ୍ମାବତ୍ୟାତୟା ସାର୍ଧମାଜଗାମ ନିଜଂ ଗୃହମ୍‌ ।।

ଉଭୌ ତୌ ଦମ୍ପତୀ ତତ୍ର ଏକପ୍ରାଣୌ ବଭୂବତୁଃ

ନୃତ୍ୟନ୍ତୌ ଚାପି ଗାୟନ୍ତୌ ଶ୍ରୀକୃଷ୍ଣାର୍ଚନ ତତ୍ପରୌ ।।

                  (ଭକ୍ତମାଳ ୩୯ ସର୍ଗ)

 

ଜୟଦେବ ଚରିତ୍ର ମତେ-

 

ଜୟଦେବ କେନ୍ଦୁବିଲ୍ୱ (ବୀରଭୂମ) ଶିବ ମଣ୍ଡପରେ ହରିନାମ କୀର୍ତ୍ତନ କରୁଥିଲେ । ପଦ୍ମାବତୀଙ୍କ ପିତାମାତା ଶପଥ ରକ୍ଷାକରି ପୁରୀଧାମରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଉପସ୍ଥିତ ହେଲେ । ତହୁଁ ‘‘ନୀଲାଚଲନାଥ ତାହାଦିଗକେ ସ୍ୱପ୍ନାଦେଶ ଦେନ, ତୋମରା କେନ୍ଦୁବିଲ୍ୱେ ଗିୟା, ଆମାର ଅଂଶରୂପ ବ୍ରାହ୍ମଣ ଜୟଦେବେର କରେ କନ୍ୟା ସଂପ୍ରଦାନ କର । ବନମାଲୀ ଦାଶ ଲିଖିୟାଛେନ-

ଜଗନ୍ନାଥ ବଲିଲେନ୍‌

ତାହାଁରେ ଦେଖିୟା ମନେ ଘୃଣା ନା କରିବେ

ଯେମତ ଆମାକେ ଜାନ ତେମତି ଜାନିବେ ।।

‘‘ସେ ଦାନ ଆମିଇ ଗ୍ରହଣ କରିବ, ତୋମରାଓ ଅରୁଣୀ ହଇବେ ।।’’

(କ: ଜ: ଓ ଶ୍ରୀ ଗୀ: ଗୋ:- ପୃ୪୭)

 

ବିବିଧ ଗ୍ରନ୍ଥବାଣୀ ଲୋକକଥା ଓ ବିଶ୍ୱାସ ଇତ୍ୟାଦିର ବିପରୀତ ବର୍ଣ୍ଣନା ଘେନି ଲିଖିତ ‘ଜୟଦେବ ଚରିତ୍ର’ ବର୍ଣ୍ଣନା ଅନୁସାରେ ଦାକ୍ଷିଣାତ୍ୟରୁ ବ୍ରାହ୍ମଣ ଦମ୍ପତି କୋଡ଼ିଏ ଦିନ କାଳ ଚାଲିଚାଲି କେନ୍ଦୁବିଲ୍ୱରେ ଉପସ୍ଥିତ ହେଲେ, ପଦ୍ମାବତୀଙ୍କ ସହିତ । ଏଠାରେ ସେମାନେ ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଶ୍ନ କରି ଜୟଦେବଙ୍କ ସନ୍ଧାନ ପାଇଲେ ନାହିଁ । ଯଦିବା ବନମାଳୀ ଦାସଙ୍କ କଥା ଅନୁସାରେ ଜୟଦେବ ଭିକ୍ଷା ମାଗୁଥିଲେ ଏବଂ ଗ୍ରାମର ଶିବମଣ୍ଡପରେ ହରିନାମ ଗାଉଥିଲେ ତଥାପି ଗ୍ରାମବାସୀ କେହି ତାଙ୍କର ପରିଚୟ ଦେଇ ପାରିଲେ ନାହିଁ । ଶିବ ମଣ୍ଡପଟି ତେବେ ବୋଧହୁଏ ଗ୍ରାମବାସୀମାନଙ୍କର ଅଜ୍ଞାତ ଥିଲା କିମ୍ୱା ଦର୍ଶନାର୍ଥୀ କେହି ସେ ମନ୍ଦିରକୁ ଯାଉ ନଥିବେ । ନଚେତ୍‌ ପାଗଳପରି ଜଣେ ଲୋକ ସେଠାରେ ହରିନାମ ଗାଇ ନାଚି ବୁଲୁଥିବାର ସତ୍ୟ ହୋଇଥିଲେ ଅନ୍ତତଃ କୌତୂହଳ ପରବଶହୋଇ କେହି ହେଲେ ତ ତା’ର ପରିଚୟ ଲୋଡ଼ିବା ମନୁଷ୍ୟ ପକ୍ଷେ ସ୍ୱାଭାବିକ । କିନ୍ତୁ ଜୟଦେବ ଚରିତ୍ର ବର୍ଣ୍ଣନାନୁସାରେ ଏହା ସମ୍ଭବ ହୋଇନାହିଁ ।

 

ପରିଣୟ ସମ୍ୱନ୍ଧେ ବଙ୍ଗଳା ‘‘ଚିତ୍ରେ ଜୟଦେବ-ଗୀତଗୋବିନ୍ଦ’’ ବର୍ଣ୍ଣନାନୁସାରେ-ପଦ୍ମାବତୀଙ୍କ ପିତା ଦେବଶର୍ମ୍ମା ବୀରଭୂମର କେନ୍ଦୁଲିରେ ପହୁଞ୍ଚି ଜଣେ ବ୍ରାହ୍ମଣଙ୍କ ଆଶ୍ରୟରେ ରହିଲେ । କୁହାଯାଇଅଛି ଯେ ‘‘ପ୍ରଥମ ଅନୁସନ୍ଧାନ କରତେ ଗିୟେଇ ବ୍ରାହ୍ମଣ ହତାଶହୟେ ପଡ଼ଲୋ । ଜୟଦେବ ଗୋସ୍ୱାମୀ (!) ବଲେ କୋନ ପରିଚିତ ବ୍ୟକ୍ତରଇ ଖବର କେଉ ଦିତେ ପାରେନା । ଆଶ୍ରୟଦାତା ଗୃହସ୍ଥ ଯଖନ ବ୍ରାହ୍ମଣେର ମୁଖେ ଶୁନଲେନ ଯେ ପଦ୍ମାବତୀର ସଙ୍ଗେ ସେଇ ଜୟଦେବ ଗୋସ୍ୱାମୀର ବିୟେ ଦେବାର ଜନ୍ୟେ ତିନି ଏସେଛେନ, ଗୃହକର୍ତ୍ତା ଅବାକ୍‌ ହୟେ ଗେଲେନ୍‌ । X X X ନିଶ୍ଚୟଇ ବ୍ରାହ୍ମଣେର ସମ୍ବାଦେ କୋନ ଭୁଲ ଆଛେ । X X X ବିଭିନ୍ନ ଲୋକେର କାଛଥେକେ ଟୁକୁରୋ ଟୁକୁରୋ ଯେ ସମ୍ୱାଦ ପେଲୋ, ତା ଏକତ୍ର କରେ ଜୟଦେବ ଗୋସ୍ୱାମୀର ଚରିତ୍ର, ଯା ଦାଁଡ଼ା ଲୋ ..................... କେଉ ବଲେ ପାଗଲ, କେଉ ବଲେ ଭିଖାରୀ, କେଉବଲେ ଲମ୍ପଟ । କେଉ ବଲତେ ପାରେନା ସଠିକ ଭାବେ କୋଥାୟ ସେ ଥାକେ ବା କି କରେ । X X X ଅଧିକାଂଶ ସମ୍ଭ୍ରାନ୍ତ ଲୋକଇ ଜୟଦେବର ପରିଚୟ ଜାନେନ ନା । ନୀଚ ଜାତୀୟ ଲୋକେଦେର କାଛ ଥେକେଇ ତାର ପରିଚୟ ପାଓୟା ଗେଲ........ ।’’

 

ଅବଶେଷରେ ଅବଶ୍ୟ, କଦମ୍ୱ ଖଣ୍ଡିରେ ଜୟଦେବଙ୍କ ସନ୍ଧାନ ମିଳିଲା । ବଙ୍ଗଳାରେ ସେତେବେଳେ ତନ୍ତ୍ରପୂଜା ହିଁ ଥିଲା ମୁଖ୍ୟ । ‘‘ସମାଜେର ରନ୍ଧ୍ରେ ରନ୍ଧ୍ରେ ଚଲେଛେ ନାରୀ ଦେହକେ ନିୟେ ଏକ ବିଭତ୍ସ କାମଲୀଲା ।’’

 

ଏହିପରି ସମୟରେ ବୀରଭୂମ କେନ୍ଦୁଲୀ ଗ୍ରାମର ଅଜୟନଦୀ ତୀରରେ ଜୟଦେବ (ଗୋସ୍ୱାମୀ)ଙ୍କର ଅଭ୍ୟୁଦୟ ସମ୍ଭବ ହେଲା ! ଏହିଠାରେ ଅଜୟ ନଦୀରେ ସ୍ନାନକାଳରେ ସେ ପାଇଲେ ନଦୀଗର୍ଭରୁ ‘‘ରାଧାଶ୍ୟାମେର ଯୁଗଳ ମୂର୍ତ୍ତି, ତାର ଇଷ୍ଟଦେବତା (!) । ସେଇ ରାଧାଶ୍ୟାମେର ମୂର୍ତ୍ତିକେ କୋଲେ କରେ ଜୟଦେବ ଅଜୟେର ତୀରେ ଉନ୍ମାଦ ନୃତ୍ୟ ସୁରୁକରେ ଦିଲେନ ।’’ ଲକ୍ଷ୍ୟ କରାଯାଇପାରେ ଯେ ଏ ଯୁଗଳମୂର୍ତ୍ତି ଶ୍ରୀଗୀତଗୋବିନ୍ଦ ବର୍ଣ୍ଣିତ ‘ରାଧାମାଧବ’ ନୁହନ୍ତି- ଏ ହେଉଛନ୍ତି ‘ରାଧାଶ୍ୟାମ ।’

 

ପରେ ପୁଣି ଏହିଠାରେ ଉଭାହେଲା ‘ରାଧାବିନୋଦ’ ମନ୍ଦିର- ଯାହା ବର୍ଦ୍ଧମାନ ମହାରାଜାଙ୍କ କୀର୍ତ୍ତି । ଏହି ‘ରାଧାବିନୋଦ’ ମନ୍ଦିରକୁ ‘ରାଧାମାଧବ’ ମନ୍ଦିର ରୂପେ ପରିଚିତ କରାଇବାକୁ ବହୁ ସୁଚତୁର ଅପକଳ୍ପନା କରାଯାଇଅଛି । ପରବର୍ତ୍ତୀ ଯୁଗରେ ଯେତେଦୂର ଜଣାଯାଏ, ଏହାର ଅଙ୍କୁରାରୋପଣର ଶୁଭ ଦେଲେ ଜୟଦେବ ଚରିତ୍ରକାର ବଙ୍ଗଳାର ମାନନୀୟ କବି ବନମାଳୀଦାସ ମହୋଦୟ; ବର୍ଦ୍ଧମାନ ମହାରାଜାଙ୍କ ପ୍ରଶସ୍ତି ଗାୟନ ଅଭିପ୍ରାୟରେ ।

 

ଏହିଠାରେ ଘଟେ ପଦ୍ମାବତୀ ପରିଣୟ । ଏହିଠାରେ ‘‘ଜୟଦେବ ରଚନା କରତେବସେନ ଶ୍ରୀ ଶ୍ରୀ ଗୀତଗୋବିନ୍ଦ କାବ୍ୟ ।’’

 

ଆଉ ଏହିଠାରେ ମଧ୍ୟ କବିଙ୍କ ପୋଥୀରେ ଲେଖା ହୁଏ :-

‘‘ସ୍ମର ଗରଳ ଖଣ୍ଡନଂ            ମମ ଶିରସି ମଣ୍ଡନଂ

      ଦେହ ପଦପଲ୍ଲବ ମୁଦାରଂ ।’’

ଏହି ଅର୍ଦ୍ଧପଦ ଲେଖିସାରି କବି ‘‘ନଦୀତେ ସ୍ନାନେର ଜନ୍ୟେ ବେରିୟେ ପଡ଼ଲେନ ।’’

 

‘‘ଅଜୟେର ତଟେ ସେଦିନ ମାନୁଷେର ପ୍ରେମେର ଆକର୍ଷଣେ ଭଗବାନ ସଶରୀରେ ଏସେଛିଲେନ ନେମେ, ତାର ଚିହ୍ନ ରୟେଗେଲ ନିତ୍ୟକାଲେର ଜନ୍ୟେ ଗୀତଗୋବିନ୍ଦ କାବ୍ୟେ ।’’

 

ଗ୍ରନ୍ଥାନ୍ତରେ (କ:ଜ: ଓ ଶ୍ରୀ ଗୀତଗୋବିନ୍ଦ :- ପୃ୪୮ଷ୍ଠା) କିନ୍ତୁ କବି ଅଜୟ ନଦୀରେ ସ୍ନାନ କରିଥିବା ପରିବର୍ତ୍ତେ ‘‘କବି ଗଙ୍ଗାସ୍ନାନେ ଗେଲେନ’’ ବୋଲି ଲେଖାଅଛି । (ଏଠାରେ ବୀରଭୂମ କେନ୍ଦୁଲୀଠାରୁ ଗଙ୍ଗାର ଦୂରତ୍ୱ ଅନୁମେୟ) ।

 

ପଦ୍ମାବତୀ ପରିଣୟ ସହିତ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିରର ପୂଜାପଣ୍ଡା, ପଦ୍ମାବତୀଙ୍କ ପିତା ଦେବଶର୍ମ୍ମା ଏବଂ ଜୟଦେବଙ୍କ ପ୍ରତି ଶ୍ରୀଜୀଉଙ୍କର ଆଦେଶବାଣୀ ଇତ୍ୟାଦି ବିଚାର କଲେ, କେନ୍ଦୁଲୀ (ବୀରଭୂମ)ରେ ପଦ୍ମାବତୀଙ୍କ ପରିଣୟ ଘଟିଥିବା ଉଦ୍‌ଭଟ୍ଟ କଳ୍ପନା କିପରି ଏକ ଅସମର୍ଥ ଚତୁରତାର ପ୍ରତୀକ ତାହାହିଁ ଗୁଣୀଜନ-ଉପଭୋଗା ।

 

ଜୟଦେବ-କେନ୍ଦୁଲୀରେ ହିଁ ଜୟଦେବଙ୍କ ଆବିର୍ଭାବ, ସେହିଠାରେ ତାଙ୍କର ପରିଣୟ ଓ ତତ୍ରତ୍ୟ ‘ରାଧାବିନୋଦ’ ମନ୍ଦିରରେ ଜୟଦେବ ଗୀତଗୋବିନ୍ଦ ଗାଉଥିଲେ ଏବଂ ପଦ୍ମାବତୀ ନୃତ୍ୟ କରୁଥିଲେ ଇତ୍ୟାଦି ଇତ୍ୟାଦି ବିବିଧ ଗାଲଗଳ୍ପ ବଂଗୀୟ ଲେଖକମାନେ ପ୍ରଚାର କରି ଆସିଛନ୍ତି । ଏକ ପକ୍ଷର ନୀରବତା ହିଁ ଏଭଳି ଅପପ୍ରଚାରକୁ ପରୋକ୍ଷରେ ପ୍ରଶ୍ରୟ ଦେଇ ନାହିଁକି ?

 

ଜୟଦେବ ଲେଖିଛନ୍ତି-

‘‘ତ୍ୱାମପ୍ରାପ୍ୟମୟି ସ୍ୱୟଂ ବର ପରାଂ କ୍ଷୀରୋଦ-ତୀରୋଦରେ

ଶଙ୍କେ ସୁନ୍ଦରି କାଳକୂଟମପିବନ୍ମୂ ଢ଼ୋ ମୃଡ଼ାନୀପତିଃ ।

ଇଞ୍ଚଂ ପୂର୍ବକଥାଭିରନ୍ୟମନସୋ ବିକ୍ଷିପ୍ୟ ବକ୍ଷୋ ଞ୍ଚଳମ୍

ପଦ୍ମାୟାଃ ସ୍ତନକୋରକୋପରି ମିଳନ୍ମେତ୍ରୋ ହରିଃ ପାତୁ ବଃ ।’’

(ଗୀ: ଗୋ: ୧୨ଶ ସର୍ଗ)

 

-ସୁନ୍ଦରୀ ! ମୋ ଠାରେ ଚିତ୍ତସମର୍ପଣ କରି ସ୍ୱୟଂବରା ହୋଇ କ୍ଷୀରସାଗରତଟରେ ତୁମେ ମୋର ଅଙ୍କଶାୟିନୀ ହେବାର ଦେଖି ଶିବ (ସହି ନପାରି) ଗରଳ ପାନ କରିଥିଲେ ..... ଇତ୍ୟାଦି ବିଗତ କାଳର ରସକଥାମାନ କହି ପଦ୍ମା (ଲକ୍ଷ୍ମୀ)ଙ୍କର ସ୍ତନ-ଉତ୍ତରୀୟ ଅପସାରିତ କରି ଏକ ଦୃଷ୍ଟିରେ ଯେ ଚାହିଁଥିଲେ ସେ ଆପଣମାନଙ୍କୁ ରକ୍ଷା କରନ୍ତୁ ।

 

ଏଠାରେ ପଦ୍ମା ହିଁ ଲକ୍ଷ୍ମୀ । ସ୍ପଷ୍ଟ ପ୍ରତୀତ ହୁଏ ଯେ ଜୟଦେବୀ ରଚନାର ରାଧାକୃଷ୍ଣହିଁ ଲକ୍ଷ୍ମୀ-ନାରାୟଣ ରୂପେ ପରିକଳ୍ପିତ । ଏହି ଲକ୍ଷ୍ମୀ ନାରାୟଣ ହିଁ ଶ୍ରୀକ୍ଷେତ୍ରର ସାଗରତୀରରେ ନିର୍ମିତ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ଜଗନ୍ନାଥ ଓ ମହାଲକ୍ଷ୍ମୀ ।

 

ଶ୍ରୀମନ୍ଦିର ନିର୍ମାଣ କରାଇଥିଲେ ମହାରାଜା ଚୋଡ଼ଗଙ୍ଗଦେବ । କୁହାଯାଏ ଯେ ସେ ବୈଷ୍ଣବ ସଂପ୍ରଦାୟର ପ୍ରତିଷ୍ଠାତା ରାମାନୁଜଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ରାଧାକୃଷ୍ଣ ପୂଜନ-ପ୍ରଥା ଦେବତନୁ ବିଷ୍ଣୁ ସ୍ୱାମୀଙ୍କଦ୍ୱାରା ଭାରତରେ ପ୍ରଚାରିତ ହୋଇଥିଲା । ତାଙ୍କ ପରେ ରାଜା ‘ହାଲ’ ରାଧାକୃଷ୍ଣରସ ବର୍ଣ୍ଣିତ ବହୁ କବିତା ଲେଖିଛନ୍ତି । ପାରାମାର ବଂଶୀୟ ନରପତି ବାକ୍‌ପତି ମୁଞ୍ଜୁଙ୍କ ଦ୍ୱାରା ୯୮୧ ଶତାଦ୍ଦୀରେ ଖୋଦିତ ଲିପିରୁ ଏହାର ପ୍ରମାଣ ମିଳେ । ଜୟଦେବଙ୍କୁ ନିମ୍ୱାର୍କ ପ୍ରଚାରିତ ରାଧା-କୃଷ୍ଣ ପ୍ରେମ ଧର୍ମରେ ପ୍ରଭାବିତ ବୋଲି କେହ କେହି କହିଲେ ହେଁ ଶ୍ରୀଗୀତଗୋବିନ୍ଦରେ ରାମାନୁଜୀ ପ୍ରଭାବପାତର ସୂଚନା ମିଳେ । ଜୟଦେବ ରାଧାକୃଷ୍ଣ କେଳି ବର୍ଣ୍ଣନାତ୍ମକ ଧାରାର ବିଶିଷ୍ଟ ପ୍ରଚାରକ ।

 

ଶ୍ରୀ ଚୈତନ୍ୟ ଦେବଙ୍କ ପୂର୍ବରୁ ବଙ୍ଗରେ ରାଧାକୃଷ୍ଣ ରାସଲୀଳା ପ୍ରଚାରର ପ୍ରମାଣ ଅଭାବ ।

 

ରାଧାକୃଷ୍ଣ ହିଁ ଲକ୍ଷ୍ମୀନାରାୟଣ । ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥ ମନ୍ଦିର ଏହି ତତ୍ତ୍ୱ ଉପରେ ପ୍ରତିଷ୍ଠିତ । ଶ୍ରୀଗୀତଗୋବିନ୍ଦରେ ରାଧାକୃଷ୍ଣ ରସ ବର୍ଣ୍ଣନ କରି ଯେଉଁ କବି ଲକ୍ଷ୍ମୀନାରାୟଣଙ୍କୁ କଳ୍ପନା କରିଅଛନ୍ତି ସେ ସେହି ଭିତ୍ତିରେ ନିର୍ମିତ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୂ ତାଙ୍କ ରଚିତ ପଦାବଳୀ ଶୁଣାଉଥିଲେ । ଏହା ବିଭିନ୍ନ ଶାସ୍ତ୍ରରେ ପ୍ରମାଣିତ । ଏଣୁ ସେ ‘‘ଜୟଦେବକେନ୍ଦୁଲି’’ସ୍ଥ ଶିବ ମନ୍ଦିରରେ ରାଧାକୃଷ୍ଣ-କେଳି ଲୀଳା ସମ୍ୱଳିତ ଗୀତ ଗାଇ ନାଚୁଥିଲେ ; ଶ୍ରୀଗୀତଗୋବିନ୍ଦ ସେହିଠାରେ ରଚିତ ଏବଂ ସେହିଠାରେ ହିଁ ତାଙ୍କର ପରିଣୟ ସମାହିତ ବୋଲି ଦାବୀ ବାଢ଼ିବା ‘ଆଇ ବୁଢ଼ୀ’ର କାହାଣୀ ପରି ଲାଗେ ନାହିଁ କି ?

 

ଜୟଦେବ କେନ୍ଦୁଲୀ (ବୀରଭୂମ) ଜୟଦେବଙ୍କର ଜନ୍ମସ୍ଥାନ ବୋଲି ପ୍ରମାଣ ଓ ପ୍ରଚାର ଲାଗି କେତେକ ବଙ୍ଗୀୟ ପଣ୍ଡିତ ମଧ୍ୟ ‘କମର-କଷିବା’ରେ ଆଗଭର । ଏହିପରି ‘କେତେକ’ଙ୍କ ମଧ୍ୟରୁ ‘ଏକ’ର ନମୁନା ବାଢ଼ୁଛି ସାରାଂଶ ମାତ୍ର ଲେଖି :-

 

ତା ୨୯। ୫ । ୬୬ରିଖ ରବିବାର ‘ଅମୃତ ବଜାର’ ପତ୍ରିକାରେ ‘‘ଜୟଦେବଙ୍କ ଜନ୍ମ କେଉଁଠି’’ (Where was Joydeve born) ଶୀର୍ଷକ ଗୋଟିଏ ପ୍ରବନ୍ଧ ଲେଖିଛନ୍ତି ଡା: ଅମର ପ୍ରସାଦ ଭଟ୍ଟାଚାର୍ଯ୍ୟ । ନିମ୍ନରେ ଏହି ଲେଖା ସମ୍ୱନ୍ଧରେ କିଞ୍ଚିତ୍‌ ଆଲୋଚନା କରାଯାଉଅଛି ।

 

ସେ ଲେଖିଛନ୍ତି- ବିଖ୍ୟାତ ଗୀତଗୋବିନ୍ଦର ଲେଖକଙ୍କ ଜନ୍ମ ଓ ବଂଶ ଓଡ଼ିଶାର (Orishya) କେନ୍ଦୁବିଲ୍ୱ ଗ୍ରାମରେ ବୋଲି ବର୍ତ୍ତମାନ ଯୁକ୍ତି କରାଯାଉଅଛି । (Recently it has been argued) କେବଳ ଗ୍ରାମର ନାମ ସାମ୍ୟ ହେତୁ ଯେ କବିଙ୍କର ଜନ୍ମ ଓଡ଼ିଶାରେ ଏକଥା କୁହାଯାଇ ନ ପାରେ । ସେ ଦ୍ୱାଦଶ ଶତାଦ୍ଦୀରେ ଲକ୍ଷ୍ମଣ ସେନଙ୍କ ସଭାକବି ଥିବାର ଐତିହାସିକ ପ୍ରମାଣ ଏବଂ ପଶ୍ଚିମ ବଙ୍ଗର ବୀରଭୂମି ଜିଲ୍ଲାର କେନ୍ଦୁଲୀ ତାଙ୍କର ଜନ୍ମସ୍ଥାନ - ଏହା ଯୁଗ - ଯୁଗାନ୍ତର ପ୍ରତିଷ୍ଠିତ ସତ୍ୟ (time honoured established fact) । ସେହିପରି ଗୁରୁତର ଐତିହାସିକ ପ୍ରମାଣ ଭିନ୍ନ ଏହା ଅସ୍ୱୀକାର କରାଯାଇ ନ ପାରେ ।

 

(ପ୍ରୋକ୍ତ ଯୁକ୍ତି ଦୁଇଟିର ସମାଧାନ ସମ୍ବନ୍ଧେ ‘‘ବାଚଃପଲ୍ଲବୟତି’’ ଅଧ୍ୟାୟରେ ଆଲୋଚନା ଦ୍ରଷ୍ଟବ୍ୟ)

ପୁଣି ଲେଖକ ମହାଶୟ ସାହସର କେତେକ ନୂତନ ତଥ୍ୟ ବାଢ଼ିଛନ୍ତି । (I ventre to give some new facts), ଯାହା ଜୟଦେବ ଯେ କେବଳ ‘ବଙ୍ଗାଳୀ’ ନୁହନ୍ତି ଓ ସେ ବିଖ୍ୟାତ ନିମ୍ବାର୍କପନ୍ଥୀ ବୈଷ୍ଣବ ଏହା ପ୍ରମାଣ କରାଇବାର ସହାୟକ ହେବ ; ଯଥା -

 

(କ) ଜୟଦେବଙ୍କ ଜନ୍ମସ୍ଥଳୀ କେନ୍ଦୁବିଲ୍ୱ (କେନ୍ଦୁଲୀ) । ସାଧାରଣ ଲୋକ କଥାରେ ଏହା ନିମ୍ବାର୍କ ସଂପ୍ରଦାୟର ‘ଜୟଦେବ - କେନ୍ଦୁଲୀ’ ନାମରେ ପରିଚିତ (Belongs to Nimbarka Sampradaya) । ଏହି ମନ୍ଦିର ଚତ୍ୱରରେ ଏକ ସଂବତ୍ସରିକ ମେଳା ବସେ ।

 

ଏହି ମେଳା ସମ୍ବନ୍ଧେ ପୂର୍ବରୁ ଆଲୋଚନା କରାଯାଇଅଛି ।)

 

(ଖ) ଜୟଦେବ ଯେଉଁ ‘ମାଧବଜୀ’ଙ୍କୁ ଆରାଧନା କରୁଥିଲେ, ସେ ପ୍ରତିମା ବର୍ତ୍ତମାନ କିଶାନଗଡ଼, ରାଜସ୍ଥାନ ଶାଲିମାବାଦଠାରେ ‘ପରଶୁରାମ ପୁରୀ’ ରେ ବିଦ୍ୟମାନ । ଏହି ସ୍ଥାନ ନିମ୍ବାର୍କ ବୈଷ୍ଣବ ସଂପ୍ରଦାୟର ପ୍ରଧାନ ପୀଠସ୍ଥଳୀ (Acharya pitha) ।

 

(ଏଥୁଁ ଜଣାଯାଏ ଯେ ଜୟଦେବଙ୍କ ଆରାଧିତ ଦେବତା, - ଜୟଦେବ-କେନ୍ଦୁଲୀ ମଠରେ ପ୍ରତିଷ୍ଠିତ ବିଗ୍ରହ ‘ରାଧାମାଧବ’ ନୁହନ୍ତି, ସେ ‘ରାଧା - ବିନୋଦ’ ନାମରେ ସଂପୂଜିତ । ବଙ୍ଗୀୟ ଗ୍ରନ୍ଥାନ୍ତରେ ଏହା ହିଁ ତତ୍ରତ୍ୟ ପ୍ରତିଷ୍ଠିତ ଦେବତାଙ୍କ ନାମ । ମାଳା ଏହିଠାରେ ବସେ । ଏ ସମ୍ବନ୍ଧେ ମଧ୍ୟ ପୂର୍ବରୁ ଆଲୋଚନା କରାଯାଇଅଛି ।)

 

ବୃନ୍ଦାବନତଟୀସ୍ଥାନସ୍ଥ ନିମ୍ବାର୍କ ସଂପ୍ରଦାୟର ଗୁରୁ - ପରମ୍ପରାରୁ (Succession list) ଜଣାଯାଏ ଯେ ଜୟଦେବ ଯଶୋଦାନନ୍ଦନ ଦେବଙ୍କର ଶିଷ୍ୟ ଏବଂ ଜନଗୋପାଳ ଦେବ ଜୟଦେବଙ୍କର ଶିଷ୍ୟ । ପୁଣି ଜୟଦେବ ହେଉଛନ୍ତି ନିମ୍ବାର୍କଙ୍କର ୪୬ତମ ଶିଷ୍ୟ (descendent) ଏବଂ ଯେହେତୁ କବି ଜୟଦେବଙ୍କ କାଳ ଦ୍ୱାଦଶ ଶତାବ୍ଦୀ ତେଣୁ ନିମ୍ବାର୍କ ତାଙ୍କଠାରୁ ବହୁ ପୂର୍ବଜ । (ନିମ୍ବାର୍କଙ୍କ କାଳ ଅବଧି ଇତିହାସ ସ୍ଥିରୀକୃତ ନୁହେଁ । ଐତିହାସିକମାନଙ୍କ ମତରେ ପ୍ରାୟ ୧୧୫୦ ଖ୍ରୀଷ୍ଟାବ୍ଦ ଗୀତଗୋବିନ୍ଦ ରଚନା କାଳ । ଜୟଦେବଙ୍କ କାଳ ୧୨ଶ ଶତାବ୍ଦୀର ପ୍ରଥମାର୍ଦ୍ଧ ବୋଲି ଧରା- ଗଲେ ତାଙ୍କର ୪୬ତମ ପୂର୍ବପୁରୁଷ ନିମ୍ବାର୍କ ପ୍ରାୟ ଏକ ହଜାର ବର୍ଷ କିମ୍ବା ତଦୁର୍ଦ୍ଧ କିଛି କାଳର ଅର୍ଥାତ ମହାତ୍ମା ଯୀଶୁଙ୍କ ସମସାୟିକ; କିନ୍ତୁ ନିମ୍ବାର୍କ ଜୟଦେବଙ୍କର ବହୁ ପୂର୍ବରୁ ଆବିର୍ଭୁତ ନୁହନ୍ତି ବୋଲି ଐତିହାସିକ ମତ ଦିଅନ୍ତି । ଅତଏବ ଜୟଦେବ ନାମଧାରୀ କେହି ନିମ୍ବାର୍କଙ୍କର ୪୬ତମ ଶିଷ୍ୟ ହୋଇପାରି ଥାଆନ୍ତି କିନ୍ତୁ ତାଙ୍କୁ ଶ୍ରୀଗୀତଗୋବିନ୍ଦକାର କବି ଜୟଦେବ ବୋଲି ପ୍ରତିଷ୍ଠିତ କରାଇବା ପ୍ରଚେଷ୍ଟା ଏକାନ୍ତ ଚପଳ-ବିଚାର ନୁହେଁ କି ?)

 

ଭଟ୍ଟାଚାର୍ଯ୍ୟ ମହାଶୟ ଲେଖିଛନ୍ତି - ଜୟଦେବ ମନ୍ଦିରର ବୈଷ୍ଣବମାନଙ୍କ ତିଳକ କେବଳ ନିମ୍ବାର୍କ ସଂପ୍ରଦାୟର ତିଳକ ସହିତ ପୂର୍ଣ୍ଣମାତ୍ରାରେ ସମାନ (Fully corresponds to trhat of Nimbarka Sampradaya only) ।

 

(ଜୟଦେବ କେନ୍ଦୁଲୀ ବୋଲାଉଥିବା ସ୍ଥାନରେ ଅବସ୍ଥିତ ମନ୍ଦିର ବା ଜୟଦେବ - ମନ୍ଦିର ଜୟଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ନୁହେଁ । ଏକଥା ପୂର୍ବେ ଆଲୋଚନା କରାଯାଇଅଛି । ଏହା ଛଡ଼ା ଲେଖକ ଜୟଦେବ - ମନ୍ଦିର ବୋଲି କହୁଥିବା ମନ୍ଦିରର ବୈଷ୍ଣବମାନେ ନିମ୍ବାର୍କ ସଂପ୍ରଦାୟର ଯେଉଁପରି ତିଳକ ଘେନୁଥିବାର ବର୍ତ୍ତମାନ ଲେଖକ ମହାଶୟଙ୍କ ଦୃଷ୍ଟିଗୋଚର ହେଉଅଛି, ସେହିପରି ତିଳକ ଯେ ଶ୍ରୀଗୀତଗୋବିନ୍ଦ କବି ଜୟଦେବ ଦ୍ୱାଦଶ ଶତାବ୍ଦୀ କାଳରେ ମଥାରେ ଘେନୁଥିଲେ ଏହା ବିଂଶ ଶତକର ଲେଖକ ମହାଶୟ କଅଣ ଦେଖିଥିଲେ ? ଆଉ ଏଥିର କିପରି ବା ସେ ଜୟଦେବ ‘ବଙ୍ଗୀୟ’ ବୋଲି ଯୁକ୍ତି ବାଢ଼ୁଛନ୍ତି, ତାହା ତାଙ୍କର ଏକାନ୍ତ ସ୍ୱପ୍ନ - ବିଳାସ ଭିନ୍ନ ଆଉ କଅଣ ହୋଇପାରେ ?

 

କବି ଜୟଦେବ ଓ ଶ୍ରୀଗୀତଗୋବିନ୍ଦ ବଙ୍ଗଳା ପୁସ୍ତକର ଲେଖକ ମଧ୍ୟ ଏ ସମ୍ବନ୍ଧେ ସହମତ ନୁହନ୍ତି । ସେ ଲେଖିଛନ୍ତି : -

‘‘ x x କେହି କେହି ବଲେନ ଜୟଦେବ ନିମ୍ବାର୍କ ସଂପ୍ରଦାୟ ଭୁକ୍ତ ଛିଲେନ୍‌ । ନିମ୍ବାର୍କ ସଂପ୍ରଦାୟେର ଗୁରୁଶିଷ୍ୟ ପର୍ଯ୍ୟାୟେ ଏକଜନ ଜୟଦେବେର ନାମ ପେଓୟାଯାୟ । ନିମ୍ବାର୍କ ସଂପ୍ରଦାୟେର ଆଚାର୍ଯ୍ୟଗଣେର ମତେ ଏଇ ଜୟଦେବ । କବି ଜୟଦେବ କିନ୍ତୁ ଇତିହାସରେ ବିଚାରେ ନିମ୍ବାର୍କ ଜୟଦେବ ଅପେକ୍ଷା ବୟଃକନିଷ୍ଠ ଏବଂ ଉଭୟେର ଦେଶ ଏକ ଛିଲନା । ତେବେ ଏମନ ହଇତେ ପାରେ, ଜୟଦେବ ଯେ ଆକାର ହଇତେ ରାଧାକୃଷ୍ଣ କଥା ଗ୍ରହଣ କରିୟାଛିଲେନ୍‌, ନିମ୍ବାର୍କେର ଆକାର ଶାସ୍ତ୍ର ଓ ତାହାଇ ଛିଲି ।।’’                   (କ: କ: ୧୬୬ ପୃଷ୍ଠା)

 

ଭଟ୍ଟାଚାର୍ଯ୍ୟ ମହାଶୟ ଆଇନ ଅଦାଲତ ନିଷ୍ପତ୍ତିର ଆଶ୍ରୟକୁ ମୂଳ କରି ମହାଶୟ ବୃନ୍ଦାବନତଟୀ ସ୍ଥାନର ଜନୈକ ମହନ୍ତ ଏବଂ ଜୟଦେବ - କେନ୍ଦୁଲୀସ୍ଥ ମଠ ନିମ୍ବାର୍କ ସଂପ୍ରଦାୟ - ଅନ୍ତର୍ଭୁକ୍ତ ବୋଲି ପ୍ରମାଣ ଉପସ୍ଥାପିତ କରିଛନ୍ତି । ଏକଥା ବୀରଭୂମ କେନ୍ଦୁଲୀରେ ଶ୍ରୀଗୀତ ଗୋବିନ୍ଦକବି ଜୟଦେବ ଜନ୍ମଗ୍ରହଣ କରିଥିବେ ବୋଲି ଯକ୍ତି ବାଢ଼ିବାରେ କିପରି ସହାୟକ ହୋଇପାରେ, ତାହା ସୂଧୀଜନବିଚାର୍ଯ୍ୟ ।

 

ତାଙ୍କ ମତରେ କବି ଜୟଦେବ ନିମ୍ବାର୍କପନ୍ଥୀ ଏବଂ ବୀରଭୂମର କେନ୍ଦ୍ର ବିଲ୍ୱ ବା କେନ୍ଦୁଲୀମଠ ନିମ୍ବାର୍କ ସମ୍ପ୍ରଦାୟର ମଠ । ଅତଏବ ଏହି କେନ୍ଦୁଲୀ ହିଁ କବିଙ୍କର ଜନ୍ମସ୍ଥଳୀ ।

 

‘ଜୟଦେବ’ ନାମଧାରୀ କେତେ ପୁରୁଷ ଥିଲେ, ଅଛନ୍ତି ଓ ଥିବେ ମଧ୍ୟ । ମୟୁରର କଣ୍ଠ ନୀଳବର୍ଣ୍ଣ: ତେଣୁ ସେ ପାର୍ବତୀ - ପତି ନୀଳକଣ୍ଠ ଆଖ୍ୟାରେ ପରିପୂଜିତ କି ? ପୁଣି ଗୋଟିଏ ଅଧେ ନିମ୍ବାର୍କ ସମ୍ପ୍ରଦାୟର ମଠ ଥିବାହେତୁ ଯଦି ଜଣେ କବି - ଜୟଦେବ ସେଠାରେ ଜନ୍ମଗ୍ରହଣ କରିପାରନ୍ତି, ତେବେ ପୁରୀକ୍ଷେତ୍ରର ନିମ୍ବାର୍କ ସମ୍ପ୍ରଦାୟଦ୍ୱାର ପ୍ରତିଷ୍ଠିତ ପ୍ରଖ୍ୟାତ ରାଧାବଲ୍ଲଭ ମଠ ଏବଂ ଆହୁରି ଏହି ସମ୍ପ୍ରଦାୟର ଏକାଧିକ ମଠ, ମନ୍ଦିର ବିଦ୍ୟମାନ ଥିବା ସ୍ଥଳରେ କେତେ ଜଣ କବି ଜୟଦେବ ଜନ୍ମଗ୍ରହଣ କରିପାରିଥିବେ, ଓଡ଼ିଶାର ଇତିହାସ ବା କିମ୍ବଦନ୍ତୀ ଅଦ୍ୟାବଧି ସେ ସମ୍ବାଦ ରଖିପାରି ନାହିଁ, ଦୁଃଖର କଥା । ପୂର୍ବୋକ୍ତ ପ୍ରମାଣଗୁଡ଼ିକୁ ବିଚାରକୁ ନେଲେ ପଦ୍ମାବତୀଙ୍କ ପରିଣୟ ଜୟଦେବ- କେନ୍ଦୁଲୀରେ ସଂଘଟିତ ବୋଲି କିଏ କହିବ ?

 

ନାନା ମତ

ଶ୍ରୀଗୀତଗୋବିନ୍ଦର ମାଧୁରୀ ଅପୂର୍ବ । ଏହା ସର୍ବଜନପ୍ରିୟ । ତେଣୁ ଯୁଗ ଯୁଗାବଧି ବହୁ ମଧୁକର ହାର ମକରନ୍ଦ ଲୋଭରେ ଲାଳାୟିତ ହୋଇ କିଏ ସୁମନ - ଶିରୀର ସ୍ତାବକ, କିଏ ପୁଣି ଏହାକୁ ଏକାନ୍ତ ଆପଣାର କରିବା ପ୍ରଚେଷ୍ଟାରେ ବ୍ୟସ୍ତ । ଜଗନ୍ନାଥଙ୍କ ଶ୍ରୀଚରଣନିବେଦିତ ଏଇ ସୌରଭ ସୁମନଟି କିନ୍ତୁ ଶ୍ରୀମନ୍‌ ନୀଳାଦ୍ରି କନ୍ଦରନିବାସୀଙ୍କର ନିଜସ୍ୱ ଉଦ୍ୟାନ ପ୍ରସୂତ । ଏସମ୍ବନ୍ଧେ ସଂଗୃହୀତ ନାନା ମତ ମଧ୍ୟରୁ କତିପୟ ନିମ୍ନରେ ଉଦ୍ଧୃତ କରାଯାଉଅଛି । ଅଧ୍ୟୟନଟି ରସିକ ଗାହକଜନଙ୍କ ସୁବିଚାରକୁ ଆସୁ ।

 

ଚାନ୍ଦ କବି

କବିଙ୍କର ଚାନ୍ଦ (ଚନ୍ଦ୍ର ବରଦାୟୀ) ଭାରତର ଶେଷ ହିନ୍ଦୁ ସମ୍ରାଟ ପୃଥ୍ୱୀରାଜଙ୍କୁ ସଭାକବି । ସେ ଲେଖିଛନ୍ତି ପୃଥ୍ୱୀରାଜ ରାସୋ ବା ରାୟସା । ଇତିହାସ ପ୍ରମାଣରେ ସେ ଦ୍ୱାଦଶ ଶତାବ୍ଦୀର ଉତ୍ତର ଭାଗର କବି, ରାସୋରେ ଚାନ୍ଦ କବି ସ୍ୱୀୟ କବିସୁଲଭର ବିନୟ ପ୍ରକାଶ କରି:-

‘‘କବି କିତ୍ତି କିର୍ତ୍ତୀ ଭକତି ସୁଦିଖ୍‌ଖୀ

ନିନୈକୀ ଉଚ୍ଚ ଷ୍ଠୀ କବିଚନ୍ଦ୍ର ଭ୍‍ଖ୍‍ଖୀ ।’’

 

ଲେଖିବାପରେ -

‘‘ଜୟଦେବ ଅଠଠଂ କବୀ କବିରାୟଂ

ଜିନୈଂ କେବଲଂ କିତ୍ତି ଗୋବିନ୍ଦା ଗାୟଂ ।’’

 

- ଏହି କବିତାରେ ସେ ଜୟଦେବଙ୍କୁ ତାଙ୍କର ପୂର୍ବବର୍ତ୍ତୀ ମହାଜନରୂପେ ସମ୍ମାନ ପ୍ରଦର୍ଶନ କରିଛନ୍ତି ।

ଜୟଦେବଙ୍କ କାଳରେ ପୋଥି ଓ ଲେଖନ ଭିନ୍ନ ମୁଦ୍ରାଯନ୍ତ୍ରର ପ୍ରଚଳନ ନ ଥିଲା କିମ୍ବା ଦୂରଦୂରାନ୍ତକୁ ଗମନା ଗମନରେ ସୁବିଧା - ସୁଯୋଗ ମଧ୍ୟ ନ ଥିଲା । ତେଣୁ ଖଣ୍ଡିଏ କାବ୍ୟ ବା ଗ୍ରନ୍ଥର ପ୍ରଚାର ପ୍ରସାର ଯେ ବହୁ ସମୟ ସାପେକ୍ଷ ହୋଇଥିବ, ଏଥିରେ ସନ୍ଦେହ କଅଣ ? ଶ୍ରୀଗୀତ ଗୋବିନ୍ଦର ଯଥାସମ୍ଭବ ଆଶୁ ପ୍ରଚାର ଘଟିଛି ଶ୍ରୀମନ୍‌ ନୀଳାଦ୍ରି ନାଥଙ୍କ କରୁଣାରୁ । ବଡ଼ ଦେଉଳରେ ଶ୍ରୀଗୀତଗୋବିନ୍ଦର ଗୀତ ନୃତ୍ୟ ଲକ୍ଷ ଲକ୍ଷ ଦର୍ଶନୀର୍ଥୀଙ୍କୁ ଅଭିଭୂତ କରିଛି । ତେଣୁ ଅନ୍ୟାନ୍ୟ କବିକୃତି ଅପେକ୍ଷା ଯଥା ସମ୍ଭବ ଶୀଘ୍ର ଭାରତର ବିଭିନ୍ନ ପ୍ରାନ୍ତରେ ଏହାର ପ୍ରଚାର ଓ ସମାଦର ବୃଦ୍ଧି ଘଟିଛି । ଫଳରେ ପୃଥ୍ୱୀରାଜଙ୍କ ବାଲ୍ୟସାଥୀ ଚନ୍ଦବରଦାୟୀ ବା ଚାନ୍ଦକବି ତାଙ୍କ ପୃଥ୍ୱୀରାଜ ରାସୋରେ କବି ଜୟଦେବଙ୍କୁ ସମ୍ବର୍ଦ୍ଧନା ଜଣାଇ ଅଛନ୍ତି ସୁଦୂର ଦିଲ୍ଲୀରୁ । ଓଡ଼ିଶା କିମ୍ବା ଜୟଦେବଙ୍କ ଜନ୍ମସ୍ଥଳୀ ବୋଲି ଦାବୀ କରୁଥିବା ବଙ୍ଗଳାଠାରୁ ଦିଲ୍ଲୀ ନିକଟବର୍ତ୍ତୀ ନୁହେଁ । ସୁତରାଂ ଜୟଦେବଙ୍କୁ ତାଙ୍କ ସମସାମୟିକ ବୋଲି ବିଚାର କରାଯାଇ ନ ପାରେ । ପୁଣି ପୂର୍ବୋକ୍ତ ଉଦ୍ଧୃତିରୁ ମଧ୍ୟ ଏହି କଥା ଜଣାଯାଏ ଯେ ଚାନ୍ଦକବି ଜୟଦେବଙ୍କୁ ପୂର୍ବବର୍ତ୍ତୀ ଅନ୍ୟାନ୍ୟ ଆଠ ଜଣ କବିଙ୍କ ମଧ୍ୟରେ ବରଣ କରିଛନ୍ତି । ‘‘ଜୟଦେବ ଓ ଶ୍ରୀଗୀତଗୋବିନ୍ଦ ଗ୍ରନ୍ଥକାର ମହାଶୟ ଏସମ୍ବନ୍ଧେ ନିଜର ମତ ଦେଇ ଲେଖିଛନ୍ତି:-

 

‘‘କାହାରୋ କାହାରୋ ମତେ ପୃଥ୍ୱୀରାଜ ରାସୋର ମଧ୍ୟେ ଜୟଦେବର ନାମ ପାଓ୍ରୟାପାୟ ; ଯଥା :-

ଜୟଦେବ ଅଠଠଂ କବୀ କବିରାୟଂ

ଜିନୈଂ କେବଲଂ କିତ୍ତି ଗୋବିନ୍ଦ ଗାୟଂ ।

 

ପୃଥ୍ୱୀରାଜ ୧୧୧୫ ଶକାବ୍ଦାୟ ସାହବୁଦ୍ଦିନ ଘୋରୀର ସଙ୍ଗେ ଯୁଦ୍ଦେ ନିହିତ ହନ । ସୁତରାଂ ଜୟଦେବ ପୃଥ୍ୱୀରାଜ ସଭାସଦ ରାସୋ-ପ୍ରଣେତା ଚାନ୍ଦକବିର ସମସାକୟିକ ବଲିତେହୟ ।

 

ଐତିହାସିକ ଗଣରେ ମତେ ସମ୍ରାଟ ଲକ୍ଷ୍ମଣସାନ ୧୦୯୧ ଶକାବ୍ଦେ ସିଂହାସନ ଆରୋହୀନ କରେନ । ସୁତରାଂ ବଲିତେ ପାରାଯାୟ କବି ଜୟଦେବ ଶକାବ୍ଦେର ଏକାଦଶ ଶତକେର ଶେଷଭାଗେ ବର୍ତ୍ତମାନ ଛିଲେନ ।’’

                                                (କ: ଜ: - ପୃ ୨୩ ଷ୍ଠା)

 

ଏକ ଅର୍ବାଚୀନ ଶିଳାଲେଖରେ ପ୍ରକ୍ଷିପ୍ତ ‘‘ବାଚଃ ପଲ୍ଲବୟତି’’ ଶ୍ଲୋକରୁ ଜୋର ଜବରଦସ୍ତି ଜୟଦେବଙ୍କ ଉମାପତିଧର ପ୍ରଭୃତି କବିମାନଙ୍କ ସମସାମୟିକ ଏବଂ ଲକ୍ଷ୍ମଣସେନଙ୍କ ସଭାକବି ଥିବା ପ୍ରଚାର କରାଯାଇଅଛି । ଏବେ ସେଥି ସହିତ ଚାନ୍ଦକବିଙ୍କୁ ମଧ୍ୟ ଜୟଦେବଙ୍କ ସମସାମୟିକ ବୋଲି କୁହାଗଲା, ଇତିହାସର ଜ୍ୱଳନ୍ତ ସତ୍ୟକୁ ଉପେକ୍ଷା କରି । ଓଡ଼ିଶା ଏକ ପଡ଼ୋଶୀ ରାଜ୍ୟ - ଆଉ ଦିଲ୍ଲୀ ବହୁ ଦୁର । ତେଣୁ ଜୟଦେବଙ୍କ ପରି ଚାନ୍ଦକବିଙ୍କୁ ଲକ୍ଷ୍ମଣସେନଙ୍କ ସଭାକବି ଆସନ ଦିଆଯାଇପାରିଲା ନାହିଁ, ଦୁର୍ଭାଗ୍ୟକୁ ସିନା !

 

ବଙ୍ଗର ଶେଷ ସ୍ୱାଧୀନ ସମ୍ରାଟ, କକ୍ତିୟାର ଖିଲଜଙ୍କ ଦ୍ୱାରା ପରାଜିତ ହୋଇ ଉତ୍କଳ ନରେଶଙ୍କର ଆଶ୍ରୟପ୍ରାର୍ଥୀ ହୋଇଥିବାର ଇତିହାସ ପ୍ରସିଦ୍ଧି ଅଛି; କିନ୍ତୁ ଆଶ୍ରୟ ପ୍ରାର୍ଥୀ ହେବା ପରିବର୍ତ୍ତେ ସେ ଅଭିଯାନ ଚଳାଇଥିବାର କବି ଜୟଦେବ ଗ୍ରନ୍ଥର ଉଲ୍ଲେଖ । ତେଣୁ ଏହାଙ୍କ ଇତିହାସ ପ୍ରମାଣମତେ ବଲ୍ଳାଳସେନଙ୍କ ପୁତ୍ର ଲକ୍ଷ୍ମଣସେନ ସେହି ଆଶ୍ରୟପ୍ରାର୍ଥୀ ଲକ୍ଷ୍ମଣସେନ କି ନୁହନ୍ତି - ଏ କଥର ମଧ୍ୟ ବିଚାର୍ଯ୍ୟ ।

 

କାରଣ ପ୍ରୋକ୍ତ ଗ୍ରନ୍ଥରେ କୁହାଯାଇଅଛି :-

 

ବଲ୍ଲାଳସେନ ଉଡ଼ିଶ୍ୟା ଜୟ କରିତେ ଗିୟାଛିଲେନ, ଲକ୍ଷ୍ମଣସେନ ଓ ଉଡ଼ିଶ୍ୟାୟ ଅଭିଯାନ କରିୟାଛିଲେନ । ଏମନ ଓହଇତେ ପାରେ, ସମ୍ରାଟ ଲକ୍ଷ୍ମଣସେନେର ସଙ୍ଗେ ତଦାନୀନ୍ତନ ଉଡ଼ୀଶ୍ୟାପତି ସନ୍ଧି ବନ୍ଧନେ ଆବଦ୍ଧ ହଇୟା ଛିଲେନ୍ ଏବଂ ଲକ୍ଷ୍ମଣସେନ୍‌ ସଭାକବି ଜୟଦେବକେ ଲଇୟା ଜଗନ୍ନାଥ ଦେବକେ ଦର୍ଶନ କରିୟାଛିଲେନ । ସେଇ ସମୟ ଶ୍ରୟୀଜଗନ୍ନାଥ ଦେବ ତଥା ପୁରୀରାଜ ଓ ବଙ୍ଗେଶ୍ୱରର ପ୍ରୀତିବିଧାନାର୍ଥ କବି ଜୟଦେବ ବୈଷ୍ଣବାମୃତ ରଚନାର କରିୟା ଦିୟାଛିଲେନ । ଏରୂପ ସିନ୍ଧାନ୍ତ କରିଲେ କ୍ଷତି କି ?

            (କ: କ: - ୨୬୦ ପୃଷ୍ଠା)

 

ଏ ସିଦ୍ଧାନ୍ତ ଶାସ୍ତ୍ରୀଙ୍କର ‘ଏମନ ଓ ହଇତେ ପାରେ’ ବିଚାରକୁ ସୁଧୀବର୍ଗ ବିଚାର କରନ୍ତୁ । ପଣ୍ଡିତ ମହାଶୟ ପୁଣି ମଧ୍ୟ ଲେଖିଛନ୍ତି ଯେ ‘‘ସମ୍ରାଟ       ବିଲ୍ଲାଳସେନ ଓ ଲକ୍ଷ୍ମଣସେନେର ସହିତ ଉଡ଼ିଶ୍ୟାର ସମ୍ବନ୍ଧରେ କଥା ଓ ଇତିହାସ ସ୍ୱୀକୃତ ସତ୍ୟ । ଏ ‘ସମ୍ବନ୍ଧେର’ ସମ୍ବନ୍ଧେ ବିଜ୍ଞ ଐତିହାସିକମାନେ ଯଥା ବିଚାର କରିବେ ସିନା !

 

ଜୟଦେବଙ୍କ ଜନ୍ମସମ୍ବନ୍ଧେ ଏହି ଗ୍ରନ୍ଥରେ ୩୬ ପୃଷ୍ଠାର ପାଦଟୀକାରେ ଲେଖାଅଛି:- ‘‘ଫରିଦପୁର ଜେଲାର ପିଙ୍ଗଳାନାମେ ଏକଖାନି ଗ୍ରାମ ଆଛେ । ଏଇ ଗ୍ରାମେ ବାତ୍ସ୍ୟ ଗୋତ୍ରୀୟ କାଞ୍ଜିଲାଲ ଉପାଧିଧାରୀ ଅନେକ ସଭ୍ରାନ୍ତ କୁଳୀନ ବ୍ରାହ୍ମଣେର ବାସ । ଇହାଁଦେର ପାରିବାରିକ କିମ୍ବଦନ୍ତୀ - କବି ଜୟଦେବ ଏଇ ବଂଶରେଇ ଲୋକ । ପୂର୍ବେ ରାଢ଼ଦେଶେ ବୀରଭୂମି ଜେଲାର କିନ୍ଦୁବିଲ୍ୱ ଗ୍ରାମେ ଇହାଁଦେର ବାସ ଛିଲ । ନବଦ୍ୱୀପ ମୁସଲମାନ କର୍ତ୍ତୃକ ଅଧିକୃତ ହଇଲେ ଇହାଁଦାର ପୂର୍ବପୁରୁଷ ପୂର୍ବବଙ୍ଗେ ପାଲାଇୟା ଆସେନ ।’’

            (ବୀରମୂଭି ଜ୍ୟେଷ୍ଠ ୧୩୩୪)

 

ଏ ପୁଣି ବଙ୍ଗର କେଉଁ କବି ଜୟଦେବ, ତାହା କହିହୁଏ ନାହିଁ । ଜୟଦେବ ନାମା - ଗୋଟିଏ ନୁହନ୍ତି, କେତୋଟି କବି ଥିଲେ ଭାରତରେ । ତହିଁ ମଧ୍ୟର ବାଛି ବାଛି ଶ୍ରୀଗୀତଗୋବିନ୍ଦକାରଙ୍କ ସମ୍ବନ୍ଧେ ପଣ୍ଡିତ ହରେକୃଷ୍ଣ ମୁଖୋପାଧ୍ୟାୟ ମହାଶୟ କହନ୍ତି :-

 

‘‘ଯେଦିକ୍‌ ଦିୟାଇ ଦେଖି କବି ଜୟଦେବ ଆମାଦେର ଶ୍ରେଷ୍ଠ ମହାଜନ ।’’ ଜୟଦେବଙ୍କୁ ବଙ୍ଗୀୟ ବୋଲି ଦାବୀ ବାଢ଼ିବାର ଏହା ମଧ୍ୟ ଅନ୍ୟତମ କୂଟ ପ୍ରୟାସ ଲେଖ ।

 

ଜୟଦେବ ଚରିତ୍ର

 

ଶ୍ରୀଗୀତଗୋବିନ୍ଦର କବି ଜୟଦେବଙ୍କୁ ବଙ୍ଗୀୟ ବୋଲି ପ୍ରମାଣିତ କରିବାଲାଗି ପ୍ରଥମ ବିଜୟଡିଣ୍ଡମ ବଜାଇଲେ ବୀରଭୂମି ନିବାସୀ ବଙ୍ଗମାନ୍ୟ ସ୍ୱନାମଧନ୍ୟ କବି ବନମାଳୀ ଦାସ ।

 

ସେ ଲେଖିଛନ୍ତି ଜୟଦେବ - ଚରିତ୍ର । ପୁସ୍ତକଟି ଅଷ୍ଟାଦଶ ଶତୀବ୍ଦୀର ରଚନା ବୋଲି କଥିତ । ତେଣୁ ଏହାର ଲେଖନକାଳର ପ୍ରାୟ ପାଞ୍ଚ ଶତ ବା ଛଅ ଶତ ବର୍ଷ ପୂର୍ବର ଜୟଦେବ କବିଙ୍କ କଥା ଏହି ଅର୍ବାଚୀନ ରଚନାର ପ୍ରମାଣ - ବଚନ ବୋଲି ଆଦୌ ଗ୍ରହଣ କରାଯାଇ ନ ପାରେ । ଲେଖକ ଲେଖି ନାହାନ୍ତି, ଜୟଦେବ କେଉଁ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ପୁସ୍ତକର ଅନ୍ୟାନ୍ୟ ବିଷୟ ଅନ୍ୟତ୍ର ଆଲୋଚନା କରାଯାଉଅଛି । ଏହାର ରଚନାକାଳ ସାର୍‌ ଉଇଲି୍ୟମ୍‌ ଜୋନସ୍‌ (୨୭୮୪)ଙ୍କ ଶ୍ରୀଗୀତଗୋବିନ୍ଦର ଇଂରାଜୀ ଅନୁବାଦ ଲେଖା ସମୟ କିମ୍ବା ତହିଁର କେତେକ ବର୍ଷ ପୂର୍ବର ବୋଲି ଧରିଯିବା ହିଁ ସଙ୍ଗତ ହେବ । ମିଳିଥିବା ମାତ୍ର ଖଣ୍ଡିଏ ପାଣ୍ଡୁଲିପି ଉପରେ ନିର୍ଭର କରି ଖ୍ରୀ:୧୮୦୩ରେ ବହିଟି ପ୍ରକାଶ କରିଛନ୍ତି ବଙ୍ଗୀୟ ସାହିତ୍ୟ ପରିଷଦ । ସେ ସମ୍ବନ୍ଧେ ଲେଖାଅଛି :-

 

‘‘ଗ୍ରନ୍ଥଖାନି ପ୍ରାୟ ତିନି ଶହ ବତ୍ସର - ପୂର୍ବେ ରଚିତ । ବଙ୍ଗୀୟ ସାହିତ୍ୟ ପରିଷଦ୍‌ ଇହା ପ୍ରକାଶ କରିୟାଛେନ୍‌ ।

 

ସ୍ୱର୍ଗଗତ ମହାମହୋପାଧ୍ୟାୟ ପଣ୍ଡିତ ହରପ୍ରସାଦ ଶାସ୍ତ୍ରୀ ମହାଶୟ ଏଇ ଗ୍ରନ୍ଥ ସମ୍ବନ୍ଧେ ଭୂମିକାୟ ଲିଖିୟାଛେନ:-

‘‘ତିନି ଶତ ବତ୍ସର ପୂର୍ବେ ବାଙ୍ଗାଲୀ ଭକ୍ତବୃନ୍ଦ; ଭକ୍ତଚୂଡ଼ାମଣି ଜୟଦେବକେ ଯେ ଭାବେ ଦେଖିତେନ ଉହାତେ ତାହାର ପୂର୍ଣ୍ଣଚିତ୍ର ଆଛେ । ସେ ଚିତ୍ର ଇତିହାସ ନା ହଇଲେଓ ମନୋହର, ଜୀବନ - ଚରିତ ନା ହଇଲେଓ ଉପଦେଶପୂର୍ଣ୍ଣ, ଧର୍ମ୍ମଗ୍ରନ୍ଥ ନା ହଇଲେଓ ଭକ୍ତିଭାବେ ଭୋର ।’’                       

(କ:ଜ: - ୩୭ ପୃଷ୍ଠା)

 

ଜୟଦେବ - ଚରିତ୍ର ସମ୍ବନ୍ଧେ ଆଉ କୋତୋଟି କଥା କୁହାଯାଇ ପାରେ ।

 

‘‘ବୀରଭୂମ ବିଚରଣ’’ ପୁସ୍ତକ ୨୦୧ ପୃଷ୍ଠାରେ ପଣ୍ଠିତ ହରେକୃଷ୍ଣ ମୁଖୋପାଧ୍ୟାୟ (କବି ଜୟଦେବ ଓ ଶ୍ରୀଗୀତଗୋବିନ୍ଦ ଲେଖକ) ମହାଶୟ ଲେଖିଛନ୍ତି - କେଉଁ ଆଦର୍ଶ ପୋଥିରୁ ଏ ପାଠ ନକଲ କରାଗଲା, ଜଣାଯାଏ ନାହିଁ କିମ୍ବା ଏ ଗ୍ରନ୍ଥ ଅନ୍ୟ କୌଣସିଠାରେ ମିଳୁ ନାହିଁ - ଏଥିରୁ ଗ୍ରନ୍ଥଟି ସେହି ବଙ୍ଗଳାରେ କେତେ ପରିମାଣରେ ସମାଦୃତ ବା ପରି ପ୍ରଚାରିତ, ତାହା ସହଜେ ବୁଝାପଡ଼ୁଛି ।

 

ଏ ସନ୍ଦେହକୁ ସ୍ପଷ୍ଟତର କରି ଦେଉଛି ପଣ୍ଡିତ ଶାସ୍ତ୍ରୀ ମହାଶୟଙ୍କ ଭୂମିକାଲେଖ, ଯଥା - ଏହା (ଗ୍ରନ୍ଥ) ଇତିହାସ ନ ହେଲେ ମଧ ମନୋହର, ଜୀବନ ରଚିତ ନ ହେଲେ ସୁଦ୍ଧା ଉପଦେଶ ପୂର୍ଣ୍ଣ । ଅତଏବ ଏହାର ଐତିହାସିତକ ଭିତ୍ତି ପ୍ରମାଣ ଉପରେ ଶାସ୍ତ୍ରୀ ମହାଶୟ ସନ୍ଦିହାନ୍‌ ।

ତିନି ଶତବର୍ଷ ପୂର୍ବର ଏହି ଗାଲଗଳ୍ପ ସମ୍ଭବ ବହି ଖଣ୍ତିକ ରଚିତ ହୋଇଛି ଜୟଦେବଙ୍କୁ ବଙ୍ଗୀୟ ବୋଲି ଦାବି ଉପସ୍ଥାପନାର ବ୍ରହ୍ମାସ୍ତ୍ର ବିଚାର ସିନା !

 

ଜୟଦେବଙ୍କ କୀଳତ ଜୟଦେବ - ଚରିତ୍ର ପୁସ୍ତକ ପ୍ରକାଶର ବହୁ ଶତବର୍ଷ ପୂର୍ବର କଥା । କାହିଁ, ତାଙ୍କ ଜୀବନୀ ତାଙ୍କ ରଚନା ବା ଶ୍ରଗୀତଗୋବିନ୍ଦର ଅନୁକୃତି ବା ଅନୁସୃତି ଅବା ଟୀକା କିମ୍ବା ଏସମ୍ବନ୍ଧେ ଆଲୋଚନା ମୂଳକ ଖଣ୍ଡିଏ ହେଲେ ଗ୍ରନ୍ଥ ବଙ୍ଗୀୟ ପଣ୍ଡିତମାନେ ପ୍ରଣୟନ କରିଥିବାର ପ୍ରମାଣ ଉପସ୍ଥାପିତ କରାଯାଇ ପାରିବ କି ? କେବଳ ତଦାନୀନ୍ତନ ବର୍ଦ୍ଧମାନ ରାଜାଙ୍କ ଅନୁଗ୍ରହ ଲାଭ ଉଦ୍ଦେଶ୍ୟରେ ‘ଜୟଦେବ ଚରିତ୍ର’ ପୁସ୍ତକଟି ଲିଖିତ ବୋଲି ବିଚାର କରିବାରେ ଅସଙ୍ଗତି କଅଣ ?

 

ଏହି ବର୍ଦ୍ଧମାନର ମହାରାଜା କୀର୍ତ୍ତିଚନ୍ଦ୍ରଙ୍କ ମାତା ରାଣୀ ନୌରାଣୀ ଦେବୀ ଖ୍ରୀ: ୧୬୯୨ ଅବ୍ଦରେ ‘ଶ୍ୟାମାରୂପା’ ଗଡ଼ରୁ ରାଧା-ବିନୋଦ ବିଗ୍ରହଙ୍କୁ ଅଣାଇ କେନ୍ଦୁବିଲ୍ୱ ବୋଲି କଥିତ ସ୍ଥାନରେ ଏକ ମନ୍ଦିର ତୋଳାଇ ପ୍ରତିଷ୍ଠିତ କରାଇଥିଲେ । ବିନୋଦ ନାମଧ୍ୟେୟ ଶ୍ୟାମରୂପା ଗଡ଼ର କୌଣସି ରାଜା ଏହି ଯୁଗଳ ମୂର୍ତ୍ତି ପ୍ରତିଷ୍ଠା କରାଇଥିଲେ । ଏହା ବର୍ଦ୍ଧମାନ ଜିଲ୍ଲା ବୀରଭୂମିର କେନ୍ଦୁଲୀ ଗ୍ରାମରେ ଶ୍ରୀଗୀତଗୋବିନ୍ଦ - କବି ଜୟଦେବଙ୍କ ମନ୍ଦିର ରୂପେ ବଙ୍ଗୀୟମାନଙ୍କ ଦ୍ୱାରା କଥିତ । ଜନଶ୍ରୁତି ଯେ ଖଣ୍ଡିଏ ଶିଳାଲିପିରେ ମନ୍ଦିର ନିର୍ମାଣ କାଳ ଉତ୍‌କୀର୍ଣ୍ଣ ହୋଇଥିଲା । ତାହା ମଧ୍ୟ ‘ଏକଦା’ ଦୃଶ ଥିଲା, ବର୍ତ୍ତମାନ ସେ ପ୍ରସ୍ତରଟି ‘ଅଦୃଶ୍ୟ’ । ଭକ୍ତି, ଶ୍ରଦ୍ଧା ବା ସ୍ମୃତିସଂରକ୍ଷଣ ସ୍ୱରୂପ କେନ୍ଦୁଲୀର ଏହି ମନ୍ଦିରରେ ଶ୍ରୀଗୀତଗୋବିନ୍ଦ ପାଠ - ପଠନର ମଧ୍ୟ କୌଣସି ବ୍ୟବସ୍ଥା ନାହିଁ, ଯାହା ଶ୍ରୀମନ୍ଦିରରେ ଦ୍ୱାଦଶ ଶତକରୁ ‘ନୀତି’ ରୂପେ ପ୍ରଚଳିତ । ଯେଉଁ ନୀତି ସମ୍ବନ୍ଧେ ‘‘ଭକ୍ତମାଳା’’ (ସଂସ୍କୃତ) ଗ୍ରନ୍ଥକାର ଚନ୍ଦ୍ରଦତ୍ତ ଲେଖିଯାଇଛନ୍ତି -

‘‘ଉଭୌ ତୌ ଦମ୍ପତୀ ତନ୍ତ୍ର ଏକପ୍ରାଣୌ ବଭୁବତୁଃ

ନୃତ୍ୟନ୍ତୌ ଚାପି ଗାୟନ୍ତୌ ଶ୍ରୀକୃଷ୍ଣାର୍ଚ୍ଚନତତ୍ପରୌ ।।’’

 

ଯାହା ହେଉ ‘ଜୟଦେବ - ଚରିତ୍ର’ କାର ବର୍ଦ୍ଧମାନର ତଦାନୀନ୍ତନ ମହାରାଜାଙ୍କ ଅନୁଗ୍ରହ ପ୍ରତ୍ୟାଶାରେ ଯଥେଷ୍ଟ କୃତିତ୍ୱ ପ୍ରଦର୍ଶନ କରି ‘ରାଧା - ବିନୋଦ’ଙ୍କୁ ସ୍ୱୀରୟ ସୁଚତୁର ରଚନାଦ୍ୱାରା ‘ରାଧାମାଧବ’ ବିଗ୍ରହ ସହିତ ଏକନାମତା ପ୍ରଦାନ କରିପାରିଛନ୍ତି । ଅବଶ୍ୟ ଏଥିନିମିତ୍ତ ସେ ବଙ୍ଗର ଅଶେଷ ଧନ୍ୟବାଦର ପାତ୍ର ।

 

ବାସ୍ତବ କଥା ଯେ, ଅଷ୍ଟାଦଶ ଶତକର ଶେଷାଂଶରେ ଅଜୟନଦୀ ତୀରସ୍ଥ ମଠରୂପେ ପ୍ରଖ୍ୟାତ ଏହି ମନ୍ଦିର (ଯାହାକୁ ଆଜି ଜୟଦେବ ମନ୍ଦିର ବୋଲି କୁହାଯାଉଅଛି ।) ବର୍ଦ୍ଧମାନ ପୃଷ୍ଠପୋଷକତାରେ ମହନ୍ତ ରାଧାରମଣ ଦେବଙ୍କଦ୍ୱାରା ପ୍ରତିଷ୍ଠିତ । ଏହା ବର୍ତ୍ତମାନ ‘ମଠ’ ନାମରେ ପରିଚିତ । ଅଧିକାରୀ ଉପାଧିକାର ରାଢ଼ୀୟ ବ୍ରାହ୍ମଣମାନେ ଏହାର ସେବାୟତ । ବର୍ତ୍ତମାନ ଏମାନଙ୍କ ନବମ ବଂଶଧର ମଠର ଅଧିକାରୀ ।

 

ଏଣୁ ରାଧାମାଧବ-ଗତ-ପ୍ରାଣ ଶ୍ରୀଗୀତଗୋବିନ୍ଦକାର ଜୟଦେବଙ୍କ ସହିତ ଏ ମନ୍ଦିର, ଏ ଗ୍ରାମ କିମ୍ବା ଜୟଦେବ - ଚରିତ୍ରର କେତେ ଦୂର ସମ୍ପର୍କ, ତାହା ସହଜ ଅନୁମେୟ ।

 

ଇନ୍ଦୁ - ଟୀକା

 

କୁହାଯାଇଅଛି - ‘‘ବଲ୍ଲାଳସେନକା ସମୟ ଇଂ ୧୦୬୬, ସମୟ ପ୍ରକାଶକେ ଅନୁସାରେ ହୈ । ଯଦି ଇସକୋ ପ୍ରମାଣ ନ ମାନେ ତଥା ଫରାସୀ ଲେଖକୋଁକେ ଅନୁସାରେ ଲଛମନିୟାକେ ପହଲେ ନାରାୟଣ ଆଦି ଔର ରାଜାଓଁ କୋଭୀ ମାନେଁ ତୋ ବଲ୍ଲାଲସେନ ଅଧିକ ପିଛେ ଜେ ପଡ଼େଙ୍ଗେ । ତୋ ୟହ ଜୟଦେବ କବି ଲକ୍ଷ୍ମଣସେନକୋ ସଭାମେଁ ଥେ କି ନହୀଁ ୟହ ବିଚାର କରନା ଚାହିୟେ । ହମାରୀ ବୁଦ୍ଧି ସେ ନହୀଁ ଥେ । ଇସକେ କଇ ଦୃଢ଼ ପ୍ରମାଣ ହୈ । ପ୍ରଥମ ତୋ ୟଦି କି ଉମାପତିଧର, କିସନେ ବିଜୟ ସେନକୀ ପ୍ରଶସ୍ତି ବନାୟୀ ହୈ, ଜୟଦେବ କବିକା ସମସାମୟିକ ଥା, ତୋ ୟହ ଯଦି ମାନ ଲିୟା ଜାୟା କି ଜୟଦେବ କବି, ଉମାପତି, ଗୋବର୍ଦ୍ଧନାଦି ସଭୀ, ସୌ ବର୍ଷକେ ଜ୍ୟାଦା ଜୀବିତ ରହେ ହୈ ତବ ୟହ ହୋ ସଜତା ହୈ କି ୟେ ବିଜୟସେନ ତଥା ଲକ୍ଷ୍ମଣସେନ ଦୋକାନୀ ଭାଓମେଁ ଥେ । ଦୁସରେ ଚନ୍ଦକବିନେ ଜିସକା ଜନ୍ମସନ ୧୧୫୦ କେ ଲଗ୍‌ଭଗ୍‌ ହୈ ଅପନେ ରାୟସା ମେଁ ପ୍ରାଚୀନ କବିୟୋଁକୀ ଗଣନା ମେଁ ଜୟଦେବ କବି କୋ ଭୀ ଲିୟା ହୈ, ତୋ ଡ଼େଢ଼ସୌ ବର୍ଷ - ପୁର୍ବ ହୁଏ ବିନା ଜୟଦେବ କବିକୀ କବିତାକା ଚନ୍ଦକେ ସମୟତକ ସଂସାରମେ ଆଦରଣୀୟ ହୋନା ଅସମ୍ଭବ ହୈ ।’’

 

ପୂର୍ବୋକ୍ତ ଲେଖାଟି ବାରାଣସୀ (୧) ଚୌଖମ୍ବ ସଂସ୍କୃତ ସୀରିଜ ଅଫିସ ହରିଦାସ ସଂସ୍କୃତ ଗ୍ରନ୍ଥମାଳା । (୧୨୯) ‘‘ମାହାକବି ଶ୍ରୀ ଜୟଦେବ ବିରଚିତମ୍‌ ଶ୍ରୀଗୀତଗୋବିନ୍ଦ କାବ୍ୟମ୍‌‘ଇନ୍ଦୁ’ ଭାଷା ଟୀକୋପେତମ୍‌” ନାମକ ପୁସ୍ତକରୁ ଉଦ୍ଧୃତ । ନିମ୍ନରେ ପୁସ୍ତକରୁ ମୁଖବନ୍ଧରୁ ଆଉ କେତେକାଂଶ ଉଦ୍ଧାର କରରାଯାଉଅଛି :-

‘‘x x x ଗୋବର୍ଦ୍ଧନେ ଅପନୀ ‘ସପ୍ତସତୀ’ ମେଁ ସେନକୁଲତିଳକ ଭୂପତି’ ଇତନା ଲିଖା, ନାମ କୁଛ ନହିଁ ଦିୟା । କିନ୍ତୁ ଉସୀକି ଟୀକାମେ ‘ପ୍ରବରସେନନାମା ଇତି’ ଲିଖା ହୈ । ଅବ ଯଦି ପ୍ରବରସେନ, ହେମନ୍ତସେନ ବା ବିଜୟ ସେନକା ନାମାନ୍ତର ମାନଲିୟା ଜାୟ ତଥା ୟହ ଭୀ ମାନ ଲିୟା ଯାୟ କି ଜୟଦେବ କବକୀ କବିତା ସଂସାରକ୍ରମେ ବଡ଼ୀ ଜଲଦୀ ପ୍ରସିଦ୍ଧ ହୋ ଗୟୀ ଥୀ ଏବଂ ସମୟପ୍ରକାଶେ ବଲ୍ଲାଲକା ସମୟ ଭୀ ପ୍ରମାଣ କିୟା ଜାୟ ତୋ ୟହ ଅନୁମାନ ହୋ ସକତା ହୈ କି ବିଜୟସେନକେ ସମୟମେ ଅଥବା ଉସ୍‌ସେ କୁଛହୀ ପୂର୍ବ ସନ ୧୦୨୫ ସେ ୧୦୫୦ ତକ ମେଁ କିସୀ ବର୍ଷ ମେଁ ଜୟଦେବ କବିକା ପ୍ରାକଟ୍ୟ ହୈ ତଥା ଐସୀ ହୀମାନନେ ସେ ଅନେକ ପଣ୍ଡିତୋଁ (ବିଦ୍ୱାନୋଁ) କୀ ଏକବାକ୍ୟତା ଭୀ ହୋତୀ ହୈ ।

x                   x                   x                  x

 

ଇସସେ ‘‘ଜୟଦେବ ଚରିତ’’ ଆଦି ବଙ୍ଗଲା ଗ୍ରନ୍ଥୋମେଁ ଜୋ ଜୟଦେବ କବିକା ସମୟ ତେରହଓ୍ୱୀ ବା ଚୌଦହଓ୍ୱୀ ଶତାବ୍ଦୀ ଲିଖା ହୈ ଓ୍ୱହ ଅପ୍ରମାଣିତ ହୋକର ନିଶ୍ଚୟ ହୁଆ କି ଜୟଦେବ କବି ଗ୍ୟାରହଓ୍ୱୀଁ ଶତାବ୍ଦୀକେ ଆଦିମେ ଉତ୍ପନ୍ନ ହୁଏ ହୈ । ଜୟଦେବ କବିକୀ ବାଲ୍ୟବସ୍ଥାକା ବର୍ଣ୍ଣନ ସବିଶେଷ କୁଛ ନହୀଁ ପ୍ରାପ୍ତ ହୈ । ଅତ୍ୟନ୍ତ ଛୋଟୀ ଅବସ୍ଥାମେଁ ଓ୍ୱହ ମାତୃ-ପିତୃ-ବିହୀନ ହୋଗୟେ ଥେ, ୟହ ଅନୁମାନ ହୋତା ହୈ । କ୍ୟୋଁକି ବିଷ୍ଣୁସ୍ୱାଭିକୃତ ଚରୀତାମୃତକେ ଅନୁସାର ଶ୍ରୀପୁରୁଷୋତ୍ତମ କ୍ଷେତ୍ରକେ ଇହ୍ନୋନେ ଉସୀ ସମ୍ପ୍ରଦାୟକେ କିସୀ ପଣ୍ଡିତସେ ବିଦ୍ୟା ପଢ଼ିଥୀ ।’’

 

‘ଇନ୍ଦୁ’ ଟୀକାକାରଙ୍କ ଆଲୋଚନା ଅନୁସାରେ ମଧ୍ୟ କବି ଜୟଦେବ ମହାରାଜ ଲକ୍ଷ୍ମଣସେନଙ୍କ ସଭାକବି ହେବା ଦୂରେ ଥାଉ ସମସାମୟିକ ମଧ୍ୟ ନୁହନ୍ତି ।

 

ସ୍ୱାର୍ଥନିହିତ ଅପପ୍ରଚାର ହିଁ ଗୋବର୍ଦ୍ଧନ ପ୍ରଭୃତି ଚାରି ଜଣ କବିଙ୍କ ସହିତ ଜୟଦେବଙ୍କ ନାମ ସଂଯୋଗ କରାଇଅଛି ଏବଂ ‘‘ବାତଃ ପଲ୍ଲବୟତି’’ ଶ୍ଳୋକଟି ଶ୍ରୀଗୀତଗୋବିନ୍ଦରେ ଓଡ଼ିଆ ଘରର ପ୍ରବଚନ ଅନୁସାରେ ‘‘ପୋଷାପୁଅ- ଗୁଞ୍ଜାରୁଅ’’ ।

 

ପରବର୍ତ୍ତୀ କେତେକ ବଙ୍ଗୀୟ ପଣ୍ଡିତ କବି ମଧ୍ୟ ଜୟଦେବଙ୍କୁ ବୀରଭୂମ ଜିଲ୍ଲାର କେନ୍ଦୁଲୀ ଗ୍ରାମନିବାସୀ ଏବଂ ବଙ୍ଗର ଶେଷ ସ୍ୱାଧୀନ ହିନ୍ଦୁ ସମ୍ରାଟଙ୍କର ସଭାକବି ବୋଲି ଅପପ୍ରଚାରରେ ନିଜନିଜର ରସନାସୁଖ ଅନୁଭବ କରି ଅଛନ୍ତି ।

 

ବିବିଧ ଦିଗର ଇତିହାସ ପ୍ରାମଣଦୃଷ୍ଟିରୁ ‘ଇନ୍ଦୁ’ ଟୀକାକାର କବି ଜୟଦେବଙ୍କୁ ଲକ୍ଷ୍ମଣସେନଙ୍କ କାଳର ବୋଲି ସମ୍ପୂର୍ଣ୍ଣ ଅସ୍ୱୀକାର ନିବାସସମ୍ବନ୍ଧେ ବହୁପ୍ରଚାରିତ ପ୍ରଖ୍ୟାତ ବଙ୍ଗଳା ପୁସ୍ତକ ‘ଜୟଦେବ ଚରିତ୍ର’ ଉପରେ କେତେକାଂଶରେ ନିର୍ଭର କରିଛନ୍ତି ।

 

ତେଣୁ ସେ ଜୟଦେବଙ୍କୁ ଅଜୟନଦୀତୀରସ୍ଥ କେନ୍ଦୁଲୀ ଗ୍ରାମରେ ‘ସମାଧୀ’ ଦେବାକୁ ମଧ୍ୟ ପଶ୍ଚାତ୍‌ପଦ ହୋଇ ନାହାନ୍ତି ।

 

ଏ ସମ୍ବନ୍ଧେ ତାଙ୍କ ମୁଖବନ୍ଧର ୫ମ ପୃଷ୍ଠାର ପାଠ ନିମ୍ନରେ ଉଦ୍ଧାର କରାଯାଉଅଛି :-

‘‘ଜୟଦେବକା ପବିତ୍ର ଶରୀର କେନ୍ଦୁଲୀ ଗ୍ରାମମେ ସମାଧିସ୍ଥ ହୈ । ୟହ ସମାଧିସ୍ଥାନ ମନୋହର ଲତାଓଁମେ ବେଷ୍ଟିତ ହୋକର ଅପନୀ ସୁନ୍ଦରତା ସେ ଅଦ୍ୟାପି ଜୟଦେବ କବିକା ସୁନ୍ଦର ଚରିତ୍ରକା ତଥା ଚିତ୍ରକା ପରିଚାୟକ ହୈ ।’’

ଆହୁରି ଦଶମ ପୃଷ୍ଠାର ପାଠ :-

‘‘ଇସକା ସ୍ମରଣାର୍ଥ କେନ୍ଦୁଲୀ ଗ୍ରାମମେ ଅବତକ ମକର ସଂକ୍ରାନ୍ତିକେ ଦିନ ଏକ ବଡ଼ା ଭାରୀ ମେଲା ହୋତା ହୈ, ଜିସମେଁ ସତ୍ତର ଅସ୍‌ସୀ ହଜାର ବୈଷ୍ଣବ ଏକତ୍ରିତ ହୋତେ ହୈ ତଥା ଜିସକୀ ସମାଧିକେ ଚାରୋଁ ଓର୍‌ ଗାତେ ବଜାତେ ହୁଏ ସଂକୀର୍ତ୍ତନ କରତେ ହୈ ।’’

 

ଏହି ଉକ୍ତିରୁ ଏବଂ ମୁଖବନ୍ଧରେ ଜୟଦେବ ଚରିତ୍ରର ନାମୋଲ୍ଲେଖ (reference) ଥିବାରୁ ବିଶ୍ୱାସ ହୁଏ ଯେ ଏହି ବିଶିଷ୍ଟ ପୁସ୍ତକଟି ‘ଇନ୍ଦୁଟୀକାକାରଙ୍କୁ ବୋଧ ହୁଏ ‘ବାଟ - ହୁଡ଼ା’ କରାଇ ଦେଇ ପାରିଛି ।

 

କେନ୍ଦୁଲୀ ଓ ଜୟଦେବ - ମେଳାସମ୍ବନ୍ଧେ ଅନ୍ୟତ୍ର ଆଲୋଚନା କରା ଯାଉଅଛି ।

ଗ୍ରନ୍ଥବଚନରୁ ଅଧିକ ବାଢ଼ିବସିଲେ ଏ ଅଧ୍ୟୟନର କଳେବର ବଢ଼ିଯିବ । ନିମ୍ନରେ ଆଉ ଅଳ୍ପ କେତୋଟି ଗନ୍ଥପାଠ ଉଦ୍ଧାର କରାଯାଉ ଅଛି, ସୁଧୀଜନଙ୍କ ଗୋଚରାର୍ଥେ ତଥା ବିଚାରାର୍ଥେ-

 

୧୫୮୫ ଖ୍ରୀଷ୍ଟାବ୍ଦରେ ନାଭାଜୀଙ୍କ ଅନୁକରଣରେ ଲେଖା ଚନ୍ଦ୍ରଦତ୍ତ କୃତ ସଂସ୍କୃତ ଭକ୍ତମାଳା ଗ୍ରନ୍ଥର ୩୯ ଠାରୁ ୪୧ ସର୍ଗରେ ଜୟଦେବ ଓ ଗୀତଗୋବିନ୍ଦ ସମ୍ପର୍କରେ ବର୍ଣ୍ଣନା ସ୍ଥାନ ପାଇଅଛି । ଲେଖାଅଛି-

 

‘‘ଜଗନ୍ନାଥ ପୁରୀପ୍ରାନ୍ତେ ଦେଶେ ଚୈବୋତ୍‌କଳାଭିଧେ ।

ବିନ୍ଦୁବିଲ୍ୱ ଇତି ଖ୍ୟାତୋ ଗ୍ରାମୋ ବ୍ରାହ୍ମଣସଂକୁଳଃ ।

ତ୍ରତୋତ୍କଳେ ଦ୍ୱିଜୋ ଜାତୋ ଜୟଦେବ ଇତିଶ୍ରୁତଃ

ବିଦ୍ୟାଭ୍ୟାସରତଃ ଶାନ୍ତଃ ପୁରୁଷୋତ୍ତମପୂଜକଃ ।

                  (ଭକ୍ତମାଳା - ୩୯ ସର୍ଗ)

 

ଅର୍ଥାତ୍ ଉତ୍କଳର ପୁରୀ ପ୍ରାନ୍ତରେ ‘ବିନ୍ଦୁବିଲ୍ୱ’ (କେନ୍ଦୁବିଲ୍ୱ) ଗ୍ରାମ- ନିବାସୀ ପୁରୁଷୋତ୍ତମପୂଜକ ଶାନ୍ତ ବିଦ୍ୱାନ୍‌ ପୁରୁଷ ଥିଲେ ଜୟଦେବ ।

୧୭୧୨ ଖ୍ରୀଷ୍ଟାବ୍ଦରେ ହିନ୍ଦୀ ଭକ୍ତମାଳା ଗ୍ରନ୍ଥର ଟୀକା ଅନୁସରଣରେ ବୃନ୍ଦାବନବାସୀ ପ୍ରିୟଦାସ ଶ୍ରୀଗୀତଗୋବିନ୍ଦର ଖଣ୍ଡିଏ ଟୀକା ଲେଖିଥିଲେ । ଏହାର ନାମ ମଧ୍ୟ ଭକ୍ତମାଳା । (ବିପ୍ରଦାସେ ଆଜ୍ଞା ଦିଲ ଟୀକା ବିସ୍ତାରିତେ)

ଲେଖାଅଛି -

 

‘‘କେନ୍ଦୁବିଲ୍ୱ ନାମେ ଗ୍ରାମ ସାଗର ହଇତେ

ଶ୍ରୀମାନ୍‌ ଜୟଦେବ ହ୍ୱଜ ହଇଲେ ବିଦିତେ ।

ଜୟଦେବ ମହାଶୟ ମହାନ୍‌ ମାନୁଷ

ଶ୍ରୀପୁରୁଷୋତ୍ତମକ୍ଷେତ୍ରେ ବୃକ୍ଷତଲେ ବାସ ।

 

ଅଗାଧ ପାଣ୍ଡିତ୍ୟ ହୟ ଅତୁଲ ଭକ୍ତିମାନ୍‌

ଶ୍ରୀ ଜଗନ୍ନାଥ ପ୍ରଭୁର କୃପାର ଭାଜନ ।

ଝୋପଡ଼ା ବାନ୍ଧିୟା ଏକ ସେବା ପ୍ରକାଶିଲା

ଶ୍ରୀରାଧାମାଧବ ନାମ ଠାକୁରେର ହୈଲା ।

 

ପୁସ୍ତକ ରଖିୟା ସାଧୁ ସ୍ନାନ କରିବାରେ

ଗମନ କରିଲା ତେବେ, ସାଗରରେ ନୀରେ ।

‘ଦେହି ପଦପଲ୍ଲବମୁଦାରିମ୍‌’ ଇତି

ଲିଖିୟା ଚଲିଲା ହରି ଦ୍ରୁତ ଗତି ।’’

 

ଶ୍ରୀ ଶ୍ରୀ ଭକ୍ତମାଳା ଗ୍ରନ୍ଥର ୨୩୨।୨୩୩ ପୃଷ୍ଠା ବର୍ଣ୍ଣିତ ଶ୍ରୀଗୀତଗୋବିନ୍ଦକର୍ତ୍ତା ଏହି ସାଧୁ ଜୟଦେବ ବଙ୍ଗଳାର କବି ବନମାଳୀ ଦାସକୃତ ଜୟଦେବ - ଚରିତ୍ରରେ ପୁଣି ଦର୍ଶନ ଦେଲେ ବଙ୍ଗର ବୀରଭୂମି ଅନ୍ତର୍ଗତ କେନ୍ଦୁବିଲ୍ୱ (କେନ୍ଦୁଲୀ) ଗ୍ରାମରେ ୧୮୦୩ ଖ୍ରୀଷ୍ଟାବ୍ଦରେ - ଯାହା ପ୍ରକାଶ ଲାଭ କଲା, ବଙ୍ଗୀୟ ସାହିତ୍ୟ ପରିଷଦ ଦ୍ୱାରା । ବନମାଳୀ ଦାସ, ‘ଜୟଦେବ ଚରିତ୍ର’ରେ ଲେଖିଛନ୍ତି -

 

‘‘ଭିକ୍ଷାମେଗେ ଖାୟ ସଦା ହରି ଗୁଣ ଜପେ

ହାସେ କାନ୍ଦେ ନାଚେ ଗାୟ ଶିବେର ମଣ୍ଡପେ ।’’

 

ଅର୍ଥାତ୍ (ଜୟଦେବ) ଭିକମାଗି ଖାଆନ୍ତି ଏବଂ ଶିବମଣ୍ଡପରେ ହସି, କାନ୍ଦି, ନାଚି ହରିଗୁଣ ଗାଆନ୍ତି । ଶିବ ମଣ୍ଡପ ହିଁ ହରିଗୁଣ ଗାୟନର ପ୍ରଶସ୍ତ ସ୍ଥଳ ବୋଲି ଗ୍ରନ୍ଥକାର ବନମାଳୀ ଦାସଙ୍କର ଦିବ୍ୟ ବିବେଚନାର ନିଷ୍ପତ୍ତି ।

ଗ୍ରନ୍ଥାନ୍ତରେ ପୁଣି କେନ୍ଦୁବିଲ୍ୱ ଗ୍ରାମରେ ଏହି ଜୟଦେବ - ‘‘ଜୟଦେବ ଗୋସ୍ୱାମୀ’’ ରୂପେ ପରିଚିତ । ବୁଝି ହୁଏ ନାହିଁ ! ‘ଗୋସ୍ୱାମୀ’ ଉପାଧିଟି କେଉଁ ଶତକର ଉଦ୍‌ଭାବିତ ପଦବୀ । ଏହା ମହାପ୍ରଭୁ ଶ୍ରୀଚୈତନ୍ୟ ଦେବଙ୍କ ସମୟ ଷୋଡ଼ଶ ଶତାବ୍ଦୀ କାଳର ବୈଷ୍ଣବ ଗୁଣାତ୍ମକ ବିଶେଷ ଉପାଧି ନୁହେଁ କି ?

 

ବନମାଳୀ ଦାସ ବର୍ଣ୍ଣିତ ବଙ୍ଗର ଏହି କେନ୍ଦୁବିଲ୍ୱ ସମ୍ଭବତଃ ଏକ ବିରାଟ ଜନଗହଳି ସହର; କାରଣ ସାଧାରଣ ଗ୍ରାମ ହୋଇଥିଲେ ତନ୍ତ୍ରଜ୍ୟ ଶିବମଣ୍ଡପରେ ହରିନାମ ଗାୟନରତ ଜଣେ ଗୋସ୍ୱାମୀ (!)ଙ୍କୁ ସେଠାର ଲୋକେ ଅନ୍ତତଃ ଜୀଜ୍ଞାସୁ ଚକ୍ଷୁରେ ହେଲେ ଜାଣିଥାଆନ୍ତେ । ପଦ୍ମାବତୀଙ୍କ ପିତା ପଦ୍ମାବତୀଙ୍କୁ ସଙ୍ଗରେ ଘେନି କେନ୍ଦୁବିଲ୍ୱରେ ଉପସ୍ଥିତ ହୋଇ ସେଠାରେ ଜୟଦେବଙ୍କୁ ବହୁତ ଖୋଜିଲେ; କିନ୍ତୁ କେହି ହେଲେ ଏପରି ଜଣେ ବ୍ୟକ୍ତି (ଜୟଦେବ)ଙ୍କୁ ଚିହ୍ନିଥିବା ଅବା ଜାଣିଥିବାର ସମ୍ବାଦ ପାଇଲେ ନାହିଁ ।

 

‘‘ଅଧିକାଂଶ ସମ୍ଭ୍ରାନ୍ତ ଲୋକଇ ଜୟଦେବେର ପରିଚୟ ଜାନେନା ନା X X X କେତାର ବାବା, କେ ତାର ମା’, କୋନ ବଂଶର ଛେଲେ, ତା କେଉ ଜାନେନା ।’’

                  (ଚିତ୍ରେ ଜୟଦେବ ଓ ଗୀତଗୋବିନ୍ଦ- ପୃ. ୧୩)

 

ବହୁ କଷ୍ଟରେ ‘‘ନୀଚଜାତୀୟ ଲୋକଦେର କାନ୍ଥଥେକେଇ ତାର ପରିଚୟ ପାଓୟାଗେଲ । ଚାଲ ନେଇ, ଚୁଲୋ ନେଇ, ପଥେ ଘାଟେ, ନଦୀର (ଅଜୟ ନଦୀ) ଧାରେ ଘରେ ଘୁରେ ବେଡ଼ାୟ’’ । x x x । ତଲିଁ - ‘‘କନ୍ୟାର ଭବିଷ୍ୟତ୍‌ ସ୍ୱାମୀର ଚରିତ୍ର ସମ୍ବନ୍ଧେ ଓ ଯେ ବିବରଣ ସଂଗ୍ରହ କରଲୋ ତା ଅନୁରୂପଇ ଭୟାବହ । କେଉ ବଲେ ପାଗଲ, କେଉ ବଲେ ଭିଖାରୀ, କେଉ ବଲେ ଲମ୍ପଟ !’’

 

ଅର୍ଥାତ୍ ଜୟଦେବଙ୍କୁ କେହି ଜାଣି ନ ଥିଲେ ମଧ୍ୟ ତାଙ୍କ ସମ୍ବନ୍ଧେ ପ୍ରୋକ୍ତରୂପ ମନ୍ତବ୍ୟମାନ ପଦ୍ମାବତୀଙ୍କ ପିତା ଲୋକମୁଖରୁ ଶୁଣିଲେ । ସେତେବେଳକୁ - ‘‘ବାଂଲାର ସମାଜେର ରନ୍ଧ୍ରେ ରନ୍ଧ୍ରେ ଚଲେଛେ ନାରୀର ଦେହକେ ନିୟେ ଏକ ବୀଭତ୍ସ କାମଲୀଳା       x x । ସର୍ବତ୍ର ଚଲେଛେ ପ୍ରେମରେ ନାମେ କାମେର ବ୍ୟଭିଚାର ।’’ - ଏହାହିଁ ବଙ୍ଗର ସେତେବେଳର ସମାଜଚିତ୍ର । ପୁଣି କୁହାଯାଇଅଛି - ଜୟଦେବ ରାତିରେ ଏକ ସ୍ୱପ୍ନ ଦେଖିଲେ । ସ୍ୱପ୍ନାଦେଶରେ ସେ ‘ଅଜୟ’ ନଦୀରୁ ପାଇଲେ ରାଧାଶ୍ୟାମଙ୍କର ଯୁଗଳ ମୂର୍ତ୍ତି । କଦମ୍ବତଳେ ସେହି ମୂର୍ତ୍ତି ଧରି କୃଷ୍ଣ ନାମ ଗାଇ ଆନନ୍ଦରେ ନାଚିଲେ ଜୟଦେବ । ତଦାନୀନ୍ତନ ରାଜା ଏ କଥା ଜାଣିଲେ । ତୋଳାଇ ଦେଲେ କଦମ୍ବଖଣ୍ଡି ଘାଟରେ ‘ରାଧାଶ୍ୟାମ’ ମନ୍ଦିର । ପଦ୍ମାବତୀଙ୍କ ପିତା ସେତେକାଳ କେନ୍ଦୁବିଲ୍ୱର ଜଣେ ବ୍ରାହ୍ମଣ ଘରେ ରହୁଥିଲେ ଏବଂ ଜୟଦେବଙ୍କୁ ନିଜର କନ୍ୟା ସଂପ୍ରଦାନ ଲାଗି ପ୍ରଥମେ ସେ ମନେ ମନେ କୁଣ୍ଠାବୋଧ କରୁଥିଲେ, ଜଗନ୍ନାଥଙ୍କ ନିର୍ଦ୍ଦେଶ ଦେଖି ତାଙ୍କୁ କନ୍ୟା ସଂପ୍ରଦାନଲାଗି ଉତ୍କଣ୍ଠିତ ହେଲେ । ଜୟଦେବ ମଧ୍ୟ ପଦ୍ମାବତୀଙ୍କପାଇଁ ବ୍ୟାକୁଳ ହୋଇ ପଡ଼ିଲେ । ସେ ସ୍ୱପ୍ନରେ ଦେଖିଲେ ଯେ ରାଧାଙ୍କ ଅଙ୍ଗରୁ ଗୋଟିଏ ସଚଳ ପ୍ରତିମା ବାହାରି ଆସି ମୁଗ୍‌ଧ ନୟନରେ ତାଙ୍କୁ ଚାହିଁ ରହିଛନ୍ତି । ତହୁଁ, ପରଦିବସ ରାଧାଶ୍ୟାମଙ୍କ ସମ୍ମୁଖରେ ଜୟଦେବ ଅନ୍ତରରୁ ସାମ୍ରାଜ୍ଞୀ କଲେ ଗୀତଗୋବିନ୍ଦ ରଚନା । ପଦ୍ମାବତୀ ଏହିଠାରେ ଦେବତାଙ୍କ ସମ୍ମୁଖରେ ନାଚି ଗାଇ କବିଙ୍କୁ ଶୁଣାଉଥିଲେ ଶ୍ରୀଗୀତଗୋବିନ୍ଦ...ଇତ୍ୟାଦି ଇତ୍ୟାଦି ବର୍ଣ୍ଣନା ପ୍ରୋକ୍ତ ଗ୍ରନ୍ଥର ପୃଷ୍ଠାମାନ ମଣ୍ଡନ କରିଛି ।

 

ଭକ୍ତମାଳା ଗ୍ରନ୍ଥରେ ପଦ୍ମାବତୀଙ୍କ ବିବାହ ଆଦତ ଅନ୍ୟରୂପେ ବର୍ଣ୍ଣିତ ହୋଇଅଛି । କବି ଜୟଦେବ ଓ ଗୀତଗୋବିନ୍ଦ ଗ୍ରନ୍ଥରେ ‘ରାଧାଶ୍ୟାମ’ ପରିବର୍ତ୍ତେ ‘ରାଧାମାଧବ’ ବିଗ୍ରହପ୍ରାପ୍ତି ଏବଂ ବୀରଭୂମିର ମନ୍ଦିର ରାଧାବିନୋଦ ମନ୍ଦିର ନାମରେ ପ୍ରଖ୍ୟାତ ବୋଲି ଲେଖାଅଛି ।

 

ଅନ୍ୟାନ୍ୟ ପ୍ରାନ୍ତର ବିଶିଷ୍ଟ ଗ୍ରନ୍ଥକାର ନିମ୍ନମତେ କହନ୍ତି:- କବି ମହୀପତି (ମହାରାଷ୍ଟ୍ର) ଭକ୍ତି ବିଜୟ ଗ୍ରନ୍ଥରେ କହିଛନ୍ତି ଜୟଦେବ ଜଗନ୍ନାଥ ଧାମ ନିକଟସ୍ଥ କେନ୍ଦ୍ରବିଲ୍ୱ ନିବାସୀ ।

 

ସଂସ୍କୃତ କବି - ଜୀବନୀ (ମଲ୍ଲାଦି ସୂର୍ଯ୍ୟନାରାୟଣ)ରେ ଶ୍ରୀଗୀତଗୋବିନ୍ଦ ରଚୟିତା ଜୟଦେବଙ୍କୁ ଜଗନ୍ନାଥ ଧାମନିକଟସ୍ଥ କେନ୍ଦବିଲ୍ୱ ନିବାସୀ ବୋଲି ଉଲ୍ଲେଖ ଅଛି ।

 

‘କାବ୍ୟ ପ୍ରକାଶ’ ଭୂମିକାରେ ଜୟଦେବ ଉତ୍କଳୀୟ ବୋଲି ଲିଖିତ ।

 

ପ୍ରକୃତିର ପରିବେଶ, ପରମ୍ପରା ଐତିହ୍ୟ, ଚଳନ୍ତିକାର ଆବେଷ୍ଟନୀ ମନୁଷ୍ୟ ମନରେ ପ୍ରଭାବପାତ କରେ-ଏ କଥା ସର୍ବଥା ସ୍ୱୀକାର୍ଯ୍ୟ । ଜୟଦବେଙ୍କ ଅଭ୍ୟୁଦୟକାଳ (ଦ୍ୱାଦଶ ଶତାବ୍ଦୀର) ବହୁ ପୂର୍ବରୁ ଓଡ଼ିଶାର ସ୍ଥାନେ ସ୍ଥାନେ ଗୋପୀଜନ ବଲ୍ଲଭ ମୂର୍ତ୍ତିମାନ ପ୍ରତିଷ୍ଠିତ ହୋଇଥିବାର ପ୍ରମାଣ ଦୃଷ୍ଟ ହୁଏ । ପୁରାଣଶାସ୍ତ୍ର ଓ ମନ୍ଦିରଗାତ୍ରଠାରୁ ଆରମ୍ଭ କରି ଆମ ମାଦାଳ ପାଞ୍ଜିର ବିବରଣୀ ପର୍ଯ୍ୟନ୍ତ ସମସ୍ତେ ତଦାନୀନ୍ତନ ଉତ୍କଳୀୟ ସମାଜର ଓ ଧର୍ମ୍ମାଧାରଣର ବିଶଦ ଚିତ୍ର ବାଢ଼ି ଦେଇଛନ୍ତି ।

 

ଜଗନ୍ନାଥ-ଧାମର ପ୍ରତିଷ୍ଠା ଓ ପ୍ରଭୁଙ୍କର ସଦୟ ସ୍ୱପ୍ନାଦେଶ, ଗୋପଜନବଲ୍ଲଭ ଶ୍ରୀକୃଷ୍ଣ ଭଗବାନ୍‌ଙ୍କର ରସକୀର୍ତ୍ତନରେ କବିଙ୍କୁ ସ୍ୱତଃ ଭାବବିହ୍ୱଳ କରିଥିବା ସୁନିଶ୍ଚିତ । ଶ୍ରୀଗୀତଗୋବିନ୍ଦ ଏହି ପରିସ୍ଥିତିରେ କବି କଣ୍ଠର ରତ୍ନହାର ହୋଇ ଦେଦୀପ୍ୟମାନ ।

 

ଏହି ଶତକ ତଥା ତତ୍‌ପୂର୍ବବର୍ତ୍ତୀକାଳରେ ପ୍ରତିବେଶୀ ବଙ୍ଗର ସମାଜ - ଚିତ୍ର ଅତି ବିଚିତ୍ର । ଗୋପୀଜନବଲ୍ଲଭ କିମ୍ବା ରାଧାମାଧବ ଯୁଗଳ ଉପାସନା ସେତେବେଳେ ବଙ୍ଗଦେଶରେ ପ୍ରଚଳିତ ଥିବାର ସୂଚନା ମିଳେ ନାହିଁ । ତେଣୁ ଶ୍ରୀଗୀତଗୋବିନ୍ଦ - ରଚନାର ଅନୁକୂଳ ପରିସ୍ଥିତି ସୃଷ୍ଟିର ସମ୍ଭାବନା ନ ଥିଲା ବୋଲି ଜଣାଯାଏ । ତଦନୀନ୍ତନ ବଙ୍ଗର ସମାଜଚିତ୍ର ବର୍ଣ୍ଣନା କରି ‘କବି ଜୟଦେବ ଓ ଶ୍ରୀଗୀତଗୋବିନ୍ଦ’’ ଗ୍ରନ୍ଥକାର କହିଛନ୍ତି:- ‘‘କବିର ସମୟେ ଦେଶେର ଅଧିକାଂଶ ନରନାରର ମାନସିକ ଅବସ୍ଥା ସମ୍ବନ୍ଧେ ସେକ୍‌ ଶୁଭୋଦରା ପ୍ରଭୃତି ଗ୍ରନ୍ଥ ହଇତେ ଜେନିତେ ପାରି - ପ୍ରକାଶ୍ୟ ଦିବା-ଲୋକେ ନଦୀୟାର ରାଜପଥ ତଖନ ବାରଙ୍ଗନାଗଣେର ନୁପୂରନିକ୍ୱେଣେର ଧ୍ୱନିତ ହଇତ । ସୁରଧୁନିର ପୁଲୀନ - ପରିସର ନାଗର ନାଗରୀଗଣେର କାମକଥା - ସଂଳାପେ ମୁଖରିତ ଥାକିତ । ସୁତରାଂ ବୁଝିତେ ପାରାଯାୟ ଇନ୍ଦ୍ରିୟ ବିଲାସେର ଏଇ ସର୍ବନାଶିନୀ ଆସକ୍ତି ହଇତେ, ଅତି ଇହସର୍ବସ୍ୱ ବାଦେର ଏଇ କ୍ଳେଦସିକ୍ତ ଭୋଗଭୁଜଙ୍ଗୀର ବିଷନିଃଶ୍ୱାସ ହଇତେ ମୁକ୍ତି ଦେନେର ଆଶାତେଇ ଦେଶେ ତିନି ଏଇ ନୂତନ ସଂଗୀତର ଧ୍ୱନି ତୁଲିୟାଛିଲେନ । ମନେ କରିୟାଛିଲେନ ନାଗିନୀ ଭୂଲିୟା ଫଣା ଗୁଟାଇୟା ଆପନ ପାତାଲ ପୁରୀତେ ପ୍ରସ୍ଥାନ କରିବେ । ଆର ତାହାର କଳୁଷିତ ବିଷଦଂଶନ ହଇତେ ପରିତ୍ରାଣ ପାଇୟା ଏଇ କାନ୍ତ-କୋମଲ ମଧୁର ପଦାବଲୀର ଅମୃତଧାରାପାନେ ବାଙ୍ଗାଲୀ ନରନାରୀ ଚିର ଅମରତା ଲାଭେ ଧନୀ ହଇବେ ।’’

 

ଅର୍ଥାତ୍ ଶ୍ରୀଗୀତଗୋବିନ୍ଦକାର ବଙ୍ଗର ପୂର୍ବବର୍ଣ୍ଣିତ ପରିସ୍ଥିତ ମଧ୍ୟରେ ଜନ୍ମଗ୍ରହଣ କରିଥିଲେ ଏବଂ ସେହିଠାରେ ହିଁ ସ୍ୱୀୟ ଗୀତିକାବ୍ୟ ରଚନା କରିଥିଲେ । ସେହି ସୁମଧୁର ସଙ୍ଗୀତ ଶ୍ରବଣରେ ‘‘ନାଗିନୀ ତାହାର ଫଣା ଗୁଟାଇୟା’’ ପାତାଳ ପ୍ରବେଶ କରିବ ବୋଲି । ଏଥକୁ ଗୋଟିଏ କଥା ମନକୁ ଆସେ - ଆମ ଦେଶରେ ସଂଗୀତ ଶ୍ରବଣରେ ନାଗ ବା ନାଗୁଣୀ ଫଣାତୋଳି ଖେଳନ୍ତି ସିନା; କିନ୍ତୁ ଫଣା ‘ଗୁଟାଇ’ ପାତାଳପୁରୀ ବା ନିଜର ବିଳରେ ପ୍ରବେଶ କରିବାର ଶୁଣା ନାହିଁ ; ବରଂ ବିଳରୁ ନାଗ ବା ନାଗୁଣୀଙ୍କ ବାହାରକୁ ଆଣିବାର ପ୍ରଧାନ ମନ୍ତ୍ର ‘ସଙ୍ଗୀତ’ । ସେଥିଲାଗି ସାପୁଆ କେଳାର ସଂଗୀତ ଯନ୍ତ୍ର ‘ନାଗେଶ୍ୱରୀ’ର ସୃଷ୍ଟି ।

‘‘ଚୈତନ୍ୟ ଚରିତାମୃତରେ କୁହାଯାଇଅଛି :-

‘‘ବିଦ୍ୟାପତି ଜୟଦେବ ଚଣ୍ଡୀଦାସେର ଗୀତ

ଆସ୍ୱାଦେନ ରାମାନନ୍ଦ ସ୍ୱରୂପ ସହିତ ।’’ (ଆଦିଲୀଳା- ୧୩୪୨)

 

- ଅର୍ଥାତ୍‌ ବଙ୍ଗରେ ବୈଷ୍ଣବ ଧର୍ମ୍ମର ପ୍ରବର୍ତ୍ତକ ମହାପ୍ରଭୁ ଶ୍ରୀଚୈତନ୍ୟଙ୍କର ନିତ୍ୟପାଠ ଥିଲା ଶ୍ରୀଗୀତ ଗୋବିନ୍ଦ । ମହାପ୍ରଭୁଙ୍କର ଜନ୍ମସ୍ଥାନ ନଦିୟା ଏବଂ ତାଙ୍କର ସାଙ୍ଗୋପାଙ୍ଗ ରୂପ, ସନାତନ ପ୍ରଭୃତିଙ୍କ ବାସସ୍ଥାନଠାରୁ ବୀରଭୁମର ଜୟଦେବ କେନ୍ଦୁଲୀ ଦୁରବର୍ତ୍ତୀ ନୁହେଁ । ଶ୍ରୀଗୀତଗୋବିନ୍ଦ ନିତ୍ୟପାଠ ଥିବା ସ୍ଥଳେ ଜୟଦେବ ଏମାନଙ୍କର ଅତ୍ୟନ୍ତ ପ୍ରିୟ ବା ମାନ୍ୟ ପୁରୁଷରୂପେ ପୂଜା ପାଉଥିବା ସ୍ୱାଭାବିକ; କିନ୍ତୁ କେବେ ହେଲେ ସେମାନଙ୍କ ମଧ୍ୟରୁ କେହି ହେଲେ କେତେକ ବଙ୍ଗୀୟଙ୍କ ଦ୍ୱାରା ପ୍ରଚାରିତ କବି ଜୟଦେବଙ୍କ ଜନ୍ମଭୂମି ଦର୍ଶନ କରିବାକୁ ଯାଇଥିବାର କୌଣସି ପ୍ରମାଣ ନାହିଁ ।

 

ଏସମ୍ବନ୍ଧେ ଅଧିକ ବଖାଣିବା ନିଷ୍ପ୍ରୟୋଜନ । ଏତିକିରୁ ହିଁ ବିଚାରବନ୍ତ ଜନେ ବରିନେବେ ଯେ କେହି କେହି ବଂଗୀୟ ବିଶିଷ୍ଟ ଗ୍ରନ୍ଥକାର କିପରି ଅବାସ୍ତବ, ଅପ୍ରାସଂଗିକ ଅପପ୍ରଚାରମୁଖର ।

 

ସୌଭାଗ୍ୟର ବିଷୟ ଯେ ବର୍ତ୍ତମାନ କେତେକ ବିଶିଷ୍ଟ ବଙ୍ଗୀୟ ପଣ୍ଡିତ ଜୟଦେବଙ୍କ ଜନ୍ମଭୂମି ସଂବନ୍ଧେ ନିଜ - ନିଜର ସୁଚିନ୍ତିତ ମତ ପ୍ରକାଶ କଲେଣି । ତନ୍ମଧ୍ୟରୁ ୧୯୬୯ ସାଲ କୁନ ମାସର ଯୁଗବାଣୀ ପତ୍ରିକାରେ ପ୍ରକାଶିତ ଢାକାର ବିଶିଷ୍ଟ ପଣ୍ଡିତ ଡକ୍ଟର ଆଶୁତୋଷ ଭଟ୍ଟାଚାର୍ଯ୍ୟଙ୍କ ମତ ନିମ୍ନରେ ଉଦ୍ଧାର କରାଯାଉଛି :-

 

‘‘ଜୟଦେବ ଛିଲେନ୍‌ଉଡ଼ିୟା ଏବଂ ବୀରଭୂମେର୍‌ କେନ୍ଦୁଲୀମେ ଅନୁଷ୍ଠିତ ବାତ୍ସରିକ ମେଲା ଆସଲେ ବାଉଲ ମେଲା ଏବଂ ଜୟଦେବର ଜନ୍ମେର୍‌ ସଙ୍ଗେ ଏର୍‌ କୋନ୍‌ ସଂପର୍କ ନେଇ । ଜୟଦେବ ଲକ୍ଷ୍ମଣସେନେର ସଭାକବି ଛିଲେନ୍‌ ବଲେ ଏଯାବତ୍‌ ଯେ ସିଦ୍ଧାନ୍ତ ବିଦଗ୍‌ଧ ସମାଜେ ଗୃହୀତ ହୟେଛିଲ, ତା ଗ୍ରହଣଯୋଗ୍ୟ ନୟ । ଲକ୍ଷ୍ମଣସେନେର୍‌ ଅନ୍ୟାନ୍ୟ କବିଦେର୍‌ ନାମେର୍‌ ସଙ୍ଗେ କବି ଜୟଦେବ ନିଜେର ନାମକେ ଯୁକ୍ତ କରିଲେଓ ତିନି ଲକ୍ଷ୍ମଣସେନେର୍‌ ସଭାକବି ଛିଲେନ୍‌, ତାହା ପ୍ରମାଣିତ ହୟ ନା । ପ୍ରାଚୀନ ଯଶସ୍ୱୀ ସଂସ୍କୃତ କବିଦେର ନାମେର୍‌ ସଙ୍ଗେ ନିଜେର୍‌ ନାମ ଯୁକ୍ତକରାର ରୀତି ଏଖନ୍‌ଓ ଓଡ଼ିଶ୍ୟାୟ ପ୍ରଚଳିତ ରୟେଛେ ।’’

 

ପୁଣି ୧୬୬୯ ସାଲର ବିଷୁବ ସଂକ୍ରାନ୍ତି ଦିନ ପ୍ରଜାତନ୍ତ୍ର ପରିସରରେ ଅନୁଷ୍ଠିତ ସାମ୍ବତ୍ସରିକ ବିଷୁବ ମିଳନ ମଣ୍ଡପରେ ଜୟଦେବଙ୍କ ସମ୍ବନ୍ଧୀୟ ନିମ୍ନଲିଖିତ ମନ୍ତବ୍ୟଟି ପ୍ରୋକ୍ତ ଡ: ଭଟ୍ଟାଚାର୍ଯ୍ୟଙ୍କର ଜୟଦେବଙ୍କ ସମ୍ବନ୍ଧୀୟ ନିମ୍ନଲିଖିତ ମନ୍ତବ୍ୟଟି ସୁଧୀଜନମାନଙ୍କ ଗୋଚରାର୍ଥେ ଉପସ୍ଥାପିତ କରାଯାଉଅଛି :-‘‘ଜୟଦେବଙ୍କୁ ବଙ୍ଗୀୟ କବି କହିବାର ଯଥାର୍ଥତା ନାହିଁ । କେନ୍ଦୁଲୀ ବାଉଲ ସଂପ୍ରଦାୟର ଏକ ପୀଠସ୍ଥଳୀ । ତାହା ସହିତ ଜୟଦେବଙ୍କର କୌଣସି ସମ୍ପର୍କ ନାହିଁ ।।

 

x x x ଡକ୍ଟର ଭଟ୍ଟାଚାର୍ଯ୍ୟ ସ୍ପଷ୍ଟଭାବେ ଘୋଷଣା କଲେ ଯେ ଯେଉଁ ବଙ୍ଗୀୟ ପଣ୍ଡିତମାନେ ଜୟଦେବ ବଙ୍ଗଦେଶରେ ଜନ୍ମ ଗ୍ରହଣ କରିଥିଲେ ବୋଲି କହନ୍ତି, ତାହା ଯଥାର୍ଥ ନୁହେଁ, ବରଂ ତାଙ୍କୁ ଓଡ଼ିଆ ବୋଲି କହିବା ଅଧିକ ଯୁକ୍ତିଯୁକ୍ତ ।

x x ପ୍ରଜାତନ୍ତ୍ର - ତା ୧୫ । ୪ । ୧୯୬୯

 

ଶ୍ରୀଚୈତନ୍ୟ ଓ ଶ୍ରୀଗୀତଗୋବିନ୍ଦ

 

ଶ୍ରୀମନ୍ଦିରରେ ମାଦାଳପାଞ୍ଜି ଶ୍ରୀଗୀତ ଗୋବିନ୍ଦର ପ୍ରଥମ ଏବଂ ପ୍ରଧାନ ସଂବାଦବାହାକ । ଉତ୍କଳର ତଦାନିନ୍ତନ ମହାରାଗ କବି ନରସିଂହଦେବ ଶ୍ରୀଗୀତଗୋବିନ୍ଦକୁ ଶ୍ରୀମନଦିରରା ନୀତିରୁପେ ଚଳିବାର ଶୁଭାଦେଶ ଦେଲେ । ଘଟଣା କାଳ ୧୨୮୨ଠାରୁ ୧୩୦୭ ଖ୍ରୀଷ୍ଟାବ୍ଦ । ମାଦାଳପାଞ୍ଜିରେ ଲେଖା ଅଛି :-

 

‘‘ଏଉତ୍ତାରୁ କବି ନରସିଂହ ରାଜା ହୋଇଲେ । ଗୀତଗୋବିନ୍ଦ ସିଲାଉ କଲେ ।’’

ଏଠାରେ ‘ଏଉତ୍ତାରୁ’ ବୋଇଲେ ଅମିତଯଶା ମହାରାଜ ଲାଙ୍ଗୁଳା ନରସିଂହଦେବଙ୍କ ଉତ୍ତାରୁ ବୁଝାଏ । ଦୀର୍ଘକାଳପରେ ଗଜପତି ମହାରାଜ (ପ୍ରତାପରୁଦ୍ର ୧୫ଶ । ୧୬ଶ ଶତାବ୍ଦୀରେ ଶ୍ରୀଗୀତଗୋବିନ୍ଦକୁ ଶ୍ରୀମନ୍ଦିରରେ ପୁଣି ଗାୟନ-ନର୍ତ୍ତନ-ନୀତିରୂପେ ଚଳାଇବାର ଆଦେଶ ଦେଲେ । ଶ୍ରୀମନ୍ଦିରର ଜୟବିଜୟ -ଦ୍ୱାରସ୍ଥ ପାଷାଣଲିପି ଏହାର ମୂକସାକ୍ଷୀ । ଶ୍ରୀମନ୍ଦିରରେ ଶ୍ରୀଗୀତ ଗୋବିନ୍ଦ ଭିନ୍ନ ‘ଆନ ନ ଗାଇବେ’ ବୋଲି ମଧ୍ୟ ସେହି ପାଷାଣ ଲିପିର ଅଲିଭା ପାଠାଦେଶ । ନାଚୁଣୀମାନଙ୍କ ପ୍ରତି ମଧ୍ୟ କେବଳ ଶ୍ରୀଗୀତଗୋବିନ୍ଦ ଭିନ୍ନ ଅନ୍ୟ ଗୀତ ଗାଇ ନାଚିବା ନିଷେଧ । ଚାରି ଜଣ ବୈଷ୍ଣବ ଶ୍ରୀଗୀତଗୋବିନ୍ଦ ଗାଇବେ ଏବଂ ଶ୍ରୀଗୀତଗୋବିନ୍ଦ ଗାୟନ ନ ଜାଣିଥିବା ବୈଷ୍ଣବମାନେ ଏହାଙ୍କ ସୈହିତ ପାଳିଧରିବେ ବୋଲି ନିର୍ଦ୍ଦେଶ ଦିଆଯାଇଅଛି ।

 

ମହାରାଜ ପ୍ରତାପରୁଦ୍ରଙ୍କ ରାଜତ୍ୱର ତୃତୀୟ ବର୍ଷ କକଡ଼ା ୧୦ ଦିନ ଚତୁର୍ଥ ଅଙ୍କ ଗୁରୁବାର ଅର୍ଥାତ୍ ୧୫୦୦ ଖ୍ରୀଷ୍ଟାବ୍ଦ ୬ ତାରିଖ ଜୁଲାଇ ମାସରେ ଏହି ଶିଳାଦେଶ ଉତ୍କୀର୍ଣ୍ଣ ହୋଇଥିଲା ।

 

ଏହାପରେ ୧୫୧୫ ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟଙ୍କର ପୁରୀ ଆଗମନ । ଏତେବେଳକୁ ଶ୍ରୀଗୀତଗୋବିନ୍ଦର ବହୁଳ ପ୍ରଚାର, ପ୍ରସାର ଓ ଜନସମାଦର ଘଟିସାରିଛି । ବିଶେଷତଃ ଶ୍ରୀଗୀତଗୋବିନ୍ଦର ପଦାବଳୀ ଧର୍ମଗୀତିରୂପେ ସହଜିଆ ବୈଷ୍ଣବମାନଙ୍କର କଣ୍ଠରତ୍ନ ହୋଇସାରିଛି । ଏଥିପୂର୍ବରୁ ମହାରାଜ ପୁରୁଷୋତ୍ତମଦେବଙ୍କ ରଚିତ ଅଭିନବ ଗୀତଗୋବିନ୍ଦର ସ୍ଥାନ ନ ଥିଲା ଶ୍ରୀଗୀତଗୋବିନ୍ଦ ନିକଟରେ, କାରଣ ଅଭିନବ ଗୀତଗୋବିନ୍ଦର ସ୍ୱୟଂ ଜଗନ୍ନାଥ ସନ୍ତୁଷ୍ଟ ନୁହନ୍ତି ବୋଲି ଲୋକ-କଥା ରହିଆସିଛି ।

 

ପ୍ରେମ-ଭକ୍ତିପରାୟଣ ପରମବୈଷ୍ଣବ ରାୟ ରାମାନନ୍ଦ ପଟ୍ଟନାୟକ ଶ୍ରୀଚୈତନ୍ୟଙ୍କର ଦୀକ୍ଷାଗୁରୁ - ଏ କଥା ଏହି ଆଲୋଚନାରେ ଅନ୍ୟତ୍ର ପ୍ରକାଶିତ ହୋଇଅଛି । ଶ୍ରୀଚୈତନ୍ୟ ପୁରୀ ଆସିବାପରେ ତାଙ୍କର ନିତ୍ୟ ପାଠ ଥିଲା ଶ୍ରୀଗୀତଗୋବିନ୍ଦ । ସେ ବିହ୍ୱଳ ହୋଇପଡ଼ୁଥିଲେ ଶ୍ରୀଗୀତଗୋବିନ୍ଦ ଶ୍ରବଣରେ । ଏହା କେବଳ ପୁରୀ-ଉତ୍କଳରେ ଘଟିଅଛି ଅର୍ଥାତ୍‌ ଶ୍ରୀଚୈତନ୍ୟ ବଙ୍ଗଳାରେ ଅବସ୍ଥାନ କଲାବେଳେ ଶ୍ରୀଗୀତଗୋବିନ୍ଦ ଶ୍ରବଣ - ପଠନ କରିଥିବାର କୌଣସି ପ୍ରମାଣ ନାହିଁ । ଭକ୍ତ ରାମାନନ୍ଦ ତାଙ୍କୁ ଶ୍ରୀଗୀତଗୋବିନ୍ଦ ଶୁଣାନ୍ତି । ଚୈତନ୍ୟ-ଚରିତାମୃତ, ଯାହା ଶ୍ରୀଚୈତନ୍ୟଙ୍କ ଓଡ଼ିଶା ଆଗମନପରେ କୃଷ୍ଣଦାସ କବିରାଜ ରଚନା କରିଛନ୍ତି, ତହିଁ ରେ କୁହାଯାଇଅଛି :-

 

‘‘ବିଦ୍ୟାପତି ଚଣ୍ତୀଦାସ ଶ୍ରୀଗୀତଗୋବିନ୍ଦ

ଭାବାନୁରୂପ ଶ୍ଲୋକ ପଡ଼େନ ରାୟ ରାମାନନ୍ଦ ।।’’

 

ଭକ୍ତ ରାୟକବି ଓ ସ୍ୱରୂପ ଦାମେଦରଙ୍କ ସହିତ ଶ୍ରୀଗୀତଗୋବିନ୍ଦର ଆଲୋଚନା କରନ୍ତି ଶ୍ରୀଚୈତନ୍ୟ ପ୍ରତିନିତ୍ୟ ।

 

‘‘ବିଦ୍ୟାପତି ଜୟଦେବ, ଚଣ୍ତୀଦାସେର ଗୀତ

ଆସ୍ୱାଦେନ ରାମାନନ୍ଦ ସ୍ୱରୂପ ସହିତ ।।’’

 

-ସ୍ୱରୂପ ଦାମୋଦର ଯେ ନିଶ୍ଚିତଭାବେ ପୁରୀ ଆସିବାପରେ ରାୟ ରାମାନନ୍ଦଙ୍କଠାରୁ ଶ୍ରୀଗୀତଗୋବିନ୍ଦ ଶୁଣିଥିବେ ଓ ଉଭୟେ ଏହି ବୈଷ୍ଣବ ପ୍ରେମଭକ୍ତିରସାପ୍ଲୁତ କାବ୍ୟରସର ଆଲୋଚନାରେ ବୁଡ଼ିରହିଥିବେ - ଏହା ଏକାନ୍ତ ସମ୍ଭବ ।

 

ଚୈତନ୍ୟ- ଚରିତାମୃତର ବର୍ଣ୍ଣନାରୁ ପ୍ରମାଣିତ ହୁଏ ଯେ ପୁରୁଷୋତ୍ତମକ୍ଷେତ୍ରରେ ହିଁ ଶ୍ରୀଚୈତନ୍ୟ ଶ୍ରୀଗୀତଗୋବିନ୍ଦ ଶ୍ରବଣ କରନ୍ତି ; ତହିଁପୂର୍ବରୁ ନୁହେଁ । ତେବେ ଶ୍ରୀଗୀତଗୋବିନ୍ଦରଚୟିତା ଜୟଦେବ ବଙ୍ଗଳାରେ କେନ୍ଦୁଲୀ ଗ୍ରାମର ଏଥିପୂର୍ବରୁ ଲୁଚିରହିଥିଲେ କେଉଁଠି ? ପରମ ବୈଷ୍ଣବ ଶ୍ରୀଚୈତନ୍ୟ ବଙ୍ଗଳାରେ ଥିବାବେଳେ ଠୁଳେ ହେଲେ ତାଙ୍କର ସନ୍ଧାନ ପାଇଲେ ନାହିଁ କିମ୍ବା ତାଙ୍କ ରଚିତ ଶ୍ରୀଗୀତଗୋବିନ୍ଦରୁ ଧାଡ଼ିଏ ହେଲେ ତାଙ୍କ କାନରେ ବାଜିପାରିଲା ନାହିଁ । ଏହା ଘଟିଥିଲେ ବୈଷ୍ଣବ ଗ୍ରନ୍ଥକାର କେହି ହେଲେ ସେସମ୍ବନ୍ଧେ ପଦେ -ଅଧେ ତ ଲେଖିପାରିଥାଆନ୍ତେ ।

 

ସହଜିଆ ବୈଷ୍ଣବଧର୍ମ୍ମର ପରକୀୟା ପ୍ରୀତି-ରୀତିର ମୁଖ୍ୟ ପ୍ରଚାରକ ହେଲେ ଜୟଦେବ । ବଙ୍ଗଳାରେ ସେନବଂଶଦ୍ୱାରା ସେହି କାଳରେ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ ଘଟେ । ତେବେ ରାଜା ଲକ୍ଷ୍ମଣସେନଙ୍କ ରାଜସଭାରେ ସହଜିଆ ବୈଷ୍ଣବ ଜୟଦେବଙ୍କର ସ୍ଥାନ ସମ୍ଭବ କିପରି ?

 

ଶ୍ରୀଚୈତନ୍ୟ ସହଜିଆ ପନ୍ଥୀ ବୈଷ୍ଣବଧର୍ମ୍ମାଧ୍ୟକ୍ଷ । ରାୟ ରାମାନନ୍ଦଙ୍କଠାରୁ ହିଁ ପରକୀୟାତତ୍ତ୍ୱପ୍ରତିଷ୍ଠିତ ଶ୍ରୀଗୀତଗୋବିନ୍ଦ ଶୁଣି ଆତ୍ମହରା ହୁଅନ୍ତି ସେ ।

 

ଶ୍ରୀମନ୍ଦରରେ ପରମ୍ପରା ବିଧାନକ୍ରମେ ଶ୍ରୀଗୀତଗୋବିନ୍ଦ ଗାୟନ କଳ୍ପେ ‘ଜୟଦେବ ସେବା’ ଅବଧି ନୀତିମଧ୍ୟରେ ପରିଗଣିତ ହୋଇଆସୁଅଛି । ଓଡ଼ିଶା ଭିନ୍ନ ଏଭଳି ଜୟଦେବ ସେବା-ନିବନ୍ଧନୀର ନିଦର୍ଶନ ଅନ୍ୟତ୍ର ଦେଖାଶୁଣା ନାହିଁ । ଶ୍ରୀଚୈତନ୍ୟ ଏହିଠାରେ ଶ୍ରୀଗୀତଗୋବିନ୍ଦର ପଦାବଳୀ ଶୁଣି ଆତ୍ମବିଭୋର ହେଉଥିବା କଥା ଗ୍ରନ୍ଥପୃଷ୍ଠା ଓ ଲୋକମୁଖରୁ ହଜିଯାଇ ନାହିଁ ।

 

ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଶ୍ରୀଚୈତନ୍ୟ ପୁରୁଷୋତ୍ତମକ୍ଷେତ୍ରକୁ ଆସିବାପରେ ହିଁ ତାଙ୍କର ଶ୍ରିଗୀତଗୋବିନ୍ଦ ଶ୍ରବଣ-ପଠନର ସୁଯୋଗ ଅଟେ ।

 

ସଙ୍ଗୀତରେ ଶ୍ରୀଗୀତଗୋବିନ୍ଦ

 

ସଙ୍ଗୀତ-ଗୀତଗୋବିନ୍ଦ

୧୯୬୮ ମସିହା ଜୁନ୍‌ମାସ ୧୭ ତାରିଖରେ ମାତ୍ର ୫୯ ପୃଷ୍ଠାର ଖଣ୍ତିଏ କ୍ଷୁଦ୍ର ପୁସ୍ତକ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ମିଳିଲା ମୋତେ । ପୁସ୍ତକଟିର ନାମ ‘‘ସଙ୍ଗୀତ ଗୀତଗୋବିନ୍ଦ’’, ୧୯୧୩ ମସିହାରେ ସ୍ୱର୍ଗତ ବିଶ୍ୱନାଥ କରଙ୍କଦ୍ୱାରା ଉତ୍କଳ ସାହିତ୍ୟ ଛାପାଖାନାରେ ମୁଦ୍ରିତ ଏବଂ ଶ୍ରୀ ଉଦୟନାଥ ଆଚାର୍ଯ୍ୟଙ୍କଦ୍ୱାରା ପ୍ରଥମ ବାର ପ୍ରକାଶିତ । ସଂଗୀତ ଗୀତଗୋବିନ୍ଦର ଦ୍ୱାଦଶ ସର୍ଗର ଅନୁବାଦ ଶେଷରେ ଗ୍ରନ୍ଥକାର ନିଜର ପରିଚୟ ଦେବାକୁ ଯାଇ ଭଣିଛନ୍ତି :-

 

ଭଣେ ଗୋପୀନାଥ ଧୀର ଜଗଦ୍ଦେବ ରାଧାକୃଷ୍ଣ ରକ୍ଷା କର ଯେ ।୨୪ ।

ଇତି ଶ୍ରୀ ସଙ୍ଗୀତ ଗୋବିନ୍ଦ ଶେଷ

ମହାକାବ୍ୟରୁ ଏ ହେଲା ପ୍ରକାଶ ।

ଭାରତବରଷେ ଉତ୍କଳ ଦେଶ

ବଳରାମପୁର ଦୁର୍ଗବିଶେଷ ଯେ

ପର୍ବତପରେ ପ୍ରକାଶ ସେ

ତା’ମଧ୍ୟେ ନିବାସ କଉଶିକ ବଂଶ

ରାଜକୁଳ ଅବତଂସ ଯେ ।୨୫।

 

ଶ୍ଲୋକଗୁଡ଼ିକର ଅନୁବାଦ ପୋଇ ବୃତ୍ତରେ ଏବଂ ଗୀତଗୁଡ଼ିକ ବିଭିନ୍ନ ରାଗ-ସଙ୍ଗୀତ ଓ ଛାନ୍ଦବୃତ୍ତରେ ଜଗଦ୍ଦେବ ମହାଶୟ ରଚନା କରିଅଛନ୍ତି । ପୁସ୍ତକଟି ୧୯୧୩ରେ ପ୍ରକାଶିତ ହୋଇଥିଲେ ହେଁ ଶତାବ୍ଦୀପୂର୍ବର ରଚନା ବୋଲି ବିଶ୍ୱାସ କରାଯାଏ; କାରଣ କବି ରଥବନ୍ଧ, ମନୋଜ ରଥବନ୍ଧ, କଙ୍କଣବନ୍ଧ, ଅନ୍ତର୍ଲିପି, ବହିର୍ଲିପି, ଚକ୍ରବନ୍ଧ, ପଦ୍ମବନ୍ଧ ଓ ରାଜବନ୍ଧ ଇତ୍ୟାଦି ରୀତିରେ କେତେକ ଛାନ୍ଦ ରଚନା କରିଅଛନ୍ତି । ବିଭିନ୍ନ ଭାଷାରେ ଶ୍ରୀଗୀତଗୋବିନ୍ଦ ଅନୂଦିତ ହୋଇଥିଲେ ହେଁ ଏଭଳି ଧରଣର ଛାନ୍ଦବନ୍ଦୀ ସଙ୍ଗୀତରେ ପୁଣି ଏଡ଼େ ବିଶ୍ୱସ୍ତ ଅନୁବାଦ ଦୁର୍ଲ୍ଲଭ । ଶ୍ରୀଗୀତଗୋବିନ୍ଦର ସର୍ବଜନପ୍ରିୟତା ଏବଂ ଉତ୍କଳର ଘରେଘରେ ଏହାର ଏକାନ୍ତ ସମାଦର ଜଗଦ୍ଦେବଙ୍କୁ ଏପରି ଏକ ଅପୂର୍ବ ଅନୁବାଦଲାଗି ପ୍ରଲୁବ୍ଧ କରାଇଅଛି, ଏଥିରେ ସନ୍ଦେହ ନାହିଁ । ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ବିଶେଷତଃ ବଙ୍ଗଳାରେ ଯେଉଁ ସ୍ୱଳ୍ପସଂଖ୍ୟକ ଅନୁବାଦ ବା ଟୀକାମାନେ ଦୃଷ୍ଟ ହୁଏ, ସଙ୍ଗୀତ-ଗୀତଗୋବିନ୍ଦ ଯେ ସେଗୁଡ଼ିକଠାରୁ ବହୁ ଗୁଣରେ ଶ୍ରେଷ୍ଠ ରଚନା, ତାହା ଉକ୍ତ କ୍ଷୁଦ୍ର ପୁସ୍ତିକାଟି ସହଜରେ ପ୍ରମାଣ କରିପାରିଛି ।

 

ଏଥିପୂର୍ବରୁ ଅନ୍ୟତ୍ର ଉପସ୍ଥାପିତ ସେଇ ‘ପଶ୍ୟତି ଦିଶି ଦିଶି ....’ (୬ଷ୍ଠ ସର୍ଗ) ଗୀତଟିର ଅନୁବାଦ ଦେଖନ୍ତୁ :-

(ରାଗ - ଭୈବବୀ, ତାଳ - ଆଠତାଳି)

ହେ ନାଥ ହରି !

କେଳିନିବାସରେ ବିଷାଦ କିଶୋରୀ ।। ଘୋଷା ।।

ତୁମ୍ଭ ପ୍ରତିଆଶେ ଆସେ             କି ଦେଖି ମାନସ ତୋଷେ

ଧ୍ୟାନଭାବରେ ରଭସେ             ତବ ଅଧର -ମଧୁ ସେ

ପାଦ କରି ! ସତତ ବିଚାରି ।୧।

 

X      X       X      X

ଶ୍ରୀଜୟଦେବ ଭାଷିତ             ଶ୍ରୀଗୀତଗୋବିନ୍ଦ ଖ୍ୟାତା

ସେ ଅର୍ଥ ଅନୁଭାବିତ             କରି କହେ ଗୋପୀନାଥ

ଜଗଦ୍ଦେବ, ସଂଗୀତେ ବିଚାରି ।।

 

ଅନୁବାଦ ଦିଗରୁ ବିଚାର କରିବାକୁ ଯାଇ ସଂଶିତ ସଂଗୀତ ଗୀତଗୋବିନ୍ଦର ଗୀତଗୁଡ଼ିକ ଦେଖିଲେ ଏହା ସ୍ପଷ୍ଟ ପ୍ରତୀତ ହୁଏ ଯେ ଶ୍ରୀଗୀତଗୋବିନ୍ଦର ଗୀତ ଭାଷା ପ୍ରାକୃତ ଓଡ଼ିଆ ଭାଷାର ସମତୁଲ କିମ୍ବା ଅତ୍ୟନ୍ତ ନିକଟବର୍ତ୍ତୀ ।

 

ନିମ୍ନରେ ‘ଧୀର ସମୀରେ , ଯମୁନା ତୀରେ ’ ଗୀତଟିର ଅନୁବାଦ ଉପସ୍ଥାପିତ କରାଯାଉଅଛି । ଅନୁବାଦ ସଂଗୀତଟି ପାଠ କଲେ ସହଜରେ ବାରିହେବ ଯେ ଏକଦା ନବଯୁଗପ୍ରବର୍ତ୍ତକ ଭକ୍ତ ମହାକବି ଶ୍ରୀଜୟଦେବ ତାଙ୍କ ମାତୃଭାଷା ପ୍ରାକୃତ ଓଡ଼ିଆକୁ କିପରି ସଂସ୍କୃତର ଅଙ୍କରେ ବସାଇ ସମାଦର ସହାବସ୍ଥାନ ରୀତିରେ ରସ-ସଂଗୀତଜାଡ଼ା ବରଣଡାଲା ଭେଟି ଦେଇଥିଲେ ଓଡ଼ିଆର ଜଗନ୍ନାଥଙ୍କ ଚରଣତଳେ ।

 

ଶ୍ରୀଗୀତଗୋବିନ୍ଦରୁ ଅନୂଦିତ ଗୀତଟି ହେଲା :-

(ରାଗ-କାମୋଦୀ, ତାଳ-ଝୁଲା)

ଧୀର ସମୀରରେ, ଯମୁନାତୀରରେ, ବସିଛନ୍ତି ବନେ ବନମାଳୀ

ପୀନ ପୟୋଧର, ମର୍ଦ୍ଦନରେ ଯାର, ଚଞ୍ଚଳିତ କରଯୁଗଶାଳୀ ।। ଘୋଷା ।।

 

କେତେକ କ୍ରୀୟାପଦର ବିଭକ୍ତଯୋଗକୁ ବାଦ୍‌ ଦେଲେ ମୂଳ ରଚନା ଯେ ପ୍ରାକୃତ ଓଡ଼ିଆ, ଏ କଥା ଯେ କେହି ପାଠକ ସହଜରେ ସ୍ୱୀକାର କରିବେ । ଅନୁବାଦିତ ଗୀତଟି ଏହାର ଏକାନ୍ତ ପ୍ରମାଣ । ତା’ ଛଡ଼ା କ୍ରିୟାପଦରେ ବିଭକ୍ତ ଯୋଗ ହୋଇଥିବା ଶବ୍ଦମାନ ମଧ୍ୟ ଜଗଦ୍ଦେବ ସ୍ଥଳବିଶେଷରେ ବ୍ୟବହାର କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରତୀତ ହୁଏ ଯେ ସେହିପରି ବିଭକ୍ତଯୁକ୍ତ କ୍ରିୟାପଦମାନଙ୍କର ଉପଯୋଗ ମଧ୍ୟ ଓଡ଼ିଆ ଭାଷାରେ ପରମ୍ପରାସିଦ୍ଧ ଥିଲା । ସାଧାରଣ ଲୋକେ ଏପରି ଶବ୍ଦକୁ ବୁଝୁଥିବାରୁ ବା ସମାଦର କରୁଥିବାରୁ କବି ନିଜର ରଚନାରେ ସେଗୁଡ଼ିକୁ ବ୍ୟବହାର କରିଛନ୍ତି ସିନା ! ନିମ୍ନରେ ଏହାର ଗୋଟିକେତେ ନମୁନା ଦିଆଗଲା :-

 

ମୂଳ:- ବଦସି ଯଦି କିଞ୍ଚିଦପି ଦନ୍ତରୂଚି -କୌମୁଦୀ ....

ଭାଷାନ୍ତର :- କହସି କିଞ୍ଚିତ କରି ଦଶନ - ଜ୍ୟେସ୍ନମାଧୁରୀ ...

ଅନ୍ୟତ୍ର,

ତରୁଣୀ ମଧୁର ପିକଜିତ ଗିର ହସି କହସି ସତ୍ୱର .....

ମୂଳ - ଶ୍ରୀଜୟଦେବ ଭଣିତମତି ସୁନ୍ଦର ମୋହନ ମଧୁରିପୁରୂପମ୍‌ ....

ଭାଷାନ୍ତର - ଶ୍ରୀଜୟଦେବ ଭଣିତ ମଧୁରତ ମଧୁରିପୁ-ରୁପଯଶରେ ...

ମୂଳ- ଅବିରଳ ନିପତିତ ମଦନଶରାଦିବ...

ଭାଷାନ୍ତର - ଅବିରତ ମାର ନିପତିତ ଶର ....

ମୂଳ - ଦୟିତ ବିଲୋକିତ ଲଜ୍ଜିତ ହସିତ ...

ଭାଷାନ୍ତର - ଦୟିତ ବିଲୋକିତ ସଲ୍ଲଜିତେ ହସିତ ....

ମୂଳ - କଥୟତି କଥମଧୁନାପି ....

ଭାଷାନ୍ତର - X      X ସ୍ମିତହାସୀ ଭାଷତି ରେ ....

ଆହୁରି,

 

X X ସେ ମାଧବ ତବ ଆଶରେ ବସତି .... ପୃଷ୍ଠା ୪୪ (ସଂ: ଗୀ:)

X X ମଦନ - ଉଦ୍ଦୀପନକାରକ ଭବତି .... ପୃଷ୍ଠା ୪୪ (ସଂ: ଗୀ:)

X X ତବ ସୁନ୍ଦର ରୂପ ମାନସେ ଧରତି ......       ୪୫ (ସଂ: ଗୀ:)

X X ରସିକରାଜ ନବକୁଞ୍ଜେ ବିଜୟତି .........      ୪୫ (ସଂ: ଗୀ:)

X X ଭବ କରୁଣାର୍ଣ୍ଣବ ସଙ୍ଗତ ମିଳତି ......      ୪୫ (ସଂ: ଗୀ:)

X X ପୂର୍ଣ୍ଣମନୋରଥକାରକ ଭବତି .......      ୪୫ (ସଂ: ଗୀ:)

X X ଗୋପୀନାଥ ଜଗଦ୍ଦେବ ବିରଚତି ......      ୪୫ (ସଂ: ଗୀ:)

 

ଇତ୍ୟାଦି ଇତ୍ୟାଦି ବହୁ ଶବ୍ଦର ବ୍ୟବହାର ଦୃଷ୍ଟ ହୁଏ । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ପ୍ରୋକ୍ତ ଶବ୍ଦଗୁଡ଼ିକ ପ୍ରାକୃତ ଓଡ଼ିଆର ପାରମ୍ପରିକ ରଚନାର ଛତ୍ରେ - ଛତ୍ରେ ପରିସ୍ଫୁଟ ଥିବା ସ୍ଥଳେ ସେ ଯେ ଏହି ଜଗନ୍ନାଥ ଦେଶର ଅମର ସନ୍ତାନ ଏବଂ ଭକ୍ତମାଳାବର୍ଣ୍ଣିତ ‘ଜଗନ୍ନାଥ ପୁରୀପ୍ରାନ୍ତେ ’ ନିବାସୀ, ଅତ୍ର ସନ୍ଦେହୋ ନାସ୍ତି ।

 

ଏ କଥା ଜଣାଶୁଣା ଯେ ଓଡ଼ିଶାର ପୁରପଲ୍ଲୀରେ ଶ୍ରୀଗୀତଗୋବିନ୍ଦକୁ ମୂର୍ଖ, ପଣ୍ତିତ ସମସ୍ତେ ଗଣ୍ତିଧନପରି ଆଦର କରନ୍ତି । ଲୋଭ ତୁଟାଇ ନ ପାରି ଯେ ଯେପରି ପାରିଲା ଶ୍ରୀଗୀତଗୋବିନ୍ଦକୁ ଗଦ୍ୟ, ପଦ୍ୟ ସଂଗୀତ ନାନାମତେ ଅନୁବାଦିତ କରିଛନ୍ତି । ସେଥିରୁ କେତେକ ଲୋକଙ୍କ ଆଖିରେ ପଡ଼ିଛି, କେତେ ଭାଗବତ-ଗାଦିରେ ଫୁଲଚନ୍ଦନ ଲାଗିହୋଇ ପୋଥି ଡୋରଭିଡ଼ାରେ ରହିଛି, କେତେ ଉଇମୁହଁରେ ଗଲାଣି ବା ଯାଉଛି । ଛପା ବହି କେତେ ମଧ୍ୟ ମୁହଁ ଛପା ଦେଲେଣି ।

 

ପ୍ରସଙ୍ଗକ୍ରମେ ମୋ ଆଖିରେ ପଡ଼ିଥିବା ଶ୍ରୀଗୀତଗୋବିନ୍ଦର ତିନିଖଣ୍ତ ଅନୁବାଦ-କଥା ବାଢ଼ିବସୁଛି ।

ଆମ ଲୋକେ ଭାରି ଗୀତସଉକିଆ, ଆଉ ତା’ଛଡ଼ା ଗଦ୍ୟ ବା କବିତାଠାରୁ ଗୀତଜରିଆରେ ପରଶାଗଲେ ବିଷୟବସ୍ତୁଟି ସାଧାରଣତଃ ଲୋକର ବୁକୁଲଗା ହୋଇରହେ । ତେଣୁ ଜଣ କେତେ ପାରିବାର ପୁଅ ଗୀତରେ ଶ୍ରୀଗୀତଗୋବିନ୍ଦ ଅନୁବାଦ କଲେ ଲୋକରେ ପହୁଞ୍ଚାଣଲାଗି ।

 

ଯେତେଦୂର ବାରିଛି ପିଣ୍ତିକ ଶ୍ରୀଚନ୍ଦନେ ଏମାନଙ୍କଠାରୁ ଆଗୁଆ । ସେ ଥିଲେ ଚୈତନ୍ୟପନ୍ଥୀ । ତେଣୁ ବଙ୍ଗଳା - ଓଡ଼ିଆମିଶା ଭାଷାରେ ଅନୁବାଦ କରି ଆପଣାର କିଛି କିଛି ରସଭାବ ମଧ୍ୟ ମଝିମଝିରେ ମିଶାଇଲେ । ଗ୍ରନ୍ଥର ନାଆଁ ଦେଲେ ‘ବସନ୍ତ-ରାସ’-ଶ୍ରୀଗୀତଗୋବିନ୍ଦର ବିଷୟବସ୍ତୁକୁ ମୂଳ କରି । ଲୋକେ ତାଙ୍କ ରଚିତ ଗୀତଗୁଡ଼ିକ ଖାଲି ଯେ ଗାଇଲେ, ତାହା ନୁହେଁ; ଓଡ଼ିଶାର ପୁରପଲ୍ଲୀରେ ରାସନୃତ୍ୟସହିତ ‘ବସନ୍ତାରାସ’ ପରିବେଶିତ ହେଲା । ତେଣୁ ନୃତ୍ୟଗୀତ ଦୁହେଁ ଏକାଠି ମିଶି ଆଖିକାନ ଦୁଇ ଦିଗରେ ପ୍ରବେଶ କରି ଲୋକମନରେ ଘରବାନ୍ଧି ରହିଲା ମୂଳ ଗ୍ରନ୍ଥ ଶ୍ରୀଗୀତଗୋବିନ୍ଦ । ଷୋଡ଼ଶ ସପ୍ତଦଶ ଶତାବ୍ଦୀର କଥା-ଶ୍ରୀଚୈତନ୍ୟଦେବଙ୍କ ଦ୍ୱାରା ପ୍ରଚାରିଚ କୀର୍ତ୍ତନ ଓଡ଼ିଶାର ପୁରପଲ୍ଲୀରେ ସମାଦର ପାଉଥାଏ । ଶ୍ରୀଚନ୍ଦନଙ୍କ ବସନ୍ତାରାସରେ ତେଣୁ କୀର୍ତ୍ତନଢଙ୍ଗର ସ୍ୱର ଭରିରହିଛି । ଏହା ବାହାରେ ସଂଗୀତରେ ଶ୍ରୀଗୀତଗୋବିନ୍ଦର ଆଉ ଦୁଇଖଣ୍ତି ଅନୁବାଦ ମିଳିଛି-ଖଣ୍ତିଏ ଉତ୍ତର-ଓଡ଼ିଶାରୁ, ଆଉ ଖଣ୍ତିଲ ଦକ୍ଷିଣ ଓଡ଼ିଶାରୁ ।

 

ପିଣ୍ତିକ ଶ୍ରୀଚନ୍ଦନଙ୍କ ବସନ୍ତରାସସମ୍ବନ୍ଧେ ଏଥିପୂର୍ବରୁ ଟିକିଏ ଆଲୋଚନା କରାଯାଇଅଛି । ଏବେ ଅନ୍ୟ ଦୁଇଖଣ୍ତି ଗୀତାନୁବାଦ ସଂଗୀତ ଓ ଗୀତଗୋବିନ୍ଦପରେ ଆଉ ଖଣ୍ତିଏ ଗୀତାନୁବାଦସମ୍ବନ୍ଧେ କିଛି କୁହାଯାଉଅଛି ।

 

କହିଛି ତ ପିଣ୍ତିକ ଶ୍ରୀଚନ୍ଦନଙ୍କ ବସନ୍ତରାସର ବହୁଳ ପ୍ରଚାର ଘଟିଛି ‘ରାସଲୀଳା’ରେ ତାହାର ପରିବେଷଣ - ରୀତିହେତୁ; ମାତ୍ର ଏ ଦୁଇଖଣ୍ତି କେବଳ ଗୀତାନୁବାଦ ବୋଲି ବିଶେଷଭାବେ ପ୍ରଚାରିତ ହୋଇପାରି ନାହିଁ ।

 

ସ୍ୱର୍ଗୀୟ ଭକ୍ତ ଗୋପାଳକୃଷ୍ଣଙ୍କ ସମସାମୟିକ କବି ଗୌରହରି ପରିଚ୍ଛା ଶ୍ରୀଗୀତଗୋବିନ୍ଦ ଓଡ଼ିଆ ଅନୁବାଦ କରିଅଛନ୍ତି । ତାହା ସଂଗୀତର ରାଗତାଳରେ ରଚିତ । କବି ପାରଳାଖେମୁଣ୍ତିନିବାସୀ । ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଗୌରହରି ଗ୍ରନ୍ଥାବଳୀ ପ୍ରକାଶ କରିଅଛନ୍ତି । ପାରଳାଖେମୁଣ୍ତିର ଗଜପତି ମୁଦ୍ରଣାଳୟରେ ୧୯୨୬ ଖ୍ରୀଷ୍ଟାବ୍ଦରେ ଗ୍ରନ୍ଥଟି ପ୍ରକାଶିତ ହୋଇଅଛି । ପ୍ରକାଶିତ ଗ୍ରନ୍ଥର ସଂଖ୍ୟା ମାତ୍ର ପାଞ୍ଚଶତ ।

 

ସଂଗୀତମଧ୍ୟରୁ ଅନେକଗୁଡ଼ିଏ ତେଲଙ୍ଗା ଗୀତର ରାଗତାଳ ନିବଦ୍ଧ । ତେଲଗୁ ଗୀତର ପ୍ରଥମ ଧାଡ଼ିର ଉଲ୍ଲେଖ କରି ସେହି ‘ପ୍ରତି’ (ସ୍ୱର ବା ଦୀଶା)ରେ ମଧ୍ୟ କେତେକ ଗୀତ ରଚିତ । ତାଙ୍କଦ୍ୱାରା ଶ୍ରୀଗୀତଗୋବିନ୍ଦର ଆଦିଶ୍ଲୋକର (ମେଘୈର୍ମେଦୂର ..... ଇତ୍ୟାଦି) ଅନୁବାଦରେ ‘‘ଇତ୍‌ଥଂ ନନ୍ଦନିଦେଶତଃ’’ ର ଅର୍ଥ ପିଣ୍ତିକ ଶ୍ରୀଚନ୍ଦନଙ୍କ ଲିଖିତ ‘ବସନ୍ତ-ରାସ’ର ଭାବଧାରା ଅନୁସୃତ ହୋଇଅଛି । ଅନେକ ଟୀକାରେ ନନ୍ଦଙ୍କ (ଗୋପରାଜ) ଆଦେଶ ବୋଲି ଲେଖାଥିବା ପରିବର୍ତ୍ତେ କବି ଗୌରହରି ଲେଖିଛନ୍ତି :-

‘‘ନିଶା ଉପଗତ ଶଙ୍କା ଚିତ୍ତେ ଚିନ୍ତି

ବଚନକୁ ପ୍ରିୟସଖୀ କହୁଛନ୍ତି,

ହେ ରାଧିକେ, ଭୟାଳୁ ଏ ଦାମୋଦର

ଏହାଙ୍କୁ ତୁମ୍ଭେ ଗୃହେ ପ୍ରବେଶ କର ।

ଶୁଣି ସେ ପ୍ରିୟସଖୀଙ୍କ ଆଦେଶକୁ,

କାଳିନ୍ଦୀକୂଳ - କୁଞ୍ଜବୃକ୍ଷମାନଙ୍କୁ ।।’’ ଇତ୍ୟାଦି ....

 

ଅନୁବାଦରେ ଶ୍ରୀଗୀତଗୋବିନ୍ଦର ଶେଷ ଶ୍ଲୋକମାନଙ୍କର ଉଲ୍ଲେଖ ନାହିଁ । ଯେଉଁ ତିନିଖଣ୍ତି ଓଡ଼ିଆ ଗୀତାନୁବାଦ ପୁସ୍ତକ ମୋତେ ମିଳିଛି, ତାହାରି ସମ୍ବନ୍ଧେ ଏଠାରେ କୁହାଯାଉଅଛି । ଓଡ଼ିଶାର ପୁରପଲ୍ଲୀରେ କାହିଁ କେତେ ଏହିଭଳି ଗୀତାନୁବାଦ ଥିବ; ସମୟ ଆସିବ- ସେଗୁଡ଼ିକ ମଧ୍ୟ ଲୋକଦୃଷ୍ଟିରେ ପଡ଼ିବ । ଏ ଆଶା, ଏ ବିଶ୍ୱାସ ମୋର ରହିଛି ।

 

କେବେ ଆଉ କାହିଁକି ଏଭଳି ଅନୁବାଦ

 

ଅନେକ ଦିନ ତଳର କଥା । ୧୯୩୨-୩୩ ସାଲ । ଏବେ ସେ ଦିନର କଥା ମନେ ପଡ଼ିଲେ ଦୁନିଆଁଟା ଓଲଟି-ପାଲଟ ହେଲାଭଳି ଲାଗୁଚି । ଜାଣୁଛି, ଆଜି କାଳପାଇଁ ଏଭଳିଭାବରେ ଶ୍ରୀଗୀତଗୋବିନ୍ଦର ଅନୁବାଦ ହୁଏତ ଉଚିତ ନୁହେଁ । ସେ ବେଳ ଥିଲା ଦୋସରା, ସେ ଲୋକ ଥିଲେ ଦୋସରା, ସେ ଗରାଖ ଥିଲେ ଦୋସରା । ଏଥକୁ ଦୁଃଖ କରିବାର କିଛି ନାହିଁ । କାନ ଉଠିଲାକାଳୁ ତ ଶୁଣିଆସିଛି, ‘‘ବେଙ୍ଗ ବୋଲେ ବେଙ୍ଗୁଲି ଲୋ ! ପୃଥ୍ୱୀ କ୍ଷଣ କ୍ଷଣକେ ଆନ ।’’

 

ପରିବର୍ତ୍ତନଶୀଳ ଜଗତରେ ମଣିଷ ତା’ର ଧୀଶକ୍ତିର ପରିଚୟ ବାରମ୍ବାର ଦେଇଚାଲିଛି । କେଉଁଦିନ ଏକ ନିଶ୍ଚିତ ପନ୍ଥାରେ ଉପନୀତ ହେବ, ତାହା ଆଜହୁଁ କହିବା ସମ୍ବବ ନୁହେଁ । ତଥାପି ମଣିଷ ଆଶା ବାନ୍ଧେ ଏବଂ ସେଇ ଆଶା ରଖି ଆଉ ତା’ର ଭରସାରେ ଆଜି ୩୨ ବର୍ଷ ବାଦ୍‌ ଛପେଇ ରଖିଥିବା ଅନୁବାଦକୁ ଛପାଇବାକୁ ମନ ବଳିଲା ।

 

ଏଥର ଅନୁବାଦର ଜନ୍ମକଥା କହୁଛି :-

୧୯୩୨ରେ ମୋର ରାସଦଳ ଚାଲୁ ଅବସ୍ଥାରେ ଥାଏ । ମୁଁ ଗୀତଗୋବିନ୍ଦ ନାଟକ ଲେଖି ଏଇ କଟକ ସହରରେ ପାଲଟଙ୍ଗା, ପଞ୍ଚଲାଇଟ୍‌ଝୁଲା ବାଙ୍କାବଜାରସ୍ଥ ଅସ୍ଥାୟୀ ମଞ୍ଚରେ ଅଭିନୀତ କରାଇଲି । ସେଇ ବର୍ଷ ‘ଉତ୍କଳ ସାହିତ୍ୟ ସମାଜ’ ଦ୍ୱାରା ଶ୍ରେଷ୍ଠ ନାଟକ ମନୋନୟନରେ ‘ଗୀତଗୋବିନ୍ଦ’ ନାଟକ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେଲା ।

 

ମୁଁ ଗୀତଗୋବିନ୍ଦର ପହିଲି ଗୀତଟିର ଓଡ଼ିଆ ଅନୁବାଦ (ଲଳିତ ଲବଙ୍ଗଲତା) ଚୋଖିରରାଗ ଛାନ୍ଦବୃତ୍ତରେ ଲେଖି ସ୍ୱର୍ଗୀୟ ସୁନାମଧନ୍ୟ ସାହିତ୍ୟରଥୀ ଶଶିଭୂଷଣ ରାୟଙ୍କୁ ଦେଖାଇଲି । ସେ ଲେଖାକୁ ଖୁବ୍‌ ପ୍ରଶଂସା କରିବା ସଙ୍ଗେ ସଙ୍ଗେ କହିଲେ, ଏଭଳି ଅନୁବାଦ, ଛାନ୍ଦରେ ନ ହେଉ ପଛେ, ଓଡ଼ିଆରେ ତ ୰ କବି ଧରଣୀଧରଙ୍କ କାଳରୁ ଅଛି । ଯଦି ପାରିବ, ଗୀତଗୋବିନ୍ଦର ଅକ୍ଷର, ଛନ୍ଦ-ଏସବୁ ରୀତିକୁ ବଜାୟ ରଖି ଓଡ଼ିଆ ଅନୁବାଦ କର । ତେବେ ସିନା ପୁଅପଣିଆ ଦେଖାଯିବ ! ସେତିକି ।

 

ତା’ ପରେ.....

ମୋ ବଳକୁ ଚାହିଁ, ଅତି ଅସମ୍ଭବ ମନେ ହେଲେ ବି ଜୟଦେବଙ୍କୁ ମୁଣ୍ତିଆଟିଏ ମାରି ମୂଳଛନ୍ଦ, ବୃତ୍ତ, ରାଗ, ତାଳ ଅନୁସରଣରେ ଶ୍ରୀଗୀତଗୋବିନ୍ଦର ଅନୁବାଦ କରିବାକୁ ଚେଷ୍ଟା କଲି । ସେତେବେଳେ ଟ୍ରେନିଂ ସ୍କୁଲର ‘ଜିଜ୍ଞାସୁ’ ନାମକ ଏକ ସାମୟିକ ପତ୍ରିକା ବାହାରୁଥାଏ । ସେଥିରେ ମୂଳସ୍ୱର ଓ ଛନ୍ଦାନୁସାରୀ (‘ଲଳିତ ଲବଙ୍ଗଲତା’ ଗୀତଟିର ଅନୁବାଦ) ଛପା ହେଲା । ପରଖୁଥିଲି, ତହିଁକି ଗ୍ରାହକ ଅଛନ୍ତି କି ନାହିଁ । କେତେକ ସୁଧୀ ସଜ୍ଜନ ତୁଣ୍ତରେ, ଚିଠିରେ ମୋତେ ଖୁବ୍‌ ଉତ୍ସାହ ଦେଲେ । ସେଇଠୁ ବଳ ପାଇ ଅନୁବାଦ ଲେଖା ଆରମ୍ଭ କରିବସିଲି । ସଂଗୀତ ଓ ସାହିତ୍ୟର ସହଯୋଗ ଶ୍ରୀଗୀତଗୋବିନ୍ଦ ଅନୁବାଦପାଇଁ ଏକାନ୍ତ ଲୋଡ଼ା ।

 

ସେ ଯାହା ହେଉ, ଏ ଅନୁବାଦପାଇଁ ମୂଳ ପ୍ରେରଣା ଦେଇଛନ୍ତି ମୋର ମଙ୍ଗଳାକାଂକ୍ଷୀ ସ୍ୱର୍ଗତ ରାୟ ମହାଶୟ । ଛପା ବହିଖଣ୍ତିଏ ତାଙ୍କ ହାତରେ ଟେକିଦେଇପାରିଲି ନାହିଁ - ଏଡ଼ିକି ହତଭାଗ୍ୟ ମୁଁ ! ଏ ଦୁଃଖ ଜନ୍ମଭରି ରହିଗଲା ।

 

କେବେ ଆଉ କେଉଁଠି ସାରିଲି :-

ସେତେବେଳକୁ ମୋର ପୂଜ୍ୟପାଦ ଲକ୍ଷ୍ମୀଭାଇ (କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର) ଜୀଇଥାଆନ୍ତି । ରାସଦଳ ଭଦ୍ରକ ଯାଇଥାଏ । ତାଙ୍କ କୋଠାକଡ଼ର ଆମ୍ବତୋଟାଭିତରେ ସେତେବେଳେ ଥାଏ ଗୋଟିଏ ଚାଳଘର । ସେଇଠି ରହୁଥିଲେ ଦଳ । ଗୋଶାଳାରେ ବନ୍ଧାହୋଇଥାଏ ଅସ୍ଥାୟୀ ରଙ୍ଗମଞ୍ଚ । ଭଦ୍ରକର ସୁପରିଚିତ ଫାରୁମିଆଁ (ହାକିମ୍‌ମହମ୍ମଦ ଫାରୁକ୍‌), ଲକ୍ଷ୍ମୀଭାଇ ଓ ମୁଁ ଏକାଠି ବସୁଁ । ଶ୍ରୀଗୀତଗୋବିନ୍ଦର ଅନୁବାଦ ପଢ଼ାହୁଏ ଲକ୍ଷ୍ମୀଭାଇଙ୍କ ଦୋତାଲା ଉପର ବୈଠକ ମେଲାରେ । ଲକ୍ଷ୍ମୀଭାଇଙ୍କପରି ରସଗ୍ରାହକ ତ ଆଉ ମିଳିବେ ନାହିଁ । ସେ ହସ, ସେ ଆନନ୍ଦ, ସେ ଆଦର -ସବୁ ତାଙ୍କର ଅଙ୍ଗିଲା । ଫାରୁମିଆଁ ଯେତିକି ବୁଝନ୍ତି, ସେତିକିରେ ସେ ମୁଗଧ । ଏଇଭଳିଭାବରେ ଲକ୍ଷ୍ମୀଭାଇଙ୍କ ନିତି ତାଡ଼ନାରେ ଶ୍ରୀଗୀତଗୋବିନ୍ଦର ଅନୁବାଦ ଆଗେଇଲା । ଭଦ୍ରକରେ ଥିବାବେଳେ ମଝିରେ ଥରେ ସୁକିନ୍ଦା ରଜାଙ୍କ ଡାକରାରେ ଦଳ ସେଠାକୁ ଗଲା । ସେଠି ମ୍ୟାନଜର ଥାଆନ୍ତି ସାହିତ୍ୟରସିକ ସ୍ୱର୍ଗୀୟ ନୀଳମଣି ଚାନ୍ଦଦେ । ସେ ଅନୁବାଦ ଶୁଣି ଆନନ୍ଦରେ ନାଚିଉଠିଲେ । ସୁକିନ୍ଦାର ତଦାନୀନ୍ତନ ବୁଢ଼ାରଜା ମଧ୍ୟ ଜଣେ ଚିହ୍ନରା ଗ୍ରାହକ ଥିଲେ ।

 

ପୁଣି ଭଦ୍ରକ ବାହୁଡ଼ିଲି । ସେଠାରୁ କିଛି ଦିନପରେ ଯାଜପୁର ରୋଡ଼କୁ ଗଲି । ଯାଜପୁର ରୋଡ଼୍‌ ଷ୍ଟେସନ୍‌ ପାଖରେ ମୋର ପ୍ରିୟତମ ବାଲ୍ୟବନ୍ଧୁ ପାଠସାଥୀ ଶ୍ରୀ ଚକ୍ରଧର ମିଶ୍ରଙ୍କର ସେତେବେଳେ ଖଣ୍ତିଏ ଛୋଟ ଘର ଥାଏ । ଏଇଟା ତାଙ୍କର ଲରୀ ଅଫିସ୍‌ । ତାଙ୍କ ବସ୍‌ କେନ୍ଦୁଝରଯାଏ ଚାଲୁଥାଏ । ସେଇଠି ରହି ଯାଜପୁର ରୋଡ଼୍‌ ରେଳଷ୍ଟେସନ୍‌ ଆରପଟେ ନାନା ଅସୁବିଧା ଭିତରେ ମଞ୍ଚବାନ୍ଧି ଅଭିନୟ ଦେଖାହେଉଥାଏ । ଏଇଠି ଶ୍ରୀଗୀତଗୋବିନ୍ଦର ଅନୁବାଦ ଶେଷ ହେଲା ଏକମାଟିଆ ହୋଇ ।

 

ମାତ୍ର ଲକ୍ଷ୍ମୀଭାଇ ଆଜି ନାହାନ୍ତି । କିଏ ଆଉ ଦରହସା ମୁହଁରେ କଲ୍ୟାଣ ଅଜାଡ଼ି ତାଙ୍କ ଆଦରର ଶ୍ରୀଗୀତଗୋବିନ୍ଦ-ଅନୁବାଦ ଛପାହୋଇଥିବା ଦେଖି ଆଶୀର୍ବାଦ ଦେବ ମୋତେ ?

ହୀନକପାଳିଆଟାଏ ତ ମୁଁ ।

 

Unknown

ମୁଖବନ୍ଧଲେଖା -

 

ମୋ ପିତାଙ୍କ ସଂଗାତ ଭାଷାପ୍ରାଣନଦାତା ସ୍ୱର୍ଗୀୟ ଗୋପାଳଚନ୍ଦ୍ର ପ୍ରହରାଜଙ୍କୁ ଅନୁବାଦର ପାଣ୍ତୁଲିପିଟି ଦେଲି ସଂଶୋଧନ ସମାର୍ଜନ ଲାଗି । ସେ ଖୁସିତ ହେଲେ - ତା’ ଛଡ଼ା ମୁଁ ଅନୁରୋଧ କରିବା ଆଗରୁ ମୁଖବନ୍ଧଟିଏ ଲେଖିଦେଲେ । ବିଚ୍ଛନ୍ଦ ମଉସା (ସ୍ୱର୍ଗୀୟ ବିଚ୍ଛନ୍ଦଚରଣ ପଟ୍ଟନାୟକ) ପ୍ରହରାଜଙ୍କ ଲେଖା ଉତ୍ତାରି ମୋ ପାଣ୍ତୁଲିପିରେ ସନ୍ନିବେଶ କଲେ । ଦୁହେଁ ସ୍ୱର୍ଗରେ । ଇଚ୍ଛା ହେଉଥିଲା, ବିଚ୍ଛନ୍ଦ ମଉସାଙ୍କ ହାତଲେଖା ଓ ପ୍ରହରାଜ ମଉସାଙ୍କ ସ୍ୱାକ୍ଷର ଥିବା ସେ ମୁଖବନ୍ଧର ଫଟୋ ନେଇ ବ୍ଳକ୍‌ଟିଏ ଏ ବହିରେ ଦେଇଥାନ୍ତି ।

 

ଦୁଇ ମଉସାଯାକ ଆଜି ନାହାନ୍ତି ଅଥଚ ଶ୍ରୀଗୀତଗୋବିନ୍ଦର ଅନୁବାଦ ବହି ବାହାରୁଛି । ସେ କଥା ମନେ ପଡ଼ିଲେ ତୁଣ୍ତରୁ ଛାଏଁ ଛାଏଁ ଅଜଣାରେ ବାହାରିପଡ଼ୁଛି, ଧିକ୍‌ମୋତେ !

 

ପାରୁପର୍ଯ୍ୟନ୍ତ ଚେଷ୍ଟା କରି ଛନ୍ଦ ଓ ଅର୍ଥକୁ ପ୍ରାୟ ବଜାୟ ରଖି ଏବଂ ମୂଳ ଗୀତର ସ୍ୱର ତାଳରେ ଗାଇବାକୁ ଅସଜ ନ ହେବାଭଳି ଶବ୍ଦ ଖଞ୍ଜି ଅନୁବାଦଟି ସାରିଛି ।

 

ଜାଣେଁ, ସବୁ ଜିନିଷକୁ ସଭିଏଁ ପସନ୍ଦ କରିବେ ନାହିଁ । ତେଣୁ ମୁଁ ଏ ଅନୁବାଦ ପସନ୍ଦିଆ ହେବ ବୋଲି ମୋଟେ ଆଶା କରୁ ନାହିଁ । ଯେଉଁ କେଇ ଜଣ ଆଜି ଏ ଅନୁବାଦ ଛପାହେବାର ଦେଖିଲେ ଖୁସି ହୁଅନ୍ତେ, ସେମାନେ ତ ନାହାନ୍ତି ।

 

ଏମିତି ଅନୁବାଦ ଆଉ କେଉଁ ଭାଷାରେ କିଏ କରିଥିବା ନକରିଥିବା ମୋତେ ଅଜଣା । ମୁଁ କରିଛି ମୋ ତୃପ୍ତିପାଇଁ, ମୋ ଆନନ୍ଦପାଇଁ ସେଇ ମୋ ସାଧନାର ମୂଲ । ବେଶୀ ନ ହେଉ ପଛେ ଜଣେ କେହି ମୋ ଶ୍ରମ ବାରିଲେ, ସେହି ଜଣକର ସ୍ନେହାଶିଷ ହିଁ ମୋ ଜୀବନର ହେବ ହୀରା-ମୋତି-ମାଣିକ ।

 

ଅନୁବାଦସମ୍ବନ୍ଧେ :-

 

କେବଳ ପଦର ଅର୍ଥ ବୁଝି ସ୍ୱାଧୀନଭାବେ ପଦ୍ୟ, ଛାନ୍ଦ ବା ସଂଗୀତ ଆକାରରେ ଶ୍ରୀଗୀତଗୋବିନ୍ଦର ଟୀକା କରିବା ବଡ଼ କଠିନ ବୋଲି ମୁଁ ବିଚାରିପାରୁ ନାହିଁ; କିନ୍ତୁ ଅକ୍ଷରଗଣି, ଗୁରୁଲଘୁ ବର୍ଣ୍ଣ ବାରି, ଛନ୍ଦ ଅନୁସାରେ ଅନୁବାଦର ଚେଷ୍ଟା ମୋର ଧୃଷ୍ଟତା ଛଡ଼ା ଆଉ କିଛି ନୁହେଁ । ଏସମ୍ବନ୍ଧେ ମୋ ଧାରଣା ଗୋଟି ଗୋଟି କରି କହୁଛି :-

 

ସଂଗୀତ ଦିଗରୁ ବିଚାରିବାକୁ ଗଲେ ଶ୍ରୀଗୀତଗୋବିନ୍ଦର ସଙ୍ଗୀତାଂଶ ଗୁଡ଼ିକର ଲାଳିତ୍ୟ, ମାଧୁର୍ଯ୍ୟ ଓ ସାବଲୀଳତା ରକ୍ଷାସହ ଅନୁବାଦ ଏକାବେଳକେ ଅସମ୍ଭବ । ମୁଁ ଅନୁବାଦ କଲି ସିନା, ହେଲେ ମୋର ବିଶ୍ୱାସ ଯେ ଏହା ଏକ ଦୁଃସାହସ । ଏପରି ଅନୁବାଦ ବାଢ଼ିବସିବାଦ୍ୱାରା ମୁଁ କବିରାଜ ଜୟଦେବଙ୍କ ସଙ୍ଗୀତଗୁଡ଼ିକର ଉଚିତ ମହତ୍ତ୍ୱ, ମର୍ଯ୍ୟାଦା ବା ସମ୍ମାନ ରକ୍ଷା କରିପାରି ନାହିଁ । ନବାତପଣା କି ଅମୃତ ହୋଇପାରେ ? ଏସବୁ ମୁଁ ଜାଣୁଛି, ବୁଝୁଛି, ତଥାପି ଲୋଭ ଓ ମାୟା ତୁଟାଇପାରିଲି ନାହିଁ ।

 

ଶ୍ରୀଗୀତଗୋବିନ୍ଦ ଅଗଣିତ ଜନକଣ୍ଠରେ ନାନା ଭାବରେ, ନାନା ସ୍ଥଳରେ ଓ ନାନା କାଳରେ ଗୀତ ହୁଏ । ସମସ୍ତେ କିନ୍ତୁ ଯେ ଗୀତାର୍ଥ ବୁଝନ୍ତି, ଏ କଥା କଦାପି ନୁହେଁ । ରଚନାର ପଦଲାଳିତ୍ୟ, ଛନ୍ଦ ଓ ସ୍ୱର ସାଧାରଣ ମନକୁ ଟାଣିନିଏ - ତେଣୁ ଲୋକେ ଶ୍ରୀଗୀତଗୋବିନ୍ଦ ଗାଆନ୍ତି । ବାସ୍ତବରେ ସ୍ୱରର ମାଧୁରୀ ହିଁ ସବୁ କ୍ଷେତ୍ରରେ ମନୁଷ୍ୟର ମନ ପ୍ରଥମେ ରଞ୍ଜାଇଦିଏ; ତା’ପରେ ଲଲିତ, ତରଳ ପଦ-ଯୋଜନା ମଜ୍ଜାଇରଖେ । ଆହୁରି କଥାର ରସ ଯେ ଚାଖିବାକୁ ସମର୍ଥ ହୁଅନ୍ତି, ସେ ନିଶାବିଭୋର ହୋଇପଡ଼ନ୍ତି । କଥାରେ ଅଛି, ‘ସୁନା ଚମ୍ପାରେ ମହକ ’ ; ଶ୍ରୀଗୀତଗୋବିନ୍ଦ ପ୍ରତି ଠିକ୍‌ ଏହି ବଚନ ପ୍ରବର୍ତ୍ତେ ।

 

ଶ୍ରୀଗୀତଗୋବିନ୍ଦକାର ଏକାଧାରରେ କବି - ସଙ୍ଗୀତଜ୍ଞ । ରସାନୁସାରୀ ସ୍ୱରସଂଯୋଗ, ପୁଣି ତାକୁ ଚାହିଁ ପଦ-ଯୋଜନାରେ ଯେ ସମର୍ଥ ନୁହନ୍ତି, ତାଙ୍କୁ କବି, ସଙ୍ଗୀତଜ୍ଞ ବୋଲାଯାଇ ନ ପାରେ । ସ୍ୱର ବୋଧ ନ ଥିଲେ ଗୀତ ରଚନା ଅସମ୍ଭବ । କେବଳ କୌଣସି ଗୋଟିଏ ଗୀତର ସ୍ୱରରେ ମୁଗଧ୍‌ ହୋଇ, ଗୀତାକ୍ଷର ଗଣିଦେଇ ପଦଯୋଡ଼ି ଗୀତ ରଚନା କରିବା - ପ୍ରହସନ ମାତ୍ର । ବିଚାର କରିବାକୁ ହେବ ଗୀତକଥାର ଅର୍ଥ, ଭାବ ପୁଣି ତତ୍ତତ୍‌ ଭାବର ବିକାଶଲାଗି କିଭଳି ସ୍ୱରର ସାହାଯ୍ୟ ଲୋଡ଼ା, ଆଉ ଏସବୁକୁ ଚାହିଁ କି ପ୍ରକାର ଶବ୍ଦ ବା ପଦ ଖଞ୍ଜିବା ପ୍ରଯୋଜନ । ଏଇ ଦୃଷ୍ଟିରୁ ଶ୍ରୀଗୀତଗୋବିନ୍ଦର ଭାଷା, ଭାବ ଓ ସ୍ୱର ସମ୍ବନ୍ଧେ ଅନୁଧାନ କଲେ ଜୟଦେବଙ୍କ କଳା - କୃତି କଳନା କରିହୁଏ ନାହିଁ ।

 

ଭାରତୀୟ ସଙ୍ଗୀତକଳାର ରାଗ - ତାଳ- ଭାଷାସମନ୍ୱିତ ଅର୍ଥାତ୍‌ ‘ଧାତୁମାତୁସମାଯୁକ୍ତ’ ପ୍ରଥମ ସଙ୍ଗୀତର ଝଙ୍କାର ପ୍ରଥମେ ଶୁଣିଛି ଓ ଶୁଣାଇଛି ଏଇ ପୃଣ୍ୟଭୂମି କଳାମଞ୍ଜୁଳ ଉତ୍କଳଖଣ୍ତର ଜଗନ୍ନାଥ ପୁରୀ ।

 

ମୁଁ ବାରବାର ସ୍ୱୀକାର କରୁଛି ଯେ ଶ୍ରୀଗୀତଗୋବିନ୍ଦର ସମଛନ୍ଦୀ, ସମସ୍ୱରୀ ଅନୁବାଦର ଅପଚେଷ୍ଟା ଏକାନ୍ତ ହାସ୍ୟାସ୍ପଦ ବ୍ୟାପାର । ରଚନାର ଅର୍ଥଗୌରବ, ଯମକ, ଅନୁପ୍ରାସର ବୈଶିଷ୍ଟ୍ୟ ଇତ୍ୟାଦିର ସଂରକ୍ଷଣ ମୋ ପକ୍ଷେ ଆଦୌ ସମ୍ଭବପର ନୁହେଁ । ଏହା ମଧ୍ୟ ମୁଁ ପୂର୍ଣ୍ଣପ୍ରାଣରେ ଅନଭବ କରୁଛି । ଓଡ଼ିଆଭାଷା ସଂସ୍କୃତଭାଷାର ନିକଟତମ ପ୍ରକାଶ । ଇଏ ଦୃଷ୍ଟିରୁ ମୋର ସମସ୍ତ ଅଶିଷ୍ଟତା ସ୍ୱୀକାର ସତ୍ତ୍ୱେ ଏଭଳି ଅନୁବାଦର ପ୍ରୟାସରେ କବିରାଜଙ୍କ ପଦାଙ୍କ ଅନୁସରଣ କରି ତାଙ୍କର ଉଚ୍ଛିଷ୍ଟ ଭୋଜନରେ ମୁଁ ସନ୍ତୋଷ ଲାଭ କରୁଛି । ମୁଁ ଜାଣେ, ସବୁରିପାଇଁ ସବୁ ଜିନିସ ସମାନ ମୂଲ୍ୟ କଦାପି ଦେଇପାରେ ନାହିଁ ; ଆଖି, ରୁଚି, ମନ - ଏ ତ ନିଶ୍ଚୟ ଅଲଗା ଅଲଗା ହେବ ।

 

ଏହିପରି ଅନୁବାଦ କରିବାକୁ ଯାଇ ସ୍ଥଳବିଶେଷରେ ଟିକିଏ କଠିନ ଭାଷା ବା ଶବ୍ଦ ବ୍ୟବାହାର ଅନିବାର୍ଯ୍ୟ ବୋଲି ବୋଧ ; ହୁଏ ସୁଧିବର୍ଗ ସଦୟ ସ୍ୱୀକୃତି ଦେବେ - ଏ ଆଶା ରଖିବା ସ୍ୱାଭାବିକ ।

 

ଭାବର ଶ୍ଲୀଳତା ବା ଅଶ୍ଲୀଳତା ଅନେକ ସମୟରେ ରଚନାର ପ୍ରକାଶଭଙ୍ଗୀ ଓ ପଦ-ନିର୍ବାଚନ ଉପରେ ନିର୍ଭର କରେ । ଶ୍ରୀଗୀତଗୋବିନ୍ଦର ବହୁ ଶୃଙ୍ଗାରରସାତ୍ମକ ଶ୍ଳୋକ ତଥା ଗୀତ ପୂର୍ବୋକ୍ତ କାରଣରୁ ସୁଖପାଠ୍ୟ ଏବଂ ସର୍ବଜନାଦୃତ ହୋଇପାରିଛି । ଚଳନ୍ତି ଭାଷାରେ ଏଗୁଡ଼ିକର ଅନୁବାଦ ସ୍ପୃହଣୀୟ ନୁହେଁ । ଶବ୍ଦାଡ଼ମ୍ବର ଆବରଣୀତଳେ ସ୍ଥଳବିଶେଷରେ ଶୃଙ୍ଗାରରସାଶ୍ରୟୀ ରଚନା ନଗ୍ନତା ପ୍ରକାଶରୁ ରକ୍ଷା ପାଇଥିବାର ପ୍ରମାଣ ଶ୍ରୀଗୀତଗୋବିନ୍ଦରେ ଅଭାବ ନାହିଁ ।

 

ଶ୍ରୀଗୀତଗୋବିନ୍ଦରେ ବ୍ୟବହୃତ (୧) ଶାର୍ଦ୍ଦୂଳ ବିକ୍ରୀଡ଼ିତ, (୨) ଶିଖରିଣୀ, (୩) ଶ୍ରଗ୍‌ଧରା, (୪) ପୁଷ୍ପିତାଗ୍ରା, (୫) ମନ୍ଦାକ୍ରାନ୍ତା, (୬) ଉପେନ୍ଦବଜ୍ରା ଓ (୭) ହରିଣୀ ପ୍ରଭୃତି ଛନ୍ଦ ଏବଂ ଜାତିବୃତ୍ତଗୁଡ଼ିକ ଆଦି (ଶୃଙ୍ଗାର), ଭକ୍ତି ଓ ଶାନ୍ତି ଇତ୍ୟାଦି ବିଭିନ୍ନ ରସର ପରିପ୍ରକାଶକ । ଆହୁରି ମଧ୍ୟ କେତୋଟଇ ଛନ୍ଦ ରଚନୀ ପିଙ୍ଗଳ - ପ୍ରାକୃତ ଛନ୍ଦ ଶାସ୍ତ୍ରପ୍ରଦର୍ଶିତ ନିୟମାନୁସାରୀ ।

 

ଓଡ଼ିଆ ଭାଷାରେ ସଂସ୍କୃତ ବୃତ୍ତାନୁସାରୀ ରଚନା ଅତି ଅଳ୍ପ ଦୃଷ୍ଟ ହେଲେ ମଧ୍ୟ ପୂର୍ବରୁ ଏପରି ରଚନା ଥିବାର ଦେଖାଯାଏ । ଶ୍ଲୋକାନୁବାଦରେ ମୋର ପଦ-ଯୋଜନା ସେଗୁଡ଼ିକ ସହିତ ତୁଳନାତ୍ମକଭାବେ ସୁଧିଜନବିଚାର୍ଯ୍ୟ ।

 

ଶ୍ରୀଗୀତଗୋବିନ୍ଦା ଗୀତଗୁଡ଼ିକ ରାଗ-ତାଳନିୟନ୍ତ୍ରିତ ହେଲେ ମଧ୍ୟ ସେଥିରେ ବିଶେଷ ଛନ୍ଦ-ରକ୍ଷାବିଧି ସ୍ପଷ୍ଟ । ମୁଁ ତହିଁର ଅନୁସରଣ ଚେଷ୍ଟା ସାଧ୍ୟମତ କରିଅଛି । ମୂଳ ଗୀତରେ ସ୍ଥଳବିଶେଷରେ ପଦାକ୍ଷର ସଂଖ୍ୟାଗଣନାପ୍ରତି ନିଷ୍ଠାପର ଦୃଷ୍ଟି ନ ଦେଇ ମାତ୍ରା-ସଂଖ୍ୟା-ଗଣନାଦ୍ୱାରା ରଚନା - ସୌନ୍ଦର୍ଯ୍ୟ ତଥା ଗାୟନ ଲାଳିତ୍ୟର ମାଧୁର୍ଯ୍ୟ ବୁଦ୍ଧି ଘଟିଅଛି ।

 

ସଙ୍ଗୀତ ସ୍ୱର-ତାଳ ଅନୁଶାସିତ । ଏହା ଅକ୍ଷର-ସଂଖ୍ୟାଗଣନାକୁ ଅପେକ୍ଷା କରେ ନାହିଁ । ସଙ୍ଗୀତ ଗାୟନପାଇଁ ଉଦ୍ଦିଷ୍ଟ-ପଠନ ବା ଆବୃତ୍ତିଲାଗି ନୁହେଁ । ଗାୟନରେ ଲୟ ଓ ତାଳର ସମତ୍ତ୍ୱରକ୍ଷା ଆବଶ୍ୟକ । ଏଣୁ ମାତ୍ରା ହିଁ ମୁଖ୍ୟ ବିଚାର । ଶ୍ରୀଗୀତଗୋବିନ୍ଦରେ ଏହି ସିଦ୍ଧାନ୍ତ ସଂରକ୍ଷିତ । ତେଣୁ ସବୁ ସ୍ଥଳରେ ଦୁଇଟି ପଂକ୍ତିର ଅକ୍ଷର-ସଂଖ୍ୟାଗଣନାରେ ସମାନ ନୋହିବା ସ୍ୱାଭାବିକ । ତାଳାନୁକ୍ରମିକ ମାତ୍ରାର ସ୍ଥିରତା ଘେନି ବହୁ ସ୍ଥଳରେ ଶ୍ରୀଗୀତଗୋବିନ୍ଦର ସଙ୍ଗୀତଗୁଡ଼ିକ ରଚିତ ହୋଇଅଛି । ସେଥିମଧ୍ୟରୁ ପୁସ୍ତକର କଳେବର ବୃଦ୍ଧି ଆଶଙ୍କାରୁ ନିମ୍ନରେ ମାତ୍ର ଗୋଟିଏ ଉଦାହରଣ ଦିଆଯାଇପାରେ :-

 

ଶ୍ରୀଗୀତଗୋବିନ୍ଦର ୪ର୍ଥ ସର୍ଗ । ଗୀତର ରାଗ- କର୍ଣ୍ଣାଟ, ତାଳ -ଏକତାଳୀ ।

ଗୀତଟିର ପ୍ରଥମ ଧାଡ଼ିର ପାଠ ହେଲା :-

‘‘ନିନ୍ଦତି ଚନ୍ଦନମିନ୍ଦୁ-କିାରଣମନୁବିନ୍ଦତି ଖେଦମଧୀରମ୍‌’’

ଏହାର ଅକ୍ଷର ସଂଖ୍ୟା - ୨୧ ।

ତାଳ ମାତ୍ରାନୁସାରେ ବିଭାଗ ଏହିପରି:-

 

। । । ।            । । । ।       । । । ।      । । । ।             । । । ।             । । । ।

ନି-ନ୍ଦ ତି ।      ଚ-ନ୍ଦନ ।      ମି-ନ୍ଦୁ କି । ର ଣ ମ ନୁ । ବି-ନ୍ଦ ତି       । ଖେ-ଦ ମ

। । । ।

ଧୀ-ର ମ୍‌      

 

ଏକତାଳୀ ତାଳରେ ପ୍ରତି-ତାଳ ବିଭାଗର ମାତ୍ରାସଂଖ୍ୟା ଚାରିଗୋଟି । ତେଣୁ ଗୀତ ରଚନାରେ ଲଘୁ ଗୁରୁ ବର୍ଣ୍ଣ କ୍ଷର ବିଚାର ଧରାଯାଇ ମାତ୍ରା ସ୍ଥିର ରଖାଯାଇଅଛି । ଏପରି ସ୍ଥଳେ ଏହି ଧାଡ଼ିଟିର ଅକ୍ଷରସଂଖ୍ୟା ୨୧ ; କିନ୍ତୁ ମାତ୍ରାସଂଖ୍ୟା ୨୮ ।

 

ଦ୍ୱିତୀୟ ଧାଡ଼ିରେ ଅକ୍ଷରସଂଖ୍ୟା ୨୪ । ଏହାର ମାତ୍ରା କିନ୍ତୁ ସଂଖ୍ୟାରେ ୨୮ । ଅଥଏବ ଦୁଇ ପାଦର ମାତ୍ରାସଂଖ୍ୟା ସମାନ; ଯଥା :-

। । । ।       । । । । । । । । । । ।  । । । । ।      

ବ୍ୟା-ଳ ନି ଳ ୟ ମି ଳ   ନେ ନ ଗ ର ଳ ମି ବ କ ଳ ୟ ତି

 

। । । । । । । ।         । । । ।

କ ଳ ୟ ତି ମ ଳ ୟ ସ ମୀ-ର ମ୍‌

 

ଅନୁବାଦରେ ଏହିପରି ନିୟମ ଅନୁସରଣ କରାଯାଇଅଛି । ଗୁରୁଲଘୁ ଅକ୍ଷରକ୍ରମ ରକ୍ଷା କରି ସଙ୍ଗୀତ ଗାୟନ ହିଁ ସୁନ୍ଦର, ଲଳିତ ଏବଂ କର୍ଣ୍ଣପ୍ରୀତିକର । ଏହା ଯେ କେହି ରସିକ-ଶ୍ରୋତା ସହଜରେ ଅନୁଭବ କରିପାରିବେ ।

 

ଉତ୍କଳୀୟ ସଙ୍ଗୀତଶାସ୍ତ୍ରମାନେ ଭାଷାଗୀତରେ ହ୍ରସବର୍ଣ୍ଣ ଦୀର୍ଘ ବା ଦୀର୍ଘବର୍ଣ୍ଣ ହ୍ରସ ହୋଇପାରେ ବୋଲି ନିର୍ଦ୍ଦେଶ ଦେଇସାରି ଏହା କିନ୍ତୁ ଉତ୍କୃଷ୍ଟ ଶ୍ରେଣୀୟ ସଙ୍ଗୀତ ନୁହେଁ ବୋଲି ମଧ୍ୟ ଲେଖିଯାଇଛନ୍ତି । (ସଙ୍ଗୀତଗ୍ରନ୍ଥ ଗୀତପ୍ରକାଶ, ନାଟ୍ୟ ମନୋରମା ଓ ସଂ. ନାରାୟଣ ଇତ୍ୟାଦି ଦ୍ରଷ୍ଟବ୍ୟ ।)

 

ଆଦି ସଙ୍ଗୀତକାର କବିରାଜ ଜୟଦେବ ତଦାନୀନ୍ତନ ଉତ୍କଳରେ ବହୁଳ ପ୍ରଚଳିତ ସରଳ ସଂସ୍କୃତ ଭାଷାର ଗୀତ ଗୁରୁ-ଲଘୁ ବର୍ଣ୍ଣ-ବିଚାରବିଧିରେ ରଚନା କରିଯାଇଛନ୍ତି । ପରବର୍ତ୍ତୀ କବିଙ୍କର ଭାଷା (ପ୍ରାକୃତ-ଓଡ଼ିଆ) ଗୀତରଚନାରେ ଏହି ବର୍ଣ୍ଣର ହ୍ରସ୍ୱ-ଦୀର୍ଘ ଉଚ୍ଚାରଣପ୍ରତି ସବିଶେଷ ଦୃଷ୍ଟି ଅନେକ ସ୍ଥଳରେ ଅବଶ୍ୟ ଦିଆଯାଇ ନାହିଁ ।

 

ଯମକ -ଅନୁପ୍ରାସମ୍ବନ୍ଧେ ଉତ୍କଳୀୟ ଭାଷା-କବିମାନେ ଜୟଦେବଙ୍କ ଅନୁସରଣ ବା ଅନୁକରଣରେ ଯେପରି ଛାନ୍ଦ, ଚୌପଦୀମାନ ରଚନାରେ ଧୁରନ୍ଧର, ଭାରତୀୟ ଅନ୍ୟ କୌଣସି ଭାଷା-କବି ସେପରି ନିଷ୍ଠା ରଖିପାରିଥିବାର ପ୍ରମାଣ ଦୁର୍ଲ୍ଲଭ । ଜୟଦେବଙ୍କୁ ତଥାକଥିତ ପ୍ରଚାରବଳରେ ବଙ୍ଗପ୍ରଦେଶର କବି ବୋଲି ଉଚ୍ଚକଣ୍ଠରେ ଯେଉଁ ଦାବୀ ଉପସ୍ଥାପିତ କରାଯାଉଅଛି, ସେ ଅଞ୍ଚଳର ଗୀତକବିମାନଙ୍କ ରଚନାପ୍ରତି ସେହି ଦାବୀଦାର୍‌ମାନେ ଏହି ବିଚାରରେ ଦିବ୍ୟଦୃଷ୍ଟି ଦେବାପାଇଁ ମୁଁ ଆହ୍ୱାନ ଦେଉଛି । ସେମାନଙ୍କ ରଚନାରେ ଜୟଦେବଙ୍କଦ୍ୱାରା ବ୍ୟବହୃତ ରାଗ, ତାଳ, ଯମକ, ଅଳଙ୍କାର ବା ଅନୁପ୍ରାସଲାଳିତ୍ୟ କୁତ୍ରାପି ଦୃଷ୍ଟିଗୋଚର ହେଉଥିବାର ପ୍ରମାଣ ଅଛି ବୋଲି ମୋର ମନେ ହୁଏ ନାହିଁ । ଓଡ଼ିଆ ପୁଅ ଭାରତୀୟ ବିଭିନ୍ନ ଭାଷା ପଠନ ଓ କଥନରେ ଯେପରି ସମର୍ଥ, ଯଦି ଦାବୀଦାରମାନଙ୍କର ସେ କୃତିତ୍ୱ ଥାଆନ୍ତା, ତେବେ ଓଡ଼ିଶୀ ଛାନ୍ଦ, ଚୌପଦୀ ରଚନା ଶୈଳୀର ଛତ୍ରେଛତ୍ରେ କିପରି ଏ ଜାତି ତା’ ଘରର କବି ଜୟଦେବଙ୍କ ପଦାଙ୍କ ନିଷ୍ଠାପରଭାବେ ଅନୁସରଣ କରିଛି, ତାହା ଅତି ସହଜରେ ବୁଝି ନିଜର ଅଯଥା ଦାବି ଉପସ୍ଥାପନାରେ ସଙ୍କୋଚ ବୋଧ କରନ୍ତେ ବୋଲି ମୋର ଧ୍ରୁବ ଧାରଣା ।

 

ଅନୁବାଦ ସମ୍ବନ୍ଧରେ କହିବାକୁ ଯାଇ ଏ ସ୍ଥଳରେ ହୁଏତ ରଚନାର ବିଶେଷତ୍ୱ ପ୍ରମାଣ ଉପସ୍ଥାପିତ କରିବାକୁ ଯିବା ସମୀଚୀନ ନୁହେଁ । ତଥାପି ବିଷୟ-ପ୍ରସଙ୍ଗରେ ଏହା ଉଲ୍ଲେଖ କରାଗଲା । ଆହୁରି ମଧ୍ୟ ଜୟଦେବଙ୍କୁ ଉତ୍କଳୀୟ କବି ନୁହନ୍ତି ବୋଲି ବାଗ୍‌ବିତଣ୍ତାପଟୁ ମହୋଦୟମାନଙ୍କୁ ମୁଁ ଏ ସ୍ଥଳରେ ଗୋଟିଏ ଅନୁରୋଧ କରିବାକୁ ଯାଉଛି ।

 

ଗ୍ରନ୍ଥଟିର ନାମ ଶ୍ରୀଗୀତଗୋବିନ୍ଦ । ତେଣୁ ଏହି ମହାକାବ୍ୟରେ ‘ଗୀତ’ଶବ୍ଦର ବ୍ୟବହାରପ୍ରତି ସମ୍ୟକ୍‌ ଦୃଷ୍ଟିଦାନ ସମୁଚିତ । ‘ଗୀତ’ - ସମ୍ବନ୍ଧେ ବିଚାର କରିବାକୁ ଗଲେ ରାଗତାଳର ପ୍ରଶ୍ନ ସ୍ୱତଃ ଉଠିଥାଏ । ଏ ସ୍ଥଳରେ ମୋର ପ୍ରଶ୍ନ ହେଲା - ଜୟଦେବ କବିଙ୍କ ବ୍ୟବହୃତ କେତେଗୁଡ଼ିଏ ସ୍ୱତନ୍ତ୍ର ରାଗ; ଯଥା- ବରାଡ଼ୀ, କର୍ଣ୍ଣାଟ, ଗୁଜ୍ଜରୀ ଓ ମାଳବ ପ୍ରଭୃତିରେ କୌଣସି ଗୀତ ରଚନା ଦାବୀଦାର୍‌ମାନଙ୍କ ଭାଷା - ଗୀତମଧ୍ୟରେ ଦୃଷ୍ଟ ହୁଏ କି ? ପୁଣି ସେମାନେ ଅବଶ୍ୟ ବିଭିନ୍ନ ଭାଷାରେ ପ୍ରକାଶିତ ଶ୍ରୀଗୀତଗୋବିନ୍ଦ ଗ୍ରନ୍ଥ ଦେଖିଥିବେ ଅବା ପଢ଼ିଥିବେ । ମୁଁ ଶ୍ରୀଗୀତଗୋବିନ୍ଦର ଦଶମ ସର୍ଗର ଊନବିଂଶ ସନ୍ଦର୍ଭର ଅତି ଜନପ୍ରିୟ ସୁପରିଚିତ ସଙ୍ଗୀତ -

 

‘‘ପ୍ରିୟେ ! ଚାରୁଶୀଳେ ! ମୁଞ୍ଚ ମୟି ମାନମନିଦାନଂ ।’’

-ଗୀତଟି ପ୍ରତି ସେମାନଙ୍କ ଦୃଷ୍ଟି ଆକର୍ଷଣ କରି ନିରପେକ୍ଷ । ବିଚାର ଅପେକ୍ଷା କରୁଛି ।

ଗୀତଟିର ରାଗ ଦେଶ - ବରାଡ଼ୀ -ତାଳ ଅଷ୍ଟତାଳ ।

 

ଓଡ଼ିଶୀ ଶାସ୍ତ୍ରାନୁମୋଦିତ ପ୍ରଥାରେ ସଂଗୀତ ଗାୟନ ରୀତି ଛାଡ଼ିଦେଲେ ମଧ୍ୟ ଓଡ଼ିଶାର ବହୁସଂଖ୍ୟକ ପଲ୍ଲୀଗୀତ ଆଠତାଳି (ଅଷ୍ଟତାଳ) ତାଳରେ ରଚିତ । ଆଉ ମଧ୍ୟ ଅନୁଭୂତିରୁ ମୁଁ କହିବି ଯେ ଆଠତାଳି ତାଳର ଗୀତ ସହିତ ଉପଯୁକ୍ତ ସଙ୍ଗତବେଳେ ଓଡ଼ିଶା ଭିନ୍ନ ପ୍ରଦେଶାନ୍ତରର ତାଳ-ବାଦ୍ୟ-ଯନ୍ତ୍ରୀ ଅସୁବିଧା ଭୋଗ କରନ୍ତି । ଆଠତାଳି ତାଳର ଚଳଣିମତେ ପ୍ରସ୍ୱନ ବା ଝୁଙ୍କ ସେମାନଙ୍କ ପକ୍ଷେ ଧରିପାରିବା ସହଜ-ସମ୍ଭବ ହୁଏ ନାହିଁ । ଆଠତାଳି ତାଳ କେବଳ ଓଡ଼ିଶାର ନିଜସ୍ୱ ନାମରେ, ସ୍ୱତନ୍ତ୍ର ରୀତିରେ ଏବଂ ବିଶିଷ୍ଟ ଗତିରେ ପ୍ରଚଳିତ - ଅନ୍ୟତ୍ର ନୁହେଁ । ଏହାର ସଙ୍ଗୀତ ଯୋଗ୍ୟ ବାଦ୍ୟ - ଉକୁଟ ମଧ୍ୟ ସେହିପରି ସ୍ୱତନ୍ତ୍ର ।

 

ଏଗୁଡ଼ିକ ପ୍ରତି ଯଥାସମ୍ଭବ ଦୃଷ୍ଟି ରଖି ଉତ୍କଳ ଭାଷାନୁବାଦଲାଗି ଚେଷ୍ଟା କରାଯାଇଅଛି । ମୂଳ ସଂଗୀତରଚନାରେ କବିରାଜ ମହୋଦୟ ସମାକ୍ଷରୀ ତଥା ବିଷମାକ୍ଷରୀ ଛନ୍ଦମାନ ବ୍ୟବହାର କରିଅଛନ୍ତି । ଅବଶ୍ୟ ଅକ୍ଷରସଂଖ୍ୟା ଯାହା ହେଲେ ମଧ୍ୟ ତଦ୍ଦ୍ୱାରା ତାଳମାତ୍ରାର କୌଣସି ବିକଳ୍ପ ଘଟେ ନାହିଁ । ନିମ୍ନରେ ଏପରି ଏକ ଛନ୍ଦରଚିତ ସଙ୍ଗୀତର ଅନୁବାଦର ଉଦାହରଣ ଉପସ୍ଥାପିତ କରାଯାଉଅଛି -

 

(ଗୀତର ତାଳ ଏକତାଳି । ତାଳର ପ୍ରତି ବିଭାଗ ୪ ମାତ୍ରା । ଏହା ଅକ୍ଷର ସଂଖ୍ୟାର ଅପେକ୍ଷା ନ କରି ଉଚ୍ଚାରଣଜନିତ ମାତ୍ରାସଂଖ୍ୟାରେ ନିବଦ୍ଧ ।)

 

ମୂଳ :-

ସ୍ତ ନ ବି ନି । ହି ତ ମ ପି । ହା-ର ମୁ । ଦା-ର ମ୍‌ ॥

ସା ମ ନୁ । ତେ-କୃଶ । ତ ନୁ ରି ବ । ଭା-ର ମ୍‌ ॥

ଏଠାରେ ପ୍ରଥମ ପାଦର ଅକ୍ଷରସଂଖ୍ୟା ୪+୪+୩+୨=୧୩

      ୨ୟ ପାଦର ଅକ୍ଷରସଂଖ୍ୟ ୩+୩+୪+୨=୧୨

ଉଭୟ ପାଦର ମାତ୍ରାସଂଖ୍ୟା କିନ୍ତୁ ସମାନ ବା ପ୍ରତିବାଦ ଷୋହଳ ମାତ୍ରାବିଶିଷ୍ଠ ।

 

 

ଅନୁବାଦ -

 

ଭା-ର ତା- । ର-ସ୍ତନ । ତ ଟ ନ ବ । ଦା-ର- ।।

ଛା ର ଦି । ଶେ-ତ ନୁ । କୃ ଶ ଅ ତି । ତା - ର- ।।

ପଦାନ୍ତ ଅକ୍ଷର ଗୁରୁ ଉଚ୍ଚାରିତ ।

ମୂଳ ରଚନାରେ ଅକ୍ଷରସଂଖ୍ୟାକୁ ଅପେକ୍ଷା ନ କରି ଗୀତର ତାଳ ଅନୁସାରେ ମାତ୍ରାସଂଖ୍ୟା ଗଣନା କରାଯାଇଅଛି । ଅନୁବାଦ କାଳରେ ମଧ୍ୟ ସେହିପରି ମାତ୍ରାସଂଖ୍ୟା ହିଁ ଧରିନିଆହୋଇଛି । ଏତଦ୍ଦ୍ୱାରା ଅନୁବାଦ ଗୀତଗୁଡ଼ିକ ମଧ୍ୟ ମୂଳଗୀତର ରାଗତାଳରେ ଗାଇହେବ ।

 

ଆରମ୍ଭ ଓ ଶେଷ *

 

* ଏତକ ଲେଖା ୧୯୩୨ ସାଲର ।

 

ସନ ୧୯୩୨ ସାଲର ଅପ୍ରେଲ ପହିଲା ତାରିଖରେ ଖଣ୍ତିଏ ଶ୍ରୀଗୀତଗୋବିନ୍ଦ ପୋଥି ପ୍ରଥମେ ମୋ ଆଖିରେ ପଡ଼େ । ଏଥିପୂର୍ବରୁ ଯେ ଶ୍ରୀଗୀତଗୋବିନ୍ଦ ଦେଖି ନ ଥିଲି, ଏମନ୍ତ ନୁହେଁ; କିନ୍ତୁ ତତ୍‌ପ୍ରତି ଆକୃଷ୍ଟ ନ ଥିଲି; କାରଣ ଶ୍ରୀଗୀତଗୋବିନ୍ଦ କିପରି ଲେଖା ବା କି ପଦାର୍ଥ, ସେ କଥା ଜାଣିବାଭଳି ମୋର ସୁବିଧାସୁଯୋଗ ଉପସ୍ଥିତ ହୋଇ ନ ଥିଲା । ‘‘ଶ୍ରିତକମଳାକୁଚମଣ୍ତଳ ’’, ଓ ‘‘ପ୍ରିୟେ ! ଚାରୁଶୀଳ !’’ ଏହିପରି କେତୋଟି ଗୀତ ମାତ୍ର ସମ୍ପୂର୍ଣ୍ଣ ଶ୍ରୀଗୀତଗୋବିନ୍ଦର ଛାୟା ମୋର ମାନସମୁକୁରରେ ପ୍ରତିଫଳିତ କରାଇଦେଉଥିଲା ।

 

ସେତେବେଳକୁ ମୋର ରାସଦଳ ଥାଏ । ବହୁଳ ପ୍ରଚାରମାନସରେ ମୁଁ ‘‘କିଶୋରୀ ଚମ୍ପୂ’’କୁ ନାଟ୍ୟରୂପ ଦେଇ ଅଭିନୀତ କରାଇଲି । ଓଡ଼ିଶାର ପୁରପଲ୍ଲିରେ ଚମ୍ପୂ ନାଟକର ଆଦର ଦେଖି ଶ୍ରୀଗୀତଗୋବିନ୍ଦକୁ ନାଟ୍ୟରୂପ ଦେବାର ପ୍ରବଳ ଇଚ୍ଛା ଜାତହେଲା । ହଠାତ୍‌ କାହିଁକି, କାହାର ପ୍ରେରଣାରେ କେଜାଣି, ମନ ହେଲା ଶ୍ରୀଗୀତଗୋବିନ୍ଦର ଛନ୍ଦାନୁସାରୀ ଅନୁବାଦି ଗୀତ ନାଟକରେ ଖଞ୍ଜି ଦଳରେ ଶିକ୍ଷାଦେବି । ତାହା ହିଁ ହେଲା, ଅନୁବାଦ ଆରମ୍ଭ କଲି । ବୁଝୁଛି, ବାମନର ଚନ୍ଦ୍ରସ୍ପର୍ଶନ୍ୟାୟରେ ପ୍ରୟାସ ମାତ୍ର କରିଛି ମୁଁ । ହାସ୍ୟସ୍ପଦ ହେବାର ଭୟ ବେଶୀ । କିନ୍ତୁ ଏଥକୁ କେବଳ ମୋତେ ଏକା ଦୋଷ ଦେଲେ ଚଳିବ ନାହିଁ । ଏଥିରେ ମୁଁ ମଧ୍ୟ କବିବର ଚିନ୍ତାମଣି ମହାନ୍ତି, ଭାଷାପ୍ରାଣଦାତା ଗୋପାଳଚନ୍ଦ୍ର ପ୍ରହରାଜ, ଶୋଭାକବି ଶଶିଭୂଷଣ ରାୟ, ନୀରବ ସାଧକ ନୀଳମଣି ଚାନ୍ଦ ଦେ ପ୍ରଭୃତି ପ୍ରଖ୍ୟାତନାମା କୃତୀସନ୍ତାନମାନଙ୍କୁ ଜଡ଼ିତ କରୁଛି । କାରଣ ଏହି ମହୋଦୟମାନଙ୍କର ଆଶୀର୍ମଣ୍ତିତ ଉତ୍ସାହ ମୋତେ ଅନୁବାଦର ଆରମ୍ଭରୁ ପ୍ରେତ୍ସାହିତ କରି ଏତେ ଦୂରକୁ ବହିଆଣିଛି ।

 

ଏହିପରିଭାବରେ ଶ୍ରୀଗୀତଗୋବିନ୍ଦର ଅନୁବାଦ ଶେଷ କରିପାରିବି ଏ ବିଶ୍ୱାସ ମୋର ଆଦୌ ନ ଥିଲା । ଚିର ଦୁଃଖୀ ମୁଁ । ଘାତପ୍ରତିଘାତହିଁ ଏ ଜୀବନର ବିଶେଷତ୍ୱ । ସେହି ଆବର୍ତ୍ତମଧ୍ୟରେ ମୋର ନାଟ୍ୟସଂଘ ସହିତ ଭ୍ରାତୃପ୍ରତିମ ସୁକବି ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ (ଆଜି ସ୍ୱର୍ଗତ) ଗୃହରେ ଭଦ୍ରକରେ ଅବସ୍ଥାନ କାଳରେ ଏବଂ ତାଙ୍କର ଏକାନ୍ତ ଭ୍ରାତୃପ୍ରେମର ତାଡ଼ନାରେ ୭ । ୫ । ୩୩ ତାରିଖ ରାତ୍ର ଘ ୧୨ । ୫୨ ମିନିଟରେ ଅନୁବାଦ ପୂର୍ଣ୍ଣାଙ୍ଗ ଲାଭ କଲା । ଏ ପଥରେ ଭକ୍ତପ୍ରବର ମହାକବି ଜୟଦେବଙ୍କ ଶୁଭାଶୀର୍ବାଦ ହିଁ ଏ ଅକିଞ୍ଚନର ଏକମାତ୍ର ସହାୟ । ଯାହାଙ୍କର କାର୍ଯ୍ୟ ସେ ହି ଶେଷ କରିଛନ୍ତି । ମୋର ଏଥିରେ ଲେଶମାତ୍ର ନିଜତ୍ୱ ନାହିଁ ।

 

ପରିଶେଷରେ ଭକ୍ତପ୍ରାଣ ଗୁରୁ ବୈଷ୍ଣବ ଓ ଉତ୍କଳ ସଂଗୀତ-ସାହିତ୍ୟ-ରସିକମାନଙ୍କ କରକମଳରେ ମୋର ଲଘୁଶକ୍ତିପ୍ରସୂତ ଏହି ଶ୍ରୀଗୀତଗୋବିନ୍ଦର ଅନୁବାଦ ଅର୍ପଣ କରିବାର ସୁଯୋଗ ଲାଭରେ ହିଁ ମୁଁ ଆପଣାକୁ ସୌଭାଗ୍ୟବାନ୍‌ ମଣୁଛି । କେବଳ ସେମାନଙ୍କର ଅନୁଗ୍ରହ ପାଠ ଓ ଆଶୀର୍ବାଦ ହିଁ ମୋର ତୃପ୍ତି ।

ସନ୍ଧ୍ୟା ଘ ୬ । ୩୩       

ତା ୧୧ । ୫ । ୩୩                   ବିନୀତ

ଯାଜପୁରରୋଡ଼ ଷ୍ଟେସନ                   କାଳୀଚରଣ

 

ଅବତରଣିକା ସମ୍ବନ୍ଧେ ଆଉ ଦି’ପଦ -

 

ଏଇ ଆଲୋଚନାର ୫୧୨ ପୃଷ୍ଠାରେ ମୁଁ ଦୁଃଖ କରି ଲେଖିଥିଲି - ‘‘ଇଚ୍ଛା ହେଉଥିଲା, ବିଚ୍ଛନ୍ଦମଉସାଙ୍କ ହାତ ଲେଖା ଓ ପ୍ରହରାଜମଉସାଙ୍କ ସ୍ୱାକ୍ଷର ଥିବା ସେ ମୁଖବନ୍ଧର ଫଟୋ ନେଇ ବ୍ଲକ୍‌ଟିଏ ଏ ବହିରେ ଦେଇଥାନ୍ତି ।’’

 

ଆଲୋଚନା ଅସରନ୍ତି । ହେଲେ, ମୁଁ ଆଉ ଅଧିକକାଳ ଧୈର୍ଯ୍ୟଧରି ନ ପାରି କୌଣସିମତେ ଶେଷକରି ଦେବାକୁ ବସିଲି । ଲେଖା ସରନ୍ତି ବେଳକୁ ମୋର ସେ ୧୯୩୨।୩୩ ମସିହାର ପାଣ୍ତୁଲିପି ଥରେ ଆଡ଼େଇ ଦେଖୁଥିଲି । ଏମିତି ବେଳେ ଏହାର ପ୍ରକାଶକ ଦୁଇ ପୂର୍ଣ୍ଣବାବୁ (ଦାସେ ଓ ମିଶ୍ରେ) ଅଜଗବି ମୋ ପାଖରେ ପହୁଞ୍ଚିଲେ । ମୁଖବନ୍ଧଟି ଦେଖି ତାହାର ବ୍ଲକ୍‌କରି ଛାପି ମନ କଲେ । ସତେ ମୋ ମନକଥା ଜାଣିଲା ପରି, ତାଙ୍କ ମତ ଶୁଣି ମୋର ଆନନ୍ଦର ସୀମା ରହିଲା ନାହିଁ ।

 

ସ୍ମୃତି ବଡ଼ ବିଷମ - ଭାରି ମାରଣା । କୋଉ ଦୂର ଅତୀତର ପାଶୋରା କଥାକୁ ଗହୀରିଆ ଖଣିରୁ ଖୋଲିଆଣି ଆଖି ଆଗରେ ଥାପି ଦିଏ ସେ । ମନ ପଛଫେରା ହୋଇ ବିକଳ ହୋଇପଡ଼େ । ଭରା କୃତଜ୍ଞତାରେ ଦୁଇ ପୂର୍ଣ୍ଣବାବୁଙ୍କ ଧନ୍ୟ ଧନ୍ୟ କଲି । ଏଥି ସହିତ ଦି’ ମଉସାଙ୍କ ହରପର ଅବତରଣିକାଟିର ବ୍ଲକ୍‌ ସନ୍ନିବେଶିତ କରି ନିଜକୁ ଭାଗ୍ୟବାନ ମଣୁଛି ।

କାଳଯାଏ - କଥା ରହେ । ଆଜିର ଲୁହ ଛଳଛଳ ଆଖି ଏ ଗଲାକଥାର ସାକ୍ଷୀ ସିନା ।

 

Image

 

ଶ୍ରୀ ଗୀତଗୋବିନ୍ଦ

(ଛନ୍ଦ - ସ୍ୱରାନୁସାରୀ ଉତ୍କଳାନୁବାଦ)

(ମୁଖଶାଳା)

 

ପୁରୀ ପ୍ରାନ୍ତର କେନ୍ଦୁଲୀ ଗ୍ରାମ ସନ୍ନିକଟ ତ୍ରିବେଣୀ ଗଙ୍ଗାରେ ସ୍ନାନକରି ସାଧୁପ୍ରଧାନ ଜୟଦେବ ଶ୍ରୀ ଗୀତଗୋବିନ୍ଦ-ପଦାରବିନ୍ଦ ଚିନ୍ତନରେ ଧ୍ୟାନମଗ୍ନ ।

 

ରସବିଦଗ୍‌ଧ କଳ୍ପନାନୟନ ଦେଖିଲା - ଋତୁ ବସନ୍ତ । ଦିନମାନର କର୍ମକ୍ଲାନ୍ତ ରବି ସେଦିନ ପଶ୍ଚିମ ମେଘରେ ଆଉ ଫଗୁ ଖେଳିବାର ଅବକାଶ ପାଇଲେ ନାହିଁ । ସହସା ପ୍ରଳୟ ଘନଘଟା ଛାଇଦେଲା ବୃନ୍ଦାଦେଲା ବୃନ୍ଦାବନର ନଭୋମଣ୍ତଳ । ତମାଳ ଗହଳରେ ଅନ୍ଧକାରମୟ ବନଦେଶ ଆହୁରି କୃଷ୍ଣ ବର୍ଣ୍ଣରେ ରଞ୍ଜିତ ହୋଇଗଲା ।

 

ବ୍ରହ୍ମବୈବର୍ତ୍ତ ପୁରାଣର ପଞ୍ଚଦଶ ଅଧ୍ୟାୟ-ବର୍ଣ୍ଣିତ ରାଧାକୃଷ୍ଣଙ୍କର ଅତିମାନବୀୟ ଲୀଳାଚିତ୍ର ବିକଶି ଉଠିଲା ଧ୍ୟାନବିଭୋର ନୟନ ସମ୍ମୁଖରେ ।

 

ଭାବବିହ୍ୱଳ ମହାକବି ଆରମ୍ଭ କଲେ ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟର ମଙ୍ଗଳାଚରଣ ।

 

ତହିଁ ପରେ -

ସାଧାରଣ ମାନବଧର୍ମୀର ପରିଚୟ - ଏତେ ଚାଂଶ କଳାଃ ପୁଂସଃ କୃଷ୍ଣସ୍ତୁ ଭଗବାନ୍‌ସ୍ୱୟଂଙ୍କୁ ଦଶାବତାରୀ ରୂପେ ସ୍ମରଣ ହେଲା ଗୀତାର ଅମୃତବାଣୀ । ‘‘ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ’’ । ଏଇ ଗୁଢ଼ତତ୍ତ୍ୱ ବିଚାରରେ ଅବତାର ଅର୍ଥାତ୍‌ ଅବ(ନିମ୍ନ)ତ୍ୱ (ଗମନ ବା ଆଗମନ)ର ଆରାଧନା କରିବସିଲେ ମହାକବି । କିନ୍ତୁ ଅବତାର ସମ୍ବନ୍ଧେ ଭାଗବତ ଏବଂ ମହାଭାରତ (ନାରାୟଣୀ ପୂର୍ବ) ସହିତ କବିରାଜ ସ୍ୱର ମିଳାଇ ନାହାନ୍ତି ।

 

ବାସ୍ତବ ସଂସାରଧାରା ଅନୁସରଣ କରି ‘‘କର୍ଷତି ଯୋଗିନାଂ ମନାଂସି ଇତି’’ - ଯୋଗିହୃଦୟ ଆକର୍ଷଣକାରୀ ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କ ଚରଣ ବନ୍ଦନା କରି ପ୍ରକୃତି-ପୁରୁଷ ରୂପେ ଆତ୍ମା-ପରମାତ୍ମା ଲକ୍ଷ୍ୟରେ ବିଜ୍ଞାନୀ ଭକ୍ତ ଜୟଦେବ ନିଜେ ମାଧବଙ୍କର ଆଶୀର୍ବାଦ ଭିକ୍ଷା କରିବା ସଙ୍ଗେ ସଙ୍ଗେ ନିଖିଳ ଜଗତର ଶୁଭାଶିଷ ମନାସିଲେ ।

 

ସର୍ଗ-ଗୌରବ

(ଏକ)

 

‘‘କୃଷ୍ଣସ୍ରୁ ଭଗବାନ ସ୍ୱୟଂ’’ଙ୍କର ଆରାଧନା ଓ ଜଗତର ମଙ୍ଗଳକାମନା କରିସାରି ମହାକବି ବସ୍ତୁ-ନିର୍ଦ୍ଦେଶନାରେ ଚିତ୍ତ ବଳାଇ ରାଗଚାଳସମନ୍ୱିତ ସଙ୍ଗୀତଝଙ୍କାରରେ ଶ୍ରୀମନ୍ଦିରର ଗର୍ଭଗୃହ ଉଛୁଳାଇଦେଲେ ।

 

ଭାବ-ନୟନ ଦେଖିଲା, ବୃନ୍ଦାବନର ମଳୟ-ସମ୍ଭାଷିତ ବନସ୍ଥଳୀ । ଉନ୍ମୃକ୍ତ ଆକାଶ । କାହିଁ ହେଲେ ବଉଦ-ଓଢ଼ଣୀ ବୁକୁ ତା’ର ଘୋଡ଼ାଇ ଦେଇ ନାହିଁ । ମହୁଆ ପବନର ସମାଦର ଲଭି ପ୍ରଫୁଲ୍ଲ ଚନ୍ଦ୍ରମା ଆକାଶସାରା ଭଗ ହସରେ ରସାଣି ଦେଉଛି, ଉନ୍ନତ୍ତ-ଯୌବନ ଗୌରବରେ ଠଣସୁନ୍ଦର ଶିରୀମୁଖଟିକୁ ଯମୁନାର ନୀଳ ଜଳ-ଦର୍ପଣରେ ଦେଖି ଲହରୀର ତାଳେତାଳେ ସତେ ଅବା ନାଚିଉଠୁଛି ସରାଗୀ ଚନ୍ଦମା !

 

ଏତିକିବେଳେ ତେଣେ ନଟବର ନାଗରଙ୍କର ମିଳନ ଆଶରେ ତାଙ୍କୁ ଖୋଜିବୁଲୁଛନ୍ତି ବିରହୋକଣ୍ଠିତା ରାଈକିଶୋରୀ, ପାଗଳିନରୀ ପରି ।

 

ସହସା ଉପଗତା ଶ୍ରୀମତୀଙ୍କର ଏକ ନର୍ମ-ସହରରୀ । ଶ୍ରୀମତୀଙ୍କୁ ତ୍ତଦବସ୍ଥ ଦେଖି ସେ ବିସ୍ମିତା ହୋଇ ପଚାରିଲା -‘‘ରାଈ, ଏ ଅଧରାତିରେ ବୃନ୍ଦାବନର ବନକାନାର ନ ମାନିତୁମେ ... ? ’’

 

- ଉତ୍ତର ନାହିଁ । ଭାଷା ହାରମାନିଛି ସତେ ! ନୀରବନୟନରେ ସଖୀମୁଖକୁ ଚାହିଁରହିଲେ ଖାଲି ବିରହିଣୀ ରାଧିକା । ତାଙ୍କ ଉତ୍କଣ୍ଠ-ଦୃଷ୍ଟି ଅନୁମାନି ସହଚରୀ କହିଲା :-

 

‘‘ବୁଝିଲି ସହି ! ଆସ, ମୋ ସଙ୍ଗରେ, ମାଧବୀ କୁଞ୍ଜକୁ ଆସ ! ଦେଖିବ ତୁମର ମନର ମାଧବଙ୍କୁ, ବ୍ରଜଯୁବତୀ ଗହଣରେ ଆଜି ‘‘ସାମୋଦ-ଦାମୋଦର ’’।

 

ପ୍ରଥମଃ ସର୍ଗଃ

ସାମୋଦ-ଦାମୋଦରଃ

 

(୧) ମେଘେର୍ମେଦୁରମ୍ୱରଂ ବନଭୁବଃ ଶ୍ୟାମସ୍ତମାଳଦ୍ରୁମୈ

ର୍ନକ୍ତଂ ଭୀରୁରୟଂ ତ୍ୱମେବ ତଦିମଂ ରାଧେ ! ଗୃହଂ ପ୍ରାପୟ ।

ଇତ୍‌ଥଂ ନନ୍ଦନିଦେଶାତଶ୍ଚଳିତୟୋଃ ପ୍ରତ୍ୟଧ୍ୱ-କୁଞ୍ଜଦ୍ରୁମମ୍‌

ରାଧା-ମାଧବୟୋର୍ଜୟନ୍ତି ଯମୁନାକୂଳେ ରହଃକେଳୟଃ ।।

 

(ଶାର୍ଦ୍ଦୂଳବିକ୍ରୀଡ଼ିତ ଛନ୍ଦ)

 

(୧) ବ୍ୟାପେ ମେଘ ନଭେ ତମାଳଗହଳେ ଶ୍ୟାମାଭ ବୃନ୍ଦାଟବୀ

ରାତ୍ର ଭୀରୁ ଡରେ, ଖରେ ତନୟରେ ରାଧେ ! ଗୃହେ ଘେନ ଗୋ !

ନନ୍ଦାଦେଶବଶେ ସନୀଳ ଯମୁନାକୂଳେ ନିକୁଞ୍ଜେ ଚଳି

ରାଧା-ମାଧବ ନିର୍ଜ୍ଜନେ ବିହରିଲେ ସେ କେଳି ଚିତ୍ତେ ସ୍ଫୁରୁ ।। ।୧।

 

(୨) ବାଗ୍‌ଦେବତା-ଚରିତ-ଚିତ୍ରିତ-ଚିତ୍ତସଦ୍ମା

ପଦ୍ମାବତୀ-ଚରଣ-ଚାରଣ-ଚକ୍ରବର୍ତ୍ତୀ ।

ଶ୍ରୀବାସୁଦେବ- ରତିକେଳିକଥାସମେତ-

ମେତଂ କରୋତି ଜୟଦେବକବିଃ ପ୍ରବନ୍ଧମ୍‌ ।।

 

ବାଗୀଶ୍ୱରୀ-ଚରିତ-ରଞ୍ଜିତ-ଚିତ୍ତବୃତ୍ତି

ପଦ୍ମାବତୀ-ଚରଣ-ସେବକରାଜିରାଟ ।

ଶ୍ରୀଶ୍ୟାମସୁନ୍ଦର-ସୁଧାରସ-କେଳି ଗୁନ୍ଥି

ଗାଥା ମନୋହର ରଚେ ଜୟଦେବ କାବ୍ୟେ ।।(୨)

(ବସନ୍ତତିଳକ)

 

(୩) ଯଦି ହରିସ୍ମରଣେ ସରସଂ ମନୋ

ଯଦି ବିଳାସ-କଳାସୁ କୁତୂହଳମ୍ ।

ମଧୁର-କୋମଳ-କାନ୍ତ-ପଦାବଳୀମ୍‌

ଶୃଣୁ ତଦା ଜୟଦେବସରସ୍ୱତୀମ୍‌ ।।

 

ଯଦି ହରିସ୍ମରଣେ ଶରଧା ବଳେ

ଯଦି ବିଦଗ୍‌ଧ-ରସେ ସୁକୁତୂହଳୀ ।

ମଧୁର-କୋମଳ-ମଞ୍ଜୁ-ରସାନ୍ୱିତ-

ଶୁଣ ବୁଧେ ଜୟଦେବ-ପଦାବଳୀ ।। (୩)

(ଦ୍ରୁତବିଳମ୍ୱିତ)

 

(୪) ବାଚଃ ପଲ୍ଲବୟତ୍ୟୁମାପତିଧରଃ ସନ୍ଦର୍ଭଶୁଦ୍ଧିଂ ଗିରାଂ

ଜାନୀତେ ଜୟଦେବ ଏକ ଶରଣଃ ଶ୍ଳାଘ୍ୟୋ ଦୁରୂହଦ୍ରୁତେଃ ।

ଶୃଙ୍ଗାରୋତ୍ତରଽସତ୍‌ପ୍ରମେୟ-ରଚନୈରାଚାର୍ଯ୍ୟ-ଗୋବର୍ଦ୍ଧନ-

ସ୍ପର୍ଦ୍ଧୀକୋଽପିନ ବି୍ୟୁତଃ ଶ୍ରୁତିଧରୋ ଧୋୟୀ କବିକ୍ଷ୍ମାପତିଃ ।।

 

ବାଗାଡ଼ମ୍ୱରରେ ଉମାପତିଧରେ ଜାଣନ୍ତି ସର୍ବେ କୃତୀ

କ୍ଷିପ୍ର ଦୁର୍ବୋଦ-କାବ୍ୟକାର ଶରଣେ, ଶଙ୍ଗାର-ମୂଳତ୍ମିକା-

କାବ୍ୟେ କେ ସମକକ୍ଷ ନାହିଁ ତ ଜଣେ ଆଚାର୍ଯ୍ୟ ଗୋବର୍ଦ୍ଧନେ

ସନ୍ଦର୍ଭେ ଜୟଦେବ ଶୁଦ୍ଧ, ରଚନା ଧୋୟୀ ଶ୍ରୁତି-ସ୍ମାରକ ।। (୪)

(ଶାର୍ଦ୍ଦୂଳବିକ୍ରୀଡ଼ିତ)

 

ଦଶାବତାର

ଅଥ ପ୍ରଥମଃ ସନ୍ଦର୍ଭଃ

ଗିତମ୍‌ ।୧।

ମାଳବରାଗେଣ ରୂପକତାଳେନ ଚ ଗୀୟତେ

 

(୧)

ପ୍ରଳୟ-ପୟୋଧିଜଳେ ଧୃତବାନସି ବେଦମ୍‌

ବିହିତ-ବହିତ୍ର-ଚରିତ୍ରମଖେଦମ୍‌

କେଶବ ! ଧୃତ-ମୀନଶରୀର

ଜୟ ଜଗଦୀଶ ହରେ । (ଧ୍ରୁବମ୍‌)

 

ପ୍ରଥମ ସନ୍ଦର୍ଭ

ଗୀତ ।୧।

ରାଗ-ମାଳବ । ତାଳ-ରୂପକ

 

(୧)

ବେଦ କରେ ଧରି ହେ ହରି ! ପ୍ରଳୟ ସଲିଳେ,

ନାବସମେ କରି ତନୁ ଅବଲୀଳେ ।

କେଶବ ! ଧରି ମୀନ-ଶରୀର,

ଜୟ ଜଗଦୀଶ ହରେ।। (ଘୋଷା)

 

(୨)

କ୍ଷତିରତିବିପୁଳତରେ ତବ ତିଷ୍ଠତି ପୃଷ୍ଠେ,

ଧରଣୀ-ଧରର କିଣଚକ୍ରଗରିଷ୍ଠେ ।

କେଶବ ! ଧୃତ-କଚ୍ଛପରୂପ

ଜୟ ଜଗଦୀଶ ହରେ।।

 

(୨)

ସହି ଗୁରୁ ଭୁବନ-ଭରା ତବ ପୃଷ୍ଠ ବିଶାଳେ

ମୃଦ୍ରିତ ବହନ ଜନିତ କିଣଜାଳେ,

କେଶବ ! ଧରି କଚ୍ଛପ-ରୂପ

ଜୟ ଜଗଦୀଶ ହରେ।।

 

(୩)

ବସତି ଦଶନ-ଶିଖରେ ଧରଣୀ ତବ ଲଗ୍ନା

ଶଶିନି କଳଙ୍କ-କଳେବ ନିମଗ୍ନା ।

କେଶବ ! ଧୃତ-ଶୂକରରୂପ

ଜୟ ଜଗଦୀଶ ହରେ।

 

(୩)

ଦଶନ-ଶିଖରଦେଶେ ଧରଣୀ ତବ ରାଜେ

ଶଶଧର-ଅଙ୍କ-କଳଙ୍କ କି ସାଜେ !

କେଶବ ! ଧରି ଶୂକର-ରୂପ

‘‘ଜୟ ଜଗଦୀଶ ହରେ’’ ।।

 

(୪)

ତବ କର-କମଳବରେ ନଖମଦ୍ଭୁତ-ଶୃଙ୍ଗମ୍‌

ଦଳିତହୀରଣ୍ୟକଶିପୁ-ତନୁଭୃଙ୍ଗମ୍‌ ।

କେଶବ ! ଧୃତ-ନରହରିରୂପ

‘‘ଜୟ ଜଗଦୀଶ ହରେ’’ ।।

 

(୪)

ନିରୂପମ କରକମଳେ ନଖ-ଶୃଙ୍ଗ ବିଚିତ୍ର

ଚିରିଲ ହୀରଣ୍ୟକଶିପୁ- ଅଳିଗାତ୍ର ।

କେଶବ ! ଧରି ନରହରି-ରୂପ

‘‘ଜୟ ଜଗଦୀଶ ହରେ’’ ।।

 

(୫)

ଛଳୟସି ବିକ୍ରମଣେ ବଳିମଦ୍ଭୁତବାମନ

ପଦ-ନଖ-ନୀର-ଜନିତ ଜନ-ପାବନ ।

କେଶବ ! ଧୃତ-ବାମନରୂପ

‘‘ଜୟ ଜଗଦୀଶ ହରେ’’ ।।

 

(୫)

ଅଦଭୁତ ବାମନ ହେ ! ଛଳି ରାଜ ବଳୀର

ପାବନ ଜଗଜନ ପଦ-ନଖ-ନୀରେ

କେଶବ ! ଧରି ବାମନ-ରୂପ

‘‘ଜୟ ଜଗଦୀଶ ହରେ’’ ।।

 

(୬)

କ୍ଷତ୍ରିୟ-ରୁଧିରମୟେ ଜଗଦପଗତ-ପାପମ୍‌

ସ୍ନପୟସି ପୟସି ଶମିତ-ଭବ-ତାପମ୍‌ ।

କେଶବ ! ଧୃତ- ଭୃଗୁପତିରୂପ

‘‘ଜୟ ଜଗଦୀଶ ହରେ’’ ।।

 

(୬)

କ୍ଷତ୍ରିୟ-ରକତ ଜଳେ କରି ଅପଗତ ପାପ

ପ୍ରଶମନ କଲ ଭବ-ତାପ ଅମାପ ।

କେଶବ ! ଧରି ଭୃଗୁପତି-ରୂପ

‘‘ଜୟ ଜଗଦୀଶ ହରେ’’ ।।

 

(୭)

ବିତରସି ଦିକ୍ଷୁ ରଣେ ଦିକ୍‌ପତି-କମନୀୟମ୍‌

ଦଶମୁଖ-ମୌଳି-ବଳିଂ ରମଣୀୟମ୍‌ ।

କେଶବ ! ଧୃତ-ରଘୁପତିରୂପ

‘‘ଜୟ ଜଗଦୀଶ ହରେ’’ ।।

 

(୭)

ବଧି ଦଶ-ବଦନ ରଣେ ଛେଦିଲ ଶିରମାଳେ

ବାଞ୍ଛିତ ବଳି ଦାନିଲ ଦିଗପାଳେ ।

କେଶବ ! ଧରି ରାମ-ଶରୀର

‘‘ଜୟ ଜଗଦୀଶ ହରେ’’ ।।

 

(୮)

ବହସି ବପୁଷି ବିଶଦେ ବସନଂ ଜଳଦାଭମ୍‌

ହଳ-ହତି-ଭୀତି-ମିଳିତ-ଯମୁନାଭମ୍‌ ।

କେଶବ ! ଧୃତ-ହଳଧରରୂପ

‘‘ଜୟ ଜଗଦୀଶ ହରେ ’’।।

 

(୯)

ଜଡ଼ିତ ଶୁଭ୍ରତନୁରେ ଘନବରନ ସୁ-ବାସ

ଯମୁନା ବା’ ଲଭି ହଳଭୟତ୍ରାସେ

କେଶବ ! ଧରି ହଳଧର-ରୂପ

‘‘ଜୟ ଜଗଦୀଶ ହରେ’’ ।।

 

(୧୦)

ମ୍ଳେଚ୍ଛ-ନିବହ-ନିଧନେ କଳୟସି କରବାଳଂ

ଧୂମକେତୁମିବ କିମପି କରାଳଂ

କେଶବ ! ଧୃତ-କଳ୍‌କିଶରୀର

‘‘ଜୟ ଜଗଦୀଶ ହରେ’’ ।।

(୧୦)

ମ୍ଳେଚ୍ଛନାଶ - ଆଶେ କରରେ କରବାଳ

ଧୂମକେତୁସମ ଭୀମ କରାଳ,

କେଶବ ! ଧରି କଳ୍‌କିଶରୀର

‘‘ଜୟ ଜଗଦୀଶ ହରେ’’ ।।

 

(୧୧)

ଶ୍ରୀଜୟଦେବ-କବେରିଦମୁଦିତମୁଦାରଂ

ଶୃଣୁ ସୁଖଦଂ ଶୁଭଦଂ ଭବସାଗରମ୍‌

କେଶବ ! ଧୃତ-ଦଶବିଧ ରୂପ

‘‘ଜୟ ଜଗଦୀଶ ହରେ’’ ।।

 

(୧୧)

ଶ୍ରୀଜୟଦେବ ଭଣେ ହରି-ଚରିତ-ସୁଧା ଏ

ଶ୍ରବଣସୁଖଦ, ଜଳ-ତାପ-ହରାଏ

କେଶବ ! ଧରି ଦଶବିଧ ରୂପ

‘‘ଜୟ ଜଗଦୀଶ ହରେ’’ ।।

 

ଅନୁସରି ଭାବରସ ସୁରଛନ୍ଦ ବିଚାରେ

ବିରଚଇ ଉତ୍କଳଭାଷା ସାରେ

ହେ ଗୁରୁ ! ତବ ଚରଣସରୋଜେ

ନିତି କବିଚନ୍ଦ୍ର ଭଜେ ।

 

ବେଦାନୁଦ୍ଧରତେ ଜଗନ୍ନିବହତେ ଭୂଗୋଳ-ମୁଦ୍‌ବିଭ୍ରତେ

ଦୈତ୍ୟାନ୍‌ ଦାରୟତେ ବଳିଂ ଛଳୟତେ କ୍ଷତକ୍ଷୟଂ କୁର୍ବତେ

ପୌଲସ୍ତ୍ୟଂ ଜୟତେ ହଳଂ କଳୟତେ କରୁଣ୍ୟମାତନ୍ୱତେ

ମ୍ଳେଚ୍ଛାନ୍‌ ମୂର୍ଚ୍ଛୟତେ ଦଶାକୃତିକୃତେ କୃଷ୍ଣାୟ ତୁଭ୍ୟଂ ନମଃ ।

ଇତି ଶ୍ରୀ ଗୀତଗୋବିନ୍ଦେ ପ୍ରଥମଃ ସନ୍ଦର୍ଭଃ ।

 

ବେଦେ ଉଦ୍ଧରିଲେ, ଧରା ବହିଥିଲେ, ଭୁଭାର ଉତ୍ତୋଳିଲେ

ଦୈତ୍ୟ ଦାରଥିଲେ , ବଳିଙ୍କି ଛଳିଲେ, କ୍ଷତ୍ର-କ୍ଷୟେ ମାତିଲେ

ପୌଲସ୍ତ୍ୟେ ଜିଣିଲେ, କରେ ଧରି ହଳେ, କାରୁଣ୍ୟ ବିସ୍ତାରିଲେ

ମ୍ଳେଚ୍ଛେ ନାଶ କଲେ, ଦଶାକୃତି ହେଲେ ସେ କୃଷ୍ଣ-ପାଦେ ନମେ ।।

(ଶାର୍ଦ୍ଦୁଳ ବିକ୍ରୀଡ଼ିତ)

ଇତି ଶ୍ରୀଗୀତଗୋବନ୍ଦର ପ୍ରଥମ ସନ୍ଦର୍ଭ ସଂପୂର୍ଣ୍ଣ ।

 

ଦ୍ୱିତୀୟଃ ସନ୍ଦର୍ଭଃ

ଗୀତମ୍‌। ୨ ।

ଗୁର୍ଜ୍ଜରୀରାଗେଣ ନିଃସାରତାଳେନ ଚ ଗୀୟତେ ।

 

(୧)

ଶ୍ରିତକମଳାକୁଚମଣ୍ଡଳ ! ଧୃତକୁଣ୍ଡଳ

କଳିତଲଳିତବନମାଳ

‘‘ଜୟ ଜୟ ଦେବ ହରେ’’ ।। ଧ୍ରୁବମ୍‌।।

 

(୧)

ଧର କମଳା-କୁଚମଣ୍ଡଳ ! ବରକୁଣ୍ଡଳ

ଗଳପର-ଚଳ-ବନମାଳ,

‘‘ଜୟ ଜୟ ଦେବ ହରେ’’ ।। ଘୋଷା ।।

 

(୨)

ଦିନମଣି-ମଣ୍ଡଳ-ମଣ୍ଡନ ! ଭବଖଣ୍ଡନ

ମୁନଜନ-ମାନସ-ହଂସ

‘‘ଜୟ ଜୟ ଦେବ ହରେ’’ ।।

 

(୨)

ରବି-ଛବିମଣ୍ଡଳସୁନ୍ଦର ! ଭବ-ଦ୍ୱନ୍ଦର-

ଖଣ୍ଡନ, ମୁନି-ମନ-ହଂସ,

‘‘ଜୟ ଜୟ ଦେବ ହରେ’’ ।

 

(୩)

କାଳିୟ-ବିଷଧର-ଗଞ୍ଜନ ! ଜନରଞ୍ଜନ

ଯଦୁକୁଳ-ନଳିନ-ଦିନେଶ

‘‘ଜୟ ଜୟ ଦେବ ହରେ’’ ।।

 

(୩)

କାଳିୟ ଅହି-ଗର-ମର୍ଦ୍ଦନ ! ସୁଖବର୍ଦ୍ଧନ

ଯଦୁକୁଳ-କମଳ-ପ୍ରକାଶ,

‘‘ଜୟ ଜୟ ଦେବ ହରେ’’ ।

 

 

(୪)

ମଧୁ-ମୁର ନରକ-ବିନାଶନ ! ଗରୁଡ଼ାସନ

ସୁରକୁଳ-କେଳିନିଦାନ

‘‘ଜୟ ଜୟ ଦେବ ହରେ’’ ।।

 

(୪)

ମଧୁ-ମୁର-ନରକବିନାଶନ ! ଗରୁଡ଼ାସନ

କର ସୁର ମୋଦ ବିଧାନ,

‘‘ଜୟ ଜୟ ଦେବ ହରେ’’ ।

 

(୫)

ଅମଳ-କମଳ-ଦଳଲୋଚନ ! ଭବମୋଚନ

ତ୍ରିଭୁବନ-ଭବନ-ନିଧାନ

‘‘ଜୟ ଜୟ ଦେବ ହରେ’’ ।।

 

(୫)

ସଜ-ସରସିଜଦଳ-ଈକ୍ଷଣ ! ଜନମୋକ୍ଷଣ

ଭୁବନ-ଭବନ-ମଣି-ରତ୍ନ,

‘‘ଜୟ ଜୟ ଦେବ ହରେ’’ ।

 

(୬)

ଜନକ-ସୁତା-କୃତା ଭୂଷଣ ! ଜିତ-ଦୂଷଣ

ସମର-ଶମିତ-ଦଶକଣ୍ଠ

‘‘ଜୟ ଜୟ ଦେବ ହରେ’’ ।।

 

(୬)

ଜନକ-ସୁତାବରଭୂଷଣ ! ଜିଣି ଦୂଷଣ

ଦଲିଲ ରଣେ ଦଶକନ୍ଧେ,

‘‘ଜୟ ଜୟ ଦେବ ହରେ’’ ।।

 

(୭)

ଅଭିନବ-ଜଳଧରସୁନ୍ଦର ! ଧୃତ-ମନ୍ଦର

ଶ୍ରୀମୁଖ-ଚନ୍ଦ୍ର ଚକୋର

‘‘ଜୟ ଜୟ ଦେବ ହରେ’’ ।।

 

(୭)

ନବଜଳଧର-ବପୁସୁନ୍ଦର ! ଧର ମନ୍ଦର

ଶ୍ରୀମୁଖ-ଚନ୍ଦ୍ରଚକୋର,

‘‘ଜୟ ଜୟ ଦେବ ହରେ’’ ।।

 

(୮)

ତବ ଚରଣେ ପ୍ରଣତା ବୟମିତି ଭାବୟ

କୁରୁ କୁଶଳଂ ପ୍ରଣତେଷୁ

‘‘ଜୟ ଜୟ ଦେବ ହରେ’’ ।।

 

(୮)

ନମୁଁ ଚରଣେ ପୁରୁଷୋତ୍ତମ, ଦୁରିତେ ଶମ

ପ୍ରଣତଜନର ଶୁଭକାରୀ,

‘‘ଜୟ ଜୟ ଦେବ ହରେ’’ ।।

 

(୯)

ଶ୍ରୀଜୟଦେବକବେରିଦଂ ! କୁରୁତେ ମୁଦମ୍‌

ମଙ୍ଗଳମୁଜ୍ଜ୍ୱଳଗୀତମ୍‌

‘‘ଜୟ ଜୟ ଦେବ ହରେ’’ ।।

 

(୯)

ଗୀତ-ସମ୍ମୁଜ୍ଜଳ, ମଙ୍ଗଳ, ଜୟଦେବର

ମୋଦ ଦାନ କରୁ ଚିତ୍ତେ,

‘‘ଜୟ ଜୟ ଦେବ ହରେ’’ ।।

 

ଛନ୍ଦ, ତାଳ, ସୁର ଭାଳି,

ଛନ୍ଦଇ ଅନୁଗତ କାଳୀ,

‘‘ଜୟ ଜୟ ଦେବ ହରେ’’ ।

 

 

(୧)

ପଦ୍ମାପୟୋଧରତଟୀ-ପରିରମ୍ଭ-ଲଗ୍ନ-

କାଶ୍ମୀର-ମୁଦ୍ରି ତମୁରୋ ମଧୁସୂଦନସ୍ୟ

ବ୍ୟକ୍ତାନୁରାଗମିବ ଖେଳଦନଙ୍ଗ-ଖେଦ-

ସ୍ୱେଦାମ୍ବୁପୁର-ମନୁପୂରୟତୁ ପ୍ରିୟଂ ବଃ ।।

 

ଇତି ଶ୍ରୀଗୀତଗୋବିନ୍ଦେ ଦ୍ୱିତୀୟଃ ସନ୍ଦର୍ଭଃ ।

 

(୧)

ଲକ୍ଷ୍ମୀପୟୋଧରତୁଲେ ରୁଚି-ସଙ୍ଗକାଳେ

ଯା ବକ୍ଷ ଚିହ୍ନିତ ସୁକୁଙ୍କୁମ-ରଙ୍ଗଦାମେ

କାମାନୁରାଗ ପ୍ରକଟେ ଝରି ଝାଳ-ବିନ୍ଦୁ

ତା ସ୍ନେଦ ମୋଦ ଜଗତେ କରୁ ବର୍ଦ୍ଧମାନ ।। (ବସନ୍ତ ତିଳକ)

ଇତି ଶ୍ରୀଗୀତଗୋବିନ୍ଦର ଦ୍ୱିତୀୟ ସନ୍ଦର୍ଭ ସମ୍ପୂର୍ଣ୍ଣ ।

 

ଅଥ ତୃତୀୟଃ ସନ୍ଦର୍ଭଃ

 

ବସନ୍ତେ ବାସନ୍ତୀକୁସୁମ-ସୁକୁମାରୈରବୟବୈ-

ଭ୍ରମନ୍ତୀଂ କାନ୍ତାରେ ବହୁବିହିତକୃଷ୍ଣାନୁସରଣାମ୍‌

ଅମନ୍ଦଂ କନ୍ଦର୍ପଜ୍ୱ ରଜନିତଚିନ୍ତାକୁଳତୟା

ବଳଦ୍‌ବାଧାଂ ରାଧାଂ ସରସମିଦମୂଚେ ସହଚରୀ ।। ୧ ।।

 

ଗୀତମ୍‌। ୩ ।

ବସନ୍ତରାଗ-ଯତିତାଳାଭ୍ୟାଂ ଗୀୟତେ ।

(୧)

ଲଳିତ-ଲବଙ୍ଗଲତା-ପରିଶୀଳନ-କୋମଳ-ମଳୟ ସମୀରେ

ମଧୁକରନିକର-ଜରମ୍ବିତ-କୋକିଳକୂଜିତ-କୁଞ୍ଜକୁଟୀରେ ।

ବିହରତ ହରିରିହ ସରସ ବସନ୍ତେ

ନୃତ୍ୟତି ଯୁବତିଜନେକ ସମଂ ସଖି ବିରହିଜନସ୍ୟ ଦୂରନ୍ତେ ।।

।। ‘‘ଧ୍ରୁବମ୍‌’’ ।।

 

(୨)

ଉନ୍ମଦମଦନମନୋରଥ-ପଥିକବଧୂଜନଜନିତବିଳାପେ ।

ଅଳିକୁଳସଂକୁଳକୁସୁମସମୂହ-ନିରାକୁଳବକୁଳ-କଳାପେ ।। ବିହରତ ।।

 

ତୃତୀୟ ସନ୍ଦର୍ଭ

 

ବସନ୍ତେ ବାସନ୍ତୀ-ସୁମନ-ସୁକୁମାରୀ ରସବତୀ,

ଭ୍ରମନ୍ତେ ବିଭ୍ରାନ୍ତେ-ଗହନ-ବିପିନେ ଆକୁଳ ମନେ ।

ଅଧୀରେ କାମନ୍ତେ ମଦନ-ଦହନେ ଶ୍ୟାମ-ମିଳନେ,

ସଖୀ ଭାଷେ ମୋଦେ ସରସ ବଚନେ ତାପ-ହରଣେ ।। ୧ ।।

(ଶିଖରିଣୀ)

 

ଗୀତ । ୩ ।

ବସନ୍ତ ରାଗ, ଯତି ତାଳ

(୧)

ଚାରୁ ଲବଙ୍ଗଲତା-ଫୁଲସୁରଭିତ ମନ୍ଦମଳୟ ଦିଗ ଛାଏ ।

କୁଞ୍ଜ-ଭବନ ଭରି ଅଳି ଗୁଣୁ ଗୁଞ୍ଜେ କୋଇଲି କୁହୁକୁ ଶୁଣାଏ,

ହରି ବିହରେ ସଖି ! ମଧୁ ମଧୁ-ମାସେ

ନାଚଇ ବ୍ରଜ ଯୁବତୀ ତୁଲରେ ରସି ବିରହି-ପରାଣମରା ସେ ।। ଘୋଷା ।।

 

(୨)

ପଥିକବଧୁ ମଦନେ ଅତି କାତର ଆତୁର କାନ୍ତ ବିନାରେ

ଅଳିକୁଳ-ଚୁମ୍ୱନ ବିହଳ-ଚଞ୍ଚଳ ବିକଚବକୁଳ-ସୁମନାରେ ।। ବିହରେ ।।

 

(୩)

ମୃଗମଦସୌରଭ-ରଭସବଶଂବଦନବଦଳମାଳତମାଳେ ।

ଯୁବଜନହୃଦୟବିଦାରଣମନସିଜନଖରୁଚି-କିଂଶୁକଜାଳେ ।। ବିହରତି ।।

 

(୪)

ମଦନମହୀପତିକନକଦଣ୍ଡରୁଚି-କେଶରକୁସୁମବିକାଶେ ।

ମିଳତି-ଶିଳୀମୁଖପାଟଳିପଟଳକୃତ-ସ୍ମରତତୂଣବିଳାସେ ।। ବିହରତି ।।

 

(୫)

ବିଗଳିତ-ଲଜ୍ଜି ତଜଗଦବଲୋକନ-ତରୁଣକରୁଣକୃତହାସେ ।

ବିରହିନିକୃନ୍ତନ-କୁନ୍ତମୁଖାକୃତି କେତକଦନ୍ତୁରିତାଶେ ।। ବିହରତି ।।

 

(୬)

ମାଧବିକାପରିମଳଲଳିତେ ନବମାଳତି-ଜାତିସୁଗନ୍ଧୌ ।

ମୁନି-ମନସାମପି ମୋହନକାରିଣି ତରୁଣାକାରଣ ବନ୍ଧୌ ।। ବିହରତି ।।

 

(୭)

ସ୍ଫୁରଦତିମୁକ୍ତଲତାପରିରମ୍ଭଣମୁକୁଳିତପୁଲକିତଚୂତେ ।

ବୃନ୍ଦାବନ ବିପନେ ପରିସରିଗତଯମୁନାଜଳପୂତେ ।। ବିହରତି ।।

 

(୮)

ଶ୍ରୀଜୟଦେବ ଭଣିତମିଦମୁଦୟତି ହରିଚରଣସ୍ମୃ ତିସାରମ୍‌ ।

ସରସବସନ୍ତସମୟବନବର୍ଣ୍ଣନମନୁଗତମଦନବିକାରମ୍‌ ।। ବିହରତି ।।

 

(୩)

ନବକିଶଳୟଦଳଶୋଭିତମାଳ ତ ମୃଗମଦ-ଗନ୍ଧ ବିସାରେ

କାମ-ନଖାଳି ପଲାଶ-ବିକାଶ କି ଯୁବଜନ-ମରମ ବିଦାରେ ।। ବିହରେ ।।

 

(୪)

ମାରରାଜବର-କନକଦଣ୍ଡସରି ନାଗେଶ୍ୱର-ଫୁଲ ରାଜେ ।

ଜଡ଼ିତ ଭୃଙ୍ଗ ଫୁଲ-ପାଟଳିଅଙ୍ଗେ କାମ-ତୁଣ ସରି ସାଜେ ।। ବିହରେ ।।

 

(୫)

କରି ଅବଲୋକନ ଜଗତ ଲାଜଗତ କରୁଣ-ସୁମନ ହସି ରାଜେ ।

ବିରହ-ବିଦାରଣ-କୁନ୍ତସମେ ଫୁଲ କେତକି-ଦାନ୍ତ କି ସାଜେ ।। ବିହରେ ।।

 

(୬)

ମୁନିଜନ-ମାନସ-ମୋହନକାରଣ ମାଧବି-ମଲ୍ଲି-ବିକାଶେ ।

ତରୁଣ-ତରୁଣି ମନରଞ୍ଜନହେତୁ ଅହେତୁକ ବନ୍ଧୁ ପରା ସେ ।। ବିହରେ ।।

 

(୭)

ଦରଣିହରିତ ଲତିକା-ପରିରମ୍ଭଣ-ଜନିତଉଲ୍ଲସିତ ଚୂତ ।

ପ୍ରାନ୍ତ ପ୍ରବାହିତ ଯମୁନାଜଳ ବହି ବୃନ୍ଦାବନ ବନ ପୁତ ।। ବିହରେ ।।

 

(୮)

ଶ୍ରୀଜୟଦେବ ଭଣିତ ହରିସୁମରଣ-ଚରିତସୁଧା ସୁଖଦାୟୀ ।

ବନର୍ଣ୍ଣନ ଋତୁ କାଳ ବସନ୍ତେ କାମକଳା ଅନୁଧ୍ୟାୟୀ ।। ବିହରେ ।।

 

ଲଳିତ-କାନ୍ତ ପଦ-ଲୋଭିତ-ମାନସ କାଳୀଚରଣ ଜଣାଏଁ

ହେ ଗୁରୁ, ତବ ସୁର-ଛନ୍ଦ-ସୁଗଦ୍ଧିତ-ସୁମନହାର ରଚନା ଏ ।।

 

ଦରବିଦଳିତ-ମଲ୍ଲୀବଲ୍ଲି ଚଞ୍ଚତ୍‌ ପରାଗ

ପ୍ରକଟିତପଟବାସୈର୍ବାସୟନ୍‌ କାନନାନି ।

ଇହ ହି ଦହତି ଚେତଃ କେତକୀଗନ୍ଧ-ବନ୍ଧୁଃ

ପ୍ରସରଦଶମବାଣ-ପ୍ରାଣପଦ୍‌ଗନ୍ଧବାହଃ ।। ୧ ।।

 

ଅଦ୍ୟୋତ୍ସଙ୍ଗ-ବସଦ୍‌ଭୁଜଙ୍ଗ-କବଳ-କ୍ଳେଶାଦିବେଶାଚଳଂ

ପ୍ରାଳେୟ-ପ୍ଳବନେଚ୍ଛୟାନୁସରତି ଶ୍ରୀଖଣ୍ଡଶୈଳାନିଳଃ ।

କିଞ୍ଚ ସ୍ନିଗ୍ଧ-ରସାଳ-ମୌଳି-ମୁକୁଳାନ୍ୟାଲୋକ୍ୟ ହର୍ଷୋଦୟାତ୍‌

ଉନ୍ମୀଳନ୍ତି କୁହୂଃ-କୁହୂରିତ କଳୋତ୍ତାଳାଃ ପିକାନାଂ ଗିରଃ ।। ୨ ।।

 

ଉନ୍ମୀଳନ୍ମଧୁଗନ୍ଧଲୁବ୍‌ଧ-ମଧୁପ-ବ୍ୟାଧିତ-ଚୂତାଙ୍କୁର

କ୍ରୀଡ଼ତ୍‌କୋକିଳ-କାକଳୀ-କଳକଳୈରୁଦଗୀର୍ଣ୍ଣକରର୍ଣ୍ଣଜ୍ୱରାଃ ।

ନୀୟନ୍ତେ ପଥିକୈଃ କଥଂ କଥମପି ଧ୍ୟନାବଧାନକ୍ଷଣ –

ପ୍ରାପ୍ତ-ପ୍ରାଣସମା-ସମାଗମ-ରସୋଲ୍ଲାସୈରମୀ ବାସରାଃ ।। ୩ ।।

ଇତି ଶ୍ରୀଗୀତଗୋବିନ୍ଦେ ତୃତୀୟଃ ସନ୍ଦର୍ଭଃ ।

 

ସୁରଭିତ ବନଭାଗେ ମଲ୍ଲି କାଗନ୍ଧରାଗେ,

ବିରହୀ-ହୃଦୟଦାହୀ କେତକୀ-ବାସବାହୀ ।

ମଳୟ ମଦନସାଥୀ ପୁଷ୍ପସଂଭୋଗ ଛାତି,

ବହଇ ବିପିନଧାରେ ସୌରଭେ ପ୍ରାଣ ଘାରେ ।। ୧ ।।

(ମାଳିନୀ)

 

ଶ୍ରୀଖଣ୍ଡାଚଳରେ ଭୁଜଙ୍ଗକବଳତ୍ରାସେ ଅବା ବାୟୁ ଗୋ ।

ହୈମାବାସ-ତୁଷାର ଶୀତପରଶ ଧ୍ୟାନେ କି ଧାଏ ସତେ ?

ହେରେ କୋକିଳ ଚୁତପାଦପଶିରେ ଶୋଭା ପ୍ରସୂନାବଳି

ମୋଦେ କୁଜଇ ପଞ୍ଚମେ କୁହୁରବେ ଏକାନ୍ତ ପ୍ରେମେ ରସି ।। ୨ ।।

(ଶାର୍ଦ୍ଦୂଳ ବିକ୍ରୀଡ଼ିତ)

 

ଉନ୍ନାଦେ ମଧୁଗନ୍ଧରେ ଅଳି ଉଡ଼େ ଚୂତାଙ୍କୁରେ କମ୍ପିଲେ ।

ସାଙ୍ଗେ କୋକିଳ-କାକଳୀ ପଥିକରେ ଘାରେ ତ କର୍ଣ୍ଣଜ୍ୱରେ ।।

କାନ୍ତାଧ୍ୟାନଗତେ କ୍ଷଣେ ସ୍ମୁତିପଥେ କଳ୍ପେ ପ୍ରିୟାସଙ୍ଗମେ ।

ଦଣ୍ଡେ ମାତ୍ର ସୁଖୀ ବସନ୍ତସମୟେ କଷ୍ଟେ ବିୟୋଗୀ ତଳେ ।। ୩ ।।

ଇତି ଶ୍ରୀଗୀତଗୋବିନ୍ଦର ତୃତୀୟ ସନ୍ଦର୍ଭ ସମ୍ପୁର୍ଣ୍ଣ

 

ଚତୁର୍ଥଃ ସନ୍ଦର୍ଭଃ

 

ଅନେକ-ନାରୀ-ପରିରମ୍ଭ-ସଂଭ୍ରମ-

ସ୍ଫୁରନ୍ମନୋହାରି-ବିଳାସଲାଳସମ୍‌ ।

ମୁରାରିମାରାଦୁପଦର୍ଶୟନ୍ତ୍ୟସୌ

ସଖୀ ସମକ୍ଷଂ ପୁନରାହ ରାଧିକାମ୍‌ ।। ୧ ।।

 

ଗୀତମ୍‌। ୪ ।

ରାମକରୀ ରାଗେଣ ଯତିତାଳେନ ଚ ଗୀୟତେ ।

(୧)

ଚନ୍ଦନଚର୍ଚ୍ଚିତ-ନୀଳକଳେବର-ପୀତବସନ-ବନମାଳୀ ।

କେଳି-ଚଳନ୍ମଣିକୁଣ୍ଡଳମଣ୍ଡିତ-ଗଣ୍ଡଯୁଗ ସ୍ମିତଶାଳୀ ।।

ହରିରହ ମୁଗ୍‌ଧବଧୂ-ନିକରେ

ବିଳାସିନି ବିଳସତି କେଳିପରେ ।। ଧ୍ରୁବମ୍‌।।

 

Unknown

ଚତୁର୍ଥ ସନ୍ଦର୍ଭ

 

ଅନେକ ଗୋପୀ-ପରିବେଷ୍ଟନେ ହରି

ପ୍ରମତ୍ତ ଆଲିଙ୍ଗନରେ ସରାଗରେ ।

ଅଦୂରକୁଞ୍ଜେ ରହି ତା ନିରେଖି

ସଖୀ କହେ ଠାରି ହକାରି ରାଧିକେ ।। ୧ ।।

(ବଂଶସ୍ଥ)

 

ଗୀତ । ୪ ।

ରାଗ-ରାମକେ(କ)ରୀ, ଯତି-ତାଳ ।

(୧)

ଶ୍ୟାମର ଚନ୍ଦନ-ମଣ୍ଡନ-ଅଙ୍ଗ ସୁଶୋଭନ ପୀତଦୁକୂଳେ

ଦୋଳନଚଞ୍ଚଳ – କୁଣ୍ଡଳମଣ୍ଡଳ ହାସଭରା ଶ୍ରୁତିମୂଳେ ।

ନଟବର ନାଗର କେଳି କରେ

ବିଳାସିନି, ବ୍ରଜବନିତା-ରସରେ ।। ଘୋଷା ।।

 

(୨)

ପୀନପୟୋଧର-ଭାରଭରେଣ ହରିଂ ପରିରଭ୍ୟ ସରାଗମ୍‌ ।

ଗୋପବଧୂରନୁଗାୟତି କାଚିଦୁଦଞ୍ଚିତ-ପଞ୍ଚମ-ରାଗମ୍‌ ।।

 

(୩)

କାପି ବିଳାସ-ବିଲୋଳ-ବିଲୋଚନ-ଖେଳନଜନିତ-ମନୋଜମ୍‌ ।

ଧ୍ୟାୟତି ମୁଗ୍‌ଧବଧୁରଧିଙ୍କଂ ମଧୂସୂଦନ-ବଦନ-ସରୋଜମ୍‌ ।।

 

(୪)

କାପି କପୋଳତତଳେ ମିଳିତା ଲପିତୁଂ କିମପିଶ୍ରୁତିମୂଳେ ।

ଚାରୁ ଚୁଚୁମ୍ୱ ନିତମ୍ୱବତୀ ଦୟିତଂ ପୁଲକୈରନୁକୂଳେ ।।

 

(୫)

କେଳି-କଳା-କୁତୁକେନ ଚ କାଚିଦମୁଂ ଯମୁନା-ଜଳ-କୂଳେ ।

ମଞ୍ଜୁଳ ବଞ୍ଜୁଳ-କୁଞ୍ଜଗତଂ ବିଚକର୍ଷ କରେଣ ଦୁକୂଳେ ।।

 

(୬)

କରତଳ-ତାଳ-ତରଳ-ବଳୟାବଳି-କଳିତ-କଳସ୍ୱନ-ବଂଶେ ।

ରାସରସେ ସହନୃତ୍ୟପରା ହରିଣା ଯୁବତଃ ପ୍ରଶଶଂସେ ।।

 

(୭)

ଶ୍ଳିଷ୍ୟତି କାମପି ଚୁମ୍ୱତି କାମପି କାମପି ରମୟତି ରାମାମ୍‌ ।

ପଶ୍ୟତି ସସ୍ମିତ-ଚାରୁତ ରାମପରାମନୁଗଚ୍ଛତି ବାମାମ୍‌ ।।

 

(୨)

କେ କୁଚ-ଭାରଭରେ ପରିରମ୍ଭଇ ନାଗରରେ ଅନୁରାଗେ ।

କେ ପୁଣି ମଞ୍ଜୁଳ-କଣ୍ଠସୁରେ ମଧୁ ଗାବଇ ପଞ୍ଚମ ରାଗେ ।।

 

(୩)

କାମ-ବିଳାସ-କଟାକ୍ଷଣରେ ହରି-ଆନନ୍ଦ କେ ହସି ଚାହେଁ ।

ଧ୍ୟାନରତାସରି ନେତ୍ରଢଳା, ମଧୁସୂଦନ-ମତି ଭରମାଏଁ ।।

 

(୪)

କର୍ଣ୍ଣ-କୁହା ଛଳି କେ ପୁଣି ମୋହନ-କର୍ଣ୍ଣପୁଟେ ମୁଖ ମଣ୍ଡେ ।

ଚାରୁନିତମ୍ୱବତୀ ରସି ଚୁମ୍ୱଇ ପୁଲକ-ସୁରକ୍ତିମ ଗଣ୍ଡେ ।।

 

(୫)

କେ ରମଣୀ ଯମୁନାତଟ ବଞ୍ଜୁଳ-କୁଞ୍ଜପଟେ ରସି ରଙ୍ଗେ ।

ମୋହନ-ବାସ ଭିଡ଼େ ପରିହାସର ସାର-ସରାଗ-ତରଙ୍ଗେ ।।

 

(୬)

ନାଚଇ ରାସରସେ ବ୍ରଜନାରୀ, ନାଗରରାଜ ପ୍ରଶଂସେ ।

ବେଣୁସୁରେ କରତାଳ ମିଶେ, ଅନୁପୂରକ କଙ୍କଣ ଭାଷେ ।।

 

(୭)

କେ ଲଭି ଚୁମ୍ୱନ, କେ ପରିରମ୍ଭଣ, କେ ବଣ ଶ୍ୟାମ-ସରାଗେ ।

କେ ରୁଷି ମାନବତୀ, ହରି ଧାମଇଁ ତା ପଛରେ ଅନୁରାଗେ ।।

 

(୮)

ଶ୍ରୀଜୟଦେବ-ଭଣିତମିଦମଭୁତ କେଶବ-କେଳି-ରହସ୍ୟମ୍‌ ।

ବୃନ୍ଦାବନ-ବିପିନେ ଲଳିତଂ ବିତନୋତୁ ଶୁଭାନି ଯଶସ୍ୟମ୍‌ ।।

 

ବିଶ୍ୱେଷାମନୁରଞ୍ଜନେନ ଜନୟନ୍ନାନନ୍ଦମିଦୀବର-

ଶ୍ରେଣୀଶ୍ୟାମଳ-କୋମଳୈରୁପନୟନ୍ନଙ୍ଗୈ ରନଙ୍ଗୋତ୍ସବମ୍‌ ।

ସ୍ୱଚ୍ଛନ୍ଦଂ ବ୍ରଜସୁନ୍ଦରୀଭିରଭିତଃ ପ୍ରତ୍ୟଙ୍ଗମାଲିଙ୍ଗିତଃ

ଶୃଙ୍ଗାରଃ ସଖି ! ମୂର୍ତ୍ତିମାନିବ ମଧୌ ମୁଗ୍‌ଧୋ ହରିଃ କ୍ରୀଡ଼ତି ।। ୧ ।।

 

ରସୋଲ୍ଲାସଭରେଣ ବିଭ୍ରମ-ଭୃତାମାଭୀର-ବାମଭ୍ରୁବା-

ମଭ୍ୟର୍ଣ୍ଣଂ ପରିରଭ୍ୟ ନିର୍ଭର-ମୁରଃ ପ୍ରେମାନ୍ଧୟା ରାଧୟା ।

ସାଧୁ ତ୍ୱଦ୍‌ବନଂ ସୁଧାମୟମିତ ବ୍ୟାହୃତ୍ୟ ଗୀତସ୍ତୁତି-

ବ୍ୟାଜାଦୁଭଟ-ଚୁମ୍ୱିତଃ ସ୍ମିତମନୋହାରୀ ହରିଃ ପାତୁ ବଃ ।। ୨ ।।

 

ଇତି ଶ୍ରୀଗୀତଗୋବିନ୍ଦେ ଚତୁର୍ଥଃ ସନ୍ଦର୍ଭଃ ।

ଇତି ଶ୍ରୀଗୀତଗୋବିନ୍ଦେ ମହାକାବ୍ୟେ ସାମୋଦ-ଦାମୋଦରୋ ନାମ

ପ୍ରଥମଃ ସର୍ଗଃ ।

 

(୮)

ବୃନ୍ଦାବନ-ବନ ଅଦ୍ଭୂତ-ମୋହନ-କେଳିକଳାପ ବିଳାସେ ।

ଶ୍ରୀଜୟଦେବ ଭଣେ ଶୁଭଦାୟକ ଭକ୍ତର ଚିତ୍ତସକାଶେ ।।

 

କୋମଳ-କାନ୍ତ-ସୁଧାମୟ କାବ୍ୟର ମୋହ ତୁଟାଇ ନ ପାରି ।

କାଳୀଚରଣ ରଚେ ପଦ ଶ୍ରୀଗୁରୁ-ରାଗ-ତାଳ-ଅନୁକାରୀ ।।

 

ପ୍ରେମେ ଯେ ଅନୁରଞ୍ଜି ମୋହିତ କରେ ଏ ବିଶ୍ୱ ଆନନ୍ଦରେ

ନୀଳେନ୍ଦୀବର ନିନ୍ଦି କାନ୍ତ-ଛବିରେ ଯେ ମୋହ ସଂପାଦଇ ।

ସ୍ୱଚ୍ଛନ୍ଦେ ପ୍ରତି ଅଙ୍ଗରେ ବ୍ରଜସଖୀ-ଚୁମ୍ବେ ସଦା ମୁଗ୍‌ଧ ଯେ

କ୍ରୀଡ଼େ ସେ ମଧୁମାସରେ ସଖି, ସତେ ଶୃଙ୍ଗାର ସାକ୍ଷାତ ବା ।। ୧ ।।

                        (ଶାର୍ଦ୍ଦୂଳବିକ୍ରୀଡ଼ିତ)

 

ରାସେ ମାତି ରସେ ବିଳାସ-ଭ୍ରମରେ ଗୋପାଙ୍ଗନାସମ୍ମୁଖେ

ରାଧା ବିସ୍ମରି ଲାଜ, ଶ୍ୟାମ-ତନୁରେ ଗାଢ଼େ ରଚେ ଚୁମ୍ବନେ ।

ଭାଷେ ସେ ସ୍ତୁତିଗୀତିରେ-ମୁଖଶିରୀ ଶୋଭା କି ମଂଜୁଳ ଗୋ !

ରାଧା-ଗୀତ-ବିମୁଗ୍‌ଧ ହାସ-ରସିଆ ରକ୍ଷା କରନ୍ତୁ ହରି ।। ୨ ।।

                  (ଶାର୍ଦ୍ଦୂଳବିକ୍ରୀଡ଼ିତ)

ଇତି ଶ୍ରୀଗୀତଗୋବିନ୍ଦର ଚତୁର୍ଥ ସନ୍ଦର୍ଭ ସମ୍ପୂର୍ଣ୍ଣ ।

ଇତି ଶ୍ରୀଗୀତଗୋବିନ୍ଦ-ମହାକାବ୍ୟର ସାମୋଦ-ଦାମୋଦରନାମକ

ପ୍ରଥମ ସର୍ଗ

 

ଅଥ ଦ୍ୱିତୀୟଃ ସର୍ଗଃ

ଅକ୍ଳେଶ-କେଶବଃ

ବିହରତି ବନେ ରାଧା ସାଧାରଣ-ପ୍ରଣୟେ ହରୌ

ବିଗଳିତ-ନିଜୋତ୍କର୍ଷାଦୀର୍ଷ୍ୟାବଶେନ ଗତାନ୍ୟତଃ ।

କ୍ୱଚିଦପି ଲତାକୁଞ୍ଜେ ଗୁଞ୍ଜନ୍‌ମଧୁ ବ୍ରତମଣ୍ଡଳୀ-

ମୁଖର-ଶିଖରେ ଲୀନା ଦୀନାପ୍ୟୁବାଚ ରହଃ ସଖୀମ୍ ।। ୧ ।।

 

ପଞ୍ଚମଃ ସନ୍ଦର୍ଭଃ

ଗୀତମ୍ । ୫ ।

ଗୁର୍ଜ୍ଜରୀ-ରାଗେଣ ଯତିତାଳେନ ଚ ଗୀୟତେ ।

(୧)

ସଞ୍ଚରଦଧର-ସୁଧା-ମଧୁର-ଧ୍ୱନି-ମୁଖରିତ-ମୋହନ-ବଂଶମ୍

ଚଳିତ-ଦୃଗଞ୍ଚଳ-ଚଞ୍ଚଳ-ମୌଳି-କପୋଳ-ବିଲୋଳ-ବତଂସମ୍ ।

ରାସେ ହରିମିହ ବିହିତ-ବିଳାସମ୍

ସ୍ମରତି ମନୋ ମମ କୃତ-ପରିହାସମ୍ ।। ଧ୍ରୁବମ୍ ।।

 

(ଦୁଇ)

ରାତ୍ରିର ତୃତୀୟ ପ୍ରହର । ନିଭୃତ ନିକୁଞ୍ଜ । ବସନ୍ତ ପବନ ଛୁଇଁଛୁଇଁ ଯାଉଛି ଲଳିତ-ଲବଙ୍ଗଲତାର ଅଙ୍ଗପ୍ରତ୍ୟଙ୍ଗ । ବ୍ରଜଗୋପିକା ପରିବେଷ୍ଟନୀରେ ରସରାଜଙ୍କୁ ପ୍ରମତ୍ତ ଥିବାର ଦେଖି, ଅଭିମାନଭରା ହୃଦୟରେ ରାସସ୍ଥଳୀ ବର୍ଜନକରି ଈର୍ଷାମାନିନୀ ଶ୍ରୀମତୀ ବସିଛନ୍ତି ନିଭୃତ ନିକୁଞ୍ଜରେ । ଝରିପଡ଼ୁଛି କମନୟନରୁ ନୀର ଧାର,-ପାର୍ଶ୍ୱରେ ନର୍ମ-ସହଚରୀ ।

 

ସହଚରୀ-ଧନି ! ଜାଣ ତ, ଦଗାଦାରଙ୍କ ରୀତି । ସେ ସ୍ମୃତିକି ପୋଛି ଦିଅ ମନରୁ ସହି !

ଶ୍ରୀମତୀ-(ଦୀର୍ଘନିଶ୍ୱାସ ପକାଇ) ହଁ, ବୁଝୁଛି ସବୁ । ହେଲେ ସହି ! ଅଭୁଲା ସେଇ ସ୍ମୃତି । ମନେପଡ଼େ ସଖି, କାଲିର ପ୍ରେମଲୀଳା । ଆଜି ପୁଣି ସାଧାରଣ ଗୋପନାରୀମାନଙ୍କ ସହିତ ସେ...

 

ସହଚରୀ-ଶଠଙ୍କର ପ୍ରକୃତି-ଏକଥା ତ ଅଜଣା ନୁହେଁ ।

ଶ୍ରୀମତୀ-ସବୁ ଜାଣେ । କିନ୍ତୁ....ତଥାପି କେଜାଣି କାହିଁକି ମନ ମୋର କହେ-ସେ ମୋର । ଅନବରତ ଅନ୍ତର ଭିତରେ ମୋର ତାଙ୍କରି ରାସଲୀଳା । ତନୁରୁ ମନକୁ ଅଲଗା କରିବି କିପରି, କହ ?

 

ଅନ୍ୟପକ୍ଷରେ ରାସମଣ୍ଡଳୀ ମଧ୍ୟରେ ଥିବାବେଳେ ଶ୍ରୀକୃଷ୍ଣଙ୍କ ଦୃଷ୍ଟି ମଧ୍ୟ ଅଦୂରବର୍ତ୍ତିନୀ ଶ୍ରୀମତୀଙ୍କ ନୟନରେ ମିଶିଯାଇଛି, -ବିଚଳିତ ହୋଇପଡ଼ିଛନ୍ତି ନାଗରରାଜ । ଉଭୟଙ୍କ ଅନ୍ତର-ରାଜ୍ୟରେ ନିତ୍ୟବୃନ୍ଦାବନ-ରାସଲୀଳାର ଉନ୍ମାଦନା । ଅପ୍ରକଟ ସ୍ୱକୀୟା ପ୍ରେମର ପରକୀୟା ଭାବପ୍ରକାଶ । ଆତ୍ମା-ପରମାତ୍ମାର ଏଇ ଅବ୍ୟକ୍ତ ତତ୍ତ୍ୱଲୀଳାକୁ ଫୁଟାଇଛନ୍ତି ଭକ୍ତକବି ଜୟଦେବ । ଯେହେତୁ ତତ୍ତ୍ୱ, ଅଥଳ ଲୀଳା-ବାରୀଧିର ଜଳବିନ୍ଦୁ ମାତ୍ର । ବିଦଗ୍‌ଧ ନାୟକ କେଶବଙ୍କର ଏଇ ଲୀଳାଚିତ୍ର କ୍ଳେଶବିହୀନ-ତେଣୁ ଏହିଠାରେ ସେ ‘‘ଅକ୍ଳେଶ କେଶବ’’ ।

 

ଦ୍ୱିତୀୟ ସର୍ଗ

ଅକ୍ଳେଶ-କେଶବ

ସମପ୍ରଣୟରେ ମାତେ ଗୋପୀତୁଲେ ବନରେ ହରି

ଗଉରବହରା ଭାଳେ ଈର୍ଷ୍ୟାବଶେ ବିମନା ଧନୀ ।

ବିଜନ-ବିପିନେ କୁଞ୍ଜେ ଗୁଞ୍ଜେ ଶିଖେ ଭ୍ରମରା ଯହିଁ

ଲୁଚି ତହିଁ ସଖୀ କର୍ଣ୍ଣେ ରୋଷେ ଭଣେ ଗୁପତେ କଥା ।।

                              (ହରିଣୀ)

 

ପଞ୍ଚମ ସନ୍ଦର୍ଭ

ଗୀତ । ୫ ।

ଗୁର୍ଜ୍ଜରୀ ରାଗ, ଯତି-ତାଳ ।

 

(୧)

ଚୁମ୍ୱି ଅଧର-ମଧୂ ମଧୂର ନିନାଦେ ବେଣୁ ମନୋହର ବାଜେ

ଚଳ-ଯୁଗ-ନୟନ ସୁଚଞ୍ଚଳ-ଚୂଡ଼ାକୁଣ୍ଡଳ ଗଣ୍ଡ ବିରାଜେ ।

ରଙ୍ଗେ, ହରି ବିହରେ ମଧୁରାସେ

ସୁମରି ମରେ ସଖି, ଗତ-ପରିହାସେ ।। ଘୋଷା ।।

 

(୨)

ଚନ୍ଦ୍ରକ-ଚାରୁ-ମୟୂର-ଶିଖଣ୍ଡକ-ମଣ୍ଡଳବଳୟିତ-କେଶମ୍ ।

ପ୍ରଚୁର-ପୁରନ୍ଦର-ଧନୁରନୁ-ରଞ୍ଜିତ-ମେଦୁର-ମୁଦିର-ସୁବେଶମ୍ ।।

 

(୩)

ଗୋପ-କଦମ୍ୱ-ନିତମ୍ୱବତୀ-ମୁଖଚୁମ୍ୱନ-ଲମ୍ଭିତ-ଲୋଭମ୍ ।

ବନ୍ଧୁଜୀବ-ମଧୁରାଧର-ପଲ୍ଲବମୁଲ୍ଲସିତ-ସ୍ମିତ-ଶୋଭମ୍ ।।

 

(୪)

ବିପୁଳ-ପୁଲକ-ଭୂଜ-ପଲ୍ଲବ-ବଳୟିତ-ବଲ୍ଳବ-ଯୁବତି-ସହସ୍ରମ୍ ।

କର-ଚରଣୋରସି ମଣିଗଣ-ଭୂଷଣ-କିରଣ ବିଭିନ୍ନ-ତମିସ୍ରମ୍ ।।

(୫)

ଜଳଦ-ପଟଳ-ଚଳଦିନ୍ଦୁ-ବିନିନ୍ଦକ-ଚନ୍ଦନ-ତିଳକ-ଲଲାଟମ୍ ।

ପୀନପୟୋଧର-ପରିସର-ମର୍ଦ୍ଦନ-ନିର୍ଦ୍ଦୟ-ହୃଦୟ-କପାଟମ୍ ।।

 

(୬)

ମଣିମୟ-ମକର-ମନୋହର-କୁଣ୍ଡଳ-ମଣ୍ଡିତ-ଗଣ୍ଡମୁଦାରମ୍ ।

ପୀତବସନମନୁଗତ-ମୁନି-ମନୁଜ-ସୁରାସୁରବର-ପରିବାରମ୍ ।।

 

(୨)

ଚାରୁ-ମୟୂର-ଶିଖଣ୍ଡ-ବିମଣ୍ଡିତ-କେଶପାଶ ଚଉପାଶେ ।

ଇନ୍ଦ୍ରଚାପସରି ଶୋଭନ-ମୋହନ-ନବଜଳଧର କି ବିକାଶେ ।।

(୩)

ମଞ୍ଜୁ-ନିତମ୍ବବତୀ ବ୍ରଜନାରୀ-ଆନନ-ଚୁମ୍ୱ-ପିଆଶୀ ।

ବଧୁଲି-ସୁମନସମ, ଅଧର ମନୋରମ, ଦରଦର ହାସ ବିକାଶି ।।

 

(୪)

ପୁଲକ-ଚଳିତ-ଭୁଜ-ପଲ୍ଲବ-ବେଷ୍ଟନ-ବିଜଡ଼ିତ ଅଗଣିତ ଗୋପୀ ।

କର-ଉର-ଚରଣବିମଣ୍ଡିତ ଉଜ୍ଜ୍ୱଳ-ମଣିଗଣ ତମସା-ଲୋପୀ ।।

(୫)

ଭାଲ-ବିରାଜିତ-ଚନ୍ଦନବିନ୍ଦୁକି ନିନ୍ଦଇ ବାରିଦ-ଇନ୍ଦୁ ।

ପୀନପୟୋଧର-ବିସ୍ତୃତି-ମର୍ଦ୍ଦନ ବରହିତ-ମମତାବିନ୍ଦୁ ।।

 

(୬)

ମଣିମୟ ମକରାକୃତି-କୁଣ୍ଡଳଧର ଗଣ୍ଡ କି ମଞ୍ଜୁଳ ଶୋହେ ।

ପୀତାମ୍ୱର ସୁର-ନର-ମୁନି-ଦାନବ-କାମିନୀ-ମାନସ ମୋହେ ।।

(୭)

ବିଶଦ-କଦମ୍ୱ-ତଳେ ମିଳିତଂ କବି-କଳୁଷ-ଭୟଂ ଶମୟନ୍ତିମ୍ ।

ମାମପି କିମପି ତରଙ୍ଗଦନଙ୍ଗଦୃଶା ମନସା ରମୟନ୍ତମ୍ ।।

 

(୮)

ଶ୍ରୀଜୟଦେବ-ଭଣିତମତିସୁନ୍ଦର-ମୋହନ-ମଧୂରିପୁ-ରୂପମ୍

ହରି-ଚରଣ-ସ୍ମରଣଂ ପ୍ରତି ସଂପ୍ରତି ପୂଣ୍ୟବତାମନୁରୂପମ୍ ।।

 

ଗଣୟତି ଗୁଣାଗ୍ରାମଂ ଭ୍ରାମଂ ଭ୍ରମାଦପି ନେହତେ

ବହତି ଚ ପରିତୋଷଂ ଦୋଷଂ ବିମୁଞ୍ଚତି ଦୂରତଃ ।

ଯୁବତିଷୁ ବଳତ୍ତୃଷ୍ଣେ କୃଷ୍ଣେ ବିହାରିଣି ମାଂ ବିନା

ପୁନରପି ମନୋ ବାମଂ କାମଂ କରୋତି କରୋମି କିମ୍ ।। ୧ ।।

ଇତି ଶ୍ରୀଗୀତଗୋବିନ୍ଦେ ପଞ୍ଚମଃ ସନ୍ଦର୍ଭଃ

 

(୭)

ପ୍ରଣୟ-କଳହ-ରଣ-ବାରଣ-କାରଣ ବିକଚକଦମ୍ୱର ମୂଳେ ।

କାମ-ତରଙ୍ଗିତ-ନୟନ ଧ୍ୟାନରତ ମମ ସଙ୍ଗମ-ଅନୁକୂଳେ ।।

 

(୮)

ଶ୍ରୀଜୟଦେବ-ଭଣିତ ମନମୋହନ-ମଧୁରିପୁରୂପ-ସରାଗେ ।

ଭକତ-ମନେ ଅଧୁନା ହରି-ସୁମରଣେ ବର୍ଦ୍ଧନ କରୁ ଅନୁରାଗେ ।।

 

ଉତ୍କଳଖଣ୍ଡ-ପରାକୃତ ଭାଷେ କାଳୀଚରଣ ମନାଇଁ ।

ରଚନ କରେ ପଦ ଶ୍ରୀଜୟଦେବପ୍ରଦର୍ଶିତ ମାର୍ଗ ଅନାଇଁ ।।

 

ହରି ପର-ରସେ ରଙ୍ଗୀ ସଙ୍ଗୀ ତଥାପି ତ ମୋର ସେ

ଅବିଗୁଣଗଣେ ତେଜେଁ ହେଜେଁ ଗୁଣାବଳୀ ତାର ଗୋ ।

କି କରିବି ମୁଁ ଯେ ଶ୍ୟାମ କାମେ ସଦା ଦିନ-ଯାମିନୀ

ଛି ଛି ସଖି, ମରେ ଲାଜେ ବ୍ୟାଜେ ସିନା ଅନୁରାଗିଣୀ ।। ୧ ।।

                                    (ହରିଣୀ)

ଇତି ଶ୍ରୀଗୀତଗୋବିନ୍ଦର ପଞ୍ଚମ ସନ୍ଦର୍ଭ ସମ୍ପୂର୍ଣ୍ଣ ।

 

ଅଥ ଷଷ୍ଠଃ ସନ୍ଦର୍ଭଃ

ଗୀତମ୍ । ୬ ।

ମାଳବଗୌଡ଼ରାଗେଣ ଏକତାଳୀତାଳେନ ଚ ଗୀୟତେ ।

(୧)

ନିଭୃତ-ନିକଞ୍ଜଗୃହଂ ଗତୟା ନିଶି ରହସି ନିଳୀୟ ବସନ୍ତମ୍ ।

ଚକିତବିଲୋକିତ-ସକଳଦିଶା ରତି-ରଭସ-ଭରେଣ ହସନ୍ତମ୍ ।

ସଖି ହେ, କେଶି-ମଥନ-ମୁଦାରମ୍

ରମୟା ମୟା ସହ ମଦନ-ମନୋରଥ-ଭାବିତୟା ସବିକାରମ୍ ।

                        ।। ଧ୍ରୁବମ୍ ।।

 

(୨)

ପ୍ରଥମସମାଗମ-ଲଜ୍ଜିତୟା ପଟୁ-ଚାଟୁଶତୈରନୁକୂଳମ୍ ।

ମୃଦୁ-ମଧୁର-ସ୍ମିତ-ଭାଷିତୟା ଶିଥିଳୀକୃତ-ଜଘନଦୁକୂଳମ୍ ।।

(୩)

କିସଳୟ-ଶୟନ-ନିବେଶିତୟା ଚିରମୁରସି ମମୈବ ଶୟାନମ୍ ।

କୃତପରିରମ୍ଭଣ-ଚୁମ୍ବନୟା ପରିରଭ୍ୟ କୃତାଧରପାନମ୍ ।।

 

ଷଷ୍ଠ ସନ୍ଦର୍ଭ

ଗୀତ । ୬ ।

ରାଗ-ମାଳବ, ତାଳ-ଏକତାଳ ।

(୧)

ବିଜନ ନିକୁଞ୍ଜଘରେ ନିଶିରେ ଜଗି ବସିଥିବି ତା ପଥ ଚାହିଁ

ରତି-ରସ-ଲାଳସ-ଚକିତ-ଅନାଉଣି ହସୁଥିବ ହେରି କହ୍ନାଇଁ ।

ସଖି ରେ ! କେଶିମଥନ-ଉଦାର

ସଙ୍ଗ କରାଇ ଅନଙ୍ଗ-ମନୋରଥ ସଂକଟ ମୋର ନିବାର ।। ଘୋଷା ।।

 

(୨)

ଚାଟୁ କଥା କହି ଲାଜ ହରେ ସଖି ! ପହିଲି-ସମାଗମ କାଳେ ।

ଜଘନର ବାସ ଖସାଇଦିଏ ହସି ଭାଷିଲେ ମୁଁ ରତିଆଳେ ।।

(୩)

ଦଳ-ତଳପେ ପହୁଡ଼ାଇ, ଉରେ ମମ ସେ ଚିର ଥାଇ ଘୁମାଇ ।

ଲଭି ପରିରମ୍ଭଣ ମୋ ଅଧରେ, ମଧୂ ଚୁମ୍ୱ ଦିଏ ତ ଜମାଇ ।।

 

(୪)

ଅଳସ-ନିମୀଳିତ-ଲୋଚନୟା            ପୁଲକାବଳି-ଲଳିତକପୋଳମ୍ ।

ଶ୍ରମଜଳ-ସକଳ-କଳେବରୟା            ବର-ମଦନମଦାଦତିଲୋଳମ୍ ।।

 

(୫)

କୋକିଳ-କଳରବ-କୂଜିତୟା            ଜିତମନସିଜ-ତନ୍ତ୍ରବିଚାରମ୍ ।

ଶ୍ଳଥ-କୁସୁମାକୁଳ-କୁନ୍ତଳୟା            ନଖଲିଖିତ-ଘନସ୍ତନଭାରମ୍ ।।

 

(୬)

ଚରଣ-ରଣିତ-ମଣି-ନୂପୁରୟା            ପରିପୂରିତ-ସୁରତ-ବିତାନମ୍ ।

ମୁଖର-ବିଶୃଙ୍ଖଳ-ମେଖଳୟା            ସକଚ-ଗ୍ରହ-ଚୁମ୍ୱନ-ଦାନମ୍ ।।

 

(୭)

ରତି-ସୁଖ-ସମୟ-ରସାଳସୟା      ଦରମୁକୁଳିତ-ନୟନ-ସରୋଜମ୍ ।

ନିଃସହ-ନିପତିତ-ତନୁଲତୟା            ମଧୁସୂଦନମୁଦିତ ମନୋଜମ୍ ।।

 

(୮)

ଶ୍ରୀଜୟଦେବ-ଭଣିତମିଦମତିଶୟ-ମଧୂରିପୁ-ନିଧୁବନଶୀଳମ୍ ।

ସୁଖମୁତ୍କଣ୍ଠିତ-ଗୋପବଧୂ-କଥିତଂ ବିତନୋତୁ ସଲୀଳମ୍ ।।

 

(୪)

ରତି-ଅଳସେ ମୁଦଲୋଚନ ମୋ      ପୁଲକାଞ୍ଚିତ ଚାରୁ କପୋଳେ ।

ଝାଳ-ଝରା ତନୁ ହେରି ତ ଗୋ      ଅତି ଆତୁର ସେ ମଦଭୋଳେ ।।

 

(୫)

 

ମନସିଜ-ପଣ୍ଡିତ ସେ ତ ମୁଁ ରେ      କୁହୁଭାଷ ଭଣେ ରତି-କାଳେ

ସୁମନ ଖସେ, ଚଉଁରୀ ମୁକୁଳେ      କୁଚ ମଣ୍ଡଇ ଖର-ନଖ-ଗାରେ ।।

 

(୬)

ଯା’ ପରିପୁରିତ ରତିରସରେ            ମଣି-ନୂପୁର ଗୁଞ୍ଜଇ ମୋର ।

କେଶପାଶ ଧରି ଚୁମ୍ୱଇ ସେ            ତୁଟି ଲୋଟଇ ମେଖଳ-ଡୋର ।।

 

(୭)

ସୁରତ-ଜନିତ-ମଦ-ଅଳସଭରେ      ଦରମୁକୁଳିତନୟନ-ବିଳାସେ !

ହେରି ଅବଶବଶ ମୋ ତନୁରେ      ଘନ ମଦନ-ବିକାର ବିକାଶେ ।।

 

(୮)

ଶ୍ରୀଜୟଦେବ ଭଣେ ମଧୁସୂଦନ      ନିଧୁବନ-କେଳିବିଧାନେ ।

ବିରହ-ବିତପ୍ତ-ଧନୀ-ବଚନେ            ମୂଦ ଦାନୁ ବିଦଗ୍‌ଧପରାଣେ ।।

 

ଉଜ୍ଜ୍ୱଳ-ସଂଭବ ଆଦି ଗୀତ-କବି      ଶ୍ରୀଜୟଦେବର ଦାସ ।

କବିଶଶି-ବିରଚନ ସମସୁରଛନ୍ଦେ      ଗାୟନ ମନ-ଅଭିଳାଷ ।।

 

ହସ୍ତ-ସ୍ରସ୍ତ-ବିଳାସ-ବଂଶମନୃଜୁ-ଭ୍ରୂବଲ୍ଲୀମଦ୍‌ବଲ୍ଲବୀ-

ବୃନ୍ଦୋତ୍ସାରି-ଦୃଗନ୍ତ-ବୀକ୍ଷିତମତିସ୍ୱେଦାର୍ଦ୍ର-ଗଣ୍ଡସ୍ଥଳମ୍‌ ।

ମାମୁଦ୍‌ବୀକ୍ଷ ବିଲ୍ଲଜ୍ଜିତଂ ସ୍ମିତ-ସୁଧା-ମୁଗ୍‌ଧାନନଂ କାନନେ

ଗୋବିନ୍ଦଂ ବ୍ରଜସୁନ୍ଦରୀଗଣବୃତଂ ପଶ୍ୟାମି ହୁଷ୍ୟାମି ଚ ।।୧।।

 

ଦରାଲୋକସ୍ତୋକସ୍ତବକ-ନବକାଶୋକ-ଲତିକା-

ବିକାସଃ କାସାରୋପବନ-ପବନୋଽପି ବ୍ୟଥୟତି ।

ଅପି ଭ୍ରାମ୍ୟଦ୍‌ଭୃଙ୍ଗୀ-ରଣିତ-ରମଣୀୟା ନ ମୁକୁଳ-

ପ୍ରସୂତିଶ୍ଚୂତାନାଂ ସଖି ! ଶିଖରିଣୀୟଂ ସୁଖୟତି ।।୨।।

 

ସାକୂତ-ସ୍ମିତମାକୁଳାକୁଳ-ଗଳଦ୍ଧମ୍‌ମିଲ୍ଲମୁଲ୍ଲାସିତ-

ଭ୍ରୂବଲ୍ଲୀକମଳୀକ-ଦର୍ଶିତ-ଭୂଜାମୂଳୋର୍ଧ୍ୱହସ୍ତ-ସ୍ତନମ୍ ।

ଗୋପୀନାଂ ନିଭୃତଂ ନିରୀକ୍ଷ୍ୟ ଗମିତାକାଂକ୍ଷଶ୍ଚିରଂ ଚିନ୍ତୟନ୍‌

      ଅନ୍ତର୍ମୁଗ୍‌ଧ-ମନୋହରଂ ହରତୁ ବଃ କ୍ଳେଶଂ ନବଃ କେଶବଃ ।।୩ ।।

 

ଇତି ଶ୍ରୀ ଗୀତଗୋବିନ୍ଦେ ଷଷ୍ଠଃ ସନ୍ଦର୍ଭଃ ।

ଇତି ଶ୍ରୀ ଗୀତଗୋବିନ୍ଦ-ମହାକାବ୍ୟେ ଅକ୍ଳେଶ-କେଶବୋ ନାମ

ଦ୍ୱିତୀୟ ସର୍ଗଃ ।

 

ସାନନ୍ଦେ ବ୍ରଜନାଗରୀ-ଗହଣରେ ରାସେ ଥିଲେ ମତ୍ତ ସେ,

ଭ୍ରୂବଲ୍ଲୀନଟନେ ରସାନ୍ତି ଗୋପିଏ ଶ୍ୟାମେ ଅନାଇଁ ହସି ।

ଲାଜେ ବିସ୍ମିତ ବନ୍ଧୁ-ଚନ୍ଦ୍ରମୁଖ ଗୋ, ନେତ୍ରାନ୍ତପାତେ ମୋତେ,

ତ୍ରସ୍ତେ ହସ୍ତୁ ବିଳାସବେଣୁ ଖସିଲା ଶ୍ରୀଅଙ୍ଗ ଝାଳେ ଭରେ ।। ୧।।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ଦିଏ ପୀଡ଼ା ନେତ୍ରେ ଦରହସି ଅଶୋକେ କଳିଦଳେ,

ବ୍ୟଥା ଜାଗେ ବାପୀତଟ-ବନ-ଚରା-ଶ୍ରୀତପବନେ ।

ଭ୍ରମେ ମୋଦେ ରଙ୍ଗେ ବକ୍କଳ ନିକଟେ ଗୁଞ୍ଜି ଭ୍ରମରା,

ବରଂ ଘାରେ ଚିତ୍ତେ ପୁଲକିତ ରସାଳେ ଶିଖରିଣୀ ।। ୨ ।।

(ଶିଖରିଣୀ)

 

ମନ୍ଦେ ଚାହିଁ ହସେ, ଛଳେ ଅଧକୁଚେ ଦର୍ଶାଇ ତୋଳେ ଭୁଜେ

ବେଣୀ-ବନ୍ଧନ ଆକୁଳେ ଫିଟି ଖସେ ଗୋପୀ କଟାକ୍ଷ ରସେ ।

ରାଧା-ପ୍ରେମ ତୁଳେ ନିରାଟ ଗୁରୁ ଯେ ଝୁରେ ମାନସେ

ରାସେ ରଙ୍ଗରସେ ନବୀନ ନିତି ସେ ଗୋବିନ୍ଦ କ୍ଳେଶେ ହରୁ ।। ୩ ।।

(ଶାର୍ଦ୍ଦୁଳ ବିକ୍ରୀଡ଼ିତ)

 

ଇତି ଶ୍ରୀଗୀତଗୋବିନ୍ଦର ଷଷ୍ଠ ସନ୍ଦର୍ଭ ।

ଇତି ଶ୍ରୀଗୀତଗୋବିନ୍ଦ-ମହାକାବ୍ୟର ଅକ୍ଳେଶକେଶବନାମକ

ଦ୍ୱିତୀୟ ସର୍ଗ ।

 

ଅଥ ତୃତୀୟଃ ସର୍ଗଃ

ମୃଗ୍‌ଧ-ମଧୁସୂଦନଃ

 

କଂସାରିରପି ସଂସାର-ବାସନାବନ୍ଧ-ଶୃଙ୍ଖଳାମ୍ ।

ରାଧାମାଧାୟ ହୃଦୟେ ତତ୍ୟାଜ ବ୍ରଜ-ସୁନ୍ଦରୀଃ ।। ୧ ।।

 

ଇତସ୍ତତସ୍ତାମନୁସୃତ୍ୟ ରାଧିକା-

ମନଙ୍ଗବାଣ-ବ୍ରଣଖିନ୍ନ-ମାନସଃ ।

କୃତାନୁତାପଃ ସ କଳିନ୍ଦ-ନନ୍ଦିନୀ-

ତଟାନ୍ତ-କୁଞ୍ଜେ ବିଷସାଦ ମାଧବଃ ।।୨ ।।

 

 

(ତିନି)

ବ୍ରଜଗୋପିକାମାନଙ୍କ ଗହଣରୁ ଲୁଚି ଲୁଚି ପଳାଇଯାଇ ମାଧବ ଶ୍ରୀମତୀଙ୍କ ଅନୁସରଣରେ ଏକାନ୍ତ ବ୍ୟାକୁଳଚିତ୍ତ । ମଧୁସୂଦନ ସଂସାର-ବାସନାବଦ୍ଧ ।

 

ଏଇଠାରେ ମହାକବି ଦେଖାଇଛନ୍ତି ଦେବତ୍ୱରେ ସଂସାରୀ-ଧର୍ମ । ତ୍ରିଜଗତ ଯାହାର କଣାମାତ୍ର କରୁଣା ଆଶାରେ ବ୍ୟାକୁଳ, ସେଇ ଶ୍ରୀକୃଷ୍ଣ ଆଜି ଶ୍ରୀମତୀଙ୍କ ମିଳନ ଲୋଭରେ ପାଗଳ-ମୁଗ୍‌ଧ । ପ୍ରେମ-ବନ୍ଧନର ଆକର୍ଷଣଠାରୁ ପ୍ରେମିକ-ଗୁରୁ ଦୂରରେ ରହି ନ ପାରନ୍ତି, -ଏହା ଜୟଦେବଙ୍କର ଏକ ଅଭିନବ ଚିନ୍ତନ । ସୁନ୍ଦରୀ ଗୋପବାଳା-ପରିବେଷ୍ଠନୀରେ ଲୀଳା ରଙ୍ଗରେ ମାତିଥିଲେ ମଧ୍ୟ ମାଧବ ଯେ ଏକାନ୍ତରେ ଭାବମୟୀ ଶ୍ରୀମତୀଙ୍କ ପ୍ରୀତି-ପାଶରେ ଆବଦ୍ଧ । ରାଧାମୟ ଅନ୍ତର ତାଙ୍କର । ରାଧା ପ୍ରେମ-ମୁଗ୍ଧ ସେ । ତେଣୁ ବୃନ୍ଦାବନର ନାନା ବନ-କୁଞ୍ଜରେ ପଥଭୁଲା ପଥୁକୀଟିପରି ଖୋଜି ବୁଲୁଛନ୍ତି ଶ୍ରୀମତୀଙ୍କୁ ପ୍ରଣୟ-‘‘ମୁଗ୍‌ଧ ମାଧବ’’ ।

 

ତୃତୀୟ ସର୍ଗ

ମୁଗ୍‌ଧ-ମଧୁସୂଦନ

 

ସଂସାର-ରୁଚି-ବାସନା-ବନ୍ଧନେ ମୁଗ୍‌ଧ ମାଧବ ।

ରାଧାରେ ଚିନ୍ତି ହୃଦୟେ ବର୍ଜ୍ଜିଲେ ରାସମଣ୍ଡଳୀ ।। ୧ ।।

(ପଥ୍ୟା)

 

ଚତୁର୍ଦ୍ଦିଗେ ସେ ବୁଲି ରାଈ-ଆଶରେ

      ଅନଙ୍ଗ-ଦାହେ ଅତି ଦୁଃଖକାତରେ ।

ଗତାନୁଶୋଚେ ଯମୁନାତଟସ୍ଥିତ-

      ନିକୁଞ୍ଜମଧ୍ୟେ ଝୁରି ଖିନ୍ନମାନସେ ।। ୨ ।।

(ବଂଶସ୍ଥ)

 

ଅଥ ସପ୍ତମଃ ସନ୍ଦର୍ଭଃ

ଗୀତମ୍ । ୨ ।

ଗୁଜ୍ଜରୀ ରାଗେଣ, ଯତି ତାଳେନ ଚ ଗୀୟତେ ।

 

(୧)

ମାମିୟଂ ଚଳିତା ବିଲୋକ୍ୟ ବୃତଂ ବଧୂନିଚୟେନ,

ସାପରାଧତୟା ମୟାପି ନ ବାରିତାଽତିଭୟେନ ।

ହରି ହରି ହତାଦରତୟା ଗତା ସା କୂପିତେବ । ଧ୍ରୁବମ୍‌ ।।

 

(୨)

କିଂ କରିଷ୍ୟତି କିଂ ବଦିଷ୍ୟତି ସା ଚିରଂ ବିରହେଣ ।

କିଂ ଧନେନ ଜନେନ କିଂ ମମ ଜୀବିତେନ ଗୃହେଣ ।।

 

(୩)

ଚିନ୍ତୟାମି ତଦାନନଂ କୁଟିଳଭ୍ରୂ କୋପଭରେଣ ।

ଶୋଣପଦ୍ମମିବୋପରି ଭମତାକୁଳଂ ଭ୍ରମରେଣ ।।

 

(୪)

ତାମହଂ ହୃତି ସଂଗତାମନିଶଂ ଭୃଶଂ ରମୟାମି ।

କିଂ ବନୋଽନୁସରାମି ତାମିହ କିଂ ବୃଥା ବିଳପାମି ।।

 

ଅଥ ସପ୍ତମ ସନ୍ଦର୍ଭ

ଗୀତ । ୨ ।

ଗୁଜ୍ଜରୀ ରାଗ । ଯତି ତାଳ

 

(୧)

ଚାହିଁ ଯା ରସ କୌତୁକେ ଥିଲି ଗୋପୀକାଗଣ ସାଥେ ।

ବାରି ନାହିଁ ମୁଁ ଭୀତିରେ ଅପରାଧ ଅର୍ଜ୍ଜିଲି ହାତେ ।

ହରି ହରି, ଅନାଦରୁ ସିନା ଗଲା ସେ ରୁଷି ରୋଷେ ।। ଘୋଷା ।।

 

(୨)

ସେ କରେ କିସ, ସେ କହେ କିସ, ମୋ ବିନେ ଝୁରି ବାଇ,

ଛାର ଧନ-ଜନ-ବାସ-ଜୀବନ, କାହିଁରେ ସୁଖ ନାହିଁ ।

 

(୩)

କୋପିନୀଭୁରୁ ବଙ୍କିମାଧର ମାନସେ ମମ ଜାଗେ,

ରଙ୍ଗ-ପଦ୍ମର ଅଙ୍ଗରେ ଅଳି ଚୁମ୍ବିଲାସରି ଲାଗେ ।

 

(୪)

ଅନ୍ତରେ ମୁଁ ତ ତା’ ତୁଲେ ରମି ସନ୍ତତେ ଦିନ ସାରେ,

ଆଉ କାହିଁକି କାନନେ ଭ୍ରମି ଶୋକରେ ମତି ହାରେ ?

 

(୫)

ତିନି, ଖିନ୍ନମସୂୟୟା ହୃଦୟଂ ତବାକଳୟାମି ।

ତନ୍ନ ବେଦ୍ମି କୁତୋ ଗତାସି ନ ତେନ ତେଽନୁନୟାମି ।।

 

(୬)

ଦୃଶ୍ୟସେ ପୁରତୋ ଗତାଗତମେବ ମେ ବିଦଧାସି ।

କିଂ ପୁରବେ ସସଂଭ୍ରମଂ ପରିରମ୍ଭଣଂ ନ ଦଦାସି ।।

 

(୭)

କ୍ଷମ୍ୟତାମପରଂ କଦାପି ତବେଦୃଶଂ ନ କରୋମି ।

ଦେହି ସୁନ୍ଦରି, ଦର୍ଶନଂ ମମ ମନ୍ମଥେନ ଦୁନୋମି ।।

 

(୮)

ବର୍ଣ୍ଣିତଂ ଜୟଦେବକେନ ହରେରିଦଂ ପ୍ରବଣେନ ।

କେନ୍ଦୁବିଲ୍ୱ ସମୁଦ୍ର-ସମ୍ଭବ-ରୋହିଣୀ-ରମଣେନ ।।

 

(୫)

ରୋଷରେ ଗଲୁ ଚାଲି ଗୋ, ଅଭିମାନରେ ମୁଁ ବିଚାରେ,

ଭେଟି କାହିଁ ମୁଁ ଦୋଷ ମାଗିବି, ତୋ ଚଲା ପଥ ବାରେ ।

 

(୬)

ଚାହିଁଲେ ସଖି ! ତୋ ଗତାଗତ ଅଗ୍ରତେ ଦିଶିଯାଏ,

କାହିଁ ସେ ପରିରମ୍ଭ ଗୋ, ତବ ନାହିଁ ପୂର୍ବ ପରାଏ ।

 

(୭)

ଦୋଷ ମୋ କ୍ଷମ, ଆଉ ଏ ସମ କର୍ମ ସାଧିବି ନାହିଁ,

ଦେଇ ଦର୍ଶନ ମାର-ମାରଣୁ ରାଧିକେ ! କର ତ୍ରାହି ।

 

(୮)

ପ୍ରଣତି କବି ଜୟଦେବ ବର୍ଣ୍ଣନ ହରି ବିରହ ରସ ଗାନ,

ଜାତ କେନ୍ଦୁଲି ଗ୍ରାମ-ସାଗର ଚନ୍ଦ୍ରମା ସରି ମାନ ।

 

 

 

କାନ୍ତ କୋମଳ, ଭାବ ପ୍ରୋଜ୍ଜ୍ୱଳ ରସଭରା ମଧୁଗାନେ,

ଲୁବ୍‌ଧମାନସ ଉତ୍କଳୀ କବିଚନ୍ଦ୍ର ବଶ ସୁର ତାନେ ।

 

(୧)

ହୃଦି ବିସଲତାହାରୋ ନାୟଂ ଭୁଜଙ୍ଗମ-ନାୟକଃ,

କୁବଳୟଦଳଶ୍ରେଣୀ କଣ୍ଠେ ନ ସା ଗରଳଦ୍ୟୁତିଃ ।

ମଳୟଜରଜୋ ନେଦଂ ଭସ୍ମପ୍ରିୟା-ରହିତେ ମୟି

ପ୍ରହର ନ ହଗ-ଭ୍ରାନ୍ତ୍ୟାଽନଙ୍ଗ, କ୍ରୁଧା କିମୁ ଧାବସି ।। ୧ ।।

 

(୨)

ପାଣୌ ମା କୁରୁ ଚୂତ-ଶାୟକ-ମମୁଂ ମା ଚାପମାରୋପୟ

କ୍ରୀଡ଼ା-ନିର୍ଜିତ-ବିଶ୍ୱ, ମୂର୍ଚ୍ଛିତ-ଜନାଘାତେନ କିଂ ପୌରୁଷମ୍ ।

ତସ୍ୟା ଏବ ମୃଗୀଦୃଶୋ ମନସିଜ, ପ୍ରେଙ୍ଖତ୍‌କଟାକ୍ଷାଶୁଗ

ଶ୍ରେଣୀ-ଜର୍ଜରିତଂ ମନାଗପି ମନୋନାଦ୍ୟାପି ସନ୍ଧୁକ୍ଷତେ ।। ୨ ।।

 

(୩)

ଭ୍ରୂପଲ୍ଲବଂ ଧନୁରପାଙ୍ଗ-ତରଙ୍ଗି ତାନି

ବାଣା ଗୁଣଃ ଶ୍ରବଣ-ପାଳିରିତି ସ୍ମରେଣ ।

ତସ୍ୟାମନଙ୍ଗ-ଜୟ-ଜଙ୍ଗମ-ଦେବତାୟା-

ମସ୍ତ୍ରାଣି ନିର୍ଜିତ-ଜଗନ୍ତି କିମର୍ପିତାନି ।। ୩ ।।

 

(୪)

ଭ୍ରୂଚାପେ ନିହିତଃ କଟାକ୍ଷ-ବିଶିଖୋ ନିର୍ମାତୁ ମର୍ମ-ବ୍ୟଥାଂ

ଶ୍ୟାମାତ୍ମା କୁଟିଳଃ କରୋତୁ କବରୀଭାରୋଽପି ମାରୋଦ୍ୟମମ୍ ।

ମୋହଂ ତାବଦୟଞ୍ଚ ତନ୍ୱି, ତନୁତାଂ ବିମ୍ବାଧରୋ ରାଗବାନ୍

ସଦ୍‌ବୃତ୍ତଃ ସ୍ତନମଣ୍ଡଳସ୍ତବ କଥଂ ପ୍ରାଣୈର୍ମମ କ୍ରୀଡ଼ତି ।।

 

(୧)

ହର ତ ମୁଁ ନୁହେଁ ରୋଷେ ଭ୍ରାନ୍ତେ ନ ମାର ଅନଙ୍ଗ ହେ,

ଗଳପର-ଚଳା-ହାରେ ନ ଭାଳ ସର୍ପ, ମୃଣାଳ ସେ ।

କୁବଳୟ-ଦଳେ ଶୋଭା, କଣ୍ଠେ ନୁହେଁ ଗରଳ-ଦ୍ୟୁତି,

ମଳୟଜ ରଜେ ବୋଳା, କାନ୍ତା ବିନେ ଭ୍ରମ ଭସ୍ମ ଏ ।।

(ହରିଣୀ)

 

(୨)

ହସ୍ତେ ଚୁତର ଶାଣ-ଶାୟକସମେ ଆରୋପ ଚାପେ ଭୁଲ,

ହାରେ ବିଶ୍ୱ ସଦା ପରା, ଲଘୁଜନେ ଘାତେ କିବା ପୌରୁଷ ?

ସେ ଏଣୀ-ନୟନା କଟାକ୍ଷର ଶରେ କନ୍ଦର୍ପ ପୀଡ଼େ ସଦା,

ପ୍ରାଣେ ସତ୍ୟ ବଧେ, ଝୁରେ ପୁଣି ଅଦ୍ୟାପି କାନ୍ତା ବିନା ।।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

(୩)

କାର୍ମୁକ ସେ ଭୁରୁଲତା କି ଅପାଙ୍ଗ ବାଣ,

ଆକର୍ଣ୍ଣଚୁମ୍ବି ନୟନେ ଗୁଣ ସାଜି କାମ ।

ରାଈ-ପ୍ରସାଦ ବଳରେ ଜଗତେ ହରାଇ,

ପ୍ରତ୍ୟର୍ପିଲା ନିକି ସତେ ପୁଣି ତା ପଦାବ୍‌ଜେ ।।

(ବସନ୍ତ-ତିଳକ)

 

(୪)

ଭ୍ରୁ-ଚାପେ ସଜଡ଼ା କଟାକ୍ଷର ଶରେ ମର୍ମ୍ମ ବ୍ୟଥା ଜାଗୁ ଗୋ,

ତନ୍ୱି, ତୋ କୁଟିଳା-କଳା ତ କବରୀ ମାରୁ ସ୍ୱଧର୍ମ ସ୍ମରି ।

ରାଗେ ରକ୍ତିମ ସେ ଜବା ଅଧର ମୋ ପ୍ରାଣେ ପଛେ ମୋହୁ ଗୋ,

ସଦ୍‌ବୃତ୍ତ ସ୍ତନ ତୋ କି କାରଣ ଦିଏ ପ୍ରାଣେ ମରା ଭୀତିରେ ।।

(ଶାର୍ଦ୍ଦୂଳ ବିକ୍ରୀଡ଼ିତ)

 

(୫)

ତାନି ସ୍ପର୍ଶସୁଖାନି ତେ ଚ ତରଳାଃ ସ୍ନିଗ୍‌ଧା ଦୃଶୋବିଭ୍ରମା-

ସ୍ତଦ୍‌ବକ୍ତ୍ରାମମ୍ବୂଜ-ସୌରଭଂ ସ ଚ ସୁଧାସ୍ୟନ୍ଦୀ ଗିରାଂ ବକ୍ତ୍ରିମା ।

ସା ବିମ୍ବାଧର-ମାଧୁରୀତି ବିଷୟାସଙ୍ଗେଽପି ଚେନ୍ମାନସଂ

ତସ୍ୟାଂ ଲଗ୍ନ-ସମାଧି, ହନ୍ତ ବିରହ-ବ୍ୟାଧିଃ କଥଂ ବର୍ଦ୍ଧତେ ।।

 

(୬)

ତିର୍ଯ୍ୟକ୍‌କଣ୍ଠ-ବିଲୋଳ-ମୌଳି-ତରଳୋତ୍ତଂସସ୍ୟ ବଂଶୋଚ୍ଚରଦ୍-

ଦୀପ୍ତି-ସ୍ଥାନ କୃତାବଧାନ-ଲଳନା-ଲକ୍ଷୈର୍ନ ସଂଲକ୍ଷିତାଃ

ସଂମୁଗ୍‌ଧେ ମଧୁସୂଦନସ୍ୟ ମଧୁରେ ରାଧା-ମୁଖେନ୍ଦୌ ସୁଧା-

ସାରେ କନ୍ଦଳିତାଶ୍ଚିରଂ ତଦତୁ ବଃ କ୍ଷେମଂ କଟାକ୍ଷୋମୟଃ ।

 

ଇତି ଶ୍ରୀଗୀତଗୋବିନ୍ଦେ ସପ୍ତମଃ ସନ୍ଦର୍ଭଃ ।

ଇତି ଶ୍ରୀଗୀତଗୋବିନ୍ଦେ ମହାକାବ୍ୟେ ମୁଗ୍‌ଧମଧୁସୂଦନୋ ନାମ

ତୃତୀୟଃ ସର୍ଗଃ ।

 

(୫)

ଅଙ୍ଗ-ସ୍ପର୍ଶ ଲଭେ, ସଦା ତରଳ ସେ ନେତ୍ରାନ୍ତଖେଳା ଦିଶେ,

ଉନ୍ମୀଳାମ୍ବୁଜ ବାସ ତୋ ମୁଖୁ ଝରେ, ବାଣୀ ସୁଧା ଢାଳଇ ।

ସେ ବିମ୍ବାଧର ମାଧୁରୀ ଲଗନ ମୋ ଚିତ୍ତେ ଦିବା ଯାମିନୀ,

ଜ୍ୱାଳା କିନ୍ତୁ କିପାଁ ବଢ଼େ ବିରହରେ କାନ୍ତେ ! ନ ପାରେ ବୁଝି ।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

(୬)

ଚୂଡ଼ା କୁଣ୍ଡଳ ଯା ସୁଚଞ୍ଚଳ ଲୁଳେ, ଯା କଣ୍ଠ ବାମେ ଢଳା,

ରାଧା ଚନ୍ଦ୍ରମୁଖେ ତରଙ୍ଗ ସରି ଯା’ ନେତ୍ରାନ୍ତ ନାଚେ ମୃଦୁ ।

ଯା ବଂଶୀସ୍ୱନ-ବାତୁଳୀ ବ୍ରଜବଧୂ ଲୀଳା ନ ପାରେ କଳି,

ମୁଗ୍‌ଧ ଶ୍ୟାମର ସେ କଟାକ୍ଷ ଲହରୀ ବିସ୍ତାରୁ ମୋଦେ ତବ ।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ଇତି ଶ୍ରୀଗୀତଗୋବିନ୍ଦର ସପ୍ତମ ସନ୍ଦର୍ଭ ।

ଇତି ଶ୍ରୀଗୀତଗୋବିନ୍ଦ-ମହାକାବ୍ୟେ ମୁଗ୍‌ଧ-ମଧୁସୂଦନନାମକ

ତୃତୀୟ ସର୍ଗ ।

 

ଅଥ ଚତୁର୍ଥଃ ସର୍ଗଃ

ସ୍ନିଗ୍‌ଧ-ମଧୁସୂଦନଃ

(୧)

ଯମୁନା-ତୀର-ବାନୀର-ନିକୁଞ୍ଜେ ମନ୍ଦମାସ୍ଥିତମ୍‌

ପ୍ରାହ ପ୍ରେମ-ଭରୋଦ୍‌ଭ୍ରାନ୍ତଂ ମାଧବଂ ରାଧିକାସଖୀ ।।

 

ଅଷ୍ଟମଃ ସନ୍ଦର୍ଭଃ

ଗୀତମ୍‌। ୮।

କର୍ଣ୍ଣାଟ ରାଗେଣ ଯତିତାଳେନ ଚ ଗୀୟତେ ।

(୧)

ନିନ୍ଦତି ଚନ୍ଦନମିନ୍ଦୁ କିରଣମନୁ ବିନ୍ଦତି ଖେଦ-ମଧୀରମ୍‌

ବ୍ୟାଳନିଳୟମିଳନେନ ଗରଳମିବ କଳୟତି ମଳୟସମୀରମ୍‌ ।

ମାଧବ, ମନସିଜବିଶିଖଭୟାଦିବ ଭାବନୟା ତ୍ୱୟି ଲୀନା ।

ସା ବିରହେ ତବ ଦୀନା ।। ଧ୍ରୁବମ୍‌ ।।

 

(ଚାରି)

ଗୋପନାଗରୀମାନଙ୍କ ସହିତ ରାସରଙ୍ଗରେ ମାତିଥିବା ବେଳେ ଶ୍ରୀମତୀଙ୍କୁ ଦେଖି ଲାଜରେ, ଦୁଃଖରେ ମାଧବ ଗୋପୀମାନଙ୍କୁ ଛାଡ଼ି ଖୋଜି ହେଉଥିଲେ ତାଙ୍କୁ । ଡର ତାଙ୍କର-କାଳେ ଅଭିମାନିନୀ ରାଈ ରୁଷିଥିବେ ପରା ! ତେଣେ ଶ୍ରୀମତୀ ପାଶୋରି ପାରୁ ନାହାନ୍ତି ନଟବରଙ୍କୁ । ତାଙ୍କ ବିକଳ ଦେଖି ସହଚରୀମାନଙ୍କର ବୁକୁ ଫାଟିଯାଉଛି । ମାଧବଙ୍କୁ ଏ ସମ୍ବାଦ ଦେଇ ଶ୍ରୀମତୀ କୁଞ୍ଜକୁ ଆଣିବା ଲାଗି ସେମାନେ ଅତି ବ୍ୟାକୁଳତା ।

 

ତେଣେ ମନଦୁଃଖରେ ଶ୍ୟାମ ବେତସ-କୁଞ୍ଜରେ ବସି ନିଜକୃତ-ଅପରାଧ କଥା ଭାଳି ହେଉଥିବା ବେଳେ ଶ୍ରୀମତୀଙ୍କର ଜଣେ ସହଚାରୀ ଯାଇ ତାଙ୍କୁ ଭେଟି କହିଲା-‘‘ସତେ କେଡ଼େ ନିଷ୍ଠୁର ତୁମେ ମାଧବ ! ତୁମ ବିରହରେ ନିତାନ୍ତ କାତରା-ହୋଇ ଝାଉଁଳା କନକଲତାଟି ପରି ସଖୀର ଅବସ୍ଥା କଅଣ ହେଲାଣି,-ଦେଖିବ ଚାଲ ।’’

ମନର ଆଶଙ୍କା ଉଦ୍‌ବେଗ ପଲକରେ ଅପସରିଗଲା । ସଖୀ ମୁଖରୁ-‘‘ସା ବିରହେ ତବ ଦୀନା’’ ଶୁଣି ହେଲେ-

‘‘ସ୍ନିଗ୍‌ଧ ମଧୁସୂଦନ’’ 

 

ଚତୁର୍ଥ ସର୍ଗ

ସ୍ନିଗ୍‌ଧ ମଧୁସୂଦନ

(୧)

ଯମୁନା ତୀରରେ ବେତ-ନିକୁଞ୍ଜେ ଦୁଃଖରେ ବିଜେ,

ବାଇ ପ୍ରେମ-ରସେ ଶ୍ୟାମେ ରାଧିକା-ସଙ୍ଗନୀ କହେ ।

      (ପଥ୍ୟା)

 

ଅଷ୍ଟମ ସନ୍ଦର୍ଭ

ଗୀତ । ୮ ।

ରାଗ-କର୍ଣ୍ଣାଟ । ତାଳ-ଯତି ।

(୧)

ଚନ୍ଦନ ମନ୍ଦ ମଣେ ପୁଣି ଚନ୍ଦ୍ରମୟୂଖ ଦିଏ ଗୁରୁ ବାଧା,

ଭୁଜଗ-ନିବାସର ଗରଳ ଭରାଭର ମଳୟ ବିଚାରଇ ରାଧା ।

ସେ ବିରହେ ତବ ଦୀନା,

କାତର ମନସିଜ-ଶର ଡରି ମାଧବ ! ଭାବନରେ ଅତି କ୍ଷୀଣା ।। ଘୋଷା ।।

 

(୨)

ଅବିରଳନିପତିତମଦନଶରାଦିବ ଭବଦବନାୟ ବିଶାଳମ୍‌ ।

ସ୍ୱହୃଦୟମର୍ମଣି ବର୍ମ କରୋତି ସଜଳନଳିନୀଦଳଜାଳମ୍‌ ।।

ସା ବିରହେ ତବ ଦୀନା ।

 

(୩)

କୁସୁମ-ବିଶିଖ-ଶର-ତଳ୍ପ ମନଳ୍ପ-ବିଳାସ-କଳା-କମନୀୟମ୍‌ ।

ବ୍ରତମିବ ତବ ପରିରମ୍ଭ-ସୁଖାୟ କରୋତି କୁସୁମ-ଶୟନୀୟମ୍‌ ।।

 

(୪)

ବହତି ଚ ଚଳିତବିଲୋଚନଜଳଭରମାନନକମଳମୁଦାରମ୍‌ ।

ବିଧୁମିବ ବିକଟ-ବିଧୁନ୍ତୁଦ-ଦନ୍ତଦଳନ-ଗଳିତାମୃତ-ଧାରମ୍‌ ।।

 

(୫)

ବିଲଖତି ରହସି କୁରଙ୍ଗମଦେନ ଭବନ୍ତମସମଶରଭୂତମ୍‌ମ ।

ପ୍ରଣମତି ମକରମଧୋ ବିନିଧାୟ କରେ ଚ ଶରଂ ନବଚୂତମ୍‌ ।।

 

(୬)

ପ୍ରତିପଦମିଦମପି ନିଗଦତି ମାଧବ, ତବ ଚରଣେ ପତିତାହମ୍‌ ।

ତ୍ୱୟି ବିମୁଖେ ମୟି ସପଦି ସୁଧାନିଧିରପି ତନୁତେ ତନୁଦାହମ୍‌ ।।

 

(୨)

ମାରଇ ମାର ସଦା ତନୁ ତା’ର ତୁମେ ତହିଁ ଲୀନ ତ ମର୍ମ୍ମେ,

ତାରଣ-କାରଣ ଥାପିଛି ସେ ଉରସେ ନଳିନୀ ଦଳ ବର୍ମ୍ମେ ।

 

(୩)

କୁସୁମ-ବିଶିଖ-ସମ ସୁମନ-ଶୟନ ତା’ ତବ ପରିରମ୍ଭଣ ଆଶେ,

ବ୍ରତ ଅନୁସରି ବା ତଥିପର ବିରହେ ଶୟନ କରେ ତ ନିରାଶେ ।

 

(୪)

ବଦନ-କମଳ-ପର ଝରଇ ନୟନ-ଜଳ ଅବିରଳ ଦରଦର ଧାରେ,

ଝରଇ କି ରାହୁର ଚର୍ଚ୍ଚିତ-ଶଶଧର-ମଣ୍ଡଳୁ ମଧୁର ସୁଧା ରେ ।

 

(୫)

ମୃଗମଦରେ ତବ କାମ ସମେ ଛବି ଚିତ୍ରଇ ବସି ଏକାକୀ,

ଚୂତଙ୍କୁର କରରେ ଧରି ପ୍ରଣମେ ବାହନ ମକର ତ ଆଙ୍କି ।

 

(୬)

ନିରବଧି ଭାଷଇ ‘‘ମାଧବ ହେ’’ ତବ ଚରଣ-ଶରଣ ଗତି ମୋର,

ତବ ବିମୁଖେ ତ ସୁଧାକର ସମ୍ଭବ ଚନ୍ଦ୍ର ଦିହେ ତନୁ ଘୋର ।

 

(୭)

ଧ୍ୟାନଲୟେନ ପୁରଃ ପରିକଲ୍ପ୍ୟ ଭବନ୍ତମତୀବ ଦୁରାପମ୍‌ ।

ବିଳପତି ହସତି ବିଷୀଦତି ରୋଦିତ ଚଞ୍ଚତି ମୁଞ୍ଚତି ତାପମ୍‌ ।।

 

(୮)

ଶ୍ରୀ ଜୟଦେବ ଭଣିତମିଦମଧିକଂ ଯଦି ମନସା ନଟନୀୟମ୍‌ ।

ହରି-ବିରହାକୁଳ-ବଲ୍ଲବ-ଯୁବତି-ସଖୀବଚନଂ ପଠନୀୟମ୍‌ ।।

 

ଆବାସୋ ବିପିନାୟତେ ପ୍ରିୟ-ସଖୀ-ମାଳାପି କାଳାୟତେ

ତାପୋଽପି ଶ୍ୱସିତେନ ଦାବଦହନଜ୍ୱାଳା-କଳାପାୟତେ ।

ସାପି ତ୍ୱଦ୍‌ବିରହେଣ ହନ୍ତ ହରିଣୀରୂପାୟତେ ହା କଥମ୍‌ ।

କନ୍ଦର୍ପୋଽପି ଯମାୟତେ ବିରଚୟନ୍‌ଶାର୍ଦ୍ଦୂଳ-ବିକ୍ରୀଡ଼ିତମ୍‌ ।। ୧ ।।

 

ଇତି ଶ୍ରୀ ଗୀତଗୋବିନ୍ଦେ ଅଷ୍ଟମଃ ସନ୍ଦର୍ଭଃ

 

(୭)

ଦୁର୍ଲ୍ଲଭ ଦରଶନ ଛବି ତବ ମୋହନ ! ଧ୍ୟାନବଳେ କଳପେ ସେ,

ରୋଦଇ, କ୍ଷୋଭଇ, ହସାଇ ଅବା ପୁଣି ଚଳ-ଚଞ୍ଚଳ ତବ ଆଶେ ।

 

(୮)

ଶ୍ରୀ ଜୟଦେବ ଭଣେ ହରି ପ୍ରେମେ ଯଦି ମନ-ନର୍ତ୍ତନ ଆଶା,

ବାରବାର ପଢ଼ ବିରହ-ବ୍ୟାକୁଳା ବରଜ-ବଧୂ ମୁଖ-ଭାଷା ।

 

ଅନୁସରି ଶ୍ରୀ ଜୟଦେବ ପଦାଙ୍କେ ଉତ୍କଳ-ଭାଷା ପ୍ରବନ୍ଧେ

କାଳୀଚରଣ ରଚଇ ଅନୁବାଦେ ସମସ୍ୱରେ ସମଛନ୍ଦେ ।

 

ଆବାସେ ବନବାସିନୀ-ସମ ସଖୀ-ମେଳା ମଣେ ଜାଲ ସେ,

ଶ୍ୱାସେ ତାପ ବହେ, ଜଳେ ତନୁଲତା ଦାବାନଳେ ତା’ର ବା ।

ଖେଦେ ସେ ହରିଣୀସମା ବିରହରେ ସନ୍ତାପିତା ଶ୍ୟାମ ହେ,

କନ୍ଦର୍ପେ ଯମ ସେ ନିରେଖଇ ସତେ ଶାର୍ଦ୍ଦୂଳବତ୍‌ କ୍ରୀଡ଼ଇ । ୧ ।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

ଇତି ଶ୍ରୀଗୀତଗୋବିନ୍ଦର ଅଷ୍ଟମ ସନ୍ଦର୍ଭ ।

 

ଅଥ ନବମଃ ସନ୍ଦର୍ଭଃ

ଗୀତମ୍‌। ୯ ।

ଦେଶାଖ୍ୟରାଗୈକତାଳୀତାଳାଭ୍ୟାଂ ଗୀୟତେ ।

(୧)

ସ୍ତନବିନିହିତମପି ହାରମୁଦାରମ୍‌ ।

ସା ମନୁତେ କୃଶତନୁରିବ ଭାରମ୍‌ ।

ରାଧିକା ତବ ବିରହେ କେଶବ ! ଧ୍ରୁବମ୍‌ ।

 

(୨)

ସରସମସୃଣମପି ମଳୟଜପଙ୍କମ୍‌ ।

ପଶ୍ୟତି ବିଷମିବ ବପୁଷି ସଶଙ୍କମ୍‌ ।।

 

(୩)

ଶ୍ୱସିତପବନମନୁପମପରିଣାହମ୍‌ ।

ମଦନ-ଦହନମିବ ବହତି ସଦାହମ୍‌ ।।

 

ଅଥ ନବମ ସନ୍ଦର୍ଭ

ଗୀତ ।୯।

ଦେଶାଖ୍ୟ-ରାଗ । ଏକତାଳି ତାଳ

(୧)

ଭାର ମଣେ ସ୍ତନତଟ ରୁଚିହାର

ଛାର ଦିଶେ ତନୁ କୃଶ ଅତି ତାର ।

ରାଧିକା, ବିରହେ ତବ ଶ୍ୟାମ ହେ । ଘୋଷା ।

 

(୨)

ଚିକ୍‌କଣ ମଞ୍ଜୁଳ ଚନ୍ଦନ ପଙ୍କେ

ବିଷ ସରି ଲାଗଇ ତନୁରେ, ଶଙ୍କେ ।

 

(୩)

ତପତ ଅନିଳ ଘନ ବହଇ ଶ୍ୱାସେ

କାମ ଅନଳ ସରି ଦହଇ ପରା ସେ !

 

(୪)

ଦିଶି ଦିଶି କିରତି ସଜଳ-କଣ-ଜାଳମ୍‌ ।

ନୟନନଳିନମିବ ବିଗଳିତନାଳମ୍‌ ।।

 

(୫)

ନୟନ-ବିଷୟମପି କିଶଳୟ-ତଳ୍ପମ୍‌ ।

ଗଣୟତି ବିହିତହୁତାଶବିକଳ୍ପମ୍‌ ।।

 

(୬)

ତ୍ୟଜିତ ନ ପାଣିତଳେନ କପୋଳମ୍‌ ।

ବାଳ-ଶଶିନମିବ ସାୟମଲୋଳମ୍‌ ।।

 

(୭)

ହରିରିତି ହରିରିତି ଜପତି ସକାମମ୍‌ ।

ବିରହ-ବିହିତମରଣେବ ନିକାମମ୍‌ ।।

 

(୮)

ଶ୍ରୀ ଜୟଦେବ-ଭଣିତମିତି-ଗୀତମ୍‌ ।

ସୁଖୟତୁ କେଶବ-ପଦମୁପନୀତମ୍‌ ।।

 

(୪)

ନୀର ଝରେ ନୟନରୁ ଦିଗଛାଇ

ସଜଳ-ନଳିନ କି ମୃଣାଳ ହରାଇ ।

 

(୫)

ନବଦଳ-ସାଜିତ ଶେଯ ଅନାଇଁ

ମଣଇଁ ହୁତାଶନ ଜ୍ୱଳନ ତ ରାଈ ।

 

(୬)

ନିରବଧି ପାଣି-ନିବେଶିତ ଗଣ୍ଡ

ସଞ୍ଜଘନେ ଥିର ଶିଶୁ ଶଶି-ଖଣ୍ଡ ।

 

(୭)

ହରି ହରି ହରି ହରି ଅନୁଦିନ ଭାଷେ

ବିରହାନ୍ତକ-ମରଣେ, ତବ ଆଶେ ।

 

(୮)

ଶ୍ରୀ ଜୟଦେବ ଭଣିତ ମଧୁ-ଗୀତେ

ମୋଦ ଦାନୁ କେଶବ-ଗତ-ଚିତ୍ତେ ।

 

ଅନୁସରି କଳିତ ଲଳିତ ପଦ ଛନ୍ଦେ

କବିଶଶି-ବିରଚନ ଗୀତ ପ୍ରବନ୍ଧେ ।

 

ସା ରୋମାଞ୍ଚିତ ଶୀତ୍‌କରୋତି ବିଳପତ୍ୟୁତ୍‌କମ୍ପତେ ତାମ୍ୟତି ।

ଧ୍ୟାୟତ୍ୟୁଦ୍‌ଭ୍ରମତି ପ୍ରମୀଳତି ପତତ୍ୟୁଦ୍‌ଯାତି ମୂର୍ଚ୍ଛତ୍ୟପି ।।

ଏତାବତ୍ୟତନୁଜ୍ୱରେ ବରତନୁର୍ଜୀବେନ୍ନ କିଂ ତେ ରସାତ୍ ।

ସ୍ୱର୍ବୈଦ୍ୟପ୍ରତିମ ପ୍ରସୀଦସି ଯଦି ତ୍ୟକ୍ତୋଽନ୍ୟଥା ହସ୍ତକଃ ।। ୧ ।

 

ସ୍ମରାତୁରାଂ ଦୈବତ-ବୈଦ୍ୟ-ହୃଦ୍ୟ ।

      ତ୍ୱଦଙ୍ଗସଙ୍ଗାମୃତମାତ୍ରସାଧ୍ୟାମ୍‌ ।

ବିମୁକ୍ତବାଧାଂ କୁରୁଷେ ନ ରାଧାମ୍

            ଉପେନ୍ଦ୍ର ବଜ୍ରାଦପି ଦାରୁଣୋଽସି ।। ୨ ।

 

 

କନ୍ଦର୍ପଜ୍ୱରସଂଜ୍ୱରାତୁଗତନୋରାଶ୍ଚର୍ଯ୍ୟମସ୍ୟାଶ୍ଚିରମ୍ ।

ଚେତଶ୍ଚନ୍ଦନଚନ୍ଦ୍ରମଃ-କମଳିନୀଚିନ୍ତାସୁ ସଂତାମ୍ୟତି ।

କିନ୍ତୁ କ୍ଳାନ୍ତିବଶେନ (୧) ଶୀତଳତନୁଂ (୨) ତ୍ୱାମେକମେବ ପ୍ରିୟମ୍

ଧ୍ୟାୟନ୍ତୀ ରହସି ସ୍ଥିତା କଥମପି କ୍ଷୀଣା କ୍ଷଣଂ ପ୍ରାଣିତି ।। ୩ ।।

୧ । କ୍ଷାନ୍ତିରସେନ ଇତି ପାଠାନ୍ତରମ୍ ।

୨ । ଶୀତଳତରଂ ଇତି ପାଠାନ୍ତରମ୍ ।

 

ରୋମାଞ୍ଚେ ତନୁ ବା ବିଳାପଇ ସଖୀ ଆକ୍ରାନ୍ତ ପ୍ରେମଜ୍ୱରେ

ଧ୍ୟାୟେ ସେ ତବ ରୂପରେ ପଡ଼ଇ ବା ଚେତାହରା ପ୍ରାୟ ଗୋ ।।

ଶୀତ୍‌କାରେ ପୁଣି ବା ଜ୍ୱରେ ଥରଇ ସେ ବଞ୍ଚେ କି ମୋ ବାନ୍ଧବୀ

ଶାନ୍ତି ଶ୍ୟାମରସାୟନେ ଲଭିବ ହେ ! ସ୍ୱର୍ବୈଦ୍ୟ କାମଜ୍ୱରେ ।। ୧ ।

            (ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

 

ସ୍ମରାତୁରା ମୋ ସଜନୀ ତ, ବୈଦ୍ୟ !

ସୁଧା ସମାନେ ତବ ଅଙ୍ଗ-ସଙ୍ଗ ।।

ରାଧାର ବାଧା କର ଦୂର ବନ୍ଧୁ !

ଉପେନ୍ଦ୍ର-ବଜ୍ରୁ କି କଠୋର ତୁମ୍ଭେ ? ୨ ।

      (ଉପେନ୍ଦ୍ର ବଜ୍ରା)

 

କନ୍ଦର୍ପ-ଜ୍ୱର-କାତର ମମ ସଖୀ ତତ୍ରାପି ସେ ମାନସେ-

ଭାଳନ୍ତେ ବିଧୂ ଚନ୍ଦନେ କମଳ ବା ଚିତ୍ତେ ଲଭେ ଗ୍ଳାନି ତ ।

କିନ୍ତୁ ଶ୍ୟାମରସେ ଲଭେ ତୃପତି ସେ ତୁମ୍ଭେ ସୁଧା ଶୀତଳ

ବଞ୍ଚେ ସେ ତବ ଆଶରେ ବିଜନେ ଯା ଆଶ୍ଚର୍ଯ୍ୟ ଏତେ ସତେ । ୩ ।

            (ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

କ୍ଷଣମପି ବିରହଃ ପୁରା ନ ସେହେ

ନୟନ-ନିମୀଳନ-ଖିନ୍ନୟା ଯୟା ତେ ।

ଶ୍ୱସିତ କଥମସୌ ରସାଳଶାଖାମ୍

ଚିରବିରହେଣ ବିଲୋକ୍ୟ ପୁଷ୍ପ ତାଗ୍ରାମ୍ ।। ୪ ।

 

ବୃଷ୍ଟି-ବ୍ୟାକୁଳଗୋକୁଳା-ବନରସାଦୁଦ୍ଧୃତ୍ୟ ଗୋବର୍ଦ୍ଧନମ୍ ।

ବିଭ୍ରଦ୍‌ବଲ୍ଲବ-ବଲ୍ଲଭାଭିରଧିକା-ନନ୍ଦାଚ୍ଚିରଂ ଚୁମ୍ବିତଃ ।।

ଦର୍ପେଣେବ ତଦର୍ପିତାଧରତଟୀସିନ୍ଦୂରମୁନ୍ଦ୍ରାଙ୍କିତୋ ।

ବାହୁର୍ଗୋପତନୋସ୍ତନୋତୁ ଭବତାଂ ଶ୍ରେୟାଂସି କଂସଦ୍ୱିଷଃ ।। ୫ ।

 

ଇତି ଶ୍ରୀଗୀତଗୋବିନ୍ଦେ ନବମଃ ସର୍ଗଃ

ଇତି ଶ୍ରୀଗୀତଗୋବିନ୍ଦେ ମହାକାବ୍ୟେ ସ୍ନିଗ୍‌ଧମଧୁସୂଦନୋନାମଃ

ଚତୁର୍ଥଃ ସର୍ଗଃ

 

(୪)

ନ ସହଇ ବିରହେ ଧନୀ ତ ଦଣ୍ଡେ

ନୟନ ନିମେଷରେ ପାତରେ ଝୁରେ ଯେ ।

କିପରି ସହିଛି ସେ ରସାଳ ଶାଖେ

ଚାରୁ ବିରହେ ଅବଲୋକି ପୁଷ୍ପିତାଗ୍ରେ । ୪ ।

      (ପୁଷ୍ପିତାଗ୍ରା)

 

(୫)

ବୃଷ୍ଟି-ବ୍ୟାକୁଳ ଗୋକୁଳେ ରଖିଥିଲେ ଗୋବର୍ଦ୍ଧନେ ତୋଳି ଯେ

ମୋଦେ ପ୍ରେମଭରେ ସୁରଙ୍ଗ ଅଧରେ ଯା ବାହୁ ପାଣେ ରସି-

ଚୁମ୍ବେ ଗୋପର ନାଗରୀ ରଚି ତହିଁ ସିନ୍ଦୂର ଚିତ୍ରାଙ୍କନେ

ଗୋପୀ-ଚୁମ୍ବିତ-ବାହୁ କଂସ-ଦଳିଆ ରକ୍ଷା କରୁ ଶ୍ରୀ ହରି । ୫ ।

            (ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ଇତି ଶ୍ରୀ ଗୀତଗୋବିନ୍ଦର ନବମ ସନ୍ଦର୍ଭ ।

ଇତି ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟରେ ସ୍ନିଗ୍‌ଧ ମଧୁସୂଦନ ନାମକ ଚତୁର୍ଥ ସର୍ଗ ।

 

ଅଥ ପଞ୍ଚମଃ ସର୍ଗଃ

ସାକାଂକ୍ଷ-ପୁଣ୍ଡରୀକାକ୍ଷଃ

 

ଅହମିହ ନିବସାମି ଯାହା ରାଧା-

ନୁନୟ ମଦ୍‌ବଚନେନ ଚାନୟେଥାଃ ।

ଇତି ମଧୁ-ରିପୁଣା ସଖୀ ନିଯୁକ୍ତା

ସ୍ୱୟମିଦମେତ୍ୟ ପୁନର୍ଜଗାଦ ରାଧାମ୍ ।। ୧।

 

ଅଥ ଦଶମଃ ସନ୍ଦର୍ଭଃ

ଗୀତମ୍ । ୧୦ ।

ଦେଶୀବରାଡ଼ୀରାଗେଣ ରୂପକତାଳେନ ଚ ଗୀୟତେ ।

 

(୧)

ବହତି ମଳୟ-ସମୀରେ ମଦନମୁପନିଧାୟ ।

ସ୍ଫୁଟତି କୁସୁମନିକରେ ବିରହ-ହୃଦୟ-ଦଳନାୟ ।

ସଖି ! ସୀଦତି ତବ ବିରହେ ବନମାଳୀ ।। ଧ୍ରୁବମ୍ ।।

 

(୨)

ଦହତି ଶିଶିରମୟୂଖେ ମରଣମନୁକରୋତି ।

ପତତି ମଦନ ବିଶିଖେ ବିଳପତି ବିକଳତରୋଽତି ।।

 

(ପାଞ୍ଚ)

 

ବିରହ-ବିଷାଦିନୀ ରାଈଙ୍କ ସମ୍ବାଦ ଶୁଣି ମନରେ ମିଳନର ତୀବ୍ର ଆକାଙ୍‌କ୍ଷା ଜାଗି ଉଠୁଥାଏ; ତଥାପି ଲାଜରେ, ଭୟରେ ନିଜେ ଯାଇ ଶ୍ରୀମତୀଙ୍କୁ ଭେଟିବାର ସାହସ ହେଲା ନାହିଁ ଶ୍ୟାମଙ୍କର । ଯେ ଅପରାଧ କରିଛନ୍ତି ସେ-ସତେ କଅଣ ଆଉ ତା’ର କ୍ଷମା ଅଛି ? ସତେ କ’ଣ ଶ୍ରୀମତୀ ରୁଷି ନାହାନ୍ତି ? ମୁଖକୁ ଫେରି ଚାହିଁବେ ତ ? ନାନା କଥା ମନରେ ଭାଳି, ସହଚରୀକୁ ବହୁ ମତେ ଅନୁନୟ କରି ଛଳପଟୁ ନଟବର କହିଲେ-‘‘ସହି, ମୁଁ ବାଟ ଅନାଇ ବସି ରହିଲି । ତୁମେ ଟିକିଏ ଅଭିମାନିନୀ ରାଈଙ୍କୁ ବୁଝାଇ-ସୁଝାଇ ଏଇ କୁଞ୍ଜକୁ ବିଜେ କରାଇ ଆଣ । ଅନୁରୋଧ ରଖ ମୋର ସଖି !’’

 

ବାହୁଡ଼ି ଯାଇ ସହଚରୀ ଶ୍ରୀକୃଷ୍ଣଙ୍କ ଦଶା ବର୍ଣ୍ଣନା କରି ଅଭିସାର ଲାଗି ଶ୍ରୀମତୀଙ୍କୁ କହିଲେ-‘‘ମାଧବ ତୁମ ବିରହରେ ଅତି ଆକୁଳ । ଗଲା କଥା ପାଶୋରି ଦେଲେ କୁଞ୍ଜକୁ ବିଜୟ କର ଧନି ! ପଥ ଚାହିଁ ବସିଛନ୍ତି ସେ । ଆଉ ମାନ କାହିଁକି ? ଆଉ ମଠ କାହିଁକି ? ଉଠ,

ତେଣେ ପରା ତୁମ ମିଳନ ଆଶାରେ-

‘‘ସାକାଙ୍‌କ୍ଷ-ପୁଣ୍ଡରୀକାକ୍ଷ’’ ।

ପଞ୍ଚମ ସର୍ଗ

ସାକାଂକ୍ଷ-ପୂଣ୍ଡରୀକାକ୍ଷ

 

ବସିଛି ପଥ ଅନାଇ ଯାଇ କୁଞ୍ଜେ,

ଅତି ବିନୟେ ସମୁଝାଇ ଆଣ ରାଈ ।

ଶୁଣି ହରି ବଚନେ ଚଳେ ଗୁଆାଳୀ

ମିଳ ସଜନୀ ପାଶ ସେ ବୁଝାଇ ଭାଷେ । ୧ ।

      (ପୁଷ୍ପିତାଗ୍ରା)

 

ଅଥ ଦଶମ ସନ୍ଦର୍ଭ

ଗୀତ । ୧୦ ।

ରାଗ-ଦେଶବରାଡ଼ୀ । ତାଳ-ରୂପକ

 

(୧)

ବହଇ ମଳୟ ସଧୀରେ ମଦନ ସହିତ ସାଥୀ,

ଫୁଟଇ ସୁମନନିକରେ ଦହଇ ବିରହିଜନ-ଛାତି ।

ସଖି, ଆକୁଳ ତବ ବିରହେ ବନମାଳୀ ।। ଘୋଷା ।।

 

(୨)

ମଣଇ ଶିଶିର-କରରେ ମରଣ ସରି ପରା ସେ,

ଡରଇ ମଦନ-ଶରରେ ବିଳପଇ ନିପଟ ନିରାଶେ ।

 

(୩)

ଧ୍ୱନତି ମଧୁପସମୂହେ ଶ୍ରବଣମପିଦଧାତି ।

ମନସି କଳିତବିରହେ ନିଶି ନିଶି ରୁଜମୁପଯାତି ।।

 

(୪)

ବସତି ବିପିନ-ବିତାନେ ତ୍ୟଜତି ଲଳିତଧାମ ।

ଲୁଠତି ଧରଣି ଶୟନେ ବହୁ ବିଳପତି ତବ ନାମ ।।

 

(୫)

*ରଣତି ପିକ-ସମୁଦାୟେ ପ୍ରତିଦିଶମନୁଯାତି ।

ହସତି ମନୁଜନିଚୟେ ବିରହମପଳପତି ନେତି ।।

 

(୬)

*ସ୍ଫୂରତି କଳରବ-ରାବେ ସ୍ମରତି ଭଣିତମେବ ।

ତବ ରତି-ସୁଖ-ବିଭବେ ବହୁ ଗଣୟତି ଗୁଣମତୀବ ।।

 

(୭)

*ତ୍ୱଦଭିଧଶୁଭଦମାସଂ ବଦତି ନରି ଶୃଣୋତି ।

ତମପି ଜପିତି ସରସଂ ପରଯୁବତିଷୁ ନରତିମୁପୈତି ।।

 

(୩)

ଶ୍ରବଣ ଯୁଗଳ ପରାଶେ ଅଳି ଯଦି ଗୁଣୁ ଭାଷେ,

ଝୁରଇ ବିରହ ବିରସେ ନିଶି ଜଗି ତବ ଆଶେ !

(୪)

 

ରସଇ ବିପିନ-ବିହାରେ ବରଜି ରୁଚିର ଧାମେ,

ଲୁଟଇ ଧରଣୀ ଉପରେ ଭଜଇ ନିରତ ତବ ନାମେ ।

 

(୫)

*ପିକ ଯଦି କୁହୁକୁ ଭାଷେ ଦିଗ ଦିଗ ବୁଲି ଚାହେଁ,

ଜଗତ ହସଇ ଯହୁଁ ସେ ବିରହକୁ ରୁଷି ଘଉଡ଼ାଏ ।

 

(୬)

*ବିହଗର ମଧୁର ରାବେ ତବ ସୁର ସରି ଭାବେ,

ଝୁରି ଝୁରି ବିଳପଇ ତୋ ମଧୁ ମିଳନର ଅନୁଭାବେ ।

(୭)

*ତବ ଅଭିଧ ମଧୁମାସେ ଶୁଣଇ ଯଦି କହେ କେ,

ଜପି ତବ ମଧୁର ନାମେ ପର-ଯୁବତି-ରତି ବରଜେ ସେ ।

ଗୀତଗୋବିନ୍ଦର ପ୍ରତି ଗୀତ ଆଠପଦିଆା; କିନ୍ତୁ ଏହି ଗୀତଟି ପାଞ୍ଚପଦିଆା ରୂପେ ପ୍ରକାଶିତ । *ଏଇ ଚିହ୍ନ ଦିଆାଯାଇଥିବା ୩ ଗୋଟି ପଦ ଚୌଖମ୍ବା ସଂସ୍ମୃତମାଳା ପୁସ୍ତକାଳୟର ଇନ୍ଦୁଟୀକା-ବନାରସ ମୁଦ୍ରିତ ପୁସ୍ତକ ଏବଂ ତେଲଗୁ ଗୀତଗୋବିନ୍ଦ (ଭବିଲା ପ୍ରେସ୍‌, ମାଡ୍ରାସ) ବ୍ୟତୀତ ଅନ୍ୟ କୌଣସି ବଙ୍ଗଳା, ଓଡ଼ିଆା ବା ହିନ୍ଦୀ ପୁସ୍ତକରେ ନାହିଁ । ତେଣୁ ଏ ତିନି ପଦର ପଦ୍ୟବନ୍ଧ ଅନୁବାଦ କରାଗଲା । ଏହା ପ୍ରକ୍ଷପ୍ତ ମଧ୍ୟ ହୋଇପାରେ । ଜୟଦେବୀ ରଚନା ଭଳି ଉପଧା ମିଳନବିଧି ଏଥିରେ ନାହିଁ ।

 

(୮)

 

ଭଣତି କବିଜୟଦେବେ ବିରହବିଳସିତେନ ।

ମନସି ରଭସ-ବିଭବେ ହରିରୁଦୟତୁ ସୁକୃତେନ ।।

 

ପୂର୍ବଂ ଯତ୍ର ସମଂ ତ୍ୱୟା ରତିପତେରାସାଦିତାଃ ସିଦ୍ଧୟ-

ସ୍ତସ୍ମିନ୍ନେବ ନିକୁଞ୍ଜ-ମନ୍ମଥମହାତୀର୍ଥେ ପୁନର୍ମାଧବଃ ।

ଧ୍ୟାୟଂସ୍ତ୍ୱାମନିଶଂ ଜପନ୍ନପି ତବୈବାଳାପ-ମନ୍ତ୍ରାବଳୀମ୍

ଭୂୟସ୍ତ୍ୱତ୍-କୁଚକୁମ୍ଭନିର୍ଭରପରୀରମ୍ଭାମୃତଂ ବାଞ୍ଛତି ।। ୧ ।

ଇତି ଦଶମଃ ସନ୍ଦର୍ଭଃ

 

(୮)

ରଚିତ ପଦ ଜୟଦେବ ବିରହ-କଳିତ ଗୀତେ,

ଶ୍ରବଣ-ଭବନ -ବିଭବେ ହରି-ରସ-ଶୁଭ ଭରୁ ଚିତ୍ତେ ।

 

ଭଣିତ ନବ ଅନୁବାଦେ ଉତ୍କଳ ରୁଚି ଭାଷେ,

ନିରତ ଯୁଗଳ ପୟରେ କବିଚନ୍ଦ୍ର ପ୍ରତି ଆଶେ ।

 

କୁଞ୍ଜେ ତୋ ସହିତେ ରସେ ଯହିଁ ଥରେ ପୂର୍ବେ ଲଭେ ସିଦ୍ଧି ଯେ,

ତୋ ଧ୍ୟାନେ ସଖି ! ସେ ନିକୁଞ୍ଜ ମଝିରେ କନ୍ଦପ ତୀର୍ଥେ ଝୁରେ ।

ସେ ଯେ ବାସର-ଯାମିନୀ ସଜନି, ତୋ ଆଳାପ-ମନ୍ତ୍ରେ ଜପି,

ରାଧେ ଗୋ, କୁଚକୁମ୍ଭଧାର- ଅମିୟେ ଆଲିଙ୍ଗନେ ବାଞ୍ଛଇ ।।୧।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

ଇତି ଦଶମ ସନ୍ଦର୍ଭ

 

ଅଥ ଏକାଦଶଃ ସନ୍ଦର୍ଭଃ

ଗୀତମ୍ ।୧୧।

ଗୁର୍ଜ୍ଜରୀରାଗେଣ ଏକତାଳୀତାଳେନ ଚ ଗୀୟତେ ।

 

(୧)

ରତିସୁଖସାରେ ଗତମଭିସାରେ ମଦନ-ମନୋହର-ବେଶମ୍ ।

ନ କୃରୁ ନିତମ୍ବିନ ! ଗମନ-ବିଳମ୍ବନ-ମନୁସର ତଂ ହୃଦୟେଶମ୍ ।।

ଧୀର-ସମୀରେ ଯମୁନାତୀରେ ବସତି ବନେ ବନମାଳୀ ।

* ପୀନ-ପୟୋଧର- ପରିସରମର୍ଦ୍ଦନ-ଚଞ୍ଚଳ-କରଯୁଗ-ଶାଳୀ ।।

                              ।।ଧ୍ରୁବମ୍।।

 

*ଏ ଧାଡ଼ିଟି କେତେକ ବଙ୍ଗଳା ଗୀତଗୋବିନ୍ଦ ପୁସ୍ତକରେ ନାହିଁ । ‘‘ଗୋପୀ-ପୀନ-ପୟୋଧର’’ ଇତ୍ୟାଦି ହିନ୍ଦୀ ଛାପା ଗୀତଗୋବିନ୍ଦ ଏବଂ ରାଣା କୁମ୍ଭଙ୍କ ଟୀକାରେ ଅଛି । ମାତ୍ର ଗାୟନ ପକ୍ଷେ ‘ଗୋପୀ’ ପଦ ସଂଯୋଗ ନିତାନ୍ତ ଅସୁବିଧାଜନକ । ସର୍ବାଙ୍ଗ ସୁନ୍ଦରୀ ଟୀକା (ପୋଥି) ଏବଂ ଓଡ଼ିଆ ଛାପା ଗୀତଗୋବିନ୍ଦମାନଙ୍କରେ କେବଳ ‘‘ପୀନ ପୟୋଧର’’ ଇତ୍ୟାଦି ଧାଡ଼ିଟି ଅଛି ।

 

(୨)

ନାମ-ସମେତଂ କୃତ-ସଂକେତଂ ବାଦୟତେ ମୃଦୁବେଣୁମ୍ ।

ବହୁ ମନୁତେଽତନୁ ତେ ତନୁ-ସଙ୍ଗତ-ପବନ-ଚଳିତମପି ରେଣୁମ୍ ।।

 

(୩)

ପତତି ପତତ୍ରେ ବିଚଳିତ ପତ୍ରେ ଶଙ୍କିତ-ଭବଦୁପଯାନମ୍ ।

ରଚୟତି ଶୟନଂ ସଚକିତ-ନୟନଂ ପଶ୍ୟତି ତବ ପନ୍ଥାନମ୍ ।।

 

ଏକାଦଶ ସନ୍ଦର୍ଭ

ଗୀତ ।୧୧।

ଗୁର୍ଜ୍ଜରୀ ରାଗ । ତାଳ-ଏକତାଳ

(୧)

 

ରତିସୁଖଆଶେ, ମୋହନବେଶେ, ମାଧବ ଗତ ଅଭିସାରେ

ଚାରୁନତମ୍ବିନି, ନ କରି ବିଳମ୍ବ ତୁ ଅନୁସର ଚଞ୍ଚଳ ତା’ରେ ।

ଧୀରସମୀରେ, ଯମୁନାତୀରେ, ବିଜୟ ବନେ ବନଚାରୀ

ତୁଙ୍ଗ-ଗୁରୁସ୍ତନ-ମଣ୍ଡଳ-ପରି କର ଚଞ୍ଚଳ-ଚାଳନ-କାରୀ । ଘୋଷା ।

 

(୨)

ନାମ ରଟେ ସେ ସୁର ସଂକେତେ ମଧୁ ମଧୁ ମୁଛଲୀ ବାଇ

ଭାଗ୍ୟ ମଣେ ତୋ ତନୁ ପରଶନ-ଗତ, ଯବନ ରେଣୁ- କଣ ପାଇ ।

 

(୩)

ନିହଗ ଉଡ଼େ ଯଦି, ପତ୍ର ପଡ଼େ ବା ଚମକି ମରେ ତୁ କି ଆସୁ,

ସଚକିତ ନୟନେ ରଚି-ଶୟନେ, ତୋ ପଥ ଶ୍ୟାମ ପିପାସୁ ।

 

(୪)

ମୁଖରମଧୀରଂ ତ୍ୟଜ ମଞ୍ଜୀରଂ ରିପୂମିବ କେଳିଷୁ ଲୋଳମ୍ ।

ଚଳ ସଖି ! କୁଞ୍ଜଂ ସତିମିର-ପୁଞ୍ଜଂ ଶୀଳୟ ନୀଳ-ନିଚୋଳମ୍ ।।

 

(୫)

ଉରସି ମୁରୋରେରୁପହିତ-ହାରେ ଘନଇବ ତଗଳ-ବଳାକେ ।

ତଡ଼ିଦିବ ପୀତେ ! ରତି-ବିପରୀତେ ରାଜସି ସୁକୃତ-ବିପାକେ ।।

 

(୬)

ବିଗଳିତ-ବସନଂ ପରିହୃତ-ରସନଂ ଘଟୟ ଜଘନମପିଧାନମ୍ ।

କିଶଳୟ- ଶୟନେ ପଙ୍ଗଜ-ନୟନେ ନିଧିମିବ ହର୍ଷନିଧାନମ୍ ।।

 

(୭)

ହରିରତିମାନୀ (୧) ରଜନୀରିଦାନୀମିୟମପି ଯାତି ବିରାମମ୍ ।

କୁରୁ ମମ ବଚନଂ ସତ୍ୱରରଚନଂ ପୂରୟ ମଧୁରିପୁ- କାମମ୍ ।।

 

(୮)

ଶ୍ରୀଜୟଦେବେ କୃତ-ହରି-ସେବେ ଭଣତି ପରମରମଣୀୟମ୍

ପ୍ରମୁଦିତ-ହୃଦୟଂ ହରିମତିସଦୟଂ ନମତ ସୁକୃତ-କମନୀୟମ୍ ।।

 

୧ । ‘ହରିରଭିମାନୀ’ ଇତି ପାଠାନ୍ତରମ୍ ।

 

 

(୪)

କେଳି-କାଳ- ଅରିସରି ମୁଖରିତ ତୋ ଚଞ୍ଚଳ ମଞ୍ଜିର ତେଜ

ତିମିରିତ ରଜନୀ, ନୀଳବସନ ଧନି ! ମଣ୍ଡି ଚାଲ ତୁ ନିକୁଞ୍ଜ ।

 

(୫)

ଭାଗ୍ୟଫଳେ ତୋ’ ହାର ଶ୍ୟାମ ଉର ମଣ୍ଡିବ ରତି-ବିପରୀତେ

ଚଞ୍ଚଳ-ବଳଦଳ-ଖେଳନ-ଘନପର, ବିଜୁଳି ଝଲକ ସରି ଚିତ୍ରେ ।

 

(୬)

ମୁକୁଳିତ- କାଞ୍ଚୀ, ପହରଣ-ମୁଞ୍ଚି ତୁ ଫେଇ ଘନ-ଜଘନ ବାସେ

ନବଦଳଶୟନେ, ସରସିଜନୟନେ, ହୁଅ ହରି-ସୁଖନିଧି ହର୍ଷେ ।

 

(୭)

ପାହିବ ରଜନୀ, ସାଜ ବେଶ ଧନି ! ଜାଣୁ ତ ହରି ଅଭିମାନୀ

ମଧୁରିୟ ଭାବନ, କର ସଖି ପୁରଣ, ଚଳ ତୁରିତ ବଚନ ମାନି ।

 

(୮)

ଶ୍ରୀ ଜୟଦେବ ଭଣିତ ଅତିଦୁର୍ଲଭ, ହରି-ରସ ଏ ରମଣୀୟ

କରୁଣାନିଧି-ପଦ ଜଗ-ଶୁଭ ସମ୍ପଦ ବନ୍ଦନ ଚିର ବରଣୀୟ ।

 

କବିଗୁରୁ ଚରଣେ ନିତି ଅନୁସରଣେ, କବିଶଶୀ ଅତି ପ୍ରୟାସୀ ।

ଉତ୍କଳ-ନନ୍ଦନ ! ପ୍ରଣତର ବନ୍ଦନ ଘେନ ମୁଁ ଉତ୍କଳବାସୀ ।

 

ବିକିରତି ମୁହୁଃ ଶ୍ୱାସାନାଶାଃ ପୁରୋମୁହୁରୀକ୍ଷତେ

ପ୍ରବିଶତି ମୁହୁଃ କୁଞ୍ଜଂ ଗୁଞ୍ଜନ୍‍ମୁହୁର୍ବହୁ ତାମ୍ୟତି ।

ରଚୟତି ମୁହୁଃ ଶଯ୍ୟାଂ ପର୍ଯ୍ୟାକୁଳଂ ମୁହୁରୀକ୍ଷତେ

ମଦନ-କଦନ- କ୍ଲାନ୍ତଃ କାନ୍ତେ ପ୍ରିୟସ୍ତବ ବର୍ତ୍ତତେ ।। ୧।।

 

ତ୍ୱଦ୍ବାମ୍ୟେନ ସମଂ ସମଗ୍ରମଧୁନା ତିଗ୍ମାଂଶୁରସ୍ତଂ ଗତୋ

ଗୋବିନ୍ଦସ୍ୟ ମନୋରଥେନ ଚ ସମଂ ପ୍ରାପ୍ତଂ ତମଃ ସାନ୍ଦ୍ରତାମ୍ ।

କୋକାନାଂ କରୁଣସ୍ୱେନେନ ସଦୃଶୀ ଦୀର୍ଘା ମଦଭ୍ୟର୍ଥନା ।

ତନ୍ମୁରାଧେ ବିଫଳଂ ବିଳମ୍ବନମସୌ ରମୋଽଭିସାରକ୍ଷଣ ।।୨।।

 

ଆଶ୍ଲେଷାଦନୁ ଚୁମ୍ବନାଦନୁ ନଖୋଲ୍ଲଖାଦନୁ ସ୍ୱାନ୍ତଜ-

ପ୍ରୋଦ୍ବୋଧାଦନୁ ସମ୍ଭ୍ରମାଦନୁ ରତାରମ୍ଭାଦନୁ ପ୍ରୀତୟୋଃ ।

ଅନ୍ୟାର୍ଥଂ ଗତୟୋର୍ଭ୍ର ମାନ୍ମିଳିତୟୋଃ ସମ୍ଭାଷଣୈର୍ଜାନତୋ-

ର୍ଦମ୍ପତ୍ୟୋରିହ କୋ ନ କୋ ନ ତମସି ବ୍ରୀଡ଼ାବିମିଶ୍ରୋ ରସଃ ।।୩।।

 

ବରଜି ଖର ନିଃଶ୍ୱାସେ ତୋରେ ନିରେଖଇ ତୌଦିଗେ,

ଘଡ଼ି ଘଡ଼ି ଚଳେ କୁଞ୍ଜେ କୁଞ୍ଜେ ମନେ ସ୍ମରି ତୋ କଥା ।

ଥର ଥର ରଚେ ଶେଜେ ଭାଳେ ସତେ ସହି ଆସୁ ତୁ

ଅତନୁ ତନୁ ତା ପୀଡ଼େ, କ୍ଲାନ୍ତେ ବସେ ପଥ ତୋ ସ୍ମରି ।।୧।।

                              (ହରିଣୀ)

 

ଚୁମ୍ବେ ଅସ୍ତନଭେ ନିରେଖ ସବିତା ତୋ ମାନ ସଙ୍ଗେ ସତେ,

ମୁଗ୍ଧେ ! ଶ୍ୟାମ ମନୋଭିଳାଷ ସରି’ ବା ଅନ୍ଧାର ସାନ୍ଦ୍ରେ ଭଜେ ।

ରାତ୍ରେ କୋକ-ବଧୁ ସମେ କରୁଣ ମୋ ଅଭ୍ୟର୍ଥନା ଘେନି ତୁ,

ରାଧେ ଗୋ ! ଗମନେ ବିଳମ୍ବ କରନା ରାସେଶ୍ୱରୀ ସୁନ୍ଦରି ।।୨।।

                        (ଶାର୍ଦ୍ଦୂଳ-ବିକ୍ରୀଡ଼ୀତ)

 

ଅନ୍ଧାରେ ଭ୍ରମୁଁ କାନନେ ଯଦି ଅବା ଦୈବେ ଦୁହେଁ ଭେଟିବ,

ସମ୍ଭାଷେ ପରିଜ୍ଞାତ ହେବ ତହୁଁ ଗୋ, ଆଲିଙ୍ଗନେ ଚୁମ୍ବନେ ।

ଆବେଶେ ନଖଘାତ କମ୍ପ-ପୁଲକେ କନ୍ଦର୍ପକ୍ରୀଡ଼ାନ୍ତରେ,

ତୋଷେ ଲାଜମିଶା ବିଚିତ୍ର ରସ ସେ କେ ବା ନ ଇଚ୍ଛେ ସଖି ? ୩ ।।

                        (ଶାର୍ଦ୍ଦୂଳ -ବିକ୍ରୀଡ଼ିତ)

ସଭୟଚକିତଂ ବିନଶ୍ୟନ୍ତୀଂ ଦୃଶୌ ତିମିରେ ପଥି

ପ୍ରତିତରୁ ମୁହୁଃ ସ୍ଥିତ୍ୱା ମନ୍ଦଂ ପଦାନି ବିତନ୍ୱତିମ୍ ।

କଥମପିରହଃ ପ୍ରାପ୍ତାମଙ୍ଗୈ ରନଙ୍ଗ-ତରଙ୍ଗିଭିଃ ।

ସୁମୁଖି ସୁଭଗଃ ପଶ୍ୟନ୍ ସ ତ୍ୱାମୁପୈତୁକୃତାର୍ଥତାମ୍ ।।୪।।

 

ରାଧାମୁଗ୍ଧମୁଖାରବିନ୍ଦ-ମଧୁପସ୍ତ୍ରୈ ଲୋକ୍ୟମୌଳି-ସ୍ଥଳୀ -

ନେପଥ୍ୟୋଚିତ-ନୀଳ-ରତ୍ନମବନୀ-ଭାରାବତାର-କ୍ଷମଃ ।

ସ୍ୱଚ୍ଛନ୍ଦଂବ୍ରଜ-ସୁନ୍ଦରୀ-ଜନ-ମନସ୍ତୋଷ-ପ୍ରଦୋଶ୍ଚିରମ୍ ।

କଂସ-ଧ୍ୱଂସନ-ଧୂମକେତୁରବତୁ ତ୍ୱାଂ ଦେବକୀ-ନନ୍ଦନଃ ।।୫।।

 

ଇତି ଶ୍ରୀଗୀତଗୋବିନ୍ଦେ ଏକାଦଶଃ ସନ୍ଦର୍ଭଃ ।

 

ଇତି ଶ୍ରୀଗୀତଗୋବିନ୍ଦେ ମହାକାବ୍ୟେଽଭିସାରିକା ବର୍ଣ୍ଣନେ ସାକାଂକ୍ଷପୁଣ୍ଡରୀକାକ୍ଷୋ ନାମ ପଞ୍ଚମଃ ସର୍ଗଃ

 

ଚକିତ ନୟନେ ରାଧେ ! ଅନ୍ଧାରରେ ପଥରେ ଗମୁଁ,

ଥକି ଥକି ତୁ ଗୋ ! ଦଣ୍ଡେ ଶାଖୀତଳେ ଲୁଚି ଚାହିଁବୁ ।

ମୃଦୁ ପବନ ସଞ୍ଚାରେ କାମେ ତରଙ୍ଗିତ ଅଙ୍ଗ ତୋ,

ଦରଶନର ସୌଭାଗ୍ୟେ ହେବେ ତ ବନ୍ଧୁ କୃତାର୍ଥ ଗୋ ।।୪।।

                  (ହରିଣୀ)

 

ରାଧା-ପଦ୍ମ-ନିଭାନନେ-ଭ୍ରମର ସେ ତ୍ରିଲୋକ୍ୟ ବନ୍ଦେ ପଦେ,

ବୃନ୍ଦା-କାନନ-କାନ୍ତ-ନୀଳମଣି ସେ ଭୁଭାର ରକ୍ଷା-କ୍ଷମ ।

ଗୋପୀ-ମାପସ-ତୋଷଣେ ବ୍ରଜ-ଘନେ ସନ୍ଧ୍ୟା ପରାଏ ସତେ

ସେ କଂସାରି ଜନେ କୃପା ବହି ସଦା କଲ୍ୟାଣି ବାଞ୍ଛା କରୁ ।।୫।।

                  (ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ଇତି ଶ୍ରୀଗୀତଗୋବିନ୍ଦ ଏକାଦଶ ସନ୍ଦର୍ଭ ।

ଇତି ଶ୍ରୀଗୀତଗୋବିନ୍ଦ ମହାକାବ୍ୟରେ ଅଭିସାରିକା ବର୍ଣ୍ଣନେ, ସାକାଂକ୍ଷ-ପୁଣ୍ଡରୀକାକ୍ଷ ନାମକ ପଞ୍ଚମ ସର୍ଗ ।

 

ଅଥ ଷଷ୍ଠଃ ସର୍ଗଃ

ଧୃଷ୍ଟ-ବୈକୁଣ୍ଠଃ

 

ଅଥ ତାଂ ଗନ୍ତୁମଶକ୍ତାଂ ଚିରମନୁରକ୍ତାଂ ଲତାଗୃହହେ ଦୃଷ୍ଟ୍ୱ ।

ତଚ୍ଚରିତଂ ଗୋବିନ୍ଦେ ମନସିଜମନ୍ଦେ ସଖୀ ପ୍ରାହ ।।୧।।

 

ଦ୍ୱାଦଶଃ ସନ୍ଦର୍ଭଃ

ଗୀତମ୍।୧୨।

ଗୁଣକାରୀଗେଣ ରୂପକତାଳେନର ଗୀୟତେ ।

 

(୧)

ପଶ୍ୟତ ଦିଶି ଦିଶି ରହସି ଭବନ୍ତମ୍

ତଦଧରମଧୁରମଧୂନି ପିବନ୍ତମ୍।।

ନାଥ ହରେ, ସୀଦିତ ରାଧା ବାସଗୃହେ । ଧ୍ରୁବମ୍।।

 

(ଛଅ)

ସଖୀ ମୁଖରୁ ରସରାଜଙ୍କ ମିଳନ ଉତ୍କଣ୍ଠାର ସଙ୍କେତ ପାଇ ଆନନ୍ଦରେ ନାଚିଉଠିଲା ଶ୍ରୀମତୀଙ୍କର ହୃଦୟ । ସଜାଡ଼ି ହେଲେ ବେଶବାସ; କିନ୍ତୁ ହେଲେ କଅଣ ହେବ ? ବିରହ-ପୀଡ଼ାରେ ପାହୁଣ୍ଡେ ଚାଲିବାକୁ ବଳ ଯେ ନାହିଁ ତାଙ୍କର ! ଏକାନ୍ତ ଉନ୍ମନା ସେ । ବେଳେ ବେଳେ ଶ୍ରୀକୃଷ୍ଣଙ୍କ ପରି ବେଶମଣ୍ଡିତା ହୋଇ ନିଜେ ନିଜକୁ କୃଷ୍ଣ ବୋଲି ବିଚାରୁଛନ୍ତି । ମହାକବି ଏହିଠାରେ ଦେଖାଇଛନ୍ତି ଯେ ଶ୍ୟାମ-ବିରହିଣୀ କିପରି ନିଜର ସୁଖ ମନାସି ନାହାନ୍ତି । ଆତ୍ମସୁଖକୁ ପସରା ନ କରି, ଶ୍ୟାମ ଅଙ୍ଗରେ ମିଶି ଯାଇଛନ୍ତି ସେ । ନିଷ୍କାମ ପ୍ରେମର ଏଇ ହେଲା ଅନ୍ନର-ଧର୍ମ ।

 

ଚତୁରୀ ସହଚରୀ ବ୍ରଜଗୋପୀମାନଙ୍କର ପରମାନନ୍ଦ ଲାଭ କେବଳ ରାଧାମାଧବଙ୍କ ମଧୁର ମିଳନ ସନ୍ଦର୍ଶନରେ । ତେଣୁ ଉତ୍କଣ୍ଠିତା ସଖୀ ପୁଣି ଥରେ ଯାଇ ଶ୍ରୀକୃଷ୍ଣଙ୍କୁ ରାଧାଙ୍କର ବାଧା ଜଣାଇଲେ । ଏଥର ଚଞ୍ଚଳ ହୋଇଉଠିଲା ‘‘ଧୃଷ୍ଟ-ବୈକୁଣ୍ଠ’’ଙ୍କ ରସ-ମାନସ ।

 

ଅଥ ଷଷ୍ଠ ସର୍ଗ

ଧୃଷ୍ଟ-ବୈକୁଣ୍ଠ

 

ଅଭିସାରେ-ଅସର୍ମଥା ଚିର-ଅନୁରକ୍ତା ନିରେଖି କୁଞ୍ଜରେ,

ତା ଚରିତେ କାମେ-ପୀଡ଼ିତ ହରି ପାଶେ ସଖୀ ଭାଷେ ।।୧।।

 

ଦ୍ୱାଦଶ ସନ୍ଦର୍ଭ

ଗୀତ ।୧୨।

ରାଣ-ଗୁଣକ (କେ)ରୀ । ତାଳ-ରୂପକ

 

(୧)

ଚଉକତି କଳପଇ ସଙ୍ଗ ଏକାନ୍ତେ,

ଚୁମ୍ଭଇ ତବ ମଧୁରାଧର ପ୍ରାନ୍ତେ ।

ନାଗର ହେ !

ବାତର ରାଧା ବାସଘରେ । ଘୋଷା ।

 

(୨)

ତ୍ୱଦଭିସରଣଭସେନ ବଳନ୍ତୀ

ପତିତ ପଦାନି କିୟନ୍ତି ଚଳନ୍ତୀ ।।

 

(୩)

ବିହିତବିଶଦବିସକିସଳୟ-ବଳୟା ।

ଜୀବତ ପରମିହ ତବ ରତିକଳୟା ।।

 

(୪)

ମୁହୁରବଲୋକିତଣ୍ଡନ-ଳୀଳା

ମଧୁରିପୁରହମିତ ଭାବନଶୀଳା ।।

 

(୫)

ତ୍ୱରିତମୁପୌତି ନ କଥମଭିସାରମ୍

ହରିରିତ ବଦତି ସଖୀମନୁବାରମ୍ ।।

 

(୨)

ତବ ମିଳନେ ଅଭିସାର ମନାସି,

ଝୁଣ୍ଟି ପଡ଼େ ପଥ ଚାଲୁ ସୁହସୀ ।

 

(୩)

ପିନ୍ଧି ବଳୟ-ଦଳ ଶୁଭ୍ର ମୃଣାଳେ,

ବଞ୍ଚି ସଖୀ ମିଳନେ ତବ ଭାଳେ ।

 

(୪)

ତମ ସରି ବେଶ ବିମଣ୍ଡି ଶରୀରେ,

ଭାଳଇ ‘କୃଷ୍ଣ ମୁଁ’ ଭାବ-ଅଧୀରେ ।

 

(୫)

ପୁଚ୍ଛେ ସଖୀ କି ତୁହାଇ ତୁହାଇ,

ତବ ଅଭିସାର ବିଳମ୍ବ କିପାଇଁ ।

 

(୬)

ଶ୍ଲିଷ୍ୟତି ଚୁମ୍ବତି ଜଳଧରକଳ୍ପମ୍ ।

ହରିରୂପଗତ ଇତି ତିମିରମନଳ୍ପମ୍ ।।

 

(୭)

ଭବତି ବିଳମ୍ବିତ ବିଗଳିତ ଲଜ୍ଜା ।

ବିଳପତି ରୋଦିତ ବାସକସଜ୍ଜା ।

 

(୮)

ଶ୍ରୀଜୟଦେବ-କବେରିଦମୁଦିତମ୍ ।

ରସିକ-ଜନଂ ତନୁତାମତିମୁଦିତମ୍ ।।

 

(୬)

ପାଞ୍ଚି ମନେ ତବ ଆଗମ ଶ୍ୟାମ,

ଚୁମ୍ବଇ ସେ ଘନ-ଅମ୍ବର ଦାମ ।

 

(୭)

ହେରି ବିଳମ୍ବ ତ ତେଜଇ ଲଜ୍ଜା,

ରୋଦଇ, ସାଜଇ ବାସକ-ସଜ୍ଜା ।

 

(୮)

ଶ୍ରୀଜୟଦେବ ଭଣିତ ହରି ଗୀତେ,

ମୋଦ ଦାନକରୁ ସୁରସିକ ଚିତ୍ତେ ।

 

କବିଶଶି-ବନ୍ଦନ ହେ କବି-ରାଜ !

ମାପସ-ମନ୍ଦିରେ ମୋ’ର ବିରାଜ ।

 

ବିପୁଳପୁଲକପାଳିଃ ସ୍ଫୀତ-ଶୀତ୍‍କାରମନ୍ତ-

ର୍ଜନିତଜଡ଼ିମକାକୁ-ବ୍ୟାକୁଳଂ ବ୍ୟାହରନ୍ତୀ ।

ତବ କିବ ବିଧାୟାମନ୍ଦକନ୍ଦର୍ପଚିନ୍ତାମ୍ ।

ରସଜଳଧିନିମଗ୍ନା ଧ୍ୟାନଲଗ୍ନା ମୂଗାକ୍ଷୀ ।।୧।।

 

ଅଙ୍ଗେଷ୍ୱାଭରଣଂ କରୋତି ବହୁଶଃ ପ୍ରତ୍ରେଽପି ସଞ୍ଚାରିଣି

ପ୍ରାପ୍ତଂ ତ୍ୱାଂ ପରିଶଙ୍କତେ ବିତନୁତେ ଶର୍ଯ୍ୟା ଚିରଂ ଧ୍ୟାୟତି ।

ଇତ୍ୟାକଳ୍ପ-ବିକଳ୍ପ-ତଳ୍ପ-ରଚନା-ସଂକଳ୍ପ-ଲୀଳା-ଶତ

ବ୍ୟାସଶକ୍ତି ବିନା ତ୍ୱୟା ବରତନୁନୈର୍ଷା ନିଶାଂ ନେଷ୍ୟତି ।।୨।।

 

କିଂ ବିଶ୍ରାମ୍ୟସି କୃଷ୍ଣ-ଭୋଗିଭବନେ ଭାଣ୍ଡୀରଭୂମୀରୂହେ

ଭ୍ରାତର୍ଯାହି ନ ଦୃଷ୍ଟି ଗୋଚରମିତଃ ସାନନ୍ଦ-ନନ୍ଦାସ୍ପଦମ୍ ।

ରାଧାୟା ବଚନଂ ତଦଧ୍ୱମୁଖାନ୍ନନ୍ଦାନ୍ତି ଗୋପତୋ

ଗୋବିନ୍ଦସ୍ୟ ଜୟନ୍ତି ସାୟମତିଥି- ପ୍ରାଶସ୍ତ୍ୟଗର୍ଭା ଗିରଃ ।।୩।।

 

ଇତି ଶ୍ରୀଗୀତଗୋବିନ୍ଦେ ଦ୍ୱାଦଶଃ ସନ୍ଦର୍ଭଃ ।

ଇତି ଶ୍ରୀଗୀତଗୋବିନ୍ଦେ ମହାକାବ୍ୟେ ବାସକସଜ୍ଜା ବର୍ଣ୍ଣନେ ଧୃଷ୍ଟ-ବୈକୁଣ୍ଠୋ ନାମ ଷଷ୍ଠଃ ସର୍ଗଃ

 

ପୁଲକିତ ତନୁ ସଙ୍ଗେ ସ୍ଫୀତ ଶୀତ୍‍କାର ଅଙ୍ଗେ,

ଶଠ ! ତବ ବିରହେ ସେ ମୂର୍ଚ୍ଛିତା ଶୀର୍ଣ୍ଣ-ଦେହା ।

ଅଫୁଟ ଶବଦ ଭାଷେ କାମ -ପୀଡ଼ାବଶେ ସେ,

ତବ ରତି-ରସ ଚିନ୍ତା-ସାଗରେ ମଜ୍ଜି ରାଧା ।।୧।।

                        (ମାଳିନୀ)

 

ପିନ୍ଧେ ଆଭରଣେ ମନେ କଳପି ସେ ତୁମ୍ଭେ ବିଜେ ପାରୁଶେ,

ପତ୍ରେ ମର୍ମରିଲେ ତବାଗମସ୍ମରେ ଶଯ୍ୟାରଚେ ମୋଦରେ ।

ଧ୍ୟାୟେ କଳ୍ପଇ ବା ମନେ ସତତ ସେ ଲୀଳା ରସେ ଚିନ୍ତଇ,

କେହ୍ନେ ସେ ବରଅଙ୍ଗନା ତବ ବିନା ରାତ୍ରେ ଭଲା ବଞ୍ଚିବ ! ।।୨।।

                        (ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ବନ୍ଧୋ ! କାହିଁକି କୃଷ୍ଣ ଭୋଗି-ଭବନେ ଭାଣ୍ଡୀର ଶାଖୀତଳେ,

ମୋଦେ ଯାଅ ସଖେ ! ଦିଶେ ନିକଟରେ ଆନନ୍ଦ ନନ୍ଦାଳୟେ ।

ନନ୍ଦେ ଛନ୍ଦ ଛଳେ ଧନୀ ବଚନ ଏ ଯେ ପାନ୍ଥ ସଞ୍ଜେ ବୁଝି,

ଗୁପ୍ତେ ତାଙ୍କୁ ପ୍ରଶଂସିଲେ, ଭରୁ ସଦା ରାଧା ହୃଦେ ମୋଦ ସେ ।।୩।।

 

ଇତି ଶ୍ରୀଗୀତଗୋବିନ୍ଦର ଦ୍ୱାଦଶ ସନ୍ଦର୍ଭ ।

ଇତି ଶ୍ରୀଗୀତଗୋବିନ୍ଦ ମହାକାବ୍ୟେ ବାସକ-ସଜ୍ଜା ବର୍ଣ୍ଣନେ ଧୃଷ୍ଟ-ବୈକୁଣ୍ଠ ନାମ ଷଷ୍ଠ ସର୍ଗ

 

ଅଥ ସପ୍ତମଃ ସର୍ଗଃ

ନାଗର-ନାରାୟଣଃ

 

ଅଭ୍ରାନ୍ତରେ ଚ କୁଳଟା-କୁଳ-ବର୍ମପାତ-

ସଂଜାତ-ପାତକ ଇବ ସ୍ପୁଟ-ଲାଞ୍ଚନ ଶ୍ରୀଃ ।

ବୃନ୍ଦାବନାନ୍ତର ମଦୀପୟଦଂଶୁଜାଳୈଃ -

ଦିକ୍-ସୁନ୍ଦରୀ-ବଦନ-ଚନ୍ଦନ-ବିନ୍ଦୁରିନ୍ଦୁଃ ।।୧।।

 

ପ୍ରସରିତ ଶଶଧର-ବିମ୍ବେ ବିହିତ-ବିଳମ୍ବେ ଚ ମାଧବେ ବିଧୁରା

ବିରଚିତ-ବିବିଧ-ବିଳାପଂ ସା ପରିତାପଂ ଚକାରୋଚ୍ଚୈଃ ।୨ ।।

 

ଅଥ ତ୍ରୟୋଦଶଃ ସନ୍ଦର୍ଭଃ

ଗୀତମ୍ ।୧୩।

ମାଳବରାଗେଣ, ଯତିତାଳେନ ଚ ଗୀୟତେ ।

 

(୧)

କଥିତ ସମୟେଽପି ହରିରହହ ନ ଯଯୌ ବନମ୍

ମମ ବିଫଳମିଦମମଳମପି ରୂପ-ଯୌବନମ୍ ।

ଯାମି ହେ କମିହ ଶରଣଂ ସଖୀଜନ-ବଚନ-ବଞ୍ଚିତା । ଧ୍ରୁବମ୍ ।।

 

(ସାତ)

ବିପ୍ରଲବ୍ଧା-ନାୟିକା ଏକାନ୍ତ ବିରହାତୁରା । ଉତ୍କଣ୍ଠ ମନନୟନ ତାଙ୍କର ଅପେକ୍ଷା କରୁଛି ମଧୁମିଳନର ଚିରଅଭିଳଷିତ ଦୁର୍ଲ୍ଲଭ ଅବସର । ଆଶା କରିଥିଲେ ନୀଳନଭରେ ଚନ୍ଦ୍ର ଉଦୟ ହେଉ ନ ହେଉଣୁ, ରସିକରାଜ ସଖୀ ସହିତ ମିଳନ କୁଞ୍ଜକୁ ବିଜେ କରିବେ । କିନ୍ତୁ କାହିଁ ? ବିତିଯାଏ ରାତ୍ରି, ବଳିଗଲା କଣ୍ଟକାଳ । ଆକାଶକୁ ଚାହିଁ ଦେଖିଲେ-ଦରହସି ଚନ୍ଦ୍ରମା ପରିହାସ କରୁଛି ତାଙ୍କୁ ।

କାହାନ୍ତି ସେ ଶେଠ ?

 

ମଉଳିଗଲା ଗୁନ୍ଥା-ମାଳତୀ ହାର । ଶୁଖିଗଲାଣି ସୁବାସ ଚନ୍ଦନ-ଝରା । ଯାଇଥିଲା ସଖୀ ଶ୍ୟାମଙ୍କୁ ସଙ୍ଗରେ ଘେନି ଫେରିବ ବୋଲି । ବାହୁଡ଼ିଲା କିନ୍ତୁ ଏକାକିନୀ । ଭାଙ୍ଗିପଡ଼ିଲା ସୋହାଗୀ-ହୃଦୟ ।

 

ବିରହ-ବିଧୁରା ରାଈଙ୍କ କମଳ-ନୟନ-ଝରା ବେଦନାତୁର ନୀରବିନ୍ଦୁ ସହୃଦୟ ମହାକବିଙ୍କ ଚିତ୍ତ ବିହ୍ୱଳ କରାଇଦେଇ ଶୁଣାଇଲା :-

 

‘‘ଯାମିହେ କମିହ ଶରଣଂ’’

କଳ୍ପନା ଆଖି ଆଗରେ ନାଚିଉଠିଲା-

ବ୍ରଜ ନାଗରୀଗଣ ସହିତ ରଙ୍ଗରସରେ ମାତିଛନ୍ତି

‘‘ନାଗର-ନାରାୟଣ’’ ।

 

ଅଥ ସପ୍ତମ ସର୍ଗ

ନାଗର-ନାରାୟଣ

 

ରାଜେ ଶଶାଙ୍କ କୁଳଟା-କୁଳ-ମାର୍ଗ-ଭ୍ରଷ୍ଟ-

ସଂଜାତ-ଲାଞ୍ଛନ-କଳା ବହି ବକ୍ଷ-ଦେଶେ ।

ଦିକ୍‌-ସୁନ୍ଦରୀ ବଦନ-ଚନ୍ଦନ-ବିନ୍ଦୁ ବା’ସେ,

ବୃନ୍ଦାବନେ ବିହରିଲେ କରରାଜି ଢାଳି ।।୧।।

            (ବସନ୍ତ-ତିଳକ)

 

ଶଶି-କର ବନଭରି ଭାସେ, ନିପଟ-ନିରାଶେ, ବିଳମ୍ୱେ ହରିର,

ବିରହ-ବିକଳ ଅତି ରାଈ, ହେଜ ହରାଇ, ବିଳାପେ ସେ ।।୨।।

                        (ଆର୍ଯ୍ୟା)

 

ଅଥ ତ୍ରୟୋଦଶ ସନ୍ଦର୍ଭ

ଗୀତ ।୧୩ ।

ମାଳବ-ରାଗ । ଯତି-ତାଳ ।

 

(୧)

କଣ୍ଟ ତ ଗଲାଣି ବଳି କାହିଁ ଶଠ କାହିଁ ରେ ?

ଅମଳ ମମ ଯୌବନ ତ ବିଫଳ ପଥ ଚାହିଁ ରେ ।

କା’ର ଗୋ ଶରଣ ଯିବି ରେ ! ସଖୀ-ଛଳ-ବଚନ ବାଇ ମୁଁ । ଘୋଷା ।

 

(୨)

ଯଦନୁଗମନାୟ ନିଶି ଗହନମପି ଶୀଳିତମ୍

ତେନ ମମ ହୃଦୟମିଦମସମଶରକୀଳିତମ୍ ।

 

(୨)

ଯା’ ପଥ ଅନାଇ ନିଶି ଯାପିଲି ମୁଁ କାନନେ,

କାମ ଶର ବିନ୍ଧିଲେ ସେ ଶଠ ସିନା ମନେ ।

 

(୩)

ମମ ମରଣମେବ ବରମିତି-ବିତଥ-କେତନା

କିମିତି ବିଷହାମି ବିରହାନଳମଚେତନା ।

 

(୩)

ମରଣ ମମ ମଙ୍ଗଳ ତ ବ୍ୟର୍ଥ ତନୁ ଧାରଣ,

ଜ୍ଞାନ-ହତ ଏ ବିରହ ସହିବି ମୁଁ କି କାରଣ ?

 

(୪)

ମାମହହ ବିଧୁରତି ମଧୁର-ମଧୁ-ଯାମିନୀ

କାପି ହରିମନୁଭବତି କୃତ-ସୁକୃତ-କାମିନୀ ।

 

(୪)

ବିରହ-ବିଧୁରେ ସିନା ନିନ୍ଦଇ ମୁଁ ଚାନ୍ଦିନୀ,

ଭାଗ୍ୟବଶୁଁ କେ ଯୁବତୀ ହରି-ରମଣ-ମୋଦିନୀ ।

 

(୫)

ଅହହ କଳୟାମି ବଳୟାଦି-ମଣି-ଭୂଷଣମ

ହରି-ବିରହ-ଦହନ-ବହନେନ ବହୁଦୂଷଣମ୍ ।

 

(୫)

ଆଭରିଲି ମଣି-ବଳୟ ଦ୍ୱରି-ମିଳନ ଆଶରେ,

ବିରହ ସହି ଭୁଷଣ ତ ମଣଇଁ ମୁଁ ପରାଶ ରେ ।

 

(୬)

କୁସୁମ-ସୁକୁମାର-ତନୁମତନୁ-ଶର-ଲୀଳୟା

ସ୍ରଗପି ହୃଦି ହନ୍ତି ମାମତିବିଷମ-ଶୀଳୟା ।

 

(୬)

ଯେ କୁସୁମ ହାର କଳି ହୃଦୟପର ଧାରଣ,

ସେ କୁସୁମ ତନୁର ମମ ବିଷମ ଶର ମାରଣ ।

 

(୭)

ଅହମିହ ନିବସାମି ନଗଣିତ-ବନ-ବେତସା

ସ୍ମରତି ମଧୁସୂଦନୋ ମାମପି ନ ଚେତସା ।

 

(୭)

ବେତବନ ବାସକୁ ମୁଁ ନ କଲି ସଖି ଖାତର,

ଚିତ୍ତେ ନ ବିଚାରିଲେ ସେ ତ ତିଳେ ମାତର ।

 

(୮)

ହରି-ଚରଣ-ଶରଣ-ଜୟଦେବ-କବି-ଭାରତୀ

ବସତୁ ହୃଦି ଯୁବତିରିବ କୋମଳ-କଳାବତୀ ।

 

(୮)

ଭଣଇ ଜୟଦେବ ନମି ହରି-ଚରଣ-ସାରସେ

ଯୁବତିସରି ରସୁ ହୃଦୟ ରଞ୍ଜ ରସ ସାରସେ ।

 

ରଚଇ କବିଚନ୍ଦ୍ର ପଦ ସୁମରି ଜୟଦେବରେ,

ବନ୍ଦି ହରି ଭକତ ଜନ ହରିହୁଁ ବଳି, ଭାବରେ ।

 

ତତ୍‌କିଂ କାମପି କାମିନୀମଭିସୃତଃ କିଂ ବା କଳାକେଳିଭି-

ର୍ବଦ୍ଧୋ ବନ୍ଧୁ ଭିରନ୍ଧକାରିଣି ବନାଭ୍ରର୍ଣ୍ଣେ କିମୁଦ୍‍ଭ୍ରାମ୍ୟତି ।

କାନ୍ତଃ କ୍ଳାନ୍ତମନା ମନାଗପି ପଥି ପ୍ରସ୍ଥାତୁମେବାକ୍ଷମଃ

ସଂକେତୀକଅତ-ମଞ୍ଜୁ-ବଞ୍ଜୁଳ-ଲତା-କୁଞ୍ଜେଽପି ଯନ୍ନାଗତଃ ।।୧।।

 

ଅଥାଗତାଂ ମାଧବ-ମନ୍ତରେଣ

ସଖୀମିୟଂ ବୀକ୍ଷ୍ୟ ବିଷାଦମୂକାମ୍ ।

ବିଶଙ୍କମାନା ରମିତଂ କୟାପି

ଜନାର୍ଦ୍ଦନଂ ଦୃଷ୍ଟବଦେତଦାହ ।।୨।।

 

କେ ଗୋପୀ-ରସ-ରଙ୍ଗରେ ଭୁଲି ଅବା କ୍ରୀଡ଼େ ସଖା ସଙ୍ଗତେ,

ରାତ୍ରେ ଘନ-ଅନ୍ଧକାର ବନରେ କିମ୍ୱା ପଥେ ଭ୍ରାନ୍ତ ସେ ।

କ୍ଲାନ୍ତେ ବା ଧନ ମୋ ସତେ ବିରହରେ ଚିନ୍ତାଭରେ ମଗ୍ନ ଗୋ,

ପାଦେ ଶକ୍ତି କି ନାହିଁ ସେ ଅଇଲେ ସଂକେତ କୁଞ୍ଜେ ଅବା ।।୧।।

                  (ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ନିରେଖି ରାଧା ହରି ସଙ୍ଗେ

ବିଷାଦ ମୌନ ସଜନୀ ପ୍ରବେଶ ।

ପୁଚ୍ଛେ ସଶଙ୍କେ ରସିଛନ୍ତି କାହିଁ

ସତେ କି ନେତ୍ରେ ଦେଖିଲା ପରା ସେ ।।୨।।

            (ଉପେନ୍ଦ୍ର ବଜ୍ରା)

ଇତି ତ୍ରୟୋଦଶ ସନ୍ଦର୍ଭ ।

 

ଅଥ ଚତୁର୍ଦ୍ଦଶଃ ସନ୍ଦର୍ଭଃ

ଗୀତମ୍ ।୧୪ ।

ବସନ୍ତରାଗେଣ ଯତିତାଳେନ ଚ ଗୀୟତେ ।

 

(୧)

ସ୍ମର-ସମରୋଚିତ-ବିରଚିତ-ବେଶା

ଗଳିତ-କୁସୁମ-ଦର-ବିଳୁଳିତ-କେଶା ।

କାପି ମଧୁରିପୁଣା, ବିଳସତି ଯୁବତିରଧିକଗୁଣା ।। ଧ୍ରୁବମ୍ ।।

 

(୧)

ରତିରଣ-ମାଦକ ସୁନ୍ଦର-ବେଶେ ।

ସୁମନା-ଦଳା ଦର ମୁକୁଳିତ କେଶେ

କେ ହରି ତୁଲରେ, ବିହରଇ ମୋ ତହୁଁ ବଳି ଗୁଣରେ । ଘୋଷା ।

 

(୨)

ହରି-ପରିରମ୍ଭଣ-ବଳିତ-ବିକାରା

କୁଚ-କଳଶୋପରି-ତରଳିତ-ହାରା ।।

 

(୨)

ହରି-ଆଲିଙ୍ଗନ-ପୁଲକ-ବିଭୋଳେ

କୁଚ-ଯୁଗ ପର ଚଳ ମାଳ ତ ଦୋଳେ ।

 

(୩)

ବିଚଳଦଳକ-ଲଳିତାନନ-ଚନ୍ଦ୍ରା

ତଦଧର-ପାନ-ରଭସ-କୃତ-ତନ୍ଦ୍ରା ।।

 

(୩)

ଚଞ୍ଚଳ କୁନ୍ତଳ ଆନନ ଶୋହେ

ନୟନ ନିମୀଳିତ ଚୁମ୍ୱନ ମୋହେ ।

 

(୪)

ଚଞ୍ଚଳ-କୁଣ୍ଡଳ-ଦଳିତ-କପୋଳା

ମୁଖରିତ-ରସନ-ଜଘନ-ଗତି-ଲୋଳା ।।

 

(୪)

କୁଣ୍ଡଳ ଲୋଳ-କପୋଳ କି ସାଜେ

କିଙ୍କିଣି ଚଳ-ଜଘନେ ମୃଦୁ ବାଜେ ।

 

(୫)

ଦୟିତ-ବିଲୋକିତ-ଲଜ୍ଜିତ-ହସିତା

ବହୁବିଧ-କୂଜିତ-ରତି-ରସିତା ।।

 

(୫)

ନାଗର ହେରି ସଲାଜ ସୁହାସୀ

କୂଜଇ ରତି ରସରେ ରସି ଭାସି ।

 

(୬)

ବିପୁଳ-ପୁଲକ-ପୃଥୁ-ବେପଥୁ-ଭଙ୍ଗା

ଶ୍ୱସିତ-ନିମୀଳିତ-ବିକସଦନଙ୍ଗା ।।

 

(୬)

ଗୁରୁ ପୁଲକେ ଶିହରେ ମୁଦି ଆଖି

ଶ୍ୱାସ ବହେ ଖର ରତି-ରସ ଚାଖି ।

 

(୭)

ଶ୍ରମଜଳ-କଣ-ଭର-ସୁଭଗ-ଶରୀରା

ପରିପତିତୋରସି ରତି-ରଣ-ଧୀରା ।।

 

(୭)

ଶ୍ରମ-ଜଳ-ବିନ୍ଦୁ-ସୁଶୋଭନ ଅଙ୍ଗେ ।

ହରି ଉର ପତିତା ରତି-ରଣ ରଙ୍ଗେ ।

 

(୮)

ଶ୍ରୀଜୟଦେବ-ଭଣିତ-ହରି-ରମିତମ୍

କଳି-କଳୁଷଂ ଜନୟତୁ ପରିଶମିତମ୍ ।।

 

ବିରହ-ପାଣ୍ଡୁ-ମାରାରି-ମୁଖାମ୍ୱିଜ-

ଦ୍ୟୁତିରୟଂ ତିରୟନ୍ନପି ବେଦନାମ୍ ।

ବିଧୁରତୀବ ତନୋତି ମନୋଭୁବଃ

ସୁହୃଦୟେ ହୃଦୟେ ମଦନବ୍ୟଥାମ୍ ।।

 

ଇତି ଚତୁର୍ଦ୍ଦଶଃ ସନ୍ଦର୍ଭଃ ।

 

(୮)

ଶ୍ରୀ ଜୟଦେବ ରଚନ ହରି-ରମଣ

କରୁ କଳି-ଜନିତ ତାପ ଭୟ ହରଣ ।

 

ସାଧୁ ପ୍ରଧାନ ଜନମଥଳବାସୀ

କାଳୀ ଅନୁଦିନ ଆଶିଷ ଆଶୀ ।

 

ସ୍ମର-ସଖା ବିଧୁ-ଅସ୍ତ ଗତେ ସିନା

ବିରହ ତାପ ଶମେ ମୁଁ ମରେଁ ସହି ।

ହରି ମୁଖେ ସ୍ମରି, ପାଣ୍ଡୁର ଚନ୍ଦ୍ରମା

ଅତନୁ ତାପ ବିସାରଇ ମୋ ମନେ ।

 

ଅଥ ପଞ୍ଚଦଶଃ ସନ୍ଦର୍ଭଃ

ଗୀତମ୍ ।୧୫ ।

ଗୁର୍ଜରୀରାଗେଣ ଏକତାଳୀତାଳେନ ଚ ଗୀୟତେ ।

 

(୧)

ସମୁଦିତ-ମଦନେ ରମଣୀ-ବଦନେ ଚମ୍ୱନ-ବଳିତାଧରେ ।

ମୃଗମଦ-ତିଳକଂ ଲିଖତି ସପୁଲକଂ ମୃଗମିବ ରଜନୀକରେ ।।

ରମତେ ଯମୁନା-ପୁଲିନ-ବନେ ବିଜୟୀ ମରାରିରଧୁନା ।। ଧ୍ରୁବମ୍ ।।

 

(୧)

ମାର-ଉଦୟକର କା’ର ଶଶିମୁଖର ଚୁମ୍ୱନ-ରସିଆ ହରି

କସ୍ତୁରି-ତିଳକେ ରଞ୍ଜଇ ପୁଲକେ ଶଶ ଶଶଧରେ ସରି ।

ବିହରେ ଯମୁନାତଯ ବନରେ ଅଧୁନା ତ ନାଗର ସୁଖେ ।। ଘୋଷା ।।

 

(୨)

ଘନଚୟ-ରୁଚିରେ ରଚୟତି ଚିକୁରେ ତରଳିତ-ତରୁଣାନନେ

କୁରୁବକ-କୁସୁମଂ ଚପଳା-ସୁଷମଂ ରତିପତି-ମୃଗ-କାନନେ ।।

 

(୨)

ରତିପତି-ମୃଗ-ବନ-ସମ କୁନ୍ତଳ-ଘନ, ତହିଁ କୁରୁବକ ଖଞ୍ଜଇ

ଗୁଣ ପରଶଂସେ ହରି ଅତି ତୋଷେ ଘନ-ବିଜୁ ନିକି ଗଞ୍ଜଇ ।।

 

(୩)

ଘଟୟତି ସୁଘନେ କୁଚ-ଯୁଗ-ଗଗନେ ମୃଗମଦ-ରୁଚିରୁଷିତେ

ମଣିସରମମଳଂ ତାରକ-ପଟଳଂ ନଖ-ପଦ-ଶଶି-ଭୂଷିତେ ।।

 

(୩)

ମୃଗମଦ-ଲୋପିତ-କୁଚ ଘନ-ପରିମିତ, ନଖାଙ୍କ-ଶଶି ରାଜଇ

ତଥି ପର ହରିକର, ହାର ମୋତିବର, ତାରାବଳି କି ସାଜଇ ।

 

(୪)

ଜିତ-ବିସ-ଶକଳେ ମୃଦୁ-ଭୁଜ-ଯୁଗଳେ କରତଳ-ନଳିନୀ-ଦଳେ

ମରକତ-ବଳୟଂ ମଧୁକର-ନିଚୟଂ ବିତରତି-ହିମ-ଶୀତଳେ ।।

 

(୪)

ହିମ ତହୁଁ ଶୀତଳ ବାହୁ-କମଳ-ନଳ କରତଳ ବଳି ସାରସେ

ସରି ଅଳି ନିଚୟେ, ମରକତ ବଳୟେ, ଭରଇ ତ ମୁଦ-ମାନସେ ।

 

(୫)

ରତି-ଗୃହ-ଜଘନେ ବିପୁଳାପଘନେ ମନସିଜ-କନକାସନେ

ମଣିମୟ-ରସନଂ ତୋରଣ-ହସିନଂ ବିକିରତି କୃତ-ବାସନେ ।।

 

(୫)

ରତିଗୃହସରି ତା’ ଜଘନ ବିପୁଳତା ମଦନ-କନକ-ପୀଠ ସେ

ତୋରଣ ଫୁଲ ସରି, ମଣିମେଖଳ ହରି, ରଚି ପୁଲକିତ ଚିତ୍ତ ସେ ।

 

(୬)

ଚରଣ-କିଶଳୟେ କମଳା-ନିଳୟେ ନଖ-ମଣିଗଣ-ପୂଜିତେ

ବହିରପବରଣଂ ଯାବକ-ଭରଣଂ ଜନୟତି ହୃଦି ଯୋଜିତେ ।।

 

(୬)

ନଖମଣି ମଣ୍ଡିତ ଚରଣ ସୁଶୋଭିତ କମଳାଳୟ ଗଞ୍ଜଇ

ଉରସ ପରେ ଧରି, ଆଦର କରି ହରି,ଅଳତା-ରସ ରଞ୍ଜଇ ।

 

(୭)

ରମୟତି ସୁଭୃଶଂ କାମପି ସୁଦୃଶଂ ଖଳହଳଧରସୋଦରେ

କିମଫଳମବସଂ ଚିରମିହ ବିରସଂ ବଦ ସଖି ! ବିଟପୋଦରେ ।।

 

(୭)

ହଳଧର ସୋଦର ଶଠ ନାଗରବର ରମଇ ସୁନୟନା ସହ

କାହିଁକି ରେ ସହି ! କଦନ ସହି ମୁହିଁ, ଥିବି ବନଥଳିରେ କହ ।

 

(୮)

ଇହ ରସ ଭଣନେ କୃତ-ହରି-ଗୁଣନେ ମଧୁରିପୁ-ପଦ-ସେବକେ

କଳି-ଯୁଗ-ରଚିତଂ ନ ବସତୁ ଦୁରିତଂ କବିନୃପ-ଜୟଦେବକେ ।।

 

(୮)

ଶୁଣି ରସ-ରଚନେ-ହରି-ଗୁଣ-କତନେ, କବି ନୃପ ଜୟଦେବର

ନ ପରଶୁ ମନରେ କଳିଯୁଗ ଜନରେ ପାପକଳୁଷ ଭାବର ।

 

କବିବର ରଚନ, କରି ଅନୁସରଣ, ରଛଇ କବିଶଶୀ ପଦ

ଚଞ୍ଚଳ ମତି ଅତି, ମାଧବ ପଦ ଗତି, ଘଟୁ ମମ ଚିର ସମ୍ପଦ ।

 

କୁଞ୍ଜେ ସେ ଯଦି ବା ନ ଆସି ଛଳିଲେ ଗୋ ଦୂତି ତୋ ଦୁଃଖ କି ?

ସ୍ୱଚ୍ଛନ୍ଦେ ବ୍ରଜନାଗରୀ ସହିତରେ ମାତେ କି ତୋ ଦୋଷ ଗୋ ।

ଆକର୍ଷେ ଗୁଣରାଜି ତା’ର ସହି ମୋ ଚିତ୍ତେ ଅନା’ ରେ ସହି,

ଉତ୍କଣ୍ଠା-ବିକଳେ ବିଦୀର୍ଣ୍ଣ-ହୃଦ ତା ପାଶେ ସ୍ୱୟଂ ଧାମଇଁ ।।୧।।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ନାୟାତଃ ସଖି ! ନିର୍ଦ୍ଦୟୋ ଯଦି ଶଠସ୍ର୍ୱଂ ଦୁତି ! କିଂ ଦୂୟସେ

ସ୍ୱଚ୍ଛନ୍ଦଂ ବହୁବଲ୍ଲଭଃ ସ ରମତେ, କିଂ ତତ୍ର ତେ ଦୂଷଣମ୍ ।

ପଶ୍ୟାଦ୍ୟ ପ୍ରିୟ-ସଙ୍ଗମାୟ ଦୟିତସ୍ୟାକୃଷ୍ୟମାଣାଂ ଗୁଣୈ-

ରୁତ୍‍କଣ୍ଠାର୍ତ୍ତିଭରାଦିବ ସ୍ପୁଟଦିଦଂ ଚେତଃ ସ୍ୱୟଂ ଯାସ୍ୟତି ।।୧।।

 

ଇତି ପଞ୍ଚଦଶଃ ସନ୍ଦର୍ଭଃ ।

ଅଥ ଷୋଡ଼ଶ। ସନ୍ଦର୍ଭଃ

ଗୀତମ୍।୧୬।

ଦେଶବରାଡ଼ୀରାଗେଣ ରୂପକତାଳେନ ଚ ଗୀୟତେ ।

 

(୧)

ଅନିଳ-ତରଳ-କୁବଳୟ-ନୟନେନ

ତପତି ନ ସା କିଶଳୟ-ଶୟନେନ ।

ସଖି ! ଯା ରମିତା ବନମାଳିନା ।। ଧ୍ରୁବମ୍ ।।

 

(୧)

ପବନ-ଚଳିତ କୁବଳୟ ନୟନେ ଗୋ,

ଲଭିକି ଝୁମେ ନବଦଳ ଶୟନେ ଗୋ ?

ହରି ଯା ରସରେ ବିହିରେ ସହିରେ ।। ଘୋଷା ।।

 

(୨)

ବିକସିତ-ସରସିଜ-ଲଳିତ-ମୁଖେନ

ସ୍ଫୁଟତି ନ ସା ମନସିଜ-ବିଶିଖେନ ।।

 

(୨)

ବରି ହରି-ସଜ-ସରସିଜ ବଦନେ ଗୋ,

ଝୁରିବ କି ସେ ମନସିଜ କଦନେ ଗୋ ।।

 

(୩)

ଅମଅତ-ମଧୁର-ମୃଦୁତର-ବଚନେନ

ଜ୍ୱଳତି ନ ସା ମଳୟଜ-ପବନେନ ।।

 

(୩)

ଅମିୟ ବଳି ମଧୁର ବଚନ ଶୁଣେ ଯେ

ଦହନ ସମେ ମଳୟଜ କି ଗୁଣେ ସେ ?

 

(୪)

ସ୍ଥଳ-ଜଳରୁହ-ରୁଚି-କର-କରଣେନ

ଲୁଠତି ନ ସା ହିମକର-କିରଣେନ ।

 

(୪)

ଥଳ-ସରସିଜ ସରି କର-ପଦ ପାଇ

ଲୁଠିବ କି ସେ ଡରି ଶଶିକର ଛାଇ ?

 

(୫)

ସଜଳ-ଜଳଦ-ସମୁଦୟ-ରୁଚିରେଣ

ଦଳତି ନ ସା ହୃଦି ଚିର-ବିରହେଣ ।

 

(୫)

ରସି ନବ-ଜଳଧର-ରୁଚି ହରି ସଙ୍ଗେ

ବିରହ ସତେ ସଖି ! ଦହଇ କି ଅଙ୍ଗେ ?

 

(୬)

କନକ-ନିକଷ-ରୁଚି-ଶୁଚି-ବସନେନ

ଶ୍ୱସିତ ନ ସା ପରିଜନ-ହସନେନ ।

 

(୬)

ତନୁବର-ଜଡ଼ିତ କନକ-ରୁଚିବାସେ

ଲଭି କି ଡରେ ପରିଜନ ପରିହାସେ ?

 

(୭)

ସକଳ-ଭୁବନ-ଜନ-ବର-ତରୁଣେନ

ବହତ ନ-ସା ରୁଜମତି-କରୁଣେନ ।

 

(୭)

ତରୁଣଗଣର ବର ହରି ତିନିଲୋକେ

ବରି ସଖି, କେ ଜଳି ମରଇ କି ଶୋକେ ?

 

(୮)

ଶ୍ରୀଜୟଦେବ-ଭଣିତ-ବଚନେନ

ପ୍ରବିଶତୁ ହରିରପି ହୃଦୟମନେନ ।

 

(୮)

ଶ୍ରୀ ଜୟଦେବ ଭଣିତ ମଧୁଗୀତ

ହରି ରସରେ ଭରୁ ଜଗନନ ଚିତ୍ତ

 

ସଂବଳ କବିଶଶି-ନୟନର ଧାର

ଅରଯୁଛି ହେ କବିବର, ଉପଚାର ।

 

ମନୋଭବାନନ୍ଦନ ଚନ୍ଦନାନିଳ

ପ୍ରସୀଦ ରେ ଦକ୍ଷିଣ ମୁଞ୍ଚ ବାମତାମ୍ ।

କ୍ଷଣଂ ଜଗତ୍ପ୍ରାଣ ବିଧାୟ ମାଧବଂ

ପୁରୋ ମମ ପ୍ରାଣହରୋ ଭବିଷ୍ୟସି ।। ୧ ।।

 

ରିପୁରିବ ସଖୀ-ସଂବାସୋଽୟଂ ଶିଖୀବ ହିମୋନିଳୋ

ବିଷମିବ ସୁଧାରଶ୍ମି ର୍ଯସ୍ମିନ୍ଦୁନୋତି ମନୋଗତେ ।

ହୃଦୟମଦୟେ ତସ୍ମିନ୍ନୈବଂ ପୁନର୍ବଳତେ ବଳାତ୍

କୁବଳୟ-ଦୃଶଂ ବାମଃ କାମୋ ନିକାମ-ନିରଙ୍କୁଶଃ ।।୨।।

 

ବାଧାଂ ବିଧେହି ମଳୟାନିଳ ପଞ୍ଚବାଣ

ପ୍ରାଣାନ୍‍ଗୃହାଣ ନ ଗୃହଂ ପୁନରାଶ୍ରୟିଷ୍ୟେ ।

କିଂ ତେ କୃତାନ୍ତଭଗିନି, କ୍ଷମୟା ତରଙ୍ଗୈ

ରଙ୍ଗାନି ସିଞ୍ଚ ମମ ଶାମ୍ୟତୁ ଦେହଦାହଃ ।।୩।।

 

କାମେ ସୁଖୀକାରକ ଦକ୍ଷିଣାନିଳ

ବିରାଗତା ବର୍ଜ୍ଜି ସରାଗତା ଭଜି

ଥରେ ତୁ ନେତ୍ରେ ଦରଶାଇ ମାଧବେ

      ପରେ ତୁ ରେ, ଛାର ମୋ ହର ।। ୧ ।।

(ବଂଶସ୍ଥ)

 

ଅରସରୀ ସଖୀ ଭାଳେ ମନ୍ଦାନିଳେ ବଳି ଅଗ୍ନି ବା

ବିଷସମ ମଣେ ଚନ୍ଦ୍ରେ ସେ ଆସିଲେ ସ୍ମୃତି-ତୋରଣେ ।

ନିଠୁର ଅତି ସେ ଜାଣେ, ଧାଏଁ ବଳେ ହୃଦ କାହିଁକି

ନିରତ ରମଣୀ ସଙ୍ଗେ ସାଧେ ସ୍ମର ପ୍ରତିକୂଳତା ।। ୨ ।।

(ହରିଣୀ)

ଦୁଃଖ ଜଳାଅ ମଳୟାନିଳ ମାନସେ ମୋ

ପ୍ରାଣେ ବିନାଶ ସ୍ମର ! ଫେରି ଘରେ କି କାର୍ଯ୍ୟ ?

ମୋରେ କ୍ଷମା କରୁ କିପା ଯମୁନା ! ବୃଥାରେ ?

ନୀରେ ବୁଡ଼ାଇ ତନୁରେ ହର ଦେହ ଦାହେ ।। ୩ ।।

(ବସନ୍ତ-ତିଳକ)

 

(୪)

ପ୍ରାତର୍ନୀଳ-ନିଚୋଳମଚ୍ୟୁତମୁରଃ ସଂବୀତପୀତାଂଶୁକଂ

ରାଧାୟାଶ୍ଚକିତଂ ବିଲୋକ୍ୟଂ ହସତି ସ୍ୱୈରଂ ସଖୀମଣ୍ଡଳେ ।

ବ୍ରୀଡ଼ା-ଚଞ୍ଚଳମଞ୍ଚଳଂ ନୟନୟୋରାଧାୟ ରାଧାନନେ ।

ସ୍ମେର ସ୍ମେରମୁଖୋଽୟମସ୍ତୁ ଜଗଦାନନ୍ଦାୟ ନନ୍ଦାତ୍ମଜଃ ।।

ଇତି ଷୋଡ଼ଶଃ ସନ୍ଦର୍ଭଃ

 

ଇତି ଶ୍ରୀ ଗୀତଗୋବିନ୍ଦେ ମହାକାବ୍ୟେ ବିପ୍ରଲବ୍‌ଧାବର୍ଣ୍ଣନେ

ନାଗର-ନାରାୟଣୋ ନାମ ସପ୍ତମଃ ସ୍ୱର୍ଗଃ ।

 

(୪)

ରାଧା ବକ୍ଷ ସୁସଜ୍ଜ ପୀତ ବସନେ ଶ୍ୟାମାଙ୍ଗ ନୀଳାମ୍ବରେ

ଗୋପୀଏ ଚକିତେ ଅନାଇଁ ହସିଲେ କୁଞ୍ଜେ ପ୍ରଭାତେ ଦିନେ ।

ଲାଜେ ହେଠମଥା ଧନୀ ଦରଶନେ, ଗୋବିନ୍ଦ ମନ୍ଦେ ହସେ ।

ଭାବେ ସେ ଭରପୁର ନାଗର ଭବେ ଆନନ୍ଦ-ଧାରା ଭରୁ ।।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ଇତି ଷଡ଼ଶୋ ସନ୍ଦର୍ଭ

ଇତି ଶ୍ରୀଗୀତଗୋବିନ୍ଦ ମହାକାବ୍ୟରେ ବିପ୍ରଲବ୍‌ଧା ବର୍ଣ୍ଣନେ

ନାଗର ନାରାୟଣ ନାମକ ସପ୍ତମ ସର୍ଗ

 

ଅଥ ଅଷ୍ଟମଃ ସର୍ଗଃ

ବିଲକ୍ଷ-ଲକ୍ଷ୍ମୀପତିଃ

 

ଅଥ କଥମପି ଯାମିନୀଂ ବିନୀୟେ

ସ୍ମର-ଶର-ଜର୍ଜ୍ଜରିତାପି ସା ପ୍ରଭାତେ ।

ଅନୁନୂୟ-ବଚନଂ ବଦନ୍ତମଗ୍ରେ

ପ୍ରଣତମପିପ୍ରିୟମାହ ସାଭ୍ୟସୂୟମ୍‌ ।। ୧ ।।

 

ତହୁଁ ଅତି ଗୁରୁ ଯାମିନୀ ପୁହାଇ,

ସ୍ମର-ଶର-ପୀଡ଼ନ ପାଇ ସେ ପ୍ରଭାତେ,

ପ୍ରଣମି ଅନନୟେ କହନ୍ତେ ଶ୍ୟାମ,

ଖର ବଚନେ ଋଷି ରାଧିକା ଶୁଣାଏ ।। ୧ ।।

(ପୁଷ୍ପିତାଗ୍ରା)

 

(ଆଠ)

ଚାହିଁ ଚାହିଁ ଆଖିପାଣି ଆଖିକୋଣରେ ମଲାଣି । ତେବେ ହେଲେ ଦେଖା ନାହିଁ ଶଠନାଗରଙ୍କର । ନୟନର ପ୍ରତି ପଲକପାତରେ ଶ୍ରୀମତୀ ମଣୁଛନ୍ତି – ଆସିଲେ ପରା ସେ !!

 

ମଉଳି ଆସିଲା ଜହ୍ନ । ବଉଳ-ଗହଳରେ ଡାକୁଆ କଜଳପାତି ଚେତାଇଦେଲା – ରାତି ପାହିଲା । ଏତିକିବେଳେ କୁଞ୍ଜଦ୍ୱାରରେ ଦିଶିଗଲା ଦେହ ମଥାରେ ଉଭା ହୋଇଛନ୍ତି ଅପରାଧୀଟିପରି ଶ୍ୟାମସୁନ୍ଦର । ଦେହସାରା ଫୁଟି ଦିଶୁଛି ଜାଗର-ଯାମିନୀର ପ୍ରିୟା ମିଳନ ସଙ୍କେତ ।

ଘୁମ ଢୁଳୁଢୁଳୁ ଆଖ-ଦଳା ବନମାଳା ।

 

ଚାହିଁଦେଇ ଧୈର୍ଯ୍ୟହରା ହେଲେ ରାଈ । ଅଭିମାନରେ ଜଳି ଉଠିଲା ହୃଦୟ । ରାଗରେ ମୁଖ ଫେରାଇ ସହଚରୀକୁ ନିର୍ଦ୍ଦେଶ ଦେଲେ- ‘‘ଶଠଙ୍କୁ କହିଦିଅ ସଖି ! ଆଉ ନିର୍ଲ୍ଲଜମୁଖ ମୋତେ ନ ଦେଖାଇ, ବେଗେ କୁଞ୍ଜରୁ ବାହାରି ଯାଆନ୍ତୁ । ବାଳୁତ କାଳରୁ ଅବଳାବଧ ପାଇଁ ଯାହାଙ୍କର ପ୍ରଖ୍ୟାତି, ସେ ପୁଣି ଏଠାକୁ ଆସିଛନ୍ତି କାହିଁକି ?

 

ଖଣ୍ଡିତା-ନାୟିକାଙ୍କର ଏଇ ଝିଙ୍ଗାସବାଣୀ ନୀରବରେ ସହି ଧୃର୍ତ୍ତନାୟକ ପାଲଟିଲେ- ‘‘ବିଲକ୍ଷ-ଲକ୍ଷ୍ମୀପତି’’ ।

 

ସପ୍ତଦଶଃ ସନ୍ଦର୍ଭଃ

ଗୀତମ୍‌। ୧୭ ।

ଭୈରବୀରାମେଣ, ଯତିତାଳେନ ଚ ଗୀୟତେ ।

(୧)

ରଜନୀ-ଜନିତ-ଗୁରୁ-ଜାଗର-ରାଗ କଷାୟିତମଳସ-ନିବେଶମ୍‌

ବହିତ ନୟନମନୁରାଗମିବ ସ୍ଫୁଟମୁଦିତ-ରସାଭିନିବେଶମ୍‌ ।

ହରି ହରି ଯାହି ମାଧବ ! ଯାହି କେଶବ ! ମା ବନ୍ଦ କୈତବବାଦମ୍‌

ତାମନୁସର ସରସୀରୁହଲୋଚନେ ଯା ତବ ହରିତ ବିଷାଦମ୍‌ ।।

।। ଧ୍ରୁବମ୍‌।।

 

ସପ୍ତଦଶ ସନ୍ଦର୍ଭ

ଗୀତା । ୧୭ ।

ରାଗ-ଭୈରବୀ । ତାଳ-ଯତି ।

(୧)

ଚେତି ରାତି ନବ-ଅରୁଣ-ବରଣ ତବ ଅଳସ-ନୟନ-ପରକାଶେ,

ଦରମକୁଳିତ-ଗତି, କେ ରମଣୀ-ପ୍ରତି, ରସ-ଅନୁରାଗ ବିକାଶେ ।

ଯା, ଯା ମାଧବ, କେଶବ ହେ ! ଛଳ ଚାଟୁ ଭାଷୁଛି କି ଆଶେ ?

ଯା ତୁଲରେ ରସି ରାତି ପୁହାଇଲ, ଯାଅ ଯାଅ ତା ପାଶେ ।। ଘୋଷା ।।

 

(୨)

କଜ୍ଜଳ-ମଳିନ-ବିଲୋଚନ-ଚୁମ୍ବନ-ବିରଚିତ-ନୀଳିମ ରୂପମ୍‌ ।

ଦଶନ-ବସନମରୁଣଂ ତବ କୃଷ୍ଣ ତନୋତି ତନୋରନୁ ରୂପମ୍‌ ।।

 

(୨)

କଜ୍ଜଳ-ମଳିନ-ନୟନ-ଘନ-ଚୁମ୍ବନ-ଜନିତ ପ୍ରଭାବ ବିରାଜେ,

ରଙ୍ଗ ଅଧର ଧରି କୃଷ୍ଣ ବରନ ତବ ତନୁ ଅନୁରୁପ ତ ସାଜେ ।

(୩)

ବପରନୁହରିତ ତବ ସ୍ମର-ସଙ୍ଗର-ଖର-ନଖର-କ୍ଷତ-ରେଖମ୍‌ ।

ମରକତ-ଶକଳ-କଳିତକଳଧୌତ-ଲିପେରିବ ରତି-ଜୟଲେଖମ୍‌ ।।

 

(୩)

ଶ୍ୟାମ ଅଙ୍ଗବର ଶୋଭିତ ଖରତର କାମ-ସମର ନଖ ଧାରେ,

କନକ ରସେ ବା ମର୍କତ ଖଣ୍ଡେ ରାଜିତ ରତି-ଜୟ ଗାରେ ।

 

(୪)

ଚରଣ-କମଳ-ଗଳଦଳାକ୍ତକ-ସିକ୍ତମିଦଂ ତବ ହୃଦୟମୁଦାରମ୍‌ ।

ଦର୍ଶୟତୀବ-ବହିର୍ମଦନ-ଦ୍ରୁମ-ନବ-କିଶଳୟ-ପରିବାରମ୍‌ ।।

 

(୪)

ବାନ୍ଧବି-ପୟର ରଙ୍ଗ-ଅଳତା-ରସ ରଞ୍ଜିତ ବର-ଉରଭାଗେ,

ମଦନ-ପାଦପର ନବ-କିଶଳୟ ବା ପ୍ରକଟିତ ପ୍ରେମ ସରାଗେ ।

 

(୫)

ଦଶନ-ପଦଂ ଭବଦଧର-ଗତଂ ମମ ଜନୟତି ଚେତସି ଖେଦମ୍‌ ।

କଥୟତି କଥମଧୁନାପି ମୟା ସହ ତବ ବପୁରେତଦଭେଦମ୍‌ ।।

 

(୫)

ବାଧଇ ତବ ଅଧରେ ଦଶନ-କ୍ଷତ ଦାନିଛି କେ ରସି ଥାପି,

କହଇ ସତେ ତବ ମମ ତନୁଗତରେ ଭେଦ ତ ନାହିଁ ତଥାପି ।

 

(୬)

ବହରିବ ମଳିନତରଂ ତବ କୃଷ୍ଣ ମନୋଽପି ଭବିଷ୍ୟତ ନୂନମ୍‌ ।

କଥମଥ ବଞ୍ଚୟସେ ଜନମନୁଗତମସମଶର-ଜ୍ୱର-ଦୂନମ୍‌ ।।

 

(୬)

ଅଙ୍ଗ-ରଙ୍ଗ ଭଳି ଅନ୍ତର ତୁମ୍ଭର ନିଶ୍ଚିତ ମଳିନ ବିଚାରେଁ

ନତୁ ପରବଞ୍ଚନ କେସନ କର ଯେ ପୀଡ଼ିତ ମଦନ-ବିକାରେ ।

 

(୭)

ଭ୍ରମତି ଭବାନବଳା-କବଳାୟ ବନେଷୁ କିମତ୍ର ବିଚିତ୍ରମ୍‌ ।

ପଥୟତି ପୂତନିକୈବ ବଧୂ-ବଧ-ନିର୍ଦ୍ଦୟ-ବାଳ-ଚରିତ୍ରମ୍‌ ।

 

(୭)

ଭରମ ବନେ ଅବଳା-ବଧ-କାରଣ ଶ୍ୟାମ, ନୁହେଁ ତ ବିଚିତ୍ର,

ପୁତନାର ବଧ ବାଳୁତ କାଳରୁ ଖ୍ୟାତ ନୁହେଁ କି ଚରିତ୍ର ?

 

(୮)

ଶ୍ରୀଜୟଦେବ-ଭଣିତ-ରତି-ବଞ୍ଚିତ-ଖଣ୍ଡିତ-ଯୁବତି-ବିଳାପମ୍‌ ।

ଶୃଣୁତ ସୁଧା-ମଧୁରଂ ବିବୁଧା ବିବୁଧାଳୟତୋଽପି ଦୁରାପମ୍‌ ।।

 

(୮)

ଶ୍ରୀ ଜୟଦେବ ଭଣେ ରତି-ବଞ୍ଚିତ-ଖଣ୍ଡିତ ଯୁବତୀ-ବାଣୀ ।

ସୁଧାଧାର ବଳି ମଧୁର ଶ୍ରୁତି-ମୁଖେ ସ୍ୱର୍ଗ ତୁଚ୍ଛ ପରିମାଣି ।

 

 

ମାଧବ-ରାସରଙ୍ଗ-ଅନୁରଞ୍ଜିତ ଶ୍ରୀଜୟଦେବ ପ୍ରବନ୍ଧେ

ଲୋଭିତ ମତି କବିଚନ୍ଦ୍ର ରଚନ ଏ ଅନୁସରି ସମସୁର ଛନ୍ଦେ ।

 

ତବେଦଂ ପଶ୍ୟନ୍ତ୍ୟାଃ ପ୍ରସରଦନୁରାଗଂ ବହିରିବ ।

ପ୍ରିୟା-ପାଦାଲକ୍ତ-ଚ୍ଛୁରିତମରୁଣ-ଦ୍ୟୋତି ହୃଦୟମ୍‌ ।।

ମମାଦ୍ୟ ପ୍ରଖ୍ୟାତ-ପ୍ରଣୟ-ଭର-ଭଙ୍ଗେନ କିତବ ।

ତ୍ୱଦାଲୋକଃ ଶୋକାଦପି କିମପି ଲଜ୍ଜାଂ ଜନୟତି ।। ୧ ।।

 

ପ୍ରିୟାପାଦେ ଲେଖା ଅରୁଣ-ଅଳତା ରଞ୍ଜିତ-ହୃଦ

ସତେ ଅନ୍ତସ୍ଥାୟୀ ପ୍ରଖର ଅନୁରାଗେ ପ୍ରକଟଇ ।

ନ ବାଧେ ମୋ ପ୍ରାଣେ ଶଠ ! ପ୍ରଣୟରେ ଭଞ୍ଜନ ଛଇ

ବରଂ ଲାଗେ ଲଜ୍ଜା ତବ ବଦନ ଚାହେଁ ମୁଁ ଯତିବା ।। ୧ ।।

(ଶିଖରିଣୀ)

 

ଅନ୍ତର୍ମୋହନ-ମୌଳି-ଘୁର୍ଣ୍ଣନ-ଚଳନ୍‌ମନ୍ଦାର-ବିଭ୍ରଂଶନ ।

ସ୍ତମ୍ଭାକର୍ଷଣ-ଦୃପ୍ତି ହର୍ଷଣ-ମହାମନ୍ତ୍ରଃ କୁରଙ୍ଗୀ-ଦୃଶାମ୍‌ ।।

ଦୃପ୍ୟଦ୍ଦାନବ-ଦୂୟାମାନ-ଦବିଷଦ୍ଦୁର୍ବାର-ଦୁଃଖପଦାମ୍‌ ।

ଭ୍ରଂଶଃ କଂସରିପୋର୍ବିପୋଳୟତୁବଃ ଶ୍ରେୟାଂସି ବଂଶରବଃ ।। ୨ ।।

 

ଯେ ବଂଶୀସ୍ୱନରେ କୁରଙ୍ଗ-ନୟନା -ବାମାର ଘାରେ ମଥା

ନାଶେ ବୁଦ୍ଧି, ଥରାଇ ମୌଳି, କବରୀ, ମନ୍ଦାର-ମାଳା ଖସେ ।

ହର୍ଷୋତ୍‌ପାଦକ ମନ୍ତ୍ରରେ ବିମୁଖରେ ଆକର୍ଷଣେ ଯେ ପଟୁ

ଦୈତ୍ୟ ମାରି ସୁରେ ଦିଏ ଅଭୟ ସେ କଂସାରୀ ବିଘ୍ନେ ହରୁ ।। ୨ ।।

 

(ଶାର୍ଦ୍ଦୁଳ-ବିକ୍ରିଡ଼ତି)

 

ଇତି ସପ୍ତଦଶଃ ସନ୍ଦର୍ଭଃ ।

ଇତି ଶ୍ରୀଗୀତଗୋବିନ୍ଦେ ମହାକାବ୍ୟ ଖଣ୍ଡିତାବର୍ଣ୍ଣନେ

ବିଲକ୍ଷ-ଳକ୍ଷ୍ମୀପତି ନାମକ

ଅଷ୍ଟମଃ ସର୍ଗଃ ।

 

ଅଥ ନବମଃ ସର୍ଗଃ

ମୁଗ୍‌ଧ-ମୁକୁନ୍ଦଃ

 

(୧)

ତାମଥ ମନ୍ମଥ-ଖିନ୍ନାଂ ରତି-ରସ-ଭିନ୍ନାଂ ବିଷାଦ-ସଂପନ୍ନାମ୍ ।

ଅନୁଚିନ୍ତିତ-ହରିଚରିତାଂ କଳାହାନ୍ତରିତାମୁବାଚ ରହସି ସଖୀ ।।

 

ଅଥ ଅଷ୍ଟାଦଶଃ ସନ୍ଦର୍ଭଃ

ଗୀତମ୍‌ । ୧୮ ।

ରାମକିରୀରାଗେଣ, ଯତିତାଳେନ ଚ ଗୀୟତେ ।

(୧)

ହରିରଭିସରତି ବହତି ମଧୁ ପବନେ

କିମପରମଧୀକସୁଖଂ ସଖି, ଭବନେ ।

ମାଧବେ ମା କୁରୁ ମାନିନି, ମାନମୟେ ।। ଧ୍ରୁବମ୍‌ ।।

 

Unknown

ଅଥ ନବମ ସର୍ଗ

ମୁଗ୍‌ଧ-ମୁକୁନ୍ଦ

(ନଅ)

 

ନିରାଶରେ ବାହୁଡ଼ିଗଲେ ରାଈକୁଞ୍ଜରୁ ମାଧବ । ଫେରାଇ ଦେଲେ ତାଙ୍କ କଳହାନ୍ତରୀତା ନାୟିକା କଟୂବଚନ କହି; ହେଲେ ମନ ଆଉ ମୁହିଁ ଯେ ଅଲଗା ଅଲଗା । ରୋଷରେ, ଅଭିମାନରେ ଅନ୍ତର କରିଦେଲେ ସିନା, ଅନ୍ତର କିନ୍ତୁ ଫାଟି ଯାଉଛି ଶ୍ୟାମ-ମିଳନ ମନାସରେ । ବାଧା ମାନୁ ନାହିଁ କଳହାନ୍ତରିତାର କମନୟନର ବିକଳ ନୀରଧାର ।

 

ଏତିକିବେଳେ କହିଲେ ସଖୀ- ‘‘ୟେ କଅଣ କଲା ରାଈ ? ଫେରାଇ ଦେଲ ତ ମାଧବଙ୍କୁ କଟୁବଚନ କହି । ଏଇନେ ତେବେ ଆଉ ଲୁହ ଝରାଇ ଝୁରି ହେଉଛ କାହିଁକି ? କେଡ଼େ ଦୁଃଖମନା ହୋଇ କୁଞ୍ଜରୁ ବାହାରିଗଲେ ସତେ ବନ୍ଧୁ ! ଯାଉଛୁ ଆମେ । ତାଙ୍କୁ ଫେରାଇ ଆଣିବାକୁ ପ୍ରାଣପଣେ ଚେଷ୍ଟା କରିବୁଁ । କିନ୍ତୁ ସାବଧାନ ! ତୁମେ ଯେପରି ପୁଣି ଅଭିମାନ କରି ତାଙ୍କୁ ତଡ଼ି ନ ଦିଅ । ଦୁହିଁଙ୍କ ମନଦୁଃଖ ଦେଖି ଆମ ବୁକୁ ଫାଟିଯାଉଛି ।

 

ଶ୍ୟାମଙ୍କୁ ବାଟରେ ଭେଟି ସଖୀମାନେ ତାଙ୍କୁ ବୁଝାଇ ସୁଝାଇ ପୁଣି ବାହୁଡ଼ାଇ ଆଣିଲେ ରାଈ-କୁଞ୍ଜକୁ ।

ଏଥର ହେଲେ ‘‘ମୁଗ୍‌ଧ ମୁକୁନ୍ଦ’’

(୧)

ଅତ୍ୟନ୍ତ-କାମ-ବିଧୁରା, ରତି-ସୁଖ-ହାରା ବିଷାଦ-ପୀଡ଼ିତା,

ଅନୁଶୋଚିତ-ହରି ଭଣିତା, କଳହାନ୍ତରିତା, ଧନୀକୁ କହେ ସଖୀ ।

(ଆର୍ଯ୍ୟା)

 

ଅଥ ଅଷ୍ଟାଦଶ ସନ୍ଦର୍ଭ

ଗୀତ । ୧୮ ।

ରାଗ-ରାମକେଳୀ(ରୀ) । ତାଳ-ଯତି

(୧)

ନାଗର-ରାଜ ବିଜୟ ମଧୁ-ପବନେ

ଅଧିକ ସୁଖ କି ସଖିରେ ! କହ ଭବନେ ?

ମାଧବେ ତେଜ ତୁ ମାନ ଗୁମାନବତି ! । ଘୋଷା ।

 

(୨)

ତାଳ-ଫଳାଦପି ଗୁରୁମତିସରସମ୍‌ ।

କିଂ ବିଫଳୀକୁ ରୁଷେ କୁଟ-କଳଶମ୍‌ ।।

 

(୨)

ହାରଇ ତାଳ-ଫଳେ କୁଚ-ରଚନ,

ବିଫଳ କିପା କରୁ ଗୋ, ଶୁଣ ବଚନ ।

 

(୩)

କତି ନ କଥିତମିଦମନୁପଦମଚିରମ୍‌ ।

ମା ପରିହରି ହରିମତିଶୟରୁଚିରମ୍‌ ।।

 

(୩)

ଥର ଥର କରି ତ କରୁଛି ମୁଁ ଗୁହାରି,

ନ ବରଜ ବର-ନଟ ବରଜ-ବିହାରୀ ।

 

(୪)

କିମିତି ବିଷୀଦସି ରୋଦଷି ବିକଳା ।

ବିହସତି ଯୁବତୀ-ସଭା ତବ ସକଳା ।।

 

(୪)

ଆକୁଳରେ ସଖି ! ନୀର ଝରେ ଗୋ,

ଯୁବତି-ଜନ ତ ପରିହାସ କରେ ଗୋ !

 

(୫)

ସକଳ-ନଳିନୀ-ଦଳ-ଶୀତଳ-ଶୟନେ ।

ହରିମବଲୋକୟ ସଫଳୟ ନୟନେ ।।

 

(୫)

ସଜଳ ନଳିନୀଦଳ-ତଳପେ ରାଈ !

ଶ୍ୟାମ ନିରେଖ ତୁ ନୟନ ଭରାଇ ।

 

(୬)

ଜନୟସି ମନସି କିମିତି ଗରୁଖେଦମ୍‌ ?

ଶୃଣୁ ମମ ବଚନମନୀହିତ ଭେଦମ୍‌ ।।

 

(୭)

ହରିରୂପଯାତୁ ବଦତୁ ବହୁମଧୁରମ୍‌ ।

କିମିତି କରୋଷି ହୃଦୟମତିବିଧୁରମ୍‌ ।।

 

(୮)

ଶ୍ରୀଜୟଦେବ-ଭଣିତମତିଲଳିତମ୍‌ ।

ସୁଖୟତୁ ରସିକଜନଂ ହରିଚରିତମ୍‌ ।।

 

(୬)

କାହିଁକି ସଜନି ! ବସିଛୁ ମନ ମାରି ?

ମାନ ବଚନ, ଲଭ ସୁଖ ଅସୁମାରି ।

 

(୭)

ଆସୁ ଶ୍ୟାମ କହୁ ବଚନ ସରାଗେ

କାହିଁ ପାଇଁ ବସୁ ହୃଦୟ ବିରାଗେ ?

 

(୮)

ଶ୍ରୀଜୟଦେବ ଭଣିତ ରସ ସରସେ

ହରିପଦ ରସିକ, ପାନ କର ହରଷେ ।

 

କବିଶଶି-ଅନୁସୃତ ଉତ୍କଳ ଭାଷେ

ସାଧୁ ମହାକବି ଆଶିଷ ଆଶେ ।

 

ସ୍ନିଗ୍‌ଧେ ! ଯତ୍‌ପରୁଷାସି ଯତ୍‌ପ୍ରଣମତି ସ୍ତବ୍‌ଧାସି ଯଦ୍‌ରାଗିଣି

ଦ୍ୱେଷସ୍ଥାସି ଯଦୁନ୍ମୁଖେ ବିମୁଖତାଂ ଯାତାସି ତସ୍ମିନ୍‌ପ୍ରିୟେ ।

ତଦ୍‌ଯୁକ୍ତଂ ବିପରୀତକାରିଣି ତବ ଶ୍ରୀଖଣ୍ଡଚର୍ଚ୍ଚା ବିଷମ୍‌

ଶୀତାଂଶୁସ୍ତପନୋ ହିମଂ ହୁତବହଃ କ୍ରୀଡ଼ାମୁଦୋ ଯାତାନାଃ ।।୧।।

 

ସାନ୍ଦ୍ରାନନ୍ଦ-ପୁରନ୍ଦରାଦି-ଦିବିଷଦ୍‌ବୃନ୍ଦୈରମନ୍ଦାଦରା-

ଦାନମ୍ରୈର୍ମୁକୁଟେନ୍ଦ୍ରନୀଳମଣିଭିଃ ସନ୍ଦର୍ଶିତେନ୍ଦିନ୍ଦ ରମ୍‌ ।

ସ୍ୱଚ୍ଛନ୍ଦଂ ମକରନ୍ଦ-ସୁନ୍ଦର-ଗଳନ୍‌ମନ୍ଦାକିନୀ-ମେଦୁରମ୍‌

ଶ୍ରୀଗୋବିନ୍ଦ-ପଦାରବିନ୍ଦମଶୁଭସ୍କନ୍ଦାୟ ବନ୍ଦାମହେ ।।୨।।

ଇତି ଅଷ୍ଟାଦଶଃ ସନ୍ଦର୍ଭଃ

ଇତି ଶ୍ରୀଗୀତଗୋବିନ୍ଦେ ମହାକାବ୍ୟେ କଳହାନ୍ତରିତାବର୍ଣ୍ଣନେ

ମୁଗ୍‌ଧ-ମୁକୁନ୍ଦୋ ନାମ

ନବମଃ ସର୍ଗଃ

 

ରାଧେ ! ନିଷ୍ଠୁରତା ସରାଗ ବଦଳେ ନମ୍ରେ ଉଦାସୀନତା

ସ୍ନେହୀରେ ପ୍ରତିକୂଳତା, ବିମୁଖତା ଉତ୍ସୂକ ଯେ ତୋ ପ୍ରତି ।

ତାପେଚନ୍ଦ୍ର ତ ଚନ୍ଦନେ ତନୁ ଜଳେ, କନ୍ଦର୍ପ ଚିନ୍ତା ବିଷ

ଶାସ୍ତି ତୋ ବିପରୀତମାର୍ଗଗମନା, କର୍ମାନୁସାରେ ଫଳେ ।।୧।।

                        (ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ଯେ କାଳେ ସୁରବୃନ୍ଦ ମୋଦମନରେ ଯା’ରେ ଜଣାନ୍ତେ ନତି

ଶୋହେ ମୌଳିଭୂଷଣେ ମଣିକଣୀ ପାଦାମ୍ୱୁଜେ ଭୃଙ୍ଗ ବା ।

ସ୍ୱର୍ଗଙ୍ଗା ମକରନ୍ଦ ନିର୍ଝର ପରା ଯା, ପାଦ ପ୍ରାନ୍ତକ୍ଷରେ

ବିଘ୍ନଧ୍ୱାନ୍ତ ହରା ସଦା ଶୁଭଭରା ଗୋବିନ୍ଦ ପାଦେ ନମୁଁ ।

                        (ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

ଇତି ଅଷ୍ଟାଦଶ ସର୍ଗ

ଇତି ଶ୍ରୀଗୀତଗୋବିନ୍ଦ ମହାକାବ୍ୟରେ କଳହାନ୍ତରତା ବର୍ଣ୍ଣନେ

ମୁଗ୍‌ଧ-ମୁକୁନ୍ଦ ନାମକ

ନବମ ସର୍ଗ

 

ଅଥ ଦଶମଃ ସର୍ଗଃ

ମୁଗ୍‌ଧ-ମାଧବଃ

 

ଅତ୍ରାନ୍ତରେ ମସୃଣ-ରୋଷ-ବଶାମସୀମ

ନିଃଶ୍ୱାସ-ନିଃସହମୂଖୀଂ ସୁମୁଖୀମୁପେତ୍ୟ ।

ସବ୍ରୀଡ଼ମୀକ୍ଷିତ-ସଖୀବଦନାଂ ପ୍ରଦୋଷେ (*)

ସାନନ୍ଦ-ଗଦ୍‌ଗଦ-ପଦଂ ହରିରିତ୍ୟୁବାଚ ।।୧।।

 

ଅଥ ଊନବିଂଶ ସନ୍ଦର୍ଭଃ

ଗୀତମ୍‌ ।୧୯ ।

ଦେଶବରାଡ଼ୀରାଗାଷ୍ଟତାଳୀତାଳାଭ୍ୟାଂ ଗୀୟତେ ।

 

(୧)

ବଦସି ଯଦି କିଞ୍ଚିଦପି ଦନ୍ତରୁଚି-କୌମୁଦୀ

ହରତି ଦରତିମିରମତିଘୋରମ୍‌ ।

ସ୍ଫୁରଦଧର-ସୀଧବେ ତବ ବଦନଚନ୍ଦ୍ରମା

ରୋଚୟତି ଲୋଚନ-ଚକୋରମ୍‌ ।

ପ୍ରିୟେ ଚାରୁଶୀଳେ ! ମୁଞ୍ଚ ମୟି ମାନମନିଦାନମ୍‌

ସପଦି ମଦନାନଳୋ ଦହତି ମମ ମାନସଂ

ଦେହ ମୁଖ-କମଳ-ମଧୁପାନମ୍‌ ।। ଧ୍ରୁବମ୍‌।।

(*) ଦିନାନ୍ତେ ଇତି ପାଠାନ୍ତରମ୍ ।

 

(ଦଶ)

ଢଳି ଆସିଛି ଦିନ । ଶୀତଳ ସନ୍ଧ୍ୟାଗମ ସହିତ ଶ୍ରୀମତୀଙ୍କ ରୋଷ ଶିଥିଳ ହୋଇଯାଇଛି । ସଖୀମାନଙ୍କ ଭର୍ତ୍ସନାରେ ନଇଁଯାଇଛି ମଥା । ଘନାଇଁ ଆସିଛି ହୃଦୟରେ ମାଧବବିରହ-ଯାତନା । ବେଳ ଜାଣି ବହିଲା ମନ୍ଦ ମଳୟ-ଚନ୍ଦନ ଗନ୍ଧରେ ଭରି ଦେଲା ରାଈକୁଞ୍ଜ ।

 

ଫୁଲ ସଞ୍ଜର ନୀଳ ମେଘ କୋଳରେ ଚନ୍ଦ୍ର ଉଇଁଲାପରି, କୁଞ୍ଜ କୋଣରେ ଝଲସି ଦିଶିଲା ଶ୍ୟାମ ଚନ୍ଦ୍ରମୁଖ । ପୁଲକି ଉଠିଲା ପ୍ରୌଢ଼ା ମାନବତୀ ଶ୍ରୀମତିଙ୍କର ହୃଦୟ ।

କୁଞ୍ଜଦ୍ୱାରରେ ଉଭାହୋଇ ରହିଲେ ଅନୁକୂଳ-ନାୟକ ଶ୍ୟାମସୁନ୍ଦର ।

 

ଏତିକିବେଳେ ଲାଜନତା ନୟନକୋଣରେ ସଖୀମାନଙ୍କ ଆଡ଼କୁ ଚାହିଁଲେ ଟିକିଏ ଶ୍ରୀମତୀ । ଏ ଚାହାଁଣୀର ଅକୁହା ଭାଷା ବୁଝିବାକୁ ଆଉ ସଖୀମାନଙ୍କର ବାକି ରହିଲା ନାହିଁ । ଦରହସା ମାରି ସେମାନେ କୁଞ୍ଜରୁ ଅନ୍ତର ହୋଇଗଲେ, ଆଖିର ପଲକରେ ।

 

ତହୁଁ ମୁଗଧ୍‌ ମାଧବ । ଅବସର ବୁଝି, ନତଜାନୁରେ ଅଭିମାନବତୀଙ୍କ ଚରଣତଳେ କହି ମାନ ଭିକ୍ଷା କରି ଜଣାକଲେ :-

‘‘ପ୍ରିୟେ ! ଦେହି ପଦପଲ୍ଲବ ମୁଦାରମ୍‌’’ ।

 

ଅଥ ଦଶମ ସର୍ଗ

ମୁଗ୍‌ଧ-ମାଧବ ।

 

ସନ୍ଧ୍ୟାଗମେ ଶିଥିଳରୋଷବଶେ ସଲାଜେ

ଚାହେଁ ସଖୀ ମୁଖ ଧନୀ ବିବଶା ବିଷାଦେ ।

ନିଃଶ୍ୱାସ ଫେଇ ଅନୁତାପଇ ସେ ନିରେଖି

ଆଶା ହୃଦେ ଭରି ମୁଦେ ହରି ଆସି ଭାଷେ ।।୧।।

                  (ବସନ୍ତ-ତିଳକ)

 

ଅଥ ଊନବିଂଶ ସନ୍ଦର୍ଭ

ଗୀତ ।୧୯।

ଦେଶବରାଡ଼ୀ-ରାଗ । ତାଳ-ଆଠତାଳୀ

(୧)

ମଞ୍ଜୁ ମଧୁ ଭାଷିଲେ ସରସ ରଦ-ଚନ୍ଦ୍ରିକା

ହରଇ ମମ ମନ-ତିମିର-ଯାମେ ।

ଚନ୍ଦ୍ରବନ୍ଦନା, ଅଧର-ମଧୁର-ମଧୁଧାର ଗୋ

ନୟନ ତ ଚକୋରେ ସରି କାମେ ।

ପ୍ରିୟେ ଚାରୁଶୀଳେ ! ତେଜ ମନୁ ମାନିନି ! ଗୁମାନେ

କାମ-ଖର-ତାପ ସହି ! ଦହଇ ମମ ମାନସେ

ଦାନ କର ବଦନ ମଧୁପାନେ ।। ଘୋଷା ।।

 

(୨)

ସତ୍ୟମେବାସି ଯଦି ସୁଦତି ! ମୟି କୋପିନୀ

ଦେହ ଖର-ନୟନ * ଶରଘାତମ୍‌ ।

ଘଟୟ ଭୁଜବନ୍ଧନଂ ଜନୟ ରଦଖଣ୍ଡନମ୍‌

ଯେନ ବା ଭବତି ସୁଖଜାତମ୍‌ ।।

* ନଖର ଇତି ପାଠାନ୍ତରମ୍‌।

 

(୩)

ତ୍ୱମସି ମମ ଭୂଷଣଂ ତ୍ୱମସି ମମ ଜୀବନଂ

ତ୍ୱମସି ମମ ଭବ-ଜଳଧି-ରତ୍ନମ୍‌।

ଭବତୁ ଭବତୀହ ମୟି ସତତମନୁରୋଧନୀ

ତତ୍ର ମମ ହୃଦୟମତି ଯତ୍ନମ୍‌ ।।

 

(୪)

ନୀଳ-ନଳିନାଭମପି ତନ୍ୱି, ତବ ଲୋଚନଂ

ଧାରୟତି କୋକନନ୍ଦ-ରୂପମ୍‌ ।

କୁସୁମ-ଶର-ବାଣ-ଭାବେନ ଯଦି ରଞ୍ଜୟସି

କୃଷ୍ଣମିଦମେତଦନୁ ରୂପମ୍‌ ।।

 

(୫)

ସ୍ଫୁରତୁକୁଚ-କୁମ୍ଭୟୋରୁପରି ମଣି-ମଞ୍ଜରୀ

ରଞ୍ଜୟତୁ ତବ ହୃଦୟ-ଦେଶମ୍‌

ରସତୁ ରସନାପି ତବ ଘନ-ଜଘନ-ମଣ୍ଡଳେ

ଘୋଷୟତୁ ମନ୍ମଥ-ନିଦେଶମ୍‌ ।।

 

(୨)

ସତ୍ୟ ଗୋ ! କୋପ ଯଦି ବହିଛ ରସ-ଦାୟିନି !

ମାର ତବ ନୟନ-ଶରବାଣେ

ବାନ୍ଧ ଭୁଜ-ବନ୍ଧନେ ଛେଦ ରଦ-ଖଣ୍ଡନେ

ମାନିନି ! ଆନନ୍ଦ ଯଦି ପ୍ରାଣେ ।

 

(୩)

ତୁହି ତ ସହି ! ଭୂଷଣ ତୁହି ସଜନି ! ଜୀବନ,

ତୁହି ତ ଭବ-ଜଳଧି-ମଣି ମୋର

ସତତ ଅନୁରାଗ ତବ, ଆଶ ରସ-ଦାୟିନି !

ରଖିବ ହୃଦ କର ଯତନ ଯୋର ।

(୪)

ନୀଳ-କମଳେ-ହରା ନୟନ-ଯୁଗ ସୁନ୍ଦରି,

ଧରିଛି ସହି ! ରଙ୍ଗ କଇଁ ରଙ୍ଗେ

ମାର-ଖର-ବାଣ ସରି ସେ ତ ଯଦି ମୋର ଗୋ,

ଶାସ୍ତି ସେ କୃଷ୍ଣର ପ୍ରସଙ୍ଗେ ।

 

(୫)

ସାଜୁ କୁଚକୁମ୍ଭପର ହାରମଣି-ମାଳିକା,

ରଞ୍ଜୁ ତବ ହୃଦୟପଟ ରାଈ,

ଗୁରୁଜଘନ-ମେଖଳା ବାଜୁ ଘନ ଗୁଞ୍ଜରି

ମନ୍ମଥ-ନିଦେଶ ସହି ! ଗାଇ ।

(୬)

ସ୍ଥଳ-କମଳ-ଗଞ୍ଜନଂ ମମ ହୃଦୟେ-ରଞ୍ଜନଂ

ଜନିତ-ରତିରଙ୍ଗ-ପରଭାଗମ୍‌ ।

ଭଣ ମସୃଣ-ବାଶି କରବାଣି ଚରଣଦ୍ୱୟଂ

ସରଳ-ଲସଦଲକ୍ତକ-ରାଗମ୍‌ ।।

 

(୭)

ସ୍ମର-ଗରଳ-ଖଣ୍ଡନଂ ମମ ଶିରସି-ମଣ୍ଡନଂ

ଦେହି ପଦ-ପଲ୍ଲବ-ମୁଦାରମ୍‌ ।

ଜ୍ୱଳତି ମୟି ଦାରୁଣୋ ମଦନ-କଦନାନଳୋ

ହରତୁ ତଦୁପାହିତ-ବିକାରମ୍‌ ।।

 

(୮)

ଇତି ଚଟୁଳ-ଚାଟୁ-ପଟୁ ଚାରୁ ମୁରବୈରିଣୋ

ରାଧିକାମଧି ବଚନ-ଜାତମ୍‌ ।।

ଜୟତେ ପଦ୍ମାବତୀ-ରମଣ-ଜୟଦେବ କବି

ଭାରତୀ ଭଣିତମତିଶାତମ୍‌ ।।

 

(୬)

ସ୍ଥଳ କମଳ ଗଞ୍ଜି ସେ ଶ୍ୟାମ ହୃଦ-ରଞ୍ଜକ

ରତିରସର ପରମ ଛବି ଧାରୀ

ସରସ ଅଳତା ରସେ ଚରଣ ଯୁଗ ମଣ୍ଡିବି

ତୋଷ ଯଦି, ଭାଷ ବର-ନାରୀ ।।

 

(୭)

ମଦନ-ଗର-ଖଣ୍ଡନ ମମ ମଉଳି-ମଣ୍ଡନ,

‘‘ଦେହି ପଦପଲ୍ଲବ-ମୁଦାରମ୍‌’’

ଜଳଇ ବିକଳେ ଅତି କାମ ଅନଳେ ସଖି,

ତ୍ରାହି କର ତାପୁଁ, ହର ଭାର ।

 

(୮)

ଚାଟୁ ବଚନେ-ପଟୁ ନଟ-ନିପଟ ନାଗର,

ଭାଷି ମଧୁ ତୋଷିଲେ ରାଈ

ଭଣଇ ପଦ୍ମାବତୀ-ରମଣ ଜୟଦେବ କବି,

ନିଖିଳ-ଭବ ଆନନ୍ଦ-ଦାୟୀ ।

ଉତ୍କଳ-ଜ୍ୱଳନ୍ତ-ରବି ସାଧୁ ଜୟଦେବ ହେ,

ତବ ରଚନ ଅନୁକରଣ ଗାଇ

ମୂଢ଼ କବିଚନ୍ଦ୍ର ପଦସେବକ ଅଯୋଗ୍ୟ ହେ,

ଧନ୍ୟ ପରସାଦ କଣ ପାଇ ।

ପରିହର କୃତାତଙ୍କେ ! ଶଙ୍କା ତ୍ୱୟା ସତତଂ ଘନ-

ସ୍ତନ-ଜଘନୟାକ୍ରାନ୍ତେ ସ୍ୱାନ୍ତେ ପରାନବକାଶିନି ।

ବିଶତି ବିତନୋରନ୍ୟୋ ଧନ୍ୟୋ ନ କୋଽପି ମମାନ୍ତରଂ

ପ୍ରଣୟିନି ! ପରୀରମ୍ଭାରମ୍ଭେ ବିଧେହି ବିଧେୟତାମ୍‌ ।।୧।।

 

ମୁଗ୍‌ଧେ ! ବିଧେହି ମୟି ନିର୍ଦ୍ଦୟ-ଦନ୍ତ-ଦଂଶ

ଦୋର୍ବଲ୍ଲି-ବନ୍ଧ-ନିବିଡ଼-ସ୍ତନ-ପୀଡ଼ନାନି ।

ଚଣ୍ଡି ! ତ୍ୱମେବ ମୁଦମୁଞ୍ଚୟ ପଞ୍ଜବାଣ

ଚାଣ୍ଡାଳ-କାଣ୍ଡ-ଦଳନାଦସବଃ ପ୍ରୟାନ୍ତୁ ।।୨।।

ଶଶିମୁଖି ! ତବ ଭାତି ଭଙ୍ଗୁରଭ୍ରୂ-

ର୍ଯୁବ-ଜନ-ମୋହ-କରାଳ-କାଳସର୍ପୀ ।

ତଦୁଦିତ-ଭୟ-ଭଞ୍ଜାନାୟ ଯୁନାମ୍‌

ତ୍ୱଦଧର-ସୀଧୁ-ସୁଧୈବ ସିଦ୍ଧମନ୍ତ୍ରଃ ।।

 

ବ୍ୟଥୟତି ବୃଥା ମୌନଂ ତନ୍ୱି ! ପ୍ରପଞ୍ଚୟ ପଞ୍ଚମଂ

ତରୁଣି ! ମଧୁରାଳାପୈସ୍ତାପଂ ବିନୋଦୟ ଦୃଷ୍ଟିଭିଃ ।

ସୁମୁଖି ! ବିମୁଖୀଭାବଂ ତାବଦ୍‌ବିମୁଞ୍ଚ ନ ମୁଞ୍ଚ ମାଂ

ସ୍ୱୟମତିଶୟସ୍ନିଗ୍‌ଧୋ ମୁଗ୍‌ଧେ ! ପ୍ରିୟୋଽୟମୁପସ୍ଥିତଃ ।।୪।।

 

ଘନ-ଜଘନ-ସ୍ତନା ରେ, ଶଙ୍କା ମନେ କରନା ଧନି !

ତବ ବିହୁନେ କେ ଦେହୀ ପାଏ ହୃଦେ ମମ ଠାବ ଗୋ !

ଅତନୁ ଅତି ସୌଭାଗ୍ୟ କାନ୍ତେ, ରମେ ମରମେ ସିନା

ମଧୁର ପରିରମ୍ଭେ ଗୋ, ତୋଷେ ରସେ ସହି ! ମାତ ତୁ ।। ୧।।

                              (ହରିଣୀ)

 

କାନ୍ତେ, ପ୍ରହାର କର ନିର୍ଦ୍ଦୟ ଦନ୍ତଘାତ

ଗାଢ଼େ ଭୁଜେ ଭିଡ଼ି ରଚ ସ୍ତନ-ପୀଡ଼ନେ ବା ।

ରେ ଚଣ୍ଡି ! ଦଣ୍ଡି ସୁଖିନୀ ହୁଅ ମାନସେ ତୁ

ଚାଣ୍ଡାଳ-କାମ-ଶରରେ ନ ମରାଅ କିନ୍ତୁ ।। ୨।।

(ବସନ୍ତ-ତିଳକ)

 

ଶଶିମୁଖି ! ତୋ ଭୁଲା ଭ୍ରୁଭଙ୍ଗୀ

ଯୁବ-ଜନ-ମୋହନ କାଳ-ନାଗୁଣୀ ସେ ।

ତହୁଁ ଉପଗତ ଭୀତ ଦୂର ହେତୁ

ଅଧର-ସୁଧା ତବ ସାର ସିଦ୍ଧମନ୍ତ୍ର ।। ୩ ।।

(ପୁଷ୍ପିତାଗ୍ରା)

 

ନବ-ତରୁଣୀ ରେ, ବାଧେ ମୌନେ ତୁ ଯା ରହୁ ସୁନ୍ଦରି !

ସଜନି ! ମଧୁରାଳାପେ ତାପେ ସଦା କର ଦୂର ଗୋ ।

ସୁମୁଖି ! ଅନୁରକ୍ତେ ତୋ ବାରେ ଅନାଁ, ବିମୁଖୀ ନୁହ

ଉପଗତ ମୁଁ ତୋ ପାଶେ ମୁଗ୍‌ଧେ ! ନ ମୁଞ୍ଚ ତୁ ଦାସରେ ।

(ହରିଣୀ)

 

ବନ୍ଧୂକ-ଦ୍ୟୁତି-ବାନ୍ଧବୋଽୟ - ମଧରଃ ସ୍ନିଗ୍‌ଧୋ ମଧୂକଚ୍ଛବି-

ର୍ଗଶ୍ଚେଣ୍ଡଣ୍ଡି ! ଚକାସ୍ତି ନୀଳନଳିନ-ଶ୍ରୀମୋଚନଂ ଲୋଚନମ୍‌ ।।

ନାସାଭ୍ୟେତି ତିଳ-ନ୍ରସୂନ-ପଦବୀଂ କୁନ୍ଦାଭଦନ୍ତି ପ୍ରିୟେ !

ପ୍ରାୟସ୍ତ୍ୱନ୍ମୁଖ-ସେବୟା ବିଜୟତେ ବିଶ୍ୱଂସ ପୁଷ୍ପାୟୁଧଃ ।। ୫।।

 

ଦୃଶୌ ତବ ମଦାଳସେ ବଦନମିନ୍ଦୁ - ସନ୍ଦୀପକନଂ

ଗତିର୍ଜନମନୋରମା ବିଜିତରମ୍ଭମୂରୁଦ୍ୱୟମ୍‌ ।।

ଇତିସ୍ତବ କଳାବତୀ ରୁଚିର ରୁଚିର ଚିତ୍ରଲେଖେ ଭ୍ରୁବା-

ବହୋ ବିବୁଧ-ଯୌବତଂ ବହସି ତନ୍ୱି ! ପୃଥ୍ୱୀଗତା ।। ୬ ।।

 

ପ୍ରୀତିଂ ବସ୍ତନୁତାଂ ହରିଃ କୁବଳୟାପୀଡ଼େନ ସାର୍ଦ୍ଧଂ ରଣେ

ରାଧା-ପୀନ-ପୟୋଧର-ସ୍ମରଣକୃତ୍‌-କୁମ୍ଭେନ ସଂଭେଦବାନ୍‌ ।

ଯତ୍ର ସ୍ୱିଦ୍ୟତି ମୀଳତି କ୍ଷଣମଥ କ୍ଷିପ୍ତେ ଦ୍ୱିପେ ତତ୍‌କ୍ଷଣାତ୍‌

କଂସସ୍ୟାଳମଭୂଜ୍ଜିତଂ ଜିତମିତି ବ୍ୟାମୋହକୋଳାହଳଃ ।। ୭।।

 

ଇତି ଏକୋନବିଂଶଃ ସନ୍ଦର୍ଭଃ ।

 

ଇତି ଶ୍ରୀଗୀତଗୋବିନ୍ଦେ ମହାକାବ୍ୟେ ମାନିନୀବର୍ଣ୍ଣନେ

ମୁଗ୍‌ଧ-ମାଧବୋ ନାମ ଦଶମଃ ସର୍ଗଃ ।

 

ବାମା ! ତୋ ଅଧରେ ବଧୁଲି ବିଳସେ ଗଣ୍ଡେ ମଧୂକ-ଚ୍ଛଟା

ନେତ୍ରେ କୋକନଦେହରା କମଶିରୀ ସାଜେ ତ ରେ ବାନ୍ଧିବି !

ନାସା ତୋ ତିଳର ପ୍ରସୂନ, ଦଶନେ କୁନ୍ଦ-ପ୍ରଭା ନିନ୍ଦଇ

ଏ ବିଶ୍ୱେ ବିଜୟୀ ସତେ ତବ ମୁଖେ କନ୍ଦର୍ପ ସେବି ସିନା ! ୫ ।

(ଶାର୍ଦ୍ଦୂଳ - ବିକ୍ରୀଡ଼ିତ)

 

ମଦାଳାସ - ଭରା - ଦୃଶା ବଦନଚନ୍ଦ୍ର - ଶୋଭାହରା

ସଦାଗତି ମନୋହରା ବିଜିତ ଊରୁ ରମ୍ଭାତରୁ ।

ରତେ ତୁ ତ କଳାବତୀ, ରୁଚିର ଚିତ୍ରଲେଖା ଭୁରୁ

ସତେ ସ୍ୱରଗ-ସଂପଦେ ବହିଛୁ ଜନ୍ମି ମର୍ତ୍ତ୍ୟେ ଧନି ! ୬ ।

(ପୃଥ୍ୱୀ)

 

ଯୁଦ୍ଧେ କଂସ-କରୀର କୁମ୍ଭଦରଶେ ସାତ୍ତ୍ୱିକ ଭାବୋଦୟେ

ରାଧା-ପୀନପୟୋଧରେ ସୁମରି ଯେ ଦଣ୍ଡେ ରହନ୍ତେ ଦ୍ରବି ।

ଚିତ୍ତେ କଂସ ଜନେ ବିଚାରି ହସିଲେ ହାରେ ତ ଯୁଦ୍ଧେ ହରି

ତଦ୍ଦଣ୍ଡେ ଅରି ମାରି ଦାନବ-ଜୟୀ ବିସ୍ତାରୁ ମୋଦେ ତବ ।

(ଶାର୍ଦ୍ଦୂଳ-ବିକ୍ରିଡ଼ିତ)

 

ଇତି ଊନବିଂଶ ସନ୍ଦର୍ଭ ।

ଇତି ଶ୍ରୀଗୀତଗୋବିନ୍ଦ ମହାକାବ୍ୟରେ ମାନିନୀ ବର୍ଣ୍ଣନେ

ମୁଗ୍‌ଧ-ମାଧବ ନାମକ ଦଶମ ସର୍ଗ ।

 

ଅଥ ଏକାଦଶଃ ସର୍ଗଃ

ସାନନ୍ଦ-ଗୋବିନ୍ଦଃ

 

ସୁଚିର-ମନୁନୟେନ ପ୍ରୀଣୟିତ୍ୱା ମୃଗାକ୍ଷୀଂ

ଗତବତି କୃତବେଶେ କେଶବେ କୁଞ୍ଜଶଯ୍ୟାମ୍‌ ।

ରଚିତ-ରୁଚିର-ଭୂଷାଂ ଦୃଷ୍ଟି ମୋଷେ ପ୍ରଦୋଷେ

ସ୍ଫୁରତି ନିରବସାଦାଂ କାପି ରାଧାଂ ଜଗାଦ ।। ୧ ।।

 

ବିଂଶ ସନ୍ଦର୍ଭଃ

ଗୀତମ୍‌ । ୨୦ ।

ବସନ୍ତରାଗେଣ, ଯତିତାଳେନ ଚ ଗୀୟତେ ।

 

(୧)

ବିରଚିତ-ଚାଟୁ-ବଚନ-ରଚନଂ ଚରଣେ ରଚିତ-ପ୍ରଣିପାତମ୍‌

ସମ୍ପ୍ରତି ମଞ୍ଜୁଳ-ବଞ୍ଜୁଳ-ସୀମନି କେଳି-ଶୟନ-ମନୁଯାତମ୍‌ ।

ମୁଗ୍‌ଧେ ମଧୁ-ମଥନମନୁଗତମନୁସର ରାଧିକେ ! ।। ଧ୍ରୁବମ୍‌ ।।

 

(ଏଗାର)

ଏଇଠାରେ ଭକ୍ତ-ଭଗବାନ, - ପ୍ରେମିକା-ପ୍ରେମିକଙ୍କର ମହତ୍ତ୍ୱ-ବିକାଶ-ରଚନାରେ ସାର୍ଥକ ହୋଇଛି ମହାକବିଙ୍କର ଅମର-ଲେଖନୀ । ଚରାଚର ବିଶ୍ୱ, ଯାହାଙ୍କର ପଦକମଳରେ କରୁଣା ବିନ୍ଦୁ ଭିକ୍ଷାକରି ଚିରପ୍ରଣତ, ସେଇ ରସରାଜଙ୍କ ଶିଖଣ୍ଡମୁକୁଟ ଆଜି ମାନିନୀ ମହାଭାବ ରାଈଙ୍କ ଶ୍ରୀଚରଣ ତଳେ ଭୁଲୁଣ୍ଠିତ ।

 

ଶ୍ରୀଗୀତଗୋବିନ୍ଦର ରସିକ, ଭକ୍ତ କବି ଏତିକିରେ କୃତାର୍ଥ, -ଏଇଥିପାଇଁ ସେ ଯୋଗଜନ୍ମା, ଅପୋଶୋରା ସାଧୁ, ପ୍ରଧାନ କବିରାଜ ଜୟଦେବ । ମିଳନ ମନାସିନୀ ସହଚରୀ ବରଜବଧୂଙ୍କ ମନରେ ତୃପ୍ତିର ଆହ୍ଲାଦ । ମିଳନର ଇଙ୍ଗିତ ପାଇ ନଟବର କୁଞ୍ଜ-ତଳପ ସଜାଇ ଅପେକ୍ଷା କରି ରହିଛନ୍ତି ଅଭିସାରିକା କିଶୋରୀଙ୍କ ଶୁଭାଗମନକ୍ଷଣ ।

 

ମହାକବିଙ୍କ ଭାବନୟନ ଦେଖିଛି ସଖୀମାନେ ହାସପରିହାସରେ ମାତି, ଗହଣରେ ଶ୍ରୀମତୀଙ୍କୁ ଘେନି, ମିଳନକୁଞ୍ଜ ଦ୍ୱାରଦେଶରେ ପହଞ୍ଚାଇ ଦେଇ ଅନ୍ତର ହେଲେ ମହାନନ୍ଦରେ । ପୂର୍ଣ୍ଣ ହେଲା ତାଙ୍କ ମନସ୍କାମ ।

 

କଳି ନୋହୁଛି ଗୁରୁ ମାନଭଞ୍ଜନରେ ସାର୍ଥକମନା ଉତ୍ତମ ନାୟକ ନଟ-ନାଗରଙ୍କ ପ୍ରେମବିହ୍ୱଳତା ।

ତହୁଁ - ‘‘ସାନନ୍ଦ-ଗୋବିନ୍ଦ’’ ।

 

ଅଥ ଏକାଦଶ ସର୍ଗ ।

 

ବହୁ ଅନୁନୟଭାଷେ ବନ୍ଧୁରେ ଶ୍ୟାମ ତୋଷି,

ମିଳନ-ମଧୁର-ବେଶେ କୁଞ୍ଜ-ଶେଯେ ଗମନ୍ତେ,

ଭୁଲି ଗତ ଅଭିମାନେ ସଜ୍ଜିତା ଶ୍ରୀମତୀରେ,

କହଇ ରସି ସଖୀ କେ, ସଞ୍ଜ ଆସେ ଘନାଇଁ । ୧ ।

(ମାଳିନୀ)

 

ବିଂଶ ସନ୍ଦର୍ଭ

ଗୀତ । ୨୦ ।

ରାଗ-ବସନ୍ତ । ତାଳ-ଯତି ।

 

(୧)

ଚାଟୁ-ବଚନ ଭଣି, ରସିକ-ଶିରୋମଣି, ଚରଣତଳେ ତବ ଧ୍ୟାୟି,

ବେତସ-କୁଞ୍ଜ-ଘରେ ତ ବିରାଜେ କେଳି-ମିଳନ ପଥ ଚାହିଁ ।

ରାଧେ, ମାନମୟି ! ଅନୁଗତ-ଶ୍ୟାମେ ଅନୁସର ଗୋ ।। ଘୋଷା ।।

 

(୨)

ଘନ-ଜଘନ-ସ୍ତନ-ଭାର-ଭରେ ! ଦର-ମନ୍ଥର-ଚରଣବିହାରମ୍‌

ମୁଖରିତ-ମଣି-ମଞ୍ଜୀରମୁପୈହି ବିଧେହି ମରାଳନିକାରମ୍‌ ।।

 

(୩)

ଶୃଣୁ ରମଣୀୟତରଂ ତରୁଣୀ-ଜନ-ମୋହନ-ମଧୁ-ରିପୁ-ରାବମ୍‌

କୁସୁମ-ଶରାସନ-ଶାସନ-ବନ୍ଦିନୀପିକ-ନିକରେ ଭଜ ଭାବମ୍‌ ।।

 

(୪)

ଅନିଳ-ତରଳ-କିଶଳୟ-ନିକରେଣ କରେଣ ଲତା ନିକୁଚମ୍ବମ୍‌

ପ୍ରେରଣମିବ କରଭୋରୁ ! କରୋତି ଗତିଂ ପ୍ରତି ମୁଞ୍ଚ ବିଳମ୍ବମ୍‌ ।।

 

(୫)

ସ୍ଫୁରିତମନଙ୍ଗ-ତରଙ୍ଗ-ବଶାଦିବ ସୂଚିତ-ହରି ପରିରମ୍ଭମ୍‌

ପୃଚ୍ଛ ମନୋହର-ହାର-ବିମଳ-ଜଳଧାରମମୁଂ କୁଚକୁମ୍ଭମ୍‌ ।।

 

(୬)

ଅଧିଗତମଖିଳ-ସଖୀଭିରିଦଂ ତବ ବପୁରପି ରତି-ରଣ-ସଜ୍ଜମ୍‌

ଚଣ୍ଡି ! ରସିତ-ରଶନା-ରବ-ଡ଼ିଣ୍ଡି ମମଭିସର ସରସମଲକ୍କମ୍‌ ।।

 

(୭)

ସ୍ମର-ଶର-ସୁଖଗ-ନଖେନ କରେଣ ସଖୀମବଲମ୍ବ୍ୟସଲୀଳମ୍‌

ଚଳ ବଳୟ-କ୍ୱଣିତୈରବବୋଧୟ ହରିମପି ନିଜଗତିଶୀଳମ୍‌ ।।

 

(୮)

ଶ୍ରୀଜୟଦେବ-ଭଣିତମଧରୀକୃତ-ହାରମୁଦାସିତରାମମ୍‌

ହରି-ବିନିହିତ-ମନସାମଧିତିଷ୍ଠତୁ କଣ୍ଠତଟୀମବିରାମମ୍‌ ।।

 

(୨)

ଚାରୁ ନିତମ୍ବ ଗୁରୁ ସ୍ତନଭାରେ ମନ୍ଥରଗାମିନି - ରାଈ,

ଚାଲ ମୁଖରମଣି - ନୁପୁର ନାଦେ ରାଜହଂସ ତୁ ହରାଇ ।

 

(୩)

କାମିନି - ମୋହନ ମୋହନ ଚାଟୁ ତୁ ଘେନ ସୁହାସି ! ସରାଗେ,

କାମର ବନ୍ଦନି-କୋଇଲି ରେ ଦିଅ କାନ ଭରା - ଅନୁରାଗେ ।

 

(୪)

କୋମଳପତ୍ର କରେ ଲତିକା ସଖି, ଠାରି କହେ ଝୁଲି ବାତେ,

ଚାଲ ନିକୁଞ୍ଜ ପୁରେ ଧନି ! ଚଞ୍ଚଳ ରାଜ ତୁ ନାଗର ସାଥେ ।

 

(୫)

ନୀର-ଧାର ସରି ହାର ବିଲମ୍ବିତ ବାମ କୁଚେ ତୁ ପଚାର,

କାମ-ତରଙ୍ଗ-ବିଘାତ-ବିକମ୍ପିତ ସୂଚିତ ସଙ୍ଗ ବିଚାର ।

 

(୬)

ନିଶ୍ଚିତ ଦାରି ଅଛନ୍ତି ସଖୀ ତବ କାମ-ଜିଣା-ରଣବେଶେ,

ମେଖଳ-ଡିଣ୍ଡିମ ବାଇ ଚଣ୍ଡି ! ଚଳ ନୋହି ସଲାଜ ତୁ ଲେଶେ ।

 

(୭)

କାମ-ଶରାକୃତି ତୋ ନଖ ମଣ୍ଡିତ-ବାହୁ ସଖୀ-ପର ଢାଳି,

ଚାଲ, ବଳୟ-ନାଦେ ତରକାଅ ତୁ ଆନ-ମନା ବନମାଳି ।

 

(୮)

ଦ୍ୱାରହୁଁ ମଞ୍ଜୁଳ ଚିତ୍ତହରା ରଣଶୀରୁ ବଳି ରମଣୀୟ,

ଶ୍ରୀଜୟଦେବ-ରଚନ କରୁ ମଣ୍ଡନ ଭକ୍ତକଣ୍ଠ କମନୀୟ ।

 

ଲୋଭିତ ସନ୍ତତ ଚିତ୍ତ, ସୁକୋମଳ-କାନ୍ତ-ପଦେ ଅନୁବାଦେ,

ଶକତି ଦାନମର କବିଶଶି-ବନ୍ଦନ ହେ ଗୁରୁ ! ପ୍ରଣମଇଁ ପାଦେ ।

 

ସା ମାଂ ଦ୍ରକ୍ଷ୍ୟତି ବକ୍ଷ୍ୟତି ସ୍ମରକଥାଂ ପ୍ରତ୍ୟଙ୍ଗମାଲିଙ୍ଗନୈଃ

ପ୍ରୀତିଂ ଯାସ୍ୟତି ରଂସ୍ୟତେ ସଖି ! ସମାଗତ୍ୟେତି ସଂଚିନ୍ତୟନ୍‌ ।

ସ ତ୍ୱାଂ ପଶ୍ୟତି ବେପତେ ପୁଲକୟତ୍ୟାନନ୍ଦତି ସ୍ୱିଦ୍ୟତି

ପ୍ରତ୍ୟୁଦ୍‌ଗଚ୍ଛତି ମୂଚ୍ଛତି ସ୍ଥିରତମଃ ପୁଞ୍ଜେ ନିକୁଞ୍ଜେ ପ୍ରିୟଃ ।।୧।।

 

ଅକ୍ଷ୍‌ଣୋର୍ନିକ୍ଷିପଦଞ୍ଜନଂ ଶ୍ରବଣୟୋସ୍ତାପିଚ୍ଛ-ଗୁଚ୍ଛାବଳୀଂ

ମୂର୍ଦ୍ଧ୍ନି ଶ୍ରାମ-ସରୋଜ-ଦାମ କୁଚୟୋଃ କସ୍ତୂରିକା-ପତ୍ରକମ୍‌ ।

ଧୂର୍ତ୍ତାନାମଭିସାର-ସତ୍ୱରହୃଦାଂ ବିଷ୍ୱଙ୍‌ନିକୁଞ୍ଜେ ସଖି !

ଧ୍ୱାନ୍ତଂ ନୀଳ-ନିଚୋଳ-ଚାରୁ ସୁଦୃଶାଂ ପ୍ରତ୍ୟଙ୍ଗମାଲିଙ୍ଗତି ।। ୨।।

 

କାଶ୍ମୀର-ଗୌର-ବପୁଷାମଭିସାରିକାଣା-

ମାବଦ୍ଧ-ରେଖମଭିତୋ ରୁଚିମଞ୍ଜରୀଭିଃ ।

ଏତତ୍ତମାଳଦଳ-ନୀଳ-ତମଂ ତମିସ୍ରମ୍‌

ତତ୍-ପ୍ରେମ-ହେମ-ନିକଷୋପଳତାଂ ତନୋତି ।

 

ଇତି ଶ୍ରୀଗୀତଗୋବିନ୍ଦେ ବିଂଶଃ ସନ୍ଦର୍ଭଃ ।

 

ମୋରେ ଚାହିଁବ ବାନ୍ଧିବୀ ରସି ରସେ ଆଲିଙ୍ଗନେ ତୋଷିବ,

ଚିତ୍ତେ ଏସନ ଚିନ୍ତି ନାଗର ସତେ ଏକାନ୍ତରେ ବ୍ୟାକୁଳ ।

ହେରେ ତୋ ଛବି କଳ୍ପି ତା’ ନୟନରେ, ଆବେଗରେ କମ୍ପଇ,

ରୋମାଞ୍ଚେ ତନୁ ମୂର୍ଚ୍ଛିତେ ପଡ଼ଇ ବା ଅନ୍ଧାର କୁଞ୍ଜେ ଧନି ! ।। ୧ ।।

                  (ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

କୁଞ୍ଜେ ନୀଳିମ ଉତ୍ତରୀ ସରି ସତେ ଅନ୍ଧାର ଛାଏ ସଖି !

ଗଞ୍ଜେ ଅଞ୍ଜନ ଲୋଚନେ, ଶ୍ରବଣରେ ଖଞ୍ଜା ତମାଳେ ବଳେ ।

ରାଜେ ନୀଳ ସରୋଜହାର ଶିରରେ, କସ୍ତୁରି-ଚିତ୍ରେ କୁତେ,

ଏ ଯେ ଗୋ ଅଭିସାର କାଳ ତୁରିତେ ଧୂର୍ତ୍ତେ ! ନିକୁଞ୍ଜେ ଚଳ ।। ୨ ।।

                  (ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ଚାଲନ୍ତି କୁଙ୍କୁମ-ବିଭା ଅଭିସାରିକାଏ-

ସମ୍ପାତ ଅଙ୍ଗ-ଛଟକେ ଝଟକେ କି ରାତ୍ରି ।

ରାଜେ ତମାଳ ସମ ନୀଳ ଘନାନ୍ଧକାର,

ସେ ପ୍ରେମ-ହେମ-କଷିବା ନିକେଷେ ପ୍ରକାରେ ।। ୩ ।।

                  (ବସନ୍ତ-ତିଳକ)

 

ଇତି ଶ୍ରୀଗୀତଗୋବିନ୍ଦ ବିଂଶ ସନ୍ଦର୍ଭ ।

 

ଅଥ ଏକବିଂଶତିତମଃ ସନ୍ଦର୍ଭଃ

ହାରାବଳୀ-ତରଳ-କାଞ୍ଚନ-କାଞ୍ଚି ଦାମ

ମଞ୍ଜୀର(*)-କଙ୍କଣ-ମଣି-ଦ୍ୟୁତି-ଦୀପିତସ୍ୟ ।

ଦ୍ୱାରେ ନିକୁଞ୍ଜ-ନିଳୟସ୍ୟ ହରିଂ ବିଲୋକ୍ୟ

ବ୍ରୀଡ଼ାବତୀମଥ ସଖୀମିୟମିତ୍ୟୁବାଚ ।।

(*) କେୟୂର ବା ପାଠ

 

ଗୀତମ୍‌।୨୧।

ବରାଡ଼ୀରାଗେଣ-ରୂପକ ତାଳେନ ଚ ଗୀୟତେ ।

(୧)

ମଞ୍ଜୁତର-କୁଞ୍ଜତଳ-କେଳି-ସଦନେ

ପ୍ରବିଶ ରାଧେ ! ମାଧବ-ସମୀପମିହ

ବିଳସ ରତି-ରଭସ-ହସିତ-ବଦନେ ।। ଧ୍ରୁବମ୍‌ ।।

 

(୨)

ନବ-ଭବଦଶୋକ-ଦଳ-ଶୟନ-ସାରେ

ପ୍ରବିଶ ରାଧେ ! ମାଧବ-ସମୀପମିହ

ବିଳସ କୁଚ-କଳସ-ତରଳ-ହାରେ ।।

 

(୩)

କୁସୁମଚୟ-ଚରିତ-ଶୁଚି-ବାସଗେହେ

ପ୍ରବେଶ ରାଧଷ ! ମାଧବ-ସମୀପମିହ

ବିଳସ କୁସୁମ-ସୁକୁମାର-ଦେହେ ।।

 

(୪)

ଚଳ-ମଳୟ-ବନ-ପବନ-ସୁରଭି-ଶୀତେ

ପ୍ରବେଶ ରାଧଷ ! ମାଧବ-ସମୀପମିହ

ବିଳସ-ରତି-ବଳିତ-ଲଳିତ-ଗୀତେ ।।

 

ଅଥ ଏକବିଂଶତିତମ ସନ୍ଦର୍ଭ

ମାଳା ଝଳେ, ଝଟକ କାଞ୍ଚନ ମେଖଳାରେ-

ମଞ୍ଜୀର-କଙ୍କଣ-ବସା-ମଣି ଜାଳ ତେଜେ-

କୁଞ୍ଜେ ବିଲୋକି ଝଲକେ ଘନ-ସୁନ୍ଦରଶ୍ରୀ

ଲାଜେ ନତା ଛଟକିନୀ, ସଜନୀ ବୁଝାଏ । ୧ ।

                  (ବସନ୍ତ-ତିଳକ)

 

ଗୀତ । ୨୧ ।

ରାଗ-ଦେଶବରାଡ଼ୀ । ତାଳ-ରୂପକ ।

(୧)

ସୁନ୍ଦର ନିକୁଞ୍ଜ-ବନ କେଳି-ଭବନେ,

ଯା’ତୁ ରାଧେ ! ମୋହନ ସମୀପ ସଖୀ !

ବିହର, ରତି-ରସ-ସୁହାସ-ବଦନେ ।। ଘୋଷା ।।

 

(୨)

ନୂତନ ଅଶୋକ-ଦଳ-ଶୋଭି-ଶୟନେ,

ଯା’ତୁ ରାଧେ ! ମୋହନ ସମୀପ ସଖି !

ବିହର, କୁଚ-କଳସ-ହାର-ଚଳନେ ।।

 

(୩)

ଫୁଲ୍ଲ ଫୁଲ୍ଲ-ଦାମ-ସଜ କୁଞ୍ଜ-ସଦନେ,

ଯା’ତୁ ରାଧେ ! ମୋହନ-ସମୀପ, ସଖି !

ବିହର ସୁମନ-ସୁକୁମାର-ଲଳନେ ।।

 

(୪)

ଶୀତଳ-ସୁବାସ-ବହ ମନ୍ଦ-ପବନେ,

ଯା’ତୁ ରାଧଷ ! ମୋହନ ସମୀପ, ସଖି !

ବିହର, ସୁରତ-ରସ-ମଧୁର-ଗାନେ ।।

 

(୫)

ବିତତ-ବହୁ-ବଲ୍ଲି -ନବ ପଲ୍ଲବ-ଘନେ

ପ୍ରବିଶ ରାଧେ ! ମାଧବ-ସମୀପମିହ

ବିଳସ ଚିରମଳସମୀନ-ଜଘନେ ।।

 

(୬)

ମଧୁ-ମୁଦିତ-ମଧୁପ-କୁଳ-କଳିତ-ରାବେ

ପ୍ରବିଶ ରାଧେ ! ମାଧବ-ସମୀପମିହ

ବିଳସ ମଦନ-ରସ-ସରସ ଭାବେ ।।

 

(୭)

ମଧୁରତର-ପିକ-ନିଜର-ନିନଦ-ମୁଖରେ

ପ୍ରବିଶ ରାଧେ ! ମାଧବ-ସମୀପମିହ

ବିଳସ ଦଶନ-ରୁଚି-ରୁଚିର-ଶିଖରରେ ।।

 

(୮)

ବିହିତ-ପଦ୍ମାବତୀ-ସୁଖ-ସମାଜେ

କୁରୁ ମୁରାରେ ! ମଙ୍ଗଳ-ଶତାନି

ଭଣତି ଜୟଦେବ-କବିରାଜ-ରାଜେ ।।

 

(୫)

ପଲ୍ଲବ-ସୁସଞ୍ଚ-ବନ-କୁଞ୍ଜକୁ ଅର୍ନା,

ଯା’ତୁ ରାଧେ ! ମୋହନ ସମୀପ, ସଖୀ !

ବିହର, ଅଳସ-ଘନ-ପୀନ-ଜଘନା ।।

 

(୬)

ମଧୁ-ରସିକ ମଧୁପଳ ମଧୂର ଗୁଞ୍ଜେ,

ଯା’ତୁ ରାଧେ ! ମୋହନ ସମୀପ, ସଖି !

ବିହର, ମଦନ-ରସ-ସରସ-କୁଞ୍ଜେ ।।

 

(୭)

ପିକନିକର-ମଧୁରମୂର-ରଣିତ-କୁଞ୍ଜେ

ଯା’ତୁ ରାଧେ ! ମୋହନ ସମୀପ, ସଖି !

ବିହର,ତୁହିନ-ଧବଳିତ-ସୁନନ୍ତି ! ।।

 

(୮)

ନିୟତ ପଦ୍ମାବତୀ ସୁଖଦାୟକ,

କର ସନ୍ତତେ ମଙ୍ଗଳ ବିଧାନ

ଭଣଇ ପଦ ଜୟଦେବ କବି-ନାୟକ ।।

 

ମୁଗ୍‌ଧ ଜୟଦେବ-କବି-ରାସରସରେ,

ବନ୍ଧି ପାଦେ, ମୂଢ଼ କବି ଚନ୍ଦ୍ର ରସି-

ରଚଇ, ଅନୁବାଦ ଶୁଭ ଆଶରେ ।।

 

ତ୍ୱାଂ ଚିତ୍ତନେ ଚିରଂ ବହନ୍ନୟମତିଶ୍ରାନ୍ତୋ ଭୃଶଂ ତାପିତଃ ।

କନ୍ଦର୍ପେଣ ଚ ପାତୁମିଚ୍ଛତି ସୁଧା-ସମ୍ବାଧ-ବିମ୍ବାଧରମ୍‌ ।

ଅସ୍ୟାଙ୍କମ୍‌ତଦଳଂକୁରୁ କ୍ଷଣମିହ ଭ୍ରୂକ୍ଷେପ-ଲକ୍ଷ୍ମୀଲବ-

କ୍ରୀତେ ଦାସ ଇବୋପସେବିତ-ପଦାମ୍ଭୋଜେ କୁତଃସମ୍ଭ୍ରମଃ ।।୧।।

 

ସା ସମାଧ୍ୱସ-ସାନନ୍ଦଂ ଗୋବିନ୍ଦେ ଲୋଳ-ଲୋଚନା

ସିଞ୍ଜାନ-ମଞ୍ଜୁ-ମଞ୍ଜୀରଂ ପ୍ରବିବେଶ ନିବେଶନମ୍‌ ।। ୨ ।।

 

ଇତି ଏକବିଂଶ ସନ୍ଦର୍ଭଃ ।

 

(୧)

ଏକେ ତୋ ଗୁରୁଭାର ସେ ବହି ହୃଦେ ବାମା, ସତେ ଶ୍ରାନ୍ତ ଗୋ,

ତାପେ କାମ, ଦୁଜେ ସୁଧା, ଅଧାର ତୋ ପାନେ ସଦା ବାଞ୍ଛଇ ।

ରାଧେ ଗୋ, କାମ ତୋ କଟାକ୍ଷ-କରୁଣ-ଲାଭେ ପରା କ୍ରୀତ ସେ,

ଅଙ୍କେ ରାଜ ତୁ, ପାଦ ସେବକ ଜନେ ସଂକୋଚ କା କାହିଁକି ?

(ଶାର୍ଦ୍ଦୂଳ - ବିକ୍ରୀଡ଼ିତ)

 

(୨)

ମଞ୍ଜୁ- ମଞ୍ଜୀର ନାଦେ ସେ ଲାଜେ ମୁଦି ସୁଲୋଚନେ,

ଗୋବିନ୍ଦ ଚାହିଁ ସତୃଷ୍ଣେ କେଳି କୁଞ୍ଜ ପ୍ରବେଶିଲେ ।

 

ଇତି ଏକବିଂଶ ସନ୍ଦର୍ଭ ।

 

ଅଥ ଦ୍ୱାବିଂଶଃ ସନ୍ଦର୍ଭଃ

ଗୀତମ୍‌ । ୨୨ ।

ବରାଡ଼ୀ ରାଗ-ଯତିତାଳାଭ୍ୟାଂ ଗୀୟତେ ।

 

(୧)

ରାଧା-ବଦନ-ବିଲୋକନ-ବିକସିତ-ବିବିଧ-ବିକାର-ବିଭଙ୍ଗମ୍‌

ଜଳନିଧିମିବ ବିଧୁ-ମଣ୍ଡଳ-ଦର୍ଶନ-ତରଳିତ-ତୁଙ୍ଗ-ତରଙ୍ଗମ୍‌ ।

ହରିମେକ ରସଂ ଚିରମଭିକଷିତ - ବିଳାସମ୍‌

ସା ଦଦର୍ଶ ଗୁରୁହର୍ଷ-ବଶଂବଦ-ବଦନମଙ୍ଗ-ବିକାଶମ୍‌ ।। ଧ୍ରୁବମ୍‌।।

 

(୨)

ହାରମମଳତାର-ତାରମୁରସି ଦଧତଂ (*) ପରିଲମ୍ୱ୍ୟ ବିଦୂରମ୍‌,

ସ୍ଫୁଟତର-ଫେନ-କଦମ୍ୱ-କରମ୍ୱିତମିବ ଯମୁନାଜଳ -ପୂରମ୍‌ ।

(*) ପରିଲମ୍ୱିତ - ଦୂରମ୍‌ ଇତି ବା ପାଠଃ ।

 

(୩)

ଶ୍ୟାମଳ-ମୃଦୁଳ-କଳେବର-ମଣ୍ଡଳମଧିଗତ- ଗୌରଦୁକୂଳମ୍‌,

ନୀଳ-ନଳିନମିବ ପୀତ-ପରାଗ-ପଟଳ-ଭର-ବଳୟିତ -ମୂଳମ୍‌ ।

 

(୪)

ତରଳ-ଦୃଗଞ୍ଚଳ-ଚଳନ-ମନୋହର-ବଦନ-ଜନିତ-ରତି-ରାଗମ୍‌,

ସ୍ଫୁଟ- କମଳୋଦର -ଖେଳିତ-ଖଞ୍ଜନ-ଯୁଗମିବ ଶରଦି ତଡ଼ାଗମ୍‌ ।

 

ଦ୍ୱାବିଂଶ ସନ୍ଦର୍ଭ

ଗୀତ ।୨୨।

ରାଗ-ବରାଳୀ । ତାଳ-ଯତି

 

(୧)

ରାଧା-ବିଧିମୁଖ-ଦରଶନ-ସମୁଦିତ-ମୋହନ-ମଦନ ବିକାରେ-

ସାଜଇ ଚଳ-ଜଳ-ଚଞ୍ଚଳ ସାଗର ଶଶିକର ନଟନ ପ୍ରକାରେ ।

ହରି-ରଙ୍ଗ-ରସେ ମାତଇ ସରସ ବିଳାସେ,

ଶ୍ୟାମ ହରସ ଅତି ହେରି ରାଈ ରତି-ପୁଲକେ ମୁଖେ ପରକାଶେ ।

 

(୨)

ହାର ଚାରୁତର-ମୁକ୍ତାଦଳ-ଧର ମୋହନ ଉରବର ସାଜେ,

ଯମୁନା-ଜଳପର, ଖଚିତ ଧବଳତର ଫେନରାଜି କି ବିରାଜେ !

 

(୩)

କୋମଳ ଶ୍ୟାମଳ ଶ୍ୟାମ କଳେବର ଗୌର-ବାସ ଜଡ଼ି ମୋହେ,

ପୀତ ପରାଗ ପରିବୃତ ନୀଳ ସରୋଜର ମାଧୁରି ଶୋହେ ।

 

(୪)

ଚଳଛଳ ନୟନ ସୁଚାଳନ-ଜନିତ ସୁଶୋଭିତ ମୁଖ -ରତିରାଗେ,

ବିକଚ-କମଳ ଗରଭେ ଯୁଗ ଖଞ୍ଜନ ଖେଳ କି ଶରଦ ତଡ଼ାଗେ ।

 

(୫)

ବଦନ-କମଳ-ପରିଶୀଳନ-ମିଳିତ-ମିହିର-ସମ-କୁଣ୍ଡଳ-ଶୋଭମ୍‌ ।

ସ୍ମିତରୁଚି-କୁସୁମ-ସମୁଲ୍ଲସିତାଧାର-ପଲ୍ଲବ-କୃତ-ରତି-ଲୋଭମ୍‌ ।।

 

(୬)

ଶଶି-କିରଣ-ଚ୍ଛୁରିତୋଦର-ଜଳଧର-ସୁନ୍ଦର-ସକୁସୁମ-କେଶମ୍‌ ।

ତିମିରୋଦିତ-ବିଧୁମଣ୍ଡଳ-ନିର୍ମଳ-ମଳୟକ-ତିଳକ-ନିବେଶମ୍‌ ।।

 

(୭)

ବିପୁଳ-ପୁଲକ-ଭର-ଦନ୍ତୁରିତଂ ରତିକେଳି-କଳାଭିରଧୀରମ୍‌ ।

ମଣିଗଣ-କିରଣ-ସମୂହ-ସମୁଜ୍ୱଳ-ଭୂଷଣ-ସୁଭଗ-ଶରୀରମ୍‌ ।।

 

(୮)

ଶ୍ରୀଜୟଦେବ ଭଣିତ-ବିଭବ-ଦ୍ୱିଗୁଣୀକୃତ-ଭୂଷଣଭାରମ୍‌ ।

ପ୍ରଣମତ ହୃଦି ବିନିଧାୟ ହରିଂ ସୁଚିରଂ ସୁକୃତୋଦୟ-ସାରମ୍‌ ।।

 

(୫)

କମ-ମୁଖ-କମଳ-ବିକାଶକ-ଯୁଗରବି ମଣ୍ଡଳ-କୁଣ୍ଡଳଧାରୀ

ଫୁଲସରି ଦରହସିତାଧରପଲ୍ଲବ ରତି-ରସବର୍ଦ୍ଧନକାରୀ ।

 

(୬)

ସୁମନହାର-ସଜ କେଶର ଶଶିକର ରଞ୍ଜିତ ନବଘନ ବା’ସେ !

ଚନ୍ଦନ ବିନ୍ଦୁ ତିମିର-ଘନ ଉଦ୍‌ଭବ ଚନ୍ଦ୍ରହାସ ପରିହାସେ ।

 

(୭)

ରାଧା-ରତି-ରସ-ଭାବନ ପୁଲକିତ-କଣ୍ଟକିତ ସୁତନୁ ରାଜେ

ପୁଣି ମଣି-କଣଗଣ-ମଣ୍ଡିତ-ଭୂଷଣ ସୁନ୍ଦର ବପୁବର ସାଜେ ।

 

(୮)

ଶ୍ରୀଜୟଦେବ-ବଚନ-ରଚନେ ହରିଭୂଷଣ ଦ୍ୱିଗୁଣଇ ତେଜେ

ଭରି ହୃଦୟେ ପ୍ରଣିପାତ ବିବୁଧ ! କର ପୁଣ୍ୟଲାଭ ଫଳ ସେ ଯେ ।

 

କବିଶଶୀ ନିରତ ଚରଣାଶ୍ରିତ ତବ ହେ ଗୁରୁ, ସ୍ୱର୍ଗନିବାସୀ

ପ୍ରଣତି ନିବେଦନ କରି ଅନୁବାଦର ଦୋଷ କ୍ଷମା-ପ୍ରତିଆଶୀ ।

 

ଅତିକ୍ରମ୍ୟାପାଂଙ୍ଗମ୍‌ ଶ୍ରବଣ ପଥ ପର୍ଯ୍ୟନ୍ତ ଗମନ -

ପ୍ରୟାନେସନବୋକ୍ଷ୍‌ଣୋସ୍ତରଳତରତାରଂ ପତିତୟୋଃ ।

ତଦାନୀଂ (*) ରାଧାୟାଃ ପ୍ରିୟତମସମାଲୋକସମୟେ ।

ପପାତ ସ୍ୱେଦାମ୍ୱୁପ୍ରସରଇ ଇବ ହର୍ଷାଶ୍ରୁ-ନିକରଃ ।। ୧ ।।

(*) ଇଦାନୀ ବା ପାଠଃ

 

ଭଜନ୍ତ୍ୟାସ୍ତଳ୍ପାନ୍ତଂ କୃତ-କପଟ-କଣ୍ଡୂତି-ପିହିତ

ସ୍ମିତଂ ଯାତେ ଗେହାଦ୍‌ବହିରବହିତାଳୀ - ପରିଜନେ ।

ପ୍ରିୟାସ୍ୟଂ ପଶ୍ୟନ୍ତ୍ୟାଃ ସ୍ମରଶର-ସମାକୂତ-ସୁଭଗଂ

ସଲଜ୍ଜା ଲଜ୍ଜାପି ବ୍ୟଗମଦିବ ଦୂରଂ ମୃଗଦୃଶଃ ।।୨।।

 

ଜୟଶ୍ରୀ-ବିନ୍ୟସ୍ତୈର୍ମହିତ ଇବ ମନ୍ଦାରକୁସୁମୈଃ ।

ସ୍ୱୟଂ ସିନ୍ଦୂରେଣ ଦ୍ୱିପ-ରଣ-ମୁଦ୍ରା ମୁଦ୍ରିତ ଇବ ।।

ଭୁଜାପୀଡ଼-କ୍ରୀଡ଼ାହତ-କୁବଳୟାପୀଡ଼-କରିଣଃ ।

ପ୍ରକୀର୍ଣ୍ଣାସୃଗ୍‌ବିନ୍ଦୁର୍ଜୟତି ଭୁଜଦଣ୍ଡୋ ମୁରଜିତଃ ।। ୩ ।।

 

ଇତି ଦ୍ୱାବିଶଃ ସନ୍ଦର୍ଭଃ

ଇତି ଶ୍ରୀଗୀତଗୋବିନ୍ଦେ ଅଭିସାରିକାବର୍ଣ୍ଣନେ ସାନନ୍ଦ-ଗୋବିନ୍ଦୋ ନାମ

ଏକାଦଶଃ ସର୍ଗଃ ।

 

କି ନେତ୍ରାନ୍ତେ ଲଙ୍ଘି ଶ୍ରବଣ-ପଥ ଯାଏ ଚଳି ସତେ

ଖରେ ତାରା-ଖଞ୍ଜା-ନୟନଯୁଗ ଲାଜେ ଲହସିଲା !

ସତେ ଶ୍ରାନ୍ତେ ଯେହ୍ନେ ବହୁ ଶ୍ରମଫଳେ ସ୍ୱେଦ ଝରଇ

ଶୁଭାଙ୍ଗୀ ଆନନ୍ଦେ ନୟନ-ଜଳ ଢାଳେ ମିଳନରେ । ।। ୧ ।।

                  (ଶିଖରିଣୀ)

 

ଧନୀ-ମୋଦେ ଗୋପୀ କପଟଭର-କଣ୍ଡୂୟନ ଛଳେ-

ବଳେ ହାସେ ଚାପେ, ସମୟ କଳି କୁଞ୍ଜେ ବରଜିଲେ ।

ଅପାଙ୍ଗେ ବିକ୍ଷେପେ ମିଳି ତଳପପାଶେ ସୁନୟନା

ଗଲା ଲଜ୍ଜା ଲାଜେ ସୁମରି ପଥ ଦୂରେ ଅପସରି ।। ୨ ।।

(ଶିଖରିଣୀ)

 

ଜୟଶ୍ରୀ ପ୍ରାପ୍ତେ ବା ଅରଚିତ କି ମନ୍ଦାର ସୁମନେ

ସ୍ୱୟଂ ବା ସିନ୍ଦୂରେ କରି କର ମୂଗେ ରଞ୍ଜିତ ରଣେ ।

ମୁଦେ କ୍ରୀଡ଼ାବ୍ୟାଜେ ହତ-କୁବଳୟ-ପୀଡ଼ ପଲକେ

କରୀ-ରକ୍ତେ ଶୋଭା କର-ଯୁଗ ଶୁଭେ ରାଜୁ ସତତ ।। ୩ ।।

(ଶିଖରିଣୀ)

 

ଇତି ଦ୍ୱାବିଂଶ ସନ୍ଦର୍ଭ ।

ଇତି ଶ୍ରୀଗୀତଗୋବିନ୍ଦ ମହାକାବ୍ୟରେ ସାନନ୍ଦ-ଗୋବିନ୍ଦ ନାମ

ଅଭିସାରିକା ବର୍ଣ୍ଣନେ

ଏକାଦଶ ସର୍ଗ ।

 

ଅଥ ଦ୍ୱାଦଶଃ ସର୍ଗଃ

ସୁପ୍ରୀତ-ପୀତାମ୍ବରଃ

 

ଗତବତି ସଖୀବୃନ୍ଦେଽମନ୍ଦତ୍ରପାଭର-ନିର୍ଭର -

ସ୍ମର-ଶରବଶାକୂତ-ସ୍ଫୀତ-ସ୍ମିତ-ସ୍ମପିତାଧରାମ୍‌ ।

ସରସ-ମନସଂ ଦୃଷ୍ଟ୍ୱା ରାଧାଂ ମୁହୁର୍ନବପଲ୍ଲବ -

ପ୍ରସବ-ଶୟନେ ନିକ୍ଷିପ୍ତାକ୍ଷୀମୁବାଚ ହରିଃ ପ୍ରିୟାମ୍‌ ।।

 

ଅଥ ତ୍ରୟୋବିଂଶ ସନ୍ଦର୍ଭଃ

ଗୀତମ୍‌ । ୨୩ ।

ବିଭାସରାଗେଣ-ଏକତାଳୀ ଚ ଗୀୟତେ

 

(୧)

କିଶଳୟ-ଶୟନତଳେ କୁରୁ କାମିନି ! ଚରଣ-ନଳିନବିନିବେଶମ୍‌

ତବ ପଦ-ପଲ୍ଲବ-ବୈରି-ପରାଭବମିଦମନୁଭବତୁ ସୁବେଶମ୍‌ ।

କ୍ଷଣମଧୁନା ନାରାୟଣମନୁଗତ-ମନୁଭଜ ରାଧିକେ ! ।। ଧ୍ରୁବମ୍‌ ।।

 

(ବାର)

ବାସନ୍ତିକ ନୀଳଘନରେ ପୂର୍ଣ୍ଣଚନ୍ଦ୍ରର ଉଦୟ । ସରସ ମୁଖମଣ୍ଡଳରୁ ଏକାବେଳେ ଅପସରି ଯାଇଛି ଅଭିମାନର କାଳିଛାଇ । ବଦନରେ ଶ୍ରୀମତୀଙ୍କର ଉକୁଟି ଉଠୁଛି ଲାଜମିଶାପ୍ରେମାନନ୍ଦର ମଧୁର ମନ୍ଦହାସ । ସମ୍ମୁଖରେ ଅପେକ୍ଷମାଣ ସୁସଜ୍ଜିତ ତଳ୍ପ । ନାଗର ନାରାୟଣଙ୍କ କମଳ ନୟନରେ ଅବ୍ୟକ୍ତ ନିମନ୍ତ୍ରଣର ବିକାଶ ।

 

ପବିତ୍ର ହେଲା କୁଞ୍ଜବନର ମଧୁଶଯ୍ୟା ଶକ୍ତି ଓ ଶକ୍ତିମାନଙ୍କ ନିତ୍ୟଲୀଳାର ମିଳନ ମାଧୁରୀରେ ।

 

ଶ୍ରୀରାଧାଗୋବିନ୍ଦ ଚରଣାଶ୍ରିତ ମହାକବିଙ୍କର ରସବିଦଗ୍‌ଧନୟନ ଏ ଅପୂର୍ବ ଲୀଳା ସଂଦର୍ଶନରେ ପ୍ରେମ-ବିହ୍ୱଳ । ଜଗତର ରସିକ ଜନଙ୍କୁ ସାଦର ନିମନ୍ତ୍ରଣ ଜଣାଇଛନ୍ତି ସାଧୁପ୍ରଧାନ ପୂଜିବାକୁ ।

‘‘ସୁପ୍ରୀତ-ପୀତାମ୍ବର’’ ।

 

ଅଥ ଦ୍ୱାଦଶସର୍ଗ

ସୁପ୍ରୀତ-ପୀତାମ୍ବର

ଗତ ଯହୁଁ ସଖୀ ସର୍ବେ, ଲଜ୍ଜା ଧନୀ ମୁଖୁ ଘୁଞ୍ଚିଲା

ମଦନ-ରସ ଆସନ୍ତେ ହର୍ଷେ ହସେ ମଧୁରେ ତହୁଁ ।

ସରସ ମନରେ ଚାହେଁ ଉତ୍କଣ୍ଠିତା ଦଳ-ଶେଜକୁ

ମରଣ ବୁଝି ରାଧାରେ ଭାଷେ ମୁଦେ ବ୍ରଜନାଗର ।। ୧ ।।

(ହରିଣୀ)

 

ତ୍ରୟୋବିଂଶ ସନ୍ଦର୍ଭ

ଗୀତ । ୨୩ ।

ରାଗ-ବିଭାସ । ତାଳ-ଏକତାଳୀ

 

(୧)

ନବଦଳ-ଶେଜପରେ ରଖ ନାଗରି ! ଚରଣ-କମଳ ତବ ଆଜି

ପାଇ ପରାଭବ, ହେରି ପଦ-ବରଣ ସୁନ୍ଦରପଣ ଯିବ ଭାଜି ।

ରସ ଦଣ୍ଡେ, ନାରାୟଣ ତବ ଅନୁଗତ ଜନରେ ରାଧିକେ ।। ଘୋଷା ।।

 

(୨)

କର-କମଳେନ କରୋମି ଚରଣ-ମହମାଗମିତାସି ବିଦୂରମ୍‌ ।

କ୍ଷଣମୁପକୁରୁ ଶୟନୋପରି ମାମିବ ନୂପୁରମନୁଗତିଶୂରମ୍‌ ।।

 

(୩)

ବଦନ-ସୁଧାନିଧି-ଗଳିତମମୃତମିବ ରଚୟ ବଚନମନୁକୂଳମ୍‌ ।

ବିରହମିବାପନୟାମି ପୟୋଧର-ରୋଧକମୁରସି ଦୁକୂଳମ୍‌ ।।

 

(୪)

ପ୍ରିୟ-ପରିରମ୍ଭଣ-ରଭସ-ବଳିତମିବ ପୁଲକିତମତିଦୁରବାପମ୍‌ ।

ମଦୁରସି କୁଚ-କଳଶଂ ବିନିବେଶୟ ଶୋଷୟ ମନସିଜ-ତାପମ୍‌ ।।

 

(୫)

ଅଧର-ସୁଧାରସମୁପୟନ ଭାମିନି ! ଜୀବୟ ମୃତମିବ ଦାସମ୍‌ ।

ତ୍ୱୟି ବିନିହିତମନସଂ ବିରହାନଳ-ଦଗ୍‌ଧ-ବପୁଷମବିଳାସମ୍‌ ।।

 

(୨)

କର-କମଳେ ପଦଯୁଗଳ ସେବି ତବ ପଥ-ଶ୍ରାନ୍ତି ସଖି, ଖଣ୍ଡେଁ

ନୂପୁର ସରି ଅନୁଗତ ମୁଁ ପରା ରଖ ତଳପ-ପରେ ଗୋ ଦଣ୍ଡେ ।

 

(୩)

ଝରୁ ଶଶିବଦନରୁ ସୁଧାଧାରସରି ମଧୁର ବଚନ ରସଦାୟି ।

ଫେଇଦେବି କୁଚ ଅବଗୁଣୁନସେ ବିରହର ବାଧକ ରାଇ !

 

(୪)

ଦୁର୍ଲ୍ଲଭ କୁଚଯୁଗ ଉନ୍ନତ ପୁଲକେ ପରିରମ୍ଭଣ କରି ଆଶ,

ଥାପି କୁଚ-କଳଶ ବକ୍ଷପରେ ମମ ନାଶ ତୁ କାମ-ପରାଶ ।

 

(୫)

ରାଇ-ମଗନ-ମନ, କାମ-ଦହନ ଲଭି ମୃତ ସରି ବିଗତ-ବିଳାସ

ଅଧର ସୁଧା-ରସ ଢାଳି ଜୀବ ରଖ ଭାମିନି ରେ ମୁଁ ତ ଦାସ ।

 

(୬)

ଶଶିମୁଖ, ମୁଖରୟ ମଣି-ରଶନା-ଗୁଣମନୁଗୁଣ-କଣ୍ଠ-ନିନାଦମ୍‌ ।

ଶ୍ରୁତିପୁଟ-ଯୁଗଳେ ପିକରୁତ-ବିକଳେ ଶମୟ ଚିରାଦବସାଦମ୍‌ ।।

 

(୭)

ମାମତିବିଫଳରୁଷା ବିକଳୀକୃତମବଲୋକିତୁମଧୁନେଦମ ।

ମୀଳିତଲଜ୍ଜିତମିବ ନୟନଂ ତବ ବିରମ ବିସୃଜ ରତିଖେଦମ ।। (୧)

 

(୮)

ଶ୍ରୀଜୟଦେବ-ଭଣିତମିଦମନୁପଦ-ନିଗଦିତ-ମଧୁରିପୁ-ମୋଦମ୍‌ ।

ଜନୟତୁ ରସିକଜନେଷୁ ମନୋରମ-ରତିରସଭାବ-ବିନୋଦମ୍‌ ।।

 

(୬)

ତବ କଣ୍ଠସ୍ୱର ଅନୁଗୁଣ ରସନା ମୁଖରିତ କର ରସଦାୟୀ ।

ପିକରବ-ବିକଳିତ ଶ୍ରୁତିଯୁଗଳରୁ ଅବସାଦ ଦୂର କର ରାଈ !

 

(୭)

ମାନ ଅକାରଣ କରି ମୁଦ୍ରିତ କରୁ ଲାଜ ଲାଜ କମନୟନେ ।

ବରଜି ସୁରତ-ପ୍ରତିକୂଳଭାବ ରସରତି ରଭସେ ବରଲଳନେ ।

 

(୮)

ଶ୍ରୀଜୟଦେବ ରଚିତ ରସ ବର୍ଣ୍ଣନ ମୋହନ ମୋଦ-ପ୍ରକାଶୀ

ହରିଚରଣାଶ୍ରିତ ରସିକମାନସେ ବିତରୁ ସଦା ସୁଖରାଶି ।।

 

ହରି-ରସ-ବର୍ଣ୍ଣିତ ଲଳିତ-କାନ୍ତପଦ-ଲୋଭ ତୁଟାଇ ନ ପାରି ।

ଅନୁକରଣେ ରତ କବିଶଶି-ଭାବିତ ଛନ୍ଦବୃତ୍ତ ଅନୁସାରି ।।

 

(୧)

ପ୍ରତ୍ୟୂହଃ ପୁଲକାଙ୍କୁରେଣ ନିବିଡ଼ଶ୍ଳେଷେ ନିମେଷେଣ ଚ

କ୍ରୀଡ଼ାକୂତ-ବିଲୋକିତେଽଧର-ସୁଧାପାନେ କଥାନର୍ମଭିଃ ।

ଆନନ୍ଦାଧିଗମେନ ମନ୍ମଥ-କଳା-ଯୁଦ୍ଧେଽପି ଯସ୍ମିନ୍ନଭୂ-

ଦୁଦ୍‌ଭୂତଃ ସ ତୟୋର୍ବଭୂବ ସୁରତାରମ୍ଭଃ ପ୍ରିୟମ୍ଭାବୁକଃ ।।

 

(୨)

ଦୋର୍ଭ୍ୟାଂ ସଂଯମିତଃ ପୟୋଧର-ଭରେଣାପୀଡ଼ିତଃ ପାଣିଜୈ-

ରାବିଦ୍ଧୋ ଦଶନୈଃ କ୍ଷତାଧରପୁଟଃ ଶ୍ରୋଣୀତଟେନାହତଃ ।

ହସ୍ତେନାନମିତଃ କରେଽଧରସୁଧାପାନେନ ସମ୍‌ମୋହିତଃ

କାନ୍ତଃ କାମପି ତୃପ୍ତିମାପ ତଦହୋ କାମସ୍ୟ ବାମା ଗତିଃ ।।

 

(୩)

ମାରାଙ୍କେ ରତି-କେଳି-ସଙ୍କୁଳ-ରଣାରମ୍ଭେ ତୟା ସାହସ

ପ୍ରାୟଂ କାନ୍ତଜୟାୟ କିଞ୍ଚିଦୁପରି ପ୍ରାରମ୍ଭି ଯତ୍‌ସମ୍ଭ୍ରମାତ୍‌ ।

ନିଷ୍ପନ୍ଦା ଜଘନସ୍ଥଳୀ ଶିଥିଳିତା ଦୋର୍ବଲ୍ଲିରୁତ୍କମ୍ପିତଂ

ବକ୍ଷୋ ମୀଳିତମକ୍ଷି ପୌରୁଷରସଃ ସ୍ତ୍ରୀଣାଂ କୁତଃ ସିଧ୍ୟତି ।।

 

ବାଧା ଜାତ କରେ ସଦା ପୁଲକରେ ରୋମାଞ୍ଚ ଆଲିଙ୍ଗନେ

କ୍ରୀଡ଼ାକାଳମୁଖାବଲୋକସମୟେ ନେତ୍ରେ ପତାପାତ ଗୋ !

ଚୁମ୍ଭେ ନର୍ମ୍ମ କଥା ତ କେଳିସମରେ ସାରେ ପରାନନ୍ଦ ଗୋ

ଯେ ଯେ ବିଘ୍ନ ଘଟେ ବଢ଼େ ସୁଖ ସତେ ଦାନିଭରା ପ୍ରେମରେ ।। ୧ ।।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ବନ୍ଧା ବାହୁଯୁଗେ ଧନୀସ୍ତନଭରେ ପୀଡ଼ା ଲଭେ ମାଧବ

ଦନ୍ତେ ଦଷ୍ଟ, ନଖେ ଲଭେ କ୍ଷତ କରେ ହସ୍ତେ ତ ଆକର୍ଷିତ

ରାମା-ଚାରୁନିତମ୍ବତାଡ଼ିତ ଅବା ଚୁମ୍ବେ କି ସମ୍ମୋହିତ

ଶ୍ୟାମେ ଶାନ୍ତିସୁଧାସମେ ସବୁ, ଅହୋ ଆଶ୍ଚର୍ଯ୍ୟକର୍ମ୍ମା ସ୍ମର ! ।। ୨ ।।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ସ୍ପଦ୍ଧାରେ ବିପରୀତ କାମରଣରେ କାନ୍ତେ ଜିଣା ମାନସେ

ଆରୋହେ ହରିବକ୍ଷରେ ପଲକରେ ଶ୍ରାନ୍ତେ ମୁଦେ ନେତ୍ର ସେ ।

ନିସ୍ପନ୍ଦେ ଜଘନସ୍ଥଳୀ ଭୁଜଲତା କ୍ଳାନ୍ତେ ପଡ଼େ ଝାଉଁଳି

କେବେ ବା ରମଣୀ ହୁଏ ସମରଥା ଫୁସୋଚିତ ସାଧନେ ।। ୩ ।।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

(୧) ମୀଳଦ୍ଦୃଷ୍ଟି ମିଳତ୍କପୋଳ-ପୂଲକଂ ଶୀତ୍‌କାର-ଧାରା-ବଶା-

ଦବ୍ୟକ୍ତାକୁଳକେଳି-କାକୁ-ବିକିସଦ୍ଦନ୍ତାଂଶୁ-ଧୌତାଧରମ୍‌ ।

ଶ୍ୱାସୋନ୍ନଦ୍ଧ-ପୟୋଧରୋପରି-ପରିଷ୍ୱଙ୍ଗୀ କୁରଙ୍ଗୀଦୃଶୋ

ହର୍ଷୋତ୍କର୍ଷ-ବିମୁକ୍ତି-ନିଃସହ-ତନୋର୍ଧନ୍ୟୋ ଧୟତ୍ୟାନନମ୍‌ ।। ୪ ।।

 

ତସ୍ୟାଃ ପାଟଳ-ପାଣିଜାଙ୍କିତମୁରୋ ନିଦ୍ରାକଷାୟେ ଦୃଶୌ

ନିର୍ଧୌତୋଽଧର-ଶୋଣିମା ବିଲୁଳିତ ସ୍ରସ୍ତସ୍ରଜୋ ମୂର୍ଦ୍ଧଜାଃ ।

କାଞ୍ଚୀଦାମ ଦରଶ୍ଳଥାଞ୍ଚଳମିତି ପ୍ରାତର୍ନିଖାତୈର୍ଦୃଶୋ-

ରେଭିଃ କାମଶରୈସ୍ତଦଦ୍ଭୁତମଭୂତ୍‌ପତ୍ୟୁର୍ମନଃ କୀଳିତମ୍‌ ।। ୫ ।।

(୧) ଈଷନ୍ମୀଳିତ ଦୃଷ୍ଟି ମୁଗ୍‌ଧହସିଂତ - ଇତି ପାଠାନ୍ତରମ୍‌ (ଧରଣୀଧର

 

(୬)

(୨) ବ୍ୟାଲୋଳଃ କେଶପାଶସ୍ତରଳିତମଳକୈଃ

ସ୍ୱେଦଲୋଳୌ କପୋଳୌ

କ୍ଳିଷ୍ଟା ଦଷ୍ଟାଧରଶ୍ରୀଃ କୁଚକଳସରୁଚା ହାରିତା ହାରଯଷ୍ଟିଃ ।

କାଞ୍ଚୀ କାଞ୍ଚିଦ୍‌ଗତାଶାଂ ସ୍ତନଜଘନପଦଂ ପାଣିନାଚ୍ଛାଦ୍ୟ ସଦ୍ୟଃ

ପଶ୍ୟନ୍ତୀ ସତ୍ରପଂ ମାଂ ତଦପି ବିଳୁଳିତ ସ୍ରଗ୍‌ଧରେୟଂ ଧିନୋତି ।। ୬ ।।

 

ଇତି ମନସା ନିଗଦନ୍ତଂ ସୁରତାନ୍ତେ ସା ନିତାନ୍ତ-ଖିନ୍ନାଙ୍ଗୀ

ରାଧା ଜଗାଦ ସାଦରମିଦମାନନ୍ଦେନ ଗୋବିନ୍ଦମ୍‌ ।। ୭ ।।

(୨) ବ୍ୟାକୋଃଶ - ଇତି ବା ପାଠଃ

(ଇତି ତ୍ରୟୋଦଶଃ ସନ୍ଦର୍ଭଃ)

 

ଶ୍ୱାସେ ସ୍ଫୀତକୁଚା ଢଳାତନୁଲତା ଏଣୀଦୃଶ ପ୍ରେମରେ

ଯେ ଚୁମ୍ବେ ରସି ଗଣ୍ଡ ବା ଗୁରୁକୁଚ ଆଲିଙ୍ଗନେ ଧନ୍ୟ ସେ ।

ଶୀତ୍କାରେ ପୁଲକେ କପୋଳଯୁଗ ତା ସେକାଳରେ ମୋଦରେ

ଅସ୍ପଷ୍ଟେ କି କହେ ଧୁଏ କି ଅଧରେ ଦନ୍ତାବଳୀର ପ୍ରଭା ।। ୪ ।।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ବକ୍ଷେ ପାଟଳରାଗ ଅଙ୍କିତ ନଖେ, ନିଦ୍ରାଳସା ଲୋଚନ

ଓଷ୍ଠେ ରଙ୍ଗଧୂଆ ଅଧାମୁକୁଳିତା ବେଣୀ ତ ମାଳାହରା ।

କାଞ୍ଚୀ ପ୍ରାନ୍ତ ଫିଟା ପ୍ରଭାତସମୟେ ଏ ପଞ୍ଚବାଣେ ମିଶି

ବାଜେ ଶ୍ୟାମରେ ନେତ୍ରରେ ଅଦଭୂତେ ତା ମାନସେ ବିନ୍ଧଇ ।। ୫ ।।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ଆଲୋଳେ କେଶରାଶି ସ୍ଖଳିତ ତ ଅଳକାଘର୍ମ୍ମ ଶୋଭେ କପୋଳେ

ଦନ୍ତାଘାତେ ବିକଳାଧର କୁଚକଳସେ ହାର ଶୋଭା ହରାଏ ।

କାଞ୍ଚୀ ଦୂରେ ବିରାଜେ ସ୍ତନଜଘନ କରେ ଢାଙ୍କି ଲାଜେ ସୁହାସୀ

ଚାହେଁ କାନ୍ତା ତ ଘାରେ ମଦନଶରଭରେ ମର୍ଦ୍ଦତା ଶ୍ରଗ୍‌ଧରା ସେ ।। ୬ ।।

 

ଏସନ ମନେ ହରି ଚିନ୍ତେ ରତି ପ୍ରାନ୍ତେ କ୍ଳାନ୍ତ ଅତ୍ୟନ୍ତ ରାଧା ।

ଭାଷେ ଅତୀବ ଆଦର କରି ଗୋବିନ୍ଦେ ସରାଗରେ ।।

                  (ଶ୍ରଗ୍‌ଧରା)

 

ଇତି ତ୍ରୟୋଦଶ ସନ୍ଦର୍ଭ

 

ଅଥ ଚତୁର୍ବିଂଶଃ ସନ୍ଦର୍ଭଃ

ଗୀତମ୍‌। ୨୪ ।

ରାମକରୀରାଗେଣ-ଯତିତାଳେନ ଚ ଗୀୟତେ

(୧)

କୁରୁ ଯଦୁନନ୍ଦନ ! ଚନନ୍ଦ-ଶିଶିର-ତରେଣ କରେଣ ପୟୋଧରେ

ମୃଗମଦ-ପତ୍ରକ-ମତ୍ର ମନୋଭାବ-ମଙ୍ଗଳ-କଳଶ-ସହୋଦରେ ।

ନିଜଗାଦ ସା ଯଦୁନନ୍ଦନେ କ୍ରୀଡ଼ତି ହୃଦୟାନନ୍ଦନେ ।। ଧ୍ରୁବମ୍‌ ।।

 

(୨)

ଅଳିକୁଳ-ଗଞ୍ଜନ-ସଞ୍ଜନକଂ ରତିନାୟକ-ଶାୟକ-ମୋଚନେ

ତ୍ୱଦଧର-ଚୁମ୍ବନ-ଲମ୍ବିତ-କଜ୍ଜଳ-ମୁଜ୍ଜଳୟ ପ୍ରିୟ ଲୋଚନେ ।

 

(୩)

ନୟନ-କୁରଙ୍ଗ-ତରଙ୍ଗ-ବିକାଶ-ନିରାସ-କରେ ଶ୍ରୁତିମଣ୍ଡଳେ

ମନସିଜ-ପାଶ-ବିଳାସଧରେ ଶୁଭବେଶ ନିବେଶୟ କୁଣ୍ଡଳେ ।

 

(୪)

ଭ୍ରମରଚୟଂ ରଚୟନ୍ତମୁପରି ରୁଚିରଂ ସୁଚିରଂ ମମ ସମ୍‌ମୁଖେ

ଜିତ-କମଳେ ବିମଳେ ପରିକର୍ମୟ ନର୍ମ ଜନକମଳକଂ ମୁଖେ ।।

 

ଅଥ ଚତୁର୍ବିଂଶ ସନ୍ଦର୍ଭ

ଗୀତ । ୨୪ ।

ରାଗ-ରାମକିରୀ । ତାଳ-ଯତି ।

 

(୧)

ରଚ ଯଦୁନନ୍ଦନ ! କରକମଳେ ତବ ଚନ୍ଦନଶୀତଳତା ବଳି

କାମକଳସ ସମ, କୁଚଯୁଗଳେ ମମ, ମୃଗମଦପତ୍ର-ଚିତ୍ରାବଳୀ ।

ଭାଷେ ଧନୀ ରସସାଗରେ ପୀରତିରସିଆ ନାଗରେ ।। ଘୋଷା ।।

(୨)

ମଦନ ମୋକ୍ଷଶରସମ ଅଳିଗଞ୍ଜନ ମମ ନୟନଯୁଗଳ-ଅଞ୍ଜନ

ଲିଭିଛି ଅଧର ତବ ଚୁମ୍ବନକାଳେ, ଉଜ୍ଜ୍ୱଳ ଦିଶୁ କର ରଞ୍ଜନ ।

 

(୩)

ନୟନ-କୁରଙ୍ଗର ଗତି ପ୍ରତିରୋଧକ ମଦନ ପାଶ ମୃଗବନ୍ଧକ

କୁଣ୍ଡଳରେ କର ଶ୍ରୁତିତଟ ମଣ୍ଡନ ବେଶ ଭୁବନ-ଜନ-ନନ୍ଦକ ।।

 

(୪)

ବଦନ-କମଳପର କୁନ୍ତଳ ପଡ଼ି ରହି ଅଳିସରି ସେ ଉଦ୍‌ଭାସଇ

ବିରଚ ପ୍ରସାଧନ, ତୁରିତ ଶ୍ୟାମଘନ, ଶୁଣ ସଖିଜନ ପରିହାସଇ ।।

 

(୫)

ମୃଗମଦ-ରସ-ବଳିତଂ ଲଳିତଂ କୁରୁ ତିଳକମଳିକ-ରଜନୀକରେ

ବିହିତ-କଳଙ୍କ-କଳଂ କମଳାନନ ! ବିଶ୍ରମିତ-ଶ୍ରମଶୀକରେ ।

 

(୬)

ମମ ରୁଚିରେ ଚିକୁରେ କୁରୁ ମାନଦ ମାନସକ-ଧ୍ୱଜ-ଚାମରେ

ରତି-ଗଳିତେ ଲଳିତେ କୁସୁମାନି ଶିଖଣ୍ଡି-ଶିଖଣ୍ଡକ-ଡାମରେ ।

 

(୭)

ସରସ-ଘନେ ଜଘନେ ମମ ଶମ୍ବର-ଦାରଣ-ବାରଣ-କନ୍ଦରେ

ମଣି-ରସନା-ବସନାଭରଣାନି ଶୁଭାଶୟ ବାସୟ ସୁନ୍ଦରେ ।

 

(୮)

ଶ୍ରୀଜୟଦେବ-ବଚସି ଶୁଭଦେ ହୃଦୟଂ ସଦୟଂ କୁରୁ ମଣ୍ଡନେ

ହରିଚରଣ-ସ୍ମରଣାମୃତ-ନିର୍ମିତ-କଳି-କଳୁଷଜ୍ୱର-ଖଣ୍ଡନେ ।

 

(୫)

ମୁଞ୍ଚନକର ଶ୍ରମବାରି ‘ବିନ୍ଦୁ ମୋ ଭାଲରୁ ଯା’ ଶଶି-ଶୋଭନ

ତହିଁ ରଚନାକର ମୃଗମଦ ତିଳକ କଳଙ୍କ ସମେ ଦିଶୁ ଲୋଭନ ।।

 

(୬)

କେକୀ କଳାପ ସମେ ମମ କୁନ୍ତଳ କାମରଥ-ଧ୍ୱଜ-ଚାମର -

ରତି-ରଣ-ମୁକୁଳିତ, ସଜ୍ଜିତକର ତା’ ମଣ୍ଡି ଶିରୀ ସୁମ-ଦାମର ।।

 

(୭)

କାମର ବାରଣ କନ୍ଦର ସରି ମମ ଚାରୁ ନିତମ୍ବର ମାଧୁରୀ

ମଣିଗଣ ରସନା ଭୂଷଣ ବସନେ ସାଜ ବିକଶୁ ରଚନାଧୁରୀ ।।

 

(୮)

ଶ୍ରୀଜୟଦେବ ବଚନ ଶୁଭଦାୟକ କଳିଯୁଗ-ପାପ-ବିମୋଚକ

ହରିପଦ ସୁମରଣ ଅମୃତ ଝରସମ ଭକ୍ତଜନ-ସୁମନ ରୋଚକ ।

 

ଶ୍ରୀ ଜୟଦେବ-ଚରଣଯୁଗ-ଆଶ୍ରିତ-କବିଶଶି କଳପିତ ଗୀତେ -

ଭକ୍ତ-ରସିକ-ଜନ-ମାନସ ମୋହନକରୁ ଚିର ଚିନ୍ତନ ଚିତ୍ତେ ।।

 

ରଚୟ କୁଚୟୋଃ ପତ୍ରଂ ଚିତ୍ରଂ କୁରୁଷ୍ୱ କପୋଳୟୋ-

ର୍ଘଟୟ ଜଘନେ କାଞ୍ଚୀମଞ୍ଚ ସ୍ରଜା କବରୀଭରମ୍‌ ।

କଳୟ ବଳୟଶ୍ରେଣୀଂ ପାଣୌ ପଦେ କୁରୁ ନୂପୁରା -

ବିତ ନିଗଦିତଃ ପ୍ରୀତଃ ପୀତାମ୍ବରୋଽପି ତଥାକରୋତ୍‌ ।। ୧ ।।

 

ପର୍ଯଙ୍କୀକୃତ-ନାଗ-ନାୟକ-ଫଣା-ଶ୍ରେଣୀମଣୀନାଂ ଗଣେ

ସଂକ୍ରାନ୍ତ-ପ୍ରତିବିମ୍ବ-ସଂକଳନୟା ବିଭ୍ରଦ୍‌ବିଭୁ-ପ୍ରକ୍ରିୟମ୍‌ ।

ପାଦାମ୍ଭୋରୁହଧାରି-ବାରିଧି ସୁତାମକ୍ଷ୍‌ଣାଂ ଦିଦୃକ୍ଷଃ ଶତୈଃ ।

କାୟବ୍ୟୂହମିବାଚରନ୍ନୁପଚିତୀଭୂତୋ ହରିଃ ପାତୁ ବଃ ।। ୨ ।।

 

ତ୍ୱାମପ୍ରାପ୍ୟ ମୟି ସ୍ୱୟଂବରପରାଂ କ୍ଷୀରୋଦ-ତୀରୋଦରେ

ଶଙ୍କେ ସୁନ୍ଦରି ! କାଳକୂଟମପିବନ୍ମୂଢ଼ୋ ମୃଡ଼ାନୀପତିଃ ।

ଇତ୍‌ଥଂ ପୂର୍ଦ୍ଦକଥାଭିରନ୍ୟମନସା ବିକ୍ଷିପ୍ୟ ବକ୍ଷ୍ୟୋଞ୍ଚଳଂ

ପଦ୍ୱାୟାଃ ସ୍ତନକୋରକୋପରି ମିଳନ୍ନେତ୍ରୋ ହରିଃ ପାତୁ ବଃ ।। ୩ ।।

 

ରଚ କୁଚପରେ ପତ୍ରେ ଚିତ୍ରେ ସଜାଅ କପୋଳରେ

ଘନଜଘନରେ କାଞ୍ଚୀ, ମାଳା କଳା କବରୀ ପରେ ।

ବଳୟ ଯୁଗଳେ ହସ୍ତେ, ପାଦେ ସଖା ଭର ନୂପୁରେ

ରସକୁତୁକିନୀ ଭାଷେ; ମଣ୍ଡେ ମୁଦେ ହରି ବେଶକୁ ।। ୧ ।।

                        (ହରିଣୀ)

 

ରାଜେ ନାଗଫଣାମଣୀଗଣଭରାପର୍ଯ୍ୟଙ୍କ ମଧ୍ୟେ ହରି

ଶ୍ରୀପାଦାମ୍ବୁଜ-ସେବିକା କମଳିନୀ ଶୋଭା ଶିରୀ ଦର୍ଶନେ -

କାୟବ୍ୟୁହ ଛଳେ ସତେ ପ୍ରତିଫଳେ କାୟାର ଛାୟାଚ୍ଛଟା

ସର୍ବବ୍ୟାପକ ରୂପରେ ପ୍ରକଟ ଯେ ସାଧନ୍ତୁ ସେ ମଙ୍ଗଳ ।। ୨ ।।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ଅଙ୍କେ ରାଜିଲ ମୋ ସ୍ୱୟଂବର ପରେ କ୍ଷୀରୋଦ ତୀରେ ଯହୁ

ଖେଦେ ଶଙ୍କର କାଳକୂଟ ଗରଳେ ଆଶ୍ରାକଲେ ଗୋ ତହୁଁ ।

ନାନା ପୂର୍ବକଥା ଛଳେ ଚଳମନା କାନ୍ତାର ବକ୍ଷସ୍ଥଳୁଁ

ବାସେ ବାରି ନିରେଖିଲେ କୁଚଯୁଗେ ଯେ ସାଧିବେ ସେ ଶୁଭେ ।। ୩ ।।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ଯଦ୍‌ଗାନ୍ଧର୍ବ୍ବ-କଳାସୁ କୌଶଳମନୁଧ୍ୟାନଞ୍ଚ ଯଦ୍‌ବୈଷ୍ଣବଂ

ଯଚ୍ଛୃଙ୍ଗାର-ବିବେକତତ୍ୱମପି ଯତ୍‌ କାବ୍ୟେଷୁ ଲୀଳାୟିତମ୍‌ ।

ତତ୍‌ସର୍ବ୍ବଂ ଜୟଦେବ-ପଣ୍ଡିତକବେଃ କୃଷ୍ଣୈକତାନାତ୍ମନଃ

ସାନନ୍ଦାଃ ପରିଶୋଧୟନ୍ତୁ ସୁଧିୟଃ ଶ୍ରୀଗୀତଗୋବିନ୍ଦତଃ ।। ୪ ।।

 

ସାଧ୍ୱୀ ମାଧ୍ୱୀକ ! ଚିନ୍ତା ନ ଭବତି ଭବତଃ ଶର୍କରେ କର୍କଶସି ।।

ଦ୍ରାକ୍ଷେ ଦ୍ରକ୍ଷ୍ୟନ୍ତି କେ ତ୍ୱାମମୃତ ମୃତମସି କ୍ଷୀର ନୀରଂ ରସସ୍ତେ ।

ମାକନ୍ଦ କ୍ରନ୍ଦ କାନ୍ତାଧର ଧରଣିତଳଂ ଗଚ୍ଛ ଯଚ୍ଛନ୍ତି ଭାବଂ

ଭାବଂଶୃଙ୍ଗାର-ସାରସ୍ୱତମିହ ଜୟଦେବସ୍ୟ ବିଷ୍ୱରାବଚାଂସି ।। ୫ ।।

 

ଶ୍ରୀଭୋଜଦେବ-ପ୍ରଭବସ୍ୟବାମା-ଦେବୀସୃତ-ଶ୍ରୀ ଜୟଦେବକସ୍ୟ ।

ପରାଶରାଦି-ପ୍ରିୟବନ୍ଧୁ-କଣ୍ଠେ, ଶ୍ରୀଗୀତଗୋବିନ୍ଦ-କବିତ୍ୱମସ୍ତୁ ।।

 

ଇତି ଶ୍ରୀଜୟଦେବ କୃତୌ ଶ୍ରୀଗୀତଗୋବିନ୍ଦେ ମହାକାବ୍ୟେ

ସୁପ୍ରୀତ-ପୀତାମ୍ବରୋ ନାମ ଦ୍ୱାଦଶଃ ସର୍ଗଃ ।

ସମାପ୍ତମିଦଂ କାବ୍ୟମ୍‌ ।।

 

ସଙ୍ଗୀତେ ଯଦି ବା ବୁଧେ ହରି ରସେ କାବ୍ୟାଦିତତ୍ତ୍ୱା ଅବା

ଶୃଙ୍ଗାରେ ଅତି ଗୂଢ଼ ରାସ- ରସରେ ଚିତ୍ତେ ଥିଲେ ସ୍ନେହ ବା,

ପାଠେ ଶ୍ରୀଜୟଦେବ କାନ୍ତ ରଚନା ଶ୍ରୀକୃଷ୍ଣ ଭବାନ୍ୱିତ

ସାନନ୍ଦେ ପରିତୋଞ୍ଚ ଲାଭକର ହେ, ଶ୍ରୀଗୀତଗୋବିନ୍ଦରୁ ।। ୪ ।।

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ)

 

ଯାବତ୍‌ରାଜେ ଧରାରେ କବିଗୁରୁ ଜୟଦେବଙ୍କ ଶୃଙ୍ଗାରଗୀତୀ

ତାବତ୍‌ ମାଧୁର୍ଯ୍ୟଦାନେ ମଧୁ କି ମଧୁର ବା କ୍ଷୀରରେ ନୀର ଭାବ ।।

ଦ୍ରାକ୍ଷା ବା କେ ପଚାରେ ଅମୃତ ମୃତସରି ଶର୍କରା କର୍କରାକ୍ତ

ଚୂତେ କାନ୍ଦନ୍ତୁ ଶୋକେ ଯୂବତି-ଅଧର ଗୋ, ଯା’ ତୁ ପାତାଳମୂଳେ ।। ୫ ।।

(ସ୍ତଗ୍‌ଧରା)

 

ଯା’ ତାତ ମାତାଯୁଗ ଭୋଜ ବାମା, ସେ କାବ୍ୟଶିଳ୍ପୀ ଜୟଦେବ କାବ୍ୟ -

ଶ୍ରୀଗୀତଗୋବିନ୍ଦ-ମାଧୁର୍ଯ୍ୟ ରାଜେ ପରାଶରାଦି ପ୍ରିୟବନ୍ଧୁ କଣ୍ଠେ ।।

(ଇନ୍ଦ୍ର ବଜ୍ରା)

 

 

ଇତି ଶ୍ରୀଜୟଦେବକୃତ ଶ୍ରୀଗୀତଗୋବିନ୍ଦ ମହାକାବ୍ୟେ

ସୃପ୍ରୀତ-ପୀତାମ୍ବର ନାମ ଦ୍ୱାଦଶ ସର୍ଗ ।

କାବ୍ୟ ସମାପ୍ତ